Unknown

 

 

 

 

 

 

ଇଂଲଣ୍ତ ଇତିହାସ

 

ଲେଖକଗଣ

ଅଧ୍ୟାପକ ଡକ୍ଟର ନବୀନ କୁମାର ସାହୁ

ଅଧ୍ୟାପକ ପ୍ରବୋଧ କୁମାର ମିଶ୍ର

ଅଧ୍ୟାପକ ଡକ୍ଟର ଯଜ୍ଞ କୁମାର ସାହୁ

 

HISTORY OF ENGLAND

(FOR I. A. STUDENTS)

 

Published by the Orissa State Bureau of Text–Book Preparation and Production under the Centrally sponsored scheme of production of Books and Literature in Regional languages at the University level of the Government of India in the Ministry of Education and Social welfare (Department of Culture,) New Delhi.

Dr. Nabin Kumar Sahu

Professor of History

Sambalpur University, Sambalpur

Major Probodh Kumar Misra

Principal

Jawaharlal College, Patnagarh

Dr. Jagyan Kumar Sahu

Lecturer in History

Government, Evening College, Berhampur

 

Reviewed by :

 

Prof. Rajendra Kumar Das

 

Professor of History, Gangadhar Meher College,

Sambalpur

 

Language corrected by :

 

Sri Sarat Chandra Pradhan

Reader in Oriya, Ravenshaw College, Cuttack

Image

 

ମୁଖବନ୍ଧ

 

ଓଡ଼ିଆ ଭାଷାରେ ଲିଖିତ ଇଣ୍ଟରମିଡ଼ିଏଟ୍‌ ଶ୍ରେଣୀପାଇଁ ଉଦ୍ଦିଷ୍ଟ ‘‘ଇଂଲଣ୍ତ ଇତିହାସ’’ ଓଡ଼ିଆ ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାଦ୍ୱାରା ପ୍ରକାଶିତ ହେବାକୁ ଯାଉଛି । ଏହା ଓଡ଼ିଶାର ତିନିଜଣ କୃତୀ ଐତିହାସିକ ସର୍ବଶ୍ରୀ ଡକ୍ଟର ନବୀନ କୁମାର ସାହୁ, ଅଧ୍ୟାପକ ପ୍ରବୋଧ କୁମାର ମିଶ୍ର ଓ ଡକ୍ଟର ଯଜ୍ଞ କୁମାର ସାହୁଙ୍କଦ୍ୱାରା ଲିଖିତ ଓ ଅଧ୍ୟାପକ ରାଜେନ୍ଦ୍ର କୁମାର ଦାସଙ୍କଦ୍ୱାରା ସମୀକ୍ଷିତ । ଇଂରେଜ ଜାତି ବହୁଦିନ ଧରି ଭାରତବର୍ଷକୁ ପରାଧୀନତା ପାଶରେ ଆବଦ୍ଧ କରି ରଖିଥିଲା ଓ କାଳକ୍ରମେ ଭାରତବର୍ଷର ସଂସ୍କୃତି ମୂଳରେ ପ୍ରଚଣ୍ତ କୁଠାରଘାତ କରିଥିଲା । ଏ କ୍ଷୁଦ୍ର ଦ୍ୱୀପପୁଞ୍ଜର ଅଧିବାସୀ ହୋଇ ମଧ୍ୟ ଖାଲି ଭାରତବର୍ଷ ନୁହେଁ ପୃଥିବୀର ବହୁ ଅଞ୍ଚଳ ବ୍ରିଟିଶ ଔପନିବେଶିକତାର ଶୀକାର ହୋଇଥିଲା । ସେତେବେଳେ ବ୍ରିଟିଶ ସାମ୍ରାଜ୍ୟରୁ ସୂର୍ଯ୍ୟ ଅସ୍ତ ହେଉ ନଥିଲା । ତେଣୁ ଏଇଭଳି ଏକ ଜାତିର ଇତିହାସ ଜାଣିବାର ଆବଶ୍ୟକତା ରହିଅଛି । ଲେଖକଗଣ ଏହି ପୁସ୍ତକକୁ ମନୋଜ୍ଞ ଶୈଳୀରେ ରଚନା କରିଛନ୍ତି ଓ ଜ୍ଞାନଲିପ୍‌ସୁ ଛାତ୍ରଛାତ୍ରୀଗଣଙ୍କର ସୁଖପାଠ୍ୟ ହେବା ଦିଗରେ ଯତ୍ନବାନ ହୋଇଛନ୍ତି ।

 

ନିଜ ମାତୃଭାଷାରେ ଅଧ୍ୟୟନ କରିବା ବର୍ତ୍ତମାନ ଏକ ସାଂସ୍କୃତିକ ଆବଶ୍ୟକତାରେ ପରିଣତ ହୋଇଛି । ଏହାଦ୍ୱାରା ମାତୃଭାଷାର ସମୃଦ୍ଧି ସୁଦୃଢ଼ ହୁଏ ଓ ମାତୃଭାଷା ପ୍ରୀତି ଜାଗ୍ରତ ହୁଏ-। ଓଡ଼ିଆ ଭାଷା ଏକ ପୁରାତନ ଭାଷା ଏବଂ ଓଡ଼ିଶାବାସୀ ତା’ର ନିଜସ୍ୱ ଭାଷା ନେଇ ଗର୍ବ ଅନୁଭବ କରେ । ଏହି ଦୃଷ୍ଟିରୁ ଓଡ଼ିଆ ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ଇଣ୍ଟରମିଡ଼ିଏଟ୍‌ ଓ ବି.ଏ. ଶ୍ରେଣୀରେ ପାଠ୍ୟପୁସ୍ତକ ସମୂହକୁ ଓଡ଼ିଆ ଭାଷାରେ ପ୍ରକାଶ କରି ଏକ ମହାନ୍‌ ଜାତୀୟ କର୍ତ୍ତବ୍ୟ ସଂପାଦନ କରୁଛନ୍ତି । ଓଡ଼ିଶାର ଛାତ୍ରଛାତ୍ରୀଗଣ ଏହି ସବୁ ପାଠ୍ୟପୁସ୍ତକକୁ ଅଧ୍ୟୟନ କଲେ ଲେଖକ ତଥା ପ୍ରକାଶକଙ୍କର ଶ୍ରମ ସାର୍ଥକ ହେବ ।

 

 

। ଇତି ।

ଭୁବନେଶ୍ୱର

ଯଦୁନାଥ ଦାଶ ମହାପାତ୍ର

୨୪।୧୧।୭୫

ଶିକ୍ଷାମନ୍ତ୍ରୀ, ଓଡ଼ିଶା

 

 

ସଭାପତି, ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ

 

ପ୍ରଣୟନ ଓ ପ୍ରକାଶନ ସଂସ୍ଥା

Image

 

ସହାୟକ ପୁସ୍ତକ

 

1.

A short History of British Commonwealth, Vol I & II

Ramsay Muir

2.

New Ground work of British History

Warner, Martin & Muri

3.

Text Book of Modern English History Vol II

G. W. Southgate

4.

England Under the Tudors

Arthur Innes

5.

England under the Stuarts

Trevelyan

6.

England under the Hanoverians

Robertson

7.

England under the Waterloo

Marriott

8.

History of English Speaking People Vol II & III

Churchill

9.

England in 16th Century

S. T. Bindoff

10.

England in 17th Century

M. Ashley

11.

England in 18th Century

J. H. Plumb

12.

England in 19th Century

D. Tompson

13.

Modern England (1885–1945)

Marriott

14.

English Social History

Trevelyan

15.

History of the English People

Halevy

16.

Europe in the 19th & 20th Centuries

Grant & Temperley

17.

Partition of Africa.

Keltie.

18.

Europe Since 1914

Langsam

Image

 

ସୂଚିପତ୍ର

 

ପ୍ରଥମ ଅଧ୍ୟ୍ୟାୟ

ଟିଉଡ଼ର୍‍ ଯୁଗର ଭୂମିକା

 

ସପ୍ତମ ହେନେରୀ

 

ନବଜାଗରଣ ଓ ଆଧୁନିକ ଯୁଗର ପ୍ରାରମ୍ଭ

 

ବିଦ୍ରୋହ ଓ ତା’ର ପ୍ରତିକାର

 

ଉନ୍ନତିମୂଳକ କାର୍ଯ୍ୟ

 

ବୈଦେଶିକ ବ୍ୟାପାର ଓ ବୈବାହିକ ନୀତି

ଦ୍ୱିତୀୟ ଅଧ୍ୟ୍ୟାୟ

ଅଷ୍ଟମ ହେନେରୀ

 

ଟମାସ୍‌ ଓଲ୍‍ସି

 

ଜର୍ମାନୀରେ ଧର୍ମବିପ୍ଳବ

 

ଇଂଲଣ୍ତରେ ଧର୍ମବିପ୍ଳବ

ତୃତୀୟ ଅଧ୍ୟ୍ୟାୟ

ଷଷ୍ଠ ଏଡ଼୍‌ୱାର୍ଡ଼

 

ତତ୍ତ୍ୱାବଧାରକ ସିମୁର ସମର୍‌ସେଟ୍‌

 

ତତ୍ତ୍ୱାବଧାରକ ନର୍ଦମ୍ବରଲ୍ୟାଣ୍ତ

ଚତୁର୍ଥ ଅଧ୍ୟ୍ୟାୟ

ମେରୀ ଟିଉଡ଼ର୍‌

ପଞ୍ଚମ ଅଧ୍ୟ୍ୟାୟ

ଏଲିଜାବେଥ୍‌

 

ଧର୍ମନୀତି

 

ବୈଦେଶିକ ନୀତି ଓ ପ୍ରତିଧର୍ମ ସଂସ୍କାର ଆନ୍ଦୋଳନ

 

ଏଲିଜାବେଥ୍‌ ଓ ସ୍କଟ୍‌ଲାଣ୍ତ୍

 

ସ୍କଟ୍‌ରାଣୀ ମେରୀ

 

ଏଲିଜାବେଥ୍‌ ଓ ସ୍ପେନ୍‌

 

ଏଲିଜାବେଥୀୟ ଯୁଗ

ଷଷ୍ଠ ଅଧ୍ୟ୍ୟାୟ

ପ୍ରଥମ ଜେମ୍‌ସ୍‌

 

ପ୍ରଥମ ଜେମ୍‌ସ୍‌ଙ୍କ ପାର୍ଲିଆମେଣ୍ଟ୍‍

 

ବୈଦେଶିକ ନୀତି

ସପ୍ତମ ଅଧ୍ୟ୍ୟାୟ

ପ୍ରଥମ ଚାର୍ଲସ୍‌

 

ବୈଦେଶିକ ନୀତି

 

ପ୍ରଥମ ଚାର୍ଲସ୍‌ଙ୍କ ପାର୍ଲିଆମେଣ୍ଟ୍

 

ସ୍ୱେଚ୍ଛାଚାର ଶାସନ

 

ଚାର୍ଲସ୍‌ଙ୍କ ଧର୍ମନୀତି

 

ସ୍କଟ୍‌ଲ୍ୟାଣ୍ତ ଧର୍ମନୀତି

 

ଦୀର୍ଘକାଳ ସ୍ଥାୟୀ ପାର୍ଲିଆମେଣ୍ଟ୍‍

 

ଗୃହଯୁଦ୍ଧ

ଅଷ୍ଟମ ଅଧ୍ୟ୍ୟାୟ

ସାଧାରଣତନ୍ତ୍ର ଓ କ୍ରମ୍‌ୱେଲ୍‌

 

କ୍ରମ୍‌ୱେଲ୍; ସାମ୍ବିଧାନିକ ପରୀକ୍ଷା

 

ବୈଦେଶିକ ନୀତି

 

ରାଷ୍ଟ୍ରରକ୍ଷକ କ୍ରମ୍‌ୱେଲ୍

ନବମ ଅଧ୍ୟ୍ୟାୟ

ଦ୍ୱିତୀୟ ଚାର୍ଲସ୍‌

କାଭାଲିୟର ପାର୍ଲିଆମେଣ୍ଟ୍‍

 

କାବାଲ ମନ୍ତ୍ରିମଣ୍ତଳ

 

ତିନୋଟି ଅଳ୍ପକାଳ ସ୍ଥାୟୀ ପାର୍ଲିଆମେଣ୍ଟ୍‍

 

ବୈଦେଶିକ ନୀତି

ଦଶମ ଅଧ୍ୟ୍ୟାୟ

ଦ୍ୱିତୀୟ ଜେମ୍‌ସ୍‌ ଓ ଗୌରବମୟ ବିପ୍ଳବ

ଏକାଦଶ ଅଧ୍ୟ୍ୟାୟ

ତୃତୀୟ ଉଇଲିୟମ୍‌ ଓ ମେରୀ

 

ବୈଦେଶିକ ନୀତି

 

ସ୍ପେନୀୟ ଉତ୍ତରାଧିକାରୀ ସମର

ଦ୍ୱାଦଶ ଅଧ୍ୟ୍ୟାୟ

ମହାରାଣୀ ଏନି

ତ୍ରୟୋଦଶ ଅଧ୍ୟ୍ୟାୟ

ପ୍ରଥମ ଜର୍ଜ; ଚରିତ୍ର ଓ ବ୍ୟକ୍ତିତ୍ୱ

 

ହାନୋଭାରୀୟ ଶାସନର ବୈଶିଷ୍ଟ୍ୟ

 

ହୁଇଗ୍‌ ଗୋଷ୍ଠୀତନ୍ତ୍ର

 

ବୈଦେଶିକ ନୀତି

ଚତୁର୍ଦ୍ଦଶ ଅଧ୍ୟ୍ୟାୟ

ରବାର୍ଟ ୱାଲପୋଲ୍‌

ପଞ୍ଚଦଶ ଅଧ୍ୟ୍ୟାୟ

ଦ୍ୱିତୀୟ ଜର୍ଜ

 

ଅଷ୍ଟ୍ରିଆ ଉତ୍ତରାଧିକାରୀ ସମର

ଷୋଡ଼ଶ ଅଧ୍ୟ୍ୟାୟ

ଉଇଲିୟମ୍‌ ପିଟ୍‌ (ଜ୍ୟେଷ୍ଠ)

ସପ୍ତଦଶ ଅଧ୍ୟ୍ୟାୟ

ତୃତୀୟ ଜର୍ଜ

 

ବ୍ୟକ୍ତିଗତ ଶାସନ ପ୍ରତିଷ୍ଠା

ଅଷ୍ଟାଦଶ ଅଧ୍ୟ୍ୟାୟ

ଆମେରିକାର ସ୍ୱାଧୀନତା ସଂଗ୍ରାମ

ଊନବିଂଶ ଅଧ୍ୟାୟ

ତରୁଣ ପିଟ୍‌

ବିଂଶ ଅଧ୍ୟ୍ୟାୟ

ଫରାସୀ ରାଷ୍ଟ୍ରବିପ୍ଳବ

 

ଇଂଲଣ୍ତ ଓ ଫ୍ରାନ୍‌ସ ମଧ୍ୟରେ ସଂଘର୍ଷ

ଏକବିଂଶ ଅଧ୍ୟ୍ୟାୟ

ଶିଳ୍ପ ବିପ୍ଳବ

ଦ୍ୱାବିଂଶ ଅଧ୍ୟ୍ୟାୟ

ୱାଟାରଲୁ–ଯୁଦ୍ଧ–ପରବର୍ତ୍ତୀ ଇଂଲଣ୍ତର

 

ରାଜନୈତିକ ଓ ସାମାଜିକ ଅବସ୍ଥା

ତ୍ରୟୋବିଂଶ ଅଧ୍ୟ୍ୟାୟ

ଚତୁର୍ଥ ଜର୍ଜ ଓ ସମୃଦ୍ଧି–ବିହୀନ–ଶାନ୍ତି

ଚତୁର୍ବିଂଶ ଅଧ୍ୟ୍ୟାୟ

ଚତୁର୍ଥ ଉଇଲିୟମ୍‌ ଓ ସଂସ୍କାର ଯୁଗ

ପଞ୍ଚବିଂଶ ଅଧ୍ୟ୍ୟାୟ

ସାମ୍ରାଜ୍ଞୀ ଭିକ୍‌ଟୋରିଆ

 

ଲର୍ଡ଼ ମେଲବୋର୍ଣ୍ଣ

 

ସାର୍‌ ରବାର୍ଟ ପୀଲ୍‌

 

ଲର୍ଡ଼ ଜନ୍‌ ରାସେଲ୍‌

 

ଲର୍ଡ଼ ପାମାର୍‌ ଷ୍ଟୋନ୍‌

 

ଦ୍ୱିତୀୟ ସଂସ୍କାର ଆଇନ

 

ଗ୍ଳାଡ଼୍‌ ଷ୍ଟୋନ୍‌

 

ଡିସ୍‌ରାଏଲି

 

ଭିକ୍‍ଟୋରିଆ ଯୁଗ

ଷଡ଼ବିଂଶ ଅଧ୍ୟ୍ୟାୟ

ସାମ୍ରାଜ୍ୟବାଦ ଏବଂ ବ୍ରିଟିଶ ରାଜ୍ୟଗୋଷ୍ଠୀ

ସପ୍ତବିଂଶ ଅଧ୍ୟ୍ୟାୟ

ପରିବର୍ତ୍ତିତ ବୈଦେଶିକ ନୀତି ଓ ପ୍ରଥମ ବିଶ୍ୱଯୁଦ୍ଧ–(୧୯୧୪–୧୮) ବିଶ୍ୱଯୁଦ୍ଧରେ ଗ୍ରେଟ୍‌ବ୍ରିଟେନର ଭୂମିକା ଅଷ୍ଟାବିଂଶ ଅଧ୍ୟ୍ୟାୟ ପାରିସ୍‌ ଶାନ୍ତିସମ୍ମିଳନୀ ଓ ଗ୍ରେଟ୍‌ବ୍ରିଟେନ ଉପରେ ବିଶ୍ୱଯୁଦ୍ଧର ପ୍ରଭାବ

Image

 

ପ୍ରସ୍ତାବନା

 

ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ୧୯୭୦ ମସିହା ମାର୍ଚ୍ଚ ୧୧ ତାରିଖରେ ସ୍ଥାପିତ ହୋଇଛି । ଏହି ସଂସ୍ଥା ପ୍ରତିଷ୍ଠାର ଉଦ୍ଦେଶ୍ୟ–

 

୧.

ସାଧାରଣଭାବେ ଶିକ୍ଷା ପ୍ରସାରରେ ସହାୟତା ଦାନ ଓ ଏହାର ସମୁନ୍ନତି ବିଧାନ । ଓଡ଼ିଆ ଭାଷାରେ ପାଠ୍ୟପୁସ୍ତକ, ଶିକ୍ଷକମାନଙ୍କ ନିମନ୍ତେ ନିର୍ଦ୍ଦେଶକ ପୁସ୍ତକ ଛାତ୍ରମାନଙ୍କ ପାଇଁ ସହାୟକ ବହି, ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷାଦାନ ଓ ବିଦ୍ୟାଚର୍ଚ୍ଚାର ପ୍ରସାର ଉପଯୋଗୀ ଶିକ୍ଷା ସମ୍ପର୍କିତ ସାହିତ୍ୟ ଓ ଉଚ୍ଚ ଶିକ୍ଷା ନିମନ୍ତେ ଆବଶ୍ୟକ ପୁସ୍ତକ ପ୍ରଣୟନ-

୨.

ଓଡ଼ିଆରେ ପାଠ୍ୟପୁସ୍ତକ ରଚନାରେ ଜ୍ଞାନୀ, ଅଭିଜ୍ଞ ଓ ପ୍ରବୀଣ ଲେଖକମାନଙ୍କୁ ଉତ୍ସାହ ଦାନ, ସରକାର ଅଥବା ଅନ୍ୟାନ୍ୟ ଉପଯୁକ୍ତ କର୍ତ୍ତୃପକ୍ଷଙ୍କଦ୍ୱାରା ଶିକ୍ଷାର ବିଭିନ୍ନ ସ୍ତର ଓ ପାଠ୍ୟକ୍ରମ ନିମନ୍ତେ ନିର୍ଦ୍ଧାରିତ ବିଭିନ୍ନ ବିଷୟରେ ପ୍ରାମାଣିକ ବହିର ଓଡ଼ିଆରେ ଅନୁବାଦ, ସରକାର ବା ଅନ୍ୟାନ୍ୟ କର୍ତ୍ତୃପକ୍ଷଙ୍କୁ ଆବେଦନ କରି ଏ ପୁସ୍ତକଗୁଡ଼ିକ ନିମନ୍ତେ ସେମାନଙ୍କ ଅନୁମୋଦନ ଲାଭ ।

୩.

ପାଠ୍ୟପୁସ୍ତକ ପ୍ରଣୟନ ସମ୍ପର୍କରେ ଗବେଷଣାର ବ୍ୟବସ୍ଥା ଓ ଏଥି ନିମନ୍ତେ ସହାୟତା, ଶିକ୍ଷାର ବିଭିନ୍ନ ପଦ୍ଧତି ସମ୍ପର୍କିତ ସାହିତ୍ୟର ଗବେଷଣା, ଶିକ୍ଷା ବ୍ୟାପାରରେ ସହାୟତା, ସାଧାରଣ ଶିକ୍ଷାଗତ ମାନବୃଦ୍ଧିରେ ସହଯୋଗ ।

୪.

ସାଧାରଣ ଶିକ୍ଷାଗତ ମାନର ଉନ୍ନତିବିଧାନ ଉଦ୍ଦେଶ୍ୟରେ ପାଠ୍ୟକ୍ରମ ଓ ଶିକ୍ଷାକ୍ରମ ବିଷୟରେ ସରକାର ଓ ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଓ ସୁପାରିସ୍‍, ଏହାର ସୁଚିନ୍ତିତ ପରିକଳ୍ପନା ଓ ଉନ୍ନତି ବିଧାନ ।

୫.

ଗ୍ରନ୍ଥାଗାର ସ୍ଥାପନ ଓ ସଂରକ୍ଷଣ ପୂର୍ବକ ସାଧାରଣଭାବେ ଗବେଷଣାରେ ସହାୟତା ଏବଂ ବିଶେଷଭାବେ ଶିକ୍ଷାକ୍ରମ, ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକ ପ୍ରଣୟନ ସମ୍ପର୍କରେ ସହଯୋଗ ଦାନ ।

୬.

ଭାରତ ସରକାର ବା ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଲାଭ କରାଯାଉଥିବା ଦାନପତ୍ରଗୁଡ଼ିକର ସଂରକ୍ଷଣ, ଉପଯୋଗ ଓ ସନ୍ତୋଷଜନକ ହିସାବ ରକ୍ଷା ।

୭.

ପୁସ୍ତକଗୁଡ଼ିକର ଅବାଧ୍ୟ ଯୋଗାଣ ସମ୍ପର୍କରେ ଯେକୌଣସି ଯୋଜନା କାର୍ଯ୍ୟକାରୀ କରିବା ।

ସଂସ୍ଥା ତରଫରୁ ମୁଁ ଏହି ପୁସ୍ତକର ଲେଖକ ଅଧ୍ୟାପକ ଡକ୍ଟର ନବୀନ କୁମାର ସାହୁ, ଅଧ୍ୟାପକ ପ୍ରବୋଧ କୁମାର ମିଶ୍ର, ଡକ୍ଟର ଯଜ୍ଞ କୁମାର ସାହୁ, ସମୀକ୍ଷକ ପ୍ରଫେସର୍‍ ରାଜେନ୍ଦ୍ର କୁମାର ଦାସ ଓ ଭାଷା ସଂଶୋଧକ ଅଧ୍ୟାପକ ଶରତଚନ୍ଦ୍ର ପ୍ରଧାନଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରୁଛି । ଓଡ଼ିଶାର ଅଧ୍ୟାପକ ଓ ଅଧ୍ୟାପିକାବୃନ୍ଦ କଲେଜ ସ୍ତରରେ ଓଡ଼ିଆରେ ଶିକ୍ଷାଦାନ କଲେ ଏବଂ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସେମାନଙ୍କ ଉତ୍ତର ଓଡ଼ିଆରେ ଲେଖିବାରେ ବ୍ରତୀ ରହିଲେ ଆମ ସଂସ୍ଥାଦ୍ୱାରା ପ୍ରକାଶିତ ଉପାଦେୟପୁସ୍ତକଗୁଡ଼ିକର ସଦୁପଯୋଗ ହେବ ଓ ଏହି ସଂସ୍ଥା ପ୍ରତିଷ୍ଠାର ମହତ ଉଦ୍ଦେଶ୍ୟ ସାଧିତ ହେବ ।

 

ଭୁବନେଶ୍ୱର

ଗଦାଧର ମିଶ୍ର

ନଭେମ୍ବର ୨୮, ୧୯୭୫

ନିର୍ଦ୍ଦେଶକ

ଅଗ୍ରହାୟଣ ୭, ୧୮୯୭

ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା

Image

 

ଭୂମିକା

 

ଓଡ଼ିଶାର ବିଶ୍ୱବିଦ୍ୟାଳୟମାନଙ୍କରେ ବହୁଦିନରୁ ଇଂଲଣ୍ତ ଇତିହାସର ଅଧ୍ୟୟନ ଓ ଅଧ୍ୟାପନା ହୋଇ ଆସୁଅଛି । ସେଥିପାଇଁ ଇଂରେଜୀ ଭାଷାରେ ବହୁ ଉପାଦେୟ ପୁସ୍ତକ ମିଳୁଥିଲେହେଁ ଇଂଲଣ୍ତର ରାଜନୀତି, ଶାସନ ବ୍ୟବସ୍ଥା, ଧର୍ମ ଓ ସାମାଜିକ ବ୍ୟବସ୍ଥା ସହ କୌଣସି ପ୍ରତ୍ୟକ୍ଷ ସମ୍ପର୍କ ବା ଅଭିଜ୍ଞତା ନଥିବାରୁ ଇଂଲଣ୍ତ ଇତିହାସ ଅଧ୍ୟୟନ ତଥା ଅଧ୍ୟାପନା ବହୁ କଷ୍ଟସାଧ୍ୟ ବୋଲି ସମସ୍ତଙ୍କର ମତ । ସେ ଦିଗରେ ସମାଧାନର ପ୍ରଥମ ପଦକ୍ଷେପସ୍ୱରୂପ ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ଭାଷାରେ ପୁସ୍ତକ ପ୍ରଣୟନର ଯୋଜନା କରିଥିବାରୁ ଛାତ୍ରସମାଜର ଧନ୍ୟବାଦାର୍ହ ହୋଇଛନ୍ତି । ସେହି ଯୋଜନାରୁ ରୂପାୟିତା କରିବା ଦାୟିତ୍ୱ ଆମ ଉପରେ ନ୍ୟସ୍ତ କରିଥିବାରୁ ଆମେ ସଂସ୍ଥା ନିକଟରେ କୃତଜ୍ଞ ।

 

ଆଇ: ଏ: ଶ୍ରେଣୀର ଛାତ୍ରମାନଙ୍କ ଆବଶ୍ୟକତାକୁ ଏବଂ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମକୁ ଲକ୍ଷ୍ୟ ରଖି ଏଥିରେ ଅନେକ କ୍ଳିଷ୍ଟ ଐତିହାସିକ ବିଷୟବସ୍ତୁକୁ ବାଦ ଦିଆଯାଇଅଛି । ତା’ ବ୍ୟତୀତ କେତେକ ଇଂରାଜୀ ଶବ୍ଦ ଓ ଆଇନକାନୁନର ଓଡ଼ିଆ ପାରିଭାଷିକ ଶବ୍ଦ ନୂତନ ବ୍ୟବହୃତ ହୋଇଥିବାରୁ ସ୍ଥଳ ବିଶେଷରେ ହୁଏତ ଅସୁବିଧା ଉପଲବ୍ଧି କରାଯାଇପାରେ । ସେ ଦିଗରେ ଆମେ ଏହି ପୁସ୍ତକର ସମୀକ୍ଷକ ଗଙ୍ଗାଧର ମେହେର କଲେଜ ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପକ ରାଜେନ୍ଦ୍ର କୁମାର ଦାସଙ୍କଠାରୁ ଅନେକ ସୁଚିନ୍ତିତ ପରାମର୍ଶ ପାଇଥିବାରୁ କୃତଜ୍ଞତା ପ୍ରକାଶ କରୁଅଛୁଁ-

 

ପୁସ୍ତକଟି ଛାତ୍ର ତଥା ଅଧ୍ୟାପକ ସମାଜରେ ଆଦୃତ ହେଲେ ଆମର ଶ୍ରମ ସାର୍ଥକ ହେବ ବୋଲି ମନେ କରୁଁ ।

 

ଲେଖକଗଣ

Image

 

ମାନଚିତ୍ର ସୂଚୀ

 

୧.

ସପ୍ତମ ହେନେରୀଙ୍କ ସମୟରେ ଇଂଲଣ୍ତ

୨.

ଏଲିଜାବେଥ୍‍ଙ୍କ ସମୟରେ ଏବଂ ସ୍ପେନୀୟ ନୌଭେଳାର ଗତିପଥ

୩.

ପ୍ରଥମ ଚାର୍ଲସ୍‍ଙ୍କ ସମୟର ଗୃହଯୁଦ୍ଧ

୪.

ଔପନିବେଶିକ ଯୁଦ୍ଧର ପ୍ରବାହ

୫.

ନେପୋଲିୟନଙ୍କ ସାମ୍ରାଜ୍ୟ ଓ ୱାଟରଲ ରଣକ୍ଷେତ୍ର

୬.

ଖ୍ରୀ: ୧୯୧୪ରେ ଇଉରୋପ

୭.

ଖ୍ରୀ: ୧୯୧୯ରେ ଇଉରୋପ

Image

 

ପ୍ରଥମ ଅଧ୍ୟାୟ

ଟିଉଡ଼ର ଯୁଗର ଭୂମିକା

 

ପଞ୍ଚଦଶ ଶତାବ୍ଦୀର ଶେଷଭାଗରେ ରାଜନୈତିକ ମାନଚିତ୍ର ଏବର ମାନଚିତ୍ରଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ସେତେବେଳେ କେବଳ ସ୍ପେନ୍‌, ଅଷ୍ଟ୍ରିୟା ଓ ଫ୍ରାନ୍‍ସ ବୃହତ୍‌ ଶକ୍ତିରୂପେ ପରିଗଣିତ ହେଉଥିଲେ । ଇଂଲଣ୍ତ, ସ୍କଟ୍‍ଲ୍ୟାଣ୍ତ ଓ ଆୟାରଲ୍ୟାଣ୍ତ ମଧ୍ୟରେ ରାଜନୈତିକ ଏକତା ନଥିଲା । ଇଂଲଣ୍ତ ଓ ସ୍କଟ୍‍ଲ୍ୟାଣ୍ତ ପ୍ରତିବେଶୀ ବିବାଦୀୟ ରାଷ୍ଟ୍ର ଥିଲେ ଏବଂ ଭିନ୍ନ ଭିନ୍ନ ରାଜବଂଶଦ୍ୱାରା ଶାସିତ ହେଉଥିଲେ । ଉଭୟ ଦେଶର ଅଧିବାସୀଙ୍କ ଜୀବନଯାପନ ପ୍ରଣାଳୀ ମଧ୍ୟଯୁଗୀୟ, ଅନୁନ୍ନୟ ଓ ବିଶୃଙ୍ଖଳ ଥିଲା ।

 

ଇଂଲଣ୍ତର ଶାସକ ଥିଲେ ରିଚାର୍ଡ଼ (Richard III) ନାମକ ଜଣେ ଦୁର୍ଦ୍ଧର୍ଷ ଆତତାୟୀ-। ସେ ୟର୍କ ବଂଶଜ ଥିଲେ ଏବଂ ତାଙ୍କ ପିତାଙ୍କ ନାମ ଥିଲା ଡିଉକ୍‌ ଅଫ ୟର୍କ । ଡିଉକ୍‌ ଅର୍ଫ ୟର୍କଙ୍କ ମୃତ୍ୟୁପରେ ଜ୍ୟେଷ୍ଠ ପୁତ୍ର ଚତୁର୍ଥ ଏଡ଼୍‍ୱାର୍ଡ଼ ଖ୍ରୀ: ୧୪୬୧ରେ ସିଂହାସନାରୋହଣ କଲେ ଓ ସାନ ଭାଇ ରିଚାର୍ଡ଼ଙ୍କୁ ଅତି ବିଶ୍ୱସ୍ତ ଅନୁରକ୍ତ ଭାବରେ ନାନା ଦାୟିତ୍ୱ ସମର୍ପଣ କଲେ-। କ୍ରମଶଃ ରିଚାର୍ଡ଼ଙ୍କ କ୍ଷମତା ଉତ୍ତରୋତ୍ତର ବୃଦ୍ଧି ପାଇବାରେ ଲାଗିଲା । ସେହି ସମୟରେ ସେ ଲାଙ୍କାଷ୍ଟାର ବଂଶର ଏଡ଼୍‌ୱାର୍ଡ଼ଙ୍କୁ ହତ୍ୟା କରିଥିଲେ । ଲାଙ୍କାଷ୍ଟାର ବଂଶର ଷଷ୍ଠ ହେନେରୀଙ୍କ ହତ୍ୟା ସହିତ ମଧ୍ୟ ସେ ସଂପୃକ୍ତ ଥିଲେ । ୧୪୮୩ ଖ୍ରୀଷ୍ଟାବ୍ଦ ଏପ୍ରିଲ ମାସରେ ରାଜା ଚତୁର୍ଥ ଏଡ଼୍‍ୱାର୍ଡ଼ ମୃତ୍ୟୁର ଅବ୍ୟବହିତ ପୂର୍ବରୁ ନାବାଳକ ପୁତ୍ର ପଞ୍ଚମ ଏଡ଼୍‍ୱାର୍ଡ଼ଙ୍କର ତତ୍ତ୍ୱାବଧାରକରୂପେ କନିଷ୍ଠ ଭ୍ରାତା ତୃତୀୟ ଚିଚାର୍ଡ଼ଙ୍କୁ ନିଯୁକ୍ତ କରିଥିଲେ । କିନ୍ତୁ ତାଙ୍କର (ଚତୁର୍ଥ ଏଡ଼୍‍ୱାର୍ଡ଼) ସ୍ତ୍ରୀ ଏଲିଜାବେଥ୍ ଏଥିରେ ସମ୍ମତ ନଥିଲେ । ସେ ପୁଅକୁ ନିଜ ଭାଇମାନଙ୍କ ନିକଟରେ ବା ତତ୍ତ୍ୱାବଧାନରେ ରଖିବାକୁ ଚାହୁଁଥିଲେ, କାରଣ ରିଚାର୍ଡ଼ଙ୍କ ଉପରେ ତାଙ୍କର ବିଶ୍ୱାସ ନଥିଲା । ଏପରି ବ୍ୟବସ୍ଥା ରିଚାର୍ଡ଼ଙ୍କ ମନକୁ ଗଲା ନାହିଁ କାରଣ ସେ ଭାବିଲେ ଯେ ରାଣୀ ଏଲିଜାବେଥ୍‌ଙ୍କ ଭାଇମାନେ (ଉଡ଼୍‍ଭିଲ୍‌ ପରିବାର) ତାଙ୍କଠାରୁ କ୍ଷମତା ଅପହରଣ କରିନେବେ । ତେଣୁ ସେ ଉଡ଼୍‍ଭିଲ୍‌ ପରିବାରର ଲର୍ଡ଼ ରିଭାର୍‌ସ୍‌ (Lord Rivers) ଏବଂ ସାର୍‌ ରିଚାର୍ଡ଼ ଗ୍ରେ (Sir Richard Grey)ଙ୍କୁ ବନ୍ଦୀ କରି ନାବାଳକ ରାଜା ପଞ୍ଚମ ଏଡ଼୍‍ୱାର୍ଡ଼ଙ୍କୁ ନିଜ ଅକ୍ତିଆରକୁ ଆଣିଲେ । ଉଡ଼୍‍ଭିଲ୍‌ ଭ୍ରାତୃଦ୍ୱୟ ପ୍ରାଣଦଣ୍ତ ପାଇଲେ । ସେମାନଙ୍କର ଅନେକ ପ୍ରତିପତ୍ତିଶାଳୀ ସମର୍ଥକ ମଧ୍ୟ ନିହତ ହେଲେ ।

 

ଇଂଲଣ୍ତ ସିଂହାସନ ହସ୍ତଗତ କରିବା ତୃତୀୟ ରିଚାର୍ଡ଼ଙ୍କର ପ୍ରଧାନ ଅଭିଳାଷ ଥିବାରୁ ସେ ବର୍ତ୍ତମାନ ପଞ୍ଚମ ଏଡ଼୍‍ୱାର୍ଡ଼ଙ୍କର ସିଂହାସନ ପ୍ରତି ଥିବା ଦାବିକୁ ଉପେକ୍ଷା କରିବାର ଯୋଜନା କଲେ । ତାଙ୍କ ଚକ୍ରାନ୍ତ ଅନୁସାରେ ଚତୁର୍ଥ ଏଡ଼୍‌ୱାର୍ଡ଼ ଏବଂ ଏଲିଜାବେଥ୍‌ଙ୍କ ବିବାହ ଅସିଦ୍ଧ ଘୋଷିତ ହେବାରୁ ପଞ୍ଚମ ଏଡ଼୍‍ୱାର୍ଡ଼ ଅବୈଧ ସନ୍ତାନରୂପେ ପରିଗଣିତ ହେଲେ । ତେଣୁ ଅବୈଧ ସନ୍ତାନର ଦାବିକୁ ଉପେକ୍ଷା କରି ରିଚାର୍ଡ଼ ଜ୍ୟେଷ୍ଠ ଭ୍ରାତାଙ୍କର ନ୍ୟାୟସଂଗତ ଉତ୍ତରାଧିକାରୀରୂପେ ନିଜକୁ ସାବ୍ୟସ୍ତ କଲେ ଏବଂ ୧୪୮୩ ଖ୍ରୀଷ୍ଟାବ୍ଦ ଜୁଲାଇ ୬ ତାରିଖ ଦିନ ମହାସମାରୋହରେ ଅଭିଷେକ ଉତ୍ସବ ସଂପନ୍ନ କଲେ । ପଞ୍ଚମ ଏଡ଼୍‍ୱାର୍ଡ଼ ଏବଂ ତାଙ୍କ ସାନ ଭାଇ ରିଚାର୍ଡ଼ ବନ୍ଦୀ ହୋଇ ତୃତୀୟ ରିଚାର୍ଡ଼ଙ୍କ ଆଦେଶରେ ନିହତ ହେଲେ ।

 

କିନ୍ତୁ କାଳର କ୍ରୂର ଅଭିଶାପରୁ ତୃତୀୟ ରିଚାର୍ଡ଼ ନିଜେ ମଧ୍ୟ ରକ୍ଷା ପାଇ ପାରିଲେ ନାହିଁ-। ତାଙ୍କର ଏକମାତ୍ର ପୁତ୍ର ଏଡ଼୍‍ୱାର୍ଡ଼ ୧୪୮୪ ଖ୍ରୀଷ୍ଟାବ୍ଦ ଏପ୍ରିଲ ମାସରେ ଏବଂ ପତ୍ନୀ ଏନ୍‌ ନେଭିଲ୍‌ ୧୪୮୫ ଖ୍ରୀ: ମାର୍ଚ୍ଚ ମାସରେ ଇହଲୀଳା ସମ୍ବରଣ କଲେ । ବ୍ୟକ୍ତିଗତ ଦୁଃଖ ଓ ଶୋକରେ ଅଧୀର ହୋଇ ତୃତୀୟ ରିଚାର୍ଡ଼ ନିଜ ଦୁଃଖର ଲାଘବପାଇଁ ଓ ଇଂରେଜମାନଙ୍କର ଶ୍ରଦ୍ଧାଭାଜନ ହେବାପାଇଁ ଗିର୍ଜା ନିର୍ମାଣ କଲେ, ଧର୍ମନୀତି ବୟାନ କଲେ, ଶିକ୍ଷାର ପୃଷ୍ଠପୋଷକତା କଲେ ଓ ସୁନ୍ଦର ରାଜ ପୋଷାକରେ ସଜ୍ଜିତ ହେଲେ, ଦୟା ଓ କ୍ଷମା ଆଚରଣ କଲେ–କିନ୍ତୁ ସଫଳକାମ ହେଲେ ନାହିଁ-। ନିଜ ଝିଆରୀ ଏଲିଜାବେଥ୍‌ଙ୍କୁ ବିବାହ କରି ସେ ସିଂହାସନ ଉପଭୋଗର ବନ୍ଦୋବସ୍ତ କରୁଥିବା ଶୁଣି ଲୋକେ ତାଙ୍କୁ ଅଧିକ ଘୃଣା କଲେ । ତାଙ୍କର ଜଘନ୍ୟ ମନୋବୃତ୍ତି ଓ ରକ୍ତପାତ ସମସ୍ତଙ୍କୁ ବ୍ୟତିବ୍ୟସ୍ତ କଲା । ଏପରିକି ୟର୍କ ବଂଶର ସମର୍ଥକମାନେ ମଧ୍ୟ ତାଙ୍କୁ ଆଦୌ ଭଲ ପାଉ ନଥିଲେ-

 

ଏହି ପରିସ୍ଥିତିରେ ଚତୁର୍ଥ ଏଡ଼୍‍ୱାର୍ଡ଼ଙ୍କ ବିଧବାପତ୍ନୀ ଏବଂ କେତେକ ପ୍ରତିପତ୍ତିଶାଳୀ ସମର୍ଥକ ଲାଙ୍କାଷ୍ଟାର ବଂଶ ସହ ସମ୍ମିଳିତ ହୋଇ ସପ୍ତମ ହେନେରୀଙ୍କ ନେତୃତ୍ୱରେ ତୃତୀୟ ରିଚାର୍ଡ଼ଙ୍କୁ ହତ୍ୟା କରିବାର ଯୋଜନା ପ୍ରସ୍ତୁତ କରିଥିଲେ ।

 

ସପ୍ତମ ହେନେରୀ ସେତେବେଳେ ଫ୍ରାନ୍‌ସରେ ନିର୍ବାସିତ । ଇଂଲଣ୍ତ ସିଂହାସନ ପାଇଁ ଲାଙ୍କାଷ୍ଟାର ବଂଶର ଦାୟାଦଭାବେ ସେ ନିଜ ଦାବି ଉପସ୍ଥାପନ କରିଥିଲେ । ଏହି ଦାବି ସାବ୍ୟସ୍ତ କରିବାପାଇଁ ଯୁଦ୍ଧ କରିବାକୁ ମଧ୍ୟ ସେ ପ୍ରସ୍ତୁତ ଥିଲେ । ତେଣୁ ୟର୍କ ବଂଶର ଅସନ୍ତୁଷ୍ଟ ଗୋଷ୍ଠୀର ଆମନ୍ତ୍ରଣ କରି ସେ ଇଂଲଣ୍ତ ଅଭିମୁଖରେ ଯାତ୍ରା କଲେ ଏବଂ ୧୪୮୫ ଖ୍ରୀଷ୍ଟାବ୍ଦ ଅଗଷ୍ଟ ୭ ତାରିଖ ଦିନ ମିଲ୍‌ଫୋର୍ଡ଼ ହେଭେନ୍‌ଠାରେ ଅବତୀର୍ଣ୍ଣ ହେଲେ । ଏହି ଦୁଃସାହସିକ କାର୍ଯ୍ୟରେ ଷ୍ଟାନ୍‌ଲେ ପରିବାର (ଲର୍ଡ଼ ଷ୍ଟାନ୍‌ଲେ ଏବଂ ଭାଇ ସାର୍‌ ଉଇଲିୟମ୍‌ ଷ୍ଟାନ୍‌ଲେ) ତାଙ୍କୁ ବିଶେଷ ସାହାଯ୍ୟ କରିଥିଲେ । ବସୱାର୍ଥଠାରେ ତୃତୀୟ ରିଚାର୍ଡ଼ ଏବଂ ସପ୍ତମ ହେନେରୀଙ୍କର ସମ୍ମୁଖ ଯୁଦ୍ଧ ହୋଇଥିଲା । ଯୁଦ୍ଧବିଦ୍ୟାରେ ରିଚାର୍ଡ଼, ହେନେରୀଙ୍କ ଅପେକ୍ଷା ଅଧିକ ପାରଙ୍ଗମ ଥିଲେ ଏବଂ ତାଙ୍କ ସହ ପ୍ରାୟ ୮,୦୦୦ ସୈନ୍ୟଥିଲେହେଁ ଷ୍ଟାନ୍‌ଲେ ଭ୍ରାତାଙ୍କ ସାହାଯ୍ୟ ବଳରେ ହେନେରୀ ଯୁଦ୍ଧରେ ବିଜୟ ହାସଲ କଲେ ଏବଂ ତୃତୀୟ ରିଚାର୍ଡ଼ ନିହତ ହେଲେ ।

 

ଲାଙ୍କାଷ୍ଟାର ଏବଂ ୟର୍କ ବଂଶର ପରିଚୟ ଓ ଟିଉଡ଼ର୍‍ ବଂଶ ସହ ସମ୍ପର୍କ ।

 

ସପ୍ତମ ହେନେରୀ (Henry VII) :–(ଖ୍ରୀ : ୧୪୮୫ ରୁ ଖ୍ରୀ : ୧୫୦୯)

 

ଖ୍ରୀ : ୧୪୮୫ ଅଗଷ୍ଟ ମାସ ୨୨ ତାରିଖ ଦିନ ବସୱାର୍ଥ ରଣକ୍ଷେତ୍ରରେ ରାଜା ତୃତୀୟ ରିଚାର୍ଡ଼ (Richard III)ଙ୍କୁ ନିହତ କରି ସପ୍ତମ ହେନେରୀ ନିଜକୁ ଇଂଲଣ୍ତର ରାଜାରୂପେ ପ୍ରତିଷ୍ଠା କରିଥିଲେ । ରିଚାର୍ଡ଼ ଥିଲେ ଜଣେ ପ୍ରବଞ୍ଚକ ଓ ଅତ୍ୟାଚାରୀ ଶାସକ । ତାଙ୍କୁ ଯୁଦ୍ଧରେ ପରାସ୍ତ କରି ହତ୍ୟା କରିବାଦ୍ୱାରା ହେନେରୀଙ୍କର ସିଂହାସନ ପ୍ରାପ୍ତିସୁଲଭ ହୋଇଥିଲା ସତ୍ୟ କିନ୍ତୁ ନ୍ୟାୟସଂଗତ ରାଜା ବୋଲି ସ୍ୱୀକୃତ ହେବା ସହଜସାଧ୍ୟ ନଥିଲା ।

 

ପରିଚୟ :–ହେନେରୀ ଟିଉଡ଼ର୍‍ ଥିଲେ ରିଚମଣ୍ଡର ସାମନ୍ତ ବା ଉପରାଜା । ଟିଉଡ଼ର୍‌ ବଂଶ ଓଏନ୍‌ ଟିଉଡ଼ର୍‌ (Owen Tudor)ଙ୍କଠାରୁ ଆରମ୍ଭ ହୋଇଥିଲା । ଓଏନ୍‌ ରାଜା ପଞ୍ଚମ ହେନେରୀଙ୍କର ବିଧବା ସ୍ତ୍ରୀ କ୍ୟାଥାରାଇନ୍‌ଙ୍କୁ ବିବାହ କରିଥିଲେ । ଓଡ଼୍‍ମଣ୍ତ (Edmund) ଓ ଜେସ୍‌ପାର୍‌ (Jasper) ନାମରେ ତାଙ୍କର ଦୁଇ ପୁତ୍ର ଥିଲେ । ରାଜା ଷଷ୍ଠ ହେନେରୀ ସେମାନଙ୍କୁ ଯଥାକ୍ରମେ ରିଚମଣ୍ତ ଓ ପେସବ୍ରୋକର ସାମନ୍ତ ପଦବୀରେ ଭୂଷିତ କରିଥିଲେ । ରିଚମଣ୍ତର ସାମନ୍ତ ଏଡ଼୍‍ମଣ୍ତ ଲାଙ୍କାଷ୍ଟାର ବଂଶର କନ୍ୟା ମାର୍ଗାରେଟ୍‌ଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ପୁତ୍ର ଥିଲେ ସପ୍ତମ ହେନେରୀ ।

 

ଓଏନ୍‍ ଟିଉଡ଼ର୍‍ (ସ୍ତ୍ରୀ–କ୍ୟାଥାରାଇନ୍)

 

ସପ୍ତମ ହେନେରୀ ଗୋଲାପଯୁଦ୍ଧରେ ଲାଙ୍କାଷ୍ଟାର ବଂଶର ସମର୍ଥକ ଥିଲେ । ଯୁଦ୍ଧରେ ଜୟଲାଭ କଲାପରେ ଇଂଲଣ୍ତର ରାଜମୁକୁଟ ପରିଧାନ କରିବାପାଇଁ ସପ୍ତମ ହେନେରୀଙ୍କୁ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ି ନଥିଲା । ପାର୍ଲିଆମେଣ୍ଟ୍‍ଦ୍ୱାରା ସେ ଶାସକ ବୋଲି ସ୍ୱୀକୃତ ହୋଇଥିଲେ ଏବଂ ତାହା ପୋପ୍‌ କର୍ତ୍ତୃକ ସମର୍ଥିତ ହୋଇଥିଲା । ସେତିକିରେ ହେନେରୀ ସନ୍ତୁଷ୍ଟ ହୋଇ ରହି ନଥିଲେ । ୟର୍କ ବଂଶର ଦାୟାଦ ଓ ସ୍ୱତ୍ୱାଧିକାରୀ ଏଲିଜାବେଥ୍‌ଙ୍କୁ ବିବାହ କରି ସେ ସିଂହାସନ ପ୍ରାପ୍ତିକୁ ବଳବତ୍ତର କରିପାରିଥିଲେ । ୧୪୮୫ ଖ୍ରୀ: ଅଗଷ୍ଟ ମାସ ୩୦ ତାରିଖରେ ତାଙ୍କର ଅଭିଷେକ ଉତ୍ସବ ଅପୂର୍ବ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ସମାହିତ ହୋଇଥିଲା । ହେନେରୀଙ୍କୁ ସେତେବେଳେ ଅଷ୍ଟବିଂଶ ବର୍ଷ ବୟସ । ନାନା ଘାତ ପ୍ରତିଘାତ ମଧ୍ୟଦେଇ ତାଙ୍କର ତରୁଣ ଜୀବନ ଅତିବାହିତ ହୋଇଥିଲା । ଘାତ ପ୍ରତିଘାତର କଷଟି ପଥରରେ ଘଷିମାଜି ହୋଇ ହେନେରୀ ବେଶ୍‌ ପୋଖତ, ଅନୁଭୂତି ସଂପନ୍ନ ଓ ଅଭିଜ୍ଞ ଶାସକ ହେବାର ସୁଯୋଗ ପାଇ ପାରିଥିଲେ ।

 

ଖ୍ରୀ: ୧୪୮୫ରେ ଏକ ନୂତନ ରାଜବଂଶ, ବଳିଷ୍ଠ ଓ ଦୂରଦୃଷ୍ଟିସମ୍ପନ୍ନ ରାଜାଙ୍କୁ ନେଇ ଇଂଲଣ୍ତରେ ଏକ ଅଭିନବ ଯୁଗର ସୂତ୍ରପାତ ହେଲା । ଏହାକୁ ଇଂଲଣ୍ତ ଇତିହାସରେ ଆଧୁନିକ ଯୁଗର ପ୍ରାରମ୍ଭ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।

 

ରାଜ୍ୟତ୍ୱର ବୈଶିଷ୍ଟ୍ୟ

 

ସପ୍ତମ ହେନେରୀଙ୍କ ରାଜତ୍ୱ ଇଂଲଣ୍ଡ ଇତିହାସର ମଧ୍ୟଯୁଗ ଓ ଆଧୁନିକ ଯୁଗ ମଧ୍ୟରେ ଏକ ଯୋଗସୂତ୍ର । ତାଙ୍କଦ୍ୱାରା ପ୍ରଣୀତ ଅନେକ ଆଇନ ମଧ୍ୟଯୁଗୀୟ ଢାଞ୍ଚାରେ ହୋଇଥିଲେହେଁ ତାଙ୍କର ଶାସନନୀତି ଓ ବୈଦେଶିକ ବ୍ୟାପାର କ୍ଷେତ୍ରରେ ବୈବାହିକ ନୀତି ଆଧୁନିକତାର ଛାଞ୍ଚରେ ଗଢ଼ା ଯାଇଥିଲା । ସେ ସମୟର ଘଟଣା ପ୍ରବାହକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ, ହେନେରୀ ମଧ୍ୟଯୁଗ ଓ ଆଧୁନିକ ଯୁଗ ମଧ୍ୟରେ ଏକ ସୁନ୍ଦର ସମନ୍ୱୟ ଆଣିପାରିଥିଲେ ।

 

ଟିଉଡ଼ର୍ ରାଜତ୍ୱର ବୈଶିଷ୍ଟ୍ୟ ଅନେକ ଥିଲା । ବୈଦେଶିକ ନୀତିରେ ବୈବାହିକ ସମ୍ପର୍କକୁ ଯେଉଁ ଭାବରେ ହେନେରୀ ଉପଯୋଗ କରିଥିଲେ ତାହା ଏକ ନୂତନ ଆଭିମୁଖ୍ୟର ପରିଚୟ ପ୍ରଦାନ କରେ । ଏହା ଇଂଲଣ୍ତ ଓ ସ୍ପେନ୍‌ ମଧ୍ୟରେ ବନ୍ଧୁତ୍ୱ ପ୍ରତିଷ୍ଠା କରିବା ସଙ୍ଗେ ସଙ୍ଗେ ଇଂଲଣ୍ତ ଓ ସ୍କଟ୍‍ଲ୍ୟାଣ୍ତର ଏକତ୍ରୀକରଣ ପାଇଁ ପଥ ପରିଷ୍କାର କରିପାରିଥିଲା । ଆଧୁନିକ ମୁଦ୍ରାଯନ୍ତ୍ରର ବ୍ୟାପକ ବ୍ୟବହାର, ଜ୍ଞାନର ନବୀକରଣ, ଓ ବୈଜ୍ଞାନିକ ଚିନ୍ତାଧାରାର ବିକାଶ ଏକ ନବଯୁଗର ବାର୍ତ୍ତା ପ୍ରଚାର କଲା । ତା’ଛଡ଼ା କୁସଂସ୍କାରାଚ୍ଛନ୍ନ ସମାଜର ଗତିପଥ ବଦଳାଇବା ପାଇଁ ଧର୍ମବିପ୍ଳବ ଆଣିଦେଲା ପ୍ରୋଟେଷ୍ଟାଣ୍ଟ୍ ସଂପ୍ରଦାୟ ଓ ଆନୁଷଙ୍ଗିକ ପରିବର୍ତ୍ତନ । ଇଉରୋପର ସଂକୀର୍ଣ୍ଣ ପରିସର ମଧ୍ୟରୁ ମୁକ୍ତ ହୋଇ ଇଉରୋପୀୟମାନେ ଭୌଗୋଳିକ ଆବିଷ୍କାରରେ ଆତ୍ମବିସ୍ମୃତ ହେଲେ । ଭୌଗୋଳିକ ଆବିଷ୍କାର ସହିତ ଆସିଲା ଔପନିବେଶବାଦ ଓ ସାମ୍ରାଜ୍ୟ । ବିଶ୍ୱଇତିହାସର ମଧ୍ୟଯୁଗ, ସମୟ ଓ ପରିବର୍ତ୍ତନର ପ୍ରଚ୍ଛଦପଟ ମଧ୍ୟରେ ଚିରଦିନ ପାଇଁ ଆତ୍ମଗୋପନ କଲା । (ସପ୍ତମ ହେନେରୀଙ୍କ ସମୟରେ ଇଂଲଣ୍ତ)

 

ନବଜାଗରଣ ଓ ଆଧୁନିକ ଯୁଗର ପ୍ରାରମ୍ଭ

 

ମଧ୍ୟଯୁଗର କୁସଂସ୍କାର ଓ ଅନ୍ଧବିଶ୍ୱାସର ଆବରଣରୁ ମାନବ ସଭ୍ୟତାକୁ ନବଜାଗରଣ (Renaissance) ରକ୍ଷା କରିଥିଲା । ଇଟାଲୀରେ ଖ୍ରୀ ୧୪୫୩ ପରେ ପରେ ନବଜାଗରଣର ସୂତ୍ରପାତ ହୋଇଥିଲା । ଖ୍ରୀ: ୧୪୫୩ରେ କନ୍‌ଷ୍ଟାଣ୍ଟିନୋପଲ୍‌ ତୁର୍କମାନଙ୍କ ହସ୍ତଗତ ହେବାଫଳରେ ସେଠାରେ ବସବାସ କରୁଥିବା ଖ୍ରୀଷ୍ଟିଆନ ପଣ୍ତିତ ଓ ଗ୍ରୀକ୍‌ ଏବଂ ରୋମୀୟ ଦାର୍ଶନିକ କଥା ବୁଦ୍ଧିଜୀବୀଗଣ ଇଉରୋପର ଇଟାଲୀ, ସ୍ପେନ୍‌ ପ୍ରଭୃତି ଅଞ୍ଚଳକୁ ପଳାୟନ କରିଥିଲେ । ସେମାନଙ୍କର ଆଗମନଫଳରେ ଇଟାଲୀ ପ୍ରଭୃତି ଦେଶରେ ଗ୍ରୀକ୍‌ ଧର୍ମଦର୍ଶନ, ରୋମୀୟ ସାହିତ୍ୟ ଓ ଇତିହାସ ଆଦିର ଆଲୋଚନା ଜୋର୍‍ସୋର୍‌ରେ ହୋଇଥିଲା । ଫଳରେ ବେକନ୍‌, ଦାନ୍ତେ, ଲିଓନାର୍ଡ଼ୋ, ମାଇକେଲ୍‌ ଆଞ୍ଜେଲୋ, ଟିସିଆନ୍‌ ଆଦି ମନୀଷୀ, କଳାକାର ଓ ସାହିତ୍ୟିକ ସଂସ୍କୃତିର ବିଭିନ୍ନ କ୍ଷେତ୍ରରେ ନୂତନ ଦିଗ୍ଦର୍ଶନ ଦେଇଥିଲେ । ଚିନ୍ତାରାଜ୍ୟରେ ସ୍ୱାଧୀନତାର ବିକାଶ ଘଟିଲା । ଅନ୍ଧବିଶ୍ୱାସକୁ ପରିହାର କରି ବୈଜ୍ଞାନିକମାନେ ପ୍ରକୃତ ସତ୍ୟାସତ୍ୟକୁ ପରୀକ୍ଷାଦ୍ୱାରା ପ୍ରମାଣିତ କଲେ । ଜ୍ଞାନଜଗତରେ ଏହି ନବଜାଗରଣଫଳରେ ଆଞ୍ଚଳିକ ସାହିତ୍ୟର ସମୃଦ୍ଧି ସାଧିତ ହେଲା । ସର୍ବଜନବୋଧ୍ୟ୍ୟ ଭାଷାରେ ସାହିତ୍ୟ ସୃଷ୍ଟି ହେଲା । ସ୍ପେନ୍‌ର ସାର୍ଭେଣ୍ଟିସ୍‌, ଇଂଲଣ୍ଡର ଟମାସ୍‌ ମୁର୍, ଫ୍ରାନ୍‌ସର ରାବେଲା, ପ୍ରଭୃତି ନିଜ ନିଜ ମାତୃଭାଷାର ଉତ୍କର୍ଷ ସାଧନ କଲେ । କୋପର ନିକସ୍‌ଙ୍କ ପରି ବୈଜ୍ଞାନିକ ସୌରଜଗତ ସମ୍ପର୍କରେ ନୂତନ ତଥ୍ୟ ପରିବେଷଣ କରି ଜ୍ୟୋତିର୍ବିଜ୍ଞାନରେ ବିପ୍ଳବ ସୃଷ୍ଟି କଲେ ।

 

ରାଜନୈତିକ କ୍ଷେତ୍ରରେ ଇଉରୋପରେ ଅଗ୍ରଗାମୀ ଦେଶଗୁଡ଼ିକରେ ଏକ ସ୍ୱାଧୀନ ଦେଶାତ୍ମବୋଧର ପରିପ୍ରକାଶ ଦେଖିବାକୁ ମିଳିଲା । ପୋପ୍‌ଙ୍କର ପ୍ରଭାବ ଖ୍ରୀଷ୍ଟିଆନମାନଙ୍କୁ ବହୁକ୍ଷେତ୍ରରେ ନିୟନ୍ତ୍ରଣ କରୁଥିଲା ବୋଲି ରାଜାମାନେ ନିଜକୁ ସମୟ ସମୟରେ ଅସହାୟ ବୋଧ କରୁଥିଲେ । କିନ୍ତୁ ମାନସିକ ବିପ୍ଳବ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବାଫଳରେ ପୋପ୍‍ଙ୍କ ପ୍ରତି ଭୟ କ୍ରମଶଃ କମିଯାଇଥିଲା । ପୋପ୍‍ଙ୍କର କ୍ଷମତା ଆସ୍ତେ ଆସ୍ତେ କ୍ଷୁଣ୍ଣ ହୋଇଥିଲା । ଫ୍ରାନ୍‌ସ, ଜର୍ମାନୀ, ଇଟାଲୀ ଓ ଇଂଲଣ୍ତ ପ୍ରଭୃତି ଦେଶରେ ଯେଉଁ ସ୍ୱାଧୀନ ରାଜତନ୍ତ୍ର ସରକାର ପ୍ରତିଷ୍ଠିତ ହୋଇଥିଲା ସେମାନଙ୍କ ମଧ୍ୟରୁ କେତେକ ତୀବ୍ର ଜାତୀୟତା ବୋଧରେ ଅନୁପ୍ରାଣିତ ହୋଇ ପୋପ୍‍ଙ୍କ ନିୟନ୍ତ୍ରଣରୁ ନିଜନିଜକୁ ମୁକ୍ତ କରିଥିଲେ । ଏହି ଜାତୀୟ ମନୋଭାବ ନେଇ ରାଜ୍ୟଗଠନଫଳରେ ଏକ ନୂତନ ଇଉରୋପର ଆବିର୍ଭାବ ସମ୍ଭବ ହୋଇଥିଲା ।

 

ସପ୍ତମ ହେନେରୀଙ୍କ ସମୟରେ ଇଂଲଣ୍ତରେ ସୁଦୃଢ଼ ରାଜତନ୍ତ୍ର ସରକାର ପ୍ରତିଷ୍ଠିତ ହୋଇପାରିଥିଲା । କାରଣ ଗୋଲାପ ଯୁଦ୍ଧରେ ଶତାଧିକ ସାମନ୍ତ ମୃତ୍ୟୁବରଣ କରିବାରୁ ରାଜନୈତିକ ବାତାବରଣରେ କ୍ରମଶଃ ଶାନ୍ତ ପରିବେଶ ସୃଷ୍ଟି ହୋଇ ପାରିଥିଲା । ଅରାଜକତା, ଭୟ ଓ ରକ୍ତପାତରୁ ଦୂରେଇ ରହି ଶାନ୍ତି ଓ ସମୃଦ୍ଧି ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ଇଂରେଜ ଜାତି ଟିଉଡ଼ର୍‍ ରାଜବଂଶ ପାଇଁ ଏକାନ୍ତ ଆନୁଗତ୍ୟ ପ୍ରକାଶ କରିଥିଲା । ଏହି ଆନୁଗତ୍ୟ, ତୀବ୍ର ଦେଶାତ୍ମବୋଧ ଓ ରାଜଭକ୍ତିକୁ ଆୟୁଧରୂପେ ବ୍ୟବହାର କରି ସପ୍ତମ ହେନେରୀ ଇଂଲଣ୍ତରେ ଏକ ବଳିଷ୍ଠ ରାଜତନ୍ତ୍ର ସରକାର ପ୍ରତିଷ୍ଠା କରିପାରିଥିଲେ ।

 

ହେନେରୀଙ୍କ ବିରୁଦ୍ଧରେ ବିଦ୍ରୋହ ଓ ତା’ର ପ୍ରତିକାର

 

ଇଂଲଣ୍ତର ସିଂହାସନ ପାଇଁ ସପ୍ତମ ହେନେରୀଙ୍କର କୌଣସି ନ୍ୟାୟସଂଗତ ଦାବି ନଥିଲା ବୋଲି ପୂର୍ବରୁ ସୂଚିତ ହୋଇଛି । କିନ୍ତୁ ବସ୍‌ୱାର୍ଥ ରଣକ୍ଷେତ୍ରରେ ବିଜୟୀ ହେବାଫଳରେ ସେ ଯେତେବେଳେ ପାର୍ଲିଆମେଣ୍ଟ୍‍ଦ୍ୱାରା ଇଂଲଣ୍ତର ଶାସକରୂପେ ସ୍ୱୀକୃତି ପାଇଲେ ସେତେବେଳେ ତା’ଙ୍କର ଦାବି ନ୍ୟାୟୋଚିତ ହୋଇପାରିଲା । କିନ୍ତୁ ୟର୍କ ଓ ଲାଙ୍କାଷ୍ଟାର ପରିବାରର ଦାୟାଦମାନେ ସିଂହାସନ ପାଇଁ ସେମାନଙ୍କର ଦାବିକୁ ଏତେଶୀଘ୍ର ପାସୋରି ଯାଇଥାନ୍ତେ କିପରି ? ସପ୍ତମ ହେନେରୀ ଥିଲେ ଖୁବ୍‌ ଚତୁର, ବାସ୍ତବବାଦୀ ଓ ନିଷ୍ଠୁର । ୟର୍କବଂଶର ଏଲିଜାବେଥ୍‍ଙ୍କୁ ବିବାହକରି ସେ ରକ୍ତଗୋଲାପ (ଲାଙ୍କାଷ୍ଟାର) ଓ ଶ୍ୱେତଗୋଲାପ (ୟର୍କ) ଗୋଷ୍ଠୀ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠାକରିବାର ସ୍ୱପ୍ନ ଦେଖିଥିଲେ । ଏଲିଜାବେଥ୍‌ଙ୍କୁ ବିବାହ କରିବାଦ୍ୱାରା ତାଙ୍କର ସନ୍ତାନସନ୍ତତିମାନଙ୍କର ଦାବି ଯଥେଷ୍ଟ ନ୍ୟାୟସଂଗତ ହେବ ବୋଲି ସେ ଯଥାର୍ଥରେ ଅନୁଭବ କରିଥିଲେ । ଦେଶରୁ ବିଶୃଙ୍ଖଳା ଓ ଯୁଦ୍ଧ ବିଗ୍ରହକୁ ଲୋପ କରିବାରେ ଦୃଢ଼ପ୍ରତିଜ୍ଞ ହୋଇଥିଲେହେଁ ବାସ୍ତବରେ ତାହା କେତେଦୂର ସମ୍ଭବ ହୋଇଥିଲା ତାହା ପ୍ରଣିଧାନର ବିଷୟ ।

 

ବସ୍‍ୱାର୍ଥ ରଣକ୍ଷେତ୍ରରେ ତୃତୀୟ ରିଚାର୍ଡ଼ଙ୍କ ମୃତ୍ୟୁଦ୍ୱାରା ଇଂଲଣ୍ତରେ ରକ୍ତପାତର ଅବସାନ ହୋଇପାରି ନଥିଲା । ତୃତୀୟ ରିଚାର୍ଡ଼ଙ୍କର ଅନୁରକ୍ତ ଅନୁଚର ଲୋଭେଲ୍‌ ପୁଣି ଗଣ୍ତଗୋଳ ଆରମ୍ଭ କରିଥିଲେ । ୟର୍କ ପରିବାରର ଶେଷ ଉତ୍ତରାଧିକାରୀ ଓଡ଼୍‌ୱାର୍ଡ଼ (ୱାରୱିକ) ସେତେବେଳେ ଜୀବିତ ଥିଲେହେଁ ସରକାରୀ ଜେଲରେ (Tower) ବନ୍ଦୀ ହୋଇ ରହିଥାନ୍ତି । ୟର୍କ ପରିବାରର ଅନୁଚରମାନେ ଲେମ୍ବାର୍ଟ ସିମ୍‌ନେଲ୍‌ ନାମକ ଜଣେ ବ୍ୟକ୍ତିଙ୍କୁ ୱାରୱିକ୍‌ ବୋଲି ପରିଚିତ କରାଇ ଗଣ୍ତଗୋଳର ସୂତ୍ରପାତ କରିଥିଲେ । କେତେକ ଜର୍ମାନ ଭଡ଼ାଟିଆ ସୈନ୍ୟ ଓ ଆୟାରଲ୍ୟାଣ୍ତର ଦଳେ ବିଦ୍ରୋହୀ ଲେମ୍ବାର୍ଟ ସିମ୍‌ନେଲ୍‌ଙ୍କ ପକ୍ଷନେଇ ଷ୍ଟୋକ୍‌ ନାମକ ସ୍ଥାନରେ ସପ୍ତମ ହେନେରୀଙ୍କୁ ଭେଟି ଥିଲେ । ସେମାନଙ୍କୁ ପରାସ୍ତ କରି ହେନେରୀ ଲେମ୍ବାର୍ଟ ସିମ୍‍ନେଲ୍‍ଙ୍କୁ କାରାବଦ୍ଧ କଲେ । ତାଙ୍କ ବିରୁଦ୍ଧରେ କୌଣସି ଶାସ୍ତିବିଧାନ କିନ୍ତୁ ହୋଇ ନଥିଲା । ପ୍ରକୃତ ୱାରୱିକ୍‌ଙ୍କୁ ବନ୍ଦିଶାଳାରୁ ଆଣି କୌଣସି ସହରରେ ବୁଲାଇବାଫଳରେ ଲୋକମାନଙ୍କର ଭ୍ରମ ଦୂର ହୋଇଥିଲା ଓ ସେମାନେ ସତ୍ୟାସତ୍ୟକୁ ହୃଦୟଙ୍ଗମ କରିଥିଲେ ।

 

କିନ୍ତୁ ହେନେରୀଙ୍କ ଜଞ୍ଜାଳ ସେତିକିରେ ଦୂରୀଭୂତ ହୋଇ ନଥିଲା, ପାର୍କିନ୍‌ ୱାରବେକ୍‌ ନାମରେ ଆଉଜଣେ ଦୁଷ୍ଟବ୍ୟକ୍ତି ଦୀର୍ଘ ସାତବର୍ଷ ଧରି ହେନେରୀଙ୍କୁ ନାନାପ୍ରକାର ଅସୁବିଧାର ସମ୍ମୁଖୀନ କରାଇଥିଲେ । ୧୪୯୨ ଖ୍ରୀଷ୍ଟାବ୍ଦରେ ସେ ନିଜକୁ ୟର୍କର ଯୁବରାଜ ବୋଲି ଆୟାରଲ୍ୟାଣ୍ତର ଲୋକମାନଙ୍କ ମଧ୍ୟରେ ପ୍ରଚାର କରିଥିଲେ ଏବଂ ହେନେରୀଙ୍କର ଯେତେ ପ୍ରଭାବଶାଳୀ ଶତ୍ରୁଥିଲେ ସମସ୍ତଙ୍କୁ ସାହାଯ୍ୟ ଭିକ୍ଷା କରିଥିଲେ । ବାର୍ଗାଣ୍ତିର ମାର୍ଗାରେଟ୍‌ ତାଙ୍କୁ ନାନାପ୍ରକାର ସାହାଯ୍ୟ ପ୍ରଦାନ କରିବାରୁ ୱାରବେକ୍‌ ଫ୍ଳେଣ୍ତର୍ସଠାରେ ଷଡ଼ଯନ୍ତ୍ର ଆରମ୍ଭ କଲେ । ଇଂଲଣ୍ତର କ୍ଳିଫୋଡ଼, ଷ୍ଟାନ୍‍ଲେ ଏବଂ ମାଉଣ୍ଟପୋର୍ଟ ଏହି ଷଡ଼ଯନ୍ତ୍ରରେ ଲିପ୍ତ ଥିବାର ଜଣାପଡ଼ିବାରୁ ସେମାନଙ୍କୁ ପ୍ରାଣଦଣ୍ତ ଦିଆଯାଇଥିଲା । ୧୪୯୫ ଖ୍ରୀଷ୍ଟାବ୍ଦରେ ୱାର୍‌ବେକ୍‌ ସ୍କଟ୍‍ଲ୍ୟାଣ୍ତର ରାଜାଙ୍କଠାରୁ ସାହାଯ୍ୟ ପ୍ରାପ୍ତିର ଆଶା ନେଇ ସେଠାକୁ ଯାଇଥିଲେ ଏବଂ ରାଜା ଚତୁର୍ଥ ଜେମ୍‍ସ୍‌ଙ୍କର ଜଣେ ଆତ୍ମୀୟଙ୍କୁ ବିବାହ ମଧ୍ୟ କରିଥିଲେ । କିନ୍ତୁ ଏକାଦିକ୍ରମେ ଦୁଇଥର ଇଂଲଣ୍ତ ଅଭିଯାନ କରି ବ୍ୟର୍ଥ ହେବାରୁ ଚତୁର୍ଥ ଜେମ୍‌ସ୍‌ ୱାରବେକ୍‌ଙ୍କୁ ସ୍କଟ୍‍ଲ୍ୟାଣ୍ତ ଛାଡ଼ି ଚାଲିଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଇତିମଧ୍ୟରେ ଫ୍ଳେଣ୍ତର୍ସର ରାଜା ଫିଲିପ୍‌ ଓ ହେନେରୀଙ୍କ ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ସଂପାଦିତ ହୋଇ ସୌହାର୍ଦ୍ଦ୍ୟ ପ୍ରତିଷ୍ଠିତ ହେଇଥିବାରୁ ୱାରବେକ୍‌ ସେଠାରେ ମଧ୍ୟ ଆଶ୍ରୟ ପାଇ ପାରିଲେ ନାହିଁ । ତେଣୁ ସେ ଆୟାରଲ୍ୟାଣ୍ତ ଅଭିମୁଖରେ ଯାତ୍ରା କରିଥିଲେ । ସେଠାରେ ଏକ୍‌ସଟାର ନାମକ ସ୍ଥାନ ଅବରୋଧ କଲାବେଳେ ହେନେରୀଙ୍କ କର୍ତ୍ତୃକ ପରାସ୍ତ ହୋଇ ବନ୍ଦୀ ହୋଇଥିଲେ । ଦୁଇବର୍ଷ ପରେ ବନ୍ଦିଶାଳାରୁ ୱାରୱିକ୍‌ଙ୍କ ସହିତ ଖସିଯିବାର ଚେଷ୍ଟାକରି ସେ ବିଫଳ ହୋଇଥିଲେ । ତାଙ୍କର ଏତାଦୃଶ କ୍ରିୟାକଳାପ ହେନେରୀଙ୍କ ଧୈର୍ଯ୍ୟଚ୍ୟୁତି ଘଟାଇଥିଲା ଏବଂ ଦେଶରେ ଶାନ୍ତି ସ୍ଥାପନପାଇଁ ୧୪୯୯ ଖ୍ରୀ:ରେ ପାର୍କିନ୍‌ ୱାରବେକ୍‌ ଏବଂ ୱାରୱିକ୍‌ ଉଭୟଙ୍କୁ ମୃତ୍ୟୁଦଣ୍ତ ଦିଆଯାଇଥିଲା ।

 

ବିଦ୍ରୋହ ଓ ବିଶୃଙ୍ଖଳାର ବିଲୋପ ସାଧନପାଇଁ ହେନେରୀଙ୍କୁ ଆଉ କେତେକ ଦୃଢ଼ ପଦକ୍ଷେପ ନେବାକୁ ପଡ଼ିଥିଲା । ତାଙ୍କ ରାଜତ୍ୱ କାଳରେ ସେ କେବେହେଁ ସାମନ୍ତମାନଙ୍କୁ ପ୍ରଭାବଶାଳୀ ହେବାକୁ ଦେଇ ନଥିଲେ । ସାମନ୍ତମାନେ ନିଜ ନିଜର ନିରାପତ୍ତା ଓ ଶକ୍ତିପାଇଁ ଯେଉଁ ଅନୁଚରବର୍ଗ (Retainers) ରଖୁଥିଲେ । ସେମାନଙ୍କୁ ସୈନ୍ୟରୂପେ ବ୍ୟବହାର କରି ନାନା ବିଭ୍ରାଟ ସୃଷ୍ଟି କରୁଥିଲେ । ଲିଭାଗୀ (livery) ନାମକ ଆଇନ ପ୍ରଣୟନ କରି ହେନେରୀ ଉକ୍ତ ପ୍ରଥାର ସମ୍ପୂର୍ଣ୍ଣଧ୍ୱଂସ ସାଧନ କରିଥିଲେ । ଏହି ଆଇନ ପ୍ରଣୟନଫଳରେ ଅନୁଚର ରଖିବା, ବା ସେମାନଙ୍କୁ ଯୁଦ୍ଧରେ ବ୍ୟବହାର କରିବା ଅପରାଧରୂପେ ପରିଗଣିତ ହେଲା ଏବଂ ଅପରାଧୀମାନଙ୍କୁ କଠୋର ଶାସ୍ତି ଦିଆଗଲା । ଫଳରେ ସାମନ୍ତମାନେ କଳହ ଓ ବିଶୃଙ୍ଖଳାରୁ ନିବୃତ୍ତ ହେଲେ । ଘରୋଇ ସୈନ୍ୟ ରଖି ପରସ୍ପର ପରସ୍ପର ମଧ୍ୟରେ କଳହରେ ବ୍ୟାପୃତ ହେବାର ଦୁଃସମୟ ଇଂଲଣ୍ତରୁ କ୍ରମଶଃ ଅପସରି ଗଲା । ଏହି ଆଇନର ଖିଲାପ କରିଥିବାରୁ ହେନେରୀଙ୍କର ପ୍ରିୟବନ୍ଧୁ ଅକ୍‌ସଫୋର୍ଡ଼ର ଯୁବରାଜ ମଧ୍ୟ ଅର୍ଥଦଣ୍ତରେ ଦଣ୍ତିତହେବା ଦେଖି ସଭିଏଁ ସାବଧାନ ହୋଇଗଲେ । ଆଇନକୁ କଠୋର ଭାବରେ ପ୍ରୟୋଗ କରିବାପାଇଁ, ନ୍ୟାୟୋଚିତ ଦଣ୍ତବିଧାନ କରିବାରେ ହେନେରୀ କେବେହେଁ ପରାଙ୍‌ମୁଖ ହେଉ ନଥିଲେ । ଏହାଦ୍ୱାରା ସାମାଜିକ ନିରାପତ୍ତା ସମ୍ଭବ ହୋଇଥିଲା ।

 

ସେତେବେଳେ ବିଚାରାଳୟ ଓ ବିଚାରପତିମାନଙ୍କ ଅବସ୍ଥା ବଡ଼ ଅସହାୟ ଥିଲା । ପ୍ରତିପତ୍ତିଶାଳୀ ସାମନ୍ତମାନଙ୍କ ବିରୁଦ୍ଧରେ କୌଣସି ମୋକଦ୍ଦମା ବିଚାର କରିବା ନ୍ୟାୟାଧୀଶମାନଙ୍କ ପକ୍ଷରେ ସମ୍ଭବ ହେଉ ନଥିଲା । ସେମାନଙ୍କୁ ଭୀତତ୍ରସ୍ତ କରାଇ ସାମନ୍ତମାନେ ଆପଣାର ସ୍ୱାର୍ଥରକ୍ଷା କରୁଥିଲେ । ନିର୍ଦ୍ଦୋଷ ବା ନିରୀହ ବ୍ୟକ୍ତିମାନେ ପ୍ରକୃତ ନ୍ୟାୟ ପାଇପାରିବା ତେଣୁ ସମ୍ଭବ ହେଉ ନଥିଲା । ବିଚାରାଳୟଗୁଡ଼ିକର ମର୍ଯ୍ୟାଦା ଓ ବିଚାରପତିମାନଙ୍କର ସ୍ୱାଧୀନତା ରକ୍ଷା କରିବା ଉଦ୍ଦେଶ୍ୟରେ ହେନେରୀ (Maintenance) ଆଇନ ପ୍ରଣୟନ କରିଥିଲେ । ସ୍ୱାର୍ଥାନ୍ୱେଷୀ ସାମନ୍ତମାନଙ୍କର ଅହେତୁକୀ ପ୍ରଭାବ ଓ ଅବାଞ୍ଛିତ ହସ୍ତକ୍ଷେପକୁ ବରଦାସ୍ତ କରାଗଲା ନାହିଁ । ଅଭିଯୁକ୍ତ ବ୍ୟକ୍ତିଙ୍କୁ କଠୋର ଦଣ୍ତ ଗ୍ରହଣ କରିବାକୁ ପଡ଼ିଲା । ଫଳରେ ନିଷ୍କ୍ରିୟ ଏବଂ ପଙ୍ଗୁ ବିଚାରାଳୟରେ ବର୍ତ୍ତମାନ ପ୍ରକୃତ ନ୍ୟାୟ ବିତରଣ କରିବା ସମ୍ଭବ ହୋଇ ପାରିଲା ।

 

ରାଜନୈତିକ ଜୀବନରେ ସ୍ଥିରତା ଓ ସମାଜରେ ନିରାପତ୍ତା ପ୍ରତିଷ୍ଠା ଉଦ୍ଦେଶ୍ୟରେ ହେନେରୀ ଏକ ଶକ୍ତିଶାଳୀ ବିଚାରାଳୟ ସ୍ଥାପନ କରିଥିଲେ । ତାକୁ ନକ୍ଷତ୍ର ପ୍ରକୋଷ୍ଠ (Star chamber) କୁହାଯାଉଥିଲା । ପାର୍ଲିଆମେଣ୍ଟ୍‍ର ଆଇନ ବଳରେ ଏହି ବିଚାରାଳୟ ସ୍ଥାପିତ ହୋଇଥିଲା । ଏହାର ଶକ୍ତିଥିଲା ଅସୀମ ଓ ଅପ୍ରତିହତ । ଦେଶର ଯେକୌଣସି ଶକ୍ତିଶାଳୀ ବିଦ୍ରୋହୀ ବା ଅପରାଧକୁ ଆଇନକାନୁନର ପରିସର ମଧ୍ୟକୁ ଆଣି ଦଣ୍ତଦେବାର କ୍ଷମତା ଏହି ବିରାରାଳୟର ଥିଲା । ସେଥିରେ ଇଂଲଣ୍ତର ମୁଖ୍ୟ ନ୍ୟାୟାଧୀଶ (Chancellor) କୋଷାଧ୍ୟକ୍ଷା (Treasurer), ସ୍ୱକୀୟ ସଚିବ (Privy seal), ଜଣେ ପାଦ୍ରୀ ଓ ଦୁଇଜଣ ନ୍ୟାୟାଧୀଶ ବିଚାରପତିର ଆସନ ଅଳଙ୍କୃତ କରୁଥିଲେ । ଅର୍ଥଦଣ୍ତ, କାରାଦଣ୍ତ, ମୃତ୍ୟୁଦଣ୍ତ ଦେବାର କ୍ଷମତା ସେମାନଙ୍କର ଥିଲା । ଅନ୍ୟାୟ, ଅତ୍ୟାଚାର, ଉତ୍ପୀଡ଼ନ ବିରୁଦ୍ଧରେ ‘ନକ୍ଷତ୍ର ପ୍ରକୋଷ୍ଠ’ର ଅଭିଯାନ ଆଶାତୀତ ଭାବରେ ସଫଳତା ଲାଭ କରିପାରିଥିଲା ।

 

ଏହିପରି ଭାବରେ ଇଂଲଣ୍ତରେ ରାଜତନ୍ତ୍ରର ନିରଙ୍କୁଶ ପ୍ରଭାବ ତଳେ ସବୁପ୍ରକାର ବିଦ୍ରୋହ, ବିଶୃଙ୍ଖଳା, ଅନ୍ୟାୟ ଓ ଅବିଚାର କ୍ରମଶଃ ଦୂରୀଭୂତ ହୋଇଥିଲା । ଲୋକମାନେ ଶାନ୍ତିରେ ନିଃଶ୍ୱାସ ମାରି ପାରିଲେ । ଅନେକ ବର୍ଷର ପୁଞ୍ଜୀଭୂତ ବେଦନା, ଦୁଃଖ ଯନ୍ତ୍ରଣା ସପ୍ତମ ହେନେରୀଙ୍କର ଶକ୍ତିଶାଳୀ ସରକାରର ସକ୍ରିୟ ପ୍ରଚେଷ୍ଟାଫଳରେ ଉପଶମିତ ହୋଇ ପାରିଥିଲା । ସାମାଜିକ ଶାନ୍ତି ପ୍ରତିଷ୍ଠା ହେବାଦ୍ୱାରା ଅର୍ଥନୈତିକ ସମୃଦ୍ଧି ସକାଶେ କୃଷି, ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ଇଂଲଣ୍ତର ଅଗ୍ରଗତି ପାଇଁ କୌଣସି ପ୍ରତିବନ୍ଧକ ଆଉ ନଥିଲା ।

 

ଉନ୍ନତିମୂଳକ କାର୍ଯ୍ୟ

 

(କ) ପ୍ରଶାସନିକ

 

ସପ୍ତମ ହେନେରୀଙ୍କ ପରି ଦୂରଦୃଷ୍ଟିସମ୍ପନ୍ନ ଶାସକ ଇଂଲଣ୍ତ ଇତିହାସରେ ବିରଳ । କେବଳ ଯେ ଦୁର୍ଦ୍ଦଶାର ପ୍ରତିକାରରେ ସେ ମନୋନିବେଶ କରିଥିଲେ ତା’ ନୁହେଁ, ଦୂର ଭବିଷ୍ୟତକୁ ଦୃଷ୍ଟିରଖି, ଦେଶ ଓ ଜାତିର ଅଗ୍ରଗତିରେ ଅନୁକୂଳ ବାତାବରଣ ସୃଷ୍ଟିକରିବା ତାଙ୍କର ପ୍ରଧାନ ଅଭିଳାଷ ଥିଲା । ନିମୋକ୍ତ ଆଲୋଚନାରୁ ଏହି ଉକ୍ତି ସୁସ୍ପଷ୍ଟ ହେବ ।

 

ଦେଶରେ ସୁଦୃଢ଼ ସରକାର ନହେଲେ କୌଣସି ଉନ୍ନତିମୂଳକ କାର୍ଯ୍ୟ ଯେ ସମ୍ଭବ ନୁହେଁ ଏହା ହେନେରୀ ଉପଲବ୍ଧି କରିଥିଲେ । ଗୋଲାପ ଯୁଦ୍ଧର ଭୟାବହ ପରିଣତି କିପରି ସାଧାରଣ ଜୀବନକୁ ଦୁର୍ବିସହ କରି ପକାଇଥିଲା ତା’ମଧ୍ୟ ସେ ହୃଦୟଙ୍ଗମ କରିଥିଲେ । ଶାନ୍ତିଶୃଙ୍ଖଳା ପାଇଁ ଦେଶବାସୀଙ୍କର ଆର୍ତ୍ତନାଦ ତାଙ୍କ ପ୍ରାଣକୁ ବ୍ୟଥିତ କରୁଥିଲା । ଏହା ଯେ ଏକ ଶକ୍ତିଶାଳୀ ସୁଦୃଢ଼ ସରକାର ବିନା ସମ୍ଭବ ନଥିଲା ସେ ବିଷୟରେ ସଭିଏଁ ଏକମତ ଥିଲେ । ପ୍ରଥମେ ତେଣୁ ଦେଶରେ ଶକ୍ତିଶାଳୀ ରାଜତନ୍ତ୍ର ସରକାରଦ୍ୱାରା ସୁଶାସନ ପ୍ରତିଷ୍ଠା କରିବା ହେନେରୀଙ୍କର ଲକ୍ଷ୍ୟଥିଲା । ଏହି ଲକ୍ଷ୍ୟ ସାଧନରେ ସେ ଦେଶବାସୀଙ୍କର ପୂର୍ଣ୍ଣ ସହଯୋଗ ଲାଭ କରିଥିଲେ । ପ୍ରଜାମାନେ ମଧ୍ୟ ହୃଦୟଙ୍ଗମ କରିଥିଲେ ଯେ ରାଜା ସୌର୍ଯ୍ୟ ଏବଂ ବୀରତ୍ୱର ପ୍ରତୀକ ନହେଲେ ଅରାଜକତା ଦୂର କରିବା ସମ୍ଭବ ହେବନାହିଁ । ସେ ହୀନବଳ ହେଲେ ସବୁକିଛି ବିଶୃଙ୍ଖଳା ମୁଣ୍ତ ଟେକି ଉଠିବ । ସେଥିପାଇଁ ସପ୍ତମ ହେନେରୀଙ୍କର ଅର୍ଥଲିପ୍‌ସା ସତ୍ତ୍ୱେ ଓ ଅଷ୍ଟମ ହେନେରୀଙ୍କର ଅସହିଷ୍ଣୁତା ସତ୍ତ୍ୱେ ସେମାନେ ପ୍ରଜାମାନଙ୍କର ପୂର୍ଣ୍ଣ ସମର୍ଥନ ପାଇ ପାରିଥିଲେ । ଦେଶବାସୀଙ୍କର ବିଶ୍ୱାସ ଓ ସଦିଚ୍ଛାକୁ ନେଇ ସପ୍ତମ ହେନେରୀ ତେଣୁ ଏକ ଅତି ବଳିଷ୍ଠ ରାଜତନ୍ତ୍ର ସରକାରର ମୂଳଭିତ୍ତି ପ୍ରତିଷ୍ଠା କରିଗଲେ ।

 

ଟିଉଡ଼ର୍ ରାଜାମାନେ ସମସ୍ତେ ଏକଛତ୍ରବାଦୀ ଶାସକ ଥିଲେ । ସପ୍ତମ ହେନେରୀ ନିଜର କ୍ଷମତା ବୃଦ୍ଧିପାଇଁ ନାନା କୌଶଳରେ ପ୍ରଭୂତ ଅର୍ଥ ସଞ୍ଚୟ କରିଥିଲେ । ଆର୍ଥିକ ସ୍ୱଚ୍ଛଳତା ଓ ସ୍ୱାଧୀନତା ରାଜାମାନଙ୍କର ଶକ୍ତିବୃଦ୍ଧିର ଏକ କାରଣ । ଏହି ଉଦ୍ଦେଶ୍ୟ ଚରିତାର୍ଥ କରିବାପାଇଁ ହେନେରୀ ମର୍ଟନ୍‌, ଏମ୍ପସନ୍‌ ଏବଂ ଡଡ଼୍‍ଲି ଆଦି ମନ୍ତ୍ରୀଙ୍କର ବିଶେଷ ସାହାଯ୍ୟ ଲାଭ କରିଥିଲେ । ଶକ୍ତିଶାଳୀ ରାଜତନ୍ତ୍ର ପ୍ରତିଷ୍ଠା କରିପାରିବାର ଆଉ ଏକ କାରଣ ଥିଲା ଏହି ଯେ ସେ ସମୟରେ ଗୋଳାବାରୁଦର ବ୍ୟବହାର ପ୍ରଥମ ଆରମ୍ଭ ହେଲା । ରାଜାମାନେ ତୋପ ସାହାଯ୍ୟରେ ସାମନ୍ତମାନଙ୍କର ସୁଦୃଢ଼ ଦୁର୍ଗଗୁଡ଼ିକକୁ ଧ୍ୱଂସ କରିପାରୁଥିଲେ । ଗୋଳାବାରୁଦର ବ୍ୟବହାର ରାଜାମାନଙ୍କର ଏକଚାଟିଆ ଅଧିକାର ଥିବାରୁ ଅନ୍ୟ ରାଜଶକ୍ତି ଅମାନ୍ୟ କରିବାର ସାମର୍ଥ୍ୟ ନଥିଲା-

 

(ଖ) ଅର୍ଥନୈତିକ

 

ସପ୍ତମ ହେନେରୀଙ୍କ ସମସାମୟିକ ଜେନୋଆର କଲମ୍ବସ୍‌ ୧୪୯୨ ଖ୍ରୀ:ରେ ଆମେରିକା ଆବିଷ୍କାର କରିଥିଲେ । ୧୪୯୭ ଖ୍ରୀ:ରେ ପର୍ତ୍ତୁଗୀଜ୍‍ ନାବିକ ଭାସ୍କୋଡ଼ାଗାମା ଭାରତବର୍ଷ ଓ ପ୍ରାଚ୍ୟପାଇଁ ଏକ ଜଳପଥ ଆବିଷ୍କାର କରିଥିଲେ । ଏହିସବୁ ଭୌଗୋଳିକ ଆବିଷ୍କାର ପୃଥିବୀର ମାନଚିତ୍ରକୁ ଯେପରିଭାବେ ପରିବର୍ତ୍ତନ କଲା ତାହା ସହଜରେ ଅନୁମେୟ । ତେବେ ଭୌଗୋଳିକ ଆବିଷ୍କାର କ୍ଷେତ୍ରରେ ଇଂଲଣ୍ତ ଯେପରି ପଛରେ ନରହୁ ଏହି ଉଦ୍ଦେଶ୍ୟ ନେଇ ହେନେରୀ ସାହସୀ ନାବିକମାନଙ୍କୁ ପ୍ରେରଣ ଓ ପୃଷ୍ଠପୋଷକତା ଯୋଗାଇଥିଲେ । ଫଳରେ ବ୍ରିଷ୍ଟଲ୍‍ର ଦୁଇଜଣ ଭେନିସୀୟ ନାବିକ ଜନ୍‌ କେବଟ୍‌ ଓ ସେବାଷ୍ଟିୟାନ୍‌ କେବଟ୍‌ ଇଂଲଣ୍ତ ଉପକୂଳରୁ ଜଳଯାତ୍ରା କରି ଆମେରିକାରେ ପହଞ୍ଚିଥିଲେ । ଇଂରେଜମାନେ ଦରିଆ ସେପାରି ଦେଶଗୁଡ଼ିକ ସହିତ ବାଣିଜ୍ୟ ସମ୍ପର୍କ ସ୍ଥାପନ କରି ଆର୍ଥିକ ଉନ୍ନତିକୁ ତ୍ୱରାନ୍ୱିତ କରନ୍ତୁ ଏହାହିଁ ଥିଲା ହେନେରୀଙ୍କ ଲକ୍ଷ୍ୟ । ସେଥି ସକାଶେ ସେ ନୌଚାଳନ ଆଇନ (Navigation acts) ଗୁଡ଼ିକ ବଳବତ୍ତର କରିଥିଲେ । ଏହି ଆଇନଦ୍ୱାରା ବହିର୍ବାଣିଜ୍ୟ କ୍ଷେତ୍ରରେ ଇଂଲଣ୍ତ ନିର୍ମିତ ଜାହାଜ ବ୍ୟବହାର କରିବା ବାଧ୍ୟତାମୂଳକ ହୋଇଥିଲା । ତଦ୍ଦ୍ୱାରା ଇଂଲଣ୍ତରେ ଜାହାଜ ତିଆରି କାରଖାନା ଅଧିକ ସଂଖ୍ୟାରେ ସ୍ଥାପିତ ହେଲା ଓ ବେପାରୀମାନଙ୍କୁ ଜଳଯାତ୍ରା କରିବାପାଇଁ ଅଧିକ ଉତ୍ସାହ ମିଳିଥିଲା ।

 

ଖ୍ରୀ: ୧୫୦୬ରେ ବାର୍ଗାଣ୍ତୀର ରାଜା ଫିଲିପ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇ ଇଂଲଣ୍ତ ଉପକୂଳରେ ଆଶ୍ରୟ ନେବାକୁ ବାଧ୍ୟ ହେବା କାଳରେ ହେନେରୀ ତାଙ୍କ ସହିତ ଏକ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିଥିଲେ । ଏହାଦ୍ୱାରା ଇଂଲଣ୍ତର ପଶମ ରପ୍ତାନୀପାଇଁ ପଥ ସୁଗମ ହୋଇ ପାରିଲା । ଇଂରେଜମାନଙ୍କର ପଶମ ରପ୍ତାନୀ ବୃଦ୍ଧି ପାଇବାଫଳରେ ଅର୍ଥାଗମ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଥିଲା ।

 

ବହିର୍ବାଣିଜ୍ୟ କ୍ଷେତ୍ରରେ ଏକ ନବଯୁଗର ଆରମ୍ଭ ହେଲା ହେନେରୀଙ୍କ ରାଜତ୍ୱ କାଳରେ-। ଆଟ୍‌ଲାଣ୍ଟିକ ମହାସାଗରର ପଶ୍ଚିମରେ ଆମେରିକା ଓ ତତ୍‌ସଂଲଗ୍ନ ଦୀପପୁଞ୍ଜ ସହିତ ଯୋଗାଯୋଗ ପ୍ରତିଷ୍ଠା କରି ବ୍ୟବସାୟୀମାନେ ବିଶେଷ ସମୃଦ୍ଧଶାଳୀ ହେବାର ସୁଯୋଗ ପାଇଲେ-। ଇଉରୋପୀୟ ବାଣିଜ୍ୟ ସ୍ଥଳଭାଗରେ ସୀମିତ ନ ହୋଇ ସୁବିସ୍ତୀର୍ଣ୍ଣ ମହାସାଗରର ଜଳରାଶି ଉପରେ ପରିବ୍ୟାପ୍ତ ହେଲା । ନୂତନ ନୂତନ ପୋତାଶ୍ରୟ, ବନ୍ଦର ଓ ବାଣିଜ୍ୟ କେନ୍ଦ୍ର ଗଢ଼ିଉଠିଲା-। ଉପନିବେଶ ସ୍ଥାପନରେ ଦେଶ ଦେଶ ମଧ୍ୟରେ ତୀବ୍ର ପ୍ରତିଯୋଗିତା ଆରମ୍ଭ ହେଲା-। ହେନେରୀଙ୍କର ଦୂରଦୃଷ୍ଟି ଓ ପୃଷ୍ଠପୋଷକତାରେ ଇଂରେଜ ନାବିକ ଓ ବଣିକମାନେ ନୂତନ ଆଶା ଓ ଉଦ୍ଦୀପନା ନେଇ ସେଥିରେ ଆତ୍ମନିୟୋଗ କଲେ ।

 

(ଗ) ସାଂସ୍କୃତିକ ବିକାଶ

 

ଇଉରୋପରେ ଏହି ସମୟରେ ‘ନବଜାଗରଣ’ର ସ୍ରୋତ ବୋହି ଚାଲିଥାଏ । ଇଟାଲୀ, ସ୍ପେନ୍‌ ଓ ଫ୍ରାନ୍‌ସରେ ଓ ସଂସ୍କୃତି ପୀଠରେ ଆଧୁନିକ ଭାବଧାରା ପ୍ରକାଶ ପାଉଥାଏ । ଇଂଲଣ୍ତ ମଧ୍ୟ ସେହି ‘ଜାଗରଣ’ରୁ ବାଦ ଯାଇ ନଥିଲା । ମୁଦ୍ରାଯନ୍ତ୍ର ଉଦ୍ଭାବନ ହେବାଫଳରେ ଶିକ୍ଷାର ପ୍ରସାର ଅତି ଦ୍ରୁତଗତିରେ ହୋଇଥିଲା । ଅକ୍‌ସଫୋର୍ଡ଼ ବିଶ୍ୱବିଦ୍ୟାଳୟରେ ଗ୍ରୀକ୍‌ ପଣ୍ତିତ ଗ୍ରୋସିନ୍‌ ଓ ଲିନାକ୍ରେ ଆଧୁନିକ ଶିକ୍ଷାର ବିକାଶରେ ପଥପ୍ରଦର୍ଶକ ହୋଇଥିଲେ । ସାହିତ୍ୟ, କଳା, ବିଜ୍ଞାନ ଓ ଧର୍ମ ସବୁ କ୍ଷେତ୍ରରେ ସମାଲୋଚକ, ସାହିତ୍ୟିକ, କଳାକାର, ବୈଜ୍ଞାନିକ ଓ ଦାର୍ଶନିକମାନେ ନୂତନ ଆଭିମୁଖ୍ୟ ସୃଷ୍ଟି କଲେ । ମଧ୍ୟଯୁଗ କ୍ରମଶଃ ଅପସରି ଗଲା ଏବଂ ଭବିଷ୍ୟତରେ ଇଂରେଜ ସଂସ୍କୃତିର ବିକାଶପାଇଁ ପଥ ସୁଗମ ହୋଇଥିଲା ।

 

ବୈଦେଶିକ ବ୍ୟାପାର ଓ ବୈବାହିକ ନୀତି

 

ଇଉରୋପୀୟ ଦେଶଗୁଡ଼ିକ ମଧ୍ୟରେ ପଞ୍ଚଦଶ ଶେଷାର୍ଦ୍ଧରେ ସ୍ପେନ୍‌, ଫ୍ରାନ୍‌ସ, ଅଷ୍ଟ୍ରିଆ ଓ ଇଂଲଣ୍ତ ପ୍ରଧାନ ଥିଲେ । ରାଜନୈତିକ ସ୍ୱାର୍ଥପାଇଁ ସେମାନଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ଚିରସ୍ଥାୟୀ ହେଉ ନଥିଲା । ବିଶେଷକରି ଇଟାଲୀ ଉପରେ ପ୍ରତିପତ୍ତି ବିସ୍ତାର କରିବାପାଇଁ ସ୍ପେନ୍‌ ଓ ଫ୍ରାନ୍‌ସ ପରସ୍ପର ସହିତ ସର୍ବଦା ତିକ୍ତତା ଲାଗି ରହିଥିଲା । ସେଥିରେ ପୋପ୍‌ ଥରେ ଥରେ ଇନ୍ଧନ ଯୋଗାଉଥିଲେ । ଏହି ବିବାଦୀୟ ରାଷ୍ଟ୍ରଗୁଡ଼ିକର ଶାସକମାନେ ନିଜ ନିଜର ଶକ୍ତି ବୃଦ୍ଧିପାଇଁ କେବଳ ସାମରିକ ମେଣ୍ଟରେ ସନ୍ତୁଷ୍ଟ ନ ରହି ସାମାଜିକ ସୁସମ୍ପର୍କ ମଧ୍ୟ ପ୍ରତିଷ୍ଠା କରିବାରେ ଆଗ୍ରହୀ ହେଉଥିଲେ । ଏହି ସାମାଜିକ ସୁସମ୍ପର୍କ ବୈବାହିକ ନୀତିଦ୍ୱାରା ପରିଚାଳିତ ହେଉଥିଲା । କୂଟନୀତିଜ୍ଞମାନେ ପ୍ରଜାପତି ଘଟସୂତ୍ର ଭୂମିକାରେ ବେଶ୍‌ କୁଶଳୀ ଥିଲେ । ଦେଶବାସୀଙ୍କ ମତାମତକୁ ଭ୍ରୂକ୍ଷେପ ନକରି ରାଜା ଓ କୂଟନୀତିଜ୍ଞମାନେ ନିଜର ରାଜନୈତିକ ସ୍ୱାର୍ଥସାଧନ ଉଦ୍ଦେଶ୍ୟରେ ବୈବାହିକ ପ୍ରସ୍ତାବ ଆଣୁଥିଲେ । ୧୪୬୯ ଖ୍ରୀ:ରେ ଫର୍ଡ଼ିନାଣ୍ତ ଓ ଇସାବେଲାଙ୍କର ବିବାହଫଳରେ ଆଧୁନିକ ସ୍ପେନ୍‌ ରାଜ୍ୟ ଗଠିତ ହୋଇ ପାରିଥିଲା । ଉକ୍ତ ସମୟରେ ଅଷ୍ଟ୍ରିୟାର ମ୍ୟାକ୍‌ସମିଲିୟାନ୍‌ ବାର୍ଗାଣ୍ତୀର ମେରୀଙ୍କୁ ବିବାହ କରି ଅଷ୍ଟ୍ରିୟା ସହିତ ବାର୍ଗାଣ୍ତୀର ସମ୍ମିଶ୍ରଣରେ ବୃହତ୍ତର ଅଷ୍ଟ୍ରିୟା ସାମ୍ରାଜ୍ୟ ଗଢ଼ିପାରିଥିଲେ । ଫର୍ଡ଼ିନାଣ୍ତଙ୍କ ଦୁହିତା ଓ ଉତ୍ତରାଧିକାରୀ ଜୁଆନା, ମ୍ୟାକ୍‌ସମିଲିୟାନ୍‌ଙ୍କ ଏକମାତ୍ର ପୁତ୍ର ଫିଲିପ୍‌ଙ୍କୁ ବିଭା ହେବାଦ୍ୱାରା ସ୍ପେନ୍‌ ଓ ଅଷ୍ଟ୍ରିଆ ମଧ୍ୟରେ ବନ୍ଧୁତ୍ୱ ପ୍ରତିଷ୍ଠିତ ହୋଇଥିଲା ।

 

ସପ୍ତମ ହେନେରୀ ନିଜର ମର୍ଯ୍ୟାଦା ବୃଦ୍ଧିପାଇଁ ଓ ବଂଶର ନିରାପତ୍ତା ପାଇଁ ବୈଦେଶିକ ବ୍ୟାପାର କ୍ଷେତ୍ରରେ ଯେଉଁ ବୈବାହିକ ନୀତି ଅନୁସରଣ କରିଥିଲେ ତାହା ବେଶ୍ ପ୍ରଣିଧାନଯୋଗ୍ୟ-। ତାଙ୍କର ଏହି ନୀତି କେବଳ ଇଂଲଣ୍ତ ନୁହେଁ, ସାରା ଇଉରୋପର ଇତିହାସକୁ ଶତାଧିକ ବର୍ଷପାଇଁ ପ୍ରଭାବିତ କରିଥିଲା । ସବୁ ଦୃଷ୍ଟିରୁ ବିଚାର କରି ସେ ଫର୍ଡ଼ିନାଣ୍ଡଙ୍କର ଦ୍ୱିତୀୟ କନ୍ୟା କ୍ୟାଥାରାଇନ୍‌ଙ୍କ ସହିତ ନିଜ ଜ୍ୟେଷ୍ଠପୁତ୍ର ଆର୍ଥାର୍‌ଙ୍କ ବିବାହ ପ୍ରସ୍ତାବ ଦେଇଥିଲେ । ବିବାହ କାର୍ଯ୍ୟ ସମ୍ପନ୍ନ ହେବାଦ୍ୱାରା ଇଂଲଣ୍ତର ରାଜନୈତିକ ମର୍ଯ୍ୟାଦା ବେଶ୍‌ ବୃଦ୍ଧି ପାଇଥିଲା ଏବଂ କ୍ୟାଥାରାଇନ୍‌ ସଙ୍ଗରେ ଆଣିଥିବା ଯୌତୁକ ହେନେରୀଙ୍କ ଅର୍ଥଲିପ୍‌ସାକୁ ପ୍ରଶମିତ କରିପାରିଥିଲା । କିନ୍ତୁ କାଳର କ୍ରୂର ଅଭିଶାପରେ ଆର୍ଥାର ବିବାହର ଅଳ୍ପଦିନ ପରେ ପ୍ରାଣତ୍ୟାଗ କଲେ । କାଳେ ନିଜର ସମସ୍ତ ଯୋଜନା ବ୍ୟର୍ଥ ହେବ ଏହି ଭୟରେ ସପ୍ତମ ହେନେରୀ ସାନପୁଅ ଅଷ୍ଟମ ହେନେରୀଙ୍କ ସହିତ କ୍ୟାଥାରାଇନ୍‌ଙ୍କର ବିବାହ ହେବ ବୋଲି ଅଙ୍ଗୀକାର ଉତ୍ସବ ସମାହିତ କରିଥିଲେ-। ଏଥିପାଇଁ ପୋପ୍‌ଙ୍କର ଅନୁମତି ନେବାକୁ ପଡ଼ିଥିଲା ।

 

ଏହି ବିବାହଦ୍ୱାରା ଇଂଲଣ୍ତ, ସ୍ପେନ୍‌ ଓ ଅଷ୍ଟ୍ରିୟାର ସମସ୍କନ୍ଧ ଭାବରେ ସ୍ୱୀକୃତି ପାଇପାରିଥିଲା । ତା’ଛଡ଼ା ଫ୍ରାନ୍‌ସ ମନରେ ଭୟର ସଂଚାର ମଧ୍ୟ ହୋଇ ପାରିଥିଲା । ଏହି ବିବାହ ପୁଣି ଇଂଲଣ୍ତ ଇତିହାସରେ ପରେ ଧର୍ମବିପ୍ଳବର କାରଣ ହୋଇଥିଲା । ଧର୍ମବିପ୍ଳବର ଆରମ୍ଭ, ପ୍ରୋଟେଷ୍ଟାଣ୍ଟ୍ ମତବାଦର ପ୍ରସାର ଓ ପ୍ରବର୍ତ୍ତନ ଏବଂ ଧର୍ମ ନାମରେ ରକ୍ତପାତ ଆଦି ନାନା ପରିଣାମ ପାଇଁ କ୍ୟାଥାରାଇନ୍‌ ଓ ଅଷ୍ଟମ ହେନେରୀଙ୍କର ବିବାହ ଦାୟୀ ।

 

ସପ୍ତମ ହେନେରୀ ଆଉ ଏକ ବୈବାହିକ ସମ୍ପର୍କ ପ୍ରତିଷ୍ଠା କରି ଗଭୀର ଦୂରଦୃଷ୍ଟିର ପରିଚୟ ଦେଇ ପାରିଥିଲେ । ଇଂଲଣ୍ତ ଓ ସ୍କଟ୍‍ଲ୍ୟାଣ୍ତ ପ୍ରତିବେଶୀ ରାଷ୍ଟ୍ର ହେଲେହେଁ ଉଭୟଙ୍କ ମଧ୍ୟରେ ତୀବ୍ର ଶତ୍ରୁତା ଲାଗି ରହିଥିଲା । ଏହି ପାରମ୍ପରିକ ବିଦ୍ୱେଶ ଓ ଯୁଦ୍ଧର ଅବସାନ ପାଇଁ ସପ୍ତମ ହେନେରୀ ୧୫୦୨ ଖ୍ରୀ:ରେ ଜ୍ୟେଷ୍ଠକନ୍ୟା ମାର୍ଗାରେଟ୍‌ଙ୍କ ସହିତ ସ୍କଟ୍‍ଲ୍ୟାଣ୍ତର ରାଜା ଚତୁର୍ଥ ଜେମ୍‌ସ୍‌ଙ୍କ ଶୁଭପରିଣୟ କାର୍ଯ୍ୟ ସଂପନ୍ନ କରିଥିଲେ । ଏହି ବିବାହର ଫଳାଫଳସ୍ୱରୂପ ଇଂଲଣ୍ତ ଓ ସ୍କଟ୍‍ଲ୍ୟାଣ୍ତର ରାଜନୈତିକ ସମ୍ମିଶ୍ରଣ ସମ୍ଭବ ହୋଇପାରିଥିଲା ।

 

ଏହିପରି ଭାବରେ ସପ୍ତମ ହେନେରୀଙ୍କ ରାଜତ୍ୱର ଘଟଣାବହୁଳ ସମୟତକ ବିତି ଯାଇଥିଲା । ପିଲାଦିନେ ସେ ଅତି ଦୁଃଖରେ ଜୀବନଯାପନ କରିଥିଲେ ଏବଂ ଚତୁର୍ବିଂଶ ବର୍ଷର ରାଜତ୍ୱ କାଳରେ ମଧ୍ୟ ତାଙ୍କୁ ଜୀବନ ଉପଭୋଗ କରିବାପାଇଁ ସମୟ ବା ସୁଯୋଗ କେବେ ମିଳି ନଥିଲା । ୧୫୦୮ ଖ୍ରୀ:ରେ ସେ ରୋଗାକ୍ରାନ୍ତ ହୋଇ ୧୫୦୯ ଖ୍ରୀ: ଏପ୍ରିଲ ୨୧ ତାରିଖରେ ଇହଧାମ ତ୍ୟାଗ କରିଥିଲେ । ସାମ, ଦଣ୍ତ ଓ ଭେଦ ନୀତିରେ ପ୍ରବୀଣ ଥିବାରୁ ସେ ନିହାତି ସମସ୍ୟାମୟ ଦେଶରେ ସମାଧାନର ପନ୍ଥା ବାଢ଼ିପାରିଥିଲେ । ଅର୍ଥଲୋଭ ତାଙ୍କର ପ୍ରବଳ ଥିଲା ସତ, କିନ୍ତୁ ଅନ୍ୟାୟର ପକ୍ଷପାତୀ ସେ କେବେ ନଥିଲେ । ରାଜନୀତିଜ୍ଞ ଭାବରେ ସେ କେବେ ପ୍ରତିଜ୍ଞାର ଖିଲାପ କରୁ ନଥିଲେ । ବିଶୃଙ୍ଖଳା ଓ ବିଦ୍ରୋରେ ଜର୍ଜରିତ ଏକ ଦେଶ ଓ ଜାତିକୁ ସେ ଶୃଙ୍ଖଳା ଓ ନିରାପତ୍ତା ଦେଇପାରିଥିଲେ । ୱାରୱିକଙ୍କୁ ମୃତ୍ୟୁଦଣ୍ତ ଦେଇଥିବା ଯୋଗୁଁ ତାଙ୍କୁ ସମୟ ସମୟରେ ସମାଲୋଚନା କରାଯାଇଥାଏ–କିନ୍ତୁ ପ୍ରଶାସନିକ ସ୍ଥିରତାପାଇଁ ତଦ୍‌ଭିନ୍ନ ଉପାୟ ଆଉ ଥିଲା କି ? ରାଜା ହିସାବରେ ଉଦାରତା, ସ୍ୱାମୀ ହିସାବରେ ପ୍ରଗାଢ଼ ଅନୁରକ୍ତି, ରାଜନୀତିଜ୍ଞ ହିସାବରେ ଅପାର ଦୂରଦୃଷ୍ଟି, ହିତାକାଂକ୍ଷୀ ଭାବରେ ଯେଉଁ କରୁଣା ସେ ଦେଖାଇପାରିଥିଲେ, ତା’ର ଦୃଷ୍ଟାନ୍ତ ଅନ୍ୟତ୍ର ବିରଳ । ଟିଉଡ଼ର୍‍ ରାଜବଂଶର ପ୍ରତିଷ୍ଠାତା ସପ୍ତମ ହେନେରୀ ତେଣୁ ଇଂଲଣ୍ତ ଇତିହାସରେ ଅମର ହୋଇ ରହିଥିବେ ।

Image

 

Unknown

ଦ୍ୱିତୀୟ ଅଧ୍ୟାୟ

ଅଷ୍ଟମ ହେନେରୀ (ଖ୍ରୀ: ୧୫୦୯ ରୁ ଖ୍ରୀ: ୧୫୪୨)

 

ପରିଚୟ

 

ସପ୍ତମ ହେନେରୀଙ୍କର ଦୁଇପୁତ୍ର ଓ ଦୁଇ କନ୍ୟା ଥିଲେ । ଜ୍ୟେଷ୍ଠପୁତ୍ର ଆର୍ଥାର ଜୀବିତ ଥିବା କାଳରେ ଅଷ୍ଟମ ହେନେରୀଙ୍କୁ ଧର୍ମଯାଜକ ଭାବରେ ଜୀବନଯାପନ କରିବା ସକାଶେ ବିଦ୍ୟାଶିକ୍ଷା ଦିଆଯାଉଥିଲା । କିନ୍ତୁ ଆର୍ଥାରଙ୍କ ମୃତ୍ୟୁଫଳରେ ଅଷ୍ଟମ ହେନେରୀଙ୍କର ଜୀବନର ଗତିପଥ ବଦଳି ଯାଇଥିଲା । ପିତାଙ୍କର ମୃତ୍ୟୁ ସମୟରେ ତାଙ୍କୁ ମାତ୍ର ଅଷ୍ଟାଦଶ ବର୍ଷ ବୟସ । ସେ ଅତ୍ୟନ୍ତ ନିର୍ଭୀକ ଓ ଉଚ୍ଚମନା ଥିଲେ । ବଳିଷ୍ଠ ବପୁ, ସୁଶ୍ରୀ ଓ ପୁରୁଷୋଚିତ କ୍ରିୟାକଳାପରେ ସେ ପାରଙ୍ଗମତା ହାସଲ କରିଥିଲେ । ଶିକାର କରିବା, ଟେନିସ୍‌ ଖେଳିବା, ଜୀବନକୁ ଉପଭୋଗ କରିବା ତାଙ୍କର ନିଶାଥିଲା । ଇଂରେଜମାନେ ତାଙ୍କ ସିଂହାସନାରୋହଣ ସମ୍ବାଦ ପାଇ ଆନନ୍ଦରେ ଅଧୀର ହୋଇପଡ଼ିଥିଲେ । ଜଣେ ଜାତୀୟ ରାଜା, ଆଧୁନିକ, ବିଜ୍ଞ ଓ ଗୁଣଗ୍ରାହୀ ଶାସକଭାବରେ ହେନେରୀ ସେମାନଙ୍କଦ୍ୱାରା ଅଭିନନ୍ଦିତ ହେଲେ । ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱ, ପ୍ରତିଭା ଓ ଜନପ୍ରିୟତାରେ ସମସ୍ତେ ମୁଗ୍ଧ ହୋଇଥିଲେ । ପୋପ୍‌ଙ୍କର ସେ ଥିଲେ ଜଣେ ବଡ଼ ସମର୍ଥକ । ମାର୍ଟିନ୍‌ ଲୁଥରଙ୍କର ଧର୍ମବିପ୍ଳବକୁ ସେ ଗ୍ରହଣ କରି ନଥିଲେ ବରଂ ତା’ ବିରୁଦ୍ଧରେ ସମାଲୋଚନା ପୁସ୍ତକ ପ୍ରଣୟନ କରିଥିଲେ । ସେଥିରେ କୃତଜ୍ଞ ହୋଇ ପୋପ୍‌ ତାଙ୍କୁ ‘ଧର୍ମରନ୍ଧକ’ (Defender of fairh) ଉପାଧିରେ ଭୂଷିତ କରିଥିଲେ ।

 

ଅଷ୍ଟମ ହେନେରୀ ସିଂହାସନ ଆରୋହଣ କରିବାର ଅବ୍ୟବହିତ ପରେ କ୍ୟାଥାରାଇନ୍‌ଙ୍କ ସହିତ ନିଜର ବିବାହ କାର୍ଯ୍ୟ ସଂପନ୍ନ କରାଇଥିଲେ । ତା’ ସହିତ ପିତାଙ୍କର ଅର୍ଥପରାମର୍ଶଦାତା ଏମ୍ପସନ୍‌ ଏବଂ ଡଡ଼୍‍ଲିଙ୍କୁ ଅର୍ଥଶୋଷଣ ଅପରାଧରେ ଅଭିଯୁକ୍ତ କରି ସେ ମୃତ୍ୟୁଦଣ୍ତର ଆଦେଶ ଦେଇଥିଲେ । ଇଂଲଣ୍ତ ଇତିହାସରେ ଆଉ ଏକ ନିରଙ୍କୁଶ ରାଜତନ୍ତ୍ର ସରକାର ଅଧ୍ୟାୟ ଆରମ୍ଭ ହେଲା ।

 

ଅଷ୍ଟମ ହେନେରୀଙ୍କ ରାଜତ୍ୱ କାଳକୁ ଆମେ ଦୁଇଭାଗରେ ବିଭକ୍ତ କରି ଆଲୋଚନା କରିପାରୁଁ । ୧୫୦୯ ଖ୍ରୀ: ରୁ ୧୫୨୯ ଖ୍ରୀ: ବା ପ୍ରଥମ ଭାଗରେ ସେ ବୈଦେଶିକ ବ୍ୟାପାର ସଂକ୍ରାନ୍ତରେ ବ୍ୟସ୍ତ ରହିଥିଲେ । ଇଂଲଣ୍ତର ଶାସନ ଓ ବୈଦେଶିକ ନୀତି ଉକ୍ତ ସମୟରେ ପ୍ରଧାନ ପରାମର୍ଶଦାତା ଓଲ୍‍ସିଙ୍କଦ୍ୱାରା ପରିଚାଳିତ ହେଉଥିଲା । କିନ୍ତୁ ଦ୍ୱିତୀୟାର୍ଦ୍ଧରେ ବା ୧୫୨୯ ଖ୍ରୀ: ରୁ ୧୫୪୬ ଖ୍ରୀ: ପର୍ଯ୍ୟନ୍ତ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ରାଜା ଓ ତାଙ୍କର ସରକାର ବ୍ୟାପୃତ ରହିଥିଲେ । ଏ ସମୟରେ ଇଂଲଣ୍ତରେ ଧର୍ମବିପ୍ଳବର ଆରମ୍ଭ ଓ ପ୍ରସାର ଥିଲା ବିଶେଷ ଉଲ୍ଲେଖଯୋଗ୍ୟ ଘଟଣା । ତେଣୁ ଅଷ୍ଟମ ହେନେରୀଙ୍କ ରାଜତ୍ୱ ସମୀକ୍ଷା କଲେ ଏହି ଦୁଇ ଭାଗକୁ ଅଲଗାଅଲଗା ଆଲୋଚନା କରିବା ବିଧେୟ ।

 

ପ୍ରଥମ ଭାଗ (ଖ୍ରୀ: ୧୫୦୯ ରୁ ଖ୍ରୀ: ୧୫୨୯)

ଟମାସ୍‍ ଓଲ୍‌ସି (Thomas Wolsey)

 

ଅଷ୍ଟମ ହେନେରୀଙ୍କ ରାଜତ୍ୱର ପ୍ରଥମାର୍ଦ୍ଧରେ ଇଂଲଣ୍ତର ଆଭ୍ୟନ୍ତରୀଣ ଓ ବହିର୍ବ୍ୟାପାର କ୍ଷେତ୍ରରେ ଟମାସ୍‍ ଓଲ୍‌ସିଙ୍କର କର୍ତ୍ତୃତ୍ୱ ପୂର୍ଣ୍ଣମାତ୍ରାରେ ଥିଲା । ଶାସକ ହିସାବରେ ଓଲ୍‌ସି ମୁଖ୍ୟସ୍ଥାନ ଏବଂ ହେନେରୀ ଗୌଣସ୍ଥାନ ଅଧିକାର କରିଥିଲେ କହିବା ଅତ୍ୟୁକ୍ତି ହେବନାହିଁ । ଓଲ୍‌ସି ଥିଲେ ଇପ୍‌ସଉଇଚ (Ipswich)ର ରବାର୍ଟ ଓଲ୍‌ସିଙ୍କର ସନ୍ତାନ । ଅକ୍‌ସଫୋର୍ଡ଼ ବିଶ୍ୱବିଦ୍ୟାଳୟରୁ ମାତ୍ର ପଞ୍ଚଦଶ ବର୍ଷ ବୟସରେ ବି.ଏ. ପାସ୍ କରି ମାଗ୍‌ଡ଼ାଲେନ୍ କଲେଜର କୋଷାଧ୍ୟକ୍ଷଭାବେ ନିଯୁକ୍ତି ପାଇଥିଲେ । ଖ୍ରୀ: ୧୫୦୩ରେ ସାର୍‌ ରିଚାର୍ଡ଼ ନାନ୍‌ଫାନ୍‌ (Sir Richard Nanfan) ତାଙ୍କୁ ସପ୍ତମ ହେନେରୀଙ୍କ ପାଖରେ ପରିଚୟ କରାଇ ଦେଇଥିଲେ । ରାଜାଙ୍କର ପାଦ୍ରୀ ହେବା ସଙ୍ଗେ ସଙ୍ଗେ ସେହି ଦିନଠାରୁ ଓଲ୍‌ସିଙ୍କୁ ସମୟ ସମୟରେ କୂଟନୀତିଜ୍ଞଭାବେ ମଧ୍ୟ ନିଯୁକ୍ତି ମିଳିଥିଲା । ନିଜର କର୍ତ୍ତବ୍ୟନିଷ୍ଠା ଓ କର୍ମତତ୍ପରତାଦ୍ୱାରା ସେ ରାଜାଙ୍କୁ ମୁଗ୍ଧ କରି ଉନ୍ନତ ପଦବୀରେ ଅଧ୍ୟୁଷିତ ହୋଇଥିଲେ । ୧୫୦୯ ଖ୍ରୀ:ରେ ତାଙ୍କୁ ଅଷ୍ଟମ ହେନେରୀଙ୍କର ସଦାବ୍ରତକାରୀ (Almoner) ପଦରେ ନିଯୁକ୍ତି ମିଳିଥିଲା । ପୋପ୍‍ଙ୍କର ‘ପବିତ୍ରସଂଘ’ (Holy league)ରେ ଯୋଗଦାନ କରିବାପାଇଁ ଓଲ୍‌ସି ରାଜାଙ୍କୁ ପ୍ରବର୍ତ୍ତାଇଥିଲେ । ୧୫୧୨ ଖ୍ରୀ: ଓ ୧୫୧୩ ଖ୍ରୀ:ର ଫ୍ରାନ୍‌ସ ଓ ସ୍କଟ୍‍ଲ୍ୟାଣ୍ତ ସହିତ ଇଂଲଣ୍ତର ଯୁଦ୍ଧ ପ୍ରସ୍ତୁତିକୁ ଓଲ୍‌ସି ତଦାରଖ ଓ ପରିଚାଳିତ କରିଥିଲେ । ଯୁଦ୍ଧପରେ ଫ୍ରାନ୍‌ସ ସହିତ ବନ୍ଧୁତ୍ୱ ସ୍ଥାପନ କରି ଇଉରୋପୀୟ ଶାନ୍ତିକୁ ଚିରସ୍ଥାୟୀ କରିବା ଉଦ୍ଦେଶ୍ୟରେ ସେ ହେନେରୀଙ୍କୁ ଉତ୍ସାହିତ କରିଥିଲେ ।

 

ଇଉରୋପୀୟ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିବାରେ ଓଲ୍‌ସିଙ୍କର ଏକ ପ୍ରଚ୍ଛନ୍ନ ଉଦ୍ଦେଶ୍ୟ ଥିଲା । ତା’ହେଲା ଇଂଲଣ୍ତର ତା’ର ଉପଯୁକ୍ତ ସ୍ଥାନରେ ଅଧିଷ୍ଠିତ କରିବା । ପୋପ୍‌ ଏବଂ ଅଷ୍ଟ୍ରିୟାର ସମ୍ରାଟଙ୍କ ସହ ସମସ୍କନ୍ଧ ହୋଇ ଚଳିପାରିଲେ ଇଂଲଣ୍ତ ଏକ ବୃହତ୍‌ଶକ୍ତିରୂପେ ସମ୍ମାନିତ ହେବ ବୋଲି ସେ ଉପଲବ୍ଧି କରିଥିଲେ ।

 

ଅଷ୍ଟମ ହେନେରୀ ଅତି ଉଚ୍ଚାଭିଳାଷୀ ଓ ପ୍ରତିପତ୍ତିଲିପ୍‌ସୁ ରାଜା ଥିଲେ । ଫ୍ରାନ୍‌ସ ଉପରେ ଆକ୍ରମଣ କରି ଯଶ ଅର୍ଜ୍ଜନ କରିବା ତାଙ୍କର ପ୍ରଥମ ଲକ୍ଷ୍ୟ ଥିଲା । ସେଥିପାଇଁ ତାଙ୍କୁ ସୁଯୋଗ ମଧ୍ୟ ମିଳିଥିଲା । ପୋପ୍‌ ଇଟାଲୀ ଉପଦ୍ୱୀପରୁ ଫରାସୀମାନଙ୍କୁ ବହିଷ୍କାର କରିବାର ଏକ ଯୋଜନା ପ୍ରସ୍ତୁତ କରିଥାନ୍ତି । ସେଥିପାଇଁ ସ୍ପେନ୍‌ସହିତ ଏକ ‘ପବିତ୍ର ସଂଘ’ (Holy league) ସେ ଗଢ଼ିଥିଲେ । ସ୍ପେନ୍‌ ରାଜା ଫର୍ଡ଼ିନାଣ୍ତ ଏହି ସଂଘରେ ଯୋଗ ଦେଇ ଜାମାତା ହେନେରୀ ଫ୍ରାନ୍‌ସକୁ ପଶ୍ଚିମପଟୁ ଆକ୍ରମଣ କରନ୍ତୁ ବୋଲି ପରାମର୍ଶ ଦେଲେ । ରାଜନୈତିକ ଗୌରବ ଓ ପ୍ରତିପତ୍ତି ଆଶାରେ ତହିଁରେ ସମ୍ମତ ହୋଇ, ହେନେରୀ ୧୫୧୧ ଖ୍ରୀ:ରେ ଫ୍ରାନ୍‌ସ ଆକ୍ରମଣ କଲେ-। ୧୫୧୩ ଖ୍ରୀ:ରେ ସ୍ପାର୍ଶ ରଣକ୍ଷେତ୍ର (Battle of Spurs)ରେ ଫ୍ରାନ୍‌ସ ପରାଜିତ ହେଲା ଏବଂ ହେନେରୀ ତେରୋନ୍‌ ଓ ତୋର୍ଣ୍ଣେ (Terounne and Tournai) ଅଧିକାର କଲେ-। ଫ୍ରାନ୍‌ସର ବନ୍ଧୁରାଷ୍ଟ୍ର ସ୍କଟ୍‍ଲ୍ୟାଣ୍ତ ଏହି ସମୟରେ ଇଂଲଣ୍ତ ଆକ୍ରମଣ କରିଥାଏ । ଫ୍ରାନ୍‌ସ ସହିତ ଫର୍ଡ଼ିନାଣ୍ତ ଯୁଦ୍ଧ ନ କରି ଅଧିକ ଫାଇଦା ଉଠାଉଅଛନ୍ତି ଦେଖି ଅଷ୍ଟମ ହେନେରୀ ପବିତ୍ରସଂଘରୁ ଓହରି ଆସିବା ଶ୍ରେୟସ୍କର ମନେକଲେ ।

 

ଏହିପରି ଏକ ଘଡ଼ିସନ୍ଧିବେଳରେ ଓଲ୍‌ସି ଅଷ୍ଟମ ହେନେରୀଙ୍କୁ ବୈଦେଶିକ ବ୍ୟାପାର ସଂକ୍ରାନ୍ତରେ ପୂର୍ଣ୍ଣ ସହଯୋଗ ଓ ପରାମର୍ଶ ଦେଇଥିଲେ । ଇଂଲଣ୍ତର ଚିରଶତ୍ରୁ ଥିଲେ ଫ୍ରାନ୍‌ସ ଓ ସ୍କଟ୍‍ଲ୍ୟାଣ୍ତ ଏବଂ ସେହି ଅନୁଭୂତି ନେଇ ସେପର୍ଯ୍ୟନ୍ତ ଇଂଲଣ୍ତର ବୈଦେଶିକ ନୀତି ପରିଚାଳିତ ହେଉଥିଲା । ଓଲ୍‌ସି ଏହି ନୀତିରେ ବୈପ୍ଳବିକ ପରିବର୍ତ୍ତନ ଆଣିଦେଲେ । ରାଜା ଯେ ଏକ ବଳିଷ୍ଠ ବୈଦେଶିକ ନୀତିର ସମର୍ଥକ ଏହା ସେ ଜାଣିଥିଲେ । ଫ୍ରାନ୍‌ସ ବିରୁଦ୍ଧରେ ଅଭିଯାନ ପାଇଁ ରାଜାଙ୍କୁ ସବୁମନ୍ତେ, ସାଜସରଞ୍ଜାମ ଯୋଗାଇ ଦେଇଥିବା ହେତୁ ତାଙ୍କୁ ପ୍ରଥମେ ତୋର୍ଣ୍ଣେର ବିଶପ୍‌ ଓ ତତ୍‌ପରେ ଲିଙ୍କନ୍‌ର ବିଶପ୍‌ଭାବେ ରାଜା ନିଯୁକ୍ତି ଦେଇଥାନ୍ତି । ରାଜାଙ୍କର ବିଶ୍ୱାସଭାଜନ ହୋଇ ଓଲ୍‌ସି ବୈଦେଶିକ ନୀତି ପରିଚାଳନାରେ ଯେଉଁ ସୁଦକ୍ଷ କର୍ଣ୍ଣଧାରର ଦାୟିତ୍ୱ ତୁଲାଇଥିଲେ ତାହା ଉଲ୍ଲେଖଯୋଗ୍ୟ । ଫ୍ରାନ୍‌ସ ସହିତ ଶତ୍ରୁଭାବ ନ ରଖି ମୈତ୍ରଭାବ ସ୍ଥାପନ କରିବା ଉଚିତ ବୋଲି ସେ ମନେକରିଥିଲେ ଓ ସେହି ଅନୁସାରେ ବୈଦେଶିକ ନୀତି ଅନୁସରଣ କଲେ ।

 

ପବିତ୍ରସଂଘରୁ ଯେଉଁ ବିରକ୍ତିକର ମନୋଭାବ ନେଇ ଅଷ୍ଟମ ହେନେରୀ ଓହରି ଆସିଥିଲେ ସେଥିରେ ଓଲ୍‌ସିଙ୍କର ନୀତି ବେଶ୍ ଖାପ ଖାଇଗଲା । ଓଲ୍‍ସିଙ୍କ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାପାଇଁ ହଠାତ୍‌ ଏକ ସୁଯୋଗ ମଧ୍ୟ ମିଳିଗଲା । ଫ୍ରାନ୍‌ସର ରାଜା ଦ୍ୱାଦଶ ଲୁଇ ବିପତ୍ନୀକ ଥାଇ ପୁନର୍ବିବାହ ସକାଶେ ଇଚ୍ଛୁକ ହେବାରୁ ଓଲ୍‌ସି ଗୁପ୍ତଭାବରେ ତାଙ୍କ ସହିତ ହେନେରୀଙ୍କର ସାନ ଭଉଣୀ ମେରୀଙ୍କର ବିବାହ ପ୍ରସ୍ତାବ ଆଣିଲେ । ଦୁହିଁଙ୍କ ମଧ୍ୟରେ ବୟସର ପାର୍ଥକ୍ୟ ଯଥେଷ୍ଟ ଥିଲା-। ମେରୀଙ୍କ ବୟସ ଥିଲା ୧୭ ଏବଂ ଲୁଇଙ୍କର ୫୨ । କିନ୍ତୁ ତାହା କୂଟନୈତିକ ସୁସମ୍ପର୍କ ପ୍ରତିଷ୍ଠା କରିବାରେ କୌଣସି ଅନ୍ତରାୟ ସୃଷ୍ଟି କରି ନଥିଲା । ଇଂଲଣ୍ତ ଓ ଫ୍ରାନ୍‌ସ ମଧ୍ୟରେ ସମ୍ପର୍କ କ୍ରମଶଃ ନିବିଡ଼ ହୋଇଉଠିଲା ଏବଂ ସେତିକିମାତ୍ରାରେ ସ୍ପେନ୍‌ ସହିତ ତିକ୍ତତା ବୃଦ୍ଧି ପାଇଲା ।

 

ପବିତ୍ରସଂଘକୁ ପରିତ୍ୟାଗ କରି ଇଉରୋପୀୟ ରାଜନୀତିରେ ଯେଉଁ ଭାରସାମ୍ୟ ରକ୍ଷାର ପ୍ରଚେଷ୍ଟା ଓଲ୍‍ସି କରିଥିଲେ ତାହା ଜନାଦୃତ ହୋଇଥିଲା । ଇଉରୋପୀୟ ଶକ୍ତିମାନେ ଇଂଲଣ୍ତକୁ ଆଉ ଉପେକ୍ଷା ଚକ୍ଷୁରେ ଦେଖିବା ସମ୍ଭବ ହେଲା ନାହିଁ । ନିରପେକ୍ଷ ନୀତି ଅବଲମ୍ବନ କରି କୂଟନୀତିଜ୍ଞ ଭାବରେ ଅଧିକ ପ୍ରତିପତ୍ତିଶାଳୀ ହୋଇ ପାଇବେ ବୋଲି ଓଲ୍‌ସି ମନେକଲେ । କିନ୍ତୁ ଦ୍ୱାଦଶ ଲୁଇଙ୍କର ମୃତ୍ୟୁ ତାଙ୍କର କୂଟନୈତିକ ଯୋଜନା ଉପରେ ଦାରୁଣ କୁଠାରାଘାତ କରିଥିଲା । ଲୁଇଙ୍କର ଉତ୍ତରାଧିକାରୀ ଫ୍ରାନ୍‍ସିସ୍ (Francis) ତରୁଣ ଯୁଦ୍ଧଖୋର ରାଜାଥିଲେ । ସେ ମିଲାନ୍‌କୁ କରଗତ କରିବାପାଇଁ ଯୁଦ୍ଧ ଘୋଷଣା କରନ୍ତେ ଇଉରୋପରେ ପୁଣି ଆତଙ୍କ ବ୍ୟାପି ଯାଇଥିଲା । ଫ୍ରାନ୍‌ସ କାଳେ ଶକ୍ତିଶାଳୀ ହୋଇ ଉଠିବ ଏହି ଭୟରେ ସମସ୍ତେ ତ୍ରସ୍ତ ହୋଇ ଉଠିଲେ-। ଏହି ସମୟରେ ଫର୍ଡ଼ିନାଣ୍ତଙ୍କର ମୃତ୍ୟୁ ହେବାରୁ ତାଙ୍କ ପୌତ୍ର ଚାର୍ଲସ୍‌ ସ୍ପେନ୍, ସିସିଲି, ବାର୍ଗାଣ୍ତି ଓ ନେଦାରଲ୍ୟାଣ୍ତର ଶାସକ ହେଲେ । ସ୍ପେନ୍‌ର ବିସ୍ତୀର୍ଣ୍ଣ ରାଜ୍ୟ ଓ ଶକ୍ତି କାଳେ ଇଉରୋପୀୟ ରାଜନୈତିକ ଭାରସାମ୍ୟକୁ ବିପନ୍ନ କରିବ ଏହି ଭୟରେ ଓଲ୍‌ସି ଫ୍ରାନ୍‌ସ ସହିତ ବନ୍ଧୁଭାବାପନ୍ନ ହୋଇଥିଲେ । ହେନେରୀଙ୍କ କନ୍ୟା ମେରୀଙ୍କୁ ଫ୍ରାନ୍‌ସର ଯୁବରାଜ ସହିତ ବିବାହ ଦେବାର ପ୍ରସ୍ତାବ ମଧ୍ୟ ସେ ଆଣିଥିଲେ । ନାନା କୌଶଳ ଅବଲମ୍ବନ କରି ପୋପ୍ ଅଷ୍ଟ୍ରିୟା, ସ୍ପେନ୍, ଫ୍ରାନ୍‌ସ ଓ ସ୍କଟ୍‍ଲ୍ୟାଣ୍ତ ଆଦି ରାଜ୍ୟକୁ ନେଇ ସେ ଯେଉଁ ସାର୍ବଜନୀନ ଶାନ୍ତି ଚୁକ୍ତି (Universal peace) ସଂପନ୍ନ କଲେ, ତଦ୍ଦ୍ୱାରା ଇଂଲଣ୍ତକୁ ଇଉରୋପର ଶାନ୍ତିଦୂତ ବୋଲି ଅଭିହିତ କରାଯାଇଥିଲା-

 

୧୫୧୯ ଖ୍ରୀ:ରେ ଅଷ୍ଟ୍ରିୟାର ସମ୍ରାଟ ମ୍ୟାକ୍‌ସମିଲିୟାନ୍‌ ଦେହତ୍ୟାଗ କରିବାରୁ ସିଂହାସନ ପାଇଁ ଫ୍ରାନ୍‌ସର ଫ୍ରାନ୍‌ସିସ୍ ଓ ସ୍ପେନ୍‍ର ଚାର୍ଲସ୍ ପ୍ରାର୍ଥୀ ହୋଇଥିଲେ । ଇଂଲଣ୍ତ ଏହି ପ୍ରତିଦ୍ୱନ୍ଦ୍ୱିତାରେ କୌଣସି ପକ୍ଷ ସମର୍ଥନ କରି ନଥିଲେହେଁ ସ୍ପେନ୍‌ ଓ ଫ୍ରାନ୍‌ସ ଉଭୟେ ହେନେରୀଙ୍କ ସମର୍ଥନ କାମନା କରିଥିଲେ । ସ୍ୱର୍ଣ୍ଣବସ୍ତ୍ର ମଇଦାନ (Field of the cloth of gold)ରେ ହେନେରୀ ଓ ଫ୍ରାନ୍‌ସିସ୍‌ଙ୍କର ସାକ୍ଷାତ ମଧ୍ୟ ହୋଇଥିଲା କିନ୍ତୁ କୌଣସି ଚୁକ୍ତି ସଂପାଦିତ ହୋଇ ନଥିଲା । କାଲେ (calais)ଠାରେ ହେନେରୀ ଚାର୍ଲସ୍‍ଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ।

 

କ୍ରମଶଃ ଇଂଲଣ୍ତର ବୈଦେଶିକ ନୀତିର ଆଭିମୁଖ୍ୟ ବଦଳି ଯାଇଥିଲା । ଚାର୍ଲସ୍‍ ସ୍ପେନ୍ ଏବଂ ଅଷ୍ଟ୍ରିୟା ଉଭୟ ରାଜ୍ୟର ଅଧୀଶ୍ୱର ହେବାଫଳରେ ତାଙ୍କର ପ୍ରତିପତ୍ତି ଅତିଶୟ ବୃଦ୍ଧି ପାଇଥିଲା । ରାଣୀ କ୍ୟାଥାରାଇନ୍‌ ଚାର୍ଲସ୍‍ଙ୍କର ସମ୍ପର୍କୀୟା ହୋଇଥିବାରୁ ହେନେରୀଙ୍କୁ ସ୍ପେନ୍‌–ବିରୋଧୀ ନୀତି ଅବଲମ୍ବନ କରିବାକୁ ଦେଉ ନଥିଲେ । ଦ୍ୱିତୀୟତଃ ଇଂରେଜ ବ୍ୟବସାୟୀମାନଙ୍କର ସ୍ପେନ୍‌ ଶାସିତ ନେଦାରଲ୍ୟାଣ୍ତ ଅଞ୍ଚଳରେ ଯେଉଁ ସ୍ୱାର୍ଥ ଥିଲା ତାହାର ସୁରକ୍ଷା ନିମିତ୍ତ ସ୍ପେନ୍–ବିରୋଧୀ ନୀତି ଅବଲମ୍ବନ କରିବା ବିଜ୍ଞତାର ନିଦର୍ଶନ ନୁହେଁ ବୋଲି ହେନେରୀ ଉପଲବ୍ଧି କଲେ । ପରିଶେଷରେ ଫ୍ରାନ୍‌ସ ଇଂଲଣ୍ତର ପାରମ୍ପରିକ ଶତ୍ରୁ ହୋଇଥିବାରୁ ଓଲ୍‍ସିଙ୍କ ନୀତିକୁ ସବୁ ଶ୍ରେଣୀର ଲୋକେ ସ୍ୱାଗତ କଲେ ନାହିଁ । ହେନେରୀ ଓ ଓଲ୍‌ସିଙ୍କ ମଧ୍ୟରେ ମତାନୈକ୍ୟ ସୃଷ୍ଟି ହେଲା । କ୍ରମଶଃ ଓଲ୍‍ସିଙ୍କର ପ୍ରଭାବ ହ୍ରାସ ପାଇଗଲା ଏବଂ କ୍ୟାଥାରାଇନ୍‌ଙ୍କୁ ପରିତ୍ୟାଗ କରି ଦ୍ୱିତୀୟବାର ବିବାହ କରିବାକୁ ହେନେରୀ ଜିଦ୍‌ ଧରିବାରୁ ଅବସ୍ଥା ଅତି ଜଟିଳ ହୋଇଉଠିଲା । ତାହାହିଁ ଶେଷରେ ଓଲ୍‍ସିଙ୍କର ପତନର କାରଣ ହୋଇଥିଲା ।

 

ଦ୍ୱିତୀୟ ଭାଗ (୧୨୫୯ ଖ୍ରୀ:ରୁ ୧୫୪୭ ଖ୍ରୀ:) ଧର୍ମବିପ୍ଳବ

ଜର୍ମାନୀରେ ଧର୍ମବିପ୍ଳବ

 

ଆଧୁନିକ ଯୁଗର ପ୍ରାରମ୍ଭପାଇଁ ନବଜାଗରଣ, ଧର୍ମବିପ୍ଳବ ଓ ଭୌଗୋଳିକ ଆବିଷ୍କାର ଆଦି ତିନୋଟି ଦିଗରେ ମଣିଷର ସମଷ୍ଟିଗତ କାର୍ଯ୍ୟସୂଚୀ ଦାୟୀ ବୋଲି କୁହାଯାଏ । ଇଟାଲୀରେ ପଞ୍ଚଦଶ ଶତାବ୍ଦୀର ଯେଉଁ ସାଂସ୍କୃତିକ ପୁନରଭ୍ୟୁଦୟକୁ ନବଜାଗରଣ (Renaissance) ବୋଲି କୁହାଗଲା, ତାହାଫଳରେ ମାନବ ସମାଜରେ ଅନୁସନ୍ଧିତ୍ସୁ ମନୋଭାବ ବୃଦ୍ଧି ପାଇଥିଲା । ଏହି ମନୋଭାବର ପ୍ରସାର ଯୋଗୁଁ ସାହିତ୍ୟ ଓ କଳାକ୍ଷେତ୍ରରେ ନବଯୁଗର ପ୍ରବର୍ତ୍ତନ ହେଲା । ଧର୍ମବିପ୍ଳବ କିନ୍ତୁ ନବଜାଗରଣଦ୍ୱାରା ପ୍ରବର୍ତ୍ତିତ ହୋଇଛି ବୋଲି କୁହାଯାଇନପାରେ । କାରଣ ନବଜାଗରଣରେ କେଉଁଠି ହେଲେ ପୋପ୍‌ ବିରୋଧୀ ମନୋଭାବ ପ୍ରକଟିତ ହୋଇ ନଥିଲା । କିନ୍ତୁ ମଧ୍ୟଯୁଗୀୟ କୁସଂସ୍କାର ଓ ଅପଶିକ୍ଷାର ପ୍ରଧାନ କାରଣ ଥିଲା ଲୋକଙ୍କର ଧର୍ମବିଶ୍ୱାସ । ସମାଜ କୃଷି ଆଭିମୁଖ୍ୟ ନେଇ ଗଠିତ ହୋଇଥିବାରୁ ଧର୍ମର ପ୍ରଭାବ ଅତୁଟ ଥିଲା । କିନ୍ତୁ କ୍ରସେଡ଼୍‌ ଯୁଦ୍ଧର ପରବର୍ତ୍ତୀ କାଳରେ ପୋପ୍‌ ଏବଂ ଅନ୍ୟ ଧର୍ମଯାଜକମାନେ ପାରିପାର୍ଶ୍ୱିକ ପରିସ୍ଥିତିର ଚାପରେ ନିଜର କର୍ତ୍ତବ୍ୟ ଓ ଆଦର୍ଶ ଭୁଲି ଦୁର୍ନୀତିଗ୍ରସ୍ତ ହୋଇ ପଡ଼ିଲେ । ଖ୍ରୀଷ୍ଟିଆନ ଧର୍ମକୁ ବିଳାସବ୍ୟସନର ଆୟୁଧରୂପେ ବ୍ୟବହାର କରି ସେମାନେ ସବୁକିଛି ନୈତିକତା ଓ ମାନବିକତାକୁ ଜଳାଞ୍ଜଳି ଦେଲେ-। ପୋପ୍‌ମାନଙ୍କର ଅପକର୍ମ, ଧର୍ମଯାଜକମାନଙ୍କର ସାଂସାରିକ ଆସକ୍ତି ଓ ବ୍ୟଭିଚାର ଗିର୍ଜା ଓ ମଠଗୁଡ଼ିକୁ କଳୁଷିତ କରିଦେଲା ।

 

ଇଟାଲୀରେ ଏହି ବ୍ୟଭିଚାର ଓ ଦୁର୍ନୀତିଗ୍ରସ୍ତ ଧର୍ମ ଲୋକଙ୍କର ଦେହସୁହା ହୋଇ ରହିଥିଲେହେଁ ଉତ୍ତର ଇଉରୋପ, ବିଶେଷକରି ଜର୍ମାନୀରେ ଅସହ୍ୟ ହୋଇଥିଲା । ସେଠାରେ ନବଜାଗୃତିର ସ୍ପନ୍ଦନ ଶିକ୍ଷିତ ସମାଜରେ ଯେଉଁ ଶିହରଣ ସୃଷ୍ଟି କରିଥିଲା, ତା’ରି ଫଳରେ ଜ୍ଞାନକୁ ବାସ୍ତବ ଜୀବନ ସହିତ ଜଡ଼ିତ କରିବାକୁ ସମସ୍ତେ ଚାହୁଁଥିଲେ । ଅବାସ୍ତବ ଜ୍ଞାନ, ନୈତିକତାଶୂନ୍ୟ ଆଦର୍ଶ ବା ଧର୍ମ ସେମାନଙ୍କ ପାଖରେ ମୂଲ୍ୟହୀନ ଥିଲା । ଧର୍ମକ୍ଷେତ୍ରରେ କେତେକ ଦାର୍ଶନିକ ବାହାରିଲେ ଯେଉଁମାନେ ପୋପ୍‌ ଓ ଧର୍ମଯାଜକଙ୍କ ପ୍ରତିପତ୍ତିକୁ ହେୟଜ୍ଞାନ କରି ନିଜର ଜ୍ଞାନଲବ୍‌ଧ ସିଦ୍ଧାନ୍ତକୁ ‘ସତ୍ୟ’ ବୋଲି ଗ୍ରହଣ କଲେ । ଏହି ଦାର୍ଶନିକମାନଙ୍କ ମଧ୍ୟରେ ଇରାସ୍‌ମସ୍‌ ଓ ଲୁଥର ଅନ୍ତର୍ଭୁକ୍ତ ।

 

ଡେସିଡ଼େରିୟାସ୍‌ ଇରାସ୍‌ମସ୍‌ ପିତୃମାତୃହୀନ ଅବସ୍ଥାରେ ଗୋଟିଏ ମଠରେ ବାଲ୍ୟାବସ୍ଥା ଅତିବାହିତ କରିଥିଲେ । ସେହିଦିନୁ ମହନ୍ତ ଓ ଧର୍ମଯାଜକମାନଙ୍କ ପ୍ରତି ତାଙ୍କର ମନରେ ଘୃଣା ଜାତ ହୋଇଥିଲା । ଇଉରୋପର ବିଭିନ୍ନ ସ୍ଥାନରେ ବିଦ୍ୟାଧ୍ୟୟନ ଓ ଭ୍ରମଣ କରି ସେ ଧର୍ମଜଗତରେ ଦୁର୍ନୀତିର ମାତ୍ରା କଳନା କରିଥିଲେ । ନିଜର ପୁସ୍ତକ ‘‘The Praise of Folly”ରେ ସେ ପୁରୁଣାକାଳିଆ ଶିକ୍ଷା ଓ ରୀତିନୀତିକୁ ଉପହାସ କରିଥିଲେ । ତାହାଦ୍ୱାରା ମହନ୍ତ ଓ ଧର୍ମଯାଜକମାନେ ଲୋକଚକ୍ଷୁରେ ଘୃଣିତ ଓ ଉପହାସିତ ହେଲେ । ଖ୍ରୀ: ୧୫୧୬ରେ ଗ୍ରୀକ୍‌ ବାଇବେଲର ଶୁଦ୍ଧ ଲାଟିନ୍‌ ସଂସ୍କରଣ ପ୍ରକାଶ କରି ସେଥିରେ ସେ ସ୍ୱାଧୀନ ଧର୍ମମତ ପ୍ରଚାର କରିବାଦ୍ୱାରା ଏକ ବିପ୍ଳବ ସୃଷ୍ଟି କରିଥିଲେ ।

 

ଏହି ଇରାସ୍‌ମସ୍‍ଙ୍କର ପ୍ରକୃତ ଶିଷ୍ୟ ଥିଲେ ମାର୍ଟିନ୍‌ ଲୁଥର । ଜର୍ମାନୀର ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରି ସେ ଆଇନଜୀବୀଭାବେ ଜୀବନ ଅତିବାହିତ କରିବାର ଯୋଜନା କରିଥିଲେ । ଦିନେ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇ ସେ ପ୍ରତିଜ୍ଞା କରିଥିଲେ ଯେ ଧର୍ମଯାଜକରୂପେ ଆଜୀବନ ଈଶ୍ୱରଙ୍କ ସେବାରେ ଆତ୍ମନିୟୋଗ କରିବେ ବୋଲି । କିନ୍ତୁ ଧର୍ମଯାଜକ ହୋଇ ନିଯୁକ୍ତି ପାଇଥିଲେହେଁ ପାରିପାର୍ଶ୍ୱିକ ଦୁର୍ନୀତି ଓ ବିବେକର ତାଡ଼ନା ସହ୍ୟ କରି ନପାରି ସେ ତାହା ପରିତ୍ୟାଗ କରିଥିଲେ । ସେକ୍‌ସନ ବିଶ୍ୱବିଦ୍ୟାଳୟରେ ଧର୍ମଶାସ୍ତ୍ର ଅଧ୍ୟାପକରୂପେ କାର୍ଯ୍ୟ କରୁଥିବା କାଳରେ ପୋପ୍‌ଙ୍କର ଅବିମୃଶ୍ୟକାରିତାର ଚୂଡ଼ାନ୍ତ ରୂପ ସେ ସ୍ୱଚକ୍ଷୁରେ ଦେଖିଥିଲେ । ତତ୍ପରେ ବାଇବେଲକୁ ଗଭୀରଭାବେ ଅଧ୍ୟୟନ କରି ଖ୍ରୀଷ୍ଟଧର୍ମର ସାରତତ୍ତ୍ୱ ଉପଲବ୍ଧି କରିବା ସଙ୍ଗେ ସଙ୍ଗେ ତତ୍କାଳିନ ଆଧ୍ୟାତ୍ମିକ ଓ ନୈତିକ ଅଧୋଗତିକୁ ରୋକିବା ଦିଗରେ ସେ ପ୍ରତିକାର ଖୋଜିଥିଲେ । ସେତେବେଳେ ପୋପ୍‌ ରୋମରେ ସେଣ୍ଟପିଟ୍‌ର ଗିର୍ଜା ନିର୍ମାଣପାଇଁ ନାନା ଉପାୟରେ ଅର୍ଥ ସଂଗ୍ରହ କରୁଥାନ୍ତି ଓ ସେଥିମଧ୍ୟରୁ ଗୋଟିଏ ଉପାୟ ଥିଲା ପାପ–ବିମୋଚନୀ–ଟିକଟ (Indulgence) ବିକ୍ରିକରି ଅର୍ଥ ଆଦାୟ କରିବା । ଏହି ଟିକଟ ବିକ୍ରିକରି ପୋପ୍‌ ଯେ ଖ୍ରୀଷ୍ଟିଆନମାନଙ୍କୁ ପ୍ରତାରିତ କରୁଛନ୍ତି ଏହା ମାର୍ଟିନ୍‌ ଲୁଥର ଉଚ୍ଚସ୍ୱରରେ ପ୍ରକାଶ କଲେ ଓ ତା’ ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ କଲେ । ନିଜର ମତାମତକୁ ସନ୍ଦର୍ଭ ଆକାରରେ ଲିପିବଦ୍ଧ କରି ଉଇଟେନ୍‌ବାର୍ଗ ସହରରେ ସେ ଯେଉଁ ଗଣଆନ୍ଦୋଳନ ଆରମ୍ଭ କଲେ, ତାହାହିଁ ଥିଲା ଇଉରୋପର ଧର୍ମବିପ୍ଳବ ।

 

ପୋପ୍‌ବିରୋଧୀ ଆଲୋଚନା ଏବଂ ଆନ୍ଦୋଳନରୁ କ୍ଷାନ୍ତ ହେବାପାଇଁ ରୋମରୁ ବାରମ୍ବାର ନିର୍ଦ୍ଦେଶ ଆସିବା ସତ୍ତ୍ୱେ ଲୁଥର ଚୁପ୍‌ ହୋଇ ନଥିଲେ । ପୋପ୍‌ ଲୁଥରଙ୍କର ପ୍ରଶ୍ନ ବାଣ ଓ ସମାଲୋଚନାର ସମ୍ମୁଖୀନ ହୋଇ ପାରି ନଥିଲେ । ଲାଟିନ୍‌ ଭାଷାକୁ ତ୍ୟାଗ କରି ଜର୍ମାନ ଭାଷାରେ ଧର୍ମମତବାଦ ପ୍ରଚାର କରିବାରୁ ଲୁଥର ଅତିଶୀଘ୍ର ଜନପ୍ରିୟ ହୋଇଥିଲେ ଓ ସେ ଦାବି କରୁଥିବା ସଂସ୍କାର ଜନାଦୃତ ହୋଇଥିଲା । ଲୁଥରଙ୍କୁ ଓ ତାଙ୍କର ଆନ୍ଦୋଳନକୁ ଧ୍ୱଂସ କରିବାପାଇଁ ପୋପ୍ ନାନା ଉପାୟ ଅବଲମ୍ବନ କରି ବିଫଳ ହୋଇଥିଲେ । ଖ୍ରୀଷ୍ଟିଆନମାନେ ଦୁଇ ଭାଗରେ ବିଭକ୍ତ ହୋଇଗଲେ । ଯେଉଁମାନେ ଲୁଥରଙ୍କୁ ସମର୍ଥନ କରି ପୋପ୍‍ଙ୍କୁ ଅସ୍ୱୀକାର କଲେ ସେମାନଙ୍କୁ କୁହାଗଲା ପ୍ରୋଟେଷ୍ଟାଣ୍ଟ୍ ଏବଂ ଯେଉଁମାନେ ପୋପ୍‍ଙ୍କ ପ୍ରତି ଅନୁରକ୍ତ ରହିଲେ ସେମାନେ କାଥଲିକ୍‍ ନାମରେ ଅଭିହିତ ହେଲେ ।

 

ଇଂଲଣ୍ତରେ ଧର୍ମବିପ୍ଳବ

 

ଷୋଡ଼ଶ ଶତାବ୍ଦୀରେ ଇଂଲଣ୍ତରେ ଘଟିଥିବା ଧର୍ମବିପ୍ଳବ ପ୍ରଥମେ ଗିର୍ଜା ଓ ମଠଗୁଡ଼ିକରେ ଧର୍ମଯାଜକମାନଙ୍କର ଅପକୀର୍ତ୍ତି ଓ ତତ୍କାଳିନ ନୈତିକ ଅଧୋଗତି ପାଇଁ ସମ୍ଭବ ହୋଇଥିଲା ବୋଲି ସମସ୍ତଙ୍କର ଧାରଣା ଥିଲା । କିନ୍ତୁ ପରେ ଐତିହାସିକମାନେ ଅଷ୍ଟମ ହେନେରୀଙ୍କୁ ଏଥିପାଇଁ ପୂରାପୂରି ଦାୟୀ କରିଥିଲେ । ତେବେ ଇଂଲଣ୍ତର ଧର୍ମବିପ୍ଳବ ଯେ ଧର୍ମ ଓ ସମାଜରେ ବ୍ୟାପକ ପରିବର୍ତ୍ତନ ସୃଷ୍ଟି କରିଥିଲା ଏହା ନିହାତି ସତ୍ୟ । ଏହି ବିପ୍ଳବର ପ୍ରବର୍ତ୍ତନରେ କିନ୍ତୁ ଦାର୍ଶନିକ, ରାଜନୈତିକ, ନୀତିବାଦୀ ଓ ଜନସାଧାରଣ ସମସ୍ତଙ୍କର ଅଂଶ ଥିଲା । ସେମାନେ ପ୍ରତ୍ୟେକେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଏଥିପାଇଁ ଦାୟୀ ଥିଲେ । ପାରମ୍ପରିକ ପ୍ରଥା ଓ କୁସଂସ୍କାର ବିରୁଦ୍ଧରେ ଏହି ବିପ୍ଳବ ବୌଦ୍ଧିକ ସ୍ୱାଧୀନତା ଓ ଆଧ୍ୟାତ୍ମିକ ଉନ୍ନତିପାଇଁ ଆରମ୍ଭ ହୋଇଥିଲା ।

 

ପୂର୍ବାବସ୍ଥା

 

ଇଂରେଜ ସମାଜରେ ଯେଉଁ ଖ୍ରୀଷ୍ଟଧର୍ମ ପ୍ରଚଳିତ ଥିଲା ତାହା ନିହାତି ଅପ୍ରାସଙ୍ଗିକ ଓ ଅପ୍ରାକୃତିକ ବୋଲି ବିବେଚିତ ହେଉଥିଲା । ଦୁର୍ନୀତି ଓ ଅବିବେକୀ କ୍ରିୟାକଳାପ ତାକୁ ଆହୁରି ପ୍ରାଣଶୂନ୍ୟ କରି ଦେଇଥିଲା । ଯେଉଁମାନେ ସଂସ୍କାର ନାମରେ ଧର୍ମଅନୁଷ୍ଠାନଗୁଡ଼ିକୁ ପବିତ୍ର ଓ ଶୃଙ୍ଖଳିତ କରିବାର ପ୍ରଚେଷ୍ଟା କରିଥିଲେ, ସେମାନଙ୍କୁ ନିର୍ମମ ଭାବରେ ଧ୍ୱଂସ କରାଯାଉଥିଲା । ପୋପ୍‍ଙ୍କ ସହିତ କଳହରେ ବ୍ୟାପୃତ ରହି କୌଣସି ରାଜା ଲାଭବାନ ହେଉ ନଥିଲେ–ବରଂ କୌଣସି ପ୍ରକାରେ ବୁଝାମଣା କରି କଳହରୁ ନିବୃତ୍ତ ହେଉଥିଲେ । ଯେଉଁମାନେ ଗିର୍ଜା ଓ ମଠାଧୀଶମାନଙ୍କର ସାଂସାରିକ ଆସକ୍ତି ଏବଂ ବ୍ୟଭିଚାରକୁ କେନ୍ଦ୍ର କରି ସମାଲୋଚନା ବା ଉପହାସାତ୍ମକ ରଚନାମାନ ସୃଷ୍ଟି କରୁଥିଲେ, ସେମାନେ ବିପ୍ଳବୀ ନଥିଲେ । ବିପ୍ଳବ ହେବାର କୌଣସି ସମ୍ଭାବନା ନଥିବାରୁ ସାମାଜିକ ଦୁର୍ନୀତି ଓ ଅତ୍ୟାଚାରର ମଧ୍ୟ ପରିସମାପ୍ତି ହୋଇ ନଥିଲା-

 

ଇଂଲଣ୍ତରେ ଯେଉଁ କେତେଜଣ ସାହସୀ ସଂସ୍କାରକ ଧର୍ମକ୍ଷେତ୍ରରେ ବିପ୍ଳବର ବାର୍ତ୍ତା ପ୍ରଚାର କରିଥିଲେ ସେମାନଙ୍କ ମଧ୍ୟରେ ଉଇକ୍ଳିଫ (Wicliff) ଥିଲେ ଅନ୍ୟତମ । କିନ୍ତୁ ତାଙ୍କଦ୍ୱାରା ପରିଚାଳିତ ଲୋଲାର୍ଡ଼ ଆନ୍ଦୋଳନ ବେଶିଦିନ ତିଷ୍ଠି ପାରି ନଥିଲା । ପଣ୍ତିତମାନଙ୍କ ମଧ୍ୟରେ ଡିନ୍‌କୋଲେଟ୍‌ ଏବଂ ଟମାସ୍‍ ମୁର୍‌ ଶିକ୍ଷିତ ସମାଜରେ ଧର୍ମସଂସ୍କାରର ବୀଜବପନ କରିଥିଲେ । ସେମାନେ କିନ୍ତୁ ଖ୍ରୀଷ୍ଟିଆନ ଜଗତକୁ ବିଭକ୍ତ କରି ସମାଧାନର ପନ୍ଥା ନିର୍ଣ୍ଣୟ କରିବାକୁ ଚାହିଁ ନଥିଲେ । ପୋପ୍‍ଙ୍କୁ ସେମାନେ ଲୁଥରଙ୍କ ପରି କଟୁ ସମାଲୋଚନା କରି ନଥିଲେ । ଖ୍ରୀଷ୍ଟଧର୍ମର ତତ୍କାଳିନ ଅଧୋଗତିକୁ ସଂସ୍କାର ଏବଂ ବଳିଷ୍ଠ ଅନ୍ତର୍ଦୃଷ୍ଟି ଏବଂ ଆତ୍ମସମୀକ୍ଷାଦ୍ୱାରା ରୋକିବା ସମ୍ଭବ ବୋଲି ସେମାନେ ବିଚାର କରିଥିଲେ । ୧୫୧୨ ଖ୍ରୀ:ରେ ଯେଉଁ ଧର୍ମସମାବର୍ତ୍ତନ ଅନୁଷ୍ଠିତ ହୋଇଥିଲା ସେଥିରେ କୋଲେଟ୍‌ଙ୍କୁ ପ୍ରଥମେ ଧର୍ମୋପଦେଶ ଦେବାପାଇଁ ଆହ୍ୱାନ କରାଯାଇଥିଲା ଏବଂ ସେଥିରେ କୋଲେଟ୍‌ ଇଂଲଣ୍ତର ଧର୍ମଯାଜକମାନଙ୍କୁ ଜୀବନ ଶୃଙ୍ଖଳିତ କରି ନୈତିକ ପରାକାଷ୍ଠା ଦେଖାଇବା ପାଇଁ ଉପଦେଶ ଦେଇଥିଲେ । ତା’ର ଅଳ୍ପଦିନ ପରେ ଟମାସ୍‍ ମୁର୍ ‘ଇଉଟୋପିଆ’ ଗ୍ରନ୍ଥରେ ଯେଉଁ ଆଦର୍ଶ ସମାଜ ସୃଷ୍ଟି କରିବାର ସ୍ୱପ୍ନ ଦେଖିଥିଲେ ସେଥିରେ ସହନଶୀଳତା ଓ କରୁଣା ଥିଲା ଧର୍ମର ମୂଳମନ୍ତ୍ର । ଧର୍ମଯାଜକମାନଙ୍କର ସଂଖ୍ୟା ସୀମିତ ରଖିବା ମଧ୍ୟ ତାଙ୍କର ଉଦ୍ଦେଶ୍ୟ ଥିଲା ।

 

ଇଂଲଣ୍ତରେ ଧର୍ମଯାଜକମାନେ ଆଉ ଗୋଟିଏ ଦିଗରୁ ବିପଥଗାମୀ ହୋଇଥିଲେ । ପ୍ରଶାସନିକ ବ୍ୟାପାରରେ ସେମାନେ ସମୟ ସମୟରେ ବିଚାର କାର୍ଯ୍ୟ ସମାହିତ କରୁଥିଲେ । ପୌରଜନ ସମ୍ବନ୍ଧୀୟ ଓ ଦେଓ୍ୱାନୀ ବିଚାରରେ ସେମାନଙ୍କୁ ଯେଉଁ କ୍ଷମତା ମିଳିଥିଲା ତା’ର ବିଶେଷ ଅସଦ୍‌ବ୍ୟବହାର ହେଉଥିଲା ଏବଂ ସେହି ସୁଯୋଗରେ ଧର୍ମଯାଜକମାନେ ଲୋକଙ୍କଠାରୁ ଅର୍ଥ ଶୋଷଣ ମଧ୍ୟ କରୁଥିଲେ । ଏହି ଦିଗରେ ସପ୍ତମ ହେନେରୀ କେତେକ ସଂସ୍କାର ପ୍ରବର୍ତ୍ତନ କରି ଧର୍ମଯାଜକମାନଙ୍କର କ୍ଷମତା କାଢ଼ି ନେଇଥିଲେ । ପ୍ରଶାସନିକ ବ୍ୟାପାରରେ ହସ୍ତକ୍ଷେପ କରୁଥିବା ଯୋଗୁଁ ସରକାର ଓ ଧର୍ମଯାଜକମାନଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇ ଉଠିଥିଲା ଏବଂ ଟିଉଡ଼ର୍‍ ରାଜାମାନେ ସେପରି ହସ୍ତକ୍ଷେପ ବରଦାସ୍ତ କରୁ ନଥିଲେ ।

 

କୋଲେଟ୍‌ ଓ ମୁର୍‍ଙ୍କ ଲେଖାଲେଖିଫଳରେ ସଂସ୍କାର ସମ୍ଭବ ହେଉ ନହେଉ, ଶିକ୍ଷିତ ସମାଜରେ ଧର୍ମପ୍ରତି ଏକ ନୂତନ ରୁଚି ଓ ଆଭିମୁଖ୍ୟ ଗଢ଼ି ଉଠିବା କଥା ସମସ୍ତେ ସ୍ୱୀକାର କରିବେ-। ଅକ୍‌ସଫୋର୍ଡ଼ ଏବଂ କ୍ୟାମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ଯେଉଁ ପ୍ରଗତିପନ୍ଥୀ ଶିକ୍ଷା ଆଦର ଲାଭ କଲା ତାହା ସୃଷ୍ଟିକଲା ଏକ ମାନସିକ ବିପ୍ଳବ । ସଂସ୍କାରପ୍ରତି ଅନୁରାଗ ଜନ୍ମାଇ ଧର୍ମ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ତା’ଦ୍ୱାରା ସମ୍ଭବ ହୋଇଥିଲା । ଓଲ୍‍ସି ଏହାର ସମର୍ଥକ ବା ପୃଷ୍ଠପୋଷକ ଥିଲେ । ନୂତନ ଆଭିମୁଖ୍ୟ ନେଇ ଯେଉଁ ଶିକ୍ଷା ବିଶ୍ୱବିଦ୍ୟାଳୟଗୁଡ଼ିକରେ ବିକାଶ ଲାଭ କଲା ତା’ର ଉନ୍ନତି ସେ କାମନା କରିଥିଲେ । ରାଜନୀତିଜ୍ଞ ଭାବରେ ସେ ଚାହୁଁଥିଲେ ଗିର୍ଜା ଓ ମଠଗୁଡ଼ିକର ସମ୍ପତ୍ତିକୁ ହସ୍ତଗତ କରି ଶିକ୍ଷାର ପ୍ରସାରପାଇଁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯିବା ଉଚିତ । ଏହି ଲବ୍ଧ ଧନକୁ ସେ ରାଜକାର୍ଯ୍ୟରେ ମଧ୍ୟ ବିନିଯୋଗ କରିଥିଲେ । ତେବେ କୋଲେଟ୍‌ଙ୍କର ନୈତିକ ଆଦର୍ଶକୁ ଅନୁକରଣ କରି ପବିତ୍ର ଜୀବନଯାପନ କରିବା ତାଙ୍କ ପକ୍ଷରେ ସମ୍ଭବ ନଥିଲା । ସାଂସାରିକ ମୋହ, ଭୋଗବିଳାସକୁ ସେ ପରିତ୍ୟାଗ କରିବାକୁ ଚାହୁଁ ନଥିଲେ । ତେଣୁ ମୁଖ୍ୟ ଧର୍ମଯାଜକ (Cardinal) ହିସାବରେ ସେ ଯେଉଁ ପରିବର୍ତ୍ତନ ଆନୟନ କରିଥିଲେ ତା’ର ମୂଳକାରଣ ଥିଲା ରାଜନୈତିକ ।

 

ଲୁଥରଙ୍କର ଧର୍ମବିପ୍ଳବ ଇଂଲଣ୍ତର ଧର୍ମଜୀବନକୁ ବିଶେଷ ଭାବରେ ପ୍ରଭାବିତ କରିଥିଲା । ଜର୍ମାନୀର କୃଷକ ବିପ୍ଳବ ଇଂଲଣ୍ତକୁ ବ୍ୟାପିଥିଲା । ଧର୍ମ ଓ ସମାଜ କ୍ଷେତ୍ରରେ ଥିବା ଅଭାବ, ଅସୁବିଧା ଓ ଅନ୍ୟାୟକୁ ଏକତ୍ରିତ କରି ବିପ୍ଳବଦ୍ୱାରା ସମାଧାନ କରିବାକୁ କେତେକ ମତ ପ୍ରକାଶ କରୁଥିଲେ । ଯାହେଉ ଅଷ୍ଟମ ହେନେରୀଙ୍କ ରାଜତ୍ୱର ଦ୍ୱିତୀୟାର୍ଦ୍ଧରେ ଯେଉଁ ଧର୍ମବିପ୍ଳବ ସଂଘଟିତ ହେଲା ତା’ର ଉଦ୍ଦେଶ୍ୟ ଥିଲା ସମ୍ପୂର୍ଣ୍ଣ ରାଜନୈତିକ । ଧର୍ମ ଓ ରାଜତନ୍ତ୍ର ସରକାର ମଧ୍ୟରେ ଆଧିପତ୍ୟର ପରିସର ନିର୍ଣ୍ଣୟ କରି ପାରସ୍ପରିକ ସମ୍ପର୍କ ପ୍ରତିଷ୍ଠା କରିବା ଏହାର ଉଦ୍ଦେଶ୍ୟ ଥିଲା ।

 

ବିବାହବନ୍ଧନ ଉଚ୍ଛେଦ ପ୍ରସଙ୍ଗ

 

ଏକ ବ୍ୟକ୍ତିଗତ କାରଣ ନେଇ ଇଂଲଣ୍ତରେ ଧର୍ମବିପ୍ଳବ ଆରମ୍ଭ ହୋଇଥିଲା । ତା’ ହେଲା ଅଷ୍ଟମ ହେନେରୀଙ୍କର କ୍ୟାଥାରାଇନ୍‌ଙ୍କୁ ଛାଡ଼ପତ୍ର ଦେବା । ବିବାହର ଅଳ୍ପ କେତେଦିନ ପରେ ଆର୍ଥାରଙ୍କର ମୃତ୍ୟୁ ହୋଇଥିଲା ବୋଲି ଆଗରୁ ଉଲ୍ଲେଖ କରାଯାଇଛି । ବିଧବା ପୁତ୍ରବଧୂଙ୍କୁ ସ୍ପେନ୍‌ ରାଜ୍ୟକୁ ଫେରାଇ ନ ଦେଇ ସପ୍ତମ ହେନେରୀ ଦ୍ୱିତୀୟ ପୁତ୍ର ଅଷ୍ଟମ ହେନେରୀଙ୍କ ସହିତ କ୍ୟାଥାରାଇନ୍‌ଙ୍କର ବିବାହ କରିବା ସ୍ଥିରୀକୃତ କରିଥିଲେ । ସେଥିପାଇଁ ଖ୍ରୀ: ୧୫୦୪ରେ ପୋପ୍‌ ଦ୍ୱିତୀୟ ଜୁଲିୟାସ୍‌ଙ୍କଠାରୁ ଆବଶ୍ୟକୀୟ ଅନୁମତି ନେବାକୁ ପଡ଼ିଥିଲା । କାରଣ ଖ୍ରୀଷ୍ଟଧର୍ମରେ ବିଧବା ଭ୍ରାତୃବଧୂଙ୍କୁ ବିବାହ କରିବା ନିୟମାନୁମୋଦିତ ନଥିଲା । ୧୫୦୯ ଖ୍ରୀ:ରେ ରାଜ୍ୟାଭିଷେକ ପରେ ଅଷ୍ଟମ ହେନେରୀ କ୍ୟାଥାରାଇନ୍‌ଙ୍କୁ ବିବାହ କରିଥିଲେ । କ୍ୟାଥାରାଇନ୍‌ ବୟସରେ ହେନେରୀଙ୍କଠାରୁ ବଡ଼ ଥିଲେ । ଦେଖିବାକୁ ନିହାତି ସୁନ୍ଦରୀ ମଧ୍ୟ ସେ ନଥିଲେ । କିନ୍ତୁ ତଥାପି ପରସ୍ପର ପ୍ରତି ଅତି ଅନୁରକ୍ତ ସ୍ୱାମୀ ସ୍ତ୍ରୀ ହିସାବରେ ଦୁହେଁ କାଳାତିପାତ କରିଥିଲେ ।

 

କିନ୍ତୁ ୧୫୨୬ ଖ୍ରୀ:ରୁ ଏକ ବ୍ୟକ୍ତିଗତ ସମସ୍ୟା ଦୁହିଁଙ୍କ ମଧ୍ୟରେ ବିବାଦ ସୃଷ୍ଟି କଲା । ଦୀର୍ଘ ୧୮ ବର୍ଷର ବୈବାହିକ ସମ୍ପର୍କ ହେନେରୀଙ୍କୁ ପୁତ୍ରସନ୍ତାନ ଲାଭରୁ ବଞ୍ଚିତ କରିଥିଲା । କ୍ୟାଥାରାଇନ୍‌ଙ୍କର ୪ ଥର ପୁତ୍ରସନ୍ତାନ ଜନ୍ମ ହୋଇଥିଲେହେଁ ସେମାନେ ଜନ୍ମ ପରେ ପରେ ମରି ଯାଇଥିଲେ । ନିଜ ବିଧବା ଭାଉଜଙ୍କୁ ବିବାହ କରିଥିବାରୁ ଈଶ୍ୱରଙ୍କଦ୍ୱାରା ଏପରି ଅଭିଶପ୍ତ ହୋଇଛନ୍ତି ବୋଲି ହେନେରୀ ଭାବୁଥିଲେ । କ୍ୟାଥାରାଇନ୍‌ ସ୍ପେନ୍‌ର ରାଜକନ୍ୟା ହିସାବରେ ହେନେରୀଙ୍କର ଫ୍ରାନ୍‌ସ ପ୍ରୀତିକୁ ପସନ୍ଦ କରୁ ନଥିଲେ । ଫଳରେ ପରସ୍ପରର ପରସ୍ପର ପ୍ରତି ଅନାସକ୍ତି ଓ ଘୃଣା ବୃଦ୍ଧି ପାଉଥିଲା ।

 

ତତ୍କାଳୀନ ରାଜପରିବାର ଓ ଦରବାରରେ ଚାରିତ୍ରିକ ଆଦର୍ଶ ଉପରେ କେହି ବିଶେଷ ଜୋର ଦେଉ ନଥିଲେ । ଅଷ୍ଟମ ହେନେରୀଙ୍କର ଚାରିତ୍ରିକ ନିର୍ମଳତା ନଥିଲା । ସେ ଓ ତାଙ୍କର ଦରବାରର ସାମନ୍ତମାନେ ବିଶେଷ କାମାସକ୍ତ ଥିଲେ । ଏଲିଜାବେଥ୍‌ ବ୍ଳାଉଣ୍ଟ ନାମରେ ଜଣେ ରକ୍ଷିତା ସ୍ତ୍ରୀ ମଧ୍ୟ ରହିଥିଲେ । ଖ୍ରୀ: ୧୫୨୨ରେ ସାର୍‌ ଟମାସ୍‌ ବୋଲିନ୍‌ ନାମରେ ଜଣେ ସମ୍ଭ୍ରାନ୍ତବଂଶୀୟ ଲୋକ ହେନେରୀଙ୍କର ଦରବାରରେ ଯୋଗ ଦେଇଥିଲେ । ତାଙ୍କର ଏନ୍‌ ବୋଲିନ୍‌ ନାମରେ ଜଣେ ସୁନ୍ଦରୀ କନ୍ୟା ଥିଲେ । ହେନେରୀ ଏନ୍‌ ବୋଲିନ୍‌ଙ୍କ ପ୍ରତି ପ୍ରେମାସକ୍ତ ହେଲେ ଓ ବିବାହ କରିବା ସ୍ଥିର କଲେ । କିନ୍ତୁ ବିବାହ ପୂର୍ବରୁ କ୍ୟାଥାରାଇନ୍‌ଙ୍କୁ ପରିତ୍ୟାଗ କରିବା ନିହାତି ଆବଶ୍ୟକ ହେଲା । ଏହି ସମସ୍ୟାର ସମାଧାନ ପାଇଁ ହେନେରୀ ଓଲ୍‌ସିଙ୍କୁ ପୂରା ଦାୟିତ୍ୱ ଅର୍ପଣ କଲେ । ସମାଧାନର ପନ୍ଥା ମଧ୍ୟ ଜଟିଳ ନଥିଲା । କ୍ୟାଥାରାଇନ୍‌ ଜ୍ୟେଷ୍ଠଭ୍ରାତାଙ୍କର ବିଧବା ପତ୍ନୀ ହୋଇଥିବାରୁ ତାଙ୍କ ସହିତ ବିବାହ ନ୍ୟାୟସଙ୍ଗତ ନଥିଲା । କିନ୍ତୁ ପୋପ୍‌ଙ୍କର ଅନୁମତି ବଳରେହିଁ ସେ ବିବାହ ସମ୍ଭବ ଓ ସମ୍ପନ୍ନ ହୋଇଥିଲା । ତେଣୁ ଉକ୍ତ ବିବାହକୁ ଅସିଦ୍ଧ ବୋଲି ଘୋଷଣା କରିବା କେବଳ ପୋପ୍‌ଙ୍କ କ୍ଷମତାର ଅନ୍ତର୍ଭୁକ୍ତ ଥିଲା । ପ୍ରଭାବଶାଳୀ ପୋପ୍‌ ଯେ ଏହା ଅତି ଅନାୟାସରେ କରିପାରିବେ ଏହା ହେନେରୀ ହୃଦୟଙ୍ଗମ କରିଥିଲେ ।

 

କିନ୍ତୁ ଏ ବିବାହ ଉଚ୍ଛେଦ ପ୍ରସଙ୍ଗ ବଡ଼ ଜଟିଳ ଥିଲା । କ୍ୟାଥାରାଇନ୍‌ ଥିଲେ ସ୍ପେନ୍ ରାଜା ଚାର୍ଲସ୍‍ଙ୍କର ମାଉସୀ ଏବଂ ପୋପ୍‌ ଏଞ୍ଜେଲୋ ଦୁର୍ଗରେ ବନ୍ଦୀ ଥିବା କାଳରେ ତାଙ୍କର ଭବିଷ୍ୟତ ଓ ମୁକ୍ତି ଚାର୍ଲସ୍‌ଙ୍କ ଉପରେ ନିର୍ଭର କରୁଥିବାରୁ ପୋପ୍ ହେନେରୀଙ୍କ ଆବେଦନ ମଞ୍ଜୁର କରିପାରିଲେ ନାହିଁ । ଏପରି ମଞ୍ଜୁରିକୁ ଫ୍ରାନ୍‌ସ ମଧ୍ୟ ବିରୋଧ କରିଥାନ୍ତା । କାରଣ କ୍ୟାଥାରାଇନ୍‌ଙ୍କ କନ୍ୟା ମେରୀଙ୍କ ସହିତ ଫ୍ରାନ୍‌ସର ଯୁବରାଜଙ୍କ ନିର୍ବନ୍ଧ ହୋଇ ସାରିଥିଲା । ସ୍ୱାମୀଙ୍କଦ୍ୱାରା ପରିତ୍ୟକ୍ତା କ୍ୟାଥାରାଇନ୍‌ଙ୍କ କନ୍ୟାକୁ ଫ୍ରାନ୍‌ସ ଗ୍ରହଣ କରନ୍ତା ବା କିପରି ? ତା’ଛଡ଼ା କ୍ୟାଥାରାଇନ୍‌ଙ୍କର ଚରିତ୍ର ନିଷ୍କଳଙ୍କ ଥିଲା । ଲୋକେ ତାଙ୍କୁ ଖୁବ୍‌ ଶ୍ରଦ୍ଧା ଓ ଭକ୍ତି କରୁଥିଲେ । ବରଂ ଏନ୍‌ବୋଲିନ୍‌ଙ୍କର ବିବାହକୁ ଜନମତ ସମର୍ଥନ କରୁ ନଥିଲା । ଏପରି ପରିସ୍ଥିତିରେ ଓଲ୍‍ସି ବଡ଼ ଅଡ଼ୁଆରେ ପଡ଼ିଲେ । ସ୍ପେନ୍‌ ବା ଫ୍ରାନ୍‌ସ କେହି ତାଙ୍କୁ ସାହାଯ୍ୟ ଦେଲେ ନାହିଁ । ପୋପ୍‌ ମଧ୍ୟ ନିଷ୍ପତ୍ତି ଦେବାରେ ଜାଣିଶୁଣି ବିଳମ୍ବ କଲେ । ଏହି ବିଳମ୍ବରେ ହେନେରୀ କ୍ରୋଧାନ୍ୱିତ ହୋଇ ପୋପ୍‌ଙ୍କ ସହିତ ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ କରିବାକୁ ସ୍ଥିର କଲେ । ପୋପ୍‌ଙ୍କ କର୍ତ୍ତୃତ୍ୱକୁ ଅବଜ୍ଞା କଲେ ଓ ପୋପ୍‌ଙ୍କ ସହିତ ସମସ୍ତ ପ୍ରକାର ଧର୍ମସମ୍ପର୍କ ତୁଟାଇ ଦେଲେ ବ୍ୟକ୍ତି ବା ଦେଶ କାଥଲିକ୍‍ ହୋଇ ନ ରହି ପ୍ରୋଟେଷ୍ଟାଣ୍ଟ୍ ସଂପ୍ରଦାୟର ପଥ ଅନୁସରଣ କରିବେ । ଇଂଲଣ୍ତ ଓ ଅଷ୍ଟମ ହେନେରୀ ତେଣୁ ମାର୍ଟିନ ଲୁଥରଙ୍କର ପ୍ରଦର୍ଶିତ ମାର୍ଗର ପଥଚାରୀ ହେଲେ । ଇଂଲଣ୍ତରେ ଧର୍ମବିପ୍ଳବ ଆରମ୍ଭ ହେଲା ।

 

ଅଷ୍ଟମ ହେନେରୀଙ୍କର ଆତ୍ମାଭିମାନ ବିଶେଷ ମାତ୍ରାରେ ଥିବାରୁ ନିଜକୁ ଇଂଲଣ୍ତର ଏକମାତ୍ର ଅଧୀଶ୍ୱର ଓ ସମସ୍ତ ପ୍ରକାର କ୍ଷମତାର ଅଧିକାରୀ ବୋଲି ହୃଦୟଙ୍ଗମ କରିଥିଲେ । ବିଚରା ଏଲ୍‌ସି ‘ଛାଡ଼ପତ୍ର ସମସ୍ୟା’କୁ ପୋପ୍‌ଙ୍କର ନିଷ୍ପତ୍ତିପାଇଁ ରୋମକୁ ଆବେଦନ କରିଥିବା ଯୋଗୁଁ କାର୍ଯ୍ୟରୁ ବହିଷ୍କୃତ ହେଲେ । ତାଙ୍କ ବିରୁଦ୍ଧରେ ମୋକଦ୍ଦମା ଆଗତ କରିବାପାଇଁ ଓକିଲମାନଙ୍କୁ ପରାମର୍ଶ ଦିଆଗଲା । ଓଲ୍‌ସି ନିଜର ଦୋଷପାଇଁ କ୍ଷମା ପ୍ରାର୍ଥନା କରିଥିଲେ । କିନ୍ତୁ ହେନେରୀ ସେଥିରେ କର୍ଣ୍ଣପାତ କଲେ ନାହିଁ ଓଲ୍‌ସିଙ୍କର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ ହେଲା । ସେତିକିରେ ସନ୍ତୁଷ୍ଟ ନ ହୋଇ କ୍ରୋଧାନ୍ଧ ହେନେରୀ ତାଙ୍କୁ ଦେଶଦ୍ରୋହ ଅପରାଧରେ ଅଭିଯୁକ୍ତ କରି ବନ୍ଦୀ କଲେ । ଏହିପରି ଅପମାନିତ ଓ ଲାଞ୍ଛିତ ଅବସ୍ଥାରେ ବନ୍ଦିଶାଳାକୁ ନିଆଯାଉଥିବା କାଳରେ ଲିସେଷ୍ଟାରଠାରେ ୧୫୩୦ ଖ୍ରୀ:ରେ ଓଲ୍‍ସିଙ୍କର ମୃତ୍ୟୁ ଘଟିଥିଲା ।

 

କ୍ରୋଧାନ୍ୱିତ ହେନେରୀ ଧର୍ମକ୍ଷେତ୍ରରେ ଯେଉଁ ଧ୍ୱଂସର ଲୀଳା ଆରମ୍ଭ କରିଥିଲେ ତାହା ଖିଆଲି ରାଜନୈତିକ ମନୋବୃତ୍ତିଦ୍ୱାରା ପରିଚାଳିତ ହୋଇଥିଲା । ଇଂଲଣ୍ତରୁ ପୋପ୍‌ଙ୍କ କ୍ଷମତା ଓ ମର୍ଯ୍ୟାଦାକୁ ଧ୍ୱଂସ କରିବାପାଇଁ ସେ ଦୃଢ଼ପ୍ରତିଜ୍ଞ ଥିଲେ । ସେହି ଉଦ୍ଦେଶ୍ୟ ପୂରଣପାଇଁ ସେ ପ୍ରଥମେ ପାର୍ଲିଆମେଣ୍ଟ୍‍ର ବୈଠକ ଡକାଇଥିଲେ ଏବଂ ସାର୍‌ ଟମାସ୍‌ ମୁର୍‍ଙ୍କୁ ଓଲ୍‌ସିଙ୍କ ସ୍ଥାନରେ ପ୍ରଧାନ ବିଚାରପତି ପଦରେ ନିଯୁକ୍ତି ଦେଇଥିଲେ ।

 

ଫଳାଫଳ

 

ଖ୍ରୀ: ୧୫୨୯ରେ ଯେଉଁ ପାର୍ଲିଆମେଣ୍ଟ୍‍ର ସହଯୋଗ ପାଇ ଅଷ୍ଟମ ହେନେରୀ ପୋପ୍‌ଙ୍କ କ୍ଷମତା ଚୂର୍ଣ୍ଣ କରିଥିଲେ ତାକୁ ଇଂଲଣ୍ତ ଇତିହାସରେ ‘‘ଧର୍ମସଂସ୍କାର ପାର୍ଲିଆମେଣ୍ଟ୍’’ କୁହାଯାଏ । ଉକ୍ତ ପାର୍ଲିଆମେଣ୍ଟ୍‍ର ସଦସ୍ୟମାନେ ରାଜଭକ୍ତ ଥିବାରୁ ରାଜାଙ୍କର ଲକ୍ଷ୍ୟ ଚରିତାର୍ଥ କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ । ସେମାନେ ପ୍ରଥମେ ଧର୍ମଯାଜକ ଓ ଧର୍ମାନୁଷ୍ଠାନଗୁଡ଼ିକର ଆୟ ଉପରେ ଆକ୍ରମଣ ଆରମ୍ଭ କରିଥିଲେ । ତା’ ପୂର୍ବରୁ ନାନା ଉପାୟ ଅବଲମ୍ବନ କରି ଲୋକଙ୍କଠାରୁ ଅର୍ଥ ଶୋଷଣ କରାଯାଉଥିଲା । କେତେକ ଧର୍ମଯାଜକ କୃଷି ଓ ବାଣିଜ୍ୟ ବ୍ୟବସାୟରେ ବ୍ୟାପୃତ ରହି ଧନ ସଞ୍ଚୟ କରିଥିଲେ । ଆଉ କେତେକ ଆୟକାରୀ ସ୍ଥାନରେ ନିଯୁକ୍ତି ପାଇ ଲାଭବାନ ହୋଇଥିଲେ । ଆର୍ଥିକ ସ୍ୱଚ୍ଛଳତା ସେମାନଙ୍କୁ ବିଷୟାସକ୍ତ କରି ପଥଭ୍ରାନ୍ତ କରାଉଥିଲା । ଆଧ୍ୟାତ୍ମିକ ଉନ୍ନତିପାଇଁ ପ୍ରଚେଷ୍ଟା ଜୀବନର ମୁଖ୍ୟ ବସ୍ତୁ ନ ହୋଇ ପାର୍ଥିବ ଜଗତର ସୁଖ ସମ୍ଭୋଗରେ ସେମାନେ ଅଧିକ ଜଡ଼ିତ ରହୁଥିଲେ । ହେନେରୀଙ୍କ ଆଦେଶରେ ଧର୍ମଯାଜକମାନଙ୍କର ଏକାଧିକ ଆୟର ପନ୍ଥାକୁ ବନ୍ଦ କରି ଦିଆଗଲା । ଯେଉଁମାନେ ରାଜାଙ୍କ ଆଦେଶକୁ ଅବଜ୍ଞା କରି ପୋପ୍‌ଙ୍କ ନିର୍ଦ୍ଦେଶ ପାଳନ କଲେ ସେମାନଙ୍କୁ ରାଜଦ୍ରୋହ ଅପରାଧରେ ଅଭିଯୁକ୍ତ କରାଗଲା । ପ୍ରେମୁନାୟାର (Praemunire) ଆଇନ ବଳରେ ଓଲ୍‌ସିଙ୍କୁ ଦୋଷୀ ସାବ୍ୟସ୍ତ ହେବାର ଦେଖି ଅନ୍ୟ ଧର୍ମଯାଜକମାନେ ତ୍ରାହି ତ୍ରାହି ଡାକ ଛାଡ଼ିଲେ । କ୍ୟାଣ୍ଟରବ୍ୟାରୀର ସମାବର୍ତ୍ତନ ହେନେରୀଙ୍କୁ ଏକଲକ୍ଷ ପାଉଣ୍ତ ମୁଦ୍ରା ଭେଟି ଦେଇ ନିଜ ଧର୍ମଯାଜକମାନଙ୍କୁ ଦୋଷମୁକ୍ତ କରିଥିଲେ । ୟର୍କରୁ ସେହିପରି ୧୮ ହଜାର ପାଉଣ୍ତ ମୁଦ୍ରା ଉପହାର ମିଳିଥିଲା । ଆଇନ ଅନୁସାରେ ବିଦେଶୀ ପୋପ୍‌ ସାମାନ୍ୟ ଅନୁରକ୍ତି ପ୍ରକାଶ କଲେ ପ୍ରଜାସାଧାରଣ ମଧ୍ୟ ଉକ୍ତ ଦୋଷରେ ଦଣ୍ତିତ ହେବା କଥା । କିନ୍ତୁ ରାଜା ସେମାନଙ୍କୁ ଉଦାରତା ଗୁଣରେ କ୍ଷମା କଲେ ବୋଲି ପାର୍ଲିଆମେଣ୍ଟ୍‍ରେ ଘୋଷିତ ହୋଇଥିଲା ।

 

୧୫୩୨ ଖ୍ରୀ:ରେ ଧର୍ମସଂସ୍କାର ପାର୍ଲିଆମେଣ୍ଟ୍ ଆନ୍ନେଟ୍‌ସ୍‌ ଆଇନ (Act of Annates) ପାସ୍ କରିଥିଲେ । ଯାଜକମାନେ ନିଜର ପ୍ରଥମ ବାର୍ଷିକ ଆୟ ପୋପ୍‌ଙ୍କୁ କର ହିସାବରେ ଦେବା ନିୟମ ଥିଲା । ଆନ୍ନେଟ୍‌ସ୍‌ ଆଇନଫଳରେ ଉକ୍ତ କର ପୋପ୍‌ଙ୍କୁ ଦେବା ନିଷିଦ୍ଧ ହେଲା । ଯେଉଁମାନେ ଏହା ଅମାନ୍ୟ କରିବେ ସେମାନଙ୍କର ସ୍ଥାବର ଅସ୍ଥାବର ସମ୍ପତ୍ତି ସରକାର ବାଜ୍ୟାପ୍ତ କରିନେବେ ବୋଲି ଘୋଷଣା ପ୍ରକାଶ ପାଇଲା । ଉକ୍ତ କର ପୋପ୍‌ ପରିବର୍ତ୍ତେ ରାଜାଙ୍କୁ ଦେୟ ହେବ ବୋଲି ଆଦେଶ ଜାରି ହେଲା । ତେବେ ଏହି ଆଇନ ବଳବତ୍ତର କରିବାପାଇଁ ହେନେରୀ ଜାଣିଶୁଣି ବିଳମ୍ବ କରିଥିଲେ । କାରଣ ତାଙ୍କର ଆଶା ଥିଲା ଯେ କ୍ୟାଥାରାଇନ୍‌ଙ୍କୁ ପରିତ୍ୟାଗ କରିବାପାଇଁ ପୋପ୍‌ ଅନୁମତି ଦେଇଦେବେ । କିନ୍ତୁ ପୋପ୍‌ ଅନୁମତି ନ ଦେବାରୁ ଆନ୍ନେଟ୍‌ସ୍ ଆଇନ କାର୍ଯ୍ୟକାରୀ କରାଯାଇଥିଲା । ଇଂଲଣ୍ତରୁ ଆୟର ସମସ୍ତ ପନ୍ଥା ପୋପ୍‌ ଜାଣିଶୁଣି ହରାଇଲେ ।

 

ବିଶ୍ୱବିଦ୍ୟାଳୟଗୁଡ଼ିକରେ ସ୍ୱାଧୀନ ଚିନ୍ତାଧାରାର ବିକାଶ ହେଉଥିଲା ବୋଲି ହେନେରୀ ନିଜ ବିବାହ ସମ୍ପର୍କରେ ସେଠାକାର ମନୀଷୀମାନଙ୍କ ମତାମତ ଲୋଡ଼ିଥିଲେ ଏବଂ କେତେକ ବିଶିଷ୍ଟ ବ୍ୟକ୍ତି କ୍ୟାଥାରାଇନ୍‌ଙ୍କ ସହିତ ହେନେରୀଙ୍କ ବିବାହ ନ୍ୟାୟସଙ୍ଗତ ନଥିଲା ବୋଲି ମତ ପ୍ରକାଶ କଲେ । ତାହା ହେନେରୀଙ୍କୁ ଅନେକ ଆଶ୍ୱାସ ପ୍ରଦାନ କରିଥିଲା । ଅକ୍‌ସଫୋର୍ଡ଼ ଏବଂ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟ ରାଜାଙ୍କୁ ସମର୍ଥନ କରିଥିଲେ ।

 

ତା’ ଉପରେ ଭିତ୍ତିକରି ମୁଖ୍ୟ ଯାଜକ କ୍ରେନ୍‌ମାର୍‌ ହେନେରୀଙ୍କ ପ୍ରଥମ ବିବାହକୁ ଅସିଦ୍ଧ ଘୋଷଣା କରି ଏନ୍‌ବୋଲିନ୍‌ଙ୍କ ସହିତ ଶୁଭପରିଣୟ ଘରୋଇ ଭାବରେ ସମ୍ପନ୍ନ କରିଥିଲେ । ବିବାହ, ଛାଡ଼ପତ୍ର, ଦାନପତ୍ର ଆଦି କ୍ଷେତ୍ରରେ ରୋମକୁ କୌଣସି ବ୍ୟକ୍ତି ଅପିଲ କରିପାରିବ ନାହିଁ ବୋଲି ଆଦେଶ ଜାରି ହେଲା । ଇଂଲଣ୍ତରେ ସେ ସବୁର ବିଚାର ରାଜାଙ୍କ ତଦାରଖରେ ହେବ ବୋଲି ପାର୍ଲିଆମେଣ୍ଟ୍‍ ନିଷ୍ପତ୍ତି ଗ୍ରହଣ କଲା । ଏନ୍‌ବୋଲିନ୍‌ ରାଣୀ ହିସାବରେ ସର୍ବତ୍ର ସ୍ୱୀକୃତି ପାଇଥିଲେ । ଏହି ଦୃଢ଼ ପଦକ୍ଷେପ ନେବାରେ ହେନେରୀଙ୍କୁ ପାର୍ଲିଆମେଣ୍ଟ୍‍ ଯଥେଷ୍ଟ ସମର୍ଥନ ଦେଇଥିଲା । ସଦସ୍ୟମାନେ ପୋପ୍‌ଙ୍କୁ ପୋପ୍‌ ବୋଲି ସ୍ୱୀକାର ନ କରି ରୋମର ଧର୍ମଯାଜକ (Bishop) ରୂପେ ଅଭିହିତ କରିଥିଲେ । ଇଂଲଣ୍ତରୁ ପ୍ରେରିତ ହେଉଥିବା ସମସ୍ତ ପ୍ରକାର କର ବନ୍ଦ କରି ଦିଆଗଲା ଏବଂ ତା’ ସହିତ କ୍ୟାଥାରାଇନ୍‌ଙ୍କ କନ୍ୟା ମେରୀଙ୍କୁ ହେନେରୀଙ୍କ ଉତ୍ତରାଧିକାରୀଭାବେ ସ୍ୱୀକୃତି ଦିଆଯାଇ ନଥିଲା ।

 

ଧର୍ମସଂସ୍କାର ପାର୍ଲିଆମେଣ୍ଟ୍‍ ଏତାଦୃଶ ଆଇନ ପ୍ରଣୟନରେ ପୋପ୍‌ ବିଶେଷ କ୍ଷୁବ୍ଧ ହୋଇଥିଲେ । ଏନ୍‌ବୋଲିନ୍‌ ଏବଂ ହେନେରୀଙ୍କର ବିବାହକୁ ସେ ଅସିଦ୍ଧ ବୋଲି ପ୍ରକାଶ କରିବାକୁ ଇଂଲଣ୍ତର ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ପାର୍ଲିଆମେଣ୍ଟ୍‍ ପ୍ରାଧାନ୍ୟ ଆଇନ (Act of Supremacy) ପ୍ରଣୟନ କରି ଇଂଲଣ୍ତର ଧର୍ମକ୍ଷେତ୍ରରେ ରାଜାଙ୍କୁ ସର୍ବୋଚ୍ଚ ଆସନ ଓ ଅପାର କ୍ଷମତା ପ୍ରଦାନ କଲେ । ବୈଦେଶିକ ଆଧିପତ୍ୟକୁ ଅସ୍ୱୀକାର କରି ହେନେରୀଙ୍କୁ ଧର୍ମର ସର୍ବୋମୟ କର୍ତ୍ତାରୂପେ ସ୍ୱୀକାର କରିବାପାଇଁ ସମସ୍ତଙ୍କୁ ଆହ୍ୱାନ ଦିଆଗଲା । ଯେଉଁମାନେ ଏହି ଆଇନକୁ ଗ୍ରହଣ ନ କଲେ ସେମାନଙ୍କୁ କଠୋର ଦଣ୍ତ ଭୋଗ କରିବାକୁ ପଡ଼ିଥିଲା । ସାର୍‌ ଟମାସ୍‍ ମୁର୍‌ ଏବଂ ବିଶପ୍‌ ଫିସ୍‌ର୍‌ ଏଥିପାଇଁ କାରାଦଣ୍ତ ପାଇଥିଲେ । ଏତଦ୍‍ବ୍ୟତୀତ ଇଂଲଣ୍ତରେ ପ୍ରଚଳିତ ପୋପ୍‌ଙ୍କର ନାମୋଲ୍ଲେଖ ଥିବା ଉପାସନା ଓ ପ୍ରାର୍ଥନା ପୁସ୍ତିକାଗୁଡ଼ିକର ବ୍ୟବହାର ନିଷିଦ୍ଧ ହୋଇଥିଲା ।

 

ଖ୍ରୀଷ୍ଟିଆନ ମଠଗୁଡ଼ିକ କିପରି ଅନୀତି ଓ ଅପକୀର୍ତ୍ତିର କେନ୍ଦ୍ରସ୍ଥଳୀ ଥିଲା ତାହାର ପୁନରୁଲ୍ଲେଖ ନିଷ୍ପ୍ରୟୋଜନ । ସେଗୁଡ଼ିକ ସାଂସାରିକ ଭୋଗବିଳାସର ନିକେତନ ଥିଲେ ଓ ମଠାଧୀଶ ମହନ୍ତମାନେ ନାନା ଭାବରେ ଲୋକଙ୍କଠାରୁ ଅର୍ଥ ଶୋଷଣ କରୁଥିଲେ । ସେଗୁଡ଼ିକର ଅର୍ଥନୈତିକ ଅବସ୍ଥା ବେଶ୍ ସ୍ୱଚ୍ଛଳ ଥିବାରୁ ହେନେରୀଙ୍କର ଲୋଲୁପ ଦୃଷ୍ଟି ସେମାନେ ଏଡ଼ାଇ ପାରି ନଥିଲେ । ଯେଉଁ ମଠର ବାର୍ଷିକ ଆୟ ୨୦୦ ପାଉଣ୍ତରୁ ନ୍ୟୂନ ଥିଲା ସେଗୁଡ଼ିକର ସମ୍ପତ୍ତି ବାଜ୍ୟାପ୍ତ ହେବା ସଙ୍ଗେ ସଙ୍ଗେ ବିଲୋପ ସାଧନ ହୋଇଥିଲା । ଏପରି ମଠର ସାମାଜିକ ମୂଲ୍ୟ ପ୍ରାୟ କିଛି ନଥିଲା କହିଲେ ଚଳେ । ଯେଉଁ ମଠଗୁଡ଼ିକ ପୋପ୍‌ଙ୍କ ପ୍ରତିନିଧିଦ୍ୱାରା ପରିଚାଳିତ ହେଉଥିଲା ସେଗୁଡ଼ିକ ବର୍ତ୍ତମାନ ପ୍ରାଧାନ୍ୟ ଆଇନ ବଳରେ ରାଜାଙ୍କ ଶାସନାଧୀନ ହେଲା ।

 

ଏହିପରି ଭାବରେ ଇଂଲଣ୍ତରେ ଖ୍ରୀଷ୍ଟଧର୍ମ ଏକ ନୂତନ ଦିଗରେ ପରିଚାଳିତ ହୋଇଥିଲା-। ଏହା ବ୍ୟକ୍ତିଗତ କାରଣରୁ ଆରମ୍ଭ ହୋଇ ରାଜନୈତିକ ଉଦ୍ଦେଶ୍ୟ ସାଧନ କରିବା ସଙ୍ଗେ ସଙ୍ଗେ ଧର୍ମକ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ସୃଷ୍ଟି କରିଥିଲା । ରୋମକୁ ସବୁପ୍ରକାର ଆର୍ଥିକ ପ୍ରାପ୍ୟ ବନ୍ଦ କରିବାରେ ଆଉ ଏକ ଅର୍ଥନୈତିକ ଦୃଷ୍ଟିକୋଣ ମଧ୍ୟ ଉପଲବ୍ଧି କରାଯାଇଥାଏ-। ତେବେ ଏକଛତ୍ରବାଦୀ ରାଜତନ୍ତ୍ର ସରକାର ପ୍ରତିଷ୍ଠାରେ ଏହା ଯେ ସବୁମନ୍ତେ ସାହାଯ୍ୟ ଦେଇଥିଲା ଏକଥା ନିଃସନ୍ଦେହରେ କୁହାଯାଇପାରେ । ପୋପ୍‌ଙ୍କର ସବୁ କ୍ଷମତା ହସ୍ତଗତ କରି, ଖ୍ରୀଷ୍ଟିଆନ ଅନୁଷ୍ଠାନମାନଙ୍କର ସମ୍ପତ୍ତି ଉପରେ ପ୍ରଭୁତ୍ୱ ବିସ୍ତାର କରି, ଦେଶର ଯେକୌଣସ ଆଇନର ପ୍ରଚଳନ ଓ ରଦ୍ଦ କରିବା କ୍ଷମତା ହେନେରୀ ହାସଲ କରିଥିଲେ । ଏପରିକି ଉତ୍ତରାଧିକାରୀ ନିର୍ଣ୍ଣୟ କରିବାରେ ମଧ୍ୟ ସେ ଅଖଣ୍ତ ସ୍ୱାଧୀନତା ପାଇଥିଲେ । ଇଂଲଣ୍ତର ଧର୍ମବିପ୍ଳବ ତେଣୁ ଏକ ରାଜନୈତିକ ଆନ୍ଦୋଳନ କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ପରବର୍ତ୍ତୀ ଅବସ୍ଥା

 

ଇଂଲଣ୍ତର ଧର୍ମବିପ୍ଳବ ହେନେରୀଙ୍କର ଧର୍ମୋପଦେଷ୍ଟା ଟମାସ୍‌ କ୍ରମ୍‍ୱେଲ୍‍ଙ୍କଦ୍ୱାରା ବାସ୍ତବ କ୍ଷେତ୍ରରେ ରୂପାୟିତ ହୋଇଥିଲା । ଏକଛତ୍ରବାଦୀ ରାଜତନ୍ତ୍ର ସରକାର ପ୍ରତିଷ୍ଠା ଦିଗରେ ସେ ଆପ୍ରାଣ ଉଦ୍ୟମ କରିଥିଲେ । ପ୍ରାଧାନ୍ୟ ଆଇନ ସମକ୍ଷରେ ପ୍ରଚାର କରିବାପାଇଁ ସେ ପାଦ୍ରୀମାନଙ୍କୁ ବାଧ୍ୟ କରିଥିଲେ । ରାଜାଙ୍କ ବିନାନୁମତିରେ ଧର୍ମପ୍ରଚାର କରିବା ଦଣ୍ତନୀୟ ହେଉଥିଲା । ପ୍ରାଧାନ୍ୟ ଆଇନକୁ ଗ୍ରହଣ ନ କରିବାରୁ ଋଷିପ୍ରତିମ ସାର୍‌ ଟମାସ୍‌ ମୁର୍‌ ଏବଂ ଧର୍ମଯାଜକ ଫିସର୍‌ ମୃତ୍ୟୁଦଣ୍ତ ପାଇଥିଲେ । ମଠଗୁଡ଼ିକର ବିଲୋପ ସାଧନ ମଧ୍ୟ ଟମାସ୍‌ କ୍ରମ୍‍ୱେଲ୍‍ଙ୍କ ଯୋଜନା ଥିଲା । ପାର୍ଲିଆମେଣ୍ଟ୍‍ର ଆଦେଶ କାର୍ଯ୍ୟକାରୀ ହେବାରୁ ଉତ୍ତର ଇଂଲଣ୍ତରେ ୧୫୩୬ ଖ୍ରୀ:ରେ ଯେଉଁ ବିଦ୍ରୋହ ଆରମ୍ଭ ହୋଇଥିଲା ତାହା ‘‘ଦୟାର ତୀର୍ଥଯାତ୍ରା’’ (Pilgrimage of Grace) ବୋଲି ଇତିହାସରେ ବିଦିତ । ରବାର୍ଟ ଆସ୍କେ ଏହି ବିଦ୍ରୋହର ନେତୃତ୍ୱ ନେଇଥିଲେ । ବିଲୁପ୍ତ ମଠଗୁଡ଼ିକର ପୁନଃପ୍ରତିଷ୍ଠା ଓ କ୍ରମ୍‍ୱେଲ୍‍ଙ୍କୁ ନିର୍ବାସନ ଦଣ୍ତ ଦେବା ଥିଲା ବିଦ୍ରୋହୀମାନଙ୍କର ଦାବି । କେତେକ ମହନ୍ତ, ପାଦ୍ରୀ ଓ ସାମନ୍ତ ମଧ୍ୟ ସେ ବିଦ୍ରୋହରେ ଯୋଗ ଦେଇଥିଲେ । କ୍ରମ୍‍ୱେଲ୍‍ କିମ୍ବା ହେନେରୀ ଏଥିରେ ତିଳେମାତ୍ର ବିଚଳିତ ହୋଇ ନଥିଲେ । ଅତି ନିର୍ମମ ଭାବରେ ସେ ବିଦ୍ରୋହ ଦମନ କରିଥିଲେ । ଲର୍ଡ଼ ଡାର୍ସି ଲର୍ଡ଼ ହାସି ଏବଂ ଚାରୋଟି ବଡ଼ ମଠର ମହନ୍ତମାନଙ୍କୁ ଫାଶୀଦଣ୍ତ ଦିଆଯାଇଥିଲା ।

 

‘ଦୟାର ତୀର୍ଥଯାତ୍ରା’ ବିଦ୍ରୋହ ବିଫଳ ହେବାର ବିଷମୟ ପରିଣତି ଅନ୍ୟାନ୍ୟ ମଠଗୁଡ଼ିକ ଉପରେ ପଡ଼ିଥିଲା । ରାଜଦ୍ରୋହ କେତେକଙ୍କର ସମ୍ପତ୍ତି ସରକାର ବାଜ୍ୟାପ୍ତ କରିନେଲେ । ତହିଁରୁ ଲବ୍ଧ ଧନରେ ହେନେରୀ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଥିଲେ । କିନ୍ତୁ ଅଧିକାଂଶ ଅର୍ଥ ଓ ସମ୍ପତ୍ତି ରାଜା ଅନୁଚର ଓ ପରିଚରବର୍ଗଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ । ତା’ଦ୍ୱାରା ପ୍ରାୟ ୪୦,୦୦୦ ପରିବାର ଉପକୃତ ହୋଇ ପାରିଲେ । ମଠ ସମ୍ପତ୍ତି ଏହିପରି ବିକ୍ଷିପ୍ତ ଅବସ୍ଥାରେ ବହୁ ଲୋକଙ୍କ ହସ୍ତଗତ ହେବାଫଳରେ ମଠଗୁଡ଼ିକର ପୁନଃପ୍ରତିଷ୍ଠା ପରବର୍ତ୍ତିୀ କାଳରେ ସମ୍ଭବ ହୋଇ ନଥିଲା । ବୃହତ୍ ମଠର ଧ୍ୱଂସ ସାଧନ ଇଂଲଣ୍ତର ଅର୍ଥନୀତି ଉପରେ ଭଲ ପ୍ରଭାବ ପକାଇଥିଲା । ଜମିର ନୂଆ ମାଲିକମାନେ ଉନ୍ନତ ଧରଣର କୃଷିକାର୍ଯ୍ୟ କରିବାଦ୍ୱାରା କୃଷି ଲାଭଜନକ ଜୀବିକା ହୋଇଥିଲା । ଜୀବନଧାରଣର ମାନ ବୃଦ୍ଧି ପାଇଥିଲା । ମେଷପାଳନ ଓ ପଶମ ଉତ୍ପାଦନ ମଧ୍ୟ ମୁଖ୍ୟକର୍ମରୂପେ କେତେକ ଗ୍ରହଣ କରି ଅର୍ଥନୈତିକ କ୍ଷେତ୍ରରେ ସମୃଦ୍ଧ ହେଲେ ।

 

ଅଷ୍ଟମ ହେନେରୀଙ୍କ ସମୟରେ ବାଇବେଲକୁ ଇଂରାଜୀ ଭାଷାରେ ଅନୁବାଦ କରିବାପାଇଁ ଏକ ଦୃଢ଼ ପଦକ୍ଷେପ ନିଆଯାଇଥିଲା । ଟାଇଣ୍ତେଲ୍‌ (Tyndale)ଙ୍କ ଦ୍ୱାରା ଅନୁବାଦିତ ବାଇବେଲ ବିଦେଶରେ ମୁଦ୍ରିତ ହୋଇ ଇଂଲଣ୍ତକୁ ଅଣାଯାଉଥିଲା । ତାହା ଅସମ୍ପୂର୍ଣ୍ଣ ଥିବାରୁ କ୍ରମ୍‌ୱେଲ୍‍ଙ୍କ ପ୍ରେରଣାରେ ମାଇଲ୍‌ସ କଭରଡ଼େଲ୍‌ (Miles Coverdale) ବାଇବେଲର ଏକ ନୂତନ ଇଂରାଜୀ ଅନୁବାଦ ପ୍ରକାଶ କରିଥିଲେ । ୧୫୩୭ ଖ୍ରୀ:ରେ ରୋଜାର୍ସ ନାମକ ଆଉ ଜଣେ ଅନୁବାଦକଙ୍କଦ୍ୱାରା ବାଇବେଲର ନୂତନ ଇଂରାଜୀ ସଂସ୍କରଣ ପ୍ରକାଶିତ ହୋଇଥିଲା । ଏହି ବାଇବେଲ ଇଂଲଣ୍ଡର ଗିର୍ଜାମାନଙ୍କରେ ବ୍ୟବହୃତ ହେଉଥିଲା । ଜନସାଧାରଣ ମଧ୍ୟ ଏହି ବାଇବେଲକୁ ଘରୋଇ ଉପାସନାରେ ବ୍ୟବହୃତ ହେଉଥିଲା । ଜନସାଧାରଣ ମଧ୍ୟ ଏହି ବାଇବେଲକୁ ଘରୋଇ ଉପାସନାରେ ବ୍ୟବହାର କରୁଥିଲେ । ଏହାକୁ ତେଣୁ ‘ମହାନ୍‌ ବାଇବେଲ’ କୁହାଯାଉଥିଲା । ଖ୍ରୀ: ୧୫୪୫ ରୁ ଗିର୍ଜାଗୁଡ଼ିକରେ ପ୍ରାର୍ଥନା ଓ ଉପାସନା ଲାଟିନ୍‌ ଭାଷାରେ ନ ହୋଇ ଇଂରାଜୀ ଭାଷାରେ ହେବାଦ୍ୱାରା ଆଉ ଏକ ବୈପ୍ଳବିକ ପରିବର୍ତ୍ତନ ସମାଜରେ ପରିଲକ୍ଷିତ ହୋଇଥିଲା । ତେବେ ଖ୍ରୀଷ୍ଟଧର୍ମର ପ୍ରାଚୀନ ପଦ୍ଧତିକୁ ହେନେରୀ ପରିହାର କରି ନଥିଲେ । ଇଂଲଣ୍ତର ପୋପ୍‌ଙ୍କ ପ୍ରାଧାନ୍ୟକୁ ଲୋପ କରି, ରୋମ ସହିତ ସମସ୍ତ ଧର୍ମ ସମ୍ପର୍କ ଛିନ୍ନ କରି ମଧ୍ୟ ହେନେରୀ ଭାବୁଥିଲେ ଯେ ସେ ପ୍ରାଚୀନ ଧର୍ମମତର ସପକ୍ଷରେ ଅଛନ୍ତି । ଜୀବନର ଅନ୍ତିମ ସମୟ ପର୍ଯ୍ୟନ୍ତ ସେ ନିଜକୁ କାଥଲିକ୍‌ ବୋଲି ବିଶ୍ୱାସ କରୁଥିଲେ । ତେଣୁ ଧର୍ମବିପ୍ଳବର ସ୍ରୋତକୁ ରୋକିବାପାଇଁ, ଖ୍ରୀଷ୍ଟଧର୍ମର ପ୍ରାଚୀନତ୍ୱକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ ନ କରିବାପାଇଁ ସେ ଛ’ଦଫା ସମ୍ବଳିତ ଆଇନ (The Six Articles) ପ୍ରଣୟନ କରିଥିଲେ । ଏଥିରେ ଖ୍ରୀଷ୍ଟଧର୍ମର ପ୍ରାଚୀନ ପରମ୍ପରାର ସୁରକ୍ଷା କରାଯାଇଥିଲା ।

 

ପରିଶିଷ୍ଟ

 

ଅଷ୍ଟମ ହେନେରୀଙ୍କର ଶେଷ କେତେ ବର୍ଷ ବିଷାଦମୟ ଥିଲା । ଯେଉଁ ପୁତ୍ରସନ୍ତାନ ଆଶାରେ ସେ ଏନ୍‌ବୋଲିନଙ୍କୁ ବିବାହ କରିଥିଲେ ତାହା ଫଳବତୀ ହୋଇ ନଥିଲା । ଏନ୍‌ବୋଲିନଙ୍କ ଗର୍ଭରୁ କନ୍ୟା ଏଲିଜାବେଥ୍‌ ଜନ୍ମ ଲାଭ କରିଥିଲେ । ଏନ୍‌ବୋଲିନଙ୍କ ପୁତ୍ରସନ୍ତାନମାନେ ନ ବଞ୍ଚିବାରୁ କ୍ରୋଧାନ୍ୱିତ ହେନେରୀ ତାଙ୍କୁ ବନ୍ଦୀ କରି ମୃତ୍ୟୁଦଣ୍ତ ଦେଇଥିଲେ । ୧୫୩୬ ଖ୍ରୀ:ରେ ହେନେରୀ ଜେନ୍‌ ସିମୁର୍‌ଙ୍କୁ ତୃତୀୟ ପତ୍ନୀରୂପେ ଗ୍ରହଣ କରିଥିଲେ ଓ ତାଙ୍କରି ଗର୍ଭରୁ ପୁତ୍ର ଷଷ୍ଠ ଏଡ଼୍‌ୱାର୍ଡ଼ ଜନ୍ମଗ୍ରହଣ କରିଥିଲେ । ଏକମାତ୍ର ପୁତ୍ର ଏଡ଼୍‌ୱାର୍ଡ଼ ଯେ ଟିଉଡ଼ର୍ ସିଂହାସନର ଭାବୀ ଉତ୍ତରାଧିକାରୀ ଏହା କାହାକୁ ଅଛପା ନଥିଲା । ଜେନ୍‌ ସିମୁର୍‌ ପୁତ୍ର ପ୍ରସବର ମାତ୍ର ୧୦ ଦିନ ପରେ ଇହଲୀଳା ତ୍ୟାଗ କରିଥିଲେ । ପରବର୍ତ୍ତୀ କେତେ ବର୍ଷ ହେନେରୀ ଏନ୍‌ ଅଫ୍‌ କ୍ଳିଭ୍‌ସ, କ୍ୟାଥାରାଇନ୍‌ ହାୱାର୍ଡ଼ ଏବଂ କ୍ୟାଥାରାଇନ୍‌ ପାର୍‌ ନାମକ ରାଜକୁମାରୀମାନଙ୍କୁ ବିବାହ କରିଥିଲେହେଁ ତାଙ୍କର ପାରିବାରିକ ଜୀବନ ମଧୁମୟ ହୋଇ ନଥିଲା ।

 

ଖ୍ରୀ: ୧୫୪୬ ଜାନୁୟାରୀ ମାସ ୨୮ ତାରିଖରେ ହେନେରୀ ପରଲୋକ ଗମନ କରିଥିଲେ । ଦୀର୍ଘ ୩୭ ବର୍ଷ ରାଜତ୍ୱ କାଳରେ ସେ ଇଂଲଣ୍ତକୁ ଶାନ୍ତି ଓ ସମୃଦ୍ଧିର ସୋପାନ ମଧ୍ୟ ଦେଇ ଗତି କରାଇପାରିଥିଲେ । ରକ୍ତପାତ ତାଙ୍କ ସମୟରେ ଘଟିଥିଲା ସତ, କିନ୍ତୁ ଗୋଲାପଯୁଦ୍ଧ କାଳର ରକ୍ତପାତ ଓ ବିଶୃଙ୍ଖଳା ତୁଳନାରେ ତାହା କିଛି ନଥିଲା । ଇଂରେଜମାନେ ଅଷ୍ଟମ ହେନେରୀଙ୍କୁ ଶ୍ରଦ୍ଧା ଓ ଭକ୍ତି କରୁଥିଲେ । ସେ ମଧ୍ୟ ପ୍ରଜାମାନଙ୍କ ମନକଥା ବୁଝିପାରିଲା ଭଳି କାମ ସବୁ କରୁଥିଲେ । ଶାସକ ଓ ଶାସିତମାନଙ୍କ ମଧ୍ୟରେ ଯେଉଁ ସହଯୋଗ ଓ ସଦ୍‍ଭାବ ଥିଲା ତାହା ଇଂଲଣ୍ଡ ଇତିହାସରେ ଆଉ କେବେ ଅନୁଭୂତ ହୋଇ ନାହିଁ । ତାଙ୍କର ଜନପ୍ରିୟତା ଓ ପ୍ରଜାବତ୍ସଳତା ଯଥାର୍ଥରେ ତାଙ୍କୁ ‘ଜାତୀୟ ରାଜା’ ବୋଲି ଅଭିହିତ କରିପାରିଥିଲା ।

Image

 

ତୃତୀୟ ଅଧ୍ୟାୟ

ଷଷ୍ଠ ଏଡ଼୍‍ୱାଡ଼ (ଖ୍ରୀ: ୧୫୪୬ ରୁ ଖ୍ରୀ: ୧୫୫୨)

 

ପିତାଙ୍କ ମୃତ୍ୟୁ ସମୟରେ ଷଷ୍ଠ ଏଡ଼୍‌ୱାର୍ଡ଼ ନାବାଳକ ଥିଲେ । କିନ୍ତୁ ଅଷ୍ଟମ ହେନେରୀଙ୍କର ଇଚ୍ଛାପତ୍ର ଅନୁସାରେ ଉତ୍ତରାଧିକାରୀ ଭାବରେ ତାଙ୍କର ସ୍ଥାନ ପ୍ରଥମ, କ୍ୟାଥାରାଇନ୍‌ଙ୍କ କନ୍ୟା ମେରୀ ଦ୍ୱିତୀୟ ଓ ଏନ୍‌ବୋଲିନଙ୍କ କନ୍ୟା ଏଲିଜାବେଥ୍‌ଙ୍କୁ ତୃତୀୟ ସ୍ଥାନ ଦିଆଯାଇଥିଲା । ଏଡ଼୍‌ୱାର୍ଡ଼ଙ୍କର ରୁଗ୍‌ଣ ସ୍ୱାସ୍ଥ୍ୟ, ମେରୀ ଓ ଏଲିଜାବେଥ୍‌ଙ୍କର ଅନିଶ୍ଚିତ ଭବିଷ୍ୟତ କଥା ଚିନ୍ତା କରି ଅଷ୍ଟମ ହେନେରୀ ଟିଉଡ଼ର୍‍ ରାଜବଂଶର ସ୍ଥାୟିତ୍ୱ ବିଷୟରେ ଚିନ୍ତିତ ଥିଲେ । ଏଡ଼୍‍ୱାର୍ଡ଼, ମେରୀ ଇତ୍ୟାଦିଙ୍କର ଅକାଳ ମୃତ୍ୟୁରେ ଉତ୍ତରାଧିକାରୀ ନିର୍ଣ୍ଣୟପାଇଁ ସମସ୍ୟା ଉପୁଜି ପାରେ ଏହି ଆଶଙ୍କା ଓ ଦୂରଦୃଷ୍ଟି ତାଙ୍କର ଥିଲା । ସେଥିପାଇଁ ନାବାଳକ ପୁତ୍ରଙ୍କର ରାଜତ୍ୱରେ ପ୍ରଶାସନିକ ଅସୁବିଧା ଦୂର କରିବାପାଇଁ ସେ ମୃତ୍ୟୁ ପୂର୍ବରୁ ଏକ ତତ୍ତ୍ୱାଧାରକ ପରିଷଦ (Council of Regency) ଗଢ଼ି ଯାଇଥିଲେ । ସେହି ପରିଷଦକୁ ଶାସନ ଓ ଧର୍ମ ପରିଚାଳନା କରିବା ବ୍ୟତୀତ ଶାସନ ଓ ଧର୍ମ ବିଷାୟକ ନୂତନ ପରିବର୍ତ୍ତନ ପ୍ରବର୍ତ୍ତନ ନକରି ସ୍ଥିତାବସ୍ଥା ବଜାୟ ରଖିବାର ନିର୍ଦ୍ଦେଶ ମଧ୍ୟ ସେ ଦେଇଯାଇଥିଲେ ।

 

ହେନେରୀ ଜାନୁୟାରୀ ମାସ ୨୮ ତାରିଖ ସକାଳେ ପ୍ରାଣତ୍ୟାଗ କରିଥିଲେହେଁ ୩୧ ତାରିଖ ପର୍ଯ୍ୟନ୍ତ ସେ ସମ୍ବାଦ ବାହାରକୁ ପ୍ରକାଶ କରାଯାଇ ନଥିଲା ଏବଂ ସେହି ଅଳ୍ପ ସମୟ ମଧ୍ୟରେ ଏଡ଼୍‌ୱାର୍ଡ଼ଙ୍କର ମାତୁଳ ସିମୁର୍‌ ତତ୍ତ୍ୱାବଧାରକ ପରିଷଦର ଅର୍ଦ୍ଧାଧିକ ସଭ୍ୟଙ୍କର ସମର୍ଥନରେ ନିଜକୁ ‘‘ରାଜ୍ୟର ସର୍ବଶ୍ରେଷ୍ଠ ସୁରକ୍ଷକ’’ (Lord Protector of the Realm) ରୂପେ ଘୋଷଣା କରିଥିଲେ । ନିଜକୁ ସମର୍‍ସେଟ୍‌ର ଉପରାଜା (Duke) ବୋଲି ଅଭିହିତ କରି ଅନ୍ୟାନ୍ୟ ଜ୍ଞାତିବର୍ଗଙ୍କୁ ମଧ୍ୟ ନାନା ଉପାଧି ଓ ପଦବୀରେ ଭୂଷିତ କରିଥିଲେ ।

 

ତତ୍ତ୍ୱାବଧାରକ ସିମୁର୍‌ ସମର୍‍ସେଟ୍‌

 

ଖ୍ରୀ: ୧୫୦୦ରେ ସାର୍‌ ଜନ୍‌ ସିମୁରଙ୍କର ଜ୍ୟେଷ୍ଠପୁତ୍ର ଭାବର ସେ ଜନ୍ମଗ୍ରହଣ କରିଥିଲେ । ଅଷ୍ଟମ ହେନେରୀଙ୍କର ଶାଳକ ହିସାବରେ ସେ ନାନା ପଦବୀରେ ଅଧ୍ୟୁଷିତ ହୋଇଥିଲେ । ସାମରୀକ ଦାୟିତ୍ୱରେ ସେ ସ୍କଟ୍‍ଲ୍ୟାଣ୍ତକୁ ୧୫୪୪ ଖ୍ରୀ:ରେ ଆକ୍ରମଣ କରିଥିଲେ । ସେଠାରୁ ଫ୍ରାନ୍‌ସର ବୋଲୋନ୍‌ ଅଞ୍ଚଳକୁ ଅଭିଯାନରେ ଯାଇଥିଲେ । ହେନେରୀଙ୍କ ମୃତ୍ୟୁକାଳରେ ସମର୍‍ସେଟ୍‌ ତାଙ୍କ ପାଖରେହିଁ ଥିଲେ ଓ ମୃତ୍ୟୁ ପରେ ତତ୍ତ୍ୱାବଧାରକ ପରିଷଦର ପ୍ରଭାବଶାଳୀ ସଭ୍ୟ ହିସାବରେ ସେ ନିଜକୁ ‘ଶ୍ରେଷ୍ଠ ସୁରକ୍ଷକ’ (Lord Protector) ରୂପେ ନିର୍ବାଚିତ କରାଇପାରିଥିଲେ ।

 

୧୫୪୭ ଖ୍ରୀ:ରୁ ୧୫୫୧ ଖ୍ରୀ: ପର୍ଯ୍ୟନ୍ତ ସମର୍‍ସେଟ୍‌ହିଁ ଥିଲେ ଇଂଲଣ୍ତର ପ୍ରକୃତ ଶାସକ । ଏଡ଼୍‌ୱାର୍ଡ଼ଙ୍କ ନାମରେ ସେ ଶାସନକଳକୁ ପୂରାପୂରି ପରିଚାଳିତ କରୁଥିଲେ । ତାଙ୍କ ସମୟରେ ଇଂଲଣ୍ତର ବହୁଗୁଡ଼ିଏ ଗୁରୁତର ସମସ୍ୟା ମୁଣ୍ତ ଟେକି ଉଠିଥିଲା । ପ୍ରଥମତଃ ଧର୍ମ କ୍ଷେତ୍ରରେ ସମାଜର ଗୋଟିଏ ସଂପ୍ରଦାୟ ଆଉ ବେଶୀ ସଂସ୍କାର ପ୍ରବର୍ତ୍ତନ ପାଇଁ ଚାପ ଦେଉଥିଲେ-। କିନ୍ତୁ ଏହି ସଂପ୍ରଦାୟର ସଂଖ୍ୟାଗରିଷ୍ଠତା ନଥିଲା । ଯେଉଁମାନେ ପ୍ରୋଟେଷ୍ଟାଣ୍ଟ୍ ଧର୍ମକୁ ପରିଷ୍କାର ଭାବରେ ପ୍ରଚଳିତ କରିବା ଦାବି ଉପସ୍ଥାପିତ କରୁଥିଲେ ସେମାନଙ୍କ ମଧ୍ୟରେ ନିଷ୍ଠାପରତାର ଅଭାବ ମଧ୍ୟ ପରିଲକ୍ଷିତ ହୋଇଥିଲା । କିନ୍ତୁ ଦେଶର ଅଧିକାଂଶ ଲୋକ ପାରମ୍ପରିକ ଧର୍ମୋପାସନାକୁ ପସନ୍ଦ କରୁଥିବାରୁ ଧର୍ମରେ ଅଧିକ ହସ୍ତକ୍ଷେପ ବା ପରିବର୍ତ୍ତନକୁ ସହ୍ୟ କରୁ ନଥିଲେ । ଦ୍ୱିତୀୟରେ ଏକ ଆର୍ଥିକ ଦୁରବସ୍ଥା ଏ ସମୟରେ ସୃଷ୍ଟ ହୋଇଥିଲା । ନୂତନ ପ୍ରଣାଳୀରେ ଚାଷକାର୍ଯ୍ୟ ହେବାରୁ ବେକାରି ସମସ୍ୟା ବୃଦ୍ଧି ପାଇଥିଲା । ମଠଗୁଡ଼ିକ ଚାଷ ଜମି ଯେଉଁ କୃଷକମାନଙ୍କ ମଧ୍ୟରେ ବାଣ୍ଟି ଦିଆଗଲା ସେମାନେ ଅଧିକ କର୍ମଠ ଓ ପ୍ରଗତିବାଦୀ ଥିବାରୁ ଇଂଲଣ୍ତରେ ଏକ ନୂତନ କୃଷକ ସମ୍ପ୍ରଦାୟ ଓ କୃଷି ପଦ୍ଧତି ଗଢ଼ି ଉଠିଥିଲା । ସମାଜରେ ବେକାରମାନଙ୍କୁ ଅନ୍ନବସ୍ତ୍ର ଯୋଗାଇବା ପାଇଁ କୌଣସି ହିତକାରୀ ଅନୁଷ୍ଠାନ ଆଉ ନଥିଲା-। ହେନେରୀଙ୍କ ସମୟରେ ଦେଖା ଦେଇଥିବା ମୁଦ୍ରାସ୍ଫୀତି ବର୍ତ୍ତମାନ ଶିଲିଂର ମୂଲ୍ୟକୁ ୬ ପେନ୍‌ସବୁ କମାଇ ଦେଇ ଅବସ୍ଥାକୁ ଆହୁରି ଜଟିଳତର କରିଥିଲା ।

 

ସମର୍‍ସେଟ୍‌ ତେଣୁ ଧର୍ମ କ୍ଷେତ୍ରରେ, କୃଷକ ସମାଜରେ ଓ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ମହାବିଭ୍ରାଟର ସୂଚନା ପାଇଥିଲେ ଏବଂ ସେ ସମସ୍ୟାଗୁଡ଼ିକର ସମାଧାନ କରିବା ତାଙ୍କ ପକ୍ଷେ ସମ୍ଭବ ନଥିଲା । ଧର୍ମବିଷୟକ ସମସ୍ୟାର ପ୍ରତିକାର କରିବାକୁ ଯାଇ ସେ ପୂରା ଅବିବେକୀ ପରି କାମ କରିଥିଲେ । ଜନସାଧାରଣ ପ୍ରକୃତରେ ଅଧିକ ପରିବର୍ତ୍ତନ ଚାହାନ୍ତି ବୋଲି ଭାବି ସେ ସମବେତ ପ୍ରାର୍ଥନା ଓ ଲାଟିନ୍‍ ଭାଷାରେ ଉପାସନା କରିବା ନିଷେଧ କରିଥିଲେ । ଇଂରାଜୀ ଭାଷାରେ ପ୍ରଥମ ପ୍ରାର୍ଥନା ପୁସ୍ତକ ମୁଖ୍ୟ ଧର୍ମଯାଜକ କ୍ରେନ୍‌ମାର୍‌ ସଂକଳନ କରିଥିଲେ । ଗିର୍ଜାଗୁଡ଼ିକରେ ଥିବା ତୈଳଚିତ୍ର ଓ ପ୍ରତିମୂର୍ତ୍ତିଗୁଡ଼ିକ ପ୍ରାଚୀନ ମତବାଦର ପ୍ରତୀକ ବୋଲି ମନେ କରି ସେଗୁଡ଼ିକ ନଷ୍ଟ କରିବାପାଇଁ ସମର୍‍ସେଟ୍‌ କେତେଜଣ କର୍ମଚାରୀ ନିଯୁକ୍ତ କରିଥିଲେ । ଏମାନେ ଅତ୍ୟନ୍ତ ବର୍ବରୋଚିତ ଆଚରଣ ଦେଖାଇ ପ୍ରାଚୀନ କୀର୍ତ୍ତିଗୁଡ଼ିକୁ ଧ୍ୱଂସ କଲାରୁ ମରହଟ୍ଟିଆ ଲୋକେ ବିଶେଷ କ୍ଷୁବ୍ଧ ହୋଇଥିଲେ । ଶତ ଶତ ବର୍ଷ ଧରି ଏବଂ ପୁରୁଷାନୁକ୍ରମିକ ଭାବରେ ଧର୍ମପ୍ରାଣ ଇଂରେଜମାନେ ନିଜ ନିଜର ମନର ଭାବନା ଓ ବେଦନାକୁ ଯେଉଁ ତୈଳଚିତ୍ର ବା ପ୍ରତିମୂର୍ତ୍ତି ସମ୍ମୁଖରେ ଗୋପନରେ ଏବଂ ପ୍ରତ୍ୟକ୍ଷରେ ପ୍ରକାଶ କରୁଥିଲେ ତାହା ସମର୍‍ସେଟ୍‌ଙ୍କ ଆଦେଶରେ ଧ୍ୱଂସ ହେବାଦ୍ୱାରା ଜନସାଧାରଣଙ୍କ ମନରେ ତାଙ୍କ ପ୍ରତି ଘୃଣାଭାବ ବୃଦ୍ଧି ପାଇଥିଲା ।

 

ସେ ସମୟରେ ପୁଣି ପ୍ରତ୍ୟେକ ସହରରେ ଲୋକମାନେ କେତେଗୁଡ଼ିଏ ସଂଘ ବା ମଣ୍ତଳି (Guild) ଗଢ଼ିଥାନ୍ତି । ସହରର ବାଣିଜ୍ୟ ବ୍ୟବସାୟକୁ ନିୟନ୍ତ୍ରଣ କରିବା, ଦରଦାମ୍‍ ସ୍ଥିର ରଖିବା, ଯାତ୍ରା ଉତ୍ସବ ସଂଗଠନ କରିବା, ରୁଗ୍‌ଣ ଓ ଦୁର୍ଦ୍ଦଶାଗ୍ରସ୍ତ ଶ୍ରମିକମାନଙ୍କୁ ସାହାଯ୍ୟ କରିବା, କାରିଗରମାନଙ୍କୁ ଯନ୍ତ୍ରପାତି ଯୋଗାଡ଼ କରିଦେବା ଆଦି ନାନା ଲୋକହିତକର, ସାମାଜିକ, ଓ ଅର୍ଥନୈତିକ କାର୍ଯ୍ୟରେ ସଂଘଗୁଡ଼ିକ ବ୍ୟସ୍ତ ଥିଲେ । ଏପରିକି ପିତୃମାତୃହୀନ ଅନାଥ ବାଳକବାଳିକାଙ୍କୁ ଶିକ୍ଷାଦେବା, ବିଧବା ସ୍ତ୍ରୀର ଯତ୍ନ ନେବା ମଧ୍ୟ ସଂଘମାନେ ଆଗ୍ରହ ସହକାରେ ତୁଲାଉଥିଲେ । ତେଣୁ ମୁକ୍ତହସ୍ତରେ ଲୋକମାନେ ସଂଘ ହସ୍ତରେ ଅର୍ଥ ଓ ସମ୍ପତ୍ତି ଦାନ କରୁଥିବାରୁ କାଳକ୍ରମେ ସେଗୁଡ଼ିକ ସମ୍ପତ୍ତିଶାଳୀ ହୋଇ ଉଠିଲେ । ସେମାନଙ୍କର ଧନ ସମ୍ପତ୍ତି ଉପରେ ସମର୍‍ସେଟ୍‌ଙ୍କର ଲୋଲୁପ ଦୃଷ୍ଟି ପଡ଼ିଥିଲା । ଆଇନଦ୍ୱାରା ସେ ସମ୍ପତ୍ତିକୁ ସମର୍‍ସେଟ୍ ବାଜ୍ୟାପ୍ତ କରି ନେଇଥିଲେ । ଏହାଦ୍ୱାରା ଜନସାଧାରଣ ବିଚଳିତ ହୋଇ ଉଠିଲେ । ସର୍ବସାଧାରଣଙ୍କ ସମ୍ପତ୍ତି ଉପରେ ସରକାରଙ୍କ ହସ୍ତକ୍ଷେପ ବରଦାସ୍ତ କରିବା ସମ୍ଭବ ହେଲା ନାହିଁ । ପୁନଶ୍ଚ ଏହି ଆଇନ କାର୍ଯ୍ୟକାରୀ କରିବାରେ ସମର୍‍ସେଟ୍‌ ପକ୍ଷପାତ ନୀତି ଅବଲମ୍ବନ କରିବାଫଳରେ ପରିଣତି ବିଷମ ହୋଇଥିଲା । ଲଣ୍ତନ ସହରରେ ଥିବା ସଂଘଗୁଡ଼ିକର ସମ୍ପତ୍ତି ସେ ବାଜ୍ୟାପ୍ତ କରି ନଥିଲେ । ବରଂ ସେମାନଙ୍କର ସୁରକ୍ଷାପାଇଁ ଆଦେଶ ଦେଇଥିଲେ । ତେଣୁ ବିଦ୍ରୋହ ଅବଶ୍ୟମ୍ଭାବୀ ହୋଇଥିଲା । ତାଙ୍କର ନିଜ ଭାଇ ଲର୍ଡ଼ ସିମୁର୍‌ ଏହି ବିଦ୍ରୋହର ନେତୃତ୍ୱ ନେଇଥିଲେ । ଏହି ବିଦ୍ରୋହ ଅନାୟାସରେ ଦମନ ହୋଇଥିଲା ସତ୍ୟ କିନ୍ତୁ ସମର୍‍ସେଟ୍‌ ସେଥିରୁ କୌଣସି ଶିକ୍ଷାଲାଭ କରି ନ ପାରିବା ବଡ଼ କ୍ଷୋଭର ବିଷୟ ଥିଲା ।

 

ସମର୍‍ସେଟ୍‌ଙ୍କର ଅବିବେକିତା ପାଇଁ ଇଂଲଣ୍ତର ପୂର୍ବାଞ୍ଚଳ ଓ ପଶ୍ଚିମାଞ୍ଚଳରେ ଦୁଇଟି ବିଦ୍ରୋହ ତେଜି ଉଠିଥିଲା । ପୂର୍ବାଞ୍ଚଳର ଅଧିବାସୀମାନେ ସାଧାରଣତଃ ବ୍ୟବସାୟୀ, ଶ୍ରମିକ ଓ ପ୍ରୋଟେଷ୍ଟାଣ୍ଟ୍ । ମୁଦ୍ରାସ୍ଫୀତି ଓ ବେକାର ସମସ୍ୟା ସେମାନଙ୍କର ବିଦ୍ରୋହର ମୂଳକାରଣ ଥିଲା । ପଶ୍ଚିମାଞ୍ଚଳରେ କିନ୍ତୁ କାଥଲିକ୍‍ ସଂପ୍ରଦାୟର ଲୋକେ ଇଂରେଜୀ ଭାଷାରେ ପ୍ରଥମ ପ୍ରାର୍ଥନା ପୁସ୍ତକ ବ୍ୟବହୃତ ହେବାଦ୍ୱାରା କ୍ଷୁବ୍ଧ ହୋଇ ବିଦ୍ରୋହ କରିଥିଲେ । ଖ୍ରୀ: ୧୫୪୯ରେ ପ୍ରାୟ ଦଶ ହଜାର ବିଦ୍ରୋହୀ ପୋମେରୟ ଏବଂ ଅରୁଣ୍ତେଲ୍‌ଙ୍କ ନେତୃତ୍ୱପାଇଁ ସରକାରଙ୍କ ଧର୍ମନୀତିକୁ ବର୍ଜନ କରିଥିଲେ ଏବଂ ପ୍ରାଚୀନ ରୀତି ଅନୁସାରେ ସମବେତ ପ୍ରାର୍ଥନା ଓ ଉପାସନା ଆରମ୍ଭ କରିଥିଲେ । ଏହି ବିଦ୍ରୋହୀମାନଙ୍କ ପ୍ରତି ସମର୍‍ସେଟ୍‌ଙ୍କର ତିଳେମାତ୍ର ଅନୁକମ୍ପା ନଥିଲା । ଦଳେ ଭଡ଼ାଟିଆ ଜର୍ମାନ୍‌ ସୈନ୍ୟଙ୍କୁ ନିଯୁକ୍ତ କରି ଲର୍ଡ଼ ଗ୍ରେ ଦେ ଉଇଲ୍‌ଟନଙ୍କ ସେନାପତିତ୍ୱର ସେ ବିଦ୍ରୋହ ଦମନ କରିଥିଲେ । ସେଥିରେ ପ୍ରାୟ ଚାରି ହଜାର ବିଦ୍ରୋହୀ ନିହତ ହୋଇଥିଲେ ଏବଂ ନେତାମାନଙ୍କୁ ଫାଶୀ ଦିଆଯାଉଥିଲା ।

 

ପୂର୍ବାଞ୍ଚଳର ବିଦ୍ରୋହ ଦମନରେ କିନ୍ତୁ ସମର୍‍ସେଟ୍‌ କୌଣସି ଦୃଢ଼ତାର ପରିଚୟ ଦେଇ ନଥିଲେ । ବରଂ ସେ ବିଦ୍ରୋହୀମାନଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରିଥିଲେ । ଏହି ନରମ ନୀତିକୁ ପରିଷଦର ସଭ୍ୟମାନେ ସମର୍ଥନ ନ କରି ୱାରୱିକ୍‌ର ସାମନ୍ତରାଜାଙ୍କୁ ବିଦ୍ରୋହ ଦମନପାଇଁ ପଠାଇଥିଲେ–ଏବଂ ସେ ସେଥିରେ ସଫଳ ହୋଇଥିଲେ । ସମର୍‍ସେଟ୍‌ଙ୍କ ପ୍ରତିପତ୍ତି କ୍ରମଶଃ ହ୍ରାସ ପାଇଥିଲା–ଏବଂ ନିଜର ବିଫଳତା, ସହକର୍ମୀମାନଙ୍କର ଈର୍ଷା ଓ ଜନପ୍ରିତାର ଅଭାବ ଶେଷକୁ ତାଙ୍କର କାଳ ହୋଇଥିଲା । ସେ ଆଉ କ୍ଷମତାରେ ରହିବା ସମ୍ଭବ ହେଲା ନାହିଁ । ୧୫୫୧ ଖ୍ରୀ:ରେ ସେ ବନ୍ଦୀ ହୋଇଥିଲେ । କିନ୍ତୁ କ୍ଷମା ଭିକ୍ଷା କରି ପରିଷଦରେ ପୁନଃ ସଂସ୍ଥାପିତ ହୋଇଥିଲେହେଁ ୱାରୱିକ୍‌ଙ୍କର ବିଦ୍ୱେଷ ଯୋଗୁଁ ପରେ ଷଡ଼ଯନ୍ତ୍ର ଅପରାଧରେ ଅଭିଯୁକ୍ତ ହୋଇ ୧୫୫୨ ଖ୍ରୀ:ରେ ପ୍ରାଣଦଣ୍ତ ପାଇଥିଲେ ।

 

ତତ୍ତ୍ୱାବଧାରକ ସମର୍‍ସେଟ୍‌ ପ୍ରକୃତରେ ବଡ଼ ହୀନଭାଗ୍ୟ ଥିଲେ । ପରିସ୍ଥିତିକୁ ଉପଲବ୍ଧି କରି ସମ୍ଭାଳି ନେବା ତାଙ୍କ ପକ୍ଷେ ସମ୍ଭବ ହେଉ ନଥିଲା । ଷଷ୍ଠ ଏଡ଼୍‍ୱାର୍ଡ଼ଙ୍କର ବିବାହ ପ୍ରସ୍ତାବ ସେ ସ୍କଟ୍‌ଲ୍ୟାଣ୍ତର ରାଜକୁମାରୀ ମେରୀଙ୍କ ସହିତ ଦେଇଥିଲେ ମଧ୍ୟ ପ୍ରସ୍ତାବ ଗୃହୀତ ହେବାରେ ବିଳମ୍ବ ହେବାରୁ ତାଙ୍କର ଧୈର୍ଯ୍ୟଚ୍ୟୁତି ଘଟିଥିଲା ଏବଂ ସେ ସ୍କଟ୍‌ଲ୍ୟାଣ୍ତ ଆକ୍ରମଣ କରି ମେରୀଙ୍କୁ ବଳାତ୍କାରରେ ଇଂଲଣ୍ତ ନେଇଯିବାର ଆଶାପୋଷଣ କରିଥିଲେ । ଏହା ତାଙ୍କର ଅଦୂରଦର୍ଶୀତାର ଆଉ ଏକ ନିଦର୍ଶନ । ସେ ଉଦାର ଏବଂ ନିଷ୍ଠାପର ଶାସକ ଥିଲେ ସତ କିନ୍ତୁ ରାଜନୈତିକ ବିଚକ୍ଷଣତାର ଅଭାବ ତାଙ୍କଠାରେ ଯଥେଷ୍ଟ ଥିଲା । ତାଙ୍କର ମୃତ୍ୟୁରେ ଜଣେ ସାଧୁଲୋକଙ୍କର ବିଲୟ ହେଲା ବୋଲି କେତେକ ମତପ୍ରକାଶ କରିଥିଲେ ।

 

ତତ୍ତାବଧାରକ ୱାରୱିକ୍ ବା ନର୍ଦମ୍ବରଲ୍ୟାଣ୍ତ (ଖ୍ରୀ: ୧୫୫୧–୫୩)

 

ୱାରୱିକ୍‌ ସପ୍ତମ ହେନେରୀଙ୍କ ମନ୍ତ୍ରୀ ଡଡ଼୍‌ଲିଙ୍କର ପୁତ୍ର ଥିଲେ । ସମର୍‍ସେଟ୍‌ଙ୍କ ସହିତ ସେ ବହୁଦିନ ଧରି ସହକର୍ମୀ ଭାବରେ କାର୍ଯ୍ୟ କରିଥିଲେ । ୧୫୫୧ ଖ୍ରୀ:ରେ ସମର୍‍ସେଟ୍‌ଙ୍କର ପତନଫଳରେ ୱାରୱିକ୍ କ୍ଷମତାର ଆଲୋକକୁ ଆସି ପାରିଥିଲେ । ପରିଷଦ ତାଙ୍କୁ ମଧ୍ୟ ତତ୍ତ୍ୱାବଧାରକରୂପେ ଗ୍ରହଣ କରିଥିଲା ଏବଂ ଷଷ୍ଠ ଏଡ଼୍‌ୱାର୍ଡ଼ଙ୍କ ନାମରେ ରାଜକାର୍ଯ୍ୟ ପରିଚାଳନା କରିବାପାଇଁ ସମସ୍ତ କ୍ଷମତା ତାଙ୍କୁ ଅର୍ପଣ କରିଥିଲା । ତତ୍ତ୍ୱାବଧାରକ ହେବାପରେ ସେ ନିଜକୁ ନର୍ଦମ୍ବରଲ୍ୟାଣ୍ତର ଉପରାଜା (Duke) ବୋଲି ଅଭିହିତ କରିଥିଲେ । ଏଡ଼୍‍ୱାର୍ଡ଼ଙ୍କୁ ସେତେବେଳେ ମାତ୍ର ପଞ୍ଚଦଶ ବର୍ଷ ବୟସ । ସେ ଦେଶବାସୀଙ୍କର ଆଶା ଆକାଂକ୍ଷାର କେନ୍ଦ୍ରସ୍ଥଳୀ ଥିଲେ । କିନ୍ତୁ ନାବାଳକ ଥିବାରୁ ରାଜା ହୋଇ ମଧ୍ୟ ସେ ନିଜ ମାମୁଙ୍କୁ ମୃତ୍ୟୁମୁଖରୁ ରକ୍ଷା କରିପାରି ନଥିଲେ । ତାଙ୍କର ନାବାଳକତ୍ୱର ପୂରା ଫାଇଦା ଉଠାଇଥିଲେ ୱାରୱିକ୍‌ ବା ନର୍ଦମ୍ବରଲ୍ୟାଣ୍ତ । ସେ ଦୁର୍ନୀତିଗ୍ରସ୍ତ ଓ ସୁବିଧାବାଦୀ ଥିଲେ । ରାଜା ଚରମପନ୍ଥୀ ପ୍ରୋଟେଷ୍ଟାଣ୍ଟ୍‍ମାନଙ୍କୁ ସମର୍ଥନ କରୁଥିବାରୁ ସେ ମଧ୍ୟ ସେହି ପଥ ଅନୁସରଣ କରିଥିଲେ । ଖ୍ରୀ: ୧୫୫୨ରେ ତାଙ୍କ ନିର୍ଦ୍ଦେଶାନୁସାରେ ଦ୍ୱିତୀୟ ପ୍ରାର୍ଥନା ପୁସ୍ତକ ପ୍ରଚଳିତ ହୋଇଥିଲା । ପ୍ରୋଟେଷ୍ଟାଣ୍ଟ୍ ମତ ପ୍ରଚାର ଦିଗରେ ଏହି ପ୍ରାର୍ଥନା ପୁସ୍ତକ ଅନ୍ୟ ଯେକୌଣସି ଧର୍ମପୁସ୍ତକକୁ ବଳିଯାଇଥିଲା । ତା’ ଛଡ଼ା ଧର୍ମୋପାସନାକୁ ନୂତନ ଢାଞ୍ଚାରେ ପରିଚାଳିତ କରିବାପାଇଁ ସେ ‘୪୨ ଧାରା’ (Forty two Articles) ପ୍ରଣୟନ କରିଥିଲେ । ଅର୍ଥନୈତିକ ଆନ୍ଦୋଳନକୁ ରୋକିବାପାଇଁ ସେ ଦରିଦ୍ର ଆଇନ କାର୍ଯ୍ୟକାରୀ କରିଥିଲେ । ଗରିବ ମଜୁରିଆ ବା ବେକାରମାନଙ୍କୁ ସାହାଯ୍ୟ ଦେବାପାଇଁ ଚାନ୍ଦା ସଂଗ୍ରହ କରାଯାଇଥିଲା । ରାଜାଙ୍କ ବ୍ୟକ୍ତିଗତ ଖର୍ଚ୍ଚରେ ବ୍ୟୟ ସଂକୋଚ ମଧ୍ୟ କରାଗଲା । କିନ୍ତୁ ଅବସ୍ଥାର ଉନ୍ନତି ହେଲା ନାହିଁ ।

 

ଏପରି ଦୁର୍ଗତିରେ ଏଡ଼୍‍ୱାର୍ଡ଼ଙ୍କର ସ୍ୱାସ୍ଥ୍ୟର କ୍ରମଃ ଅବନତି ଜନସାଧାରଣଙ୍କୁ ଆହୁରି ହତୋତ୍ସାହ କରି ପକାଇଲା । ହେନେରୀଙ୍କର ଇଚ୍ଛାପତ୍ର ଅନୁସାରେ ଏଡ଼୍‌ୱାର୍ଡ଼ ଯଦି ଅକାଳ ମୃତ୍ୟୁ ବରଣ କରନ୍ତି ତେବେ କାଥଲିକ୍ ରାଜକୁମାରୀ ମେରୀ ଇଂଲଣ୍ତର ରାଣୀ ହେବା ଅବଶ୍ୟମ୍ଭାବୀ ଥିଲା-। ତା’ଫଳରେ ପ୍ରୋଟେଷ୍ଟାଣ୍ଟ୍ ଧର୍ମର ଅବସ୍ଥା ଯେ କ’ଣ ହେବ ସମସ୍ତେ ଚିନ୍ତା କରିବାକୁ ଲାଗିଲେ-। ଏହି ଅନିଶ୍ଚୟତା ମଧ୍ୟରେ ନର୍ଦମ୍ବରଲ୍ୟାଣ୍ତ ନିଜ ସ୍ୱାର୍ଥପାଇଁ ବେଶୀ ବିଚଳିତ ହେବା ସ୍ୱାଭାବିକ ନିର୍ଭର କରୁଥିଲା । କିନ୍ତୁ ଏଡ଼୍‌ୱାର୍ଡ଼ଙ୍କ ସ୍ୱାସ୍ଥ୍ୟ ଦିନୁ ଦିନୁ ଖରାପ ଆଡ଼କୁ ଗତି କଲାରୁ ସେ ନିଜକୁ ସୁରକ୍ଷିତ କରିବାରେ ଯତ୍ନବାନ ହୋଇଥିଲେ । ତାଙ୍କର ପରାମର୍ଶରେ ସଳରବିଶ୍ୱାସୀ ଏଡ଼୍‌ୱାର୍ଡ଼ ଏକ ଇଚ୍ଛାପତ୍ର କରି ତହିଁରେ ଭଉଣୀ ମେରୀ ଏବଂ ଏଲିଜାବେଥ୍‌ଙ୍କୁ ଅବୈଧ ସନ୍ତାନ ବୋଲି ଉତ୍ତରାଧିକାରୀ ତାଲିକାରୁ ବାଦ ଦେଇଦେଲେ ଏବଂ ପିତା ଅଷ୍ଟମ ହେନେରୀଙ୍କର କନିଷ୍ଠା ଭଗ୍ନୀ ମେରୀଙ୍କର ପୌତ୍ରୀ ଲେଡ଼ି ଜେନ୍‌ଗ୍ରେଙ୍କୁ ନିଜର ଦାୟାଦ ବୋଲି ଗ୍ରହଣ କଲେ । ଅଳ୍ପ ସମୟ ପୂର୍ବରୁ ଲେଡ଼ି ଜେନ୍‌ଗ୍ରେ ନର୍ଦମ୍ବରଲ୍ୟାଣ୍ତଙ୍କର ଦ୍ୱିତୀୟ ପୁତ୍ର ଗିଲ୍‌ଡ଼ଫୋର୍ଡ଼ ଡଡ଼୍‍ଲିଙ୍କୁ ବିବାହ କରିଥା’ନ୍ତି । ତେଣୁ ଲେଡ଼ି ଜେନ୍‌ଗ୍ରେ ଇଂଲଣ୍ତର ରାଣୀରୂପେ ଅଭିଷିକ୍ତ ହେଲେ ଶ୍ୱଶୁର ନର୍ଦମ୍ବରଲ୍ୟାଣ୍ତଙ୍କର ଆସନ ଓ ମର୍ଯ୍ୟାଦା ସୁରକ୍ଷିତ ହେବ ଏହାହିଁ ଥିଲା ଯୋଜନା । ଏହି ଯୋଜନା ସହିତ ଦେଶବାସୀମାନେ କିନ୍ତୁ ଏକମତ ନଥିଲେ । ୧୫୫୩ ଖ୍ରୀ:ରେ ଏଡ଼୍‌ୱାଡ଼ଙ୍କର ମୃତ୍ୟୁ ସମ୍ବାଦ ପାଇ ଅଷ୍ଟମ ହେନେରୀଙ୍କର ଜ୍ୟେଷ୍ଠା କନ୍ୟା ମେରୀ ନିଜକୁ ରାଣୀ ବୋଲି ଘୋଷଣା କଲାରୁ ସମସ୍ତେ ତାଙ୍କୁ ସମର୍ଥନ ଜଣାଇଲେ ଏବଂ ନର୍ଦମ୍ବରଲ୍ୟାଣ୍ତଙ୍କର ଯୋଜନା ଦିବାସ୍ୱପ୍ନରେ ପରିଣତ ହୋଇଥିଲା । ମେରୀଙ୍କୁ ବନ୍ଦୀ କରିବାପାଇଁ ତାଙ୍କର ଅନେକ ପ୍ରଚେଷ୍ଟା ପଣ୍ତ ହୋଇଥିଲା । ଏବଂ ପରିଶେଷରେ ମେରୀଙ୍କଦ୍ୱାରା ବନ୍ଦୀ ହୋଇ ଦେଶବାସୀଙ୍କର ଘୃଣାର ପାତ୍ର ହୋଇ ସେ ନିହତ ହୋଇଥିଲେ ।

Image

 

ଚତୁର୍ଥ ଅଧ୍ୟାୟ

ମେରୀ ଟିଉଡ଼ର୍ (ଖ୍ରୀ: ୧୫୫୩ ରୁ ଖ୍ରୀ: ୧୫୫୮)

 

ରାଣୀ କ୍ୟାଥାରାଇନ୍‍ଙ୍କ କନ୍ୟା ହୋଇଥିବାରୁ ବାଲ୍ୟକାଳରୁ ଜୀବନ ଶେଷ ପର୍ଯ୍ୟନ୍ତ ମେରୀ ଟିଉଡ଼ର୍ ଅପରିସୀମ ଦୁଃଖ ଓ ଯାତନା ଭୋଗ କରିଥିଲେ । ସିଂହାସନ ଆରୋହଣ ସମୟରେ ତାଙ୍କୁ ୩୭ ବର୍ଷ ବୟସ ହୋଇଥିଲା । ଶୈଶବାବସ୍ଥାରୁ ମାତାଙ୍କ ପ୍ରତି ହୋଇଥିବା ଅବିଚାର ଓ ନିର୍ଯାତନା ସେ ଭୁଲି ପାରି ନଥିଲେ । ଅଷ୍ଟମ ହେନେରୀଙ୍କ ଔରସରେ ଜନ୍ମ ହୋଇ ସୁଦ୍ଧା ଜାରଜ ବୋଲି ଅଭିହିତ ହୋଇ ଯେପରି ସେ ଲାଞ୍ଛିତ ଓ ଅପମାନିତ ହୋଇଥିଲେ ତା’ର ଦୃଷ୍ଟାନ୍ତ ଅନ୍ୟତ୍ର ବିରଳ । ମା’ଙ୍କ ଧର୍ମରେ ଅନୁପ୍ରାଣିତ ହୋଇ ସେ କାଥଲିକ୍‍ ଥିଲେ । ଧର୍ମପାଇଁ ସେ ବିଦେଶୀ ପୋପ୍‌ଙ୍କ ଅନୁରକ୍ତ ଥିଲେ–ଏବଂ ମା’ଙ୍କପାଇଁ ସ୍ପେନ୍ ସହିତ ସମ୍ପର୍କ ନିବିଡ଼ କରିଥିଲେ ବୋଲି ଇଂରେଜ ଜାତି ତାଙ୍କୁ ‘ଜାତୀୟ ଶାସକ’ ବୋଲି ଗ୍ରହଣ କରି ନଥିଲା । ନିଜ ଦେଶରେ ସେ ଅଧା ବିଦେଶୀ ବୋଲି ପରିଗଣିତ ହେଉଥିଲେ । ନର୍ଦମ୍ବରଲ୍ୟାଣ୍ତଙ୍କର ଚକ୍ରାନ୍ତରୁ ରକ୍ଷା ପାଇବାପାଇଁ ସେ କିଛିଦିନ ନରଫୋକ୍‌ର ହାୱାର୍ଡ଼ ପରିବାରରେ ଆତ୍ମଗୋପନ କରିଥିଲେ । କେବଳ ‘‘ପ୍ରିୟରାଜା ହେରୀ’’ (ଅଷ୍ଟମ ହେନେରୀ)ଙ୍କ କନ୍ୟା ଥିବାରୁ ସେ ଲୋକଙ୍କର ସମର୍ଥନ ପାଇ ନର୍ଦମ୍ବରଲ୍ୟାଣ୍ତଙ୍କୁ କବଳିତ କରିପାରିଥିଲେ । ଇଂରେଜମାନେ ସର୍ବଦା ପରମ୍ପରାର ପୃଷ୍ଠପୋଷକ ଓ ରାଜଭକ୍ତ । ତେଣୁ ମେରୀଙ୍କ ଧର୍ମାନୁସକ୍ତି ଯାହା ହେଉନା କାହିଁକି ହେନେରୀଙ୍କର ଇଚ୍ଛାପତ୍ର ଅନୁସାରେ ଇଂଲଣ୍ତ ସିଂହାସନର ଉତ୍ତରାଧିକାରୀ ଏହା କେହି ଅସ୍ୱୀକାର କରି ନଥିଲେ । ଷଷ୍ଠ ଏଡ଼୍‌ୱାର୍ଡ଼ଙ୍କ ରାଜତ୍ୱ କାଳରେ ସଂସ୍ଥାପିତ ହୋଇଥିବା ପ୍ରୋଟେଷ୍ଟାଣ୍ଟ୍ ଧର୍ମ ଯେ ନିହାତି ବିପନ୍ନ ହୋଇ ପଡ଼ିବ, ବା ମେରୀଙ୍କ ଧର୍ମନୀତିଫଳରେ ଦେଶରେ ଯେ ଏକ ସାମାଜିକ ବିଭ୍ରାଟ ସୃଷ୍ଟି ହେବ ଏହା ଉପରେ ବେଶୀ ଗୁରୁତ୍ୱ ପ୍ରାୟ ଜନସାଧାରଣ କେହି ଦେଇ ନଥିଲେ । ତେଣୁ ମେରୀଙ୍କର ଅଭିଷେକ ଉତ୍ସବରେ ଆଗ୍ରହ ଓ ଆନନ୍ଦର ମାତ୍ରା ଊଣା ନଥିଲା ।

 

ଆଶାତୀତଭାବେ ଇଂଲଣ୍ତର ରାଜସିଂହାସନ ପ୍ରାପ୍ତିରେ ମେରୀ ଈଶ୍ୱରଙ୍କ ପ୍ରତି ଅତିଶୟ କୃତଜ୍ଞ ହୋଇଥିଲେ । ସେହି ସୁଯୋଗରେ ଇଂଲଣ୍ତରେ କାଥଲିକ୍‍ ଧର୍ମର ପୁନଃପ୍ରତିଷ୍ଠା, ପୋପ୍‍ଙ୍କର କର୍ତ୍ତୃତ୍ୱର ପୁନଃସ୍ଥାପନ, ପ୍ରୋଟେଷ୍ଟାଣ୍ଟ୍ ଧର୍ମର ଧ୍ୱଂସ ନିହାତି ଆବଶ୍ୟକ ବୋଲି ସେ ମନେ କରିଥିଲେ । ସେଥିପାଇଁ ରାଜତ୍ୱର ପ୍ରାରମ୍ଭରୁ ସେ ଲୋପ ପାଇଥିବା ସମବେତ ପ୍ରାର୍ଥନାର ପୁନଃପ୍ରବର୍ତ୍ତନ କରିଥିଲେ । ତତ୍ତ୍ୱାବଧାରକ ସରକାର ଯେଉଁ ସବୁ ଆଇନକାନୁନ ଧର୍ମ କ୍ଷେତ୍ରରେ କାର୍ଯ୍ୟକାରୀ କରିଥିଲେ ସେଗୁଡ଼ିକୁ ରଦ୍ଦ କରି ଦିଆଗଲା । ଅଷ୍ଟମ ହେନେରୀଙ୍କ ରାଜତ୍ୱର ପ୍ରଥମ ବର୍ଷରେ ଯେଉଁ ଉପାସନା ପଦ୍ଧତି ଗିର୍ଜାଗୁଡ଼ିକରେ ପ୍ରଚଳିତ ଥିଲା ତାହାର ପୁଣି ପୁନରୁଦ୍ଧାର ହେଲା-। ପ୍ରୋଟେଷ୍ଟାଣ୍ଟ୍ ଧର୍ମଯାଜକ କ୍ରେନ୍‌ମାର୍‌, ଲାଟିମାର୍ ଏବଂ ରିଡ଼୍‍ଲିଙ୍କୁ ତାଙ୍କ ପଦରୁ ବହିଷ୍କାର କରାଗଲା । ତାଙ୍କ ସ୍ଥାନରେ କାଥଲିକ୍‍ ଧର୍ମଯାଜକମାନଙ୍କୁ ନିଯୁକ୍ତି ଦିଆଗଲା-। ଏହି ସବୁ ପରିବର୍ତ୍ତନ ଅଶୁଭ ସଂକେତ ବୋଲି ମନେ କରି ଅନେକ ଉଗ୍ରପନ୍ଥୀ ପ୍ରୋଟେଷ୍ଟାଣ୍ଟ୍ ସଂସ୍କାରକମାନେ ଇଂଲଣ୍ତ ପରିତ୍ୟାଗ କରି ଅନ୍ୟତ୍ର ଚାଲିଗଲେ ।

 

ରାଣୀ ମେରୀଙ୍କ ବିବାହ ଆଉ ଏକ ଜଟିଳ ପରିସ୍ଥିତ ସୃଷ୍ଟି କରିଥିଲା । ପୋପ୍‌ଙ୍କ ପ୍ରତିନିଧି ରେଜିନାଲ୍‌ଡ଼ ପୋଲ୍ ଏବଂ ସ୍ପେନୀୟ ରାଷ୍ଟ୍ରଦୂତ ରେନାର୍ଡ଼ଙ୍କ ପରାମର୍ଶରେ ସେ ସ୍ପେନ୍‍ରାଜା ଦ୍ୱିତୀୟ ଫିଲିପ୍‌ଙ୍କୁ ବିବାହ କରିବାକୁ ଜିଦ୍‌ ଧରି ବସିଲେ । ଦେଶବାସୀମାନେ ଏହା ଆଦୌ ଚାହୁଁ ନଥିଲେ । ସେମାନେ ଭବିଷ୍ୟତର କୁପରିଣାମ କଥା ଚିନ୍ତାକରି ଭୟଭୀତ ହୋଇ ଉଠିଲେ । ବ୍ୟବସାୟ ବାଣିଜ୍ୟ ଏବଂ ଉପନିବେଶ ସ୍ଥାପନ କ୍ଷେତ୍ରରେ ଇଂଲଣ୍ତ ଓ ସ୍ପେନ୍ ପ୍ରତିଦ୍ୱନ୍ଦ୍ୱୀ ଥିଲେ । ମେରୀ ଓ ଫିଲିପ୍‌ଙ୍କର ବିବାହଫଳରେ ଇଂଲଣ୍ତ ଉପରେ ସ୍ପେନ୍‍ର ଆଧିପତ୍ୟ ବୃଦ୍ଧି ପାଇବ ଏବଂ ଇଂଲଣ୍ତକୁ ସ୍ପେନ୍‍ର ଏକ ପ୍ରବେଶ ଭାବରେ ଶାସନ କରାଯାଇପାରେ ଏହି ସମ୍ଭାବନା ସେମାନେ ହୃଦୟଙ୍ଗମ କରିଥିଲେ । ସ୍ପେନ୍‍ଶାସିତ ନେଦାରଲ୍ୟାଣ୍ତ ପରି ଇଂଲଣ୍ତର ଯଦି ଦୁରବସ୍ଥା ଆରମ୍ଭ ହୁଏ ତେବେ ପରିସମାପ୍ତି କେଉଁଠି ? ସ୍ପେନ୍‌ ଓ ଇଂଲଣ୍ତ ମଧ୍ୟରେ ବୈବାହିକ ସମ୍ପର୍କ ସ୍ଥାପିତ ହେଲେ ଫ୍ରାନ୍‌ସ ଓ ସ୍କଟ୍‍ଲ୍ୟାଣ୍ତ ତତୁଲ୍ୟ ବ୍ୟବସ୍ଥା କରିବେ ବୋଲି ଜଣାପଡ଼ୁଥିଲା ଏବଂ ଫ୍ରାନ୍‍ସ ଓ ସ୍କଟ୍‍ଲ୍ୟାଣ୍ତ ମଧ୍ୟରେ ବୈବାହିକ ସମ୍ପର୍କ ଇଂଲଣ୍ତର ନିରାପତ୍ତାକୁ ଯେ ବିପନ୍ନ କରିବ ଏହା କୂଟନୀତିଜ୍ଞମାନେ ବୁଝିପାରୁଥିଲେ । ତେବେ ଏହିପରି ବିପତ୍ତିକୁ ଆଖି ଆଗରେ ରଖି ମେରୀ ଓ ଫିଲିପ୍‍ଙ୍କର ବୈବାହିକ ଚୁକ୍ତିରେ କେତେଗୁଡ଼ିଏ ସର୍ତ୍ତ ରଖାଯାଇଥିଲା । ତା’ହେଲା (୧) ମେରୀ ଏକାକୀ ଇଂଲଣ୍ତ ଶାସନ କରିବେ; (୨) ଇଂଲଣ୍ତର ସେନାବାହିନୀ କୌଣସି ବୈଦେଶିକ ଶକ୍ତିଦ୍ୱାରା ନିୟନ୍ତ୍ରିତ ହେବନାହିଁ; (୩) ଇଂଲଣ୍ତ ଫ୍ରାନ୍‌ସ ସହିତ ଯୁଦ୍ଧରେ ଜଡ଼ିତ ହେବନାହିଁ; (୪) ବିବାହଫଳରେ ଯେଉଁ ସନ୍ତାନ ଜନ୍ମ ହେବେ ସେ ଇଂଲଣ୍ତ, ବାର୍ଗାଣ୍ତି ଓ ନେଦାରଲ୍ୟାଣ୍ତ ଶାସନ କରିବେ–ସ୍ପେନ୍‌ରେ ନୁହେଁ । ତେବେ ଯେଉଁ ବିପଦ ଆଶଙ୍କାରେ ଏସବୁ ସର୍ତ୍ତର ଉଲ୍ଲେଖ କରାଯାଇଥିଲା ସେ ଆଶଙ୍କା ଯଦି ବାସ୍ତବ ରୂପ ନିଏ ତେବେ ତା’ବିରୁଦ୍ଧରେ ପ୍ରତିକାରର ଉପାୟ କ’ଣ ଥିଲା ? ଇଂରେଜମାନଙ୍କର ଚିନ୍ତାଧାରାକୁ ରୂପରେଖ ଦେଇ ୧୫୫୪ ଖ୍ରୀ:ରେ ସାର୍‌ ଟମାସ୍‍ ୱାଟ୍‌ ଏକ ବିଦ୍ରୋହ ଆରମ୍ଭ କରିଥିଲେ । ‘‘ସ୍ପେନୀୟ ବର ଆମେ ଚାହୁଁନା’’ ବୋଲି ସେ ଉଚ୍ଚସ୍ୱରରେ ପ୍ରଚାର କଲେ ଓ ମେରୀଙ୍କୁ ବନ୍ଦୀ କରିବାର ଯୋଜନା କରିଥିଲେ । ଲଣ୍ତନ ସହରର ଅଧିବାସୀମାନେ ମେରୀଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ । ଟମାସ୍‍ ୱାଟ୍‌ ବନ୍ଦୀ ହୋଇ ନିହତ ହେଲେ ଓ ବିଦ୍ରୋହ ଦମନ ହେଲା ସତ୍ୟ କିନ୍ତୁ ବିବାହ କାର୍ଯ୍ୟ ସେତେବେଳକୁ ଅନୁଷ୍ଠିତ ହୋଇସାରିଥିବାରୁ ପରିଣାମ କ’ଣ ହେବ ଜାଣିବାପାଇଁ ସମସ୍ତେ ଅପେକ୍ଷା କଲେ । ଏହି ବିଦ୍ରୋହରେ ବ୍ୟକ୍ତିଗତଭାବେ ସଂଶ୍ଳିଷ୍ଟ ହୋଇ ନଥିଲେ ମଧ୍ୟ ଲେଡ଼ି ଜେନ୍‌ଗ୍ରେ ଓ ତାଙ୍କର ସ୍ୱାମୀଙ୍କୁ ପ୍ରାଣଦଣ୍ତ ଦିଆଯାଇଥିଲା । ରାଜକୁମାରୀ ଏଲିଜାବେଥ୍‌ଙ୍କୁ ମଧ୍ୟ ବନ୍ଦୀ କରାଯାଇଥିଲା । ଯା’ହେଉ ଦେଶବାସୀଙ୍କ ପ୍ରବଳ ବିରୋଧକୁ ଉପେକ୍ଷା କରି ଫିଲିପ୍‌ଙ୍କୁ ବିବାହ କରିବାଦ୍ୱାରା ମେରୀ ଅପୂର୍ବ ଦୃଢ଼ତାର ପରିଚୟ ଦେଇଥିଲେ ।

 

କାଥଲିକ୍‍ ସ୍ପେନ୍‍ର ପ୍ରତ୍ୟକ୍ଷ ସମର୍ଥନ ପାଇ ମେରୀ ଇଂଲଣ୍ତରେ ପୋପ୍‌ଙ୍କର କର୍ତ୍ତୃତ୍ୱର ପୁନଃ ପ୍ରତିଷ୍ଠାପାଇଁ ଲାଗି ପଡ଼ିଥିଲେ । ନିର୍ବାଚନରେ ନାନା ଦୁର୍ନୀତିର ଆଶ୍ରୟ ନେଇ ନିଜର ସମର୍ଥକମାନଙ୍କୁ ସେ ଏକ ନୂତନ ପାର୍ଲିଆମେଣ୍ଟ୍‍ର ସଦସ୍ୟରୂପେ ନିର୍ବାଚିତ କରାଇଥିଲେ । ଅଷ୍ଟମ ହେନେରୀଙ୍କ ରାଜତ୍ୱ କାଳରେ ପ୍ରଣୀତ ହୋଇଥିବା ଆଇନକାନୁନ ସବୁ ରଦ୍ଦ କରିଦିଆଗଲା । ରୋମ ସହିତ ସମସ୍ତ ଧର୍ମ ସମ୍ପର୍କ ଛିନ୍ନ କରିଥିବା ଅପରାଧ ପାଇଁ ପୋପ୍‌ଙ୍କଠାରେ କ୍ଷମା ପ୍ରାର୍ଥନା କରାଗଲା । ପୋପ୍‌ଙ୍କର ପ୍ରତିନିଧି ରେଜିନାଲ୍‌ଡ଼ ପୋଲ୍‌ ଏସବୁ କାର୍ଯ୍ୟରେ ମେରୀଙ୍କୁ ପରାମର୍ଶ ଦେଉଥିଲେ । ପାର୍ଲିଆମେଣ୍ଟ୍‍ର କ୍ଷମା ଆବେଦନକୁ ମଞ୍ଜୁର କରି ସେ ଇଂଲଣ୍ତର ପୋପ୍‌ଙ୍କ କର୍ତ୍ତୃତ୍ୱ ପୁନଃ ପ୍ରତିଷ୍ଠିତ ହେଲା ବୋଲି ଘୋଷଣା କରିଥିଲେ । କାଥଲିକ୍ ରାଣୀ ମେରୀ ଏତିକିରେ ସନ୍ତୁଷ୍ଟ ହୋଇ ନଥିଲେ । ଯେଉଁମାନେ କାଥଲିକ୍‍ ଧର୍ମର ବିରୋଧ କରିଥିଲେ ବା କରୁଥିଲେ ଏବଂ ଯେଉଁମାନେ ପ୍ରୋଟେଷ୍ଟାଣ୍ଟ୍ ଧର୍ମର ପ୍ରବର୍ତ୍ତନ ପାଇଁ ଦାୟୀଥିଲେ ସେମାନଙ୍କୁ ଅଭିଯୁକ୍ତ କରି କଠୋର ଦଣ୍ତ ଦିଆଯାଇଥିଲା । ଖ୍ରୀ: ୧୫୫୫ ରୁ ଉତ୍ପୀଡ଼ନର ମାତ୍ରା ବୃଦ୍ଧି ପାଇଥିଲା । ବିଶପ୍‌ ଲାଟିମାର୍‌ ଏବଂ ରିଡ଼୍‍ଲିଙ୍କୁ ଜୀବନ୍ତ ଦଗ୍ଧ କରି ମାରି ଦିଆଗଲା ଏବଂ କ୍ରେନ୍‌ମାର୍‌ ସ୍ୱଇଚ୍ଛାରେ ଅଗ୍ନିରେ ଝାସ ଦେଇ ମୃତ୍ୟୁବରଣ କଲେ । ଧର୍ମ ନାମରେ ଏ ଜଘନ୍ୟ ବର୍ବରୋଚିତ ଅତ୍ୟାଚାର ଇଂଲଣ୍ତ ଇତିହାସରେ ଏକ କଳଙ୍କମୟ ଅଧ୍ୟାୟ ଆରମ୍ଭ କରିଥିଲା । ପ୍ରାୟ ୨୭୦ ଜଣ ପ୍ରୋଟେଷ୍ଟାଣ୍ଟ୍ ଏହିପରି ନିହତ ହୋଇଥିଲା । କିନ୍ତୁ ଏହି ନିଷ୍ଠାପର, ମହତ୍ୱପୂର୍ଣ୍ଣ ସ୍ୱାର୍ଥତ୍ୟାଗଫଳରେ ସେମାନେ ପ୍ରୋଟେଷ୍ଟାଣ୍ଟ୍ ମତବାଦକୁ ଅଧିକ ଜନପ୍ରିୟ କରିପାରିଥିଲେ ।

 

ଏପରି ଅତ୍ୟାଚାର ଓ ଉତ୍ପୀଡ଼ନଦ୍ୱାରା ମେରୀଙ୍କ ଅଭିଷ୍ଟ ସିଦ୍ଧି ହୋଇଥିଲା କି ? ବରଂ ସେ ସମସ୍ତଙ୍କର ଘୃଣାର ପାତ୍ରୀ ହୋଇଥିଲେ । ତାଙ୍କପ୍ରତି, ରେଜିନାଲ୍‌ଡ଼ ପୋଲ୍‍ ଏବଂ ଫିଲିପ୍‌ଙ୍କ ପ୍ରତି ଇଂରେଜମାନେ ଘୃଣା ଏବଂ ବିରକ୍ତିରେ ପାଚି ଉଠିଲେ । ବିଦ୍ରୋହ ବା ରକ୍ତପାତଦ୍ୱାରା ଏହି ନିନ୍ଦନୀୟ ଜଘନ୍ୟ ରାଜତ୍ୱର ଅବସାନ କରିବା କଥା ପୁଣି କେତେକ ଚିନ୍ତା କରୁଥିଲେ । କିନ୍ତୁ ମେରୀ ବ୍ୟାଧିଗ୍ରସ୍ତ ହେବାରୁ ସମସ୍ତେ କାଳର ନିର୍ଦ୍ଦେଶକୁ ଅପେକ୍ଷା କରିବା ଉଚିତ ମଣିଲେ ।

 

ଜୀବନର ଅନ୍ତିମ ମୁହୂର୍ତ୍ତରେ ମଧ୍ୟ ମେରୀଙ୍କୁ ଶାନ୍ତି ମିଳି ନଥିଲା । ଜନନୀ ହେବାର ସୁଖସ୍ୱପ୍ନ ତାଙ୍କର ସ୍ୱପ୍ନରେହିଁ ରହିଯାଇଥିଲା । ଶେଷରେ ଇଉରୋପରେ ଫ୍ରାନ୍‌ସ ସଂଲଗ୍ନ ଇଂରେଜଶାସିତ ଅଞ୍ଚଳ ‘‘କାଲେ’’କୁ ମଧ୍ୟ ସେ ହରାଇଥିଲେ । ଧର୍ମ ସମ୍ପର୍କୀୟ ଉତ୍ପୀଡ଼ପ, ସ୍ପେନ୍ ସହ ଘନିଷ୍ଠ ସମ୍ପର୍କ ସ୍ଥାପନ, ପୋପ୍‌ଙ୍କ କର୍ତ୍ତୃତ୍ୱର ପୁନଃ ପ୍ରତିଷ୍ଠା ଏବଂ ‘କାଲେ’ ପ୍ରତିରକ୍ଷାରେ ଅସମର୍ଥତା ପ୍ରଦର୍ଶନ ଆଦି ନାନା ଅପରାଧ ପାଇଁ ମେରୀ ଦେଶବାସୀଙ୍କର କ୍ଷମା ପାଇପାରିଲେ ନାହିଁ । ବରଂ ମନର ଗଭୀର କ୍ଷତ ଓ ଭଗ୍ନ ହୃଦୟ ନେଇ ସେ ଯେତେବେଳେ ନଭେମ୍ବର ମାସ ୧୭ ତାରିଖ ଦିନ ଶେଷ ନିଃଶ୍ୱାସ ତ୍ୟାଗ କଲେ ଇଂରେଜମାନେ ଆନନ୍ଦରେ ଈଶ୍ୱରଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ । ମେରୀଙ୍କ ରାଜତ୍ୱ ଇଂଲଣ୍ତ ଇତିହାସରେ ଏକ ଦୁଃସ୍ୱପ୍ନ ଓ ବେଦନାଦାୟକ ମୁହୂର୍ତ୍ତ । ପିତା ଅଷ୍ଟମ ହେନେରୀଙ୍କ ସମୟରେ ପ୍ରତିଷ୍ଠିତ ନୂତନ ଧର୍ମ ବ୍ୟବସ୍ଥାକୁ ସାମୟିକ ଭାବରେ ସେ ଅଚଳ କରିଥିଲେହେଁ ପ୍ରୋଟେଷ୍ଟାଣ୍ଟ୍‍ମାନଙ୍କର ମାନସିକ ଦୃଢ଼ତାକୁ କ୍ଷୁଣ୍ଣ କରିପାରିଲେ ନାହିଁ ।

Image

 

ପଞ୍ଚମ ଅଧ୍ୟାୟ

ଏଲିଜାବେଥ୍‌ (ଖ୍ରୀ: ୧୫୫୮ରୁ ଖ୍ରୀ: ୧୬୦୩)

 

ମେରୀଙ୍କ ମୃତ୍ୟୁର ମାତ୍ର ଅଳ୍ପ ସମୟ ପରେ ଅଷ୍ଟମ ହେନେରୀଙ୍କ ଇଚ୍ଛାପତ୍ର ଅନୁସାରେ ଏଲିଜାବେଥ୍‌ଙ୍କୁ ଇଂଲଣ୍ତର ରାଣୀ ବୋଲି ଘୋଷଣା କରାଯାଇଥିଲା । ମେରୀ ମଧ୍ୟ ମୃତ୍ୟୁ ପୂର୍ବରୁ ଭଉଣୀଙ୍କୁ ନିଜର ଉତ୍ତରାଧିକାରୀରୂପେ ଗ୍ରହଣ କରିଥିବାରୁ ଏଲିଜାବେଥ୍‌ଙ୍କର ସିଂହାସନାରୋହଣରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହୋଇ ନଥିଲା । ଏହି ଘୋଷଣା ମେରୀଙ୍କ ମୁଖ୍ୟ ନ୍ୟାୟାଧୀଶ ହିଥ୍‌ ପାର୍ଲିଆମେଣ୍ଟ୍ ଗୃହରେ ପ୍ରକାଶ କରିଥିଲେ । ଏଲିଜାବେଥ୍‌ ରାଣୀ ହେବାର ସମ୍ଭାବନା ଖୁବ୍‌ କମ୍‌ ଥିଲେହେଁ ଅଷ୍ଟମ ହେନେରୀଙ୍କ ଇଚ୍ଛାପତ୍ରକୁ ପାର୍ଲିଆମେଣ୍ଟ୍ ପୂର୍ବରୁ ଅନୁମୋଦନ କରିଥିବା ହେତୁ ବର୍ତ୍ତମାନ ତାହା କାର୍ଯ୍ୟକାରୀ କରିବା ନ୍ୟାୟସଙ୍ଗତ ହେଲା । କିନ୍ତୁ ଦେବଦତ୍ତ ଅଧିକାର ଅନୁସାରେ (Divine Right theory) ସ୍କଟ୍‍ ରାଣୀ ମେରୀଙ୍କ ଦାବିକୁ ଗ୍ରହଣ କରିବା ଉଚିତ ଥିଲା । ପରିଶେଷରେ ଇଂଲଣ୍ତର ରାଣୀ ଏଲିଜାବେଥ୍‌ ହେବେ କି, ସ୍କଟ୍‍ ରାଣୀ ମେରୀ ହେବେ ଏହା ଜାଣିବାପାଇଁ ଇଉରୋପୀୟ ଶକ୍ତିମାନେ ବିଶେଷ ଉତ୍ସୁକ ଥିଲେ । କାରଣ ସ୍କଟ୍‍ ରାଣୀ ମେରୀ ସ୍କଟ୍‍ଲ୍ୟାଣ୍ତ ଓ ଫ୍ରାନ୍‌ସର ଶାସକ ଥିବା ହେତୁ ଯଦି ଇଂଲଣ୍ତର ସିଂହାସନାରୋହଣର ସୌଭାଗ୍ୟ ପା’ଆନ୍ତି ତେବେ ସ୍କଟ୍‍ଲ୍ୟାଣ୍ତ, ଫ୍ରାନ୍‌ସ ଓ ଇଂଲଣ୍ତ ଏକ ଶାସନାଧିନ ହୋଇ ଇଉରୋପର ସର୍ବ ବୃହତ୍‌ ଶକ୍ତି ହେବାର ସମ୍ଭାବନା ପରିଷ୍କାର ଥିଲା । ଏ କଥା ସ୍ପେନ୍‍ରାଜା ଫିଲିପ୍‌ ସମର୍ଥନ କରନ୍ତେ କିପରି ? ତେଣୁ ନିଜ ଶତ୍ରୁଦେଶ ଫ୍ରାନ୍‌ସର ଶକ୍ତି ବୃଦ୍ଧି ନ ହେବ ଏବଂ ନେଦାରଲ୍ୟାଣ୍ତ ଉପରେ ସ୍ପେନ୍‌ର ପ୍ରଭାବ ଅପ୍ରତିହତ ରହୁ ଏହି ଆଶାରେ ଫିଲିପ୍‌ ଏଲିଜାବେଥ୍‌ଙ୍କର ଦାବିକୁ ପୂର୍ଣ୍ଣ ପ୍ରାଣରେ ସମର୍ଥନ କଲେ । ଫଳରେ ଏଲିଜାବେଥ୍‌ଙ୍କର ରାଣୀ ହେବା ପଥରେ କାଥଲିକ୍‍ ସମ୍ପ୍ରଦାୟର ବିରୁଦ୍ଧଭାବ ପରିଲକ୍ଷିତ ହେଲା ନାହିଁ । ଇଂଲଣ୍ତର ଜନସାଧାରଣ ମଧ୍ୟ ଫ୍ରାନ୍‌ସର ଗୋଡ଼ାଣିଆ ନ ହେବାପାଇଁ ସ୍କଟ୍‍ରାଣୀ ମେରୀଙ୍କୁ ଚାହୁଁ ନଥିଲେ । ତେଣୁ ଘଟଣାଚକ୍ରରେ ପଡ଼ି ଫିଲିପ୍‌ ଏବଂ ଇଂରେଜମାନେ ଏଲିଜାବେଥ୍‌ଙ୍କର ସୁରକ୍ଷାପାଇଁ ଆଗଭର ହୋଇ ପଡ଼ିଲେ ।

 

ସିଂହାସନ ଆରୋହଣ ସମୟରେ ଅନ୍ୟାନ୍ୟ ନାନାପ୍ରକାର ଅସୁବିଧା ମଧ୍ୟ ଏଲିଜାବେଥ୍‌ଙ୍କୁ ସମ୍ମୁଖୀନ ହେବାକୁ ପଡ଼ିଥିଲା । ସେତେବେଳେ ସରକାରଙ୍କର ଆର୍ଥିକ ଦୁରବସ୍ଥା କଥା ନ କହିଲେ ଚଳେ । ସୈନ୍ୟବାହିନୀ ବା ନୌବାହିନୀ ପ୍ରାୟ ନଥିଲା । ପରାମର୍ଶଦାତାମାନେ କୂଟନୀତିଜ୍ଞ ଭାବରେ ବିଶେଷ ଅନୁଭୂତିସଂପନ୍ନ ହୋଇ ନଥିଲେ ରାଣୀଙ୍କୁ ମାତ୍ର ପଞ୍ଚବିଂଶବର୍ଷ ବୟସ । ତେବେ ଗଭୀର ଆତ୍ମବିଶ୍ୱାସ ନେଇ ଏବଂ ଦେଶବାସୀଙ୍କର ଅନୁରକ୍ତିକୁ ସମ୍ବଳ କରି ସେ ସମସ୍ୟାଗୁଡ଼ିକର ପ୍ରତିକାର ଦିଗରେ ଆଗଭର ହୋଇଥିଲେ । ଧର୍ମ ଓ ବୈଦେଶିକ ବ୍ୟାପାର କ୍ଷେତ୍ରରେ ମଧ୍ୟ ତାଙ୍କୁ ଅତି ସତର୍କତାର ସହ ଅଗ୍ରସର କରିବାକୁ ପଡ଼ିଥିଲା । ଭଉଣୀ ମେରୀଙ୍କ ସମୟରେ ଘଟି ଯାଇଥିବା ରକ୍ତପାତରୁ ସେ ନିଜେ ରକ୍ଷା ପାଇଥିଲେ ବୋଲି ଭବିଷ୍ୟତରେ ତା’ର ପୁନରାବୃତ୍ତି ଯେପରି ନ ହେଉ ସେଥିପାଇଁ ଦୃଢ଼ସଂକଳ୍ପ ଥିଲେ । ଏ ଦିଗରେ ସେସିଲ୍‌ଙ୍କୁ ବିଶ୍ୱସ୍ତ ପରାମର୍ଶଦାତାରୂପେ ପାଇଥିବାରୁ ଏଲିଜାବେଥ୍‌ଙ୍କ ଗୁରୁଭାର କେତେକାଂଶରେ ଲାଘବ ହୋଇପାରିଥିଲା । ସେସିଲ ଥିଲେ ଜଣେ ଅଭିଜ୍ଞ, କର୍ତ୍ତବ୍ୟନିଷ୍ଠ, ଚତୁର, ଦୂରଦୃଷ୍ଟିସଂପନ୍ନ ରାଜଭକ୍ତ-। ଜୀବନର ବାକି ସମୟତକ ସେ ରାଣୀଙ୍କର ସେବାରେ ନିୟୋଜିତ କରି ସରକାରୀ କର୍ତ୍ତବ୍ୟ ନିର୍ବାହରେ ନିଷ୍ଠାପରତା ଓ ଦକ୍ଷତାର ପରିଚୟ ଦେଇଥିଲେ ।

 

ଏଲିଜାବେଥ୍‌ଙ୍କର ବିବାହ ନିହାତି ଏକ ବ୍ୟକ୍ତିଗତ ପ୍ରଶ୍ନ ହୋଇଥିଲେହେଁ ଇଂଲଣ୍ତ ଓ ଇଉରୋପର ରାଜନୀତି ଉପରେ ତାହା ବିଶେଷ ପ୍ରଭାବ ପକାଇଥିଲା । ବୟସ ଦୃଷ୍ଟିରୁ କୁମାରୀ ରହିବା ଆଉ ଉଚିତ ନଥିଲା ଏବଂ ଅଳ୍ପଦିନ ମଧ୍ୟରେ ନିଜର ମନଲାଖି ବର ପସନ୍ଦ କରିବା ବା ନ କରିବା ଦାୟିତ୍ୱ ତାଙ୍କ ଉପରେହିଁ ଥିଲା । ରାଜନୈତିକ ପରିସ୍ଥିତି ଦୃଷ୍ଟିରୁ, ସ୍କଟ୍‍ ରାଣୀ ମେରୀଙ୍କ ଇଂଲଣ୍ତ ସିଂହାସନ ଉପରେ ଥିବା ଦାବିକୁ ହଟାଇବା ପାଇଁ ସ୍ପେନ୍ ସହିତ ମୈତ୍ରୀଭାବ ସ୍ଥାପନ କରିବା ନିହାତି ଜରୁରୀ ଥିଲା ! ସ୍ପେନ୍‍ରାଜା ଫିଲିପ୍‌ ସେହି ଦୃଷ୍ଟିରୁ ଭାବୁଥିଲେ ଯେ ଏଲିଜାବେଥ୍ ତାଙ୍କୁ ସ୍ୱାମୀରୂପେ ଗ୍ରହଣ କରିବେ । କିନ୍ତୁ ତାହା କରିବାଦ୍ୱାରା ସ୍ପେନ୍ ଓ ପୋପ୍‌ଙ୍କର କର୍ତ୍ତୃତ୍ୱ ଇଂଲଣ୍ତ ଉପରେ ସୁପ୍ରତିଷ୍ଠିତ ହେବା ଆଶଙ୍କାରେ ଏଲିଜାବେଥ୍‌ ଫିଲିପ୍‌ଙ୍କର ବିବାହ ପ୍ରସ୍ତାବରେ ସମ୍ମତି ଦେଇ ନଥିଲେ । ବ୍ୟକ୍ତିଗତ ଓ ସାମାଜିକ ଦୃଷ୍ଟିକୋଣରୁ ବିବାହର ଆବଶ୍ୟକତା ଯେତେ ଅପରିହାର୍ଯ୍ୟ ହେଲେହେଁ ରାଜନୈତିକ ବିଚାର ଦୃଷ୍ଟିରୁ ତାହା ଯେ ଅପ୍ରାସଙ୍ଗିକ ଏକଥାରେ ସେ ଓ ତାଙ୍କର ପରାମର୍ଶଦାତାମାନେ ସମ୍ପୂର୍ଣ୍ଣ ଏକମତ ଥିଲେ । ସେହି ଦିନଠାରୁ ସେ ଚିରକୁମାରୀ ରହିବାର ସିଦ୍ଧାନ୍ତ ଗ୍ରହଣ କରିଥିଲେ ।

 

ଧର୍ମନୀତି

 

ଅଷ୍ଟମ ହେନେରୀଙ୍କ ରାଜତ୍ୱରେ ଇଂଲଣ୍ତରେ ଧର୍ମବିପ୍ଳବ ଆରମ୍ଭ ହୋଇ ରୋମ ସବୁ ସହିତ ସମ୍ପର୍କ ଛିନ୍ନ ହୋଇଥିଲା । ଏହି ବିପ୍ଳବର ପରିଣାମ ରାଜନୈତିକ ଓ ଅର୍ଥନୈତିକ ଥିଲା । କିନ୍ତୁ ଷଷ୍ଠ ଏଡ଼୍‌ୱାର୍ଡ଼ଙ୍କ ସମୟରେ ଉପାସନା କ୍ଷେତ୍ରରେ ନାନାବିଧ ପରିବର୍ତ୍ତନ ଅଣାଯାଇଥିଲା । ଉକ୍ତ ପରିବର୍ତ୍ତନ ସମାଜରେ ଗୃହୀତ ହେବା ପୂର୍ବରୁ ରାଣୀ ମେରୀଙ୍କ ରାଜତ୍ୱରେ ଧର୍ମ ନାମରେ ଯେଉଁ ସଂହାର ଚାଲିଲା ତାହା ଇଂରେଜମାନଙ୍କର ଆଧ୍ୟାତ୍ମିକ ଜୀବନକୁ ବ୍ୟଥିତ ଓ ଦୁର୍ବିସହ କରିଥିଲା । ଅଷ୍ଟମ ହେନେରୀଙ୍କ ପ୍ରଣୀତ ଧର୍ମନୀତିକୁ ରଦ୍ଦ କରି କାଥଲିକ୍‍ ଧର୍ମର ପୁନଃ ପ୍ରବର୍ତ୍ତନ ହୋଇଥିଲା । କିନ୍ତୁ ତାହା ମଧ୍ୟ ଜନାଦୃତ ନ ହେବାରୁ ଏଲିଜାବେଥ୍‌ଙ୍କ ଉପରେ ସବୁଠାରୁ ଗୁରୁଚାପ ଥିଲା ଏକ ସାର୍ବଜନୀନ, ସ୍ଥାୟୀ ଓ ସ୍ୱାଗତଯୋଗ୍ୟ ଧର୍ମନୀତି କାର୍ଯ୍ୟକାରୀ କରିବା ।

 

ସ୍ପେନ୍‌ ରାଜା ଫିଲିପ୍‌ ଅବଶ୍ୟ ଚାହୁଁଥିଲେ ରାଣୀ ଏଲିଜାବେଥ୍‌ଙ୍କ ଜରିଆରେ ଇଂଲଣ୍ଡରେ କାଥଲିକ୍‍ ଧର୍ମର ପୁନଃ ପ୍ରତିଷ୍ଠା । ପରିସ୍ଥିତି ଦୃଷ୍ଟିରୁ କାଥଲିକ୍‍ ଧର୍ମର ପ୍ରାଚୀନତ୍ୱ ଓ ପରମ୍ପରାକୁ ତ୍ୟାଗକରି ଉଗ୍ରପନ୍ଥୀ ପ୍ରୋଟେଷ୍ଟାଣ୍ଟ୍ ଧର୍ମକୁ ଗ୍ରହଣ କରିବାକୁ ସମାଜ ଚାହୁଁ ନଥିଲା । ଏଲିଜାବେଥ୍‌ ଧର୍ମ ଓ ବିବେକ ଦୃଷ୍ଟିରୁ ଏ ସମସ୍ୟାକୁ ବିଚାର ନ କରି ରାଜନୈତିକ ଦୃଷ୍ଟିକୋଣରୁ ବିଚାର କରିଥିଲେ । ଧର୍ମକ୍ଷେତ୍ରରେ ପୋପ୍‌ଙ୍କୁ ଅବଜ୍ଞା କରି ରାଜା ବା ରାଣୀଙ୍କର କ୍ଷମତାକୁ ଚୂଡ଼ାନ୍ତ ବୋଲି ଗ୍ରହଣ କରିବାର ଆବଶ୍ୟକତା ଯଥେଷ୍ଟ ଥିଲା । ତା’ ଛଡ଼ା କାଥଲିକ୍‍ମାନଙ୍କ ମତରେ ଏନ୍‌ବୋଲିନଙ୍କର ବିବାହ ନିୟମାନୁମୋଦିତ ନଥିଲା ବୋଲି ଏଲିଜାବେଥ୍‌ ଅବୈଧରୂପେ କଥିତ ହେଉଥିଲେ ଏବଂ ସେ ଦୃଷ୍ଟିରୁ ସିଂହାସନ ପ୍ରତି ତାଙ୍କର କୌଣସି ଅଧିକାର ନଥିଲା । ଏହି ସବୁ କଥା ଚିନ୍ତାକରି ଏଲିଜାବେଥ୍‌ ପ୍ରୋଟେଷ୍ଟାଣ୍ଟ୍ ଧର୍ମ ପ୍ରତି ଆକୃଷ୍ଟ ହୋଇଥିଲେ । ସିଂହାସନର ସୁରକ୍ଷା ଓ ନିରାପତ୍ତା ପାଇଁ ରୋମର ପ୍ରଭୁତ୍ୱକୁ ଅସ୍ୱୀକାର କରି ପ୍ରୋଟେଷ୍ଟାଣ୍ଟ୍ ପଥାବଲମ୍ବୀ ହେବା ତାଙ୍କ ପକ୍ଷେ ଅନିବାର୍ଯ୍ୟ ଥିଲା । ଅନ୍ୟ କେତେକ ବିଷୟ ମଧ୍ୟ ଏଲିଜାବେଥ୍‌ ନିଜ ବିଚାରକୁ ନେଇଥିଲେ । ଇଂରେଜୀ ଭାଷାରେ ବାଇବେଲ ଅନୁବାଦିତ ହୋଇ ପ୍ରଚଳିତ ହେବା ଦିନଠାରୁ ଇଂଲଣ୍ଡରେ ତା’ର ଆଦର ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ପ୍ରୋଟେଷ୍ଟାଣ୍ଟ୍ ଗୋଷ୍ଠୀର ସଂଖ୍ୟା ବୃଦ୍ଧି ପାଉଥିଲା । ପ୍ରୋଟେଷ୍ଟାଣ୍ଟ୍ ଧର୍ମପ୍ରଚାରକମାନଙ୍କର ସାଧୁ ଓ ସଚ୍ଚରିତ୍ର ଜୀବନର ଆଦର୍ଶ, ନିଃସ୍ୱାର୍ଥପର ଉପାସନା ଓ ମେରୀଙ୍କ ସମୟରେ ଅକାତରରେ ଧର୍ମପାଇଁ ଜୀବନ ଦାନ ଲୋକମାନଙ୍କୁ ମୁଗ୍ଧ କରିଥିଲା । କାଥଲିକ୍‌ ଧର୍ମକୁ ‘ପ୍ରାଚୀନ’ ବୋଲି ଅନେକେ ଉପହାସ କରୁଥିଲେ । ଆଉ କେତେକ ତାହା ବିଦେଶୀ ଧର୍ମ ବୋଲି ଘୃଣା ମଧ୍ୟ କରୁଥିଲେ । ସ୍କଟ୍‍ ରାଣୀ ମେରୀ, ସ୍ପେନ୍‌ ରାଜା ଫିଲିପ୍‌ ଏବଂ ପୋପ୍‌ ପ୍ରଭୃତି କାଥଲିକ୍‍ ଥିବାରୁ ଏବଂ ସେମାନେ ଏଲିଜାବେଥ୍‌ଙ୍କର ଶତ୍ରୁଭାବ ଆଚରଣ କରୁଥିବାରୁ ଇଂରେଜମାନେ ରାଣୀଙ୍କ ପ୍ରତି ଓ ସ୍ୱଦେଶ ପ୍ରଚଳିତ ପ୍ରୋଟେଷ୍ଟାଣ୍ଟ୍ ଧର୍ମ ପ୍ରତି ବେଶୀ ଅନୁରକ୍ତି ପ୍ରକାଶ କରିଥିଲେ । ତାହା ଏଲିଜାବେଥ୍‌ଙ୍କ ନିଷ୍ପତ୍ତିକୁ ବହୁଭାବରେ ପ୍ରଭାବିତ କରିଥିଲା । ତେଣୁ ଏଲିଜାବେଥ୍‌ ପ୍ରୋଟେଷ୍ଟାଣ୍ଟ୍ ଧର୍ମ ପ୍ରତି ବ୍ୟକ୍ତିଗତ ଭାବରେ ଆକୃଷ୍ଟ ହୋଇଥିଲେ ଏବଂ ତା’ର ପୃଷ୍ଠପୋଷକତା କରିଥିଲେ ।

 

ଏଲିଜାବେଥ୍‌ଙ୍କର ଧର୍ମନୀତି ଅଷ୍ଟମ ହେନେରୀଙ୍କ ଧର୍ମନୀତି ପରି ବୈପ୍ଳବିକ ନଥିଲା ବା ମେରୀଙ୍କ ପରି ପ୍ରତିକ୍ରିୟାମୂଳକ ନଥିଲା । ନିହାତି ସାଧାରଣଜ୍ଞାନ ନେଇ ସେ ପୁରୁଖା ରାଜନୀତିଜ୍ଞ ହିସାବରେ ଏକ ମଧ୍ୟମ ପନ୍ଥା ଅନୁସରଣ କରିଥିଲେ । କ୍ୟାଣ୍ଟରବାରୀର ମୁଖ୍ୟ ବିଶପ୍‌ ଭାବରେ ସେ ମାଥ୍ୟୁପାର୍କାର ନାମକ ଜଣେ ମଧ୍ୟପନ୍ଥୀ ସଂଯତ ପ୍ରୋଟେଷ୍ଟାଣ୍ଟ୍‍ଙ୍କୁ ନିଯୁକ୍ତ କରିଥିଲେ-। ଗିର୍ଜାଗୁଡ଼ିକରେ ପ୍ରାର୍ଥନା, ଉତ୍ସବ, ଉପାସନାଦିରେ ଇଂରେଜୀ ଭାଷା ପ୍ରଚଳନ ଜାରି ରହିଥିଲା-। ଏହି ଧର୍ମବିଷୟକ ନିତି ନିର୍ଦ୍ଧାରଣ ପାଇଁ ୧୫୫୯ ଖ୍ରୀ:ରେ ଏକ ନୂତନ ପାର୍ଲିଆମେଣ୍ଟ୍‍ ଆହୂତ ହୋଇଥିଲା । ସେଥିରେ ପ୍ରଥମେ ମେରୀଙ୍କ ରାଜତ୍ୱ କାଳରେ କାଥଲିକ୍‍ ଧର୍ମର ପୁନଃ ପ୍ରତିଷ୍ଠାପାଇଁ ୧୫୫୪ ଖ୍ରୀ:ରେ ପ୍ରଣୀତ ଆଇନଗୁଡ଼ିକୁ ବାତିଲ କରାଯାଇଥିଲା । ଇଂଲଣ୍ଡକୁ ପୋପ୍‌ଙ୍କ କର୍ତ୍ତୃତ୍ୱକୁ ଲୋପ କରି ଅଷ୍ଟମ ହେନେରୀଙ୍କ ଅମଳର ଆଇନଗୁଡ଼ିକୁ ବଳବତ୍ତର କରାଗଲା-। ଖ୍ରୀ: ୧୫୫୯ରେ ରାଣୀ ଏଲିଜାବେଥ୍‌ଙ୍କୁ ବେସାମରିକ ଓ ଧର୍ମବିଷୟକ ପ୍ରସଙ୍ଗ ଉପରେ ସର୍ବୋମୟ କର୍ତ୍ତାରୂପେ ସ୍ୱୀକାର କରି ସର୍ବୋଚ୍ଚ ଆଇନ (Act of supremacy) ଜାରି ହେଲା-। ଷଷ୍ଠ ଏଡ଼୍‌ୱାର୍ଡ଼ଙ୍କ ସମୟରେ ପ୍ରବର୍ତ୍ତିତ ହୋଇଥିବା ଦ୍ୱିତୀୟ ପ୍ରାର୍ଥନା ପୁସ୍ତକକୁ ଭିତ୍ତି କରି ଏକ ସାମ୍ୟ ଆଇନ (Act of uniformity) ଗୃହୀତ ହେଲା । ଏହି ଆଇନ ବଳରେ ଧର୍ମଯାଜକମାନଙ୍କର ପୋଷାକ ପରିଚ୍ଛଦ ଓ ଗିର୍ଜାଗୁଡ଼ିକର ସାଜସଜ୍ଜାକୁ ନିୟନ୍ତ୍ରଣ କରାଗଲା ଏବଂ ପରିଶେଷରେ ଷଷ୍ଠ ଏଡ଼୍‍ୱାର୍ଡ଼ଙ୍କ ୪୨ ଧାରା ଆଇନକୁ ୩୯ ଧାରା ଆଇନରେ ପରିଣତ କରାଗଲା-

 

ଏହାହିଁ ଥିଲା ଏଲିଜାବେଥ୍‍ଙ୍କର ଧର୍ମନୀତି । ଏଥିରେ ନୂତନତ୍ୱ କିଛି ନଥିଲା ଅଷ୍ଟମ ହେନେରୀ ଓ ଷଷ୍ଠ ଏଡ଼୍‍ୱାର୍ଡ଼ଙ୍କର ଧର୍ମନୀତିର ଏହା ଥିଲା ଏକ ସମନ୍ୱୟ ମାତ୍ର । ପୋପ୍‌ଙ୍କ କର୍ତ୍ତୃତ୍ୱକୁ ଲୋପ କରିବା ବ୍ୟତୀତ ଅନ୍ୟ କୌଣସି ଆଦେଶ ଏଲିଜାବେଥ୍‌ ଘୋଷଣା କରି ନଥିଲେ-। ଯାହାକି କାଥଲିକ୍‍ଗୋଷ୍ଠୀ ମନରେ ଆଘାତ ଜନ୍ମାଇଥା’ନ୍ତା । ପ୍ରାର୍ଥନା ପୁସ୍ତକମାନଙ୍କରୁ କାଥଲିକ୍‍ ବା ରୋମବିରୋଧୀ ପ୍ରଚାରକୁ ବାଦ ଦିଆଯାଇଥିଲା । ଧର୍ମୋପାସନାରେ ବ୍ୟକ୍ତିଗତ ସ୍ୱାଧୀନତା ସୁରକ୍ଷିତ ହେଲା । ଏଲିଜାବେଥ୍‌ଙ୍କର ସର୍ବୋଚ୍ଚ ଆଇନ ହେନେରୀଙ୍କର ସର୍ବୋଚ୍ଚ ଆଇନଠାରୁ ଭିନ୍ନ ଥିଲା । ଯା ହେଉ ଏଲିଜାବେଥ୍‌ଙ୍କର ଧର୍ମନୀତି ଅଧିକ ବାସ୍ତବ, ରୁଚିକର ଓ ବିଜ୍ଞତାର ପରିଚାୟକ-। ଧର୍ମଯାଜକମାନଙ୍କୁ ଏହି ନୀତି ଗ୍ରହଣ କରିବାକୁ ପରାମର୍ଶ ଦିଆଗଲା । ଯେଉଁମାନେ ଗ୍ରହଣ ନ କଲେ ସେମାନଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଗଲା । ଅନେକ କାଥଲିକ୍‍ ବିଶପ୍‌ ନିଜ ଧର୍ମର ମର୍ଯ୍ୟାଦା ସ୍ୱାଭିମାନ ପାଇଁ ରାଣୀଙ୍କ ପାଖରେ ଇସ୍ତଫା ପ୍ରଦାନ କରିଦେଲେ । ମୋଟାମୋଟି ଭାବରେ ଦେଖିବାକୁ ଗଲେ ଏଲିଜାବେଥ୍‌ଙ୍କ ନୀତି ଓ ପକ୍ଷକୁ ସଭିଏଁ ସମର୍ଥନ କରିଥିଲେ-। ନିରପେକ୍ଷ ଧର୍ମନୀତି ଭାବରେ ଏହା ବିଶେଷ ଆଦୃତ ହୋଇ ସୁପ୍ରତିଷ୍ଠିତ ହୋଇପାରିଥିଲା-। ଏହି ନୀତି ନୂତନତ୍ୱ ରହିତ ହେଲେହେଁ ଅନ୍ତର୍ନିହିତ ସହନଶୀଳତା ଓ ସାର୍ବଜନୀନ ହିତ ସକାଶେ ଅଭିପ୍ରେତ ହୋଇଥିବାରୁ ଅତ୍ୟନ୍ତ ହୃଦୟଗ୍ରାହୀ ହୋଇଥିଲା ।

 

ବୈଦେଶିକ ନୀତି

ପ୍ରତିଧର୍ମ ସଂସ୍କାର ଆନ୍ଦୋଳନ ବା ଧର୍ମବିପ୍ଳବବିରୋଧୀ ଆନ୍ଦୋଳନ

 

ଖ୍ରୀ:୧୫୨୯ ଠାରୁ ଇଂଲଣ୍ଡରେ ଧର୍ମକ୍ଷେତ୍ରରେ ଯେତେ ପରିବର୍ତ୍ତନର ଉତ୍ଥାନ ପତନ ଦେଖାଦେଲା ସେ ସବୁ ଶାସକମାନଙ୍କଦ୍ୱାରାହିଁ ସଂଘଟିତ ହୋଇଥିଲା । ଶାସକଙ୍କର ଧର୍ମ ଶାସିତମାନଙ୍କଦ୍ୱାରା ଇତିହାସରେ ସର୍ବଦା ଓ ସର୍ବତ୍ର ଅନୁସୃତ ହୋଇଥିବାରୁ ଦୃଷ୍ଟାନ୍ତ ଦେଖିବାକୁ ମିଳେ । ପୋପ୍‌ ଏବଂ ଅନ୍ୟାନ୍ୟ କାଥଲିକ୍‍ ନେତା ଇଂଲଣ୍ଡରେ କାଥଲିକ୍‍ ଧର୍ମର ପୁନଃ ପ୍ରଚଳନ ପାଇଁ ସଦା ଚିନ୍ତିତ ଥିଲେ । ଇଂରେଜମାନେ ନିଜ ରାଜା ବା ରାଣୀଙ୍କ ଧର୍ମକୁ ଅନୁସରଣ କରିବା ଉପଲବ୍ଧି କରି ସେମାନେ କଳେ ବଳେ କୌଶଳେ ଇଂଲଣ୍ଡର ଶାସକଙ୍କୁ କାଥଲିକ୍‍ କରିବାର ବା ଜଣେ କାଥଲିକ୍‍ଙ୍କୁ ଶାସକ ଭାବରେ ଅଧ୍ୟୁଷିତ କରିବାର ଉପାୟ ଚିନ୍ତା କରିଥିଲେ । ଏଥିପାଇଁ ଅବଶ୍ୟ ସ୍କଟ୍‍ ରାଣୀ ମେରୀ ଥିଲେ ଉପଯୁକ୍ତ ପାତ୍ରୀ । ସେ ଇଂଲଣ୍ଡର ରାଣୀ ଭାବରେ ଅଭିଷିକ୍ତା ହୋଇଥିଲେ କାଥଲିକ୍‍ମାନଙ୍କର ଚିରବାଞ୍ଚ୍ଥିତ ଆଶା ସହଜରେ ପୂରଣ ହୋଇଥାନ୍ତା । ତା’ ଛଡ଼ା ମେରୀ ଟିଉଡ଼ର୍‍ଙ୍କ ସ୍ୱାମୀ ରାଜା ଫିଲିପ୍‌ ମେରୀଙ୍କ ଇଚ୍ଛାପତ୍ର ଅନୁସାରେ ଯଦି ଇଂଲଣ୍ଡକୁ ବଳାତ୍କାରରେ ଅଧିକାର କରନ୍ତେ ବା ଏଲିଜାବେଥ୍‌ ଯଦି ତାଙ୍କୁ ବିବାହ କରିବାକୁ ଅଙ୍ଗୀକାର କରନ୍ତେ ତେବେ ସବୁ ଅଡ଼ୁଆ ନିର୍ବିଘ୍ନରେ ତୁଟି ଯାଇଥାନ୍ତା । ତେବେ ଏଲିଜାବେଥ୍‌ଙ୍କୁ ବିବାହ କରିବାକୁ ହେଲେ ପୋପ୍‌ଙ୍କଠାରୁ ଅନୁମତି ନେବାକୁ ପଡ଼ିଥାନ୍ତା–କାରଣ ପୋପ୍‌ଙ୍କ ଦୃଷ୍ଟିରେ ଏଲିଜାବେଥ୍‌ ଏକ ଅନ୍ୟାୟ ବିବାହର ସନ୍ତାନ ହେତୁ ଅବୈଧ ରୂପ ପରିଗଣିତା ହେଉଥିଲେ ।

 

କାଥଲିକ୍‍ମାନଙ୍କର ଉପରୋକ୍ତ ଆଶା କୌଣସି ପ୍ରକାରେ ଫଳବତୀ ନ ହେବାରୁ ସେମାନେ ଅସ୍ଥିର ହୋଇ ପଡ଼ିଥିଲେ । ଏ ସମୟରେ ଇଉରୋପରେ ଦୁଇ ଖ୍ରୀଷ୍ଟିଆନ ସଂପ୍ରଦାୟ ପରସ୍ପର ପ୍ରତିଦ୍ୱନ୍ଦ୍ୱିତାମୂଳକ ଅଗ୍ରସର ଗତିପଥରେ ହେଉଥାନ୍ତି । ଇଂଲଣ୍ଡ, ନେଦାରଲ୍ୟାଣ୍ଡ, ଉତ୍ତର ଜର୍ମାନୀ ପ୍ରଭୃତି ଅଞ୍ଚଳରେ ପ୍ରୋଟେଷ୍ଟାଣ୍ଟ୍ ଧର୍ମର ବ୍ୟାପକ ପ୍ରସାର ଘଟିଥିଲା । ତାକୁ ସୀମିତ ରଖି ନିଜ ପରିସର ବୃଦ୍ଧି କରିବାପାଇଁ କାଥଲିକ୍‍ମାନେ ଏହି ସମୟରେ ଏକ ଧର୍ମବିପ୍ଳବ ବା ପ୍ରୋଟେଷ୍ଟାଣ୍ଟ୍ ସମ୍ପ୍ରଦାୟବିରୋଧୀ ଆନ୍ଦୋଳନ ଆରମ୍ଭ କରିଥାନ୍ତି । ଆତ୍ମସମୀକ୍ଷା, ସମାଲୋଚନା, ସଂସ୍କାର ଓ ସଂଗଠନଦ୍ୱାରା କାଥଲିକ୍‍ ଧର୍ମକୁ ବଳିଷ୍ଠ ଏବଂ ପବିତ୍ର କରିବାର ଯୋଜନା କାର୍ଯ୍ୟକାରୀ ହେଉଥାଏ । ଏଥିପାଇଁ ଟ୍ରେଣ୍ଟର ପରିଷଦ (Council of Trent) ବହୁବିଧ ଉପାୟ ଅବଲମ୍ବନ କରିଥିଲା । ପୋପ୍‌, ବିଶପ୍‌, ଏବଂ ଧର୍ମଯାଜକମାନେ ଦୁର୍ନୀତି ଓ ବ୍ୟଭିଚାରକୁ ପରିହାର କରି ଧର୍ମ ପ୍ରତି ବିଶେଷ ତତ୍ପରତା ପ୍ରଦର୍ଶନ କରୁଥିଲେ । ଜେସୁଟ୍‌ ସଂଘ ମଧ୍ୟ ପ୍ରତିଷ୍ଠିତ ହୋଇ କାଥଲିକ୍‍ ସମ୍ପ୍ରଦାୟ ପ୍ରତି ଲୋକଙ୍କୁ ଆକୃଷ୍ଟ କରିବାର ନାନାବିଧ ପନ୍ଥା ଉଦ୍ଭାବନ କରିଥିଲେ । ସେମାନଙ୍କର ସମବେତ ଉଦ୍ୟମ କେତେକାଂଶରେ ସାଫଲ୍ୟମଣ୍ଡିତ ହେବାରୁ ସେମାନେ ଇଂଲଣ୍ଡ ପ୍ରତି ନଜର ଦେଇଥିଲେ ।

 

ଇଂଲଣ୍ଡରେ ପ୍ରତିଧର୍ମ ସଂସ୍କାର ଆନ୍ଦୋଳନର ଅଗ୍ରଗତି ପାଇଁ ସମସ୍ତ ଚେଷ୍ଟା ପରିଶେଷରେ କିନ୍ତୁ ପଣ୍ଡ ହୋଇ ଯାଇଥିଲା । ସେ ସମୟରେ ଇଉରୋପର ପ୍ରୋଟେଷ୍ଟାଣ୍ଟ୍ ମତବାଦ ଓ ପ୍ରୋଟେଷ୍ଟାଣ୍ଟ୍ ଦେଶଗୁଡ଼ିକର ନେତୃତ୍ୱ ନେଇଥିଲା ଇଂଲଣ୍ଡ । ତେଣୁ ଇଂଲଣ୍ଡରେ ପ୍ରୋଟେଷ୍ଟାଣ୍ଟ୍ ଧର୍ମର ସୁରକ୍ଷାପାଇଁ କେବଳ ଇଂରେଜ ପ୍ରୋଟେଷ୍ଟାଣ୍ଟ୍ କାହିଁକି ସମଗ୍ର ବିଶ୍ୱର ପ୍ରୋଟେଷ୍ଟାଣ୍ଟ୍‍ମାନେ ବ୍ୟାକୁଳ ଓ ସଜାଗ ଥିଲେ । ସବୁ କିଛି ଅବଶ୍ୟ ନିର୍ଭର କରୁଥିଲା ଏଲିଜାବେଥ୍‌ଙ୍କ ଉପରେ । ତାଙ୍କୁ ଏ ସମ୍ପର୍କରେ ଅନେକ କଥା ଚିନ୍ତା କରିବାକୁ ପଡ଼ିଥିଲା । ଜେସୁଟ୍‌ସ୍‌ମାନେ ଉଗ୍ରପନ୍ଥୀ ଥିବାରୁ ସମୟ ସମୟରେ ଷଡ଼ଯନ୍ତ୍ର କରି ଏଲିଜାବେଥ୍‌ଙ୍କୁ ହତ୍ୟା କରିବାର ଉପକ୍ରମ କରିଥିଲେ । କାଥଲିକ୍‍ ସ୍ୱାର୍ଥ ଦୃଷ୍ଟିରୁ ତାଙ୍କର ମୃତ୍ୟୁ ଆବଶ୍ୟକ ଥିଲେହେଁ ପ୍ରୋଟେଷ୍ଟାଣ୍ଟ୍ ସ୍ୱାର୍ଥ ଦୃଷ୍ଟିରୁ ତାଙ୍କର ଦୀର୍ଘଜୀବନ ଲୋକେ କାମନା କରୁଥିଲେ । ଉତ୍ତରାଧିକାରୀରୂପେ ସ୍କଟ୍‍ ରାଣୀ ମେରୀ ଇଂଲଣ୍ଡ ସିଂହାସନ ଆରୋହଣ କଲେ ସମାଜରେ ପୁଣି ନିର୍ଯାତନା, ରକ୍ତପାତର ତାଣ୍ଡବଲୀଳା ଆରମ୍ଭ ହେବା ସମ୍ଭାବନା ପୂରାପୂରି ରହିଥିଲା । ତେଣୁ ଶୀଘ୍ର କୌଣସି ପ୍ରୋଟେଷ୍ଟାଣ୍ଟ୍‍କୁ ବିବାହ କରି ଇଂଲଣ୍ଡକୁ ଏକ ପ୍ରୋଟେଷ୍ଟାଣ୍ଟ୍ ଉତ୍ତରାଧିକାରୀ ପ୍ରଦାନ କରିବାର ପ୍ରସ୍ତାବ ଯେତେ ଆକର୍ଷଣୀୟ ଥିଲେହେଁ ବହୁ ଦୂରଦୃଷ୍ଟି ନେଇ ଏଲିଜାବେଥ୍‌ ସେଥିରେ ରାଜି ହୋଇ ନଥିଲେ । ସେ ଯେଉଁ ସନ୍ଧିକ୍ଷଣରେ ଇଂଲଣ୍ଡର କର୍ଣ୍ଣଧାର ହୋଇଥିଲେ ସେତେବେଳେ ତାହାହିଁ ଥିଲା ବିଜ୍ଞତାର ପରିଚାୟକ । ସେଥିପାଇଁ ବହୁ ପ୍ରସ୍ତାବ ଆସିଥିଲେ ମଧ୍ୟ ଦେଶବାସୀଙ୍କ ଗ୍ରହଣଯୋଗ୍ୟ ନ ହେବାରୁ ସେ ସବୁ ପ୍ରତ୍ୟାଖ୍ୟାନ କରିଥିଲେ ।

 

ଏହି ବିବାହ ପ୍ରସଙ୍ଗ ନେଇ ଏଲିଜାବେଥ୍‌ କିଛିଦିନ ପାଇଁ ସ୍ପେନ୍‌ ଓ ଫ୍ରାନ୍‌ସକୁ ବେଶ୍‌ କାବୁରେ ରଖିପାରିଥିଲେ । ଫ୍ରାନ୍‌ସ ଓ ସ୍ପେନ୍ ମଧ୍ୟରେ ଶତ୍ରୁତା ପ୍ରଚ୍ଛନ୍ନ ଥିଲା । ଫ୍ରାନ୍‌ସ କାଥଲିକ୍‍ ରାଷ୍ଟ୍ର ହେଲେହେଁ ଧର୍ମବିପ୍ଳବବିରୋଧୀ ଆନ୍ଦୋଳନରେ ଯୋଗ ଦେଇ ନଥିଲା ବୋଲି ଏଲିଜାବେଥ୍‌ ଫ୍ରାନ୍‌ସର ବୋର୍ବନ୍‌ ବଂଶୀୟ କୌଣସି ରାଜପୁତ୍ରଙ୍କ ସହିତ ବିବାହ କରିବାକୁ ଇଚ୍ଛାନ୍ୱିତ ହୋଇଥିଲେ-। ଅବଶ୍ୟ ସ୍ପେନ୍‌ ସହିତ ଥିବା ବ୍ୟକ୍ତିଗତ ଶତ୍ରୁଭାବ ମଧ୍ୟ କାରଣ ବୋଲି ମନେ କରାଯାଇପାରେ-। ଫ୍ରାନ୍‌ସ ସହିତ ମୈତ୍ରୀ ସ୍ଥାପନ କରି ବା ମୈତ୍ରୀ ସ୍ଥାପନର ଛଳନା କରି ସେ ସ୍ପେନ୍‍କୁ ଅକ୍ତିଆରରେ ରଖିପାରିଥିଲେ । ଏହା ରାଜତ୍ୱ କାଳର ପ୍ରାୟ ଅର୍ଦ୍ଧାଧିକ ସମୟ ଏଲିଜାବେଥ୍‌ଙ୍କ ବୈଦେଶିକ ନୀତିକୁ ପ୍ରଭାବିତ କରିଥିଲା ।

 

ଏଲିଜାବେଥ୍‌ଙ୍କର ବୈଦେଶିକ ନୀତି ତେଣୁ ଧର୍ବବିପ୍ଳବବିରୋଧୀ ଆନ୍ଦୋଳନ ବିରୁଦ୍ଧରେ ଏକ ନିରବଚ୍ଛିନ୍ନ ସଂଗ୍ରାମଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ବ୍ୟପଦେଶରେ ତାଙ୍କୁ ସ୍କଟ୍‍ଲାଣ୍ଡ୍‍ ଓ ସ୍ପେନ୍ ସହିତ ମୁକାବିଲା କରିବାକୁ ପଡ଼ିଥିଲା–କାରଣ ଉକ୍ତ ଦୁଇ ଦେଶର ଶାସକ ଥିଲେ କାଥଲିକ୍‍ ଧର୍ମର ପ୍ରଧାନ ପୃଷ୍ଠପୋଷକ ।

 

ଏଲିଜାବେଥ୍‌ ଓ ସ୍କଟ୍‍ଲାଣ୍ଡ୍‍

 

ସ୍କଟ୍‍ଲାଣ୍ଡ୍‍ ସହିତ ଏଲିଜାବେଥ୍‌ଙ୍କର ବୈଦେଶିକ ସମ୍ପର୍କ ଅତିଶୟ ଜଟିଳ ଥିଲା । ସେଥିପାଇଁ କାରଣ ମଧ୍ୟ ଯଥେଷ୍ଟ ଥିଲା । ଉପରୋକ୍ତ ବଂଶାବଳୀ ଅନୁଧ୍ୟାନ କଲେ ଜଣାଯାଏ ଯେ ଇଂଲଣ୍ଡର ସିଂହାସନ ପ୍ରତି ସ୍କଟ୍‍ ରାଣୀ ମେରୀଙ୍କର ନାର୍ଯ୍ୟ ଅଧିକାର ଥିଲା । ଅଷ୍ଟମ ହେନେରୀ ନିଜ ଇଚ୍ଛାପତ୍ରରେ ଭଉଣୀ ମାର୍ଗାରେଟ୍‌ଙ୍କୁ ପୂରାପୂରି ଉପେକ୍ଷା କରିଥିଲେ କିନ୍ତୁ ସାନ ଭଉଣୀ ମେରୀଙ୍କୁ ବାଦ ଦେଇ ନଥିଲେ । ମାର୍ଗାରେଟ୍‌ଙ୍କ ବଂଶର ଜୀବିତ ଦାୟାଦ ଥିଲେ ସ୍କଟ୍‍ ରାଣୀ ମେରୀ । ତେଣୁ କାଥଲିକ୍‌ମାନଙ୍କ ଦୃଷ୍ଟିରେ ଏଲିଜାବେଥ୍‌ ଇଂଲଣ୍ଡର ରାଣୀ ନ ହୋଇ ସ୍କଟ୍‍ ରାଣୀ ମେରୀ ସିଂହାସନ ପାଇବାର ହକ୍‌ଦାର । ଏଲିଜାବେଥ୍‌ ରାଣୀ ହେବାର ମାତ୍ର ୬ ମାସ ପୂର୍ବରୁ ସ୍କଟ୍‍ ରାଣୀ ମେରୀ ଫ୍ରାନ୍‌ସର ଯୁବରାଜ ଦ୍ୱିତୀୟ ଫ୍ରାନ୍‌ସିସ୍‌ଙ୍କୁ ବିବାହ କରିଥିଲେ ଏବଂ ନିଜର ଅକାଳ ମୃତ୍ୟୁ ହେଲେ ସ୍କଟ୍‍ଲାଣ୍ଡ୍‍ ଏବଂ ଇଂଲଣ୍ଡର ସିଂହାସନ ସ୍ୱାମୀ ଫ୍ରାନ୍‌ସିସ୍‌ ପାଇବେ ବୋଲି ଘୋଷଣା କରିଥିଲେ । ଏହା ଫଳରେ ଫ୍ରାନ୍‌ସ୍‌ ଓ ସ୍କଟ୍‍ଲାଣ୍ଡ୍‍ର ଏକତ୍ରୀକରଣର ସମ୍ଭାବନା ଉଜ୍ଜ୍ୱଳ ହୋଇଥିଲା-। କିନ୍ତୁ ଏଥିର କେତେକ ପ୍ରତିବନ୍ଧକ ରହିଥିଲା । ଉଦାହରଣସ୍ୱରୂପ, ସ୍କଟ୍‍ଲାଣ୍ଡ୍‍ର ସାମନ୍ତମାନେ ଉଗ୍ର ପ୍ରୋଟେଷ୍ଟାଣ୍ଟ୍ ପନ୍ଥୀ (ପ୍ରେସବାଇଟର) ହୋଇଥିବାରୁ ଫ୍ରାନ୍‌ସ ରାଜାଙ୍କୁ ବା ଫ୍ରାନ୍‌ସ ସହିତ ମୈତ୍ରୀଭାବକୁ ପସନ୍ଦ କରୁ ନଥିଲେ । ଏଲିଜାବେଥ୍‌ କିନ୍ତୁ ଏହି ସାମନ୍ତମାନଙ୍କୁ କୌଣସି ପ୍ରକାର ସାହାଯ୍ୟ ଦେଇ ନଥିଲେ । କାରଣ ଶାସିତମାନଙ୍କୁ ଶାସକଙ୍କ ବିରୁଦ୍ଧରେ ଉତ୍ସାହିତ କରିବା ନୀତିଗତ ଦୃଷ୍ଟିରୁ ସେ ପସନ୍ଦ କରୁ ନଥିଲେ । ତା’ଛଡ଼ା ସ୍କଟୀୟ ସାମନ୍ତମାନଙ୍କୁ ପ୍ରୋତ୍ସାହିତ କରିଥିଲେ ଫ୍ରାନ୍‌ସ ହୁଏତ ଏଲିଜାବେଥ୍‌ଙ୍କର ଇଂରେଜ ସମାଲୋଚକ ବା ଶତ୍ରୁମାନଙ୍କୁ ସାହାଯ୍ୟ କରିଥାନ୍ତ । ତଦ୍ଦ୍ୱାରା ସମସ୍ୟା କ୍ରମଶଃ ଜଟିଳ ହେବାର ଭୟ ଥିଲା ।

 

ଏହି ସମୟରେ ଜନ୍‌ ନକ୍‌ସ (John Knox) ନାମକ ଜଣେ ସ୍କଟୀୟ ଧର୍ମସଂସ୍କାରକ ପ୍ରମିଳା ରାଜତ୍ୱକୁ ପରିହାସ ଓ ସମାଲୋଚନା କରି ‘ବିକଟାଳ ନାରୀଦଳ’ (The Monstrous Regiment of Women) ବିରୁଦ୍ଧରେ ପ୍ରଥମ ତୁର୍ଯ୍ୟନାଦ ନାମରେ ଏକ ପୁସ୍ତକରେ ମେରୀ ଟିଉଡ଼ର୍‌, ମେରୀ ଅଫ୍‌ ଗାଇସ୍‌ ଏବଂ ସ୍କଟ୍‍ ରାଣୀ ମେରୀଙ୍କ ରାଜତ୍ୱର ଭୟାବହତାକୁ ସମାଜ ସମ୍ମୁଖରେ ଉପସ୍ଥାପିତ କରିଥିଲେ । ଏହି ପୁସ୍ତକ କାଥଲିକ୍‍ ରାଣୀଙ୍କୁ ସମାଲୋଚନା କରିଥିଲେହେଁ ଏଲିଜାବେଥ୍‌ ଅପମାନିତ ବୋଧକରି ଜନ୍‌ ନକ୍‌ସଙ୍କୁ ଇଂଲଣ୍ଡ ପ୍ରବେଶପାଇଁ ଅନୁମତି ଦେଇ ନଥିଲେ । ଏହି ଜନ୍‌ ନକ୍‌ସଙ୍କଦ୍ୱାରା ସ୍କଟ୍‌ଲ୍ୟାଣ୍ଡରେ ଧର୍ମକ୍ଷେତ୍ରରେ ନାନା ବିତ୍ପାତ ଓ ବିଦ୍ରୋହ ସଂଘଟିତ ହୋଇଥିଲା । ବିଶୃଙ୍ଖଳ ଜନତା ଗିର୍ଜା, ମଠ ଆଦି ଭାଙ୍ଗି ଚୂରମାର କରି ପକାଇଥିଲେ । ବିଦ୍ରୋହ ଦମନପାଇଁ ମେରୀ ଅଫ୍‌ ଗାଇସ୍‌ (ସ୍କଟ୍‍ଲାଣ୍ଡ୍‍ ଶାସନ କାର୍ଯ୍ୟ ପରିଚାଳନା ଭାର ତାଙ୍କ ଉପରେ ନ୍ୟସ୍ତ ଥିଲା) ଫ୍ରାନ୍‌ସର ସାହାଯ୍ୟ ଲୋଡ଼ନ୍ତେ ଏଲିଜାବେଥ୍‌ ପରିସ୍ଥିତିର ଗୁରୁତ୍ୱ ପ୍ରତି ଲକ୍ଷ୍ୟ କଲେ । ଧର୍ମସଂସ୍କାରକ ବିଦ୍ରୋହୀମାନେ ତାଙ୍କୁ ସାହାଯ୍ୟପାଇଁ ପ୍ରାର୍ଥନା କଲାରୁ ବଡ଼ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା । କିନ୍ତୁ ସ୍ଥିର ହୋଇ ରହିଲେ ସେ ସ୍କଟୀୟମାନଙ୍କର ବିଶ୍ୱାସ ହରାଇବେ ଓ ଫ୍ରାନ୍‌ସର ବିଜୟ ସୁନିଶ୍ଚିତ ହେବ ଏହି ଭୟରେ ଏଲିଜାବେଥ୍ ଅର୍ଥ ଓ ସୈନ୍ୟ ସାହାଯ୍ୟ ସ୍କଟ୍‍ଲାଣ୍ଡ୍‍କୁ ପଠାଇଥିଲେ । ସେନାପତି ଉଇଣ୍ଟାରଙ୍କର ଅଧିନାୟକତ୍ୱରେ ଗୋଟିଏ ସ୍କ୍ୱାଡ଼୍ରନ୍‌ ନୌଭେଳା ଫରାସୀସୈନ୍ୟଙ୍କର ଗତିଅବରୋଧ ପାଇଁ ପଠାଯାଇଥିଲା । ମେରୀ ଅଫ୍‌ ଗାଇସ୍‍ଙ୍କ ବିରୁଦ୍ଧରେ ସଂସ୍କାରକ ଓ ଏଲିଜାବେଥ୍‌ଙ୍କର ଗୋଟିଏ ଚୁକ୍ତି ମଧ୍ୟ ସଂପାଦିତ ହୋଇଥିଲା । ଇଂରେଜ ଓ ସ୍କଟ୍‍ମାନଙ୍କ ମିଳିତ ଉଦ୍ୟମରେ ଫରାସୀମାନେ ପରାଜୟ ସ୍ୱୀକାର କରି ବିତାଡ଼ିତ ହେଲେ । ଏହା ମଧ୍ୟରେ ମେରୀ ଅଫ୍‌ ଗାଇସ୍‌ଙ୍କର ମୃତ୍ୟୁ ହୋଇଥିଲା । ଇଂରେଜ ସୈନ୍ୟମାନେ ବିଜୟ ଲାଭ ପରେ ସ୍ୱଦେଶକୁ ବାହୁଡ଼ି ଯିବାଦ୍ୱାରା ସ୍କଟୀୟମାନଙ୍କର କୃତଜ୍ଞତା ଲାଭ କରିଥିଲେ । ସ୍କଟ୍‍ଲାଣ୍ଡ୍‍ରେ ଇଂଲଣ୍ଡ ପ୍ରତି ଆଦର ଓ ସ୍ନେହ ବୃଦ୍ଧି ପାଇଲା । ଏଲିଜାବେଥ୍‌ ଅଧିକନ୍ତୁ ସେ ଦେଶରେ ପ୍ରୋଟେଷ୍ଟାଣ୍ଟ୍ ଧର୍ମର ପ୍ରତିଷ୍ଠା ଓ ସୁରକ୍ଷାପାଇଁ ଦୃଢ଼ ପଦକ୍ଷେପ ନେଇଥିବାରୁ ଫ୍ରାନ୍‌ସ ଦିଗରୁ ଯେଉଁ ଭୟର ଆଶଙ୍କା ଥିଲା ତାହା ଦୂର ହୋଇଗଲା । ଅଚାନକ ଦ୍ୱିତୀୟ ଫ୍ରାନ୍‌ସିସ୍‌ଙ୍କ ମୃତ୍ୟୁ ହେବାରୁ ସ୍କଟ୍‍ ରାଣୀ ମେରୀ ବିଧବା ହୋଇ ସ୍କଟ୍‍ଲାଣ୍ଡ୍‍ ଫେରିଆସିବାଦ୍ୱାରା ସ୍କଟ୍‍ଲାଣ୍ଡ୍‍ ଓ ଫ୍ରାନ୍‌ସ୍‌ର ପ୍ରଶାସନିକ ଏକତ୍ରୀକରଣ ସମ୍ଭାବନା ଚିରଦିନ ସକାଶେ ଦୂର ହୋଇଗଲା । ଏଲିଜାବେଥ୍‌ ଶାନ୍ତିରେ ନିଃଶ୍ୱାସ ମାରିଲେ ।

 

ସ୍କଟ୍‍ରାଣୀ ମେରୀ

 

ପୃଥିବୀ ଇତିହାସର କେତୋଟି ଅଭୁଲା ଚରିତ୍ର ମଧ୍ୟରେ ସ୍କଟ୍‍ ରାଣୀ ମେରୀ ହେଲେ ଅନ୍ୟତମ । ଅଭିଶପ୍ତ ଜୀବନ ଯେ କେତେ ବ୍ୟଥାଭରା ଓ ଦୁଃଖାତ୍ମକ ହୋଇପାରେ ତା’ର ସେ ଥିଲେ ଜ୍ୱଳନ୍ତ ଦୃଷ୍ଟାନ୍ତ । ୧୫୬୧ ଖ୍ରୀ:ରେ ମାତ୍ର ଊନବିଂଶ ବର୍ଷରେ ବୈଧବ୍ୟର ବୋଝ ଓ ଯନ୍ତ୍ରଣା ନେଇ ସେ ସ୍କଟ୍‍ଲାଣ୍ଡ୍‍ ଫେରିବା କାଳରେ ଆତ୍ମୀୟ ବୋଲି ତାଙ୍କର ଆଉ କେହି ନଥିଲେ । ସ୍କଟ୍‍ଲାଣ୍ଡ୍‍ର ରାଜକନ୍ୟା ଓ ଫ୍ରାନ୍‌ସର ରାଣୀ ସେତେବେଳେ ପିତୃମାତୃ ଓ ସ୍ୱାମୀହୀନା । ତାଙ୍କର ମନ କ୍ଳେଶ, ମୁଖମଣ୍ଡଳ ନିଷ୍ପ୍ରଭତା ଓ ବିମର୍ଷଭାବ ଉପଲବ୍ଧି କରି ସଭିଏଁ ସନ୍ତ୍ରସ୍ତ ହୋଇ ଉଠିଥିଲେ-। ସ୍ୱଦେଶ ବାହୁଡ଼ା କାଳରେ ସ୍କଟ୍‍ଲାଣ୍ଡ୍‍ ତାଙ୍କୁ ହାର୍ଦ୍ଦିକ ସ୍ୱାଗତ ଜ୍ଞାପନ କରିଥିଲେହେଁ, ମେରୀଙ୍କ ଧର୍ମ ପ୍ରତି ଯେ ତିକ୍ତ ବିଦ୍ୱେଷଭାବ ପୋଷଣ କରିଥିଲା ଏହା କାହାକୁ ଅଛପା ନଥିଲା । ସ୍କଟ୍‍ଲାଣ୍ଡ୍‍ର ରାଜନୈତିକ ଅସ୍ଥିରତା, ସାମାଜିକ ବିଶୃଙ୍ଖଳା, ସାମନ୍ତମାନଙ୍କର ସ୍ୱାର୍ଥ ଓ ଈର୍ଷାପରାୟଣତା ଏବଂ ସର୍ବୋପରି ରାଜଭକ୍ତିର ଅଭାବ ମେରୀଙ୍କ ପାଇଁ ବଡ଼ ଜଟିଳ ପରିସ୍ଥିତି ସୃଷ୍ଟି କରିଥିଲା-। ହତ୍ୟା, ବିଭୀଷିକା, ରକ୍ତପାତ, କଳହ ଅତି ଦୈନନ୍ଦିନ ଓ ସାଧାରଣ ବିଷୟ ହୋଇଥିଲା-। ଏପରି ଅବସ୍ଥାରେ ଶାସନକ୍ଷେତ୍ରରେ ଶୃଙ୍ଖଳା ଓ ନିରାପତ୍ତା ପ୍ରତିଷ୍ଠା କରିବା ନିହାତି ଆବଶ୍ୟକ ଥିବା ସ୍ଥଳେ ମେରୀଙ୍କର ଅନୁଭୂତିବିହୀନ ଶାସକ ଜୀବନ କେତେଦୂର ଯେ ସାର୍ଥକତା ହାସଲ କରିବ ତାହା ଚିନ୍ତାର ବିଷୟ ।

 

ମେରୀ ଅତୀବ ସୌନ୍ଦର୍ଯ୍ୟମୟୀ ଥିଲେ । ଶାରୀରିକ ସୌନ୍ଦର୍ଯ୍ୟ ଓ ମାନସିକ ବିଚକ୍ଷଣତା ତାଙ୍କର ଆୟୁଧସ୍ୱରୂପ ଥିଲା । ବୟସର ନିଶା ନେଇ ସେ ଯେ ପୁନରାୟ ବିବାହ କରିବେ ଏକଥା ସମସ୍ତେ ଅନୁଭବ କରିଥିଲେ । କେତେ ପ୍ରକାର ପ୍ରସ୍ତାବ ଓ ଗୁଜବ ମଧ୍ୟ ଶୁଣାଯାଉଥିଲା । ଏଲିଜାବେଥ୍‌ ମଧ୍ୟ ଏକ ବିବାହ ପ୍ରସ୍ତାବ ଦେଇଥିଲେ । କିନ୍ତୁ ମେରୀ ସବୁକୁ ତୁଚ୍ଛ କରି ନିଜର ସମ୍ପର୍କୀୟ ଭାଇ ଲର୍ଡ଼ ଡାନ୍‌ଲେଙ୍କୁ ବିବାହ କରିଥିଲେ । ଦୁହେଁ ଥିଲେ ମାର୍ଗାରେଟ୍‌ ଟିଉଡ଼ର୍‍ଙ୍କର ପୌତ୍ର ଓ ପୌତ୍ରୀ । ତେଣୁ ଟିଉଡ଼ର୍ ବଂଶର ଦୁହେଁ ବୈବାହିକ ବନ୍ଧନରେ ଆବଦ୍ଧ ହେବାରୁ ଉକ୍ତ ବିବାହ ଏଲିଜାବେଥ୍‍ଙ୍କର ସମର୍ଥନ ଲାଭ କରିଥିଲା । ଏହା ଫଳରେ ଗୋଟିଏ କଥା ପରିଷ୍କାର ହୋଇଗଲା; ଯଦି ଏଲିଜାବେଥ୍‌ଙ୍କର ଅକାଳ ବିୟୋଗ ଘଟେ ତେବେ ମେରୀ ଓ ଡାନ୍‌ଲେ ସମ୍ଭୂତ ସନ୍ତାନ ଇଂଲଣ୍ଡର ଶାସକ ହେବେ । ଦୁହେଁଯାକ କାଥଲିକ୍‌ ଥିବା ହେତୁ ସେମାନଙ୍କର ସନ୍ତାନ ଯେ କାଥଲିକ୍‍ ହେବ ଏବଂ ଏହି କାଥଲିକ୍‍ ଇଂଲଣ୍ଡର ଭାବୀଶାସକ ହେବେ, ଏହା ମଧ୍ୟ ପରିଷ୍କାର ଜଣାଗଲା ।

 

କିନ୍ତୁ ଏ ବିବାହ ବେଶୀଦିନ ସ୍ଥାୟୀ ହୋଇପାରିଲା ନାହିଁ । ଡାନ୍‌ଲେ ଓ ମେରୀଙ୍କ ମଧ୍ୟରେ ଅତି ଛୋଟ ଛୋଟ କାରଣରୁ ମନାନ୍ତର ଓ କଳହ ଘଟୁଥିଲା । ମେରୀଙ୍କ ସ୍ୱକୀୟ ସହାୟକ ରିସିଓ ସହିତ ଘନିଷ୍ଠତା ଡାନ୍‌ଲେ ପସନ୍ଦ କରୁ ନଥିଲେ । ବିବାହ ମୁକୁଟ ସ୍ୱାମୀଙ୍କୁ ଦେବେ ନାହିଁ ବୋଲି କହିବାରୁ ମେରୀଙ୍କ ସହ ଡାନ୍‌ଲେଙ୍କ ଥରେ ଖୁବ୍‌ ଝଗଡ଼ା ହୋଇଥିଲା । ତେଣୁ କ୍ଷୁଣ୍ଣ ହୋଇ ଅପମାନର ପ୍ରତିଶୋଧ ନେବାପାଇଁ ଡାନ୍‌ଲେ କେତେକ ସାମନ୍ତମାନଙ୍କ ସହାୟତାରେ ରିସିଓଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ । ଡାନ୍‌ଲେ ଓ ମେରୀଙ୍କୁ ସମର୍ଥନ କରି ସ୍କଟୀୟ ସାମନ୍ତମାନେ ଦୁଇ ବିବାଦୀୟ ଗୋଷ୍ଠୀରେ ବିଭକ୍ତ ହୋଇଗଲେ । ବତ୍‌ୱେଲ୍‌ ନାମକ ଜଣେ ସାମନ୍ତ ମେରୀଙ୍କ ପ୍ରତି ବିଶେଷ ଅନୁରକ୍ତ ଥିଲେ । ରିସିଓଙ୍କ ହତ୍ୟା ମେରୀଙ୍କ ମନରେ ଗଭୀର ଦୁଃଖର ରେଖାପାତ କରିଥିଲେହେଁ ସେ ବାହାରକୁ ତାହା ପ୍ରକାଶ କରି ନଥିଲେ । ସ୍ୱାମୀଙ୍କ ମନକୁ ଜିଣି ନେଇ ସେ ମନେମନେ ପ୍ରତିଶୋଧର ପଥ ଖୋଜି ବୁଲିଲେ । ପ୍ରତିହିଂସାର ଅଗ୍ନି ତାଙ୍କୁ କ୍ରମଶଃ ଗ୍ରାସ କରୁଥାଏ-। ଏହିସମୟରେ ତାଙ୍କର ପୁତ୍ର ଜେମ୍‌ସ୍‍ଙ୍କର ଜନ୍ମ ହୋଇଥିଲା । ଖ୍ରୀ: ୧୫୬୭ ସାଲ ଜାନୁଆରୀ ମାସ ଗ୍ଳାସ୍‌ଗୋ ସହରରେ ଡାନ୍‌ଲେ ବସନ୍ତ ରୋଗରେ ପୀଡ଼ିତ ହୋଇ ଆରୋଗ୍ୟ ହେବା ସମୟରେ ଏଡ଼ିନ୍‌ବରାର ଉପକଣ୍ଠରେ କାର୍କ–ଓ–ଫିଲ୍‌ଡ଼ ନାମକ ଏକ ମଠରେ ଆଶ୍ରୟ ନେଇଥିଲେ । ମେରୀ ନିୟମିତ ଭାବରେ ସେଠାକୁ ଯାଇ ସ୍ୱାମୀଙ୍କର ସେବାଶୁଶ୍ରୂଷା କରୁଥାନ୍ତି-। ଫେବୃୟାରୀ ୯ ତାରିଖ ଦିନ ଡାନ୍‌ଲେ ରହୁଥିବା ପ୍ରକୋଷ୍ଠରେ ତଳ ମହଲାସ୍ଥ କୋଠରୀରେ ବଥ୍‌ୱେଲ୍‌ ବାରୁଦ ଭର୍ତ୍ତି କରି ରାଣୀଙ୍କୁ ନେଇ ହଲିରୁଡ଼୍‌ ପ୍ରାସାଦକୁ ଚାଲିଗଲେ ଓ ସେଠାରୁ ଫେରିଗଲେ କାର୍କ–ଓ–ଫିଲ୍‌ଡ଼କୁ । ଫେବୃୟାରୀ ମାସ ୧୦ ତାରିଖ ଦିନ ରାତି ପ୍ରାୟ ୨ଟା ସମୟରେ କାର୍କ–ଓ–ଫିଲ୍‌ଡ଼ରେ ବିସ୍ଫୋରଣ ଘଟିଲା । ଡାନ୍‌ଲେ ଏବଂ ତାଙ୍କ ବାଳକ ଚାକରର ମୃତ ଶରୀର ନିକଟସ୍ଥ ଉଦ୍ୟାନ ମଧ୍ୟରୁ ମିଳିଥିଲା । ଏହି ଜଘନ୍ୟ ନୃଶଂସ ହତ୍ୟାକାଣ୍ଡରେ ବଥ୍‍ୱେଲ୍‌ଙ୍କ ଭୂମିକା ଓ ମେରୀଙ୍କ ଚକ୍ରାନ୍ତ ଅତି ସ୍ପଷ୍ଟ ଥିଲା । ଏହାର ଅଳ୍ପ କେତେ ଦିନ ପରେ ବଥ୍‌ୱେଲ୍‌ ମେରୀଙ୍କୁ ବିବାହ କରିଥିଲେ । ସାରା ଜଗତ ଏ ବିବାହରେ ହତବାକ୍‌ ଓ ସ୍ତମ୍ଭୀଭୂତ ହୋଇଥିଲା-। ସମସ୍ତେ ମେରୀଙ୍କୁ ଘୃଣା ଦୃଷ୍ଟିରେ ଦେଖିଲେ । ଏଡ଼ିନ୍‌ବରା ସହରର ଲୋକମାନେ ବଥ୍‌ୱେଲ୍‌ଙ୍କୁ ହତ୍ୟାକାରୀ ବୋଲି ପ୍ରଚାରପତ୍ର ବାଣ୍ଟିଲେ ଏବଂ ଡାନ୍‌ଲେଙ୍କ ସମର୍ଥକ କେତେକ ସାମନ୍ତ ତାଙ୍କ ବିରୁଦ୍ଧରେ ଏକତ୍ରିତ ହୋଇଥିଲେ । ପିଙ୍କି ନିକଟସ୍ଥ କାର୍‌ବେରୀ ପାହାଡ଼ ନିକଟରେ ଦୁଇ ଦିନ ସଂଗ୍ରାମରେ ଲିପ୍ତ ଥିବା ଅବସ୍ଥାରେ ବଥ୍‌ୱେଲ୍‌ ରଣକ୍ଷେତ୍ରରୁ ପଳାୟନ କଲେ ଏବଂ ମେରୀ ବନ୍ଦୀ ହୋଇ ଏଡ଼ିନ୍‌ବରାକୁ ଆନୀତ ହେଲେ । ତତ୍ପରେ ସ୍କଟ୍‍ଲାଣ୍ଡ୍‍ର ଲୋକ ଲେଭେନ୍‌ (Loch leven) ଦୁର୍ଗରେ ତାଙ୍କୁ ବନ୍ଦୀ କରି ରଖାଯାଇଥିଲା ।

 

ମେରୀଙ୍କ କାରବାସରେ ଏଲିଜାବେଥ୍ ଦୁଃଖିତ ହୋଇ ତାଙ୍କର ନିରାପତ୍ତା ପାଇଁ ବିଦ୍ରୋହୀ ସାମନ୍ତମାନଙ୍କୁ ନିବେଦନ କରିଥିଲେ । ଶିଶୁପୁତ୍ର ଜେମ୍‌ସ୍‍ଙ୍କୁ ଇଂଲଣ୍ଡ ପଠାଇଦେବା ପାଇଁ ମଧ୍ୟ ସେ ଅନୁରୋଧ ଜଣାଇଥିଲେ । ମେରୀ ନିଜ ଶିଶୁପୁତ୍ର ଜେମ୍‌ସ୍‍ଙ୍କ ଉଦ୍ଦେଶ୍ୟରେ ସିଂହାସନ ତ୍ୟାଗ କଲାରୁ ସାମନ୍ତମାନେ ମୋରେଙ୍କୁ ନେଇ ସ୍କଟ୍‍ଲାଣ୍ଡ୍‍ରେ ଏକ ତତ୍ତ୍ୱାବଧାରକ ସରକାର ପ୍ରତିଷ୍ଠା କରିଥିଲେ । ସ୍ୱାମୀହୀନ, ଆଶ୍ରୟହୀନ, ବନ୍ଦୀ ଅବସ୍ଥାରେ ଥାଇ ମଧ୍ୟ ମେରୀଙ୍କ ଦୁଃସାହସ କମ୍‌ ନଥିଲା । ସେ ନିଜର ଶାରୀରିକ ସୌନ୍ଦର୍ଯ୍ୟର ବିନିଯୋଗରେ କାରାଧ୍ୟକ୍ଷ ଜର୍ଜ ଡଗ୍‌ଲାସଙ୍କୁ ମୁଗ୍ଧ କରି କାରାଗାରରୁ ପଳାୟନ କରିଥିଲେ ଏବଂ ବନ୍ଧୁ ହାମିଲଟନ ପରିବାରର ଆଶ୍ରୟ ନେଇଥିଲେ । କିନ୍ତୁ ମୋରେଙ୍କଦ୍ୱାରା ବିତାଡ଼ିତ ହୋଇ ୧୫୬୮ ଖ୍ରୀ:ରେ ସେ ସ୍କଟ୍‍ଲାଣ୍ଡ୍‍ ପରିତ୍ୟାଗ କରି ଇଂଲଣ୍ଡ ଅଭିମୁଖରେ ପଳାୟନ କରିଥିଲେ । ନିଜ କଳଙ୍କମୟ ଜୀବନ ଓ ଘୃଣ୍ୟ ଚକ୍ରାନ୍ତ ଆଦି ଯୋଗୁଁ ସେ ଏଲିଜାବେଥ୍‌ଙ୍କଦ୍ୱାରା ରାଜକୀୟ ମର୍ଯ୍ୟାଦା ବା ସମ୍ବର୍ଦ୍ଧନା ପାଇ ପାରି ନଥିଲେ । ୟର୍କସାୟାରର ବୋଲଟନଠାରେ ତାଙ୍କୁ ନଜରବନ୍ଦୀରେ ରଖାଯାଇଥିଲା ।

 

ସ୍କଟ୍‍ରାଣୀ ମେରୀ ଏହିପରି ଅସହାୟାଭାବେ ଇଂଲଣ୍ଡର ଆଶ୍ରୟପ୍ରାର୍ଥିନୀ ହେବାରୁ ଏଲିଜାବେଥ୍‌ଙ୍କ ଉଦ୍‌ବେଗ କିଛି ହ୍ରାସ ପାଇଥିଲା । ଇଂଲଣ୍ଡ ଉପରେ ଦାଉ ସାଧିବାପାଇଁ ଫ୍ରାନ୍‌ସ ବା ସ୍ପେନ୍‌ ସ୍କଟ୍‍ଲାଣ୍ଡ୍‍କୁ ଉପଯୋଗ କରିବାର ସମ୍ଭାବନା ଲୋପ ପାଇଗଲା ।

 

ଫ୍ରାନ୍‌ସର ଆଭ୍ୟନ୍ତରୀଣ ବ୍ୟାପାରରେ କେତେକ ବିତ୍ପାତ ସୃଷ୍ଟି ହୋଇଥିଲା । ସେଠାରେ ହୁଗୁଏନ୍‌ଟ୍‌ ନାମରେ ପ୍ରୋଟେଷ୍ଟାଣ୍ଟ୍ ପନ୍ଥୀ କେତେକ ଅଧିବାସୀ ବିପ୍ଳବ ଆରମ୍ଭ କରିଥିଲେ । ସିଂହାସନ ନାମରେ ପ୍ରୋଟେଷ୍ଟାଣ୍ଟ୍ ପନ୍ଥୀ କେତେକ ଅଧିବାସୀ ବିପ୍ଳବ ଆରମ୍ଭ କରିଥିଲେ । ସିଂହାସନ ପାଇଁ ମଧ୍ୟ ଦୁଇ ରାଜବଂଶ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା । ଏ ଅବସ୍ଥାରେ ଏଲିଜାବେଥ୍‌ଙ୍କ ଉପରେ ଫ୍ରାନ୍‌ସ ପଟୁ କୌଣସି ବିପଦର ଆଶଙ୍କା ନଥିଲା । ଏହି ଅବସ୍ଥାର ସୁଯୋଗ ନେଇ ହେନେରୀ ଅଫ୍‌ ନାଭାରେ ନାମକ ଜଣେ ଫରାସୀ ପ୍ରୋଟେଷ୍ଟାଣ୍ଟ୍‍ଙ୍କୁ ଫ୍ରାନ୍‌ସର ରାଜା କରିବାପାଇଁ ସେ ପ୍ରାୟ ତିନିଲକ୍ଷ ପାଉଣ୍ଡ ମୁଦ୍ରା ଖର୍ଚ୍ଚ କରିଥିଲେ । ଏହିପରି କାର୍ଯ୍ୟଦ୍ୱାରା ସ୍କଟ୍‍ରାଣୀ ମେରୀଙ୍କୁ ଫରାସୀ ସାହାଯ୍ୟ ପାଇବାରୁ ସେ ବଞ୍ଚିତା କରିପାରିଥିଲେ ।

 

ସ୍ପେନ୍‌ ସହିତ ବୈଦେଶିକ ନୀତିରେ ଏଲିଜାବେଥ୍‌ କୌଣସି ପରିବର୍ତ୍ତନର ସୂଚନା ଦେଇ ନଥିଲେ । ନେଦାରଲ୍ୟାଣ୍ଡରେ ସ୍ପେନ୍‍ବିରୋଧୀ ବିକ୍ଷୋଭକୁ ସେ ବରଂ ଆର୍ଥିକ ସାହାଯ୍ୟ ଦେଇ ଅଧିକ ଉତ୍ତେଜିତ କରିଥିଲେ । ଏଥିରେ ତାଙ୍କର ପ୍ରାୟ ପଚାଶ ଲକ୍ଷ ପାଉଣ୍ଡ ଅର୍ଥ ଖର୍ଚ୍ଚ ହୋଇଥିଲା ।

 

ଇତିମଧ୍ୟରେ ସ୍କଟ୍‍ରାଣୀ ମେରୀଙ୍କ ବିଚାରପାଇଁ ଯେଉଁ କମିଶନ୍‌ ଏଲିଜାବେଥ୍‌ ବସାଇଥିଲେ ତା’ର ମୁଖ୍ୟ ଥିଲେ ନର୍‌ଫୋକ୍‌ । ତଦନ୍ତ କରୁଥିବା ସମୟରେ ନର୍‌ଫୋକ୍‌ ହଠାତ୍‌ ବିବାହ କରି ସ୍କଟ୍‍ଲାଣ୍ଡ୍‍ ଓ ଇଂଲଣ୍ଡର ଶାସକ ହେବାର ସ୍ୱପ୍ନ ଦେଖିଥିଲେ । ଏହି ଯୋଜନା ଜଣାପଡ଼ିବାରୁ ତଦନ୍ତ ବନ୍ଦ କରାଯାଇ ମେରୀଙ୍କୁ ତୁତ୍‌ବାରୀକୁ ପଠାଇ ଅଧିକ କଡ଼ା ନିୟନ୍ତ୍ରଣ ମଧ୍ୟରେ ରଖାଯାଇଥିଲା । ନର୍‌ଫୋକ୍‌ କିନ୍ତୁ ନେଦାରଲ୍ୟାଣ୍ଡରେ ଥିବା ସ୍ପେନୀୟ ସେନାଧ୍ୟକ୍ଷ ଡିଉକ୍‌ ଅଫ୍‌ ଆଲ୍‍ଭାଙ୍କ ସହିତ ମନ୍ତ୍ରଣା ଆରମ୍ଭ କରିଥିଲେ । ତାଙ୍କର ଉଦ୍ଦେଶ୍ୟ ଥିଲା ଏଲିଜାବେଥ୍‌ଙ୍କ ମନ୍ତ୍ରୀ ସେସିଲ୍‌ଙ୍କୁ ବନ୍ଦୀ କରି ସ୍କଟ୍‍ରାଣୀ ମେରୀଙ୍କୁ ମୁକ୍ତ କରିବା । ଏଥିପାଇଁ ଇଂଲଣ୍ଡର ଉତ୍ତରାଞ୍ଚଳରେ ପାର୍ସି ଏବଂ ନେଭିଲ୍‌ ନାମକ ଦୁଇଜଣ ବିଦ୍ରୋହୀ ସଶସ୍ତ୍ର ବିଦ୍ରୋହ ମଧ୍ୟ ଆରମ୍ଭ କରିଥିଲେ । କିନ୍ତୁ ଏଲିଜାବେଥ୍‌ ସେମାନଙ୍କ ଉଦ୍ୟମକୁ ବ୍ୟର୍ଥ କରି ବିଦ୍ରୋହକୁ ଦୃଢ଼ହସ୍ତରେ ଦମନ କରିଥିଲେ । କାଥଲିକ୍‌ ଧର୍ମପାଇଁ ବିଦ୍ରୋହୀମାନେ ଯୁଦ୍ଧ କରୁଛନ୍ତି ବୋଲି ପ୍ରକାଶ କରିଥିଲେହେଁ କାହାଠାରୁ ସାହାଯ୍ୟ ବା ସହାନୁଭୂତି ପାଇବାର ନଥିଲେ । ବରଂ ସାମ୍ପ୍ରଦାୟିକତାରୁ ଦେଶକୁ ରକ୍ଷା କରିବାପାଇଁ ଏଲିଜାବେଥ୍ ଉକ୍ତ ବିଦ୍ରୋହ ଦମନର ଦାୟିତ୍ୱ ଇସେକ୍‌ସ ନାମକ ଜଣେ ଅନୁରକ୍ତ ରାଜଭକ୍ତଙ୍କ ଉପରେ ନ୍ୟସ୍ତ କରି ଗଭୀର ଦୂରଦୃଷ୍ଟିର ପରିଚୟ ଦେଇଥିଲେ ।

 

ଧର୍ମବିପ୍ଳବ–ବିରୋଧୀ ଆନ୍ଦୋଳନର ମୁଖ୍ୟ ପୁରୋଧା ପୋପ୍‌ ଲକ୍ଷ୍ୟସିଦ୍ଧିର ଅନ୍ୟ ଉପାୟ ନ ପାଇ ହତୋତ୍ସାହ ହୋଇ ଏଲିଜାବେଥ୍‍ଙ୍କୁ କବଳିତ କରିବାର ଶେଷ ପନ୍ଥା ଉଦ୍ଭାବନ କଲେ । ଇଉରୋପୀୟ ରାଜନୀତିରେ ଜଣେ ବିଧର୍ମୀ ନାରୀଶାସକଙ୍କଦ୍ୱାରା ଇଂଲଣ୍ଡ ସୁରକ୍ଷିତ ହୋଇପାରିବ ବୋଲି ତାଙ୍କର ଧାରଣା ନଥିଲା । ଖ୍ରୀ: ୧୫୭୦ରେ ତେଣୁ ପୋପ୍‌ ପଞ୍ଚମ ପାୟାସ୍‌ ଏଲିଜାବେଥ୍‌ଙ୍କୁ ଧର୍ମଚ୍ୟୁତ ବୋଲି ଘୋଷଣା କରି ଖ୍ରୀଷ୍ଟିଆନ ପ୍ରଜାମାନଙ୍କୁ ତାଙ୍କର ଆଦେଶ ଅମାନ୍ୟ କରିବାପାଇଁ ଆହ୍ୱାନ ଦେଇଥିଲେ । ଇଂଲଣ୍ଡକୁ ରୋମର କର୍ତ୍ତୃତ୍ୱ ଅଧୀନକୁ ନେବାର ଅଣୁମାତ୍ର ସମ୍ଭାବନା ନଥିବା ସ୍ଥଳେ ଇଂରେଜ କାଥଲିକ୍‍ମାନଙ୍କୁ ବଡ଼ କିଂକର୍ତ୍ତବ୍ୟ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା । ସେମାନେ ରାଣୀ ଓ ପୋପ୍‌ଙ୍କ ମଧ୍ୟରେ କାହାପ୍ରତି ଅନୁରକ୍ତି ଦେଖାଇବେ ସ୍ଥିର କରି ପାରିଲେନାହିଁ । ଯେଉଁମାନେ ପୋପ୍‌ଙ୍କୁ ସମର୍ଥନ କଲେ ସେମାନେ ରାଣୀଙ୍କ ବିରୁଦ୍ଧରେ ନାନାପ୍ରକାର ଷଡ଼ଯନ୍ତ୍ରରେ ଲିପ୍ତ ରହିଲେ । ଏହିପରି ଷଡ଼ଯନ୍ତ୍ରକାରୀମାନଙ୍କୁ ରାଜଦ୍ରୋହ ଅପରାଧରେ ଅଭିଯୁକ୍ତ କରି କଠୋର ଦଣ୍ଡ ଦିଆଯାଇଥିଲା । ନରଫୋକ୍‌, କାଥବାର୍ଟ ମେନ୍‌, କାଂପିୟାନ୍‌ ଏବଂ ଥ୍ରକ୍‌ମର୍ଟନ; ଏଲିଜାବେଥ୍‌ଙ୍କୁ ହତ୍ୟା କରିବାର ଚକ୍ରାନ୍ତ କରି ନିଜେ ମୃତ୍ୟୁଦଣ୍ଡ ପାଇଥିଲେ । କେବଳ ପାସିନ୍‌ସ୍ ପ୍ରାଣରକ୍ଷା ଉଦ୍ଦେଶ୍ୟରେ ସ୍କଟ୍‍ଲାଣ୍ଡ୍‍କୁ ପଳାୟନ କରିଥିଲେ ।

 

ଷଡ଼ଯନ୍ତ୍ରର ବିଭୀଷିକା ଏଲିଜାବେଥ୍‌ଙ୍କୁ ବଡ଼ ମ୍ରିୟମାଣ କରି ପକାଇଲା । ନିଜର ନିରାପତ୍ତା ପାଇଁ ସେ କଠୋର ଶାସ୍ତିବିଧାନ କଲେହେଁ ଜେସୁଟ୍‌ମାନଙ୍କର ପ୍ରତିକ୍ରିୟାଶୀଳ ନୀତିକୁ ଦମନ କରିବା ଅସମ୍ଭବ ପ୍ରତୀତ ହେଲା । ସେ ବୁଝୁଥିଲେ ଏ ସବୁର ମୂଳକାରଣ ସ୍କଟ୍‍ରାଣୀ ମେରୀ-। କାଥଲିକ୍‍ମାନେ ଆପ୍ରାଣ ଚେଷ୍ଟାକରି ମେରୀଙ୍କୁ ଶାସକ କରିବାର ପ୍ରଚେଷ୍ଟା କରୁଥିଲେ-। ପାର୍ଲିଆମେଣ୍ଟ୍ ଖ୍ରୀ: ୧୫୮୪ରେ ସିଦ୍ଧାନ୍ତ ଗ୍ରହଣ କଲା ଯେ, ରାଣୀଙ୍କ ବିରୁଦ୍ଧରେ ଯେ ଷଡ଼ଯନ୍ତ୍ର କରିବ ବା ଯାହାପାଇଁ ଷଡ଼ଯନ୍ତ୍ର ହେବ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ । ପାର୍ଲିଆମେଣ୍ଟ୍ ପୁଣି ଘୋଷଣା କଲା ଯେ, ଇଂଲଣ୍ଡର ସିଂହାସନ ପାଇଁ ଦାବି ଥିବା କୌଣସି ବ୍ୟକ୍ତି ଯଦି ଷଡ଼ଯନ୍ତ୍ରରେ ଅଭିଯୁକ୍ତ ବା ସଂପୃକ୍ତ ହୁଅନ୍ତି ତେବେ ତାଙ୍କର ତଦନ୍ତ ଓ ବିଚାରପାଇଁ କମିଶନ୍ ବସିବ । ଏହାଦ୍ୱାରା ସ୍କଟ୍‍ରାଣୀ ମେରୀଙ୍କୁ ନିଜ କୁକର୍ମର ଭୟାବହ ପରିଣାମ ସମ୍ପର୍କରେ ସଚେତନ କରାଇ ଦିଆଗଲା-। ଏହା ସତ୍ତ୍ୱେ ମେରୀ ସ୍ପେନ୍‌ରାଜା ଫିଲିପ୍‌ଙ୍କୁ ଉତ୍ତରାଧିକାରୀ ବୋଲି ନିର୍ଣ୍ଣୟ କରି ନିଜ ପୁତ୍ର ଜେମ୍‌ସ୍‍ଙ୍କ ଦାବିକୁ ଉଚ୍ଛେଦ କରିବାଫଳରେ ଚକ୍ରାନ୍ତ ପୁଣି ଆରମ୍ଭ ହୋଇଥିଲା । ଏନ୍ଥୋନି ବେବିଙ୍ଗଟନ୍‌ ନାମରେ ଜଣେ କାଥଲିକ୍‌ ପାଞ୍ଚଜଣ ଆତତାୟୀଙ୍କୁ ଯୋଗାଡ଼ କରି ମେରୀଙ୍କ ସହିତ ଗୁପ୍ତରେ ପତ୍ରାଳାପ କରିଥିଲେ । ଏହି ଚିଠିଗୁଡ଼ିକୁ ମନ୍ତ୍ରୀ ୱେଲ୍‌ସିଙ୍ଗମ୍‌ ସଂଗ୍ରହ କରିବାରୁ ଫେଦାରିଙ୍ଗେ ନାମକ ସ୍ଥାନରେ ମେରୀଙ୍କ ବିରୁଦ୍ଧରେ ବିଚାର ଆରମ୍ଭ ହୋଇଥିଲା । ମେରୀ ଅଭିଯୁକ୍ତା ହେଲେ-। ପାର୍ଲିଆମେଣ୍ଟ୍ ତାଙ୍କୁ ମୃତ୍ୟୁଦଣ୍ଡ ଦେବାପାଇଁ ରାଣୀ ଏଲିଜାବେଥ୍‌ଙ୍କୁ ନିବେଦନ କରିଥିଲା-। ଏଲିଜାବେଥ୍‌ ପରିଣାମ କଥା କିଛିକ୍ଷଣ ଚିନ୍ତାକରି ବିଳମ୍ବ କଲେ । କିନ୍ତୁ ପାର୍ଲିଆମେଣ୍ଟ୍ ଓ ଉଚ୍ଚତମ ନ୍ୟାୟାଳୟ (Privy Council) ପ୍ରାଣଦଣ୍ଡ ସପକ୍ଷରେ ଦୃଢ଼ ରହିବାରୁ ରାଣୀ ଆଦେଶନାମାରେ ସ୍ୱାକ୍ଷର କରି ଫେଦାରିଙ୍ଗେକୁ ପଠାଇ ଦେଇଥିଲେ । ଫେବୃୟାରୀ ୧୫୮୭ ଖ୍ରୀ:ରେ ସ୍କଟ୍‍ରାଣୀ ମେରୀଙ୍କ ଶିରଚ୍ଛେଦ ହେଲା ଓ ଇଂଲଣ୍ଡରେ ଷଡ଼ଯନ୍ତ୍ର ଏବଂ ଚକ୍ରାନ୍ତ ଯୁଗର ଅବସାନ ହେଲା-

 

ଏଲିଜାବେଥ୍‌ ଓ ସ୍ପେନ୍‌

 

ଇଉରୋପର ଦୁଇ ବୃହତ୍‌ ଶକ୍ତି ମଧ୍ୟରେ ବନ୍ଧୁତ୍ୱ ସୃଷ୍ଟି କରିବାପାଇଁ ନାନା କଥା ବିଚାର କରି ସ୍ପେନ୍ ରାଜା ଫିଲିପ୍‌ ଯେଉଁ ବିବାହ ପ୍ରସ୍ତାବ ଦେଇଥିଲେ ସେଥିରେ ଏଲିଜାବେଥ୍‌ ସମ୍ମତ ନ ହୋଇଥିବାର କାରଣ ପୂର୍ବରୁ ସୂଚିତ ହୋଇଛି । ଖ୍ରୀ: ୧୫୭୦ରେ ପୋପ୍‌ ଏଲିଜାବେଥ୍‌ଙ୍କୁ ଖ୍ରୀଷ୍ଟଧର୍ମରୁ ବହିଷ୍କାର କରିବା ଘୋଷଣା ପ୍ରକାଶ ପାଇବା ପରେ ଇଂଲଣ୍ଡ ଓ ସ୍ପେନ୍ ମଧ୍ୟରେ ସୌହାର୍ଦ୍ଦ୍ୟର ସମ୍ଭାବନା ସମ୍ପୂର୍ଣ୍ଣ ଉଭେଇ ଯାଇଥିଲା । ଏଲିଜାବେଥ୍‌ ପ୍ରୋଟାଷ୍ଟାଣ୍ଟ ଧର୍ମର ପୃଷ୍ଠପୋଷକ ଓ ଫିଲିପ୍‌ କାଥଲିକ୍‍ ଧର୍ମର ନେତୃତ୍ୱ ଗ୍ରହଣ କରିଥିବାରୁ ଦୁହିଁଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ପ୍ରତିଷ୍ଠା ହୁଅନ୍ତା ବା କିପରି ? ୧୫୭୨ ଖ୍ରୀ:ରେ ନେଦାରଲ୍ୟାଣ୍ଡରେ ସ୍ପେନ୍‍ବିରୋଧୀ ବିଦ୍ରୋହ ଆରମ୍ଭ ହେବାରୁ ଏଲିଜାବେଥ୍‌ ବିଦ୍ରୋହୀମାନଙ୍କୁ ଯତ୍ପରନାସ୍ତି ସାହାଯ୍ୟ ଦେବାରେ ପରାଙ୍‍ମୁଖ ହୋଇ ନଥିଲେ । ଫିଲିପ୍ ସେଥିପାଇଁ ଧର୍ମବିପ୍ଳବ–ବିରୋଧୀ ଆନ୍ଦୋଳନରେ ପୂର୍ଣ୍ଣପ୍ରାଣରେ ସହଯୋଗ କରି ସାରା ବିଶ୍ୱରୁ ପ୍ରୋଟେଷ୍ଟାଣ୍ଟ୍ ମତବାଦକୁ ଧ୍ୱଂସ କରିବାରେ ଦୃଢ଼ପ୍ରତିଜ୍ଞା ହୋଇଥିଲେ । କିନ୍ତୁ ଏଲିଜାବେଥ୍‌ ଥିଲେ ଏଥିର ପ୍ରତିବନ୍ଧକ । ଏବଂ ସ୍କଟ୍‍ ରାଣୀ ମେରୀ ଜୀବିତ ଥିବା ପର୍ଯ୍ୟନ୍ତ ଫିଲିପ୍ କୌଣସି ଅହେତୁକ ଆକ୍ରମଣର ପରିକଳ୍ପନା କରି ନଥିଲେ । କାରଣ ଏଲିଜାବେଥ୍‍ଙ୍କୁ ସେ ସମୟରେ ଇଂଲଣ୍ଡରୁ ବହିଷ୍କାର କରି ସ୍କଟ୍‍ ରାଣୀ ମେରୀଙ୍କୁ ସିଂହାସନ ପ୍ରଦାନ କରିଥିଲେ ଫ୍ରାନ୍‌ସର ଅଧିକ ଲାଭ ହୋଇଥାନ୍ତା ସିନା, ସ୍ପେନ୍‍ର ନୁହ ଏବଂ ସ୍କଟ୍‍ ରାଣୀ ମେରୀଙ୍କ ରାଜତ୍ୱରେ ନେଦାରଲ୍ୟାଣ୍ଡର ବିଦ୍ରୋହୀମାନଙ୍କୁ ସ୍ପେନ୍ ବିରୁଦ୍ଧରେ ଫ୍ରାନ୍‌ସର ପ୍ରରୋଚନାରେ ଅଧିକ ଉତ୍ତେଜିତ କରାଯାଇଥାନ୍ତା ନିଶ୍ଚୟ । ଏଲିଜାବେଥ୍ ମଧ୍ୟ ସ୍ପେନ୍ ସହିତ ଭେଟାଭେଟି ହେବାକୁ ଚାହୁଁ ନଥିଲେ । କାରଣ ରାଜତ୍ୱର ପ୍ରାରମ୍ଭ କାଳରେ ସ୍ପେନ୍‍ର ମୁକାବିଲା କରିବାର ଶକ୍ତି ତାଙ୍କର ନଥିଲା । ଦେଶରେ ପ୍ରଶାସନିକ ସ୍ଥିରତାଦ୍ୱାରା ଶାନ୍ତି ଓ ସମୃଦ୍ଧି ପ୍ରତିଷ୍ଠା କରିବା ତାଙ୍କର ପ୍ରଧାନ ଉଦ୍ଦେଶ୍ୟ ଥିଲା । ଯଦିଓ ଦୁହିଁଙ୍କ ମଧ୍ୟରେ ସଂଗ୍ରାମ ଅବଶ୍ୟମ୍ଭାବୀ ଥିଲା, ସେହି ସଂଗ୍ରାମକୁ ଯେତେଦୂର ଏଡ଼ାଯାଇପାରେ ଏଡ଼ାଇବା ଉଚିତ ବୋଲି ଯେ ଯଥାର୍ଥରେ ମନେ କରୁଥିଲେ । ଖ୍ରୀ: ୧୫୮୦ ପରେ ପରେ ସ୍ପେନ୍ ସମ୍ପର୍କରେ ସେ ଦୃଢ଼ ନୀତି ଅବଲମ୍ବନ କରିଥିଲେ । କ୍ରମଶଃ ଇଂରେଜମାନଙ୍କର ନୌଶକ୍ତି ବୃଦ୍ଧିରେ ସେ ଗଭୀର ଆତ୍ମପ୍ରତ୍ୟୟ ଲାଭ କରି ସ୍ପେନ୍ ସହିତ ସୁବିଧା ଦେଖି ଥରେ ଅଧେ ସୂକ୍ଷ୍ମ ଧରଣର କଳହପାଇଁ ଆଗଭର ହେଉଥିଲେ । ଖ୍ରୀ: ୧୫୮୫ ପରେ ପରେ ଧର୍ମବିପ୍ଳବ–ବିରୋଧୀ ଆନ୍ଦୋଳନର ମୁକାବିଲା ପାଇଁ ସେ ଜେସୁଟ୍‌ମାନଙ୍କୁ ଇଂଲଣ୍ଡ ପରିତ୍ୟାଗ କରିବାର ଆଦେଶ ଦେଇଥିଲେ । ଖ୍ରୀ: ୧୫୮୪ରେ ଷଡ଼ଯନ୍ତ୍ରରେ ଲିପ୍ତଥିବା ଯୋଗୁଁ ସେ ସ୍ପେନ୍‍ର ରାଷ୍ଟ୍ରଦୂତଙ୍କୁ ଦେଶଚ୍ୟୁତ କରିଥିଲେ । ସ୍ପେନ୍‍ର ଶକ୍ତିକୁ ଭ୍ରୂକ୍ଷେପ ନ କରି ସେ ସ୍ପେନ୍ ବିରୁଦ୍ଧରେ ଡଚ୍‍ମାନଙ୍କୁ ସଶସ୍ତ୍ର ସାହାଯ୍ୟ ଦେଇଥିଲେ । ଏଥିପାଇଁ ଫିଲିପ୍ କ୍ରମଶଃ ଉଦ୍‌ବେଗ ଓ ବିରକ୍ତି ପ୍ରକାଶ କରୁଥିଲେ ସତ୍ୟ କିନ୍ତୁ ଧୈର୍ଯ୍ୟଚ୍ୟୁତ ହୋଇ ନଥିଲେ । ଖ୍ରୀ: ୧୫୮୭ରେ ସ୍କଟ୍‍ ରାଣୀଙ୍କୁ ପ୍ରାଣଦଣ୍ଡ ଦେବାପରେ ସେ ଆଉ ସ୍ଥିର ହୋଇ ରହିପାରିଲେ ନାହିଁ ଏବଂ ଦୁଇ ଦେଶ ମଧ୍ୟରେ ତିକ୍ତ ମନୋଭାବ ଶୀର୍ଷସ୍ଥାନରେ ପହଞ୍ଚିଲା । ଏହାର ପରିଣତ ହେଲା ସ୍ପେନୀୟ ନୌଭେଳାଦ୍ୱାରା ଇଂଲଣ୍ଡ ଉପରେ ଆକ୍ରମଣ ।

 

ସ୍ପେନୀୟ ନୌଭେଳା

 

ସପ୍ତମ ହେନେରୀଙ୍କ ରାଜତ୍ୱକାଳରୁ ନୌଚାଳନ ଆଇନ ପାସ୍ ହେବାପରେ ଏବଂ ଜନ୍‌ କ୍ୟାବଟ ଓ ସେବାସ୍ତିୟାନ କ୍ୟାବଟଙ୍କର ପ୍ରଶିକ୍ଷାଦ୍ୱାରା ଇଂଲଣ୍ଡରେ ଏକ ଦୁଃସାହସିକ ନାବିକ ସଂପ୍ରଦାୟ ଗଢ଼ି ଉଠିଥିଲା । ଏହି ନାବିକମାନେ ଜଳଦସ୍ୟୁବୃତ୍ତି କରି କ୍ଷୁଦ୍ର କ୍ଷୁଦ୍ର ତରୀ ସାହାଯ୍ୟରେ ସମୁଦ୍ର ବକ୍ଷରେ ଲୁଣ୍ଠନ କରୁଥିଲେ । ବିଭିନ୍ନ ଦିଗରେ, ଅଜଣା ସମୁଦ୍ର ବକ୍ଷରେ ଜଳଯାତ୍ରା କରି ସେମାନେ ପ୍ରାଚ୍ୟକୁ ଜଳପଥ ଆବିଷ୍କାର କରିବାର ଦୁଃସାହସ କରିଥିଲେ । ତା’ଦ୍ୱାରା ପଶ୍ଚିମ ଓ ଉତ୍ତର ପଶ୍ଚିମକୁ ଆଟଲାଣ୍ଟିକ ମହାସାଗରରେ ଯାତ୍ରା କରି ସେମାନେ ଆମେରିକା ଓ ଉପକୂଳବର୍ତ୍ତୀ ଦ୍ୱୀପଗୁଡ଼ିକରେ ଉପନିବେଶମାନ ସ୍ଥାପନ କରିଥିଲେ । ଉପନିବେଶ ସ୍ଥାପନ କରି ଧନଧାନ୍ୟ ଓ କଞ୍ଚାମାଲ ସ୍ୱଦେଶକୁ ବା ଇଉରୋପକୁ ଆଣିବାରେ ମଧ୍ୟ ସେମାନେ ଆଗଭର ହୋଇଥିଲେ । ଫଳରେ ପ୍ରତିପତ୍ତିଶାଳୀ ସ୍ପେନୀୟ ନାବିକ ଓ ବଣିକମାନଙ୍କ ସହିତ ସେମାନଙ୍କର ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ସୃଷ୍ଟି ହୋଇଥିଲା । ଏହି ପ୍ରତିଦ୍ୱନ୍ଦ୍ୱିତା ୧୫୬୮ ଖ୍ରୀ:ରେ ପ୍ରଥମେ ସଂଗ୍ରାମର ରୂପ ନେଇଥିଲା । କାରଣ ଉକ୍ତ ବର୍ଷ ସାର୍‌ ଜନ୍‌ ହକିନ୍‌ସଙ୍କ ଜାହାଜଗୁଡ଼ିକ ସାନ୍‌ଜୁଆନ୍‌ଠାରେ କ୍ରୀତଦାସ ବିକ୍ରିପାଇଁ ଅନଧିକାର ପ୍ରବେଶ କରନ୍ତେ ସ୍ପେନୀୟମାନଙ୍କ ସହ ଯୁଦ୍ଧ ହୋଇଥିଲା । ହକିନ୍‌ସ ଚାରୋଟି ଜାହାଜ ହରାଇଥିଲେ ମଧ୍ୟ କୌଶଳକ୍ରମେ ପ୍ରାଣରକ୍ଷା କରି ପଳାୟନ କରିଥିଲେ । କିନ୍ତୁ ଖ୍ରୀ: ୧୫୭୨ରେ ପରାଜୟର ପ୍ରତିଶୋଧ ନେବାକୁ ଭୁଲି ନଥିଲେ । ତା’ର ପାଞ୍ଚବର୍ଷ ପରେ ଡ୍ରେକ ପ୍ରଥମ ଇଂରେଜ ନାବିକ ଭାବରେ ଜଳପଥରେ ପୃଥିବୀ ପ୍ରଦକ୍ଷିଣ କରିଥିଲେ ଏବଂ ସ୍ୱଦେଶକୁ ପ୍ରାୟ ଆଠ ଲକ୍ଷ ପାଉଣ୍ଡର ମୂଲ୍ୟବାନ ସାମଗ୍ରୀ ଘେନି ଆସିଥିଲେ । ଦେଶକୁ ସମୃଦ୍ଧିଶାଳୀ କରି, ଅପୂର୍ବ ସାହସିକତାର ପରିଚୟ ଦେଇ, ଇଂଲଣ୍ଡ ଇତିହାସରେ ଏକ ନବଯୁଗର ଜ୍ୟୋତିଷ୍କ ହୋଇଥିବାରୁ ଡ୍ରେକ୍‌ଙ୍କ ଯଶର ସୀମା ନଥିଲା । ରାଣୀ ତାଙ୍କୁ ଯଥାର୍ଥରେ ‘ନାଇଟ୍‌’ ଉପାଧିରେ ଭୂଷିତ କରିଥିଲେ । ଏହାପରେ ରାଣୀଙ୍କ ପ୍ରତ୍ୟକ୍ଷ ପ୍ରରୋଚନା ପାଇ ଡ୍ରେକ୍‌ ସ୍ପେନୀୟ ଉପନିବେଶଗୁଡ଼ିକୁ ଆକ୍ରମଣ କରି ଲୁଣ୍ଠନ କରିଥିଲେ । ଇଂରେଜ ନାବିକ ଓ ଜଳଦସ୍ୟୁମାନଙ୍କର ବାରମ୍ବାର ଅତ୍ୟାଚାର ଓ ଆକ୍ରମଣରେ ସ୍ପେନ୍‍କୁ ଅସୀମ କ୍ଷତି ଓ ଦୁର୍ଦ୍ଦଶା ସହ୍ୟ କରିବାକୁ ପଡ଼ିଥିଲା । ଫିଲିପ୍‌ ଆଉ କେତେଦିନ ତାକୁ ସହ୍ୟ କରିଥାନ୍ତେ ? ସେନାପତିମାନେ ଇଂଲଣ୍ଡ ଆକ୍ରମଣରେ ଆଉ ବିଳମ୍ବ ନ କରିବାପାଇଁ ତାଙ୍କୁ ପରାମର୍ଶ ଦେଇଥିଲେ । ସ୍କଟ୍‍ରାଣୀ ମେରୀଙ୍କ ମୃତ୍ୟୁ ପରେ ତାଙ୍କର ଇଚ୍ଛାପତ୍ରକୁ କାର୍ଯ୍ୟକାରୀ କରି ଇଂଲଣ୍ଡକୁ ନିଜର କବଳିତ କରିବାରେ ଆଉ ସମୟ ଗଡ଼ାଇବା ସେ ଉଚିତ ମନେ କଲେ ନାହିଁ । କିନ୍ତୁ ଖ୍ରୀ: ୧୫୮୭ରେ ଡ୍ରେକ୍‌ କ୍ୟାଡ଼ିକ୍‌ ବନ୍ଦର ଆକ୍ରମଣ କରି ଅନେକ ଯୁଦ୍ଧଜାହାଜ ଓ ଉପକରଣ ଧ୍ୱଂସ କରି ଦେବାରୁ ଫିଲିପ୍‌ଙ୍କର ଯୋଜନା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ତେଣୁ ପରବର୍ଷ ପାଇଁ ଅଭିଯାନ ସ୍ଥଗିତ ରହିଥିଲା ।

 

ପରିଶେଷରେ ଈଶ୍ୱରଙ୍କର ଆଶୀର୍ବାଦ ଭିକ୍ଷାକରି ବିଧର୍ମୀ ପ୍ରୋଟେଷ୍ଟାଣ୍ଟ୍‍ମାନଙ୍କର ମୂଳୋତ୍ପାଟନ ଉଦ୍ଦେଶ୍ୟରେ ପୋପ୍‌ ଓ ଅନ୍ୟାନ୍ୟ କାଥଲିକ୍‍ ନେତାଙ୍କର ଶୁଭେଚ୍ଛା ଘେନି ଖ୍ରୀ: ୧୫୮୮ ମେ ମାସ ୨୦ ତାରିଖରେ ଏକ ଅତିକାୟ ନୌଭେଳା ସ୍ପେନ୍‌ ଉପକୂଳରୁ ବାହାରି ଇଂଲଣ୍ଡ ଉଦ୍ଦେଶ୍ୟରେ ଅଭିଯାନ ଆରମ୍ଭ କରିଥିଲା । ଏଥିରେ ୧୩୦ଟି ଜାହାଜ ୮୦୦୦ ନାବିକ, ଓ ୧୯,୦୦୦ ସୈନ୍ୟ ଥିଲେ । ଏହାର ସେନାଧ୍ୟକ୍ଷ ଥିଲେ ମେଡ଼ୋନା ସିଡ଼ୋନିଆ । ଲିସବନ ଛାଡ଼ିବା ପରେ ସେମାନେ ନେଦରଲ୍ୟାଣ୍ଡ ଉପକୂଳରେ ପାର୍ମାଙ୍କ ସହିତ ଯୋଗସୂତ୍ର ସ୍ଥାପନ କରି ସେଠାରୁ ୩୦,୦୦୦ ବଛା ଲଢ଼ୁଆ ସୈନ୍ୟଙ୍କୁ ସଂଗ୍ରହ କରିବାର ଯୋଜନା ଥିଲା । କିନ୍ତୁ ପାଗ ଅନୁକୂଳ ନହେବାରୁ ନୌଭେଳାର ଗତି ଶିଥିଳ ହୋଇଥିଲା । ଏହାର ଗତିପଥକୁ ପ୍ରତିରୋଧ କରିବାପାଇଁ ଇଂଲିଶ୍‌ ପ୍ରଣାଳୀର ଦ୍ୱାରପ୍ରଦେଶରେ କେହି ନଥିଲେ । ପଥ ଉନ୍ମୁକ୍ତ ଥିଲା । ଇଂରେଜମାନେ ଡ୍ରେକ୍‌, ହକିନ୍‌ସ, ଫ୍ରବିସାର ପ୍ରଭୃତି ପ୍ରସିଦ୍ଧ ନୌଚାଳକମାନଙ୍କ ନେତୃତ୍ୱରେ ପ୍ଳାଇମାଉଥ୍‌ ବନ୍ଦରରେ ଥାଇ ସ୍ପେନୀୟ ରଣତରୀଗୁଡ଼ିକର ଗତିପଥକୁ ଲକ୍ଷ୍ୟ କରୁଥାନ୍ତି । ଆଉ ଗୋଟିଏ କ୍ଷୁଦ୍ର ଭେଳା ସିମୁର୍‌ ଓ ଉଇଣ୍ଟାରଙ୍କ ଅଧିନାୟକତ୍ୱରେ ପାର୍ମାଙ୍କ ଗତିବିଧି ଲକ୍ଷ୍ୟ କରୁଥାଏ-

 

ଦୁଇ ନୌଶକ୍ତିର ଏକ ତୁଳନାତ୍ମକ ବିଶ୍ଳେଷଣ କଲେ ଅନେକ ପାର୍ଥକ୍ୟ ପରିଲକ୍ଷିତ ହୁଏ-। ଇଂରେଜମାନଙ୍କର ସର୍ବମୋଟ ୧୯୭ଟି ଜାହାଜ ମଧ୍ୟରୁ ୪୯ଟି ମାତ୍ର ଜାହାଜ ପଦବାଚ୍ୟ-। ଅନ୍ୟଗୁଡ଼ିକ କ୍ଷୁଦ୍ର କ୍ଷୁଦ୍ର ଜଳତରୀ । କିନ୍ତୁ ସାଜସରଞ୍ଜାମ ଓ ରଣକୌଶଳ ଦୃଷ୍ଟିରୁ ସ୍ପେନୀୟ ନୌଭେଳାରେ ଅତିକାୟ ଜାହାଜ ଶତାଧିକ ଥିବା ସତ୍ତ୍ୱେ ସେଗୁଡ଼ିକ ଗତିଶୀଳ ନଥିଲେ । ଓଜନଦାର ତୋପ ଅଧିକ ସଂଖ୍ୟାରେ ଖଞ୍ଜା ଯାଇଥିବାରୁ ସେଗୁଡ଼ିକ ରଣକୌଶଳରେ ବିଚକ୍ଷଣତା ପ୍ରଦର୍ଶନ କରିପାରୁ ନଥିଲେ-। ଜଳରାଶି ମଧ୍ୟରେ ବିରାଟ ଭାସମାନ ଦୁର୍ଗପରି ସେଗୁଡ଼ିକ ଦୂରରୁ ପ୍ରତୀତ ହେଉଥିଲେ । ସ୍ପେନୀୟମାନେ ଅନେକ ଜାହାଜ ପରିବହନ କାର୍ଯ୍ୟରେ ବ୍ୟବହାର କରୁଥିଲେ । ପରିବହନ ଜାହାଜଗୁଡ଼ିକ ନୌଯୁଦ୍ଧ ସମୟରେ ମୂଲ୍ୟହୀନ ଥିଲା । ତେବେ ଯାହା ହେଉନା କାହିଁକି, ଫିଲିପ୍‌ ଏପରି ଏକ ପବିତ୍ର ଅଭିଯାନ ଯେଉଁ ସେନାଧ୍ୟକ୍ଷଙ୍କ ହସ୍ତରେ ଅର୍ପଣ କରିଥିଲେ ତାଙ୍କର ନୌଯୁଦ୍ଧରେ କୌଣସି ତାଲିମ ବା ଅନୁଭୂତି ନଥିଲା । ସମୁଦ୍ରଯାତ୍ରା କାଳରେ ସେ ଅସୁସ୍ଥ ହୋଇ ପଡ଼ୁଥିଲେ ।

 

କିନ୍ତୁ ଅନ୍ୟଦିଗରେ ଇଂରେଜମାନଙ୍କର ଯୁଦ୍ଧ ପ୍ରସ୍ତୁତି ଅତି ନିରାଡ଼ମ୍ବର ସତ୍ତ୍ୱେ ପୂର୍ଣ୍ଣାଙ୍ଗ ଥିଲା । ଇଂରେଜ ନୌଭେଳା ଓ ରଣକୌଶଳ ମଧ୍ୟଯୁଗୀୟ ନ ହୋଇ ଆଗାମୀ କାଲିର ପ୍ରତୀକ ଥିଲା । ସେମାନଙ୍କର ଜାହାଜଗୁଡ଼ିକ ଥିଲା କ୍ଷୁଦ୍ର, ଶକ୍ତ ଓ ବେଗଗାମୀ । ଇଂରେଜ ନାବିକମାନେ ଅଧିକ ଦୁଃସାହସିକ ଓ ମହାସାଗରର ଉତ୍ତାଳ ଊର୍ମିମାଳାର ଭୀମତାଣ୍ଡବ ଲୀଳା ସହିତ ଅଭ୍ୟସ୍ତ ଥିଲେ । ରଣକୌଶଳ ଓ ଜାହାଜ ଚାଳନାରେ ସେମାନେ ଥିଲେ ଅତୀବ ପଟୁ ଓ ସିଦ୍ଧହସ୍ତ-। ନୌସେନାଧ୍ୟକ୍ଷ ଭାବରେ ଲର୍ଡ଼ ହାୱାର୍ଡ଼ ଓ ଉପନୌସେନାଧ୍ୟକ୍ଷ ଭାବରେ ‘ଡ୍ରେକ’ ନିଯୁକ୍ତ ହୋଇଥିବାରୁ ଇଂରେଜମାନଙ୍କର ପ୍ରେରଣା ଓ ଉଦ୍ଦୀପନାର ସୀମା ନଥିଲା । ରାଣୀ ନିଜେ ବୁଲିବୁଲି ଯୁଦ୍ଧ ପ୍ରସ୍ତୁତି ତଦାରଖ କରିଥିଲେ । ସ୍ପେନ୍‍ ସହିତ ସଂଗ୍ରାମ କେବଳ ବ୍ୟକ୍ତିଗତ ଜୀବନରେ ତାଙ୍କର ଅଗ୍ନିପରୀକ୍ଷାର ମୁହୂର୍ତ୍ତ ନଥିଲା–ଦୁଇଦେଶ ମଧ୍ୟରେ ଇଉରୋପୀୟ ମହାଶକ୍ତି ହିସାବରେ ପ୍ରାଧାନ୍ୟ ଲାଭ କରିବାପାଇଁ ତାହା ଥିଲା ଅପୂର୍ବ ସୁଯୋଗ । ସେଥିପାଇଁ ‘ବିଜୟ’ହିଁ ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ଥିଲା । ଏହି ଉଦ୍ଦେଶ୍ୟ ନେଇ ସେ ଟିଲ୍‌ବୁରୀରେ ସୈନ୍ୟମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ, ‘ତୁମେ ଦେଖିପାରୁଥିବ ମୁଁ ବର୍ତ୍ତମାନ ତୁମମାନଙ୍କ ସହିତ ଅଛି । ରଣକ୍ଷେତ୍ରର ଘନଘଟା ମଧ୍ୟରେ ତୁମ ସହିତ କାନ୍ଧମିଳାଇ ଯୁଦ୍ଧ କରିବାପାଇଁ ଓ ମୃତ୍ୟୁବରଣ କରିବାପାଇଁ ମୁଁ ପ୍ରତିଜ୍ଞାବଦ୍ଧ-। ମୋର ଦେଶ, ଜାତି ଓ ଈଶ୍ୱରଙ୍କ ପାଇଁ ଅକାତରରେ ମୁଁ ପ୍ରାଣବଳୀ ଦେଇପାରେ । ମୁଁ ହୁଏତ ନାରୀର ଦୁର୍ବଳ ଶରୀର ଧାରଣ କରିଅଛି–କିନ୍ତୁ ମୋର ଧମନୀରେ ଟିଉଡ଼ର୍ ରାଜବଂଶର ଉଷ୍ଣରକ୍ତ ପ୍ରବାହିତ ଏବଂ ଶତସିଂହର ପରାକ୍ରମରେ ମୁଁ ଏତେ ଉତ୍‌ଫୁଲ୍ଲ ଯେ, ଘୃଣ୍ୟ ପାର୍ମା ବା ସ୍ପେନ୍‌ ବା ଅନ୍ୟ କୌଣସି ରାଜା ମୋର ପବିତ୍ର ମାତୃଭୂମିର ସୀମା ସ୍ପର୍ଶ କଲେ ମୁଁ ତା’ର ଠିକଣା ଜବାବ ଦେବାକୁ ତିଆର ରହିଛି ।’

 

ଇଂରେଜମାନେ ନିର୍ବାକ୍‌ ଓ ସ୍ତବ୍ଧ ହୃଦୟରେ ସ୍ପେନୀୟ ନୌଭେଳାର ଆଗମନକୁ ଅପେକ୍ଷା କରିଥିଲେ । ପ୍ରାୟ ୭୦,୦୦୦ ସ୍ଥଳ ସେନା ଲଣ୍ଡନରେ ଏକତ୍ରିତ ହୋଇଥିଲା । ଅତି ମନ୍ଥରଗତିରେ ସ୍ପେନୀୟମାନେ ନେଦାରଲ୍ୟାଣ୍ଡ ଉପକୂଳକୁ ଆସି ପାର୍ମାଙ୍କ ସହିତ ଯୋଗସୂତ୍ର ସ୍ଥାପନ କରୁକରୁ ଜୁନ୍‌ ମାସ ୨୭ ତାରିଖ ହୋଇ ଯାଇଥିଲା । ଏଇଠି ଦୁର୍ଯୋଗ ଆରମ୍ଭ ହେଲା । ପାର୍ମା ପ୍ରସ୍ତୁତ ହୋଇ ନଥିଲେ । ଡଚ୍‌ମାନେ ତାଙ୍କୁ ଅବରୋଧ କରି ରଖିଥିଲେ । ସମୁଦ୍ର ପଥରୁ ଇଂରେଜ ଓ ଡଚ୍‌ମାନଙ୍କୁ ନ ହଟାଇଲେ ତାଙ୍କ ସୈନ୍ୟଙ୍କ ପରିବହନ ବ୍ୟବସ୍ଥା ସମ୍ଭବ ନୁହେଁ ବୋଲି ସେ ମିଡ଼ୋନା ସିଡ଼ୋନିୟାଙ୍କୁ ଜଣାଇ ଦେଇଥିଲେ । ମିଡ଼ୋନା ସିଡ଼ୋନିୟା ଏହି ପରିସ୍ଥିତିର ବିଚାର କରୁଥିବା ସମୟରେ ଆଠୋଟି ଅଗ୍ନି ଜାହାଜ ଜୁଆରର ଅନୁକୂଳ ଦିଗରେ ସ୍ପେନୀୟ ଭେଳା ଭିତରକୁ ଇଂରେଜ ନାବିକମାନେ ଛାଡ଼ିଦେଲେ । ଜାହାଜରେ ଅଗ୍ନିସଂଯୋଗ ହେବାରୁ ଏବଂ ହେବା ଭୟରୁ ରକ୍ଷା ପାଇବାପାଇଁ ଆତଙ୍କଗ୍ରସ୍ତ ହୋଇ ସ୍ପେନୀୟମାନେ ପ୍ରାଣମୂର୍ଚ୍ଛା ବିକ୍ଷିପ୍ତ ଭାବରେ ଇତସ୍ତତଃ ପଳାୟନ କଲେ । ଜୁଲାଇ ମାସ ୨୯ ତାରିଖରେ ସାମାନ୍ୟ ଯୁଦ୍ଧରେ ଇଂରେଜମାନେ ଅବସ୍ଥାକୁ ନିଜ ଅନୁକୂଳରେ ରଖିଥିଲେ । କିନ୍ତୁ ସେହିଦିନ ସନ୍ଧ୍ୟାରେ ଅକାଳ ଝଡ଼ବତାସ ମାଡ଼ି ଆସିଲା । ମିଡ଼ୋନା ସିଡ଼ୋନିୟାଙ୍କ ଭାସମାନ ଦୁର୍ଗ ସବୁ ଶୁଷ୍କ ତୃଣ ସଦୃଶ ଲକ୍ଷ୍ୟପଥକୁ ବିଚ୍ୟୁତ ହୋଇ ଉତ୍ତର ଦିଗକୁ ଭାସିଗଲେ । କେତେ ଜଳମଗ୍ନ ଓ ଧ୍ୱଂସ ହେଲେ ଓ କେତେ ସୈନ୍ୟ ଅସହାୟ ଅବସ୍ଥାରେ ମୃତ୍ୟୁବରଣ କଲେ ତା’ର ହିସାବ ରହିଲା ନାହିଁ । ଅଳ୍ପ କେତେକ ମୁମୂର୍ଷୁ ଅବସ୍ଥାରେ ସ୍କଟ୍‍ଲାଣ୍ଡ୍‍ ଓ ଆୟାରଲ୍ୟାଣ୍ଡ ଉପକୂଳରେ ପହଞ୍ଚି ସ୍ଥାନୀୟ ଅଧିବାସୀଙ୍କଦ୍ୱାରା ନିହତ ହେଲେ । ପ୍ରକୃତିର ଏ ଦାରୁଣ ଅଭିଶାପ ଫିଲିପ୍‌ଙ୍କର ସୁନାର ସ୍ୱପ୍ନକୁ ଧୂଳିସାତ୍‌ କରିଦେଲା । ଯେଉଁ ପ୍ରଳୟଙ୍କାରୀ ବାତ୍ୟା ସ୍ପେନୀୟ ନୌଭେଳାର କାଳସ୍ୱରୂପ ହେଲା ଏଲିଜାବେଥ୍ ତାକୁ ଈଶ୍ୱର ପ୍ରେରିତ ବୋଲି ମନେ କରିଥିଲେ । ଇଂରେଜମାନେ ଶାନ୍ତିର ନିଃଶ୍ୱାସ ମାରିଲେ । ସେମାନଙ୍କର ମାତୃଭୂମି, ରାଣୀଙ୍କ ସମ୍ମାନ, ଧର୍ମ ଇତ୍ୟାଦି ସୁରକ୍ଷିତ ହେବା ସଙ୍ଗେ ସଙ୍ଗେ ଇଂଲଣ୍ଡ ଇଉରୋପର ମହାଶକ୍ତିରୂପେ ପ୍ରତିଷ୍ଠା ଲାଭ କରିଥିଲା । ଜାତୀୟ ଗୌରବର ଦିନ ସେମାନଙ୍କର ଆରମ୍ଭ ହେଲା ।

 

ଏଲିଜାବେଥୀୟ ଯୁଗ

 

ଉପକ୍ରମଣିକା :

 

ଏଲିଜାବେଥୀୟ ଯୁଗ ଇଂଲଣ୍ଡ ଇତିହାସରେ ଏକ ସ୍ୱର୍ଣ୍ଣଯୁଗର ପ୍ରତୀକ । ବହିଃଶତ୍ରୁକୁ ପରାସ୍ତ କରି ଆଭ୍ୟନ୍ତରୀଣ ଶାନ୍ତି ପ୍ରତିଷ୍ଠାଦ୍ୱାରା ୧୫୮୮ ଖ୍ରୀ: ପରେ ଯେଉଁ ସମୃଦ୍ଧିର ଯୁଗ ଆରମ୍ଭ ହେଲା ସେତେବେଳେ ଇଂଲଣ୍ଡରେ ନାନାବିଧ ସାଂସ୍କୃତିକ ଓ ଲୋକହିତକର କାର୍ଯ୍ୟ ସମାହିତ ହୋଇଥିଲା । ଧର୍ମ ସମସ୍ୟାର ସମାଧାନ, ନୌବାଣିଜ୍ୟ ବୃଦ୍ଧି, ଉପନିବେଶ ସ୍ଥାପନ, ଅର୍ଥନୈତିକ ଉନ୍ନତି, ସାହିତ୍ୟିକ ବିକାଶ ଓ ଗଣତାନ୍ତ୍ରିକ ପ୍ରଶାସନ ପାଇଁ ଏଲିଜାବେଥୀୟ ଯୁଗକୁ ଯଥାର୍ଥରେ ସ୍ୱର୍ଣ୍ଣଯୁଗ ବୋଲି ଅଭିହିତ କରାଯାଇଥାଏ ।

 

ଧର୍ମ :

 

ରାଜତ୍ୱର ପ୍ରଥମ ଦଶନ୍ଧିରେ ଏଲିଜାବେଥ୍‌ ଯେଉଁ ଧର୍ମନୀତି ପ୍ରବର୍ତ୍ତନ କଲେ ତା’ଫଳରେ ଧର୍ମ ପ୍ରଶାସନର ଏକ ଅଙ୍ଗ ବୋଲି ବିବେଚିତ ହେଲା । ପୂର୍ବରୁ ସରକାର ଓ ଧର୍ମ ଦୁଇ ବିଭିନ୍ନ କର୍ତ୍ତୃତ୍ୱରେ ପରିଚାଳିତ ହେଉଥିଲେ ବୋଲି ନାନାବିଧ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା । କିନ୍ତୁ ଏହାପରେ ପ୍ରଜାମାନେ ରାଣୀଙ୍କୁ ଶାସନ ତଥା ଧର୍ମର ମୁଖ୍ୟରୂପେ ସମ୍ମାନ ପ୍ରଦର୍ଶନ କଲେ । କୌଣସି ବିଦେଶୀୟଙ୍କର ହସ୍ତକ୍ଷେପ ଧର୍ମ ଉପରେ ଆଉ ବରଦାସ୍ତ କରାଗଲା ନାହିଁ । ଆଇନ ପ୍ରଣୟନଦ୍ୱାରା ଧର୍ମକୁ ସଂସ୍କୃତ କରି ଧର୍ମ ନାମରେ ହେଉଥିବା ଅନ୍ୟାୟ ଓ ଦୁର୍ନୀତିକୁ ଦୂର କରାଗଲା । କାଥଲିକ୍‍ ଓ ପ୍ରୋଟେଷ୍ଟାଣ୍ଟ୍ ସଂପ୍ରଦାୟର ସମର୍ଥକମାନେ ପରସ୍ପରର ମତବାଦକୁ ସମ୍ମାନ କରିବା ଶିକ୍ଷା କଲେ । ମଧ୍ୟବର୍ତ୍ତୀ ପନ୍ଥା ଅବଲମ୍ବନ କରିବାଦ୍ୱାରା ଧର୍ମ କ୍ଷେତ୍ରରେ ଏକ ସମନ୍ୱୟ ଓ ଭାରସାମ୍ୟ ପ୍ରତିଷ୍ଠିତ ହେଲା । ରାଜଭକ୍ତି ଓ ଦେଶଭକ୍ତିକୁ ସାମାଜିକ ବ୍ୟବହାରରେ ଉଚ୍ଚତମ ସ୍ଥାନ ଦିଆଗଲା । ବହୁଦିନର ଅବ୍ୟବସ୍ଥା ଓ ଉତ୍ପୀଡ଼ନ ଲୋପ ପାଇବାଫଳରେ ଧର୍ମକ୍ଷେତ୍ରରେ ପ୍ରକୃତ ଭକ୍ତିପୂର୍ଣ୍ଣ ଉପାସନାର ଯୁଗ ଆରମ୍ଭ ହୋଇଥିଲା । ଏହି ସମୟରେ ଅନେକ ଇଂରେଜ ଧର୍ମରେ କେତେକ ନୂତନ ପ୍ରଥା ଗ୍ରହଣ କରି ପ୍ୟୁରିଟାନ୍‌ ବା ଉତ୍କଟ ଧର୍ମନିଷ୍ଠ ବ୍ୟକ୍ତି ଭାବରେ ପରିଚିତ ଥିଲେ । ଧର୍ମରେ ଅଧିକ ସଂସ୍କାର ପ୍ରବର୍ତ୍ତନ କରି ତହିଁରେ ପ୍ରୋଟେଷ୍ଟାଣ୍ଟ୍ ଭାବକୁ ଆହୁରି ସୁସ୍ପଷ୍ଟ କରିବାକୁ ଚାହୁଁଥିଲେ । ପାର୍ଲିଆମେଣ୍ଟ୍‍ର ସଦସ୍ୟମାନେ ଏହି ମତାବଲମ୍ବୀ ହୋଇଥିବାରୁ ରାଣୀଙ୍କୁ ବାରମ୍ବାର ପରିବର୍ତ୍ତନ ଆନୟନ ପାଇଁ ନିବେଦନ କରୁଥିଲେ । କିନ୍ତୁ ଏଲିଜାବେଥ୍‌ ସେଥିରେ ରାଜି ହୋଇ ନଥିଲେ । କାରଣ ଧର୍ମକ୍ଷେତ୍ରରେ ସେ ପରମ୍ପରାକୁ ପରିତ୍ୟାଗ କରିବା ପସନ୍ଦ କରୁ ନଥିଲେ । କ୍ୟାଣ୍ଟରବାରୀର ମୁଖ୍ୟ ବିଶପ୍‌ ହ୍ୱିଟ୍‌ଗିଫ୍‌ଟ୍‌ (Whitegift)ଙ୍କ ପରାମର୍ଶ ନେଇ ରାଣୀ ଧର୍ମକ୍ଷେତ୍ରରେ ନାନାପ୍ରକାର ସ୍ପଷ୍ଟୀକରଣ ଓ ନିର୍ଦ୍ଦେଶ ଜାରି କରୁଥିଲେ । ପ୍ୟୁରିଟାନ୍‌ମାନଙ୍କ ସଂଖ୍ୟାରେ ସଂପ୍ରସାରଣ ନ ହେବାପାଇଁ ସେ ହ୍ୱିଟ୍‌ଗିଫ୍‍ଟଙ୍କୁ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ । ତାଙ୍କର ବିନାନୁମତିରେ ଧର୍ମ ବିଷୟକ କୌଣସି ନିବନ୍ଧ ବା ଆଲୋଚନାମୂଳକ ଲେଖା ପତ୍ରପତ୍ରିକାରେ ପ୍ରକାଶ ହେଉ ନଥିଲା । କେତେକ ଲେଖକ ଏହି ଆଦେଶକୁ ଅମାନ୍ୟ କରି କୁତ୍ସାମୂଳକ ରଚନା ପ୍ରକାଶ କରିବାରୁ ପ୍ରାଣଦଣ୍ଡ ପାଇଥିଲେ । ଉଗ୍ରପନ୍ଥୀ ପ୍ୟୁରିଟାନ୍‌ମାନେ ସମୟ ସମୟରେ ଦଣ୍ଡନୀୟ ହେଉଥିଲେ । ସେହି ଗୋଷ୍ଠୀର ଇଂରେଜମାନେ ନେତା ରବାର୍ଟ ବ୍ରାଉନ୍‌ଙ୍କ ସହିତ ହଲାଣ୍ଡକୁ ପଳାୟନ କରି ସେଠାରୁ ‘ମେ ଫ୍ଳାୱାର୍‌’ ନାମକ ଜାହାଜରେ ଆମେରିକାକୁ ଯାତ୍ରା କରିଥିଲେ । ଏକ ନୂତନ ଦେଶରେ, ନୂତନ ସମାଜ ଗଢ଼ି ବ୍ୟକ୍ତିଗତ ସ୍ୱାଧୀନତାକୁ ମୂଳ କେନ୍ଦ୍ରକରି ପବିତ୍ର ପ୍ୟୁରିଟାନ୍‌ ସଂପ୍ରଦାୟ ଗଢ଼ିବା ସେମାନଙ୍କର ଉଦ୍ଦେଶ୍ୟ ଥିଲା । ଏହି ଦେଶାନ୍ତରବାସୀମାନଙ୍କଦ୍ୱାରା ଉତ୍ତର ଆମେରିକାର ତ୍ରୟୋଦଶ ଇଂରେଜ ଉପନିବେଶ ପ୍ରତିଷ୍ଠିତ ହୋଇଥିଲା । ଯେଉଁଠାରେ ପରେ ଯୁକ୍ତରାଷ୍ଟ୍ର ଆମେରିକାର ଜନ୍ମ ।

 

ନୌବାଣିଜ୍ୟ ଓ ଉପନିବେଶ ସ୍ଥାପନ

 

ସ୍ପେନୀୟ ନୌଭେଳାର ଧ୍ୱଂସସାଧନ ପରେ ଇଂରେଜମାନେ ନୌଚାଳନା ଦିଗରେ ଅଧିକ ଉତ୍ସାହ ପ୍ରଦର୍ଶନ କରିଥିଲେ । ଏହାର ଉଦ୍ଦେଶ୍ୟ ଥିଲା ଆମେରିକା ଓ ପାଶ୍ୱବର୍ତ୍ତୀ ଅଞ୍ଚଳମାନଙ୍କରୁ ଧନସଂପଦଭରା ଜାହାଜ ନେଇ ସ୍ୱଦେଶକୁ ଲେଉଟିବା । ୱାଲଟାର ରାଲେ ଏ ଦିଗରେ ବେଶ୍‌ ସାର୍ଥକ ହୋଇଥିଲେ । ଭାର୍ଜିନିଆ ନାମକ ଉପନିବେଶ ତାଙ୍କଦ୍ୱାରା ସ୍ଥାପିତ ହୋଇଥିଲା । ସାର୍‌ ହାଂଫ୍ରେ ଗିଲବାର୍ଟ ନିଉଫାଉଣ୍ଡଲ୍ୟାଣ୍ଡରେ ଉପନିବେଶ ସ୍ଥାପନ କରିବାର ଉପକ୍ରମ କରିଥିଲେ । ଏହାଛଡ଼ା ଭାରତବର୍ଷକୁ ଯିବାପାଇଁ ଇଂରେଜମାନେ ଗୋଟିଏ ନୂତନ ଜଳପଥ ଆବିଷ୍କାର କରିବାକୁ ଚାହୁଁଥିଲେ । କାରଣ ଉତ୍ତମାଶାନ୍ତରୀପ ଓ ହର୍ଣ୍ଣଅନ୍ତରୀପ ପ୍ରଦକ୍ଷିଣ କରି ଭାରତକୁ ଯିବାପାଇଁ ବହୁ ସମୟ ଲାଗୁଥିଲା ଏବଂ ଦୁଇଟିଯାକ ଜଳପଥ ସ୍ପେନ୍‍ର କର୍ତ୍ତୃତ୍ୱାଧିନରେ ଥିବାରୁ ସେପଟେ ଇଂରେଜ ବଣିକମାନେ ଯାତାୟତ କରିବା ନିରାପଦ ମନେକରୁ ନଥିଲେ । ତେଣୁ ଉତ୍ତର ପୂର୍ବ ଓ ଉତ୍ତର ପଶ୍ଚିମ ପଥଦେଇ ଭାରତକୁ ଯିବା ସକାଶେ ସେମାନେ ନୂତନ ଜଳପଥ ଆବିଷ୍କାରରେ ଲାଗିପଡ଼ିଲେ । ଉଇଲୋଫ୍‌ବି ଉତ୍ତର–ପୂର୍ବ ପଟେ ଯାତ୍ରାକରି ଶ୍ୱେତସାଗର ମଧ୍ୟଦେଇ ସ୍ଥଳପଥରେ ଯାଇ ମସ୍କୋ ଓ ସେଠାରୁ କାଷ୍ପିୟାନ ହ୍ରଦରେ ପହଞ୍ଚିଥିଲେ । ତାଙ୍କ ଯାତ୍ରାଫଳରେ ସେ ଦିଗର ଦୁର୍ଗମ ଭୌଗୋଳିକ ପରିସ୍ଥିତି ଜ୍ଞାନାଲୋକକୁ ଆସିପାରିଲା । ମାର୍ଟିନ୍‌ ଫ୍ରବିସାର ଓ ଜନ୍‌ ଡେଭିସ ନାମକ ଆଉ ଦୁଇଜଣ ନୌଚାଳକ ଉତ୍ତର–ପଶ୍ଚିମକୁ ଯାତ୍ରାକରି ଉତ୍ତର ଆମେରିକାର ମାନଚିତ୍ର ତିଆରିପାଇଁ ଉପାଦାନ ସଂଗ୍ରହ କରିଥିଲେ । ଖ୍ରୀ: ୧୫୯୨ରେ ଜେମ୍‍ସ୍‌ ଲାଙ୍କାଷ୍ଟାର୍‌ ପ୍ରଥମ ଇଂରେଜ ବଣିକ ଭାରତ ଉପକୂଳରେ ପହଞ୍ଚି ବାଣିଜ୍ୟ ଆରମ୍ଭ କରିଥିଲେ ।

 

ରାଣୀଙ୍କ ପୃଷ୍ଠପୋଷକତା ଓ ଆଶୀର୍ବାଦଫଳରେ ରାଜତ୍ୱର ଶେଷ ସମୟରେ କେତେଗୁଡ଼ିଏ ବ୍ୟବସାୟୀ ସଂସ୍ଥା ବିଭିନ୍ନ ଦେଶ ସହିତ ବାଣିଜ୍ୟ କରିବାପାଇଁ ସୃଷ୍ଟି ହୋଇଥିଲା । ମସ୍କୋଭି କମ୍ପାନୀକୁ ରୁଷିଆ ସହିତ, ଇଷ୍ଟଲ୍ୟାଣ୍ଡ କମ୍ପାନୀକୁ ବଲଟିକ୍‌ ଅଞ୍ଚଳ ସହିତ ଲିଭେଣ୍ଟ କମ୍ପାନୀକୁ ନିକଟପ୍ରାଚ୍ୟ ସହିତ ବାଣିଜ୍ୟ କରିବାପାଇଁ ସନନ୍ଦ ମିଳିଥିଲା । ଖ୍ରୀ: ୧୬୦୦ରେ ପ୍ରସିଦ୍ଧ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ଭାରତ ସହିତ ବ୍ୟବସାୟ କରିବାପାଇଁ ରାଣୀ ସନନ୍ଦ ଦେଇଥିଲେ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଏକ ଅପୂର୍ବ ଉତ୍ସାହ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଉପରୋକ୍ତ ସଂସ୍ଥାଗୁଡ଼ିକର ଆନୁକୂଲ୍ୟରେ ଭବିଷ୍ୟତର ବ୍ରିଟିଶ ସାମ୍ରାଜ୍ୟ ଗଠିତ ହୋଇଥିଲା ।

 

ଅର୍ଥନୈତିକ ଉନ୍ନତି :

 

ପଡ଼ୋଶୀ ଫ୍ରାନ୍‍ସ ଓ ଇଉରୋପର ଅନ୍ୟାନ୍ୟ ଦେଶରେ ଧର୍ମ ନାମରେ ନାନାପ୍ରକାର ବିତ୍ପାତ ଚାଲିଥିବାବେଳେ ନିରପେକ୍ଷ ଧର୍ମନୀତି ଅବଲମ୍ବନ କରି ଶାନ୍ତି ପ୍ରତିଷ୍ଠା କରିବାଦ୍ୱାରା ଏଲିଜାବେଥ୍‌ ଇଂରେଜମାନଙ୍କର ଅର୍ଥନୈତିକ ପ୍ରଗତି କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି କରିପାରିଥିଲେ । ଶାସନ କଳ ଉପରେ ବିଦ୍ରୋହ ଦମନ କରିବାଭଳି ଅର୍ଥ ବ୍ୟୟର ଚାପ ନପଡ଼ୁଥିବାରୁ ରାଜକୋଷର କ୍ରମଶଃ ସମୃଦ୍ଧି ହେଉଥିଲା । ଜାତୀୟ ଖର୍ଚ୍ଚକୁ ସୀମିତ ରଖି, ଉତ୍ପାଦନ ବୃଦ୍ଧିକରି, ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ପୃଷ୍ଠପୋଷକତା କରି ଏଲିଜାବେଥ୍‌ ଦେଶର ଅର୍ଥନୀତିକୁ ସୁଦୃଢ଼ କରିଥିଲେ । ସ୍ପେନ୍‍ର ଉପନିବେଶ ଓ ଜାହାଜଗୁଡ଼ିକୁ ଲୁଣ୍ଠନକରି ଇଂରେଜ ଜଳଦସ୍ୟୁମାନେ ଅପହରଣ କରିଥିବା ଧନରତ୍ନ ଦେଶକୁ ଆଣିବାଦ୍ୱାରା ମଧ୍ୟ ଅର୍ଥନୈତିକ ଅବସ୍ଥାର ଉନ୍ନତି ଘଟିଥିଲା-। ତେଣୁ ପାର୍ଲିଆମେଣ୍ଟ୍‍କୁ କର ଧାର୍ଯ୍ୟପାଇଁ ବାରମ୍ବାର ଅନୁରୋଧ ନକରି ମଧ୍ୟ ରାଣୀ ଅର୍ଥନୈତିକ ସ୍ୱଚ୍ଛଳତା ହାସଲ କରିପାରିଥିଲେ । ମୁଦ୍ରାସ୍ଫୀତିକୁ ରୋକି, ମୁଦ୍ରାର ଧାତବ ମୂଲ୍ୟକୁ ନିଶ୍ଚିତ କରିଥିଲେ । ସରକାର ଯେଉଁ ୠଣ ସଂଗ୍ରହ କରିଥିଲେ ତାହା ଯଥାସମୟରେ ପରିଶୋଧ କରିଦିଆଗଲା । ଏହାପରେ ଆବଶ୍ୟକ ହେଲେ ଚକ୍ରବୃଦ୍ଧିହାରରେ ସୁଧ ଦେବାର ପ୍ରତିଶ୍ରୁତି ନଦେଇ ମଧ୍ୟ ଋଣ ସଂଗ୍ରହ ସମ୍ଭବ ହେଲା । ସରକାରଙ୍କ ଉପରେ ଲୋକମାନଙ୍କର ଆସ୍ଥା ଏତେ ବଢ଼ିଗଲା ଯେ ସରକାରଙ୍କୁ ଋଣ ଦେବାପାଇଁ କେହି ଅନିଚ୍ଛୁକ ହେଲେନାହିଁ । ନିହାତି ଜରୁରୀ ନଥିଲେ ଏଲିଜାବେଥ୍ ରାଜକୋଷରୁ କପର୍ଦ୍ଦକ ମଧ୍ୟ ବ୍ୟୟ ମଞ୍ଜୁରୀ କରୁ ନଥିଲେ ।

 

ଦେଶରୁ ବେକାରି ଦୂର କରିବାପାଇଁ ଏଲିଜାବେଥ୍‌ କେତେକ ହିତକର କାମ କରିଥିଲେ-। ଖ୍ରୀ: ୧୫୬୩ରେ ଶିକ୍ଷାନବିସ୍ ଆଇନ (Apprenticeship Act) ପ୍ରଣୟନ କରି ଲୋକମାନଙ୍କୁ କର୍ମ ଯୋଗାଣ, ଶ୍ରମିକମାନଙ୍କର ମଜୁରୀ ହାର ଇତ୍ୟାଦି ନିର୍ଦ୍ଧାରିତ ହୋଇଥିଲା-। ଶିଳ୍ପ, କୃଷି ଓ ଘରୋଇ ଶ୍ରମିକମାନଙ୍କ ଜରୁରୀ ହାର ସ୍ଥିର କରିବାପାଇଁ ପ୍ରତ୍ୟେକ ଜିଲ୍ଲାର ବିଚାରପତିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ବଜାର ଦରଦାମ୍‍ ଉପରେ ମଧ୍ୟ ସରକାର ଦୃଷ୍ଟି ଦେଉଥିଲେ । ଶ୍ରମଲବ୍‌ଧ ମଜୁରୀରେ ଶ୍ରମିକମାନଙ୍କର ଦୈନନ୍ଦିନ ଜୀବିକା ନିର୍ବାହ ସମ୍ଭବ ହେଉଛି କି ନାହିଁ ତଦାରଖ କରି ଦେଖାଯାଉଥିଲା । ସେଥିପାଇଁ ଶ୍ରମିକ ଗଣ୍ଡଗୋଳ ପ୍ରାୟ ନଥିଲା-। ଅଭାବଗ୍ରସ୍ଥ ଲୋକମାନଙ୍କର କଲ୍ୟାଣପାଇଁ ଖ୍ରୀ: ୧୬୦୧ରେ ଯେଉଁ ଦରିଦ୍ର ଆଇନ (Poor law) ପାସ୍ ହେଲା ତା’ଦ୍ୱାରା ବୃଦ୍ଧ, ରୋଗାଗ୍ରସ୍ତ, ବେକାର ଓ ଦୁର୍ଦ୍ଦଶାଗ୍ରସ୍ତ ଲୋକମାନଙ୍କୁ ଆର୍ଥିକ ସାହାଯ୍ୟ ଦେବା ଦାୟିତ୍ୱ ସରକାର ବହନ କରିଥିଲେ । ବୃଦ୍ଧ ସ୍ଥବିରମାନଙ୍କୁ ଅନ୍ନଛତ୍ରରେ ରଖିବା, ଅନାଥ ପିଲାମାନଙ୍କୁ କାରିଗରୀ ଶିକ୍ଷାଦେବା, ରୋଗୀମାନଙ୍କର ଚିକିତ୍ସାପାଇଁ ପ୍ରତ୍ୟେକ ଗୃହସ୍ଥ ପାଖରୁ କର ଆଦାୟ କରି ବିଧିବଦ୍ଧ ବ୍ୟବସ୍ଥା ଜାରି ହୋଇଥିଲା । ସ୍ଥାନୀୟ ଅଫିସର ଏବଂ ନ୍ୟାୟପତିମାନେ ଏହି ଦାୟିତ୍ୱ ଗ୍ରହଣ କରିଥିଲେ । କର୍ମକ୍ଷମ ବ୍ୟକ୍ତିମାନଙ୍କୁ କାମ ଯୋଗାଇବା, କର୍ମହୀନ ବେକାରମାନଙ୍କୁ ଅର୍ଥ ସାହାଯ୍ୟ କରିବା ଓ ଆଳସ୍ୟପରାୟଣ ବ୍ୟକ୍ତିମାନଙ୍କୁ ବେତ୍ରାଘାତ କରିବାପାଇଁ ନିୟମ ଲାଗୁ ହୋଇଥିଲା ।

 

ସାହିତ୍ୟିକ ବିକାଶ

 

ଅନେକ ଦୃଷ୍ଟିରୁ ଏଲିଜାବେଥ୍‌ ଯୁଗର ଇଂରାଜୀ ସାହିତ୍ୟ ଅନନ୍ୟସାଧାରଣ ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ । ସମସାମୟିକ ମନୋଭାବର ପରିପ୍ରକାଶ, ବଳିଷ୍ଠ, ଉନ୍ନତ ଓ ବହୁଭିନ୍ନ ଧରଣର ସାହିତ୍ୟ ସୃଷ୍ଟି ଏ ଯୁଗର ବୈଶିଷ୍ଟ୍ୟ । ବିଗତ ପାଞ୍ଚଶତ ବର୍ଷର ସାହିତ୍ୟିକ ଇତିହାସରେ ଇଂଲଣ୍ଡରେ ମାତ୍ର ଜଣେ କବିଙ୍କର ଆବିର୍ଭାବ ଆମେ ଲକ୍ଷ୍ୟକରୁଁ । ସେ ଥିଲେ ଚସର୍‌-। କିନ୍ତୁ ୧୫୭୯ ଖ୍ରୀ:ଠାରୁ ଏଡ଼୍‍ମଣ୍ଡ ସ୍ପେନ୍‌ସାରଙ୍କୁ ନେଇ କେତେ କବି ଓ ଭାବୁକ ଯେ ଇଂରେଜ ସାହିତ୍ୟର ବିକାଶ ଓ ସମୃଦ୍ଧିପାଇଁ ଲେଖନୀ ଧାରଣ କରିଥିଲେ ତା’ର କଳନା ନାହିଁ-। ଏଲିଜାବେଥୀୟ ସାହିତ୍ୟିକ ମଣ୍ଡଳୀ ଇଂଲଣ୍ଡ ଇତିହାସର ଏକ ଗୌରବାବହ ଅବଦାନ । ସମାଜର ପ୍ରତ୍ୟେକ ସ୍ତରରେ ଜୀବନକୁ ଉପଭୋଗ କରିବା ଓ ସୌନ୍ଦର୍ଯ୍ୟ ଉପାସନାର ଯେଉଁ ଅପୂର୍ବ ଶିହରଣ ଖେଳିଯାଇଥିଲା ତାହାରି ରୂପାନ୍ତର ଘଟିଥିଲା ସାହିତ୍ୟର ପୃଷ୍ଠା ପୃଷ୍ଠାରେ । ପଦ୍ୟ, ଗଦ୍ୟ, ନାଟକ, ଐତିହାସିକ, ଆତ୍ମଜୀବନୀ ଓ ସମାଲୋଚନା ସାହିତ୍ୟର ଅପରୂପ ବିକାଶପାଇଁ ଏଲିଜାବେଥ୍‌ଙ୍କ ଯୁଗରେ ଇଂରେଜୀ ସାହିତ୍ୟରେ ସ୍ୱର୍ଣ୍ଣଯୁଗର ସୂତ୍ରପାତ ହୋଇଥିଲା ।

 

ଛନ୍ଦୋମୟ କବିତାର ପ୍ରଥମ ଝଙ୍କାର ଇଂରେଜମାନେ ଏଡ଼୍‌ମଣ୍ଡ ସ୍ପେନ୍‌ସାର୍‌ଙ୍କର ‘The Shepherd’s Calendar’ରେ ଶୁଣିଥିଲେ । ଲିଲି, ପିଲେ, ଲଜ୍‌, ଏବଂ ଗ୍ରୀନ୍‌ ପ୍ରଭୃତି ଥିଲେ ଏସମୟର ଅନ୍ୟାନ୍ୟ ଉଲ୍ଲେଖଯୋଗ୍ୟ କବି । ଗଦ୍ୟ ସାହିତ୍ୟର ବିକାଶପାଇଁ ସିଡ଼୍‌ନି, ହୁକାର ଆଦିଙ୍କର ଅବଦାନ ରହିଥିଲା । ଭାବନାର ଗାମ୍ଭୀର୍ଯ୍ୟ ଓ ଉନ୍ନତ ଭାଷାଶୈଳୀ ପାଇଁ ବେକନ୍‌ଙ୍କର ପ୍ରବନ୍ଧ ଇଂରେଜ ସାହିତ୍ୟରେ ଏବେ ସୁଦ୍ଧା ଉଚ୍ଚକୋଟୀର ଆସନ ଲାଭ କରିଅଛି । ଜନ୍ ଡନ୍‌ ଥିଲେ ପ୍ରଥମ ‘ଦାର୍ଶନିକ ସାହିତ୍ୟିକ’ ଯାହାଙ୍କର ରହସ୍ୟବାଦ ଓ ମଧୁର ପଦ୍ୟାବଳି ପାଠକର ମନକୁ ଅଫୁରନ୍ତ ଆନନ୍ଦରେ ଭରି ଦେଇଥାଏ ।

 

କିନ୍ତୁ ଶଂସିତ କାଳରେ ଇଂଲଣ୍ଡର ବିଶ୍ୱ ବିଶ୍ରୁତ ନାଟକାବଳୀ ରଚିତ ହୋଇଥିଲା । ସାହିତ୍ୟିକ ନବଜାଗରଣ ଗ୍ରୀକ୍‌ ଓ ରୋମାନ୍‌ ସାହିତ୍ୟର ଜନପ୍ରିୟତା ବୃଦ୍ଧି କରିବାଫଳରେ ସୋଫୋକ୍ଳିସ୍‌, ଉଇରିପିଡ଼ିସ୍‌, ଏରିଷ୍ଟୋଫେନିସ ଇତ୍ୟାଦି ପ୍ରାଚୀନ ନାଟ୍ୟକାରଙ୍କର ଅମର ରଚନାରୁ ପାଠକ ସମାଜ ଅପାର ଆନନ୍ଦ ଲାଭ କରିଥିଲେ । ଚିତ୍ତବିନୋଦନ ପାଇଁ ବିଦ୍ୟାଳୟମାନଙ୍କରେ ଶିକ୍ଷକମାନେ ଛାତ୍ରମାନଙ୍କୁ ନେଇ ନାଟକ ଅଭିନୟ କରୁଥିଲେ । ଇଟନ୍‌ ବିଦ୍ୟାଳୟର ଶିକ୍ଷକ ନିକୋଲାସ ଉଡ଼ାଲ୍‌ ପ୍ରଥମେ Ralph Roister Doister ନାମକ ମିଲନାତୁକ ନାଟକ ରଚନା କରିଥିଲେ । କିନ୍ତୁ ପ୍ରକୃତ ନାଟ୍ୟ ସାହିତ୍ୟର ବିକାଶ ସମ୍ଭବ ହୋଇଥିଲା ଉଇଲିୟମ୍‌ ସେକ୍‌ସପିୟାରଙ୍କର ସାଧନାଫଳରେ । ବିଶ୍ୱନାଟ୍ୟ ସାହିତ୍ୟରେ ତାଙ୍କପରି ପ୍ରତିଭା ଏପର୍ଯ୍ୟନ୍ତ ବିରଳ । ବିୟୋଗାତ୍ମକ ଓ ମିଳନାତ୍ମକ ନାଟକ ବ୍ୟତୀତ ସନେଟ୍‌ ରଚନାରେ ମଧ୍ୟ ତାଙ୍କର ଅପୂର୍ବ ପ୍ରତିଭାର ପରିଚୟ ମିଳେ । ଆଉ ଜଣେ ସୁପ୍ରସିଦ୍ଧ ନାଟ୍ୟକାର ଥିଲେ ତ୍ରିଷ୍ଟୋଫାର ମାର୍ଲୋ । ଅତି ଅଳ୍ପ ବୟସରେ ଯେଉଁ ମହନୀୟ ପ୍ରତିଭାର ଅଧିକାରୀ ସେ ହୋଇଥିଲେ ତା’ର ସୂଚନା ଆମେ Doctor Faustus ଏବଂ Edward II ନାଟକଗୁଡ଼ିକରେ ଦେଖିବାକୁ ପାଉଁ-। ଏମାନଙ୍କ ଛଡ଼ା ଫୋର୍ଡ଼, ମାସିଞ୍ଜର୍‌, କାଇଡ଼୍, ଚାପମ୍ୟାନ୍‌, ବିଉମଣ୍ଟ, ଫ୍ଳେଚର ପ୍ରଭୃତି ଥିଲେ ଅନ୍ୟ ପ୍ରତିଭାଶାଳୀ ସାହିତ୍ୟିକ ।

 

ଏଲିଜାବେଥୀୟ ଯୁଗର ସାହିତ୍ୟରେ ମାନବିକତାର ପ୍ରଚ୍ଛନ୍ନ ପରିପ୍ରକାଶ ଦେଖିବାକୁ ମିଳେ । ବଳିଷ୍ଠ ଚିନ୍ତାଧାରା, ଉନ୍ନତ କଳ୍ପନା, ପ୍ରାକୃତିକ ସୌନ୍ଦର୍ଯ୍ୟର ପୂଜାରୀ ହିସାବରେ ତତ୍କାଳୀନ ସାହିତ୍ୟିକମାନେ ଯେଉଁ ସାବଲୀଳ ଓ ସାର୍ବଜନୀନ ସାହିତ୍ୟ ସୃଷ୍ଟିକରି ଯାଇଛନ୍ତି ତା’ର ସ୍ଥାନ ସଭ୍ୟତାର ପୃଷ୍ଠାରେ ଚିରସ୍ଥାୟୀ । ଜାତୀୟ ଜୀବନର ବିକାଶ, ଜାତୀୟତା ମନୋଭାବର ଦ୍ୟୋତକ ହିସାବରେ ମଧ୍ୟ ତା’ର ସ୍ଥାନ ଅତି ଉଚ୍ଚରେ ଥିଲା ।

 

ଏଲିଜାବେଥ୍‌ ଓ ପାର୍ଲିଆମେଣ୍ଟ୍‍

 

ଟିଉଡ଼ର୍ ବଂଶର ମୁଖ୍ୟ ଶାସକମାନଙ୍କୁ ଇଂଲଣ୍ଡ ଅକୁଣ୍ଠିତ ଚିତ୍ତରେ ସମର୍ଥନ କରୁଥିଲା । ଜାତୀୟ ବିପତ୍ତିରୁ ଦେଶବାସୀଙ୍କୁ ରକ୍ଷା କରିଥିବାରୁ ସପ୍ତମ ହେନେରୀ ଓ ଏଲିଜାବେଥ୍‌ ଉଭୟେ ପ୍ରଶଂସନୀୟ ହୋଇଥିଲେ । ଖ୍ରୀ: ୧୫୮୮ରେ ସ୍ପେନୀୟ ଆକ୍ରମଣରୁ ଦେଶକୁ ରକ୍ଷାକଲା ପରେ ଆଭ୍ୟନ୍ତରୀଣ ରାଜନୀତିରେ ରାଣୀ ଓ ସଂସଦୀୟମାନଙ୍କ ମଧ୍ୟରେ ଥିବା ସମ୍ପର୍କ କ୍ରମଶଃ ଏକ ନୂତନ ଆଭିମୁଖ୍ୟ ଗ୍ରହଣ କରିଥିଲା । ପାର୍ଲିଆମେଣ୍ଟ୍‍ର ସଦସ୍ୟମାନେ ପ୍ରଥମେ ଧର୍ମବିଷୟକ ସମସ୍ୟା ନେଇ ଏଲିଜାବେଥ୍‌ଙ୍କର ମରହଟ୍ଟିଆ ମନୋବୃତ୍ତିକୁ ସମାଲୋଚନା କରିଥିଲେ । ପ୍ୟୁରିଟାନ୍‌ମାନେ ସଂଖ୍ୟାଗରିଷ୍ଠ ଥିବାରୁ ପାରମ୍ପରିକ ଉପାସନାର ପରିବର୍ତ୍ତନ ଦାବିକରି ସଫଳ ହୋଇପାରି ନଥିଲେ । ଅର୍ଥନୈତିକ କ୍ଷେତ୍ରରେ ସେହିପରି କେତେକ ବ୍ୟବସାୟୀଙ୍କଠାରୁ ଚାନ୍ଦା ଗ୍ରହଣ କରି ସେମାନଙ୍କୁ କେତେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉତ୍ପାଦନ ପାଇଁ ଏକଚାଟିଆ ଅଧିକାର ଦେବାର ପାର୍ଲିଆମେଣ୍ଟ୍‍ ତା’ର ବିରୋଧ କରିଥିଲା । ରାଣୀଙ୍କଦ୍ୱାରା ଏପରି ଅର୍ଥ ସଂଗ୍ରହ ନ୍ୟାୟସଙ୍ଗତ ନୁହେଁ ବୋଲି ସଦସ୍ୟମାନେ ମତବ୍ୟକ୍ତ କରିଥିଲେ । ଏଲିଜାବେଥ୍‍ ତାହା ସ୍ୱୀକାର କରି ଭବିଷ୍ୟତରେ କୌଣସି ଅନୁଗ୍ରହ ବ୍ୟବସାୟୀମାନଙ୍କୁ ଦେଖାଇବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

 

ରାଜତ୍ୱର ଶେଷ କେତେ ବର୍ଷ ନୀତିନିର୍ଦ୍ଧାରଣରେ ଓ ପ୍ରଶାସନିକ ବ୍ୟାପାରରେ ପାର୍ଲିଆମେଣ୍ଟ୍‍ର ନିରବଚ୍ଛିନ୍ନ ସହଯୋଗ ବିନିଯୋଗ କରିଥିଲେ । ଏହି ସହଯୋଗ କିନ୍ତୁ ଗଠନମୂଳକ ଥିଲା । ଶାସନ କ୍ଷେତ୍ରରେ ଏକଛତ୍ରବାଦର ଆଭାସ ମାତ୍ର ନଥିଲା । ଜାତିର ସମର୍ଥନ ଉପରେ ଶାସନ ବ୍ୟବସ୍ଥା ଗଠିତ ହୋଇଥିଲା । ତା’ ନ ହୋଇଥିଲେ, ସେନାବାହିନୀ ଓ ବେତନଭୋଗୀ କର୍ମଚାରୀ ନଥିବା ସତ୍ତ୍ୱେ ଶାସନ କାର୍ଯ୍ୟ ଏତେ ସୁପରିଚାଳିତ ହୋଇଥାନ୍ତା କିପରି-? କମନ୍‌ସ ସଭାକୁ ଶାସନ ବ୍ୟାପାରରେ ସକ୍ରିୟ ଅଂଶଗ୍ରହଣ କରିବାର ସୁଯୋଗ ଦେଇ ଏଲିଜାବେଥ୍ ଇଂଲଣ୍ଡର ଗଣତାନ୍ତ୍ରିକ ଅଭ୍ୟୁଦୟକୁ ତ୍ୱରାନ୍ୱିତ କରିପାରିଥିଲେ ।

 

ଏଲିଜାବେଥ୍‌ଙ୍କ ମୃତ୍ୟୁ

 

ଏହିପରି ଭାବରେ ଦୀର୍ଘ ୪୫ ବର୍ଷର ଗୌରବମୟ ରାଜତ୍ୱ ପରେ ୧୬୦୩ ଖ୍ରୀ:ରେ ଏଲିଜାବେଥ୍‌ଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁରେ ଏକ ମହାନ୍ ଶାସକଙ୍କର ମହାପ୍ରୟାଣ ଘଟିଲା । ତା’ ସଙ୍ଗେ ଟିଉଡ଼ର୍ ରାଜବଂଶର ଅବସାନ ଘଟିଲା । ଏଲିଜାବେଥ୍‌ହିଁ ଥିଲେ ଟିଉଡ଼ର୍ ବଂଶର ପ୍ରକୃତ ପରିଚୟ । ଦେଶବାସୀଙ୍କୁ ଚିହ୍ନି, ତାଙ୍କ ମନକୁ ଜାଣି କାମ କରିଯିବା, ଜାତିର ଗୌରବ ଓ ଯଶପାଇଁ ପ୍ରାଣୋତ୍ସର୍ଗ କରିବାରେ ସେ ଅପୂର୍ବ ବିଚକ୍ଷଣତାର ପରିଚୟ ଦେଇଗଲେ । ସେ ଯେ କେବଳ ଜଣେ ମହୀୟସୀ ମହିଳା ନଥିଲେ ଅପରନ୍ତୁ ଆଭିଜାତ୍ୟ, ପାଣ୍ଡିତ୍ୟ, ନୀତିବାଦୀ, ସାଧୁତା, ମମତା ଓ ସ୍ନେହଭରା ଗୁଣ ନେଇ ସେ ଇଂଲଣ୍ଡକୁ ଯେଉଁ ଦାରୁଣ ବିପତ୍ତିକୁ ଉଦ୍ଧାର କରି ଇଉରୋପର ସମୃଦ୍ଧିଶାଳୀ, ପ୍ରଗତିଶୀଳ ମହାଶକ୍ତି ଭାବରେ ପ୍ରତିଷ୍ଠିତ କରିଥିଲେ, ଏ ସମସ୍ତର ଯଶଗାନ ପାଇଁ ଭାଷା କାହିଁ ? ଗୋଟିଏ କଥାରେ କହିଲେ ମନର ଦୃଢ଼ସଂକଳ୍ପ, ଗଭୀର ଆତ୍ମବିଶ୍ୱାସ ଓ ଭବିଷ୍ୟତର ସ୍ୱପ୍ନ ନେଇ ସେ ଇଂରେଜ ଜାତିକୁ ଗଢ଼ିଦେଇ ଗଲେ ।

Image

 

Unknown

ଷଷ୍ଠ ଅଧ୍ୟାୟ

ପ୍ରଥମ ଜେମ୍‍ସ୍‌ (୧୬୦୩–୧୬୨୫)

 

ସିଂହାସନ ଆରୋହଣ–ମହାରାଣୀ ଏଲିଜାବେଥ୍ ଆଜୀବନ ଅବିବାହିତା ଥିଲେ । ତେଣୁ ତାଙ୍କର ଦୀର୍ଘ ରାଜତ୍ୱ ପରେ ଇଂଲଣ୍ଡର ସିଂହାସନ ପାଇଁ ଉତ୍ତରାଧିକାରୀ ପ୍ରଶ୍ନ ଏକ ସମସ୍ୟାରୂପେ ଦେଖାଦେଲା । ଟିଉଡ଼ର୍‍ମାନଙ୍କର ସୁଶାସନ ତଥା ଗୌରବମୟ ବୈଦେଶିକ ନୀତିଫଳରେ ଯେଉଁ ସ୍ୱର୍ଣ୍ଣ ଯୁଗର ପ୍ରତିଷ୍ଠା ହୋଇଥିଲା, ତାହାର ଅବସାନ ହୋଇ ଇତିହାସର ପୁନରାବୃତ୍ତିରେ ଇଂଲଣ୍ଡ ପୁଣି ଟିଉଡ଼ର୍ ଗୃହଯୁଦ୍ଧ ଓ ଅରାଜକତାର ଯୁଗକୁ ଫେରିଯିବ ବୋଲି ଆଶଙ୍କା କରାଗଲା । ମାତ୍ର ତତ୍କାଳୀନ ଦକ୍ଷ ମନ୍ତ୍ରୀ ରବର୍ଟ ସେସିଲ୍‌ ଏହି ରାଜନୈତିକ ସମସ୍ୟାର ସଫଳ ସମାଧାନ କରି ଇଂଲଣ୍ଡର ଆଶଙ୍କାରୁ ଦୂରୀଭୂତ କଲେ । ତାଙ୍କର ପ୍ରସ୍ତାବରେ ସ୍କଟ୍‍ଲାଣ୍ଡ୍‍ର ରାଜା ଷଷ୍ଠ ଜେମ୍‍ସ୍‌ଙ୍କୁ ଇଂଲଣ୍ଡର ସିଂହାସନ ଅର୍ପଣ କରାଗଲା । ଷଷ୍ଠ ଜେମ୍‍ସ୍‌ଙ୍କର ମାତା ସ୍କଟ୍‍ଲାଣ୍ଡ୍‍ର ରାଣୀ ମେରୀ ପଞ୍ଚମ ଜେମ୍‍ସ୍‌ଙ୍କର କନ୍ୟା ଥିଲେ ଏବଂ ପଞ୍ଚମ ଜେମ୍‍ସ୍‍ଙ୍କର ମାତା ତଥା ଚତୁର୍ଥ ଜେମ୍‍ସ୍‌ଙ୍କର ରାଣୀ ମାର୍ଗାରେଟ୍‍ ସପ୍ତମ ହେନେରୀଙ୍କର ଦୁହିତା ଥିଲେ । ଏହା ବ୍ୟତୀତ ଷଷ୍ଠ ଜେମ୍‍ସ୍‌ଙ୍କର ଜନକ ଲର୍ଡ଼ ଡାନ୍‌ଲେଙ୍କ ମାତା ମଧ୍ୟ ମାର୍ଗାରେଟ୍‍ଙ୍କ ଅନ୍ୟ ଏକ କନ୍ୟା ଥିଲେ । ସୁତରାଂ ଇଂଲଣ୍ଡର ସିଂହାସନ ପାଇଁ ଜେମ୍‍ସ୍‍ଙ୍କର ଦାବି ଯୁକ୍ତିଯୁକ୍ତ ଥିଲା । ରାଣୀ ଏଲିଜାବେଥ୍‌ ମଧ୍ୟ ଆପଣାର ଜୀବିତାବସ୍ଥାରେ ଜେମ୍‍ସ୍‍ଙ୍କର ଦାବିକୁ ସମର୍ଥନ କରୁଥିଲେ । ସ୍କଟ୍‍ଲାଣ୍ଡ୍‍ ଏକ ପ୍ରୋଟେଷ୍ଟାଣ୍ଟ୍ ଦେଶ ଥିଲା ଏବଂ ଜେମ୍‍ସ୍‌ ପ୍ରୋଟେଷ୍ଟାଣ୍ଟ୍ ବାତାବରଣରେ ବଢ଼ିଥିଲେ-। ତେଣୁ ରବର୍ଟ ସେସିଲଙ୍କର ପ୍ରସ୍ତାବ ଇଂଲଣ୍ଡପାଇଁ ଅନୁକୂଳ ଥିଲା । ସୁତରାଂ ସିଂହାସନ ପାଇଁ ଅନ୍ୟ କେତେକ ଦାବିଦାର ଥିଲେ ମଧ୍ୟ, ଏହି ପ୍ରସ୍ତାବକୁ ସାରା ଦେଶ ଗ୍ରହଣ କରିନେଲା-। ୧୬୦୩ ଖ୍ରୀ: ଏପ୍ରିଲ ଶେଷରେ ଜେମ୍‍ସ୍‌ ଯେତେବେଳେ ଇଂଲଣ୍ଡରେ ପଦାର୍ପଣ କଲେ, ଇଂଲଣ୍ଡବାସୀ ତାଙ୍କୁ ଉଚ୍ଛ୍ୱସିତ ଅଭିନନ୍ଦନ ଜଣାଇଲେ । ତାଙ୍କର ଅଭିଷେକ ଉତ୍ସବ ମହାସମାରୋହରେ ସମାହିତ ହେଲା । ଏହି ଅବସରରେ ସେ ପ୍ରଥମ ଜେମ୍‍ସ୍‌ ନାମ ଧାରଣ କଲେ । ସେତେବେଳକୁ ତାଙ୍କର ବୟସ ଥିଲା ୩୭ ବର୍ଷ ।

 

ଜେମ୍‌ସ୍‍ଙ୍କର ଚାରିତ୍ରିକ ବୈଶିଷ୍ଟ୍ୟ

 

ଜେମ୍‍ସ୍‌ ଜଣେ ଉଚ୍ଚ ଶିକ୍ଷିତ ତଥା ବିଦ୍ୱାନ ରାଜା ଥିଲେ । ବାଲ୍ୟକାଳରୁ ତାଙ୍କର ବିଦ୍ୟା ପ୍ରତି ଅନୁରାଗ ଥିଲା । ସେ ସମୟ ସମୟରେ କବିତା ରଚନା କରୁଥିଲେ, ମାତ୍ର ତାଙ୍କର ଗଦ୍ୟ ରଚନା ଓ ବକ୍ତୃତା ଶକ୍ତିଶାଳୀ ଥିଲା । ଧର୍ମଶାସ୍ତ୍ର ତଥା ବୈଦେଶିକ ରାଜନୀତିରେ ତାଙ୍କର ଗଭୀର ପ୍ରବେଶ ଥିଲା । ସେ ଜଣେ ଉତ୍ତମ ଅଶ୍ୱାରୋହୀ ତଥା ଦକ୍ଷ ଶିକାରୀ ଥିଲେ ଏବଂ ଶାରୀରିକ ବ୍ୟାୟାମ କରିବାକୁ ଆଗ୍ରହ ପ୍ରକାଶ କରୁଥିଲେ । ସେ ବଡ଼ ପରିହାସ–ପ୍ରିୟ ଥିଲେ । ତାଙ୍କର କଳ୍ପନା ଓ ଭାବନା ଉଚ୍ଚକୋଟୀର ଥିଲା । ଯୁଦ୍ଧ ଓ କୂଟନୀତିର ଯୁଗରେ ସେ ଶାନ୍ତି–ଦୂତର ଭୂମିକା ଗ୍ରହଣ କରିବାକୁ ଚାହିଁଥିଲା । ଧର୍ମ–ବିଦ୍ୱେଷ ଯୁଗରେ ସେ ସବୁ ଧର୍ମ ପ୍ରତି ସହନଶୀଳ ମନୋଭାବ ପ୍ରଦର୍ଶନ କରିଥିଲେ । ଇଂଲଣ୍ଡ ଓ ସ୍କଟ୍‍ଲାଣ୍ଡ୍‍ର ସମ୍ମିଶ୍ରଣ ପାଇଁ ଉଦ୍ୟମ କରି ସେ ଆପଣାର ରାଜନୈତିକ ବିଜ୍ଞତାର ପରିଚୟ ଦେଇ ଯାଇଛନ୍ତି । ଏହି ମିଶ୍ରଣୟ ରାଜନୈତିକ ଉପାଦେୟତା ସେତେବେଳେ ତାଙ୍କ ବ୍ୟତୀତ କେହି ବୁଝି ପାରି ନଥିଲେ । ଫଳରେ ୧୭୦୭ ଖ୍ରୀ: ପର୍ଯ୍ୟନ୍ତ ଏହା ସମ୍ଭବ ହୋଇ ପାରି ନଥିଲା ।

 

ମାତ୍ର ଜେମ୍‌ସ୍‍ଙ୍କ ଚରିତ୍ରରେ ଗୁଣ ଅପେକ୍ଷା ଦୋଷ ଓ ଦୁର୍ବଳତା ଅଧିକ ପରିମାଣରେ ଥିଲା । ତାଙ୍କର କେତେକ ବ୍ୟକ୍ତିଗତ ଅଭ୍ୟାସ ତ୍ରୁଟିପୂର୍ଣ୍ଣ ଥିଲା । ତାଙ୍କର ଆକୃତି କଦାକାର ଥିଲା ଏବଂ ବ୍ୟକ୍ତିତ୍ୱ ପ୍ରଭାବଶାଳୀ ନଥିଲା । ସେ ବଡ଼ ଆଳସ୍ୟପରାୟଣ ଥିଲେ । କୌଣସି କାର୍ଯ୍ୟପାଇଁ କଷ୍ଟ ସ୍ୱୀକାର କରିବାକୁ ସେ ଚାହୁଁ ନଥିଲେ କିମ୍ବା କୌଣସି ଜିନିଷର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ପାଇଁ ତାଙ୍କର ଧୈର୍ଯ୍ୟ ନଥିଲା । ବୈଦେଶିକ ନୀତିରେ ସେ ଅତ୍ୟନ୍ତ ଦୁର୍ବଳମନା ତଥା ସନ୍ଦେହୀ ଥିଲେ । ତାଙ୍କର ଅହମିକାର ପଟାନ୍ତର ନଥିଲା । ସେ ଆପଣାର ପ୍ରଗାଢ଼ ଜ୍ଞାନ ବିଷୟରେ ସଚେତନ ଥିଲେ ଏବଂ ଚାଟୁକାରମାନଙ୍କର ତୋଷାମଦରେ ଆତ୍ମପ୍ରସାଦ ଅନୁଭବ କରୁଥିଲେ । ତାଙ୍କର ବାକ୍‌ପଟୁତା ଅନେକ ସମୟରେ ବାଚଳତାରେ ପରିଣତ ହେଉଥିଲା । ପୋଥିଗତ ଜ୍ଞାନରେ ସେ ଯଦ୍ୟପି ପାରଙ୍ଗମ ଥିଲେ, ତାଙ୍କର ସାଧାରଣ ଜ୍ଞାନର ଅଭାବ ଥିଲା । ଫରାସୀ ରାଜା ଚତୁର୍ଥ ହେନେରୀଙ୍କ ଭାଷାରେ ଜେମ୍‌ସ୍ ଥିଲେ ‘‘ଖ୍ରୀଷ୍ଟିଆନ ଜଗତର ବିଜ୍ଞତମ ବୋକା’’ । (Wisest Fool of Christondom)

 

‘‘ରାଜାଙ୍କର ଦେବଦତ୍ତ ଅଧିକାର’’ (Divine Right of Kingship) ଉପରେ ଜେମ୍‍ସ୍‌ଙ୍କର ପ୍ରଗାଢ଼ ବିଶ୍ୱାସ ଥିଲା । ତାଙ୍କର ମତରେ ରାଜାମାନେ ରାଜ୍ୟ ଶାସନପାଇଁ ଭଗବାନଙ୍କଦ୍ୱାରା ମନୋନୀତ ହୋଇଥାନ୍ତି । ତେଣୁ ସେମାନେ ସେମାନଙ୍କର କାର୍ଯ୍ୟପାଇଁ ଭଗବାନଙ୍କଠାରେହିଁ ଦାୟୀ ରହିବେ । ରାଜାଙ୍କୁ ସମାଲୋଚନା କରିବା ବା ତାଙ୍କର କ୍ଷମତା ବିଷୟରେ ପ୍ରଶ୍ନ କରିବା ଅଧିକାର ପ୍ରଜାଙ୍କର ନାହିଁ । ଜେମ୍‌ସ୍‍ଙ୍କର ଏହି ରାଜନୈତିକ ମତବାଦ ଅନୁନ୍ନତ ସ୍କଟ୍‍ଲାଣ୍ଡ୍‍ବାସୀଙ୍କ ପାଇଁ ଗ୍ରହଣୀୟ ଥାଇପାରେ । ମାତ୍ର ଇଂଲଣ୍ଡରେ ଏହା ତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ କରାଇଲା । ଇଂଲଣ୍ଡର ଶାସନଭାର ଗ୍ରହଣ କରି ଜେମ୍‌ସ୍ ସେ ଦେଶର ଜନସାଧାରଣଙ୍କର ସାଧାରଣ ମତାମତ ବିଷୟରେ ଅଜ୍ଞ ଥିଲେ ।

 

ବିଦ୍ରୋହ ଓ ଷଡ଼ଯନ୍ତ୍ର–ପ୍ରଥମ ଜେମ୍‍ସ୍‌ଙ୍କର ସିଂହାସନ ଆରୋହଣକୁ ଇଂଲଣ୍ଡର ଜନସାଧାରଣ ସ୍ୱାଗତ କରିଥିଲେ । ତଥାପି ଏହି ସମୟରେ ତାଙ୍କ ବିରୁଦ୍ଧରେ କେତେକ ଗୁପ୍ତ ଷଡ଼ଯନ୍ତ୍ରର ଉଦ୍ୟମ ହୋଇଥିଲା । ତନ୍ମଧ୍ୟରେ ତିନୋଟି ଘଟଣା ଉଲ୍ଲେଖଯୋଗ୍ୟ ଅଟେ । ପ୍ରଥମଟି ଶାଖା ଷଡ଼ଯନ୍ତ୍ର (Bye Plot) ନାମରେ ଅଭିହିତ । ଗ୍ରୀନଉଇଚ ସହରଠାରେ ରାଜାଙ୍କୁ ଅପହରଣ କରିନେବା ଏବଂ ଲଣ୍ଡନର ସରକାରୀ କାରାଗାର (Tower) ଅଧିକାର କରିବା ଏହାର ଲକ୍ଷ୍ୟ ଥିଲା । ଏହି ଷଡ଼ଯନ୍ତ୍ରରେ କେତେକ ରୋମାନ୍ କାଥଲିକ୍‌ଙ୍କର ହାତ ଥିଲା । ଧରା ପଡ଼ିବା ପରେ ଏମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ଆସାମୀ ରାଜାଙ୍କ ବିରୁଦ୍ଧରେ ଆଉ ଏକ ମୁଖ୍ୟ ଷଡ଼ଯନ୍ତ୍ର ଆୟୋଜିତ ହୋଇଥିବା ବିଷୟରେ ସୂଚନା ଦେଲେ । ସ୍ପେନ୍‍ ସରକାରଙ୍କର ସହାୟତାରେ ଆରାବେଲା (Arabela) ନାମ୍ନୀ ଜଣେ ମହିଳାଙ୍କୁ ଇଂଲଣ୍ଡର ରାଜସିଂହାସନରେ ବସାଇବା ପାଇଁ ମୁଖ୍ୟ ଷଡ଼ଯନ୍ତ୍ରର ଯୋଜନା ଥିଲା । ଜେମ୍‌ସ୍‍ଙ୍କର ଅନୁରୂପ ଆରେବେଲା ମଧ୍ୟ ଟିଉଡ଼ର୍‍ ରାଜା ସପ୍ତମ ହେନେରୀଙ୍କର କନ୍ୟା ମାର୍ଗାରେଟ୍‍ଙ୍କର ବଂଶଧର ଥିଲେ । ଇଂଲଣ୍ଡରେ ସେ ଜନ୍ମଲାଭ କରିଥିଲେ ବୋଲି ସିଂହାସନ ପାଇଁ ଜେମ୍‍ସ୍‌ଙ୍କ ଅପେକ୍ଷା ତାଙ୍କର ଦାବି ଦୃଢ଼ତର ଥିଲା ବୋଲି ମନେ କରାଯାଉଥିଲା । ତେବେ ଏହି ଷଡ଼ଯନ୍ତ୍ର କାର୍ଯ୍ୟକାରୀ ହେବା ପୂର୍ବରୁ ଧରାପଡ଼ିଲା ।

 

ମୁଖ୍ୟ ଷଡ଼ଯନ୍ତ୍ରରେ ସାର୍‌ ଉଆଲଟର ରାଲେ (Walter Raleigh) ନାମକ ଜଣେ ମହୀୟାନ୍‌ ବ୍ୟକ୍ତିଙ୍କୁ ଅଭିଯୁକ୍ତ କରାଯାଇଥିଲା । ରାଲେ ଥିଲେ ଜଣେ ପ୍ରସିଦ୍ଧ ଆବିଷ୍କାରକ, ଲେଖକ, କବି, ଯୋଦ୍ଧା ଏବଂ ନାବିକ । ବିଚାରାଳୟ ରାଜଦ୍ରୋହ ଅପରାଧ ଯୋଗୁଁ ତାଙ୍କ ପ୍ରତି ମୃତ୍ୟୁଦଣ୍ଡ ଆଦେଶ ଦେଲେ । ମାତ୍ର ଦେଶପାଇଁ ତାଙ୍କର ଅବଦାନ ବିଷୟ ବିଚାର କରି ଉକ୍ତ ଦଣ୍ଡର କୋହଳ କରାଗଲା ଏବଂ ତାଙ୍କୁ ଟାଉଆର କାରାଗାରରେ କେବଳ ବନ୍ଦୀ କରି ରଖାଗଲା । ସେ କରାଗୃହରେ ତାଙ୍କର ସୁପ୍ରସିଦ୍ଧ ଗ୍ରନ୍ଥ ‘ପୃଥିବୀର ଇତିହାସ’ (History of the World) ଲେଖିଥିଲେ । ଏହି ସମୟରେ ରାଲେ ଅରିନୋକ ନଦୀର ତଟ ଦେଶରେ ଏକ ସୁନାଖଣିର ସନ୍ଧାନ ପାଇଥିଲେ ବୋଲି କହୁଥିଲେ । ତେରବର୍ଷ କାରାଦଣ୍ଡ ପରେ ତାଙ୍କୁ ମୁକ୍ତ କରି ସେହି ସୁନାଖଣିର ଆବିଷ୍କାର ପାଇଁ ନିର୍ଦ୍ଦେଶ ଦିଆଗଲା । ମାତ୍ର ସେହି ନଦୀ ପାଖରେ ସ୍ପେନୀୟମାନଙ୍କ ସହ କଳହରେ ବ୍ୟାପୃତ ନ ହେବାପାଇଁ ତାଙ୍କୁ ସତର୍କ କରି ଦିଆଯାଇଥିଲା । ରାଲେଙ୍କର ଏହିଥର ସାମୁଦ୍ରିକ ଯାତ୍ରା ଦୁଃଖପୂର୍ଣ୍ଣ ଥିଲା । ତାଙ୍କର ଅନେକ ସହଯାତ୍ରୀ ମୃତ୍ୟୁବରଣ କଲେ । ସେ ମଧ୍ୟ ପୀଡ଼ିତ ହୋଇ ତାଙ୍କର ଈପ୍‌ସିତ ସୁନାଖଣି ନିକଟରେ ପହଞ୍ଚିପାରି ନଥିଲେ । ଦୁର୍ଭାଗ୍ୟବଶତଃ ସେ ସ୍ପେନୀୟମାନଙ୍କ ସହିତ ଅଗତ୍ୟା ଏକ ଖଣ୍ଡ ଯୁଦ୍ଧରେ ଲିପ୍ତ ରହିଲେ । ସ୍ପେନ୍‍ ରାଜଦୂତ ଜେମ୍‍ସ୍‌ଙ୍କ ନିକଟରେ ଏହାର ପ୍ରତିବାଦ କଲେ । ଏହି ସମୟରେ ଜେମ୍‍ସ୍‌ ଆପଣାର ପୁତ୍ର ଚାର୍ଲସ୍‍ଙ୍କ ସହ ସ୍ପେନ୍‍ ରାଜକୁମାରୀଙ୍କ ବିବାହପାଇଁ ଉଦ୍ୟମ କରୁଥିଲେ । ତେଣୁ ସ୍ପେନ୍‍କୁ ସନ୍ତୁଷ୍ଟ କରିବା ସକାଶେ ସେ ରାଲେଙ୍କୁ ପୂର୍ବତନ ରାଜଦ୍ରୋହ ଅପରାଧରେ ମୃତ୍ୟୁଦଣ୍ଡ ପ୍ରଦାନ କଲେ । ଏହିପରି ଭାବରେ ରାଲେ ୧୬୧୮ ଖ୍ରୀ:ରେ ମୃତ୍ୟୁବରଣ କଲେ ।

 

ଜେମ୍‌ସ୍‍ଙ୍କ ବିରୁଦ୍ଧରେ ତୃତୀୟ ଷଡ଼ଯନ୍ତ୍ରକୁ ବାରୁଦ ଗୁଣ୍ଡ ଷଡ଼ଯନ୍ତ୍ର (Gun Powder plot) ବୋଲି କୁହାଯାଏ । ଏହା ମଧ୍ୟ କାଥଲିକ୍‌ମାନଙ୍କଦ୍ୱାରା ଆୟୋଜିତ ହୋଇଥିଲା । ଜେମ୍‍ସ୍‌ଙ୍କର ମାତା ଓ ପିତା ଉଭୟେ କାଥଲିକ୍‍ ଥିଲେ । ତେଣୁ ଜେମ୍‍ସ୍‌ ମଧ୍ୟ ଏହି ମତବାଦକୁ ସମର୍ଥନ କରିବେ ବୋଲି କାଥଲିକ୍‍ମାନଙ୍କର ଆଶାଥିଲା । ମାତ୍ର ଏଥିରେ ହତାଶ ହୋଇ ସେମାନେ ଜେମ୍‍ସ୍‌ଙ୍କୁ ହତ୍ୟା କରିବା ସକାଶେ ଉଦ୍ୟମ କଲେ । ବାରୁଦ ଗୁଣ୍ଡ ଷଡ଼ଯନ୍ତ୍ରରେ ରାଜା ତଥା ପାର୍ଲିଆମେଣ୍ଟ୍‍ର ଉଭୟ ଗୃହର ସଦସ୍ୟମାନଙ୍କୁ ସେମାନଙ୍କର ମିଳିତ ଅଧିବେଶନବେଳେ ଏକ ସମୟରେ ହତ୍ୟା କରିଦେବା ପାଇଁ ବିପୁଳ ଆୟୋଜନ ହୋଇଥିଲା । ଏହା ସଫଳ ହୋଇଥିଲେ ଜେମ୍‍ସ୍‍ଙ୍କ ପୁତ୍ର ଚାର୍ଲସଙ୍କୁ ରାଜାରୂପେ ଅଭିଷିକ୍ତ କରି ଏକ କାଥଲିକ୍ ସରକାର ଗଢ଼ାଯାଇପାରିଥାନ୍ତା । ବିଦ୍ରୋହୀମାନେ ଲର୍ଡ଼ ସଭାଗୃହର ସଂଲଗ୍ନସ୍ଥିତ ଏକ ଗୃହରେ ସେମାନଙ୍କର କାର୍ଯ୍ୟାଳୟ ସ୍ଥାପନ କଲେ । ସେଠାରୁ ସେମାନେ ମାଟିତଳେ ସୁଡ଼ଙ୍ଗ ତିଆରି କରି ଲର୍ଡ଼ ସଭାଗୃହର ତଳେ ଏକ ପ୍ରକୋଷ୍ଠ ନିର୍ମାଣ କଲେ । ତହିଁରେ ପ୍ରାୟ ଦୁଇଟନ୍‌ ବାରୁଦଗୁଣ୍ଡ ଜମାକରି ରଖାଗଲା । ନିର୍ଦ୍ଦିଷ୍ଟ ସମୟରେ ତହିଁରୁ ବିସ୍ଫୋରଣ ଘଟାଯାଇଥାନ୍ତା । ରବର୍ଟ କାଟ୍‌ସବୀ (Catesby) ଏହି ବିଦ୍ରୋହର ନେତା ଥିଲେ । ବିସ୍ଫୋରଣର ଦାୟିତ୍ୱ ଗୟ ଫକ୍‌ସଙ୍କ (Guy Fawkes) ଉପରେ ନ୍ୟସ୍ତ ଥିଲା । ଏହି ଷଡ଼ଯନ୍ତ୍ରର ଭୟାବହ ପରିଣାମ ଚିନ୍ତାରେ ଅଭିଭୂତ ହୋଇ ଜଣେ ବିଦ୍ରୋହୀ ଲର୍ଡ଼ ସଭାର ସଦସ୍ୟ ଥିବା ମଣ୍ଟିଏଗଲ୍‌ (Lord Monteagle) ନାମକ ଆପଣାର ଜଣେ ଆତ୍ମୀୟଙ୍କୁ ଏକ ପତ୍ରଦ୍ୱାରା ଏହି ବିଷୟ ଜଣାଇ ଦେଲେ । ଲର୍ଡ଼ ମଣ୍ଟିଏଗଲ୍‌ ତତ୍‌କ୍ଷଣାତ୍‌ ସରକାରଙ୍କର ଦୃଷ୍ଟି ଆକର୍ଷଣ କଲେ । ଫଳରେ ମିଳିତ ଅଧିବେଶନର ପୂର୍ବଦିନ ରାତ୍ରିରେ ବାରୁଦ ଷଡ଼ଯନ୍ତ୍ର ଧରାପଡ଼ିଲା । ଏଥିରେ ଲିପ୍ତଥିବା ସମସ୍ତ ବିଦ୍ରୋହୀ ମୃତ୍ୟୁବରଣ କଲେ । ଏହାପରେ କାଥଲିକ୍‍ମାନଙ୍କ ପ୍ରତି ସରକାର କଠୋର ନୀତି ଗ୍ରହଣ କଲେ ।

 

ଉପରୋକ୍ତ ତିନୋଟି ଷଡ଼ଯନ୍ତ୍ର ବ୍ୟତୀତ ପ୍ରଥମ ଜେମ୍‍ସ୍‌ ଆଉ କୌଣସି ବିଶେଷ ଧରଣର ବିଦ୍ରୋହର ସମ୍ମୁଖୀନ ହୋଇ ନଥିଲେ ।

 

ପ୍ରଥମ ଜେମ୍‌ସ୍‍ଙ୍କ ମନ୍ତ୍ରୀ–୧୬୦୩ ଖ୍ରୀ:ରେ ଜେମ୍‍ସ୍‌ ସିଂହାସନ ଆରୋହଣ କଲା ସମୟରେ ରବର୍ଟ ସେସିଲ (Cecil) ସେ ଦେଶର ପ୍ରଧାନମନ୍ତ୍ରୀ ଥିଲେ । ସେସିଲଙ୍କର ଉଦ୍ୟମହିଁ ଜେମ୍‍ସ୍‌ଙ୍କର ସିଂହାସନ ପ୍ରାପ୍ତି ସମ୍ଭବ ହୋଇଥିଲା । ତେଣୁ କୃତଜ୍ଞ ଜେମ୍‍ସ୍‌ ସେସିଲଙ୍କୁ ମନ୍ତ୍ରୀପଦରେ ପୁନଃ ପ୍ରତିଷ୍ଠିତ କଲେ ଏବଂ ତାଙ୍କୁ ସେଲିସବରୀର ଆର୍ଲ ପଦବୀ ପ୍ରଦାନ କଲେ । ସେସିଲ ମଧ୍ୟ ପ୍ରଗାଢ଼ ପରିଶ୍ରମ କରି ଜେମ୍‍ସ୍‌ଙ୍କୁ ଶାସନ କାର୍ଯ୍ୟରେ ସାହାଯ୍ୟ କଲେ । ତାଙ୍କର ଉଦ୍ୟମରେ ଇଂଲଣ୍ଡରେ ଶାନ୍ତି ଶୃଙ୍ଖଳା ପ୍ରତିଷ୍ଠିତ ହେଲା ଏବଂ ଅନ୍ୟାନ୍ୟ ଦେଶ ସହ ଇଂଲଣ୍ଡର ସମ୍ପର୍କରେ ଅଭିବୃଦ୍ଧି ହେଲା ।

 

୧୬୧୨ ଖ୍ରୀ:ରେ ସେସିଲଙ୍କର ମୃତ୍ୟୁପରେ ଜେମ୍‍ସ୍‌ ଆପଣାର ପ୍ରିୟପାତ୍ରମାନଙ୍କୁ ମନ୍ତ୍ରୀରୂପେ ନିଯୁକ୍ତ କରି ବ୍ୟକ୍ତିଗତ ଶାସନର ପ୍ରତିଷ୍ଠାପାଇଁ ଉଦ୍ୟମ କଲେ । ସେଥିପାଇଁ ସେ ପ୍ରଥମେ ରବର୍ଟ କାର୍ (Carr) ନାମକ ଜଣେ ସ୍କଟ୍‍ଙ୍କୁ ପ୍ରଧାନମନ୍ତ୍ରୀରୂପେ ମନୋନୀତ କଲେ । କାର ପ୍ରଥମେ ଲର୍ଡ଼ ରୋଚେଷ୍ଟର (Rochester) ଏବଂ ପରେ ସମର୍‍ସେଟ୍‍ର ଆର୍ଲ (Earl of somerset) ପଦବୀ ଲାଭ କଲେ । ମାତ୍ର ମନ୍ତ୍ରୀପଦ ପାଇଁ କାର୍‍ଙ୍କର ଦକ୍ଷତା ବା ବ୍ୟକ୍ତିତ୍ୱ ନଥିଲା । ଏହି ସମୟରେ ଲେଡ଼ି ଏସେକ୍‌ସ (Lady EsseX) ନାମକ ଜଣେ ମହିଳା ତାଙ୍କର ପ୍ରଥମ ସ୍ୱାମୀଙ୍କୁ ପରିତ୍ୟାଗ କରି କାର୍‌ଙ୍କୁ ବିବାହ କଲେ । କାର୍‍ଙ୍କର ଜଣେ ବନ୍ଧୁ ଓଭରବରୀ (Overbury) ଏହି ବିବାହରୁ ତାଙ୍କୁ ନିବର୍ତ୍ତାଇବା ପାଇଁ ଚେଷ୍ଟା କରିଥିଲେ । ଲେଡ଼ି ଏସେକ୍‌ସ ଏହା ଜାଣିପାରି ଓଭରବରୀଙ୍କ ଉପରେ ପ୍ରତିଶୋଧ ନେବାପାଇଁ ବଦ୍ଧପରିକର ହେଲେ । ନବଦମ୍ପତିଙ୍କର ଷଡ଼ଯନ୍ତ୍ରର ଶିକାର ହୋଇ ଓଭରବତୀ ପ୍ରାଣ ହରାଇଲେ । ଏହାଫଳରେ ଜେମ୍‍ସ୍‌ ୧୬୧୬ ଖ୍ରୀ:ରେ କାର୍‌ଙ୍କୁ କାର୍ଯ୍ୟରୁ ଅନ୍ତର କଲେ ଏବଂ ଛଅବର୍ଷ ପର୍ଯ୍ୟନ୍ତ ଟାୱାର୍ କାରାବାସରେ ବନ୍ଦୀ କରି ରଖିଲେ ।

 

କାର୍‌ଙ୍କ ପରେ ଜର୍ଜ ଭିଲିଅରସ୍‌ (George Villiers) ପ୍ରଥମ ଜେମ୍‍ସ୍‌ଙ୍କର ମନ୍ତ୍ରୀ ହେଲେ । ସେ ବକିଙ୍ଗହାମ୍‍ର ଡ୍ୟୁକ୍‌ (Duke of Buckingham) ନାମରେ ପ୍ରସିଦ୍ଧ ଥିଲେ । ସେ ଜଣେ ବୁଦ୍ଧିମାନ, ସାହସୀ ତଥା, ଦକ୍ଷ ଶାସକ ଥିଲେ । କାଣ୍ଟରବରୀର ମୁଖ୍ୟ ବିଶପ୍ ଏବଟ (Abbot) ଓ ଲଡ଼୍‌ (Laud), ସୁଲେଖକ ଫ୍ରାନ୍‌ସିସ୍‌ ବେକନ (Francis Bacon) ପ୍ରଭୃତି ବହୁ ଶକ୍ତିଶାଳୀ ବ୍ୟକ୍ତି ତାଙ୍କର ଅନ୍ତରଙ୍ଗ ବନ୍ଧୁଥିଲେ । ଏବଂ ସର୍ବଦା ତାଙ୍କୁ ସମର୍ଥନ କରୁଥିଲେ । ରାଜାଙ୍କର ମଧ୍ୟ ସେ ଅତି ପ୍ରିୟ ପାତ୍ର ଥିଲେ । ପ୍ରାୟ ଦଶବର୍ଷ ପର୍ଯ୍ୟନ୍ତ ସେ ଇଂଲଣ୍ଡର ଭାଗ୍ୟ ନିୟନ୍ତାରୂପେ ରହିଥିଲେ । ମାତ୍ର ତାଙ୍କର ଉଚ୍ଚ ଆକାଂକ୍ଷା ପରିଶେଷରେ ତାଙ୍କର ପତନର କାରଣ ହେଲା । ଜନସାଧାରଣ ତାଙ୍କୁ ଭଲ ପାଉ ନଥିଲେ । ପାର୍ଲିଆମେଣ୍ଟ୍‍ ସର୍ବଦା ତାଙ୍କୁ ବିରୋଧ କରୁଥିଲା । ପ୍ରଥମ ଚାର୍ଲସ୍‍ଙ୍କ ସମୟରେ ସେ ପାର୍ଲିଆମେଣ୍ଟ୍‍ଦ୍ୱାରା ଅଭିଯୁକ୍ତ ହେଲେ । ମାତ୍ର ରାଜା ତାଙ୍କୁ ରକ୍ଷା କରିବାପାଇଁ ପାର୍ଲିଆମେଣ୍ଟ୍‍କୁ ଭାଙ୍ଗିଦେଲେ । ଏହାପରେ ୧୬୨୮ ଖ୍ରୀ:ରେ ତାଙ୍କୁ ହତ୍ୟା କରାଯାଇଥିଲା ।

 

ପ୍ରଥମ ଜେମ୍‌ସ୍‍ଙ୍କ ସମୟରେ ଅନ୍ୟ ଏକ ଶକ୍ତିଶାଳୀ ବ୍ୟକ୍ତି ଥିଲେ ଫ୍ରାନ୍‌ସିସ୍‌ ବେକନ୍‌ । ସେ ଜଣେ ଉଚ୍ଚକୋଟୀର ପ୍ରାବନ୍ଧିକ, ଐତିହାସିକ ଓ ଦାର୍ଶନିକ ଥିଲେ । ସେ ରାଜତନ୍ତ୍ରର ଦୃଢ଼ ସମର୍ଥକ ଥିଲେ ଏବଂ ପାର୍ଲିଆମେଣ୍ଟ୍‍ ଓ ରାଜାଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନର ପକ୍ଷପାତୀ ଥିଲେ । ବେକନ ରବର୍ଟ ସେସିଲଙ୍କର ଆତ୍ମୀୟ ଥିଲେ । ମାତ୍ର ସେସିଲ ତାଙ୍କର ପ୍ରଭାବକୁ ସୀମିତ କରି ରଖିଥିଲେ । ସେସିଲଙ୍କର ମୃତ୍ୟୁ ପରେ ବେକନଙ୍କର ଶକ୍ତି ଓ ପ୍ରଭାବ ପରିବର୍ଦ୍ଧିତ ହେଲା । ସେ ୧୬୧୩ ଖ୍ରୀ:ରେ ଏଟର୍ଣ୍ଣି–ଜେନେରାଲ୍‍ ପଦକୁ ଉନ୍ନୀତ ହେଲେ ଏବଂ ୧୬୧୮ ରୁ ୧୬୨୧ ପର୍ଯ୍ୟନ୍ତ ଲର୍ଡ଼ ଚାନ୍‍ସେଲର ପଦରେ ଅଧିଷ୍ଠିତ ଥିଲେ । ବିଚାର ବିଭାଗରେ ତାଙ୍କର ଅଭାବ ଅପରିମିତ ଥିଲା । ରାଜତନ୍ତ୍ର ଶାସନରେ ବିଚାରପତିମାନେ ରାଜାଙ୍କୁ ସମର୍ଥନ କରିବା ଆବଶ୍ୟକ ବୋଲି ସେ କହୁଥିଲେ । ତାଙ୍କ ମତରେ ବିଚାରପତିମାନେ ସିଂହାସନ ତଳେ ସିଂହ ସଦୃଶ ରହିବା ଉଚିତ ।

 

ପ୍ରଥମ ଜେମ୍‍ସ୍‌ଙ୍କର ଧର୍ମନୀତି

 

ଏହି ସମୟରେ ଇଉରୋପର ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ମୁଖ୍ୟତଃ ଦୁଇଟି ସମ୍ପ୍ରଦାୟରେ ବିଭକ୍ତ ଥିଲେ; ଯଥା :–ରୋମାନ୍‌ କାଥଲିକ୍‍ ଓ ପ୍ରୋଟେଷ୍ଟାଣ୍ଟ୍ । କାଥଲିକ୍‍ମାନେ ଧର୍ମଗୁରୁ ପୋପ୍‌ଙ୍କର ନିର୍ଦ୍ଦେଶମାନି ଚଳୁଥିଲେ । ଇଂଲଣ୍ଡର ସେମାନେ ସଂଖ୍ୟାଲଘୁ ସମ୍ପ୍ରଦାୟ ଥିଲେ । ସେମାନଙ୍କ ଉପରେ ଅନେକ ନିୟମ ଓ କଟକଣା ଜାରି ହୋଇଥିଲା ଏବଂ ତାହା ନ ମାନିଲେ ସେମାନେ ଦଣ୍ଡିତ ହେଉଥିଲେ । ସେମାନଙ୍କର ଆଶା ଥିଲା ଯେ ପ୍ରଥମ ଜେମ୍‍ସ୍‌ ସେମାନଙ୍କର ମତବାଦକୁ ସମର୍ଥନ କରି ସେମାନଙ୍କୁ ସବୁ ପ୍ରକାର ବନ୍ଧନରୁ ମୁକ୍ତ କରିବେ । ମାତ୍ର ଏଥିରେ ସେମାନଙ୍କୁ ହତାଶ ହେବାକୁ ପଡ଼ିଲା । ସୁତରାଂ ସେମାନେ ଜେମ୍‍ସ୍‌ଙ୍କୁ ହତ୍ୟା କରିବାପାଇଁ ଷଡ଼ଯନ୍ତ୍ର କଲେ । ଜେମ୍‍ସ୍‌ଙ୍କ ରାଜତ୍ୱର ପ୍ରାରମ୍ଭରେ ଯେଉଁ ତିନୋଟି ଷଡ଼ଯନ୍ତ୍ର ବିଷୟ ପୂର୍ବରୁ ବର୍ଣ୍ଣିତ ହୋଇଅଛି, ସେଗୁଡ଼ିକ କାଥଲିକ୍‍ମାନଙ୍କଦ୍ୱାରା ଆୟୋଜିତ ହୋଇଥିଲା । ଏହାଫଳରେ ସେମାନଙ୍କ ବିରୁଦ୍ଧରେ ଅନେକ କଠୋର ନିୟମ ପାର୍ଲିଆମେଣ୍ଟ୍‍ରେ ଗୃହୀତ ହେଲା । ଲଣ୍ଡନରେ ବା ଲଣ୍ଡନଠାରୁ ଦଶ ମାଇଲ ଦୂରରେ ସେମାନଙ୍କର ଉପସ୍ଥିତି ଦଣ୍ଡନୀୟ ହେଲା; ସବୁ ପ୍ରକାର କର୍ମ ସଂସ୍ଥାନରୁ ସେମାନଙ୍କୁ ବଞ୍ଚିତ କରାଗଲା ଏବଂ ସେମାନଙ୍କ ପ୍ରତି ଅର୍ଥ ଦଣ୍ଡ ପୂର୍ବାପେକ୍ଷା ବଳବତ୍ତର ହେଲା ।

 

ଇଂଲଣ୍ଡର ପ୍ରୋଟେଷ୍ଟାଣ୍ଟ୍‍ମାନେ ଅନେକ ଭାଗରେ ବିଭକ୍ତ ଥିଲେ । ତନ୍ମଧ୍ୟରେ ଏଙ୍ଗ୍ଳିକାନ ଦଳ (Anglican) ଅନ୍ୟତମ । ସେମାନେ ଆର୍‌ମିନିଏନ୍‌ (Arminian) ନାମରେ ମଧ୍ୟ ଅଭିହିତ ଥିଲେ । ଟିଉଡ଼ର୍ ରାଣୀ ଏଲିଜାବେଥ୍‌ଙ୍କର ପୃଷ୍ଠପୋଷକତାରେ ସେମାନେ ଇଂଲଣ୍ଡରେ ପ୍ରତିଷ୍ଠିତ ଥିଲେ । ରାଜାଙ୍କର ଦେବଦତ୍ତ ଅଧିକାରରେ ସେମାନଙ୍କର ପୂର୍ଣ୍ଣ ବିଶ୍ୱାସଥିଲା । ଧର୍ମାନୁଷ୍ଠାନମାନଙ୍କର ପରିଚାଳନାରେ ବିଶପ୍ ପ୍ରଭୃତିଙ୍କର କ୍ଷମତା ଓ କାର୍ଯ୍ୟକୁ ସେମାନେ ସମର୍ଥନ କରୁଥିଲେ । ପରବର୍ତ୍ତୀ କାଳରେ ସେମାନଙ୍କର ଆନୁଷ୍ଠାନିକ ବିଧିବିଧାନ ଅଯଥା ପରିବର୍ଦ୍ଧିତ ଓ ଜଟିଳ ହୋଇ ପଡ଼ିଲା । ପ୍ରୋଟେଷ୍ଟାଣ୍ଟ୍‍ମାନଙ୍କର ଅନ୍ୟ ଏକ ଦଳ ପ୍ୟୁରିଟାନ (Puritan) ନାମରେ ଅଭିହିତ ହୋଇଥିଲେ । ଇଂଲଣ୍ଡରେ ସେମାନଙ୍କର ସଂଖ୍ୟା ସର୍ବାଧିକ ଥିଲା । ସେମାନେ ଧର୍ମସଂସ୍କାର ଆନ୍ଦୋଳନକୁ ସମର୍ଥନ କରୁଥିଲେ ଏବଂ ଏହି ଆନ୍ଦୋଳନକୁ ଆଗେଇ ନେବା ସକାଶେ ଦାବି କରୁଥିଲେ । ବିଶପ୍ ପ୍ରଭୃତିଙ୍କର କ୍ଷମତାରେ ସେମାନଙ୍କର ବିଶ୍ୱାସ ନଥିଲା । ଉପରୋକ୍ତ ଦୁଇଟି ଦଳ ବ୍ୟତୀତ ପ୍ରୋଟେଷ୍ଟାଣ୍ଟ୍‍ମାନଙ୍କ ମଧ୍ୟରେ ଲୁଥର ସଂପ୍ରଦାୟ, କେଲଭିନ୍‌ ସଂପ୍ରଦାୟ, (Calvinists) ପ୍ରେସ୍‌ବିଟେରୀଏନ ସଂପ୍ରଦାୟ (Presbyterians) ଏବଂ ଏକ ସ୍ୱାଧୀନ ସଂପ୍ରଦାୟ ମୁଣ୍ଡ ଟେକିଥିଲେ । ଏମାନେ ସମସ୍ତେ କାଥଲିକ୍ ସଂପ୍ରଦାୟର ବିରୁଦ୍ଧରେ ଥିଲେ । ଧର୍ମ ବିଦ୍ୱେଷ ଏହି ଯୁଗର ଏକ କଳଙ୍କ ଥିଲା । ଅନ୍ୟମାନଙ୍କର ଧ୍ୱଂସ ସାଧନ ତଥା ଆପଣାର ପ୍ରତିଷ୍ଠା ପ୍ରତ୍ୟେକ ସଂପ୍ରଦାୟର କାମନା ଥିଲା ।

 

ଜେମ୍‌ସ୍ ପ୍ରଥମରୁ କୌଣସି ସଂପ୍ରଦାୟ ପ୍ରତି ଅନାଦର ଭାବ ପ୍ରଦର୍ଶନ କରି ନଥିଲେ । ଏଙ୍ଗ୍ଳିକେନ ଦଳ ରାଜଶକ୍ତିର ଦୃଢ଼ ସମର୍ଥକ ଥିଲେ ବୋଲି ସେମାନଙ୍କ ପ୍ରତି ଜେମ୍‌ସ୍‍ଙ୍କର ପୂର୍ଣ୍ଣ ସହାନୁଭୂତି ଥିଲା । ଏହି ସମୟରେ ପ୍ୟୁରିଟାନ୍‌ମାନେ ଧର୍ମ କ୍ଷେତ୍ରରେ କେତେକ ସଂସ୍କାର ଦାବି କରି ରାଜାଙ୍କଠାରେ ଏକ ପ୍ରାର୍ଥନା ପତ୍ର ଉପସ୍ଥାପିତ କଲେ । ଏଥିରେ ଏକ ସହସ୍ର ସ୍ୱାକ୍ଷର ଥିଲା ବୋଲି ଏହାକୁ ସାହସ୍ରିକ ପ୍ରାର୍ଥନା ପତ୍ର (Millenary Petition) ନାମରେ ଅଭିହିତ କରାଯାଇଥିଲା । ପ୍ରକୃତରେ ଏଥିରେ କୌଣସି ସ୍ୱାକ୍ଷର ନଥିଲା । ତେବେ ବହୁସଂଖ୍ୟକ ପ୍ୟୁରିଟାନ ଏହାର ସମର୍ଥନ କରିଥିଲେ । ସେ ଯାହାହେଉ, ପ୍ୟୁରିଟାନମାନଙ୍କର ଦାବିର ବିଚାରପାଇଁ ଜେମ୍‌ସ୍ ଏକ ସମ୍ମିଳନୀ ଆହ୍ୱାନ କଲେ । ଦୁଇଜଣ ମୁଖ୍ୟ ବିଶପ୍, ଛଅଜଣ ବିଶପ୍ ଏବଂ ଚାରିଜଣ ପ୍ୟୁରିଟାନଙ୍କୁ ନେଇ ଉକ୍ତ ସମ୍ମିଳନୀ ୧୬୦୪ ଖ୍ରୀ:ରେ ହାମ୍ପଟନ ବିଚାରାଳୟରେ (Hamptom Court) ଅନୁଷ୍ଠିତ ହେଲା । ଜେମ୍‌ସ୍ ନିଜେ ଏହାର ପୌରହିତ୍ୟ କଲେ । ମାତ୍ର ଏଥିରେ କୌଣସି ସମାଧାନ ହୋଇ ପାରିଲା ନାହିଁ । ପ୍ୟୁରିଟାନମାନେ ରିକ୍ତହସ୍ତରେ ଫେରିଗଲେ । ଏହାପରେ ଏଙ୍ଗ୍ଳିକେନ ଦଳ ପ୍ରତି ଜେମ୍‌ସ୍‍ଙ୍କର ଅନୁରକ୍ତି ଓ ସମର୍ଥନ ଅଧିକତର ହେଲା । ତାଙ୍କର ଆଶଙ୍କା ଥିଲା ଯେ ବିଶପ୍‍ମାନଙ୍କର କ୍ଷମତା ଧ୍ୱଂସ ହେଲେ, ରାଜତନ୍ତ୍ର ଦୁର୍ବଳ ହୋଇ ପଡ଼ିବ ।

 

ପ୍ରଥମ ଜେମ୍‌ସ୍‍ଙ୍କ ପାର୍ଲିଆମେଣ୍ଟ୍‍

 

ପ୍ୟୁରିଟାନମାନେ ଧର୍ମ ସମ୍ମିଳନୀରେ ରାଜାଙ୍କର ଅନୁଗ୍ରହ ଲାଭ କରିବାରେ ଅସମର୍ଥ ହୋଇ ପାର୍ଲିଆମେଣ୍ଟ୍‍ରେ ସେମାନଙ୍କର ଦାବିକୁ ଉଜ୍ଜୀବିତ କରି ରଖିଲେ । ପାର୍ଲିଆମେଣ୍ଟ୍‍ର କମନ୍‌ସ ସଭାରେ ସେମାନଙ୍କର ବିପୁଳ ସଂଖ୍ୟାଗରିଷ୍ଠତା ଥିଲା । ସେମାନେ ରାଜାଙ୍କର ଏଙ୍ଗ୍ଳିକାନ ସଂପ୍ରଦାୟ ପ୍ରତି ଅନୁରକ୍ତି ଏବଂ କାଥଲିକ୍‍ ସଂପ୍ରଦାୟ ପ୍ରତି ସହନଶୀଳ ମନୋଭାବର ତୀବ୍ର ସମାଲୋଚନା କଲେ । ଫଳରେ ରାଜା ଏବଂ ପାର୍ଲିଆମେଣ୍ଟ୍‍ ମଧ୍ୟରେ ବିବାଦର ସୂତ୍ରପାତ ହେଲା ।

 

ଧର୍ମ ସମସ୍ୟାକୁ ବାଦ ଦେଲେ ଅନ୍ୟ କେତେକ କାରଣ ମଧ୍ୟ ରାଜା ଓ ପାର୍ଲିଆମେଣ୍ଟ୍‍ ମଧ୍ୟରେ ବିବାଦପାଇଁ ଦାୟୀ ଥିଲା । ଷୋଡ଼ଶ ଶତକରେ ବୈଦେଶିକ ଆକ୍ରମଣର ଆଶଙ୍କା ଇଂରେଜମାନଙ୍କୁ ବିଚଳିତ କରିଥିଲା । ସେଥିପାଇଁ ସେମାନେ ଏକ ଶକ୍ତିଶାଳୀ ସରକାର ଦେଶରେ ପ୍ରତିଷ୍ଠିତ ହେଉ ବୋଲି ଚାହୁଁଥିଲେ । ତେଣୁ ଟିଉଡ଼ର୍ ଏକଛତ୍ରବାଦ ବିରୁଦ୍ଧରେ ପ୍ରତିବାଦ କରିବା ସକାଶେ ସେମାନଙ୍କର ଅବକାଶ ନଥିଲା । ମାତ୍ର ୧୫୮୮ ଖ୍ରୀ:ରେ ସ୍ପେନୀୟ ଆର୍ମାଡ଼ାର ଧ୍ୱଂସସାଧନ ସହ ସ୍ପେନ୍‍ ସମ୍ରାଟ ଫିଲିପ୍‍ଙ୍କର ଉଚ୍ଚ ଆକାଂକ୍ଷା ମଧ୍ୟ ଧ୍ୱଂସ ହେଲା; ଇଂଲଣ୍ଡ ଉପରେ ବୈଦେଶିକ ଆକ୍ରମଣର ଭୟ ଦୂରୀଭୂତ ହେଲା ଏବଂ ଟିଉଡ଼ର୍ ଏକଛତ୍ରବାଦର ଆଉ ଆବଶ୍ୟକତା ରହିଲା ନାହିଁ । ଇଂରେଜମାନେ ସେମାନଙ୍କର ଶକ୍ତି ଓ ସମୟକୁ ଆଭ୍ୟନ୍ତରୀଣ ଶାସନର ସଂସ୍କାର ଦିଗରେ ବିନିଯୋଗ କରିବାପାଇଁ ଚାହିଁଲେ । ମାତ୍ର ରାଜା ଏ କ୍ଷେତ୍ରରେ ପ୍ରଳାଙ୍କର ସହଯୋଗକୁ ଉପେକ୍ଷା କଲେ । ଫଳରେ ଉଭୟଙ୍କ ମଧ୍ୟରେ ବିବାଦ ହେଲା ।

 

ଷୋଡ଼ଶ ଶତକରେ ଇଂଲଣ୍ଡର ଶିକ୍ଷା, ବିଜ୍ଞାନ ଓ ସାହିତ୍ୟରେ ଯେଉଁ ନବଜାଗରଣ ଦେଖା ଦେଇଥିଲା ଏବଂ ଧର୍ମ କ୍ଷେତ୍ରରେ ସଂସ୍କାର ଆନ୍ଦୋଳନର ସୂତ୍ରପାତ ହୋଇଥିଲା, ତାହାର ପ୍ରଭାବ ଏହି ସମୟରେ ଅନୁଭୂତ ହେଲା । ଏହା ଫଳରେ ଇଂଲଣ୍ଡର ଜାତୀୟ ଚରିତ୍ରର ଅଭିବୃଦ୍ଧି ହେଲା ଏବଂ ଏକ ଉନ୍ନତ ସୁସଂସ୍କୃତ ଓ ପରିମାର୍ଜିତ ସମାଜର ଅଭ୍ୟୁଦୟ ହେଲା । ଏଥିରେ ମଧ୍ୟବିତ୍ତ ଶ୍ରେଣୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କଲେ । ଟିଉଡ଼ର୍ ଶାସନ କାଳରେ ଏହି ଶ୍ରେଣୀର ଅଭ୍ୟୁଦୟ ହୋଇଥିଲା । ପାର୍ଲିଆମେଣ୍ଟ୍‍ର ସାଧାରଣସଭାରେ ବହୁ ସଦସ୍ୟ ମଧ୍ୟବିତ୍ତ ଶ୍ରେଣୀର ଅନ୍ତର୍ଗତ ଥିଲେ । ସେମାନେ ରାଜନୀତିରେ ସେତେ ଅଭିଜ୍ଞ ନଥିଲେ ସତ, ମାତ୍ର ଦୁର୍ନୀତିର ବହୁ ଊର୍ଦ୍ଧ୍ୱରେ ଥିଲେ । ସେମାନଙ୍କର ଗଭୀର ଆତ୍ମବିଶ୍ୱାସ ତଥା ଉଚ୍ଚ ଆକାଂକ୍ଷା ଥିଲା । ରାଜା ଓ ମନ୍ତ୍ରୀମାନଙ୍କର ଶାସନକୁ ମୂକ ବଧିର ଭାବରେ ଅନାଇ ରହିବାକୁ ସେମାନେ ଚାହିଁଲେ ନାହିଁ । ଦେଶର ଶାସନରେ ସକ୍ରିୟ ଅଂଶଗ୍ରହଣ କରିବା ସକାଶେ ସେମାନେ ଆଗ୍ରହୀ ହେଲେ । ବେକନ ପାର୍ଲିଆମେଣ୍ଟ୍‍ରେ ଏମାନଙ୍କୁ ସ୍ୱରବର୍ଣ୍ଣ ଏବଂ ଅନ୍ୟମାନଙ୍କୁ ବ୍ୟଞ୍ଜନ ବର୍ଣ୍ଣ ବୋଲି ବର୍ଣ୍ଣନା କରିଛନ୍ତି । ଜେମ୍‌ସ୍‍ଙ୍କର ପ୍ରଥମ ପାର୍ଲିଆମେଣ୍ଟ୍‍ର ପ୍ରଥମ ଅଧିବେଶନରେ ସଦସ୍ୟମାନଙ୍କର ବିପୁଳ ସଂଖ୍ୟାରେ ଯୋଗଦାନ ପାର୍ଲିଆମେଣ୍ଟ୍‍ର ଇତିହାସରେ ଅଭୂତପୂର୍ବ ଥିଲା । ଜେମ୍‌ସ୍‍ଙ୍କ ରାଜତ୍ୱର ପ୍ରଥମ ବର୍ଷରେହିଁ କମନସ୍‌ ସଭାରେ ‘ପ୍ରତିକାର, ପୁନରୁଦ୍ଧାର ଓ ସଂଶୋଧନ’ (Redress, Restore and Rectify) ପାଇଁ ସ୍ୱର ଉତ୍ତୋଳିତ ହେଲା । ଏଥିରୁ ସଦସ୍ୟମାନଙ୍କର ଉତ୍କଣ୍ଠା ଓ ବ୍ୟଗ୍ରତାର ସୂଚନା ମିଳେ । କମନ୍‍ସ ସଭାର ସାଧାରଣ ସଦସ୍ୟ ରାଜାଙ୍କର ଦେବଦତ୍ତ ଅଧିକାରକୁ ପ୍ରତ୍ୟାଖ୍ୟାନ କଲେ ଏବଂ ସେ ପାର୍ଲିଆମେଣ୍ଟ୍‍ର ଆଇନ ଅନୁଯାୟୀ ରାଜ୍ୟଶାସନ କରନ୍ତୁ ବୋଲି ଦାବି କଲେ । ରାଜାଙ୍କର ସବିଶେଷ କ୍ଷମତା ଏବଂ ତାଙ୍କଦ୍ୱାରା ସ୍ଥାପିତ ଷ୍ଟାର୍ ଚେମ୍ବର ପ୍ରଭୃତି ସ୍ୱେଚ୍ଛାଚାରୀ ବିଚାରାଳୟଗୁଡ଼ିକର ବିରୁଦ୍ଧରେ ପ୍ରତିବାଦ କରାଗଲା । ରାଜା ଏବଂ ପାର୍ଲିଆମେଣ୍ଟ୍‍ ମିଳିତ ଭାବରେ ଦେଶର ସାର୍ବଭୌମ ଶକ୍ତିର ଅଧିକାରୀ ବୋଲି କୁହାଗଲା । ସାଧାରଣସଭାଗୃହର ଏହି ଦାବି ଜେମ୍‌ସ୍ ମାନିନେଇ ପାରିଲେ ନାହିଁ । ତେଣୁ ପାର୍ଲିଆମେଣ୍ଟ୍‍ ସହିତ ତାଙ୍କର କଳହ ଅନିବାର୍ଯ୍ୟ ହେଲା ।

 

ଜାତୀୟ ଅର୍ଥର ନିୟନ୍ତ୍ରଣ ଅଧିକାର ରାଜା ଓ ପାର୍ଲିଆମେଣ୍ଟ୍‍ ମଧ୍ୟରେ ବିବାଦର ଅନ୍ୟ ଏକ କାରଣ ଥିଲା । ଜାତୀୟ ଅର୍ଥାଗାର ଉପରେ ରାଜାଙ୍କର କୌଣସି କର୍ତ୍ତୃତ୍ୱ ନାହିଁ ଏବଂ ସେ ପାର୍ଲିଆମେଣ୍ଟ୍‍ର ଅନୁମୋଦନ ବିନା କୌଣସି କର ଆଦାୟ କରିପାରିବେ ନାହିଁ ବୋଲି କୁହାଗଲା-। ରାଜାଙ୍କର ଯାବତୀୟ ଖର୍ଚ୍ଚ ଅର୍ଥ ମଞ୍ଜୁର କଲା ସମୟରେ ବିଭିନ୍ନ ଅଭିଯୋଗର ପ୍ରତିକାର ପାଇଁ ପାର୍ଲିଆମେଣ୍ଟ୍‍ ଦାବି କରି ବସିଲା । ରାଜା ସେ ସବୁକୁ ସହଜରେ ଗ୍ରହଣ କରି ପାରିଲେ ନାହିଁ-। ଫଳରେ ପାର୍ଲିଆମେଣ୍ଟ୍‍ ସହ ତାଙ୍କର ସଂଘର୍ଷ ହେଲା ।

 

ପ୍ରଥମ ଜେମ୍‌ସ୍‍ଙ୍କର ପ୍ରଥମ ପାର୍ଲିଆମେଣ୍ଟ୍‍ ୧୬୦୪ ଖ୍ରୀ:ରେ ମିଳିତ ହେଲା । କୌଣସି ମୃତ୍ୟୁ ଦସ୍ୟୁ ବା ଅପରାଧୀ ବ୍ୟକ୍ତି ନିର୍ବାଚନରେ ଅଂଶଗ୍ରହଣ କରି ପାରିବେ ନାହିଁ ବୋଲି ଜେମ୍‌ସ୍ ଘୋଷଣା କରିଥିଲେ ମଧ୍ୟ ଗଡ଼ଉଇନ୍‌ (Godwin) ନାମକ ଜଣେ ଅପରାଧୀ ନିର୍ବାଚନରେ ଜୟଯୁକ୍ତ ହୋଇ ଏହି ପାର୍ଲିଆମେଣ୍ଟ୍‍ରେ ଯୋଗଦାନ କଲେ । ଜେମ୍‌ସ୍ ଗଡ଼ଉଇନ୍‍ଙ୍କର ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ । ମାତ୍ର ନିର୍ବାଚନ ବିଷୟରେ କୌଣସି ନିଷ୍ପତ୍ତି ଗ୍ରହଣ କରିବା ରାଜାଙ୍କର ବହିର୍ଭୂତ ଏବଂ ତାହା କେବଳ ସାଧାରଣସଭାଗୃହର ଅଧିକାର ବୋଲି ପାର୍ଲିଆମେଣ୍ଟ୍‍ରେ ମତ ପ୍ରକାଶ ପାଇଲା । ଜେମ୍‌ସ୍ ଏହାର ଉତ୍ତରରେ ଯୁକ୍ତି ଦେଖାଇଲେ ଯେ ରାଜାହିଁ ପାର୍ଲିଆମେଣ୍ଟ୍‍କୁ ଅଧିକାର ପ୍ରଦାନ କରିଛନ୍ତି । ତେଣୁ ରାଜାଙ୍କର ବିରୁଦ୍ଧରେ ସେହି ଅଧିକାର ପ୍ରୟୋଗ କରାଯାଇ ନପାରେ । ଏହି ପ୍ରଶ୍ନ ଉପରେ ରାଜା ଏବଂ ପାର୍ଲିଆମେଣ୍ଟ୍‍ ମଧ୍ୟରେ ବିବାଦର ସୂତ୍ରପାତ ହେଲା । ଶେଷରେ ରାଜା ଜେମ୍‌ସ୍ ପାର୍ଲିଆମେଣ୍ଟ୍‍ର ଅଧିକାରକୁ ମାନିନେଲେ-। ରାଜତନ୍ତ୍ରର ପରାଜୟର ଏହା ଥିଲା ଅୟମାରମ୍ଭ ।

 

ଜେମ୍‌ସ୍‍ଙ୍କର ପ୍ରଥମ ପାର୍ଲିଆମେଣ୍ଟ୍‍ ୧୬୦୪ ଖ୍ରୀ:ରୁ ୧୬୧୧ ଖ୍ରୀ: ମଧ୍ୟରେ ମାତ୍ର ଚାରିଗୋଟି ଅଧିବେଶନରେ ମିଳିତ ହୋଇଥିଲା । ସେସିଲଙ୍କର ପ୍ରଗାଢ଼ ଉଦ୍ୟମ ସତ୍ତ୍ୱେ ଜେମ୍‌ସ୍ ଏଥିରେ ଅର୍ଥମଞ୍ଜୁରୀ ସମ୍ପର୍କରେ ବହୁ ବିରୋଧର ସମ୍ମୁଖୀନ ହେଲେ । ଏଲିଜାବେଥ୍‌ଙ୍କ ସମୟରୁ ରାଜକୋଷ ପ୍ରାୟ ଶୂନ୍ୟ ହୋଇ ପଡ଼ିଲା । ଏଲିଜାବେଥ୍‌ଙ୍କ ସମୟର ଚାରିଲକ୍ଷ ପାଉଣ୍ଡର ଋଣ ମଧ୍ୟ ରହିଯାଇଥିଲା । ଅନ୍ୟପକ୍ଷରେ ଜେମ୍‌ସ୍‍ଙ୍କର ସର୍ବମୋଟ ଆୟ ପ୍ରଶାସନିକ ବ୍ୟୟପାଇଁ ନିଅଣ୍ଟ ହେଉଥିଲା । ତେଣୁ ସେ ଅଧିକ ପୂର୍ବରୁ ଅଭିଯୋଗଗୁଡ଼ିକର ପୂରଣପାଇଁ ଦାବି କଲା । ଜେମ୍‌ସ୍ ଏହି ପାର୍ଲିଆମେଣ୍ଟ୍‍କୁ ବେଖାତିର କରି କେତେକଦ୍ରବ୍ୟ ଉପରେ ଅଧିକ ରାଜସ୍ୱ ଆଦାୟକଲେ । ବେଟ (Bate) ନାମକ ଜଣେ ବ୍ୟବସାୟୀ ଏହି ଅଧିକା ରାଜସ୍ୱ ପାର୍ଲିଆମେଣ୍ଟ୍‍ଦ୍ୱାରା ଅନୁମୋଦିତ ହୋଇ ନଥିବାରୁ ତାହା ଦାଖଲ କରିବାପାଇଁ ମନା କଲେ । ଫଳରେ ତାଙ୍କୁ ବନ୍ଦୀ କରି ଅଦାଲତରେ ତାଙ୍କର ବିଚାର ହେଲା । ବିଚାରପତିମାନେ ରାଜାଙ୍କର ସପକ୍ଷରେ ନିଷ୍ପତ୍ତି ଗ୍ରହଣ କରି ପ୍ରକାଶ କଲେ ଯେ ଯେଉଁ ବନ୍ଦରରେ ଉକ୍ତ ରାଜସ୍ୱ ଆଦାୟ ହେଉଥିଲା ତାହା ରାଜାଙ୍କର ଅଧୀନ ଥିଲା । ତା’–ଛଡ଼ା ଦେଶର ହିତ ଦୃଷ୍ଟିରୁ ବାଣିଜ୍ୟ ବ୍ୟବସାୟର ନିୟନ୍ତ୍ରଣ ରାଜାଙ୍କର ଅଧିକାର ଓ କର୍ତ୍ତବ୍ୟ ବୋଲି ସେମାନେ ମତ ପ୍ରଦାନ କଲେ । ବିଚାରାଳୟରେ ଏହି ପ୍ରକାର ନିଷ୍ପତ୍ତିରେ ଉତ୍‌ଫୁଲ ହୋଇ ଜେମ୍‌ସ୍ ନିଜ ଇଚ୍ଛାମତେ ରାଜସ୍ୱ ଆଦାୟ କଲେ । ମାତ୍ର ପାର୍ଲିଆମେଣ୍ଟ୍‍ରେ ଏହାର ତୀବ୍ର ସମାଲୋଚନା ହେଉଥିଲା । ଶେଷରେ ବିରକ୍ତ ହୋଇ ଜେମ୍‌ସ୍ ୧୬୧୧ ଖ୍ରୀ:ରେ ଫେବୃୟାରୀ ମାସରେ ପ୍ରଥମ ପାର୍ଲିଆମେଣ୍ଟ୍‍କୁ ଭାଙ୍ଗିଦେଲେ ।

 

ଜେମ୍‌ସ୍‍ଙ୍କର ଦ୍ୱିତୀୟ ପାର୍ଲିଆମେଣ୍ଟ୍‍ ୧୬୧୪ ଖ୍ରୀ:ରେ ମାତ୍ର ଦୁଇମାସ ପାଇଁ ବସିଲା । ଏଥିରେ କୌଣସି ଆଇନ ଗୃହୀତ ହେଲା ନାହିଁ ବା କୌଣସି ବିଶେଷ କାର୍ଯ୍ୟ ସାଧିତ ହେଲା ନାହିଁ-। ତେଣୁ ଏହାକୁ ‘ନିଷ୍ଫଳ ପାର୍ଲିଆମେଣ୍ଟ୍‍’ (Addled Parliament) ବୋଲି କୁହାଯାଏ ।

 

ଏହାପରେ ଜେମ୍‌ସ୍ ପାର୍ଲିଆମେଣ୍ଟ୍‍ ସହାୟତା ବିନା ଦୀର୍ଘ ସାତବର୍ଷ କାଳ ରାଜ୍ୟ ଶାସନ କଲେ । ମାତ୍ର ୧୬୨୧ ଖ୍ରୀ:ରେ ଯେତେବେଳେ ତାଙ୍କୁ ଇଉରୋପର ‘ତ୍ରିଂଶବର୍ଷ ବ୍ୟାପୀ ଯୁଦ୍ଧ’ (Thirty Years War)ରେ ଯୋଗଦାନ କରିବାକୁ ପଡ଼ିଲା, ସେ ବିପୁଳ ଅର୍ଥ ଆବଶ୍ୟକ କଲେ ଏବଂ ସେଥିପାଇଁ ତାଙ୍କର ତୃତୀୟ ପାର୍ଲିଆମେଣ୍ଟ୍‍ ଆହୂତ ହେଲା । ଏହି ପାର୍ଲିଆମେଣ୍ଟ୍‍ ଆରମ୍ଭରୁ କେତେକ ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କୁ ଅଭିଯୁକ୍ତ କଲା । ଅଭିଯୋଗ ବା ଇମ୍ପିଚମେଣ୍ଟ (Impeachment) ତତ୍କାଳୀନ ପାର୍ଲିଆମେଣ୍ଟ୍‍ର ଏକ ମୁଖ୍ୟ ଅଧିକାର ଥିଲା । ଯେଉଁମାନଙ୍କର ବିରୁଦ୍ଧରେ ସାଧାରଣ ବିଚାରାଳୟ କାର୍ଯ୍ୟନୁଷ୍ଠାନ କରିବାପାଇଁ କୌଣସି କାରଣରୁ ଅକ୍ଷମ ଥିଲା, କମନ୍‌ସ ସଭା ଏହି ଅଧିକାର ବଳରେ ସେମାନଙ୍କୁ ଅଭିଯୁକ୍ତ କଲା ଏବଂ ଲର୍ଡ଼ ସଭାରେ ସେମାନଙ୍କର ବିଚାର ହୋଇ ରାଜା ସେମାନଙ୍କୁ ଦଣ୍ଡ ଦେବାପାଇଁ ବାଧ୍ୟ ହେଲେ । ମମ୍ପେସନ (Mompesson) ନାମକ ଜଣେ ଧନୀ ବଣିକ, ସାର୍‌ ଜନ୍‌ ବନେଟ (John Bonnet) ନାମକ ଜଣେ ବିଚାରପତି ଏବଂ ଡକ୍‌ଟର ଫିଲ୍‌ଡ଼ (Dr. Field) ନାମକ ଜଣେ ବିଶପ୍ ଦୁର୍ନୀତି ଅଭିଯୋଗରେ ଦଣ୍ଡିତ ହେଲେ । ଫ୍ରାନ୍‌ସିସ୍‌ ବେକନ୍‌ଙ୍କ ଭଳି ଶକ୍ତିଶାଳୀ ବ୍ୟକ୍ତି ପାର୍ଲିଆମେଣ୍ଟ୍‍ର ଶିକାର ହେଲେ । ବେକନ୍‌ ଲର୍ଡ଼ ଚାନ୍‌ସେଲର ଭାବରେ ରାଜାଙ୍କର ଜଣେ ପ୍ରଧାନ ଉପଦେଷ୍ଟା ଥିଲେ । ରାଜାଙ୍କ ପ୍ରତି ତାଙ୍କର ବିପୁଳ ସମର୍ଥନ ଥିଲା । ସେଥିପାଇଁ ସାଧାରଣ ଜନତା ତାଙ୍କ ପ୍ରତି ବିରକ୍ତ ଥିଲେ । ପାର୍ଲିଆମେଣ୍ଟ୍‍ର କମନ୍‌ସ ସଭା ତାଙ୍କୁ ଉତ୍କୋଚ ଗ୍ରହଣ ଅପରାଧରେ ଅଭିଯୁକ୍ତ କଲା । ବେକନ ସ୍ୱୀକାର କଲେ ଯେ ସେ କେବଳ ଉପହାର ଗ୍ରହଣ କରିଥିଲେ ଏବଂ ତଦ୍ଦ୍ୱାରା ତାଙ୍କର ନିଷ୍ପତ୍ତି ପ୍ରଭାବିତ ହୋଇ ନଥିଲା । ଲର୍ଡ଼ ସଭାରେ ବେକନଙ୍କର ଦୋଷ ସ୍ୱୀକୃତ ହେଲା ଏବଂ ରାଜା ତାଙ୍କୁ କାର୍ଯ୍ୟରୁ ଅନ୍ତର କରିବାକୁ ବାଧ୍ୟ ହେଲେ । ବେକନଙ୍କର ଭାଷାରେ ‘‘ତାଙ୍କ ଜୀବନର ଦୀର୍ଘ ପଚାଶବର୍ଷ ସମୟ ଭିତରେ ଇଂଲଣ୍ଡର କୌଣସି ବିଚାରକ ତାଙ୍କଠୁଁ ବଳି ନ୍ୟାୟବାନ ନଥିଲେ ଏବଂ ଦୁଇଶତବର୍ଷ ମଧ୍ୟରେ ଏହାଠୁଁ ବଳି ନ୍ୟାୟସଙ୍ଗତ ଅଭିଯୋଗ ପାର୍ଲିଆମେଣ୍ଟ୍‍ରେ ଗୃହୀତ ହୋଇ ନଥିଲା ।’’ ବେକନଙ୍କ ପତନରେ ପାର୍ଲିଆମେଣ୍ଟ୍‍ ଏକ ଐତିହାସିକ ବିଜୟ ଲାଭ କଲା ।

 

ଏହାର ପ୍ରାୟ ଏକବର୍ଷ ପରେ ଜେମ୍‌ସ୍‍ଙ୍କର ତୃତୀୟ ପାର୍ଲିଆମେଣ୍ଟ୍‍ ପୁଣି ଏକ ଅଧିବେଶନରେ ମିଳିତ ହେଲା । ଏହି ସମୟରେ ଜେମ୍‍ସ୍‌ ଆପଣାର ପୁତ୍ର ଚାର୍ଲସ୍‍ଙ୍କୁ ସ୍ପେନ୍‍ର କାଥଲିକ୍‍ ରାଜକୁମାରୀଙ୍କ ସହ ବିବାହ କରିବାପାଇଁ ଆୟୋଜନ କରୁଥିଲେ । ମାତ୍ର ପାର୍ଲିଆମେଣ୍ଟ୍‍ର ସଦସ୍ୟଗଣ ଅତିମାତ୍ରାରେ ସ୍ପେନ୍‍–ବିରୋଧୀ ତଥା କାଥଲିକ୍‍–ବିରୋଧୀ ଥିଲେ । ‘‘ପୋପ୍‌ଙ୍କର ପ୍ରିୟତମ ପୁତ୍ର ସ୍ପେନ୍‍ ରାଜା’’ଙ୍କ ସହ କୌଣସି ସମ୍ପର୍କ ନ ରଖିବାପାଇଁ ସେମାନେ ଜେମ୍‌ସ୍‍ଙ୍କୁ ଅନୁରୋଧ କଲେ । ପାର୍ଲିଆମେଣ୍ଟ୍‍ର ଏହି ପ୍ରକାର ମନୋବୃତ୍ତି ଯୋଗୁଁ ଜେମ୍‌ସ୍ ବିରକ୍ତ ହେଲେ । ସେ କମନ୍‌ସ ସଭାର ବାଚସ୍ପତିଙ୍କୁ ଏକ ପତ୍ରଦ୍ୱାରା ଜଣାଇଲେ ଯେ ସଦସ୍ୟମାନଙ୍କର ଅନଧିକାର ଚର୍ଚ୍ଚାକୁ ସେ ସହ୍ୟ କରି ପାରିବେ ନାହିଁ । ରାଜାଙ୍କର ଏହି ସତର୍କ ବାଣୀ ପାର୍ଲିଆମେଣ୍ଟ୍‍କୁ ଦବାଇ ପାରିଲା ନାହିଁ । ଡିସେମ୍ବର ମାସର ଏକ ଅନ୍ଧକାର ରଜନୀରେ ମହମବତୀ ଆଲୁଅରେ ସମବେତ ହୋଇ ସଦସ୍ୟଗଣ ସେମାନଙ୍କର ବାକ୍‌ ସ୍ୱାଧୀନତା ରକ୍ଷା କରିବା ସକାଶେ ଦୃଢ଼ ପରିକର ହେଲେ । ସେଥିପାଇଁ ସେମାନେ ଏକ ପ୍ରତିବାଦ ପତ୍ର ରାଜାଙ୍କୁ ପ୍ରଦାନ କରିବାପାଇଁ ସ୍ଥିର କଲେ । ପ୍ରଥମ ଜେମ୍‌ସ୍ ସ୍ୱହସ୍ତରେ ଏହି ପତ୍ରକୁ ଖଣ୍ଡଖଣ୍ଡ କରି ଚିରିଦେଇ ପାର୍ଲିଆମେଣ୍ଟ୍‍କୁ ଭାଙ୍ଗିଦେଲେ । ୧୬୨୨ ଖ୍ରୀ: ଜାନୁୟାରୀ ୬ ତାରିଖ ଦିନ ରାଜାଙ୍କର ତୃତୀୟ ପାର୍ଲିଆମେଣ୍ଟ୍‍ର ଏହିରୂପେ ଅବସାନ ହେଲା । କୋକ୍‌, ରବର୍ଟ ଫିଲିପ୍‌ସ, ପାଇମ୍‍ ପ୍ରମୁଖ ଏହାର ବିଶିଷ୍ଟ ସଦସ୍ୟଗଣ କାରାବରଣ କଲେ ।

 

ଇତିମଧ୍ୟରେ ସ୍ପେନ୍‍ ସହିତ ବୈବାହିକ ସମ୍ପର୍କ ସ୍ଥାପନପାଇଁ ପ୍ରଥମ ଜେମ୍‌ସ୍‍ଙ୍କର ଉଦ୍ୟମ ବିଫଳ ହେଲା । ରାଜକୁମାର ଚାର୍ଲସ୍‍ ଓ ମନ୍ତ୍ରୀ ବକିଙ୍ଗହାମ୍‍ ଶୂନ୍ୟହସ୍ତରେ ସ୍ପେନ୍‍ରୁ ଫେରି ଆସିଲେ । ଇଂଲଣ୍ଡର ଜନସାଧାରଣ ଏଥିରେ ଉଚ୍ଛ୍ୱସିତ ଆନନ୍ଦ ପ୍ରକାଶ କଲେ । ଏହାପରେ ରାଜା ପାର୍ଲିଆମେଣ୍ଟ୍‍ର ଆହ୍ୱାନପାଇଁ ବକିଙ୍ଗହାମ୍‍ଙ୍କୁ ନିର୍ଦ୍ଦେଶ ଦେଲେ ।

 

ପ୍ରଥମ ଜେମ୍‌ସ୍‍ଙ୍କର ଚତୁର୍ଥ ପାର୍ଲିଆମେଣ୍ଟ୍‍ ୧୬୨୪ ଖ୍ରୀ:ର ଫେବୃୟାରୀ ମାସରେ ଆହୂତ ହେଲା । ଏହି ପାର୍ଲିଆମେଣ୍ଟ୍‍ ସ୍ପେନ୍‍ ବିରୁଦ୍ଧରେ ଯୁଦ୍ଧ ପରିଚାଳନା ପାଇଁ ରାଜାଙ୍କୁ ଯଥେଷ୍ଟ ଅର୍ଥ ମଞ୍ଜୁର କଲା । କୌଣସି ବ୍ୟକ୍ତି ବିଶେଷ ବା କମ୍ପାନୀକୁ ଏକଚାଟିଆ ବାଣିଜ୍ୟ ଅଧିକାର ନ ଦେବାପାଇଁ ଏଥିରେ ଏକ ଆଇନ ଗୃହୀତ ହେଲା । ଏହାଛଡ଼ା, ଇଂଲଣ୍ଡର କୋଷାଧ୍ୟକ୍ଷ ମିଡ଼୍‌ଲ ସେକ୍‌ସଙ୍କ ବିରୁଦ୍ଧରେ ଅର୍ଥ ତୋଷରଫର ଏକ ଅଭିଯୋଗ ଏଥିରେ ଉପସ୍ଥାପିତ ହେଲା । ଯୁବରାଜ ଚାର୍ଲସ୍‍ ଓ ବକିଙ୍ଗହାମ୍‍ ଏହି ଅଭିଯୋଗ ସମର୍ଥନ କଲେ । ମାତ୍ର ଜେମ୍‌ସ୍ ଏଥିରେ ବିରକ୍ତ ହୋଇ ଚାର୍ଲସ୍‍ଙ୍କୁ କହିଥିଲେ, ‘‘ତୁମେ ତୁମର ପେଟପୂରା ଅଭିଯୋଗ ପାଇବାପାଇଁ ବଞ୍ଚି ରହିବ ।’’ (You will live to have Your bellyful of impeachments) ଏହାପରେ ଜେମ୍‌ସ୍ ପାର୍ଲିଆମେଣ୍ଟ୍‍କୁ ଭାଙ୍ଗିଦେଲେ । ଏହା ଥିଲା ତାଙ୍କର ଶେଷ ପାର୍ଲିଆମେଣ୍ଟ୍‍ । ଏହାର ପ୍ରାୟ ବର୍ଷକ ପରେ ୧୬୨୫ ଖ୍ରୀ:ରେ ମାର୍ଚ୍ଚ ମାସରେ ଜେମ୍‌ସ୍ ପ୍ରାଣତ୍ୟାଗ କଲେ ।

 

ବୈଦେଶିକ ନୀତି :

 

ଜେମ୍‌ସ୍‍ଙ୍କର ବୈଦେଶିକ ନୀତି ଇଂଲଣ୍ଡପାଇଁ ଆଦୌ ଗୌରବମୟ ନଥିଲା । ୧୬୧୨ ଖ୍ରୀ:ରେ ସେସିଲଙ୍କର ମୃତ୍ୟୁ ପର୍ଯ୍ୟନ୍ତ ଇଂଲଣ୍ଡ ବୈଦେଶିକ ବ୍ୟାପାରରେ ସତର୍କତା ଅବଲମ୍ବନ କରି ଆସୁଥିଲା । ଏହାପରେ ଜେମ୍‍ସ୍‌ ଆପଣାର ସନ୍ତାନ ଓ ସନ୍ତତିଙ୍କର ରାଜନୈତିକ ବିବାହପାଇଁ ଉଦ୍ୟମ କଲେ । ଇଉରୋପର ଧର୍ମ–ବିଦ୍ୱେଷ ଯୁଗରେ ଉଭୟ କାଥଲିକ୍‍ ଓ ପ୍ରୋଟେଷ୍ଟାଣ୍ଟ୍ ରାଜ୍ୟ ସହ ବୈବାହିକ ସମ୍ପର୍କ ସ୍ଥାପନ କରି ଏକ ଗୌରବମୟ ଭୂମିକା ଗ୍ରହଣ କରିବା ସକାଶେ ସେ ଆଶା କରିଥିଲେ । ସେହି ଉଦ୍ଦେଶ୍ୟରେ ଜେମ୍‌ସ୍ ୧୬୧୩ ଖ୍ରୀ:ରେ ଆପଣାର କନ୍ୟା ଏଲିଜାବେଥ୍‌ଙ୍କୁ ଜର୍ମାନୀ ଅନ୍ତର୍ଗତ ପାଲାଟିନେଟର ରାଜା ଫ୍ରେଡ଼େରିକଙ୍କ ସହିତ ବିବାହ ଦେଲେ । ଏହି ସମୟରେ ଫ୍ରେଡ଼େରିକ ଇଉରୋପର ପ୍ରୋଟେଷ୍ଟାଣ୍ଟ୍ ସମ୍ପ୍ରଦାୟର ଜଣେ ଅନ୍ୟତମ ନେତା ଥିଲେ । ଅପରୂପ ରୂପଲାବଣ୍ୟ ଯୋଗୁଁ ଏଲିଜାବେଥ୍‌ଙ୍କୁ ‘ହୃଦୟର ରାଣୀ’ (Queen of Heart) ବୋଲି କୁହାଯାଉଥିଲା । ଏହାପରେ ଜେମ୍‌ସ୍ ଯୁବରାଜ ଚାର୍ଲସ୍‍କୁ ସ୍ପେନ୍‍ର ରାଜକୁମାରୀ ଇନଫେଣ୍ଟା (Infanta)ଙ୍କ ସହ ବିବାହ କରିବାକୁ ଉଦ୍ୟମ କଲେ । ସ୍ପେନ୍‍ ଏହି ସମୟରେ ଏକ ଶକ୍ତିଶାଳୀ କାଥଲିକ୍‍ ରାଜ୍ୟ ଥିଲା । ଇଂଲଣ୍ଡର ଜନସାଧାରଣ ପ୍ରୋଟେଷ୍ଟାଣ୍ଟ୍ ଥିଲେ ଏବଂ ସେମାନେ ଏହି ବିବାହର ବିରୋଧ କରୁଥିଲେ । ସେମାନଙ୍କର ଆଶଙ୍କା ଥିଲା ଯେ ଏହାଫଳରେ ସଂଖ୍ୟାଲଘୁ କାଥଲିକ୍‍ ସମ୍ପ୍ରଦାୟ ଦେଶରେ ଶକ୍ତିଶାଳୀ ହୋଇ ଉଠିବେ ଏବଂ ପ୍ରୋଟେଷ୍ଟାଣ୍ଟ୍ ମତବାଦକୁ ମାରି ଦିଆଯିବ । ତେଣୁ ଚାର୍ଲସ୍‍ଙ୍କ ବିବାହ କୌଣସି ଏକ ପ୍ରୋଟେଷ୍ଟାଣ୍ଟ୍ ରାଜକୁମାରୀଙ୍କ ସହିତ କରାଇବା ପାଇଁ ସେମାନେ ଦାବି କରୁଥିଲେ । ୧୬୧୭ ଖ୍ରୀ:ରେ ସ୍ପେନ୍‍ ରାଜକୁମାରୀ ଇନଫେଣ୍ଟାଙ୍କ ସହ ଚାର୍ଲସ୍‍ଙ୍କର ବିବାହ ପ୍ରସ୍ତାବ ବିଫଳ ହେଲା । ମାତ୍ର ଜେମ୍‌ସ୍ ଏ ଦିଗରେ ଆପଣାର ଉଦ୍ୟମ ଅବ୍ୟାହତ ରଖିଲେ ।

 

ଏହାପରେ ୧୬୧୮ ଖ୍ରୀ:ରେ ଇଉରୋପରେ ତ୍ରିଂଶବର୍ଷ ବ୍ୟାପୀ ଯୁଦ୍ଧର ଆରମ୍ଭ ହେଲା-। ଏହି ଯୁଦ୍ଧ କ୍ରମେ ବ୍ୟାପକ ହୋଇ ଉଠିଲା ଏବଂ ଇଂଲଣ୍ଡ ସମେତ ଇଉରୋପର ସମସ୍ତ ମୁଖ୍ୟ ଦେଶ ଏଥିରେ ଅଂଶଗ୍ରହଣ କଲେ । ଏହି ଯୁଦ୍ଧରେ ପ୍ରଥମ ଜେମ୍‌ସ୍‍ଙ୍କର ଭୂମିକାର ଗୁରୁତ୍ୱ ଉପଲବ୍ଧି ପାଇଁ ଯୁଦ୍ଧର ମୂଳକାରଣ ଉପରେ ଆଲୋକପାତ କରାଯିବା ଆବଶ୍ୟକ ଅଟେ ।

 

ଏହି ସମୟରେ ଜର୍ମାନୀ ପ୍ରାୟ ତିନି ଶତ ଛୋଟ ଛୋଟ ସ୍ୱାଧୀନ ରାଜ୍ୟରେ ବିଭକ୍ତ ଥିଲା । ଏହି ରାଜ୍ୟଗୁଡ଼ିକ ‘ପବିତ୍ର ରୋମ ସାମ୍ରାଜ୍ୟ’ (Holy Roman Empire) ନାମକ ସଂଘରେ ସମ୍ମିଳିତ ଥିଲେ । ସଂଘର ମୁଖ୍ୟ ଥିଲେ ଜଣେ ନିର୍ବାଚିତ ସମ୍ରାଟ । ସେ ଆଜୀବନ ପାଇଁ ନିର୍ବାଚିତ ହେଉଥିଲେ । ସଂଘର ସଭ୍ୟମାନଙ୍କ ମଧ୍ୟରେ ବହୁ ବିଷୟରେ ତୀବ୍ର ମତଭେଦ ଥିଲା । କେତେକ ସଦସ୍ୟ–ରାଜ୍ୟ ସମ୍ରାଟଙ୍କର ଶକ୍ତି ଓ କ୍ଷମତାକୁ ପରିବୃଦ୍ଧି କରି ସଂଘକୁ ଦୃଢ଼ କରିବାପାଇଁ ଚାହୁଁଥିଲେ । ମାତ୍ର କେତେକ ଏହାର ବିରୋଧ କରୁଥିଲେ । କିନ୍ତୁ ଏହି ସମୟରେ ସେମାନଙ୍କ ମଧ୍ୟରେ ବିବାଦର ମୁଖ୍ୟ କାରଣ ଥିଲା ଧର୍ମନୀତି । ଉତ୍ତର ଜର୍ମାନୀର ରାଜ୍ୟଗୁଡ଼ିକ ପ୍ରୋଟେଷ୍ଟାଣ୍ଟ୍ ଥିଲେ । ମାତ୍ର ଦକ୍ଷିଣ ଜର୍ମାନୀରେ କାଥଲିକ୍‍ ମତବାଦ ସୁଦୃଢ଼ ଥିଲା । କାଥଲିକ୍‍ ରାଜ୍ୟ ଓ ପ୍ରୋଟେଷ୍ଟାଣ୍ଟ୍ ରାଜ୍ୟ ମଧ୍ୟରେ ସମ୍ପର୍କ ତିକ୍ତ ଥିଲା ।

 

ଅଷ୍ଟ୍ରିଆର ହାପ୍‌ସବର୍ଗ ରାଜବଂଶର ସମ୍ରାଟ ପବିତ୍ର ରୋମ ସାମ୍ରାଜ୍ୟର ସମ୍ରାଟରୂପେ ଗତାନୁଗତିକ ଭାବରେ ନିର୍ବାଚିତ ହୋଇ ଆସୁଥିଲେ । ଏହାଛଡ଼ା ସେ ହଙ୍ଗେରୀ ଓ ବୋହେମିଆର ରାଜସିଂହାସନ ପାଇଁ ମଧ୍ୟ ଆନୁଷ୍ଠାନିକ ଭାବରେ ନିର୍ବାଚିତ ହେଉଥିଲେ । ବସ୍ତୁତଃ ସେ ଥିଲେ ଇଉରୋପର ଏକ ଶକ୍ତିଶାଳୀ ବ୍ୟକ୍ତି । ହାପ୍‌ ସବର୍ଗ ରାଜବଂଶ ନୈଷ୍ଠିକ କାଥଲିକ୍‍ ଥିଲେ । ମାତ୍ର ବୋହେମିଆର ସମ୍ଭ୍ରାନ୍ତଗୋଷ୍ଠୀ ପ୍ରୋଟେଷ୍ଟାଣ୍ଟ୍ ମତବାଦୀ ଥିଲେ । ରାଜବଂଶର ପରିବର୍ତ୍ତନ ପାଇଁ ସେମାନଙ୍କର ବଳବତୀ ଇଚ୍ଛା ଥିଲା । ୧୬୧୯ ଖ୍ରୀ:ରେ ଯେତେବେଳେ ଅଷ୍ଟ୍ରିଆ ସମ୍ରାଟ ମାଟିନ୍‌ସଙ୍କ ମୃତ୍ୟୁ ହେଲା, ସେମାନେ ଏକ ସୁଯୋଗ ପାଇଲେ ଏବଂ ପାଲାଟିନେଟର ରାଜା ଫ୍ରେଡ଼େରିକଙ୍କୁ ବୋହେମିଆର ସିଂହାସନ ଅର୍ପଣ କଲେ । ଫ୍ରେଡ଼େରିକ ଥିଲେ ଇଂଲଣ୍ଡର ରାଜା ପ୍ରଥମ ଜେମ୍‌ସ୍‍ଙ୍କର ଜାମାତା । ସେ ଏ ବିଷୟରେ ଜେମ୍‌ସ୍‍ଙ୍କଠାରୁ ପରାମର୍ଶ ପାଇବାପାଇଁ କିଛି କାଳ ଅପେକ୍ଷା କଲେ । ଜେମ୍‌ସ୍ ହଠାତ୍‌ କୌଣସି ମତ ଦେଇ ପାରିଲେ ନାହିଁ । ଏହା ସତ୍ତ୍ୱେ ଫ୍ରେଡ଼େରିକ ବୋହେମିଆର ରାଜମୁକୁଟ ଗ୍ରହଣ କରି ନେଲେ । ଏହାଫଳରେ ସେ ଏକ ସଙ୍କଟମୟ ତଥା ଜଟିଳ ପରିସ୍ଥିତିର ସମ୍ମୁଖୀନ ହେଲେ । ସବୁ କାଥଲିକ୍‍ ରାଜ୍ୟ ନୂତନ ହାପ୍‌ସବର୍ଗ ସମ୍ରାଟ ଫାର୍ଡ଼ିନେଣ୍ଡଙ୍କର ବୋହେମିଆ ଉପରେ ଅଧିକାରକୁ ଦୃଢ଼ ଭାବରେ ସମର୍ଥନ କଲେ । ଅନ୍ୟ ପକ୍ଷରେ ଫ୍ରେଡ଼େରିକ ପ୍ରୋଟେଷ୍ଟାଣ୍ଟ୍‍ମାନଙ୍କଠାରୁ କୌଣସି ସାହାଯ୍ୟ ପାଇ ପାରିଲେ ନାହିଁ । ଫଳରେ ଫ୍ରେଡ଼େରିକ ପ୍ରେଗ ନଗରୀର ସୀମାରେ ହ୍ୱାଇଟ ହିଲ୍‌ (White Hill) ଯୁଦ୍ଧକ୍ଷେତ୍ରରେ ଫାର୍ଡ଼ିନେଣ୍ଡଙ୍କଦ୍ୱାରା ଅନାୟାସରେ ପରାସ୍ତ ହୋଇ ୧୬୨୦ ଖ୍ରୀ:ର ଅକ୍ଟୋବର ମାସରେ ବୋହେମିଆରୁ ବିତାଡ଼ିତ ହେଲେ ।

 

ମାତ୍ର ଏତିକିରେ ଫ୍ରେଡ଼େରିକଙ୍କର ସଙ୍କଟର ଅବସାନ ହେଲା ନାହିଁ । ଏହି ସୁଯୋଗରେ ବେଭରିଆର ଡ୍ୟୁକ ଫ୍ରେଡ଼େରିକଙ୍କର ପୈତୃକ ରାଜ୍ୟ ଆକ୍ରମଣ କରି ଉତ୍ତର ପାଲାଟିନେଟକୁ ନିଜ ରାଜ୍ୟରେ ମିଶାଇ ଦେଲେ । ଏହାପରେ ସ୍ପେନ୍‍ର ରାଜା ତୃତୀୟ ଫିଲିସ୍‌ ମଧ୍ୟ ଦକ୍ଷିଣ ପାଲାଟିନେଟ ଅଧିକାର କରିନେଲେ । ଫଳରେ ଫ୍ରେଡ଼େରିକ ବୋହେମିଆ ସହିତ ଆପଣାର ପୈତୃକ ରାଜ୍ୟ ମଧ୍ୟ ହରାଇ ବସିଲେ ।

 

ପ୍ରୋଟେଷ୍ଟାଣ୍ଟ୍ ରାଜା ଫ୍ରେଡ଼େରିକ ଓ ତାଙ୍କର ଇଂରେଜ ରାଣୀ ଏଲିଜାବେଥ୍‌ଙ୍କର ଏତାଦୃଶ ଦୁର୍ଦ୍ଦଶାରେ ସାରା ଇଂଲଣ୍ଡ ମର୍ମାହତ ହୋଇଥିଲା । ସ୍ପେନ୍‍ ବିରୁଦ୍ଧରେ ଅନତିବିଳମ୍ବରେ ଯୁଦ୍ଧ ଘୋଷଣା କରିବା ସକାଶେ ଜନସାଧାରଣ ଜେମ୍‌ସ୍‍ଙ୍କ ନିକଟରେ ଦାବି କଲେ । ପାର୍ଲିଆମେଣ୍ଟ୍‍ରେ ମଧ୍ୟ ଫ୍ରେଡ଼େରିକଙ୍କର ସପକ୍ଷରେ ପ୍ରସ୍ତାବମାନ ଗୃହୀତ ହେଲା । ମାତ୍ର ଜେମ୍‌ସ୍ ନିଜ ନୀତିରେ ଅଟଳ ରହିଲେ । ଏହି ସଙ୍କଟ କାଳରେ ସେ ଶାନ୍ତି–ଦୂତର ଭୂମିକା ଗ୍ରହଣ କରିବା ସକାଶେ ସ୍ଥିର କଲେ । ତେଣୁ ସେ ଇଉରୋପକୁ ରାଜଦୂତ ପରେ ରାଜଦୂତ ପଠାଇ ସଙ୍କଟର ସମାଧାନ ପାଇଁ ଉଦ୍ୟମ କଲେ । ମାତ୍ର ଏହି ସମୟରେ ପରିସ୍ଥିତି ଜଟିଳ ହୋଇ ପଡ଼ିଥିଲା ଏବଂ ଯୁଦ୍ଧ ବିନା ଅନ୍ୟ କୌଣସି କୂଟନୀତିରେ ଏହାର ସମାଧାନ ଅସମ୍ଭବ ଥିଲା । ଇଂଲଣ୍ଡର ଯୁଦ୍ଧ ଘୋଷଣାର ଆଶଙ୍କା ଥିଲା ସ୍ପେନ୍‍ ଦକ୍ଷିଣ ପାଲାଟିନେଟରୁ ଓହରି ଯାଇଥାନ୍ତା ବୋଲି ଆଶା କରାଯାଉଥିଲା । ସେଥିପାଇଁ ଇଂଲଣ୍ଡରେ ସ୍ପେନ୍‍ ରାଜଦୂତ ଗଣ୍ଡୋମର (Gandomar) ଦୁର୍ବଳମନା ଜେମ୍‌ସ୍‍ଙ୍କୁ ପ୍ରଭାବିତ କରି ରଖିଥିଲେ ।

 

ଏହି ସମୟରେ ପ୍ରଥମ ଜେମ୍‌ସ୍‍ଙ୍କର ବିଶ୍ୱାସ ଥିଲା ଯେ ଯୁବରାଜ ଚାର୍ଲସ୍‍ ଓ ସ୍ପେନ୍‍ ରାଜକୁମାରୀ ଇନଫାଣ୍ଟାଙ୍କର ବିବାହ ହୋଇ ପାରିଲେ ସେ ସ୍ପେନ୍‍ ରାଜାଙ୍କୁ ପାଲାଟିନେଟରୁ ଓହରି ଯିବାପାଇଁ ପ୍ରବର୍ତ୍ତାଇ ପାରିବେ । ଏହି ଆଶାରେ ସେ ୧୬୧୭ ଖ୍ରୀ:ରେ ବିବାହ ପ୍ରସ୍ତାବକୁ ପୁନରୁଜ୍ଜୀବିତ କଲେ । ରାଜକୁମାରୀ ଇନଫାଣ୍ଟାଙ୍କୁ ପ୍ରେମ–ପାଶରେ ଆବଦ୍ଧ କରିବାପାଇଁ ଚାର୍ଲସ୍‍ ଓ ବକିଙ୍ଗହାମ୍‍ ଛଦ୍ମବେଶରେ ସ୍ପେନ୍‍ ରାଜଧାନୀ ମାଡ଼୍ରିଡ଼ରେ ପହଞ୍ଚିଲେ । ଇନଫାଣ୍ଟାଙ୍କ ସହିତ ଚାର୍ଲସ୍‍ଙ୍କର ଥରେ ମାତ୍ର ସାକ୍ଷାତ ହୋଇଥିଲା । ରାଜକୁମାରୀଙ୍କୁ ପାଇବାପାଇଁ ସେ ଅନେକ ପ୍ରତିଶ୍ରୁତି ଦେଲେ । ଇଂଲଣ୍ଡରେ କାଥଲିକ୍‍ମାନଙ୍କୁ ସବୁ ପ୍ରକାର ସୁଯୋଗ ଓ ସୁବିଧା ପ୍ରଦାନ କରିବାପାଇଁ ଏବଂ ଆପଣାର ପୁତ୍ର କନ୍ୟାମାନଙ୍କୁ କାଥଲିକ୍‍ ଶିକ୍ଷାଦୀକ୍ଷାରେ ବଢ଼ାଇବା ପାଇଁ ସେ ପ୍ରସ୍ତୁତ ଥିଲେ । ତଥାପି ସ୍ପେନ୍‍ର ରାଜା ଏହି ବିବାହରେ ସମ୍ମତ ହେଲେ ନାହିଁ । ସ୍ପେନ୍‍ବାସୀ ବକିଙ୍ଗହାମ୍‌ଙ୍କ ପ୍ରତି ସନ୍ତୁଷ୍ଟ ନଥିଲେ । ଅବଶଷେରେ ୧୬୨୩ ଖ୍ରୀ:ର ଅକ୍‌ଟୋବର ମାସରେ ଚାର୍ଲସ୍‍ ଓ ବକିଙ୍ଗହାମ୍‍ ବିଫଳ ମନୋରଥରେ ସ୍ୱଦେଶକୁ ଫେରି ଆସିଲେ । ସେମାନଙ୍କର ବିଫଳତା ପ୍ରୋଟେଷ୍ଟାଣ୍ଟ୍ ଇଂଲଣ୍ଡର ବିଜୟ ବୋଲି ଜନସାଧାରଣ ମନେ କଲେ । ତେଣୁ ଚାର୍ଲସ୍‍ଙ୍କର ଶୂନ୍ୟହସ୍ତରେ ପ୍ରତ୍ୟାବର୍ତ୍ତନକୁ ଇଂଲଣ୍ଡବାସୀ ସ୍ୱାଗତ କଲେ ।

 

ଏହାପରେ ଜେମ୍‌ସ୍‍ଙ୍କର ବୈଦେଶିକ ନୀତିର ପରିବର୍ତ୍ତନ ହେଲା । ସେ ୧୬୨୪ ଖ୍ରୀ:ରେ ସ୍ପେନ୍‍ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ । କାଉଣ୍ଟ ମେନ୍‌ସ ଫିଲ୍‍ଡ଼ଙ୍କ ନେତୃତ୍ୱରେ ଏକ ଇଂରେଜ ସେନାବାହିନୀ ଫ୍ରେଡ଼େରିକଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ପଠାହେଲା । ମାତ୍ର ଏହାଏକ ଦୁର୍ବଳ ବାହିନୀ ଥିବାରୁ କୌଣସି ସଫଳତା ଲାଭ କରି ପାରିଲା ନାହିଁ । ୧୬୨୫ ଖ୍ରୀ:ରେ ଜେମ୍‌ସ୍‍ଙ୍କର ମୃତ୍ୟୁବେଳକୁ ପାଲାଟିନେଟ ଶତ୍ରୁ କବଳିତ ହୋଇ ରହିଥିଲା ।

 

ପ୍ରଥମ ଜେମ୍‌ସ୍‍ଙ୍କର ରାଜତ୍ୱ କାଳରେ ଇଂଲଣ୍ଡର କେତେକ ଉଲ୍ଲେଖନୀୟ ଅଗ୍ରଗତି ହୋଇଥିଲା । ଏହି ସମୟରେ ଏଦେଶର ଔପନିବେଶିକ ସାମ୍ରାଜ୍ୟର ଶିଳାନ୍ୟାସ ହେଲା । ୧୬୦୭ ଖ୍ରୀ:ରେ ଦଳେ ଇଂରେଜ ଭାର୍‌ଜିନିଆରେ ଉପନିବେଶ ସ୍ଥାପନ କଲେ । ସେଠାରେ ସେମାନଙ୍କର ପ୍ରଥମ ବସତି ଜେମ୍‌ସ୍‍ଙ୍କର ନାମାନୁସାରେ ଜେମ୍‌ସ୍ ଟାଉନ ବୋଲି ନାମିତ ହେଲା । ଭାର୍‍ଜିନିଆରେ ତମାଖୁ ଚାଷର ଆକସ୍ମିକ ଆବିଷ୍କାର ଇଂଲଣ୍ଡପାଇଁ ବିଶେଷ ଲାଭଜନକ ହେଲା । ଭାର୍‍ଜିନିଆର ଉତ୍ତରରେ ମେରିଲେଣ୍ଡ ତଥା ବରମୁଡ଼ା ଦ୍ୱୀପପୁଞ୍ଜରେ ମଧ୍ୟ ଏହି ସମୟରେ ଇଂରେଜ ଉପନିବେଶ ହେଲା । ୧୬୧୨ ଖ୍ରୀ:ରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତର ସୁରାଟଠାରେ ସେମାନଙ୍କର ପ୍ରଥମ ବାଣିଜ୍ୟ କୋଠି ସ୍ଥାପନ କଲେ । ଏହି ସମୟରେ ଇଂଲଣ୍ଡର କେତେକ ପ୍ୟୁରିଟାନ ଜେମ୍‌ସ୍‍ଙ୍କର ଧର୍ମନୀତିର ପ୍ରତିବାଦ କରି ହଲାଣ୍ଡକୁ ଚାଲିଯାଇଥିଲେ । ପରେ ସେମାନେ ଆମେରିକା ଯାତ୍ରା କରିବାପାଇଁ ମନସ୍ଥ କଲେ । ଆଉ କେତେକ ଇଂରେଜ ସେମାନଙ୍କ ସହିତ ଯୋଗ ଦେଲେ ଏବଂ ସେମାନେ ସମସ୍ତେ ୧୬୨୦ ଖ୍ରୀ:ରେ ‘ମେ ଫ୍ଳାଉଆର’ ନାମକ ଜାହାଜରେ ଆମେରିକାରେ ପହଞ୍ଚି ସେଠାରେ ପ୍ଳାୟମାଉଥ୍‌ ସହରରେ ସେମାନଙ୍କର ପ୍ରଥମ ବସତି ସ୍ଥାପନ କଲେ । ‘ଯାତ୍ରୀଜନକ’ ନାମରେ ଏମାନଙ୍କୁ ଅଭିହିତ କରାଯାଏ । ଏହାପରେ ବହୁସଂଖ୍ୟକ ଇଂରେଜ ଏମାନଙ୍କୁ ଅନୁସରଣ କରି ଇଂଲଣ୍ଡ ପରିତ୍ୟାଗ କରି ଆମେରିକାରେ ବସବାସ ପାଇଁ ଯାତ୍ରା କଲେ । ଫଳରେ ଉତ୍ତର ଆମେରିକାର ପୂର୍ବ ଉପକୂଳରେ ଏକ ଇଂରେଜ ଉପନିବେଶ ମୁଣ୍ଡ ଟେକିଲା । ଏହିପରି ଭାବରେ ପ୍ରଥମ ଜେମ୍‌ସ୍‍ଙ୍କର ରାଜତ୍ୱ କାଳରେ ଭାରତ ଓ ଆମେରିକାରେ ଇଂରେଜ ଉପନିବେଶବାଦର ଆରମ୍ଭ ହେଲା ।

 

ପ୍ରଥମ ଜେମ୍‌ସ୍‍ଙ୍କ ନିର୍ଦ୍ଦେଶରେ ୧୬୧୧ ଖ୍ରୀ:ରେ ବାଇବେଲର ଏକ ବିଧିବଦ୍ଧ ସଂସ୍କରଣ ପ୍ରକାଶିତ ହେଲା । ତାହା ଏପର୍ଯ୍ୟନ୍ତ ଚଳି ଆସୁଅଛି । ଧର୍ମକ୍ଷେତ୍ରରେ ଏହା ଜେମ୍‌ସ୍‍ଙ୍କର ଏକ ବିଶିଷ୍ଟ ଅବଦାନ ଅଟେ ।

 

ପ୍ରଥମ ଜେମ୍‌ସ୍‍ଙ୍କ ରାଜତ୍ୱ କାଳରେ ପାର୍ଲିଆମେଣ୍ଟ୍‍ରେ କୋକ, ସେଲଡ଼ନ୍‌, ପାଇମ୍, ଫିଲିପ୍‌ସ ପ୍ରମୁଖଙ୍କର ନେତୃତ୍ୱରେ ଏକ ସୁଶୃଙ୍ଖଳିତ ଓ ଐକ୍ୟବଦ୍ଧ ବିରୋଧୀଦଳର ଅଭ୍ୟୁଦୟ ହେଲା । ଏହି ଦଳ ରାଜାଙ୍କର ଦେବଦତ୍ତ ଅଧିକାର ବିରୁଦ୍ଧରେ ସଂଗ୍ରାମ କରି ପାର୍ଲିଆମେଣ୍ଟ୍‍ର ସ୍ୱାଧୀନତା ତଥା ଦେଶର ସାଧାରଣ ଆଇନକାନୁନର ସାର୍ବଭୌମତ୍ୱର ପ୍ରତିଷ୍ଠାପାଇଁ ଉଦ୍ୟମ କଲେ-। ପ୍ରଥମ ଜେମ୍‌ସ୍‍ଙ୍କର ଭୟ ପ୍ରଦର୍ଶନ ଓ ଅତ୍ୟାଚାର ସେମାନଙ୍କୁ ଦବାଇ ପାରିଲା ନାହିଁ-। ଜେମ୍‌ସ୍‍ଙ୍କ ରାଜତ୍ୱ କାଳରେ ଏଲିଜାବେଥୀୟ ରାଜତନ୍ତ୍ର ତଥା ବୈଦେଶିକ ଯୁଦ୍ଧର ଯୁଗ ଅବସାନ ପ୍ରାପ୍ତ ହୋଇ ଏକ ଅନ୍ତର୍ବିପ୍ଳବ ଯୁଗ ଆରମ୍ଭ ହେଲା । ଜେମ୍‌ସ୍ କୌଣସିମତେ ବିପ୍ଳବକୁ ଅଟକାଇ ରଖିପାରିଥିଲେ । ମାତ୍ର ତାଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ପ୍ରଥମ ଚାର୍ଲସ୍‍ ଏହାର ଶିକାର ହେଲେ-

Image

 

ସପ୍ତମ ଅଧ୍ୟାୟ

ପ୍ରଥମ ଚାର୍ଲସ୍‍ (୧୬୨୫–୧୬୪୯)

 

୧୬୨୫ ଖ୍ରୀ: ମାର୍ଚ୍ଚମାସ ୨୭ ତାରିଖରେ ପ୍ରଥମ ଜେମ୍‌ସ୍‍ଙ୍କର ମୃତ୍ୟୁ ହେଲା ଏବଂ ତାଙ୍କର ଦ୍ୱିତୀୟ ପୁତ୍ର ଚାର୍ଲସ୍‍ ଇଂଲଣ୍ଡ ସିଂହାସନରେ ଅଭିଷିକ୍ତ ହେଲେ । ଜେମ୍‌ସ୍‍ଙ୍କର ଜ୍ୟେଷ୍ଠ ପୁତ୍ର ହେନେରୀ ଏହାର ପ୍ରାୟ ୧୩ ବର୍ଷ ଆଗରୁ ୧୬୧୨ ଖ୍ରୀ:ରେ ପ୍ରାଣତ୍ୟାଗ କରିଥିଲେ ।

 

ଚାର୍ଲସ୍‍ଙ୍କର ଚରିତ୍ର

 

ସିଂହାନ ଆରୋହଣ ସମୟରେ ଚାର୍ଲସ୍‍ଙ୍କର ବୟସ ପଚିଶବର୍ଷ ହୋଇଥିଲା । ସେତେବେଳେ ସେ ଥିଲେ ଜଣେ ବଳିଷ୍ଠ ଯୁବକ । ଅଶ୍ୱାରୋହଣ, ସନ୍ତରଣ ଓ ଟେନିସ୍ ଖେଳ ତାଙ୍କର ଅତ୍ୟନ୍ତ ପ୍ରିୟ ଥିଲା । ପରିବାରବର୍ଗ ତଥା ଆତ୍ମୀୟମାନଙ୍କ ପ୍ରତି ସେ ସ୍ନେହପୂର୍ଣ୍ଣ ଥିଲେ । କଳା ଓ ସାହିତ୍ୟରେ ତାଙ୍କର ଅନୁରାଗ ଥିଲା । ସେ ବଡ଼ ପରିଶ୍ରମୀ ଥିଲେ, ମାତ୍ର ତାଙ୍କର ପ୍ରଶାସନିକ ଦକ୍ଷତା ନଥିଲା । ବାଲ୍ୟକାଳରୁ ଧର୍ମ ବିଷୟରେ ତାଙ୍କର ଆଗ୍ରହ ଥିଲା । ଜ୍ୟେଷ୍ଠଭ୍ରାତା ହେନେରୀ ବଞ୍ଚିଥିଲେ, ଚାର୍ଲସ୍‍ ହୁଏତ କାଣ୍ଟରବରୀର ମୁଖ୍ୟ ବିଶପ୍ ହୋଇ ପାରିଥାନ୍ତେ । ମାତ୍ର ତାହା ହେଲା ନାହିଁ । ରାଜସିଂହାସନ ଲାଭ କରି ସହିଦ ହେବାର ଦୁର୍ଭାଗ୍ୟ ଚାର୍ଲସ୍‍ଙ୍କର ଥିଲା । ଚାର୍ଲସ୍‍ ଅତ୍ୟନ୍ତ ଅନମନୀୟ, ଅଦୂରଦର୍ଶୀ ଓ ଆତ୍ମକୈନ୍ଦ୍ରିକ ଥିଲେ । ସେ ଯେତେ ସହଜରେ ପ୍ରତିଶ୍ରୁତିମାନ ପ୍ରଦାନ କରୁଥିଲେ, ସେତେ ସହଜରେ ସେଗୁଡ଼ିକ ଭାଙ୍ଗି ମଧ୍ୟ ପାରୁଥିଲେ । ଏକ ସମୟରେ ସେ ତିନି ଚାରୋଟି ପରସ୍ପର ବିରୋଧୀ ଯୋଜନା କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରୁଥିଲେ । ତେଣୁ ସେ ସବୁ ବିଫଳତାରେ ପରିଣତ ହେଉଥିଲା । ପ୍ରଥମ ଜେମ୍‌ସ୍ ଅଯଥା ଅନେକ କଥା କହିଯାଉଥିଲେ । ମାତ୍ର ଚାର୍ଲସ୍‍ ଖୁବ୍‌ କମ୍ କଥା କହୁଥିଲେ ଏବଂ ଅନେକ ସମୟରେ ନୀରବ ରହୁଥିଲେ । ତେଣୁ ତାଙ୍କର ମନର କଥା ସହଜରେ ଜାଣି ହେଉ ନଥିଲା । ରାଜାଙ୍କର ଦେବଦତ୍ତ ଅଧିକାର ଉପରେ ଉଭୟ ଜେମ୍‌ସ୍ ଓ ଚାର୍ଲସ୍‍ଙ୍କର ଗଭୀର ବିଶ୍ୱାସ ଥିଲା । ଜେମ୍‌ସ୍ ଏହି ତଥ୍ୟକୁ ଉପଯୁକ୍ତ ଯୁକ୍ତିଦ୍ୱାରା ଉପସ୍ଥାପିତ କରିଥିଲେ । ମାତ୍ର ଏହା ଚାର୍ଲସ୍‍ଙ୍କର ଧର୍ମର ଏକ ଅଙ୍ଗ ଥିଲା । ତାଙ୍କର ଉକ୍ତ ଅଧିକାର ଉପରେ ଅନ୍ୟର ଅନଧିକାର ଚର୍ଚ୍ଚାକୁ ସେ ସହ୍ୟ କରି ପାରୁ ନଥିଲେ । ଚାର୍ଲସ୍‍ଙ୍କ ଏହିସବୁ ଚାରିତ୍ରିକ ଦୋଷ ଶେଷରେ ତାଙ୍କ ପତନର କାରଣ ହେଲା ?

 

ବୈଦେଶିକ ନୀତି :

 

ପ୍ରଥମ ଚାର୍ଲସ୍‍ ସିଂହାସନ ଆରୋହଣ କଲା ସମୟରେ ଇଉରୋପରେ ପ୍ରୋଟେଷ୍ଟାଣ୍ଟ୍ ଓ କାଥଲିକ୍‍ମାନଙ୍କ ମଧ୍ୟରେ ତ୍ରିଂଶବର୍ଷ ବ୍ୟାପୀ ଯୁଦ୍ଧ ଚାଲୁଥିଲା । ତାଙ୍କର ପିତା ପ୍ରଥମ ଜେମ୍‌ସ୍ ରାଜତ୍ୱର ଶେଷବେଳକୁ ଏଥିରେ ଯୋଗଦାନ କରି ସ୍ପେନ୍‍ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ ସତ; ମାତ୍ର ତହିଁରେ ତାଙ୍କର ଆନ୍ତରିକତା ନଥିଲା । ବୈଦେଶିକ ବ୍ୟାପାରରେ ଜେମ୍‌ସ୍‍ଙ୍କର ଶାନ୍ତି ନୀତି ବିଫଳ ହୋଇଥିଲା । ପାଲାଟିନେଟ ସ୍ପେନ୍‍ଦ୍ୱାରା ଅଧିକୃତ ହୋଇ ରହିଥିଲା । ଫ୍ରେଡ଼େରିକ ଓ ଏଲିଜାବେଥ୍‌ ପୂର୍ବପରି ଦୁରବସ୍ଥା ଭୋଗ କରୁଥିଲେ । ତେଣୁ ରାଜତ୍ୱର ପ୍ରାରମ୍ଭରୁ ଚାର୍ଲସ୍‍ ପିତାଙ୍କର ଶାନ୍ତି ପରିତ୍ୟାଗ କରି ତ୍ରିଂଶବର୍ଷ ବ୍ୟାପୀ ଯୁଦ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାପାଇଁ ସ୍ଥିର କଲେ । ଏହି ସମୟରେ ଡେନ୍‍ମାର୍କର ରାଜା ଜର୍ମାନୀର ପ୍ରୋଟେଷ୍ଟାଣ୍ଟ୍‍ମାନଙ୍କ ସପକ୍ଷରେ ଯୁଦ୍ଧରେ ଯୋଗ ଦେଇଥିଲେ । ଚାର୍ଲସ୍‍ ତାଙ୍କ ପ୍ରତି ବିପୁଳ ସମର୍ଥନ ଜଣାଇ ଯୁଦ୍ଧର ପରିଚାଳନା ପାଇ ତାଙ୍କୁ ବାର୍ଷିକ ୩୬୦,୦୦୦ ପାଉଣ୍ଡ ସାହାଯ୍ୟ ଦେବାପାଇଁ ପ୍ରତିଶ୍ରୁତି ଦେଲେ । ପ୍ରଥମ କିସ୍ତିରେ ସେ ତାଙ୍କୁ ଯେଉଁ ୪୬,୦୦୦ ପାଉଣ୍ଡ ପ୍ରଦାନ କଲେ, ତାହା ଥିଲା ତାଙ୍କର ଶେଷ କିସ୍ତି । ସେ ତାଙ୍କର ପ୍ରତିଶ୍ରୁତି ରକ୍ଷା କରି ପାରିଲେ ନାହିଁ; କାରଣ ପାର୍ଲିଆମେଣ୍ଟ୍‍ ତାଙ୍କୁ ଯୁଦ୍ଧ ପରିଚାଳନା ସକାଶେ ଯଥେଷ୍ଟ ଅର୍ଥ ମଞ୍ଜୁର କଲାନାହିଁ । ସେ ଯାହାହେଉ, ଏହି ସମୟରେ ଇଂଲଣ୍ଡର ବୈଦେଶିକ ନୀତି ମନ୍ତ୍ରୀ ବକିଙ୍ଗହାମ୍‌ ଓ ଡେନ୍‍ମାର୍କର ରାଜାଙ୍କଦ୍ୱାରା ବିଶେଷ ଭାବରେ ନିୟନ୍ତ୍ରିତ ହେଲା । ଉଭୟ ଉପଲବ୍ଧି କଲେ ଯେ ଜର୍ମାନୀର ପ୍ରୋଟେଷ୍ଟାଣ୍ଟ୍ ଶକ୍ତିକୁ ରକ୍ଷା କରିବାକୁ ହେଲେ ସ୍ପେନୀୟ ପୋତାଶ୍ରୟମାନଙ୍କ ଉପରେ ପ୍ରତ୍ୟକ୍ଷ ଆକ୍ରମଣ ଆବଶ୍ୟକ । ଏହାଦ୍ୱାରା ଦୁଇଟି ଉଦ୍ଦେଶ୍ୟ ସାଧିତ ହେବ ବୋଲି ସେମାନଙ୍କର ଆଶାଥିଲା । ପ୍ରଥମତଃ ସେମାନେ ମନେକଲେ ଯେ ପାଲାଟିନେଟରେ ଅବସ୍ଥାପିତ ଥିବା ସ୍ପେନ୍‍ ସେନାବାହିନୀ ସେ ଦେଶ ପରିତ୍ୟାଗ କରି ମାତୃଭୂମିର ରକ୍ଷାପାଇଁ ଫେରି ଆସିବେ । ଦ୍ୱିତୀୟତଃ ଏହି ସମୟରେ ଆମେରିକାରୁ ସ୍ପେନ୍‍କୁ ଆସୁଥିବା ଅର୍ଥବାହୀ ଜାହାଜକୁ ଲୁଣ୍ଠନ କରିବା ସେମାନଙ୍କର ଅଭିପ୍ରାୟ ଥିଲା । ଯୁଦ୍ଧପାଇଁ ସେମାନେ ବିପୁଳ ଅର୍ଥର ଆବଶ୍ୟକ କରୁଥିଲେ । ଏହି ଲୁଣ୍ଠନରୁ ତାହା ଅପର୍ଯ୍ୟାପ୍ତ ପରିମାଣରେ ପାଇ ପାରିବେ ବୋଲି ସେମାନେ ଭାବିଲେ । ଏହି ଉଦ୍ଦେଶ୍ୟରେ ଡେନ୍‍ମାର୍କ ଓ ଇଂଲଣ୍ଡର ମିଳିତ ସେନା ସ୍ପେନ୍‍ର କାଡ଼ିଜ ବନ୍ଦର (Cadiz) ଉପରେ ଆକ୍ରମଣ କଲେ । ମାତ୍ର ସ୍ପେନ୍‍ର ଶକ୍ତିଶାଳୀ ସେନାଦ୍ୱାରା ସେମାନଙ୍କର ଆକ୍ରମଣ ଅନାୟାସରେ ପ୍ରତିହତ ହେଲା । ଫଳରେ ସେମାନଙ୍କର କୌଣସି ଉଦ୍ଦେଶ୍ୟ ସାଧିତ ହୋଇ ପାରିଲା ନାହିଁ । ମିଳିତ ସେନାର ସୈନ୍ୟମାନେ ଖାଦ୍ୟ ଓ ବସ୍ତ୍ର ଅଭାବରେ ଭୀଷଣ କଷ୍ଟ ପାଇଲେ ଏବଂ ସେମାନଙ୍କ ମଧ୍ୟରୁ ଅନେକ ପ୍ରାଣ ହରାଇଲେ । ଅର୍ଥାଭାବରୁ ଡେନ୍‍ମାର୍କର ରାଜା ସୈନ୍ୟମାନଙ୍କୁ ଦରମା ଦେଇପାରିଲେ ନାହିଁ । ତେଣୁ ସେ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କଲେ ।

 

ତ୍ରିଂଶବର୍ଷ ବ୍ୟାପୀ ଯୁଦ୍ଧରେ ପ୍ରଥମ ଚାର୍ଲସ୍‍ଙ୍କର ଭୂମିକା ଶୋଚନୀୟ ଭାବରେ ବିଫଳ ହେଲା । ବକିଙ୍ଗହାମ୍‍ ସ୍ପେନ୍‍ ଉପରେ ଆଉଥରେ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିଲେ । ମାତ୍ର ତାହା କାର୍ଯ୍ୟକାରୀ ହେବା ପୂର୍ବରୁ ଇଂଲଣ୍ଡ ଓ ଫ୍ରାନ୍‌ସ ମଧ୍ୟରେ ସୂତ୍ରପାତ ହେଲା ।

 

ଫ୍ରାନ୍‌ସ ବିରୁଦ୍ଧରେ ଯୁଦ୍ଧ :

 

ମୃତ୍ୟୁ ପୂର୍ବରୁ ପ୍ରଥମ ଜେମ୍‌ସ୍ ଚାର୍ଲସ୍‍ଙ୍କ ବିବାହ ଫରାସୀ ରାଜକୁମାରୀ ହେନେରିଏଟା ମେରୀଆ (Henrietta Maria)ଙ୍କ ସହିତ କରିବା ସକାଶେ ପ୍ରସ୍ତାବ ଦେଇଥିଲେ । ଚାର୍ଲସ୍‍ଙ୍କ ଅଭିଷେକର ମାତ୍ର ଦୁଇ ମାସ ପରେ ଏହି ବିବାହ ସମାହିତ ହେଲା । ହେନେରିଏଟା ଫ୍ରାନ୍‌ସର ଭୂତପୂର୍ବ ରାଜା ଚତୁର୍ଥ ହେନେରୀଙ୍କର କନ୍ୟା ତତ୍‌କାଳୀନ ରାଜା ତ୍ରୟୋଦଶ ଲୁଇଙ୍କର ଭଉଣୀ ଥିଲେ । ଏହି ବିବାହଫଳରେ ଚାର୍ଲସ୍‍ ଇଂଲଣ୍ଡର କାଥଲିକ୍‍ ସମ୍ପ୍ରଦାୟଙ୍କୁ କେତେକ ଅଧିକାର ପ୍ରଦାନ କରିବା ସକାଶେ ପ୍ରତିଶ୍ରୁତି ଦେଇଥିଲେ । ଚାର୍ଲସ୍‍ଙ୍କର ପିତା ଜେମ୍‌ସ୍ ମଧ୍ୟ ଫ୍ରାନ୍‌ସକୁ କେତେକ ଜାହାଜ ଦେବା ସକାଶେ ଚୁକ୍ତିବଦ୍ଧ ଥିଲେ । ଫ୍ରାନ୍‌ସର ରାଜା ତ୍ରୟୋଦଶ ଲୁଇ ଏବଂ ମନ୍ତ୍ରୀ ରିସେଲ୍ୟୁ (Richelieu) ବିବାହ ଚୁକ୍ତି ପୂରଣପାଇଁ ବାରମ୍ବାର ଦାବି କଲେ । ଅନ୍ୟ ପକ୍ଷରେ ଫ୍ରାନ୍‌ସ ସହିତ ବୈବାହିକ ସମ୍ପର୍କ ସ୍ଥାପନଫଳରେ ଇଂଲଣ୍ଡର କାଥଲିକ୍‍ମାନଙ୍କୁ କୌଣସି ବିଶେଷ ଅଧିକାର ଦିଆଯିବ ନାହିଁ ବୋଲି ବକିଙ୍ଗହାମ୍‍ ପାର୍ଲିଆମେଣ୍ଟ୍‍କୁ ପ୍ରତିଶ୍ରୁତି ଦେଇଥିଲେ । ଫଳରେ ଚାର୍ଲସ୍‍ ବିଶେଷ ଅସୁବିଧାର ସମ୍ମୁଖୀନ ହେଲେ । ଫ୍ରାନ୍‌ସର ବାରମ୍ବାର ଦାବିର ଚାପରେ ସେ କେତେକ ଯୁଦ୍ଧଜାହାଜ ନେଇ ଦେଶକୁ ପ୍ରଦାନ କଲେ । ଫରାସୀ ମନ୍ତ୍ରୀ ରିସେଲ୍ୟୁ ନିଜ ଦେଶର ପ୍ରୋଟେଷ୍ଟାଣ୍ଟ୍ ହ୍ୟୁଗନଟ (Huguenots)ମାନଙ୍କୁ ଦମନ କରିବାପାଇଁ ଏହି ସବୁ ଜାହାଜ ବ୍ୟବହାର କଲେ । ଇଂଲଣ୍ଡରେ ଏହାର ବିପୁଳ ପ୍ରତିବାଦ ହେଲା । ଏହାପରେ ଫ୍ରାନ୍‌ସ ବିବାହ ଚୁକ୍ତି ଅନୁଯାୟୀ ଇଂଲଣ୍ଡର କାଥଲିକ୍‍ମାନଙ୍କୁ କେତେକ ଅଧିକାର ପ୍ରଦାନ କରିବା ନିମିତ୍ତ ଚାର୍ଲସ୍‍ଙ୍କ ନିକଟରେ ଦାବି କଲା ମାତ୍ର ଚାର୍ଲସ୍‍ ଏହି ପ୍ରତିଶ୍ରୁତି ରକ୍ଷା କରି ପାରିଲେ ନାହିଁ । ଅନ୍ୟ ପକ୍ଷରେ ସେ ରାଣୀ ହେନେରିଏଟାଙ୍କର ଫରାସୀ ପରିଚାରିକାମାନଙ୍କୁ ଇଂଲଣ୍ଡରୁ ବହିଷ୍କୃତ କଲେ । ଏହାଫଳରେ ଉଭୟ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଲା । ବକିଙ୍ଗହାମ୍‌ ଓ ରିସେଲ୍ୟୁ ପରସ୍ପର ପ୍ରତି ଶତ୍ରୁଭାବାପନ୍ନ ଥିଲେ । ସେମାନେ ନିଜ ନିଜ ଦେଶର ବୈଦେଶିକ ନୀତିକୁ ନିୟନ୍ତ୍ରଣ କରୁଥିଲେ । ଉଭୟେ ଯୁଦ୍ଧର ପକ୍ଷପାତୀ ଥିଲେ । ସୁତରାଂ ୧୬୨୭ ଖ୍ରୀ:ରେ ଫ୍ରାନ୍‌ସ ଓ ଇଂଲଣ୍ଡ ମଧ୍ୟରେ ଯୁଦ୍ଧରେ ସୂତ୍ରପାତ ହେଲା ।

 

ଏହି ସମୟରେ ହ୍ୟୁଗନଟମାନଙ୍କର ଦୁର୍ଗ ଲା ରୋସେଲ (La Rochelle) ବନ୍ଦର ସରକାରୀ ସୈନ୍ୟଙ୍କଦ୍ୱାରା ଅଧିକୃତ ହୋଇଥିଲା । ବକିଙ୍ଗହାମ୍‌ ଏହି ଦୁର୍ଗର ଉଦ୍ଧାର କାର୍ଯ୍ୟରେ ହ୍ୟୁଗ୍‌ନଟମାନଙ୍କୁ ସାହାଯ୍ୟ କରିବା ନିମିତ୍ତ ନିଜେ ସେନାବାହିନୀର ନେତୃତ୍ୱ ନେଇ ଯାତ୍ରା କଲେ । ମାତ୍ର ସେଠାରେ ସେ ଶୋଚନୀୟ ବିପର୍ଯ୍ୟୟର ସମ୍ମୁଖୀନ ହେଲେ । ଏହି ସମୟରେ ଇଂଲଣ୍ଡର ସ୍ଥାୟୀ ସେନାବାହିନୀ ନଥିଲା । ଯୁଦ୍ଧ ବା ଜରୁରୀକାଳୀନ ପରିସ୍ଥିତିରେ ତରବରରେ ଯେଉଁ ବାହିନୀ ଗଢ଼ା ଯାଉଥିଲା, ତାହା ସେତେ ଶକ୍ତିଶାଳୀ ହୋଇ ପାରୁ ନଥିଲା । ରାଜା ଯୁଦ୍ଧ ପରିଚାଳନା ପାଇଁ ପାର୍ଲିଆମେଣ୍ଟ୍‍ର ଅର୍ଥ ମଞ୍ଜୁର ଉପରେ ନିର୍ଭର କରୁଥିଲେ । ମାତ୍ର ରାଜାଙ୍କର ମନୋଭାବ ଯୋଗୁଁ ପାର୍ଲିଆମେଣ୍ଟ୍‍ ଅର୍ଥ ମଞ୍ଜୁରକୁ ସଂକୁଚିତ କରି ରଖୁଥିଲା । ଏହି କାରଣରୁ ବକିଙ୍ଗହାମ୍‍ଙ୍କୁ ବିଫଳତା ବରଣ କରିବାକୁ ପଡ଼ିଲା । ଇଂଲଣ୍ଡରୁ ସେ ଅଧିକା ସୈନ୍ୟ ପାଇବାପାଇଁ ଅପେକ୍ଷା କରି ନିରାଶ ହେଲେ ।

 

ଏହାପରେ ବକିଙ୍ଗହାମ୍‍ ଇଂଲଣ୍ଡକୁ ଫେରି ଆସି ଫ୍ରାନ୍‌ସ ବିରୁଦ୍ଧରେ ଆଉ ଏକ ଯୁଦ୍ଧ ଅଭିଯାନ ପାଇଁ ପ୍ରସ୍ତୁତ ହେଉଥିଲେ । ମାତ୍ର ଏହି ଯୋଜନା କାର୍ଯ୍ୟକାରୀ ହେବା ପୂର୍ବରୁ ସେ ୧୬୨୮ ଖ୍ରୀ:ରେ ଫେଲଟନ୍‌ ନାମକ ଜଣେ ଆତତାୟୀଦ୍ୱାରା ନିହତ ହେଲେ ।

 

ବକିଙ୍ଗହାମ୍‌ଙ୍କ ମୃତ୍ୟୁ ପରେ ଇଂଲଣ୍ଡର ବୈଦେଶିକ ନୀତି ନିଷ୍କ୍ରିୟ ହୋଇ ପଡ଼ିଲା । ଇଉରୋପୀୟ ବ୍ୟାପାରରେ ଜଡ଼ିତ ହେବାପାଇଁ ଚାର୍ଲସ୍‍ଙ୍କର ଅର୍ଥବଳ ନଥିଲା । ଏହାଛଡ଼ା ସେ ଏକ ଭୟଙ୍କର ଗୃହ ବିବାଦରେ ଲିପ୍ତ ରହିଲେ । ୧୬୨୯ ଖ୍ରୀ: ରୁ ୧୬୪୦ ଖ୍ରୀ: ପର୍ଯ୍ୟନ୍ତ ସେ ବିନା ପାର୍ଲିଆମେଣ୍ଟ୍‍ରେ ଶାସନ ଚଳାଇଥିଲେ । ତେଣୁ ଏହି ସମୟରେ ବୈଦେଶିକ ଯୁଦ୍ଧରେ ବିଶେଷ ଅଂଶଗ୍ରହଣ କରିବାପାଇଁ ସେ ଉଚିତ ମନେ କଲେ ନାହିଁ । ଫଳରେ ୧୬୨୯ ଖ୍ରୀ:ରେ ଫ୍ରାନ୍‌ସ ସହିତ ଏବଂ ୧୬୩୦ ଖ୍ରୀ:ରେ ସ୍ପେନ୍‍ ସହିତ ସେ ସନ୍ଧି ସ୍ଥାପନ କଲେ । ଫ୍ରାନ୍‌ସର ହ୍ୟୁଗନଟମାନେ ଇଂଲଣ୍ଡରୁ କୌଣସି ସାହାଯ୍ୟ ନ ପାଇ ଆତ୍ମସମର୍ପଣ କଲେ । ପାଲାଟିନେଟର ରାଜା ଫ୍ରେଡ଼େରିକଙ୍କର ମଧ୍ୟ ଅବସ୍ଥାର ଉନ୍ନତି ହେଲା ନାହିଁ । ଚାର୍ଲସ୍‍ଙ୍କର ବୈଦେଶିକ ନୀତି ବିଫଳ ହେଲା ।

 

କୌତୂହଳର ବିଷୟ ଏହି ଯେ କାଥଲିକ୍‍ ଫ୍ରାନ୍‌ସ ନିଜ ଦେଶର ପ୍ରୋଟେଷ୍ଟାଣ୍ଟ୍ ହ୍ୟୁଗନଟମାନଙ୍କୁ ଦମନ କଲା ପରେ ଜର୍ମାନୀର ପ୍ରୋଟେଷ୍ଟାଣ୍ଟ୍ ରାଜ୍ୟମାନଙ୍କୁ ସାହାଯ୍ୟ ଦେବାପାଇଁ ଆଗେଇ ଆସିଲା । ଅବଶ୍ୟ ଏହାର ମୂଳରେ ଏକ ରାଜନୈତିକ ଅଭିସନ୍ଧି ଥିଲା । ଅଷ୍ଟ୍ରିଆର ହାପ୍‌ସବର୍ଗ ରାଜବଂଶ ଓ ଫ୍ରାନ୍‌ସର ବୋରବନ୍‌ ରାଜବଂଶ ମଧ୍ୟରେ ଇଉରୋପରେ ପ୍ରଭାବ ବିସ୍ତାରପାଇଁ ଏହି ସମୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଥିଲା । ତେଣୁ ତ୍ରିଂଶବର୍ଷ ବ୍ୟାପୀ ଯୁଦ୍ଧରେ ଅଷ୍ଟ୍ରିଆର ବିଜୟକୁ ସେ ବାଧା ଦେବାପାଇଁ ଚାହିଁଲା । ଫ୍ରାନ୍‌ସର ଯୋଗଦାନ ପରେ ପ୍ରୋଟେଷ୍ଟାଣ୍ଟ୍‍ମାନେ ଶକ୍ତିଶାଳୀ ହୋଇ ଉଠିଲେ । ୧୬୪୮ ଖ୍ରୀ:ରେ ସେମାନଙ୍କର ସପକ୍ଷରେ ଏହି ଯୁଦ୍ଧର ଅବସାନ ହେଲା । ମାତ୍ର ଏହାପରେ ଜର୍ମାନୀର ରାଜନୈତିକ ଅବସ୍ଥାରେ କୌଣସି ଉନ୍ନତି ଦେଖାଦେଲା ନାହିଁ । ସେହି ଦେଶ ପୂର୍ବବତ୍‌ ଦୁର୍ବଳ ଓ ବିଭକ୍ତ ହୋଇ ପଡ଼ି ରହିଲା । ଅପରପକ୍ଷେ ଜର୍ମାନୀର ଏକ ବିରାଟ ଅଞ୍ଚଳ ଫ୍ରାନ୍‌ସଦ୍ୱାରା ଅଧିକୃତ ହେଲା ଏବଂ ଫରାସୀମାନେ ଇଉରୋପର ଶ୍ରେଷ୍ଠ ଶକ୍ତିରୂପେ ପରିଗଣିତ ହେଲେ । ଫ୍ରାନ୍‌ସର ଅଭ୍ୟୁତ୍‌ଥାନ ଇଂଲଣ୍ଡପାଇଁ ବିପଦର କାରଣ ହେଲା ।

 

ଚାର୍ଲସ୍‍ଙ୍କର ଚାରିତ୍ରିକ ଦୋଷ ବୈଦେଶିକ ନୀତିର ବିଫଳତା ପାଇଁ ଅନେକାଂଶରେ ଦାୟୀ ଥିଲା ସତ, ମାତ୍ର ଏହାର ମୂଳରେ ଅନ୍ୟ କେତେକ କାରଣ ମଧ୍ୟ ନିହିତ ଥିଲା । କୌଣସି ଦେଶର ବୈଦେଶିକ ନୀତିର ସଫଳତା ସେ ଦେଶର ସାମରିକ ଶକ୍ତି ଉପରେ ବିଶେଷତଃ ନିର୍ଭର କରିଥାଏ । ମାତ୍ର ଏହି ସମୟରେ ଇଂଲଣ୍ଡରେ ସ୍ଥାୟୀ ସେନାବାହିନୀ ନଥିଲା । ଯୁଦ୍ଧ ସମୟରେ ଯେଉଁ ବାହିନୀ ତରବରରେ ଗଠିତ ହେଉଥିଲା, ତାହା ଇଉରୋପର ଶକ୍ତିଶାଳୀ ଦେଶମାନଙ୍କର ସୈନ୍ୟବାହିନୀ ସହ ସମକକ୍ଷ ହୋଇ ପାରୁ ନଥିଲା । ଇଂଲଣ୍ଡର ପାର୍ଲିଆମେଣ୍ଟ୍‍ ଇଉରୋପର ପ୍ରୋଟେଷ୍ଟାଣ୍ଟ୍‍ମାନଙ୍କର ସପକ୍ଷରେ ଯୁଦ୍ଧ କରିବା ସକାଶେ ରାଜାଙ୍କୁ ବାଧ୍ୟ କରୁଥିଲା । ମାତ୍ର ଯୁଦ୍ଧ ପରିଚାଳନା ପାଇଁ ପାର୍ଲିଆମେଣ୍ଟ୍‍ରେ ଯଥେଷ୍ଟ ଅର୍ଥ ମଞ୍ଜୁର କରାଯାଉ ନଥିଲା । ରାଜା ଯେଉଁ ମନ୍ତ୍ରୀ ତଥା ସେନାପତିଙ୍କୁ ନିଯୁକ୍ତ କରୁଥିଲେ ସେମାନଙ୍କର ସଙ୍ଗଠନ ଶକ୍ତି ତଥା ଯୁଦ୍ଧ କୌଶଳ ନଥିଲା । ଯୁଦ୍ଧକ୍ଷେତ୍ରରେ ସେମାନଙ୍କର ବିଫଳତା ଯୋଗୁଁ ଇଂଲଣ୍ଡର ବୈଦେଶିକ ନୀତି ବିଫଳତାରେ ପର୍ଯ୍ୟବସିତ ହେଉଥିଲା ।

 

ପ୍ରଥମ ଚାର୍ଲସ୍‍ଙ୍କ ପାର୍ଲିଆମେଣ୍ଟ୍‍ :

 

ପ୍ରଥମ ଚାର୍ଲସ୍‍ କେବଳ ବୈଦେଶିକ ବ୍ୟାପାରରେ ଅପଯଶ ଅର୍ଜନ କରି ନଥିଲେ, ଆଭ୍ୟନ୍ତରୀଣ ସମସ୍ୟାଗୁଡ଼ିକର ସମାଧାନ ପାଇଁ ମଧ୍ୟ ସେ ଅସମର୍ଥ ଥିଲେ । ତାଙ୍କର ସିଂହାସନ ଆରୋହଣ ସମୟରେ ଇଂଲଣ୍ଡର ରାଜକୋଷ ଶୂନ୍ୟ ହୋଇ ପଡ଼ିଥିଲା । ପାର୍ଲିଆମେଣ୍ଟ୍‍ର ଲୋକ ପ୍ରତିନିଧିମାନେ ସେମାନଙ୍କର ଶକ୍ତି ଓ କ୍ଷମତା ପ୍ରତି ସଜାଗ ଓ ସଚେତନ ଥିଲେ । ମନ୍ତ୍ରୀ ବକିଙ୍ଗହାମ୍‍ଙ୍କର ଅପାରଗତା ପ୍ରମାଣିତ ହୋଇଥିଲେ ମଧ୍ୟ ଏବଂ ସେ ଜନସାଧାରଣଙ୍କର ଅପ୍ରିୟ ହୋଇ ପଡ଼ିଥିଲେ ସୁଧା ତାଙ୍କର ପ୍ରଭାବ ପୂର୍ବାପେକ୍ଷା ଆହୁରି ପରିବର୍ଦ୍ଧିତ ହୋଇଥିଲା । ଚାର୍ଲସ୍‍ଙ୍କର କାଥଲିକ୍‌ ରାଣୀ ହେନେରିଏଟା ମେରିଆ ଶାସନ କ୍ଷେତ୍ରରେ ଅଯଥା ହସ୍ତକ୍ଷେପ କରୁଥିଲେ । ଫଳରେ ଇଂଲଣ୍ଡର ଆଭ୍ୟନ୍ତରୀଣ ବ୍ୟାପାର ଜଟିଳ ହୋଇ ପଡ଼ିଥିଲା ।

 

ପ୍ରଥମ ଚାର୍ଲସ୍‍ ରାଜତ୍ୱର ପ୍ରଥମ ଚାରିବର୍ଷରେ ତିନୋଟି ପାର୍ଲିଆମେଣ୍ଟ୍‍ ଆହ୍ୱାନ କରିଥିଲେ ଏବଂ ପ୍ରତ୍ୟେକ ପାର୍ଲିଆମେଣ୍ଟ୍‍ ସହ ବିବାଦ କରି ଅଳ୍ପକାଳ ପରେ ତାକୁ ଭାଙ୍ଗି ଦେଉଥିଲେ । ଏହାପରେ ସେ ୧୬୨୯ ଖ୍ରୀ:ରୁ ୧୬୪୦ ଖ୍ରୀ: ପର୍ଯ୍ୟନ୍ତ ଏକଛତ୍ର ବ୍ୟକ୍ତିଗତ ଶାସନ ପ୍ରତିଷ୍ଠା କଲେ । ମାତ୍ର ୧୬୪୦ ଖ୍ରୀ:ରେ ସେ ସ୍କଟ୍‍ଲାଣ୍ଡ୍‍ ସହ ଯୁଦ୍ଧରେ ବ୍ୟାପୃତ ରହି ଅର୍ଥ ଆବଶ୍ୟକ କଲେ ଏବଂ ତାହା ପାଇବାପାଇଁ ପୁଣି ପାର୍ଲିଆମେଣ୍ଟ୍‍ ବସାଇଲେ । ମାତ୍ର ଏଥର ମଧ୍ୟ ପାର୍ଲିଆମେଣ୍ଟ୍‍ ସହ ତାଙ୍କର ସମ୍ପର୍କ ତିକ୍ତ ହୋଇ ଉଠିଲା । ପରିଶେଷରେ ସେ ପାର୍ଲିଆମେଣ୍ଟ୍‍ ବିରୁଦ୍ଧରେ ଗୃହଯୁଦ୍ଧର ସମ୍ମୁଖୀନ ହେଲେ ।

 

ପାର୍ଲିଆମେଣ୍ଟ୍‍ ସହିତ ଚାର୍ଲସ୍‍ଙ୍କର କଳହର କେତେକ ମୁଖ୍ୟ କାରଣ ଥିଲା । ତନ୍ମଧ୍ୟରେ ରାଜାଙ୍କର ଧର୍ମନୀତି ଥିଲା ଅନ୍ୟତମ । ଏହି ସମୟରେ ଇଂଲଣ୍ଡରେ ଦୁଇଟି କାଥଲିକ୍‍ ସଂପ୍ରଦାୟ ଥିଲା; ଯଥା ଏଙ୍ଗ୍ଳିକେନ କାଥଲିକ୍‍ ବା ଏଙ୍ଗ୍ଳିକାନ ହାଇ ଚର୍ଚ୍ଚ ଦଳ ଏବଂ ରୋମାନ୍ କାଥଲିକ୍ । ରୋମାନ୍ କାଥଲିକ୍‍ ଦଳ ଧର୍ମଗୁରୁ ପୋପ୍‍ଙ୍କ ଉପରେ ଏବଂ ଏଙ୍ଗ୍ଳିକାନ କାଥଲିକ୍ ଦଳ ରାଜାଙ୍କ ଉପରେ ଗଭୀର ବିଶ୍ୱାସ ସ୍ଥାପନ କରିଥିଲେ ମଧ୍ୟ ଉଭୟ ଦଳର ଆଭିମୁଖ୍ୟ ପ୍ରାୟ ସମାନ ଥିଲା । ଚାର୍ଲସ୍‍ ଜଣେ ଏଙ୍ଗ୍ଳିକାନ କାଥଲିକ୍‍ ଥିଲେ ଏବଂ ରୋମାନ୍ କାଥଲିକ୍‍ମାନଙ୍କ ପ୍ରତି ତାଙ୍କର ସମର୍ଥନ ଥିଲା । ଚାର୍ଲସ୍‍ଙ୍କର ଫରାସୀ ସ୍ତ୍ରୀ ହେନେରିଏଟା ରୋମାନ୍ କାଥଲିକ୍‍ ସଂପ୍ରଦାୟର ଥିଲେ । ପ୍ରୋଟେଷ୍ଟାଣ୍ଟ୍‍ମାନଙ୍କ ପ୍ରତି ରାଜା ରାଣୀଙ୍କର ସହାନୁଭୂତି ନଥିଲା । ପ୍ୟୁରିଟାନମାନଙ୍କୁ ସେମାନେ ଘୃଣା ଚକ୍ଷୁରେ ଦେଖୁଥିଲେ । ଅନ୍ୟ ପକ୍ଷରେ ଇଂଲଣ୍ଡର ଅଧିକାଂଶ ଲୋକ ପ୍ରୋଟେଷ୍ଟାଣ୍ଟ୍‍ ଥିଲେ ଏବଂ ପାର୍ଲିଆମେଣ୍ଟ୍‍ରେ ପ୍ୟୁରିଟାନ ଦଳ ସଂଖ୍ୟାଗରିଷ୍ଠ ଥିଲା । ତେଣୁ ରାଜା ଓ ପାର୍ଲିଆମେଣ୍ଟ୍‍ର ଧର୍ମନୀତିର ସଂଘର୍ଷ ଅନିବାର୍ଯ୍ୟ ଥିଲା । ଦ୍ୱିତୀୟତଃ, ରାଜାଙ୍କର ମନ୍ତ୍ରୀ ଓ ଉପଦେଷ୍ଟାମାନଙ୍କ ଉପରେ ପାର୍ଲିଆମେଣ୍ଟ୍‍ର ଆସ୍ଥା ନଥିଲା । ଚାର୍ଲସ୍‍ଙ୍କ ରାଜତ୍ୱର ପ୍ରଥମ ଚାରିବର୍ଷରେ ମନ୍ତ୍ରୀ ବକିଙ୍ଗହାମ୍‍ ଏବଂ ୧୬୪୦ ଖ୍ରୀ:ରେ ଷ୍ଟାଫୋର୍ଡ଼ ଓ ଲଡ଼୍‌ (Laud) ପାର୍ଲିଆମେଣ୍ଟ୍‍ଦ୍ୱାରା ସମାଲୋଚିତ ଓ ଅଭିଯୁକ୍ତ ହୋଇଥିଲେ । ଅନ୍ୟ ପକ୍ଷରେ ରାଜା ମନ୍ତ୍ରୀମାନଙ୍କର ସବୁକାର୍ଯ୍ୟକୁ ଦୃଢ଼ ସମର୍ଥନ କରି ସେମାନଙ୍କୁ ଘଣ୍ଟ ଘୋଡ଼ାଇ ରଖୁଥିଲେ । ତେଣୁ ରାଜା ଓ ପାର୍ଲିଆମେଣ୍ଟ୍‍ ମଧ୍ୟରେ ବିବାଦ ଲାଗି ରହିଥିଲା । ତୃତୀୟତଃ, ରାଜାଙ୍କର ବୈଦେଶିକ ନୀତିର ବିଫଳତା ଯୋଗୁଁ ପାର୍ଲିଆମେଣ୍ଟ୍‍ ଅସ୍ଥିର ହୋଇ ଉଠିଥିଲା ଏବଂ ସଦସ୍ୟଗଣ ଏଥିପାଇଁ ରାଜାଙ୍କୁ ସମାଲୋଚନା କଲେ । ଚତୁର୍ଥତଃ, ଦେବଦତ୍ତ ଅଧିକାର ଉପରେ ରାଜାଙ୍କର ଗଭୀର ବିଶ୍ୱାସ ଥିଲା ଏବଂ ବ୍ୟକ୍ତିଗତ ଶାସନର ପ୍ରତିଷ୍ଠାପାଇଁ ସେ ସର୍ବଦା ଉଦ୍ୟମ କରୁଥିଲେ । ଅନ୍ୟ ପକ୍ଷରେ ପାର୍ଲିଆମେଣ୍ଟ୍‍ର ସାର୍ବଭୌମତା ଉପରେ ସଦସ୍ୟମାନଙ୍କର ବିଶ୍ୱାସ ଥିଲା ଏବଂ ରାଜା ପାର୍ଲିଆମେଣ୍ଟ୍‍ର ଆଇନ ବଳରେ ଶାସନ କରନ୍ତୁ ବୋଲି ସେମାନେ ଦାବି କରୁଥିଲେ । ସୁତରାଂ ରାଜା ଓ ପାର୍ଲିଆମେଣ୍ଟ୍‍ ମଧ୍ୟରେ ବିବାଦ ଅବଶ୍ୟମ୍ଭାବୀ ଥିଲା ।

 

ପ୍ରଥମ ପାର୍ଲିଆମେଣ୍ଟ୍‍ (୧୬୨୫)

 

ଡେନ୍‍ମାର୍କର ରାଜାଙ୍କୁ ସ୍ପେନ୍‍ ବିରୁଦ୍ଧରେ ଯୁଦ୍ଧ କରିବା ସକାଶେ ବିପୁଳ ଅର୍ଥ ସାହାଯ୍ୟର ପ୍ରତିଶ୍ରୁତି ଦେବାପରେ ଚାର୍ଲସ୍ ତାଙ୍କର ପ୍ରଥମ ପାର୍ଲିଆମେଣ୍ଟ୍‍ ଆହ୍ୱାନ କଲେ । ଏହି ଯୁଦ୍ଧ ପ୍ରତି ସମଗ୍ର ଇଂଲଣ୍ଡର ସମର୍ଥନ ଥିଲା । ତେଣୁ ଚାର୍ଲସ୍‍ ପାର୍ଲିଆମେଣ୍ଟ୍‍ଠାରୁ ଯଥେଷ୍ଟ ଅର୍ଥ ପାଇ ପାରିବେ ବୋଲି ଆଶା କରିଥିଲେ । କିନ୍ତୁ ଏଥିରେ ତାଙ୍କୁ ନିରାଶ ହେବାକୁ ପଡ଼ିଲା । ପାର୍ଲିଆମେଣ୍ଟ୍‍ ରାଜାଙ୍କ ଦାବିର ମାତ୍ର ଏକ ସପ୍ତମାଂଶ ଅର୍ଥ ମଞ୍ଜୁର କଲା । ଏହାର କାରଣସ୍ୱରୂପ କୁହାଯାଇପାରେ ଯେ ରାଜା ତାଙ୍କର ଯୋଜନାକୁ ପାର୍ଲିଆମେଣ୍ଟ୍‍ରେ ପ୍ରକାଶ କରିବାପାଇଁ କୁଣ୍ଠାବୋଧ କରୁଥିଲେ ଏବଂ ଫଳରେ ସଦସ୍ୟମାନେ ଯୁଦ୍ଧର ବ୍ୟାପକତା ଉପଲବ୍ଧି କରିପାରିଲେ ନାହିଁ । ଏହାଛଡ଼ା, ପାର୍ଲିଆମେଣ୍ଟ୍‍ ଚାର୍ଲସ୍‍ଙ୍କୁ କେବଳ ବର୍ଷକପାଇଁ ‘ଟନେଜ ଓ ପାଉଣ୍ଡେଜ’ ରାଜସ୍ୱ (Tonnage and Poundage) ଅନୁମୋଦନ କଲା । ଏହି ସମୟରେ ରାଜା ପ୍ରତି ଟନ୍‌ ମଦ ଉପରେ ଏବଂ ପ୍ରତି ପାଉଣ୍ଡ ଶୁଷ୍କ ଆମଦାନୀ ଦ୍ରବ୍ୟ ଉପରେ ଏକ ନିର୍ଦ୍ଦିଷ୍ଟ ଶୁଳ୍କଧାର୍ଯ୍ୟ କରିପାରୁଥିଲେ । ଏହି ଅର୍ଥକୁ ସେ ବ୍ୟକ୍ତିଗତ ଓ ପ୍ରଶାସନିକ କାର୍ଯ୍ୟରେ ବ୍ୟୟ କରୁଥିଲେ । ଏହାକୁ ‘ଟନେଜ ଓ ପାଉଣ୍ଡେଜ’ ବୋଲି କୁହାଯାଉଥିଲା । ଚାର୍ଲସ୍‍ଙ୍କ ପୂର୍ବରୁ ପ୍ରାୟ ଦୁଇ ଶତ ବର୍ଷ ଧରି ଇଂଲଣ୍ଡର ରାଜାମାନେ ଏହି ଅଧିକାର ଆଜୀବନ ଭୋଗ କରି ଆସୁଥିଲେ । ମାତ୍ର ୧୬୨୫ ଖ୍ରୀ:ରେ ପାର୍ଲିଆମେଣ୍ଟ୍‍ ଏହି ପରମ୍ପରାକୁ ଭାଙ୍ଗି କେବଳ ବର୍ଷକପାଇଁ ଟନେଜ ଓ ପାଉଣ୍ଡେଜ ଅଧିକାର ରାଜାଙ୍କୁ ପ୍ରଦାନ କଲା । ଏହା ପାର୍ଲିଆମେଣ୍ଟ୍‍ର ଏକ ଭୁଲ ଥିଲା । ଏହି ସମୟରେ ଦରଦାମ୍‍ର ବୃଦ୍ଧି ଯୋଗୁଁ ରାଜକୀୟ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଥିଲା । ଅର୍ଥ ବିନା ଶାସନ ପରିଚାଳନା ଅସମ୍ଭବ ଥିଲା । ତେଣୁ ରାଜା ପାର୍ଲିଆମେଣ୍ଟ୍‍କୁ ବେଖାତିର କରି କର ଆଦାୟ କରିବାକୁ ବାଧ୍ୟ ହେଲେ । ଏହା ପୂର୍ବରୁ ଜେମ୍‌ସ୍‍ଙ୍କର ରାଜତ୍ୱ କାଳରେ ବେଟଙ୍କର ମକଦ୍ଦମା ସଂକ୍ରାନ୍ତରେ ବିଚାରାଳୟ ରାଜାଙ୍କର କର ଆଦାୟ ଅଧିକାରକୁ ସ୍ୱୀକାର କରିଥିଲେ । ତେଣୁ ଏ ଦିଗରେ ଚାର୍ଲସ୍‍ କୌଣସି ଅସୁବିଧା ଅନୁଭବ କଲେ ନାହିଁ ।

 

ପ୍ରଥମ ପାର୍ଲିଆମେଣ୍ଟ୍‍ ବକିଙ୍ଗହାମ୍‌ଙ୍କର କାର୍ଯ୍ୟକଳାପକୁ ତୀବ୍ର ସମାଲୋଚନା କଲା । ବକିଙ୍ଗହାମ୍‌ ଚାର୍ଲସ୍‍ଙ୍କର ଅତୀବ ପ୍ରିୟପାତ୍ର ଥିଲେ । ତେଣୁ ସେ ବିରକ୍ତ ହୋଇ ୧୬୨୫ ଖ୍ରୀ: ଅଗଷ୍ଟ ୧୨ ତାରିଖ ଦିନ ଏହି ପାର୍ଲିଆମେଣ୍ଟ୍‍କୁ ଭାଙ୍ଗିଦେଲେ ।

 

ଦ୍ୱିତୀୟ ପାର୍ଲିଆମେଣ୍ଟ୍‍ (୧୬୨୬) :

 

ଏହାର ପ୍ରାୟ ଛଅମାସ ପରେ ୧୬୨୬ ଖ୍ରୀ: ଫେବୃୟାରୀ ୬ ତାରିଖ ଦିନ ଚାର୍ଲସ୍‍ଙ୍କର ଦ୍ୱିତୀୟ ପାର୍ଲିଆମେଣ୍ଟ୍‍ର ଆହୂତ ହେଲା । ଇତିମଧ୍ୟରେ ଚାର୍ଲସ୍‍ ପିତାଙ୍କର ପ୍ରତିଶ୍ରୁତି ଅନୁଯାୟୀ ଫ୍ରାନ୍‌ସକୁ କେତେକ ଜାହାଜ ପ୍ରଦାନ କରିଥିଲେ ଏବଂ ବକିଙ୍ଗହାମ୍‌ଙ୍କର କାଡ଼ିଜ ଆକ୍ରମଣ ଶୋଚନୀୟ ଭାବରେ ବିଫଳ ହୋଇଥିଲା । ପାର୍ଲିଆମେଣ୍ଟ୍‍ ଏହି ଉଭୟ ଘଟଣାର ତୀବ୍ର ସମାଲୋଚନା କଲା ଏବଂ ଏଥିପାଇଁ ବକିଙ୍ଗହାମ୍‌ଙ୍କୁ ଦାୟୀ କଲା । କାଡ଼ିଜ ଯୁଦ୍ଧରେ ଇଂଲଣ୍ଡର ବିପର୍ଯ୍ୟୟ କାରଣ ଅନୁସନ୍ଧାନ କରିବାପାଇଁ ଏବଂ ବକିଙ୍ଗହାମ୍‍ଙ୍କୁ କାର୍ଯ୍ୟରୁ ଅନ୍ତର କରିବାପାଇଁ ପାର୍ଲିଆମେଣ୍ଟ୍‍ ଦାବି କଲା । ମାତ୍ର ଚାର୍ଲସ୍‍ ବକିଙ୍ଗହାମ୍‍ଙ୍କୁ ଦୃଢ଼ ସମର୍ଥନ ଜଣାଇଲେ । ମନ୍ତ୍ରୀମାନଙ୍କର କାର୍ଯ୍ୟକଳାପର ଆଲୋଚନା ପାର୍ଲିଆମେଣ୍ଟ୍‍ର କ୍ଷମତାର ବହିର୍ଭୂତ ବୋଲି ମତ ଦେଇ ସେ କହିଥିଲେ ‘‘ଏହି ସଭାଗୃହକୁ ମୁଁ ମୋର କୌଣସି କର୍ମଚାରୀଙ୍କର ବିରୁଦ୍ଧରେ ବିଚାର କରିବାକୁ ଦେବିନାହିଁ; ଯିଏ ମୋର ଅତି ନିକଟସ୍ଥ ତା’ କଥା ଛାଡ଼ିଦିଅ’ । * ମାତ୍ର ରାଜାଙ୍କର ଏହି ସତର୍କବାଣୀରେ ପାର୍ଲିଆମେଣ୍ଟ୍‍ ଭୟଭୀତ ହେଲା ନାହିଁ । ଏହାପରେ ସାର୍‌ ଜନ୍‌ ଏଲିଅଟ ନାମକ କମନ୍‍ସ ସଭାର ଜଣେ ନେତା ବକିଙ୍ଗହାମ୍‌ଙ୍କ ବିରୁଦ୍ଧରେ ଏକ ଅଭିଯୋଗ ପ୍ରସ୍ତାବ ଆଣିଲେ । ଚାର୍ଲସ୍‍ ଏଥିରେ କ୍ରୁଦ୍ଧ ହୋଇ ବକିଙ୍ଗହାମ୍‍ଙ୍କୁ ରକ୍ଷା କରିବା ସକାଶେ ୧୬୨୬ ଖ୍ରୀ: ଜୁନ୍ ମାସର ୧୫ ତାରିଖରେ ପାର୍ଲିଆମେଣ୍ଟ୍‍କୁ ଭାଙ୍ଗିଦେଲେ ।

 

ତୃତୀୟ ପାର୍ଲିଆମେଣ୍ଟ୍‍ (୧୬୨୮–୧୬୨୯) :

 

୧୬୨୭ ଖ୍ରୀ:ରେ ଇଂଲଣ୍ଡ ଫ୍ରାନ୍‍ସ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲା ଏବଂ ଚାର୍ଲସ୍‍ ହ୍ୟୁଗନଟମାନଙ୍କ ଦୁର୍ଗ ଲା ରୋସେଲର ଉଦ୍ଧାରପାଇଁ ବକିଙ୍ଗହାମ୍‍ଙ୍କ ନେତୃତ୍ୱରେ ଏକ ସେନାବାହିନୀ ପଠାଇଲେ । ଏଥିପାଇଁ ସେ ପ୍ରଚୁର ଅର୍ଥ ଆବଶ୍ୟକ କଲେ । ପାର୍ଲିଆମେଣ୍ଟ୍‍ଠାରୁ କୌଣସି ଅର୍ଥ ମଞ୍ଜୁର ପାଇବାର ଆଶା ନଥିଲା । ତେଣୁ ଚାର୍ଲସ୍‍ ପାର୍ଲିଆମେଣ୍ଟ୍‍ର ଆହ୍ୱାନ ନକରି ନିଜ ଇଚ୍ଛାମତେ ରାଜସ୍ୱ ଆଦାୟ କଲେ । ଏହାଛଡ଼ା ସେ ପ୍ରଜାଙ୍କଠାରୁ ବାଧ୍ୟତାମୂଳକ ଋଣ ସଂଗ୍ରହ କଲେ । ପ୍ରକୃତରେ ଏହା ଋଣ ନାମରେ ଜନସାଧାରଣଙ୍କ ଉପରେ ଆଉ ଏକ କରସ୍ୱରୂପ ଥିଲା । ଯେଉଁମାନେ ରାଜାଙ୍କୁ କର ଦେବାକୁ ମନାକଲେ, ସାମରିକ ଅଦାଲତରେ ସେମାନଙ୍କର ବିଚାର ହୋଇ ସେମାନଙ୍କୁ କଠୋର ଦଣ୍ଡ ଦିଆଗଲା । ବାକିଦାରମାନଙ୍କର ବାସଗୃହରେ ସୈନ୍ୟମାନେ ଅବସ୍ଥାନ କଲେ । ଲୋକଙ୍କର ଧନ ଜୀବନ ନିରାପଦ ମନେ ହେଲା ନାହିଁ । ଏହି ସମୟରେ ପାଞ୍ଚଜଣ ନାଇଟ ବାଧ୍ୟତାମୂଳକ ଋଣ ଦେବାପାଇଁ ରାଜି ନହୋଇ କାରାବରଣ କଲେ । ତନ୍ମଧ୍ୟରୁ ଡାନ୍‌ଲେ (Darnell) ନାମକ ନାଇଟ ସେମାନଙ୍କୁ ବିନା କାରଣରେ କାରାଦଣ୍ଡ ଦିଆଯାଉଅଛି ବୋଲି ବିଚାରାଳୟରେ ‘ହେବିଅସ କରପସ୍‌ ରିଟ୍‌’ (Habeas Corpus Writ) ଦାଖଲ କଲେ । ଗିରଫ୍‍ ହୋଇଥିବା ବା ଜେଲଦଣ୍ଡ ପାଇଥିବା କୌଣସି ବ୍ୟକ୍ତି ଆପଣାର ଦୋଷର ନିରପେକ୍ଷ ବିଚାରପାଇଁ ହେବିଅସ କରପସ୍‌ ଆଇନ ବଳରେ ବିଚାରାଳୟରେ ଦାବି କରି ପାରନ୍ତି । ଡାନ୍‌ଲେଙ୍କ ବିଚାରରେ ବିଚାରପତିମାନେ ରାଜାଙ୍କର ସପକ୍ଷରେ ନିଷ୍ପତ୍ତି ଗ୍ରହଣକରି ମତ ଦେଲେ ଯେ ଦେଶର ନିରାପତ୍ତା ଦୃଷ୍ଟିରୁ ଯେକୌଣସି ବ୍ୟକ୍ତିଙ୍କୁ ଗିରଫ୍‍ କରିବା ବା ଜେଲଦଣ୍ଡ ଦେବାପାଇଁ ରାଜାଙ୍କର ବିଶେଷ କ୍ଷମତା ଅଛି । ଫଳରେ ଉପରୋକ୍ତ ନାଇଟମାନଙ୍କର କାରାଦଣ୍ଡର କୌଣସି କାରଣ ଦର୍ଶାଇବାକୁ ରାଜା ବାଧ୍ୟ ହେଲେ ନାହିଁ ଏବଂ ସେମାନେ ପୂର୍ବପରି କାରାଗାରରେ ରହିଲେ-। ଏହି ଘଟଣାରେ ଜନସାଧାରଣ ଉତ୍ୟକ୍ତ ଓ ଉତ୍କଣ୍ଠିତ ହୋଇ ଉଠିଲେ ।

 

* I would not have the House to question my servants, much less one who is so near me.

 

ରାଜା ପ୍ରଥମ ଚାର୍ଲସ୍‍ ସବୁ ପ୍ରକାର ଉଦ୍ୟମ ସତ୍ତ୍ୱେ ଯଥେଷ୍ଟ ଅର୍ଥ ସଂଗ୍ରହ କରିବାରେ ବିଫଳ ହୋଇ ଅବଶେଷରେ ୧୬୨୮ ଖ୍ରୀ: ମାର୍ଚ୍ଚ ମାସରେ ତୃତୀୟ ପାର୍ଲିଆମେଣ୍ଟ୍‍ର ଆହ୍ୱାନ କରିବାକୁ ବାଧ୍ୟ ହେଲେ । ଏଲିଅଟ, କୋକ୍‌, ଉଏଣ୍ଟଉଆର୍ଥ, ହାମ୍ପଡ଼୍‍ନ, ପାଇମ୍‌ କ୍ରମଉଏଲ ପ୍ରଭୃତି ଶକ୍ତିଶାଳୀ ନେତା ଏହି ପାର୍ଲିଆମେଣ୍ଟ୍‍କୁ ନିର୍ବାଚିତ ହୋଇ ଆସିଥିଲେ । ଚାର୍ଲସ୍‍ ଏମାନଙ୍କୁ ଆୟତ୍ତ କରିବାପାଇଁ ସତର୍କ କରି ଦେଇଥିଲେ ଯେ ଯଦି ପାର୍ଲିଆମେଣ୍ଟ୍‍ ତାଙ୍କୁ ଯଥେଷ୍ଟ ଅର୍ଥ ମଞ୍ଜୁରପାଇଁ ଅସମ୍ମତ ହୁଏ, ତେବେ ସେ ଭଗବାନଙ୍କଠାରୁ ଲାଭ କରିଥିବା ଉପାୟ ସବୁ ଅବଲମ୍ବନ କରି ଅର୍ଥ ସଂଗ୍ରହ କରିବାକୁ ବାଧ୍ୟ ହେବେ । ସେ କହିଥିଲେ, ‘ଆପଣମାନେ ଏହାକୁ ଭୀତି ପ୍ରଦର୍ଶନ ବୋଲି ମନେ କରନ୍ତୁ ନାହିଁ, କାରଣ ଯେଉଁମାନେ ମୋର ସମକକ୍ଷ ନୁହନ୍ତି, ସେମାନଙ୍କୁ ମୁଁ ଭୟ ଦେଖାଇବା ପାଇଁ ଘୃଣା କରେ ।’ * ଅପରପକ୍ଷେ ପାର୍ଲିଆମେଣ୍ଟ୍‍ର ସଦସ୍ୟଗଣ ରାଜାଙ୍କର ଅହମିକା ବିରୁଦ୍ଧରେ ସଂଗ୍ରାମ କରି ଦେଶର ଗଣତନ୍ତ୍ରର ସୁରକ୍ଷାପାଇଁ ବଦ୍ଧପରିକର ଥିଲେ । ଜାତିର ଅଭିଯୋଗ ସବୁକୁ ଅବିଳମ୍ବେ ପୂରଣ କରିବାପାଇଁ ସେମାନେ ରାଜାଙ୍କଠାରେ ଏକ ଦାବିପତ୍ରର ଉପସ୍ଥାପନ କଲେ । ଇତିହାସର ଏହା ଦାବିପତ୍ର (Petition of Right) ନାମରେ ଅଭିହିତ ହୋଇଅଛି । ଏଥିରେ ରାଜାଙ୍କର ସ୍ୱେଚ୍ଛାଚାର ଶାସନର ପ୍ରତିବାଦ କରାଯାଇ ସେ ସବୁର ପ୍ରତିକାର ପାଇଁ ଦାବି କରାଯାଇଥିଲା । ଅଧିକାର ପତ୍ରର ମୁଖ୍ୟ ଚାରିଗୋଟି ଦାବି ଥିଲା :– (୧) ପାର୍ଲିଆମେଣ୍ଟ୍‍ର ଅନୁମୋଦନ ବିନା ରାଜା କୌଣସି ବ୍ୟକ୍ତିଙ୍କୁ ଦାନ, ଋଣ, ଭେଟି ଅଥବା କୌଣସି ପ୍ରକାର କର ଦେବାପାଇଁ ବାଧ୍ୟ କରିପାରିବେ ନାହିଁ; (୨) ବିନା କାରଣରେ କୌଣସି ବ୍ୟକ୍ତିଙ୍କୁ ଗିରଫ୍‍ କରାଯାଇପାରିବ ନାହିଁ; ବା କାରାଦଣ୍ଡ ଦିଆଯାଇପାରିବ ନାହିଁ, (୩) କର ଆଦାୟ ନାମରେ ଜନସାଧାରଣଙ୍କର ବାସଗୃହରେ ସୈନ୍ୟ ଅବସ୍ଥାପନ କରାଯାଇପାରିବ ନାହିଁ; (୪) ଶାନ୍ତି ସମୟରେ ସାମରିକ ନିୟମର ପ୍ରୟୋଗ ହେବ ନାହିଁ ।

 

* Take not this as a threat, for I scorn to threaten any but my equals.

 

ଚାର୍ଲସ୍‍ ପାର୍ଲିଆମେଣ୍ଟ୍‍ର ଦାବିପତ୍ର ଗ୍ରହଣ କରିବା ସକାଶେ ରାଜି ନଥିଲେ । ମାତ୍ର ଏହି ସମୟରେ ସେ ବିପୁଳ ଅର୍ଥ ଆବଶ୍ୟକ କରୁଥିଲେ ଏବଂ ତାହା ଯେକୌଣସି ଉପାୟରେ ପାଇବାପାଇଁ ଉଦ୍ୟମ କରୁଥିଲେ । ତେଣୁ ଶେଷରେ ସେ ପାର୍ଲିଆମେଣ୍ଟ୍‍ର ଅର୍ଥମଞ୍ଜୁର ପାଇବା ଆଶାରେ ଦାବିପତ୍ରକୁ ନାମକୁ ମାତ୍ର ମାନିଦେବା ସକାଶେ ମନସ୍ଥ କଲେ । ସେ ଯାହାହେଉ, ରାଜାଙ୍କର ସମ୍ମତି ଲାଭ କରି ଦାବିପତ୍ର ଆଇନରେ ପରିଣତ ହେଲା । ମାଗନାକାର୍ଟା ପରେ ଏହା ଇଂଲଣ୍ଡର ଦ୍ୱିତୀୟ ମହାସନନ୍ଦରୂପେ ପରିଗଣିତ ହେଲା । ଏହାଫଳରେ ପାର୍ଲିଆମେଣ୍ଟ୍‍ ରାଜାଙ୍କ ବିରୁଦ୍ଧରେ ଏକ ବିପୁଳ ବିଜୟ ଲାଭ କଲା । ଐତିହାସିକ ଆଡ଼ାମସ୍‌ଙ୍କ ଭାଷାରେ ‘ଅଧିକାର ପତ୍ର ବସ୍ତୁତଃ ରାଜାଙ୍କଠାରୁ ପାର୍ଲିଆମେଣ୍ଟ୍‍କୁ ସାର୍ବଭୌମ କ୍ଷମତା ହସ୍ତାନ୍ତରର ପ୍ରଥମ ପଦକ୍ଷେପ ଥିଲା ।’

 

ଦାବିପତ୍ରର ସମ୍ମତି ପ୍ରଦାନ କଲାପରେ ମଧ୍ୟ ପ୍ରଥମ ଚାର୍ଲସ୍‍ ପାର୍ଲିଆମେଣ୍ଟ୍‍ରୁ ଆଶାଜନକ ଅର୍ଥ ମଞ୍ଜୁର ପାଇ ପାରିଲେ ନାହିଁ । ଏହାପରେ ପାର୍ଲିଆମେଣ୍ଟ୍‍ ବକିଙ୍ଗହାମ୍‌ଙ୍କର କାର୍ଯ୍ୟକଳାପର ନିନ୍ଦା କରି ତାଙ୍କୁ କାର୍ଯ୍ୟରୁ ଅନ୍ତର କରିବା ସକାଶେ ରାଜାଙ୍କଠାରେ ଦୃଢ଼ ଦାବି କଲା-। ମାତ୍ର ବକିଙ୍ଗହାମ୍‌ଙ୍କ ପ୍ରତି ଚାର୍ଲସ୍‍ଙ୍କର ସମର୍ଥନ ଓ ବିଶ୍ୱାସ ଅଟଳ ଥିଲା । ବକିଙ୍ଗହାମ୍‌ଙ୍କୁ ଅଭିଯୁକ୍ତ କରି ଏକ ପ୍ରସ୍ତାବ ଗୃହୀତ ହୋଇଯିବା ଆଶଙ୍କାରେ ଚାର୍ଲସ୍‍ ପାର୍ଲିଆମେଣ୍ଟ୍‍ର ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳପାଇଁ ମୁଲତବୀ ରଖିଲେ । ଏହାଦ୍ୱାରା ବକିଙ୍ଗହାମ୍‌ ପାର୍ଲିଆମେଣ୍ଟ୍‍ର ଅଭିଯୋଗରୁ ରକ୍ଷା ପାଇଗଲେ ସତ, ମାତ୍ର ତାଙ୍କ ଉପରୁ ବିପଦର ଆଶଙ୍କା ଦୂରୀଭୂତ ହେଲା ନାହିଁ-। ୧୬୨୮ ଖ୍ରୀ: ଅଗଷ୍ଟ ୨୩ ତାରିଖ ଦିନ ଜନ୍‌ ଫେଲଟନ ନାମକ ଜଣେ ଆତତାୟୀର ହାତରେ ସେ ମୃତ୍ୟୁବରଣ କଲେ ।

 

ବକିଙ୍ଗହାମ୍‌ଙ୍କର ମୃତ୍ୟୁ ପରେ ଉଏଣ୍ଟଆର୍ଥ ରାଜାଙ୍କର ଜଣେ ଅନ୍ୟତମ ଉପଦେଷ୍ଟାରୂପେ ନିଯୁକ୍ତ ହେଲେ । ସେ କମନ୍‌ସ ସଭାର ଜଣେ ବିଶିଷ୍ଟ ନେତା ଥିଲେ ଏବଂ ଦାବିପତ୍ର ପ୍ରସ୍ତୁତିକରଣରେ ଏକ ମୁଖ୍ୟ ଅଂଶଗ୍ରହଣ କରିଥିଲେ । ମାତ୍ର ନୂତନ ନିଯୁକ୍ତି ପରେ ତାଙ୍କର ମନୋଭାବର ପରିବର୍ତ୍ତନ ହେଲା । ସେ ରାଜାଙ୍କ ପ୍ରତି ଅନୁରକ୍ତ ହୋଇ ରହିଲେ । ଧର୍ମକ୍ଷେତ୍ରରେ ରାଜାଙ୍କର ଉପଦେଷ୍ଟା ଥିଲେ ଲଡ଼୍‌ । ଚାର୍ଲସ୍‍ ଦାବିପତ୍ରରେ ସମ୍ମତି ପ୍ରଦାନ କରିଥିଲେ ମଧ୍ୟ ତାକୁ ବେଖାତିର କରି ନିଜର ଇଚ୍ଛାମତେ କର ଆଦାୟକଲେ । ଲଡ଼୍‌ଙ୍କର ପରାମର୍ଶରେ ସେ କାଥଲିକ୍‍ମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିଯୁକ୍ତ କଲେ । ସଂଖ୍ୟାଗରିଷ୍ଠ ପ୍ରୋଟେଷ୍ଟାଣ୍ଟ୍‍ମାନେ ଅବହେଳିତ ହେଲେ । ଫଳରେ ୧୬୨୯ ଖ୍ରୀ: ଜାନୁୟାରୀ ମାସରେ ତୃତୀୟ ପାର୍ଲିଆମେଣ୍ଟ୍‍ର ଦ୍ୱିତୀୟ ଅଧିବେଶନ ଯେତେବେଳେ ଆରମ୍ଭ ହେଲା, ସଦସ୍ୟମାନେ ରାଜାଙ୍କର ଏତାଦୃଶ ବେଖାତିର ଭାବକୁ ତୀବ୍ର ସମାଲୋଚନା କଲେ । କ୍ରମେ ରାଜା ଓ ପାର୍ଲିଆମେଣ୍ଟ୍‍ ମଧ୍ୟରେ ମନୋମାଳିନ୍ୟ ଗୁରୁତର ହେଲା । ସୁତରାଂ ଚାର୍ଲସ୍‍ ପାର୍ଲିଆମେଣ୍ଟ୍‍କୁ ଭାଙ୍ଗିଦେବା ସକାଶେ ଉଦ୍ୟମ କଲେ । ମାତ୍ର ତାହା ପୂର୍ବରୁ ସାଧାରଣସଭାର ସଦସ୍ୟମାନେ ମିଳିତ ହୋଇ ଜନନେତା ଏଲିଅଟଙ୍କର ତିନିଗୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗ୍ରହଣ କରିନେଲେ । ଏହି ପ୍ରସ୍ତାବ କ୍ରୟ ହେଲା :– (୧) ଯେଉଁମାନେ କାଥଲିକ୍‍ ସମ୍ପ୍ରଦାୟର ସପକ୍ଷରେ ଇଂଲଣ୍ଡର ଧର୍ମନୀତିରେ ପରିବର୍ତ୍ତନ କରିବାକୁ ଉଦ୍ୟମ କରିବେ ସେମାନେ ଦେଶର ପରମ ଶତ୍ରୁରୂପେ ବିବେଚିତ ହେବେ; (୨) ଯେଉଁମାନେ ପାର୍ଲିଆମେଣ୍ଟ୍‍ର ଅନୁମୋଦନ ବିନା ଟନେଜ ଓ ପାଉଣ୍ଡେଜ ବା ଅନ୍ୟାନ୍ୟ କର ଆଦାୟପାଇଁ ପ୍ରସ୍ତାବ ବା ଉପଦେଶ ଦେବେ, ସେମାନେ ମଧ୍ୟ ଦେଶର ପରମ ଶତ୍ରୁ ହେବେ ଏବଂ (୩) ଯେଉଁମାନେ ପାର୍ଲିଆମେଣ୍ଟ୍‍ରେ ଅନୁମୋଦିତ ହୋଇ ନଥିବା କର ରାଜାଙ୍କୁ ପ୍ରଦାନ କରିବେ, ସେମାନେ ଦେଶଦ୍ରୋହୀରୂପେ ବିବେଚିତ ହେବେ । ଏହି ତିନିଗୋଟି ପ୍ରସ୍ତାବ ସଭାଗୃହରେ ଗୃହୀତ କରାଇ ନ ଦେବାପାଇଁ ଚାର୍ଲସ୍‍ ଉଦ୍ୟମ କଲେ ଏବଂ ସେଥିପାଇଁ ସେ ବାଚସ୍ପତିଙ୍କୁ ଆସନ ଛାଡ଼ି ଚାଲି ଆସିବା ସକାଶେ ନିର୍ଦ୍ଦେଶ ଦେଲେ । ମାତ୍ର ସଦସ୍ୟମାନେ ବାଚସ୍ପତିଙ୍କୁ ବଳପୂର୍ବକ ଆସନରେ ବସାଇ ରଖିଲେ । ସଭାଗୃହର ଦ୍ୱାର ସବୁକୁ ଭିତରପଟୁ ତାଲା ଦେଇ ବନ୍ଦ କରି ଦିଆଗଲା । ଏହାପରେ ସଦସ୍ୟମାନେ ଆନନ୍ଦରେ ବିହ୍ୱଳ ହୋଇ ଏଲିଅଟଙ୍କ ପ୍ରସ୍ତାବକ୍ରୟକୁ ଗ୍ରହଣ କରି ନେଲେ ଏତଦ୍ଦ୍ୱାରା ରାଜା ଓ ପାର୍ଲିଆମେଣ୍ଟ୍‍ ମଧ୍ୟରେ ସମ୍ପର୍କରେ ଉନ୍ନତିର ଆଶା ଲୋପ ପାଇଲା । ଏବଂ ଦେଶରେ ଏକ ବିପ୍ଳବ ଅବଶ୍ୟମ୍ଭାବୀ ହୋଇ ପଡ଼ିଲା । ଚାର୍ଲସ୍‍ ଏହାପରେ ପାର୍ଲିଆମେଣ୍ଟ୍‍କୁ ଭାଙ୍ଗିଦେଲେ ଏବଂ ଏଲିଅଟଙ୍କ ସମେତ ନଅଜଣ ନେତାଙ୍କୁ ଟାଉଆର କାରାଗୃହରେ ବନ୍ଦୀ କଲେ-। କାରାବାସରେ ଏଲିଅଟ ୧୬୩୨ ଖ୍ରୀ: ନଭେମ୍ବର ମାସରେ ମୃତ୍ୟୁବରଣ କଲେ ।

 

ଏକାଦଶ ବର୍ଷୀୟ ସ୍ୱେଚ୍ଛାଚାର ଶାସନ (୧୬୨୯–୧୬୪୦)

 

ଏହାପରେ ଚାର୍ଲସ୍‍ ଉପଲବ୍ଧି କଲେ ଯେ ସେ ପାର୍ଲିଆମେଣ୍ଟ୍‍ଠାରୁ କୌଣସି ପ୍ରକାର ସହଯୋଗ ବା ସମର୍ଥନ ପାଇ ପାରିବେ ନାହିଁ । ତେଣୁ ପରବର୍ତ୍ତୀ ଏଗାରବର୍ଷ କାଳ ଅର୍ଥାତ୍‌ ୧୬୨୯ ଖ୍ରୀ:ରୁ ୧୬୪୦ ଖ୍ରୀ: ପର୍ଯ୍ୟନ୍ତ ସେ କୌଣସି ପାର୍ଲିଆମେଣ୍ଟ୍‍ର ଆହ୍ୱାନ ନ କରି ଆପଣାର ବ୍ୟକ୍ତିଗତ ଶାସନ ପ୍ରତିଷ୍ଠା କଲେ । ଇଂଲଣ୍ଡର ଇତିହାସରେ ଚାର୍ଲସ୍‍ଙ୍କ ରାଜତ୍ୱ କାଳର ଏହି ସମୟକୁ ‘ଏକାଦଶ ବର୍ଷୀୟ ସ୍ୱେଚ୍ଛାଚାର ଶାସନ’ (Eleven Years’ Tyranny) ବୋଲି କୁହାଯାଏ । ଅବଶ୍ୟ ଚାର୍ଲସ୍‍ଙ୍କୁ ଜଣେ ଅତ୍ୟାଚାରୀ ରାଜା ବୋଲି କୁହାଯାଇ ନ ପାରେ । ବିଚାରପତିମାନେ ଆଇନକାନୁନର ଯେଉଁ ବ୍ୟାଖ୍ୟା କରୁଥିଲେ, ସେ ତାକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ । ତାଙ୍କର ଏଗାରବର୍ଷର ବ୍ୟକ୍ତିଗତ ଶାସନ କାଳରେ ଏଲିଅଟଙ୍କ କୌଣସି ରାଜନୈତିକ ନେତା ସହିଦ ହୋଇ ନଥିଲେ । ଅପରପକ୍ଷେ ଏହି ସମୟରେ ଇଂଲଣ୍ଡର ଶାସନ କ୍ଷେତ୍ରରେ କେତେକ ଉଲ୍ଲେଖଯୋଗ୍ୟ ଉନ୍ନତି ସାଧିତ ହୋଇଥିଲା । ମାତ୍ର ସେ ଗଣତନ୍ତ୍ରର ଧ୍ୱଂସ କରିଥିଲେ ଏବଂ ପାର୍ଲିଆମେଣ୍ଟ୍‍ର ଅନୁମୋଦନ ବିନା କର ଆଦାୟ କରୁଥିଲେ ବୋଲି ଅପ୍ରିୟ ହୋଇ ପଡ଼ିଥିଲେ । କିନ୍ତୁ ଚାର୍ଲସ୍‍ଙ୍କ ଅପେକ୍ଷା ଆହୁରି ଅପ୍ରିୟ ହୋଇଥିଲେ ତାଙ୍କର ଦୁଇ ଜଣ ଉପଦେଷ୍ଟା–ଟମାସ୍‌ ଉଏଣ୍ଟଉଆର୍ଥ ଓ ଉଇଲିୟମ୍‍ ଲଡ଼୍‌ । ଏହି ସମୟରେ ଏମାନଙ୍କର ପ୍ରଭାବ ଅପରିମିତ ଥିଲା । ତେଣୁ ଏମାନଙ୍କ ଉପରେ ଏକ ସଂକ୍ଷିପ୍ତ ଟିପ୍ପଣୀ ଦେବା ଏଠାରେ ଆବଶ୍ୟକ ଅଟେ ।

 

ଟମାସ୍‌ ଉଏଣ୍ଟ ଉଆର୍ଥ ବା ଷ୍ଟାଫୋର୍ଡ଼ (୧୫୯୩–୧୬୪୧)

 

ଉଏଣ୍ଟ ଉଆର୍ଥ ୟର୍କସାୟାରର ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ମୂଳରୁ ରାଜତନ୍ତ୍ର ପ୍ରତି ଅନୁରକ୍ତ ଥିଲେ ମଧ୍ୟ ବକିଙ୍ଗହାମ୍‌ଙ୍କର ଭୂମିକା ଯୋଗୁଁ ବିରୋଧୀଦଳରେ ଯୋଗ ଦେଲେ । ବକିଙ୍ଗହାମ୍‌ଙ୍କ ନୀତିର ସେ ଜଣେ କଟୁ ସମାଲୋଚକ ଥିଲେ । ଅତି ଅଳ୍ପ କାଳ ମଧ୍ୟରେ ସେ ସାଧାରଣସଭାଗୃହର ଜଣେ ବିଶିଷ୍ଟ ନେତାରୂପେ ପରିଗଣିତ ହେଲେ ଏବଂ ୧୬୨୮ ଖ୍ରୀ:ରେ ‘ଦାବିପତ୍ର’ ପ୍ରସ୍ତୁତ କରିବାରେ ଏକ ମୁଖ୍ୟ ଅଂଶଗ୍ରହଣ କଲେ । ବକିଙ୍ଗହାମ୍‌ଙ୍କର ମୃତ୍ୟୁ ପରେ ଉଏଣ୍ଟ ଉଆର୍ଥ ବିରୋଧୀଦଳ ତ୍ୟାଗ କରି ରାଜାଙ୍କୁ ପୂର୍ଣ୍ଣ ସହଯୋଗ ଓ ସମର୍ଥନ ପ୍ରଦାନ କଲେ । ସେଥିପାଇଁ ତାଙ୍କୁ ଦଳତ୍ୟାଗୀ ବୋଲି ସମାଲୋଚନା କରାଗଲା ଏବଂ ସେ ଜନସାଧାରଣଙ୍କର ଚକ୍ଷୁଃଶୂଳ ହେଲେ । ଅପରପକ୍ଷେ ରାଜା ପ୍ରଭୂତ ସମ୍ମାନରେ ଭୂଷିତ କଲେ । ୧୬୨୮ ଖ୍ରୀ:ରେ ତାଙ୍କୁ ଲର୍ଡ଼ ସଭାର ସଦସ୍ୟ କରି ଉତ୍ତରାଞ୍ଚଳର ସଭାପତିରୂପେ ନିଯୁକ୍ତ କରାଗଲା । ୧୬୩୨ ଖ୍ରୀ:ରେ ସେ ଆୟରଲେଣ୍ଡର ପ୍ରଶାସକ ହେଲେ । ୧୬୩୯ ଖ୍ରୀ:ରେ ଚାର୍ଲସ୍‍ ତାଙ୍କୁ ଆପଣାର ମୁଖ୍ୟ ଉପଦେଷ୍ଟାରୂପେ ଗ୍ରହଣ କଲେ । ସେ ଷ୍ଟାଫୋର୍ଡ଼ର ଆଲ ପଦବୀକୁ ଉନ୍ନୀତ ହୋଇ ସେହି ନାମରେ ସୁବିଦିତ ହେଲେ । ଷ୍ଟାଫୋର୍ଡ଼ ପାର୍ଲିଆମେଣ୍ଟ୍‍ର ଆହ୍ୱାନପାଇଁ ରାଜାଙ୍କୁ ଉପଦେଶ ଦେଲେ । କିନ୍ତୁ ଶେଷରେ ଏହା ତାଙ୍କର କାଳ ହେଲା । ସେ ପାର୍ଲିଆମେଣ୍ଟ୍‍ଦ୍ୱାରା ଅଭିଯୁକ୍ତ ହୋଇ ୧୬୪୧ ଖ୍ରୀ:ରେ ପ୍ରାଣଦଣ୍ଡ ପାଇଲେ ।

 

ଷ୍ଟାଫୋର୍ଡ଼ ଜଣେ ସୁଦକ୍ଷ ପ୍ରଶାସକ ଥିଲେ । ତାଙ୍କର ଗଭୀର ଆତ୍ମବିଶ୍ୱାସ ଥିଲା ଏବଂ ସେ କଠୋର ପରିଶ୍ରମ କରିପାରୁଥିଲେ । ରାଜତନ୍ତ୍ରରେ ତାଙ୍କର ପୂର୍ଣ୍ଣ ଆସ୍ଥାଥିଲା । ପାର୍ଲିଆମେଣ୍ଟ୍‍ର କ୍ଷମତା ବୃଦ୍ଧିର ସେ ପକ୍ଷପାତୀ ନଥିଲେ । ପ୍ୟୁରିଟାନମାନଙ୍କ ପ୍ରତି ତାଙ୍କର ସମର୍ଥନ ନଥିଲା । କେବଳ ବକିଙ୍ଗହାମ୍‌କୁ ବିରୋଧ କରିବାପାଇଁ ସେ ବିରୋଧୀଦଳରେ ଯୋଗ ଦେଇଥିଲେ । କିନ୍ତୁ ସେ ଉପଲବ୍ଧି କରିଥିଲେ ଯେ ରାଜାଙ୍କ ସହଯୋଗ ଉପରେହିଁ ତାଙ୍କର ଭବିଷ୍ୟତ ନିର୍ଭର କଲେ । ତେଣୁ ବକିଙ୍ଗହାମ୍‍ଙ୍କର ମୃତ୍ୟୁପରେ ସେ ରାଜାଙ୍କ ଦଳରେ ଯୋଗ ଦେଲେ । ସୁତରାଂ ତାଙ୍କୁ ଦଳତ୍ୟାଗୀ ବୋଲି କହିବା ଯୁକ୍ତିଯୁକ୍ତ ନୁହେଁ । ମାତ୍ର ତାଙ୍କର ନିରଙ୍କୁଶ ଶାସନ, ଅନମନୀୟ ମନୋବୃତ୍ତି ଓ ପ୍ରତ୍ୟେକ ବିଷୟକୁ ତନ୍ନତନ୍ନ କରି ଦେଖିବାର ସ୍ୱାଭାବ ଯୋଗୁଁ ସେ ଅପ୍ରିୟ ହୋଇ ପଡ଼ିଥିଲେ ।

 

ଉଇଲିୟମ୍‌ ଲଡ଼୍‌ (୧୫୭୩–୧୬୪୫) :

 

ରିଡ଼ିଙ୍ଗ ନାମକ ଏକ ଛୋଟ ସହରରେ ଲଡ଼୍‌ ଜନ୍ମଗ୍ରହଣ କରିଥିଲେ । ସେ ଅକ୍‌ସଫୋର୍ଡ଼ର ସେଣ୍ଟଜନ୍‌ କଲେଜରେ ଶିକ୍ଷାଲାଭ କରିଥିଲେ । ପରେ ସେ ସେହି କଲେଜର ସଭାପତି ପଦ ଅଳଙ୍କୃତ କଲେ । ଏହାପରେ ତାଙ୍କୁ ସେଣ୍ଟ ଡେଭିଡ଼ ଚର୍ଚ୍ଚର ବିଶପ୍‍ରୂପେ ନିଯୁକ୍ତ କରାଗଲା । ୧୬୨୮ ଖ୍ରୀ:ରେ ସେ ଲଣ୍ଡନର ବିଶପ୍ ହେଲେ ଏବଂ ଏହାର ପାଞ୍ଚବର୍ଷ ପରେ କେଣ୍ଟରବରୀର ମୁଖ୍ୟ ବିଶପ୍ ପଦକୁ ଉନ୍ନୀତ ହେଲେ । ସେ ପ୍ରିଭି କାଉନ୍‌ସିଲ୍‍ର ଜଣେ ଅନ୍ୟତମ ସଦସ୍ୟ ଏବଂ ଧର୍ମ କ୍ଷେତ୍ରରେ ରାଜାଙ୍କର ଜଣେ ମୁଖ୍ୟ ଉପଦେଷ୍ଟା ଥିଲେ । ତାଙ୍କର ସାଧୁତା, ଆନ୍ତରିକତା ତଥା ଆଦର୍ଶ ଅନେକଙ୍କୁ ପ୍ରଭାବିତ କରିଥିଲା । ଅସୀମ ଧୈର୍ଯ୍ୟ ତଥା ପ୍ରଗାଢ଼ ପରିଶ୍ରମ ବଳରେ ସେ ଧର୍ମ କ୍ଷେତ୍ରରେ ପ୍ରଭୂତ ଉନ୍ନତି ସାଧନ କରିଥିଲେ । ତାଙ୍କ ସମୟରେ ଇଂଲଣ୍ଡର ଗିର୍ଜାଗୁଡ଼ିକ ସୁଶୃଙ୍ଖଳିତ ହେଲା ଏବଂ ସେମାନଙ୍କର ନୈତିକ ମାନଦଣ୍ଡ ବୃଦ୍ଧି ପାଇଲା । ଲଡ଼୍‌ ଇଂଲଣ୍ଡରେ କାଥଲିକ୍‍ ଧର୍ମର ପ୍ରତିଷ୍ଠାପାଇଁ ଉଦ୍ୟମ କରୁଥିଲେ । ସେ ପ୍ୟୁରିଟାନମାନଙ୍କୁ ଘୃଣା କରୁଥିଲେ ଏବଂ ଗିର୍ଜା ସେବାସଂସ୍ଥାରୁ ସେମାନଙ୍କୁ ଅନ୍ତର କରିଦେବା ପାଇଁ ଚାହୁଁଥିଲେ । ଉଚ୍ଚ କ୍ଷମତା ସମ୍ପନ୍ନ ଅଦାଲତରେ ଧର୍ମ ସମ୍ବନ୍ଧୀୟ ବ୍ୟାପାରଗୁଡ଼ିକର ସେ ବିଚାର କରାଉଥିଲେ । ବସ୍ତୁତଃ ଲଡ଼୍‌ଙ୍କର ଧର୍ମନୀତି ସଂକୀର୍ଣ୍ଣ ଥିଲା ଏବଂ ସେଥିପାଇଁ ସେ ଜନସାଧାରଣଙ୍କର ଅପ୍ରିୟ ହୋଇ ପଡ଼ିଥିଲେ । ସ୍କଟ୍‍ଲାଣ୍ଡ୍‍ର ବିଶପ୍ ସମରପାଇଁ ମୁଖ୍ୟତଃ ଲଡ଼୍‍ହିଁ ଦାୟୀ ଥିଲେ । ଏହି ଯୁଦ୍ଧଫଳରେ ଚାର୍ଲସ୍‍ ପାର୍ଲିଆମେଣ୍ଟ୍‍ ଆହ୍ୱାନ କରିବାପାଇଁ ବାଧ୍ୟ ହେଲେ । ଲଡ଼୍‌ ପାର୍ଲିଆମେଣ୍ଟ୍‍ରେ ଅଭିଯୁକ୍ତ ହୋଇ ମୃତ୍ୟୁଦଣ୍ଡ ବରଣ କଲେ ।

 

ପ୍ରଥମ ଚାର୍ଲସ୍‍ଙ୍କର ଅଗଣତାନ୍ତ୍ରିକ କାର୍ଯ୍ୟକ୍ରମ :

 

(୧) ଅନ୍ୟାୟ ଉପାୟରେ ରାଜସ୍ୱ ଆଦାୟ :–ଏକାଦଶବର୍ଷ ବ୍ୟାପୀ ସ୍ୱେଚ୍ଛାଚାରୀ ଶାସନ କାଳରେ ଚାର୍ଲସ୍‍ କୌଣସି ଇଉରୋପୀୟ ଯୁଦ୍ଧରେ ଲିପ୍ତ ନଥିଲେ ମଧ୍ୟ ପ୍ରଶାସନିକ କାର୍ଯ୍ୟପାଇଁ ବିପୁଳ ଅର୍ଥ ଆବଶ୍ୟକ କଲେ । ପାର୍ଲିଆମେଣ୍ଟ୍‍ର ଅନୁମୋଦନ ବିନା କୌଣସି ରାଜସ୍ୱ ଆଦାୟ ଅଗଣତାନ୍ତ୍ରିକ ବୋଲି ବିବେଚିତ ହେଉଥିଲା । ମାତ୍ର ଏହି ନିୟମକୁ ଲଙ୍ଘନ କରିବା ବ୍ୟତୀତ ଚାର୍ଲସ୍‍ଙ୍କର ଅନ୍ୟ ଉପାୟ ନଥିଲା । ଯେଉଁ ଦାବି–ପତ୍ରରେ ସେ କିଛିକାଳ ପୂର୍ବେ ବାଧ୍ୟ ହୋଇ ସମ୍ମତି ପ୍ରଦାନ କରିଥିଲେ, ତାକୁ ଅମାନ୍ୟ କରି ସେ ବିଭିନ୍ନ ଉପାୟରେ ଲୋକଙ୍କଠାରୁ ଅର୍ଥ ସଂଗ୍ରହ କଲେ । ପ୍ରଥମତଃ, ‘ଟନେଜ ଓ ପାଉଣ୍ଡେଜ’ ପ୍ରଭୃତି ବିଭିନ୍ନ ପ୍ରକାର ରାଜସ୍ୱ ସେ ଆଦାୟ କଲେ । ମାତ୍ର ଏଥିରେ ତାଙ୍କର ଅଭାବ ମେଣ୍ଟିଲା ନାହିଁ । ତେଣୁ ସେ ଅନ୍ୟ କେତେକ ଉପାୟ ଅବଲମ୍ବନ କଲେ । ଯେଉଁମାନେ ସାମନ୍ତ ପ୍ରଥା ଅନୁଯାୟୀ ଭୂସମ୍ପତ୍ତି ଉପଭୋଗ କରୁଥିଲେ ଏବଂ ଯେଉଁମାନଙ୍କର ବାର୍ଷିକ ଚାଳିଶ ପାଉଣ୍ଡରୁ ଅଧିକ ଥିଲା ସେମାନଙ୍କୁ ‘ନାଇଟ’ ଉପାଧିରେ ବିଭୂଷିତ କରାଗଲା । ଏହି ସମ୍ମାନ ଗ୍ରହଣ ଅବସରରେ ସେମାନେ ଏକ ନିର୍ଦ୍ଦିଷ୍ଟ ପରିମାଣରେ ଅର୍ଥ ରାଜାଙ୍କୁ ପ୍ରଦାନ କରୁଥିଲେ । ଏହା ବାଧ୍ୟତାମୂଳକ ଥିଲା । ନାଇଟ ପଦବୀ ଗ୍ରହଣ କରିବାକୁ ଯେଉଁମାନେ ମନା କରୁଥିଲେ, ସେମାନଙ୍କୁ ଅର୍ଥଦଣ୍ଡ ଦେବାକୁ ପଡ଼ୁଥିଲା । ରାଜାଙ୍କର ଜଙ୍ଗଲ ଜମିର ତାଲିକା କରାଗଲା ଏବଂ ଯେଉଁମାନେ ପୁରୁଷାନୁକ୍ରମେ ସେ ସମ୍ପତ୍ତି ଅବୈଧଭାବେ ଦଖଲ କରି ରହିଥିଲେ ସେମାନଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କରାଗଲା । ବିଭିନ୍ନ କମ୍ପାନୀ ତଥା ବ୍ୟକ୍ତି ବିଶେଷଙ୍କୁ ଲୁଣ, ସାବୁନ ପ୍ରଭୃତି ଅତ୍ୟାବଶ୍ୟକ ଦ୍ରବ୍ୟ ଉପରେ ଏକଚାଟିଆ ବାଣିଜ୍ୟ ଅଧିକାର ପ୍ରଦାନ କରି ସେମାନଙ୍କଠାରୁ ବାର୍ଷିକ ପାଉଣା ଆଦାୟ କରାଗଲା । ଦୋଷୀମାନଙ୍କଠାରୁ ବିଶେଷକରି ଅର୍ଥଦଣ୍ଡ ନିଆଗଲା । ଏହାଛଡ଼ା ରାଜାଙ୍କୁ ଭେଟି ପ୍ରଦାନ କରିବା ସକାଶେ ପ୍ରଜାମାନଙ୍କୁ ଉତ୍ସାହିତ କରାଗଲା ।

 

ଉପରୋକ୍ତ ଉପାୟରେ ଚାର୍ଲସ୍‍ ପ୍ରଜାଙ୍କଠାରୁ ପ୍ରଚୁର ଅର୍ଥ ସଂଗ୍ରହ କଲେ । ଏଥିପାଇଁ ତାଙ୍କୁ ବିଶେଷ ବିରୋଧର ସମ୍ମୁଖୀନ ହେବାକୁ ପଡ଼ି ନଥିଲା । ମାତ୍ର ଏହାଦ୍ୱାରା ମଧ୍ୟ ତାଙ୍କର ଆର୍ଥିକ ସମସ୍ୟାର ସମାଧାନ ହୋଇ ପାରିଲା ନାହିଁ । ତେଣୁ ସେ ୧୬୩୪ ଖ୍ରୀ:ରେ ଅକ୍‌ଟୋବର ମାସରେ ଜାହାଜ ଅର୍ଥ (Ship money) ନାମକ ଏକ ବିଶେଷ ପ୍ରକାର କର ଲୋକଙ୍କଠାରୁ ଆଦାୟ କଲେ । ଅବଶ୍ୟ ଇଂଲଣ୍ଡର ରାଜସ୍ୱ କ୍ଷେତ୍ରରେ ଏହା ଏକ ନୂତନ ପଦକ୍ଷେପ ବୋଲି କୁହାଯାଇ ନପାରେ । ଚାର୍ଲସ୍‍ଙ୍କ ଆଗରୁ କେତେକ ରାଜା ଯୁଦ୍ଧ ସମୟରେ ସମୁଦ୍ର ଉପକୂଳବର୍ତ୍ତୀ ସ୍ଥାନମାନଙ୍କରେ ବାସ କରୁଥିବା ଲୋକଙ୍କଠାରୁ ଏହି ପ୍ରକାର ଅର୍ଥ ଆଦାୟ କରୁଥିଲେ । ଏଥିରେ ଲୋକଙ୍କୁ କେତେକ ଜାହାଜ କିମ୍ବା ତାହା ପରିବର୍ତ୍ତେ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ରାଜାଙ୍କୁ ସାହାଯ୍ୟ ଦେବାପାଇଁ କୁହାଯାଉଥିଲା । ସ୍ଥୂଳତଃ ଏହା ଏକ ଯୁଦ୍ଧକାଳୀନ କର ଥିଲା ଏବଂ ଉପକୂଳ ଅଞ୍ଚଳରେ ଏହା ସୀମିତ ଥିଲା । ମାତ୍ର ଚାର୍ଲସ୍‍ ଶାନ୍ତି କାଳରେ ମଧ୍ୟ ଜାହାଜ ଅର୍ଥର ଆଦାୟ କରି ଏହାକୁ ଏକ ନୂତନ ରୂପଦେଲେ । ୧୬୩୫ ଖ୍ରୀ:ରେ ସେ ଆହୁରି ଆଗକୁ ବଢ଼ିଯାଇ ସମଗ୍ର ଇଂଲଣ୍ଡରୁ ଜାହାଜ ଅର୍ଥ ଆଦାୟପାଇଁ ନିର୍ଦ୍ଦେଶ ଦେଲେ । ୧୬୩୬ ଖ୍ରୀ:ରେ ଜାହାଜ ଅର୍ଥ ସଂଗ୍ରହପାଇଁ ରାଜାଙ୍କର ତୃତୀୟ ନିର୍ଦ୍ଦେଶନାମା ଜାରି ହେଲା । ସେ ଏହାକୁ ଏକ ନିୟମିତ କରରେ ରୂପାୟିତ କରିବାପାଇଁ ଉଦ୍ୟମ କରୁଛନ୍ତି ବୋଲି ଲୋକେ ଉପଲବ୍ଧି କଲେ । ଜନ୍‌ ହାମ୍ପଡ଼ନ୍‌ ନାମକ ବ୍ୟକ୍ତି ରାଜାଙ୍କର ଏତାଦୃଶ ରାଜସ୍ୱ ଆଦାୟ ନୀତିର ପ୍ରତିବାଦ କରି ଜାହାଜ ଅର୍ଥ ବାବଦର ତାଙ୍କର ୨୦ ଶିଲିଙ୍ଗ ଦେୟ ଦେବାକୁ ରାଜି ହେଲେ ନାହିଁ । ଫଳରେ ତାଙ୍କୁ ଗିରଫ୍‍ କରାଯାଇ ଅଦାଲତରେ ତାଙ୍କର ବିଚାର ହେଲା । ୧୬୩୭ ଖ୍ରୀ: ନଭେମ୍ବର ମାସରେ ବିଚାରାଳୟର ନିଷ୍ପତ୍ତି ରାଜାଙ୍କର ସପକ୍ଷରେ ପ୍ରକାଶ ପାଇଲା । ଏଥିରେ ସାତଜଣ ବିଚାରପତି ରାଜାଙ୍କର ସପକ୍ଷରେ ଏବଂ ପାଞ୍ଚଜଣ ହାମ୍ପଡ଼ନ୍‌ଙ୍କ ସପକ୍ଷରେ ମତ ପ୍ରଦାନ କଲେ । ତେଣୁ ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ନ୍ୟାୟସଙ୍ଗତ ଥିଲା ବୋଲି କୁହାଯାଇ ନପାରେ । ଏହାଦ୍ୱାରା ଜନସାଧାରଣ ଉତ୍ୟକ୍ତ ହେଲେ । ବିଚାରାଳୟରେ ମଧ୍ୟ ସେମାନେ ନ୍ୟାୟ ପାଇ ପାରିବେ ବୋଲି ଆଶା କଲେ ନାହିଁ ।

 

(୨)ଚାର୍ଲସ୍‍ଙ୍କ ଧର୍ମନୀତି :–ଏଙ୍ଗ୍ଳିକାନ୍‌ କାଥଲିକ୍‍ ମତବାଦରେ ଚାର୍ଲସ୍‍ଙ୍କର ପ୍ରଗାଢ଼ ବିଶ୍ୱାସ ଥିଲା । ସେ ତାଙ୍କର ଧର୍ମନୀତିକୁ ଦେଶରେ ବଳାତ୍କାର ଲଦି ଦେବାପାଇଁ ଉଦ୍ୟମ କଲେ । ଏ କ୍ଷେତ୍ରରେ ତାଙ୍କର ପ୍ରଧାନ ଉପଦେଷ୍ଟା ଥିଲା ଲଡ଼୍‌ । ଲଡ଼୍‌ ରାଜାଙ୍କର ଧର୍ମନୀତିକୁ କାର୍ଯ୍ୟକାରୀ କରିବାପାଇଁ କେତେକ ଅଗଣତାନ୍ତ୍ରିକ ପନ୍ଥା ଗ୍ରହଣ କଲେ । ଗିର୍ଜାମାନଙ୍କରୁ ପ୍ୟୁରିଟାନମାନଙ୍କୁ ବହିଷ୍କାର କରି ସେମାନଙ୍କ ସ୍ଥାନରେ କାଥଲିକ୍‍ମାନଙ୍କୁ ନିଯୁକ୍ତ କରାଗଲା । ଧର୍ମ କ୍ଷେତ୍ରରେ ବିଶପ୍‍ମାନଙ୍କର କର୍ତ୍ତୃତ୍ୱ ଓ ରାଜାଙ୍କର ସାର୍ବଭୌମତ୍ୱ ପ୍ରତିଷ୍ଠିତ ହେଲା । କାଉନ୍‌ସିଲ୍ ତଥା ଷ୍ଟାର୍ ଚେମ୍ବରରେ ବିଶପ୍‍ମାନେ ପ୍ରଭାବଶାଳୀ ହୋଇ ଉଠିଲେ । ଗିର୍ଜାମାନଙ୍କର ଶୃଙ୍ଖଳା ଉପରେ ବିଶେଷ ଗୁରୁତ୍ୱ ଦିଆଗଲା । ଯେଉଁମାନେ ରାଜାଙ୍କର ଧର୍ମନୀତିର ବିରୁଦ୍ଧାଚରଣ ବା ସମାଲୋଚନା କଲେ ସେମାନେ କଠୋର ଦଣ୍ଡ ପାଇଲେ । ଉଚ୍ଚ କ୍ଷମତା ସଂପନ୍ନ ଅଦାଲତରେ ସେମାନଙ୍କର ବିଚାର ହେଉଥିଲା । ଏହାଫଳରେ ଇଂଲଣ୍ଡର ପ୍ରୋଟେଷ୍ଟାଣ୍ଟ୍‍ମାନେ ଏବଂ ବିଶେଷତଃ ପ୍ୟୁରିଟାନ ସଂପ୍ରଦାୟ ପ୍ରମାଦ ଗଣିଲେ । ବିପ୍ଳବ ବ୍ୟତୀତ ସେମାନଙ୍କର ଅନ୍ୟ ପନ୍ଥା ନଥିଲା ।

 

(୩) ଅଗଣତାନ୍ତ୍ରିକ ବିଚାରାଳୟ–: ସମସ୍ତ ପ୍ରକାର ବିଦ୍ରୋହ ଓ ବିରୋଧକୁ ଦମନ କରି ଆପଣାର ବ୍ୟକ୍ତିଗତ ଶାସନର ପ୍ରତିଷ୍ଠା କରିବା ସକାଶେ ଚାର୍ଲସ୍‍ କେତେକ ସ୍ୱତନ୍ତ୍ର ବିଚାରାଳୟର ସାହାଯ୍ୟ ନେଲେ । ଷ୍ଟାର୍‍ ଚେମ୍ବର ହାଇ କମିଶନ ବିଚାରାଳୟ ଓ ଉତ୍ତରାଞ୍ଚଳ କାଉନ୍‌ସିଲ୍ ଏମାନଙ୍କ ମଧ୍ୟରେ ଅନ୍ୟତମ । ଏହିସବୁ ବିଚାରାଳୟ ଟିଉଡ଼ର୍ ଯୁଗରେ ପ୍ରତିଷ୍ଠିତ ହୋଇଥିଲା । ଏଗୁଡ଼ିକୁ ଅଗଣତାନ୍ତ୍ରିକ ଅନୁଷ୍ଠାନ ବୋଲି ପାର୍ଲିଆମେଣ୍ଟ୍‍ ସର୍ବଦା ବିରୋଧ କରି ଆସୁଥିଲା । ଚାର୍ଲସ୍‍ଙ୍କର ଏକାଦଶବର୍ଷ ବ୍ୟାପୀ ସ୍ୱେଚ୍ଛାଚାରୀ ଶାସନ ସମୟରେ ଏମାନଙ୍କର କ୍ଷମତା ଓ କାର୍ଯ୍ୟପରିସର ବୃଦ୍ଧି ପାଇଲା । ଧର୍ମ ସମ୍ବନ୍ଧୀୟ ଅପରାଧ ହାଇ କମିଶନ ଅଦାଲତରେ ଏବଂ ରାଜନୈତିକ ଅପରାଧଗୁଡ଼ିକ ଷ୍ଟାର୍ ଚେମ୍ବରରେ ବିଚାର ହେଲା । ଏଗୁଡ଼ିକରେ ବିଚାର ନିରପେକ୍ଷ ନଥିଲା ଏବଂ ସାମାନ୍ୟ ଦୋଷପାଇଁ ଅତି କଠୋର ଦଣ୍ଡ ଦିଆଯାଉଥିଲା । ୧୬୩୭ ଖ୍ରୀ:ରେ ପ୍ରାଇନ୍‌ ନାମକ ଜଣେ ଓକିଲ, ବରଟନ୍‌ ନାମକ ଜଣେ ଧର୍ମଯାଜକ, ଓ ବାଷ୍ଟ୍‍ଉଇକ ନାମକ ଜଣେ ଚିକିତ୍ସକ ବିଶପ୍‍ମାନଙ୍କୁ ସମାଲୋଚନା କରିଥିବା ଦୋଷରେ ଅଭିଯୁକ୍ତ ହୋଇଥିଲେ ଏବଂ ପ୍ରତ୍ୟେକଙ୍କୁ ପାଞ୍ଚହଜାର ପାଉଣ୍ଡ ଜୋରିମାନା କରାଯାଇଥିଲା, ଆଉ କେତେକଙ୍କୁ ଆଜୀବନ କାରାଦଣ୍ଡ ଦିଆଗଲା ବା ସେମାନଙ୍କର କାନ ସବୁ କାଟି ଦିଆଗଲା । ସରକାରଙ୍କର ନିର୍ମମ ଅତ୍ୟାଚାରରେ ଜନସାଧାରଣ ସ୍ତମ୍ଭିତ ହୋଇ ରହିଥିଲେ ।

 

ଚାର୍ଲସ୍‍ଙ୍କର ସ୍କଟ୍‍ଲାଣ୍ଡ୍‍ ନୀତି ଓ ବିଶପ୍ ସମର :

 

ଇଂଲଣ୍ଡର ପ୍ୟୁରିଟାନମାନଙ୍କୁ ଦମନ କଲାପରେ ଚାର୍ଲସ୍‍ ସ୍କଟ୍‍ଲାଣ୍ଡ୍‍ର ପ୍ରେସ୍‌ବିଟେରାଏନ ମତବାଦର ଧ୍ୱଂସ ସାଧନପାଇଁ ଉଦ୍ୟମ କଲେ । ଇଂଲଣ୍ଡ ତଥା ସ୍କଟ୍‍ଲାଣ୍ଡ୍‍ରେ ଗୋଟିଏ ପ୍ରକାର କାଥଲିକ୍‍ ମତବାଦର ପ୍ରତିଷ୍ଠା ତାଙ୍କର ଉଦ୍ଦେଶ୍ୟ ଥିଲା । ଏହି କ୍ଷେତ୍ରରେ ମଧ୍ୟ ଲଡ଼୍‌ ଚାର୍ଲସ୍‍ଙ୍କର ପ୍ରଧାନ ଉପଦେଷ୍ଟାରୂପେ କାର୍ଯ୍ୟ କଲେ । ଏହି ସମୟରେ ସ୍କଟିସ୍‌ ଗିର୍ଜାମାନଙ୍କର ପ୍ରାର୍ଥନା ସଭାରେ ପ୍ରେସ୍‍ବିଟେରୀଏନ୍‌ ମତବାଦର ପ୍ରତିଷ୍ଠାତା ଜନ ନକ୍‌ସଙ୍କର ଗ୍ରନ୍ଥ ପାଠ କରାଯାଉଥିଲା । ଲଡ଼୍‌ ତାହା ଉଠାଇ ଦେଇ ତା’ ପରିବର୍ତ୍ତେ ଏକ ନୂତନ ପ୍ରାର୍ଥନା ଗ୍ରନ୍ଥର ପ୍ରଚଳନ କଲେ । ଧର୍ମପ୍ରାଣ ସ୍କଟ୍‍ମାନଙ୍କର ମନରେ ଏହା ଦାରୁଣ ଆଘାତ ଦେଲା । ସେମାନେ ଏହାର ବିରୋଧ କରିବାପାଇଁ ବଦ୍ଧକରିକର ହେଲେ ।

 

୧୬୩୭ ଖ୍ରୀ: ଜୁଲାଇ ୨୩ ତାରିଖ ଦିନ ଲର୍ଡ଼ଙ୍କର ନୂତନ ପ୍ରାର୍ଥନା ଗ୍ରନ୍ଥ ସ୍କଟ୍‍ଲାଣ୍ଡ୍‍ରେ ଉଦ୍‌ଘାଟିତ ହେଲା । ସେହିଦିନ ଏଡ଼ିନବରାର ସେଣ୍ଟଗାଇଲ ଗିର୍ଜାରେ ଡିନ୍‌ ଯେତେବେଳେ ନବ ପ୍ରଚଳିତ ଗ୍ରନ୍ଥ ପାଠ କରିବାକୁ ଆରମ୍ଭ କଲେ, ଉପସ୍ଥିତ ଜନତା ଏହାର ପ୍ରତିବାଦ କଲେ । କଥିତ ଅଛି ଜେନି ଗେଡ଼େସ (Jenny geddes) ନାମକ ଜଣେ ମହିଳା ସର୍ବ ପ୍ରଥମେ ଏହାର ବିରୋଧ କରି ଡିନ୍‌ଙ୍କୁ ଆକ୍ରମଣ କଲେ । ଚାହୁଁଚାହୁଁ ଏହା ବିଦ୍ରୋହରୂପେ ଦେଶସାରା ବ୍ୟାପିଗଲା । ଆସନ୍ନ ସଙ୍କଟକୁ ଉପଲବ୍ଧି କରି ଚାର୍ଲସ୍‍ ଯଦି ନୂତନ ପ୍ରାର୍ଥନା ଗ୍ରନ୍ଥକୁ ପ୍ରତ୍ୟାହାର କରି ନେଇଥାନ୍ତେ, ତେବେ ସଙ୍କଟର ସମାଧାନ ହୋଇପାରିଥାନ୍ତା ଏବଂ ଚାର୍ଲସ୍‍ଙ୍କର ରାଜନୈତିକ ବିଚକ୍ଷଣତା ପ୍ରକାଶ ପାଇଥାନ୍ତା । ମାତ୍ର ଚାର୍ଲସ୍‍ ଦୂରଦର୍ଶୀ ନଥିଲେ । ସେ ବଳ ପ୍ରୟୋଗଦ୍ୱାରା ସ୍କଟ୍‍ଲାଣ୍ଡ୍‍କୁ ଆୟତ୍ତ କରିବାପାଇଁ ଆଶା କଲେ । ଅନ୍ୟ ପକ୍ଷରେ ସ୍କଟ୍‍ମାନେ ଐକ୍ୟବଦ୍ଧ ହୋଇ ରାଜାଙ୍କର ବିରୋଧ କଲେ । ସ୍କଟ୍‍ଲାଣ୍ଡ୍‍ ପ୍ରୋଟେଷ୍ଟାଣ୍ଟ୍ ମତବାଦ ତଥା ପ୍ରେସ୍‍ବିଟେରୀଏନ ବିଧିବିଧାନର ସୁରକ୍ଷାପାଇଁ ଏକ ଜାତୀୟ ଚୁକ୍ତି–ନାମା ପ୍ରସ୍ତୁତ କରାଗଲା । ସହସ୍ର ସହସ୍ର ସ୍କଟ୍‍ ଏହି ଚୁକ୍ତିନାମାରେ ସ୍ୱାକ୍ଷର କରି ଜାତୀୟ ଧର୍ମର ରକ୍ଷାପାଇଁ ଶପଥ ନେଲେ । ସ୍କଟ୍‍ଲାଣ୍ଡ୍‍ରେ ଏକ ଅଭୂତପୂର୍ବ ଜାଗରଣ ଦେଖା ଦେଲା ।

 

ପରିଶେଷରେ ଚାର୍ଲସ୍‍ ପରିସ୍ଥିତିର ଆଗରେ ମୁଣ୍ଡ ନୁଆଁଇଲେ ଏବଂ ସ୍କଟ୍‍ଲାଣ୍ଡ୍‍ ଗିର୍ଜାର ସାଧାରଣ ପରିଷଦ (General Assembly)ର ଆହ୍ୱାନପାଇଁ ସମ୍ମତ ହେଲେ । ଧର୍ମ ବିଷୟରେ ଏହି ପରିଷଦର ସାର୍ବଭୌମ କ୍ଷମତା ଥିଲା । ୧୬୩୮ ଖ୍ରୀ:ରେ ନଭେମ୍ବର ମାସରେ ଗ୍ଳାସଗୋ ସହରରେ ସାଧାରଣ ପରିଷଦର ଅଧିବେଶନ ଅନୁଷ୍ଠିତ ହେଲା । ଏଥିରେ ଚାର୍ଲସ୍‍ଙ୍କର ଧର୍ମନୀତିର ତୀବ୍ର ନିନ୍ଦା କରାଗଲା, ନୂତନ ପ୍ରାର୍ଥନା ଗ୍ରନ୍ଥ ଆଇନ ବିରୁଦ୍ଧ ବୋଲି ଘୋଷିତ ହେଲା, ବିଶପ୍‍ମାନଙ୍କୁ କ୍ଷମତାଚ୍ୟୁତ କରାଗଲା ଏବଂ ପ୍ରେସ୍‍ବିଟେରୀଏନ ମତବାଦକୁ ଦୃଢ଼ କରିବାପାଇଁ ସ୍ଥିରୀକୃତ ହେଲା । ଅବସ୍ଥାକୁ ଆୟତ କରିବାରେ ଅସମର୍ଥ ହୋଇ, ରାଜପ୍ରତିନିଧି ହାମିଲଟନ୍‌ ପରିଷଦକୁ ଭାଙ୍ଗିଦେଲେ । ଏହା ସତ୍ତ୍ୱେ ସଦସ୍ୟଗଣ ଅଟଳ ରହି କେତେକ ଗୁରୁତ୍ୱପୂର୍ଣ୍ଣ ଆଇନ ଗୃହୀତ କରିନେଲେ । ଚାର୍ଲସ୍‍ ଏହି ଆଇନଗୁଡ଼ିକୁ ଅନୁମୋଦନ କଲେ ନାହିଁ । ଫଳରେ ରାଜା ଓ ସ୍କଟ୍‍ମାନଙ୍କ ମଧ୍ୟରେ ଯୁଦ୍ଧ ଅନିବାର୍ଯ୍ୟ ହେଲା । ୧୬୩୯ ଖ୍ରୀ:ରେ ଏହି ଯୁଦ୍ଧ ଆରମ୍ଭ ହେଲା । ସ୍କଟ୍‍ଲାଣ୍ଡ୍‍ରେ ବିଶପ୍‍ମାନଙ୍କର ପ୍ରତିଷ୍ଠାପାଇଁ ରାଜା ଏହି ଯୁଦ୍ଧ କରିଥିଲେ ବୋଲି ଏହା ପ୍ରଥମ ବିଶପ୍ ସମର (First Bishops’ war) ନାମରେ ଅଭିହିତ ହୋଇଥାଏ । ଏଥିରେ ଆଲୋକ୍‌ଜାଣ୍ଡର ଲେସଲି (Alexander leslie) ନାମକ ଜଣେ ଅଭିଜ୍ଞ ତଥା ସୁଦକ୍ଷ ସେନାପତି ସ୍କଟ୍‍ମାନଙ୍କୁ ନେତୃତ୍ୱ ଦେଇଥିଲେ । ଅନ୍ୟ ପକ୍ଷରେ ରାଜାଙ୍କର ସେନାବାହିନୀ ଅତି ଦୁର୍ବଳ ଥିଲା । ତେଣୁ ଚାର୍ଲସ୍‍ ଯୁଦ୍ଧ ପରିହାର କରି ଆପୋସ ଆଲୋଚନା ପାଇଁ ଇଚ୍ଛାକଲେ । ଫଳରେ ପ୍ରଥମ ବିଶପ୍ ସମର ବିନା ରକ୍ତପାତରେ ସମାପ୍ତ ହେଲା ଏବଂ ବାର୍‌ଉଇକ୍‌ (Barwick)ଠାରେ ଏକ ଶାନ୍ତି ଚୁକ୍ତି ସ୍ୱାକ୍ଷର କରି ଚାର୍ଲସ୍‍ ସମସ୍ୟାର ସମାଧାନ ପାଇଁ ସ୍କଟ୍‍ଲାଣ୍ଡ୍‍ର ସାଧାରଣ ପରିଷଦକୁ ପୁଣି ଥରେ ଡାକିବା ସକାଶେ ରାଜି ହେଲେ ।

 

୧୬୩୯ ଖ୍ରୀ: ଅଗଷ୍ଟ ମାସରେ ସାଧାରଣ ପରିଷଦ ଆହୂତ ହେଲା । ଏଥିରେ ସଦସ୍ୟମାନେ ଗ୍ଳାସଗୋ ଅଧିବେଶନରେ ଗୃହୀତ ଆଇନଗୁଡ଼ିକୁ ସମର୍ଥନ କରି ସେ ସବୁକୁ ଅନୁମୋଦନ କରିବାପାଇଁ ରାଜାଙ୍କୁ ଅନୁରୋଧ କଲେ । ରାଜା ଏଥିରେ ସମ୍ମତ ହେଲେ ନାହିଁ । ଏହାର ଏକମାତ୍ର ବିକଳ୍ପ ପନ୍ଥା ଥିଲା ଏବଂ ସେଥିପାଇଁ ଅଜସ୍ର ଅର୍ଥ ଆବଶ୍ୟକ ଥିଲା । କିଂକର୍ତ୍ତବ୍ୟବିମୂଢ଼ ହୋଇ ରାଜା ଷ୍ଟାଫୋର୍ଡ଼ଙ୍କର ପରାମର୍ଶ ଚାହିଁଲେ । ମନ୍ତ୍ରୀଙ୍କର ଉପଦେଶ ଅନୁସାରେ ସେ ୧୬୪୦ ଖ୍ରୀ:ର ଏପ୍ରିଲ ମାସରେ ପାର୍ଲିଆମେଣ୍ଟ୍‍ ଆହ୍ୱାନ କଲେ । ଏହାଫଳରେ ରାଜାଙ୍କର ୧୬୨୯ ଖ୍ରୀ:ରୁ ଏକାଦଶ ବର୍ଷ ବ୍ୟାପୀ ସ୍ୱେଚ୍ଛାଚାରୀ ଶାସନର ଅବସାନ ହେଲା । ଉକ୍ତ ପାର୍ଲିଆମେଣ୍ଟ୍‍ର ଜୀବନକାଳ ମାତ୍ର ତିନି ସପ୍ତାହ ଥିଲା । ତେଣୁ ଏହାକୁ ଅଳ୍ପ କାଳ ସ୍ଥାୟୀ ପାର୍ଲିଆମେଣ୍ଟ୍‍ (Short parliament) ବୋଲି କୁହାଯାଏ । ଏଥିରେ ଜନନେତା ପାଇମ୍‌ ରାଜାଙ୍କର ସ୍ୱେଚ୍ଛାଚାର ଶାସନର ତୀବ୍ର ସମାଲୋଚନା କରି ସଦସ୍ୟମାନଙ୍କ ମଧ୍ୟରେ ଉନ୍ମାଦନ ଖେଳାଇ ଦେଲେ । ସେମାନେ ରାଜାଙ୍କ କୌଣସି ଅର୍ଥ ମଞ୍ଜୁର କରିବାପାଇଁ ରାଜି ହେଲେ ନାହିଁ ! ବିରକ୍ତ ହୋଇ ଚାର୍ଲସ୍‍ ପାର୍ଲିଆମେଣ୍ଟ୍‍କୁ ଭାଙ୍ଗିଦେଲେ ।

 

୧୬୪୦ ଖ୍ରୀ:ରେ ଚାର୍ଲସ୍‍ ଓ ସ୍କଟ୍‍ଲାଣ୍ଡ୍‍ ମଧ୍ୟରେ ଦ୍ୱିତୀୟ ବିଶପ୍ ସମର (Second Bishop’s war) ସଂଘଟିତ ହେଲା । ରାଜା କୌଣସିମତେ ଏକ ସେନାବାହିନୀ ପ୍ରସ୍ତୁତ କରାଇଥିଲେ । ମାତ୍ର ତାହା ଶୃଙ୍ଖଳିତ ବା ଶକ୍ତିଶାଳୀ ନଥିଲା । ଅନ୍ୟ ପକ୍ଷରେ ସ୍କଟ୍‍ମାନେ ଆଲେକ୍‌ଜାଣ୍ଡର ଲେସଲିଙ୍କର ବଳିଷ୍ଠ ନେତୃତ୍ୱରେ ଐକବଦ୍ଧ ହୋଇଥିଲେ । ସେମାନେ ଇଂରେଜ ସେନାକୁ ସହଜରେ ପରାସ୍ତ କରି ଇଂଲଣ୍ଡ ଉପରେ ଆକ୍ରମଣ କଲେ ଏବଂ ଟାଇନ୍‌ ନଦୀକୂଳରେ ନିଉକେସଲ ନଗରୀକୁ ଅଧିକାର କରିନେଲେ । ଅନ୍ୟାନ୍ୟ ଉପାୟ ହୋଇ ଚାର୍ଲସ୍‍ ଆଲେକ୍‌ଜାଣ୍ଡର ଲେସଲିଙ୍କ ସହ ସନ୍ଧି ସ୍ଥାପନ କଲେ ଏବଂ ନିଇକେସଲରେ ସ୍କଟ୍‍ ବାହିନୀର ଯାବତୀୟ ଖର୍ଚ୍ଚ ବହନ କରିବା ସକାଶେ ରାଜି ହେଲେ । ଏହି ସମୟରେ ସେମାନଙ୍କର ଦୈନିକ ଖର୍ଚ୍ଚ ୮୫୦ ପାଉଣ୍ଡ ବୋଲି ଅଟକଳ କରାଯାଇଥିଲା । ଏତେ ପରିମାଣର ଅର୍ଥ ସଂଗ୍ରହ କରିବା ରାଜାଙ୍କପାଇଁ ଗୁରୁତର ସମସ୍ୟା ଥିଲା । ସେ ୟର୍କଠାରେ ଲର୍ଡ଼ ସଭାର ବିଶିଷ୍ଟ ସଦସ୍ୟମାନଙ୍କୁ ଭେଟି ସେମାନଙ୍କର ପରାମର୍ଶ ଚାହିଁଲେ । ସେମାନେ ରାଜାଙ୍କୁ ଆଉ ଏକ ପାର୍ଲିଆମେଣ୍ଟ୍‍ର ଆହ୍ୱାନପାଇଁ ଅନୁରୋଧ କଲେ । ଷ୍ଟାଫୋର୍ଡ଼ ମଧ୍ୟ ପାର୍ଲିଆମେଣ୍ଟ୍‍ ଆହ୍ୱାନର ସପକ୍ଷରେ ରାଜାଙ୍କୁ ଉପଦେଶ ଦେଲେ । ସୁତରାଂ ୧୬୪୦ ଖ୍ରୀ:ରେ ନଭେମ୍ବର ମାସରେ ଚାର୍ଲସ୍‍ଙ୍କର ଶେଷ ପାର୍ଲିଆମେଣ୍ଟ୍‍ ଆହୂତ ହେଲା-। ଏହା ଥିଲା ଦୀର୍ଘ କାଳ ସ୍ଥାୟୀ ପାର୍ଲିଆମେଣ୍ଟ୍‍ (Long Parliament) ।

 

ଦୀର୍ଘକାଳ ସ୍ଥାୟୀ ପାର୍ଲିଆମେଣ୍ଟ୍‍ (୧୬୪୦–୧୬୬୦) :

 

୧୬୪୦ ଖ୍ରୀ: ନଭେମ୍ବର ୩ ତାରିଖ ଦିନ ଯେଉଁ ପାର୍ଲିଆମେଣ୍ଟ୍‍ ଉଦ୍‌ଘାଟିତ ହେଲା, ତାହା ଯେ କେବଳ ଦୀର୍ଘକାଳ ସ୍ଥାୟୀ ଥିଲା ତାହା ନୁହେଁ, ତାହାର କାର୍ଯ୍ୟକ୍ରମ ମଧ୍ୟ ସୁଦୂରପ୍ରସାରୀ ଥିଲା । ବହୁସଂଖ୍ୟକ ସୁଶିକ୍ଷିତ, ସାହସୀ ତଥା ଦେଶପ୍ରାଣ ଯୁବକ ଏହି ପାର୍ଲିଆମେଣ୍ଟ୍‍କୁ ନିର୍ବାଚିତ ହୋଇ ଆସିଥିଲେ । ସେମାନେ ସମସ୍ତେ ରାଜାଙ୍କ ବିରୁଦ୍ଧରେ ଖଡ଼୍‌ଗହସ୍ତ ଥିଲେ ଏବଂ ଯେକୌଣସି ପରିସ୍ଥିତିରେ ତାଙ୍କର ମୁକାବିଲା କରିବାପାଇଁ ପ୍ରସ୍ତୁତ ଥିଲେ । ଏହାଛଡ଼ା ସେମାନେ ରାଜାଙ୍କର ଅର୍ଥନୈତିକ ସଙ୍କଟ ବିଷୟରେ ସଚେତନ ଥିଲେ ଏବଂ ଉପଲବ୍ଧି କରିଥିଲେ ଯେ ତାଙ୍କର ସମ୍ମାନ ଓ ପ୍ରତିଷ୍ଠା ପାର୍ଲିଆମେଣ୍ଟ୍‍ର ଦୟା ଉପରେହିଁ ନିର୍ଭର କରେ । ସେମାନେ ରାଜାଙ୍କର ଦୟନୀୟ ଅବସ୍ଥାର ସୁଯୋଗ ନେଲେ ଏବଂ ବିଗତ ପ୍ରାୟ ଚାଳିଶବର୍ଷକାଳ ଯେଉଁ କେତେକ ସାମ୍ବିଧାନିକ ପ୍ରଶ୍ନ ଉପରେ ରାଜା ଓ ପାର୍ଲିଆମେଣ୍ଟ୍‍ ମଧ୍ୟରେ କଳହ ଲାଗି ରହିଥିଲା, ସେଗୁଡ଼ିକର ସମାଧାନ ପାର୍ଲିଆମେଣ୍ଟ୍‍ର ସପକ୍ଷରେ କରାଇ ନେଲେ । ମନ୍ତ୍ରୀମାନେ ଅଭିଯୁକ୍ତ ହୋଇ ପ୍ରାଣଦଣ୍ଡ ପାଇଲେ, ରାଜାଙ୍କର ସ୍ୱେଚ୍ଛାଚାର ଶାସନକୁ ସମାଧି ଦିଆଗଲା ଏବଂ ତାଙ୍କର ଦେବଦତ୍ତ ଅଧିକାର ଧ୍ୱଂସ ପ୍ରାପ୍ତ ହେଲା । ଏହାଫଳରେ ରାଜତନ୍ତ୍ରର ସୁବର୍ଣ୍ଣ ଯୁଗର ଅବସାନ ହୋଇ ଗଣତନ୍ତ୍ର ଯୁଗର ଅଭ୍ୟୁଦୟ ହେଲା । ଏହି କାରଣରୁ ଦୀର୍ଘ ପାର୍ଲିଆମେଣ୍ଟ୍‍ର କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚିତ ହୁଏ ।

 

ଦୀର୍ଘ ପାର୍ଲିଆମେଣ୍ଟ୍‍ର ‘ଅଭିଯୋଗ ନୀତି’ (Impeachment) :

 

କେତେକ ମନ୍ତ୍ରୀ ତଥା ଉଚ୍ଚପଦସ୍ଥ ରାଜକର୍ମଚାରୀ ଚାର୍ଲସ୍‍ଙ୍କର ସ୍ୱେଚ୍ଛାଚାର ଶାସନପାଇଁ ଦାୟୀ ଥିଲେ ବୋଲି ପାର୍ଲିଆମେଣ୍ଟ୍‍ର ସଦସ୍ୟମାନେ ମନେକରୁଥିଲେ । ତେଣୁ ସେମାନେ ଏହି କର୍ମଚାରୀମାନଙ୍କୁ ମୂଳୋତ୍ପାଟିତ କରିବା ସକାଶେ ବଦ୍ଧପରିକର ହେଲେ । ବିଭିନ୍ନ ଦୋଷରେ ସେମାନଙ୍କୁ ଅଭିଯୁକ୍ତ କରି ପ୍ରାଣଦଣ୍ଡ ଦିଆଗଲା । ପାର୍ଲିଆମେଣ୍ଟ୍‍ର ‘ଅଭିଯୋଗ ନୀତି’ରେ ସମ୍ମତି ପ୍ରଦାନ ସକାଶେ ରାଜା ବାଧ୍ୟ ହେଲେ । ଇଂଲଣ୍ଡର ସମଗ୍ର ଇତିହାସରେ ମାତ୍ର ସତୁରିଟି ଅଭିଯୋଗ ପାର୍ଲିଆମେଣ୍ଟ୍‍ରେ ଗୃହୀତ ହୋଇଅଛି ବୋଲି କୁହାଯାଏ । ତନ୍ମଧ୍ୟରୁ ଏକ ଚତୁର୍ଥାଂଶ ଅଭିଯୋଗ ୧୬୪୦ ରୁ ୧୬୪୨ ଖ୍ରୀ: ମଧ୍ୟରେ ଦୀର୍ଘ ପାର୍ଲିଆମେଣ୍ଟ୍‍ରେ ଉପସ୍ଥାପିତ କରାଯାଇଥିଲା । କେତେକ ଅଭିଯୁକ୍ତ ବ୍ୟକ୍ତି ଇଂଲଣ୍ଡରୁ ପଳାୟନ କରି ଆତ୍ମରକ୍ଷା କଲେ ଏବଂ ଅନ୍ୟମାନେ ବନ୍ଦୀ ହୋଇ ପ୍ରାଣଦଣ୍ଡ ପାଇଲେ ।

 

ପାର୍ଲିଆମେଣ୍ଟ୍‍ର ଅଭିଯୋଗ ନୀତିର ପ୍ରଥମ ଶିକାର ହୋଇଥିଲେ ଚାର୍ଲସ୍‍ଙ୍କର ଧର୍ମ ସମ୍ବନ୍ଧୀୟ ଉପଦେଷ୍ଟା ଉଇଲିୟମ୍‍ ଲଡ଼୍‌ । ଅଭିଯୁକ୍ତ ହୋଇ ଦୀର୍ଘ ଚାରିବର୍ଷ କାଳ ବନ୍ଦୀ ଜୀବନ ଅତିବାହିତ କରିବା ପରେ ସେ ୧୬୪୫ ଖ୍ରୀ:ରେ ପ୍ରାଣଦଣ୍ଡ ପାଇଲେ । ଲଡ଼୍‌ଙ୍କ ପରେ ଚାର୍ଲସ୍‍ଙ୍କର ପ୍ରଧାନ ଉପଦେଷ୍ଟା ଷ୍ଟାଫୋର୍ଡ଼ଙ୍କର ପାଳି ପଡ଼ିଲା । ଷ୍ଟାଫୋର୍ଡ଼ଙ୍କୁ ସାରା ଦେଶର ଶତ୍ରୁ ବୋଲି କୁହାଯାଉଥିଲା ଏବଂ ସେ ‘ଅତ୍ୟାଚାରୀ ବ୍ଳେକ ଟମ’ (Black Tom Tyrant) ନାଁରେ ଅଭିହିତ ଥିଲେ । ଷ୍ଟାଫୋର୍ଡ଼ଙ୍କର ବିରୁଦ୍ଧରେ ପ୍ରଥମେ ରାଜଦ୍ରୋହ ଅଭିଯୋଗ ଉପସ୍ଥାପିତ କରାଗଲା । ମାତ୍ର ସେଥିପାଇଁ ପାର୍ଲିଆମେଣ୍ଟ୍‍ କୌଣସି ପ୍ରମାଣ ପାଇ ପାରିଲା ନାହିଁ । ବସ୍ତୁତଃ ଷ୍ଟାଫୋର୍ଡ଼ ଦେଶଦ୍ରୋହୀ ହୋଇ ଥାଇପାରନ୍ତି; ମାତ୍ର ସେ ରାଜଦ୍ରୋହୀ ନଥିଲେ । ଅନ୍ୟ ପକ୍ଷରେ ସେ ଥିଲେ ରାଜାଙ୍କର ବିଶ୍ୱସ୍ତ ତଥା ପ୍ରିୟତମ କର୍ମଚାରୀ । ପାର୍ଲିଆମେଣ୍ଟ୍‍ର ଏହି ଅଭିଯୋଗର ବିପକ୍ଷରେ ଷ୍ଟାଫୋର୍ଡ଼ ବଳିଷ୍ଠ ଯୁକ୍ତି ଦର୍ଶାଇ ଥିଲେ । ଫଳରେ ସେ ଅଭିଯୋଗରୁ ମୁକ୍ତ ହେଲେ ସତ; ମାତ୍ର ପାର୍ଲିଆମେଣ୍ଟ୍‍ ତାଙ୍କ ମୁକ୍ତି ଦେବାପାଇଁ ପ୍ରସ୍ତୁତ ନଥିଲା । ଏହାପରେ ତାଙ୍କୁ ରାଜଦ୍ରୋହ ଅପରାଧରେ ଅଭିଯୁକ୍ତ କରି ଏକ ବିଲ୍‌ (Bill of Attainder) ପାର୍ଲିଆମେଣ୍ଟ୍‍ରେ ଉପସ୍ଥାପିତ କରାଗଲା । ଅନ୍ୟାନ୍ୟ ବିଲ୍‌ର ଅନୁରୂପ ଏହା ମଧ୍ୟ ପାର୍ଲିଆମେଣ୍ଟ୍‍ର ଉଭୟ ଗୃହରେ ଭୋଟଦ୍ୱାରା ଗୃହୀତ ହୋଇ ରାଜାଙ୍କର ସମ୍ମତି ଲାଭ କରିବାର କଥା ଥିଲା । ଏଥିରେ ଷ୍ଟାଫୋର୍ଡ଼ ନିଜ ସପକ୍ଷରେ କିଛି କହିବାପାଇଁ ସୁଯୋଗ ପାଇଲେ ନାହିଁ । ଉକ୍ତ ବିଲ୍‌ କମନସ୍‌ ଗୃହରେ ଉଚ୍ଛ୍ୱସିତ ଆନନ୍ଦ ମଧ୍ୟରେ ଏବଂ ଲର୍ଡ଼ ସଭାରେ କେତେକ ବାଧାବିଘ୍ନ ମଧ୍ୟରେ ଗୃହୀତ ହୋଇଗଲା । ମାତ୍ର ଚାର୍ଲସ୍‍ ଏଥିରେ ସମ୍ମତି ପ୍ରଦାନ କରିବାପାଇଁ ରାଜି ହେଲେ ନାହିଁ । ଏଥିପାଇଁ ତାଙ୍କୁ ନାନାପ୍ରକାରେ ବାଧ୍ୟ କରାଗଲା । ଏହା ନହେଲେ, ବୈଦେଶିକ ଶକ୍ତିମାନଙ୍କ ସହ ଇଂଲଣ୍ଡ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଏକ ଭୟାବହ ଅଭିଯୋଗ ରାଣୀଙ୍କ ବିରୁଦ୍ଧରେ ଉପସ୍ଥାପିତ କରାହେବ ବୋଲି ଧମକ ଦିଆଗଲା । ରାଜାଙ୍କର ବହୁ ବନ୍ଧୁ, ବିଚାରପତି ଓ ବିଶପ୍ ବିଲ୍‌ଟିକୁ ଗ୍ରହଣ କରିନେବା ସକାଶେ ଚାର୍ଲସ୍‍ଙ୍କୁ ଉପଦେଶ ଦେଲେ । ଶେଷରେ ଷ୍ଟାଫୋର୍ଡ଼ ମଧ୍ୟ ବିଲ୍‍ରେ ସମ୍ମତି ପ୍ରଦାନ କରି ସମସ୍ୟାର ସମାଧାନ କରିନେବା ପାଇଁ ରାଜାଙ୍କୁ ଅନୁରୋଧ କଲେ । ଏହାଫଳରେ ଚାର୍ଲସ୍‍ ବିଲ୍‍କୁ ଅନୁମୋଦନ କଲେ । ୧୬୪୧ ଖ୍ରୀ: ମେ ମାସ ୧୨ ତାରିଖ ଦିନ ପ୍ରାୟ ଦୁଇଲକ୍ଷ ଦର୍ଶକଙ୍କର ସମ୍ମୁଖରେ ଷ୍ଟାଫୋର୍ଡ଼ଙ୍କୁ ମୃତ୍ୟୁଦଣ୍ଡ ଦିଆଗଲା । ଫାଶୀ ଖୁଣ୍ଟରେ ତାଙ୍କର ଶେଷକଥା ଥିଲା, ‘‘ହେ ଭଗବାନ ! ତୁମକୁ ଧନ୍ୟବାଦ । ମୁଁ ମୃତ୍ୟୁକୁ ଭୟ କରିନାହିଁ’’ ।*

 

ଷ୍ଟାଫୋର୍ଡ଼ଙ୍କର ମୃତ୍ୟୁରେ କୌଣସି ସମସ୍ୟାର ସମାଧାନ ହୋଇ ପାରିଲା ନାହିଁ । ଏଥିରୁ ରାଜା କୌଣସି ଲାଭ ପାଇଲେ ନାହିଁ । ବରଂ ସେ ଜଣେ ଅତି ବିଶ୍ୱସ୍ତ ବନ୍ଧଙ୍କୁ ହରାଇଲେ । ହୁଏତ ଷ୍ଟାଫୋର୍ଡ଼ଙ୍କର ଉପଦେଶ ତାଙ୍କୁ ଆସନ୍ନ ବିପଦରୁ ରକ୍ଷା କରିପାରିଥାନ୍ତା । ଏହାପରେ ଯେଉଁ ସାତଜଣ ବିଚାରପତି ରାଜାଙ୍କର ଜାହାଜ ଅର୍ଥ ଆଦାୟ ସମ୍ପର୍କରେ ଇତିପୂର୍ବରୁ ହାମ୍ପଡ଼ନଙ୍କ ବିପକ୍ଷରେ ନିଷ୍ପତ୍ତି ପ୍ରଦାନ କରିଥିଲେ, ସେମାନଙ୍କୁ ଅଭିଯୁକ୍ତ କରି ପ୍ରାଣଦଣ୍ଡ ଦିଆଗଲା । ସଫଳତା ପରେ ସଫଳତା ଲାଭ କରି କମନସ୍‌ ସଭା ଉତ୍‌ଫୁଲ୍ଲ ହୋଇ ଉଠିଥିଲା । ଗୃହର ଅନ୍ୟତମ ନେତା ପାଇମ୍ କହିଥିଲେ, ‘‘ରାଜା ଯେତେବେଳେ ଷ୍ଟାଫୋର୍ଡ଼ଙ୍କୁ ସମର୍ପଣ କରିପାରିଛନ୍ତି, ସେ ଆଉ କୌଣସି ଜିନିଷ ଆମ୍ଭମାନଙ୍କୁ ମନାକରି ପାରିବେ ନାହିଁ’’ । (When the king has given us Stafford, he can refuse us nothing.)

 

ଦୀର୍ଘ ପାର୍ଲିଆମେଣ୍ଟ୍‍ର ସାମ୍ବିଧାନିକ କାର୍ଯ୍ୟକ୍ରମ

 

କେବଳ ମନ୍ତ୍ରୀ ବିଚାରପତି ଓ କର୍ମଚାରୀଙ୍କୁ ଅଭିଯୁକ୍ତ କରିବାରେ ଦୀର୍ଘ ପାର୍ଲିଆମେଣ୍ଟ୍‍ର କାର୍ଯ୍ୟକ୍ରମ ସୀମିତ ନଥିଲା । ପ୍ରଥମ ଦୁଇବର୍ଷ ମଧ୍ୟରେ ଏଥିରେ କେତେକ ଗୁରୁତ୍ୱପୂର୍ଣ୍ଣ ଆଇନ ପ୍ରଣୀତ ହୋଇ ଇଂଲଣ୍ଡର ସମ୍ବିଧାନରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ଉଦ୍ୟମ କରାଗଲା । ୧୬୪୧ ଖ୍ରୀ: ଫେବୃୟାରୀ ମାସରେ ‘ତ୍ରୈ–ବାର୍ଷିକ ଆଇନ’ (Triennial Act) ଗୃହୀତ ହେଲା, ଯାହାଫଳରେ ପ୍ରତି ତିନିବର୍ଷରେ ପାର୍ଲିଆମେଣ୍ଟ୍‍ର ଆହ୍ୱାନପାଇଁ ରାଜା ବାଧ୍ୟ ହେଲେ । ଏତଦ୍ଦ୍ୱାରା ରାଜାଙ୍କର ପାର୍ଲିଆମେଣ୍ଟ୍‍ବିହୀନ ସ୍ୱେଚ୍ଛାଚାର ଶାସନର ଅବସାନ ହେଲା । ଆଉ ଏକ ଆଇନ ବଳରେ ଚଳିତ ପାର୍ଲିଆମେଣ୍ଟ୍‍କୁ ଭାଙ୍ଗିଦେବା ବା ସ୍ଥଗିତ ରଖିବାର ଅଧିକାର ରାଜାଙ୍କଠାରୁ କାଢ଼ିନିଆଗଲା ଏବଂ ତାହା ପାର୍ଲିଆମେଣ୍ଟ୍‍ ନିଜ ହାତରେ ରଖିଲା । ତୃତୀୟତଃ ପାର୍ଲିଆମେଣ୍ଟ୍‍ର ସମ୍ମତି ବିନା ଟନେଜ ଓ ପାଉଣ୍ଡେଜ ପ୍ରଭୃତି ରାଜସ୍ୱ ଆଦାୟ ବିରୁଦ୍ଧ ବୋଲି ଘୋଷିତ ହେଲା । ରାଜାଙ୍କର ଜାହାଜ–କର (Ship money) ସଂଗ୍ରହ ମଧ୍ୟ ରଦ୍ଦ ହେଲା । ନାଇଟ ପଦବୀ ଗ୍ରହଣ କରିବା ସକାଶେ ରାଜା କାହାକୁ ବାଧ୍ୟ କରିପାରିବେ ନାହିଁ ବୋଲି କୁହାଗଲା । ଏହାଛଡ଼ା ଷ୍ଟାର୍ ଚେମ୍ବର, ହାଇ କମିଶନ ବିଚାରାଳୟ, ଉତ୍ତରାଞ୍ଚଳ କାଉନ୍‌ସିଲ୍, ଉଏଲ୍‌ସ କାଉନ୍‌ସିଲ୍ ପ୍ରଭୃତି ଯେଉଁ ଅଗଣତାନ୍ତ୍ରିକ ଅନୁଷ୍ଠାନମାନଙ୍କ ସାହାଯ୍ୟରେ ରାଜା ଲୋକମାନଙ୍କୁ ଦମନ କରି ରଖିଥିଲେ । ଏକମାତ୍ର ଆଇନରେ ସେ ସବୁକୁ ଚିରଦିନ ସକାଶେ ବନ୍ଦ କରି ଦିଆଗଲା । ପ୍ରିଭି କାଉନ୍‌ସିଲ୍‍ର କ୍ଷମତା ମଧ୍ୟ ଅନେକ ପରିମାଣରେ ହ୍ରାସ କରି ଦିଆଗଲା । ପ୍ରାଇନ୍‌, ବର୍ଟନ, ବାଷ୍ଟ୍ଉଇକ୍‌ ପ୍ରଭୃତି ଯେଉଁ ବ୍ୟକ୍ତିମାନେ ରାଜାଙ୍କୁ ସମାଲୋଚନା କରି କାରାବରଣ କରିଥିଲେ, ସେମାନଙ୍କୁ ମୁକ୍ତ କରି ଦିଆଯିବା ସଙ୍ଗେ ଆର୍ଥିକ କ୍ଷତିପୂରଣ ମଧ୍ୟ ଦିଆଗଲା । ଚାର୍ଲସ୍‍ଙ୍କର ସ୍ୱେଚ୍ଛାଚାର ଶାସନ କାଳରେ ବିଚାରାଳୟମାନଙ୍କରେ ଅଗଣତାନ୍ତ୍ରିକ ନିଷ୍ପତ୍ତିଗୁଡ଼ିକୁ ଓଲଟପାଲଟ କରି ଦିଆଗଲା । ରାଜାଙ୍କର ଏକଛତ୍ର ଶାସନର ଯେପରି ପୁନରାବୃତ୍ତି ନହୁଏ, ସେଥିପାଇଁ ଉପରୋକ୍ତ ଆଇନଗୁଡ଼ିକ ପ୍ରଣୀତ ହେଲା ।

 

* ‘‘I Thank God, I am not afraid of death’’.........

 

ଦୀର୍ଘ ପାର୍ଲିଆମେଣ୍ଟ୍‍ର ଧର୍ମନୀତି :

 

ଦୀର୍ଘ ପାର୍ଲିଆମେଣ୍ଟ୍‍ରେ ରାଜନୈତିକ ପ୍ରଶ୍ନଗୁଡ଼ିକର ସମାଧାନ ସର୍ବସମ୍ମତି କ୍ରମେ ଗୃହୀତ ହେଲା । ମାତ୍ର ଯେତେବେଳେ ଧର୍ମସମ୍ବନ୍ଧୀୟ ସମସ୍ୟା ଗୃହରେ ଉପସ୍ଥାପିତ କରାଗଲା, ସଦସ୍ୟମାନଙ୍କ ମଧ୍ୟରେ ଗୁରୁତର ମତଭେଦ ଦେଖାଦେଲା ଏବଂ ସେମାନେ ଦୁଇଟି ଦଳରେ ବିଭକ୍ତ ହେଲେ । ପ୍ୟୁରିଟାନ ଦଳ ଧର୍ମ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ଦାବି କଲେ । ସେମାନେ ଗିର୍ଜାମାନଙ୍କରୁ ବିଶପ୍‍ଶାସନର ମୂଳପୋଛ କରିଦେବା ପାଇଁ ୧୬୪୦ ଖ୍ରୀ: ଡିସେମ୍ବର ୧୧ ତାରିଖ ଦିନ ଏକ ବିଲ୍‌ ଉପସ୍ଥାପିତ କଲେ । ଏହା ‘ମୂଳ ଓ ଶାଖା ବିଲ୍‌’ (Root and Branch Bill) ନାମରେ ଅଭିହିତ ହୋଇଥିଲା । ମାତ୍ର ଏଙ୍ଗ୍ଳିକାନ ଦଳ ଏହି ବିଲ୍‍ର ସମର୍ଥନ କଲେ ନାହିଁ । ସେମାନେ ଗିର୍ଜାମାନଙ୍କରେ ବିଶପ୍‍ମାନଙ୍କର କ୍ଷମତାର ପକ୍ଷପାତୀ ଥିଲେ ଏବଂ ତହିଁରେ କେତେକ ସଂସ୍କାର ମାତ୍ର ଚାହୁଁଥିଲେ । ‘ମୂଳ ଓ ଶାଖା ବିଲ୍’ ଉପରେ ପାର୍ଲିଆମେଣ୍ଟ୍‍ରେ ତୁମୂଳ ବାଦବିବାଦ ହୋଇ ଶେଷରେ ତାକୁ ପରିତ୍ୟାଗ କରାଗଲା । ଏହାପରେ ପାର୍ଲିଆମେଣ୍ଟ୍‍ କିଛିକାଳ ପାଇଁ ସ୍ଥଗିତ ରହିଲା ।

 

ପାର୍ଲିଆମେଣ୍ଟ୍‍ର ପରବର୍ତ୍ତୀ ଅଧିବେଶନ ୧୬୪୧ ଖ୍ରୀ: ଅକ୍‌ଟୋବର ୨୦ ତାରିଖ ଦିନ ଆରମ୍ଭ ହେଲା । ଏହାର କିଛିଦିନ ପୂର୍ବରୁ ସେପ୍‌ଟେମ୍ବର ମାସରେ ଚାର୍ଲସ୍‍ ସ୍କଟ୍‍ଲାଣ୍ଡ୍‍ ପରିଦର୍ଶନରେ ଯାଇଥିଲେ । ଇଂଲଣ୍ଡର ପ୍ୟୁରିଟାନମାନଙ୍କର ବିରୁଦ୍ଧରେ ସ୍କଟ୍‍ଲାଣ୍ଡ୍‍ରେ ଏକ ଦଳ ସଂଗଠିତ କରିବା ତାଙ୍କର ଉଦ୍ଦେଶ୍ୟ ଥିଲା । ମାତ୍ର ଏଥିରେ ସେ ବିଫଳ ହୋଇଥିଲେ । ଚାର୍ଲସ୍‍ ସ୍କଟ୍‍ଲ୍ୟାଣ୍ତରେ ଅବସ୍ଥାନ କରୁଥିବା ସମୟରେ ଆୟରଲେଣ୍ତରେ କାଥଲିକ୍‍ମାନଙ୍କର ଏକ ବିଦ୍ରୋହ ସଂଗଠିତ ହେଲା । ବିଦ୍ରୋହୀମାନଙ୍କର କାର୍ଯ୍ୟକଳାପ ଅତିରଞ୍ଜିତ ହୋଇ ଇଂଲଣ୍ତରେ ପ୍ରଚାରିତ ହେଲା । ଫଳରେ ପ୍ରୋଟେଷ୍ଟାଣ୍ଟ୍‍ମାନେ ଉତ୍ତେଜିତ ହେଲେ । ରାଜା ଚାର୍ଲସ୍‍ ଏହି ବିଦ୍ରୋହରେ ଲିପ୍ତ ଅଛନ୍ତି ବୋଲି ସନ୍ଦେହ କରାଗଲା । ଆୟରଲେଣ୍ତ କାଥଲିକ୍‍ମାନଙ୍କୁ ଦମନ କରିବାପାଇଁ ଏକ ସେନା–ବାହିନୀ ଗଠନର ଆବଶ୍ୟକତା ଥିଲା । ମାତ୍ର ସେନାବାହିନୀର ନେତୃତ୍ୱ ରାଜାଙ୍କ ହାତରେ ଛାଡ଼ିଦେବା ବିପଜ୍ଜନକ ବୋଲି ମନେ କରାଗଲା । ସେନାବାହିନୀ ଉପରୁ ରାଜାଙ୍କର ଅଧିକାରକୁ କାଢ଼ି ନେଇ ପାର୍ଲିଆମେଣ୍ଟ୍‍ ହାତରେ ତାହା ନ୍ୟସ୍ତ କରିବା ସକାଶେ ପାଇମ୍‍ ସ୍ଥିର କଲେ ଏବଂ ଏହାର ପ୍ରଥମ ପଦକ୍ଷେପସ୍ୱରୂପ ସେ ରାଜାଙ୍କ ବିରୁଦ୍ଧରେ ଏକ ଦୀର୍ଘ ଅଭି–ଯୋଗ ପ୍ରସ୍ତୁତ କଲେ । ଏହା ଇତିହାସରେ ‘ବିପୁଳ ପ୍ରତିବାଦ’ (Grand renanstracne) ନାମରେ ଅଭିହିତ । ଏଥିରେ କେତେକ ସଂସ୍କାରପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା; ଉଦାହରଣସ୍ୱରୂପ ଏହାର ଏକ ଅନୁଚ୍ଛେଦରେ ଦାବି କରାଯାଇଥିଲା ଯେ ଯେଉଁମାନଙ୍କ ପ୍ରତି କମନସ୍ ସଭାର ସମର୍ଥନ ଥିବ, ରାଜା କେବଳ ସେମାନଙ୍କୁ ମନ୍ତ୍ରୀ ଭାବରେ ନିଯୁକ୍ତ କରିପାରିବେ । ବିଶପ୍‍ମାନଙ୍କର କ୍ଷମତା ହ୍ରାସ କରି ଧର୍ମକ୍ଷେତ୍ରରେ କେତେକ ପରିବର୍ତ୍ତନ ମଧ୍ୟ ଏଠାରେ ସୂଚିତ ହୋଇଥିଲା । ‘ବିପୁଳ ପ୍ରତିବାଦ’ରେ ସର୍ବମୋଟ ୨୦୧ ଗୋଟି ଅନୁଚ୍ଛେଦ ଥିଲା । ପାର୍ଲିଆମେଣ୍ଟ୍‍ରେ ଏହା ଏକ ଆଲୋଡ଼ନ ସୃଷ୍ଟି କଲା-। କମନସ୍ ସଭାରେ ତୁମୂଳ ବାଦବିବାଦ ପରେ ଏହା ଶେଷରେ ୧୬୪୧ ଖ୍ରୀ: ନଭେମ୍ୱର ୨୩ ତାରିଖ ପ୍ରାତଃକାଳରେ ମାତ୍ର ୧୧ଟି ଅଧିକ ଭୋଟରେ ଗୃହୀତ ହୋଇଥିଲା । ଏହାର ସପକ୍ଷରେ ୧୫୯ ଏବଂ ବିପକ୍ଷରେ ୧୪୮ ଭୋଟ ଥିଲା । ତେଣୁ ଏହି ସମୟରେ ପାର୍ଲିଆମେଣ୍ଟ୍‍ର ସଦସ୍ୟମାନେ ଦୁଇ ଭାଗରେ ବିଭକ୍ତ ହୋଇ ପଡ଼ିଥିଲେ ବୋଲି ଜଣାଯାଏ ।

 

ଇତିମଧ୍ୟରେ ଚାର୍ଲସ୍‍ ସ୍କଟ୍‍ଲ୍ୟାଣ୍ତରୁ ଫେରି ଆସିଥିଲେ । ସେ ‘ବିପୁଳ ପ୍ରତିବାଦ’ ପାଠ କରି ସ୍ତମ୍ଭିତ ହେଲେ । ଏହାଛଡ଼ା ରାଣୀଙ୍କୁ ଅଭିଯୁକ୍ତ କରିବାପାଇଁ ପାର୍ଲିଆମେଣ୍ଟ୍‍ରେ ଆୟୋଜନ ଚାଲିଥିବା ସମ୍ୱାଦ ସେ ପାଇ ପାରିଲେ । ଏଥିରେ ତାଙ୍କର କ୍ରୋଧର ସୀମା ରହିଲା ନାହିଁ । କମନ୍‍ସ ସଭାର ପାଞ୍ଚଜଣ ମୁଖ୍ୟ ନେତାଙ୍କୁ ବନ୍ଦୀ କରି ଲର୍ଡ଼ ସଭାରେ ସେମାନଙ୍କ ବିରୁଦ୍ଧରେ ରାଜଦ୍ରୋହ ଅପରାଧର ବିଚାର କରିବା ସକାଶେ ସେ ତାଙ୍କର ଏଟୋର୍ଣ୍ଣି–ଜେନେରାଲ୍‍ଙ୍କୁ ନିର୍ଦ୍ଦେଶ ଦେଲେ । ଏହି ପାଞ୍ଚଜଣ ନେତା ଥିଲେ–ପାଇମ୍‍, ହାମ୍ପଡ଼ନ୍, ହାଜେଲରିଗ୍, ହୋଲସ୍ ଏବଂ ଷ୍ଟ୍ରୋଡ଼ ମାତ୍ର ଏମାନଙ୍କୁ ହଠାତ୍ ଗିରଫ୍‍ କରାଯାଇପାରିଲା ନାହିଁ । ରାଣୀ ଏଥିରେ କ୍ଷୁବ୍ଧ ହୋଇ ରାଜାଙ୍କୁ ଭର୍ତ୍ସନା କଲେ ଏବଂ ସେମାନଙ୍କୁ ଗିରଫ୍‍ ନକଲା ପର୍ଯ୍ୟନ୍ତ ତାଙ୍କର ମୁହଁ ଚାହିଁବେନାହିଁ ବୋଲି ପ୍ରତିଜ୍ଞା କଲେ-। ୧୬୪୨ ଖ୍ରୀ: ଜାନୁୟାରୀ ୪ ତାରିଖ ଦିନ ଚାର୍ଲସ୍‍ ଚାରିଶହ ଯୁବକ ସୈନ୍ୟଙ୍କୁ ନେଇ ପାଇମ୍‍ ପ୍ରଭୃତିଙ୍କୁ ଗିରଫ୍‍ କରିବା ସକାଶେ ନିଜେ ସଭାଗୃହରେ ପ୍ରବେଶ କଲେ । ମାତ୍ର ଇତିମଧ୍ୟରେ ପାଞ୍ଚଜଣଯାକ ନେତା ରାଜାଙ୍କର ଯୋଜନା ବିଷୟ ଜାଣିପାରି ପଳାୟନ କରିଥିଲେ । ସଭାଗୃହରେ ଚାର୍ଲସ୍‍ ବାଚସ୍ପତିଙ୍କର ଆସନ ଗ୍ରହଣ ପୂର୍ବକ ତାଙ୍କୁ ସେହି ନେତାମାନଙ୍କୁ ବାହାର କରିବାପାଇଁ ନିର୍ଦ୍ଦେଶ ଦେଲେ । ବାଚସ୍ପତି ଉଇଲିୟମ୍‍ ଲେନ୍ଥାଲ ଉତ୍ତରରେ କହିଲେ, ‘ମହାରାଜ, ଦେଖିବାପାଇଁ ମୋର ଚକ୍ଷୁ ନାହିଁ ବା କହିବାପାଇଁ ଜିହ୍ୱା ନାହିଁ । ଏହି ଗୃହର ସେବକରୂପେ ମୁଁ ଅଛି ଏବଂ ଏହି ଗୃହ ଯାହା ମୋତେ ନିର୍ଦ୍ଦେଶ ଦେଉଛି, ତାହାହିଁ କରୁଛି ।’ ରାଜା ହତାଶ ହୋଇ ଫେରିଯିବା ସମୟରେ କହିଥିଲେ, ‘ପକ୍ଷୀମାନେ ଉଡ଼ି ଯାଇଛନ୍ତି ।’

 

ରାଜାଙ୍କର ପାର୍ଲିଆମେଣ୍ଟ୍‍ ଗୃହରେ ପ୍ରବେଶ ଏବଂ ଏତାଦୃଶ ବ୍ୟବହାର ଆଦୌ ସ୍ପୃହଣୀୟ ନଥିଲା । ଏହାଦ୍ୱାରା ପାର୍ଲିଆମେଣ୍ଟ୍‍ର ସ୍ୱାଧିକାର ଭଙ୍ଗ ହେଲା ଏବଂ ସଦସ୍ୟମାନେ ଉତ୍ୟକ୍ତ ହେଲେ ।

 

ରାଜା ଆପଣାର ଶୋଚନୀୟ ବିଫଳତାରେ ଅପମାନିତ ହୋଇ ବଳ ପ୍ରୟୋଗଦ୍ୱାରା ପାର୍ଲିଆମେଣ୍ଟ୍‍କୁ ଭାଙ୍ଗିଦେବା ପାଇଁ ସ୍ଥିର କଲେ । ସେଥିପାଇଁ ସେ ଏକ ସେନାବାହିନୀ ଗଢ଼ିବାରେ ଲାଗି ପଡ଼ିଲେ । ପାର୍ଲିଆମେଣ୍ଟ୍‍ ମଧ୍ୟ ରାଜାଙ୍କର ଷଡ଼ଯନ୍ତ୍ରକୁ ପଣ୍ତ କରିଦେବା ସକାଶେ ପ୍ରସ୍ତୁତ ହେଲା । ଏହି ଉଦ୍ଦେଶ୍ୟରେ ପାଇମ୍ ପାର୍ଲିଆମେଣ୍ଟ୍‍ରେ ଏକ ସାମରିକ ଆଇନ (Militia Bill) ଗୃହୀତ କରାଇ ନେଲେ । ଏହି ଆଇନ ଅନୁସାରେ ସେନାବାହିନୀ ଉପରେ ରାଜାଙ୍କର ଅଧିକାର ଲୋପ ହୋଇ ପାର୍ଲିଆମେଣ୍ଟ୍‍ର କର୍ତ୍ତୃତ୍ୱ ଜାରି ହେଲା । ମାତ୍ର ଚାର୍ଲସ୍‍ ଏହି ବିଲ୍ ଉପରେ ସମ୍ମତି ପ୍ରଦାନ କଲେ ନାହିଁ । ଏହାପରେ ୧୬୪୨ ଖ୍ରୀ: ଜୁନ୍‍ ମାସ ୧ ତାରିଖରେ ପାର୍ଲିଆମେଣ୍ଟ୍‍ ଊନବିଂଶ ସର୍ତ୍ତ ସମ୍ୱଳିତ ଏକ ଚୁକ୍ତିପତ୍ର (Nineteen Propositions) ରାଜାଙ୍କୁ ପ୍ରଦାନ କଲା । ଏହାଦ୍ୱାରା ରାଜାଙ୍କଠାରୁ ସମସ୍ତ କ୍ଷମତା କାଢ଼ି ନେଇ ତାଙ୍କୁ ନାମକୁ ମାତ୍ର ରାଜା ହେବାପାଇଁ କୁହାଗଲା । ମାତ୍ର ରାଜା ଏହି ଚୁକ୍ତିପତ୍ର ପ୍ରତ୍ୟାଖ୍ୟାନ କଲେ । ପାର୍ଲିଆମେଣ୍ଟ୍‍ ମଧ୍ୟ ଏହା ଆଶା କରିଥିଲା । ଏହାପରେ ରାଜା ଓ ପାର୍ଲିଆମେଣ୍ଟ୍‍ ମଧ୍ୟରେ ଏକ ଗୃହଯୁଦ୍ଧ ଆରମ୍ଭ ହେଲା-

 

ଗୃହଯୁଦ୍ଧ (୧୬୪୨–୧୬୪୬) :

 

୧୬୪୨ ଖ୍ରୀ: ଅଗଷ୍ଟ ମାସରେ ଇଂଲଣ୍ତରେ ଯେଉଁ ଗୃହଯୁଦ୍ଧ ସଂଘଟିତ ହେଲା ତାହାର ମୂଳକାରଣ ଥିଲା ଚାର୍ଲସ୍‍ଙ୍କର ସ୍ୱେଚ୍ଛାଚାର ଶାସନ । ସେ ପାର୍ଲିଆମେଣ୍ଟ୍‍କୁ ଉପେକ୍ଷା କରି ଲୋକଙ୍କର ମୌଳିକ ସ୍ୱାଧୀନତାକୁ ନଷ୍ଟ କଲେ, ଅନ୍ୟାୟ ଭାବରେ ରାଜସ୍ୱ ଆଦାୟ କଲେ ଏବଂ ସାଧାରଣ ଦୋଷରେ କାରାଦଣ୍ତ ପ୍ରଦାନ କଲେ । ତେଣୁ ବିଦ୍ରୋହ ବ୍ୟତୀତ ଲୋକଙ୍କର ଅନ୍ୟ ଉପାୟ ନଥିଲା । ଏକ ପକ୍ଷରେ ଚାର୍ଲସ୍‍ଙ୍କର ଏବଂ ଅନ୍ୟ ପକ୍ଷରେ ପାର୍ଲିଆମେଣ୍ଟ୍‍ର ନେତା ପାଇମ୍‌ଙ୍କର ଅନମନୀୟତା ମଧ୍ୟ ଯୁଦ୍ଧର ଏକ କାରଣ ଥିଲା । କେତେକ ଏହାକୁ ରାଜତନ୍ତ୍ର ତଥା ସାମନ୍ତ ପ୍ରଥାର ବିରୁଦ୍ଧରେ ମଧ୍ୟବିତ୍ତ ଶ୍ରେଣୀ ଲୋକଙ୍କର ସଂଗ୍ରାମ ବୋଲି ବର୍ଣ୍ଣନା କରିଥାନ୍ତି । କେତେକଙ୍କର ମତରେ ଏହା ଏକ ରାଜନୈତିକ ଯୁଦ୍ଧ ଥିଲା, ମାତ୍ର ଅନ୍ୟ କେତେକ ଧର୍ମ ବିବାଦ ଏହାର ମୂଳକାରଣ ବୋଲି କହନ୍ତି । ଧର୍ମ ଓ ରାଜନୀତି, ରାଜତନ୍ତ୍ର ଓ ସାମନ୍ତ ପ୍ରଥା, ମଧ୍ୟବିତ୍ତ ଶ୍ରେଣୀ ଲୋକଙ୍କର ସଂଗ୍ରାମ ବୋଲି ବର୍ଣ୍ଣନା କରିଥାନ୍ତି । କେତେକଙ୍କର ମତରେ ଏହା ଏକ ରାଜନୈତିକ ଯୁଦ୍ଧ ଥିଲା, ମାତ୍ର ଅନ୍ୟ କେତେକ ଧର୍ମ ବିବାହ ଏହାର ମୂଳକାରଣ ବୋଲି କହନ୍ତି । ଧର୍ମ ଓ ରାଜନୀତି, ରାଜତନ୍ତ୍ର ଓ ସାମନ୍ତ ପ୍ରଥା, ମଧ୍ୟବିତ୍ତ ଶ୍ରେଣୀର ଅଭ୍ୟୁଦୟ, ପାର୍ଲିଆମେଣ୍ଟ୍‍ର ଅନମନୀୟତା ଏବଂ ସର୍ବୋପରି ଚାର୍ଲସ୍‍ଙ୍କର ଅନ୍ୟାୟ ଓ ଅତ୍ୟାଚାର ଏହି ଯୁଦ୍ଧପାଇଁ ଦାୟୀ ଥିଲା ବୋଲି କୁହାଯାଇପାରେ ।

 

ଗୃହଯୁଦ୍ଧଫଳରେ ସମଗ୍ର ଇଂଲଣ୍ତ ଦୁଇଟି ଦଳରେ ବିଭକ୍ତ ହେଲା । ଗୋଟିଏ ଦଳ ରାଜାଙ୍କୁ ଏବଂ ଅନ୍ୟ ଦଳ ପାର୍ଲିଆମେଣ୍ଟ୍‍କୁ ସମର୍ଥନ କଲେ । ପ୍ରତ୍ୟେକ ପ୍ରଦେଶ, ପ୍ରତ୍ୟେକ ସହର, ପ୍ରତ୍ୟେକ ଗ୍ରାମ ଏବଂ ଏପରିକି ଅନେକ ପରିବାରରେ ଉଭୟ ଦଳର ସମର୍ଥକ ଥିଲେ ! ଉତ୍ତର ଓ ପଶ୍ଚିମାଞ୍ଚଳରେ ରାଜାଙ୍କର ସମର୍ଥକ ଏବଂ ଦକ୍ଷିଣ ଓ ପୂର୍ବାଞ୍ଚଳରେ ପାର୍ଲିଆମେଣ୍ଟ୍‍ର ସମର୍ଥକମାନଙ୍କ ସଂଖ୍ୟା ବେଶୀ ଥିଲା । ତେବେ ପ୍ରତ୍ୟେକ ସ୍ଥାନରେ ପ୍ରତ୍ୟେକ ଦଳର କିଛି ନା କିଛି ସମର୍ଥକ ରହୁଥିଲେ । ଲର୍ଡ଼ ସଭାର ୮୦ ଜଣ ସଦସ୍ୟ ଏବଂ କମନ୍‌ସ ସଭାର ୧୭୫ ଜଣ ସଭ୍ୟ ରାଜାଙ୍କ ଦଳରେ ଥିଲେ । ଅନ୍ୟମାନେ ପାର୍ଲିଆମେଣ୍ଟ୍‍କୁ ସମର୍ଥନ କଲେ । ରୋମାନ୍ କାଥଲିକ୍‍ ଦଳର ସମସ୍ତେ ଏବଂ ଏଙ୍ଗ୍ଳିକାନ ଦଳର ଅଧିକାଂଶ ରାଜାଙ୍କ ପ୍ରତି ଅନୁରକ୍ତି ପ୍ରକାଶ କଲେ । ଅନ୍ୟ ପକ୍ଷରେ ପ୍ରାୟ ସମସ୍ତ ପ୍ୟୁରିଟାନ ମତବାଦୀ ପାର୍ଲିଆମେଣ୍ଟ୍‍ର ସପକ୍ଷରେ ଥିଲେ । ଗ୍ରାମାଞ୍ଚଳର ଅଧିକାଂଶ ଲୋକ ରାଜାଙ୍କର ଏବଂ ସହରାଞ୍ଚଳର ଅଧିକାଂଶ ଲୋକ ପାର୍ଲିଆମେଣ୍ଟ୍‍ର ପକ୍ଷରେ ଥିଲେ ।

 

ଉଭୟ ଦଳର କେତେକ ସୁବିଧା ଓ ଅସୁବିଧା ରହିଥିଲା । ଇଂଲଣ୍ତର ଲୋକ ସଂଖ୍ୟାର ପ୍ରାୟ ଦୁଇ ତୃତୀୟାଂଶ ପାର୍ଲିଆମେଣ୍ଟ୍‍କୁ ସମର୍ଥନ କରୁଥିଲେ । ରାଜଧାନୀ ଲଣ୍ତନ ସହର ଏବଂ ହଲ୍, ପ୍ଳାୟମାଉଥ ପ୍ରଭୃତି ବଡ଼ବଡ଼ ପୋତାଶ୍ରୟଗୁଡ଼ିକ ଏହି ଦଳର ଅଧୀନ ଥିଲା । ନୌବାହିନୀ ଉପରେ ଏହାର ପୂର୍ଣ୍ଣ କର୍ତ୍ତୃତ୍ୱ ଥିଲା । ଏହି ଦଳର ଏକ ବିରାଟ ପଦାତିକବାହିନୀ ମଧ୍ୟ ଥିଲା । ଅନ୍ୟ ପକ୍ଷରେ ରାଜାଙ୍କ ଦଳରେ ଏକ ଶକ୍ତିଶାଳୀ ଅଶ୍ୱାରୋହୀ ସେନା ଥିଲେ । ବସ୍ତୁତଃ ଏହି ସମୟରେ ଅଶ୍ୱାରୋହୀମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ଏବଂ ଯୁଦ୍ଧରେ ଜୟ ପରାଜୟ ଅନେକାଂଶରେ ଏମାନଙ୍କ ଉପରେହିଁ ନିର୍ଭର କରୁଥିଲା । ରାଜା ତାଙ୍କ ଦଳରେ ଏକତାର ପ୍ରତୀକ ଥିଲେ ଏବଂ ତାଙ୍କର ନେତୃତ୍ୱରେ ସେନାବାହିନୀ ସଂଗଠିତ ଥିଲା । ପାଲାଟିନେଟର ଫ୍ରେଡ଼େରିକ ଓ ଏଲିଜାବେଥ୍‍ଙ୍କର ପୁତ୍ର ରାଜକୁମାର ରୁପାର୍ଟ ରାଜାଙ୍କର ପ୍ରଧାନ ସେନାପତିରୂପେ ନିଯୁକ୍ତ ଥିଲେ । ସେ ଜଣେ ସାହସୀ ତଥା ଶକ୍ତିଶାଳୀ ଯୋଦ୍ଧା ଥିଲେ । ତାଙ୍କର ଯୁଦ୍ଧ କୌଶଳ ଓ ଯୋଜନା ଉନ୍ନତ ଧରଣର ଥିଲା । ପାର୍ଲିଆମେଣ୍ଟ୍‍ ଦଳର ସେନାପତି ଲର୍ଡ଼ ଏସେକ୍‌ସ ବା ଲର୍ଡ଼ ମାଞ୍ଚେଷ୍ଟର ରୁପାର୍ଟଙ୍କର ସମକକ୍ଷ ନଥିଲେ ।

 

୧୬୪୨ ଖ୍ରୀ: ଅଗଷ୍ଟ ୨୨ ତାରିଖ ଦିନ ନଟିଙ୍ଗହାମଠାରେ ରାଜାଙ୍କ ଦଳର ପତାକା ଉତ୍ତୋଳନ ହେଲା ଏବଂ ଏହା ସହିତ ଗୃହଯୁଦ୍ଧର ଆରମ୍ଭ ହେଲା । ସେହି ବର୍ଷ ଅକ୍‌ଟୋବର ମାସରେ ଏଜ୍‌ହିଲ୍ (Edgehill) ଠାରେ ଉଭୟ ଦଳ ମଧ୍ୟରେ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ସଂଘର୍ଷ ହେଲା-। ଏଜହିଲଯୁଦ୍ଧ ଅମୀମାଂସିତ ହୋଇଥିଲା ସତ; ମାତ୍ର ଏଥିରେ ରାଜାଙ୍କ ସେନାବାହିନୀର ଶ୍ରେଷ୍ଠତା ପ୍ରତିପାଦିତ ହୋଇଥିଲା । ପାର୍ଲିଆମେଣ୍ଟ୍‍ ବାହିନୀ ପରାଭବ ସ୍ୱୀକାର କଲେ ଏବଂ ଜନନେତା ହାମ୍ପଡ଼ନ ନିହତ ହେଲେ । ରାଜକୀୟ ବାହିନୀ ଷ୍ଟ୍ରାଟନ ଓ ଅଡ଼ଉଆଲଟନ୍ ମୁର୍ (Adwalton moor) ଠାରେ ମଧ୍ୟ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଜୟ ଲାଭ କଲେ । ମାତ୍ର ଚାର୍ଲସ୍‍ଙ୍କର ଗ୍ଳୋସେଷ୍ଟର ଆକ୍ରମଣ ବିଫଳତାରେ ପରିଣତ ହେଲା ଏବଂ ୧୬୪୩ ଖ୍ରୀ:ରେ ନିଉବରୀ (Newbury) ଯୁଦ୍ଧରେ ରାଜକୀୟ ସେନା ପରାଜୟ ବରଣ କଲେ । ଏପରି ଭାବରେ ଉଭୟ ପକ୍ଷର ଜୟ–ପରାଜୟ ମଧ୍ୟରେ ଗୃହଯୁଦ୍ଧ ଆଗେଇଥିଲା ।

 

୧୬୪୩ ଖ୍ରୀ: ଡିସେମ୍ୱର ମାସରେ ପାଇମ୍‍ଙ୍କର ମୃତ୍ୟୁ ହେଲା । ମାତ୍ର ତା’ ପୂର୍ବରୁ ସେ ପାର୍ଲିଆମେଣ୍ଟାରୀ ଦଳପାଇଁ ସ୍କଟ୍‍ମାନଙ୍କର ସାହାଯ୍ୟ ଓ ସମର୍ଥନ ପାଇ ପାରିଥିଲେ । ଏଥିପାଇଁ ରାଜକୀୟ ଦଳ ମଧ୍ୟ ପ୍ରବଳ ଉଦ୍ୟମ ଚଳାଇଥିଲେ । ମାତ୍ର ଶେଷରେ ସ୍କଟ୍‍ମାନେ ପାର୍ଲିଆମେଣ୍ଟ୍‍କୁ ସମର୍ଥନ କରିବାପାଇଁ ନିଷ୍ପତ୍ତି ନେଲେ । ଇଂଲଣ୍ତରେ ପ୍ରେସ୍‌ବିଟେରୀଏନ ମତବାଦର ପ୍ରତିଷ୍ଠା ସେମାନଙ୍କର ସର୍ତ୍ତ ଥିଲା । ପାଇମ୍ ଉକ୍ତ ସର୍ତ୍ତକୁ ଗ୍ରହଣ କରି ଯେଉଁ ଚୁକ୍ତିପତ୍ର ସ୍ୱାକ୍ଷର କଲେ, ତାହା ‘ପବିତ୍ର ସଂଘ ଓ ସନନ୍ଦ’ (Solemn Leagueand Covenant) ନାମରେ ଅଭିହିତ ଥିଲା । ଏହାଫଳରେ କୋଡ଼ିଏ ହଜାର ସୈନ୍ୟ ବିଶିଷ୍ଟ ଏକ ଶକ୍ତିଶାଳୀ ସ୍କଟ୍‍ବାହିନୀ ପାର୍ଲିଆମେଣ୍ଟାରୀ ଦଳରେ ଯୋଗଦେଲେ । ସାମରିକ ଭାରସାମ୍ୟ ରକ୍ଷା କରିବାପାଇଁ ରାଜା ଆୟାରଲେଣ୍ତରୁ ଏକ ସୈନ୍ୟଦଳ ସଂଗ୍ରହ କଲେ । ମାତ୍ର ଏହା ଏକ ଦୁର୍ବଳ ବାହିନୀ ଥିଲା ।

 

ଏହାପରେ ୧୬୪୪ ଖ୍ରୀ: ଜୁଲାଇ ୨ ତାରିଖ ଦିନ ମାରଷ୍ଟନ ମୁର୍ (marstonmoor) ଠାରେ ଉଭୟ ପକ୍ଷ ମଧ୍ୟରେ ଏକ ଭୟାବହ ଯୁଦ୍ଧ ସଂଘଟିତ ହେଲା । ଏଥିରେ ରାଜାଙ୍କର ସେନାବାହିନୀର ସତର ହଜାର ସୈନ୍ୟ ଏବଂ ପାର୍ଲିଆମେଣ୍ଟ୍‍ ଦଳର ପ୍ରାୟ ସତାଇଶ ହଜାର ସୈନ୍ୟ ଅଂଶଗ୍ରହଣ କରିଥିଲେ । ରାଜକୀୟ ସେନାର ନେତୃତ୍ୱ ନେଇଥିଲେ ରୁପାର୍ଟ । ପାର୍ଲିଆମେଣ୍ଟ୍‍ ବାହିନୀର ସେନାପତିରୂପେ ଫେଆର ଫେକ୍‌ସ ଓ ମାଞ୍ଚେଷ୍ଟର ଥିଲେ । ଏହାଛଡ଼ା, ଅଲିଭର କ୍ରମ୍‍ୱେଲ୍‍ ନାମକ ଜଣେ ଶକ୍ତିଶାଳୀ ସେନାପତି ଅଶ୍ୱାରୋହୀ ବାହିନୀର ଦାୟିତ୍ୱରେ ଥିଲେ । କ୍ରମ୍‍ୱେଲ୍‍ଙ୍କଠାରେ ରୁପାର୍ଟ ପ୍ରଥମ ଥରପାଇଁ ତାଙ୍କର ଜଣେ ସମକକ୍ଷ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପାଇଲେ । ଦୁଇ ତାରିଖ ଦିନ ସନ୍ଧ୍ୟା ସାତଟାରେ କ୍ରମ୍‍ୱେଲ୍‍ ଅପ୍ରତ୍ୟାଶିତ ଭାବରେ ଯୁଦ୍ଧ ଆରମ୍ଭ କଲେ । ସେତେବେଳେ ରାଜକୀୟ ବାହିନୀ ଅପ୍ରସ୍ତୁତ ଥିଲେ । କ୍ରମ୍‍ୱେଲ୍‍ଙ୍କର ଭୟାବହ ଆକ୍ରମଣର ସମ୍ମୁଖୀନ ହୋଇ ନପାରି ସେମାନେ ଛତ୍ରଭଙ୍ଗ ଦେଲେ । ରୁପାର୍ଟ ସାହସ ଓ ଧୈର୍ଯ୍ୟର ସହ ଯୁଦ୍ଧ କରି ପରାସ୍ତ ହେଲେ । ଏହାଫଳରେ ଉତ୍ତରାଞ୍ଚଳର ଛଅଟିଯାକ କାଉଣ୍ଟି ରାଜାଙ୍କୁ ହରାଇବାକୁ ପଡ଼ିଲା । (ପ୍ରଥମ ଚାର୍ଲସ୍‍ଙ୍କ ସମୟରେ ଗୃହଯୁଦ୍ଧ)

 

ମାରଷ୍ଟନ ମୁର୍‍ର ବିଜୟ ପରେ ପାର୍ଲିଆମେଣ୍ଟ୍‍ ସେନାବାହିନୀର ବିଶେଷ ଅଗ୍ରଗତି ହୋଇ ପାରିଲା ନାହିଁ । ୧୬୪୪ ଖ୍ରୀ:ର ସେପ୍‌ଟେମ୍ୱର ମାସରେ କର୍ଣ୍ଣଉଆଲର ଲଷ୍ଟ ଉଇଦିଏଲ (Lostwithiel) ଠାରେ ଏବଂ ଅକ୍‌ଟୋବର ମାସରେ ନିଉବରୀଠାରେ ସେମାନେ ଶୋଚନୀୟ ପରାଜୟ ବରଣ କଲେ । ଏଥିପାଇଁ ନେତାମାନଙ୍କୁ ଦାୟୀ କରାଗଲା ଏବଂ ଫଳରେ ପାର୍ଲିଆମେଣ୍ଟ୍‍ରେ ଏକ ଆତ୍ମ ପ୍ରତ୍ୟାଖ୍ୟାନ ଅନୁଶାସନ (Self–denying Ordinance) ଗୃହୀତ ହେଲା । ପାର୍ଲିଆମେଣ୍ଟ୍‍ର ଯେଉଁ ସଦସ୍ୟଗଣ ସେନାବାହିନୀର ନେତୃତ୍ୱ ନେଇଥିଲେ, ଏହି ଅନୁଶାସନ ଅନୁସାରେ ସେମାନେ ସେ ସବୁ ଦାୟିତ୍ୱ ପରିତ୍ୟାଗ କଲେ । ସେନାବାହିନୀକୁ ନୂତନ ଭାବରେ ସଂଗଠିତ କରାଗଲା । ମାଞ୍ଚେଷ୍ଟର ଓ ଏସେକ୍‌ସଙ୍କୁ କୌଣସି ଦାୟିତ୍ୱ ଦିଆଗଲା ନାହିଁ । ଫେଆରଫେକ୍‌ସ ପ୍ରଧାନ ସେନାପତି ହେଲେ । ସେନାବାହିନୀ ଉପରେ ତାଙ୍କର ପୂର୍ଣ୍ଣ କର୍ତ୍ତ୍ୱତ୍ୱ ରହିଲା । ପାର୍ଲିଆମେଣ୍ଟ୍‍ ମଧ୍ୟ ତାଙ୍କର କାର୍ଯ୍ୟରେ ହସ୍ତକ୍ଷେପ କରି ପାରିବ ନାହିଁ ବୋଲି ସ୍ଥିର ହେଲା-। କ୍ରମ୍‍ୱେଲ୍‍ ଫେଆରଫେକ୍‌ସଙ୍କର ଉପଦେଷ୍ଟା ତଥା ସହଯୋଗୀ ହୋଇ ରହିଲେ । ଅଶ୍ୱାରୋହୀ ବାହିନୀର ଦାୟିତ୍ୱ ତାଙ୍କୁ ଦିଆଗଲା । ଏହି ସଂଗଠନଫଳରେ ପାର୍ଲିଆମେଣ୍ଟ୍‍ର ଯେଉଁ ସେନାବାହିନୀ ଗଠିତ ହେଲା ତାହା ନୂତନ ଆଦର୍ଶ ସେନାବାହିନୀ (New Model Army) ନାମରେ ଅଭିହିତ ହେଲା । ଏଥିରେ ଦକ୍ଷ କର୍ମଚାରୀମାନେ ନିଯୁକ୍ତ ହେଲେ ଏବଂ ସେମାନଙ୍କୁ ନିୟମିତ ଦରମା ଦେବାପାଇଁ ସ୍ଥିର ହେଲା । ବସ୍ତୁତଃ ଏହା ଥିଲା ଇଂଲଣ୍ତର ସର୍ବ ପ୍ରଥମ ଜାତୀୟ ସେନାବାହିନୀ ।

 

୧୬୪୫ ଖ୍ରୀ: ଜୁନ୍‍ ୧୪ ତାରିଖ ଦିନ ଜାତୀୟ ସେନାବାହିନୀ ନାସେବୀ (Naseby) ଯୁଦ୍ଧରେ ଏକ ବିପୁଳ ବିଜୟ ଲାଭ କଲେ । ଐତିହାସିକ କ୍ଳାରେଣ୍ତନ ଲେଖିଛନ୍ତି ଯେ, ‘ନାସେବୀଠାରେ ରାଜା ଓ ରାଜ୍ୟର ଅବସାନ ହେଲା ।’ * ଏହାପରେ ରାଜାଙ୍କର ସେନାବାହିନୀରେ ଆଶା ଓ ଉତ୍ସାହ ଦେଖା ଦେଲା ନାହିଁ । ସେମାନେ ଲେଙ୍ଗପୋର୍ଟ (Langport) ଠାରେ ଆଉ ଏକ ଯୁଦ୍ଧରେ ପରାସ୍ତ ହେଲେ ଏବଂ ଫଳରେ ବ୍ରିଷ୍ଟଲ ଫେଆରଫେକ୍‌ସଙ୍କଦ୍ୱାରା ଅଧିକୃତ ହେଲା । ଇତିମଧ୍ୟରେ ମାରକୁଇସ ଅଫ ମଣ୍ଟ୍ରୋସ (Marquis of Montrose) ନାମକ ସ୍କଟ୍‍ଲ୍ୟାଣ୍ତର ଜଣେ ସୁଦକ୍ଷ ଯୋଦ୍ଧା ରାଜାଙ୍କର ସପକ୍ଷରେ ଏକ ସେନାବାହିନୀ ଗଠନ କରି ଏକ ବର୍ଷ ମଧ୍ୟରେ ଛଅଟି ଗୁରୁତ୍ୱପୂର୍ଣ୍ଣ ବିଜୟ ଲାଭ କରିଥିଲେ । ଏହାଫଳରେ ପ୍ରାୟ ସମଗ୍ର ସ୍କଟ୍‍ଲ୍ୟାଣ୍ତ ରାଜାଙ୍କର ଅଧୀନ ହେଲା । ମାତ୍ର ମଣ୍ଟ୍ରୋସ ମଧ୍ୟ ଶେଷରେ ୧୬୪୫ ଖ୍ରୀ: ସେପ୍‍ଟେମ୍ୱର ମାସରେ ପାର୍ଲିଆମେଣ୍ଟ୍‍ ବାହିନୀର ସେନାପତି ଲେସଲିଙ୍କଦ୍ୱାରା ଫିଲିପାଉ (Philipaugh) ଠାରେ ଶୋଚନୀୟ ଭାବରେ ପରାସ୍ତ ହେଲେ । ଚାର୍ଲସ୍‍ ଅନନ୍ୟୋପାୟ ହୋଇ ୧୬୪୬ ଖ୍ରୀ: ମେ ମାସରେ ଆତ୍ମସମର୍ପଣ କଲେ । ଏହା ସହିତ ଇଂଲଣ୍ତ ଓ ସ୍କଟ୍‍ଲ୍ୟାଣ୍ତରେ ଗୃହଯୁଦ୍ଧର ଅବସ୍ଥାନ ହେଲା ।

 

* ‘The King and the kingdom were lost at Naseby.’

 

ଏହାପରେ ଚାର୍ଲସ୍‍ ଆପଣାର ପୁନଃ ପ୍ରତିଷ୍ଠାପାଇଁ ବିଭିନ୍ନ ଦଳ ସହିତ କଥାବାର୍ତ୍ତା ଆରମ୍ଭ କଲେ । ଏହି ସମୟରେ ରାଜତନ୍ତ୍ରର ଧ୍ୱଂସ ସାଧନପାଇଁ କେହି ଇଚ୍ଛା କରୁ ନଥିଲେ । ତେଣୁ ସେ ସାଧୁତା ଓ ଆନ୍ତରିକତାର ସହ ଉଦ୍ୟମ ଚଳାଇଥିଲେ ନିଶ୍ଚୟ ସଫଳ ହୋଇ ପାରିଥାନ୍ତେ । ମାତ୍ର ସେ ତାହା ନକରି ବିଭିନ୍ନ ଦଳ ସହ କପଟ ଷଡ଼ଯନ୍ତ୍ରରେ ଲିପ୍ତ ରହିଲେ । ପରିଶେଷରେ ଏହାହିଁ ତାଙ୍କର ସର୍ବନାଶର କାରଣ ହେଲା । ଚାର୍ଲସ୍‍ ପ୍ରଥମେ ସ୍କଟ୍‍ ସେନାବାହିନୀ ସହ କଥାବାର୍ତ୍ତା କଲେ । ମାତ୍ର ସ୍କଟ୍‍ମାନେ ‘ପବିତ୍ର ସଂଘ ଓ ସନନ୍ଦ’ ଅନୁସାରେ ଇଂଲଣ୍ତରେ ପ୍ରେସ୍‍ବିଟେରୀଏନ ମତବାଦର ପ୍ରତିଷ୍ଠାପାଇଁ ରାଜାଙ୍କଠାରୁ ପ୍ରତିଶ୍ରୁତି ଦାବି କଲେ । ରାଜା ଏହି ସର୍ତ୍ତ ଗ୍ରହଣ କଲେ ନାହିଁ । ତେଣୁ ସ୍କଟ୍‍ ବାହିନୀ ଚାରିଲକ୍ଷ ପାଉଣ୍ତ ବଦଳରେ ପାର୍ଲିଆମେଣ୍ଟ୍‍ ଦଳଠାରେ ରାଜାଙ୍କୁ ବିକ୍ରୟ କରି ଦେଲେ ।

 

ଏହି ସମୟରେ ପାର୍ଲିଆମେଣ୍ଟ୍‍ ଓ ନୂତନ ଆଦର୍ଶ ସେନାବାହିନୀ ମଧ୍ୟରେ କଳହର ସୂତ୍ରପାତ ହେଲା । ସେନାବାହିନୀରେ ପ୍ରାୟ ପଚାଶ ହଜାର ସୁଦକ୍ଷ, ଶୃଙ୍ଖଳିତ ତଥା ଢାଳିମପ୍ରାପ୍ତ ସୈନ୍ୟ ଥିଲେ । ରାଜନୀତିରେ ସେମାନଙ୍କର ହସ୍ତକ୍ଷେପ ଗୁରୁତ୍ୱପୂର୍ଣ୍ଣ ଥିଲା । ଧର୍ମ କ୍ଷେତ୍ରରେ ଏମାନେ ପ୍ରାୟ ନିର୍ଦଳୀୟ ଥିଲେ । ଏମାନେ ଏଙ୍ଗ୍ଳିକାନ ବିଶପ୍‍ମାନଙ୍କର କ୍ଷମତା ଚାହୁଁ ନଥିଲେ କିମ୍ୱା ପ୍ରେସ୍‍ବିଟେରୀଏନ ମତବାଦର ପ୍ରତିଷ୍ଠାର ସପକ୍ଷରେ ନଥିଲେ । କିନ୍ତୁ ସବୁ ସଂପ୍ରଦାୟ ପ୍ରତି ସହିଷ୍ଣୁ ମନୋଭାବ ଦେଖାଇ ସେମାନଙ୍କୁ ସମାନ ଧରଣର ସୁଯୋଗ ଓ ସୁବିଧା ଦେବା ସେମାନଙ୍କର ନୀତି ଥିଲା । ଅନ୍ୟ ପକ୍ଷରେ ପ୍ରେସ୍‍ବିଟେରୀଏନ ମତବାଦର ପ୍ରତିଷ୍ଠାହିଁ ପାର୍ଲିଆମେଣ୍ଟ୍‍ର ଉଦ୍ଦେଶ୍ୟ ଥିଲା । ତେଣୁ ଉଭୟଙ୍କର ଧର୍ମନୀତିର ସଂଘର୍ଷ ହେଲା । ପାର୍ଲିଆମେଣ୍ଟ୍ ସେନାବାହିନୀକୁ ଭାଙ୍ଗିଦେବା ପାଇଁ ଉଦ୍ୟମ କଲା । ଏପରିକି ସୈନ୍ୟମାନଙ୍କର ବାକିଆ ଦରମା ମଧ୍ୟ ଦିଆଗଲା ନାହିଁ । ଫଳରେ ସେନାବାହିନୀ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଲା । ତେଣୁ କ୍ରମ୍‍ୱେଲ୍‍ଙ୍କର ନିର୍ଦ୍ଦେଶକ୍ରମେ କରନେଟ ଜଏସ୍ (Cornet Joyce) ୧୬୪୭ ଖ୍ରୀ: ଜୁନ୍‍ ମାସରେ ରାଜାଙ୍କୁ ହରଣଚାଳ କରି ନେଇ ସେନାବାହିନୀର ମୁଖ୍ୟ କାର୍ଯ୍ୟାଳୟ ନିଉ ମାର୍କେଟରେ ବନ୍ଦୀ କରି ରଖିଲେ । ଏହାପରେ ରାଜାଙ୍କର ପୁନଃ ପ୍ରତିଷ୍ଠାପାଇଁ କ୍ରମଉଏଲଙ୍କର ଜାମାତା ଆଇରଟନଙ୍କ (Ireton) ଦ୍ୱାରା ପ୍ରସ୍ତୁତ କେତେକ ସର୍ତ୍ତ ଉପସ୍ଥାପିତ କରାଗଲା । ଏହା ‘ପ୍ରସ୍ତାବମାନଙ୍କର ମୁଖ୍ୟ’ (Heads of Proposals) ନାମରେ ଅଭିହିତ ଥିଲା । ସବୁ ପ୍ରକାର ପ୍ରୋଟେଷ୍ଟାଣ୍ଟ୍ ମତବାଦ ପ୍ରତି ସହନଶୀଳତା, ନିର୍ବାଚନ ବିଷୟରେ ସଂସ୍କାର, ପାର୍ଲିଆମେଣ୍ଟ୍‍ର ନିୟମିତ ଅଧିବେଶନ, ସାଧାରଣସଭା ଗୃହର କ୍ଷମତା ବୃଦ୍ଧି, ରାଜାଙ୍କ କାଉନ୍‌ସିଲ୍‍ର ପୁନର୍ଗଠନ, ଦଶବର୍ଷ ପର୍ଯ୍ୟନ୍ତ ସେନାବାହିନୀ ଉପରେ ପାର୍ଲିଆମେଣ୍ଟ୍‍ର କର୍ତ୍ତୃତ୍ୱ, ଦଶବର୍ଷ ପର୍ଯ୍ୟନ୍ତ ପାର୍ଲିଆମେଣ୍ଟ୍‍ଦ୍ୱାରା ମନ୍ତ୍ରୀମାନଙ୍କର ନିଯୁକ୍ତି ପ୍ରଭୃତି ବିଷୟ ସର୍ତ୍ତାବଳୀର ଅନ୍ତର୍ଗତ ଥିଲା । ଅନେକ ଉଚ୍ଚ ସାମରିକ କର୍ମଚାରୀଙ୍କର ମତରେ ଏହା ଏକ ରକ୍ଷଣଶୀଳ ତଥା ଉଦାର ପ୍ରସ୍ତାବ ଥିଲା । ମାତ୍ର ଚାର୍ଲସ୍‍ ନିର୍ବୋଧ ଭାବରେ ଏହାର ପ୍ରତ୍ୟାଖ୍ୟାନ କଲେ ।

 

ତଦନ୍ତର ଚାର୍ଲସ୍‍ ସ୍କଟ୍‍ମାନଙ୍କ ସହ ପୁଣି ଏକ ରାଜିନାମାରେ ପହଞ୍ଚିବା ପାଇଁ ଉଦ୍ୟମ କଲେ । ଏହି ସମୟରେ ସ୍କଟ୍‍ଲ୍ୟାଣ୍ତର ସମ୍ଭ୍ରାନ୍ତ ଶ୍ରେଣୀ ରାଜାଙ୍କର ସପକ୍ଷରେ ଥିଲେ । ଇଂରେଜ ସେନାବାହିନୀର ସଫଳତାରେ ସେମାନେ କ୍ଷୁବ୍ଧ ଥିଲେ । ଇଂଲଣ୍ତରେ ପ୍ରେସ୍‌ବିଟେରୀଏନ ମତବାଦର ପ୍ରତିଷ୍ଠା ହୋଇ ପାରିବ ବୋଲି ତଥାପି ସେମାନଙ୍କର ଆଶା ଥିଲା । ସେମାନଙ୍କ ସହିତ କଥାବାର୍ତ୍ତା କରିବା ସକାଶେ ଚାର୍ଲସ୍‍ ୧୬୪୭ ଖ୍ରୀ: ନଭେମ୍ୱର ମାସରେ ହୁଇଟ ଦ୍ୱୀପର କେରିସବ୍ରୁକ୍ (Carisbrooke) ଦୁର୍ଗକୁ ପଳାୟନ କଲେ । ସେଠାରେ ଡିସେମ୍ୱର ୨୭ ତାରିଖ ଦିନ ରାଜା ଓ ସ୍କଟ୍‍ମାନଙ୍କ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହେଲା । ଏଥିରେ ଚାର୍ଲସ୍‍ ଇଂଲଣ୍ତରେ ପ୍ରେସ୍‍ବିଟେରୀଏନ ମତବାଦର ତିନିବର୍ଷ ପର୍ଯ୍ୟନ୍ତ ପୁନଃ ପ୍ରତିଷ୍ଠାପାଇଁ ପ୍ରତିଶ୍ରୁତି ଦେଲେ । ଏହାଫଳରେ ଇଂଲଣ୍ତ ଓ ସ୍କଟ୍‍ଲ୍ୟାଣ୍ତ ମଧ୍ୟରେ ଦ୍ୱିତୀୟ ଗୃହଯୁଦ୍ଧର ଆରମ୍ଭ ହେଲା । ଏହି ଯୁଦ୍ଧ ଅଳ୍ପ କେତେକ ମାସ ମଧ୍ୟରେ ଶେଷ ହୋଇ ଯାଇଥିଲେହେଁ ଏଥିରେ ଭୟାବହ କ୍ଷତି ଘଟିଥିଲା । ସେନାପତି ହାମିଲଟନ ଏକ ସ୍କଟ୍‍ ସେନାବାହିନୀ ନେଇ ଇଂଲଣ୍ତ ଉପରେ ଆକ୍ରମଣ କଲେ । ରାଜାଙ୍କୁ ସମର୍ଥନ କରି କେଣ୍ଟ ଓ ଏସେକ୍‌ସଠାରେ ବିଦ୍ରୋହ ବହ୍ନି ଜଳି ଉଠିଲା । ଇଂଲଣ୍ତର ନୂତନ ଆଦର୍ଶ ସେନାବାହିନୀ ସାହସର ସହ ଏହି ପରିସ୍ଥିତିର ସମ୍ମୁଖୀନ ହେଲା । ଫେଆର ଫେକ୍‌ସ ଦୃଢ଼ତାର ସହ ଆଭ୍ୟନ୍ତରୀଣ ବିଦ୍ରୋହକୁ ଦମନ କଲେ । ୧୬୪୮ ଖ୍ରୀ: ଅଗଷ୍ଟ ମାସରେ ପ୍ରେଷ୍ଟନ କ୍ଷେତ୍ରରେ କ୍ରମ୍‍ୱେଲ୍‍ ହାମିଲଟନଙ୍କୁ ଶୋଚନୀୟ ଭାବରେ ପରାସ୍ତ କରି ଦଶସହସ୍ର ଶତ୍ରୁ ସୈନ୍ୟଙ୍କୁ ବନ୍ଦୀ କଲେ । ଏହି ବିଜୟ ପରେ କ୍ରମ୍‍ୱେଲ୍‍ଙ୍କର ଶକ୍ତି ଓ ପ୍ରଭାବ ବଢ଼ିଗଲା । ବସ୍ତୁତଃ ସେ ଇଂଲଣ୍ତର ଏକଛତ୍ରାଧିପତି ହୋଇ ଉଠିଲେ ।

 

ଏହାପରେ ମଧ୍ୟ ପାର୍ଲିଆମେଣ୍ଟ୍‍ ରାଜାଙ୍କ ସହିତ ଏକ ରାଜିନାମାରେ ପହଞ୍ଚିବା ପାଇଁ ଉଦ୍ୟମ କଲା । ମାତ୍ର ଏଥିପାଇଁ କ୍ରମଉଏଲଙ୍କର ଆଉ ଧୈର୍ଯ୍ୟ ନଥିଲା । ସେ ରାଜାଙ୍କର ଦେବଦତ୍ତ ଅଧିକାରକୁ ପ୍ରତ୍ୟାଖ୍ୟାନ କଲେ ଏବଂ ଚାର୍ଲସ୍‍ଙ୍କୁ ଦ୍ୱିତୀୟ ଗୃହଯୁଦ୍ଧ ପାଇଁ ଦାୟୀ କରି ଉପଯୁକ୍ତ ଦଣ୍ତ ଦେବାପାଇଁ ଦୃଢ଼ ପରିକର ହେଲେ । ପାର୍ଲିଆମେଣ୍ଟ୍‍ର ଯେଉଁ ସଦସ୍ୟଗଣ ରାଜାଙ୍କୁ ସମର୍ଥନ କରୁଥିଲେ, ତାଙ୍କୁ ବଳାତ୍କାର ବହିଷ୍କାର କରିଦେବା ପାଇଁ କ୍ରମ୍‍ୱେଲ୍‍ କର୍ଣ୍ଣେଲ ପ୍ରାଇଡ଼ଙ୍କୁ ନିର୍ଦ୍ଦେଶ ଦେଲେ । ତଦନୁସାରେ ପ୍ରାଇଡ଼ ୧୬୪୮ ଖ୍ରୀ: ଡିସେମ୍ୱର ୬ ତାରିଖ ଦିନ ୧୪୮ ଜଣ ସଦସ୍ୟଙ୍କୁ ସାଧାରଣସଭା ଗୃହରେ ପ୍ରବେଶ କରିଦେଲେ ନାହିଁ । ଏହାକୁ ପ୍ରାଇଡ଼ଙ୍କର ବହିଷ୍କରଣ (Pride’s purge) ବୋଲି କୁହାଯାଏ । ଅବଶିଷ୍ଟ ଅଳ୍ପ ସଂଖ୍ୟକ ସଦସ୍ୟଙ୍କୁ ନେଇ ଯେଉଁ ପାର୍ଲିଆମେଣ୍ଟ୍‍ ବସିଲା, ତାହା ରମ୍ପ ପାର୍ଲିଆମେଣ୍ଟ୍‍ (The rump) ନାମରେ ଅଭିହିତ ହୁଏ । ଚାର୍ଲସ୍‍ଙ୍କର ଦେଶଦ୍ରୋହ ଅପରାଧର ବିଚାର ଏକ ସ୍ୱତନ୍ତ୍ର ଅଦାଲତରେ କରିବାପାଇଁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଏହି ପାର୍ଲିଆମେଣ୍ଟ୍‍ରେ ଗୃହୀତ ହେଲା । ଏହା ଅଦାଲତରେ ୧୩୫ଜଣ ବିଚାରକଙ୍କୁ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ତନ୍ମଧ୍ୟରୁ ପଚାଶ ଜଣ ଏଥିରେ ଯୋଗ ଦେବାପାଇଁ ମନାକଲେ । ଏହାର ପ୍ରଧାନ ବିଚାରପତି ଥିଲେ ଜନ ବ୍ରାଡ଼ଶ । ଉକ୍ତ ଅଦାଲତରେ ଏକ ବ୍ୟଙ୍ଗ ବିଚାର ପରେ ରାଜାଙ୍କୁ ପ୍ରାଣଦଣ୍ତ ଦେବାପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । ରାଜତନ୍ତ୍ରବାଦୀମାନେ ଏହାର ପ୍ରତିବାଦ କଲେ । ଚାର୍ଲସ୍‍ଙ୍କର ଜ୍ୟେଷ୍ଠ ପୁତ୍ର ପିତାଙ୍କର ପ୍ରାଣରକ୍ଷା ପାଇଁ ସେ ଯେକୌଣସି ସର୍ତ୍ତ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଆପଣାର ଦସ୍ତଖତ ସହ ଏକ ସାଦା କାଗଜ ପାର୍ଲିଆମେଣ୍ଟ୍‍କୁ ପଠାଇଲେ । ମାତ୍ର କୌଣସି ଥିରେ କିଛି ଫଳ ହେଲା ନାହିଁ । ଶେଷରେ ୧୬୪୯ ଖ୍ରୀ: ଜାନୁୟାରୀ ୩୦ ତାରିଖ ଦିନ ଅପରାହ୍ନ ଦୁଇଘଣ୍ଟା ଚାରି ମିନିଟ ସମୟରେ ଚାର୍ଲସ୍‍ଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଗଲା । ଜୀବନର ଶେଷ ମୁହୂର୍ତ୍ତରେ ଚାର୍ଲସ୍‍ ରାଜୋଚିତ ଧୈର୍ଯ୍ୟ ଓ ସାହସ ପ୍ରଦର୍ଶନ କରିଥିଲେ ।

Image

 

Unknown

ଅଷ୍ଟମ ଅଧ୍ୟାୟ

ସାଧାରଣତନ୍ତ୍ର ଓ କ୍ରମ୍‍ୱେଲ୍ (୧୬୪୬–୧୬୬୦)

 

୧୬୨୯ ଖ୍ରୀ:ରୁ ୧୬୪୦ ଖ୍ରୀ: ପର୍ଯ୍ୟନ୍ତ ଏଗାରବର୍ଷକାଳ ଇଂଲଣ୍ତକୁ ବିନା ପାର୍ଲିଆମେଣ୍ଟ୍‍ରେ ରାଜା ଶାସନ କରିଥିଲେ । ସେହିପରି ୧୬୪୯ ଖ୍ରୀ:ରୁ ୧୬୬୦ ଖ୍ରୀ: ପର୍ଯ୍ୟନ୍ତ ଏଗାରବର୍ଷକାଳ ତାହା କେବଳ ପାର୍ଲିଆମେଣ୍ଟ୍‍ଦ୍ୱାରା ରାଜାଙ୍କ ବିନା ଶାସିତ ହେଲା । ଏହି ସମୟରେ ଅନେକ ସାମ୍ୱିଧାନିକ ପରିବର୍ତ୍ତନ ଇଂଲଣ୍ତର ଶାସନ କ୍ଷେତ୍ରରେ ସାଧିତ ହେଲା । ମାତ୍ର ସେ ସବୁ ବିଫଳତାରେ ପରିଣତ ହୋଇ କ୍ରମେ ସେହି ଦେଶ ଏକଛତ୍ରବାଦ ଆଡ଼କୁ ଗତି କଲା ଏବଂ ଶେଷରେ ୧୬୬୦ ଖ୍ରୀ:ରେ ରାଜତନ୍ତ୍ରର ପୁନଃ ପ୍ରତିଷ୍ଠା ହେଲା । ଏହିପରିଭାବେ ଏହି ସମୟରେ ଇଂଲଣ୍ତର ସାମ୍ୱିଧାନିକ ଇତିହାସ ରମ୍ପ ପାର୍ଲିଆମେଣ୍ଟ୍‍ରୁ ଆରମ୍ଭ ହୋଇ ରାଜତନ୍ତ୍ରରେ ଅବସାନ ହେଲା ।

 

ରମ୍ପ ପାର୍ଲିଆମେଣ୍ଟ୍‍ (Rump Parliament)

 

୧୬୪୮ ଖ୍ରୀ: ଡିସେମ୍ୱର ୬ ତାରିଖ ଦିନ ‘ପ୍ରାଇଡ଼ଙ୍କର ବହିଷ୍କରଣ’ ଫଳରେ ରମ୍ପ ପାର୍ଲିଆମେଣ୍ଟ୍‍ର ସୃଷ୍ଟି ହୋଇଥିଲା । ପୂର୍ବତନ ପାର୍ଲିଆମେଣ୍ଟ୍‍ରେ ଚାରିଶହ ନବେଜଣ ସଦସ୍ୟ ଥିବା ସ୍ଥଳେ ଏହି ପାର୍ଲିଆମେଣ୍ଟ୍‍ରେ ପ୍ରାୟ ନବେଜଣ ସଦସ୍ୟ ଥିଲେ । ସେଥିପାଇଁ ଏହାକୁ ବ୍ୟଙ୍ଗୋକ୍ତିରେ ରମ୍ପ ବୋଲି କୁହାଯାଏ । ରମ୍ପର ଅର୍ଥ ଲାଙ୍ଗୁଡ଼ର ଶେଷଭାଗ ।

 

୧୬୪୯ ଖ୍ରୀ: ଜାନୁୟାରୀ ୪ ତାରିଖ ଦିନ ରମ୍ପରେ ଘୋଷିତ ହେଲା ଯେ ‘‘ଭଗବାନଙ୍କ ତଳେ ସାଧାରଣ ଜନତାହିଁ ପ୍ରକୃତ କ୍ଷମତାର ଉତ୍ସ ଅଟନ୍ତି ।’’ ଜାନୁୟାରୀ ୩୦ ତାରିଖରେ ଏହି ପାର୍ଲିଆମେଣ୍ଟ୍‍ର ନିର୍ଦ୍ଦେଶରେ ରାଜା ପ୍ରଥମ ଚାର୍ଲସ୍‍ଙ୍କୁ ପ୍ରାଣଦଣ୍ତ ଦିଆଗଲା । ଏହାପରେ ଲର୍ଡ଼ ସଭାକୁ ‘ଅନାବଶ୍ୟକ ତଥା ବିପଜ୍ଜନକ’ ବୋଲି ଭାଙ୍ଗି ଦିଆଗଲା ଏବଂ ରାଜପଦବୀକୁ ଉଠାଇ ଦିଆଗଲା । ତଦନନ୍ତର ଇଂଲଣ୍ତ ଏକ ସାଧାରଣତନ୍ତ୍ର ତଥା ସ୍ୱାଧୀନ ରାଷ୍ଟ୍ରରୂପେ ଘୋଷିତ ହେଲା । ଏକ ରାଜ୍ୟସଭା ବା ଷ୍ଟେଟ୍ କାଉନ୍‌ସିଲ୍ (Council of State)ର ହାତରେ ସମସ୍ତ ପ୍ରଶାସନିକ କ୍ଷମତା ନ୍ୟସ୍ତ ହେଲା । ପାର୍ଲିଆମେଣ୍ଟ୍‍ର ୩୧ଜଣ ସଦସ୍ୟଙ୍କ ସମେତ କାଉନ୍‌ସିଲ୍‍ରେ ସର୍ବମୋଟ ୪୧ ଜଣ ସଦସ୍ୟ ରହୁଥିଲେ । ପ୍ରତିବର୍ଷ କାଉନ୍‌ସିଲ୍ ପାର୍ଲିଆମେଣ୍ଟ୍‍ଦ୍ୱାରା ନିର୍ବାଚିତ ହେଉଥିଲା । ଏହା କେତେକ ସମିତିରେ ବିଭକ୍ତ ଥିଲା ଏବଂ ସେଗୁଡ଼ିକ ବିଭିନ୍ନ ବିଭାଗର ଦାୟିତ୍ୱରେ ଥିଲେ । ଲର୍ଡ଼ସଭା ତଥା ରାଜାଙ୍କର ଆୟତ୍ତରୁ ମୁକ୍ତ ହୋଇ ରମ୍ପ ପାର୍ଲିଆମେଣ୍ଟ୍‍ ସର୍ବଶକ୍ତିମାନ ହୋଇ ଉଠିଲା । ୧୬୪୯ ଖ୍ରୀ: ଜୁଲାଇ ମାସରେ ଏଥିରେ ଦେଶଦ୍ରୋହ ଅପରାଧ ଆଇନ ଗୃହୀତ ହେଲା ଏବଂ ଫଳରେ ପାର୍ଲିଆମେଣ୍ଟ୍‍କୁ ସମାଲୋଚନା କଲେ, ତାହା ଦେଶଦ୍ରୋହ ଅପରାଧରେ ପରିଗଣିତ ହେଲା । ସେପ୍‍ଟେମ୍ୱର ମାସରେ ପ୍ରେସ୍ ଆଇନ ପ୍ରଣୀତ ହୋଇ ସମ୍ୱାଦପତ୍ର ପ୍ରଭୃତିକୁ ଆୟତ୍ତ କରାଗଲା ସାଧାରଣତନ୍ତ୍ରର ଶତ୍ରୁମାନଙ୍କ ବିଚାରପାଇଁ ବାରଜଣ ବିଚାରପତିଙ୍କୁ ନେଇ ଏକ ସ୍ୱତନ୍ତ୍ର ଅଦାଲତ ସ୍ଥାପିତ ହେଲା । ରମ୍ପ ପାର୍ଲିଆମେଣ୍ଟ୍‍ ଶକ୍ତି ଫେଆରଫକ୍‌ସ ଓ କ୍ରମଉଏଲଙ୍କଦ୍ୱାରା ପରିଚାଳିତ ‘ନୂତନ ଆଦର୍ଶ ସେନାବାହିନୀ’ (New Model Army) ଉପରେ ଆଧାରିତ ଥିଲା । ଫଳରେ ଜନସାଧାରଣ ଭୟଭୀତ ହୋଇ ରହିଥିଲେ ।

 

ରାଜତନ୍ତ୍ରବାଦୀଙ୍କର ବିଦ୍ରୋହ :

 

ପ୍ରଥମ ଚାର୍ଲସ୍‍ଙ୍କ ମୃତ୍ୟୁପରେ ତାଙ୍କର ଜ୍ୟେଷ୍ଠ ପୁତ୍ରଙ୍କୁ ରାଜତନ୍ତ୍ରବାଦୀମାନେ ଦ୍ୱିତୀୟ ଚାର୍ଲସ୍‍ ନାମରେ ରାଜାରୂପେ ଗ୍ରହଣ କଲେ । ଇଂଲଣ୍ତରେ ଏମାନେ ସଂଖ୍ୟାଲଘୁ ଥିଲେ ଏବଂ କ୍ରମ୍‍ୱେଲ୍‍ଙ୍କର ଆତଙ୍କ ରାଜରେ ଶଙ୍କିତ ହୋଇ ରହିଥିଲେ । ମାତ୍ର ସ୍କଟ୍‍ଲ୍ୟାଣ୍ତ ଓ ଆୟାରଲେଣ୍ତର ଏମାନେ ବିପୁଳ ସମର୍ଥନ ପାଇ ପାରିଲେ । ତେଣୁ ଏହି ଦୁଇ ଦେଶରେ ସେମାନଙ୍କର ବିଦ୍ରୋହ–ବହ୍ନି ଜଳି ଉଠିଲା ।

 

(୧) ଆୟାରଲେଣ୍ତ:–ପ୍ରଥମ ଚାର୍ଲସ୍‍ଙ୍କର ପ୍ରାଣଦଣ୍ତ ପରେ ଆରମୋଣ୍ଢ (Ormonde) ଆୟାରଲେଣ୍ତର ରାଜତନ୍ତ୍ରବାଦୀମାନଙ୍କୁ ସଂଗଠିତ କରି ବିଦ୍ରୋହର ସୂତ୍ରପାତ କଲେ । ସେ କାଥଲିକ୍‍ମାନଙ୍କ ସହ ମଧ୍ୟ ଏକ ଚୁକ୍ତି କରି ସେମାନଙ୍କର ସମର୍ଥନ ଲାଭ କଲେ । ଫଳରେ ଆୟାରଲେଣ୍ତରେ ଇଂରେଜମାନଙ୍କର ଅବସ୍ଥା ସଙ୍କଟାପନ୍ନ ହେଲା । ବିଶେଷତଃ ୱେକ୍‌ସ ଫୋର୍ଡ଼ (Wexford) ଓ ଡ୍ରୋଘେଡ଼ା (Drogheda)ରେ ବିପ୍ଳବ ଗୁରୁତର ଆକାର ଧାରଣ କଲା । ବିପ୍ଳବୀମାନଙ୍କୁ ଦମନ କରିବାପାଇଁ କ୍ରମଉଏଲ ଦଶହଜାର ସୈନ୍ୟ ନେଇ ଆୟାରଲେଣ୍ତରେ ପହଞ୍ଚିଲେ । ୧୬୪୯ ଖ୍ରୀ: ଅଗଷ୍ଟ ମାସରେ ସେ ଡ୍ରୋଘେଡ଼ାଠାରେ ଅରମୋଣ୍ତଙ୍କୁ ପରାସ୍ତ କଲେ । ଏହାପରେ କ୍ରମଉଏଲଙ୍କର ନିର୍ମମ ହତ୍ୟାକାଣ୍ତର ଆରମ୍ଭ ହେଲା । ସ୍ତ୍ରୀ, ପୁରୁଷ, ବାଳକ ଓ ବୃଦ୍ଧ ସମସ୍ତଙ୍କୁ ସେ ନିର୍ମମ ଭାବରେ ହତ୍ୟା କଲେ । ଏହାପରେ ସେ ୱେକ୍‌ସ ଫୋର୍ଡ଼ ଆକ୍ରମଣ କରି ସେଠାରେ ମଧ୍ୟ ହତ୍ୟାର ତାଣ୍ତବ ଲୀଳା ଚଳାଇଲେ । ଏହାଫଳରେ ବିଦ୍ରୋହୀମାନେ ଭୟଭୀତ ହେଲେ । ୧୬୫୦ ଖ୍ରୀ: ବେଳକୁ ଆୟାରଲେଣ୍ତର ପ୍ରାୟ ତ୍ରୟ ଚତୁର୍ଥାଂଶ କ୍ରମ୍‍ୱେଲ୍‍ଙ୍କର ଅଧୀନ ହେଲା । ସେ ଦେଶର ଅବଶିଷ୍ଟାଂଶ ଜୟ କରିବାପାଇଁ କ୍ରମ୍‍ୱେଲ୍‍ ଆପଣାର ଜାମାତା ଆଇରଟନ୍ ଓ ଲୁଡ଼ଲୋଙ୍କୁ ଦାୟିତ୍ୱ ଦେଇ ଇଂଲଣ୍ତ ପ୍ରତ୍ୟାବର୍ତ୍ତନ କଲେ ।

 

(୨) ସ୍କଟ୍‍ଲାଣ୍ତ୍‍:– ସ୍କଟ୍‍ଲାଣ୍ତ୍‍ର ବିଦ୍ରୋହ ଆୟାରଲାଣ୍ତ୍‍ର ବିଦ୍ରୋହ ଅପେକ୍ଷା ଗୁରୁତର ଥିଲା । ସେ ଦେଶରେ ରାଜାଙ୍କର ସମର୍ଥକମାନଙ୍କର ଦୁଇଟି ଦଳ ଥିଲା । ସେନାପତି ମଣ୍ଟ୍ରୋସଙ୍କ ନେତୃତ୍ୱରେ ଗୋଟିଏ ଦଳ ଚରମପନ୍ଥୀ ଥିଲେ । କୌଣସି ସର୍ତ୍ତକୁ ଅପେକ୍ଷା ନକରି ଅବିଳମ୍ୱେ ଇଂଲଣ୍ତ ଆକ୍ରମଣ ଏମାନଙ୍କର ଲକ୍ଷ୍ୟ ଥିଲା । ମାତ୍ର ଆର୍‌ଗିଲଙ୍କ ନେତୃତ୍ୱରେ ବୃହତ୍ତର ଦଳ ଦ୍ୱିତୀୟ ଚାର୍ଲସ୍‍ ଇଂଲଣ୍ତ, ଆୟାରଲାଣ୍ତ୍‍ ତଥା ସ୍କଟ୍‍ଲାଣ୍ତ୍‍ରେ ପ୍ରେସ୍‌ବିଟେରୀଏନ ମତବାଦର ପ୍ରତିଷ୍ଠାପାଇଁ ସମ୍ମତ ହେଲାପରେହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସ୍ଥିର କଲେ ।

 

ମଣ୍ଟ୍ରୋସ ଦଳେ ପାହାଡ଼ିଆ ସୈନ୍ୟଙ୍କୁ ନେଇ ବିଦ୍ରୋହ ଆରମ୍ଭ କଲେ । ମାତ୍ର ସେ ୧୬୫୦ ଖ୍ରୀ: ମେ ମାସରେ ଏଡ଼ିନବରାର ଗ୍ରାସମାକେଟଠାରେ ପରାସ୍ତ ହୋଇ ଶୋଚନୀୟ ଭାବରେ ନିହତ ହେଲେ । ଏହାର ଅଳ୍ପ କେତେ ଦିନ ପୂର୍ବରୁ ଦ୍ୱିତୀୟ ଚାର୍ଲସ୍‍ ଆରଗିଲଙ୍କ ସର୍ତ୍ତ ଗ୍ରହଣ କରି ନେଇଥିଲେ । ଫଳରେ ସମଗ୍ର ସ୍କଟ୍‍ଲାଣ୍ତ୍ ତାଙ୍କୁ ସମର୍ଥନ କଲା । ଫ୍ରାନ୍‌ସରୁ ଆସି ଚାର୍ଲସ୍‍ ସ୍କଟ୍‍ଲାଣ୍ତ୍‍ରେ ପ୍ରବେଶ କଲେ ।

 

ଇତିମଧ୍ୟରେ କ୍ରମ୍‍ୱେଲ୍ ଆୟାରଲାଣ୍ତ୍‍ର ବିଦ୍ରୋହ ଦମନ କରି ଇଂଲଣ୍ତକୁ ଫେରି ଆସିଥିଲେ । ବର୍ତ୍ତମାନ ସେ ସ୍କଟ୍‍ଲାଣ୍ତ୍ ଆକ୍ରମଣର ଦାୟିତ୍ୱ ନେଲେ । ୧୬୫୦ ଖ୍ରୀ:ର ସେପ୍‌ଟେମ୍ୱର ମାସ ୩ ତାରିଖରେ କ୍ରମ୍‍ୱେଲ୍ ଡନବାରଠାରେ ଲେସଲିଙ୍କ ନେତୃତ୍ୱରେ ଏକ ବିରାଟ ସ୍କଟ୍‍ ସେନାର ସମ୍ମୁଖୀନ ହେଲେ । ସ୍କଟ୍‍ ବାହିନୀର ତୁଳନାରେ ଇଂରେଜ ସେନା ଅତ୍ୟନ୍ତ ଦୁର୍ବଳ ଥିଲା । ଲେସଲିଙ୍କର ବିଜୟର ଆଶା ଉଜ୍ଜ୍ୱଳ ଥିଲା । ମାତ୍ର କ୍ରମ୍‍ୱେଲ୍‌ଙ୍କର କୌଶଳ ଯୋଗୁଁ ଯୁଦ୍ଧର ଗତି ବଦଳି ଗଲା । ଲେସଲି ଶୋଚନୀୟ ଭାବରେ ପରାସ୍ତ ହେଲେ । ଏହି ଯୁଦ୍ଧରେ କ୍ରମ୍‍ୱେଲ୍‍ଙ୍କର ମାତ୍ର କୋଡ଼ିଏ ଜଣ ସୈନ୍ୟ ନିହତ ହୋଇଥିବା ସ୍ଥଳେ ସ୍କଟ୍‍ ସେନାର ମୃତ୍ୟୁ ସଂଖ୍ୟା ତିନି ହଜାର ଥିଲା । ତା’ଛଡ଼ା ଦଶହଜାର ସ୍କଟ୍‍ ସୈନ୍ୟ ବନ୍ଦୀ ହେଲେ । ଏହାର ଠିକ୍ ବର୍ଷକ ପରେ ୧୬୫୧ ଖ୍ରୀ: ସେପ୍‌ଟେମ୍ୱର ୩ ତାରିଖ ଦିନ କ୍ରମ୍‍ୱେଲ୍‍ ଅର୍‌ସେଷ୍ଟର (Worcester)ଠାରେ ଦ୍ୱିତୀୟ ଚାର୍ଲସ୍‍ଙ୍କଦ୍ୱାରା ପରିଚାଳିତ ଏକ ଶକ୍ତିଶାଳୀ ସ୍କଟ୍‍ ବାହିନୀକୁ ପରାସ୍ତ କଲେ । ଚାରି ପାଞ୍ଚ ଘଣ୍ଟାର ତୁମୂଳ ଯୁଦ୍ଧ ପରେ ଚାର୍ଲସ୍‍ ପରାସ୍ତ ହୋଇ ପଳାୟନ କଲେ । ମାତ୍ର ତାଙ୍କର ସ୍କଟ୍‍ ବାହିନୀ ଇଂରେଜ ସେନାର ଘେରାଉରେ ରହି ବନ୍ଦୀ ହେଲେ । ଏହାପରେ ରାଜତନ୍ତ୍ରବାଦୀମାନେ ଆଉ ଉଠିବାକୁ ସାହସ କଲେ ନାହିଁ । ଅନ୍ୟ ପକ୍ଷରେ ସେନାପତି ମଙ୍କ (Monck)ଙ୍କର ନେତୃତ୍ୱରେ ଏକ ଇଂରେଜ ସେନାବାହିନୀ ସ୍କଟ୍‍ଲାଣ୍ତ୍‍ ଆକ୍ରମଣ କରି ସେ ଦେଶକୁ ଅଧିକାର କରିନେଲେ । ୧୬୬୦ ଖ୍ରୀ: ପର୍ଯ୍ୟନ୍ତ ଅବଶିଷ୍ଟ କାଳ ମଙ୍କ ସ୍କଟ୍‍ଲାଣ୍ତ୍‍ର ପ୍ରଶାସକ ହୋଇ ରହିଲେ ।

 

ରମ୍ପ ପାର୍ଲିଆମେଣ୍ଟ୍‍ର ପତନ :

 

କାଳକ୍ରମେ ରମ୍ପ ପାର୍ଲିଆମେଣ୍ଟ୍‍ ଦୁର୍ନୀତି ଗ୍ରସ୍ତ ହୋଇ ଲୋକପ୍ରିୟତା ହରାଇଲା । ଏହାର ସଦସ୍ୟମାନେ ପ୍ରିୟାପ୍ରୀତିତୋଷଣ ନୀତିରେ ଆପଣାର ଆତ୍ମୀୟସ୍ୱଜନଙ୍କୁ ଉଚ୍ଚ ପଦବୀରେ ଅଧ୍ୟୁଷିତ କଲେ ଏବଂ ଅନେକ ଉତ୍କୋଚ ମଧ୍ୟ ଗ୍ରହଣ କଲେ । ସେମାନଙ୍କର କାର୍ଯ୍ୟକଳାପରେ ଅନେକ ଲୋକ ଅସନ୍ତୁଷ୍ଟ ଥିଲେ । ଏହାଛଡ଼ା, ଏହି ପାର୍ଲିଆମେଣ୍ଟ୍‍ରେ ବହୁ ଅଞ୍ଚଳର ପ୍ରତିନିଧି ସ୍ଥାନ ପାଇପାରି ନଥିଲେ । ସ୍ଥୂଳତଃ ଏହା ଗଣତନ୍ତ୍ର ନାମରେ ଏକ ଗୋଷ୍ଠୀତନ୍ତ୍ର ଥିଲା । କ୍ରମଉଏଲ ମଧ୍ୟ ଏହାର ସଂସ୍କାର କାର୍ଯ୍ୟକ୍ରମରେ ଅସନ୍ତୁଷ୍ଟ ଥିଲେ । ରମ୍ପ ପାର୍ଲିଆମେଣ୍ଟ୍‍ର ସମସ୍ତ ସଦସ୍ୟ ନୂତନ ପାର୍ଲିଆମେଣ୍ଟ୍‍ରେ ସ୍ଥାନ ପାଇବା ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ସଦସ୍ୟମାନଙ୍କୁ ବହିଷ୍କାର କରିବା କ୍ଷମତା ଯେପରି ପାଇପାରିବେ, ସେଥିପାଇଁ ଏକ ଆଇନ ପ୍ରଣୟନର ଆୟୋଜନ ଏହି ସମୟରେ ଚାଲିଥିଲା । ଏଥିରେ ଉତ୍ୟକ୍ତ ହୋଇ କ୍ରମ୍‍ୱେଲ୍‍ ରମ୍ପକୁ ଭାଙ୍ଗିଦେବା ସକାଶେ ସ୍ଥିର କଲେ । ୧୬୫୩ ଖ୍ରୀ: ଏପ୍ରିଲ ୨୦ ତାରିଖ ଦିନ ସେ ନିଜେ ୩୦ ଜଣ ବନ୍ଧୁକଧାରୀ ସୈନ୍ୟଙ୍କ ସହ ସଭାଗୃହରେ ପ୍ରବେଶ କଲେ ଏବଂ ବାଚସ୍ପତିଙ୍କ ସମେତ ସମସ୍ତ ସଦସ୍ୟଙ୍କୁ ଗୃହରୁ ବଳାତ୍କାର ବହିଷ୍କାର କଲେ । ଏହାପରେ ସଭାଗୃହକୁ ତାଲା ଦେଇ ବନ୍ଦ କରି ଦିଆଗଲା । କ୍ରମ୍‍ୱେଲ୍‍ଙ୍କର ଏହି କାର୍ଯ୍ୟର କେହି ପ୍ରତିବାଦ କଲେ ନାହିଁ । ଏହିପରି ଭାବରେ ରମ୍ପ ପାର୍ଲିଆମେଣ୍ଟ୍‍ର ଶୋଚନୀୟ ଅବସାନ ହେଲା । ଏହାପରେ କ୍ରମ୍‍ୱେଲ୍‍ ଇଂଲଣ୍ତର ସର୍ବେସର୍ବା ହେଲେ ।

 

କ୍ରମ୍‍ୱେଲ୍ (୧୫୯୯–୧୬୫୮)

 

କ୍ରମ୍‍ୱେଲ୍‍ ଜଣେ ପ୍ରତିଭାଶାଳୀ ସେନାପତି ତଥା ରାଜନୀତିଜ୍ଞରୂପେ ଇଂଲଣ୍ତର ଇତିହାସରେ ସ୍ଥାନ ପାଇଛନ୍ତି । ସେ ୧୫୯୯ ଖ୍ରୀ:ରେ ହଟିଙ୍ଗଡ଼ନ୍‌ର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ସେ ଶିକ୍ଷା ଲାଭ କରିଥିଲେ । ଏହାପରେ ସେ ଜଣେ ବଣିକଙ୍କର କନ୍ୟାଙ୍କୁ ବିବାହ କରି କୃଷିକାର୍ଯ୍ୟକୁ ଆପଣାର ଜୀବିକାରୂପେ ଗ୍ରହଣ କରିନେଲେ । ୧୬୨୮ ଖ୍ରୀ:ରେ କ୍ରମ୍‍ୱେଲ୍‍ ହଟିଙ୍ଗଡ଼ନରୁ ପ୍ରଥମ ଚାର୍ଲସ୍‍ଙ୍କର ତୃତୀୟ ପାର୍ଲିଆମେଣ୍ଟ୍‍କୁ ନିର୍ବାଚିତ ହୋଇ ଆସିଥିଲେ । ତେବେ ଏହି ପାର୍ଲିଆମେଣ୍ଟ୍‍ରେ ତାଙ୍କର କୌଣସି ଗୁରୁତ୍ୱପୂର୍ଣ୍ଣ ଭୂମିକା ନଥିଲା । ଏହି ସମୟରେ ସେ ପ୍ୟୁରିଟାନ ସଂପ୍ରଦାୟର ଅନ୍ତର୍ଭୁକ୍ତ ହେଲେ । ୧୬୪୦ ଖ୍ରୀ:ରେ ସେ ଦୀର୍ଘ ପାର୍ଲିଆମେଣ୍ଟ୍‍ର ସଦସ୍ୟରୂପେ ନିର୍ବାଚିତ ହେଲେ । ୧୬୪୧ ଖ୍ରୀ:ର ନଭେମ୍ୱର ମାସରେ ରାଜାଙ୍କ ବିରୁଦ୍ଧରେ ପାର୍ଲିଆମେଣ୍ଟ୍‍ରେ ଯେଉଁ ‘ବିପୁଳ ପ୍ରତିବାଦ’ (Grand remonstrance) ଉପସ୍ଥାପିତ ହୋଇଥିଲା, କ୍ରମ୍‍ୱେଲ୍‍ ତାହାର ଏକ ଦୃଢ଼ ସମର୍ଥକ ଥିଲେ । ସେ କହିଥିଲେ ଯେ ଯଦି ସେହି ‘ବିପୁଳ ପ୍ରତିବାଦ’ କମନ୍‍ସ ସଭାରେ ଗୃହୀତ ହୋଇ ନଥାନ୍ତା, ତେବେ ସେ ତାଙ୍କର ସମସ୍ତ ସମ୍ପତ୍ତି ବିକ୍ରୟ କରି ଦେଇ ଚିରଦିନ ପାଇଁ ଇଂଲଣ୍ଡ ପରିତ୍ୟାଗ କରିଥାନ୍ତେ । ଏହା ତାଙ୍କର ଦୃଢ଼ ମନୋଭାବର ସୂଚନା ଦିଏ ।

 

୧୬୪୨ ଖ୍ରୀ:ରେ କ୍ରମ୍‍ୱେଲ୍ ଇଂଲଣ୍ତର ଗୃହଯୁଦ୍ଧରେ ଯୋଗ ଦେଲେ । ଏହା ସହିତ ତାଙ୍କର ଗୌରବମୟ ଜୀବନର ଆରମ୍ଭ ହେଲା । ବସ୍ତୁତଃ କ୍ରମ୍‍ୱେଲ୍‍ଙ୍କର ନେତୃତ୍ୱ ବିନା ପାର୍ଲିଆମେଣ୍ଟ୍‍ ଏହି ଯୁଦ୍ଧରେ ବିଜୟ ଲାଭ କରି ପାରି ନଥାନ୍ତା । କ୍ରମ୍‍ୱେଲ୍‍ ଇଂଲଣ୍ତର ଅଶ୍ୱାରୋହୀ ସେନାବାହିନୀକୁ ସୁସଂଗଠିତ କରି ୧୬୪୪ ଖ୍ରୀ: ଜୁଲାଇ ମାସରେ ମାରଷ୍ଟନ ମୁରଠାରେ ରାଜକୀୟ ବାହିନୀର ଦକ୍ଷ ସେନାପତି ରୁପାର୍ଟଙ୍କୁ ଶୋଚନୀୟଭାବେ ପରାସ୍ତ କଲେ । ମାତ୍ର ସେହିବର୍ଷ ସେପ୍‌ଟେମ୍ୱର ଓ ଅକ୍‌ଟୋବର ମାସରେ ପାର୍ଲିଆମେଣ୍ଟ୍‍ ବାହିନୀର ବିପର୍ଯ୍ୟୟରେ ସେ ଅତ୍ୟନ୍ତ କ୍ଷୁବ୍ଧ ହେଲେ । ତାଙ୍କର ଉଦ୍ୟମରେ ପାର୍ଲିଆମେଣ୍ଟ୍‍ରେ ଆତ୍ମପ୍ରତ୍ୟାଖ୍ୟାନ ଅନୁଶାସନ (Self–denying Ordinance) ଗୃହୀତ ହେଲା । ଏହା ଫଳରେ କ୍ରମ୍‍ୱେଲ୍‍ ‘ନୂତନ ଆଦର୍ଶ ସେନାବାହିନୀର (New Model Army) ସଂଗଠନ ପାଇଁ ସୁଯୋଗ ପାଇଲେ । ଏହାକୁ ଇଂଲଣ୍ତର ପ୍ରଥମ ଜାତୀୟ ସେନାବାହିନୀ ବୋଲି କୁହାଯାଇପାରେ । ଏହାରି ସାହାଯ୍ୟରେ କ୍ରମ୍‍ୱେଲ୍‍ ୧୬୪୫ ଖ୍ରୀ: ଜୁନ୍‍ ମାସରେ ନାସବୀଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ଲାଭ କଲେ ଯାହାଫଳରେ ‘‘ରାଜା ଓ ରାଜ୍ୟର ଅବସାନ ହେଲା’’ । ଚାର୍ଲସ୍‍ ଆତ୍ମସମର୍ପଣ କଲେ । କ୍ରମ୍‍ୱେଲ୍‍ ରାଜତନ୍ତ୍ରର ପୁନଃ ପ୍ରତିଷ୍ଠାପାଇଁ ଚାର୍ଲସ୍‍ଙ୍କୁ କେତେକ ସର୍ତ୍ତ ଦେଲେ । ମାତ୍ର ଚାର୍ଲସ୍‍ କ୍ରମ୍‍ୱେଲ୍‍ଙ୍କର ସର୍ତ୍ତକୁ ପ୍ରତ୍ୟାଖ୍ୟାନ କରି ସ୍କଟ୍‍ମାନଙ୍କ ସହ ଏକ ଚୁକ୍ତି କଲେ । ଫଳରେ ସ୍କଟ୍‍ଲାଣ୍ତ୍ ଓ ଇଂଲଣ୍ତ ମଧ୍ୟରେ ଦ୍ୱିତୀୟ ଗୃହଯୁଦ୍ଧ ହେଲା । କ୍ରମ୍‍ୱେଲ୍‍ ପ୍ରେଷ୍ଟନ ଯୁଦ୍ଧରେ ସ୍କଟ୍‍ ବାହିନୀକୁ ପରାସ୍ତ କଲେ । ଏହାପରେ ସେ ଚାର୍ଲସ୍‍ଙ୍କୁ ‘ରକ୍ତମାଂସର ମଣିଷ’ ବୋଲି ଅଭିହିତ କରି ତାଙ୍କର ଦେଶଦ୍ରୋହ ଅପରାଧର ବିଚାର କରାଇଲେ । ପାର୍ଲିଆମେଣ୍ଟ୍‍ର ଯେଉଁ ସଦସ୍ୟମାନେ ଏହି ବିଚାରର ସପକ୍ଷରେ ନଥିଲେ, ସେମାନଙ୍କୁ ବହିଷ୍କାରକରି ଏକ ରମ୍ପ ପାର୍ଲିଆମେଣ୍ଟ୍‍ ଗଢ଼ାଗଲା । ୧୬୪୯ ଖ୍ରୀ: ଜାନୁୟାରୀ ୩୦ ତାରିଖ ଦିନ ଚାର୍ଲସ୍‍ ପ୍ରାଣଦଣ୍ତ ପାଇଲେ । ଏହାପରେ କ୍ରମ୍‍ୱେଲ୍‍ ଦେଶର ସର୍ବେସର୍ବା ହେଲେ । ରମ୍ପ ପାର୍ଲିଆମେଣ୍ଟ୍‍ ତାଙ୍କର ନିର୍ଦ୍ଦେଶରେ କାମ କଲା । ଏହି ସମୟରେ ସେ ଆୟାରଲାଣ୍ତ୍‍ ଓ ସ୍କଟ୍‍ଲାଣ୍ତ୍‍ର ରାଜତନ୍ତ୍ରବାଦୀଙ୍କ ବିଦ୍ରୋହକୁ ଦୃଢ଼ହସ୍ତରେ ଦମନ କଲେ । ଆୟାରଲାଣ୍ତ୍‍ର ଡ୍ରୋଘେଡ଼ା ଓ ୱେକ୍‌ସ ଫୋର୍ଡ଼ଠାରେ କ୍ରମ୍‍ୱେଲ୍‍ଙ୍କର ନିର୍ବିଚାର ହତ୍ୟାକାଣ୍ତ ତାଙ୍କ ଗୌରବମୟ ଜୀବନର କଳଙ୍କ କାଳିମା ବୋଲି କୁହାଯାଏ । କ୍ରମ୍‍ୱେଲ୍‍ ଏହି ଦୁଇ ଦେଶ ଜୟ କଲାପରେ ରାଜତନ୍ତ୍ରବାଦୀଙ୍କର ଶେଷ ଦୀପ ଶିଖା ଲିଭିଗଲା । ଇତିମଧ୍ୟରେ ରମ୍ପ ପାର୍ଲିଆମେଣ୍ଟ୍‍ ମଧ୍ୟ ଦୁର୍ନୀତିଗ୍ରସ୍ତ ହୋଇ ପଡ଼ିଥିଲା ଏବଂ କ୍ରମ୍‍ୱେଲ୍‍ ୧୬୫୩ ଖ୍ରୀ: ଏପ୍ରିଲ ମାସରେ ଏହାକୁ ବଳପୂର୍ବକ ଭାଙ୍ଗିଦେଲେ ।

 

ବେଆରବୋନ ପାର୍ଲିଆମେଣ୍ଟ୍‍ (୧୬୫୩) (Barebone’s Parliament)

 

୧୬୫୩ ଖ୍ରୀ:ରେ ରମ୍ପର ପତନଠାରୁ ୧୬୫୮ ଖ୍ରୀ:ରେ କ୍ରମ୍‍ୱେଲ୍‍ଙ୍କର ମୃତ୍ୟୁ ପର୍ଯ୍ୟନ୍ତ ଇଂଲଣ୍ତର ପ୍ରଶାସନିକ କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ସାଧିତ ହୋଇଥିଲା । ଏହିସମୟକୁ କ୍ରମ୍‍ୱେଲ୍‍ଙ୍କର ସାମ୍ୱିଧାନିକ ପରୀକ୍ଷାର ଯୁଗ ବୋଲି କୁହାଯାଏ । କ୍ରମ୍‍ୱେଲ୍‍ ପ୍ରଥମେ କେତେକ ନୀତିବାନ ତଥା ଧର୍ମପରାୟଣ ବ୍ୟକ୍ତିଙ୍କୁ ଦେଶର ଶାସନ ଦାୟିତ୍ୱ ଦେବା ସକାଶେ ସ୍ଥିର କଲେ । ସେଥିପାଇଁ ସେ ୧୪୦ ଜଣ ସାଧୁଲୋକଙ୍କୁ ନେଇ ଏକ ପାର୍ଲିଆମେଣ୍ଟ୍‍ ଗଠନ କଲେ । ସେମାନଙ୍କ ମଧ୍ୟରୁ ୧୨୯ ଜଣ ଇଂଲଣ୍ତରୁ, ୫ ଜଣ ସ୍କଟ୍‍ଲାଣ୍ତ୍‍ରୁ ଏବଂ ୬ ଜଣ ଆୟାରଲାଣ୍ତ୍‍ରୁ ମନୋନୀତ ହୋଇଥିଲେ । ଏଥିରେ ପ୍ରଥମ ଥରପାଇଁ ସ୍କଟ୍‍ଲାଣ୍ତ୍ ଓ ଆୟାରଲାଣ୍ତ୍‍ର ପ୍ରତିନିଧି ଯୋଗ ଦେଇଥିବାରୁ ଏହା ଗ୍ରେଟ ବ୍ରିଟେନର ପ୍ରଥମ ଐକ୍ୟବଦ୍ଧ ପାର୍ଲିଆମେଣ୍ଟ୍‍ ଥିଲା । ପ୍ରେଜଗଡ଼ ବେଆରବୋନ (Praise–God–Barebone) ନାମକ ଜଣେ ଚର୍ମକାର ସଦସ୍ୟଙ୍କର ନାମାନୁସାରେ ଏହାକୁ ବେଆରବୋନ ପାର୍ଲିଆମେଣ୍ଟ୍‍ ବୋଲି କୁହାଯାଇଥାଏ ।

 

୧୬୫୩ ଖ୍ରୀ: ଜୁଲାଇ ୫ ତାରିଖ ଦିନ ବେଆରବୋନ ପାର୍ଲିଆମେଣ୍ଟ୍‍ର ଅଧିବେଶନ ଆରମ୍ଭ ହେଲା । କ୍ରମ୍‍ୱେଲ୍‍ ଏହି ଆଦର୍ଶ ପାର୍ଲିଆମେଣ୍ଟ୍‍ଠାରୁ ଅନେକ କିଛି ଆଶା କରିଥିଲେ । ଏହାର ସଦସ୍ୟଗଣ ନୀତିମାନ, କର୍ମଠ ଓ ବିଶ୍ୱସ୍ତ ଥିଲେ ସତ; ମାତ୍ର ସେମାନଙ୍କର କାର୍ଯ୍ୟକଳାପରେ ଭାବବିହ୍ୱଳତା, କଳ୍ପନା ବିଳାସ ତଥା ଅବାସ୍ତବ ଚିନ୍ତାଧାରା ପ୍ରକାଶ ପାଇଥିଲା । ସେମାନଙ୍କ ମଧ୍ୟରେ କେହି ଆଇନଜ୍ଞ ନଥିଲେ ମଧ୍ୟ ସେମାନେ ଦେଶର ଆଇନକାନୁନକୁ ଏକ କ୍ଷୁଦ୍ର ପୁସ୍ତକରେ ସୀମାବଦ୍ଧ କରିବାପାଇଁ ଉଦ୍ୟମ କଲେ । ଗିର୍ଜା ତଥା ଗିର୍ଜାର ପଦବୀ ସବୁ ଉଠାଇ ଦେବା ସେମାନଙ୍କର ଇଚ୍ଛାଥିଲା । ମାତ୍ର ତା’ ବଦଳରେ କ’ଣ କରିବାକୁ ହେବ ଏବଂ ତା’ର ପରିଣତି କ’ଣ ହେବ, ଏ କଥା ସେମାନେ ଚିନ୍ତା କରି ନଥିଲେ । କେବଳ ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ବାସ୍ତବତାକୁ ଉପେକ୍ଷା କରିଥିଲେ । ସେମାନଙ୍କର କୌଣସି କଳ୍ପନାକୁ କାର୍ଯ୍ୟରେ ରୂପାୟିତ କରାଯାଇପାରିଲା ନାହିଁ । ଶେଷରେ ୧୬୫୩ ଖ୍ରୀ: ଡିସେମ୍ୱର ମାସ ୧୨ ତାରିଖର ଅଧିବେଶନରେ ସେମାନେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗ୍ରହଣ କରି ଯେଉଁ ଶକ୍ତି ଓ କ୍ଷମତା ସେନାପତି କ୍ରମ୍‍ୱେଲ୍‍ଙ୍କଠାରୁ ପାଇଥିଲେ, ତାହା ତାଙ୍କୁ ଫେରାଇଦେଲେ । କ୍ରମ୍‍ୱେଲ୍‍ ଏହି ପ୍ରସ୍ତାବକୁ ଆନନ୍ଦରେ ଗ୍ରହଣ କରିନେଲେ । ସାଧୁ ସନ୍ଥଙ୍କର ଏହିପରି ଏକ ପାର୍ଲିଆମେଣ୍ଟ୍‍ ଆହ୍ୱାନ କରିବାରେ ସେ ତାଙ୍କର ଭୁଲ ଉପଲବ୍ଧି କଲେ ।

 

ସରକାରଙ୍କ ଚୁକ୍ତିପତ୍ର ବା ଇନଷ୍ଟ୍ରୁମେଣ୍ଟ (Instrument of Government) :

 

ଏହାପରେ କ୍ରମ୍‍ୱେଲ୍‍ ଲାମ୍ୱାର୍ଟ (Lambert)ଙ୍କର ନେତୃତ୍ୱରେ କେତେକ ସାମରିକ କର୍ମଚାରୀଙ୍କୁ ଏକ ସମ୍ୱିଧାନ ପ୍ରସ୍ତୁତ କରିବା ସକାଶେ ନିର୍ଦ୍ଦେଶ ଦେଲେ । ଅତି ଅଳ୍ପଦିନ ମଧ୍ୟରେ ଏହା ପ୍ରସ୍ତୁତ ହୋଇ କ୍ରମ୍‍ୱେଲ୍‍ଙ୍କଦ୍ୱାରା ଗୃହୀତ ହେବା ସଙ୍ଗେ ସଙ୍ଗେ କାର୍ଯ୍ୟକାରୀ ହେଲା । ଏହା ଇତିହାସରେ ସରକାରଙ୍କର ଚୁକ୍ତିପତ୍ର ବା ଇନଷ୍ଟ୍ରୁମେଣ୍ଟ (Instrument of Government) ନାମରେ ପ୍ରଖ୍ୟାତ । ଏହି ନୂତନ ସମ୍ୱିଧାନ ଅନୁସାରେ ଇଂଲଣ୍ତ, ସ୍କଟ୍‍ଲାଣ୍ତ୍ ଓ ଆୟାରଲାଣ୍ତ୍ ସମ୍ମିଳିତ ହୋଇ ଜଣେ ରାଷ୍ଟ୍ରରକ୍ଷକ (Lord Protector)ଙ୍କର ତତ୍ତ୍ୱାବଧାନରେ ଏକ ସଂରକ୍ଷିତ ରାଷ୍ଟ୍ର Protectorate ରୂପେ ଘୋଷିତ ହେଲା । କ୍ରମ୍‍ୱେଲ୍‍ ହେଲେ ଏହାର ପ୍ରଥମ ରାଷ୍ଟ୍ରରକ୍ଷକ । ପ୍ରଶାସନିକ କାର୍ଯ୍ୟରେ ତାଙ୍କୁ ସାହାଯ୍ୟ କରିବାପାଇଁ ପନ୍ଦର ଜଣ ସଦସ୍ୟ ବିଶିଷ୍ଟ ଏକ ରାଜ୍ୟସଭା ବା କାଉନ୍‌ସିଲ୍ (Council of State) ରହିଲା । ରାଜ୍ୟସଭାର ସଦସ୍ୟମାନେ ରାଷ୍ଟ୍ରରକ୍ଷକଙ୍କଦ୍ୱାରା ଆଜୀବନ ସଦସ୍ୟରୂପେ ସନୋନୀତ ହେଲେ । ଏହାଛଡ଼ା ଆଇନ ପ୍ରଣୟନ ପାଇଁ ଗୋଟିଏ ଏକକ–ଗୃହ ବିଶିଷ୍ଟ ପାର୍ଲିଆମେଣ୍ଟ୍‍ ରହିଲା । ଏହାର ୪୬୦ ଜଣ ସଦସ୍ୟଙ୍କ ମଧ୍ୟରୁ ୪୦୦ ଜଣ ଇଂଲଣ୍ତରୁ ୩୦ ଜଣ ଆୟାର–ଲାଣ୍ତ୍‍ରୁ ଓ ୩୦ ଜଣ ସ୍କଟ୍‍ଲାଣ୍ତ୍‍ରୁ ନିର୍ବାଚିତ ହେଲେ । ପ୍ରତି ତିନିବର୍ଷରେ ପାର୍ଲିଆମେଣ୍ଟ୍‍ର ନିର୍ବାଚନ ଏବଂ ପ୍ରତି ବର୍ଷ ଏହାର ଅଧିବେଶନ ପାଇଁ ବ୍ୟବସ୍ଥା ଥିଲା । ପାର୍ଲିଆମେଣ୍ଟ୍‍କୁ ଆହ୍ୱାନ କରିବା, ସ୍ଥଗିତ ରଖିବା ବା ଭାଙ୍ଗିଦେବା କ୍ଷମତା ରାଷ୍ଟ୍ରରକ୍ଷକଙ୍କର ଥିଲା । ମାତ୍ର ଏହାର ଅଧିବେଶନ ଥରେ ଆରମ୍ଭ ହେଲେ ପାଞ୍ଚମାସ ପର୍ଯ୍ୟନ୍ତ ତାକୁ ଭାଙ୍ଗି ଦିଆଯାଇ ପାରୁ ନଥିଲା । ଦୁଇଶତ ପାଉଣ୍ତ ମୂଲ୍ୟ ସମ୍ପତ୍ତିର ଅଧିକାରୀ ଯେକୌଣସି ବ୍ୟକ୍ତି ଭୋଟଦାତାରୂପେ ବିବେଚିତ ହେଲେ ରାଷ୍ଟ୍ରରକ୍ଷକ ପାର୍ଲିଆମେଣ୍ଟ୍‍ର ସମ୍ମତି ବିନା ରାଜସ୍ୱ ଆଦାୟ କରି ପାରିଲେ ନାହିଁ । ପ୍ରଶାସନିକ ବ୍ୟୟପାଇଁ ପାର୍ଲିଆମେଣ୍ଟ୍‍ ରାଜାଙ୍କୁ ଅର୍ଥ ମଞ୍ଜୁର କରିପାରିଲା । ପାର୍ଲିଆମେଣ୍ଟ୍‍ଦ୍ୱାରା ଗୃହୀତ ବିଲ୍ ରାଷ୍ଟ୍ରରକ୍ଷକଙ୍କର ସମ୍ମତି ଲାଭ କଲାପରେ ଆଇନ ହୋଇପାରୁଥିଲା । ରାଜ୍ୟସଭାର ସଦସ୍ୟମାନଙ୍କୁ ନିଯୁକ୍ତି ପାର୍ଲିଆମେଣ୍ଟ୍‍ଦ୍ୱାରା ଅନୁମୋଦିତ ହେଲା । ଧର୍ମ କ୍ଷେତ୍ରରେ ରୋମାନ୍ କାଥଲିକ୍ ତଥା ଏଙ୍ଗ୍ଳିକାନମାନଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କ ପ୍ରତି ସହନଶୀଳ ନୀତି ପ୍ରୟୋଗ ହେଲା ।

 

‘ଇନଷ୍ଟ୍ରୁମେଣ୍ଟ’ର ପ୍ରବର୍ତ୍ତନଫଳରେ ଇଂଲଣ୍ତରେ ପରୋକ୍ଷ ରାଜତନ୍ତ୍ର ଶାସନ ପ୍ରତିଷ୍ଠିତ ହେଲା । ରାଷ୍ଟ୍ର–ରକ୍ଷକ ରାଜାଙ୍କର ଭୂମିକା ଗ୍ରହଣ କଲେ । ଅବଶ୍ୟ ତାଙ୍କର କ୍ଷମତା କାଉନ୍‍ସିଲ୍ ତଥା ପାର୍ଲିଆମେଣ୍ଟ୍‍ଦ୍ୱାରା ସୀମିତ ହେଲା । ମାତ୍ର ବସ୍ତୁତଃ ସେ ସର୍ବଶକ୍ତିମାନ ଥିଲେ । କାଉନ୍‌ସିଲ୍‍ର ସଭ୍ୟମାନେ ତାଙ୍କଦ୍ୱାରା ମନୋନୀତ ହେଉଥିଲେ । ପାର୍ଲିଆମେଣ୍ଟ୍‍ ତାଙ୍କ ଦୟା ଉପରେ ନିର୍ଭର କରୁଥିଲା । ସେନାବାହିନୀ ତାଙ୍କର ସମ୍ପୂର୍ଣ୍ଣ ଆୟତ୍ତରେ ଥିବାରୁ ସେ ଯାହା ଇଚ୍ଛା ତାହା କରିପାରୁଥିଲେ । ସେ ଯାହାହେଉ, ଇନଷ୍ଟ୍ରୁମେଣ୍ଟ ଥିଲା ଇଂଲଣ୍ତର ପ୍ରଥମ ଲିଖିତ ସମ୍ୱିଧାନ । ସେହି ଦେଶରେ ଏକ ସ୍ଥାୟୀ ସରକାର ପ୍ରତିଷ୍ଠାପାଇଁ ଏତଦ୍ଦ୍ୱାରା ଆନ୍ତରିକ ଉଦ୍ୟମ କରାଯାଇଥିଲା । ଏହାଫଳରେ ପାର୍ଲିଆମେଣ୍ଟ୍‍ ନିର୍ବାଚନ ଏବଂ ପ୍ରଶାସନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ସାଧିତ ହେଲା ।

 

ରାଷ୍ଟ୍ରରକ୍ଷକ କ୍ରମ୍‌ୱେଲ୍

 

୧୬୫୩ ଖ୍ରୀ: ଡିସେମ୍ୱର ୧୬ ତାରିଖ ଦିନ ‘ଇନଷ୍ଟ୍ରୁମେଣ୍ଟ’ କାର୍ଯ୍ୟକାରୀ ହେଲା ଏବଂ ସେହିଦିନ କ୍ରମ୍‍ୱେଲ୍‍ ରାଷ୍ଟ୍ର–ରକ୍ଷକରୂପେ ଶପଥ ନେଲେ । ଉଏଷ୍ଟମିନିଷ୍ଟରଏବିରେ ତାଙ୍କର ଅଭିଷେକ ଉତ୍ସବ ସମାରୋହରେ ପାଳିତ ହେଲା । ଏହାପରେ କ୍ରମ୍‍ୱେଲ୍‍ ଓ ତାଙ୍କ ପରିବାର ହ୍ୱାଇଟ୍‍ହଲ ରାଜପ୍ରାସାଦରେ ଅବସ୍ଥାନ କଲେ ।

 

ନୂତନ ସମ୍ୱିଧାନ ଅନୁସାରେ ପ୍ରଥମ ପାର୍ଲିଆମେଣ୍ଟ୍‍ର ଆହ୍ୱାନ ପୂର୍ବରୂ କ୍ରମ୍‍ୱେଲ୍‍ କେତେକ ସଂସ୍କାର କାର୍ଯ୍ୟକ୍ରମ ହାତକୁ ନେଲେ । ଅଦାଲତ ତଥା ବିଶ୍ୱବିଦ୍ୟାଳୟମାନଙ୍କର ମାନବୃଦ୍ଧି ହେଲା; ନିର୍ବାଚନ ପଦ୍ଧତିର ଉନ୍ନତି ହେଲା ଏବଂ ସ୍କଟ୍‍ଲାଣ୍ତ୍ ଇଂଲଣ୍ତ ସହ ସମ୍ମିଳିତ ହେଲା-। ସମ୍ୱିଧାନରେ ନିର୍ଦ୍ଧାରିତ ଧର୍ମନୀତି ଅନୁସରଣ କରି କ୍ରମ୍‍ୱେଲ୍‍ କାଥଲିକ୍‍ ଓ ଏଙ୍ଗ୍ଳିକାନ ମତବାଦୀଙ୍କୁ କାର୍ଯ୍ୟରୁ ଅନ୍ତର କଲେ ଏବଂ ସେମାନଙ୍କ ସ୍ଥାନରେ ପ୍ୟୁରିଟାନ୍, ପ୍ରେସ୍‍ବିଟେରୀଏନ ତଥା ନିର୍ଦଳୀୟ ମତବାଦୀଙ୍କୁ ନିଯୁକ୍ତ କଲେ । କାଥଲିକ୍‍ମାନେ ପାର୍ଲିଆମେଣ୍ଟ୍‍କୁ ମଧ୍ୟ ନିର୍ବାଚିତ ହୋଇ ପାରିଲେ ନାହିଁ । ଏହାପରେ କ୍ରମ୍‍ୱେଲ୍‍ ଗିର୍ଜାର କେତେକ ଉତ୍ସବ ରଦ୍ଦ କଲେ ଏବଂ ରଙ୍ଗମଞ୍ଚଗୁଡ଼ିକ ବନ୍ଦ କରିଦେଲେ । ଅଶ୍ୱ ପ୍ରତିଯୋଗିତା ପ୍ରଭୃତି କେତେକ ଆମୋଦ ମଧ୍ୟ ମନା ହେଲା । ଦେଶରେ କଠୋର ଶୃଙ୍ଖଳା ସ୍ଥାପିତ ହେଲା ।

 

ପ୍ରଥମ ପାର୍ଲିଆମେଣ୍ଟ୍‍

 

୧୬୫୪ ଖ୍ରୀ: ସେପ୍‌ଟେମ୍ୱର ୩ ତାରିଖ ଦିନ ନୂତନ ସମ୍ୱିଧାନ ଅନୁସାରେ ଗଠିତ ପାର୍ଲିଆମେଣ୍ଟ୍‍ର ପ୍ରଥମ ଅଧିବେଶନ ଆରମ୍ଭ ହେଲା । କ୍ରମ୍‍ୱେଲ୍‍ ଏହି ପାର୍ଲିଆମେଣ୍ଟ୍‍ଠାରୁ ସହଯୋଗ ପାଇ ପାରିବେ ବୋଲି ଆଶା କରିଥିଲେ । ମାତ୍ର ଏହା ମୂଳରୁ ତାଙ୍କୁ ବିରୋଧ କଲା । ଏହାର ଶହେ ଜଣ ସଦସ୍ୟ ଇଂଲଣ୍ତର ତଥା କଥିତ ଗଣତନ୍ତ୍ର ଓ ରାଷ୍ଟ୍ର–ରକ୍ଷକଙ୍କ ପ୍ରତି ଅନୁଗତ ରହିବାପାଇଁ ଶପଥ ନେବା ସକାଶେ ମନାକରି ପାର୍ଲିଆମେଣ୍ଟ୍‍ରୁ ବିଦାୟ ନେଲେ । ଅବଶିଷ୍ଟ ସଦସ୍ୟ ପାର୍ଲିଆମେଣ୍ଟ୍‍ର ଅଧିବେଶନରେ ମିଳିତ ହୋଇ ସେନାବାହିନୀର କ୍ଷମତା ହ୍ରାସ କରିବାପାଇଁ ଓ ବ୍ୟୟ ସଂକୁଚିତ କରିବାପାଇଁ ଉଦ୍ୟମ କଲେ ଏବଂ ପ୍ୟୁରିଟାନ ସଂପ୍ରଦାୟ ବ୍ୟତୀତ ଅନ୍ୟମାନଙ୍କ ପ୍ରତି ସହନଶୀଳତାର ବିରୋଧ କଲେ । ସେମାନଙ୍କର ଆଲୋଚନା ପ୍ରାୟ ସମ୍ୱିଧାନ ଉପରେ ସୀମିତ ଥିଲା । ଏପରିକି କ୍ରମ୍‍ୱେଲ୍‍ଙ୍କର କ୍ଷମତା ମଧ୍ୟ ହ୍ରାସ କରିବାପାଇଁ ସେମାନେ ଚାହିଁଲେ । କ୍ରମ୍‍ୱେଲ୍‍ ଏଥିରେ କ୍ଷୁବ୍ଧ ହୋଇ ୧୬୫୫ ଖ୍ରୀ: ଜାନୁୟାରୀ ୨୧ ତାରିଖ ଦିନ ପାର୍ଲିଆମେଣ୍ଟ୍‍କୁ ଭାଙ୍ଗିଦେଲେ । ସେହିଦିନ ଚାନ୍ଦ୍ରମାସ ଅନୁଯାୟୀ ପାର୍ଲିଆମେଣ୍ଟ୍‍ର ପାଞ୍ଚମାସ ପୂରି ଯାଉଥିଲା ।

 

କ୍ରମ୍‍ୱେଲ୍‍ଙ୍କର ସାମରିକ ଶାସନ

 

କ୍ରମ୍‍ୱେଲ୍‍ ପାର୍ଲିଆମେଣ୍ଟ୍‍କୁ ପରିତ୍ୟାଗ କରି ଆଉ ଏକ ପ୍ରଶାସନିକ ପରୀକ୍ଷା ଆରମ୍ଭ କଲେ । ଏହି ସମୟରେ ଦେଶରେ ଅସନ୍ତୋଷ ଓ ଅଶାନ୍ତି ବ୍ୟାପି ଥିଲା ଏବଂ କେତେକ ରାଜତନ୍ତ୍ରବାଦୀ କ୍ରମ୍‍ୱେଲ୍‍ଙ୍କୁ ହତ୍ୟା କରିବା ସକାଶେ ଷଡ଼ଯନ୍ତ୍ରରେ ଲିପ୍ତଥିବା ଜଣା ପଡ଼ିଲା । ଏ ସବୁକୁ ଦୃଢ଼ହସ୍ତରେ ଦମନ କରି ଶାନ୍ତି ଶୃଙ୍ଖଳା ସ୍ଥାପନ କରିବା ସକାଶେ କ୍ରମ୍‍ୱେଲ୍‍ ସାମରିକ ଶାସନ ପ୍ରବର୍ତ୍ତନ କରିବାକୁ ଚାହିଁଲେ । ସେଥିପାଇଁ ସେ ସମଗ୍ର ଦେଶକୁ ଏଗାରଟି ଅଞ୍ଚଳରେ ବିଭକ୍ତ କରି ପ୍ରତ୍ୟେକ ଅଞ୍ଚଳକୁ ଜଣେ ଜଣେ ସେନାପତି ବା ମେଜର୍ ଜେନେରାଲ୍‍ଙ୍କ ତତ୍ତ୍ୱାବଧାନରେ ରଖିଲେ । ତେଣୁ ଏହା ‘ମେଜର୍ ଜେନେରାଲ୍‍ ଶାସନ’ ନାମରେ ଅଭିହିତ ହୁଏ । ଏହା ଏକ ଅଗଣତାନ୍ତ୍ରିକ ପନ୍ଥା ଥିଲା । ଏହାଫଳରେ କ୍ରମ୍‍ୱେଲ୍‍ଙ୍କର ଲୋକପ୍ରିୟତା ଆହୁରି ହ୍ରାସ ପାଇଲା । ସେଥିପାଇଁ ସେ ଏହି ପରୀକ୍ଷା ପରିତ୍ୟାଗ କରି ପୁଣି ଥରେ ପାର୍ଲିଆମେଣ୍ଟ୍‍ ଡାକିବାପାଇଁ ଆଗ୍ରହ ପ୍ରକାଶ କଲେ । ଏହା ଛଡ଼ା ଏହି ସମୟରେ କ୍ରମ୍‍ୱେଲ୍ କେତେକ ବୈଦେଶିକ ଯୁଦ୍ଧରେ ଲିପ୍ତ ହେଲେ । ସେଥିପାଇଁ ସେ ପ୍ରଚୁର ଅର୍ଥ ଆବଶ୍ୟକ କଲେ । ପାର୍ଲିଆମେଣ୍ଟ୍‍ର ଅନୁମୋଦନ ବିନା ରାଜସ୍ୱ ଆଦାୟ ଅଗଣତାନ୍ତ୍ରିକ ବୋଲି ଜନସାଧାରଣ ଏହାର ବିରୋଧ କରୁଥିଲେ । ଏହି ସବୁ କାରଣରୁ କ୍ରମ୍‍ୱେଲ୍‍ଙ୍କର ଦ୍ୱିତୀୟ ପାର୍ଲିଆମେଣ୍ଟ୍‍ ଆହୂତ ହେଲା ।

 

ଦ୍ୱିତୀୟ ପାର୍ଲିଆମେଣ୍ଟ୍‍ (୧୬୫୬–୧୬୫୮) :

 

ଦ୍ୱିତୀୟ ପାର୍ଲିଆମେଣ୍ଟ୍‍ର ଅଧିବେଶନ ଆରମ୍ଭ ହେବା ପୂର୍ବରୁ କ୍ରମ୍‍ୱେଲ୍‍ ବିଶେଷ ସତର୍କତା ଅବଲମ୍ୱନ କରିଥିଲେ । ନିର୍ବାଚନ ପରେ ଶହେଜଣ ସଦସ୍ୟଙ୍କୁ ସେମାନଙ୍କର କଠୋର ମନୋବୃତ୍ତି ଯୋଗୁଁ ସଭ୍ୟ ପଦରୁ ବଞ୍ଚିତ କରାଗଲା ଏବଂ ପଚାଶରୁ ଊର୍ଦ୍ଧ୍ୱ ସଭ୍ୟ ଏହାର ପ୍ରତିବାଦ କରି ପାର୍ଲିଆମେଣ୍ଟ୍‍ରେ ଯୋଗ ଦେଲେ ନାହିଁ । ଅବଶିଷ୍ଟ ସଦସ୍ୟଙ୍କୁ ନେଇ ୧୬୫୬ ଖ୍ରୀ: ସେପ୍‌ଟେମ୍ୱର ମାସରେ ଦ୍ୱିତୀୟ ପାର୍ଲିଆମେଣ୍ଟ୍‍ର ପ୍ରଥମ ଅଧିବେଶନ ଆରମ୍ଭ ହେଲା । ଏହି ପାର୍ଲିଆମେଣ୍ଟ୍‍ କ୍ରମ୍‍ୱେଲ୍‍ଙ୍କର ବୈଦେଶିକ ଯୁଦ୍ଧ ପରିଚାଳନା ପାଇଁ ଚାରିଲକ୍ଷ ପାଉଣ୍ତ ବ୍ୟୟ ମଞ୍ଜୁର କଲା ଏବଂ ତାଙ୍କ ଶତ୍ରୁମାନଙ୍କର ବିଚାରପାଇଁ ଏକ ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା କଲା । ଏତଦ୍‍ବ୍ୟତୀତ, ଏହା ଏକ ନୂତନ ସମ୍ୱିଧାନ ପ୍ରଣୟନ କରି ତାହା ଗ୍ରହଣ କରିନେବା ପାଇଁ କ୍ରମ୍‍ୱେଲ୍‍ଙ୍କୁ ଅନୁରୋଧ କଲା । ଏହି ସମ୍ୱିଧାନ ‘ନମ୍ର ନିବେଦନ ଓ ଉପଦେଶ’ (Humble Petition and Advice) ନାମରେ ଅଭିହିତ ହୋଇଥିଲା । ଏଥିରେ କ୍ରମ୍‍ୱେଲ୍‍ଙ୍କୁ ରାଷ୍ଟ୍ର–ରକ୍ଷକ ପଦବୀ ପରିବର୍ତ୍ତେ ରାଜା ପଦବୀ ଗ୍ରହଣ କରିବାପାଇଁ ଅନୁରୋଧ କରାଗଲା ଏବଂ ନିଜର ଉତ୍ତରାଧିକାରୀ ମନୋନୀତ କରିବା ସକାଶେ ତାଙ୍କୁ କ୍ଷମତା ଦିଆଗଲା । ପାର୍ଲିଆମେଣ୍ଟ୍‍ର ଏକକ ଗୃହ ପରିବର୍ତ୍ତେ ଆଉ ଏକ ଗୃହର ପ୍ରତିଷ୍ଠାପାଇଁ ଏଥିରେ ସୁପାରିସ୍ କରାହେଲା ଏବଂ ଏହାର ସଦସ୍ୟଗଣ ରାଜାଙ୍କଦ୍ୱାରା ମନୋନୀତ ହୋଇ ପାରିବେ ବୋଲି ସ୍ଥିର ହେଲା । କାଉନ୍‌ସିଲ୍‍ର କ୍ଷମତା ଅନେକ ପରିମାଣରେ ହ୍ରାସ ହେଲା । ରାଜା ନିର୍ବାଚିତ ସଭ୍ୟଙ୍କୁ ପାର୍ଲିଆମେଣ୍ଟ୍‍ରେ ଅଂଶଗ୍ରହଣ କରିବାରୁ ବଞ୍ଚିତ କରି ପାରିବେ ନାହିଁ ବୋଲି ଏଠାରେ ଉଲ୍ଲେଖ ରହିଲା । ପାର୍ଲିଆମେଣ୍ଟ୍‍ର ଅନୁରୋଧ କ୍ରମେ ‘ରାଜା’ ପଦବୀ ଗ୍ରହଣ କରିବାଦ୍ୱାରା ଆପଣାର ଗୌରବ ବୃଦ୍ଧି ପାଇବ ବୋଲି ଉପଲବ୍ଧି କରି ମଧ୍ୟ କ୍ରମ୍‍ୱେଲ୍‍ ଏହି ଉପାଧିକୁ ପ୍ରତ୍ୟାଖ୍ୟାନ କଲେ । ସମ୍ଭବତଃ ତାଙ୍କର ବିବେକ ଏଥିରେ ବାଧା ଦେଲା । ଏହାଛଡ଼ା ତାଙ୍କର ସାମରିକ ସହକର୍ମୀମାନେ ମଧ୍ୟ ଏହା ଚାହୁଁ ନଥିଲେ । ଏହା ହୋଇଥିଲେ, ଷ୍ଟୁଆର୍ଟ ବଂଶର ପରିବର୍ତ୍ତେ କ୍ରମ୍‍ୱେଲ୍‍ ବଂଶର ନେତୃତ୍ୱରେ ଇଂଲଣ୍ତରେ ରାଜତନ୍ତ୍ରର ପୁନଃ ପ୍ରତିଷ୍ଠା ହୋଇଥାନ୍ତା । କ୍ରମ୍‍ୱେଲ୍‍ କେବଳ ‘ରାଜା’ ଉପାଧି ବ୍ୟତୀତ ପାର୍ଲିଆମେଣ୍ଟ୍‍ଦ୍ୱାରା ପ୍ରସ୍ତୁତ ହୋଇଥିବା ସମ୍ୱିଧାନର ଅନ୍ୟ ସବୁ ଅଂଶଗ୍ରହଣ କରିନେଲେ । ଫଳରେ ପାର୍ଲିଆମେଣ୍ଟ୍‍ରେ ଦ୍ୱିତୀୟ ଗୃହ (Second Chamber)ର ପୁନଃ ପ୍ରତିଷ୍ଠା ହେଲା ।

 

ଉପରୋକ୍ତ ପରିବର୍ତ୍ତନ ସହ ଦ୍ୱିତୀୟ ପାର୍ଲିଆମେଣ୍ଟ୍‍ର ଦ୍ୱିତୀୟ ଅଧିବେଶନ ୧୬୫୮ ଖ୍ରୀ: ଜାନୁୟାରୀ ମାସରେ ଅନୁଷ୍ଠିତ ହେଲା । ଯେଉଁ ଶହେ ଜଣ ସଭ୍ୟଙ୍କୁ କ୍ରମ୍‍ୱେଲ୍‍ ପ୍ରଥମ ଅଧିବେଶନ ସମୟରେ ବହିଷ୍କାର କରିଥିଲେ, ସେମାନେ ବର୍ତ୍ତମାନ ପାର୍ଲିଆମେଣ୍ଟ୍‍ରେ ଅଂଶଗ୍ରହଣ କଲେ । କ୍ରମ୍‍ୱେଲ୍‍ କମନ୍‍ସ ସଭାର ୩୦ ଜଣ ବିଶ୍ୱସ୍ତ ସଭ୍ୟଙ୍କୁ ନବ ପ୍ରତିଷ୍ଠିତ ଦ୍ୱିତୀୟ ଗୃହପାଇଁ ମନୋନୀତ କଲେ । ଏହାଫଳରେ କମନ୍‍ସ ସଭାରେ ତାଙ୍କର ସମର୍ଥକଙ୍କର ସଂଖ୍ୟା କମିଗଲା । କ୍ଷମତା ଓ ଦାୟିତ୍ୱର ବଣ୍ଟନରେ ଉଭୟ ଗୃହ ମଧ୍ୟରେ କଳହର ସୂତ୍ରପାତ ହେଲା । ତେଣୁ ୧୬୫୮ ଖ୍ରୀ: ଫେବୃୟାରୀ ମାସରେ କ୍ରମ୍‍ୱେଲ୍‍ ପାର୍ଲିଆମେଣ୍ଟ୍‍କୁ ଭାଙ୍ଗିଦେଲେ । ସଦସ୍ୟମାନେ ଏହାର ଦୃଢ଼ ପ୍ରତିବାଦ କଲେ । ମାତ୍ର ସେମାନଙ୍କୁ କ୍ରମ୍‍ୱେଲ୍‍ ଉତ୍ତର ଦେଇ କହିଲେ; ‘‘ମୋର ଏବଂ ଆପଣମାନଙ୍କ ମଧ୍ୟରେ ଏହି ଘଟଣାର ବିଚାର ଭଗବାନହିଁ କରିବେ ।’’ * ଏହା ଥିଲା କ୍ରମ୍‍ୱେଲ୍‍ଙ୍କର ଶେଷ ପାର୍ଲିଆମେଣ୍ଟ୍‍ । ଜୀବନର ଅବଶିଷ୍ଟ ଛଅମାସ କାଳ ସେ ଅଶାନ୍ତିରେ କଟାଇଥିଲେ ।

 

* ‘‘Let God judge between you and me.’’

 

ଏହି ସମୟରେ ସେ ସାମରିକ ବଳରେ ଦେଶକୁ ଶାସନ କଲେ । ମାତ୍ର ସେ ଉପଲବ୍ଧି କରିଥିଲେ ଯେ ତାଙ୍କର ଶାସନ ଲୋକପ୍ରିୟ ହୋଇ ପାରି ନାହିଁ ଏବଂ ତାଙ୍କର ମୃତ୍ୟୁପରେ ତାହା ଭୁଷୁଡ଼ି ପଡ଼ିବ । ତାଙ୍କୁ ହତ୍ୟା କରିବାପାଇଁ ନାନାପ୍ରକାର ଷଡ଼ଯନ୍ତ୍ର ଚାଲୁଥିବା କଥା ସେ ଜାଣିଥିଲେ-। ଏଥିରେ ସେ ଅତିଷ୍ଠ ହୋଇ ପଡ଼ିଥିଲେ ଏବଂ ସର୍ବଦା ବ୍ୟକ୍ତିଗତ ନିରାପତ୍ତା ପ୍ରତି ସଚେତନ ଥିଲେ । କ୍ରମ୍‍ୱେଲ୍‍ ୧୬୫୮ ଖ୍ରୀ: ସେପ୍‌ଟେମ୍ୱର ୩ ତାରିଖ ଦିନ ତାଙ୍କର ଡନବାର ଓ ଅର୍‌ସେଷ୍ଟର ବିଜୟର ସାମ୍ୱସ୍‌ରିକ ତିଥିରେ ଶେଷ ନିଃଶ୍ୱାସ ତ୍ୟାଗ କଲେ । ଉଏଷ୍ଟ ମିନିଷ୍ଟର ଏବିରେ ରାଜାମାନଙ୍କର କବର ନିକଟରେ ତାଙ୍କର ମୃତ ଶରୀରକୁ ରାଜକୀୟ ସମ୍ମାନରେ ସମାଧି ଦିଆଗଲା । ମାତ୍ର ଏହାର ଦୁଇବର୍ଷ ପରେ ଯେତେବେଳେ ରାଜତନ୍ତ୍ରର ପୁନଃ ପ୍ରତିଷ୍ଠା ହେଲା, ରାଜା ଦ୍ୱିତୀୟ ଚାର୍ଲସ୍‍ କ୍ରମ୍‍ୱେଲ୍‍ଙ୍କର ଶରୀରକୁ କବର ମଧ୍ୟରୁ ବାହାର କରି ନିର୍ମମ ଭାବରେ ଟାଇବର୍ଣ୍ଣ (Tyburn)ଠାରେ ଫାଶୀ ଦଣ୍ତ ଦେଲେ ଏବଂ ଫାଶୀ ଖୁଣ୍ଟ ତଳେ ପୁଣି ତାଙ୍କୁ କବର ଦେଲେ ।

 

କ୍ରମ୍‍ୱେଲ୍‍ଙ୍କର ବୈଦେଶିକ ନୀତି :

 

ସପ୍ତଦଶ ଶତକର ପ୍ରଥମାର୍ଦ୍ଧରେ ଇଂଲଣ୍ତର ବୈଦେଶିକ ନୀତି ଅତ୍ୟନ୍ତ ଦୁର୍ବଳ ଥିଲା । ଏହି ସମୟରେ ଇଉରୋପର ତ୍ରିଂଶବର୍ଷ ବ୍ୟାପୀ ଯୁଦ୍ଧରେ ପ୍ରଥମ ଜେମ୍‍ସ୍ ଓ ପ୍ରଥମ ଚାର୍ଲସ୍‍ଙ୍କ ଭୂମିକା ଶୋଚନୀୟ ବିଫଳତାରେ ପର୍ଯ୍ୟବସିତ ହୋଇଥିଲା । ମାତ୍ର କ୍ରମ୍‍ୱେଲ୍‍ଙ୍କର ବଳିଷ୍ଠ ନେତୃତ୍ୱ ତଥା ଦୃଢ଼ ବୈଦେଶିକ ନୀତିଫଳରେ ୟୁରୋପରେ ଇଂଲଣ୍ତର ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇଲା । ୧୬୫୧ ଖ୍ରୀ:ର ଶେଷ ପର୍ଯ୍ୟନ୍ତ କ୍ରମ୍‍ୱେଲ୍‍ଙ୍କର ଶକ୍ତି ସ୍ୱଦେଶରେ ରାଜତନ୍ତ୍ରବାଦୀଙ୍କର ବିଦ୍ରୋହ ଦମନରେ ନିୟୋଜିତ ଥିଲା । ଏହି ସମୟ ମଧ୍ୟରେ ସେ ସ୍କଟ୍‍ଲାଣ୍ତ୍ ଓ ଆୟାରଲାଣ୍ତ୍‍କୁ ବଶୀଭୂତ କଲେ ଏବଂ ଅରସେଷ୍ଟରଠାରେ ଦ୍ୱିତୀୟ ଚାର୍ଲସ୍‍ଙ୍କୁ ପରାସ୍ତ କଲେ । ଏହାପରେ ୧୬୫୨ ଖ୍ରୀ:ରୁ କ୍ରମ୍‍ୱେଲ୍‍ ବୈଦେଶିକ ବ୍ୟାପାରରେ ଆପଣାର ଶକ୍ତି ଓ ସମୟ ବିନିଯୋଗ କରିବା ସକାଶେ ସୁବିଧା ପାଇଲେ । ଏ ଦିଗରେ ସେ ତିନୋଟି ଗୁରୁତ୍ୱପୂର୍ଣ୍ଣ ନୀତି ଅନୁସରଣ କରିଥିଲେ । ପ୍ରଥମତଃ ବୈଦେଶିକ ଶକ୍ତି ସାହାଯ୍ୟରେ ଷ୍ଟୁଆର୍ଟ ରାଜବଂଶର ଯେପରି ପୁନଃ ପ୍ରତିଷ୍ଟା ନହୁଏ, ସେଥିପାଇଁ ସେ ସଜାଗ ଥିଲେ । ଦ୍ୱିତୀୟତଃ, ଇଉରୋପର ପ୍ରୋଟେଷ୍ଟାଣ୍ଟ୍ ମତବାଦର ପ୍ରସାର ତାଙ୍କର ଲକ୍ଷ୍ୟ ଥିଲା । ତୃତୀୟତଃ ଇଂଲଣ୍ତର ବୈଦେଶିକ ବାଣିଜ୍ୟର ଅଭିବୃଦ୍ଧି ପାଇଁ ସେ ସତତ ଯତ୍ନଶୀଳ ଥିଲେ-। ଏହି ସମୟରେ ଇଉରୋପର ତିନୋଟି ରାଜ୍ୟ ଯଥା, ହଲାଣ୍ତ, ଫ୍ରାନ୍‍ସ ଓ ସ୍ପେନ୍‍ ଇଂଲଣ୍ତର ପ୍ରତିଦ୍ୱନ୍ଦ୍ୱୀ ଥିଲେ । କ୍ରମ୍‍ୱେଲ୍‍ଙ୍କର ଏକ ଶକ୍ତିଶାଳୀ ତଥା ସୁଦକ୍ଷ ସେନାବାହିନୀ ଥିଲା ଏବଂ ତାହାରି ସାହାଯ୍ୟରେ ସେ ଏହି ପ୍ରତିଯୋଗିତାରେ ଅପୂର୍ବ ସଫଳତା ଲାଭ କରିଥିଲେ ।

 

ପ୍ରଥମ ଡଚ୍ ସମର (୧୬୫୨–୧୬୫୪)

 

ହଲାଣ୍ତ ଥିଲା ଇଂଲଣ୍ତର ପ୍ରଧାନ ଶତ୍ରୁ । ଇଂଲଣ୍ତ ପରି ଏ ଦେଶରେ ମଧ୍ୟ ଗଣତନ୍ତ୍ର ଶାସନ ତଥା ପ୍ରୋଟେଷ୍ଟାଣ୍ଟ୍ ମତବାଦ ପ୍ରତିଷ୍ଠିତ ଥିଲା । ମାତ୍ର ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ସମ୍ଭବ ନଥିଲା । ସେମାନଙ୍କ ମଧ୍ୟରେ ତୀବ୍ର ବାଣିଜ୍ୟ ପ୍ରତିଯୋଗିତା ଏହାର ପ୍ରଧାନ କାରଣ ଥିଲା । ଦୀର୍ଘ ପାର୍ଲିଆମେଣ୍ଟ୍‍ର ଜଣେ ସଦସ୍ୟ ଥରେ କହିଥିଲେ, ‘‘ଆମ୍ଭେମାନେ ଯେଉଁ ସୁନ୍ଦରୀ ରମଣୀପାଇଁ ଯୁଦ୍ଧ କରୁଅଛୁଁ, ତାହାର ନାମ ବାଣିଜ୍ୟ ଅଟେ ।’’ We are fighting for the fairest mistress in the world–Trade’’ ଏହି ସମୟରେ ବାଣିଜ୍ୟ କ୍ଷେତ୍ରରେ ହଲାଣ୍ତ ଇଂଲଣ୍ତ ଅପେକ୍ଷା ଉନ୍ନତତର ଥିଲା । ପୂର୍ବ ଭାରତୀୟ ଦ୍ୱୀପପୁଞ୍ଜରେ ଡଚ୍ ବଣିକମାନେ ଇଂରେଜମାନଙ୍କୁ ବିତାଡ଼ିତ କରିଥିଲେ । ପୃଥିବୀର ବାଣିଜ୍ୟ ବ୍ୟବସାୟ ବିଶେଷତଃ ଡଚ୍ ଜାହାଜରେ ପରିଚାଳିତ ହେଉଥିଲା । ହଲାଣ୍ତର ଏହି ଏକଚାଟିଆ ଅଧିକାରକୁ ଧ୍ୱଂସ କରିବାପାଇଁ ୧୬୫୧ ଖ୍ରୀ:ରେ ଇଂଲଣ୍ତର ପାର୍ଲିଆମେଣ୍ଟ୍‍ରେ ଏକ ନୌଚାଳନ ଆଇନ (Navigation Act) ଗୃହୀତ ହେଲା । ଇଂଲଣ୍ତ ବା ଇଂଲଣ୍ତର ଉପନିବେଶମାନଙ୍କୁ ରତ୍ପାନୀ ହୋଇ ଆସୁଥିବା ଜିନିଷ କେବଳ ଇଂରେଜ ଜାହାଜରେ ଅଥବା ଯେଉଁ ଦେଶରୁ ସେସବୁ ରତ୍ପାନୀ ହୋଇ ଆସୁଅଛି ସେହି ଦେଶର ଜାହାଜରେ ଅଣାଯାଇପାରିବ ବୋଲି ଏଥିରେ ଘୋଷିତ ହେଲା । ଏହାଫଳରେ ଡଚ୍ ଜାହାଜର ଚଳ ପ୍ରଚଳନ ବହୁ ପରିମାଣରେ କମିଗଲା ଏବଂ ଇଂଲଣ୍ତର ବାଣିଜ୍ୟର ଅଭିବୃଦ୍ଧି ହେଲା । ଏହି ଆଇନକୁ କାର୍ଯ୍ୟକାରୀ କରିବା ସକାଶେ ସମୂହ ମଧ୍ୟରେ ଇଂରେଜମାନେ ଡଚ୍‍ ଜାହାଜଗୁଡ଼ିକର ଖାନ୍‍ତଲାସ କଲେ । ହଲାଣ୍ତ ଏହାର ପ୍ରତିବାଦ କଲା ।

 

ଉଭୟ ଦେଶ ମଧ୍ୟରେ ଶତ୍ରୁତାର ଅନ୍ୟ ଏକ କାରଣ ଥିଲା ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା । ଇଂରେଜମାନେ ଇଂଲିଶ ଅନ୍ତରୀପରେ ସାର୍ବଭୌମତ୍ୱ ପ୍ରତିଷ୍ଠାପାଇଁ ଦାବି କଲେ ଯେ ସେହି ଅଞ୍ଚଳରେ ଡଚ୍‍ମାନେ ଇଂଲଣ୍ତକୁ ସମ୍ମାନ ଦେଖାଇ ସେମାନଙ୍କର ଜାତୀୟପତାକାକୁ ଅବନତ କରିବାକୁ ବାଧ୍ୟ ହେବେ । ହଲାଣ୍ତ ଏହି ଦାବିକୁ ମାନି ନେଇ ପାରିଲା ନାହିଁ ଏବଂ ଏହା ଉପରେ ୧୬୫୨ ଖ୍ରୀ: ମେ ମାସରେ ଉଭୟ ରାଷ୍ଟ୍ର ମଧ୍ୟରେ ସଂଘର୍ଷ ଆରମ୍ଭ ହେଲା । ଏହା ପ୍ରଥମ ଡଚ୍‍ ସମର ନାମରେ ଅଭିହିତ ।

 

ପ୍ରଥମ ଡଚ୍‍ ସମର ସମୁଦ୍ର ମଧ୍ୟରେ ସୀମିତ ଥିଲା ଏବଂ ଏହା ଦୁଇବର୍ଷ କାଳ ଭୟଙ୍କର ଭାବରେ ଚାଲିଥିଲା । ଉଭୟ ପକ୍ଷ ସମାନ ଭାବରେ ଶକ୍ତିଶାଳୀ ଥିଲେ । ହଲାଣ୍ତର ନୌସେନାଧ୍ୟକ୍ଷ ଟ୍ରମ୍ପ (Tromp) ନୌଯୁଦ୍ଧରେ ଅପ୍ରତିଦ୍ୱନ୍ଦ୍ୱୀ ବୋଲି ବିବେଚିତ ହେଉଥିଲେ । ଏହି ସମୟରେ ଇଂଲଣ୍ତର ସୌଭାଗ୍ୟକୁ ବ୍ଳେକ (Blake) ନାମକ ଜଣେ ଉଦୀୟମାନ ନୌସେନାପତିଙ୍କର ଆବିର୍ଭାବ ହୋଇଥିଲା । ୧୬୫୨ ଖ୍ରୀ: ନଭେମ୍ୱର ମାସରେ ଡନ୍‌ଜେନସ୍ (Dungeness) ନିକଟରେ ଟ୍ରମ୍ପ ବ୍ଳେକଙ୍କୁ ପରାସ୍ତ କରି ଇଂଲିଶ୍‍ ଅନ୍ତରୀପରେ ଡଚ୍‍ ଅଧିପତ୍ୟ ପ୍ରତିଷ୍ଠା କଲେ । ମାତ୍ର ୧୬୫୩ ଖ୍ରୀ: ଫେବୃୟାରୀ ମାସରେ ବ୍ଳେକ୍ ପୋର୍ଟଲେଣ୍ତ ନିକଟରେ ଡଚ୍‍ ନୌବାହିନୀକୁ ଶୋଚନୀୟ ଭାବରେ ପରାସ୍ତ କରି ସେହି ଅଞ୍ଚଳ ପୁନର୍ଦଖଲ କଲେ । ଏହି ଯୁଦ୍ଧରେ ଟ୍ରମ୍ପ ନିହତ ହେଲେ, ଶହେ କୋଡ଼ିଏ ଜଣ ଡଚ୍‍ ସୈନ୍ୟ ବନ୍ଦୀ ହେଲେ ଏବଂ ଏକ ହଜାର ଚାରିଶହରୁ ଅଧିକ ଜାହାଜ ଇଂରେଜମାନଙ୍କର କରାୟତ୍ତ ହେଲା । ଏହାପରେ ଡଚ୍‍ ନୌସେନାର ସାହସ ଭାଙ୍ଗିଗଲା ଏବଂ ହଲାଣ୍ତ ଇଂଲଣ୍ତ ସହ ସନ୍ଧି ସ୍ଥାପନପାଇଁ ଆଗ୍ରହୀ ହେଲା । ୧୬୫୪ ଖ୍ରୀ: ଏପ୍ରିଲ ୫ ତାରିଖ ଦିନ ଇଂଲଣ୍ତର ଉଏଷ୍ଟ ମିନିଷ୍ଟରଠାରେ ଉଭୟ ଦେଶ ମଧ୍ୟରେ ସନ୍ଧି ଚୁକ୍ତି ସ୍ୱାକ୍ଷରିତ ହେଲା । ଏହି ଚୁକ୍ତି ଅନୁସାରେ ହଲାଣ୍ତ ଇଂଲଣ୍ତର ନୌଚାଳନ ଆଇନକୁ ଗ୍ରହଣ କଲା, ଇଂଲିଶ୍‍ ଅନ୍ତରୀପରେ ଇଂରେଜ ପତାକାକୁ ସମ୍ମାନ ଦେବାପାଇଁ ରାଜି ହେଲା ଏବଂ ସେ ଦେଶରୁ ଇଂଲଣ୍ତର ରାଜତନ୍ତ୍ରବାଦୀମାନଙ୍କୁ ବିତାଡ଼ନ କରିବାପାଇଁ ପ୍ରତିଶ୍ରୁତି ଦେଲା । ଏହି ଯୁଦ୍ଧଫଳରେ ସମୁଦ୍ର ମଧ୍ୟରେ ହଲାଣ୍ତର ଏକାଧିପତ୍ୟ ଲୋପ ପାଇଲା ଏବଂ ଇଂଲଣ୍ତର ନୌବାହିନୀ ଡଚ୍‍ ନୌବାହିନୀର ସମକକ୍ଷ ହେଲେ । ଏହାଦ୍ୱାରା କ୍ରମ୍‍ୱେଲ୍‍ଙ୍କର ଗୌରବ ବୃଦ୍ଧି ପାଇଲା ।

 

ବ୍ରାଣ୍ତେନବର୍ଗ, ହଲାଣ୍ତ, ଡେନ୍‍ମାର୍କ ଓ ସୁଇଡ଼େନ ପ୍ରଭୃତି ଇଉରୋପର ପ୍ରୋଟେଷ୍ଟାଣ୍ଟ୍ ରାଜ୍ୟମାନଙ୍କ ସହ ଏକ ପବିତ୍ର ସଂଘ ଗଠନ କରିବାପାଇଁ କ୍ରମ୍‍ୱେଲ୍‍ ଇଚ୍ଛା କରିଥିଲେ । ମାତ୍ର ଏହି ରାଜ୍ୟମାନଙ୍କ ମଧ୍ୟରେ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା ଥିବା ହେତୁ ତାଙ୍କର ଉଦ୍ୟମ ସଫଳ ହୋଇ ପାରିଲା ନାହିଁ । ତଥାପି ସେ ଏହି ରାଜ୍ୟମାନଙ୍କ ସହ ପୃଥକ ଭାବରେ ଚୁକ୍ତି ସ୍ୱାକ୍ଷର କରିଥିଲେ ।

 

ସ୍ପେନ୍‍ ଓ ଫ୍ରାନ୍‌ସ ସହ ସମ୍ପର୍କ

 

୧୬୪୮ ଖ୍ରୀ:ରେ ଜର୍ମାନୀରେ ତ୍ରିଂଶବର୍ଷ ବ୍ୟାପୀ ଯୁଦ୍ଧର ଅବସାନ ହେଲା । ମାତ୍ର ଏହାପରେ ମଧ୍ୟ ସ୍ପେନ୍‍ ଓ ଫ୍ରାନ୍‌ସ ମଧ୍ୟରେ ଯୁଦ୍ଧ ଅବ୍ୟାହତ ରହିଲା । ଏହି ସମୟରେ ଇଂଲଣ୍ତର ଶକ୍ତି ବୃଦ୍ଧି ପାଉଥିଲା । ଏହା ଉପଲବ୍ଧି କରି ଉଭୟ ରାଜ୍ୟ କ୍ରମ୍‍ୱେଲ୍‍ଙ୍କଠାରୁ ସାହାଯ୍ୟ ପାଇବା ସକାଶେ ଆଗ୍ରହୀ ହେଲେ । କ୍ରମ୍‍ୱେଲ୍‍ ଏହାର ସୁଯୋଗ ନେବାପାଇଁ ଚାହିଁଲେ । ସ୍ପେନ୍‍ ଇଂଲଣ୍ତ ତଥା ପ୍ରୋଟେଷ୍ଟାଣ୍ଟ୍ ଧର୍ମର ପରମ ଶତ୍ରୁ ବୋଲି ତାଙ୍କର ଧାରଣା ଥିଲା । ସେଥିପାଇଁ ସେ ସ୍ପେନ୍‍କୁ ସାହାଯ୍ୟ ଦେବା ନିମନ୍ତେ କେତେକ କଠୋର ସର୍ତ୍ତ ଉପସ୍ଥାପିତ କଲେ । ତାଙ୍କର ଦାବି ଥିଲା ଯେ ସ୍ପେନ୍‍ ଇଂରେଜମାନଙ୍କୁ ଡନକିର୍କ ସମର୍ପଣ କରିବ, ଇଂରେଜ ବଣିକମାନେ ସ୍ପେନ୍‍ର ଧର୍ମ ସ୍ୱାଧୀନତା ପାଇ ପାରିବେ ଏବଂ ଆମେରିକାର ସ୍ପେନୀୟ ଉପନିବେଶରେ ଇଂରେଜମାନେ ଅବାଧ ବାଣିଜ୍ୟ କରି ପାରିବେ । କଥିତ ଅଛି ଯେ ଇଂଲଣ୍ତରେ ସ୍ପେନ୍‍ ରାଜଦୂତ ଏହି ସର୍ତ୍ତ ଶୁଣି ଚକିତ ହୋଇ କହିଥିଲେ, ‘‘ଏହା ଆମ ରାଜାଙ୍କର ଚକ୍ଷୁ ଦ୍ୱୟ ମାଗିବା ସଙ୍ଗେ ସମାନ ଅଟେ ।’’ * ଏହି ସର୍ତ୍ତଗୁଡ଼ିକୁ ସ୍ପେନ୍‍ ପ୍ରତ୍ୟାଖ୍ୟାନ କରିବ ବୋଲି କ୍ରମ୍‍ୱେଲ୍‍ ଜାଣିଥିଲେ । ତେଣୁ ସେ ଯୁଦ୍ଧପାଇଁ ପ୍ରସ୍ତୁତ ଥିଲେ ।

 

କ୍ରମ୍‍ୱେଲ୍‍ ୧୬୫୪ ଖ୍ରୀ: ସେପ୍‌ଟେମ୍ୱର ମାସରେ ସ୍ପେନ୍ ଓ ଭେନାବଲସ୍‍ଙ୍କ ନେତୃତ୍ୱରେ ଏକ ଶକ୍ତିଶାଳୀ ନୌବାହିନୀ ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜରେ ଥିବା ସ୍ପେନ୍‍ର ଉପନିବେଶମାନଙ୍କ ବିରୁଦ୍ଧରେ ପ୍ରେରଣ କଲେ । ବହୁ ବିଫଳତାର ସମ୍ମୁଖୀନ ହୋଇ ଏହି ଇଂରେଜ ବାହିନୀ ୧୬୫୫ ଖ୍ରୀ:ରେ କେବଳ ଜାମାଇବା ଦ୍ୱୀପ ଅଧିକାର କରିପାରିଥିଲେ । କ୍ରମ୍‍ୱେଲ୍‍ଙ୍କର ଏହି ଅଭିଯାନ ଏକ ନଗ୍ନ ଆକ୍ରମଣରୂପେ ନିନ୍ଦିତ ହୋଇଥାଏ । ମାତ୍ର ଏହା ପରବର୍ତ୍ତୀ କାଳରେ ବ୍ରିଟିଶ ସାମ୍ରାଜ୍ୟରେ ସ୍ଥାପନପାଇଁ ବିଶେଷ ସହାୟକ ହୋଇଥିଲା ।

 

ଏହାପରେ କ୍ରମ୍‍ୱେଲ୍‍ ଫ୍ରାନ୍‌ସ ସହିତ ଚୁକ୍ତି ସ୍ୱାକ୍ଷର କଲେ ଏବଂ ୧୬୫୬ ଖ୍ରୀ:ର ଆରମ୍ଭରେ ସ୍ପେନ୍‍ ବିରୁଦ୍ଧରେ ବିଧିବଦ୍ଧ ଭାବରେ ଯୁଦ୍ଧ ଘୋଷଣା କଲେ । ସେନାପତି ବ୍ଳେକ ସାନ୍ତାକ୍ର ଜରେ ଥିବା ସ୍ପେନ୍‍ର ଏକ ନୌବାହିନୀ ଉପରେ ଦୁଃସାହସିକ ଆକ୍ରମଣ କରି ତାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଲେ । ଏହି ଅଭିଯାନରୁ ଫେରୁଥିବା ସମୟରେ ୧୬୫୭ ଖ୍ରୀ: ଅଗଷ୍ଟ ୭ ତାରିଖ ଦିନ ବ୍ଳେକଙ୍କର ମୃତ୍ୟୁ ଘଟିଲା । ଏହାର ପରବର୍ଷ ୧୬୫୮ ଖ୍ରୀ:ରେ କ୍ରମ୍‍ୱେଲ୍‍ଙ୍କର ନୂତନ ଆଦର୍ଶ ସେନାବାହିନୀର ପ୍ରାୟ ଛଅ ହଜାର ସୈନ୍ୟ ଫରାସୀ ସେନାମାନଙ୍କ ସହ ମିଳିତ ହୋଇ ଡନକିର୍କ ଆକ୍ରମଣ କଲେ । ଏହି ବିଜୟ ପରେ ଫ୍ରାନ୍‌ସ ସହ ହୋଇଥିବା ଚୁକ୍ତି ଅନୁଯାୟୀ କ୍ରମ୍‍ୱେଲ୍‍ ଡନକିର୍କ ଲାଭ କଲେ । ଏହାପରେ ସେପ୍‌ଟେମ୍ୱର ମାସରେ କ୍ରମ୍‍ୱେଲ୍‍ଙ୍କରେ ମୃତ୍ୟୁ ହେଲା ।

 

ସ୍ପେନ୍‍ ବିରୁଦ୍ଧରେ ଫ୍ରାନ୍‌ସକୁ ସମର୍ଥନ କରିଥିବାରୁ କ୍ରମ୍‍ୱେଲ୍‍ଙ୍କର ବୈଦେଶିକ ନୀତିରେ ଦୂରଦର୍ଶୀତାର ଅଭାବ ଥିଲା ବୋଲି କୁହାଯାଇଥାଏ । ଏହି ସମୟରେ ସ୍ପେନ୍‍ର ଶକ୍ତି ହ୍ରାସ ପାଉଥିଲା ଏବଂ ଇଉରୋପରେ ଫରାସୀଶାସନରେ ପ୍ରଭାବ ବୃଦ୍ଧି ହେଉଥିଲା । କ୍ରମ୍‍ୱେଲ୍‍ଙ୍କର ବୈଦେଶିକ ନୀତି ଫ୍ରାନ୍‌ସର ଅଭ୍ୟୁଥାନକୁ ସାହାଯ୍ୟ କଲା ଏବଂ ସ୍ପେନ୍‍ ଏକ ନଗଣ୍ୟ ଶକ୍ତିରେ ପରିଗଣିତ ହେଲା । ଇଉରୋପୀୟ ଶକ୍ତିର ଭାରସାମ୍ୟ ରକ୍ଷା ଦିଗରେ ଇଂଲଣ୍ତ ସବୁ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଥିଲା । ମାତ୍ର କ୍ରମ୍‍ୱେଲ୍‍ଙ୍କର ବୈଦେଶିକ ନୀତିରେ ଏହାର ବ୍ୟତିକ୍ରମ ହେଲା । ଏହାଫଳରେ ଫ୍ରାନ୍‌ସର ଚତୁର୍ଦ୍ଦଶ ଲୁଇ ଇଉରୋପର ରାଜନୀତିକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେଲେ । ଫ୍ରାନ୍‌ସର ଅଭ୍ୟୁତ୍‌ଥାନ ଶେଷରେ ଇଂଲଣ୍ତପାଇଁ ମଧ୍ୟ ବିପଦର କାରଣ ହେଲା ।

 

* ‘‘This is to ask for my master’s two eyes’’

 

ଏହାସତ୍ତ୍ୱେ କ୍ରମ୍‍ୱେଲ୍‍ଙ୍କର ବୈଦେଶିକ ନୀତିର ସଫଳତାକୁ ଅସ୍ୱୀକାର କରି ହେବ ନାହିଁ । ସେ ସ୍ପେନ୍‍ ଓ ହଲାଣ୍ତକୁ ପଦାନତ କରି ଇଉରୋପରେ ଇଂଲଣ୍ତର ସୁନାମ ଓ ଗୌରବ ବୃଦ୍ଧି କଲେ । ତାଙ୍କ ଯୋଗୁଁହିଁ ଇଂଲଣ୍ତ ଡନକିର୍କ ଓ ଜାମାଇକା ଲାଭ କରି ପାରିଲା । ନିଃସନ୍ଦେହରେ କ୍ରମ୍‍ୱେଲ୍‍ଙ୍କର ବୈଦେଶିକ ନୀତି ତାଙ୍କର ଆଭ୍ୟନ୍ତରୀଣ ନୀତି ଅପେକ୍ଷା ଅଧିକ ସଫଳ ତଥା ଅଧିକ ଗୌରବମୟ ଥିଲା । ଐତିହାସିକ କ୍ଳାରେଣ୍ତନଙ୍କ ମତରେ ସ୍ୱଦେଶରେ କ୍ରମ୍‍ୱେଲ୍‍ଙ୍କର ପ୍ରତିଷ୍ଠା ବିଦେଶରେ ସେ ଲାଭ କରିଥିବା ଗୌରବର ଛାୟା ମାତ୍ର ଥିଲା । *

 

କ୍ରମ୍‍ୱେଲ୍‍ ଏକ ସାଧାରଣ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରି ସାମରିକ ପ୍ରତିଭା ତଥା ଅପୂର୍ବ ସଂଗଠନ ଶକ୍ତି ବଳରେ ନିଜକୁ ତତ୍କାଳୀନ ଇଉରୋପର ସର୍ବଶ୍ରେଷ୍ଠ ଶକ୍ତିଶାଳୀ ବ୍ୟକ୍ତିରୂପେ ପ୍ରତିଷ୍ଠିତ କରିପାରିଥିଲେ । ସେ ଏକ ସଙ୍କଟମୟ କାଳରେ ନେତୃତ୍ୱ ଗ୍ରହଣ କରି ଇଂଲଣ୍ତରେ ଶାନ୍ତି ଓ ଶୃଙ୍ଖଳା ସ୍ଥାପନ କରିବାରେ ସକ୍ଷମ ହୋଇଥିଲେ । ଏହା ତାଙ୍କର ଏକ ଗୌରବମୟ କୃତିତ୍ୱ ଥିଲା । ଇଂଲଣ୍ତପାଇଁ ଏକ ସ୍ଥାୟୀ ସମ୍ୱିଧାନ ପ୍ରସ୍ତୁତ କରିବା ତାଙ୍କର ଲକ୍ଷ୍ୟ ଥିଲା । ମାତ୍ର ଏ ଦିଗରେ ତାଙ୍କର ସମସ୍ତ ଉଦ୍ୟମ ବ୍ୟର୍ଥ ହୋଇଥିଲା ଏବଂ ଶେଷରେ ସେ କଠୋର ସାମରିକ ଶାସନ ଇଂଲଣ୍ତରେ ପ୍ରବର୍ତ୍ତନ କଲେ । ସେନାବାହିନୀ ସାହାଯ୍ୟରେ କ୍ରମ୍‍ୱେଲ୍‍ଙ୍କର ସ୍ୱେଚ୍ଛାଚାର ଶାସନ ନିନ୍ଦିତ ଓ ସମାଲୋଚିତ ହୋଇଥାଏ । କ୍ରମ୍‍ୱେଲ୍‍ ମଧ୍ୟ ଏଥିରେ ସନ୍ତୁଷ୍ଟ ନଥିଲେ ବୋଲି ଜଣାଯାଏ । ମାତ୍ର ସେତେବେଳେ ଏହାଛଡ଼ା ଅନ୍ୟ ଉପାୟ ନଥିଲା ବୋଲି ସେ ହୃଦୟଙ୍ଗମ କରିଥିଲେ ।

 

ସାମରିକ କ୍ଷେତ୍ରରେ କ୍ରମ୍‍ୱେଲ୍‍ ଆପଣାର ପ୍ରତିଭାର ପରିଚୟ ଦେଇ ଯାଇଛନ୍ତି । ଇଂଲଣ୍ତର ନୂତନ ଆଦର୍ଶ ସେନାବାହିନୀ ଗଠନ ତାଙ୍କର କୃତିତ୍ୱ ଥିଲା । କ୍ରମ୍‍ୱେଲ୍‍ ନଥିଲେ ପାର୍ଲିଆମେଣ୍ଟାରୀ ଦଳ ରାଜତନ୍ତ୍ରବାଦୀମାନଙ୍କ ଉପରେ ବିଜୟ ଲାଭ କରିପାରିଥାନ୍ତେ ବୋଲି ବିଶ୍ୱାସ ହୁଏ ନାହିଁ । ନାସବୀ, ଡନବାର, ଅରସେଷ୍ଟର, ପୋର୍ଟଲେଣ୍ତ, ଡନକିର୍କ ପ୍ରଭୃତି ଯୁଦ୍ଧରେ ସେ ଯେଉଁ ସାମରିକ କୌଶଳି ପ୍ରଦର୍ଶନ କରିଥିଲେ ତାହାର ପଟାନ୍ତର ଇତିହାସରେ ବିରଳ ଅଟେ । ଇଂଲଣ୍ତର ଗୌରବମୟ ଭବିଷ୍ୟତ ତାହାର ନୌବାହିନୀ ଉପରେହିଁ ନିର୍ଭର କରେ ବୋଲି କ୍ରମ୍‍ୱେଲ୍‍ ଉପଲବ୍ଧି କରିଥିଲେ । ତେଣୁ ସେ ସେନାପତି ବ୍ଳେକଙ୍କର ସାହାଯ୍ୟରେ ନୌଶକ୍ତିର ସଂଗଠନ ପାଇଁ ପ୍ରବଳ ଉଦ୍ୟମ କଲେ । ତାଙ୍କ ସମୟରୁ ଇଂଲଣ୍ତର ନୌବାହିନୀ ପୃଥିବୀର ଅପ୍ରତିଦ୍ୱନ୍ଦ୍ୱୀ ହୋଇ ରହିଲା । ଇଂଲଣ୍ତର ବାଣିଜ୍ୟ ବ୍ୟବସାୟର ପରିବୃଦ୍ଧି ପାଇଁ ମଧ୍ୟ ସେ ସତତ ଯତ୍ନଶୀଳ ଥିଲେ ।

 

* ‘‘Cromwell’s greatness at home was a mere shadow of his greatness a broad’’

 

କ୍ରମ୍‍ୱେଲ୍‍ ଥିଲେ ଜଣେ ଧର୍ମପ୍ରାଣ ବ୍ୟକ୍ତି । ତାଙ୍କର ସବୁ କାର୍ଯ୍ୟରେ ସେ ଭଗବାନଙ୍କର ସମର୍ଥନ ଲାଭ କରୁଥିଲେ ବୋଲି ତାଙ୍କର ବିଶ୍ୱାସ ଥିଲା । ସେ ପ୍ୟୁରିଟାନ ମତବାଦୀ ଥିଲେ ଏବଂ ଏହି ଧର୍ମର ପ୍ରତିଷ୍ଠା ଓ ପ୍ରସାରପାଇଁ ଉଦ୍ୟମ କରୁଥିଲେ । ତେବେ ରୋମାନ୍ କାଥଲିକ୍‍ମାନଙ୍କୁ ଛାଡ଼ି ଦେଲେ ଅନ୍ୟ ସବୁ ସଂପ୍ରଦାୟ ପ୍ରତି ତାଙ୍କର ସହନଶୀଳ ମନୋଭାବ ଥିଲା । ଟ୍ରେଭେଲିଅନ୍ ଲେଖିଛନ୍ତି ଯେ, ‘‘ମାନବୋଚିତ ବିଧିବିଧାନରେ କ୍ରମ୍‍ୱେଲ୍‍ଙ୍କର କୋମଳତା, ରହସ୍ୟପ୍ରିୟତା ଓ ବନ୍ଧୁତା ଫୁଟି ଉଠୁଥିଲା । ତାଙ୍କର ଉଚ୍ଚ ଆଶା ନଭଶ୍ଚୁମ୍ୱୀ ଥିଲା ସତ, ମାତ୍ର ତାଙ୍କର ମୂଳ ଗଭୀର ମାଟି ଭିତରକୁ ପ୍ରବେଶ କରିଥିଲା ।’’

 

ସାଧାରଣତନ୍ତ୍ରର ପତନ

 

ସ୍ୱପ୍ରତିଷ୍ଠିତ ସାଧାରଣତନ୍ତ୍ରକୁ ସୁଦୃଢ଼ ତଥା ଲୋକପ୍ରିୟ କରିବାପାଇଁ କ୍ରମ୍‍ୱେଲ୍‍ ବିଫଳ ହୋଇଥିଲେ । ଶେଷ ଜୀବନରେ ସେ ଉପଲବ୍ଧି କରିଥିଲେ ଯେ ସାମରିକ ଶକ୍ତି ଉପରେ ଆଧାରିତ ତାଙ୍କର ନୂତନ ସମ୍ୱିଧାନ ବେଶୀ ଦିନ ସ୍ଥାୟୀ ହୋଇ ପାରିବ ନାହିଁ । ୧୬୫୮ ଖ୍ରୀ: ସେପ୍‌ଟେମ୍ୱର ମାସରେ ତାଙ୍କର ମୃତ୍ୟୁ ହେଲା । ଏହାର ଅବ୍ୟବହିତ ପୂର୍ବରୁ ସେ ଆପଣାର ଜ୍ୟେଷ୍ଠ ପୁତ୍ର ରିଚାର୍ଡ଼ କ୍ରମ୍‍ୱେଲ୍‍ଙ୍କୁ ତାଙ୍କର ଉତ୍ତରାଧିକାରୀରୂପେ ମନୋନୀତ କଲେ । ଏହାପରେ ରିଚାର୍ଡ଼ ନିର୍ବିଘ୍ନରେ ନୂତନ ରାଷ୍ଟ୍ର–ରକ୍ଷକରୂପେ ଶାସନ ଦାୟିତ୍ୱ ନେଲେ । ମାତ୍ର କ୍ରମ୍‍ୱେଲ୍‍ଙ୍କର ବଳିଷ୍ଠ ନେତୃତ୍ୱ ଅପସାରିତ ହେବା ସଙ୍ଗେ ସଙ୍ଗେ ଦେଶରେ ବିଭେଦ ଓ ବିପ୍ଳବ ଦେଖା ଦେଇ ଆଭ୍ୟନ୍ତରୀଣ ସଙ୍କଟ ଘନୀଭୂତ ହେଲା । ଏହି ପରିସ୍ଥିତିର ସମ୍ମୁଖୀନ ହେବା ସକାଶେ ପିତାଙ୍କର ଦକ୍ଷତା ବା ବ୍ୟକ୍ତିତ୍ୱ ରିଚାର୍ଡ଼ଙ୍କର ନଥିଲା । ସେନାବାହିନୀକୁ ସେ ଆୟତ୍ତ କରି ପାରିଲେ ନାହିଁ । ସାମରିକ କର୍ମଚାରୀମାନଙ୍କ ସହ ତାଙ୍କର ମନୋମାଳିନ୍ୟ ହେଲା । ଜନସାଧାରଣଙ୍କର ସମର୍ଥନ ପାଇବା ଆଶାରେ ରିଚାର୍ଡ଼ ଏକ ପାର୍ଲିଆମେଣ୍ଟ୍‍ର ଆହ୍ୱାନ କଲେ । ମାତ୍ର ପାର୍ଲିଆମେଣ୍ଟ୍‍ ଓ ସେନାବାହିନୀ ମଧ୍ୟରେ କଳହ ଗୁରୁତର ହେଲା । ଇଂଲଣ୍ତକୁ ପୁଣି ଏକ ଗୃହଯୁଦ୍ଧରୁ ରକ୍ଷା କରିବାପାଇଁ ରିଚାର୍ଡ଼ ୧୬୫୯ ଖ୍ରୀ: ଏପ୍ରିଲ ମାସରେ ପାର୍ଲିଆମେଣ୍ଟ୍‍କୁ ଭାଙ୍ଗିଦେଲେ ଏବଂ ତଦନନ୍ତର ନିଜେ ମଧ୍ୟ ରାଷ୍ଟ୍ରରକ୍ଷକ ପଦବୀ ପରିତ୍ୟାଗ କରି ଫରାସୀ ରାଜଧାନୀ ପାରିସରେ ଅବସ୍ଥାନ କଲେ । ଏହାର ପ୍ରାୟ ୨୦ ବର୍ଷ ପରେ ୧୬୮୦ ଖ୍ରୀ:ରେ ରିଚାର୍ଡ଼ ଇଂଲଣ୍ତକୁ ପ୍ରତ୍ୟାବର୍ତ୍ତନ କଲେ । ସେ ୧୭୧୨ ଖ୍ରୀ:ରେ ୮୬ ବର୍ଷ ବୟସରେ ପ୍ରାଣତ୍ୟାଗ କଲେ ।

 

ରିଚାର୍ଡ଼ ରାଷ୍ଟ୍ର ମୁଖ୍ୟ ଦାୟିତ୍ୱରୁ ଓହରି ଯିବାପରେ ରମ୍ପ ପାର୍ଲିଆମେଣ୍ଟ୍‍ ପୁଣିଥରେ ଆହୂତ ହେଲା । ଏହି ପାର୍ଲିଆମେଣ୍ଟ୍‍ରେ ମାତ୍ର ୬୦ ବା ୭୦ ଜଣ ସଦସ୍ୟ ଥିଲେ । ସେମାନେ ସୈନ୍ୟବାହିନୀକୁ ପାର୍ଲିଆମେଣ୍ଟ୍‍ର ଆୟତ୍ତରେ ରଖିବାପାଇଁ ଆଇନ ପ୍ରଣୟନ କରି ବସିଲେ । ଏହି ସମୟରେ ଲାମ୍ୱାର୍ଟ ନାମକ ଜଣେ ସେନାପତିଙ୍କର ଅଭ୍ୟୁଦୟ ହେଲା । ଦ୍ୱିତୀୟ କ୍ରମ୍‍ୱେଲ୍‍ଙ୍କର ଭୂମିକା ଗ୍ରହଣ କରିବାପାଇଁ ଲାମ୍ୱାର୍ଟଙ୍କର ଆକାଂକ୍ଷା ଥିଲା । ସେ ପାର୍ଲିଆମେଣ୍ଟ୍‍ର ଅଧୀନ ହେବାକୁ ଚାହିଁଲେ ନାହିଁ । ୧୬୫୯ ଖ୍ରୀ: ଅକ୍‌ଟୋବର ମାସରେ ଲାମ୍ୱାର୍ଟ ରମ୍ପଙ୍କୁ ଆକ୍ରମଣ କରି ଭାଙ୍ଗିଦେଲେ ଏବଂ ଇଂଲଣ୍ତରେ ଗଣତନ୍ତ୍ରର ସ୍ଥାପନପାଇଁ ନୂତନ ସମ୍ୱିଧାନ ପ୍ରଣୟନ କରିବା ସକାଶେ ଏକ ନିରାପତ୍ତା ସମିତି ଗଠନ କଲେ । ଇତିମଧ୍ୟରେ ସ୍କଟ୍‍ଲାଣ୍ତ୍‍ରେ ସେନାପତି ମଙ୍କ ଶକ୍ତିଶାଳୀ ତଥା ଲୋକପ୍ରିୟ ହୋଇ ଉଠିଥିଲେ । ସେ ଉପଲବ୍ଧି କରିଥିଲେ ଯେ ରାଜତନ୍ତ୍ରର ପୁନଃ ପ୍ରତିଷ୍ଠାରେହିଁ ଇଂଲଣ୍ତର ଅଶାନ୍ତି ଓ ଅରାଜକତାର ଅବସାନ ହୋଇ ପାରିବ । ମାତୃଭୂମିକୁ ସଙ୍କଟରୁ ଉଦ୍ଧାର କରିବାପାଇଁ ମଙ୍କ ଏକ ବିରାଟ ସେନା ସହ ଇଂଲଣ୍ତ ଅଭିମୁଖେ ଅଗ୍ରସର ହେଲେ ଏବଂ ୧୬୫୯ ଖ୍ରୀ: ଡିସେମ୍ୱର ୮ ତାରିଖ ଦିନ କୋଲ୍‌ଡ଼ଷ୍ଟ୍ରିମରେ (Coldstream) ପହଞ୍ଚିଲେ । ଇତିମଧ୍ୟରେ ଲାମ୍ୱାର୍ଟଙ୍କର ସୈନ୍ୟ ସଂଖ୍ୟା ବହୁ ପରିମାଣରେ କମିଗଲା ଏବଂ ସେ ମଙ୍କଙ୍କର ପ୍ରତିରୋଧ କରିବାପାଇଁ ସାହସ କଲେ ନାହିଁ । ମଙ୍କ ବିଜୟୋଲ୍ଲାସରେ ରାଜଧାନୀ ଲଣ୍ତନ ନଗରୀରେ ପ୍ରବେଶ କଲେ । ଏହାପରେ ସେ ଏକ ଅସ୍ଥାୟୀ ବା କନ୍‌ଭେନସନ୍ ପାର୍ଲିଆମେଣ୍ଟ୍‍ (Convention Parliament)ର ଆହ୍ୱାନ କଲେ । ବହୁସଂଖ୍ୟକ ରାଜତନ୍ତ୍ରବାଦୀ ସଦସ୍ୟ ନିର୍ବାଚିତ ହୋଇ ଉକ୍ତ ପାର୍ଲିଆମେଣ୍ଟ୍‍କୁ ଆସିଲେ । ପ୍ରଥମ ଚାର୍ଲସ୍‍ଙ୍କର ପୁତ୍ର ଦ୍ୱିତୀୟ ଚାର୍ଲସ୍‍ଙ୍କୁ ସିଂହାସନ ଅର୍ପଣ କରି ରାଜତନ୍ତ୍ରର ପୁନଃ ପ୍ରତିଷ୍ଠାପାଇଁ ସେମାନେ ସ୍ଥିର କଲେ । ଇତିମଧ୍ୟରେ ସେନାପତି ମଙ୍କ ମଧ୍ୟ ଦ୍ୱିତୀୟ ଚାର୍ଲସ୍‍ଙ୍କ ସହ ସଂଯୋଗ ସ୍ଥାପନ କରିଥିଲେ । ମଙ୍କଙ୍କର ପରାମର୍ଶରେ ଦ୍ୱିତୀୟ ଚାର୍ଲସ୍‍ ହଲାଣ୍ତର ବ୍ରେଡ଼ାଠାରେ ଆପଣାର କାର୍ଯ୍ୟକ୍ରମର ଘୋଷଣା ପ୍ରକାଶ କଲେ । ଏହାଦ୍ୱାରା ସେ ଇଂଲଣ୍ତର ସବୁ ଶ୍ରେଣୀ ଲୋକଙ୍କର ସମର୍ଥନ ପାଇଲେ । ଏହାପରେ ୧୬୬୦ ଖ୍ରୀ: ମେ ମାସ ୨୯ ତାରିଖ ଦିନ ସେ ଯେତେବେଳେ ଲଣ୍ତନ ମହାନଗରୀରେ ପ୍ରବେଶ କଲେ, ଜନସାଧାରଣ ତାଙ୍କୁ ଉଚ୍ଛ୍ୱସିତ ହୃଦୟରେ ଅଭିନନ୍ଦନ ଜଣାଇଲେ ଏବଂ ଅଶାନ୍ତି ଓ ଅସ୍ଥିରତା ରୂପକ ଯୁଗର ଅବସାନ ହେଲା ବୋଲି ସମସ୍ତେ ଅଶ୍ୱସ୍ତି ଲାଭ କଲେ ।

 

ନବମ ଅଧ୍ୟାୟ

ଦ୍ୱିତୀୟ ଚାର୍ଲସ୍‍ (ଖ୍ରୀ: ୧୬୬୦–୧୬୮୫)

ପୁନଃ ପ୍ରତିଷ୍ଠା (Restoration)

 

୧୬୬୦ ଖ୍ରୀ: ମେ ମାସ ୨୯ ତାରିଖରେ ଦ୍ୱିତୀୟ ଚାର୍ଲସ୍ ନିଜର ତ୍ରିଂଶତମ ଜୟନ୍ତୀ ଦିବସରେ ଲଣ୍ତନ ମହାନଗରୀରେ ପ୍ରବେଶ କଲେ । ହ୍ୱାଇଟ୍‍ହଲ ପ୍ରାସାଦରେ ତାଙ୍କ ଅଭିଷେକ ଉତ୍ସବ ପାଳିତ ହେଲା । ଫଳରେ ଦୀର୍ଘ ଏଗାରବର୍ଷ ପରେ ଇଂଲଣ୍ତରେ ରାଜତନ୍ତ୍ର ଶାସନରେ ପୁନଃ ପ୍ରତିଷ୍ଠା ହେଲା । ଶାସନ କ୍ଷେତ୍ରରେ ରାଜାଙ୍କର ପ୍ରଭାବ ଅତୁଟ ରହିଲା । ସେ ପୂର୍ବଭଳି ମନ୍ତ୍ରୀମାନଙ୍କୁ ନିଯୁକ୍ତ କଲେ ଏବଂ ଘରୋଇ ଓ ବୈଦେଶିକ ନୀତିକୁ ନିୟନ୍ତ୍ରଣ କଲେ । ମାତ୍ର ଏହି ନୂତନ ପ୍ରତିଷ୍ଠିତ ରାଜତନ୍ତ୍ରରେ ଟିଉଡ଼ର୍‍ ଶାସନର ଶକ୍ତି ଓ ତେଜ ଫେରି ଆସି ପାରିଲା ନାହିଁ । ରାଜା ପ୍ରଥମ ଚାର୍ଲସ୍‍ ରାଜଧାନୀ ପରିତ୍ୟାଗ କରିବା ପୂର୍ବରୁ ପାର୍ଲିଆମେଣ୍ଟ୍‍ର ଯେଉଁ ସବୁ ଆଇନରେ ସମ୍ମତି ପ୍ରଦାନ କରିଥିଲେ, ସେ ସବୁ ବର୍ତ୍ତମାନ ବଳବତ୍ତର ହେଲା । ଏତଦ୍ଦ୍ୱାରା ଶାସନ କ୍ଷେତ୍ରରେ କେତେକ ରାଜକୀୟ କ୍ଷମତା ଲୋପ ପାଇଗଲା । ଜାହାଜ କର (Ship Money), ବାଧ୍ୟତାମୂଳକ ଋଣ ପ୍ରଭୃତି ହେଉଁ ସବୁ ଅର୍ଥ ପାର୍ଲିଆମେଣ୍ଟ୍‍ର ଅନୁମୋଦନ ବିନା ଆଦାୟ ହେଉଥିଲା, ତାହାର ନିନ୍ଦା କରାଗଲା । ଷ୍ଟାର୍ ଚେମ୍ୱର (Star Chamber) ପ୍ରଭୃତି ସ୍ୱେଚ୍ଛାଚାରୀ ବିଚାରାଳୟମାନଙ୍କର ପୁନର୍ଗଠନ କରାଗଲା ନାହିଁ । ରାଜାଙ୍କର କ୍ଷମତା କେତେକାଂଶରେ ସୀମାବଦ୍ଧ ହେଲା; ରାଜତନ୍ତ୍ର ସମ୍ୱିଧାନ ସମ୍ମତ ହେଲା ।

 

ଦ୍ୱିତୀୟ ଚାର୍ଲସ୍‍ଙ୍କ ପୁନରାଗମନରେ କେବଳ ଯେ ରାଜତନ୍ତ୍ରର ପୁନଃ ପ୍ରତିଷ୍ଠା ହେଲା ତାହା ନୁହେଁ, ପାର୍ଲିଆମେଣ୍ଟ୍‍ ମଧ୍ୟ ପୁନଃ ପ୍ରତିଷ୍ଠିତ ହେଲା । ମାତ୍ର ନୂତନ ପାର୍ଲିଆମେଣ୍ଟ୍‍ ପୁରାତନ ପରମ୍ପରା ଉପରେ ଆଧାରିତ ହେଲା । କ୍ରମ୍‍ୱେଲ୍‍ଙ୍କ ଶାସନ କାଳରେ ପାର୍ଲିଆମେଣ୍ଟ୍‍ର ସଂସ୍କାରପାଇଁ ଉଦ୍ୟମ ହୋଇ ନିର୍ବାଚନ ପଦ୍ଧତି ତଥା ନିର୍ବାଚନ ମଣ୍ତଳୀର କେତେକ ପରିବର୍ତ୍ତନ ହୋଇଥିଲା ଏବଂ ସ୍କଟ୍‍ଲାଣ୍ତ୍ ଓ ଆୟାରଲାଣ୍ତ୍‍ର ପ୍ରତିନିଧିମାନେ ଇଂଲଣ୍ତ ପାର୍ଲିଆମେଣ୍ଟ୍‍ରେ ସ୍ଥାନ ପାଇଥିଲେ । ଏହି ସବୁ ପରିବର୍ତ୍ତନ ବର୍ତ୍ତମାନର ପାର୍ଲିଆମେଣ୍ଟ୍‍ଦ୍ୱାରା ପରିତ୍ୟକ୍ତ ହେଲା । ନିର୍ବାଚନରେ ସଂସ୍କାରପାଇଁ ସପ୍ତଦଶ ଶତକରେ ଆଉ ନୂତନ ଉଦ୍ୟମ ହେଲା ନାହିଁ । ୧୬୭୭ ଖ୍ରୀ:ରେ ଦ୍ୱିତୀୟ ଚାର୍ଲସ୍‍ ଏକ ନିର୍ବାଚନ ମଣ୍ତଳୀ ସୃଷ୍ଟି କରିବାକୁ ଚେଷ୍ଟା କରି ବିପୁଳ ପ୍ରତିରୋଧର ସମ୍ମୁଖୀନ ହୋଇଥିଲେ ଏବଂ ତାହା ହେଲା ଏ କ୍ଷେତ୍ରରେ ରାଜାଙ୍କ ବିଶେଷ କ୍ଷମତା ପ୍ରୟୋଗର ସର୍ବଶେଷ ଉଦ୍ୟମ । ଇଂଲଣ୍ତ ସହ ସ୍କଟ୍‍ଲାଣ୍ତ୍‍ର ମିଶ୍ରଣ ୧୭୦୭ ଖ୍ରୀ:ରେ ସାଧିତ ହେଲା ଏବଂ ଆୟାରଲାଣ୍ତ୍‍କୁ ଏଥିପାଇଁ ୧୮୦୧ ଖ୍ରୀ: ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଲା । ଏହା ସତ୍ତ୍ୱେ ୧୬୬୦ ଖ୍ରୀ: ପରେ ପାର୍ଲିଆମେଣ୍ଟ୍‍ର ଶକ୍ତି ଓ ସମ୍ମାନ ବିଶେଷ ଭାବରେ ଯେ ବୃଦ୍ଧି ପାଇଲା ଏଥିରେ ସନ୍ଦେହ ନାହିଁ । ପାର୍ଲିଆମେଣ୍ଟ୍‍ର ଆକାଂକ୍ଷାକୁ ଉପେକ୍ଷା କରିବାର ଶକ୍ତି ଆଉ କାହାରି ରହିଲା ନାହିଁ । ଜଣେ ପର୍ଯ୍ୟବେକ୍ଷକ ପାର୍ଲିଆମେଣ୍ଟ୍‍ର ଏହି ପ୍ରତିଷ୍ଠାକୁ ଲକ୍ଷ୍ୟ କରି କହିଥିଲେ, ‘‘ଫ୍ରାନ୍‌ସର ରାଜା ନିଜର ଇଚ୍ଛାନୁସାରେ ପ୍ରଜାକୁଳଙ୍କୁ ଆଗେଇ ନେଇ ପାରିବେ, ମାତ୍ର ଇଂଲଣ୍ତର ରାଜାଙ୍କୁ ପ୍ରଜାଙ୍କ ସହ ଆଗେଇବାକୁ ପଡ଼ିବ ।’’

 

ଦ୍ୱିତୀୟ ଚାର୍ଲସ୍‍ଙ୍କ ଅଭିଷେକ ଉତ୍ସବ ସହ ଏକ ତୃତୀୟ ସଂସ୍ଥାର ମଧ୍ୟ ପ୍ରତିଷ୍ଠା ହେଲା । ତାହା ହେଉଛି ଇଂଲଣ୍ତର ଗିର୍ଜା । ଏହାଫଳରେ ଧର୍ମଯାଜକ ଏବଂ ପୁରୋହିତ ସଂପ୍ରଦାୟର ପୂର୍ଣ୍ଣ କର୍ତ୍ତୃତ୍ୱ ଫେରି ଆସିଲା ଏବଂ ବହୁସଂଖ୍ୟକ ପ୍ୟୁରିଟାନ କର୍ମଚ୍ୟୁତ ହେଲେ । ମାତ୍ର ଇଂଲଣ୍ତର ସାଧାରଣ ଜୀବନରେ ପ୍ୟୁରିଟାନ ପ୍ରଭାବକୁ ନଷ୍ଟ କରି ଦିଆଯାଇପାରିଲା ନାହିଁ ଏବଂ ଦେଶରେ ଏକ ପ୍ୟୁରିଟାନ ଆବେଗ ପ୍ରଚ୍ଛନ୍ନ ଭାବରେ କାର୍ଯ୍ୟ କଲା ।

 

ଦ୍ୱିତୀୟ ଚାର୍ଲସ୍‍ଙ୍କ ଚାରିତ୍ରିକ ବୈଶିଷ୍ଟ୍ୟ

 

ଦ୍ୱିତୀୟ ଚାର୍ଲସ୍‍ ପନ୍ଦରବର୍ଷ କାଳ ଇଂଲଣ୍ତକୁ ନିର୍ବାସିତ ହୋଇ ବିଦେଶରେ ଜୀବନ ଅତିବାହିତ କରିଥିଲେ । ଦୀର୍ଘ ନିର୍ବାସନ ତାଙ୍କର ଚରିତ୍ରକୁ ବିଶେଷଭାବେ ପ୍ରଭାବିତ କରିଥିଲା । ଏହାଫଳରେ ପ୍ରତ୍ୟେକ କ୍ଷେତ୍ରରେ ଆପୋସ ମୀମାଂସା ଓ ସମନ୍ୱୟ ଉପରେ ତାଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇଲା । ସେ ଥିଲେ ଏକ ଚତୁର ତଥା ଖୁସିମିଞ୍ଜାସ ବ୍ୟକ୍ତି । ଜଣେ ସାଧାରଣ ଇଂରେଜଙ୍କ ଭଳି କ୍ରୀଡ଼ା କସରତରେ ତାଙ୍କର ଆଗ୍ରହ ଥିଲା । ଟେନିସ୍ ଖେଳିବାକୁ ତଥା ଶିକାର କରିବାକୁ ସେ ଭଲ ପାଉଥିଲେ । ଗ୍ରୀଷ୍ମ କାଳରେ ପ୍ରଭାତର ୫ଟା ସମୟରେ ଶଯ୍ୟାତ୍ୟାଗ କରି ସେ ଟେନିସ୍ ଖେଳୁଥିଲେ । ପେପିସ (Pepys) ଲେଖିଛନ୍ତି ଯେ ଯେତେବେଳେ ଡଚ୍‍ମାନଙ୍କର ବନ୍ଧୁକ ଟେମସ୍ ନଦୀକୂଳରେ ଗର୍ଜି ଉଠିଥିଲା, ସେହି ସମୟରେ ଚାର୍ଲସ୍‍ ପତଙ୍ଗ ଶିକାରରେ ବ୍ୟସ୍ତ ଥିଲେ । ଚାର୍ଲସ୍‍ ଥିଲେ କର୍ମବିମୁଖ, ସ୍ୱାର୍ଥପର ଏବଂ ନୀତିହୀନ ସ୍ୱାର୍ଥସିଦ୍ଧି ପାଇଁ ସେ ଧର୍ମ; ବନ୍ଧୁ ତଥା ମନ୍ତ୍ରୀମାନଙ୍କୁ ପରିତ୍ୟାଗ କରିବାକୁ ପ୍ରସ୍ତୁତ ଥିଲେ । ତା’ଛଡ଼ା ନିର୍ବାସନ ସମୟରେ ସେ ବିପଥଗାମୀ ହୋଇ ପଡ଼ିଥିଲେ ଏବଂ ଇଂଲଣ୍ତ ପ୍ରତ୍ୟାବର୍ତ୍ତନ ପରେ ମଧ୍ୟ ତାଙ୍କର ପ୍ରାସାଦ ଦୁର୍ନୀତି ଓ ସ୍ୱୈରାଚାରିତାର କେନ୍ଦ୍ର ହୋଇଥିଲା । ଲେଡ଼ି କେସଲମାଇନ (Lady Castlemaine) ଏବଂ ଡ୍ୟୁକ୍‌ଅଫ୍ ପୋର୍ଟସମାଉଥଙ୍କର ସ୍ତ୍ରୀଙ୍କ ଭଳି କେତେକ କୁଖ୍ୟାତ ରମଣୀଙ୍କର ପ୍ରଭାବ ବିଶେଷ ଭାବରେ ଅନୁଭୂତ ହୋଇଥିଲା । ଚାର୍ଲସ୍‍ ଥିଲେ କାଥଲିକ୍‍ ପନ୍ଥୀ । ମାତ୍ର ରାଜନୀତି କ୍ଷେତ୍ରରେ ସେ ଅତିଶୟ ସାବଧାନତା ଅବଲମ୍ୱନ କରୁଥିଲେ । ଧର୍ମ କ୍ଷେତ୍ରରେ ମଧ୍ୟ ତାଙ୍କର ଆନ୍ତରିକତା ନଥିଲା । ଯଦ୍ୟପି ସେ କେତେକ ପରିମାଣରେ ଦୃଢ଼ତାର ସହ ନିଜ ମତକୁ ବଜାୟ ରଖୁଥିଲେ, ତଥାପି ସେ ଅପେକ୍ଷାକୃତ ନମନୀୟ ଓ ଚତୁର ଥିବାରୁ ସମୟ ସହ ତାଳ ଦେଇ ସନ୍ତୁଷ୍ଟ ରହୁଥିଲେ ଏବଂ ‘‘ପୁଣି ଥରେ ଦେଶାଟନରେ ନଯିବାପାଇଁ’’ ସ୍ଥିର ପ୍ରତିଜ୍ଞ ଥିଲେ । ଏହି କାରଣରୁ ଚାର୍ଲସ୍‍ଙ୍କ ପଚିଶବର୍ଷ ରାଜତ୍ୱର ଅବସାନ ପରେ ଇଂଲଣ୍ତରେ ରାଜତନ୍ତ୍ରର ସ୍ଥିତି ଓ ପ୍ରତିଷ୍ଠା ପୂର୍ବାପେକ୍ଷା ଅଧିକ ସୁଦୃଢ଼ ହୋଇଥିଲା ।

 

ବ୍ରେଡ଼ା ଘୋଷଣାପତ୍ର ଓ ଅସ୍ଥାୟୀ ପାର୍ଲିଆମେଣ୍ଟ୍‍

 

ଇଂଲଣ୍ତ ପ୍ରତ୍ୟାବର୍ତ୍ତନ ପୂର୍ବରୁ ୧୬୬୦ ଖ୍ରୀ: ଏପ୍ରିଲ ୪ ତାରିଖ ଦିନ ବ୍ରେଡ଼ାଠାରେ ଚାର୍ଲସ୍‍ ଏକ ଘୋଷଣାପତ୍ରରେ (Declaration of Breda) ସ୍ୱାକ୍ଷର କରି ଚାରିଗୋଟି ପ୍ରତିଜ୍ଞାରେ ଆବଦ୍ଧ ହୋଇଥିଲେ । ଅବଶ୍ୟ ଏହିସବୁ ପ୍ରତିଜ୍ଞା ପୂରଣପାଇଁ ପାର୍ଲିଆମେଣ୍ଟ୍‍ର ସମ୍ମତି ଏକ ସର୍ତ୍ତରୂପେ ନିର୍ଦ୍ଧାରିତ ଥିଲା । ପ୍ରଥମ ପ୍ରତିଜ୍ଞାରେ ସେ ସୈନ୍ୟମାନଙ୍କର ବାକିଆ ଦରମା ଦେବାପାଇଁ ରାଜି ହେଲେ । ଏହା କାର୍ଯ୍ୟକାରୀ ହେଲା । ଏହାଫଳରେ ସେନାପତି ମଙ୍କଙ୍କର ସେନାଦଳ ବ୍ୟତୀତ ନୂତନ ସେନାବାହିନୀକୁ (New Model Army) ଭାଙ୍ଗି ଦିଆଗଲା । ମଙ୍କଙ୍କର ସେନାବାହିନୀ ପରବର୍ତ୍ତୀ କାଳରେ କୋଲଡ଼ଷ୍ଟ୍ରିମ୍ ଗାଡ଼ସ (Coldstream guards) ନାମରେ ଅଭିହିତ ହେଲେ ।

 

ଦ୍ୱିତୀୟତଃ ଚାର୍ଲସ୍‍ ରାଜଦ୍ରୋହ ଅପରାଧୀଙ୍କୁ କ୍ଷମାର ପ୍ରତିଶ୍ରୁତି ଦେଲେ । ସେ ନିଜେ ପ୍ରତିଶୋଧ ଭାବାପନ୍ନ ନଥିଲେ ଏବଂ କ୍ଷମା ଦେଇ ଭୁଲିଯିବା ପାଇଁ ଚାହୁଁଥିଲେ । ମାତ୍ର ପାର୍ଲିଆମେଣ୍ଟ୍‍ରେ ଏକ କ୍ଷତିପୂରଣ ଓ ବିସ୍ମରଣ ଆଇନ (Act of Indemnity and Oblivion) ଗୃହୀତ ହୋଇ ତିରିଣ ଜଣ ବ୍ୟକ୍ତିଙ୍କୁ ରାଜଦ୍ରୋହ ଅପରାଧରେ ଅଭିଯୁକ୍ତ କରାଗଲା-। ସେମାନଙ୍କ ମଧ୍ୟରୁ ପ୍ରଥମ ଚାର୍ଲସ୍‍ଙ୍କ ମୃତ୍ୟୁଦଣ୍ତାଦେଶରେ ସ୍ୱାକ୍ଷର କରିଥିବା ତେରଜଣ ରାଜଦ୍ରୋହୀ ପ୍ରାଣଦଣ୍ତ ପାଇଲେ ଏବଂ ପଚିଶ ଜଣକୁ ଆଜୀବନ କାରାଦଣ୍ତ ଦିଆଗଲା-। କ୍ରମ୍‍ୱେଲ୍‍ଙ୍କ ମୃତ ଶରୀରକୁ ଉଏଷ୍ଟମିନିଷ୍ଟର ଏବୀ କବରରୁ ବାହାର କରି କୋନ୍ନାଟ ସ୍କୋୟାରର ଟାଇବର୍ଣ୍ଣଠାରେ ନିଷ୍ଠୁରଭାବେ ଫାସୀ ଦିଆଗଲା ଏବଂ ଫାଶୀଖୁଣ୍ଟ ତଳେ ପୁଣି ତାଙ୍କୁ କବର ଦିଆଗଲା ।

 

ତୃତୀୟତଃ, ସାଧାରଣତନ୍ତ୍ର ଶାସନ ସମୟରେ ଯେଉଁମାନେ ଭୂସମ୍ପତ୍ତି ଲାଭ କରିଥିଲେ, ସେମାନେ ନିରାପଦରେ ସେ ସବୁ ଭୋଗ କରିପାରିବେ ବୋଲି ଚାର୍ଲସ୍‍ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଏହା ଏକ ଜଟିଳ ସମସ୍ୟା ସୃଷ୍ଟି କଲା । ବହୁ ଆଲୋଚନା ପରେ ଏହା ସ୍ଥିର ହେଲା ଯେ ଯେଉଁସବୁ ଭୂସମ୍ପତ୍ତି ଗିର୍ଜା କିମ୍ୱା ରାଜପରିବାରର ଅଧୀନ ଥିଲା, ମାତ୍ର ସାଧାରଣତନ୍ତ୍ର ସରକାର ବଳପୂର୍ବକ ଅଧିକାର କରି ନେଉଥିଲେ ସେ ସବୁ ପୂର୍ବତନ ମାଲିକମାନଙ୍କୁ ଫେରାଇ ଦିଆଯିବ । ମାତ୍ର ଏହି ସମୟରେ କାର୍ଯ୍ୟକାରୀ ହୋଇଥିବା ଭୂସମ୍ପତ୍ତିର କ୍ରୟବିକ୍ରୟ ବଳବତ୍ତର ରହିଲା । ଫଳରେ ଯେଉଁ କେତେକ ବିଦ୍ରୋହୀ ରାଜତନ୍ତ୍ରବାଦୀ ସାଧାରଣତନ୍ତ୍ର ସରକାରଙ୍କଦ୍ୱାରା ଅର୍ଥଦଣ୍ତରେ ଦଣ୍ତିତ ହୋଇ ସେମାନଙ୍କର ଭୂସମ୍ପତ୍ତି ବିକ୍ରୟ କରିବାକୁ ବାଧ୍ୟ ହୋଇଥିଲେ, ସେମାନେ ସେସବୁ ଆଉ ଫେରି ପାଇଲେ ନାହିଁ । ଏହି ସମାଧନ କୌଣସି ପକ୍ଷକୁ ସନ୍ତୁଷ୍ଟ କରି ପାରିଲା ନାହିଁ । ତେବେ ସେ ସମୟରେ ଏହାଛଡ଼ା ଆଉ କୌଣସି ସନ୍ତୋଷଜନକ ପନ୍ଥା ନଥିଲା । ଦ୍ୱିତୀୟ ଚାର୍ଲସ୍‍ଙ୍କ ନିର୍ବାସନବେଳେ ଯେଉଁମାନେ ରାଜତନ୍ତ୍ର ପ୍ରତି ଅନୁରକ୍ତ ଥାଇ ତାଙ୍କ ପଛରେ ଠିଆ ହୋଇଥିଲେ, ଏହାଦ୍ୱାରା ପ୍ରତାରିତ ହେଲେ । ମାତ୍ର ଆଉ ଏକ ଗୃହଯୁଦ୍ଧର ସମ୍ଭାବନାକୁ ଏଡ଼ାଇବା ପାଇଁ ଚାର୍ଲସ୍‍ଙ୍କୁ ଏଥିରେ ରାଜି ହେବାକୁ ପଡ଼ିଲା ।

 

ଅସ୍ଥାୟୀ ବା କନ୍‌ଭେନସନ୍ ପାର୍ଲିଆମେଣ୍ଟ୍‍ ଉପରୋକ୍ତ ତିନୋଟି ବିଷୟରେ ନିଷ୍ପତ୍ତି ଗ୍ରହଣ କରିବାରେ ସକ୍ଷମ ହୋଇଥିଲେ ମଧ୍ୟ ଚାର୍ଲସ୍‍ଙ୍କ ଚତୁର୍ଥ ପ୍ରତିଶ୍ରୁତି ପାଳନ କରିବାପାଇଁ କୌଣସି ସମାଧାନରେ ଉପନୀତ ହୋଇ ପାରିଲା ନାହିଁ । ଏହି ପ୍ରତିଶ୍ରୁତିରେ ଚାର୍ଲସ୍‍ ବୌଦ୍ଧିକ ସ୍ୱାଧୀନତା ପ୍ରଦାନ ପୂର୍ବକ ଧର୍ମ ସଂପ୍ରଦାୟମାନଙ୍କ ମଧ୍ୟରେ ସଂଘର୍ଷର ଅବସାନ ପାଇଁ ରାଜି ହୋଇଥିଲେ । ଅସ୍ଥାୟୀ ପାର୍ଲିଆମେଣ୍ଟ୍‍ରେ ବହୁସଂଖ୍ୟକ ସଭ୍ୟ ପ୍ୟୁରିଟାନ ଥିଲେ । ରାଜତନ୍ତ୍ରର ପୁନଃ ପ୍ରତିଷ୍ଠାରେ ଏକ ବିଶିଷ୍ଟ ଭୂମିକା ଗ୍ରହଣ କରିଥିବାରୁ ତାହାର ବଦଳରେ କେତେକ ସୁବିଧା ପାଇ ପାରିବେ ବୋଲି ସେମାନେ ଆଶା କରିଥିଲେ । ରାଜା ଦ୍ୱିତୀୟ ଚାର୍ଲସ୍‍ ମଧ୍ୟ ଅକ୍‌ଟୋବର ୨୫ ତାରିଖର ଏକ ବିଜ୍ଞପ୍ତିରେ ଖ୍ରୀଷ୍ଟ ଧର୍ମର ସବୁ ସଂପ୍ରଦାୟଙ୍କୁ ଅସ୍ଥାୟୀ ଭାବରେ ସ୍ୱାଧୀନତା ପ୍ରଦାନ କଲେ । ଏହାପରେ ୧୬୬୧ ଖ୍ରୀ: ଏପ୍ରିଲ ୫ ତାରିଖ ଦିନ ଧର୍ମ ସମସ୍ୟାର ପାଇଁ ଏଙ୍ଗ୍ଳିକାନ ଓ ପ୍ୟୁରିଟାନ ନେତାମାନଙ୍କର ଏକ ସମ୍ମିଳନୀ ସେଭୟ ରାଜପ୍ରାସାଦରେ ଆହୂତ ହେଲା-। ଏହି ସମ୍ମିଳନୀରେ କୌଣସି ସିଦ୍ଧାନ୍ତ ଗୃହୀତ ଚାର୍ଲସ୍‍ଙ୍କ ରାଜତ୍ୱର ପ୍ରଥମ ନିର୍ବାଚିତ ପାର୍ଲିଆମେଣ୍ଟ୍‍ ଗଠିତ ହେଲା ଯାହା ଇତିହାସରେ କେଭେଲିଅର (Pensionary) ପାର୍ଲିଆମେଣ୍ଟ୍‍ ନାମରେ ପ୍ରସିଦ୍ଧ । ଏହାପରେ ଧର୍ମସଭାକୁ ଭାଙ୍ଗି ଦିଆଗଲା ଏବଂ ଧର୍ମ ସମ୍ୱନ୍ଧୀୟ ସମସ୍ୟାର ସମାଧାନ ଦାୟିତ୍ୱ ନବଗଠିତ କେଭେଲିଅର ପାର୍ଲିଆମେଣ୍ଟ୍‍ ନିଜ ହାତକୁ ନେଲା ।

 

କନ୍‌ଭେନ୍‌ସନ୍ ପାର୍ଲିଆମେଣ୍ଟ୍‍ ଉପରୋକ୍ତ କାର୍ଯ୍ୟ ବ୍ୟତୀତ ରାଜାଙ୍କ ଆର୍ଥିକ ସମସ୍ୟାର ଏକ ସମାଧାନ ପାଇଁ ଉଦ୍ୟମ କଲା । ରାଜତନ୍ତ୍ରର ପୁନଃ ପ୍ରତିଷ୍ଠା ସଙ୍ଗେ ସଙ୍ଗେ ପୁରାତନ ସାମନ୍ତବାଦର ଅବସାନ ହେଲା ଏବଂ ରାଜା ସାମନ୍ତମାନଙ୍କ ପ୍ରାପ୍ୟ ଉପରେ ଆଉ ନିର୍ଭର କଲେ ନାହିଁ । ଅସ୍ଥାୟୀ ପାର୍ଲିଆମେଣ୍ଟ୍‍ ରାଜାଙ୍କର ବ୍ୟକ୍ତିଗତ ତଥା ପ୍ରଶାସନିକ ବ୍ୟୟପାଇଁ ଅବକାରୀ ରାଜସ୍ୱକୁ ଅନୁମାଦନ କଲା । ଅନ୍ୟାନ୍ୟ ଆୟ ସହ ମିଶି ଉକ୍ତ ରାଜସ୍ୱ ବାର୍ଷିକ ୧,୨୦୦,୦୦୦ ପାଉଣ୍ତ ନିର୍ଦ୍ଧାରିତ ହୋଇଥିଲା । ତାହା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଆଦାୟ ହୋଇ ପାରୁ ନଥିଲା । ତେଣୁ ରାଜାଙ୍କର ବ୍ୟୟ ଆୟ ଅପେକ୍ଷା ଅଧିକ ଥିଲା । ତା’ଛଡ଼ା ଚାର୍ଲସ୍‍ ନିର୍ବାସନରୁ ଫେରିବା ସମୟରେ ତାଙ୍କର ବ୍ୟକ୍ତିଗତ ତଥା ଦେଶର ଋଣ ଭାର ୩,୦୦୦,୦୦୦ ପାଉଣ୍ତରେ ପହଞ୍ଚିଥିଲା । ଏହି କାରଣରୁ ଚାର୍ଲସ୍‍ ବିଦେଶରୁ ବିଶେଷତଃ ଫ୍ରାନ୍‌ସରୁ ଆର୍ଥିକ ସାହାଯ୍ୟ ପାଇବା ସକାଶେ ଗୁପ୍ତ ଉଦ୍ୟମ ଚଳାଇଲେ ଏବଂ ତାଙ୍କର ବୈଦେଶିକ ନୀତି ଏହାଦ୍ୱାରା ବିଶେଷଭାବେ ନିୟନ୍ତ୍ରିତ ହେଲା ।

 

(କେଭେଲିଅର ପାର୍ଲିଆମେଣ୍ଟ୍‍ ମେ ୧୬୬୧–ଜାନୁୟାରୀ ୧୬୭୯)

 

କେଭେଲିଅର ପାର୍ଲିଆମେଣ୍ଟ୍‍ରେ ରାଜତନ୍ତ୍ରବାଦୀଙ୍କର ସଂଖ୍ୟାଗରିଷ୍ଠତା ଥିଲା । ଉକ୍ତ ପାର୍ଲିଆମେଣ୍ଟ୍‍ ରାଜାଙ୍କ ପ୍ରତି ଏତେ ଉଚ୍ଛ୍ୱସିତ ଆନୁଗତ୍ୟ ପ୍ରଦର୍ଶନ କରିଥିଲା ଯେ ରାଜତନ୍ତ୍ରବାଦରେ ରାଜାଙ୍କଠାରୁ ମଧ୍ୟ ଏହାର ଆସ୍ଥା ଦୃଢ଼ତର ଥିଲା ବୋଲି କୁହାଯାଇଥାଏ ।

 

ରାଜତନ୍ତ୍ରବାଦୀ ସଦସ୍ୟଗଣ ସାଧାରଣତନ୍ତ୍ର ଶାସନ କାଳରେ ଭୋଗ କରିଥିବା ଦୁର୍ଦ୍ଦଶାର ପ୍ରତିଶୋଧ ନେବାପାଇଁ ବର୍ତ୍ତମାନ ବଦ୍ଧପରିକର ହେଲେ । ସେମାନେ ପ୍ୟୁରିଟାନମାନଙ୍କ ସହ ଆପୋସ ଆଲୋଚନା କରିବାପାଇଁ ବା ସେମାନଙ୍କୁ କୌଣସି ସୁବିଧା ପ୍ରଦାନ କରିବାପାଇଁ ଆଦୌ ପ୍ରସ୍ତୁତ ନଥିଲେ । ନିର୍ବାଚନପରେ ପ୍ୟୁରିଟାନମାନଙ୍କ ସବୁ ଆଶାଭରସା ଧୂଳିସାତ୍ ହେଲା । ସେଭୟ ରାଜପ୍ରାସାଦରେ ଚାଲୁଥିବା ଏଙ୍ଗ୍ଳିକାନ ଓ ପ୍ୟୁରିଟାନମାନଙ୍କର ଧର୍ମସଭାକୁ ବନ୍ଦ କରି ଦିଆଗଲା ଏବଂ ପାର୍ଲିଆମେଣ୍ଟ୍‍ ଧର୍ମ ସମସ୍ୟାର ସମାଧାନ ନିଜ ହାତକୁ ନେଲା । ଧର୍ମଯାଜକମାନଙ୍କୁ ଲର୍ଡ଼ ସଭାର ସଦସ୍ୟ ପଦରୁ ବଞ୍ଚିତ କରିଥିବା ୧୬୪୨ ଖ୍ରୀ:ର ଏକ ଆଇନକୁ ଅବିଳମ୍ୱେ ପ୍ରତ୍ୟାହାର କରି ନିଆଗଲା । ଏହାପରେ ୧୬୬୫ ଖ୍ରୀ: ମଧ୍ୟରେ ପ୍ୟୁରିଟାନମାନଙ୍କ ବିପକ୍ଷରେ ଚାରିଗୋଟି ଆଇନ ପ୍ରଣୀତ ହୋଇ ସେହି ସଂପ୍ରଦାୟକୁ ଧ୍ୱଂସ କରିଦେବା ପାଇଁ ଉଦ୍ୟମ କରାଗଲା ।

 

ଉପରୋକ୍ତ ଚାରିଗୋଟି ଆଇନ ମଧ୍ୟରୁ ପ୍ରଥମଟି ଥିଲା ପୌର ସଂଘ ଆଇନ ଏହା ୧୬୬୧ ଖ୍ରୀ: ଡିସେମ୍ୱର ମାସରେ ଗୃହୀତ ହେଲା । ଏହାଦ୍ୱାରା ପୌରସଂସ୍ଥାମାନଙ୍କର ସଦସ୍ୟମାନଙ୍କୁ ରାଜାଙ୍କ ବିରୁଦ୍ଧରେ ଯେକୌଣସି ପରିସ୍ଥିତିରେ ଅସ୍ତ୍ରୋତ୍ତୋଳନ କରିବା ଆଇନ ବିରୁଦ୍ଧ ବୋଲି ଶପଥ ନେବାକୁ ପଡ଼ିଲା ଏବଂ ସେମାନେ ଇଂଲଣ୍ତୀୟ ଗିର୍ଜାର ଆନୁଗତ୍ୟ ସ୍ୱୀକାର କଲେ । ସହରମାନଙ୍କ ଶାସନ ଦାୟିତ୍ୱରେ ଥିବା ଯୋଗୁଁ ଏହି ସଦସ୍ୟମାନେ ପାର୍ଲିଆମେଣ୍ଟ୍‍ର ନିର୍ବାଚନକୁ ନିୟନ୍ତ୍ରଣ କରିପାରୁଥିଲେ । ଫଳରେ ନଗରମାନଙ୍କରେ ତଥା ପାର୍ଲିଆମେଣ୍ଟ୍‍ କମନ୍‍ସ ସଭାରେ ପ୍ୟୁରିଟାନମାନଙ୍କ ପ୍ରଭାବ ଦୂରୀଭୂତ ହେଲା । ଦ୍ୱିତୀୟତଃ ଏକରପତା ଆଇନ (Act of Uniformity) ବଳରେ ଧର୍ମଯାଜକ ଓ ଶିକ୍ଷକ ସଂପ୍ରଦାୟ ମଧ୍ୟ ରାଜାଙ୍କର ବିରୁଦ୍ଧାଚରଣ କରିବେ ନାହିଁ ବୋଲି ଅନୁରୂପ ଶପଥ ନେଲେ ଏବଂ ସେମାନେ ସାର୍ବଜନୀନ ଉପାସନା ଗ୍ରନ୍ଥ (Book of Common Prayer)ରେ ସେମାନଙ୍କର ଆନ୍ତରିକ ବିଶ୍ୱାସ ଓ ସମ୍ମତି ଘୋଷଣା କଲେ । ଉକ୍ତ ଗ୍ରନ୍ଥରେ ପ୍ୟୁରିଟାନ ସଂପ୍ରଦାୟର ପରିପନ୍ଥୀ ପ୍ରାୟ ଛଅଶତ ସାଧାରଣ ଧରଣର ପରିବର୍ତ୍ତନ କରାଯାଇଥିଲା । ୧୬୬୨ ଖ୍ରୀ: ଅଗଷ୍ଟ ୨୪ ତାରିଖରେ ପ୍ରାୟ ଦୁଇ ସହସ୍ର ଧର୍ମଯାଜକ ଓ ପୁରୋହିତ ଏହି ଆଇନକୁ ଅସ୍ୱୀକାର କରି ସେମାନଙ୍କର ଜୀବିକା ହରାଇଥିଲେ । ରାଜା ଦ୍ୱିତୀୟ ଚାର୍ଲସ୍‍ ଏହି ଆଇନ ସବୁର କଠୋରତାକୁ କିୟଦଂଶରେ ହ୍ରାସ କରିବାପାଇଁ ଉଦ୍ୟମ କରି ୧୬୬୨ ଖ୍ରୀ: ଡିସେମ୍ୱର ମାସରେ ସବୁ ପ୍ରକାର ମତବାଦକୁ ‘ପ୍ରଶ୍ରୟ ପ୍ରଦାନ ନୀତି’ର ପ୍ରଥମ ଘୋଷଣା (First Declaration) ପ୍ରକାଶ କଲେ । ଏହାଦ୍ୱାରା କମନ୍‍ସ ସଭାରେ ପ୍ରବଳ ଉତ୍ତେଜନା ସୃଷ୍ଟି ହେଲା ଏବଂ ରାଜା ତାଙ୍କ ଘୋଷଣାକୁ ପ୍ରତ୍ୟାହାର କରିନେବା ସଙ୍ଗେ ସଙ୍ଗେ ପ୍ୟୁରିଟାନମାନଙ୍କ ବିରୁଦ୍ଧରେ ପାର୍ଲିଆମେଣ୍ଟ୍‍ର ଆଉ ଦୁଇଟି ଆଇନକୁ ଅନୁମୋଦନ କରିବାକୁ ବାଧ୍ୟ ହେଲେ । ତନ୍ମଧ୍ୟରୁ ‘ପାଞ୍ଚମାଇଲ ଆଇନ’ (Five Miles Act) ଫଳରେ ଉପରୋକ୍ତ ଦୁଇ ସହସ୍ର କର୍ମଚ୍ୟୁତ ଧର୍ମଯାଜକ–ସଂଘ ଆଇନ ଅନୁଯାୟୀ ଶପଥ ନନେବା ପର୍ଯ୍ୟନ୍ତ ଏବଂ ସରକାରଙ୍କ ଶାସନ ତଥା ଧର୍ମନୀତି ପ୍ରତି ଆନୁଗତ୍ୟ ଘୋଷଣା ନ କଲାଯାଏ ଯେକୌଣସି ପୌରସଂସ୍ଥା ଶାସିତ ସହରର ପାଞ୍ଚମାଇଲ ନିକଟକୁ ଆସିବା ସକାଶେ ଅନୁମତି ପାଇଲେ ନାହିଁ । ‘ଖ୍ରୀଷ୍ଟ୍ରୀୟ ମଠ ଆଇନ’ (Conventicle Act) ଅନୁସାରେ ଏଙ୍ଗ୍ଳିକାନ ଗିର୍ଜାର ଧର୍ମ ଅଧିବେଶନ ବ୍ୟତୀତ ଅନ୍ୟ ଯେକୌଣସି ଧର୍ମସଭାରେ ଯୋଗଦାନ କରୁଥିବା ବ୍ୟକ୍ତି ପ୍ରଥମ ସ୍ତରରେ କେବଳ ଜେଲଦଣ୍ତ ଏବଂ ତୃତୀୟ ସ୍ତରରେ ଦ୍ୱୀପାନ୍ତର ଦଣ୍ତ ଭୋଗ କରିବେ ବୋଲି ଗୃହୀତ ହେଲା । ଏହି ସବୁ ଆଇନଫଳରେ ଏଙ୍ଗ୍ଳିକାନ ସଂପ୍ରଦାୟ ଓ ପ୍ୟୁରିଟାନମାନଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହେଲା । ଯେଉଁମାନେ ଏଙ୍ଗ୍ଳିକାନ ମତବାଦରେ ବିଶ୍ୱାସ କଲେ ନାହିଁ, ସେମାନଙ୍କୁ ଉନ୍ନିମତବାଦୀ ବା ନନ୍ କନଫରମିଷ୍ଟ (Non–Conformists) ବୋଲି କୁହାଗଲା । ବହୁକାଳ ଯାଏଁ ଏମାନେ ନାଗରିକ ଅଧିକାରରୁ ବଞ୍ଚିତ ହୋଇ ରହିଲେ ଏବଂ ଏପରିକି ସ୍କୁଲ୍ କଲେଜ ସବୁ ସେମାନଙ୍କ ପାଇଁ ନିଷିଦ୍ଧ ଥିଲା । ଫଳରେ ସେମାନଙ୍କର ଶକ୍ତି ଓ ସମୟ ବାଣିଜ୍ୟ ବ୍ୟବସାୟରେ ନିୟୋଜିତ ହେଲା ଏବଂ ସେ ଦିଗରେ ସେମାନେ ଯଥେଷ୍ଟ ସଫଳତା ଓ କୃତିତ୍ୱ ଲାଭ କଲେ ।

 

ପ୍ୟୁରିଟାନମାନଙ୍କ ଏହି ଦୁର୍ଦ୍ଦିନରେ ମଧ୍ୟ ଦେଶର ସଭ୍ୟତା ଓ ସଂସ୍କୃତିକୁ ସେମାନଙ୍କ ଅବଦାନ ମହନୀୟ ଥିଲା । ପ୍ୟୁରିଟାନ କବି ମିଲଟନ ଦୃଷ୍ଟିଶକ୍ତି ହରାଇ ଏହି ସମୟରେ ତାଙ୍କର ଅମର କାବ୍ୟ ସ୍ୱର୍ଗ ବିଚ୍ଛେଦ’ (Paradise Lost) ଓ ‘ସ୍ୱର୍ଗର ପୁନଃ ପ୍ରାପ୍ତି’ (Paradise Regained)ର ରଚନା ସମାପନ କରିଥିଲେ । ଜନ ବନ୍‌ୟନ୍ ଖ୍ରୀଷ୍ଟୀୟ ମଠ ଆଇନ ବଳରେ କାରାଗାର ବରଣ କରି ତାଙ୍କର ମହନୀୟ ଉପନ୍ୟାସ ‘ଯାତ୍ରୀଙ୍କ ପ୍ରଗତି’ (Pilgrims Progress) ଲେଖିଥିଲେ । ଏ ଦୁହେଁ ଥିଲେ ସେ ଯୁଗର ସର୍ବଶ୍ରେଷ୍ଠ କବି ଓ ଲେଖକ । ପ୍ୟୁରିଟାନମାନଙ୍କ ଦୁର୍ଦ୍ଦିନରେ ଏମାନଙ୍କର ଆବିର୍ଭାବ ଉକ୍ତ ମତବାଦକୁ ଉଜ୍ଜୀବିତ କରିବାରେ ପ୍ରେରଣା ଦେଇଥିଲା ।

 

ନନ୍–କନ୍‌ଫରମିଷ୍ଟମାନଙ୍କ ବିରୁଦ୍ଧରେ ପ୍ରଣୀତ ଉପରୋକ୍ତ ଆଇନଗୁଡ଼ିକୁ କ୍ଳାରେଣ୍ତନ ଆଇନ (Clarendon code) ବୋଲି କୁହାଯାଇଥାଏ । କ୍ଳାରେଣ୍ତନ ସେହି ସମୟରେ ତଥାକଥିତ ମନ୍ତ୍ରିମଣ୍ତଳରେ ମୁଖ୍ୟ ଥିଲେ ବୋଲି ତାଙ୍କ ନାମାନୁସାରେ ଏହିପରି ନାମକରଣ ହୋଇଥିଲା । ମାତ୍ର କ୍ଳାରେଣ୍ତନ୍ ନିଜେ ଏହି ଆଇନସବୁର ସମର୍ଥକ ନଥିଲେ କିମ୍ୱା ସେ ତାହାର ବିରୋଧ ମଧ୍ୟ କରି ନଥିଲେ । ରାଜା ଦ୍ୱିତୀୟ ଚାର୍ଲସ୍‍ଙ୍କ ମଧ୍ୟ ଏଥିରେ ହାତ ନଥିଲା । ବସ୍ତୁତଃ ସେ ଏହି ଆଇନଗୁଡ଼ିକର କଠୋରତାକୁ ହ୍ରାସ କରିବାପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ । ଚାର୍ଲସ୍‍ ନିଜେ ଉତ୍ପୀଡ଼କ ନଥିଲେ । କମନ୍‌ସ ସଭାରେ ଏଙ୍ଗ୍ଳିକାନ ଦଳର ସଂଖ୍ୟାଗରିଷ୍ଠତା ଏବଂ ପ୍ରିଭି କାଉନ୍‌ସିଲ୍‍ର ପ୍ରରୋଚନା ଏହି ଆଇନ ସବୁର ପ୍ରଣୟନ ପାଇଁ ଦାୟୀ ଥିଲା । ନନ୍–କନ୍‌ଫରମିଷ୍ଟମାନେ ରାଜାଙ୍କ ବିରୁଦ୍ଧରେ ଏକ ଗୁପ୍ତ ଷଡ଼ଯନ୍ତ୍ରରେ ଲିପ୍ତ ଥିଲେ ବୋଲି ପ୍ରିଭି କାଉନ୍‌ସିଲ୍‍ର ସନ୍ଦେହ ଥିଲା ।

 

କ୍ଳାରେଣ୍ତନ

 

ଟିଉଡ଼ର୍‍ ଶାସନ ତଥା ଷ୍ଟୁଆର୍ଟ ରାଜତ୍ୱର ପ୍ରଥମ ଭାଗରେ ପ୍ରିଭି କାଉନ୍‌ସିଲ୍ ଶାସନ କ୍ଷେତ୍ରରେ ସର୍ବେସର୍ବା ଥିଲା । ମାତ୍ର ଦ୍ୱିତୀୟ ଚାର୍ଲସ୍‍ କାଉନ୍‌ସିଲ୍‍ର ସଭ୍ୟ ସଂଖ୍ୟା ବହୁ ପରିମାଣରେ ବଢ଼ାଇ ଦେଇ ତାକୁ ଦୁର୍ବଳ କରିଦେଲେ । ଫଳରେ ଏହାପରେ ରାଜାଙ୍କଦ୍ୱାରା ମନୋନୀତ କାଉନ୍‌ସିଲ୍‍ର ସମିତିମାନଙ୍କ ହାତକୁ ଶାସନ କ୍ଷମତା ଅନେକ ପରିମାଣରେ ଚାଲିଗଲା-। ଏହାଛଡ଼ା, ଲର୍ଡ଼ ଚାନେସ୍‌ଲର, ଲର୍ଡ଼ ଟ୍ରେଜରର ପ୍ରଭୃତିଙ୍କ ସମାବେଶରେ ଆଉ ଏକ ଶକ୍ତିଶାଳୀ ଦଳ ରାଜାଙ୍କୁ ପ୍ରଶାସନିକ କାର୍ଯ୍ୟରେ ସାହାଯ୍ୟ କଲେ । ଏମାନଙ୍କ ମଧ୍ୟରେ ମୁଖ୍ୟ ଥିଲେ ଲର୍ଡ଼ ଚାନ୍‍‌ସେଲର ଏବଂ କ୍ଳାରେଣ୍ତନ ଥିଲେ ଏବଂ ପଦବୀର ଅଧିକାରୀ । ବ୍ରିଟିଶ ସମ୍ୱିଧାନର କ୍ରମବିକାଶରେ ଏହି ଦଳକୁ ପ୍ରାଥମିକ ମନ୍ତ୍ରିମଣ୍ତଳ ବୋଲି ଧରାଗଲେ କ୍ଳାରେଣ୍ତନଙ୍କୁ ତହିଁର ପ୍ରଧାନମନ୍ତ୍ରୀ ବୋଲି କୁହାଯାଇପାରେ । ୧୬୬୦ ଖ୍ରୀ:ରେ ଦ୍ୱିତୀୟ ଚାର୍ଲସ୍‍ଙ୍କ ପୁନଃ ପ୍ରତିଷ୍ଠାରେ କ୍ଳାରେଣ୍ତନ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଏବଂ ଏହାପରେ ୧୬୬୭ ଖ୍ରୀ: ପର୍ଯ୍ୟନ୍ତ ସାତବର୍ଷ କାଳ ସେ ରାଜାଙ୍କ ଅଧୀନରେ ମୁଖ୍ୟ ପ୍ରଶାସକଭାବେ ରହିଲେ । ରାଜାଙ୍କ ଉପରେ ତାଙ୍କ ପ୍ରଭାବ ଏତେ ବେଶୀ ଥିଲା ଯେ କ୍ଳାରେଣ୍ତନଙ୍କ ମନ୍ତ୍ରିତ୍ୱ କାଳରେ ଚାର୍ଲସ୍‍ଙ୍କୁ କେବଳ ‘ଅର୍ଦ୍ଧ ରାଜା’ ବୋଲି କୁହାଯାଇଥାଏ ।

 

କ୍ଳାରେଣ୍ତନ ଜଣେ ଉଚ୍ଚ ଶ୍ରେଣୀର ଧର୍ମଯାଜକ ଥିଲେ । ଧର୍ମ କ୍ଷେତ୍ରରେ ଭିନ୍ନ ମତବାଦୀମାନଙ୍କ ପାଇଁ ତାଙ୍କ ସହାନୁଭୂତି ନଥିଲା । ରାଜନୀତି କ୍ଷେତ୍ରରେ ସେ ଥିଲେ ନରମପନ୍ଥୀ, ସ୍ପଷ୍ଟବାଦୀ ଓ କର୍ମଠ । ପାର୍ଲିଆମେଣ୍ଟ୍‍ ଓ ରାଜାଙ୍କ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା ତାଙ୍କର ପ୍ରଧାନ ଉଦ୍ଦେଶ୍ୟ ଥିଲା । ତାଙ୍କର ନରମ ପନ୍ଥା ଯୋଗୁଁ ସେ ଜନସାଧାରଣଙ୍କ ଅପ୍ରିୟ ଥିଲେ । ତାଙ୍କର ପ୍ରଗଳ୍‍ଭତା ଅନେକ ସମୟରେ ରାଜାଙ୍କୁ ବିରକ୍ତ କରୁଥିଲା । ପରିଷଦବର୍ଗ ତାଙ୍କର ନୈତିକତାକୁ ବିଦ୍ରୂପ କରୁଥିଲେ । ରାଜଦ୍ରୋହୀ ଅପରାଧୀଙ୍କୁ କ୍ଷମା ପ୍ରଦର୍ଶନରେ ତଥା ଭୂସମସ୍ୟାର ସମାଧାନରେ ସେ ପ୍ୟୁରିଟାନ୍ ପନ୍ଥୀ ଲୋକଙ୍କୁ ଅନୁଗ୍ରହ ପ୍ରଦର୍ଶନ କରିଥିଲେ ବୋଲି ଅଭିଯୋଗ କରି ରାଜତନ୍ତ୍ରବାଦୀମାନେ ତାଙ୍କ ପ୍ରତି ବିମର୍ଷ ଥିଲେ । ଭିନ୍ନ ମତାବଲମ୍ୱୀ ଲୋକେ ତଥାକଥିତ କ୍ଳାରେଣ୍ତନ କୋର୍ଡ଼ପାଇଁ ତାଙ୍କୁ ଘୃଣା କଲେ । ରାଜାଙ୍କ ଭାଇ ଜେମ୍‍ସ୍‌ଙ୍କ ସହ କ୍ଳାରେଣ୍ତନଙ୍କ କନ୍ୟା ଆନି ହାଇଡ଼ (Anne Hyde)ଙ୍କ ବିବାହ ଯୋଗୁଁ ତାଙ୍କୁ ସ୍ୱାର୍ଥାନ୍ୱେଷୀ ବୋଲି କୁହାଗଲା । ଫରାସୀ ରାଜା ଚତୁର୍ଦ୍ଦଶ ଲୁଇଙ୍କଠାରୁ ଉତ୍କୋଚ ଗ୍ରହଣ କରି ଫ୍ରାନ୍‌ସକୁ ଡନକିର୍କ ସହର ବିକ୍ରୟ କରି ଦେଇଥିବା ହେତୁ ତାଙ୍କ ବିରୁଦ୍ଧରେ ଅଭିଯୋଗ ଅଣାଯାଇ ତାଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କୁହାଗଲା । ପିକଡ଼ିଲିରେ ସେ ନିଜପାଇଁ ଯେଉଁ ପ୍ରାସାଦ କରିଥିଲେ ତାହା ଲୋକଙ୍କଦ୍ୱାରା ‘ଡନକିର୍କ ପ୍ରାସାଦ’ ନାମରେ ଅଭିହିତ ହେଲା; କାରଣ ସେ ସେହି ସହରକୁ ଫରାସୀମାନଙ୍କୁ ଅର୍ପଣ କରି ଲାଭ କରିଥିବା ଉତ୍କୋଚରେ ସେହି ଗୃହ ନିର୍ମିତ ହୋଇଥିଲା ବୋଲି ସେମାନଙ୍କ ଧାରଣା ଥିଲା । ପର୍ତ୍ତୁଗୀଜ୍‍ ରାଜକୁମାରୀ କାଥାରାଇନ୍ ବ୍ରାଗାଞ୍ଜାଙ୍କ ସହିତ ରାଜା ଚାର୍ଲସ୍‍ଙ୍କ ବିବାହ କ୍ଳାରେଣ୍ତନଙ୍କ ଉଦ୍ୟମରେ ୧୬୬୨ ଖ୍ରୀ: ମେ ମାସରେ ସମାହିତ ହୋଇଥିଲା ଏବଂ ଏହାଫଳରେ ଚାର୍ଲସ୍‍ ଟାନ୍‌ଜିୟର ଓ ବମ୍ୱେ ପୋତାଶ୍ରୟ ଯୌତୁକସ୍ୱରୂପ ପାଇଥିଲେ । ମାତ୍ର ଚାର୍ଲସ୍‍ ରାଣୀଙ୍କଠାରୁ ସନ୍ତାନ ଲାଭର ଆଶା ନଦେଖି ବିବାହର ବିଫଳତା ଉପଲବ୍ଧି କଲେ । କ୍ଳାରେଣ୍ତନ ଏଥିପାଇଁ ଦାୟୀ ନଥିଲେ । ମାତ୍ର ଏହାର କୁପ୍ରଭାପ ତାଙ୍କ ଉପରେ ପଡ଼ିଲା । ରାଜା ତାଙ୍କ ପ୍ରତି ବିମର୍ଷ ହେଲେ ।

 

ଏହି ସମୟରେ ଦୁଇଗୋଟି ଦୈବୀ ଦୁର୍ଘଟଣ ମଧ୍ୟ କ୍ଳାରେଣ୍ତନଙ୍କ ପ୍ରତିଷ୍ଠା ଉପରେ ଆଘାତ ଦେଲା । ୧୬୬୫ ଖ୍ରୀ:ରେ ଇଂଲଣ୍ତରେ ମହାମାରୀ ରୋଗ (Plague)ର ପାଦୁର୍ଭାବ ହେଲା । ଏହି ରୋଗରେ କେବଳ ଲଣ୍ତନ ନଗରୀର ପ୍ରାୟ ୬୮,୦୦୦ ଲୋକ ପ୍ରାଣ ହରାଇଲେ । ଏହାଛଡ଼ା ପ୍ରଦେଶମାନଙ୍କରେ ମଧ୍ୟ ଏହି ରୋଗର ପ୍ରକୋପ ଦେଖା ଦେଇଥିଲା । ଏହାର ପରବର୍ଷ ଏକ ଭୟାବହ ଅଗ୍ନିକାଣ୍ତରେ ଲଣ୍ତନର ଦୁଇ ତୃତୀୟାଂଶ ଗୃହ ଭସ୍ମୀଭୂତ ହୋଇଗଲା ଏବଂ ସେଣ୍ଟପଲ ସମେତ ପ୍ରାୟ ଏକଶତ ଗିର୍ଜା ନଷ୍ଟ ହେଲା । ଅବଶ୍ୟ ନଷ୍ଟ ପ୍ରାପ୍ତ ବହୁ ଗିର୍ଜା ଇଂଲଣ୍ତର ଯୋଗ୍ୟ ସନ୍ତାନ ଖ୍ରୀଷ୍ଟୋଫର ରେନ (Christopher Wren)ଙ୍କ ଦ୍ୱାରା ପୁନଃ ନିର୍ମିତ ହେଲା-। ମାତ୍ର ଏହାପରେ କାରେଣ୍ତନଙ୍କ ପ୍ରତିଷ୍ଠା ଆଉ ଫେରି ଆସି ପାରିଲା ନାହିଁ ।

 

କ୍ଳାରେଣ୍ତନଙ୍କ ପତନର ସର୍ବଶ୍ରେଷ୍ଠ କାରଣ ଥିଲା ଦ୍ୱିତୀୟ ଡଚ୍‍ ସମରରେ ଇଂଲଣ୍ତର ଶୋଚନୀୟ ପରାଭବ । ୧୬୬୭ ଖ୍ରୀ:ରେ ଡଚ୍‍ମାନେ ମେଡ଼ଉଏ ନଦୀରେ ଚାଥାମ (Chatham) ପର୍ଯ୍ୟନ୍ତ ଅଗ୍ରସର ହୋଇ ଇଂଲଣ୍ତର ପ୍ରାୟ ୧୬ଟି ଜାହାଜକୁ ଧ୍ୱଂସ କଲେ । ସମଗ୍ର ଜାତି ଏଥିପାଇଁ କ୍ଳାରେଣ୍ତନଙ୍କୁ ଦାୟୀ କଲା । ରାଜା ତାଙ୍କୁ କାର୍ଯ୍ୟରୁ ଅନ୍ତର କଲେ ଏବଂ ପାର୍ଲିଆମେଣ୍ଟ୍‍ଦ୍ୱାରା ଅଭିଯୁକ୍ତ ହୋଇ ସେ ନିର୍ବାସିତ ହେଲେ । ନିର୍ବାସିତ ଜୀବନରେ କ୍ଳାରେଣ୍ତନ ସୁପ୍ରସିଦ୍ଧ ଗ୍ରନ୍ଥ ‘‘ବିଦ୍ରୋହର ଇତିହାସ’’ (History of Rebellion) ଲେଖି ଇଂରେଜ ଜାତିକୁ ଆଉ ଏକ ଅମୂଲ୍ୟ ଅବଦାନ ଦେଇ ଯାଇଛନ୍ତି ।

 

କାବାଲ୍ ମନ୍ତ୍ରିମଣ୍ତଳ (KABAL Ministry)

 

କ୍ଳାରେଣ୍ତନଙ୍କ ପତନ ପରେ ଇଂଲଣ୍ତର ବୈଦେଶିକ ନୀତି ମୁଖ୍ୟତଃ ରାଜାଙ୍କଦ୍ୱାରା ନିୟନ୍ତ୍ରିତ ହେଲା । ଏହାପରେ ଚାର୍ଲସ୍‍ କ୍ଳାରେଣ୍ତନଙ୍କ ସ୍ଥାନରେ କେବଳ ଜଣେ ବ୍ୟକ୍ତିଙ୍କୁ ମନୋନୀତ ନ କରି ଏକ ସମୟରେ ପାଞ୍ଚଜଣ ମନ୍ତ୍ରୀଙ୍କୁ ନିଯୁକ୍ତ କଲେ ଏବଂ ସେମାନେ ୧୬୬୭ ରୁ ୧୬୭୩ ଖ୍ରୀ: ଯାଏଁ ପାଞ୍ଚବର୍ଷ କାଳ ଶାସନ ଦାୟିତ୍ୱରେ ରହିଲେ । ଏହି ପାଞ୍ଚଜଣ ସଦସ୍ୟ ହେଲେ । କ୍ଳିଫୋର୍ଡ଼ (Clifford), ଆର୍‌ଲିଙ୍ଗଟନ୍ (Arlington), ବକିଙ୍ଗହାମ୍‍ (Buckingham), ଆସଲି କୁପର (Ashley Cooper) ଏବଂ ଲଡ଼ରଡ଼େଲ (Lauderdale) । ସେମାନଙ୍କ ନାମର ଆଦ୍ୟ ଇଂରାଜୀ ଅକ୍ଷର ଅନୁଯାୟୀ ସେମାନେ କାବାଲ (CABAL) ମନ୍ତ୍ରିମଣ୍ତଳ ନାମରେ ଅଭିହିତ ହେଲେ । ସେମାନଙ୍କ ମଧ୍ୟରୁ କ୍ଳିଫୋର୍ଡ଼ ଓ ଆରଲିଙ୍ଗଟନ ଥିଲେ ରୋମାନ୍ କାଥଲିକ୍‍ ପନ୍ଥୀ । ତୃତୀୟ ସଦସ୍ୟ ବକିଙ୍ଗହାମ୍‍ ସବୁ ଜିନିଷରେ ହାତ ଦେଇ କୌଣସି ଗୋଟିକରେ ନିଜର ଦକ୍ଷତା ଦେଖାଇ ନଥିଲା । ଧର୍ମଯାଜକ ବରନେଟଙ୍ଗ ଉକ୍ତିରେ ବକିଙ୍ଗହାମ୍‍ଙ୍ଗର କୌଣସି ଜିନିଷରେ ବିଶ୍ୱାସ ନଥିଲା କାରଣ ତାଙ୍କର ନିଜ ପ୍ରତି ବିଶ୍ୱାସ ନଥିଲା । ତାଙ୍କ ଚିନ୍ତାର ଚପଳତା, କାର୍ଯ୍ୟର ଅସ୍ଥିରତା ତଥା ଜୀବନଯାପନର ଅସଂଯମତାରେ ସେ ଯୁଗର ବୈଶିଷ୍ଟ୍ୟ ପ୍ରତିଫଳିତ ହୋଇଥିଲା । ଚତୁର୍ଥ ସଦସ୍ୟ ଆସ୍‌ଲି କୁପର ଲର୍ଡ଼ ସାଫଟବରୀ ନାମରେ ପରିଚିତ ହେଲେ । ସେ ଦାର୍ଶନିକ ଜନ୍ ଲକ୍‌ଙ୍କର ଜଣେ ବନ୍ଧୁ ଥିଲେ ଏବଂ ତାଙ୍କଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୋଇଥିଲେ । ସେ ଥିଲେ ଜଣେ ପ୍ରବୀଣ ରାଜନୀତିଜ୍ଞ । ମାତ୍ର ଆପଣାର ସ୍ୱାର୍ଥସିଦ୍ଧି ପାଇଁ ସମୟ ଦେଖି ଦଳ ପରିବର୍ତ୍ତନ କରିବା ତାଙ୍କର ଏକ ଦୁର୍ଗୁଣ ଥିଲା । ଧର୍ମ ବିଷୟରେ ସେ ସହନଶୀଳ ଥିଲେ । ଉପନିବେଶ ତଥା ବାଣିଜ୍ୟର ଅଭିବୃଦ୍ଧିରେ ତାଙ୍କର ବିଶେଷ ଆଗ୍ରହ ଥିଲା ଏବଂ ସେଥିପାଇଁ ସେ ଡଚ୍‍ମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣାକୁ ସ୍ୱାଗତ ଜଣାଇଥିଲେ । ପଞ୍ଚମ ସଦସ୍ୟ ଲଡ଼ରଡ଼େଲ ସ୍କଟ୍‍ଲାଣ୍ତ୍‍ର ଶାସନ ଦାୟିତ୍ୱରେ ଥିଲେ । କାବାଲ ମନ୍ତ୍ରିମଣ୍ତଳରେ ସେ ସବୁଠାରୁ ବେଶୀ ଖଳ ପ୍ରକୃତିର ଥିଲେ ବୋଲି କୁହାଯାଏ ।

 

କାବାଲ ମନ୍ତ୍ରିମଣ୍ତଳ ଆଧୁନିକ ମନ୍ତ୍ରିମଣ୍ତଳର ଅନୁରୂପ ନଥିଲା । ସେମାନଙ୍କ ସମଷ୍ଟିଗତ ଦାୟିତ୍ୱ ନଥିଲା ଏବଂ ରାଜା ସେମାନଙ୍କର ଏକତ୍ର ପରାମର୍ଶ ଚାହୁଁ ନଥିଲେ । ସେମାନେ ଭିନ୍ନ ମତାବଲମ୍ୱୀ ଥିଲେ । ତା’ଛଡ଼ା ସେମାନଙ୍କର ଦଳପତି ମଧ୍ୟ କେହି ନଥିଲେ ।

 

କାବାଲ ସରକାର ଶାସନ ଭାର ଗ୍ରହଣ କଲାପରେ ଇଂଲଣ୍ତ, ହଲାଣ୍ତ ଓ ସୁଇଡ଼େନ ମିଳିତ ହୋଇ ତ୍ରିଶକ୍ତି ମେଣ୍ଟ ଗଠନ କଲେ । ମାତ୍ର ଏହାର କିଛି କାଳ ପରେ ଚାର୍ଲସ୍‍ ଫରାସୀ ରାଜା ଚତୁର୍ଦ୍ଦଶ ଲୁଇଙ୍କ ସହିତ ଗୋପନୀୟ ଡୋଭର ଚୁକ୍ତି (Treaty of Dover)ରେ ଆବଦ୍ଧ ହେଲେ । ଫଳରେ ତୃତୀୟ ଡଚ୍‍ ସମର ସଂଘଟିତ ହେଲା । ଯୁଦ୍ଧ ଆରମ୍ଭର ଅବ୍ୟବହିତ ପୂର୍ବରୁ ଚାର୍ଲସ୍‍ ଡୋଭର ଚୁକ୍ତି ଅନୁଯାୟୀ ରୋମାନ୍ କାଥଲିକ୍‍ ତଥା ଡିସେଣ୍ଟରମାନଙ୍କ ପ୍ରତି ବିଶେଷ ଅନୁଗ୍ରହ ପ୍ରଦର୍ଶନ ପୂର୍ବକ ସେମାନଙ୍କ ବିରୁଦ୍ଧରେ ପ୍ରଚଳିତ ଦଣ୍ତନୀତିକୁ ସ୍ଥଗିତ ରଖିଲେ ଏବଂ ପ୍ରଶ୍ରୟ ପ୍ରଦାନ ଘୋଷଣା ପ୍ରକାଶ କଲେ (୧୬୭୨) । ଧର୍ମ କ୍ଷେତ୍ରରେ ରାଜାଙ୍କର ଅଖଣ୍ତ କ୍ଷମତା ଥିଲା ଏବଂ ସେ ତାହା ପ୍ରୟୋଗ କରି ଉଭୟ କାଥଲିକ୍‍ ଓ ଡିସେଣ୍ଟର ସଂପ୍ରଦାୟର ସମର୍ଥନ ଲାଭ କରିବାପାଇଁ ଉଦ୍ୟମ କଲେ । ଏତଦ୍ଦ୍ୱାରା ଆଇନର ବିରୁଦ୍ଧାଚରଣ କରୁଥିବା ଜାଣି ମଧ୍ୟ ସେ ସେଥିପାଇଁ ଭ୍ରୂକ୍ଷେପ କଲେ ନାହିଁ । ତେବେ ଏ କ୍ଷେତ୍ରରେ ରାଜାଙ୍କର ସଫଳତା ଡଚ୍‍ସମରର ଫଳାଫଳ ଉପରେ ନିର୍ଭର କରୁଥିଲା । ଚାର୍ଲସ୍‍ ଡଚ୍‍ମାନଙ୍କୁ ଆକ୍ରମଣ କରି ପ୍ରଚୁର ଧନ ସମ୍ପତ୍ତି ଲାଭ କରିବେ ବୋଲି ଆଶା କରିଥିଲେ । ମାତ୍ର ଡଚ୍‍ମାନଙ୍କର ଅପୂର୍ବ ସାହସ ଓ ଯୁଦ୍ଧ କୌଶଳ ଯୋଗୁଁ ରାଜାଙ୍କର ସେହି ଆଶା ନିରାଶାରେ ପରିଣତ ହେଲା । ତାଙ୍କର ଆର୍ଥିକ ଅଭାବ ଦିନୁଦିନ ବୃଦ୍ଧି ପାଇଲା । ଏହି ସମସ୍ୟାର ସମାଧାନ ପାଇଁ ଚାର୍ଲସ୍‍ ୧୬୭୩ ଖ୍ରୀ:ରେ ଏକ ପାର୍ଲିଆମେଣ୍ଟ୍‍ ଅଧିବେଶନର ଆୟୋଜନ କଲେ ।

 

ଖ୍ରୀ: ୧୬୭୩ର ପାର୍ଲିଆମେଣ୍ଟ୍‍ ୧୬୬୧ ଖ୍ରୀ:ର ନିର୍ବାଚିତ କେଭେଲିଅର ପାର୍ଲିଆମେଣ୍ଟ୍‍ ଥିଲା । ସେହି ସଦସ୍ୟମାନେ ଏଥିରେ ଯୋଗ ଦେଇଥିଲେ । ମାତ୍ର ଇତିମଧ୍ୟରେ ରାଜାଙ୍କ ପ୍ରତି ସେମାନଙ୍କ ମନୋଭାବର ବିଶେଷ ପରିବର୍ତ୍ତନ ଦେଖା ଦେଇଥିଲା । ଡଚ୍‍ସମରକୁ ସେମାନେ ସମର୍ଥନ କରୁ ନଥିଲେ ଏବଂ ତହିଁରେ ଇଂରେଜ ସେନାବାହିନୀର ବିଫଳତା ସେମାନଙ୍କୁ ବିରକ୍ତ କଲା । ଫ୍ରାନ୍‌ସ ସହ ରାଜାଙ୍କ ଗୁପ୍ତ ସମ୍ପର୍କ ଥିବା ସନ୍ଦେହ କରି ସେମାନେ ଆତଙ୍କିତ ହୋଇଥିଲେ । ସର୍ବୋପରି ପ୍ରଶ୍ରୟ ପ୍ରଦାନ ଘୋଷଣାରେ ସେମାନଙ୍କ କ୍ରୋଧ ଜାତ ହୋଇଥିଲା । ରାଜା ଆଇନର ଊର୍ଦ୍ଧ୍ୱରେ ଏବଂ ସେ ଆଇନକୁ ନିଜର ଇଚ୍ଛାମତେ ବ୍ୟବହାର କରି ପାରିବେ ବୋଲି ଏହାଦ୍ୱାରା ପ୍ରମାଣିତ ହେଲା । ଫଳରେ ପାର୍ଲିଆମେଣ୍ଟ୍‍ର ଆଇନ ପ୍ରଣୟନର କୌଣସି ମୂଲ୍ୟ ଆଉ ରହିଲା ନାହିଁ । ସୁତରାଂ ରାଜାଙ୍କ ପ୍ରଶ୍ରୟ ପ୍ରଦାନ ଘୋଷଣା ପାର୍ଲିଆମେଣ୍ଟ୍‍ରେ ଗଭୀର ଆଲୋଡ଼ନ ସୃଷ୍ଟି କଲା । ପ୍ରବଳ ପ୍ରତିରୋଧର ସମ୍ମୁଖୀନ ହୋଇ ଚାର୍ଲସ୍‍ ଉକ୍ତ ଘୋଷଣାକୁ ପ୍ରତ୍ୟାହାର କରି ନେଲେ । କିନ୍ତୁ ପାର୍ଲିଆମେଣ୍ଟ୍‍ ଏତିକିରେ ସନ୍ତୁଷ୍ଟ ହୋଇ ରହିଲା ନାହିଁ । ପରୀକ୍ଷା ଆଇନ (Test Act) ନାମକ ଏକ ନୂତନ ଆଇନ ପାର୍ଲିଆମେଣ୍ଟ୍‍ରେ ଗୃହୀତ ହେଲା ଏବଂ ରାଜା ତହିଁରେ ସମ୍ମତି ପ୍ରଦାନ କରିବାପାଇଁ ବାଧ୍ୟ ହେଲେ । ଯେଉଁମାନେ ଏଙ୍ଗ୍ଳିକାନ ଧର୍ମମତର ସଂସ୍କାର ଗ୍ରହଣ କରିବାକୁ ରାଜି ହେଲେ ନାହିଁ, ସେମାନେ ଉକ୍ତ ଆଇନ ବଳରେ ସରକାରୀ କାର୍ଯ୍ୟ ବା ପଦବୀ ପାଇବାପାଇଁ ଅଯୋଗ୍ୟ ବିବେଚିତ ହେଲେ । ନୌସେନାଧ୍ୟକ ଡ୍ୟୁକ୍ ଅପ୍‌ୟକି ଏବଂ ମନ୍ତ୍ରୀ କ୍ଳିଫୋର୍ଡ଼ ଓ ଆରଲିଙ୍ଗଟନ୍ ଏହି ଆଇନର ବିରୋଧ କଲେ ବୋଲି ସେମାନଙ୍କୁ କାର୍ଯ୍ୟରୁ ବିଦାୟ ନେବାକୁ ପଡ଼ିଲା । ଚାର୍ଲସ୍‍ ସାଫ୍‌ଟସ୍‌ବରୀଙ୍କୁ ମଧ୍ୟ କାର୍ଯ୍ୟରୁ ଅନ୍ତର କଲେ ଏବଂ ଫଳରେ କାବାଲ ମନ୍ତ୍ରିମଣ୍ତଳର ପତନ ହେଲା । ‘‘ପୁଣି ଥରେ ଦେଶାଟନରେ ଯିବାର’’ ଆଶଙ୍କାରେ ଭୟଭୀତ ହୋଇ ରାଜା ପରିସ୍ଥିତିକୁ ଗ୍ରହଣ କରିନେଲେ । ପାର୍ଲିଆମେଣ୍ଟ୍‍ର ଅଧିବେଶନ ଚାଲୁଥିବା ସମୟରେ ଆଉ ଏକ ଘଟଣା ରାଜପରିବାରରେ ଘଟିଗଲା । ରାଜାଙ୍କର ଭାଇ ଜେମ୍‍ସ୍ ମୋଡ଼େନାର କାଥଲିକ୍‍ ରାଜକୁମାରୀ ମେରୀଙ୍କୁ ଦ୍ୱିତୀୟା ପତ୍ନୀରୂପେ ଗ୍ରହଣ କଲେ । ତାଙ୍କର ପ୍ରଥମ ପତ୍ନୀ କ୍ଳାରେଣ୍ତନଙ୍କ କନ୍ୟା ଆନି ହାଇଡ଼ ପ୍ରୋଟେଷ୍ଟାଣ୍ଟ୍ ମତାବଲମ୍ୱୀ ଥିଲେ । ଦୁର୍ଭାଗ୍ୟବଶତଃ ତାଙ୍କର କେବଳ କେତେକ କନ୍ୟା ଜାତ ହେଲେ । ଏକ କାଥଲିକ୍‍ ପୁତ୍ରସନ୍ତାନ ଲାଭ କରିବା ଆଶାରେ ଜେମ୍‍ସ୍ ଉପରୋକ୍ତ ପଦକ୍ଷେପ ଗ୍ରହଣ କଲେ । ଏହା ଇଂଲଣ୍ତରେ ଆଉ ଏକ ଆଲୋଡ଼ନ ସୃଷ୍ଟି କଲା ।

 

ଡାନବୀ ମନ୍ତ୍ରିମଣ୍ତଳ (ଖ୍ରୀ:୧୬୭୩–୧୬୭୮)

 

କାବାଲ ମନ୍ତ୍ରିମଣ୍ତଳର ପତନ ପରେ ଡାନବୀ ୧୬୭୩ ଖ୍ରୀ:ରୁ ୧୬୭୮ ଖ୍ରୀ: ପର୍ଯ୍ୟନ୍ତ ଚାର୍ଲସ୍‍ଙ୍କ ପ୍ରଧାନମନ୍ତ୍ରୀ ହୋଇ ରହିଲେ । ଧର୍ମ ବିଷୟରେ ସେ ଥିଲେ ଏଙ୍ଗ୍ଳିକାନ ମତବାଦୀ । ତେଣୁ ତାଙ୍କ ନିଯୁକ୍ତି ପାର୍ଲିଆମେଣ୍ଟ୍‍ ପାଇଁ ଆଉ ଏକ ବିଜୟ ବୋଲି କୁହାଯାଇପାରେ । ରାଜା ତଥା ସରକାରଙ୍କ କାର୍ଯ୍ୟରେ ସମର୍ଥନ ପାଇବାପାଇଁ ଡାନବୀ ପାର୍ଲିଆମେଣ୍ଟ୍‍ର କମନ୍‍ସ ସଭାରେ ଏକ ରାଜନୈତିକ ଦଳ ସଂଗଠନ ପାଇଁ ଉଦ୍ୟମ କଲେ । ଏହା ପରବର୍ତ୍ତୀ କାଳରେ ଟୋରୀ (Tory) ଦଳ ନାମରେ ଅଭିହିତ ହେଲା । ଅପରପକ୍ଷେ ଲଡ଼ସାଫ୍‌ଟସ୍‌ବରୀ ରାଜାଙ୍କଦ୍ୱାରା ମନ୍ତ୍ରୀ ପଦରୁ ବହିଷ୍କୃତ ହୋଇ ଏକ ବିରୋଧୀଦଳ ଗଠନ କଲେ ଯାହା ପରେ ହୁଇଗ୍‍ (Whig) ଦଳ ନାମରେ ପରିଚିତ ହେଲା । ସମଗ୍ର ଦେଶ ଏହି ସମୟରେ ଚକ୍ରାନ୍ତର ଏକ ଗୋଲକଧନ୍ଦା ମଧ୍ୟରେ ଗତି କରୁଥିଲା । ସମଗ୍ର ଜାତି ଅତିଷ୍ଠ ହୋଇ ଉଠିଥିଲା ।

 

ପୋପୀୟ ଷଡ଼ଯନ୍ତ୍ର (The Popish Plot)

 

ଏହି ସମୟରେ ଏକ କୌତୂହଳପୂର୍ଣ୍ଣ ଘଟଣା ଇଂଲଣ୍ତର ଜାତୀୟ ସଙ୍କଟକୁ ଘନୀଭୂତ କଲା । ତାହା ପୋପୀୟ ଷଡ଼ଯନ୍ତ୍ର ନାମରେ ଅଭିହିତ । ୧୬୭୮ ଖ୍ରୀ:ର ଶରତ୍ ଋତୁରେ ଟିଟସ ଓଟସ୍ (Titus Oates) ନାମଧେୟ ଜଣେ ବ୍ୟକ୍ତି ଲଣ୍ତନର ମାଜିଷ୍ଟ୍ରେଟ ସାର୍ ଏଡ଼୍‍ମଣ୍ତ ବେରୀ ଗଡ଼ ଫ୍ରେଙ୍କ ନିକଟରେ କାଥଲିକ୍‍ମାନଙ୍କ ଏକ ଷଡ଼ଯନ୍ତ୍ରର ଗୁପ୍ତ ତଥ୍ୟ ପ୍ରକାଶ କଲେ । ରାଜା ଚାର୍ଲସ୍‍ଙ୍କୁ ହତ୍ୟା କରି ତାଙ୍କ ସ୍ଥାନରେ ରାଜଭ୍ରାତା ଡ୍ୟୁକ୍ ଅଫ୍‌ ୟର୍କ ଜେମ୍‍ସ୍‍ଙ୍କୁ ଅବସ୍ଥାପିତ କରିବା ଏବଂ ଏକ ଫରାସୀ ସେନା ସାହାଯ୍ୟରେ ଅବସ୍ଥାକୁ ଆୟତ କରିବା ଏହି ଷଡ଼ଯନ୍ତ୍ରର ଉଦ୍ଦେଶ୍ୟ ଥିଲା । ଏଥିରେ ପୋପ୍‍ଙ୍କର ସାହାଯ୍ୟ ଓ ସହାନୁଭୂତି ଥିଲା ବୋଲି କୁହାଗଲା । ଏହି ତଥ୍ୟ ପ୍ରକାଶ ପାଇବାର ଅଳ୍ପଦିନ ପରେ ମାଜିଷ୍ଟ୍ରେଟ ଗଡ଼ ଫ୍ରେଙ୍କର ଆକସ୍ମିକ ମୃତ୍ୟୁ ହେଲା । ସମ୍ଭବତଃ ଏହା ଥିଲା ଏକ ହତ୍ୟାକାଣ୍ତ । ଏହାପରେ ଏ ବିଷୟ ନେଇ ଦେଶରେ ଚାଞ୍ଚଲ୍ୟ ଖେଳିଗଲା । ଟିଟସ ଓଟ୍‌ସ୍‌ଙ୍କ ପ୍ରତ୍ୟେକ କଥା ଲୋକେ ବିନା ବିଚାରରେ ଗ୍ରହଣ କରିନେଲେ । ସମ୍ୱାଦଦାତାମାନେ ଏହାକୁ ଆହୁରି ଅତିରଞ୍ଜିତ କଲେ । ଏହାଫଳରେ ରୋମାନ୍ କାଥଲିକ୍‍ମାନେ ଦେଶର ପରମ ଶତ୍ରୁ ବୋଲି ବିବେଚିତ ହେଲେ । ସେମାନଙ୍କ ବିଚାର ହୋଇ ଅପରାଧର ସାମାନ୍ୟ ପ୍ରମାଣ ମିଳିଲେ ପ୍ରାଣଦଣ୍ତ ଆଦେଶ ଦିଆଗଲା । ପ୍ରୋଟେଷ୍ଟାଣ୍ଟ୍‍ମାନେ କାଥଲିକ୍‍ମାନଙ୍କର କଳ୍ପିତ ଆକ୍ରମଣରୁ ନିଜକୁ ରକ୍ଷା କରିବାପାଇଁ ସଶସ୍ତ୍ର ବିଚରଣ କଲେ । ପାର୍ଲିଆମେଣ୍ଟ୍‍ରେ ମଧ୍ୟ ଏହି ‘ନାରକୀୟ ତଥା ବୀଭତ୍ସ ଚକ୍ରାନ୍ତ’ (Damnable and hellish plot) ସତ୍ୟ ଘଟଣା ବୋଲି ଘୋଷିତ ହେଲା । ସାଫ୍‌ଟସ୍‍ବରୀଙ୍କ ନେତୃତ୍ୱରେ ବିରୋଧୀଦଳ ନିଜର ସ୍ୱାର୍ଥ ଦୃଷ୍ଟିରୁ ଷଡ଼ଯନ୍ତ୍ରର ସତ୍ୟତାକୁ ଗ୍ରହଣ କଲେ । ଚାର୍ଲସ୍‍ଙ୍କର ଭାଇ କାଥଲିକ୍‍ ଜେମ୍‍ସ୍‍ଙ୍କ ପରିବର୍ତ୍ତେ ତାଙ୍କର ଏକ ଅବୈଧ ସନ୍ତାନ ଡ୍ୟୁକ ଅଫ୍ ମନମାଉଥ୍‍ (Duke of Monmouth)ଙ୍କୁ ଇଂଲଣ୍ତ ରାଜସିଂହାସନର ଉତ୍ତରାଧିକାରୀ କରିବାପାଇଁ ସେମାନେ ଉଦ୍ୟମ କଲେ । ସେମାନଙ୍କର ଆଶାଥିଲା ଯେ ତଥାକଥିତ ପୋପୀୟ ଷଡ଼ଯନ୍ତ୍ରର ସତ୍ୟତା ଗୃହୀତ ହୋଇ ପାରିଲେ ସେମାନଙ୍କ ନୂତନ ପ୍ରସ୍ତାବକୁ ଦେଶ ସ୍ୱାଗତ କରିବ ।

 

ଏହି ସମୟରେ ଆଉ ଏକ ଘଟଣା ଡାନବୀଙ୍କ ପତନର କାରଣ ହେଲା । ୧୬୭୫ ଖ୍ରୀ:ରେ ଡାନବୀ ଚାର୍ଲସ୍‍ଙ୍କ ନିର୍ଦ୍ଦେଶରେ କେତେକ ଅର୍ଥ ସାହାଯ୍ୟପାଇଁ ଫରାସୀ ରାଜାଙ୍କ ସହିତ ଏକ ଗୁପ୍ତ ଚୁକ୍ତି କରିଥିଲେ । ଅବଶ୍ୟ ବ୍ୟକ୍ତିଗତଭାବେ ଡାନବୀ ଫ୍ରାନ୍‌ସ ସହ ପରାମର୍ଶ କରିବାପାଇଁ ଆଗ୍ରହୀ ନଥିଲେ ଏବଂ ବିଶେଷତଃ ଏ ବିଷୟରେ ପାର୍ଲିଆମେଣ୍ଟ୍‍ର ଗୁରୁତର ସମାଲୋଚନାକୁ ସେ ଭୟ କରୁଥିଲେ । ମାତ୍ର ରାଜାଙ୍କର ଆଦେଶକୁ ସେ ଅମାନ୍ୟ କରି ପାରିଲେ ନାହିଁ । ତଥାପି ଉକ୍ତ ଚୁକ୍ତି ସ୍ୱାକ୍ଷର କଲା ସମୟରେ ସେ ତାହା ରାଜା ଚାର୍ଲସ୍‍ଙ୍କ ଆଦେଶଦ୍ୱାରାହିଁ ସମାହିତ ହୋଇଥିଲା ବୋଲି ଉଲ୍ଲେଖ କରିଥିଲେ ।

 

ଇଂଲଣ୍ତକୁ ଫ୍ରାନ୍‌ସର ପ୍ରଭାବରୁ ମୁକ୍ତ କରିବାପାଇଁ ପାର୍ଲିଆମେଣ୍ଟ୍‍ ଏହି ସମୟରେ ଉଦ୍ୟମ କରି ଆସୁଥିଲା । ଏ ଦିଗରେ ଏକ ବଳିଷ୍ଠ ପଦକ୍ଷେପସ୍ୱରୂପ ଜେମ୍‍ସ୍‌ଙ୍କ କନ୍ୟା ମେରୀଙ୍କୁ ଅରେଞ୍ଜର ରାଜା ଉଇଲିୟମ୍‍ଙ୍କ ସହ ବିବାହ ଦେବା ସ୍ଥିର ହେଲା । ପ୍ରୋଟେଷ୍ଟାଣ୍ଟ୍ ରାଜା ଉଇଲିୟମ୍‍ ଫ୍ରାନ୍‌ସର ରାଜା ଚତୁର୍ଦ୍ଦଶ ଲୁଇଙ୍କର ପରମ ଶତ୍ରୁ ଥିଲେ । ଏହି ବିବାହ ୧୬୭୭ ଖ୍ରୀ: ନଭେମ୍ୱର ମାସରେ ସମାହିତ ହେଲା । ଡାନବୀ ଏହାକୁ ସମର୍ଥନ ଜଣାଇଥିଲେ । ଏହି ସମୟରେ ଉଇଲିୟମ୍‍ଙ୍କ ସହିତ ଇଂଲଣ୍ତର ଏକ ମେଣ୍ଟ ଗଠିତ ହେଉଥିବା କଥା ଚାରିଆଡ଼େ ବ୍ୟାପୀ ଗଲା । ଚତୁର୍ଦ୍ଦଶ ଲୁଇ ଏଥିରେ କ୍ରୁଦ୍ଧ ହୋଇ ଡାନବୀଙ୍କ ସହ ୧୬୭୫ ଖ୍ରୀ:ରେ ହୋଇଥିବା ଗୁପ୍ତ ଚୁକ୍ତିକୁ ସାଷ୍ଟସ୍‌ବରୀ ଓ ତାଙ୍କ ବନ୍ଧୁମାନଙ୍କୁ ଜଣାଇ ଦେଲେ । ଫଳରେ ପାର୍ଲିଆମେଣ୍ଟ୍‍ରେ ପ୍ରବଳ ଉତ୍ତେଜନା ସୃଷ୍ଟି ହେଲା । ଡାନବୀ ଅଭିଯୁକ୍ତ ହେଲେ । ତାଙ୍କୁ ରକ୍ଷା କରିବାପାଇଁ ଚାର୍ଲସ୍‍ କେଭେଲିଅର ପାର୍ଲିଆମେଣ୍ଟ୍‍କୁ ଭାଙ୍ଗିଦେଲେ । ଯେଉଁ ପାର୍ଲିଆମେଣ୍ଟ୍‍ ପ୍ରାରମ୍ଭରେ ରାଜାଙ୍କୁ ଉଚ୍ଛ୍ୱସିତ ସମର୍ଥଜଣାଇ ରାଜାଙ୍କଠାରୁ ମଧ୍ୟ ଅଧିକ ରାଜତନ୍ତ୍ରବାଦୀ ବୋଲି ଅଭିହିତ ହୋଇଥିଲା, ପରିଶେଷରେ ରାଜାଙ୍କୁ ବିରୋଧ କରିବାଦ୍ୱାରା ତାହାର ଅବସାନ ଘଟିଲା । ଦ୍ୱିତୀୟ ଚାର୍ଲସ୍‍ଙ୍କ ଆଦେଶରେହିଁ ଡାନବୀ ଗୁପ୍ତ ଚୁକ୍ତିରେ ସ୍ୱାକ୍ଷର କରିଥିଲେ । ମାତ୍ର ଏଥିପାଇଁ ରାଜାଙ୍କୁ ଦୋଷ ଦିଆଗଲା ନାହିଁ; ଦୋଷୀ ହେଲେ ଡାନବୀ । ଏହାଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ୱ ବଢ଼ିଗଲା ।

 

ତିନୋଟି ଅଳ୍ପକାଳସ୍ଥାୟୀ ପାର୍ଲିଆମେଣ୍ଟ୍‍ (ଖ୍ରୀ: ୧୬୭୯–୧୬୮୧) :

 

କେଭେଲିଅର ପାର୍ଲିଆମେଣ୍ଟ୍‍ ଭାଙ୍ଗିଦେଲା ପରେ ୧୬୭୯ ଖ୍ରୀ: ଫେବୃୟାରୀ ମାସରେ ନୂତନ ପାର୍ଲିଆମେଣ୍ଟ୍‍ ପାଇଁ ନିର୍ବାଚନ କରାଗଲା । ଏଥିରେ ସରକାରଙ୍କ ଦଳର ଶୋଚନୀୟ ପରାଜୟ ହେଲା ଏବଂ ସାଫ୍‌ଟସ୍‌ବରୀଙ୍କ ଦଳ ବିପୁଳ ସଂଖ୍ୟାରେ ଜୟଯୁକ୍ତ ହେଲେ । ପରିସ୍ଥିତିକୁ ଗ୍ରହଣ କରି ଚାର୍ଲସ୍‍ ଡାନ୍‌ବୀକୁ କାର୍ଯ୍ୟରୁ ଅନ୍ତର କଲେ, ସୈନ୍ୟ ଦଳର ସଂଖ୍ୟା କମାଇ ଦେଲେ ଏବଂ ଜେମ୍‍ସ୍‌ଙ୍କୁ ନିର୍ବାସନ ଦଣ୍ତରେ ବିଦେଶକୁ ପଠାଇ ଦେଲେ । ମାତ୍ର ସେ ଶାସନ ପରିଚାଳନା ପାଇଁ କୌଣସି ମନ୍ତ୍ରିମଣ୍ତଳ ନିଯୁକ୍ତ ନକରି ପ୍ରିଭି କାଉନ୍‌ସିଲ୍‍କୁ ଶକ୍ତିଶାଳୀ କରି ଗଢ଼ିଲେ, ଉକ୍ତ ରାଜାଙ୍କଦ୍ୱାରା ମନୋନୀତ ୫ ଜଣ ସଦସ୍ୟ ଏବଂ ପାର୍ଲିଆମେଣ୍ଟ୍‍ଦ୍ୱାରା ନିର୍ବାଚିତ ୧୫ ଜଣ ସଦସ୍ୟ ସ୍ଥାନ ପାଇଲେ । ପ୍ରିଭି କାଉନ୍‌ସିଲ୍ ମନ୍ତ୍ରିମଣ୍ତଳର କାର୍ଯ୍ୟ କଲା । ମାତ୍ର ସଦସ୍ୟମାନଙ୍କ ମଧ୍ୟରେ ବିପୁଳ ମତପାର୍ଥକ୍ୟ ଯୋଗୁଁ ପ୍ରଶାସନ କ୍ଷେତ୍ରରେ ଏହି ନୂତନ ପରୀକ୍ଷା ବିଫଳ ହେଲା । ଉକ୍ତ ପାର୍ଲିଆମେଣ୍ଟ୍‍ ରାଜାଙ୍କଦ୍ୱାରା କ୍ଷମା ପ୍ରଦାନ ସତ୍ତ୍ୱେ ଡାନ୍‌ବୀଙ୍କୁ ପାଞ୍ଚବର୍ଷ ପାଇଁ ଜେଲଦଣ୍ତ ପ୍ରଦାନ କଲେ । ସାଫ୍‍ଟବରୀଙ୍କ ଉଦ୍ୟମରେ ହେବିଅସ କରପସ ଆଇନ (Habeas Corpus Act) ଏଥିରେ ଗୃହୀତ ହେଲା । କୌଣସି ବ୍ୟକ୍ତିଙ୍କୁ ଗିରଫ୍‍ କରାଗଲେ ଏହି ଆଇନ ବଳରେ ତାଙ୍କ ଦୋଷର ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦିଆଗଲା । ୧୬୭୯ ଖ୍ରୀ: ମେ ମାସରେ ବିରୋଧୀଦଳ ‘ବଞ୍ଚିତ କରଣ ଚିଠା ଆଇନ’ (Exclusion Bill) ପାର୍ଲିଆମେଣ୍ଟ୍‍ରେ ଉପସ୍ଥାପିତ କଲେ । ରାଜାଙ୍କ ଭାଇ ଜେମ୍‍ସ୍ ରୋମାନ୍ କାଥଲିକ୍‍ ମତବାଦୀ ଥିବାରୁ ତାଙ୍କୁ ସିଂହାସନରୁ ବଞ୍ଚିତ କରିବା ଏହି ଚିଠା ଆଇନର ଉଦ୍ଦେଶ୍ୟ ଥିଲା । କମନ୍‌ସ ସଭାରେ ବିଲ୍‍ର ଦ୍ୱିତୀୟ ପାଠବେଳେ ତାହା ୭୯ଟି ଅଧିକ ଭୋଟ ଲାଭ କଲା । ବିଲ୍‍ଟି ସମ୍ପୂର୍ଣ୍ଣରୂପେ ଗୃହୀତ ହେବା ପୂର୍ବରୁ ସାଫ୍‌ଟସ୍‌ବରୀଙ୍କର ଉଦ୍ଦେଶ୍ୟକୁ ପଣ୍ତ କରିଦେବା ପାଇଁ ଚାର୍ଲସ୍ ପାର୍ଲିଆମେଣ୍ଟ୍‍କୁ ଭାଙ୍ଗିଦେଲେ ।

 

ବଞ୍ଚିତ କରଣ ଆଇନ ଚାର୍ଲସ୍‍ଙ୍କ ଶେଷ ଦୁଇଟି ପାର୍ଲିଆମେଣ୍ଟ୍‍ରେ ମୁଖ୍ୟ ଆଲୋଚନାର ବିଷୟ ଥିଲା । ଏହି ଚିଠା ଆଇନରେ ସାଫ୍‌ଟବରୀ ଓ ତାଙ୍କ ଦଳ ପ୍ରୋଟେଷ୍ଟାଣ୍ଟ୍ ମତବାଦୀ ମନମାଉଥ୍‍ଙ୍କୁ ଚାର୍ଲସ୍‍ଙ୍କର ଉତ୍ତରାଧିକାରୀରୂପେ ସାବ୍ୟସ୍ତ କରିବାପାଇଁ ଉଦ୍ୟମ କଲେ । ସେମାନେ ଦାବି କଲେ ଯେ ମନମାଉଥ୍‍ ଚାର୍ଲସ୍‍ଙ୍କ ବୈଧ ସନ୍ତାନ ଏବଂ ଚାର୍ଲସ୍‍ଙ୍କ ସହିତ ତାଙ୍କର ମାତାଙ୍କ ବିବାହ ଦଲିଲ୍‍ ଏକ ଗୁପ୍ତ ବାକ୍‌ସରେ ଲୁକ୍କାୟିତ ହୋଇ ରଖାଯାଇଅଛି । ମନମାଉଥ୍‍ ଜଣେ ସୁଶ୍ରୀ ଯୁବକ ଓ ସାହସୀ ସୈନିକ ଥିଲେ । ଚାର୍ଲସ୍‍ ମଧ୍ୟ ତାଙ୍କୁ ଭଲ ପାଉଥିଲେ । କିନ୍ତୁ ସେ ତାଙ୍କୁ ପୁତ୍ର ବୋଲି ମାନି ନେବାକୁ ଆଦୌ ପ୍ରସ୍ତୁତ ନଥିଲେ । ଏ ସମ୍ପର୍କରେ ସେ କହିଥିଲେ ଯେ ସେ ମନମାଉଥ୍‍ଙ୍କୁ ନିଜର ବୈଧ ପୁତ୍ର ବୋଲି ସ୍ୱୀକାର କରିବା ଅପେକ୍ଷା ତାଙ୍କୁ ଫାଶୀ ଖୁଣ୍ଟରେ ଝୁଲିବା ଦେଖି ଖୁସି ହେବେ ।

 

ଚାର୍ଲସ୍‍ଙ୍କ ଉତ୍ତରାଧିକାରୀ ପାଇଁ ସାଫ୍‌ଟସ୍‍ବରୀଙ୍କର ମନମାଉଥ୍‍ଙ୍କୁ ମନୋନୟନ କରିବା ଯୁକ୍ତ ନଥିଲା । ଚାର୍ଲସ୍‍ଙ୍କ ପରେ ଜେମ୍‍ସ୍‌ଙ୍କୁ ଛାଡ଼ିଦେଲେ ଇଂଲଣ୍ତର ରାଜସିଂହାସନ ପାଇଁ ବିଶେଷ ଦାବି ଥିଲା ଜେମ୍‍ସ୍‍ଙ୍କ କନ୍ୟା ମେରୀଙ୍କର । ମେରୀ ପ୍ରୋଟେଷ୍ଟାଣ୍ଟ୍ ଥିଲେ ଏବଂ ପ୍ରୋଟେଷ୍ଟାଣ୍ଟ୍ ରାଜା ଉଇଲିୟମ୍‍ଙ୍କୁ ବିବାହ କରିଥିଲେ । ମାତ୍ର ସାଫ୍‌ଟସ୍‌ବରୀ ସମ୍ଭବତଃ ଆଶଙ୍କା କଲେ ଯେ ମେରୀ ରାଜସିଂହାସନ ଲାଭ କଲେ ଇଂଲଣ୍ତରେ ଏକ ବୈଦେଶିକ ଶାସନର ଯୁଗ ଆରମ୍ଭ ହେବ । ଉଇଲିୟମ୍‍ ଡାନ୍‌ଦୀଙ୍କର ଜଣେ ବନ୍ଧୁଥିଲେ ବୋଲି ସାଫ୍‌ଟସ୍‌ବରୀ ତାଙ୍କୁ ଭଲ ପାଉ ନଥିଲେ । ଏହା ଛଡ଼ା ତାଙ୍କର ବିଶ୍ୱାସ ଥିଲା ଯେ ଉତ୍ତରାଧିକାରୀ ହେବାପାଇଁ ମନମାଉଥ୍‌ଙ୍କ ଦାବି ଅପେକ୍ଷାକୃତ ଦୁର୍ବଳ ଥିବାରୁ ରାଜା ହେବାପରେ ସେ ପାର୍ଲିଆମେଣ୍ଟ୍‍ର ଅନୁଗତ ହୋଇ ରହିବେ । ମାତ୍ର ଏ ବିଷୟରେ ଜନସାଧାରଣଙ୍କର ମନୋଭାବକୁ ସାଫ୍‌ଟସ୍‌ବରୀ ହୃଦୟଙ୍ଗମ କରିପାରିଲେ ନାହିଁ । ଇଂଲଣ୍ତର ରାଜସିଂହାସନ ପାଇଁ ସେ ସମୟରେ ଲୋକଙ୍କର ଗଭୀର ସମ୍ମାନ ଓ ଶ୍ରଦ୍ଧା ଥିଲା । ରାଜାଙ୍କର ଜଣେ ଅବୈଧ ସନ୍ତାନ ସେହି ସିଂହାସନକୁ ଅଳଙ୍କୃତ କରିବେ ଏହା ସେମାନେ ଚାହୁଁ ନଥିଲେ । ତତ୍କାଳୀନ ଏକ ବିଶିଷ୍ଟ ରାଜନୀତିଜ୍ଞ ହାଲିଫକ୍‌ସ ଏହା ଉପଲବ୍ଧି କରି ମତ ଦେଇଥିଲେ ଯେ ମନମାଉଥ୍ ରାଜସିଂହାସନ ଲାଭ କଲେ ଦେଶରେ ଆଉ ଏକ ଗୃହଯୁଦ୍ଧର ସୂତ୍ରପାତ ହେବ । ତେଣୁ ସେ ଜେମ୍‍ସ୍‌ଙ୍କ ଦାବିକୁ ଗ୍ରହଣ କରି ନେଇ ଇଂଲଣ୍ତରେ ରୋମାନ୍ କାଥଲିକ୍ ରାଜାଙ୍କ କ୍ଷମତାକୁ ସୀମିତ କରିଦେବା ପାଇଁ ପ୍ରସ୍ତାବ ଦେଲେ । ମାତ୍ର ପାର୍ଲିଆମେଣ୍ଟ୍‍ ନିଜ ଉଦ୍ଦେଶ୍ୟରେ ଅଟଳ ରହିଲା । ବଞ୍ଚିତ କରଣ ଆଇନ ଗୃହୀତ ନହେଲା ଯାଏଁ ରାଜାଙ୍କପାଇଁ କୌଣସି ରାଜସ୍ୱ ଅନୁମୋଦନ ନ କରିବାକୁ ତାହା ବଦ୍ଧପରିକର ଥିଲା । ଚାର୍ଲସ୍‍ ଅନ୍ୟୋନପାୟ ହୋଇ ୧୬୮୧ ଖ୍ରୀ: ଜାନୁୟାରୀ ୧୦ ତାରିଖ ଦିନ ପାର୍ଲିଆମେଣ୍ଟ୍‍କୁ ଭାଙ୍ଗିଦେଲେ । ତଦନନ୍ତର ରାଜାଙ୍କଦ୍ୱାରା ତୃତୀୟ କ୍ଷଣସ୍ଥାୟୀ ପାର୍ଲିଆମେଣ୍ଟ୍‍ ଆହୂତ ହେଲା । ରାଜଦରବାର ପ୍ରତି ଲଣ୍ତନବାସୀଙ୍କ ଭୟାନକ ଶତ୍ରୁତା ହେତୁ ତାହା ଉକ୍ତ ସହର ପରିବର୍ତ୍ତେ ଅକ୍‌ସଫୋର୍ଡ଼ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ପ୍ରକୋଷ୍ଠରେ ଅନୁଷ୍ଠିତ ହେଲା । ଏହି ସମୟରେ ବାୟୁମଣ୍ତଳ ଏତେ ଉତ୍ତେଜନା ପୂର୍ଣ୍ଣ ଥିଲା ଯେ ସଦସ୍ୟମାନେ ଅସ୍ତ୍ର ସଜ୍ଜିତ ହୋଇ ରହିଥିଲେ । ଅଧିବେଶନର ମାତ୍ର ଏକ ସପ୍ତାହ ପରେ ଚାର୍ଲସ୍‍ ପାର୍ଲିଆମେଣ୍ଟ୍‍କୁ ଭାଙ୍ଗିଦେଲେ ଏବଂ ଫଳରେ ବଞ୍ଚିତ କରଣ ଆଇନ ଗୃହୀତ ହୋଇ ପାରିଲା ନାହିଁ ।

 

ଏହି ସମୟରେ ବିରୋଧୀଦଳ ପାର୍ଲିଆମେଣ୍ଟ୍‍ର ଅଧିବେଶନ ପାଇଁ ବାରମ୍ୱାର ଆବେଦନ କରୁଥିଲେ ବୋଲି ସେମାନଙ୍କୁ ଆବେଦନ ବା ପେଟିସନରସ୍‌ (Petitioners) ଏବଂ ସରକାରୀ ଦଳ ରାଜାଙ୍କର ଅଧିକାରକୁ ଅବୈଧ ଭାବରେ ଆକ୍ରମଣ କରିବା ନୀତିକୁ ଘୃଣା କରୁଥିଲେ ବୋଲି ସେମାନଙ୍କୁ ଘୃଣାକାରୀ ବା ଏଭୋରସ୍‌ସ୍ (Abhaorrers) ନାମରେ ଅଭିହିତ କରାଯାଉଥିଲା । ଏହାପରେ ଉଭୟେ ଉଭୟଙ୍କ ବିରୋଧୀଙ୍କଦ୍ୱାରା ଯଥାକ୍ରମେ ହୁଇଗ୍‍ (Whig) ଓ ଟୋରୀ (Tory) ନାମରେ ନାମିତ ହେଲେ ଏବଂ ଏହି ନାମକରଣ ବହୁଦିନଯାଏ ପ୍ରଚଳିତ ରହିଲା । ହୁଇଗ୍‍ ଏକଦଳ ଧର୍ମାନ୍ଧ ସ୍କଟ୍‍ମାନଙ୍କ ନାମାନୁସାରେ ଏବଂ ଟୋରୀ ଆୟାରଲାଣ୍ତ୍‍ର ଦଳେ ବଣୁଆ ରୋମାନ୍ କାଥଲିକ୍ ନାମାନୁସାରେ ନାମିତ ହୋଇଥିଲା । ସୁତରାଂ ଇଂଲଣ୍ତର ଦୁଇ ମୁଖ୍ୟ ଦଳର ନାମକରଣ ସ୍କଟ୍‍ଲାଣ୍ତ୍ ଓ ଆୟାରଲାଣ୍ତ୍‍ରୁ ଆନୀତ ହେଲା । କିଛି କାଳ ପରେ ଉଭୟ ଦଳ ସେମାନଙ୍କର ଉକ୍ତ ନାମକରଣକୁ ଗ୍ରହଣ କରିନେଲେ ।

 

ତୃତୀୟ କ୍ଷଣସ୍ଥାୟୀ ପାର୍ଲିଆମେଣ୍ଟ୍‍ ଚାର୍ଲସ୍‍ଙ୍କ ରାଜତ୍ୱର ସର୍ବଶେଷ ପାର୍ଲିଆମେଣ୍ଟ୍‍ ଥିଲା-। ଏହାପରେ ସେ ପାର୍ଲିଆମେଣ୍ଟ୍‍ର ବିନା ସହାୟତାରେ ଶାସନ କରିବାକୁ ଲାଗିଲେ । ଅବଶ୍ୟ ଏହି ସମୟରେ ପରିସ୍ଥିତି ତାଙ୍କ ପ୍ରତି ଅନୁକୂତ ହୋଇ ଉଠୁଥିଲା । ୧୬୮୦ ଖ୍ରୀ:ର ଶେଷବେଳକୁ ଲର୍ଡ଼ ସଭାର ସତୁରିବର୍ଷ ବୟସ୍କ ନିରୀହ ରୋମାନ୍ କାଥଲିକ୍‍ ସଦସ୍ୟ ଲର୍ଡ଼ ଷ୍ଟାଫୋର୍ଡ଼ ପୋପୀୟ ଷଡ଼ଯନ୍ତ୍ରରେ ସଂପୃକ୍ତ ଥିଲେ ବୋଲି ଅଭିଯୁକ୍ତ କରି ପ୍ରାଣଦଣ୍ତ ଦିଆଗଲା । ଷ୍ଟାଫୋର୍ଡ଼ଙ୍କ ମୃତ୍ୟୁ ବିଷୟ ବହୁଳ ଭାବରେ ଆଲୋଚିତ ହେବାଫଳରେ ପୋପୀୟ ଷଡ଼ଯନ୍ତ୍ର ମିଥ୍ୟା ବୋଲି ଲୋକେ କ୍ରମଶଃ ଉପଲବ୍ଧି କଲେ । ତଦ୍ଦ୍ୱାରା ରାଜାଙ୍କପ୍ରତି ସେମାନଙ୍କ ଆନୁଗତ୍ୟ ବୃଦ୍ଧି ପାଇଲା ଏବଂ ବିରୋଧୀଦଳ ଜନପ୍ରିୟତା ହରାଇ ବସିଲା । ମନମାଉଥ୍‍ ଓ ସାଫ୍ରସ୍‌ବରୀଙ୍କ ବିରୁଦ୍ଧରେ ଜନ୍‌ଡ଼୍ରାଇଡ଼େନଙ୍କ ବ୍ୟଙ୍ଗ ଲେଖା ‘Absalom and Achitophal’ ପ୍ରକାଶ ପାଇ ବିଶେଷଭାବେ ଆଦୃତ ହେଲା । ଏହି ସମୟରେ ମନମାଉଥ୍‍ ଜନ ସମର୍ଥନ ପାଇବାପାଇଁ ଉତ୍ତର ଇଂଲଣ୍ତରେ ପରିଭ୍ରମଣ କରୁଥିଲେ । ସେଠାରେ ଷ୍ଟାଫୋର୍ଡ଼ ସହରରେ ତାଙ୍କୁ ଶାନ୍ତି ଶୃଙ୍ଖଳା ନାମରେ ଗିରଫ୍‍ କରାଗଲା । ସାଫ୍ରସ୍‌ବରୀ ବିଚଳିତ ହୋଇ ଲଣ୍ତନରେ ଲୁଚି ରହିଲେ ଏବଂ ପରେ ଆତ୍ମରକ୍ଷା ପାଇଁ ହଲାଣ୍ତକୁ ପଳାୟନ କଲେ । ୧୬୮୩ ଖ୍ରୀ:ରେ ଆମଷ୍ଟରଡ଼ାମରେ ଜଣେ ବଣିକଙ୍କ ଗୃହରେ ସେ ଭଗ୍ନହୃଦୟରେ ପ୍ରାଣତ୍ୟାଗ କଲେ । ଇତିମଧ୍ୟରେ ରାଜାଙ୍କୁ ହତ୍ୟା କରିବାପାଇଁ ଏକ ଷଡ଼ଯନ୍ତ୍ର ଧରାପଡ଼ିଲା । ଏହି ଚକ୍ରାନ୍ତର ଗୁପ୍ତ ସଂସ୍ଥାନର ନାମାନୁସାରେ ଏହାକୁ ର୍ୟେ ଗୃହ ଷଡ଼ଯନ୍ତ୍ର (Rye House plot) ବୋଲି କୁହାଯାଏ । ଏହି ଦୁର୍ଭାଗ୍ୟଜନକ ଘଟଣାର ସୁବିଧା ନେଇ ଚାର୍ଲସ୍‍ ରସେଲ ଓ ସିଡ଼ନୀ ନାମଧେୟ ଦୁଇଜଣ ପ୍ରଭାବଶାଳୀ ହୁଇଗ୍‍ ନେତାଙ୍କୁ ଅନ୍ୟାୟଭାବେ ହତ୍ୟାକଲେ ।

 

ଏହିପରିଭାବେ ବିରୋଧୀଦଳକୁ ନିପାତକରି ଚାର୍ଲସ୍‍ ନିଜର ସ୍ଥିତିକୁ ଦୃଢ଼ କରିବାରେ ଲାଗିଲେ । ସେ ପରୀକ୍ଷା ଆଇନ (Test Act)କୁ ବେଖାତିର କରି ଜେମ୍‍ସ୍‍ଙ୍କୁ ତାଙ୍କ ପଦବୀରେ ପୁନଃ ପ୍ରତିଷ୍ଠା କଲେ । ଚତୁର୍ଦ୍ଦଶ ଲୁଇଙ୍କଠାରୁ ଗୁପ୍ତ ଆର୍ଥିକ ସାହାଯ୍ୟ ଲାଭକରି ସେ ପାର୍ଲିଆମେଣ୍ଟ୍‍ର ବିନା ସହାୟତାରେ ରାଜ୍ୟଶାସନ କଲେ । ପାର୍ଲିଆମେଣ୍ଟ୍‍ର ନିର୍ବାଚନ ମଧ୍ୟ ତାଙ୍କଦ୍ୱାରା ନିୟନ୍ତ୍ରିତ ହେଲା । ଲଣ୍ତନ ସମେତ ୬୬ ଗୋଟି ସହରର ସନନ୍ଦ ତାଙ୍କ ନିର୍ଦ୍ଦେଶରେ ପରିବର୍ତ୍ତିତ ହେଲା । ଏହି ସହରମାନଙ୍କରେ ପୂର୍ବଥର ହୁଇଗ୍‍ମାନେ ନିର୍ବାଚିତ ହୋଇଥିଲେ । ବର୍ତ୍ତମାନ ଏହି ସହରମାନଙ୍କର ପରିଚାଳନା ଦାୟିତ୍ୱରେ ଥିବା ପୌର ପ୍ରତିଷ୍ଠାନର (Corporation) ସଦସ୍ୟମାନଙ୍କୁ ରାଜା ନିଜେ ମନୋନୀତ କଲେ ଏବଂ ସେମାନେ ରାଜାଙ୍କଦ୍ୱାରା ଅନୁମୋଦିତ ସଦସ୍ୟମାନଙ୍କୁ ପାର୍ଲିଆମେଣ୍ଟ୍‍ ପାଇଁ ନିର୍ବାଚନ କଲେ । ଫଳରେ ଚାର୍ଲସ୍‍ ଶେଷ ଜୀବନରେ ଅଖଣ୍ତ କ୍ଷମତାର ଅଧିକାରୀ ହେଲେ । ତାଙ୍କୁ ପ୍ରତିରୋଧ କରିବାପାଇଁ କାହାରି ଶକ୍ତି ନଥିଲା ।

 

୧୬୮୫ ଖ୍ରୀ: ଫେବୃୟାରୀ ତା ୧ ରିଖ ଦିନ ଚାର୍ଲସ୍ ଆକସ୍ମିକଭାବେ ପୀଡ଼ିତ ହେଲେ-। ଅନ୍ତିମ ସମୟ ଉପସ୍ଥିତ ଜାଣି ସେ ତାଙ୍କର କୁଳପୁରୋହିତଙ୍କୁ ଡକାଇ ପଠାଇଲେ ଏବଂ ତାଙ୍କଠାରୁ କାଥଲିକ୍‍ ସଂପ୍ରଦାୟର ସଂସ୍କାର ଗ୍ରହଣକରି ସେ ସେହି ମାସର ୬ ତାରିଖରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ।

 

ଦ୍ୱିତୀୟ ଚାର୍ଲସ୍‍ଙ୍କ ବୈଦେଶିକ ନୀତି

 

୧୬୬୦ ଖ୍ରୀ:ରେ ଇଂଲଣ୍ତରେ ରାଜତନ୍ତ୍ରର ପୁନଃ ପ୍ରତିଷ୍ଠାପାଇଁ ଚାର୍ଲସ୍‍ କୌଣସି ବୈଦେଶିକ ଶକ୍ତିଦ୍ୱାରା ଅନୁଗୃହୀତ ହୋଇ ନଥିଲେ । ତଥାପି ସେ ରାଜତ୍ୱର ଆରମ୍ଭରୁ କେତେକ ବିଶେଷ କାରଣ ଯୋଗୁଁ ଫ୍ରାନ୍‌ସ ପ୍ରତି ଆକୃଷ୍ଟ ହୋଇଥିଲା । ପ୍ରଥମତଃ, ଚାର୍ଲସ୍‍ଙ୍କ ମାତା ଥିଲେ ଜଣେ ଫରାସୀ ରମଣୀ ଏବଂ ସେ ଏ ଦିଗରେ ଚାର୍ଲସ୍‍ଙ୍କୁ ପ୍ରଭାବିତ କରିଥାଇପାରନ୍ତି ବୋଲି ବିଶ୍ୱାସ କରାଯାଏ । ଦ୍ୱିତୀୟତଃ, ଏହି ସମୟରେ ଫ୍ରାନ୍‌ସର ରାଜା ଚତୁର୍ଦ୍ଦଶ ଲୁଇ ତତ୍କାଳୀନ ଇଉରୋପୀୟ ରାଜନୀତିରେ ସର୍ବପ୍ରଧାନ ବ୍ୟକ୍ତି ଥିଲେ । ବିପୁଳ ଭୂରାଜସ୍ୱ, ଯୋଗ୍ୟ ଅମାତ୍ୟ ତଥା ଦକ୍ଷ ସେନାପତିମାନଙ୍କ ସହାୟତାରେ ସେ ଫ୍ରାନ୍‌ସ ଦେଶରେ ଅଖଣ୍ତ କ୍ଷମତା ଲାଭ କରି ଇଉରୋପ ମହାଦେଶରେ ନିଜର ପ୍ରତିଷ୍ଠାକୁ ଦୃଢ଼ କରି ରଖିଥିଲେ । ଚତୁର୍ଦ୍ଦଶ ଲୁଇଙ୍କର ପ୍ରତିଷ୍ଠା ଲାଭପାଇଁ ଲାଳାୟିତ ହେଲେ । ତୃତୀୟତଃ, ଦ୍ୱିତୀୟ ଚାର୍ଲସ୍‍ ଅନେକ ସମୟରେ ଅର୍ଥାଭାବରେ ପଡ଼ି ଚତୁର୍ଦ୍ଦଶ ଲୁଇଙ୍କ ସାହାଯ୍ୟ ଲୋଡ଼ୁଥିଲେ ଏବଂ ଫ୍ରାନ୍‌ସ ସହିତ ତାଙ୍କ ଗୁପ୍ତ ଚୁକ୍ତିମାନଙ୍କରେ ଆବଦ୍ଧ ହେବାକୁ ପଡ଼ୁଥିଲା । ନିର୍ବାସନରୁ ଫେରିବା ସମୟରେ ତାଙ୍କର ଋଣର ପରିମାଣ ଥିଲା ୩,୦୦୦,୦୦୦ ପାଉଣ୍ତ । ତାଙ୍କର ବାର୍ଷିକ ଆୟ ୧,୨୦୦,୦୦୦ ପାଉଣ୍ତ ନିର୍ଦ୍ଧାରିତ ହୋଇଥିଲା ଏବଂ ତାହା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଆଦାୟ ହୋଇ ପାରୁ ନଥିଲା । ତାଙ୍କର ବ୍ୟୟ ଆୟ ଅପେକ୍ଷା ଅଧିକ ଥିଲା । ଏହି ଆର୍ଥିକ ସମସ୍ୟା ତାଙ୍କର ବୈଦେଶିକ ନୀତିକୁ ଅନେକାଂଶରେ ନିୟନ୍ତ୍ରିତ କରୁଥିଲା । ଚତୁର୍ଥତଃ, ଫ୍ରାନ୍‌ସ ଏକ ରୋମାନ୍ କାଥଲିକ୍‍ ଦେଶ ଥିଲା । କାଥଲିକ୍‍ ସଂପ୍ରଦାୟ ପ୍ରତି ଚାର୍ଲସ୍‍ଙ୍କର ଗଭୀର ଅନୁରକ୍ତି ଥିଲା । ଇଂଲଣ୍ତରେ ମଧ୍ୟ ଉକ୍ତ ସଂପ୍ରଦାୟର ପ୍ରତିଷ୍ଠାପାଇଁ ସେ ଉଦ୍ୟମ କରୁଥିଲେ । ଏହା ଛଡ଼ା, ଚାର୍ଲସ୍‍ ଉପଲବ୍ଧି କରିଥିଲେ ଯେ ଇଂଲଣ୍ତର ବାଣିଜ୍ୟ ପ୍ରସାର ଦିଗରେ ହଲାଣ୍ତ ତାଙ୍କର ସର୍ବପ୍ରଧାନ ପ୍ରତିଦ୍ୱନ୍ଦ୍ୱୀ । ତେଣୁ ଫ୍ରାନ୍‌ସ ସହିତ ମିଳିତ ହୋଇ ହଲାଣ୍ତର ବାଣିଜ୍ୟକୁ ଧ୍ୱଂସ କରିବା ତାଙ୍କର ଅଭିପ୍ରାୟ ଥିଲା । ଏହି ସବୁ କାରଣରୁ ଦ୍ୱିତୀୟ ଚାର୍ଲସ୍‍ ପାର୍ଲିଆମେଣ୍ଟ୍‍ର ପ୍ରତିବାଦ ଓ ପ୍ରତିରୋଧ ସତ୍ତ୍ୱ ଫ୍ରାନ୍‌ସ ସହିତ ନିଜର ସମ୍ପର୍କକୁ ଦୃଢ଼ୀଭୂତ କରୁଥିଲେ । ସେ ନିଜର ଭଗ୍ନୀ ହେନେରୀଏଟାଙ୍କୁ ଚତୁର୍ଦ୍ଦଶ ଲୁଇଙ୍କ ଭ୍ରାତା ଡ୍ୟୁକ ଅଫ୍ ଓରଲିଏନ୍‌ସଙ୍କ ସହ ବିବାହ ଦେଲେ ଏବଂ ନିଜେ ଫ୍ରାନ୍‌ସର ବନ୍ଧୁ ରାଜ୍ୟ ପର୍ତ୍ତୁଗାଲର ରାଜକୁମାରୀ କ୍ୟାଥାରାଇନ୍ ବ୍ରାଗାଞ୍ଜାଙ୍କୁ ବିବାହ କରିଥିଲେ । କ୍ୟାଥାରାଇନ୍ ଇଂଲଣ୍ତପାଇଁ ଦୁଇଟି ଉପାଦେୟ ଯୌତୁକ ଆଣିଥିଲେ । ତନ୍ମଧ୍ୟରୁ ପ୍ରଥମଟି ଭାରତର ବମ୍ୱେ ଦ୍ୱୀପ ଯାହା ସେ ଇଷ୍ଟ ଇଣ୍ତିଆ କମ୍ପାନୀକୁ ବାର୍ଷିକ ୧୦ ପାଉଣ୍ତ ରାଜସ୍ୱ ବିନିମୟରେ ବିକ୍ରୟ କରିଦେଲେ ଏବଂ ଦ୍ୱିତୀୟଟି ସାମରିକ ପୋତାଶ୍ରୟ ଟାନ୍‌ଜିୟର ଯାହାଫଳରେ ଇଂଲଣ୍ତ ଭୂମଧ୍ୟସାଗରରେ ବାଣିଜ୍ୟର ନିୟନ୍ତ୍ରଣ ପାଇଁ ଆଶା ବାନ୍ଧିଲା । ଚାର୍ଲସ୍‍ ୧୬୬୨ ଖ୍ରୀ:ରେ ଡନକିର୍କ ସହରକୁ ଫ୍ରାନ୍‌ସଠାରେ ବିକ୍ରୟ କରିଦେଲେ । ଡନକିର୍କର ପ୍ରତିରକ୍ଷା ବ୍ୟୟସାପେକ୍ଷ ଥିଲା; ସାମରିକ ଦୃଷ୍ଟିରୁ ଏହାର ବିଶେଷ ଉପାଦେୟତା ନଥିଲା ଏବଂ ରାଜା ଉଭୟ ଡନକିର୍କ ଓ ଟାନ୍‌ଜିୟରରେ ସୈନ୍ୟ ସମାବେଶ ପାଇଁ କ୍ଷମ ନଥିଲେ । ତଥାପି ରାଜାଙ୍କର ଏହି କାର୍ଯ୍ୟ ଦେଶରେ ଆଲୋଡ଼ନ ସୃଷ୍ଟି କଲା ଏବଂ ପ୍ରଧାନମନ୍ତ୍ରୀ କ୍ଳାରେଣ୍ତନ ଏଥିପାଇଁ ଅପ୍ରିୟ ହୋଇ ପଡ଼ିଲେ ।

 

ଦ୍ୱିତୀୟ ଡଚ୍‍ ସମର (ଖ୍ରୀ: ୧୬୬୫–୧୬୬୨)

 

ଇଂଲଣ୍ତ ଓ ହଲାଣ୍ତ ମଧ୍ୟରେ ଆଫ୍ରିକା ତଥା ପୂର୍ବ ଭାରତୀୟ ଦ୍ୱୀପ ପୁଞ୍ଜରେ ବାଣିଜ୍ୟ ପ୍ରତିଷ୍ଠାପାଇଁ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଚାଲିଥିଲା । ଉଭୟେ ଉଭୟଙ୍କର ବାଣିଜ୍ୟ ଉପରେ ଆକ୍ରମଣ କରୁଥିଲେ । ସେମାନଙ୍କ ମଧ୍ୟରେ ବାଣିଜ୍ୟ ସଂଘର୍ଷ ୧୬୬୫ ଖ୍ରୀ:ରେ ଦ୍ୱିତୀୟ ଡଚ୍‍ ସମରରେ ପରିଣତ ହେଲା । ଯୁଦ୍ଧର ଆରମ୍ଭରେ ଇଂରେଜମାନେ ଉଲ୍ଲେଖନୀୟ ଅଗ୍ରଗତି କରିଥିଲେ । ଜେମ୍‍ସ୍ (ଡ୍ୟୁକ ଅଫ୍ ୟର୍କ) ଲୋୱେଷ୍ଟଫ୍‌ଟ (Lowestoft) ନିକଟସ୍ଥ ଏକ ଯୁଦ୍ଧରେ ଡଚ୍‍ମାନଙ୍କୁ ଶୋଚନୀୟଭାବେ ପରାସ୍ତ କଲେ । ସେ ଏହି ଯୁଦ୍ଧରେ କେବଳ ଗୋଟିଏ ଜାହାଜ ହରାଇ ଶତ୍ରୁ ପକ୍ଷର ବାରଗୋଟି ଜାହାଜର ଧ୍ୱଂସ ସାଧନ କଲେ । ସ୍ଥଳ ବାହିନୀର ସେନାପତି ମଙ୍କ ଓ ରୁପାର୍ଟ ଏହି ସମୟରେ ନୌସେନାପତିରୂପେ ନିଯୁକ୍ତ ହେଲେ । ହଲାଣ୍ତ ଉପରେ ଇଂଲଣ୍ତର ବିଜୟ ଫ୍ରାନ୍‌ସପାଇଁ ଅନୁକୂଳ ନଥିଲା । ସେଥିପାଇଁ ଚତୁର୍ଦ୍ଦଶ ଲୁଇ ଯୁଦ୍ଧରେ ଡଚ୍‍ମାନଙ୍କ ସପକ୍ଷରେ ଯୋଗଦାନ କଲେ । ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜରେ ଫ୍ରାନ୍‌ସ ଓ ଇଂଲଣ୍ତ ମଧ୍ୟରେ କେତେକ ଯୁଦ୍ଧ ହେଲା । ୧୬୬୬ ଖ୍ରୀ:ରେ ମଙ୍କ ଓ ରୁପାର୍ଟଙ୍କର ନୌବହର ବିଚ୍ଛିନ୍ନ ହୋଇ ପଡ଼ିଲା ଏବଂ ଫଳରେ ନର୍ଥଫୋରଲାଣ୍ତ ଓ ଡନକିର୍କ ମଧ୍ୟରେ ସଂଘଟିତ ଚାରିଦିନ ବ୍ୟାପୀ ଯୁଦ୍ଧରେ ସେନାପତି ମଙ୍କ ଡଚ୍‍ମାନଙ୍କଦ୍ୱାରା ଯୁଦ୍ଧରେ ପରାସ୍ତ ହେଲେ । ୧୬୬୫ ଖ୍ରୀ:ର ମହାମାରୀ ରୋଗ ଏବଂ ୧୬୬୬ ଖ୍ରୀ:ର ଭୟାବହ ଅଗ୍ନିକାଣ୍ତ ଇଂଲଣ୍ତ ନୌବାହିନୀର ବିଶେଷ କ୍ଷତି ସାଧନ କରିଥିଲା । ଏହାଦ୍ୱାରା ସେହି ଦେଶର ନୌବହର ଅଚଳ ହୋଇ ପଡ଼ିଲା ଏବଂ ତାକୁ ସକ୍ରିୟ କରିବା ସକାଶେ ଚାର୍ଲସ୍‍ଙ୍କର ଅର୍ଥବଳ ନଥିଲା । ଏହି ସୁବିଧାରେ ଡଚ୍‍ମାନେ ମେଡ଼ଉଏ ନଦୀରେ ଚାଥାମ ପର୍ଯ୍ୟନ୍ତ ଅଗ୍ରସର ହୋଇ ଇଂଲଣ୍ତର ଅନେକଗୁଡ଼ିଏ ଜାହାଜ ନଷ୍ଟ କରିଦେଲେ । ଇଂଲଣ୍ତ ପକ୍ଷରେ ଏହାଥିଲା ଏକ ଅବିସ୍ମରଣୀୟ ଲାଞ୍ଚ୍ଥନା । ଇଂଲଣ୍ତର ସୌଭାଗ୍ୟକୁ ଏହାର ମାତ୍ର ଛଅ ସପ୍ତାହ ପରେ ବ୍ରେଡ଼ାଠାରେ ଏକ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହେଲା । ଏହି ଚୁକ୍ତିଫଳରେ ଇଂଲଣ୍ତ ଆମେରିକା ଭୂଖଣ୍ତର ନ୍ୟୁଜାରସି ଓ ନ୍ୟୁ ଆମ୍‌ଷ୍ଟରଡ଼ାମ ଲାଭକଲେ । ଶେଷୋକ୍ତ ସହର ଡ୍ୟୁକ ଅଫୟର୍କଙ୍କ ନାମାନୁସାରେ ନ୍ୟୁୟର୍କ ନାମରେ ଅଭିହିତ ହେଲା ।

 

ତ୍ରିଶକ୍ତି ମେଣ୍ଟ :–ଦ୍ୱିତୀୟ ଡଚ୍‍ ସମରରେ ଇଂଲଣ୍ତର ପରାଭବର ମୁଖ୍ୟ କାରଣ ଥିଲା ଫ୍ରାନ୍‌ସ । ଅପରପକ୍ଷେ ଡଚ୍‍ମାନେ ମଧ୍ୟ ସେମାନଙ୍କ ଅନୁକୂଳ ପରିସ୍ଥିତି ସତ୍ତ୍ୱେ ଇଂଲଣ୍ତକୁ ସୁହାଇଲା ବୋଲି ବ୍ରେଡ଼ା ଚୁକ୍ତିରେ କେବଳ ଫ୍ରାନ୍‌ସ ଯୋଗୁଁ ସ୍ୱାକ୍ଷର କଲେ । ଉଭୟ ସାମୁଦ୍ରିକ ଶକ୍ତି ପରସ୍ପର ମଧ୍ୟରେ ଯୁଦ୍ଧରେ ବ୍ୟାପୃତ ଥିବା ସମୟରେ ଏହାର ସୁଯୋଗ ନେଇ ଫ୍ରାନ୍‌ସ ଇଉରୋପରେ ଆପଣାର ପ୍ରଭାବ ବିସ୍ତାରପାଇଁ ଲାଗି ପଡ଼ିଲା । ସ୍ପେନ୍‍ର ରାଜା ଚତୁର୍ଥ ଫିଲିପଙ୍କ କନ୍ୟାଙ୍କୁ ଚତୁର୍ଦ୍ଦଶ ଲୁଇ ବିବାହ କରିଥିଲେ । ୧୬୬୫ ଖ୍ରୀ:ରେ ଫିଲିପଙ୍କ ମୃତ୍ୟୁ ହେବାରୁ ଲୁଇ ଆପଣାର ପତ୍ନୀଙ୍କୁ ସ୍ପେନୀୟ ନେଦରଲାଣ୍ତ୍‍ର ଉତ୍ତରାଧିକାରିଣୀ ବୋଲି ଦାବି କରି ଫ୍ଳେଣ୍ତରସ ଅଧିକାର କଲେ । ଲୁଇଙ୍କ ଆକ୍ରମଣାତ୍ମକ କାର୍ଯ୍ୟକଳାପ ଇଉରୋପରେ ଆଲୋଡ଼ନ ସୃଷ୍ଟିକଲା । ସ୍ପେନୀୟ ନେଦରଲାଣ୍ତ୍, ହଲାଣ୍ତ ଓ ଫ୍ରାନ୍‌ସ ମଧ୍ୟରେ ଅବସ୍ଥିତ ଥିବାରୁ ଏହା ଡଚ୍‍ମାନଙ୍କ ପକ୍ଷରେ ବିପଦର କାରଣ ହେଲା । ଫ୍ରାନ୍‌ସର ଆକ୍ରମଣକାରୀ ମନୋବୃତ୍ତିର ବିପକ୍ଷରେ ମିଳିତ ହେବାପାଇଁ ହଲାଣ୍ତ ଓ ଇଂଲଣ୍ତ ଉତ୍ସୁକ ହେଲେ । ସୁଇଡ଼େନ ସେମାନଙ୍କ ସହ ଯୋଗ ଦେଲା । ଏହି ତିନି ରାଜ୍ୟକୁ ନେଇ ୧୬୬୮ ଖ୍ରୀ:ରେ ତ୍ରିଶକ୍ତି ମେଣ୍ଟ ଗଠିତ ହେଲା । କାଥଲିକ୍‍ ରାଜ୍ୟ ଫ୍ରାନ୍‌ସ ବିରୁଦ୍ଧରେ ଏହା ଥିଲା ଏକ ପ୍ରୋଟେଷ୍ଟାଣ୍ଟ୍ ମେଣ୍ଟ ।

 

ଡୋଭର ଚୁକ୍ତି :–ତ୍ରିଶକ୍ତିମେଣ୍ଟ ଇଂଲଣ୍ତର ବିପୁଳ ଜନ ସମର୍ଥନ ଲାଭକଲା । ମାତ୍ର ରାଜା ଦ୍ୱିତୀୟ ଚାର୍ଲସ୍‍ ଏଥିରେ ସନ୍ତୁଷ୍ଟ ନଥିଲେ । ଡଚ୍‍ମାନଙ୍କୁ ସେ ଘୃଣା କରୁଥିଲେ ଏବଂ ସମ୍ଭବତଃ ସେମାନଙ୍କ ପ୍ରତି ଚତୁର୍ଦ୍ଦଶ ଲୁଇଙ୍କ କ୍ରୋଧ ଜାତ କରାଇବା ପାଇଁ ସେ ତ୍ରିଶକ୍ତି ମେଣ୍ଟକୁ ଅନୁମୋଦନ କରିଥିଲେ । ଉକ୍ତ ମେଣ୍ଟ ଗଠନର କିଛିକାଳ ପରେ ଚାର୍ଲସ୍‍ ଚତୁର୍ଦ୍ଦଶ ଲୁଇଙ୍କ ସହ ଏକ ଚକ୍ରାନ୍ତରେ ଲିପ୍ତ ରହିଲେ । ସେମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ଗୁପ୍ତ ଆଲୋଚନା ଶେଷରେ ୧୬୭୦ ଖ୍ରୀଷ୍ଟାବ୍ଦରେ କଳଙ୍କମୟ ଡୋଭର ଚୁକ୍ତିରେ ପରିସମାପ୍ତି ହେଲା । ଏହି ଚୁକ୍ତିଫଳରେ ଚାର୍ଲସ୍‍ ଚତୁର୍ଦ୍ଦଶ ଲୁଇଙ୍କଠାରୁ ଆର୍ଥିକ ସାହାଯ୍ୟ ଲାଭ କଲେ ଏବଂ ତ୍ରିଶକ୍ତିମେଣ୍ଟକୁ ପରିତ୍ୟାଗ କରି ପୁଣି ଥରେ ଡଚ୍‍ମାନଙ୍କ ବିରୁଦ୍ଧରେ ଯୁଦ୍ଧର ଆୟୋଜନ କରିବାପାଇଁ ରାଜିହେଲେ । ଦ୍ୱିତୀୟତଃ, ସେ ଇଂଲଣ୍ତରେ ରୋମାନ୍ କାଥଲିକ୍‍ ଧର୍ମର ପ୍ରତିଷ୍ଠାପାଇଁ ସ୍ୱୀକୃତି ଦେଲେ ଏବଂ ଏଥିପାଇଁ ଅତିରିକ୍ତ ଅର୍ଥଲାଭ କରିବା ସଙ୍ଗେ ସଙ୍ଗେ ଏହା ବିରୁଦ୍ଧରେ କୌଣସି ଆନ୍ଦୋଳନ ଦେଖାଦେଲେ, ତାହାର ଦମନପାଇଁ ଲୁଇଙ୍କଠାରୁ ସାମରିକ ସାହାଯ୍ୟର ପ୍ରତିଶ୍ରୁତି ପାଇଲେ । ଚାର୍ଲସ୍‍ଙ୍କର କେବଳ ଦୁଇଜଣ ରୋମାନ୍ କାଥଲିକ୍‍ ମନ୍ତ୍ରୀ କ୍ଳିଫୋର୍ଡ଼ ଓ ଆରଲିଙ୍ଗଟନ ଏହି ଚୁକ୍ତି ବିଷୟରେ ଅବଗତ ଥିଲେ । ଅନ୍ୟାନ୍ୟ ମନ୍ତ୍ରୀ ତଥା ଦେଶ ଓ ଜାତିକୁ ପ୍ରତାରଣା କରି ଅନ୍ୟଏକ କୃତ୍ରିମ ଚୁକ୍ତି ପ୍ରସ୍ତୁତ କରାଗଲା ଏବଂ ତହିଁରେ କେବଳ ହଲାଣ୍ତ ସହ ପ୍ରସ୍ତାବିତ ଯୁଦ୍ଧର ଉଲ୍ଲେଖ ଥିଲା । ଡୋଭର ଚୁକ୍ତି ସହ ଚାର୍ଲସ୍‍ଙ୍କ ବୈଦେଶିକ ନୀତିର ଗୌରବମୟ ଅଧ୍ୟାୟର ଅବସାନ ଘଟିଲା ।

 

ତୃତୀୟ ଡଚ୍‍ ସମର (୧୬୭୨–୧୬୭୪ ଖ୍ରୀ :)

 

ଡୋଭର ଚୁକ୍ତି ପରେ ଇଂଲଣ୍ତ ତ୍ରିଶକ୍ତି ମେଣ୍ଟରୁ ଅପସରି ଆସିଲା । ଏହାପରେ ସୁଇଡ଼େନ ମଧ୍ୟ ଉତ୍କୋଚ ଗ୍ରହଣ କରି ଉକ୍ତ ମେଣ୍ଟରୁ ଓହରି ଆସିଲା । ଅନ୍ୟ ପକ୍ଷରେ ହଲାଣ୍ତ ଆସନ୍ନ ବିପଦର ସମ୍ମୁଖୀନ ହେବାପାଇଁ କୌଣସି ଉଦ୍ୟମ କଲା ନାହିଁ । ତେଣୁ ୧୬୭୨ ଖ୍ରୀ:ରେ ତୃତୀୟ ଡଚ୍‍ ସମରର ସୂତ୍ରପାତ ହେବାମାତ୍ରେ ଫ୍ରାନ୍‌ସ ହଲାଣ୍ତ ଆକ୍ରମଣ କଲା । ଡଚ୍‍ମାନେ ସେମାନଙ୍କର ପ୍ରଶାସକ ଜନ ଡି ଉଇଟଙ୍କୁ ସେଥିପାଇଁ ଦାୟୀକଲେ । ଜନଙ୍କୁ ଗାଦିଚ୍ୟୁତ କରି ହତ୍ୟା କରାଗଲା । ଏହାପରେ ଡଚ୍‍ମାନେ ଉଇଲିୟମ୍‍ ଅଫ୍ ଅରେଞ୍ଜଙ୍କ ନେତୃତ୍ୱରେ ବୀରତ୍ୱ ସହକାରେ ଶତ୍ରୁ ସୈନ୍ୟର ପ୍ରତିରୋଧ କଲେ । ମାତୃଭୂମିର ରକ୍ଷାପାଇଁ ସେମାନେ ଜଳଭଣ୍ତାରର ବନ୍ଧଗୁଡ଼ିକ ନଷ୍ଟ କରିଦେଲେ । ଫଳରେ ହଲାଣ୍ତର ଚତୁର୍ଦ୍ଦିଗ ଜଳରେ ପରିପୂର୍ଣ୍ଣ ହେଲା । ୧୬୭୨ ଖ୍ରୀ:ରେ ସାଉଦୋଲ୍‌ଡ଼ ସାଗର (Southwold Bay) ଯୁଦ୍ଧ ଏବଂ ୧୬୭୩ ଖ୍ରୀ:ରେ ଟେକ୍‌ସେଲ ଯୁଦ୍ଧରେ ବିପୁଳ କ୍ଷତି ହସ୍ୟ କରି ମଧ୍ୟ ସେମାନେ ଶେଷ ପର୍ଯ୍ୟନ୍ତ ଆପଣାର ପ୍ରତିଷ୍ଠା ବଜାୟ ରଖିଥିଲେ । ଇଂଲଣ୍ତର ଜନସାଧାରଣ ଡଚ୍‍ ସମରର ପକ୍ଷପାତୀ ନଥିଲେ ଏବଂ ସେମାନଙ୍କ ବିରୋଧ ମନୋଭାବ ଦିନୁଦିନ ବୃଦ୍ଧି ପାଉଥିଲା । ଏହି ସମୟରେ ଡୋଭର ଚୁକ୍ତିର ଗୁପ୍ତ ତଥ୍ୟ ଜଣାପଡ଼ି ପାର୍ଲିଆମେଣ୍ଟ୍‍ରେ ଚାଞ୍ଚଲ୍ୟ ଖେଳିଗଲା । ଏହି ପରିସ୍ଥିତିରେ ଚାର୍ଲସ୍‍ ୧୬୭୪ ଖ୍ରୀ:ରେ ହଲାଣ୍ତ ସହ ଶାନ୍ତି ଚୁକ୍ତିରେ ସ୍ୱାକ୍ଷର କଲେ । ତୃତୀୟ ଡଚ୍‍ ସମରଫଳରେ ହଲାଣ୍ତର ଶକ୍ତି ପୂର୍ଣ୍ଣ ହେଲା ଏବଂ ତାହାର ବାଣିଜ୍ୟର ମୁଖ୍ୟ ଅଂଶ ଇଂରେଜ ବଣିକଙ୍କ ହାତକୁ ଚାଲିଗଲା ।

 

୧୬୭୪ ଖ୍ରୀ:ରୁ ୧୬୮୮ ଖ୍ରୀ: ମଧ୍ୟରେ ବୈଦେଶିକ ବ୍ୟାପାରରେ ଇଂଲଣ୍ତର କୌଣସି ଭୂମିକା ନଥିଲା । ଏହି ସମୟରେ ରାଜା ଚାର୍ଲସ୍‍ ଚତୁର୍ଦ୍ଦଶ ଲୁଇଙ୍କର ଅନୁଗ୍ରହବୃତ୍ତି ଭୋଗୀ ହୋଇ ପଡ଼ିଥିଲେ । ୧୬୭୫ ଖ୍ରୀ: ଅଗଷ୍ଟ ୨୫ ତାରିଖ ଦିନ ଉଭୟ ରାଜାଙ୍କ ମଧ୍ୟରେ ଏକ ଗୁପ୍ତ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ଏବଂ ତହିଁରେ ଚାର୍ଲସ୍‍ ପ୍ରତିଶ୍ରୁତି ଦେଇଥିଲେ ଯେ ଯଦି ପାର୍ଲିଆମେଣ୍ଟ୍‍ ତାଙ୍କୁ ଅଧିକ ଅର୍ଥ ମଞ୍ଜୁର କରି ଫ୍ରାନ୍‌ସ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବାପାଇଁ ବାଧ୍ୟ କରେ ତେବେ ଲୁଇଙ୍କଠାରୁ ୧୦୦,୦୦୦ ପାଉଣ୍ତ ସାହାଯ୍ୟ ପାଇ ପାର୍ଲିଆମେଣ୍ଟ୍‍କୁ ଭାଙ୍ଗିଦେବେ । ୧୬୭୬ ଖ୍ରୀ: ଫେବୃୟାରୀ ମାସରେ ଦ୍ୱିତୀୟ ଚାର୍ଲସ୍‍ ଓ ଚତୁର୍ଦ୍ଦଶ ଲୁଇ ଅନ୍ୟ ଏକ ଗୁପ୍ତ ଚୁକ୍ତିରେ ସ୍ୱାକ୍ଷର କରି ଜଣେ ଅନ୍ୟ ଜଣକର ଶତ୍ରୁ ରାଜ୍ୟକୁ କୌଣସି ପ୍ରକାର ସାହାଯ୍ୟ ନଦେବାପାଇଁ ଏବଂ ତା’ ସହିତ କୌଣସି ଗୁପ୍ତ ଚୁକ୍ତି ନ କରିବାପାଇଁ ପ୍ରତିଜ୍ଞାବଦ୍ଧ ହେଲେ । ମାତ୍ର ଇଂଲଣ୍ତର ଜନସାଧାରଣ ଫ୍ରାନ୍‌ସ ସହ ବନ୍ଧୁତା ସ୍ଥାପନରେ ବିରୋଧୀ ଥିଲେ । କମନ୍‌ସ ସଭାରେ ମଧ୍ୟ ଫ୍ରାନ୍‌ସ ବିରୁଦ୍ଧରେ ହଲାଣ୍ତ ସହ ମେଣ୍ଟ ବାନ୍ଧିବାପାଇଁ ଦାବି କରାଯାଉଥିଲା । ଅବଶେଷରେ ଏହି ଦାବି ଆଗରେ ଚାର୍ଲସ୍‍ଙ୍କୁ ମୁଣ୍ତ ନୁଆଁଇବାକୁ ପଡ଼ିଲା ଏବଂ ସେ ତାଙ୍କର ଭାଇ ଜେମ୍‍ସ୍‍ଙ୍କ ଚତୁର୍ଦ୍ଦଶ ବର୍ଷିଆ କନ୍ୟା ମେରୀଙ୍କୁ ହଲାଣ୍ତର ଉଇଲିୟମ୍‍ଙ୍କ ସହ ବିବାହ ଦେବାପାଇଁ ସମ୍ମତ ହେଲେ । ଉଇଲିୟମ୍ ଅଫ୍ ଅରେଞ୍ଜ ଥିଲେ ଜଣେ ନୈଷ୍ଠିକ ପ୍ରୋଟେଷ୍ଟାଣ୍ଟ୍ ଏବଂ ଫ୍ରାନ୍‌ସର କାଥଲିକ୍‍ ରାଜା ଚତୁର୍ଦ୍ଦଶ ଲୁଇଙ୍କର ପରମ ଶତ୍ରୁ । ଏହି ବିବାହ ୧୬୭୭ ଖ୍ରୀ: ନଭେମ୍ୱର ମାସରେ ସମାହିତ ହେଲା ଏବଂ ଡିସେମ୍ୱର ମାସରେ ଇଂଲଣ୍ତ ଓ ହଲାଣ୍ତ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହେଲା । ରାଜା ୧୬୭୮ ଖ୍ରୀ: ଜାନୁୟାରୀ ମାସରେ ପାର୍ଲିଆମେଣ୍ଟ୍‍ ଆହ୍ୱାନ କରିବାକୁ ବାଧ୍ୟ ହେଲେ ଏବଂ ଏହାଦ୍ୱାରା ସେ ଫ୍ରାନ୍‌ସକୁ ଦେଇଥିବା ପ୍ରତିଶ୍ରୁତି ଖିଲାପ କଲେ । ମାତ୍ର ଏଥର ଚତୁର୍ଦ୍ଦଶ ଲୁଇ ପାର୍ଲିଆମେଣ୍ଟ୍‍ର କେତେକ ସଦସ୍ୟଙ୍କୁ ଉତ୍କୋଚ ଦେଇ ଇଂଲଣ୍ତର ଫରାସୀ ବିଦ୍ରୋହୀ ମନୋଭାବକୁ ଆୟତ୍ତ କରିନେଲେ ।

 

ରାଜତ୍ୱର ଶେଷ ଭାଗରେ ଚାର୍ଲସ୍‍ ପାର୍ଲିଆମେଣ୍ଟ୍‍କୁ ବେଖାତିର କରି ଫ୍ରାନ୍‌ସର ଆର୍ଥିକ ସାହାଯ୍ୟ ବଳରେ ଦେଶରେ ବ୍ୟକ୍ତିଗତ ଶାସନର ପ୍ରତିଷ୍ଠା କଲେ । ପରିସ୍ଥିତି ତାଙ୍କୁ ଏଥିପାଇଁ ଅନେକାଂଶରେ ସାହାଯ୍ୟ କଲା । ଏହାଦ୍ୱାରା ଇଉରୋପରେ ଚତୁର୍ଦ୍ଦଶ ଲୁଇଙ୍କର ମଧ୍ୟ ପ୍ରଭାବ ଓ ପ୍ରତିପତ୍ତି ବଢ଼ିଗଲା । ଏଥିରେ ଭୟଭୀତ ହୋଇ ହଲାଣ୍ତ ଓ ସୁଇଡ଼େନ ତ୍ରିଶକ୍ତି ମେଣ୍ଟକୁ ପୁନରୁଜ୍ଜୀବିତ କରିବାପାଇଁ ଉଦ୍ୟମ କଲେ । ସେଥିପାଇଁ ଅରେଞ୍ଜର ଉଇଲିୟମ୍‍ ଏକ ପ୍ରତିନିଧି ଦଳ ନେଇ ଇଂଲଣ୍ତ ଯାତ୍ରା କଲେ । ମାତ୍ର ଚାର୍ଲସ୍‍ ସେମାନଙ୍କ ସହ ଯୋଗ ଦେବାପାଇଁ ରାଜି ହେଲେ ନାହିଁ । କାଥଲିକ୍ ଧର୍ମ ସମ୍ପ୍ରଦାୟ ପ୍ରତି ଦ୍ୱିତୀୟ ଚାର୍ଲସ୍‍ଙ୍କ ଆନ୍ତରିକ ଅନୁରାଗ ଥିଲା ଏବଂ ସେଥିପାଇଁ କାଥଲିକ୍‍ ରାଜା ଚତୁର୍ଦ୍ଦଶ ଲୁଇଙ୍କ ପ୍ରତି ସେ ଆକୃଷ୍ଟ ହୋଇଥିଲେ । ପରିଶେଷରେ ମୃତ୍ୟୁର ଅବ୍ୟବହିତ ପୂର୍ବରୁ ୧୬୮୫ ଖ୍ରୀ: ଫେବୃୟାରୀ ମାସରେ ସେ ଉକ୍ତ ସଂପ୍ରଦାୟର ସଂସ୍କାର ଗ୍ରହଣ କରି ମାସର ୬ ତାରିଖରେ ପ୍ରାଣତ୍ୟାଗ କଲେ ।

Image

 

Unknown

ଦଶମ ଅଧ୍ୟାୟ

ଦ୍ୱିତୀୟ ଜେମ୍‍ସ୍ ଓ ଗୌରବମୟ ବିପ୍ଳବ

 

ଦ୍ୱିତୀୟ ଚାର୍ଲସ୍‍ଙ୍କ ମୃତ୍ୟୁପରେ ତାଙ୍କ ଭାଇ ଡ୍ୟୁକ୍ ଅଫ୍ ୟର୍କ ଦ୍ୱିତୀୟ ଜେମ୍‍ସ୍ ନାମ ଧାରଣ କରି ୧୬୮୫ ମସିହା ଫେବୃୟାରୀ ମାସରେ ଇଂଲଣ୍ତ ରାଜସିଂହାସନ ଆରୋହଣ କଲେ । ସେତେବେଳକୁ ତାଙ୍କର ବୟସ ଥିଲା ୫୩ ବର୍ଷ । ଜ୍ୟେଷ୍ଠ ଭ୍ରାତାଙ୍କ ରାଜତ୍ୱ କାଳରେ ସେ ବିଭିନ୍ନ ଦାୟିତ୍ୱରେ ରହି ପ୍ରଶାସନିକ ତଥା ସାମରିକ କ୍ଷେତ୍ରରେ ଦକ୍ଷତା ଅର୍ଜନ କରିଥିଲେ । ବିଶେଷତଃ ଇଂଲଣ୍ତର ନୌବାହିନୀକୁ ଉନ୍ନତ କରି ଗଢ଼ିବାରେ ତାଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ ଥିଲା । ସେ ଥିଲେ ବଳିଷ୍ଠ ଓ ନିଷ୍କପଟ । ମାତ୍ର ଦ୍ୱିତୀୟ ଚାର୍ଲସ୍‍ଙ୍କ ତୁଲ୍ୟ ସେ ଚତୁର ନଥିଲେ । ଉଭୟଙ୍କ ମଧ୍ୟରେ ଚାର୍ଲସ୍‍ ଅଧିକ ଦକ୍ଷ ଥିଲେ । ଜଣେ ପର୍ଯ୍ୟବେକ୍ଷକ ମତ ଦେଇଛନ୍ତି ଯେ ‘‘କୌଣସି ଜିନିଷର ପରିଣାମ ଚାର୍ଲସ୍‍ ଇଚ୍ଛା କଲେ ଦେଖିପାରୁଥିଲେ ମାତ୍ର ଜେମ୍‍ସ୍ ଚେଷ୍ଟା କଲେ ଜାଣିପାରୁଥିଲେ ।’’ ଜେମ୍‍ସ୍ ଥିଲେ ଧର୍ମାନ୍ଧ ଓ ଅପରିଣାମଦର୍ଶୀ । ସେ ରୋମାନ୍ କାଥଲିକ୍‍ ସଂପ୍ରଦାୟର ସଂସ୍କାର ଗ୍ରହଣ କରିଥିଲେ ଏବଂ ଉକ୍ତ ସଂପ୍ରଦାୟରେ ବିଶ୍ୱାସ କରୁ ନଥିବା ଲୋକଙ୍କୁ ବିଧର୍ମୀ ବୋଲି ଘୃଣା କରୁଥିଲେ । ନିରଙ୍କୁଶ ରାଜତନ୍ତ୍ରରେ ତାଙ୍କର ଗଭୀର ଆସ୍ଥା ଥିଲା । ତେଣୁ ଯେଉଁମାନେ ତାଙ୍କର ବିରୁଦ୍ଧାଚରଣ କରୁଥିଲେ, ସେମାନେ ବିଦ୍ରୋହୀ ବୋଲି ପରିଗଣିତ ହେଉଥିଲେ । ତାଙ୍କର ଏତାଦୃଶ ଚାରିତ୍ରିକ ଦୋଷ ଯୋଗୁଁ ରାଜତ୍ୱର ଚାରିବର୍ଷରୁ କମ୍ ସମୟ ମଧ୍ୟରେ ଜେମ୍‍ସ୍‌ଙ୍କୁ ସିଂହାସନ ପରିତ୍ୟାଗ କରିବାକୁ ପଡ଼ିଥିଲା ।

 

ବସ୍ତୁତଃ ଜେମ୍‍ସ୍ ସିଂହାସନ ଆରୋହଣ କଲା ସମୟରେ ପରିସ୍ଥିତି ଆଶାତୀତଭାବେ ତାଙ୍କର ଅନୁକୂଳ ଥିଲା । ବଞ୍ଚିତ କରଣ ଆଇନ ଯୋଗୁଁ ସେ ଦୁର୍ଭାଗ୍ୟଜନକ ବ୍ୟବହାର ପାଇଥିଲେ ବୋଲି ଅନେକଙ୍କର ହୃଦୟଙ୍ଗମ ହୋଇଥିଲା ଏବଂ ସେଥିପାଇଁ ସେ ସମସ୍ତ ନରମପନ୍ଥୀ ଲୋକଙ୍କର ସହାନୁଭୂତି ଲାଭ କଲେ । ପାର୍ଲିଆମେଣ୍ଟ୍‍ ତାଙ୍କର ଅନୁଗତ୍ୟ ସ୍ୱୀକାର କରି ତାଙ୍କପାଇଁ ବିପୁଳ ଅର୍ଥ ଅନୁମୋଦନ କଲା । ରୋଚେଷ୍ଟର, ସଣ୍ତରଲାଣ୍ତ, ଗୋଲଡ଼ ଫିନ୍, ହାଲିଫାକ୍‌ସ ପ୍ରଭୃତି ଦକ୍ଷ ମନ୍ତ୍ରୀଗଣ ରାଜତ୍ୱର ଆରମ୍ଭରେ ତାଙ୍କ ପ୍ରତି ଅନୁରକ୍ତ ଥିଲେ । ପୋପୀୟ ଷଡ଼ଯନ୍ତ୍ର ମିଥ୍ୟା ବୋଲି ପ୍ରମାଣିତ ହେଲା ଏବଂ ତାହାର ରଚୟିତାମାନଙ୍କୁ ନିଷ୍ଠୁରଭାବେ ଦଣ୍ତିତ କରାଗଲା । ଓଟସ୍ ତିନିଦିନ ମଧ୍ୟରେ ତିନି ହଜାର ଚାରିଶହ ବେତ୍ରାଘାତ ପାଇଲେ । ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ ଦମନ କରିବାପାଇଁ ରାଜାଙ୍କର ୧୬,୦୦୦ ସୈନ୍ୟ ବିଶିଷ୍ଟ ଏକ ସେନାଦଳ ଥିଲେ । ସ୍କଟ୍‍ଲାଣ୍ତ୍‍ରେ ମଧ୍ୟ ରାଜାଙ୍କର ଏକ ସୈନ୍ୟବାହିନୀ ଅବସ୍ଥାପିତ ହୋଇଥିଲା । କାଥଲିକ୍‍ ଆୟାରଲାଣ୍ତ୍‍ ଜେମ୍‍ସ୍‌ଙ୍କ ସିଂହାସନ ଆରୋହଣକୁ ସ୍ୱାଗତ କଲା ଏବଂ ତାଙ୍କୁ ସବୁ ପ୍ରକାର ସାହାଯ୍ୟ ଓ ସମର୍ଥନ କରିବାପାଇଁ ପ୍ରସ୍ତୁତ ଥିଲା । ସର୍ବୋପରି ଫ୍ରାନ୍‍ସର ରାଜା ଚତୁର୍ଦ୍ଦଶ ଲୁଇ ଦ୍ୱିତୀୟ ଜେମ୍‍ସ୍‍ଙ୍କ ପରମ ମିତ୍ର ଥିଲେ । ଫ୍ରାନ୍‍ସର ସହାୟତାରେ ଜେମ୍‍ସ୍ ଯେକୌଣସି ପରିସ୍ଥିତିର ସମ୍ମୁଖୀନ ହେବାପାଇଁ ଆଶା କଲେ ।

 

ମନମାଉଥ୍‍ଙ୍କ ବିଦ୍ରୋହ

 

ଏହି ସମୟରେ ଦୁଇଟି ବିଦ୍ରୋହ ସଫଳତାର ସହ ଦମନ କରି ଦ୍ୱିତୀୟ ଜେମ୍‍ସ୍ ଆପଣାର ପ୍ରତିଷ୍ଠାକୁ ଦୃଢ଼କଲେ । ତନ୍ମଧ୍ୟରୁ ପ୍ରଥମ ବିଦ୍ରୋହ ଦେଖା ଦେଇଥିଲା ସ୍କଟ୍‍ଲାଣ୍ତ୍‍ରେ । ସେଠାରେ ଅର୍ଲ ଅଫ ଅରଗିଲ ଇଂଲଣ୍ତ ରାଜସିଂହାସନ ପାଇଁ ମନମାଉଥ୍‍ଙ୍କୁ ସମର୍ଥନ ଜଣାଇ ବିଦ୍ରୋହ ଘୋଷଣା କଲେ । ମାତ୍ର ସେ ଜନସାଧାରଣଙ୍କ ସମର୍ଥନ ଲାଭ କରି ପାରିଲେ ନାହିଁ ଏବଂ ଶେଷରେ ଗିରଫ୍‍ ହୋଇ ପ୍ରାଣ ଦଣ୍ତ ପାଇଲେ । ଦ୍ୱିତୀୟ ବିପ୍ଳବ ପ୍ରଥମଟି ଅପେକ୍ଷା ଅଧିକ ବିପଜ୍ଜନକ ଥିଲା ଏବଂ ତା’ର ନେତା ଥିଲେ ମନମାଉଥ୍‍ । ମନମାଉଥ୍‍ ଡୋର ସେଟ ଓ ସମର୍‍ସେଟ୍ ଅଞ୍ଚଳରେ ଜନ ସମର୍ଥନ ଲାଭ କଲେ । ମାତ୍ର ଶେଷରେ ୧୬୮୫ ଖ୍ରୀ: ଜୁଲାଇ ୫ ତାରିଖ ଦିନ ସେଜମୁର (Sedgemoor) ନାମକ ସ୍ଥାନରେ ଏକ ରାତ୍ରୀ ଯୁଦ୍ଧରେ ସେ ଶୋଚନୀୟ ଭାବରେ ପରାସ୍ତ ହୋଇ ବନ୍ଦୀ ହେଲେ ଏବଂ ପରେ ପ୍ରାଣଦଣ୍ତ ପାଇଲେ । ମନମାଉଥ୍‍ଙ୍କ ସମର୍ଥକମାନଙ୍କ ସ୍ୱତନ୍ତ୍ର ବିଚାରପାଇଁ ପ୍ରଧାନ ବିଚାରପତି ଜେଫ୍ରିସ୍ (Jeffreys) ପ୍ରେରିତ ହେଲେ । ଏକ ଭଣ୍ତ ବିଚାର ପରେ ଜେଫ୍ରିସ୍ ତିନିଶହରୁ ଊର୍ଦ୍ଧ୍ୱ ବିଦ୍ରୋହୀଙ୍କୁ ଫାଶୀ ଏବଂ ପ୍ରାୟ ଆଠଶହଙ୍କୁ ଦ୍ୱୀପାନ୍ତର ଦଣ୍ତ (Bloody Assizes) ନାମରେ ଅଭିହିତ ହୋଇଥାଏ । ଦ୍ୱୀପାନ୍ତର ଦଣ୍ତ ପାଇଥିବା ଆଠଶହ ବ୍ୟକ୍ତି ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜର ଉପନିବେଶମାନଙ୍କରେ କ୍ରୀତଦାସରୂପେ ବିକ୍ରି ହୋଇଥିଲେ ।

 

ଜେମ୍‍ସ୍‌ଙ୍କ ଅତ୍ୟାଚାର ଓ ଗୌରବମୟ ବିପ୍ଳବ

 

ରାଜତ୍ୱର ପ୍ରଥମ ନଅ ମାସ ଅର୍ଥାତ୍ ୧୬୮୫ ଖ୍ରୀ:ର ଶେଷ ପର୍ଯ୍ୟନ୍ତ ଜେମ୍‍ସ୍‌ କେତେକାଂଶରେ ନରମପନ୍ଥା ଗ୍ରହଣ କରିଥିଲେ । ମାତ୍ର ଆର୍ଗିଲ ଓ ମନମାଉଥ୍‍ଙ୍କ ବିପ୍ଳବ ଅନାୟାସରେ ଦମନ କରିବା ପରେ ଚରମ ନୀତି ଅବଲମ୍ୱନ କରିବାପାଇଁ ତାଙ୍କର ସାହସ ବଢ଼ିଗଲା । ଫ୍ରାନ୍‍ସରେ ରାଜା ଚତୁର୍ଦ୍ଦଶ ଲୁଇଙ୍କ ଭଳି ଇଂଲଣ୍ତରେ ଦ୍ୱିତୀୟ ଜେମ୍‍ସ୍‌ଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା ବ୍ୟକ୍ତିଗତ ଶାସନ ଓ କାଥଲିକ୍‍ ସଂପ୍ରଦାୟର ପ୍ରତିଷ୍ଠା । ଏହି ଉଦ୍ଦେଶ୍ୟ ଦ୍ୱୟର ସାଧନପାଇଁ ସେ ପ୍ରଜାଙ୍କ ଉପରେ ଅକଥନୀୟ ଅତ୍ୟାଚାର ଓ ଉତ୍ପୀଡ଼ନ ଚଳାଇଲେ ।

 

ରାଜକୀୟ ସେନାବାହିନୀ ବ୍ୟକ୍ତିଗତ ଶାସନର ଏକ ଶ୍ରେଷ୍ଠ ଆୟୁଧ ବୋଲି ଦ୍ୱିତୀୟ ଜେମ୍‍ସ୍ ଉପଲବ୍ଧି କରିଥିଲେ । ତେଣୁ ସେନାବାହିନୀକୁ ଶକ୍ତିଶାଳୀ କରି ଗଢ଼ିବା ତାଙ୍କର ପ୍ରଧାନ ଲକ୍ଷ୍ୟ ଥିଲା । ସେ ଆୟାରଲାଣ୍ତ୍‍ର ବହୁସଂଖ୍ୟକ କାଥଲିକ୍‍ ସୈନ୍ୟଙ୍କୁ ନିଯୁକ୍ତି ଦେଇ ସେନାବାହିନୀର ସଂଖ୍ୟାକୁ ତିରିଶ ହଜାରକୁ ବଢ଼ାଇ ଦେଲେ । ଇଂଲଣ୍ତର ଜନସାଧାରଣ ରାଜାଙ୍କ ସ୍ଥାୟୀ ସେନାବାହିନୀର ବିରୋଧୀ ଥିଲେ । ମାତ୍ର ଜେମ୍‍ସ୍ ଆପଣାର ସ୍ୱାର୍ଥସିଦ୍ଧିପାଇଁ ଲୋକଙ୍କର ମତାମତକୁ ଭ୍ରୂକ୍ଷେପ କରୁ ନଥିଲେ । ସେ ଭୁଲିଗଲେ ଯେ ଏହି ସେନାବାହିନୀ ଦିନେ କ୍ରମ୍‍ୱେଲ୍‍ଙ୍କ ସାଧାରଣତନ୍ତ୍ର ସରକାରଙ୍କୁ ଧ୍ୱଂସ ସାଧନପାଇଁ ମୁଖ୍ୟ ଅଂଶଗ୍ରହଣ କରିଥିଲେ ।

 

ଦ୍ୱିତୀୟତଃ ଜେମ୍‍ସ୍ ପାର୍ଲିଆମେଣ୍ଟ୍‍ ପ୍ରତି ବେଖାତିର ମନୋଭାବ ପୋଷଣ କଲେ । ପାର୍ଲିଆମେଣ୍ଟ୍‍ ମଧ୍ୟ ତାଙ୍କର ଧର୍ମନୀତି ତଥା ବ୍ୟକ୍ତିଗତ ଶାସନର ନିନ୍ଦା କଲା । ବିଶେଷତଃ ଲଣ୍ତନର ଧର୍ମଯାଜକ ହେନେରୀ କମ୍ପଟନ୍ ରାଜାଙ୍କର କଟୁ ସମାଲୋଚନା କଲେ । ଫଳରେ ୧୬୮୫ ଖ୍ରୀ: ନଭେମ୍ୱର ୨୦ ତାରିଖ ଦିନ ଜେମ୍‍ସ୍ ପାର୍ଲିଆମେଣ୍ଟ୍‍କୁ ସ୍ଥଗିତ ରଖିଲେ । ଏହାଥିଲା ତାଙ୍କ ରାଜତ୍ୱର ଶେଷ ପାର୍ଲିଆମେଣ୍ଟ୍‍ । ଏହାପରେ ସେ ନିଜର ଇଚ୍ଛା ଅନୁଯାୟୀ ଶାସନ କାର୍ଯ୍ୟ ପରିଚାଳନା କଲେ ।

 

ତୃତୀୟତଃ ଜେମ୍‍ସ୍ ପରୀକ୍ଷା ଆଇନକୁ ସ୍ଥଗିତ ରଖିବାପାଇଁ ଉଦ୍ୟମ କଲେ । ଏହି ଆଇନଫଳରେ ରୋମାନ୍ କାଥଲିକ୍‍ମାନେ ସରକାରୀ କାର୍ଯ୍ୟ ବା ପଦବୀ ଲାଭ କରିବାପାଇଁ ଅଯୋଗ୍ୟ ବୋଲି ବିବେଚିତ ହେଉଥିଲେ । ଜେମ୍‍ସ୍ ତାଙ୍କର ‘ଅବ୍ୟାହିତ ଦେବାକ୍ଷମତା’ ବିଧିବଦ୍ଧଭାବେ ପ୍ରୟୋଗ କରି ବହୁସଂଖ୍ୟକ ରୋମାନ୍ କାଥଲିକ୍‍ଙ୍କୁ ଉଚ୍ଚ ରାଜକାର୍ଯ୍ୟରେ ନିଯୁକ୍ତ କଲେ । ଏହି ବିଶେଷ କ୍ଷମତା ବଳରେ ସେ କାଥଲିକ୍‍ମାନଙ୍କ ବିରୁଦ୍ଧରେ ଗୃହୀତ ନିୟମକୁ କେତେକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କପାଇଁ ପରିହାର କରି ପାରିଲେ । ହାଲିଫକ୍‌ସଙ୍କ ଭଳି ନରମପନ୍ଥୀ ତଥା ରୋଚେଷ୍ଟରଙ୍କ ଭଳି ଧର୍ମଯାଜକଙ୍କୁ କାର୍ଯ୍ୟରୁ ଅନ୍ତର କରି ସେମାନଙ୍କ ସ୍ଥାନରେ ସେ କାଥଲିକ୍‍ମାନଙ୍କୁ ନିଯୁକ୍ତ କଲେ । ରାଣୀ ଆନି ହାଇଡ଼ଙ୍କ ଭ୍ରାତା କ୍ଳାରେଣ୍ତନ ପ୍ରୋଟେଷ୍ଟାଣ୍ଟ୍ ମତବାଦୀ ଥିବାରୁ ତାଙ୍କୁ ଆୟାରଲାଣ୍ତ୍‍ରୁ ବିତାଡ଼ିତ କରି ଜଣେ ଧର୍ମାନ୍ଧ ରୋମାନ୍ କାଥଲିକ୍‍ ଟିର କୋନେଲଙ୍କୁ ସେ ଦେଶର ଲର୍ଡ଼ ଲେଫ୍‌ଟନାଣ୍ଟରୂପେ ନିଯୁକ୍ତ କରାଗଲା । ରାଜ୍ୟର ସମସ୍ତ ବିଭାଗ, ପ୍ରିଭି କାଉନ୍‌ସିଲ୍ ତଥା ପୌର ପ୍ରତିଷ୍ଠାନମାନଙ୍କରେ ରୋମାନ୍ କାଥଲିକ୍‍ମାନେ ନିଯୁକ୍ତ ହେଲେ । ପ୍ରୋଟେଷ୍ଟାଣ୍ଟ୍ ସଂପ୍ରଦାୟର ମୂଳୋତ୍ପାଟନ ପାଇଁ ଦ୍ୱିତୀୟ ଜେମ୍‍ସ୍ ବଦ୍ଧପରିକର ଥିଲେ ।

 

ଚତୁର୍ଥତଃ ଜେମ୍‍ସ୍ ବିଶ୍ୱବିଦ୍ୟାଳୟମାନଙ୍କରେ କାଥଲିକ୍‍ ସଂପ୍ରଦାୟର ପ୍ରତିଷ୍ଠାପାଇଁ ଉଦ୍ୟମ କଲେ । ଯୁବକ ଛାତ୍ରମାନେ କାଥଲିକ୍‍ ମତବାଦରେ ଦୀକ୍ଷିତ ହୋଇ ପରେ ଉକ୍ତ ଧର୍ମକୁ ଦେଶରେ ସଂପ୍ରସାରଣ କରି ପାରିବେ ବୋଲି ତାଙ୍କର ବିଶ୍ୱାସ ଥିଲା । ପ୍ରଥମେ ସେ ଇଂଲଣ୍ତର ମୁଖ୍ୟ ବିଶ୍ୱବିଦ୍ୟାଳୟ କେମ୍ୱ୍ରିଜ ଓ ଅକ୍‌ସଫୋର୍ଡ଼କୁ ଲକ୍ଷ୍ୟ ରଖିଲେ । ଏହି ସମୟରେ କେମ୍ୱ୍ରିଜର ଉପକୁଳପତି ଥିଲେ ସାର୍ ଆଇଜାକ୍ ନିଉଟନ । ସେ ଜେମ୍‌ସ୍‍ଙ୍କ ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ କରି କାର୍ଯ୍ୟରୁ ଅବ୍ୟାହତି ନେଲେ । ଅକ୍‌ସଫୋର୍ଡ଼ର ମାଗ୍‌ଦାଲେନ ମହାବିଦ୍ୟାଳୟର ପ୍ରୋଟେଷ୍ଟାଣ୍ଟ୍ ସଭ୍ୟମାନଙ୍କୁ ବହିଷ୍କାର କରି କେବଳ କାଥଲିକ୍‍ମାନଙ୍କୁ ଫେଲୋରୂପେ ମନୋନୀତ କରାଗଲା ଏବଂ ସେମାନଙ୍କର ସଭାପତି ହେଲେ ପାର୍କର ନାମକ ଜଣେ କାଥଲିକ୍‍ ଧର୍ମଯାଜକ । ଏହା ଛଡ଼ା ଜଣେ ରୋମାନ୍ କାଥଲିକ୍‍ ଇଂଲଣ୍ତର ଖ୍ରୀଷ୍ଟ ଚର୍ଚ୍ଚର ଡିନ ନିଯୁକ୍ତ ହେଲେ । ଫଳରେ ଯେଉଁ ବିଶ୍ୱବିଦ୍ୟାଳୟ ଏତେ ଦିନଯାଏ ଷ୍ଟୁଆର୍ଟ ରାଜବଂଶ ପ୍ରତି ଅନୁରକ୍ତ ହୋଇ ରହିଥିଲା, ତାହା ବର୍ତ୍ତମାନ ଦ୍ୱିତୀୟ ଜେମ୍‍ସ୍‌ଙ୍କ ବିରୁଦ୍ଧରେ ବିଦ୍ରୋହର କେନ୍ଦ୍ର ହୋଇଉଠିଲା । ଜେମ୍‍ସ୍ ଇଂଲଣ୍ତର ବୁଦ୍ଧିଜୀବୀ ଶ୍ରେଣୀର ସମର୍ଥନ ହରାଇ ବସିଲେ ।

 

ଧର୍ମ ସମ୍ୱନ୍ଧୀୟ ବ୍ୟାପାରମାନଙ୍କ ବିଚାରପାଇଁ ଜେମ୍‍ସ୍ ୧୬୮୬ ଖ୍ରୀ:ରେ ଏକ ସ୍ୱତନ୍ତ୍ର ହାଇ କମିଶନ ବିଚାରାଳୟ ପ୍ରତିଷ୍ଠା କଲେ । ଏହା ୧୬୪୧ ଖ୍ରୀ:ରେ ଲଙ୍ଗ୍ ପାର୍ଲିଆମେଣ୍ଟ୍‍ଦ୍ୱାରା ଭାଙ୍ଗି ଦିଆଯାଇଥିବା ବିଚାରାଳୟର ଅନୁରୂପ ଥିଲା । ରକ୍ତାକ୍ତ ଅଦାଲତରେ ଅପଯଶ ଅର୍ଜନ କରିଥିବା ବିଚାରପତି ଜେଫ୍ରିସ୍ ଏହାର ମୁଖ୍ୟଥିଲେ । ଏଙ୍ଗ୍ଳିକାନ ମତବାଦୀମାନଙ୍କୁ କାବୁକରି କାଥଲିକ୍‍ ମତବାଦ ପ୍ରତିଷ୍ଠା କରିବା ଏହାର ଏକମାତ୍ର ଲକ୍ଷ୍ୟଥିଲା । ଜେମ୍‍ସ୍‌ଙ୍କ ବ୍ୟକ୍ତିଗତ ଶାସନର ଚରମ ପରାକାଷ୍ଠା ଏହି ବିଚାରାଳୟ ଲୋକଙ୍କ ମନରେ ଉତ୍ତେଜନା ସୃଷ୍ଟି କଲା ।

 

କାଥଲିକ୍‍ ମତବାଦର ପ୍ରତିଷ୍ଠା ସଙ୍ଗେ ସଙ୍ଗେ ପ୍ରୋଟେଷ୍ଟାଣ୍ଟ୍ ସମ୍ପ୍ରଦାୟର ଡିସେଣ୍ଟରମାନଙ୍କ ସମର୍ଥନ ଲାଭ କରିବାପାଇଁ ଜେମ୍‍ସ୍ ଉଦ୍ୟମ କଲେ । ଏଥିପାଇଁ ୧୬୮୭ ଖ୍ରୀ: ଏପ୍ରିଲ ୧ ତାରିଖ ଦିନ କାଥଲିକ୍‍ ଓ ଡିସେଣ୍ଟରମାନଙ୍କ ପ୍ରତି ତାଙ୍କର ‘ପ୍ରଶ୍ରୟ ପ୍ରଦାନ ଘୋଷଣା’ ପ୍ରକାଶ ପାଇଲା । ଏଥିରେ ସେ ପ୍ରତ୍ୟେକ ସଂପ୍ରଦାୟକୁ ଉପାସନା ସ୍ୱାଧୀନତା ପ୍ରଦାନ କଲେ । କୌଣସି ସରକାରୀ ଚାକିରିପାଇଁ ଧର୍ମ ଅନ୍ତରାୟ ହୋଇ ପାରିବ ନାହିଁ ବୋଲି କୁହାଗଲା । ମାତ୍ର ଜେମ୍‍ସ୍‌ଙ୍କ ଏହି ଘୋଷଣାର କୌଣସି ସୁଫଳ ଦେଖାଗଲା ନାହିଁ । ଏହାଦ୍ୱାରା କାଥଲିକ୍‍ମାନେ ବିମର୍ଷ ହେଲେ । ପ୍ରୋଟେଷ୍ଟାଣ୍ଟ୍‍ମାନେ ଏହା ରାଜାଙ୍କର ଏକ ପ୍ରତାରଣା ବୋଲି ମନେ କଲେ । ଲୋକଙ୍କ ମନରେ ଏ ବିଷୟରେ ବିଶ୍ୱାସ ଉଦ୍ରେକ କରିବାପାଇଁ ଜେମ୍‍ସ୍ ଠିକ୍ ଏକବର୍ଷ ପରେ ୧୬୮୮ ଖ୍ରୀ: ଏପ୍ରିଲ ଦୁଇ ତାରିଖ ଦିନ ପ୍ରଶ୍ରୟ ପ୍ରଦାନ ନୀତିର ଦ୍ୱିତୀୟ ଘୋଷଣା ପ୍ରକାଶ କଲେ ଏବଂ ତାହା ଦୁଇଟି କ୍ରମାଗତ ରବିବାର ଦିନ ଦେଶର ସମସ୍ତ ଗିର୍ଜାରେ ପାଠ କରିବାପାଇଁ ଆଦେଶ ଦେଲେ । ଚାର୍ଲସ୍‍ଙ୍କ ଏହି ନିର୍ଦ୍ଦେଶ ବହୁ ସ୍ଥାନରେ ଉପେକ୍ଷିତ ହେଲା ଏବଂ କେତେକ ସ୍ଥାନରେ ତାହା ପାଠ କରାଯାଉଥିବା ସମୟରେ ଧର୍ମଯାଜକମାନେ ଗିର୍ଜା ଛାଡ଼ି ଚାଲି ଯାଇଥିଲେ । ଜେମ୍‍ସ୍ ତାଙ୍କ କାର୍ଯ୍ୟ ଯୋଗୁଁ ଦିନୁଦିନ ଅପ୍ରିୟ ହୋଇ ପଡ଼ିଥିଲେ ।

 

ଧର୍ମ କ୍ଷେତ୍ରରେ ରାଜାଙ୍କର ଅନ୍ୟାୟ ହସ୍ତକ୍ଷେପ ଏବଂ ବିଶେଷତଃ ଗିର୍ଜାମାନଙ୍କରେ ପ୍ରଶ୍ରୟ ପ୍ରଦାନ ନୀତି ପାଠ କରିବା ନିର୍ଦ୍ଦେଶର ବିରୁଦ୍ଧରେ ସାତଜଣ ଧର୍ମଯାଜକ ଏକ ଲିଖିତ ପ୍ରତିବାଦ ପତ୍ର ପ୍ରଦାନ କଲେ । ଏମାନଙ୍କ ମଧ୍ୟରେ ମୁଖ୍ୟ ଥିଲେ କାଣ୍ଟରବରୀର ପ୍ରଧାନ ଧର୍ମଯାଜକ ସାନକ୍ରଫ୍‌ଟ । ଉକ୍ତ ପ୍ରତିବାଦ ପତ୍ର ପାଇ ଜେମ୍‍ସ୍ କ୍ରୋଧାନ୍ଧ ହୋଇ ଉଠିଲେ ଏବଂ ସେମାନଙ୍କୁ ରାଜଦ୍ରୋହ ଅପରାଧରେ ଅଭିଯୁକ୍ତ କରି ବନ୍ଦୀ କଲେ । ମାତ୍ର ପରେ ଯେତେବେଳେ ସେମାନଙ୍କର ବିଚାର ହେଲା ବିଚାରପତିମାନେ ସେମାନଙ୍କୁ ନିର୍ଦ୍ଦୋଷ ବୋଲି ରାୟ ଦେଲେ । ଧର୍ମଯାଜକମାନଙ୍କର ମୁକ୍ତିରେ ଦେଶସାରା ଆନନ୍ଦର ଢେଉ ଖେଳିଗଲା ଏବଂ ଲୋକେ ଆମୋଦ ଉତ୍ସବରେ ସେମାନଙ୍କର ମନୋଭାବ ବ୍ୟକ୍ତ କଲେ ।

 

ଜେମ୍‍ସ୍‌ଙ୍କ ଅତ୍ୟାଚାର ଓ ଅନାଚାର ଅସ୍ଥାୟୀ ବୋଲି ମନେ କରି ଲୋକେ ସେ ସବୁକୁ ଧୈର୍ଯ୍ୟର ସହ ସହ୍ୟ କରି ନେଉଥିଲେ । ଜେମ୍‍ସ୍ ଥିଲେ ଅପୁତ୍ରିକ । ତାଙ୍କର ପ୍ରଥମ ସ୍ତ୍ରୀ ଆନି ହାଇଡ଼ଙ୍କର କେବଳ କନ୍ୟା ଜାତ ହୋଇଥିଲା । ପୁତ୍ର ଆଶାରେ ସେ ୧୬୭୩ ଖ୍ରୀ:ରେ ମୋଡ଼େନାର ରାଜକୁମାରୀ ମେରୀଙ୍କୁ ଦ୍ୱିତୀୟ ପତ୍ନୀରୂପେ ଗ୍ରହଣ କଲେ । ତେବେ ବିବାହର ୧୫ ବର୍ଷ ବିତି ଯାଇଥିଲେ ମଧ୍ୟ ମେରୀଙ୍କର କୌଣସି ସନ୍ତାନ ଜାତ ହୋଇ ନଥିଲା । ମେରୀଙ୍କର ସ୍ୱାସ୍ଥ୍ୟ ଦିନୁଦିନ ଭାଙ୍ଗି ପଡ଼ୁଥିଲା ଏବଂ ଜେମ୍‍ସ୍ ବୃଦ୍ଧ ହୋଇ ପଡ଼ୁଥିଲେ । ତେଣୁ ରାଜାଙ୍କର ପୁତ୍ର ଲାଭ ଆଶା କ୍ଷୀଣ ହୋଇ ଯାଉଥିଲା । ଜେମ୍‍ସ୍‌ଙ୍କ ପରେ ତାଙ୍କ କନ୍ୟା ଅରେଞ୍ଜର ଉଇଲିୟମ୍‍ଙ୍କ ପତ୍ନୀ ମେରୀ ଇଂଲଣ୍ତ ରାଜସିଂହାସନ ଅଳଙ୍କୃତ କରିବେ ବୋଲି ବିଶ୍ୱାସ କରୁଥିଲେ । ମେରୀ ଥିଲେ ଜଣେ ନୈଷ୍ଠିକ ପ୍ରୋଟେଷ୍ଟାଣ୍ଟ୍ । ତେଣୁ ତାଙ୍କ ରାଜତ୍ୱ କାଳରେ ଜେମ୍‍ସ୍‌ଙ୍କ ଅନାଚାରର ଅବସାନ ହେବ ବୋଲି ଆଶା କରାଗଲା । ମାତ୍ର ଲୋକଙ୍କର ସବୁ ଆଶାକୁ ଧୂଳିସାତ୍ କରି ୧୬୮୮ ଖ୍ରୀ:ରେ ଜୁନ୍ ତା ୧୦ ରିଖ ଦିନ ମୋଡ଼େନା ରାଜକୁମାରୀ ମେରୀଙ୍କର ଗର୍ଭରୁ ଜେମ୍‍ସ୍‌ଙ୍କର ଏକ ପୁତ୍ର ଜାତହେଲା । କାଥଲିକ୍‍ମାନେ ଏହି ଘଟଣାକୁ ସ୍ୱାଗତ କଲେ । ପ୍ରୋଟେଷ୍ଟାଣ୍ଟ୍‍ମାନେ ଏହି ସମ୍ୱାଦ ପାଇ ସ୍ତମ୍ଭୀଭୂତ ହୋଇଗଲେ । ଉକ୍ତ ନବଜାତ ପୁତ୍ର କାଥଲିକ୍‍ ମତବାଦରେ ଦୀକ୍ଷିତ ହୋଇ ଜେମ୍‍ସ୍‌ଙ୍କ ଭଳି ଅତ୍ୟାଚାରୀ ହେବ ବୋଲି ସେମାନଙ୍କର ଧାରଣା ହେଲା । ଉକ୍ତ ଶିଶୁ ଜେମ୍‍ସ୍‌ଙ୍କ ପୁତ୍ର ନୁହେଁ ଏବଂ ଉତ୍ତରାଧିକାରୀ କରିବାପାଇଁ ତାକୁ ପ୍ରସାଦକୁ ଅଣାଯାଇଅଛି ବୋଲି ସେମାନେ ଦାବି କଲେ । ମାତ୍ର ସେମାନଙ୍କ ଅଭିଯୋଗ ଗ୍ରହଣଯୋଗ୍ୟ ନଥିଲା । ଫଳରେ ବିପ୍ଳବ ବ୍ୟତୀତ ଲୋକଙ୍କର ଆଉ ଅନ୍ୟ ଉପାୟ ନଥିଲା । ଏହି ବିପ୍ଳବର ସୂତ୍ରପାତ କଲେ ଦଳଗତ ନିର୍ବିଶେଷରେ ସାତଜଣ ନେତୃସ୍ଥାନୀୟ ବ୍ୟକ୍ତି । ଏମାନେ ହେଲେ ଲର୍ଡ଼ ସର୍ବରୀ, ଲର୍ଡ଼ ଡେଭୋନ ସାୟାର, ଲର୍ଡ଼ ଡାନବୀ, ଲର୍ଡ଼ ଲମଲୀ, ଧର୍ମଯାଜକ କମ୍ପଟନ୍, ଏଡ୍‍ୱାର୍ଡ୍‍ ରସେଲ ଏବଂ ହେନେରୀ ସିଡ଼ନୀ । ଜୁନ୍‍ ୩୦ ତାରିଖ ଦିନ ଯେତେବେଳେ ଇଂଲଣ୍ତର ଜନତା ଧର୍ମଯାଜକମାନଙ୍କ ମୁକ୍ତିରେ ଆନନ୍ଦରେ ବିହ୍ୱଳ ହୋଇ ପଡ଼ିଥିଲା; ଏହି ସାତଜଣ ନେତା ଗୋପନରେ ମିଳିତ ହୋଇ ଦେଶକୁ ସଙ୍କଟରୁ ଉଦ୍ଧାର କରିବାପାଇଁ ଉପାୟ ଚିନ୍ତା କରୁଥିଲେ । ସେମାନେ ଦ୍ୱିତୀୟ ଜେମ୍‍ସ୍‌ଙ୍କ ଜାମାତା ଅରେଞ୍ଜର ପ୍ରୋଟେଷ୍ଟାଣ୍ଟ୍‍ ରାଜା ତୃତୀୟ ଉଇଲିୟମ୍‍ଙ୍କୁ ଆପଣାର ସେନାବାହିନୀ ସହ ଇଂଲଣ୍ତ ଆସି ବିପଦରେ ସହାୟକ ହେବାପାଇଁ ପତ୍ରଦ୍ୱାରା ନିମନ୍ତ୍ରଣ କଲେ-। ଏଦି ପତ୍ର ନୌସେନାପତି ହାରବାର୍ଟ ଜଣେ ସାଧାରଣ ନାବିକର ଛଦ୍ମବେଶରେ ଉଇଲିୟମ୍‍ଙ୍କର ନିକଟରେ ପହଞ୍ଚାଇ ଦେଲେ । ଉକ୍ତ ନିମନ୍ତ୍ରଣ ଉଇଲିୟମ୍‍ଙ୍କ ପାଇଁ ଏକ ସୌଭାଗ୍ୟଜନକ ବିଷୟ ହୋଇଥିଲା । ଏହି ସମୟରେ ଇଂଲଣ୍ତର ରାଜନୀତିକୁ ନିୟନ୍ତ୍ରଣ କରିବା ଏକ ଗର୍ବ ଓ ଗୌରବର ବିଷୟ ବୋଲି ଇଉରୋପୀୟ ଶକ୍ତିମାନେ ମନେ କରୁଥିଲେ । ଏହାଦ୍ୱାରା ଉଇଲିୟମ୍‍ ଏହି ଗୌରବର ଅଧିକାରୀ ହେବାର ସୁଯୋଗ ପାଇଲେ । ଏ ଦିଗରେ ଫ୍ରାନ୍‌ସ ତାଙ୍କର ଏକ ପ୍ରଧାନ ଅନ୍ତରାୟ ଥିଲା । ମାତ୍ର ଚତୁର୍ଦ୍ଦଶ ଲୁଇ ଏହି ସମୟରେ ପ୍ରାୟ ୨୦୦ ମାଇଲ ଦୂରରେ ଅନ୍ୟ ଏକ ଯୁଦ୍ଧରେ ବ୍ୟାପୃତଥିଲେ । ଏହା ଛଡ଼ା, ଲୁଇଙ୍କର ବିଶ୍ୱାସ ଥିଲା ଯେ ଉଇଲିୟମ୍‍ ଇଂଲଣ୍ତରେ ଜନ ସମର୍ଥନ ଲାଭକରି ପାରିବେ ନାହିଁ ଏବଂ ସହଜରେ ନହେଲେ ମଧ୍ୟ ପରିଶେଷରେ ସେ ଜେମ୍‍ସ୍‌ଙ୍କଦ୍ୱାରା ପରାସ୍ତ ହେବେ । ସେ ଯାହାହେଉ, ଉଇଲିୟମ୍‍ ଆଉ କାଳ ବିଳମ୍ୱ ନ କରି ଇଂଲଣ୍ତ ଉଦ୍ଦେଶ୍ୟରେ ସସୈନ୍ୟ ଯାତ୍ରାକଲେ ।

 

୧୬୭୮ ଖ୍ରୀ: ନଭେମ୍ୱର ୫ ତାରିଖ ଦିନ ଉଇଲିୟମ୍‍ ଡେଭୋନସାୟାରର ଟୋରବେଠାରେ ଅବତରଣ କଲେ । ଏହାପରେ ଧୀର ଗତିରେ ତାଙ୍କର ବିଜୟ ଯାତ୍ରା ଆରମ୍ଭ ହେଲା । ପଥ ମଧ୍ୟରେ ଜନସାଧାରଣ ବିପୁଳ ସଂଖ୍ୟାରେ ତାଙ୍କୁ ମୁକ୍ତିଦାତାରୂପେ ସ୍ୱାଗତ ଜଣାଇଲେ । ରାଜାଙ୍କ ସୈନ୍ୟ ଦଳ ଉଇଲିୟମ୍‍ଙ୍କ ବିରୁଦ୍ଧରେ ଅସ୍ତ୍ରୋତ୍ତୋଳନ କରିବାକୁ ରାଜି ହେଲେ ନାହିଁ । ସେନାବାହିନୀର ମୁଖ୍ୟ ଜନ ଚର୍ଚ୍ଚିଲ ରାଜାଙ୍କୁ ପରିତ୍ୟାଗ କରି ଉଇଲିୟମ୍‍ଙ୍କ ସହ ହାତ ମିଳାଇଲେ । ରାଜାଙ୍କର ଦ୍ୱିତୀୟା କନ୍ୟା ମିଳାମିଶା ପାଇଁ ଉଦ୍ୟମ କଲେ । କିନ୍ତୁ ସେଥିପାଇଁ ଆଉ ସମୟ ନଥିଲା । ପଳାୟନ ପାଇଁ ବିଫଳ ଚେଷ୍ଟା କରି ସେ ଅପମାନିତ ଭାବରେ ଲଣ୍ତନକୁ ଆନୀତ ହେଲେ । ପରିଶେଷରେ ଉଇଲିୟମ୍‍ ଲଣ୍ତନରେ ପ୍ରବେଶ କରି ଜେମ୍‍ସ୍‌ଙ୍କୁ ରୋଚେଷ୍ଟର ପଠାଇଦେଲେ । ସେଠାରେ ତାଙ୍କପାଇଁ ସାମାନ୍ୟ କେତେଜଣ ପ୍ରହରୀ ନିଯୁକ୍ତ କରାଯାଇଥିଲା । ୧୬୮୮ ଖ୍ରୀ: ଖ୍ରୀଷ୍ଟମାସ ଦିନ ପ୍ରଭାତର ୩ଟା ସମୟରେ ଜେମ୍‍ସ୍ ପଳାୟନ କରି ଫ୍ରାନ୍‌ସରେ ପହଞ୍ଚିଲେ । ଏହାହିଁ ଉଇଲିୟମ୍‍ଙ୍କ ଅଭିପ୍ରାୟ ଥିଲା । ଏହାଫଳରେ ଜେମ୍‍ସ୍‌ଙ୍କ ରାଜତ୍ୱର ଅବସାନ ହେଲା ଏବଂ ଏହା ସହିତ ରାଜା ଓ ପାର୍ଲିଆମେଣ୍ଟ୍‍ ମଧ୍ୟରେ ଚାଲିଥିବା ଦୀର୍ଘକାଳ ସଂଘର୍ଷର ପରିସମାପ୍ତି ହେଲା । ଏହାପରେ ପରିସ୍ଥିତିର ସମାଧାନ ପାଇଁ ଏକ କନ୍‌ଭେନସନ୍ ପାର୍ଲିଆମେଣ୍ଟ୍‍ ଆହୂତ ହେଲା । ଉକ୍ତ ପାର୍ଲିଆମେଣ୍ଟ୍‍ ବହୁ ଆଲୋଚନା ପରେ ଇଂଲଣ୍ତ ରାଜସିଂହାସନ ରାଣୀ ମେରୀଙ୍କୁ ପ୍ରଦାନ କରିବାପାଇଁ ସ୍ଥିର କଲା । ମାତ୍ର ମେରୀ ନିଜର ପିତାଙ୍କ ଊର୍ଦ୍ଧ୍ୱରେ କୌଣସି ପଦବୀ ବା କ୍ଷମତା ଗ୍ରହଣ କରିବାକୁ ରାଜି ହେଲେ ନାହିଁ । ତେଣୁ ପରିଶେଷରେ ପାର୍ଲିଆମେଣ୍ଟ୍‍ ଉଇଲିୟମ୍‍ ଓ ମେରୀ ଉଭୟଙ୍କୁ ମିଳିତଭାବେ ସିଂହାସନ ଅଳଙ୍କୃତ କରିବାପାଇଁ ଅନୁରୋଧ କଲେ-। କିନ୍ତୁ ଶାସନ ଦାୟିତ୍ୱ କେବଳ ଉଇଲିୟମ୍‍ଙ୍କ ହାତରେ ରହିଲା । ୧୬୮୯ ଖ୍ରୀ: ଫେବୃୟାରୀ ୧୩ ତାରିଖ ଦିନ ଉଇଲିୟମ୍‍ ଓ ମେରୀଙ୍କ ଅଭିଷେକ ଉତ୍ସବ ପାଳିତ ହେଲା ଏବଂ ବିପ୍ଳବର ଅବସାନ ଘଟିଲା ।

 

୧୬୮୮ ଖ୍ରୀ:ର ବିପ୍ଳବ ଇଂଲଣ୍ତର ମାତ୍ର ସାତଲକ୍ଷ ନେତୃସ୍ଥାୟୀୟ ବ୍ୟକ୍ତିଙ୍କଦ୍ୱାରା ସୂତ୍ରପାତ ହୋଇଥିଲା ଏବଂ ତାହା ଏକ ବୈଦେଶିକ ଶକ୍ତିର ହସ୍ତକ୍ଷେପଫଳରେ ସଫଳ ହୋଇଥିଲା-। ତଥାପି ଇଂଲଣ୍ତର ଜନସାଧାରଣ ଦଳଗତ ତଥା ମତଗତ ନିର୍ବିଶେଷରେ ଏହାକୁ ସ୍ୱାଗତ କରିଥିଲେ ଏବଂ ସର୍ବୋପରି ଏହାବିନା ଯୁଦ୍ଧ ଓ ବିନା ରକ୍ତପାତରେ ସମାହିତ ହୋଇଥିଲା-। ଏହା ବ୍ୟତୀତ ଏହି ଘଟଣା ଇଂଲଣ୍ତର ଶାସନ ପ୍ରଣାଳୀରେ ସୁଦୂରପ୍ରସାରୀ ପରିବର୍ତ୍ତନ ସୃଷ୍ଟି କରିଥିଲା-। ତେଣୁ ଏହି ବିପ୍ଳବକୁ ଇଂଲଣ୍ତ ଇତିହାସରେ ‘ଗୌରବମୟ ବିପ୍ଳବ’ ବୋଲି କୁହାଯାଏ-

 

ଫଳାଫଳ:–(୧) ଗୌରବମୟ ବିପ୍ଳବଫଳରେ ଦୀର୍ଘକାଳ ଯାଏଁ ରାଜା ଓ ପାର୍ଲିଆମେଣ୍ଟ୍‍ ମଧ୍ୟରେ ଚାଲିଥିବା ସଂଘର୍ଷର ଅବସାନ ହେଲା । ସପ୍ତଦଶ ଶତାବ୍ଦୀ ପ୍ରାରମ୍ଭରେ ଷ୍ଟୁଆର୍ଟ ରାଜବଂଶର ଅଭ୍ୟୁଦୟ ସହ ଏହି ସଂଘର୍ଷ ଆରମ୍ଭ ହୋଇଥିଲା । ଏକ ପକ୍ଷରେ ଷ୍ଟୁଆର୍ଟ ରାଜାମାନେ ବ୍ୟକ୍ତିଗତ ଶାସନର ପ୍ରତିଷ୍ଠାପାଇଁ ଉଦ୍ୟମ କରୁଥିଲେ ଏବଂ ଅନ୍ୟ ପକ୍ଷରେ ପାର୍ଲିଆମେଣ୍ଟ୍‍ ଗଣତନ୍ତ୍ର ଶାସନ ସକାଶେ ଦାବି କରୁଥିଲା । ରାଜା ଓ ପାର୍ଲିଆମେଣ୍ଟ୍‍ ମଧ୍ୟରେ ଏହି ସଂଘର୍ଷ ଯୋଗୁଁ ଗୃହଯୁଦ୍ଧ ସଂଘଟିତ ହୋଇ ବହୁ ରକ୍ତପାତ ହୋଇଥିଲା, ରାଜା ପ୍ରଥମ ଚାର୍ଲସ୍‍ ପ୍ରାଣଦଣ୍ତ ପାଇଲେ ଓ ବହୁସଂଖ୍ୟକ ବ୍ୟକ୍ତି ନିର୍ବାସିତ ହେଲେ । ରାଜା ଦ୍ୱିତୀୟ ଜେମ୍‍ସ୍ ଗଣତନ୍ତ୍ର ଶାସନର ମୂଳୋତ୍ପାଟନ କରି ବ୍ୟକ୍ତିଗତ ଶାସନର ପ୍ରତିଷ୍ଠାପାଇଁ ବଦ୍ଧପରିକର ଥିଲେ । ଏହାଫଳରେ ତାଙ୍କ ବିରୁଦ୍ଧରେ ଗୌରବମୟ ବିପ୍ଳବ ସଂଘଟିତ ହେଲା ଏବଂ ତାଙ୍କୁ ଇଂଲଣ୍ତ ସିଂହାସନ ହରାଇବାକୁ ପଡ଼ିଲା । ପାର୍ଲିଆମେଣ୍ଟ୍‍ର ବିଜୟ ହେଲା ଏବଂ ଗଣତନ୍ତ୍ର ଶାସନର ବାଟ ସୁଗମ ହେଲା । ଏହାପରେ ରାଜା ଓ ପାର୍ଲିଆମେଣ୍ଟ୍‍ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠିତ ହୋଇ ଶାସନ କ୍ଷେତ୍ରରେ ପାର୍ଲିଆମେଣ୍ଟ୍‍ ନେତୃତ୍ୱ ଗ୍ରହଣ କଲା ।

 

(୨) ଦ୍ୱିତୀୟ ଜେମ୍‍ସ୍‍ଙ୍କ ପତନ ସହ କାଥଲିକ୍‍ ସଂପ୍ରଦାୟର ମଧ୍ୟ ପତନ ହେଲା । ସେ ଇଂଲଣ୍ତରେ କାଥଲିକ୍‍ ମତବାଦର ପ୍ରତିଷ୍ଠାପାଇଁ ଆପ୍ରାଣ ଉଦ୍ୟମ ଚଳାଇଥିଲେ ଏବଂ ଏହାଥିଲା ବିପ୍ଳବର ସର୍ବପ୍ରଧାନ କାରଣ । ବସ୍ତୁତଃ ଗୌରବମୟ ବିପ୍ଳବ ଏକ ପ୍ରୋଟେଷ୍ଟାଣ୍ଟ୍‍ ବିପ୍ଳବଥିଲା । ବିପ୍ଳବ ପରେ ସବୁ ସଂପ୍ରଦାୟଙ୍କୁ ଉପାସନା ସ୍ୱାଧୀନତା ପ୍ରଦାନ କରାଯାଇଥିଲା ସତ; କିନ୍ତୁ କାର୍ଯ୍ୟତଃ ଏହାପରେ କାଥଲିକ୍‍ମାନେ ଅକଥନୀୟ ଲାଞ୍ଚ୍ଥନା ଭୋଗ କଲେ ।

 

(୩) ଗୌରବମୟ ବିପ୍ଳବଫଳରେ ରାଜାଙ୍କ ମନମୁଖୀ ଶାସନର ଅବସାନ ହେଲା ଏବଂ ଲୋକେ ମୌଳିକ ଅଧିକାର ଲାଭ କଲେ । ୧୬୮୯ ଖ୍ରୀ:ରେ ଉଇଲିୟମ୍‍ ଓ ମେରୀ ଅଧିକାର ଘୋଷଣାକୁ କାର୍ଯ୍ୟକାରୀ କରିବାପାଇଁ ଶପଥ ନେଲେ । ପରେ ଏହା ଏକ ଚିଠା ଆଇନରେ ପରିଣତ ହେଲା । ଏହାଫଳରେ ରାଜା ପାର୍ଲିଆମେଣ୍ଟ୍‍ର ଆନୁଗତ୍ୟ ସ୍ୱୀକାର କଲେ । ସେ ନିୟମିତ ଭାବରେ ପାର୍ଲିଆମେଣ୍ଟ୍‍ ଡାକିବାକୁ ବାଧ୍ୟ ହେଲେ । ପାର୍ଲିଆମେଣ୍ଟ୍‍ର ଅନୁମୋଦନ ବିନା କୌଣସି କର ଧାର୍ଯ୍ୟ କରାଯାଇପାରିଲା ନାହିଁ । ରାଜାଙ୍କର ଅବ୍ୟାହିତ ଦେବା ଓ ସ୍ଥଗିତ ରଖିବା କ୍ଷମତା ଲୋପ ପାଇଲା । ଲୋକେ ରାଜାଙ୍କୁ ଦୁଃଖଦୁର୍ଦ୍ଦଣା ଜଣାଇବା ପାଇଁ ଅଧିକାର ପାଇଲେ । ରାଜାଙ୍କର ସ୍ଥାୟୀ ସେନାବାହିନୀ ଆଇନବିରୁଦ୍ଧ ବୋଲି ଘୋଷିତ ହେଲା । ହାଇ କମିଶନ ବିଚାରାଳୟ ଭଳି ସ୍ୱେଚ୍ଛାଚାରୀ ଅନୁଷ୍ଠାନମାନଙ୍କର ଅବସାନ ହେଲା । ପାର୍ଲିଆମେଣ୍ଟ୍‍ର ନିର୍ବାଚନରେ ରାଜା ଅନ୍ୟାୟ ହସ୍ତକ୍ଷେପ କରି ପାରିଲେ ନାହିଁ । ଫଳରେ ଇଂଲଣ୍ତର ଶାସନ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହେଲା ।

 

(୪) ଗୌରବମୟ ବିପ୍ଳବ ପରେ ଇଂଲଣ୍ତ ସହ ଆୟାରଲାଣ୍ତ୍ ଓ ସ୍କଟ୍‍ଲାଣ୍ତ୍‍ର ସମ୍ମିଳିତ ହେବାର ଆଶା ଉଜ୍ଜ୍ୱଳ ହେଲା । ଏହାପରେ ଇଂଲଣ୍ତ ଦିନୁଦିନ ଅଧିକରୁ ଅଧିକତର ଶକ୍ତିଶାଳୀ ହୋଇ ଉଠିଲା । ଫ୍ରାନ୍‌ସ ଉପରେ ସେ ଆଉ ନିର୍ଭର କଲାନାହିଁ ଏବଂ ତା’ର ଅଗ୍ରଗତିରେ ଫ୍ରାନ୍‌ସ ଅନ୍ତରାୟ ହୋଇ ପାରିଲା ନାହିଁ । ଅଳ୍ପକାଳ ମଧ୍ୟରେ ଇଂଲଣ୍ତ ପୃଥିବୀର ଅଦ୍ୱିତୀୟ ଶକ୍ତିଶାଳୀ ରାଜ୍ୟରେ ପରିଣତ ହେଲା ।

 

ଏକାଦଶ ଅଧ୍ୟାୟ

ତୃତୀୟ ଉଇଲିୟମ୍‍ (୧୬୮୯–୧୭୦୨) ଓ ମେରୀ (୧୬୮୯–୧୬୯୪)

 

ଦ୍ୱିତୀୟ ଜେମ୍‍ସ୍‌ଙ୍କ ପଳାୟନ ପରେ କନ୍‌ଭେନସନ୍ ପାର୍ଲିଆମେଣ୍ଟ୍‍ ତୃତୀୟ ଉଇଲିୟମ୍‍ ଓ ମେରୀଙ୍କୁ ମିଳିତଭାବେ ଇଂଲଣ୍ତ ରାଜସିଂହାସନ ପ୍ରଦାନ କଲା । ୧୬୮୯ ଖ୍ରୀ: ଫେବୃୟାରୀ ୧୩ ତାରିଖ ଦିନ ସେମାନଙ୍କ ଅଭିଷେକ ଉତ୍ସବ ପାଳିତ ହେଲା । ଏହାଫଳରେ ଏକ ଶାନ୍ତି ପୂର୍ଣ୍ଣ ବିପ୍ଳବ ସଂଘଟିତ ହେଲା । ଜନସାଧାରଣଙ୍କର ପ୍ରତିନିଧି ପାର୍ଲିଆମେଣ୍ଟ୍‍ ସେମାନଙ୍କୁ ସିଂହାସନ ପ୍ରଦାନ କରିଥିବାରୁ ରାଜାଙ୍କୁ ଭଗବାନଙ୍କର ପ୍ରତିନିଧି ବୋଲି କହିବାର ଯଥାର୍ଥତା ଆଉ ରହିଲା ନାହିଁ । ରାଜ ପଦବୀ ଭଗବାନଙ୍କଦ୍ୱାରା ନୁହେଁ, ଲୋକଙ୍କଦ୍ୱାରା ସୃଷ୍ଟି ବୋଲି ପ୍ରମାଣିତ ହେଲା ।

 

ଇଂଲଣ୍ତରେ ଉଇଲିୟମ୍‍ ଓ ମେରୀଙ୍କର ପ୍ରତିଷ୍ଠା ଆଶାତୀତଭାବେ ସହଜସାଧ୍ୟ ଥିଲା । ସେମାନଙ୍କ ବିରୁଦ୍ଧରେ ପ୍ରତିବାଦ ବା ପ୍ରତିରୋଧ ଅତି ନଗଣ୍ୟ ଥିଲା । କାଣ୍ଟରବରୀର ମୁଖ୍ୟ ଧର୍ମଯାଜକ, ଚାରିଜଣ ଧର୍ମଯାଜକ ଏବଂ ପୌରହିତ୍ୟ ସଂପ୍ରଦାୟର ଚାରିଶତ କର୍ମଚାରୀ ଉଇଲିୟମ୍‍ ଓ ମେରୀଙ୍କର ଆନୁଗତ୍ୟ ସ୍ୱୀକାର କରି ଶପଥ ନେବାପାଇଁ ରାଜି ହେଲେ ନାହିଁ ଏବଂ ଫଳରେ ସେମାନଙ୍କୁ ସେମାନଙ୍କ ବୃତ୍ତି ହରାଇବାକୁ ପଡ଼ିଥିଲା । ଏମାନେ ନନ୍–ଜୁରର୍ ନାମରେ ପ୍ରଖ୍ୟାତ ହେଲେ । ଏମାନଙ୍କ ମଧ୍ୟରୁ କେତେକ ଜେମ୍‍ସ୍‌ଙ୍କ ପ୍ରତି ଗଭୀର ଅନୁରକ୍ତି ପ୍ରଦର୍ଶନ କରି ତାଙ୍କୁ ସିଂହାସନକୁ ଫେରାଇ ଆଣିବା ସକାଶେ ଗୁପ୍ତ ଉଦ୍ୟମ କଲେ । ଏମାନେ ଜେକୋବାଇଟ୍‍ ନାମରେ ଅଭିହିତ । ଜେକୋବାଇଟ୍‍ ଜେମ୍‍ସ୍ ନାମରେ ଲାଟିନ୍ ରୂପାନ୍ତର ଜେକୋବସ୍‌ ଶବ୍ଦରୁ ଗୃହୀତ ।

 

ଇଂଲଣ୍ତରେ ଉଇଲିୟମ୍‍ଙ୍କ ବିରୁଦ୍ଧରେ ପ୍ରତିରୋଧ ଯେପରି କ୍ଷୀଣ ଥିଲା, ତାଙ୍କ ପ୍ରତି ଉକ୍ତି ଓ ବିଶ୍ୱାସ ମଧ୍ୟ ସେହିପରି ଊଣା ଥିଲା । ବହୁ ନେତୃସ୍ଥାନୀୟ ରାଜନୀତିଜ୍ଞ ଓ ସେନାପତି ତାଙ୍କ ପ୍ରତି ବିମର୍ଷ ଥିଲେ । ଲର୍ଡ଼ ଡାନ୍‌ବୀ ଯେ କି ଏକଦା ଦେଶର ମୁଖ୍ୟମନ୍ତ୍ରୀ ଥିଲେ, ସେନାପତି ମାର୍ଲବରୋ, ଲା ହୋଗ୍‌ ଯୁଦ୍ଧର ବିଜୟୀ ବୀର ରସେଲ ପ୍ରଭୃତି ବ୍ୟକ୍ତି ଉଇଲିୟମ୍‍ଙ୍କ ଅଧୀନରେ କାର୍ଯ୍ୟ କରି ଜେମ୍‍ସ୍‌ଙ୍କ ସହ ଷଡ଼ଯନ୍ତ୍ରରେ ଲିପ୍ତ ଥିଲେ ବୋଲି କୁହାଯାଏ । ପାର୍ଲିଆମେଣ୍ଟ୍‍ ମଧ୍ୟ ଅନେକ ସମୟରେ ତାଙ୍କର ଶତ୍ରୁତା ଆଚରଣ କରୁଥିଲା ।

 

ଉଇଲିୟମ୍‍ ଓ ମେରୀଙ୍କ ଚାରିତ୍ରିକ ବୈଶିଷ୍ଟ୍ୟ

 

ଉଇଲିୟମ୍‍ଙ୍କ ଚାରିତ୍ରିକ ଦୋଷ ଓ ତାଙ୍କ ନୀତି ଇଂଲଣ୍ଡରେ ତାଙ୍କୁ ଜନପ୍ରିୟ କରିବାରେ ଅନ୍ତରାୟ ଥିଲା । ଉଇଲିୟମ୍‍ ନିଜେ କେବଳ ବୈଦେଶିକ ରାଜନୀତିରେ ଆଗ୍ରହୀ ଥିଲେ ଏବଂ ଫ୍ରାନ୍‌ସ ସହ ତାଙ୍କ ଯୁଦ୍ଧରେ ସେ ଇଂଲଣ୍ଡକୁ ଏକ ଉପାଦାନ ମନେ କରୁଥିଲେ । ଜଣେ ସମସାମୟିକଙ୍କ ଭାଷାରେ ‘‘ସେ ତାଙ୍କର ଫରାସୀ ଅଭିଯାନରେ ଇଂଲଣ୍ଡକୁ ସାଙ୍ଗରେ ନେବାପାଇଁ ଚାହୁଁଥିଲେ ।’’ ତାଙ୍କର ବ୍ୟକ୍ତିଗତ ମତଗୁଡ଼ିକ ମଧ୍ୟ ତାଙ୍କୁ ଜନପ୍ରିୟ କରିବାରେ ପ୍ରତିବନ୍ଧକ ସୃଷ୍ଟି କରିଥିଲା । ଧର୍ମ କ୍ଷେତ୍ରରେ ସେ ଥିଲେ କାଲ୍‌ଭିନ ପନ୍ଥୀ ଏବଂ ସେହି କାରଣରୁ ଏଙ୍ଗ୍ଳିକାନ ମତବାଦୀମାନେ ତାଙ୍କ ପ୍ରତି ଅନାସ୍ଥା ଭାବ ପ୍ରଦର୍ଶନ କରୁଥିଲେ । ୧୬୯୫ ଖ୍ରୀ:ରେ ଉଇଲିୟମ୍‍ଙ୍କ ଯୁଦ୍ଧନୀତିକୁ ଟୋରୀ ଦଳର ବିରୋଧ ଯୋଗୁଁ ତାଙ୍କୁ ରାଜନୀତି କ୍ଷେତ୍ରରେ କିଛି କାଳପାଇଁ ହୁଇଗ୍‍ ନେତାମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିଥିଲା । ତା’ ପୂର୍ବରୁ ସେ ଦଳମତକୁ ଅବଜ୍ଞା କରି ଉଭୟ ହୁଇଗ୍‍ ଓ ଟୋରୀଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଥିଲେ । ଫଳରେ ସେ କୌଣସି ଦଳର ଆନ୍ତରିକ ସମର୍ଥନ ଲାଭ କରି ପାରିଲେ ନାହିଁ । ଉଇଲିୟମ୍‍ଙ୍କ ବ୍ୟକ୍ତିତ୍ୱ ମଧ୍ୟ ଆକର୍ଷଣୀୟ ନଥିଲା । ଆକୃତିରେ ସେ ଅଳ୍ପୋଚ୍ଚ, କ୍ଷୀଣ ଓ ଦୁର୍ବଳ ଥିଲେ । ତାଙ୍କ ଶରୀରର ଏକମାତ୍ର ବିଶେଷତ୍ୱ ଥିଲା ଉଜ୍ଜ୍ୱଳ ଓ ତୀକ୍ଷ୍ଣ ଚକ୍ଷୁଦ୍ୱୟ । ତାଙ୍କର ବ୍ୟବହାର ଉଦାସୀନ ଓ ରୁଚିହୀନ ଥିଲା । କେବଳ ଡଚ୍ ଜାତି ମଧ୍ୟରେ ତାଙ୍କର ଅଳ୍ପ କେତେକ ବନ୍ଧୁ ଥିଲେ । ସମ୍ଭବତଃ ଶୋଚନୀୟ ସ୍ୱାସ୍ଥ୍ୟ ଯୋଗୁଁ ସେ ଅଳ୍ପକେ ରାଗି ଯାଉଥିଲେ । ଜଣେ ସମସାମୟିକ ଲେଖିଛନ୍ତି, ‘‘ଉଇଲିୟମ୍‍ ଖୁବ୍‌ କମ୍ ଓ ଅତି ସଂକ୍ଷେପରେ କହୁଥିଲେ ଏବଂ ସାଧାରଣତଃ ତାଙ୍କ କଥାରେ ନୈରାଶ୍ୟର ନିରସତା ପ୍ରକାଶ ପାଉଥିଲା ।’’ ନୂତନ ନୂତନ ଅରଣ୍ୟରେ ଦୀର୍ଘ ଓ ନିର୍ଜନ ମୃଗୟା ଅଭିଯାନ ତାଙ୍କର ଏକମାତ୍ର ଆମୋଦ ଥିଲା । ଆଳାପ ବା ଅନ୍ତର୍ଗୃହ କ୍ରୀଡ଼ାକୁ ସେ ଭଲ ପାଉ ନଥିଲେ । ଇଂରେଜ ପ୍ରଜାଙ୍କ ସ୍ନେହ ଶ୍ରଦ୍ଧା ଲାଭ କରିବାପାଇଁ ଉଇଲିୟମ୍‍ଙ୍କ କୌଣସି ବାହ୍ୟ ଗୁଣ ନଥିଲା । ସେଥିପାଇଁ ସେ ଶତ୍ରୁଙ୍କ ପ୍ରତି ଯେଉଁ ଉଦାର ବ୍ୟବହାର ଦେଖାଇଥିଲେ, ସଙ୍କଟ କାଳରେ ଯେଉଁ ଧୈର୍ଯ୍ୟ ଓ ସ୍ଥିରତା ପ୍ରଦର୍ଶନ କରିଥିଲେ ଏବଂ ସାଧାରଣ କାର୍ଯ୍ୟମାନଙ୍କରେ ଯେଉଁ ଅକ୍ଳାନ୍ତ ପରିଶ୍ରମ କରିଥିଲେ, ସେ ସବୁର ପ୍ରକୃତ ମୂଲ୍ୟ ସେ ଇଂରେଜ ଜାତିଠାରୁ ପାଇ ପାରି ନଥିଲେ । ଅପରପକ୍ଷେ, ମେରୀ ଥିଲେ ଅମାୟିକା, ଦୟାର୍ଦ୍ର ହୃଦୟା ଓ ସଙ୍ଗପ୍ରିୟା । ସେ ସମୟରେ ଏକ ପ୍ରବାଦ ଥିଲା ଯେ ‘‘ଉଇଲିୟମ୍‍ ଯେତେ ପରିମାଣରେ ଚିନ୍ତା କରୁଥିଲେ, ରାଜକୁମାରୀ ଆନି ଯେତେ ପରିମାଣରେ ଭୋଜନ କରୁଥିଲେ, ମେରୀ ସେତେ ପରିମାଣରେ ଆଳାପ କରୁଥିଲେ ।’’ ୧୬୯୪ ଖ୍ରୀ:ରେ ଡିସେମ୍ବର ମାସରେ ମେରୀଙ୍କ ବସନ୍ତ ରୋଗରେ ଅକାଳ ମୃତ୍ୟୁ ଉଇଲିୟମ୍‍ଙ୍କ ପ୍ରତିଷ୍ଠାରେ ଆଘାତ ଦେଲା ଏବଂ ସେହି ଦିନରୁ ସେ ଅଧିକରୁ ଅଧିକତର ଅପ୍ରିୟ ହେଲେ । ଏହା ସତ୍ତ୍ୱେ ତାଙ୍କ ରାଜତ୍ୱ କାଳରେ ଇଂଲଣ୍ଡର କେତେକ ଉଲ୍ଲେଖନୀୟ ଐତିହାସିକ ଅଗ୍ରଗତି ଘଟିଥିଲା ।

 

ଅଧିକାରଚିଠା ଆଇନ (Bill of Rights)

 

ଦ୍ୱିତୀୟ ଜେମ୍‍ସ୍‌ଙ୍କ ସିଂହାସନ ତ୍ୟାଗପରେ କନ୍‌ଭେନସନ୍‌ ପାର୍ଲିଆମେଣ୍ଟ୍‍ ରାଜାଙ୍କ ସ୍ୱେଚ୍ଛାଚାରୀ କାର୍ଯ୍ୟକଳାପର ଧ୍ୱଂସସାଧନ କରି ତାହା ଯେପରି ଭବିଷ୍ୟତରେ ପୁଣି ଥରେ ସମ୍ଭବ ନ ହେବ ସେଥିପାଇଁ ଏକ ଅଧିକାର ଘୋଷଣା ପ୍ରସ୍ତୁତ କଲା । ଏହି ଘୋଷଣାକୁ କାର୍ଯ୍ୟକାରୀ କରିବାପାଇଁ ଉଇଲିୟମ୍‍ ଓ ମେରୀଙ୍କୁ ଶପଥ ଗ୍ରହଣ କରିବାକୁ ପଡ଼ିଥିଲା । ତଦନନ୍ତର କନ୍‌ଭେନସନ୍‌ ନିୟମିତ ପାର୍ଲିଆମେଣ୍ଟ୍‍ରେ ପରିଣତ ହେଲାପରେ ୧୬୮୯ ଖ୍ରୀ: ଅକ୍ଟୋବର ୨୫ ତାରିଖ ଦିନ ଉକ୍ତ ଘୋଷଣାକୁ ଏକ ବିଶେଷ ଆଇନ ଭାବରେ ପ୍ରଣୀତ କରାଗଲା । ଏହି ଆଇନର ମୁଖ୍ୟ ବିଷୟବସ୍ତୁ ସଂକ୍ଷେପରେ ଏଠାରେ ଉଲ୍ଲେଖ କରାଯାଇପାରେ ।

 

ପ୍ରଥମତଃ ଏହି ଆଇନରେ ଉଇଲିୟମ୍‍ ଓ ମେରୀ ରାଜା ଓ ରାଣୀରୂପେ ଘୋଷିତ ହେଲେ ଏବଂ ସେମାନଙ୍କ ଭାବୀ ସନ୍ତାନସନ୍ତତି ଇଂଲଣ୍ଡ ରାଜସିଂହାସନର ଉତ୍ତରାଧିକାରୀ ହେବେ ବୋଲି ସ୍ଥିର ହେଲା । ସେମାନେ ଯଦି ନିଃସନ୍ତାନ ହୁଅନ୍ତି ତେବେ ଜେମ୍‌ସ୍‍ଙ୍କ ଦ୍ୱିତୀୟ କନ୍ୟା ଆନି ଉତ୍ତରାଧିକାରିଣୀ ବୋଲି ବିବେଚିତା ହେବେ । ଆନି ୧୬୮୦ ଖ୍ରୀ:ରେ ଡେନ୍‍ମାର୍କର ରାଜକୁମାର ଜର୍ଜଙ୍କୁ ବିବାହ କରିଥିଲେ । ଆଇନର ଆଉ ଏକ ଧାରା ଅନୁସାରେ କୌଣସି ରୋମାନ୍‌ କାଥଲିକ୍‍ ବ୍ୟକ୍ତି କିମ୍ବା ଯାହାଙ୍କ ପତି ବା ପତ୍ନୀ କାଥଲିକ୍‍ ହୋଇଥିବେ, ସେ ଇଂଲଣ୍ଡ ରାଜସିଂହାସନର ଅଧିକାରୀ ହୋଇ ପାରିବେ ନାହିଁ । ଏହି ଧାରା ଅନୁଯାୟୀ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କ ଉତ୍ତରାଧିକାରୀ ପଦପାଇଁ ଦାବି ଅଗ୍ରାହ୍ୟ ହେଲା ।

 

ଦ୍ୱିତୀୟତଃ ନିମ୍ନଲିଖିତ ବିଷୟମାନ ଆଇନବିରୁଦ୍ଧ ବୋଲି ଘୋଷିତ ହେଲା : (କ) ଆଇନକାନୁନକୁ ସ୍ଥଗିତ ରଖିବାପାଇଁ ରାଜାଙ୍କର ତଥାକଥିତ କ୍ଷମତା; (ଖ) ଆଇନକାନୁନରୁ ଅବ୍ୟାହତ ଦେବାପାଇଁ ରାଜାଙ୍କ କ୍ଷମତା ଯାହା ନିକଟ ଅତୀତରେ ଜେମ୍‍ସ୍‌ ପ୍ରୟୋଗ କରିଥିଲେ ଏବଂ (ଗ) ହାଇ କମିଶନ ବିଚାରାଳୟ ବା ତଦ୍ରୂପ ସ୍ୱେଚ୍ଛାଚାରୀ ବିଚାରାଳୟ ପ୍ରତିଷ୍ଠା । ରାଜାଙ୍କର ଏକଛତ୍ର ଶାସନରେ ଏ ସବୁ ସହାୟକ ଥିଲା ।

 

ତୃତୀୟତଃ ମୁକ୍ତ ନିର୍ବାଚନ ନୀତିଉପରେ ଭିତ୍ତିକରି ପାର୍ଲିଆମେଣ୍ଟ୍‍ ଗଠିତ ହେଲା । ପାର୍ଲିଆମେଣ୍ଟ୍‍ର ବାକ୍ ସ୍ୱାଧୀନତା ରହିଲା ଏବଂ ତା’ର ଅଧିବେଶନ ନିୟମିତରୂପେ ଆହୂତ ହେଲା-। ପାର୍ଲିଆମେଣ୍ଟ୍‍ର ବିନା ସମ୍ମତିରେ କୌଣସି କରଧାର୍ଯ୍ୟ ହୋଇ ପାରିଲା ନାହିଁ ।

 

ପାର୍ଲିଆମେଣ୍ଟ୍‍ର ଅନୁମୋଦନ ବିନା ଏକ ସ୍ଥାୟୀ ସେନାବାହିନୀ ରାଜା ରଖିପାରିବେ ନାହିଁ ବୋଲି ଘୋଷିତ ହେଲା । ଏହି ଆଇନ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହେଉଅଛି ଏବଂ ପ୍ରତ୍ୟେକ ବର୍ଷ ଏହା ପାର୍ଲିଆମେଣ୍ଟ୍‍ରେ ପୁନଃଗୃହୀତ ହୋଇ ସେନାବାହିନୀକୁ ଆଇନ ସମ୍ମତ କରାଯାଉଛି । ଏହାଦ୍ୱାରା ପ୍ରତିବର୍ଷ ପାର୍ଲିଆମେଣ୍ଟ୍‍ର ଅଧିବେଶନ ବସିଲା ।

 

ସାମ୍ବିଧାନିକ ତଥା ରାଜନୈତିକ ଦୃଷ୍ଟିକୋଣରୁ ଅଧିକାର ଆଇନର ବିଶେଷ ଗୁରୁତ୍ୱ ଥିଲା । ଇଂଲଣ୍ଡର ସାମ୍ବିଧାନିକ ଅଗ୍ରଗତିରେ ଏହାକୁ ତୃତୀୟ ମହାସନନ୍ଦ ବୋଲି କୁହାଯାଏ । ୧୨୧୫ ଖ୍ରୀ:ର ମାଗ୍ନାକାର୍ଟା ଓ ୧୬୨୮ ଖ୍ରୀ:ର ଦାବିପତ୍ର ସେମାନଙ୍କ ପ୍ରଥମ ଦୁଇଟି ମହାସନନ୍ଦ ଥିଲା । ଏହାଫଳରେ ଜନସାଧାରଣଙ୍କର ପ୍ରତିନିଧିତ୍ୱ କରୁଥିବା ପାର୍ଲିଆମେଣ୍ଟ୍‍ର କ୍ଷମତା ଓ ଶକ୍ତି ବିଶେଷଭାବେ ପରିବର୍ଦ୍ଧିତ ହେଲା । ଅପରପକ୍ଷେ ରାଜାଙ୍କ କ୍ଷମତା ସୀମିତ ହେଲା । ଇଂଲଣ୍ଡ ରାଜସିଂହାସନ କେବଳ ପ୍ରୋଟେଷ୍ଟାଣ୍ଟ୍‍ମାନଙ୍କ ପାଇଁ ସୁରକ୍ଷିତ ହେଲା । ଇଂରେଜମାନେ ରାଜନୈତିକ କ୍ଷେତ୍ରରେ କେତେକ ମୌଳିକ ସ୍ୱାଧୀନତା ଲାଭକରି ଅଗ୍ରଗତିର ସୁଯୋଗ ପାଇଲେ ।

 

ସେନାବିଭାଗୀୟ ଆଇନ (୧୬୮୯ ଖ୍ରୀ:) : ସେନାବାହିନୀକୁ ପାର୍ଲିଆମେଣ୍ଟ୍‍ର ଆୟତ୍ତରେ ରଖିବାପାଇଁ ଏକ ସେନାବିଭାଗୀୟ ଆଇନ ଗୃହୀତ ହେଲା । ଏହାଦ୍ୱାରା ରାଜା ସ୍ଥାୟୀ ସେନାବାହିନୀ ରଖିବା ସକାଶେ କେବଳ ବର୍ଷକପାଇଁ କ୍ଷମତା ପାଇଲେ ସେହି ଦିନଠାରୁ ଏହି ଆଇନ ପ୍ରତିବର୍ଷ ପାର୍ଲିଆମେଣ୍ଟ୍‍ରେ ପୁନର୍ନବୀକରଣ ହୋଇ ଆସୁଅଛି ।

 

ପ୍ରଶ୍ରୟ ପ୍ରଦାନ ଆଇନ ୧୬୮୯ : ଗୌରବମୟ ବିପ୍ଳବର ଏକ ସୁଫଳ ଥିଲା ଉଇଲିୟମ୍‍ଙ୍କର ପ୍ରଶ୍ରୟ ପ୍ରଦାନ ଆଇନ । ଏହାଦ୍ୱାରା ଧର୍ମ ସମ୍ବନ୍ଧୀୟ କଟକଣାର କଠୋରତାକୁ ହ୍ରାସ କରିବାପାଇଁ ଏକ ପଦକ୍ଷେପ ନିଆଗଲା । ସାର୍ବଜନୀନ ଉପାସନା ଗ୍ରନ୍ଥର ୩୯ ଧାରା ମଧ୍ୟରୁ ୩୬ଟି ଧାରା ଗ୍ରହଣ କରି ନେଇଥିବା ବ୍ୟକ୍ତିଙ୍କୁ ପ୍ରଶ୍ରୟ ପ୍ରଦାନ ଆଇନ ବଳରେ ଉପାସନା ସ୍ୱାଧୀନତା ପ୍ରଦାନ କରାଗଲା । ରୋମାନ୍‌ କାଥଲିକ୍‍ମାନେ ଏହାଦ୍ୱାରା ଉପକୃତ ହେଲେ ନାହିଁ । ପରୀକ୍ଷା ଆଇନ ଓ ପୌରସଙ୍ଘ ଆଇନ ସେମାନଙ୍କ ପ୍ରତି ବଳବତ୍ତର ରହିଲା ଏବଂ ସେମାନେ ସରକାରୀ କାର୍ଯ୍ୟପାଇଁ ଅଯୋଗ୍ୟ ବିବେଚିତ ହେଲେ । ଏହା ସତ୍ତ୍ୱେ ପ୍ରଶ୍ରୟ ପ୍ରଦାନ ଆଇନ ଏକ ବିରାଟ ଅଗ୍ରଗତିର ପ୍ରତୀକ ଥିଲା ଏବଂ ସେହି ଦିନରୁ ଧର୍ମ କ୍ଷେତ୍ରରେ ସହିଷ୍ଣୁ ମନୋଭାବ କ୍ରମେ ବଢ଼ିବାକୁ ଲାଗିଲା । ଅଷ୍ଟାଦଶ ଶତକରେ ହାନୋଭର ବଂଶର ରାଜତ୍ୱ କାଳରେ ଏଇ ଆଇନ ପ୍ରଣୀତ ହୋଇ ସରକାରୀ କାର୍ଯ୍ୟପାଇଁ ବିରୋଧୀ ମତବାଦୀମାନଙ୍କ ଦଣ୍ଡକୁ ପ୍ରତ୍ୟାହର କରିଦିଆଗଲା । ତେବେ କାଥଲିକ୍‍ମାନଙ୍କ ସମେତ ସବୁ ସଂପ୍ରଦାୟମାନଙ୍କ ପ୍ରତି ପୂର୍ଣ୍ଣ ପ୍ରଶ୍ରୟ ପ୍ରଦାନ ଊନବିଂଶ ଶତକ ପର୍ଯ୍ୟନ୍ତ ଗୃହୀତ ହୋଇ ପାରି ନଥିଲା ।

 

ତ୍ରୈବାର୍ଷିକ ଆଇନ ୧୬୯୪ : ଉଇଲିୟମ୍‍ଙ୍କ ରାଜତ୍ୱରେ ପାର୍ଲିଆମେଣ୍ଟ୍‍ରେ ଆଉ ଏକ ଆଇନ ଗୃହୀତ ହୋଇ ଅନ୍ତତଃ ପ୍ରତି ତିନିବର୍ଷରେ ଥରେ ପାର୍ଲିଆମେଣ୍ଟ୍‍ର ଅଧିବେଶନ ଡାକିବାପାଇଁ ଏବଂ କୌଣସି ପାର୍ଲିଆମେଣ୍ଟ୍‍ ତିନିବର୍ଷରୁ ଅଧିକ କାଳ ସ୍ଥାୟୀ ହୋଇ ପାରିବ ନାହିଁ ବୋଲି ସ୍ଥିର ହେଲା । ଏହା ତ୍ରୈବାର୍ଷିକ ଆଇନ ନାମରେ ପରିଚିତ ।

 

ସମ୍ବାଦପତ୍ରର ସ୍ୱାଧୀନତା : ଏତେ ଦିନ ପର୍ଯ୍ୟନ୍ତ ବାର୍ଷିକ ଲାଇସେନ୍‌ସିଙ୍ଗ ଆଇନ ବଳରେ ଇଂଲଣ୍ଡର ସମସ୍ତ ପ୍ରକାର ପ୍ରକାଶନକୁ କଠୋରତା ସହ ପରୀକ୍ଷା ନିରୀକ୍ଷା କରାଯାଉଥିଲା-। ପ୍ରତିବର୍ଷ ଏହି ଆଇନର ପୁନର୍ନବୀକରଣ ହେଉଥିଲା । ମାତ୍ର ୧୬୯୫ ଖ୍ରୀ:ରେ ପାର୍ଲିଆମେଣ୍ଟ୍‍ ଉକ୍ତ ଆଇନକୁ ଗ୍ରହଣ କଲା ନାହିଁ । ଏହାଫଳରେ ସମ୍ବାଦପତ୍ରମାନେ ସ୍ୱାଧୀନତା ଲାଭ କଲେ-। ଅବଶ୍ୟ କୁତ୍ସିତ ଲେଖା ପ୍ରକାଶନ ବିରୁଦ୍ଧରେ ନିୟମମାନଙ୍କ କଠୋରତା ଏବଂ ସମ୍ବାଦପତ୍ର ଉପରେ ବହୁମୂଲ୍ୟ ଷ୍ଟାମ୍ପ୍ ଶୁଳ୍କଦ୍ୱାରା ଏହି ସ୍ୱାଧୀନତା ଅନେକାଂଶରେ ହ୍ରାସ ପାଇଥିଲା-

 

ବିଦ୍ରୋହ ଆଇନ (୧୬୯୬) : ୧୬୯୬ ଖ୍ରୀ:ରେ ବିଦ୍ରୋହ ଆଇନ ଉପରେ ଏକ ସଂଶୋଧନ ପ୍ରସ୍ତାବ ଗୃହୀତ ହେଲା ଯାହାଫଳରେ ଅଭିଯୁକ୍ତ ବ୍ୟକ୍ତି ଆତ୍ମରକ୍ଷା ପାଇଁ ନିଜ ପକ୍ଷରୁ ଓକିଲ ନିଯୁକ୍ତ କରିବାର ସୁବିଧା ପାଇଲେ । କୌଣସି ବ୍ୟକ୍ତିଙ୍କୁ ଦଣ୍ଡ ଦେବା ପୂର୍ବରୁ ଏହାଦ୍ୱାରା ତା’ର ଉପଯୁକ୍ତ ବିଚାର ହୋଇପାରିଲା ।

 

ବନ୍ଦୋବସ୍ତ ଆଇନ (୧୭୦୧) : ଉଇଲିୟମ୍‍ଙ୍କ ରାଜତ୍ୱର ଶେଷବେଳକୁ ଏକ ଗୁରୁତ୍ୱପୂର୍ଣ୍ଣ ଆଇନ ପାର୍ଲିଆମେଣ୍ଟ୍‍ରେ ଗୃହୀତ ହେଲା । ତାହା ବନ୍ଦୋବସ୍ତ ଆଇନ ନାମରେ ଅଭିହିତ । ଇତିମଧ୍ୟରେ ୧୬୯୪ ଖ୍ରୀ:ରେ ମେରୀ ବସନ୍ତ ରୋଗରେ ପ୍ରାଣତ୍ୟାଗ କରିଥିଲେ । ତାଙ୍କର କୌଣସି ସନ୍ତାନସନ୍ତତି ନଥିଲେ । ମେରୀଙ୍କ ମୃତ୍ୟୁ ପରେ ଉଇଲିୟମ୍‍ ପୁଣି ବିବାହ କରିବାପାଇଁ ଇଚ୍ଛା କଲେ ନାହିଁ । ଫଳରେ ଉଇଲିୟମ୍‍ଙ୍କ ପରେ ରାଜସିଂହାସନ ଦ୍ୱିତୀୟ ଜେମ୍‍ସ୍‌ଙ୍କ ପ୍ରୋଟେଷ୍ଟାଣ୍ଟ୍‍ କନ୍ୟା ଆନି ଯେ ଲାଭ କରିବେ ଏଥିରେ ସନ୍ଦେହ ନଥିଲା । ଆନି ଡେନ୍‍ମାର୍କର ରାଜକୁମାର ଜର୍ଜଙ୍କୁ ବିବାହ କରିଥିଲେ । ମାତ୍ର ତାଙ୍କର ସନ୍ତାନସନ୍ତତିମାନଙ୍କ ମଧ୍ୟରୁ କେହି ଜୀବିତ ନଥିଲେ । ଆନିଙ୍କର କେବଳ ଏକମାତ୍ର ସନ୍ତାନ ଗ୍ଳୋସେଷ୍ଟର ଶୈଶବାବସ୍ଥା ଅତିକ୍ରମ କରିପାରିଥିଲେ ଏବଂ ୧୭୦୦ ଖ୍ରୀ:ରେ ପ୍ରାୟ ୧୧ ବର୍ଷ ବୟସରେ ପ୍ରାଣତ୍ୟାଗ କରିଥିଲେ । ତେଣୁ ଆନିଙ୍କର ମୃତ୍ୟୁ ପରେ ପୁଣି ଉତ୍ତରାଧିକାରୀ ପଦପାଇଁ ସଙ୍କଟ ଉପୁଜିବ ବୋଲି ଆଶଙ୍କା କରାଗଲା । ଏହି ସମସ୍ୟାର ସମାଧାନ ପାଇଁ ୧୭୦୧ ଖ୍ରୀ:ରେ ପାର୍ଲିଆମେଣ୍ଟ୍‍ରେ ବନ୍ଦୋବସ୍ତ ଆଇନ ଗୃହୀତ ହେଲା । ଏହି ଆଇନରେ ସ୍ଥିର ହେଲା ଯେ ଆନିଙ୍କ ମୃତ୍ୟୁ ପରେ ତାଙ୍କର କୌଣସି ସନ୍ତାନସନ୍ତତି ଜୀବିତ ନଥିଲେ ଇଂଲଣ୍ଡ ରାଜସିଂହାସନ ପ୍ରୋଟେଷ୍ଟାଣ୍ଟ୍‍ ରାଜକୁମାରୀ ସୋଫିଆ ଓ ତାଙ୍କର ସନ୍ତାନସନ୍ତତିକୁ ପ୍ରଦତ୍ତ ହେବ । ସୋଫିଆ ଥିଲେ ପ୍ରଥମ ଜେମ୍‍ସ୍‍ଙ୍କ ପୌତ୍ରୀ ଏବଂ ଜର୍ମାନୀ ଅନ୍ତର୍ଗତ ହାନୋଭର ରାଜ୍ୟର ଇଲେକଟରଙ୍କ ପତ୍ନୀ । ତାଙ୍କର ମାତା ପ୍ରଥମେ ଜେମ୍‍ସ୍‌ଙ୍କ କନ୍ୟା ଏଲିଜାବେଥ୍ ପାଲାଟାଇନର ଇଲେକଟରଙ୍କୁ ବିବାହ କରିଥିଲେ ।

 

ଇଂଲଣ୍ଡ ରାଜସିଂହାସନର ଭବିଷ୍ୟତ ନିର୍ଦ୍ଧାରଣ ବ୍ୟତୀତ ଆଉ କେତେକ ନିୟମ ମଧ୍ୟ ବନ୍ଦୋବସ୍ତ ଆଇନରେ ସ୍ଥାନ ପାଇଲା । ତନ୍ମଧ୍ୟରୁ କେତେକ ଗୁରୁତ୍ୱପୂର୍ଣ୍ଣ ନିୟମ ହେଲା :–

 

(୧) ପାର୍ଲିଆମେଣ୍ଟ୍‍ର ସମ୍ମତି ବିନା ରାଜା ରାଜ୍ୟ ଛାଡ଼ି ବିଦେଶ ପରିଭ୍ରମଣରେ ଯାଇ ପାରିବେ ନାହିଁ ।

 

(୨) ବିଦେଶରେ ରାଜାଙ୍କର ବ୍ୟକ୍ତିଗତ ସମ୍ପତ୍ତି ବା ରାଜ୍ୟପାଇଁ ଇଂଲଣ୍ଡ ଯୁଦ୍ଧରେ ବ୍ୟାପୃତ ହେବ ନାହିଁ ।

 

(୩) କେବଳ ପ୍ରୋଟେଷ୍ଟାଣ୍ଟ୍‍ ଓ ଏଙ୍ଗ୍ଳିକାନ ମତବାଦରେ ବିଶ୍ୱାସ କରୁଥିବା ବ୍ୟକ୍ତି ଇଂଲଣ୍ଡ ରାଜସିଂହାସନର ଅଧିକାରୀ ହୋଇ ପାରିବେ ।

 

(୪) ବିଚାରପତିମାନେ କୌଣସି ବିଚାରାଳୟଦ୍ୱାରା ଦୋଷୀ ପ୍ରମାଣିତ ହେଲେ କିମ୍ବା ପାର୍ଲିଆମେଣ୍ଟ୍‍ର ଉଭୟ ଗୃହରେ ଅଭିଯୁକ୍ତ ହେଲେ ଯାଇ ସେମାନଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇପାରିବ ।

 

(୫) ପାର୍ଲିଆମେଣ୍ଟ୍‍ଦ୍ୱାରା ଅଭିଯୁକ୍ତ ବ୍ୟକ୍ତିଙ୍କୁ ରାଜା କ୍ଷମା ଦେଇ ପାରିବେ ନାହିଁ ।

 

ବନ୍ଦୋବସ୍ତ ଆଇନଫଳରେ ପାର୍ଲିଆମେଣ୍ଟ୍‍ ଆଉ ଏକ ବିଜୟ ଲାଭ କଲା । ଇଂଲଣ୍ଡର ସିଂହାସନ ପାଇଁ ଯେକୌଣସି ବ୍ୟକ୍ତିଙ୍କ ଦାବିକୁ ଅଗ୍ରାହ୍ୟ କରିଦେବା କ୍ଷମତା ପାର୍ଲିଆମେଣ୍ଟ୍‍ର ଅଛି ବୋଲି ପ୍ରମାଣିତ ହେଲା । ତୃତୀୟ ଉଇଲିୟମ୍‍ ବ୍ୟକ୍ତିଗତ କାରଣ ଯୋଗୁଁ ଇଂଲଣ୍ଡରେ ଲୋକପ୍ରିୟ ନଥିଲେ ଏବଂ ସେହି ସମୟରେ ତାଙ୍କର ବୈଦେଶିକ ନୀତି ଯୋଗୁଁ ଅନେକ ବିରକ୍ତ ଥିଲେ । କେବଳ ସେଥିପାଇଁ କେତେକ ଅତିରିକ୍ତ ନିୟମ ବନ୍ଦୋବସ୍ତ ଆଇନରେ ସଂଯୋଗିତ ହେଲା ଏବଂ ତଦ୍ଦ୍ୱାରା ରାଜାଙ୍କ ଉପରେ ପାର୍ଲିଆମେଣ୍ଟ୍‍ର କର୍ତ୍ତୃତ୍ୱ ବଢ଼ିଗଲା । ଉପରୋକ୍ତ ପ୍ରଥମ ଓ ଦ୍ୱିତୀୟ ଆଇନ ଏହାର ଉଦାହରଣ ଅଟେ । ତୃତୀୟ ଆଇନ ବଳରେ ଇଂଲଣ୍ଡ ରାଜସିଂହାସନ ପ୍ରୋଟେଷ୍ଟାଣ୍ଟ୍‍ମାନଙ୍କ ପାଇଁ ସୁରକ୍ଷିତ ରହିଲା । ମାତ୍ର ଶେଷ ଆଇନ ଦୁଇଟି ସବୁଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହାଫଳରେ ରାଜା ନିଜ ଇଚ୍ଛାନୁସାରେ ବିଚାରପତିମାନଙ୍କୁ ବହିଷ୍କାର କରି ପାରିଲେ ନାହିଁ । ଏହାଛଡ଼ା ସେ ପାର୍ଲିଆମେଣ୍ଟ୍‍ଦ୍ୱାରା ଅଭିଯୁକ୍ତ କୌଣସି ମନ୍ତ୍ରୀକୁ କ୍ଷମା ଦେଇ ପାରିଲେ ନାହିଁ । ସୁତରାଂ ମନ୍ତ୍ରୀମାନେ ରାଜାଙ୍କ ଉପରେ ଆଉ ନିର୍ଭର କରି ପାରିଲେ ନାହିଁ ଏବଂ ସେମାନେ ପାର୍ଲିଆମେଣ୍ଟ୍‍ଠାରେ ଦାୟୀ ରହିଲେ । ଏହି ସବୁ କାରଣରୁ ବନ୍ଦୋବସ୍ତ ଆଇନ ଇଂଲଣ୍ଡର ସାମ୍ବିଧାନିକ ଇତିହାସରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଅଛି ।

 

ମନ୍ତ୍ରିମଣ୍ଡଳର ଅଭ୍ୟୁଦୟ : ଉଇଲିୟମ୍‍ଙ୍କ ରାଜତ୍ୱ କାଳରେ ଆଧୁନିକ ମନ୍ତ୍ରିମଣ୍ଡଳର ଅଭ୍ୟୁଦୟ ହେଲା । ଏହି ସମୟରେ ରାଜା ଦଳଗତ ନିର୍ବିଶେଷରେ ମନମୁଖୀ ମନ୍ତ୍ରିମଣ୍ଡଳ ଗଠନ କରୁଥିଲେ । ଉଇଲିୟମ୍ ମଧ୍ୟ ପ୍ରଥମେ ହୁଇଗ୍‍ ଓ ଟୋରୀଦଳର ନେତାମାନଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନଦେଲେ । ସେ ଇଂଲଣ୍ଡ ରାଜସିଂହାସନ ପାଇଁ ଉଭୟ ଦଳରୁ ନିମନ୍ତ୍ରଣ ତଥା ସମର୍ଥନ ପାଇଥିଲେ । ତେଣୁ ଏହା ତାଙ୍କ ପକ୍ଷରେ ସ୍ୱାଭାବିକ ଥିଲା । ମାତ୍ର ଉଭୟ ଦଳ ଭିନ୍ନ ନୀତି ଅବଲମ୍ବନ କରୁଥିଲେ ଏବଂ ସେମାନଙ୍କ ମଧ୍ୟରେ ସହଯୋଗ ସମ୍ଭବ ନଥିଲା । ଉଇଲିୟମ୍‍ଙ୍କ ଯୁଦ୍ଧନୀତିକୁ ଟୋରୀଦଳ ବିରୋଧ କରୁଥିଲେ । ତେଣୁ ୧୬୯୫ ଖ୍ରୀ:ରେ ସେ କେବଳ ହୁଇଗ୍‍ ଦଳଙ୍କୁ ନେଇ ଏକ ମନ୍ତ୍ରିମଣ୍ଡଳ ଗଠନ କଲେ । ଉକ୍ତ ମନ୍ତ୍ରିମଣ୍ଡଳର ସଦସ୍ୟଥିଲେ ସୋମର୍ସ, ଏଡ଼୍‍ୱାର୍ଡ଼ ରସେଲ, ଟମାସ୍‍ ଓରଟନ୍‌, ଟ୍ରସ୍‌ବର୍ଗ ଓ ସଣ୍ଡରଲାଣ୍ଡ । ଉକ୍ତ ମନ୍ତ୍ରିମଣ୍ଡଳ ହୁଇଗ୍‌ ଜୁଣ୍ଟୋ ନାମରେ ଅଭିହିତ । ଏହି ସମୟରେ ହୁଇଗ୍‌ ଦଳ ପାର୍ଲିଆମେଣ୍ଟ୍‍ରେ ସଂଖ୍ୟାଗରିଷ୍ଠତା ଲାଭ କରିଲା ଏବଂ ହୁଇଗ୍‍ ମନ୍ତ୍ରିମଣ୍ଡଳ ଲୋକପ୍ରିୟଥିଲା । ମାତ୍ର କ୍ରମେ ହୁଇଗ୍‍ଦଳ ଇଂଲଣ୍ଡରେ ଅପ୍ରିୟ ହୋଇଉଠିଲା ଏବଂ ତ୍ରୈବାର୍ଷିକ ଆଇନ ଅନୁସାରେ ୧୬୯୮ ଖ୍ରୀ:ରେ ପାର୍ଲିଆମେଣ୍ଟ୍‍ର ଯେଉଁ ନିର୍ବାଚନ ହେଲା, ସେଥିରେ ଟୋରୀଦଳ ବିପୁଳ ବିଜୟଲାଭ କଲେ । ତେଣୁ ଉଇଲିୟମ୍‍ ହୁଇଗ୍‌ ଜୁଣ୍ଟୋକୁ ଭାଙ୍ଗିଦେଇ ମନ୍ତ୍ରିମଣ୍ଡଳରେ କେବଳ ଟୋରୀଦଳର ସଦସ୍ୟମାନଙ୍କୁ ଗ୍ରହଣ କଲେ । ସେହି ଦିନରୁ ପାର୍ଲିଆମେଣ୍ଟ୍‍ର ସଂଖ୍ୟାଗରିଷ୍ଠ ଦଳର ସଦସ୍ୟମାନଙ୍କୁ ନେଇ ମନ୍ତ୍ରିମଣ୍ଡଳ ଗଠନ ପ୍ରଥା ପ୍ରଚଳିତ ରହିଲା । ସାମ୍ବିଧାନିକ କ୍ଷେତ୍ରରେ ଏହା ଉଇଲିୟମ୍‍ଙ୍କ ରାଜତ୍ୱର ଏକ ଉଲ୍ଲେଖନୀୟ ଅବଦାନ ।

 

ଅର୍ଥନୈତିକ ବୈଶିଷ୍ଟ୍ୟ : ଉଇଲିୟମ୍‍ଙ୍କ ରାଜତ୍ୱ କାଳରେ ଇଂଲଣ୍ଡର ଜାତୀୟ ଅର୍ଥ ଯୋଜନାରେ ମଧ୍ୟ କେତେକ ବିଶେଷ ଅଗ୍ରଗତି ହୋଇଥିଲା । ଉଇଲିୟମ୍‍ ଫାନ୍‌ସ ସହିତ ନିରନ୍ତର ଯୁଦ୍ଧରେ ବ୍ୟାପୃତଥିଲେ । ସେଥିପାଇଁ ତାଙ୍କୁ ବହୁ ପରିମାଣରେ ଅର୍ଥବ୍ୟୟ କରିବାକୁ ପଡ଼ିଲା । ଫଳରେ ଇଂଲଣ୍ଡ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଲା । ଏହି ଜାତୀୟ ସମସ୍ୟାର ସମାଧାନ ପାଇଁ ଉଇଲିୟମ୍‍ ଦୁଇଟି ବିଶେଷ ପଦକ୍ଷେପ ନେଲେ । ତନ୍ମଧ୍ୟରୁ ପ୍ରଥମଟି ହେଲା । ଜାତୀୟ ଋଣବ୍ୟବସ୍ଥା । ଏହା ୧୬୯୩ ଖ୍ରୀ:ରେ ଆରମ୍ଭ ହେଲା । ଏହାଦ୍ୱାରା ସରକାର ଯୁଦ୍ଧ ଖର୍ଚ୍ଚ ତୁଲାଇବା ପାଇଁ ଲୋକଙ୍କଠାରୁ ଅର୍ଥ ଧାରକଲେ ଏବଂ ଲୋକେ ସୁଧ ପାଇବାପାଇଁ ଧାର ଦେଲେ-। ଫଳରେ ଜନସାଧାରଣ ସେମାନଙ୍କ ସଞ୍ଚୟର ଉପଯୁକ୍ତ ବିନିଯୋଗ କରିପାରିଲେ ଏବଂ ଯୁଦ୍ଧର ବିଶାଳ ଭାର ବିସ୍ତାରିତ ହେବାଫଳରେ ଦେଶର ବାଣିଜ୍ୟ ବ୍ୟବସାୟ ଉପରେ କାହାର ବିଶେଷ କୁଫଳ ପଡ଼ିଲାନାହିଁ । ୧୬୯୭ ଖ୍ରୀଷ୍ଟାବ୍ଦରେ ଉକ୍ତ ଜାତୀୟ ଋଣର ପରିଣାମ ଥିଲା ୨୦,୦୦୦,୦୦୦ ପାଉଣ୍ଡ, ୧୭୧୩ ଖ୍ରୀ:ରେ ୭୮,୦୦୦,୦୦୦ ପାଉଣ୍ଡ, ଏବଂ ୧୮୧୫ ଖ୍ରୀ:ରେ ଏହା ଏକ ବିରାଟ ସଂଖ୍ୟା ୮୪୦,୦୦୦,୦୦୦ ପାଉଣ୍ଡକୁ ପହଞ୍ଚିଥିଲା । ଉଇଲିୟମ୍‍ଙ୍କ ସମୟରେ ଜାତୀୟ ଋଣ ପ୍ରତିଷ୍ଠାର ଆଉ ଏକ ପ୍ରଭାବ ପଡ଼ିଥିଲା । ଜେମ୍‍ସ୍‌ଙ୍କ ପୁନଃ ପ୍ରତିଷ୍ଠା ହେଲେ ସେ ସେହି ଋଣସବୁକୁ ପ୍ରତ୍ୟାଖ୍ୟାନ କରି ଦେଇ ପାରନ୍ତି ବୋଲି ଲୋକେ ଆଶଙ୍କା କଲେ-। ଫଳରେ ସେମାନେ ତଦାନୀନ୍ତନ ସରକାରଙ୍କୁ ଦୃଢ଼ କରିବାପାଇଁ ଉଦ୍ୟମ କଲେ ।

 

ଉଇଲିୟମ୍‍ଙ୍କ ରାଜତ୍ୱର ଅନ୍ୟ ଏକ ଅର୍ଥନୈତିକ ଅଗ୍ରଗତିଥିଲା । ଜାତୀୟ ବ୍ୟାଙ୍କ୍‍ର ପ୍ରତିଷ୍ଠା ଏହା ୧୬୯୪ ଖ୍ରୀ:ରେ ପ୍ରତିଷ୍ଠିତ ହେଲା । ଲୋକେ ଉପଯୁକ୍ତ ସୁଧ ପାଇ ଏଥିରେ ଅର୍ଥବିନିଯୋଗ କଲେ ଏବଂ ଏହା ସରକାରଙ୍କ ଜାତୀୟ ଯୋଜନାକୁ କାର୍ଯ୍ୟକାରୀ କରିବାପାଇଁ ସାହାଯ୍ୟ କଲା । ଏହା ନୋଟ୍ ପ୍ରଭୃତି ମଧ୍ୟ ପ୍ରଚଳନ କରିପାରିଲା । ଏହାଫଳରେ ପରବର୍ତ୍ତୀ ଶତକରେ ଇଂଲଣ୍ଡର ବାଣିଜ୍ୟ ତଥା ସାମ୍ରାଜ୍ୟ ଅଭିବୃଦ୍ଧିର ସୁଦୃଢ଼ ଭିତ୍ତି ସ୍ଥାପିତ ହେଲା ।

 

ତୃତୀୟ ଉଇଲିୟମ୍‍ଙ୍କ ବୈଦେଶିକ ନୀତି

 

ତୃତୀୟ ଉଇଲିୟମ୍‍ଙ୍କ ପୂର୍ବରୁ ଇଂଲଣ୍ଡର ବୈଦେଶିକ ନୀତି ବିଶେଷତଃ ଫ୍ରାନ୍‌ସଦ୍ୱାରା ନିୟନ୍ତ୍ରିତ ହେଉଥିଲା । ଷ୍ଟୁଆର୍ଟ ରାଜାମାନେ ରୋମାନ୍‌ କାଥଲିକ୍ ଥିଲେ ଏବଂ କାଥଲିକ୍‍ ରାଜ୍ୟ ଫ୍ରାନ୍‌ସ ପ୍ରତି ଅନୁରକ୍ତ ଥିଲେ । ଇଂଲଣ୍ଡର ପ୍ରଜାକୁଳ ପ୍ରୋଟେଷ୍ଟାଣ୍ଟ୍‍ ଥିଲେ । ତେଣୁ ରାଜା ଓ ପ୍ରଜାଙ୍କ ମଧ୍ୟରେ ଅର୍ଥାତ୍‌ ରାଜା ଓ ପାର୍ଲିଆମେଣ୍ଟ୍‍ ମଧ୍ୟରେ ସଦ୍‌ଭାବ ନଥିଲା ଏବଂ ଅନେକ ସମୟରେ ପାର୍ଲିଆମେଣ୍ଟ୍‍ ରାଜାଙ୍କୁ ଅର୍ଥ ଅନୁମୋଦନ କରିବାପାଇଁ ଅନିଚ୍ଛା ପ୍ରକାଶ କରୁଥିଲା । ମାତ୍ର ଷ୍ଟୁଆର୍ଟ ରାଜାମାନେ ଫ୍ରାନ୍‌ସଠାରୁ ବିପୁଳ ଅର୍ଥ ସାହାଯ୍ୟ ଲାଭକରି ଆସୁଥିଲେ । ଉଇଲିୟମ୍‍ଙ୍କ ସିଂହାସନ ଆରୋହଣ ପରେ ଇଂଲଣ୍ଡର ବୈଦେଶିକ ବ୍ୟାପାରରେ ଏକ ବିରାଟ ପରିବର୍ତ୍ତନ ଦେଖାଦେଲା । ଉଇଲିୟମ୍‍ ଥିଲେ ଫରାସୀରାଜା ଚତୁର୍ଦ୍ଦଶଲୁଇଙ୍କ ପରମ ଶତ୍ରୁ । ଲୁଇଙ୍କର ଆକ୍ରମଣାତ୍ମକ ବୈଦେଶିକ ନୀତିର ବିରୁଦ୍ଧରେ ଉଇଲିୟମ୍ ଅବିଚ୍ଛିନ୍ନଭାବେ ଲଢ଼ି ଆସୁଥିଲେ । ଏଥିପାଇଁ ସେ ତାଙ୍କର ସୁଖ, ସମ୍ପତ୍ତି, ସ୍ୱାସ୍ଥ୍ୟ ପ୍ରଭୃତିକୁ ଜଳାଞ୍ଜଳି ଦେଇଥିଲେ । ହଲାଣ୍ଡର ରାଜା ଥିବାସମୟରେ ଉଇଲିୟଙ୍କ କେତେକ ଇଉରୋପୀୟ ଶକ୍ତିଙ୍କୁ ନେଇ ଏଥିପାଇଁ ଏକ ମେଣ୍ଟ ଗଢ଼ିଥିଲେ । ଏହା ଅଉଗସ୍‌ବୁର୍ଗମେଣ୍ଟ ନାମରେ ଅଭିହିତ ଥିଲା । ଏହାର ସଦସ୍ୟ ଥିଲେ ପବିତ୍ର ରୋମ ସାମ୍ରାଜ୍ୟ, ହଲାଣ୍ଡ ଓ କେତେକ ଜର୍ମାନ୍‌ ରାଜ୍ୟ । ଇଂଲଣ୍ଡ ରାଜସିଂହାସନ ଲାଭକଲା ପରେ ଉଇଲିୟମ୍‍ ସେ ଦେଶକୁ ମଧ୍ୟ ଏହାର ଏକ ସଦସ୍ୟ କରାଇ ନେଲେ । ଇଂଲଣ୍ଡ ଓ ଫ୍ରାନ୍‌ସ ମଧ୍ୟରେ ଶତ୍ରୁତାର ଅଭିବୃଦ୍ଧି ତାଙ୍କର ଲକ୍ଷ୍ୟଥିଲା । ସେଥିପାଇଁ ଦ୍ୱିତୀୟ ଜେମ୍‍ସ୍‌ ଫ୍ରାନ୍‌ସକୁ ପଳାୟନ କରନ୍ତୁ ବୋଲି ତାଙ୍କର ଆନ୍ତରିକ ଇଚ୍ଛା ଥିଲା ।

 

ଫ୍ରାନ୍‌ସ ତା’ର ପୂର୍ବସୀମାକୁ ପ୍ରାଚୀନଗର ସାମ୍ରାଜ୍ୟର ସୀମାରେଖା ରାଇନ୍‌ନଦୀ ପର୍ଯ୍ୟନ୍ତ ବିସ୍ତାର କରିବାପାଇଁ ଚାହିଁଥିଲା । ଏଥିପାଇଁ ତାକୁ ଦକ୍ଷିଣ–ପୂର୍ବରେ ଜର୍ମାନ୍‌ ରାଜ୍ୟମାନଙ୍କ ସହ ଏବଂ ଉତ୍ତର–ପୂର୍ବରେ ନେଦରଲାଣ୍ଡ୍ ସହ ସଂଘର୍ଷରେ ଲିପ୍ତ ହେବାକୁ ପଡ଼ିଲା । ନେଦରଲାଣ୍ଡ୍ ଏହି ସମୟରେ ମୁଖ୍ୟତଃ ଦୁଇଟି ଅଂଶରେ ବିଭକ୍ତ ଥିଲା । ଏହାର ଏକ ଅଂଶ ହଲାଣ୍ଡ ବା ଯୁକ୍ତପ୍ରଦେଶ ନାମରେ ସ୍ୱାଧୀନଥିଲା ଏବଂ ଅନ୍ୟ ଅଂଶ ଅର୍ଥାତ୍‌ ଅଧୁନାତନ ବେଲଜିୟମ ସ୍ପେନ୍‍ର ଅଧୀନ ଥିଲା । ଫ୍ରାନ୍‍ସ ଓ ସ୍ପେନୀୟ ନେଦରଲାଣ୍ଡ୍‍ (ବେଲଜିୟମ) ମଧ୍ୟରେ ନଦୀ ବା ପର୍ବତଭଳି କୌଣସି ପ୍ରାକୃତିକ ସୀମାରେଖା ନଥିଲା । ତେବେ ଦୁଇଦେଶ ମଧ୍ୟରେ ନିରବଚ୍ଛିନ୍ନଭାବେ କେତେକ ଦୁର୍ଗ ନିର୍ମିତ ଥିଲା ଏବଂ ତାହା ସୀମାଦୁର୍ଗ ନାମରେ ପ୍ରଖ୍ୟାତ ଥିଲା । ଫ୍ରାନ୍‌ସ ଆଗକୁ ମାଡ଼ିଯାଇ ଏହି ଦୁର୍ଗମାନଙ୍କୁ ଗୋଟିକ ପରେ ଗୋଟିଏ ଅଧିକାର କରି ନେଉଥିଲା । ଫଳରେ ବେଲଜିୟମ୍‌ ଓ ହଲାଣ୍ଡ ପ୍ରମାଦ ଗଣିଲେ । ହଲାଣ୍ଡର ସ୍ୱାଧୀନତା ସହ ଇଂଲଣ୍ଡର ଭାଗ୍ୟ ସଂଯୁକ୍ତଥିଲା । ଫରାସୀମାନେ ଉତ୍ତର ସାଗରକୁ ପ୍ରବେଶପଥ ପାଇଲେ ଇଂଲଣ୍ଡର ସାମୁଦ୍ରିକ ପ୍ରତିଷ୍ଠା ତଥା ଜାତୀୟ ନିରାପତ୍ତାକୁ ବିପନ୍ନ କରିବେ ବୋଲି ଆଶଙ୍କା କରାଗଲା । ତେଣୁ ଏହାର ପ୍ରତିରୋଧ ପାଇଁ ଇଂଲଣ୍ଡ ପ୍ରସ୍ତୁତ ରହିଲା ।

 

ଇଂଲଣ୍ଡ ଓ ଫ୍ରାନ୍‌ସ ମଧ୍ୟରେ ଯୁଦ୍ଧର ପ୍ରତ୍ୟକ୍ଷ କାରଣ ଥିଲା ଦ୍ୱିତୀୟ ଜେମ୍‍ସ୍‌ଙ୍କ ଫ୍ରାନ୍‌ସକୁ ପଳାୟନ । ଚତୁର୍ଦ୍ଦଶ ଲୁଇ ଜେମ୍‍ସ୍‌ଙ୍କୁ ଆଶ୍ରୟ ପ୍ରଦାନ କରି ଇଂଲଣ୍ଡର ରାଜସିଂହାସନ ପାଇଁ ତାଙ୍କର ଦାବିକୁ ସମର୍ଥନ କଲେ । ଇଂଲଣ୍ଡ ଏଥିରେ ଉତ୍ୟକ୍ତ ହୋଇ ୧୬୮୯ ଖ୍ରୀ: ଏପ୍ରିଲ ମାସରେ ଫ୍ରାନ୍‌ସ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲା । ଏହି ଯୁଦ୍ଧରେ ଅଉଗ୍‌ସ୍‌ବୁର୍ଗ ମେଣ୍ଟର ଦେଶଗୁଡ଼ିକ ଯୋଗ ଦେଇଥିଲେ ବୋଲି ଏହାକୁ ଅଉଗସ୍‌ବୁର୍ଗ ମେଣ୍ଟର ସମର ନାମରେ ଅଭିହିତ କରାଯାଇଥାଏ । ଅନ୍ୟ ପକ୍ଷରେ ଏହା ଇଂଲଣ୍ଡର ରାଜସିଂହାସନ ନେଇ ଦ୍ୱିତୀୟ ଜେମ୍‍ସ୍ ଓ ତୃତୀୟ ଉଇଲିୟମ୍‍ଙ୍କ ମଧ୍ୟରେ ଏକ ସାମରିକ ସମାଧାନ ପାଇଁ ସଂଘଟିତ ହୋଇଥିବାରୁ ଏହାକୁ ଇଂଲଣ୍ଡୀୟ ଉତ୍ତରାଧିକାରୀ ସମର ବୋଲି ମଧ୍ୟ କୁହାଯାଏ ।

 

ଯୁଦ୍ଧର ପ୍ରଥମ ଦୁଇବର୍ଷ ଅର୍ଥାତ୍‌ ୧୬୮୯ ଓ ୧୬୯୦ ଖ୍ରୀ:ରେ ଇଂଲଣ୍ଡର ସାମରିକ କ୍ରିୟାକଳାପ ବିଶେଷତଃ ସ୍କଟ୍‍ଲାଣ୍ଡ୍ ଓ ଆୟାରଲାଣ୍ଡ୍‍ରେ ଆବଦ୍ଧ ହୋଇଥିଲା । ସ୍କଟ୍‍ଲାଣ୍ଡ୍‍ରେ ଦ୍ୱିତୀୟ ଜେମ୍‍ସ୍‌ଙ୍କ ପକ୍ଷରେ ନେତୃତ୍ୱ ନେଇଥିଲେ ଭାଇକାଉଣ୍ଟଡ଼ଣ୍ଡୀ । ସେ ପାହାଡ଼ିଆ ଲୋକଙ୍କୁ ଏକତ୍ରିତ କରି ଶକ୍ତିଶାଳୀ ହୋଇ ଉଠିଥିଲେ । ୧୬୮୯ ଖ୍ରୀ: ଜୁନ୍‍ ମାସରେ କିଲିକ୍ରେଙ୍କଠାରେ ଡଣ୍ଡୀ ଉଇଲିୟମ୍‍ଙ୍କ ସେନାପତି ମାକେ ବିରୁଦ୍ଧରେ ଏକ ତଡ଼ିତ୍‌ ବିଜୟ ହାସଲ କଲେ । ମାତ୍ର ପରିଶେଷରେ ସେ ପରାସ୍ତ ଓ ନିହତ ହେଲେ ଏବଂ ଫଳରେ ସ୍କଟ୍‌ଲାଣ୍ଡ୍‍ର ଯୁଦ୍ଧ ପ୍ରଶମିତ ହେଲା ।

 

ଏହାପରେ ଆୟାରଲାଣ୍ଡ୍‍ରେ ଯୁଦ୍ଧ ଘନୀଭୂତ ହୋଇ ଉଠିଲା । ସେ ଦେଶରେ ଦ୍ୱିତୀୟ ଜେମ୍‍ସ୍‍ଙ୍କ ସେନାଦଳରେ ମୁଖ୍ୟତଃ ଫରାସୀ ସୈନ୍ୟମାନେ ଥିଲେ ଏବଂ ଦଳର ମୁଖ୍ୟ ସେନାପତି ମଧ୍ୟ ଜଣେ ଫରାସୀବ୍ୟକ୍ତି ଥିଲୋ । ତା’ଛଡ଼ା ଜେମ୍‍ସ୍‌ ଆୟାରଲାଣ୍ଡ୍‍ର କାଥଲିକ୍‍ମାନଙ୍କର ମଧ୍ୟ ସମର୍ଥନ ଲାଭ କରିଥିଲେ । ତେଣୁ ପରିସ୍ଥିତି ଉଇଲିୟମ୍‍ଙ୍କ ପାଇଁ ଅନୁକୂଳ ନଥିଲା । ମାତ୍ର ଉଇଲିୟମ୍‍ ନିଜେ ଯୁଦ୍ଧକ୍ଷେତ୍ରରେ ଅବତୀର୍ଣ୍ଣ ହୋଇ ୧୬୯୦ ଖ୍ରୀ: ଜୁଲାଇ ମାସର ପ୍ରଥମ ଦିବସରେ ବୟନୀ ନଦୀକୂଳରେ ଏକ ଚମତ୍କାର ବିଜୟ ହାସଲ କଲେ । ତାଙ୍କର ଇଂରେଜ ସେନାପତି ଜନ ଚର୍ଚ୍ଚିଲ, କର୍କ ଓ କିନ୍‌ସେଲ୍‌ ଅଧିକାର କଲେ ଏବଂ ଡଚ୍ ସେନାପତି ଗିନ୍‌କେଲ ଅଘ୍ରିମ ଯୁଦ୍ଧରେ ବିପୁଳ ବିଜୟଲାଭ କଲେ । ପରିଶେଷରେ କାଥଲିକ୍‍ ଦୁର୍ଗ ଲିମେରିକ୍‌ର ପତନ ସହ ଆୟାରଲାଣ୍ଡ୍‍ରେ ଜେମ୍‍ସ୍‍ଙ୍କ ସେନାବାହିନୀର ପତନ ହେଲା । ତେବେ ବୟନୀ ଯୁଦ୍ଧର ଗୋଟିଏ ଦିନ ପୂର୍ବରୁ ଫ୍ରାନ୍‌ସର ସୁଦକ୍ଷ ନୌସେନାପତି ତ୍ୱରଭିଇ ବିଚିହେଡ଼ଠାରେ ଏକ ସାମୁଦ୍ରିକ ଯୁଦ୍ଧରେ ଡଚ୍ ଓ ଇଂରେଜମାନଙ୍କ ମିଳିତ ନୌସେନାକୁ ଶୋଚନୀୟଭାବେ ପରାସ୍ତ କରିଥିଲେ । ଏହି ଯୁଦ୍ଧରେ ଉଇଲିୟମ୍‍ଙ୍କ ନୌସେନାପତି ଥିଲେ ଲର୍ଡ଼ ଟୋରିଙ୍ଗଟନ । ସେ ତାଙ୍କର ଏକମାତ୍ର ଚକ୍ଷୁରେ (ଅନ୍ୟ ଚକ୍ଷୁଟି ସେ ଏକ ବିସ୍ଫୋରଣରେ ହରାଇଥିଲେ) ଫରାସୀମାନଙ୍କର ୮୦ ଗୋଟି ଜାହାଜ ଗଣନା କରିଥିଲେ । ତାଙ୍କର ଜାହାଜର ସଂଖ୍ୟାଥିଲା ୫୦ । ତେଣୁ ସେ ଯୁଦ୍ଧ ଆରମ୍ଭ କରିବାକୁ ଅନିଚ୍ଛୁକ ଥିଲେ । ମାତ୍ର ସରକାରଙ୍କଠାରୁ ଦୃଢ଼ ନିର୍ଦ୍ଦେଶ ପାଇ ସେ ବାଧ୍ୟହୋଇ ଯୁଦ୍ଧକରି ପରାସ୍ତ ହେଲେ ।

 

ଏହାପରେ ୧୬୯୨ ଖ୍ରୀ:ରେ ଇଂରେଜ ନୌ ସେନାପତି ରସେଲ ଲା ହୋଗ୍‌ ଯୁଦ୍ଧରେ ଫରାସୀ ସେନାପତି ତ୍ୱରଭିଇଙ୍କୁ ପରାସ୍ତକରି ଏକ ବିପୁଳ ବିଜୟ ଲାଭକଲେ । ଇଂଲଣ୍ଡର ଜନସାଧାରଣ ଉଚ୍ଛୃଙ୍ଖଳ ଆନନ୍ଦରେ ରସେଲଙ୍କ ବିଜୟଙ୍କୁ ସ୍ୱାଗତ କଲେ । ମାକାଲେ ଲେଖିଛନ୍ତି, ‘‘ଅନେକ ଦିନ ପର୍ଯ୍ୟନ୍ତ ଲଣ୍ଡନର ଘଣ୍ଟି ଅନବରତ ବାଜି ଉଠୁଥିଲା । ଗିର୍ଜାମାନଙ୍କର ଶିଖରରେ ବିଜୟ କେତନ ଉଡ଼ୁଥିଲା । ପ୍ରତ୍ୟେକ ବାତାୟନରେ ପ୍ରଦୀପ ପଂକ୍ତି ସଜ୍ଜିତ ହୋଇଥିଲା । ସ୍ଥାନେ ସ୍ଥାନେ ଆମୋଦାଗ୍ନି ଜଳି ଉଠୁଥିଲା । ତିନିଜଣ ଲର୍ଡ଼ ୩୭,୦୦୦ ପାଉଣ୍ଡର ମୁଦ୍ରା ନାବିକମାନଙ୍କ ମଧ୍ୟରେ ବିତରଣ କରିଦେଲେ ।’’*

 

୧୬୯୩ ଖ୍ରୀ:ରେ ଉଇଲିୟମ୍‍ ନିର୍‌ଉଇଣ୍ଡେନ ଯୁଦ୍ଧରେ ପରାସ୍ତ ହେଲେ । ମାତ୍ର ଏହାପରେ ସେ ଅସୀମ ସାହସ ଓ ଧୈର୍ଯ୍ୟ ପ୍ରଦର୍ଶନ କରି ଶେଷରେ ସ୍ପେନୀୟ ନେଦରଲାଣ୍ଡ୍‍ର ଅଭେଦ୍ୟ ଦୁର୍ଗ ନାମୁର ଅଧିକାର କଲେ । ଯୁଦ୍ଧ ପୁଣି କିଛିକାଳ ଚାଲିଲା । ଚତୁର୍ଦ୍ଦଶ ଲୁଇ ଇଂଲଣ୍ଡ, ସ୍ପେନ୍‍, ପବିତ୍ର ରୋମ ସାମ୍ରାଜ୍ୟ ତଥା ଜର୍ମାନ୍‌ ରାଜ୍ୟଗୁଡ଼ିକର ଶକ୍ତିଶାଳୀ ମେଣ୍ଟର ସମ୍ମୁଖୀନ ହୋଇ ହତୋତ୍ସାହ ହୋଇ ପଡ଼ିଲେ । ଅବଶେଷରେ ୧୬୯୭ ଖ୍ରୀ:ରେ ଉଭୟ ପକ୍ଷ ମଧ୍ୟରେ ଏକ ଶାନ୍ତିଚୁକ୍ତି ସ୍ୱାକ୍ଷରିତ ହେଲା । ତାହା ରିସଉଇକ୍‌ ସନ୍ଧି ନାମରେ କଥିତ । ଏହାଫଳରେ ଚତୁର୍ଦ୍ଦଶ ଲୁଇ ତୃତୀୟ ଉଇଲିୟମ୍‍ଙ୍କୁ ରାଜାରୂପେ ସ୍ୱୀକୃତି ପ୍ରଦାନ କଲେ ଏବଂ ଷ୍ଟ୍ରାସବର୍ଗ ବ୍ୟତୀତ ୧୬୭୮ ଖ୍ରୀ:ରୁ ସେ ଜୟକରିଥିବା ସମସ୍ତ ରାଜ୍ୟ ପରିତ୍ୟାଗ କଲେ । ଇଂରେଜମାନେ ଏହି ଯୁଦ୍ଧରେ କେତେକ ସୁଫଳ ଲାଭକଲେ । ଏତଦ୍ଦ୍ୱାରା ସମୁଦ୍ରରେ ସେମାନଙ୍କ ପ୍ରଭାବ ବୃଦ୍ଧି ପାଇଲା । ଉଇଲିୟମ୍‍ଙ୍କ ନେତୃତ୍ୱରେ ସେମାନେ ସାମରିକ ଅଭିଜ୍ଞତା ଲାଭକଲେ ଏବଂ ଅବଶେଷରେ ଚତୁର୍ଦ୍ଦଶ ଲୁଇଙ୍କ ପ୍ରତିଷ୍ଠା କ୍ଷୁଣ୍ଣ କରି ଇଂଲଣ୍ଡର ଜାତୀୟ ମର୍ଯ୍ୟାଦାର ବୃଦ୍ଧିକଲେ ।

 

ସ୍ପେନୀୟ ଉତ୍ତରାଧିକାରୀ ସମର

 

ତୃତୀୟ ଉଇଲିୟମ୍‍ଙ୍କ ରାଜତ୍ୱରେ ଶେଷବେଳକୁ ଇଂଲଣ୍ଡ ଏବଂ ଫ୍ରାନ୍‌ସ ମଧ୍ୟରେ ଆଉ ଏକ ଯୁଦ୍ଧ ଅନିବାର୍ଯ୍ୟ ହୋଇ ପଡ଼ିଥିଲା । ଏହା ‘ସ୍ପେନୀୟ ଉତ୍ତରାଧିକାରୀ ସମର’ ନାମରେ ଅଭିହିତ । ଏହି ସମୟରେ ସ୍ପେନ୍‍ ଏକ ସମୃଦ୍ଧିଶାଳୀ ରାଜ୍ୟଥିଲା । ସ୍ପେନ୍‍ ଦେଶ ବ୍ୟତୀତ ସ୍ପେନୀୟ ନେଦରଲାଣ୍ଡ୍, ମିଲାନ ଓ ନେପଲ୍‌ସ, ସିସିଲି ଓ ସାର୍ଡ଼ିନିଆ ଏବଂ ପଶ୍ଚିମ ଭାରତୀୟ ଦୀପପୁଞ୍ଜ ତଥା ଦକ୍ଷିଣ ଆମେରିକାର ସୁବିସ୍ତୃତ ଅଞ୍ଚଳ ଏହାର ଅନ୍ତର୍ଗତ ଥିଲା । ସ୍ପେନ୍‍ର ରାଜା ଦ୍ୱିତୀୟ ଚାର୍ଲସ୍‍ ଅର୍ଦ୍ଧ ପାଗଳ ତଥା ଅତ୍ୟନ୍ତ ରୁଗ୍‌ଣଥିଲେ । ମାକାଲେଙ୍କ ଭାଷାରେ ସେ ଏତେ ଦୁର୍ବଳ ହୋଇ ପଡ଼ିଥିଲେ ଯେ ତାଙ୍କର ବିକୃତ ମୁଖ ପର୍ଯ୍ୟନ୍ତ ଖାଦ୍ୟ ଉଠାଇ ନେବାପାଇଁ ମଧ୍ୟ ତାଙ୍କର ଶକ୍ତି ନଥିଲା । ତାଙ୍କର ପୁତ୍ର କିମ୍ବା ଭ୍ରାତା ନଥିଲେ । ତେଣୁ ତାଙ୍କର ଆସନ୍ନ ମୃତ୍ୟୁପରେ ସେହି ସୁବିସ୍ତୃତ ସାମ୍ରାଜ୍ୟର ଉତ୍ତରାଧିକାରୀ କିଏ ହେବେ ବୋଲି ସମସ୍ତେ ଉତ୍ସୁକ ଥିଲେ । ଦ୍ୱିତୀୟ ଚାର୍ଲସ୍‍ଙ୍କ ପିତା ଚତୁର୍ଥ ଫିଲିପ୍‍ଙ୍କର ଦୁଇଟି ଭଉଣୀଥିଲେ–ଆନି ଓ ମେରିଆ । ଆନି ଫ୍ରାନ୍‌ସର ରାଜା ତ୍ରୟୋଦଶ ଲୁଇଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କ ସନ୍ତାନ ଥିଲେ ଚତୁର୍ଦ୍ଦଶ ଲୁଇ । ମେରିଆ ଅଷ୍ଟ୍ରିଆର ରାଜା ତୃତୀୟ ଫାର୍ଡ଼ିନେଣ୍ଡଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କ ସନ୍ତାନ ଥିଲେ ପ୍ରଥମ ଲିଓପୋଲ୍‍ଡ଼ । ଦ୍ୱିତୀୟ ଚାର୍ଲସ୍‍ଙ୍କ ମଧ୍ୟ ଦୁଇଟି ଭଉଣୀଥିଲେ–ମେରିଆ ଥେରେସା ଓ ମାର୍ଗାରେଟ ଥେରେସା । ମେରିଆ ଥେରେସା ଚତୁର୍ଦ୍ଦଶ ଲୁଇଙ୍କୁ ଓ ମାର୍ଗାରେଟ୍‍ ଥେରେସା ପ୍ରଥମ ଲିଓପୋଲ୍‌ଡ଼ଙ୍କୁ ବିବାହ କଲେ । ସୁତରାଂ ଫ୍ରାନ୍‌ସ କିମ୍ବା ଅଷ୍ଟ୍ରିଆ ରାଜବଂଶ ସ୍ପେନୀୟ ସାମ୍ରାଜ୍ୟର ଅଧିକାରୀ ହେବେ ବୋଲି ନିଶ୍ଚିତ ଥିଲା । ମାତ୍ର ଚତୁର୍ଦ୍ଦଶ ଲୁଇ ବା ପ୍ରଥମ ଲିଓପୋଲ୍‌ଡ଼ କିମ୍ବା ସେମାନଙ୍କ ଜ୍ୟେଷ୍ଠ ସନ୍ତାନ ଏହା ଲାଭକଲେ ଇଉରୋପୀୟ ରାଜନୀତିର ଭାରସାମ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା କରାଗଲା ଏବଂ ତାହା କେହି ଚାହୁଁ ନଥିଲେ । ଏହା ଇଉରୋପରେ ଏକ ଆଲୋଡ଼ନ ସୃଷ୍ଟିକଲା । ଇଂଲଣ୍ଡର ରାଜା ତୃତୀୟ ଉଇଲିୟମ୍‍ ଚତୁର୍ଦ୍ଦଶ ଲୁଇଙ୍କ ସହ ଏ ବିଷୟରେ ଏକ ଚୁକ୍ତି ସଂପାଦନ କରିବାପାଇଁ ବ୍ୟଗ୍ର ହେଲେ । ଏଥିପାଇଁ ସେମାନେ ଦ୍ୱିତୀୟ ଚାର୍ଲସ୍‍ କିମ୍ବା ତାଙ୍କର ମନ୍ତ୍ରୀମାନଙ୍କ ସହ ମନ୍ତ୍ରଣା କରିବାପାଇଁ ଆବଶ୍ୟକ ମନେକଲେ ନାହିଁ । ସେ ଯାହାହେଉ ୧୬୯୮ ଖ୍ରୀ: ଅକ୍ଟୋବର ମାସରେ ଉଭୟ ରାଜା ଏକ ଚୁକ୍ତିରେ ସ୍ୱାକ୍ଷର କଲେ । ଏହାଦ୍ୱାରା ପ୍ରଥମ ଲିଓପୋଲ୍‌ଡ଼ଙ୍କ ପୌତ୍ର ବାଭେରିଆର ରାଜକୁମାର ଜୋସେଫ୍‌ଙ୍କୁ ସ୍ପେନ୍‍ ରାଜସିଂହାସନ ଅର୍ପଣ କରିବା ସକାଶେ ସ୍ଥିରହେଲା । ଏହା ପ୍ରଥମ ବିଭକ୍ତୀକରଣ ଚୁକ୍ତି ନାମରେ ଅଭିହିତ ହୋଇଥାଏ ।

 

*‘‘During several days the bells of London pealed without ceasing. Flags were flying on all the steeples. Robes of candles were in all the windows Bonfires were at all the corners of the streets. And three Lords took down with them $ 37,000 in coin to distribute among the sailors.’’

 

ଦୁର୍ଭାଗ୍ୟବଶତଃ ୧୬୯୯ ଖ୍ରୀ: ଫେବୃୟାରୀ ମାସରେ ରାଜକୁମାର ଜୋସେଫଙ୍କ ବସନ୍ତ ରୋଗରେ ମୃତ୍ୟୁ ହେଲା । ତେଣୁ ତୃତୀୟ ଉଇଲିୟମ୍‍ ଓ ଚତୁର୍ଦ୍ଦଶ ଲୁଇ ପୁଣି ଥରେ ମିଳିତ ହୋଇ ୧୭୦୦ ଖ୍ରୀ: ଫେବୃୟାରୀ ମାସରେ ଦ୍ୱିତୀୟ ବିଭକ୍ତୀକରଣ ଚୁକ୍ତି ସମ୍ପାଦନ କଲେ । ଏହାଦ୍ୱାରା ଲିଓପୋଲ୍‍ଡ଼ଙ୍କ ଦ୍ୱିତୀୟ ପୁତ୍ର ଆର୍ଚ୍ଚ ଡ୍ୟୁକ ଚାର୍ଲସ୍‍ଙ୍କୁ ସ୍ପେନ୍‍ ରାଜ୍ୟ ପ୍ରଦାନ କରିବାପାଇଁ ଏବଂ ଚତୁର୍ଦ୍ଦଶ ଲୁଇଙ୍କ ପୁତ୍ର ଲୁଇ ଡଫିନ୍‌ଙ୍କୁ ନେପଲସ ଓ ମିଲାନ ଅର୍ପଣ କରିବାପାଇଁ ସ୍ଥିର ହେଲା-। ସ୍ପେନ୍‍ର ରାଜା ଦ୍ୱିତୀୟ ଚାର୍ଲସ୍‍ ଏହି ଚୁକ୍ତି ବିଷୟରେ ଅବହିତ ହେଲାପରେ କ୍ରୋଧାନ୍ଧ ହୋଇ ପଡ଼ିଲେ । କଥିତ ଅଛି ଯେ ତାଙ୍କ ରାଣୀ କ୍ରୋଧରେ ଜର୍ଜରିତା ହୋଇ ଶୟନ କକ୍ଷର ବହୁ ମହାର୍ଘ୍ୟ ସାଜସରଞ୍ଜାମ ନଷ୍ଟ କରିଦେଲେ । ସେହି ବର୍ଷ ନଭେମ୍ବର ମାସରେ ଚାର୍ଲସ୍‍ଙ୍କ ଦେହାନ୍ତ ହେଲା-। ମୃତ୍ୟୁ ପୂର୍ବରୁ ସେ ଲୁଇ ଡଫିନଙ୍କ ଦ୍ୱିତୀୟ ପୁତ୍ର ଡ୍ୟୁକ ଅଫ୍‌ ଅଞ୍ଜୁ (ଫିଲିପ୍)ଙ୍କୁ ତାଙ୍କର ସମଗ୍ର ରାଜ୍ୟ ଉଇଲ୍ କରିଦେଲେ ।

 

ଚତୁର୍ଦ୍ଦଶ ଲୁଇ ଉକ୍ତ ଉଇଲ୍‍କୁ ଗ୍ରହଣ କରି ନେଲେ । ମାତ୍ର ସମଗ୍ର ସ୍ପେନ୍‍ ସାମ୍ରାଜ୍ୟକୁ ଫ୍ରାନ୍‌ସର ଅଧୀନରେ ଛାଡ଼ିଦେବା ପାଇଁ ଇଂଲଣ୍ଡ କିମ୍ବା ଅଷ୍ଟ୍ରିଆ ପ୍ରସ୍ତୁତ ନଥିଲେ । ତେଣୁ ଇଂଲଣ୍ଡ ଓ ଫ୍ରାନ୍‌ସ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଲା । ଏହି ସମୟରେ ଚତୁର୍ଦ୍ଦଶ ଲୁଇ ଫ୍ରାନ୍‌ସ ଓ ସ୍ପେନୀୟ ନେଦରଲାଣ୍ଡ୍ ମଧ୍ୟରେ ଥିବା ସୀମା ଦୁର୍ଗଗୁଡ଼ିକୁ ଅଧିକାର କରିଦେବା ପାଇଁ ଉଦ୍ୟମ କଲେ । ତାଙ୍କର ଆକ୍ରମଣାତ୍ମକ କାର୍ଯ୍ୟକଳାପ ଇଉରୋପ ଓ ଇଂଲଣ୍ଡରେ ଉତ୍ତେଜନା ସୃଷ୍ଟି କଲା । ଚତୁର୍ଦ୍ଦଶ ଲୁଇ ତାଙ୍କର ଦ୍ୱିତୀୟ ପୌତ୍ର ଫିଲିପ୍‍ଙ୍କୁ ନିଜର ଉତ୍ତରାଧିକାରୀ କରିବାପାଇଁ ଉଦ୍ୟମ କଲେ । ଫିଲିପ୍‍ଙ୍କ ଜ୍ୟେଷ୍ଠ ଭ୍ରାତା ରୁଗ୍‌ଣ ଥିଲେ ଏବଂ ସେ ଅଧିକ କାଳ ବଞ୍ଚି ପାରିବେ ନାହିଁ ବୋଲି ଆଶଙ୍କା କରାଯାଉଥିଲା । ଫଳରେ ଫିଲିପ୍‌ ସମଗ୍ର ଫ୍ରାନ୍‌ସ ଓ ସ୍ପେନ୍‍ର ଉତ୍ତରାଧିକାରୀ ହେବେ ବୋଲି ନିଶ୍ଚିତ ଥିଲା । ଏହା ଇଉରୋପର ରାଜନୈତିକ ଭାରସାମ୍ୟ ପାଇଁ ବିପଦ ହେଲା । ଏହି ସମୟରେ ୧୭୦୧ ଖ୍ରୀ:ରେ ଦ୍ୱିତୀୟ ଜେମ୍‍ସ୍‍ଙ୍କ ମୃତ୍ୟୁ ହେଲା । ଏହାପରେ ଚତୁର୍ଦ୍ଦଶ ଲୁଇ ଜେମ୍‍ସ୍‍ଙ୍କ ପୁତ୍ର ତୃତୀୟ ଜେମ୍‍ସ୍‍ଙ୍କ ଇଂଲଣ୍ଡ ସିଂହାସନ ପାଇଁ ଦାବିକୁ ସମର୍ଥନ କଲେ । ଏହାଦ୍ୱାରା ସେ ରିସ୍‌ଉଇକ୍‌ ଚୁକ୍ତିର ବିରୁଦ୍ଧାଚରଣ କଲେ । ଇଂଲଣ୍ଡ ପକ୍ଷରେ ଏହା ଅସହ୍ୟ ଥିଲା । ଆଉ କାଳ ବିଳମ୍ବ ନକରି ଫ୍ରାନ୍‍ସ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବାପାଇଁ ଦେଶର ଚାରିଆଡ଼େ ଦାବି ହେଲା । ଉଇଲିୟମ୍‍ ଏହାହିଁ ଚାହୁଁଥିଲେ ମାତ୍ର ଯୁଦ୍ଧ ଘୋଷିତ ହେବା ପୂର୍ବରୁ ତାଙ୍କର ଆକସ୍ମିକ ମୃତ୍ୟୁ ହେଲା-। ଅଶ୍ୱ ପୃଷ୍ଠରୁ ପଡ଼ିଯାଇ ସେ ଏକ ମାରାତ୍ମକ ଆଘାତ ପାଇଲେ ଏବଂ ତାହା ୧୭୦୨ ଖ୍ରୀ: ମାର୍ଚ୍ଚ ୮ ତାରିଖରେ ତାଙ୍କର ମୃତ୍ୟୁର କାରଣ ହେଲା ।

 

ତୃତୀୟ ଉଇଲିୟମ୍‍ ତତ୍କାଳୀନ ଇଉରୋପର ଜଣେ ଅନ୍ୟତମ ଯୋଦ୍ଧା ଓ ପ୍ରବୀଣ ରାଜନୀତିଜ୍ଞ ଥିଲେ ତାଙ୍କ ବଳିଷ୍ଠ ନେତୃତ୍ୱରେ ଇଂଲଣ୍ଡର ପ୍ରଭୃତ ଉନ୍ନତି ସାଧିତ ହୋଇଥିଲା । ଇଂଲଣ୍ଡକୁ ସେ ସ୍ୱେଚ୍ଛାଚାରୀ ରାଜତନ୍ତ୍ର ଶାସନର ଅତ୍ୟାଚାରରୁ ରକ୍ଷା କଲେ ଏବଂ ସେହି ଦେଶରେ ଗଣତନ୍ତ୍ର ଶାସନର ବିକାଶପାଇଁ କ୍ଷେତ୍ର ପ୍ରସ୍ତୁତ କରିଗଲେ । ଦୁର୍ବଳ ସ୍ୱାସ୍ଥ୍ୟ ସତ୍ତ୍ୱେ ତାଙ୍କର ଅକ୍ଳାନ୍ତ ପରିଶ୍ରମ, ବିପଦରେ ତାଙ୍କର ଅସୀମ ଧୈର୍ଯ୍ୟ, ଶାସନ କ୍ଷେତ୍ରରେ ତାଙ୍କର ବିଚକ୍ଷଣତା ଓ ଦୂରଦର୍ଶିତା ଇଂଲଣ୍ଡକୁ ସମୃଦ୍ଧତର କରି ଗଢ଼ିବାରେ ସାହାଯ୍ୟ କରିଥିଲା । ତଥାପି ଉଇଲିୟମ୍‍ ଇଂରେଜ ଜାତିର ପୂର୍ଣ୍ଣ ସମର୍ଥନ ଓ ଶ୍ରଦ୍ଧା ଲାଭ କରି ପାରି ନଥିଲେ । ଲୋକେ ତାଙ୍କୁ ବିଦେଶୀ ବୋଲି ଅବଜ୍ଞା କରୁଥିଲେ ସେମାନଙ୍କ ଏହି ମନୋଭାବ ଯୋଗୁଁ ଉଇଲିୟମ୍‍ ଅନେକ ସମୟରେ ଭାଙ୍ଗିପଡ଼ୁଥିଲେ ଏବଂ ସେ ସିଂହାସନ ପରିତ୍ୟାଗ କରିବାପାଇଁ ଅନେକ ଥର ଚିନ୍ତା କରିଥିଲେ । ତେବେ ତାଙ୍କ ଜୀବନ–ଦୀପ ଲିଭିଯିବା ପୂର୍ବରୁ ଫ୍ରାନ୍‌ସ ବିରୁଦ୍ଧରେ ଯୁଦ୍ଧପାଇଁ ଉଇଲିୟମ୍‍ ସମଗ୍ର ଦେଶର ସମର୍ଥନ ଲାଭ କରି ଶାନ୍ତି ଓ ସନ୍ତୋଷରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ସ୍ପେନୀୟ ଉତ୍ତରାଧିକାରୀ ସମର ନାମରେ ଅଭିହିତ ଏହି ଯୁଦ୍ଧର ପରିଚାଳନା କରିବାର ଭାଗ୍ୟ ତାଙ୍କର ନଥିଲା ।

Image

 

ସ୍ପେନ୍ ରାଜବଂଶ

ଦ୍ୱାଦଶ ଅଧ୍ୟାୟ

ମହାରାଣୀ ଆନି (୧୭୦୬–୧୭୧୪)

 

ତୃତୀୟ ଉଇଲିୟମ୍‍ଙ୍କ ମୃତ୍ୟୁ ପରେ ୧୭୦୬ ଖ୍ରୀ: ମାର୍ଚ୍ଚ ମାସରେ ଆନି ବନ୍ଦୋବସ୍ତ ଆଇନ ବଳରେ ଇଂଲଣ୍ଡ ରାଜସିଂହାସନ ଲାଭକଲେ । ସେ ଥିଲେ ଦ୍ୱିତୀୟ ଜେମ୍‍ସ୍‍ଙ୍କ ଦ୍ୱିତୀୟା କନ୍ୟା ଏବଂ ମେରୀଙ୍କ ଭଉଣୀ । ଧର୍ମ ବିଷୟରେ ସେ ପ୍ରୋଟେଷ୍ଟାଣ୍ଟ୍‍ ଥିଲେ ଏବଂ ଇଂଲଣ୍ଡୀୟ ଚର୍ଚ୍ଚ ପ୍ରତି ତାଙ୍କର ଗଭୀର ଅନୁରାଗ ଥିଲା । ତୃତୀୟ ଉଇଲିୟମ୍‍ ଜଣେ ବିଦେଶୀ ଥିଲେ । ମାତ୍ର ଇଂଲଣ୍ଡ ଆନିଙ୍କର ମାତୃଭୂମି ଥିଲା ଏବଂ ସେ ନିଜ ଧମନୀରେ ଇଂଲଣ୍ଡୀୟ ରକ୍ତ ପ୍ରବାହିତ ହେଉଅଛି ବୋଲି ଗର୍ବ କରି କହୁଥିଲେ । କିନ୍ତୁ ଉଇଲିୟମ୍‍ଙ୍କ ପରି ଆନି ବୁଦ୍ଧିମତୀ ନଥିଲେ । ରାଜନୀତିରେ ତାଙ୍କର ଆଦୌ ପ୍ରବେଶ ନଥିଲା । ଶାସନ କାର୍ଯ୍ୟ ପରିଚାଳନା ପାଇଁ ତାଙ୍କର ଦକ୍ଷତା ନଥିଲା । ଏହାଛଡ଼ା ତାଙ୍କ ରୁଗ୍‌ଣସ୍ୱାସ୍ଥ୍ୟ ଓ ବାତରୋଗ ଯୋଗୁଁ ସେ ପରିଶ୍ରମ କରିପାରୁ ନଥିଲେ । ଆନି ଡେନ୍‍ମାର୍କର ରାଜକୁମାର ଜର୍ଜଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ଷୋହଳଟି ସନ୍ତାନସନ୍ତତି ଜାତ ହୋଇଥିଲା । କିନ୍ତୁ ସେମାନେ ସମସ୍ତେ ବାଲ୍ୟାବସ୍ଥାରେ ପ୍ରାଣତ୍ୟାଗ କରିଥିଲେ-। ଏହି ଦାରୁଣ ଆଘାତରେ ଆନି ଭାଙ୍ଗି ପଡ଼ିଥିଲେ । ଜର୍ଜଙ୍କ ମୃତ୍ୟୁପରେ ପୁଣିଥରେ ବିବାହ କରିବାପାଇଁ ସେ ରାଜି ହେଲେନାହିଁ । ଆନି ଥିଲେ ଅତ୍ୟଧିକ ଭୋଜନପ୍ରିୟ । ଶିକାର କରିବାକୁ ମଧ୍ୟ ସେ ଖୁବ୍‌ ଭଲ ପାଉଥିଲେ । ସେ ବନ୍ଧୁ ତଥା ଅନୁଚରବର୍ଗଙ୍କ ପ୍ରତି ସ୍ନେହୀ ଓ ଦୟାର୍ଦ୍ର ହୃଦୟାଥିଲେ । ସେମାନଙ୍କ ପ୍ରତି ତାଙ୍କର ଅତ୍ୟଧିକ ବିଶ୍ୱାସଥିଲା । ଏବଂ ଶାସନ କାର୍ଯ୍ୟରେ ସେ ସେମାନଙ୍କଦ୍ୱାରା ବିଶେଷଭାବେ ପ୍ରଭାବିତ ହେଉଥିଲେ । ସିଡ଼ନୀ ଗୋଲ୍‌ଡ଼ଫିନ୍‌, ନଟିଙ୍ଗହାମ୍‌, ରୋଚେଷ୍ଟର, ହାରଲୀ, ସୋମର୍ସ, ହାଲିଫକ୍‌ସ ପ୍ରଭୃତି ଦକ୍ଷ ରାଜନୀତିଜ୍ଞମାନେ ତାଙ୍କର ପ୍ରଥମ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ । ମାତ୍ର ଏହି ସମୟରେ ସବୁଠାରୁ ବେଶୀ ପ୍ରଭାବଶାଳୀ ବ୍ୟକ୍ତିଥିଲେ ସେନାପତି ଜନ୍‌ ଚର୍ଚ୍ଚିଲ ଯେ କି ପରେ ଡ୍ୟୁକ ଅଫ୍‌ ମାର୍ଲବରୋ ନାମରେ ପ୍ରସିଦ୍ଧିଲାଭ କଲେ ।

 

ମାର୍ଲବରୋ ୧୬୫୦ ଖ୍ରୀ:ରେ ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ତାଙ୍କର ସାଧାରଣ ବୁଦ୍ଧି ତଥା ସାମରିକ ପ୍ରତିଭା ଯୋଗୁଁ ସେ ଉତ୍ତରୋତ୍ତର ଉନ୍ନତି କରି ଶେଷରେ ଇଂଲଣ୍ଡର ସର୍ବଶ୍ରେଷ୍ଠ ଶକ୍ତିଶାଳୀ ବ୍ୟକ୍ତି ହୋଇପାରିଲେ । ଦ୍ୱିତୀୟ ଚାର୍ଲସ୍‍ଙ୍କ ରାଜତ୍ୱକାଳରେ ଫରାସୀ ସେନାବାହିନୀର ଜଣେ କର୍ଣ୍ଣେଲରୂପେ ସେ ହଲାଣ୍ଡରେ ଅବସ୍ଥାପିତ ହୋଇଥିଲେ । ମାତ୍ର ତାଙ୍କ ସାମରିକ ପ୍ରତିଭାର ପ୍ରଥମ ପରିଚୟ ମିଳିଥିଲା । ଦ୍ୱିତୀୟ ଜେମ୍‍ସ୍‌ଙ୍କ ରାଜତ୍ୱକାଳରେ ସେ ଜମୁର ରଣକ୍ଷେତ୍ରରେ ତୃତୀୟ ଉଇଲିୟମ୍‍ଙ୍କ ରାଜତ୍ୱର ପ୍ରାରମ୍ଭରେ ସେ ଆୟାରଲାଣ୍ଡ୍‍ରେ ସଫଳତାରସହ ଯୁଦ୍ଧ କରିଥିଲେ । ସାମରିକ କ୍ଷେତ୍ରରେ ତାଙ୍କର କୃତିତ୍ୱ ଯେତେ ଉଜ୍ଜ୍ୱଳ ଥିଲା ରାଜନୀତି କ୍ଷେତ୍ରରେ ତାଙ୍କ ପ୍ରତାରଣା ସେତେ କଳଙ୍କମୟ ଥିଲା । ନିଜର ସ୍ୱାର୍ଥସିଦ୍ଧିପାଇଁ ସେ ଏକାଧିକବାର ଦ୍ୱିତୀୟ ଜେମ୍‌ସ୍ ତଥା ତୃତୀୟ ଉଇଲିୟମ୍‍ଙ୍କ ପ୍ରତି ବିଶ୍ୱାସଘାତକତା କରିଥିଲେ । ସେଥିପାଇଁ ଉଇଲିୟମ୍‍ ୧୬୯୨ ଖ୍ରୀ:ରେ ତାଙ୍କୁ କାର୍ଯ୍ୟରୁ ଅନ୍ତରକଲେ । ପରବର୍ତ୍ତୀ କେତେବର୍ଷ ମାର୍ଲବରୋ ଶୋଚନୀୟ ଜୀବନଯାପନ କରିଥିଲେ । କିନ୍ତୁ ଉଇଲିୟମ୍‍ଙ୍କ ରାଜତ୍ୱର ଶେଷଭାଗରେ ସେ ପୁଣି ସେନାବାହିନୀରେ ଯୋଗଦେଲେ ଏବଂ ଆନିଙ୍କ ରାଜତ୍ୱର ପ୍ରାରମ୍ଭରେ ସଂଘଟିତ ହୋଇଥିବା ସ୍ପେନୀୟ ଉତ୍ତରାଧିକାରୀ ସମରରେ ମୁଖ୍ୟ ଭୂମିକା ଗ୍ରହଣ କଲେ । ଉକ୍ତ ଯୁଦ୍ଧରେ ସାମରିକ କୃତିତ୍ୱ ତାଙ୍କୁ ଇଂଲଣ୍ଡ ଇତିହାସରେ ଅମରକରି ରଖିଅଛି । ସେ କୌଣସି ଯୁଦ୍ଧରେ ପରାଜୟ ସ୍ୱୀକାର କରି ନଥିଲେ, କୌଣସି ଦୁର୍ଗର ଅବରୋଧରେ ବିଫଳତାର ସମ୍ମୁଖୀନ ହୋଇ ନଥିଲେ । ଫଳରେ ଆନି ତାଙ୍କପ୍ରତି ଗଭୀର ଅନୁରକ୍ତି ପ୍ରଦର୍ଶନ କରିଥିଲେ । ମାର୍ଲବରୋଙ୍କ ସ୍ତ୍ରୀ ସାରା ମଧ୍ୟ ଏକ ପ୍ରଭାବଶାଳୀ ରମଣୀ ଥିଲେ । ଏବଂ ଆନିଙ୍କସହ ତାଙ୍କର ଗଭୀର ବନ୍ଧୁତା ଥିଲା ।

 

ସ୍ପେନୀୟ ଉତ୍ତରାଧିକାରୀ ସମର

 

ମହାରାଣୀ ଆନିଙ୍କ ରାଜତ୍ୱର ସର୍ବଶ୍ରେଷ୍ଠ ଘଟଣା ଥିଲା ସ୍ପେନୀୟ ଉତ୍ତରାଧିକାରୀ ସମର । ଏଥିରେ ଏକ ପକ୍ଷରେ ଥିଲେ ଇଂଲଣ୍ଡ, ହଲାଣ୍ଡ, ଅଷ୍ଟ୍ରିଆ ଏବଂ ଅଧିକାଂଶ ଜର୍ମାନ ରାଜ୍ୟ ପରେ ପର୍ତ୍ତୁଗାଲ ଓ ସେଭୟ ସେମାନଙ୍କ ସହ ଯୋଗ ଦେଲେ । ଅନ୍ୟ ପକ୍ଷରେ ଥିଲେ ଫ୍ରାନ୍‌ସ, ସ୍ପେନ୍‍ ଓ ବାଭେରିଆ । ପ୍ରଥମ ପକ୍ଷର ଇଚ୍ଛାଥିଲା ଯେ ଫ୍ରାନ୍‌ସର ରାଜା ଚତୁର୍ଦ୍ଦଶ ଲୁଇଙ୍କର ପୌତ୍ର ସ୍ପେନ୍‍ ରାଜସିଂହାସନ ଲାଭ କରନ୍ତୁ । ମାତ୍ର ଏଥିପାଇଁ ସେମାନେ କେତେକ ସର୍ତ୍ତ ରଖିଲେ । ପ୍ରଥମତଃ ସେମାନେ ଫ୍ରାନସ୍‌ ଓ ସ୍ପେନ୍‍ ସାମ୍ରାଜ୍ୟର ଏକତ୍ରୀକରଣର ବିରୁଦ୍ଧରେ ଥିଲେ । ଦ୍ୱିତୀୟତଃ ସ୍ପେନୀୟ ନେଦରଲାଣ୍ଡ୍ (ବେଲଜିୟମ) ଅଷ୍ଟ୍ରିଆର ଅନ୍ତର୍ଗତ ହେଉ ବୋଲି ସେମାନଙ୍କ ଦାବିଥିଲା । ତୃତୀୟତଃ ଇଂରେଜ ଓ ଡଚ୍‍ମାନଙ୍କ ପାଇଁ କେତେକ ବାଣିଜ୍ୟ ସୁବିଧା ସେମାନେ ଚାହିଁଲେ । ମାତ୍ର ଫ୍ରାନ୍‌ସ ଏଥିରେ ରାଜି ହେଲାନାହିଁ । ସୁତରାଂ ୧୭୦୨ ଖ୍ରୀ: ମେ ମାସ ୪ ତାରିଖ ଦିନ ଯୁଦ୍ଧ ଘୋଷିତ ହେଲା । ଇଂରେଜ ସେନାପତି ମାର୍ଲବରୋ ପ୍ରଥମ ପକ୍ଷର ମିଳିତ ସେନା ଦଳର ନେତୃତ୍ୱ ନେଲେ । ତାଙ୍କର ସହଯୋଗୀ ଥିଲେ ଅଷ୍ଟ୍ରିଆର ସେନାପତି ରାଜକୁମାର ଇଉଜେନ । ଏହି ସମୟରେ ସ୍ପେନୀୟ ନେଦରଲାଣ୍ଡ୍ ଫ୍ରାନ୍‌ସର ଅଧୀନରେ ଥିଲା । ଫରାସୀମାନଙ୍କୁ ପ୍ରଥମେ ନେଦରଲାଣ୍ଡ୍‍ରୁ ବହିଷ୍କାର କରି ଫ୍ରାନ୍‌ସର ସୀମାଦୁର୍ଗ ଅଧିକାର କରିବା ଏବଂ ସେ ଦେଶର ଭିତରକୁ ମାଡ଼ିଯିବା ପାଇଁ ମାର୍ଲବରୋ ଲକ୍ଷ୍ୟ ରଖୁଥିଲେ ।

 

ଯୁଦ୍ଧର ପ୍ରଥମ ଦୁଇବର୍ଷ ଅର୍ଥାତ୍‌ ୧୭୦୨ ଓ ୧୭୦୩ ଖ୍ରୀ:ରେ କୌଣସି ବିଶେଷ ଘଟଣା ଘଟି ନଥିଲା । ମାତ୍ର ୧୭୦୪ ଖ୍ରୀ:ରେ ଯୁଦ୍ଧ ହଠାତ୍‌ ଘନୀଭୂତ ହୋଇ ଉଠିଲା । ଏହି ସମୟ ମିତ୍ରପକ୍ଷ ପାଇଁ ସଙ୍କଟଜନକ ଥିଲା । ପୂର୍ବଅଷ୍ଟ୍ରିଆରେ ହଙ୍ଗେରୀୟମାନଙ୍କ ବିପ୍ଳବ ତେଜି ଉଠିଥିଲା ଏବଂ ପଶ୍ଚିମରେ ଫ୍ରାନ୍‌ସ ଓ ବାଭେରିଆର ମିଳିତ ସେନା ସେ ଦେଶର ଭିତରକୁ ମାଡ଼ି ଯାଉଥିଲେ । ମାର୍ଲବରୋ ଅଷ୍ଟ୍ରିଆକୁ ରକ୍ଷା କରିବାପାଇଁ ବଦ୍ଧପରିକର ହେଲେ । ବହୁ ବାଧାବିଘ୍ନ ସତ୍ତ୍ୱେ ତାଙ୍କୁ ଅଗ୍ରସର ହେବାକୁ ପଡ଼ିଲା । ଶେଷରେ ୧୭୦୪ ଖ୍ରୀ: ଅଗଷ୍ଟ ୧୩ ତାରିଖ ଦିନ ସେ ଫରାସୀ ସେନାକୁ ବ୍ଳେନ୍‌ହାଇମ୍‌ଠାରେ ଶୋଚନୀୟଭାବେ ପରାସ୍ତ କଲେ । ସେ ଦିନ ସେ ଦୁଇଜଣ ମୁଖ୍ୟ ସେନାପତିଙ୍କ ସମେତ ଏଗାର ହଜାର ସୈନ୍ୟଙ୍କୁ ବନ୍ଦୀ କଲେ ଏବଂ ୧୧୦ଟି ବନ୍ଧୁକ କରାୟତ୍ତ କଲେ । ବ୍ଳେନ୍‌ହାଇମ୍‌ ଅଭିଯାନ ମାର୍ଲବରୋଙ୍କ ଏକ ଐତିହାସିକ ବିଜୟ ଥିଲା । ଏହାଦ୍ୱାରା ଅଷ୍ଟ୍ରିଆ ଆସନ୍ନ ପତନରୁ ରକ୍ଷା ପାଇଲା, ଜର୍ମାନ୍‌ ରାଜ୍ୟଗୁଡ଼ିକ ଉପରେ ଫରାସୀ ଆକ୍ରମଣର ଆଶଙ୍କା ଦୂର ହେଲା, ଫ୍ରାନ୍‌ସର ପ୍ରଭାବ ଓ ପ୍ରତିପତ୍ତି କ୍ଷୁଣ୍ଣ ହେଲା ଏବଂ ଇଂଲଣ୍ଡର ସାମରିକ ମର୍ଯ୍ୟାଦା ବୃଦ୍ଧି ପାଇଲା ।

 

ମାର୍ଲବରୋ ଭୂମଧ୍ୟସାଗରର ସାମରିକ ଗୁରୁତ୍ୱ ଉପଲବ୍ଧି କରିଥିଲେ । ତେଣୁ ସେ ଟୋଲନ ଓ ଜିବ୍ରାଲଟର ଉପରେ ଦୁଇ ଗୋଟି ଆକ୍ରମଣର ଯୋଜନା କରିଥିଲେ । ଡ୍ୟୁକ୍‌ ଅଫ୍‌ ସେଭୟଙ୍କ ନେତୃତ୍ୱରେ ଟୋଲନ୍‌ ଆକ୍ରମଣ ବିଫଳ ହେଲା । ମାତ୍ର ସେନାପତି ରୁକ୍‌ଙ୍କ ନେତୃତ୍ୱରେ ଇଂରେଜ ନୌବହର ୧୭୦୪ ଖ୍ରୀ:ରେ ଜିବ୍ରାଲ୍‌ଟର୍‌ ଅଧିକାର କରିନେଲେ । ଏହାପରେ ୧୭୦୬ ଖ୍ରୀ:ରେ ମାର୍ଲବରୋ ରାମିଲିଜ୍‌ଠାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ଲାଭ କଲେ । ଏହାଫଳରେ ଆଣ୍ଟଓ୍ୟେର୍ପ ଓ ବ୍ରସେଲସ୍‌ର ପତନ ହେଲା । ୧୭୦୬ ଖ୍ରୀ:ରେ ମିତ୍ରପକ୍ଷ ସ୍ପେନ୍‍ରେ ବିଜୟ ପରେ ବିଜୟ ହାସଲ କରି ମାଡ଼ିଡ଼ ପର୍ଯ୍ୟନ୍ତ ଅଗ୍ରସର ହେଲେ । ଚତୁର୍ଦ୍ଦଶ ଲୁଇ ସନ୍ଧିପାଇଁ ପ୍ରସ୍ତାବ ଦେଲେ-। ମାତ୍ର ତାହା ଗୃହୀତ ହେଲା ନାହିଁ । ୧୭୦୭ ଖ୍ରୀ:ରେ ମାର୍ଲବରୋଙ୍କ ସାମରିକ ଅଗ୍ରଗତି ବିଶେଷ ଗୁରୁତ୍ୱପୂର୍ଣ୍ଣ ନଥିଲା । ଏହି ସମୟରେ ମିତ୍ରପକ୍ଷ ଶିଥିଳ ହୋଇ ପଡ଼ିଥିଲେ-। ମାତ୍ର ୧୭୦୮ ଖ୍ରୀ:ରେ ମାର୍ଲବରୋ ଅଉଡ଼ରନେଡ଼ ଯୁଦ୍ଧରେ ବିଜୟଲାଭ କରିବାଫଳରେ ସ୍ପେନୀୟ ନେଦରଲାଣ୍ଡ୍ ତାଙ୍କଦ୍ୱାରା ଅଧିକୃତ ହେଲା । ଚତୁର୍ଦ୍ଦଶ ଲୁଇ ଶାନ୍ତି ଚୁକ୍ତିପାଇଁ ଆଉଥରେ ପ୍ରସ୍ତାବ ଦେଲେ । ମାତ୍ର ମିତ୍ର ଶକ୍ତି ଫିଲିପ୍‍ଙ୍କୁ ସ୍ପେନ୍‍ରୁ ବଳପୂର୍ବକ ବହିଷ୍କାର କରିବାପାଇଁ ଦାବି କଲେ । ଏଥିରେ ଚତୁର୍ଦ୍ଦଶ ଲୁଇ ରାଜି ହେଲେ ନାହିଁ । ଯୁଦ୍ଧ ପୁଣି ଚାଲିଲା । ୧୭୦୯ ଖ୍ରୀ:ରେ ମାର୍ଲବରୋ ମାଲ୍‌ପ୍ଳାକେଟ ଯୁଦ୍ଧରେ ବିଜୟ ଲାଭ କରି ମନସ୍‌ ଅଧିକାର କଲେ । ମାଲ୍‌ପ୍ଳାକେଟ ଥିଲା ମାର୍ଲବରୋଙ୍କର ଶେଷ ବିଜୟ । ଏହା ପରେ ମିତ୍ର ପକ୍ଷ ଶିଥିଳ ହୋଇ ପଡ଼ିଲେ ଏବଂ ଅନ୍ୟ କ୍ଷେତ୍ରରେ ଫ୍ରାନ୍‌ସରେ ଯୁଦ୍ଧପାଇଁ ଏକ ନୂତନ ପ୍ରେରଣା ଦେଖା ଦେଲା । ଇଂଲଣ୍ଡରେ ନବ ଗଠିତ ଟୋରୀ ମନ୍ତ୍ରିମଣ୍ଡଳ ଶାନ୍ତିର ସପକ୍ଷରେ ଥିଲେ । ତେଣୁ ମାର୍ଲବରୋଙ୍କୁ ମିଳିତ ସେନା ଦଳରୁ ଫେରାଇ ନିଆଗଲା ଓ ତାଙ୍କ ସ୍ଥାନରେ ଅରମଣ୍ଡ ନିଯୁକ୍ତି ପାଇଲେ । ଆକ୍ରମଣାତ୍ମକ କାର୍ଯ୍ୟରୁ ନିବୃତ୍ତ ରହିବାପାଇଁ ଅରମଣ୍ଡଙ୍କୁ ଗୁପ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ୧୭୧୧ ଖ୍ରୀ:ରେ ଆର୍ଚ୍ଚ ଡ୍ୟୁକ ଚାର୍ଲସ୍‌ ଅଷ୍ଟ୍ରିଆର ଅଧିପତି ହେଲେ ଏବଂ ତତ୍‌ ସଙ୍ଗେ ସଙ୍ଗେ ପବିତ୍ର ରୋମ ସାମ୍ରାଜ୍ୟର ସମ୍ରାଟରୂପେ ନିର୍ବାଚିତ ହେଲେ । ତେଣୁ ସ୍ପେନ୍‍ ରାଜ୍ୟପାଇଁ ତାଙ୍କର ଦାବିକୁ ସମର୍ଥନ ଜଣାଇ ଯୁଦ୍ଧାଗ୍ନିକୁ ପ୍ରଜ୍ଜ୍ୱଳିତ କରି ରଖିବାପାଇଁ ଇଂଲଣ୍ଡ ଉଚିତ ମନେ କଲା ନାହିଁ । ଅନ୍ୟ ପକ୍ଷରେ ମିତ୍ର ଶକ୍ତିର ଅନ୍ୟାନ୍ୟ ରାଜ୍ୟ ଶାନ୍ତି ଚୁକ୍ତିର ସପକ୍ଷରେ ନଥିଲେ । ଫଳରେ ଟୋରୀ ମନ୍ତ୍ରିମଣ୍ଡଳର ମୁଖ୍ୟ ବୋଲିଙ୍ଗ ବ୍ରୋକ ଶାନ୍ତି ଚୁକ୍ତିପାଇଁ ଫ୍ରାନ୍‌ସ ସହ ଗୁପ୍ତ ମନ୍ତ୍ରଣା ଚଳାଇଲେ । ଏହାଫଳରେ ୧୭୧୩ ଖ୍ରୀ:ରେ ୟୁଟ୍ରେକ୍‌ଟ ସନ୍ଧିଚୁକ୍ତି ସ୍ୱାକ୍ଷରିତ ହେଲା । ଏହି ଚୁକ୍ତି ଅନୁସାରେ ଫ୍ରାନ୍‌ସର ରାଜକୁମାର ଫିଲିପ୍‌ ସ୍ପେନ୍‍ ରାଜସିଂହାସନ ଲାଭ କଲେ । ମାତ୍ର ସେ ଫ୍ରାନ୍‌ସର ଉତ୍ତରାଧିକାରୀ ହୋଇ ପାରିଲେ ନାହିଁ । ଅଷ୍ଟ୍ରିଆ ସମ୍ରାଟ ଚାର୍ଲସ୍‍ ସ୍ପେନୀୟ ନେଦରଲାଣ୍ଡ୍ ତଥା ଇଟାଲୀରେ ସ୍ପେନୀୟ ଅଞ୍ଚଳ ସବୁ ଲାଭ କଲେ । ସୀମା ଦୁର୍ଗଗୁଡ଼ିକୁ ଶକ୍ତିଶାଳୀ କରିବାପାଇଁ ଡଚ୍‍ମାନେ ଅଧିକାର ପାଇଲେ । ଚତୁର୍ଦ୍ଦଶ ଲୁଇ ଇଂଲଣ୍ଡର ପ୍ରୋଟେଷ୍ଟାଣ୍ଟ୍‍ ରାଜାଙ୍କୁ ସ୍ୱୀକୃତ ପ୍ରଦାନ କଲେ ଏବଂ ତୃତୀୟ ଜେମ୍‍ସ୍‌ଙ୍କୁ ଫ୍ରାନ୍‌ସରେ ଆଶ୍ରୟ ଦେବେ ନାହିଁ ବୋଲି ଏବଂ ତାଙ୍କ ଦାବିକୁ ସମର୍ଥନ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଲେ । ଜିବ୍ରାଲଟର୍‌ ଓ ମିନୋର୍କା ଲାଭ କରିବାଦ୍ୱାରା ଇଂଲଣ୍ଡ ଭୂମଧ୍ୟସାଗରରେ ଶକ୍ତିଶାଳୀ ହୋଇ ଉଠିଲା । ଏହା ବ୍ୟତୀତ ଆମେରିକା ଭୂଖଣ୍ଡରେ ନୋଭା ସ୍କୋଟିଆ ଓ ନ୍ୟୁଫାଉଣ୍ଡଲେଣ୍ଡ ଇଂଲଣ୍ଡ ଅଧୀନକୁ ଚାଲିଗଲା । ସ୍ପେନୀୟ ଆମେରିକାରେ କ୍ରୀତଦାସ ବାଣିଜ୍ୟ (Slave trade)ର ଏକଚାଟିଆ ଅଧିକାର ଏବଂ ଆଉ କେତେକ ସାମୁଦ୍ରିକ ବାଣିଜ୍ୟର ସୁବିଧା ଇଂଲଣ୍ଡ ଲାଭ କଲା । ଏହାଦ୍ୱାରା ଇଂଲଣ୍ଡର ପ୍ରଭାବ ଓ ପ୍ରତିପତ୍ତି ବର୍ଦ୍ଧିତ ହେଲା । ସ୍ପେନୀୟ ଆର୍ମେଡ଼ାର ଧ୍ୱଂସ ସାଧନ ପରେ ଇଂଲଣ୍ଡ ଔପନିବେଶିକ ପ୍ରତିଯୋଗିତାରେ ଯୋଗଦାନ କରିଥିଲା; ମାତ୍ର ୟୁଟ୍ରେକ୍‌ଟ ସନ୍ଧିଫଳରେ ସେ ଏହି ପ୍ରତିଯୋଗିତାରେ ବିଜୟୀ ହେଲା । ଏହି ସନ୍ଧି ଚୁକ୍ତିରେ ଫ୍ରାନ୍‌ସ ଉପରେ ପ୍ରତିଶୋଧ ନେବାର ଉଦ୍ୟମ ହୋଇ ନଥିଲା । ତେଣୁ ଏହାପରେ ଫ୍ରାନ୍‌ସ ସହ ଇଂଲଣ୍ଡର ଶତ୍ରୁତା ବୃଦ୍ଧି ପାଇବାର କାରଣ ନଥିଲା । କାଟାଲୋନିଆକୁ ସ୍ପେନ୍‍ ରାଜା ଫିଲିପ୍‍ଙ୍କ ହାତରେ ସମର୍ପଣ କରିଦେବା ଥିଲା ଏହି ସନ୍ଧିର ଏକମାତ୍ର କଳଙ୍କ । କାଟାଲୋନିଆ ମିତ୍ର ଶକ୍ତି ପକ୍ଷରେ ସାହସର ସହ ଯୁଦ୍ଧ କରିଥିଲା । ତା’ର ଅବଦାନକୁ ଭୁଲିଯାଇ ଶେଷରେ ତାକୁ ଶତ୍ରୁ ହାତକୁ ଟେକି ଦିଆଗଲା । କାଟାଲୋନିଆ ଉପରେ ଫିଲିପ୍‍ଙ୍କ ପ୍ରତିଶୋଧମୂଳକ ଅତ୍ୟାଚାର ଅକଥନୀୟ ଥିଲା । ଏହି ଘଟଣାକୁ ଛାଡ଼ିଦେଲେ, ୟୁଟ୍ରେକ୍‌ଟ୍‌ ସନ୍ଧି ଇଉରୋପ ତଥା ଇଂଲଣ୍ଡ ଇତିହାସରେ ଏକ ଗୌରବମୟ ଭୂମିକା ଗ୍ରହଣ କରିଥିଲା ।

 

ଇଂଲଣ୍ଡ ଓ ସ୍କଟ୍‍ଲାଣ୍ଡ୍‍ର ସମ୍ମିଶ୍ରଣ (୧୭୦୭)

 

ସ୍କଟ୍‍ଲାଣ୍ଡ୍‍ର ରାଜା ଷଷ୍ଠ ଜେମ୍‍ସ୍‌ ୧୬୦୩ ଖ୍ରୀ:ରେ ପ୍ରଥମ ଜେମ୍‍ସ୍‌ ନାମରେ ଇଂଲଣ୍ଡ ରାଜସିଂହାସନ ଆରୋହଣ କଲେ । ସେହି ଦିନଠାରୁ ଇଂଲଣ୍ଡ ଓ ସ୍କଟ୍‍ଲାଣ୍ଡ୍‍ର ଜଣେ ରାଜା ରହିଲେ ଏବଂ ତାଙ୍କଠାରେ ଉଭୟ ଦେଶର ମିଶ୍ରଣ ହେଲା । ଏହାସତ୍ତ୍ୱେ ସେମାନଙ୍କ ସ୍ୱାଧୀନତା ବଜାୟ ରହିଲା । ଉଭୟ ଦେଶର ପାର୍ଲିଆମେଣ୍ଟ୍‍ ଓ ମନ୍ତ୍ରିମଣ୍ଡଳ, ଆଇନ ଓ ବିଚାରାଳୟ ଏବଂ ଧର୍ମ ଓ ଜାତୀୟତା ସ୍ୱତନ୍ତ୍ର ହୋଇ ରହିଲା । ଅବଶ୍ୟ କ୍ରମ୍‍ୱେଲ୍‍ଙ୍କ ଉଦ୍ୟମରେ ସାଧାରଣତନ୍ତ୍ର ଶାସନ କାଳରେ ସ୍କଟ୍‍ଲାଣ୍ଡ୍‍ର ପାର୍ଲିଆମେଣ୍ଟ୍‍ ଇଂଲଣ୍ଡର ପାର୍ଲିଆମେଣ୍ଟ୍‍ ସହ ମିଶି ଯାଇଥିଲେ । କିନ୍ତୁ ୧୬୬୦ ଖ୍ରୀ:ରେ ରାଜତନ୍ତ୍ରର ପୁନଃ ପ୍ରତିଷ୍ଠା ସହ ସ୍କଟ୍‍ଲାଣ୍ଡ୍‍ରେ ପୁଣି ସ୍ୱତନ୍ତ୍ର ପାର୍ଲିଆମେଣ୍ଟ୍‍ ପ୍ରତିଷ୍ଠିତ ହେଲା ।

 

ବାଣିଜ୍ୟ ପ୍ରତିଯୋଗିତା ତଥା ଧର୍ମଗତ କାରଣରୁ ଉଭୟ ଦେଶ ମଧ୍ୟ ବିଦ୍ୱେଷ ଭାବ ବଢ଼ି ଉଠୁଥିଲା । ଇଂଲଣ୍ଡର ନୌଚାଳନ ଆଇନଫଳରେ ସ୍କଟ୍‍ଲାଣ୍ଡ୍ ଇଂରେଜ ଉପନିବେଶମାନଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କ ରଖିପାରିଲା ନାହିଁ । ଏହାଦ୍ୱାରା ତିକ୍ତତା ଆହୁରି ବଢ଼ିଲା । ୧୬୮୯ ଖ୍ରୀ:ରେ ସ୍କଟ୍‍ଲାଣ୍ଡ୍ ଦ୍ୱିତୀୟ ଜେମ୍‍ସ୍‌ଙ୍କ ପକ୍ଷ ସମର୍ଥନ କରି ଉଇଲିୟମ୍‍ଙ୍କ ବିରୁଦ୍ଧରେ ଅସ୍ତ୍ରୋତ୍ତୋଳନ କଲା । କିଲିକ୍ରେଙ୍କି ଯୁଦ୍ଧରେ ସ୍କଟ୍‍ଲାଣ୍ଡ୍ ନେତା ଡଣ୍ଡୀଙ୍କ ମୃତ୍ୟୁଫଳରେ ଅବସ୍ଥା ଅବଶ୍ୟ ଶାନ୍ତି ପଡ଼ିଲା । ତେବେ ଉଇଲିୟମ୍‍ଙ୍କ ପ୍ରତି ଆନୁଗତ୍ୟ ସ୍ୱୀକାର କରିବାରେ ବିଳମ୍ବ କରିଥିବାରୁ ଗ୍ଳେନ୍‌କୋର ମାକ୍‌ଡ଼ୋନାଲ୍‌ଡ଼ ଓ ତାଙ୍କର ୩୭ ଜଣ ଅନୁଚରଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ଏଥିରେ ସ୍କଟ୍‍ମାନେ ଉତ୍ୟକ୍ତ ହୋଇ ପଡ଼ିଥିଲେ । ଡେରୀଏନ୍‌ ଅନ୍ତରୀପ (ଅଧୁନାତନ ପାନାମା)ଠାରେ ଏକ ବାଣିଜ୍ୟ କେନ୍ଦ୍ର ସ୍ଥାପନ କରିବାରେ ସ୍କଟ୍‍ ବଣିକମାନେ ଏହି ସମୟରେ ବିଫଳ ହୋଇଥିଲେ ଏବଂ ଏହାର ପଛରେ ଇଂଲଣ୍ଡର ଚକ୍ରାନ୍ତ ଅଛି ବୋଲି ବିଶ୍ୱାସ କରାଗଲା । ମହାରାଣୀ ଆନିଙ୍କ ସମୟରେ ମଧ୍ୟ ଏହି ତିକ୍ତତା ହ୍ରାସ ପାଇ ପାରିଲା ନାହିଁ । ସ୍କଟ୍‍ଲାଣ୍ଡ୍ ଇଂଲଣ୍ଡର ବନ୍ଦୋବସ୍ତ ଆଇନକୁ ଗ୍ରହଣ କଲା ନାହିଁ । ଆନିଙ୍କ ପରେ ଜଣେ ଜର୍ମାନ୍‌ ରାଜକୁମାରଙ୍କୁ ରାଜା ବୋଲି ସ୍ୱୀକାର କରିବାକୁ ସ୍କଟ୍‍ମାନେ ରାଜି ହେଲେ ନାହିଁ । ତେଣୁ ୧୭୦୩ ଖ୍ରୀ:ରେ ସ୍କଟ୍‍ ପାର୍ଲିଆମେଣ୍ଟ୍‍ରେ ଏକ ନିରାପତ୍ତା ଆଇନ ଗୃହୀତ ହେଲା ଏବଂ ଆନିଙ୍କ ପରେ ଇଂଲଣ୍ଡର ପରବର୍ତ୍ତୀ ରାଜା ସ୍କଟ୍‍ଲାଣ୍ଡ୍‍ର ରାଜା ହୋଇ ପାରିବେ ନାହିଁ ବୋଲି ଘୋଷିତ ହେଲା । ଉଭୟ ଦେଶ ମଧ୍ୟରେ ତିକ୍ତତା ଯେକୌଣସି ମୁହୂର୍ତ୍ତରେ ଯୁଦ୍ଧରେ ପରିଣତ ହେବ ବୋଲି ଆଶଙ୍କା କରାଗଲା । ମାତ୍ର କେତେକ ଦୂରଦର୍ଶୀ ରାଜନୀତିଜ୍ଞ ଏହା ଚାହୁଁ ନଥିଲେ । ଏତଦ୍ୱାରା ଫ୍ରାନ୍‌ସର ରାଜା ଚତୁର୍ଦ୍ଦଶ ଲୁଇ ଇଂଲଣ୍ଡ ଆକ୍ରମଣ କରିବାରେ ସୁଯୋଗ ପାଇବେ ବୋଲି ସେମାନେ ଭୟ କଲେ । ତେଣୁ ଉଭୟଦେଶ ମଧ୍ୟରେ ସମ୍ପର୍କର ଉନ୍ନତିପାଇଁ ଉଦ୍ୟମ ହେଲା । ରାଣୀ ଆନି ଉଭୟ ଦେଶର ସମ୍ମିଶ୍ରଣ ବିଷୟ ବିଚାରପାଇଁ ଏକ କମିଶନ ନିଯୁକ୍ତ କଲେ । ପ୍ରଥମେ ଉଭୟ ସ୍କଟ୍‍ଲାଣ୍ଡ୍ ଓ ଇଂଲଣ୍ଡର ଜନସାଧାରଣ ଏହାର ବିରୋଧ କରୁଥିଲେ । ସ୍କଟ୍‍ଲାଣ୍ଡ୍ ତା’ର ଜାତୀୟତା ହରାଇବାକୁ ପ୍ରସ୍ତୁତ ନଥିଲା । ଇଂଲଣ୍ଡର ବଣିଜ ସଂପ୍ରଦାୟ ସ୍କଟ୍‍ଲାଣ୍ଡ୍‍କୁ ବାଣିଜ୍ୟ ସୁବିଧା ପ୍ରଦାନ କରିବାକୁ ଏବଂ ଇଂଲଣ୍ଡର ଧର୍ମଯାଜକମାନେ ସ୍କଟ୍‍ଲାଣ୍ଡ୍‍ର ପ୍ରେସ୍‌ବୀଟେରୀଏନ୍‌ ସଂପ୍ରଦାୟକୁ ସ୍ୱୀକୃତି ଦେବାପାଇଁ ରାଜି ନଥିଲେ । ତେବେ ବହୁ ଆଲୋଚନାପରେ ଉଭୟପକ୍ଷ ଏହି ରାଜିନାମାରେ ପହଞ୍ଚିଲେ ଏବଂ ୧୭୦୭ ଖ୍ରୀ:ରେ ଐତିହାସିକ ସମ୍ମିଶ୍ରଣ ଆଇନ ଗୃହୀତ ହେଲା । ଏହାଫଳରେ ଇଂଲଣ୍ଡ ଓ ସ୍କଟ୍‍ଲାଣ୍ଡ୍‍ର ମିଶ୍ରଣ ହେଲା । ସ୍କଟ୍‍ଲାଣ୍ଡ୍‍ର ପାର୍ଲିଆମେଣ୍ଟ୍‍କୁ ଭାଙ୍ଗି ଦିଆଗଲା ଏବଂ ଇଂଲଣ୍ଡ ପାର୍ଲିଆମେଣ୍ଟ୍‍ର କମନ୍‌ସ ସଭାରେ ସ୍କଟ୍‍ଲାଣ୍ଡ୍‍ର ୪୫ ଜଣ ସଦସ୍ୟ ଓ ଲର୍ଡ଼ ସଭାରେ ୧୬ ଜଣ ସଦସ୍ୟ ସ୍ଥାନ ପାଇଲେ । ୧୭୦୧ ଖ୍ରୀ:ରେ ବନ୍ଦୋବସ୍ତ ଆଇନକୁ ସ୍କଟ୍‍ଲାଣ୍ଡ୍ ଗ୍ରହଣ କଲା । ଅନ୍ୟ ପକ୍ଷରେ ସ୍କଟ୍‍ଲାଣ୍ଡ୍‍ର ପ୍ରେସ୍‍ବୀଟେରୀଏନ୍‌ ମତବାଦକୁ ଇଂଲଣ୍ଡ ସ୍ୱୀକାର କଲା । ସ୍କଟ୍‍ଲାଣ୍ଡ୍‍ର ଆଇନ ଓ ବିଚାରାଳୟ ସ୍ୱତନ୍ତ୍ର ହୋଇ ରହିଲା । ଉଭୟ ଦେଶ ମଧ୍ୟରେ ଅବାଧ ବାଣିଜ୍ୟ ସମ୍ପର୍କ ପ୍ରତିଷ୍ଠିତ ହେଲା । ଉଭୟ ଦେଶରେ ସମାନ ପ୍ରକାରର ମୁଦ୍ରା ଓ ଓଜନ ପରିମାପ ପ୍ରଚଳିତ ହେଲା । ଡେରିଏନ୍‌ ଯୋଜନାର ବିଫଳତା ପାଇଁ ଇଂଲଣ୍ଡ ସ୍କଟ୍‍ଲାଣ୍ଡ୍‍କୁ ୩୯୮,୦୦୦ ପାଉଣ୍ଡ କ୍ଷତିପୂରଣ ଦେଲା ।

 

ଇଂଲଣ୍ଡ ଓ ସ୍କଟ୍‍ଲାଣ୍ଡ୍‍ର ସମ୍ମିଶ୍ରଣ ଆଇନ ବହୁଦିନ ଯାଏଁ ଉଭୟ ଦେଶ ମଧ୍ୟରେ ଲୋକପ୍ରିୟ ନଥିଲା । ସ୍କଟ୍‍ମାନେ ଇଂଲଣ୍ଡରେ ଭଲ ବ୍ୟବହାର ପାଇଲେ ନାହିଁ । ୧୭୧୫ ଖ୍ରୀ: ଓ ୧୭୪୫ ଖ୍ରୀ:ର ଜେକୋବାଇଟ ବିଦ୍ରୋହରୁ ସ୍ପଷ୍ଟ ଜଣାପଡ଼େ ଯେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇ ରହିଥିଲା । ତେବେ ଏହି ଆଇନର ଉପକାରିତା କ୍ରମେ ଲୋକେ ଉପଲବ୍ଧି କରି ପାରିଲେ ଏବଂ ସେମାନଙ୍କ ମଧ୍ୟରେ ଏକତା ଦୃଢ଼ୀଭୂତ ହେଲା । ଏହାଦ୍ୱାରା ଇଂଲଣ୍ଡର ନିରାପତ୍ତା ସୁଦୃଢ଼ ହେଲା । ସ୍କଟ୍‍ଲାଣ୍ଡ୍ ସ୍ୱତନ୍ତ୍ର ଥିବା ସମୟରେ ତାହା ଇଂଲଣ୍ଡର ଶତ୍ରୁ ରାଜ୍ୟମାନଙ୍କ ପାଇଁ ଏକ ସାମରିକ ଘାଟିରୂପେ ବ୍ୟବହୃତ ହେଉଥିଲା । ଇଂଲଣ୍ଡପାଇଁ ଏହି ବିପଦ ସବୁଦିନ ପାଇଁ ଦୂରୀଭୂତ ହେଲା । ସ୍କଟ୍‍ଲାଣ୍ଡ୍ ବନ୍ଦୋବସ୍ତ ଆଇନକୁ ପରିତ୍ୟାଗ କରି ଇଂଲଣ୍ଡର ଶତ୍ରୁରୂପେ ଠିଆ ହୋଇଥିଲେ ଗୌରବମୟ ବିପ୍ଳବର ସୁଫଳ ବେଶିଦିନ ସ୍ଥାୟୀ ହୋଇ ପାରି ନଥାନ୍ତା । ଏହାଛଡ଼ା, ବ୍ରିଟିଶ ସାମ୍ରାଜ୍ୟର ସାଂସ୍କୃତିକ, ରାଜନୈତିକ ତଥା ଅର୍ଥନୈତିକ ଅଭିବୃଦ୍ଧିରେ ସ୍କଟ୍‍ଲାଣ୍ଡ୍‍ର ବୁଦ୍ଧିଜୀବୀମାନଙ୍କ ଅବଦାନ ଅତୁଳନୀୟ ଥିଲା । ସ୍କଟ୍‍ଲାଣ୍ଡ୍‍ର ପାହାଡ଼ିଆ ସୈନ୍ୟମାନେ ବ୍ରିଟିଶ ସାମ୍ରାଜ୍ୟର ସଂପ୍ରସାରଣରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ । ଅପରପକ୍ଷେ ଅନୁନ୍ନତ ସ୍କଟ୍‍ଲାଣ୍ଡ୍ ରାଜ୍ୟ ଇଂଲଣ୍ଡ ସହ ହାତ ମିଳାଇ ସମୃଦ୍ଧର ପଥରେ ଅଗ୍ରସର ହେଲା । ସେ ଦେଶର ବାଣିଜ୍ୟରେ ବିଶେଷ ଅଭିବୃଦ୍ଧି ହେଲା । ଲୋକେ ଶାନ୍ତିରେ ବସବାସ କରି ମାତୃଭୂମିର ସେବାରେ ମନୋନିବେଶ କଲେ । ସେମାନଙ୍କ ଧର୍ମ ଓ ଆଇନର ସୁରକ୍ଷା ହେଲା । ଫଳରେ ସମ୍ମିଶ୍ରଣ ଆଇନ ଉଭୟଦେଶ ପକ୍ଷରେ ମଙ୍ଗଳଦାୟକ ଥିଲା ଏବଂ ଉଭୟେ ଏହା କ୍ରମେ ଉପଲବ୍ଧି କଲେ ।

 

ରାଜନୈତିକ ଦଳ :–ହୁଇଗ୍‍ ଓ ଟୋରୀ ଦଳ ମଧ୍ୟରେ କଳହ ଆନିଙ୍କ ରାଜତ୍ୱର ଅନ୍ୟତମ ଘଟଣାଥିଲା । ହୁଇଗ୍‍ମାନ ସବୁ ଧର୍ମ ସଂପ୍ରଦାୟ ପ୍ରତି ପ୍ରଶ୍ରୟ ପ୍ରଦାନର ସପକ୍ଷରେ ଥିଲେ ମାତ୍ର ଟୋରୀ ଦଳ ଇଂଲଣ୍ଡୀୟ ଗିର୍ଜାର ଦୃଢ଼ ସମର୍ଥକ ଥିଲେ ଏବଂ ପ୍ରଶ୍ରୟ ପ୍ରଦାନ ନୀତିଫଳରେ ଭିନ୍ନ ମତବାଦୀମାନେ ଲାଭ କରିଥିବା ଉପାସନା–ସ୍ୱାଧୀନତାର ବିରୋଧ କରୁଥିଲେ-। ଗୌରବମୟ ବିପ୍ଳବଫଳରେ ପ୍ରତିଷ୍ଠିତ ହୋଇଥିବା ସାମ୍ବିଧାନିକ ସରକାରଙ୍କୁ ହୁଇଗ୍‍ ଦଳ ଦୃଢ଼ ସମର୍ଥନ ଜଣାଇଲେ । ମାତ୍ର ଟୋରୀ ଦଳ ରାଜତନ୍ତ୍ରବାଦୀ ଥିଲେ । ରାଜାଙ୍କର ପୂର୍ବ କ୍ଷମତା ଫେରିଆସୁ ବୋଲି ସେମାନେ ଚାହୁଁଥିଲେ । ହୁଇଗ୍‍ମାନେ ସ୍ପେନୀୟ ଉତ୍ତରାଧିକାରୀ ସମରକୁ ସମର୍ଥନ ଜଣାଇଲେ । ମାତ୍ର ଟୋରୀ ଦଳ ଯୁଦ୍ଧ ଚାହୁଁ ନଥିଲେ । ହୁଇଗ୍‍ ଦଳ ବନ୍ଦୋବସ୍ତ ଆଇନକୁ ସମର୍ଥନ ଜଣାଇ ହାନୋଭର ରାଜବଂଶକୁ ସ୍ୱାଗତ କଲେ । ମାତ୍ର ଅଧିକାଂଶ ଟୋରୀ ଦ୍ୱିତୀୟ ଜେମ୍‍ସ୍‌ଙ୍କ ପୁତ୍ରଙ୍କ ପକ୍ଷ ସମର୍ଥନ କଲେ ।

 

ହୁଇଗ୍‍ ଓ ଟୋରୀ ଦଳ ପତ୍ରପତ୍ରିକା ମାଧ୍ୟମରେ ପରସ୍ପରର ନୀତିକୁ କଟୁ ସମାଲୋଚନା କଲେ । ସେହି ସମୟର ଶ୍ରେଷ୍ଠ ଲେଖକମାନେ ରାଜନୀତି ପ୍ରତି ଆକୃଷ୍ଟ ହୋଇ ସେ ଦିଗରେ ସେମାନଙ୍କ ବୌଦ୍ଧିକ ଶକ୍ତିର ବିନିଯୋଗ କଲେ । ଫଳରେ ସାହିତ୍ୟ ଓ ରାଜନୀତି ମଧ୍ୟରେ ସମ୍ପର୍କ ନିବିଡ଼ ହେଲା । ହୁଇଗ୍‍ ଦଳର ବିଶିଷ୍ଟ ଲେଖକ ଏଡ଼ିସନ୍‌ ତାଙ୍କ ବଳିଷ୍ଠ ଲେଖାଯୋଗୁଁ ରାଜ୍ୟ ସଚିବ ପଦକୁ ଉନ୍ନୀତ ହୋଇଥିଲେ । ଅନ୍ୟ ପକ୍ଷରେ ଟୋରୀ ଦଳରେ ସୁଇଫଟଙ୍କ ଲେଖନୀର ପ୍ରଭାବ ବିଶେଷ ଭାବରେ ଅନୁଭୂତ ହୋଇଥିଲା ଏବଂ ଟୋରୀ ମନ୍ତ୍ରିମଣ୍ଡଳ ଗଠିତ ହେଲାପରେ ତାଙ୍କର ଶକ୍ତି ବର୍ଦ୍ଧିତ ହେଲା ।

 

ଆନିଙ୍କ ରାଜତ୍ୱ କାଳରେ ଦୁଇଟି ମନ୍ତ୍ରିମଣ୍ଡଳ ଗଠିତ ହୋଇଥିଲା । ପ୍ରଥମ ମନ୍ତ୍ରିମଣ୍ଡଳର ନେତୃତ୍ୱ ନେଇଥିଲେ ଗୋଡ଼ଲ୍‌ ଫିନ ଏବଂ ତାଙ୍କ ପତନ ପରେ ଟୋରୀ ମନ୍ତ୍ରିମଣ୍ଡଳ କ୍ଷମତା ଲାଭକଲେ ।

 

ଗୋଡ଼ଲ୍‌ଫିନ୍ ମନ୍ତ୍ରିମଣ୍ଡଳ (୧୭୦୨–୧୭୧୦) : ସିଡ଼ନୀ ଗୋଡ଼ଲ୍‌ ଫିନ୍‌ ପ୍ରଥମେ ଜଣେ ଟୋରୀଥିଲେ । ତାଙ୍କର ବନ୍ଧୁ ଓ ସହଯୋଗୀ ସେନାପତି ମାର୍ଲବରୋ ମଧ୍ୟ ଟୋରୀଥିଲେ । ମାତ୍ର ହୁଇଗ୍‌ମାନଙ୍କ ପ୍ରତି ସେମାନଙ୍କ ସମର୍ଥନ ଓ ସହାନୁଭୂତି ଥିଲା । ସେମାନଙ୍କ ନୀତି ପ୍ରତି ସେ ଦୁହେଁ ଆକୃଷ୍ଟ ଥିଲେ । ଟୋରୀମାନେ ଫ୍ରାନ୍‌ସ ସହ ଯୁଦ୍ଧ ଚାହୁଁ ନଥିଲେ । ମାତ୍ର ଗୋଡ଼ଲ୍‍ଫିନ୍‌ ଓ ମାର୍ଲବରୋ ସ୍ପେନୀୟ ଉତ୍ତରାଧିକାରୀ ସମରରେ ମୁଖ୍ୟଭୂମିକା ଗ୍ରହଣ କରିଥିଲେ । ସେଥିପାଇଁ ଟୋରୀଦଳ ସେମାନଙ୍କ କଟୁ ସମାଲୋଚନାକଲେ । ଫଳରେ ସେମାନେ ହୁଇଗ୍‍ମାନଙ୍କ ସମର୍ଥନ ଉପରେ ନିର୍ଭର କଲେ । ଗୋଡ଼ଲ୍ ଫିନ୍ ମନ୍ତ୍ରିମଣ୍ଡଳ ହୁଇଗ୍‌ ଓ ଟୋରୀମାନଙ୍କୁ ନେଇ ଏକ ମିଳିତ ମନ୍ତ୍ରିମଣ୍ଡଳ ଥିଲା । ମାତ୍ର ପରେ ଟୋରୀ ସଦସ୍ୟମାନେ ଏଥିରୁ ବହିଷ୍କୃତ ହେବାରୁ ଏହା ଏକ ବିଶୁଦ୍ଧ ହୁଇଗ୍‌ ମନ୍ତ୍ରିମଣ୍ଡଳରେ ପରିଣତ ହେଲା । ଗୋଡ଼ଲ୍‍ଫିନ୍ ମନ୍ତ୍ରିମଣ୍ଡଳର ରାଜତ୍ୱକାଳ ଇଂଲଣ୍ଡ ଇତିହାସରେ ଏକ ଗୌରବମୟ ଯୁଗଥିଲା । ସେନାପତି ମାର୍ଲବରୋ ସ୍ପେନୀୟ ଉତ୍ତରାଧିକାରୀ ସମରରେ ବିଜୟ ହାସଲ କରିବାଫଳରେ ଇଂଲଣ୍ଡ ଆନ୍ତର୍ଜାତିକ ରାଜନୀତିରେ ଶକ୍ତିଶାଳୀ ହୋଇ ଉଠିଲା । ଏହାଛଡ଼ା ଏହି ସମୟରେ ଇଂଲଣ୍ଡ ସହ ସ୍କଟ୍‍ଲାଣ୍ଡ୍‍ର ସମ୍ମିଶ୍ରଣ ହେଲା ଏବଂ ଇଂଲଣ୍ଡର ସମୃଦ୍ଧିର ମାର୍ଗ ଉନ୍ମୁକ୍ତ ହେଲା ।

 

କେତେକ କାରଣ ଯୋଗୁଁ ୧୭୧୦ ଖ୍ରୀ:ରେ ଗୋଡ଼ଲ୍‍ଫିନ୍‌ ମନ୍ତ୍ରିମଣ୍ଡଳର ପତନ ହେଲା-। ଉକ୍ତ ମନ୍ତ୍ରିମଣ୍ଡଳର ଯୁଦ୍ଧନୀତି ଦେଶରେ କ୍ରମେ ଅପ୍ରିୟ ହୋଇ ପଡ଼ୁଥିଲା । ଜନସାଧାରଣ ଶାନ୍ତି ଚାହୁଁଥିଲେ । ତେଣୁ ଫ୍ରାନ୍‌ସର ୧୭୦୬ ତଥା ୧୭୦୯ ଖ୍ରୀଷ୍ଟାବ୍ଦର ଶାନ୍ତି ପ୍ରସ୍ତାବକୁ ମାର୍ଲବରୋ ପ୍ରତ୍ୟାଖ୍ୟାନ କରିବାରୁ ସେମାନେ ବିରକ୍ତ ହେଲେ । ମାର୍ଲବରୋ କ୍ରମ୍‍ୱେଲ୍‍ଙ୍କ ଅନୁସରଣରେ ଆଜୀବନ ସେନାପତି ହୋଇ ରହିବାପାଇଁ ଉଦ୍ୟମ କରୁଛନ୍ତି ବୋଲି ଲୋକେ ସନ୍ଦେହ କଲେ-। ଟୋରୀଦଳ ପ୍ରତି ରାଣୀଆନିଙ୍କ ସମର୍ଥନ ଥିଲା ଏବଂ ସେ ଏକ ଟୋରୀ ମନ୍ତ୍ରିମଣ୍ଡଳର ସପକ୍ଷରେ ଥିଲେ । ଏହି ସମୟରେ ମାର୍ଲବରୋଙ୍କ ପତ୍ନୀ ରାଣୀଙ୍କ ସହ କଳହ କରି ଦରବାରରୁ ବିଦାୟ ନେଲେ । ଗୋଡ଼ଲ୍ ଫିନ୍‌ ମନ୍ତ୍ରିମଣ୍ଡଳ ଉପରେ ଏହାର କୁ–ପ୍ରଭାବ ପଡ଼ିଲା । ଏହାପରେ ମିସେସ୍‌ ମାସାମ ନାମରେ ଜଣେ ଟୋରୀ ରମଣୀ ଆନିଙ୍କ ସହ ଘନିଷ୍ଠ ବନ୍ଧୁତା ସ୍ଥାପନ କଲେ ଏବଂ ତାଙ୍କ ମାଧ୍ୟମରେ ଟୋରୀଦଳ ରାଣୀଙ୍କୁ ପ୍ରଭାବିତ କଲେ । ହୁଇଗ୍‌ ମନ୍ତ୍ରିମଣ୍ଡଳର ପତନ ଆସନ୍ନ ଜଣାଗଲା ।

 

ହୁଇଗ୍‌ ଦଳର ଧର୍ମନୀତି ଗୋଡ଼ଲ୍ ଫିନ୍‍ଙ୍କ ପତନର ମୁଖ୍ୟ କାରଣଥିଲା । ହୁଇଗ୍‌ମାନେ ପ୍ରଶ୍ରୟ ପ୍ରଦାନ ନୀତିର ସପକ୍ଷରେ ଥିଲେ । ମାତ୍ର ଟୋରୀଦଳ ଇଂଲଣ୍ଡୀୟ ଗିର୍ଜାର ସମର୍ଥନ କରୁଥିଲେ । ସାଚେଭେରେଲ୍‌ ନାମକ ଜଣେ ଗିର୍ଜାର କର୍ମଚାରୀ ହୁଇଗ୍‌ ଦଳର ନୀତିକୁ କଟୁ ସମାଲୋଚନା କଲେ ଏବଂ ଇଂଲଣ୍ଡୀୟ ଗିର୍ଜା ଏକ ସଙ୍କଟର ସମ୍ମୁଖୀନ ହୋଇଅଛି ବୋଲି ଆହ୍ୱାନ ଦେଲେ । ଗୋଡ଼ଲ୍‍ଫିନ୍‌ ସରକାର ସାଚେଭେରେଲଙ୍କୁ ଅଭିଯୁକ୍ତ କରି ବନ୍ଦୀ କଲେ ଏବଂ ତାଙ୍କର ବିଚାର ହୋଇ ସେ ତିନିବର୍ଷ ପର୍ଯ୍ୟନ୍ତ ପ୍ରଚାର କରି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଲେ । ମାତ୍ର ଏହି ଘଟଣାରେ ସାଚେଭେରେଲ ବିପୁଳ ଜନସମର୍ଥନ ଲାଭକଲେ । ଅପ୍ରତ୍ୟାଶିତଭାବେ ସେ ଜଣେ ଜାତୀୟ ନେତାରୂପେ ଦେଖାଦେଲେ । ଗୋଡ଼ଲ୍‍ଫିନ୍‌ଙ୍କୁ ଚାରିଆଡ଼େ ନିନ୍ଦା କରାଗଲା । ଏହି ସୁଯୋଗରେ ଆନି ହୁଇଗ୍‌ ମନ୍ତ୍ରିମଣ୍ଡଳକୁ ବରଖାସ୍ତ କରି ନୂତନ ଟୋରୀ ମନ୍ତ୍ରିମଣ୍ଡଳ ଗଠନ କଲେ । ଏହାପରେ ସେ ପାର୍ଲିଆମେଣ୍ଟ୍‍କୁ ଭାଙ୍ଗିଦେଲେ । ନୂତନ ପାର୍ଲିଆମେଣ୍ଟ୍‍ରେ ଟୋରୀଦଳ ସଂଖ୍ୟାଗରିଷ୍ଠତା ଲାଭ କଲେ ।

 

ଟୋରୀ ମନ୍ତ୍ରିମଣ୍ଡଳ :– ଟୋରୀ ମନ୍ତ୍ରିମଣ୍ଡଳର ତିନିଗୋଟି ଲକ୍ଷ୍ୟ ଥିଲା । ପ୍ରଥମତଃ ସେମାନେ ଫ୍ରାନ୍‌ସ ସହ ଯୁଦ୍ଧ ଚାହୁଁ ନଥିଲେ । ସେଥିପାଇଁ ବିଜୟୀ ସେନାପତି ମାର୍ଲବରୋଙ୍କୁ ସେନାବାହିନୀରୁ ପ୍ରତ୍ୟାହାର କରି ଅଣାଗଲା ଏବଂ ଅଳ୍ପ କାଳପରେ ୟୁଟ୍ରେକଟ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହେଲା । ଅବଶ୍ୟ ଏହି ଚୁକ୍ତି ଇଂଲଣ୍ଡପାଇଁ ସମ୍ମାନଜନକ ଥିଲା ଏବଂ ଏହା ଆନ୍ତର୍ଜାତିକ କ୍ଷେତ୍ରରେ ଇଂଲଣ୍ଡର ପ୍ରତିଷ୍ଠାକୁ ସୁଦୃଢ଼ କଲା । ଦ୍ୱିତୀୟତଃ ଏଙ୍ଗ୍ଳିକାନ ମତବାଦକୁ ଇଂଲଣ୍ଡରେ ପ୍ରତିଷ୍ଠିତ କରିବାପାଇଁ ଟୋରୀ ମନ୍ତ୍ରିମଣ୍ଡଳ ଉଦ୍ୟମ କଲେ ଏବଂ ଭିନ୍ନମତବାଦୀମାନଙ୍କ ବିରୁଦ୍ଧରେ କେତେକ ଆଇନ ପାର୍ଲିଆମେଣ୍ଟ୍‍ରେ ଗୃହୀତ ହେଲା । ତୃତୀୟତଃ ଟୋରୀ ମନ୍ତ୍ରିମଣ୍ଡଳ ବନ୍ଦୋବସ୍ତ ଆଇନର ବିରୁଦ୍ଧରେ ଥିଲେ ଏବଂ ସେମାନେ ଇଂଲଣ୍ଡର ରାଜସିଂହାସନ ପାଇଁ ଦ୍ୱିତୀୟ ଜେମ୍‍ସ୍‌ଙ୍କ ପୁତ୍ରଙ୍କୁ ସମର୍ଥନ କରୁଥିଲେ । ରାଣୀ ଆନି ମଧ୍ୟ ଜଣେ ଜର୍ମାନ ରାଜକୁମାର ତାଙ୍କ ଉତ୍ତରାଧିକାରୀ ହୁଅନ୍ତୁ ବୋଲି ଚାହୁଁ ନଥିଲେ । ଏହି ସମୟରେ ଆନିଙ୍କର ସନ୍ତାନଗୁଡ଼ିକ ଶୈଶବାବସ୍ଥାରେ ପ୍ରାଣତ୍ୟାଗ କରିଥିଲେ ଏବଂ ରାଣୀ ମନେ କରୁଥିଲେ ଯେ ସେ ପିତାଙ୍କର ବିରୁଦ୍ଧାଚରଣ କରୁଥିବାରୁ ଏବଂ ତାଙ୍କର ବିମାତା ଭାଇ ତୃତୀୟ ଜେମ୍‍ସ୍‌ଙ୍କଠାରୁ ଅନ୍ୟାୟ ଭାବରେ ସିଂହାସନ ଛଡ଼ାଇ ନେଇଥିବାରୁ ସମ୍ଭବତଃ ତାହା ତାଙ୍କପ୍ରତି ଭଗବାନଙ୍କ ଅଭିଶାପଥିଲା । ଅବଶ୍ୟ ସେ ତୃତୀୟ ଜେମ୍‍ସ୍‌ଙ୍କୁ ଉତ୍ତରାଧିକାରୀ କରିବାପାଇଁ କୌଣସି ଉଦ୍ୟମ କରି ନଥିଲେ । ତେବେ ସେ ହାନୋଭର ରାଜବଂଶର ବିପକ୍ଷରେ ଥିଲେ ଏବଂ ତାଙ୍କ ରାଜତ୍ୱ କାଳରେ ରାଣୀ ସୋଫିଆ ବା ତାଙ୍କ ପୁତ୍ର ଜର୍ଜଙ୍କୁ ଇଂଲଣ୍ଡ ପରିଭ୍ରମଣରେ ଆସିବାକୁ ଦେଇ ନଥିଲେ । ରାଣୀଙ୍କର ଏହି ମନୋଭାବ ଟୋରୀ ମନ୍ତ୍ରିମଣ୍ଡଳର ଅନୁକୂଳ ଥିଲା । ମାତ୍ର ଉକ୍ତ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କ ମଧ୍ୟରେ ବିଭେଦ ସେମାନଙ୍କୁ ସେମାନଙ୍କ ଲକ୍ଷ୍ୟ ହାସଲ ଦିଗରେ ପ୍ରତିବନ୍ଧକ ସୃଷ୍ଟି କଲା । ଏହି ସମୟରେ ଟୋରୀ ଦଳର ଦୁଇଜଣ ବିଶିଷ୍ଟ ନେତା ଥିଲେ–ହାର୍‌ଲୀ ଏବଂ ବୋଲିଙ୍ଗବ୍ରୋକ ହାର୍‌ଲୀ ଥିଲେ ଜଣେ ସତ୍‌ସାହସୀ ବ୍ୟକ୍ତି । ସାହିତ୍ୟ ଓ ସଂସ୍କୃତି ପ୍ରତି ତାଙ୍କର ଗଭୀର ଅନୁରାଗ ଥିଲା । ମାତ୍ର ରାଜନୀତି କ୍ଷେତ୍ରରେ ସେ ନରମପନ୍ଥୀ ଥିଲେ । ସେଥିପାଇଁ ତାଙ୍କର ରାଜନୈତିକ ବନ୍ଧୁଗଣ ତାଙ୍କପ୍ରତି ବିମର୍ଷ ଥିଲେ । ଅପରପକ୍ଷେ ବୋଲିଙ୍ଗବୋକଙ୍କର ଦଳପ୍ରତି ବିଶେଷ ଅନୁରକ୍ତି ଥିଲା । ତାଙ୍କର ସଂଗଠନ ଶକ୍ତି ଓ ଓଜସ୍ୱିନୀ ବତ୍କୃତା ଯୋଗୁଁ ଦଳରେ ତାଙ୍କର ପ୍ରତିଷ୍ଠା ଦିନୁଦିନ ଦୃଢ଼ ହେଉଥିଲା । ଅବଶେଷରେ ସେ ହାର୍‌ଲୀଙ୍କୁ ମନ୍ତ୍ରିମଣ୍ଡଳରୁ ବିତାଡ଼ିତ କରି ନିଜେ ଦଳର ସର୍ବେସର୍ବା ହେଲେ । ବନ୍ଦୋବସ୍ତ ଆଇନକୁ ପ୍ରତ୍ୟାହାର କରିନେଇ ତୃତୀୟ ଜେମ୍‍ସ୍‌ଙ୍କୁ ଇଂଲଣ୍ଡ ରାଜସିଂହାସନର ଉତ୍ତରାଧିକାରୀ କରିବାପାଇଁ ବୋଲିଙ୍ଗବ୍ରୋକ ଉଦ୍ୟମ କଲେ । ମାତ୍ର ଏଥିପାଇଁ ତୃତୀୟ ଜେମ୍‍ସ୍‌ଙ୍କୁ କାଥଲିକ୍ ଧର୍ମ ପରିତ୍ୟାଗପୂର୍ବକ ଏଙ୍ଗ୍ଳିକାନ୍‌ ମତବାଦ ଉପରେ ଆସ୍ଥା ରଖିବାକୁ ପଡ଼ୁଥିଲା । ମାତ୍ର ଜେମ୍‍ସ୍‌ ଏହା କରିବାକୁ ପ୍ରଥମେ ରାଜି ହେଲେନାହିଁ । ଜେମ୍‍ସ୍‌ଙ୍କ ଏହି ମନୋଭାବ ଟୋରୀ ଦଳ ମଧ୍ୟରେ ବିଭେଦ ସୃଷ୍ଟିକଲା । କେତେକ ଏହାସତ୍ତ୍ୱେ ମଧ୍ୟ ତାଙ୍କୁ ସମର୍ଥନ କଲେ ଏବଂ କେତେକ ଏଥିପାଇଁ ତାଙ୍କର ବିରୋଧ କଲେ । କିନ୍ତୁ ଏହି ସମୟରେ ହୁଇଗ୍‍ ଦଳ ମଧ୍ୟରେ ଦୃଢ଼ ଏକତା ଥିଲା । ସେମାନେ ହାନୋଭରର ରାଜକୁମାର ଜର୍ଜଙ୍କୁ ଇଂଲଣ୍ଡର ରାଜା କରିବାପାଇଁ ଚାହୁଁଥିଲେ ଏବଂ ସିଂହାସନ ଜେମ୍‍ସ୍‌ଙ୍କୁ ଅର୍ପଣ କରାଗଲେ ଏକ ଗୃହଯୁଦ୍ଧର ସୂତ୍ରପାତ ହେବ ବୋଲି ଭୟ ଦେଖାଇଲେ । ମାତ୍ର ଏଥିରେ ବୋଲିଙ୍ଗବ୍ରେକ ବିଚଳିତ ହେଲେନାହିଁ । ସେ ତୃତୀୟ ଜେମ୍‍ସ୍‌ଙ୍କୁ କୌଣସିମତେ ଏଙ୍ଗ୍ଳିକାନ୍‌ ମତବାଦକୁ ଗ୍ରହଣ କରି ନେଇଛନ୍ତି ବୋଲି ଘୋଷଣା କରିବାପାଇଁ ପ୍ରବର୍ତ୍ତାଇଲେ । ମାତ୍ର ତାଙ୍କ ଉଦ୍ୟମ ସଫଳ ହେବା ପୂର୍ବରୁ ରାଣୀ ଆନି ଆକସ୍ମିକଭାବେ ପୀଡ଼ିତା ହୋଇ ଅତି ଅଳ୍ପକାଳ ମଧ୍ୟରେ ଇହଧାମ ତ୍ୟାଗକଲେ । ତାଙ୍କ ମୃତ୍ୟୁର ଅବ୍ୟବହିତ ପୂର୍ବରୁ ମନ୍ତ୍ରିମଣ୍ଡଳର ଏକ ଜରୁରୀ ବୈଠକ ବସିଥିଲା ଏବଂ ଏଥିରେ କେତେକ ହୁଇଗ୍‌ ନେତା ପ୍ରିଭି କାଉନ୍‌ସିଲ୍‍ର ସଦସ୍ୟରୂପେ ବଳପୂର୍ବକ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କଲେ । ରାଣୀ ଆନି ସେମାନଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇ ସେମାନଙ୍କୁ ସମସ୍ତ କ୍ଷମତା ଅର୍ପଣକଲେ । ବୋଲିଙ୍ଗବ୍ରୋକଙ୍କ ଯୋଜନା ବିଫଳ ହେଲା । ଇଂଲଣ୍ଡ ରାଜସିଂହାସନ ଅଳଙ୍କୃତ କରିବାପାଇଁ ହାନୋଭରର ରାଜକୁମାର ଜର୍ଜଙ୍କୁ ନିମନ୍ତ୍ରଣ କରାଗଲା । ରାଣୀ ଆନି ଆଉ ଅଳ୍ପ କିଛିଦିନ ବଞ୍ଚି ପାରିଥିଲେ ବୋଲିଙ୍ଗବ୍ରୋକଙ୍କ ଉଦ୍ୟମ ସମ୍ଭବତଃ ସଫଳ ହୋଇ ପାରିଥାନ୍ତା ଓ ତାହା ହୋଇଥିଲେ ଇଂଲଣ୍ଡର ଇତିହାସ ଏହାପରେ ଏକ ଭିନ୍ନ ରୂପ ନେଇଥାନ୍ତା ।

Image

 

ହାନୋଭରୀୟ ଯୁଗ

ତ୍ରୟୋଦଶ ଅଧ୍ୟ୍ୟାୟ

ପ୍ରଥମ ଜର୍ଜ (ଖ୍ରୀ: ୧୭୧୪–ଖ୍ରୀ: ୧୭୨୭)

 

୧୭୦୧ ଖ୍ରୀ:ରେ ଗୃହୀତ ବନ୍ଦୋବସ୍ତ ଆଇନ ଅନୁସାରେ ମହାରାଣୀ ଆନିଙ୍କର ମୃତ୍ୟୁ ପରେ ଇଂଲଣ୍ଡ ରାଜସିଂହାସନର ଉତ୍ତରାଧିକାରିଣୀ ଥିଲେ ପ୍ରଥମ ଜେମ୍‍ସ୍‌ଙ୍କର ଦୌହିତ୍ରୀ ସୋଫିଆ । ସୋଫିଆ ଜର୍ମାନୀ ଅନ୍ତର୍ଗତ ହାନୋଭର ରାଜ୍ୟର ରାଣୀଥିଲେ । ଦୁର୍ଭାଗ୍ୟବଶତଃ ମହାରାଣୀ ଆନିଙ୍କର ମୃତ୍ୟୁର ଦୁଇମାସ ପୂର୍ବରୁ ସୋଫିଆଙ୍କର ଦେହାନ୍ତ ହୋଇଯାଇଥିଲା । ତେଣୁ ସୋଫିଆଙ୍କର ପୁତ୍ର ଜର୍ଜ ରାଜସିଂହାସନ ପାଇଁ ମନୋନୀତ ହେଲେ । ୧୭୧୪ ଖ୍ରୀ:ର ସେପ୍‌ଟେମ୍ବର ମାସର ୧୪ ତାରିଖ ଦିନ ତାଙ୍କର ଅଭିଷେକ ଉତ୍ସବ ପାଳିତ ହେଲା । ସେହି ଦିନରୁ ସେ ରାଜା ପ୍ରଥମ ଜର୍ଜରୂପେ ପରିଚିତ ହେଲେ । ସେ ଜର୍ମାନୀର ହାନୋଭର ରାଜ୍ୟରୁ ଆସିଥିବାରୁ ତାଙ୍କଦ୍ୱାରା ପ୍ରତିଷ୍ଠିତ ରାଜବଂଶକୁ ହାନୋଭରୀୟ ରାଜବଂଶ କୁହାଯାଏ । ଏହି ବଂଶର ରାଜାମାନଙ୍କର ଶାସନକାଳକୁ ଇଂଲଣ୍ଡରେ ହାନୋଭରୀୟ ଯୁଗ ନାମରେ ଅଭିହିତ କରାଯାଏ ।

 

ପ୍ରଥମ ଜର୍ଜଙ୍କର ଚରିତ୍ର ଓ ବ୍ୟକ୍ତିତ୍ୱ :– ଅଭିଷେକ ସମୟରେ ପ୍ରଥମ ଜର୍ଜ ୫୪ ବର୍ଷ ବୟସରେ ପଦାର୍ପଣ କରି ସାରିଥିଲେ । ଏତେ ଦୀର୍ଘକାଳ ସେ ହାନୋଭରରେ ଅତିବାହିତ କରିଥିବାରୁ ସେହି ରାଜ୍ୟ ପ୍ରତି ତାଙ୍କର ଅତିଶୟ ମମତା ଥିଲା । ଇଂଲଣ୍ଡକୁ ସେ ବିଦେଶ ବୋଲି ମନେ କରୁଥିଲେ । ଇଂଲଣ୍ଡର ରୀତିନୀତି ବା ରାଜନୀତି ତାଙ୍କୁ ଭଲ ଲାଗିଲା ନାହିଁ । ସେ ଇଂରାଜୀ ଭାଷା ଜାଣି ନଥିଲେ ଏବଂ ସେହି ଭାଷା ଶିକ୍ଷା କରିବାରେ ମଧ୍ୟ ତାଙ୍କର ଆଗ୍ରହ ନଥିଲା । ମାତୃଭୂମି ହାନୋଭରରେ ଥିବା ବନ୍ଧୁମାନଙ୍କ ସହ ସାକ୍ଷାତ୍‌ କରିବାପାଇଁ ସେ ସର୍ବଦା ଉତ୍ସୁକ ଥିଲେ । ତେଣୁ ଇଂଲଣ୍ଡର ବାହାରକୁ ଯିବାପାଇଁ ବନ୍ଦୋବସ୍ତ ଆଇନରେ ଥିବା କଟକଣା ସତ୍ତ୍ୱେ ସେ ବହୁବାର ସ୍ୱଦେଶକୁ ପରିଭ୍ରମଣରେ ଯାଉଥିଲେ ।

 

ଜର୍ଜ ଜଣେ ସାହସୀ ଯୋଦ୍ଧା ଓ ଆତ୍ମାଭିମାନୀ ଥିଲେ । ମାତ୍ର ତାଙ୍କର ବ୍ୟକ୍ତିତ୍ୱ ବଳିଷ୍ଠ ନଥିଲା । ସେ ବଡ଼ ଜିଦ୍‌ଖୋର ଓ ଦୁର୍ବଳମନା ଥିଲେ ଏବଂ ସହଜରେ କୌଣସି ନୀତି ନିର୍ଦ୍ଧାରଣ ବା ନିଷ୍ପତ୍ତି ଗ୍ରହଣ କରିପାରୁ ନଥିଲେ । ରବର୍ଟସନଙ୍କ ଭାଷାରେ, ‘‘ସେ ଥିଲେ ଜଣେ କର୍କଶ, ହୃଦୟହୀନ, ନିଷ୍ଠୁର, ଲୋଭୀ, ନୀଚମନା, କାମୁକ, ସମୟାନୁବର୍ତ୍ତୀ ଏବଂ ବିଚକ୍ଷଣ ବ୍ୟକ୍ତି ।’’ ତାଙ୍କର ଘରୋଇ ଜୀବନ ନିନ୍ଦନୀୟ ଥିଲା । ପୁତ୍ରଲାଭର ବାରବର୍ଷ ପରେ ସେ ରାଣୀ ସୋଫିଆ ଡୋରାଥିଙ୍କ ସହ କଳହ କରି ତାଙ୍କ ସହିତ ବିବାହ ବନ୍ଧନ ଛିନ୍ନକଲେ ଏବଂ ତାଙ୍କୁ ଏକ କାରାଗୃହରେ ନିକ୍ଷେପ କଲେ । ସେହି କାରାଗୃହରେ ସୋଫିଆଙ୍କର ଜୀବନ–ଦୀପ ଲିଭିଗଲା । ଜର୍ଜ ନିଜର ଏକମାତ୍ର ପୁତ୍ରଙ୍କ ସହିତ ମଧ୍ୟ ସୁସମ୍ପର୍କ ରକ୍ଷାକରି ପାରି ନଥିଲେ ଏବଂ ତାଙ୍କୁ ଉତ୍ତରାଧିକାରୀ ପଦରୁ ବଞ୍ଚିତ କରିବାପାଇଁ ଉଦ୍ୟମ ମଧ୍ୟ କରିଥିଲେ । ଏହିସବୁ ଦୋଷ ଦୁର୍ବଳତା ସତ୍ତ୍ୱେ ପ୍ରଥମ ଜର୍ଜ ଇଂଲଣ୍ଡରେ ଲୋକପ୍ରିୟ ଥିଲେ । ଅତ୍ୟାଚାରୀ କାଥଲିକ୍ ଷ୍ଟୁଆର୍ଟ ରାଜାଙ୍କ ଅପେକ୍ଷା ପ୍ରୋଟେଷ୍ଟାଣ୍ଟ୍‍ ଇଂଲଣ୍ଡପାଇଁ ଜର୍ଜ ଅଧିକ ଗ୍ରହଣୀୟ ଥିଲେ ।

 

ହାନୋଭରୀୟ ଶାସନର ବୈଶିଷ୍ଟ୍ୟ

 

ପ୍ରଥମ ଜର୍ଜଙ୍କର ସିଂହାସନ ଆରୋହଣ ସହିତ ଇଂଲଣ୍ଡ ଇତିହାସରେ ଏକ ନୂତନ ଯୁଗର ଆରମ୍ଭ ହେଲା । ମହାରାଣୀ ଆନିଙ୍କର ଉତ୍ତରାଧିକାରୀ ପାଇଁ ଅନ୍ୟାନ୍ୟ ବହୁ ଦାବିଦାର ଥିବା ସତ୍ତ୍ୱେ ପାର୍ଲିଆମେଣ୍ଟ୍‍ ହାନୋଭରର ଜଣେ ଯୁବରାଜଙ୍କୁ ମନୋନୀତ କରି ତାଙ୍କୁ ଇଂଲଣ୍ଡ ସିଂହାସନରେ ପ୍ରତିଷ୍ଠିତ କଲେ । ଏହାଫଳରେ ପାର୍ଲିଆମେଣ୍ଟ୍‍ ଦେଶର ସର୍ବଶକ୍ତିମାନ ବୋଲି ପ୍ରମାଣିତ ହେଲା । ସିଂହାସନ ପାଇଁ ରାଜାଙ୍କର ଦେବଦତ୍ତ ଅଧିକାର ନୀତି ଏହାଦ୍ୱାରା ବିଲୁପ୍ତ ହେଲା ଏବଂ ଏ ସମ୍ପର୍କରେ ପାର୍ଲିଆମେଣ୍ଟ୍‍ର ନିଷ୍ପତ୍ତିହିଁ ଅନ୍ତିମ ଓ ଅଲଙ୍ଘନୀୟ ବୋଲି ଜଣାଗଲା । ରାଜା ପାର୍ଲିଆମେଣ୍ଟ୍‍ ସହ ଆଉ କଳହରେ ବ୍ୟାପୃତ ନ ରହି ଉକ୍ତ ସଂସ୍ଥା ସହ ସୁସମ୍ପର୍କ ରକ୍ଷା କରିବାପାଇଁ ଯଥାଶକ୍ତି ଉଦ୍ୟମ କଲେ ।

 

ଜର୍ଜଙ୍କୁ ସିଂହାସନ ଅର୍ପଣ କରିବା ସକାଶେ ପାର୍ଲିଆମେଣ୍ଟ୍‍ର ଦୁଇ ଦଳ ମଧ୍ୟରେ ତୀବ୍ର ମତାନ୍ତର ଥିଲା । ହୁଇଗ୍‍ ଦଳ ଏହାର ସମର୍ଥନ କରୁଥିବାବେଳେ ଟୋରୀ ଦଳ ବିପକ୍ଷରେ ଥିଲେ । ଶେଷରେ ହୁଇଗ୍‍ମାନଙ୍କର ବିଜୟ ହେଲା ଏବଂ ଜର୍ଜ ଇଂଲଣ୍ଡର ରାଜା ହେଲେ । ସୁତରାଂ ଜର୍ଜ ହୁଇଗ୍‍ ଦଳ ଉପରେ ଆସ୍ଥା ରଖି ସେମାନଙ୍କୁ ଶାସନ ଦାୟିତ୍ୱ ଅର୍ପଣ କଲେ । ଉକ୍ତ ଦଳ ୧୭୬୦ ଖ୍ରୀ: ପର୍ଯ୍ୟନ୍ତ ପ୍ରାୟ ଅର୍ଦ୍ଧଶତାବ୍ଦୀ କାଳ କ୍ଷମତାସୀନ ଥିଲେ । ଏହି ସମୟ ମଧ୍ୟରେ ସେମାନେ ଇଂଲଣ୍ଡର ରାଜନୀତିକୁ ପ୍ରଭାବିତ କରି ସାମ୍ବିଧାନିକ କ୍ଷେତ୍ରରେ କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଥିଲେ ।

 

ଏହି ଯୁଗରେ ଷ୍ଟୁଆର୍ଟ ରାଜବଂଶର ପୁନଃ ପ୍ରତିଷ୍ଠାପାଇଁ ୧୭୧୫ ତଥା ୧୭୪୫ ଖ୍ରୀ:ରେ ଦୁଇଗୋଟି ବିଦ୍ରୋହ ସଂଘଟିତ ହୋଇଥିଲା । ଏହାକୁ ଜେକୋବାଇଟ ବିଦ୍ରୋହ ବୋଲି କୁହାଯାଏ । ଏହି ବିଦ୍ରୋହଦ୍ୱୟକୁ ଦୃଢ଼ ହସ୍ତରେ ଦମନ କରାଗଲା । ଏହାଫଳରେ ଷ୍ଟୁଆର୍ଟ ରାଜବଂଶ ଓ ଟୋରୀ ଦଳର ଆଶା ଧ୍ୱଂସ ହେଲା । ହାନୋଭର ରାଜବଂଶ ଓ ହୁଇଗ୍‍ ଦଳ ଦେଶରେ ପ୍ରତିଷ୍ଠିତ ହେଲେ ।

 

କଥିତ ଅଛି ଯେ ବନ୍ଦୋବସ୍ତ ଆଇନଫଳରେ ଇଂଲଣ୍ଡ ଏକ ବିଦେଶୀ ରାଜା ଲାଭ କଲା ଏବଂ ସେ ଦେଶରେ ବିଦେଶୀ ରାଜାଙ୍କର ଉପସ୍ଥିତି ଯୋଗୁଁ ଜଣେ ପ୍ରଧାନମନ୍ତ୍ରୀଙ୍କର ଅଭ୍ୟୁଦୟ ହେଲା । ହାନୋଭରୀୟ ରାଜା ପ୍ରଥମ ଜର୍ଜ ଏବଂ ତାଙ୍କ ପୁତ୍ର ଦ୍ୱିତୀୟ ଜର୍ଜ ଇଂରାଜୀ ଭାଷା ଆଦୌ ଜାଣି ନଥିଲେ । ଇଂଲଣ୍ଡର ରାଜନୀତିରେ ମଧ୍ୟ ସେମାନେ ଆଗ୍ରହୀ ନଥିଲେ । ତେଣୁ ମନ୍ତ୍ରିମଣ୍ଡଳର ବୈଠକମାନଙ୍କରେ ସେମାନେ ସର୍ବଦା ଅନୁପସ୍ଥିତ ରହୁଥିଲେ । ବୈଠକର ପରିଚାଳନା ତଥା ତା’ର ଫଳାଫଳ ସମ୍ପର୍କରେ ରାଜାଙ୍କୁ ଅବହିତ କରିବାର ଦାୟିତ୍ୱ ଜଣେ ମନ୍ତ୍ରୀଙ୍କ ଉପରେ ନ୍ୟସ୍ତ ଥିଲା । ସେ ମନ୍ତ୍ରିମଣ୍ଡଳର ନେତୃତ୍ୱ ନେଇ ଦଳର ଦଳପତି ହେଲେ । ପରବର୍ତ୍ତୀ କାଳରେ ତାଙ୍କୁ ପ୍ରଧାନମନ୍ତ୍ରୀ କୁହାଗଲା । ଏହି ସୁଯୋଗରେ ସେ କେବଳ ନିଜ ଦଳରୁ ମନ୍ତ୍ରୀମାନଙ୍କୁ ମନୋନୀତ କଲେ । ଫଳରେ ମନ୍ତ୍ରିମଣ୍ଡଳରେ ସଂହତି ସାହଚର୍ଯ୍ୟ ତଥା ସମସ୍ୱାର୍ଥତା ବୃଦ୍ଧି ହେଲା । ମନ୍ତ୍ରିମଣ୍ଡଳ ଅଭ୍ୟୁଦୟରେ ହୁଇଗ୍‌ ଦଳର ନେତା ଓ୍ୟାଲପୋଲଙ୍କ ଭୂମିକା ପରେ ଆଲୋଚିତ ହେବ ।

 

ଇଂଲଣ୍ଡରେ ରାଜନୈତିକ ଦଳର ସଂଗଠନ କାର୍ଯ୍ୟ ପ୍ରକୃତ ରୂପ ନେଲା । ହାନୋଭରୀୟ ଯୁଗରେ । ମହାରାଣୀ ଆନିଙ୍କର ମୃତ୍ୟୁ ସମୟରେ ଉତ୍ତରାଧିକାରୀ ପ୍ରଶ୍ନ ନେଇ ଏକ ଜଟିଳ ସମସ୍ୟା ଦେଖା ଦେଇଥିଲା ଏବଂ ଦେଶ ଏକ ଗୃହଯୁଦ୍ଧର ସମ୍ମୁଖୀନ ହୋଇଥିଲା । ହୁଇଗ୍‌ ଦଳ ସଂଗଠିତ ଓ ଏକତାବଦ୍ଧ ହୋଇ ସମସ୍ୟାର ସମାଧାନ କରି ନେଲେ । ଏହାପରେ ଓ୍ୟାଲପୋଲ ଦଳର ସଂଗଠନ ଓ ସଂହତିପାଇଁ ଆତ୍ମନିୟୋଗ କଲେ । ଯାହାଫଳରେ ହୁଇଗ୍‌ ଦଳ ପ୍ରାୟ ଅର୍ଦ୍ଧଶତାବ୍ଦୀ କାଳ କ୍ଷମତାରେ ରହିପାରିଲେ । ତଦନନ୍ତର ଟୋରୀ ଦଳ ମଧ୍ୟ ସଂଗଠିତ ହୋଇ ରାଜନୈତିକ କ୍ଷମତା ହାସଲ କଲେ ।

 

ହାନୋଭରୀୟ ଯୁଗରେ ଇଂଲଣ୍ଡ ଇଉରୋପର ରାଜନୀତିରେ ଏକ ବିଶେଷ ଅଂଶଗ୍ରହଣ କରିଥିଲା । ସେହି ମହାଦେଶରେ କ୍ଷୁଦ୍ର ହାନୋଭର ରାଜ୍ୟର ସ୍ୱାର୍ଥ ଓ ସମ୍ମାନ ରକ୍ଷା ରାଜାଙ୍କର ମୂଳ ଲକ୍ଷ୍ୟଥିଲା । ତଦନୁସାରେ ଇଂଲଣ୍ଡର ବୈଦେଶିକ ନୀତିକୁ ନିର୍ଦ୍ଧାରିତ କରିବାପାଇଁ ସେମାନେ ମନ୍ତ୍ରିମଣ୍ଡଳକୁ ପ୍ରଭାବିତ କରୁଥିଲେ । ଏହାଫଳରେ ଇଂଲଣ୍ଡ ଅଷ୍ଟ୍ରିଆର ଉତ୍ତରାଧିକାରୀ ଯୁଦ୍ଧରେ ଲିପ୍ତ ହେଲା । ରାଜା ଦ୍ୱିତୀୟ ଜର୍ଜ ହାନୋଭରର ସ୍ୱାର୍ଥ ରକ୍ଷାପାଇଁ ଏତେ ଉତ୍ସୁକ ହୋଇ ପଡ଼ିଥିଲେ ଯେ ସେ ନିଜେ ଇଉରୋପ ଯାତ୍ରା କରି ଯୁଦ୍ଧରେ ପ୍ରତ୍ୟକ୍ଷ ଅଂଶଗ୍ରହଣ କଲେ । ୧୮୩୭ ଖ୍ରୀ: ପର୍ଯ୍ୟନ୍ତ ହାନୋଭର ଇଂଲଣ୍ଡର ପ୍ରତ୍ୟକ୍ଷ ଶାସନାଧିନରେ ଥିଲା । ସେହି ବର୍ଷ ମହାରାଣୀ ଭିକ୍‌ଟୋରିଆ ସିଂହାସନ ଅଳଙ୍କୃତ କଲେ । ଜଣେ ନାରୀ ଶାସନର ନେତୃତ୍ୱ ଗ୍ରହଣ କରିବା ହାନୋଭର ପରମ୍ପରାର ପରିପନ୍ଥୀ ଥିଲା । ତେଣୁ ସେହି ଦିନରୁ ହାନୋଭର ଇଂଲଣ୍ଡରୁ ସ୍ୱତନ୍ତ୍ର ହେଲା ଏବଂ କମ୍ବରଲେଣ୍ଡର ଡ୍ୟୁକ୍‌ ସେ ଦେଶର ରାଜା ହେଲେ ।

 

ଷ୍ଟୁଆର୍ଟ ରାଜାମାନେ ପ୍ରୋଟେଷ୍ଟାଣ୍ଟ୍‍ ଧର୍ମର ମୂଳୋତ୍ପାଟନ ପାଇଁ ଉଦ୍ୟମ କରୁଥିଲେ । ତେଣୁ ସେହି ଯୁଗରେ ଇଂଲଣ୍ଡର ଜନସାଧାରଣ ସେମାନଙ୍କ ଧର୍ମର ରକ୍ଷାପାଇଁ ତତ୍ପର ଥିଲେ । ମାତ୍ର ହାନୋଭରୀୟ ଯୁଗରେ ସେହି ସଙ୍କଟ ଦୂରୀଭୂତ ହେଲା । ଫଳରେ ଧର୍ମକ୍ଷେତ୍ରରେ ସେମାନେ ଉଦାସୀନ ରହିଲେ । ଧର୍ମ ଅପେକ୍ଷା ଅର୍ଥପାଇଁ ସେମାନଙ୍କ ଆଗ୍ରହ ପ୍ରକାଶ ପାଇଲା । ସୁତରାଂ ଇଂଲଣ୍ଡର ସଭ୍ୟତା ମୁଖ୍ୟତଃ ବସ୍ତୁବାଦୀ ହୋଇ ଉଠିଲା ।

 

ଏହି ସବୁ ଆଲୋଚନାରୁ ଜଣାଯାଏ ଯେ ପ୍ରଥମ ଓ ଦ୍ୱିତୀୟ ଜର୍ଜଙ୍କର ରାଜତ୍ୱ କାଳ ଇଂଲଣ୍ଡର ଇତିହାସରେ ଅତୀବ ଗୁରୁତ୍ୱପୂର୍ଣ୍ଣ ଥିଲା ।

 

ହୁଇଗ୍‌ ଗୋଷ୍ଠୀତନ୍ତ୍ର :–୧୭୧୪ ଖ୍ରୀ:ରୁ ୧୭୬୦ ଖ୍ରୀ: ପର୍ଯ୍ୟନ୍ତ ଅର୍ଥାତ୍‌ ହାନୋଭର ରାଜବଂଶର ପ୍ରଥମ ଦୁଇଜଣ ରାଜାଙ୍କ ସମୟରେ ହୁଇଗ୍‌ଦଳ ଇଂଲଣ୍ଡରେ ସର୍ବଶକ୍ତିମାନ ଥିଲେ । ଦେଶର ଶାସନ–ଡୋରି ଏହି ଦଳର ଏକ ଗୋଷ୍ଠୀଙ୍କର ହାତରେ ନ୍ୟସ୍ତ ଥିଲା । ତେଣୁ ଏହି ସମୟରେ ସେମାନଙ୍କର ଶାସନକୁ ହୁଇଗ୍‌ ଗୋଷ୍ଠୀ–ତନ୍ତ୍ର ବା ହୁଇଗ୍‌ ଅଲିଗାର୍‌କି କୁହାଯାଏ । କେତେକ କାରଣ ଯୋଗୁଁ ହୁଇଗ୍‌ଦଳ ଶାସନ କ୍ଷେତ୍ରରେ ଶକ୍ତିଶାଳୀ ହୋଇ ପାରିଥିଲେ ।

 

ହାନୋଭର ରାଜବଂଶକୁ ଇଂଲଣ୍ଡ ରାଜସିଂହାସନରେ ପ୍ରତିଷ୍ଠିତ କରିବାରେ ହୁଇଗ୍‍ମାନେହିଁ ଦାୟୀ ଥିଲେ । ଟୋରୀ ଦଳ ଏମାନଙ୍କ ବିରୁଦ୍ଧରେ ଥିଲେ ଏବଂ ସେମାନେ ଷ୍ଟୁଆର୍ଟ ରାଜବଂଶର ପୁନଃ ପ୍ରତିଷ୍ଠାପାଇଁ ବିପୁଳ ଉଦ୍ୟମ କରିଥିଲେ । ଏଥିପାଇଁ ଦରକାର ହେଲେ ଏକ ଗୃହଯୁଦ୍ଧ ସକାଶେ ଟୋରୀ ନେତା ବୋଲିଙ୍ଗବ୍ରୋକ ପ୍ରସ୍ତୁତ ଥିଲେ । ହାନୋଭର ବଂଶ ଇଂଲଣ୍ଡଲେ ପ୍ରତିଷ୍ଠିତ ହେଲାପରେ ମଧ୍ୟ ସେମାନଙ୍କୁ ବହିଷ୍କାର କରିବାପାଇଁ ଟୋରୀ ଦଳ ଦୁଇଗୋଟି ଜେକୋବାଇଟ ବିଦ୍ରୋହର ଆୟୋଜନ କରିଥିଲେ । ୧୭୪୫ ଖ୍ରୀ: ପର୍ଯ୍ୟନ୍ତ ହାନୋଭର ରାଜବଂଶ ଓ ଟୋରୀ ଦଳ ମଧ୍ୟରେ ସମ୍ପର୍କ ତିକ୍ତ ଥିଲା । ଅପରପକ୍ଷେ ହୁଇଗ୍‌ ଦଳ ଏହି ସମୟରେ ହାନୋଭର ରାଜବଂଶ ପ୍ରତି ଅନୁରକ୍ତ ଥିଲେ । ତେଣୁ ସେ ସ୍ୱାଭାବିକ ଯେ ରାଜା ପ୍ରଥମ ଜର୍ଜ ଓ ଦ୍ୱିତୀୟ ଜର୍ଜ ହୁଇଗ୍‌ ଦଳ ଉପରେ ପୂର୍ଣ୍ଣ ଆସ୍ଥା ରଖି ସେମାନଙ୍କୁ ସବୁ ପ୍ରକାର ଶାସନ ଦାୟିତ୍ୱ ଅର୍ପଣ କଲେ ।

 

ଦ୍ୱିତୀୟତଃ ହାନୋଭର ରାଜବଂଶର ପ୍ରଥମ ଦୁଇଜଣ ରାଜା ଇଂରାଜୀ ଭାଷାରେ ଅନଭିଜ୍ଞ ଥିଲେ । ଇଂଲଣ୍ଡର ରାଜନୀତିରେ ମଧ୍ୟ ସେମାନଙ୍କର ଆଗ୍ରହ ନଥିଲା । ତେଣୁ ମନ୍ତ୍ରୀମାନଙ୍କ କୌଣସି କାର୍ଯ୍ୟରେ ସେମାନେ ହସ୍ତକ୍ଷେପ କଲେ ନାହିଁ । ଏହି ସୁଯୋଗରେ ହୁଇଗ୍‌ ନେତାଗଣ ଦଳକୁ ସୁସଂଗଠିତ କରି ଏକ ଦୃଢ଼ ମନ୍ତ୍ରିମଣ୍ଡଳ ଗଠନ କଲେ । ହୁଇଗ୍‌ ଦଳର ସର୍ବୋଚ୍ଚ ନେତା କାର୍ଯ୍ୟତଃ ପ୍ରଧାନମନ୍ତ୍ରୀ ହେଲେ ।

 

ଏହି ସମୟରେ ଇଂଲଣ୍ଡର ରାଜା ଅନେକଙ୍କର ପୃଷ୍ଠପୋଷକ ଥିଲେ । ବହୁସଂଖ୍ୟକ ରାଜକର୍ମଚାରୀ ତାଙ୍କଦ୍ୱାରା ନିଯୁକ୍ତ ହେଉଥିଲେ । ଅନେକ ସ୍ୱଳ୍ପ ଦାୟିତ୍ୱ ବିଶିଷ୍ଟ ଲାଭଜନକ ପଦବୀରେ ସେ ଆପଣାର ପ୍ରିୟଜନମାନଙ୍କୁ ରଖିପାରୁଥିଲେ । ଉପରୋକ୍ତ ରାଜକୀୟ ଅଧିକାର ବର୍ତ୍ତମାନ ହୁଇଗ୍‌ ନେତାଙ୍କ ହାତରେ ରହିଲା । ସେ ତାହାର ଉପଯୋଗ କରି ନିଜ ଦଳର ଲୋକଙ୍କୁ ସମସ୍ତ ପ୍ରକାର ଦାୟିତ୍ୱ ଓ ପଦବୀରେ ନିଯୁକ୍ତ କଲେ । ଏହାଫଳରେ ବହୁସଂଖ୍ୟକ ବ୍ୟକ୍ତି ତାଙ୍କୁ ସମର୍ଥନ କଲେ ଏବଂ ତାଙ୍କ ଦଳ ଶକ୍ତିଶାଳୀ ହେଲା । ହୁଇଗ୍‌ ନେତା ଓ୍ୟାଲପୋଲ କହୁଥିଲେ ଯେ ପ୍ରତ୍ୟେକ ବ୍ୟକ୍ତିର ଗୋଟିଏ ମୂଲ୍ୟ ଅଛି ଏବଂ ସେହି ମୂଲ୍ୟ ଦେଇ ତାଙ୍କୁ ଆୟତ କରାଯାଇପାରିବ-

 

ଏହା ପୂର୍ବରୁ ହୁଇଗ୍‌ ଦଳ ଲର୍ଡ଼ ସଭାରେ ସଂଖ୍ୟାଗରିଷ୍ଠ ଥିଲେ । ବର୍ତ୍ତମାନ ବିଭିନ୍ନ ଉପାୟ ଅବଲମ୍ବନ କରି କମନ୍‌ସ ସଭାରେ ମଧ୍ୟ ସେମାନେ ସଂଖ୍ୟାଗରିଷ୍ଠତା ଲାଭ କଲେ । ଏଥିପାଇଁ ପାର୍ଲିଆମେଣ୍ଟ୍‍ ସଦସ୍ୟମାନଙ୍କୁ ନାନାପ୍ରକାର ପଦପଦବୀରେ ନିଯୁକ୍ତ କରାଗଲା ଏବଂ ଉତ୍କୋଚ ଅର୍ପଣ କରାଗଲା । ପାର୍ଲିଆମେଣ୍ଟ୍‍ ନିର୍ବାଚନ ମଧ୍ୟ ତଦନୁଯାୟୀ ନିୟନ୍ତ୍ରିତ ହେଲା । ଏହି ସମୟରେ କେତେକ ନିର୍ବାଚନ ମଣ୍ଡଳୀରେ ଅତି ଅଳ୍ପ ସଂଖ୍ୟକ ଭୋଟର ଥିଲେ ଏବଂ ସେମାନଙ୍କୁ ପ୍ରଭାବିତ କରିବା ଆଦୌ କଷ୍ଟକର ବ୍ୟାପାର ନଥିଲା । ଏହି ସବୁ ଥିଲା ଧ୍ୱଂସମୁଖୀ ନିର୍ବାଚନ ମଣ୍ଡଳୀ ବା ରଟନ ବୋରୋ । ଏହାଛଡ଼ା କେତେକ ନିୟନ୍ତ୍ରିତ ନିର୍ବାଚନ ମଣ୍ଡଳୀ ବା ପକେଟ ବୋରୋ ଥିଲା ଏବଂ ସେଗୁଡ଼ିକରୁ ସଦସ୍ୟଗଣ ମନୋନୀତ ହୋଇ ଆସୁଥିଲେ । ସାଧାରଣ ନିର୍ବାଚନ ମଣ୍ଡଳୀମାନଙ୍କରେ ମଧ୍ୟ ଜୟ ଲାଭପାଇଁ ହୁଇଗ୍‌ ଦଳ ଶାସନ କଳକୁ ବ୍ୟବହାର କଲେ ଏବଂ ଉତ୍କୋଚ ଓ ପାରିତୋଷିତ ଅର୍ପଣ କରି ଭୋଟଦାତାମାନଙ୍କୁ ପ୍ରଭାବିତ କଲେ । ଏହି ସବୁ ଉପାୟରେ ସେମାନେ କମନ୍‌ସ ସଭାରେ ସଂଖ୍ୟାଗରିଷ୍ଠତା ଲାଭ କଲେ ।

 

ଇଂଲଣ୍ଡର ଗିର୍ଜାମାନଙ୍କରେ ବିଶପ୍ ପ୍ରଭୃତି କର୍ମଚାରୀଙ୍କୁ ନିଯୁକ୍ତି ଦେବାରେ ରାଜାଙ୍କର ବିଶେଷ କ୍ଷମତା ହୁଇଗ୍‍ ନେତାଙ୍କଦ୍ୱାରା ବ୍ୟବହୃତ ହେଲା । ଫଳରେ ସେ ଗିର୍ଜା ସେବା ସଂସ୍ଥାର ପୂର୍ଣ୍ଣ ସମର୍ଥନ ପାଇପାରିଲେ । ଏହା ପୂର୍ବରୁ ଗିର୍ଜାଗୁଡ଼ିକ ମୁଖ୍ୟତଃ ଟୋରୀ ଦଳର ଆୟତରେ ଥିଲା । ତେଣୁ ଏହାଦ୍ୱାରା ହୁଇଗ୍‌ ଦଳର ଶକ୍ତି ବୃଦ୍ଧି ପାଇଲା ।

 

ଏହି ସମୟରେ କେତେକ ପ୍ରବୀଣ ରାଜନୀତିଜ୍ଞ ହୁଇଗ୍‌ ଦଳରେ ଦେଖାଦେଲେ । ସେମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ଓ୍ୟାଲପୋଲ । ବୋଲିଙ୍ଗବ୍ରୋକଙ୍କ ବ୍ୟତୀତ ତତ୍କାଳୀନ ଇଂଲଣ୍ଡର ପ୍ରାୟ ସବୁ ବିଶିଷ୍ଟ ନେତା ହୁଇଗ୍‌ ଦଳର ଅନ୍ତର୍ଭୁକ୍ତ ଥିଲେ । ଏମାନଙ୍କର ନେତୃତ୍ୱ ଦଳକୁ ଶକ୍ତିଶାଳୀ କରିବାରେ ସାହାଯ୍ୟକଲା ।

 

ରାଜନୀତି କ୍ଷେତ୍ରରେ ହୁଇଗ୍‌ ଦଳ ନରମପନ୍ଥୀ ଥିଲେ । ଧର୍ମ କ୍ଷେତ୍ରରେ ମଧ୍ୟ ସେମାନେ ସବୁପ୍ରକାର ମତବାଦ ପ୍ରତି ସହନଶୀଳ ମନୋଭାବ ପ୍ରଦର୍ଶନ କରୁଥିଲେ । ଲୋକଙ୍କର କାର୍ଯ୍ୟକଳାପରେ ଅଯଥା ହସ୍ତକ୍ଷେପ କରିବାକୁ ସେମାନେ ଚାହୁଁ ନଥିଲେ । ଇଂଲଣ୍ଡର ଉପନିବେଶମାନଙ୍କ ପ୍ରତି ମଧ୍ୟ ସେମାନଙ୍କର ନୀତି ଅତ୍ୟନ୍ତ ଉଦାର ଥିଲା । ଆମେରିକାର ଉପନିବେଶମାନଙ୍କରେ ନୌଚାଳନ ଆଇନ ଲୋକପ୍ରିୟ ନଥିବାରୁ ତାକୁ କାର୍ଯ୍ୟକାରୀ କରିବା ସକାଶେ କୌଣସି ପଦକ୍ଷେପ ନିଆଗଲା ନାହିଁ । କଥିତ ଅଛି ଯେ ତତ୍କାଳୀନ ଔପନିବେଶିକ ମନ୍ତ୍ରୀ ନ୍ୟୁକେସଲ ଉପନିବେଶମାନଙ୍କରୁ ଆସୁଥିବା ଚିଠିପତ୍ର ମଧ୍ୟ ଖୋଲୁ ନଥିଲେ । ‘‘ଶୋଇଲା କୁକୁର ଶୋଇ ରହୁ’’ ଏହାଥିଲା ହୁଇଗ୍‌ ଦଳର ନୀତି । ସେମାନଙ୍କର କୌଣସି ଆଇନ ବା କାର୍ଯ୍ୟ ଲୋକଙ୍କଦ୍ୱାରା ସମାଲୋଚିତ ହେଲେ କୌଣସି ଅପ୍ରୀତିକର ପରିସ୍ଥିତି ଦେଖା ଦେବାପୂର୍ବରୁ ସେମାନେ ତାହା ପ୍ରତ୍ୟାହାର କରି ନେଉଥିଲେ । ଶତ୍ରୁ ବିରୁଦ୍ଧରେ ମଧ୍ୟ ସେମାନଙ୍କର ନୀତି କଠୋର ନଥିଲା ଏବଂ ସେମାନେ ନିର୍ବାସିତ ଟୋରୀ ନେତା ବୋଲିଙ୍ଗବ୍ରୋକଙ୍କୁ ଇଂଲଣ୍ଡକୁ ଫେରି ଆସିବାପାଇଁ ସୁଯୋଗ ଦେଇଥିଲେ । ହୁଇଗ୍ ଦଳମଧ୍ୟରେ ନାନାପ୍ରକାର ଦୁର୍ନୀତି ଥିବା ସତ୍ତ୍ୱେ, ସେମାନଙ୍କର ଏହି ପ୍ରକାର ଉଦାର ଓ ନରମ ନୀତି ଯୋଗୁଁ ସେମାନେ ସବୁ ଶ୍ରେଣୀର ଲୋକଙ୍କ ସମର୍ଥନ ଲାଭ କଲେ ଏବଂ ତଦ୍ଦ୍ୱାରା ସେମାନଙ୍କର ଶକ୍ତି ବୃଦ୍ଧି ପାଇଲା ।

 

ହୁଇଗ୍‌ ଶାସନ କାଳରେ ଇଂଲଣ୍ଡର ପ୍ରଭୂତ ଉନ୍ନତି ସାଧିତ ହୋଇଥିଲା । ଏହି ସମୟରେ ସେ ଦେଶର ଲୋକସଂଖ୍ୟା ବୃଦ୍ଧି ପାଇଲା, ବ୍ରିଟିଶ ସାମ୍ରାଜ୍ୟ ବିସ୍ତାରିତ ହେଲା ଓ ବ୍ୟବସାୟ ବାଣିଜ୍ୟର ପ୍ରସାର ହେଲା । ଇଂଲଣ୍ଡ ସମୃଦ୍ଧିଶାଳୀ ହୋଇ ଉଠିଲା ଏବଂ ଲୋକେ ସୁଖ ଶାନ୍ତିରେ ବାସ କଲେ ।

 

ଜେକୋବାଇଟ୍‌ ବିଦ୍ରୋହ (୧୭୧୫ ଖ୍ରୀ:) ପ୍ରଥମ ଜର୍ଜଙ୍କ ସିଂହାସନ ଆରୋହଣ ପରେ ତାଙ୍କ ବିରୁଦ୍ଧରେ ଏକ ବିଦ୍ରୋହ ଦେଖାଦେଲା । ଷ୍ଟୁଆର୍ଟ ବଂଶର ରାଜା ଦ୍ୱିତୀୟ ଜେମ୍‍ସ୍‌ଙ୍କ ପୁତ୍ରଙ୍କୁ ଇଂଲଣ୍ଡ ରାଜସିଂହାସନରେ ପ୍ରତିଷ୍ଠିତ କରିବା ଏହି ବିଦ୍ରୋହର ଲକ୍ଷ୍ୟ ଥିଲା । ତେଣୁ ଏହାକୁ ଜେକୋବାଇଟ୍ ବିଦ୍ରୋହ କୁହାଯାଏ । ସ୍କଟ୍‍ଲାଣ୍ଡ୍‍ରେ ଏହି ବିଦ୍ରୋହ ଆର୍ଲ ଅଫ୍‌ମାରଙ୍କ ନେତୃତ୍ୱରେ ଭୟଙ୍କର ରୂପ ଧାରଣ କଲା । ଶେରିଫ ମୁଇରଠାରେ ଉଭୟ ସରକାରୀ ଓ ବିଦ୍ରୋହୀ ସେନା ମଧ୍ୟରେ ତୁମୂଳ ଯୁଦ୍ଧ ଅନୁଷ୍ଠିତ ହେଲା । ଏକ ବିଦ୍ରୋହୀ ସେପା ପ୍ରେଷ୍ଟନଠାରେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହେଲେ । ଏହାପରେ ବିଦ୍ରୋହୀମାନଙ୍କର ମନୋବଳ ଭାଙ୍ଗିଗଲା । ସେମାନେ ପରାଜୟ ସ୍ୱୀକାର କଲେ । ଏହାଫଳରେ ପ୍ରାୟ ପଚାଶ ଜଣ ବିଦ୍ରୋହୀ ନେତା ମୃତ୍ୟୁଦଣ୍ଡ ପାଇଲେ-। ଟୋରୀ ଦଳ ଏହି ବିଦ୍ରୋହର ସୂତ୍ରପାତ କରିଥିବାରୁ ସରକାର ସେମାନଙ୍କ ଉପରେ ଆସ୍ଥା ରଖିଲେ ନାହିଁ । ହୁଇଗ୍‌ ଦଳ ରାଜାଙ୍କର ଅନୁଗ୍ରହ ଲାଭ କଲେ ।

 

ଜେମ୍‍ସ୍‌ଙ୍କର କାଥଲିକ୍‍ ଧର୍ମ ପ୍ରତି ଦୃଢ଼ ଅନୁରକ୍ତି ଜେକୋବାଇଟ୍‌ମାନଙ୍କ ପତନର ମୁଖ୍ୟ କାରଣ ଥିଲା । ଇଂଲଣ୍ଡର ପ୍ରୋଟେଷ୍ଟାଣ୍ଟ୍‍ ଜନସାଧାରଣଙ୍କ ସମର୍ଥନ ସେମାନେ ପାଇ ପାରିଲେ ନାହିଁ । ଏହାଛଡ଼ା ଇଂଲଣ୍ଡର ଧନୀ ଓ ବ୍ୟବସାୟୀ ସଂପ୍ରଦାୟଙ୍କର ଆଶଙ୍କା ଥିଲା ଯେ ସେମାନେ ସରକାରଙ୍କୁ ଦେଶର ଉନ୍ନୟନ କାର୍ଯ୍ୟପାଇଁ ଦେଇଥିବା ଋଣ ଷ୍ଟୁଆର୍ଟ ରାଜାଙ୍କର ପୁନଃ ପ୍ରତିଷ୍ଠାରେ ମିଳିପାରିବ ନାହିଁ । ତେଣୁ ସେମାନେ ଇଂଲଣ୍ଡରେ ହାନୋଭର ରାଜବଂଶ ତଥା ହୁଇଗ୍‌ ଦଳଙ୍କର ଶାସନକୁ ସମର୍ଥନ କଲେ । ଏହି ସବୁ କାରଣରୁ ଜେକୋବାଇଟ୍‌ ବିଦ୍ରୋହ ବିଫଳ ହେଲା-

 

ସପ୍ତବାର୍ଷିକ ଆଇନ : ୧୭୧୬ ଖ୍ରୀ:ରେ ପାର୍ଲିଆମେଣ୍ଟ୍‍ରେ ସପ୍ତବାର୍ଷିକ ଆଇନ ଗୃହୀତ ହେଲା । ଏହାଫଳରେ ତତ୍କାଳୀନ ପାର୍ଲିଆମେଣ୍ଟ୍‍ର କାର୍ଯ୍ୟକାଳ ସାତବର୍ଷକୁ ବୃଦ୍ଧି ପାଇଲା ଏବଂ ଭବିଷ୍ୟତରେ ମଧ୍ୟ ପାର୍ଲିଆମେଣ୍ଟ୍‍ଗୁଡ଼ିକର କାର୍ଯ୍ୟକାଳ ସାତବର୍ଷ ହେବ ବୋଲି ସ୍ଥିର ହେଲା । ଏହି ଆଇନ ପ୍ରଣୟନର ମୂଳକାରଣ ଥିଲା ଜେକୋବାଇଟ୍ ବିଦ୍ରୋହ । ଏହି ସମୟରେ ସେମାନଙ୍କର ଆଉ ଏକ ବିଦ୍ରୋହ ଆଶଙ୍କା କରାଯାଉଥିଲା । ତେଣୁ ଦେଶର ସଙ୍କଟ ସମୟରେ ନିର୍ବାଚନକୁ ସ୍ଥଗିତ ରଖିବା ଆବଶ୍ୟକ ମନେ କରାଗଲା । ଆଉ ମଧ୍ୟ ନିର୍ବାଚନରେ ଟୋରୀ ଦଳ ବିଜୟୀ ହୋଇ ଶାସନ କ୍ଷମତାକୁ ଆସିଲେ ଷ୍ଟୁଆର୍ଟ ବଂଶର ପୁନଃ ପ୍ରତିଷ୍ଠା ହେବ ବୋଲି ଆଶଙ୍କା କରାଗଲା । ଏହି ବିପଦର ଦୂରୀକରଣ ପାଇଁ ପାର୍ଲିଆମେଣ୍ଟ୍‍ର କାର୍ଯ୍ୟକାଳ ବୃଦ୍ଧି କରାଗଲା ।

 

ସପ୍ତବାର୍ଷିକ ଆଇନଫଳରେ ୧୬୯୪ ଖ୍ରୀ:ରେ ଗୃହୀତ ତ୍ରୈବାର୍ଷିକ ଆଇନ ଅବସାନ ହେଲା । ପାର୍ଲିଆମେଣ୍ଟ୍‍ ନିଜର ଏକ ପୂର୍ବ ଆଇନକୁ ରଦ୍ଦ କରି ତା’ପରିବର୍ତ୍ତେ ଆଉ ଏକ ନୂତନ ଆଇନ ଗ୍ରହଣ କଲା ଏବଂ ନିଜେ ନିଜର କାର୍ଯ୍ୟକାଳ ବଢ଼ାଇପାରିଲା । ଏତଦ୍ଦ୍ୱାରା ପାର୍ଲିଆମେଣ୍ଟ୍‍ର ସାର୍ବଭୌମତ୍ୱ ପ୍ରମାଣିତ ହେଲା ।

 

ଏହା ପୂର୍ବରୁ ତିନିବର୍ଷରେ ଥରେ ପାର୍ଲିଆମେଣ୍ଟ୍‍ର ନିର୍ବାଚନ ହେଉଥିଲା । କଥିତ ଅଛି ଯେ ପାର୍ଲିଆମେଣ୍ଟ୍‍ର ପ୍ରଥମ ବର୍ଷଟି ନିର୍ବାଚନ ସଂକ୍ରାନ୍ତ ମାମଲା ତୁଟାଇବାରେ ଅତିବାହିତ ହେଉଥିଲା, ତୃତୀୟ ବର୍ଷଟି ନିର୍ବାଚନ ପାଇଁ ପ୍ରସ୍ତୁତିକରଣରେ କଟୁଥିଲା ଏବଂ ମାତ୍ର ଦ୍ୱିତୀୟବର୍ଷରେ କ୍ଷମତାସୀନ ଦଳ ଯାହା କିଛି କାର୍ଯ୍ୟ କରିପାରୁଥିଲେ । ଏହାଦ୍ୱାରା କୌଣସି ଦୀର୍ଘକାଳୀନ ଯୋଜନା କାର୍ଯ୍ୟକାରୀ କରାଯାଇପାରୁ ନଥିଲା । ଘନଘନ ନିର୍ବାଚନରେ ଦେଶର ଶକ୍ତି ଓ ଅର୍ଥର ଅପବ୍ୟୟ ହେଉଥିଲା । ସପ୍ତବାର୍ଷିକ ଆଇନଫଳରେ ପାର୍ଲିଆମେଣ୍ଟ୍‍ ତଥା ମନ୍ତ୍ରିମଣ୍ଡଳର ସ୍ଥିରତା ବୃଦ୍ଧି ପାଇଲା । ଏହାଦ୍ୱାରା ଦେଶର ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରିବାପାଇଁ ସମୟ ମିଳିଲା ଏବଂ ବୈଦେଶିକ ନୀତି ମଧ୍ୟ ଦୃଢ଼ହେଲା । ତେଣୁ ଏକ ଅସ୍ଥାୟୀ ଆଇନ ବୋଲି ମନେ କରାଯାଉଥିଲେ ମଧ୍ୟ ଏହା ୧୯୧୧ ଖ୍ରୀ: ପର୍ଯ୍ୟନ୍ତ ପ୍ରାୟ ଏକ ଶତାବ୍ଦୀ କାଳ ବଳବତ୍ତର ଥିଲା । ସେହି ବର୍ଷ କମାଇ ଦିଆଗଲା ।

 

ପିଅରେଜ ଚିଠା ଆଇନ : ଲର୍ଡ଼ସଭାର ସଦସ୍ୟମାନଙ୍କୁ ପିଅରସ୍ କୁହାଯାଏ । ଏହି ସମୟରେ ଉକ୍ତ ଗୃହରେ ହୁଇଗ୍‌ଦଳ ସଂଖ୍ୟାଗରିଷ୍ଠ ଥିଲେ । ମାତ୍ର ରାଜା ଇଚ୍ଛାକଲେ ପିଅରସ୍‌ ମନୋନୀତ କରିପାରୁଥିଲେ ଏବଂ ଏଥିପାଇଁ କୌଣସି ସୀମା ଧାର୍ଯ୍ୟ ନଥିଲା । ତେଣୁ ବହୁସଂଖ୍ୟକ ପଅରସ୍‌ ମନୋନୀତ କରି ଲର୍ଡ଼ ସଭାରେ ହୁଇଗ୍ ସଂଖ୍ୟାଗରିଷ୍ଠତାକୁ ଯେକୌଣସି ସମୟରେ ଭାଙ୍ଗିଦେବା ଶକ୍ତି ରାଜାଙ୍କର ଥିଲା । ରାଜାଙ୍କର ଏହି କ୍ଷମତାକୁ ସୀମିତ କରିଦେବା ପାଇଁ ହୁଇଗ୍‌ ଦଳ ୧୭୧୯ ଖ୍ରୀ:ରେ ପିଅରେଜ ଆଇନ ପ୍ରଣୟନ ପାଇଁ ଉଦ୍ୟମ କଲେ । ଏହି ଚିଠା ଆଇନ ଅନୁସାରେ ଲର୍ଡ଼ସଭାର ତତ୍କାଳୀନ ସଂଖ୍ୟାରୁ ଆଉ ଅଧିକ ଛଅଜଣ ମାତ୍ର ପିଅରସ୍ ମନୋନୀତ କରିବାପାଇଁ ରାଜା କ୍ଷମତା ପାଇଲେ । ଅବଶ୍ୟ ରାଜପରିବାରର ସଦସ୍ୟମାନେ ଏହି ସଂଖ୍ୟାର ଅନ୍ତର୍ଭୁକ୍ତ ନଥିଲେ । ଏହାଦ୍ୱାରା ହୁଇଗ୍‌ମାନେ ଲର୍ଡ଼ ସଭାରେ ନିଜ ଦଳର ସଂଖ୍ୟାଗରିଷ୍ଠତା ସବୁଦିନ ପାଇଁ ରଖିପାରିବେ ବୋଲି ଆଶା କଲେ । କ୍ଷମତାସୀନ ଦଳର ଏହା ଏକ ଅଗଣତାନ୍ତ୍ରିକ ପଦକ୍ଷେପ ଥିଲା ଏବଂ ଫଳରେ ପାର୍ଲିଆମେଣ୍ଟ୍‍ର ଭିତରେ ଓ ବାହାରେ ଏହାର କଟୁ ସମାଲୋଚନା ହେଲା । ୱାଲପୋଲଙ୍କ ଭଳି କେତେକ ପ୍ରବୀଣ ହୁଇଗ୍‌ ରାଜନୀତିଜ୍ଞ ମଧ୍ୟ ଏହାର ସମର୍ଥନ କଲେ ନାହିଁ । ଫଳରେ ଏହା କମନ୍‌ସ ସଭାରେ ଗୃହୀତ ହୋଇ ପାରିଲା ନାହିଁ ।

 

ଦକ୍ଷିଣ ସାଗର ଜଳ ବୁଦ୍‌ ବୁଦ୍‌ : ହାର୍ଲୀ ନାମକ ଜଣେ ଇଂରେଜ ପୁଞ୍ଜିପତି ୧୭୧୧ ଖ୍ରୀ:ରେ ଦକ୍ଷିଣ ସାଗର ବାଣିଜ୍ୟ–ଗୋଷ୍ଠୀ ବା ସାଉଥ୍‌ସି କମ୍ପାନୀ ଗଠନ କରିଥିଲେ । ୟୁଟ୍ରେକ୍‌ଟ୍‌ ଶାନ୍ତି ଚୁକ୍ତିର ଏସିଏଣ୍ଟୋ ସର୍ତ୍ତ ଅନୁଯାୟୀ ଉକ୍ତ କମ୍ପାନୀ ସ୍ପେନୀୟ ଆମେରିକା ସହ ଏକଚାଟିଆ ବାଣିଜ୍ୟ ଅଧିକାର ଲାଭ କଲା । କମ୍ପାନୀର ବ୍ୟବସାୟ ସେତେ ଲାଭଜନକ ନଥିଲା । ଏହା ସତ୍ତ୍ୱେ ତାହା ସରକାରଙ୍କ ଜାତୀୟ ଋଣର ୩୧ ନିୟୁତ ପାଉଣ୍ଡ ନିଜ ହାତକୁ ନେଲା । ଏହାପରେ ଅପ୍ରତ୍ୟାଶିତ ଭାବରେ କମ୍ପାନୀ ଲୋକପ୍ରିୟ ହୋଇ ଉଠିଲା ଏବଂ ଏହାର ଅଂଶ କ୍ରୟ କରିବାପାଇଁ ବିପୁଳ ପ୍ରତିଯୋଗିତା ଚାଲିଲା । ଏପରିକି ଏହାର ଏକଶତ ପାଉଣ୍ଡ ମୂଲ୍ୟକୁ ଅଂଶରୁ ସହସ୍ରାଧିକ ପାଉଣ୍ଡ ଦେଇ ଲୋକେ କ୍ରୟକରି ନେଲେ । ଇଂଲଣ୍ଡର ଅନେକ ମନ୍ତ୍ରୀ ମଧ୍ୟ କମ୍ପାନୀ ସହ ସମ୍ପୃକ୍ତ ଥିଲେ । ୧୭୨୦ ଖ୍ରୀ:ରେ କମ୍ପାନୀର ଦୋଷ ଦୁର୍ବଳତା ପ୍ରକାଶ ପାଇଲା । ମାତ୍ର ସେହି ସମୟରେ ତାହା ଦେବାଳିଆ ଅବସ୍ଥାରେ ପହଞ୍ଚି ସାରିଥିଲା । ଏହାଫଳରେ ସହସ୍ରାଧିକ ଅଂଶୀଦାର କ୍ଷତିଗ୍ରସ୍ତ ହେଲେ । କମ୍ପାନୀର ପରିଚାଳକ ଓ ନିର୍ଦ୍ଦେଶକମାନଙ୍କର ଘରୋଇ ସମ୍ପତ୍ତି ବାଜ୍ୟାପ୍ତ ହେଲା । ଯେଉଁ ମନ୍ତ୍ରୀମାନେ ଏଥିରେ ସମ୍ପୃକ୍ତ ଥିଲେ, ସେମାନଙ୍କୁ ଇସ୍ତଫା ଦେବାପାଇଁ ବାଧ୍ୟ କରାଗଲା । ଫଳରେ ଷ୍ଟାନହୋପ ମନ୍ତ୍ରିମଣ୍ଡଳର ଶୋଚନୀୟ ପତନ ହେଲା । ଏହି ଘଟଣା ‘ଦକ୍ଷିଣ ସାଗର ଜଳ ବୁଦ୍ ବୁଦ୍’ ନାମରେ ଅଭିହିତ ହୋଇଥାଏ । ଏହି ସଙ୍କଟର ସମାଧାନ କରି ୱାଲପୋଲ ଆପଣାର ରାଜନୈତିକ ବିଚକ୍ଷଣତାର ପରିଚୟ ଦେଲେ । ଏହାଫଳରେ ତାଙ୍କର ଅଭ୍ୟୁତ୍‌ଥାନ ହେଲା ।

 

ବୈଦେଶିକ ନୀତି : ପ୍ରଥମ ଜର୍ଜଙ୍କର ବୈଦେଶିକ ନୀତିର ଦୁଇଟି ମୂଳ ଲକ୍ଷ୍ୟ ଥିଲା । ତାହା ହେଲା ଇଉରୋପରେ ହାନୋଭର ରାଜ୍ୟର ସ୍ୱାର୍ଥରକ୍ଷା କରିବା ଏବଂ ଇଂଲଣ୍ଡରେ ଷ୍ଟୁଆର୍ଟ ବଂଶର ପୁନଃ ପ୍ରତିଷ୍ଠା କରାଇ ନ ଦେବା । ବୈଦେଶିକ ନୀତିର ସଫଳତା ପାଇଁ ସେ ଫ୍ରାନ୍‌ସ ତଥା ଅଷ୍ଟ୍ରିଆ ସହିତ ବନ୍ଧୁତା ସ୍ଥାପନ କରି ଏକ ତ୍ରିଶକ୍ତିମେଣ୍ଟ ଗଢ଼ିବା ସକାଶେ ଉଦ୍ୟମ କଲେ । ଏହି ଦୁଇଦେଶ ମଧ୍ୟରେ ତିକ୍ତ ସମ୍ପର୍କ ଥିବା ଯୋଗୁଁ ଏହା ଏକ କଷ୍ଟକର ବ୍ୟାପାର ଜଣାପଡ଼ୁଥିଲା । ତଥାପି ଷ୍ଟାନହୋପ୍‌ ଏଥିପାଇଁ ପ୍ରବଳ ଉଦ୍ୟମ ଚଳାଇଲେ । ଏହି ସମୟରେ ଫ୍ରାନ୍‌ସର ରାଜା ଚତୁର୍ଦ୍ଦଶ ଲୁଇଙ୍କର ମୃତ୍ୟୁ ହେଲା । ତାଙ୍କର ଉତ୍ତରାଧିକାରୀ ପଞ୍ଚଦଶ ଲୁଇ ସେତେବେଳକୁ ପାଞ୍ଚବର୍ଷର ଜଣେ ବାଳକ ଥିଲେ । ଫଳରେ ଅର୍‌ଲିଏନ୍‍ସର ଡ୍ୟୁକ୍‌ଙ୍କ ହାତରେ ଶାସନ ଡୋରି ରହିଲା । ଫ୍ରାନ୍‌ସ ତଥା ଇଉରୋପରେ ଅର୍‌ଲିଏନ୍‌ସଙ୍କର ଅନେକ ଶତ୍ରୁଥିଲେ । ତେଣୁ ସେ ନିଜର ସ୍ଥିତିକୁ ଦୃଢ଼ କରିବା ସକାଶେ ଇଂଲଣ୍ଡ ସହ ବନ୍ଧୁତା ସ୍ଥାପନପାଇଁ ଉଦ୍ୟମ କଲେ । ଷ୍ଟାନ୍‌ହୋପ ଅରଲିଏନ୍‌ସଙ୍କର ଜଣେ ବନ୍ଧୁ ଥିବାରୁ ଏହା ଆହୁରି ସହଜ ହୋଇ ପଡ଼ିଲା । ଫଳରେ ଇଂଲଣ୍ଡ, ଫ୍ରାନ୍‌ସ ଓ ହଲାଣ୍ଡ ଏକ ତ୍ରିଶକ୍ତି ମେଣ୍ଟ ଗଠନ କଲେ । ଏହାପରେ ଅଷ୍ଟ୍ରିଆର ସମର୍ଥନ ଲାଭ କରିବାପାଇଁ ଯଥାଶକ୍ତି ଉଦ୍ୟମ କରାଗଲା । ସ୍ପେନ୍‍ ବିରୁଦ୍ଧରେ ଇଂଲଣ୍ଡ ସହ ମିତ୍ରତା ସ୍ଥାପନପାଇଁ ଅଷ୍ଟ୍ରିଆ ସମ୍ରାଟଙ୍କ ମଧ୍ୟ ଆନ୍ତରିକ ଇଚ୍ଛାଥିଲା । ଅବଶେଷରେ ଇଂଲଣ୍ଡର ମେଣ୍ଟରେ ଅଷ୍ଟ୍ରିଆ ଯୋଗଦେଲା ଏବଂ ଫଳରେ ତ୍ରି–ଶକ୍ତି ମେଣ୍ଟ ଚତୁଃଶକ୍ତି ମେଣ୍ଟରେ ପରିଣତ ହେଲା । ଏତଦ୍ଦ୍ୱାରା ଇଉରୋପର ରାଜନୀତିରେ ପ୍ରଥମ ଜର୍ଜଙ୍କର ସମ୍ମାନ ଓ ପ୍ରତିପତ୍ତି ଯଥେଷ୍ଟ ବୃଦ୍ଧି ପାଇଲା ।

Image

 

Unknown

ଚତୁର୍ଦ୍ଦଶ ଅଧ୍ୟାୟ

ରବର୍ଟ ୱାଲପୋଲ (୧୬୭୬ ଖ୍ରୀ–୧୭୪୫ ଖ୍ରୀ:)

 

ଇଂଲଣ୍ଡରେ ଗଣତନ୍ତ୍ରର କ୍ରମବିକାଶରେ ଯେଉଁ କେତେକ ରାଜନୀତିଜ୍ଞଙ୍କର ଅବଦାନ ରହିଛି, ସେମାନଙ୍କ ମଧ୍ୟରେ ରବର୍ଟ ଓ୍ୱାଲପୋଲ ଥିଲେ ଅନ୍ୟତମ । ସେ ନରଫୋକ ସାୟାରର ଏକ ସମ୍ଭ୍ରାନ୍ତ ପରିବାରରେ ୧୬୬୬ ଖ୍ରୀ:ରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କର ୧୯ ଜଣ ସନ୍ତାନସନ୍ତତିଙ୍କ ମଧ୍ୟରେ ସେ ଥିଲେ ତୃତୀୟ ସନ୍ତାନ । ପ୍ରଥମେ ଇଏଟନ୍‌ରେ ଓ ପରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର କିଙ୍ଗସ୍‌ କଲେଜରେ ତାଙ୍କର ଛାତ୍ରଜୀବନ ଅତିବାହିତ ହୋଇଥିଲା । ୧୭୦୧ ଖ୍ରୀ:ରେ ୨୫ ବର୍ଷ ବୟସରେ ସେ ପାର୍ଲିଆମେଣ୍ଟ୍‍ର ସଦସ୍ୟରୂପେ ନିର୍ବାଚିତ ହେଲେ । ଏହା ସହିତ ତାଙ୍କର ରାଜନୈତିକ ଜୀବନ ଆରମ୍ଭ ହେଲା । ୧୭୦୮ ଖ୍ରୀ:ରେ ସେ ମାର୍ଲବୋରୋଙ୍କ ଅଧୀନରେ ଯୁଦ୍ଧ ମନ୍ତ୍ରୀରୂପେ ନିଯୁକ୍ତ ହେଲେ । ମାତ୍ର ୧୭୧୧ ଖ୍ରୀ:ରେ ତାଙ୍କ ଜୀବନରେ ଏକ ଦୁର୍ଦ୍ଦିନ ଦେଖାଦେଲା । ସେ ଅର୍ଥ ତୋଷରଫ ଦୋଷରେ ଅଭିଯୁକ୍ତ ହୋଇ ପାର୍ଲିଆମେଣ୍ଟ୍‍ରୁ ବହିଷ୍କୃତ ହେଲେ ଏବଂ କିଛିକାଳ ପାଇଁ କାରାଦଣ୍ଡ ଭୋଗକଲେ । ମାତ୍ର ୱାଲପୋଲଙ୍କ ଏହି ଦୁର୍ଦ୍ଦଶା ବେଶୀ କାଳ ସ୍ଥାୟୀହୋଇ ରହିଲା ନାହିଁ । ହାନୋଭର ରାଜବଂଶର ପ୍ରତିଷ୍ଠା ସହ ତାଙ୍କର ପୁଣି ଭାଗ୍ୟୋଦୟ ହେଲା । ୧୭୧୪ ଖ୍ରୀ:ରୁ ୧୭୧୭ ଖ୍ରୀ: ପର୍ଯ୍ୟନ୍ତ ସେ ଷ୍ଟାନ୍‌ହୋପ ମନ୍ତ୍ରିମଣ୍ଡଳରେ ଅର୍ଥମନ୍ତ୍ରୀ ଥିଲେ । ମାତ୍ର ଷ୍ଟାନ୍‌ହୋପଙ୍କ ବୈଦେଶିକ ନୀତି ସହ ଏକମତ ହୋଇ ନପାରି ସେ ମନ୍ତ୍ରିମଣ୍ଡଳରୁ ଅବ୍ୟାହତି ନେଲେ । ଏହାପରେ ଦକ୍ଷିଣ ସାଗର ଜଳ ବୁଦ୍‌ ବୁଦ୍ ବିପଦ ଦେଖାଦେଲା ଏବଂ ୧୭୨୧ ଖ୍ରୀ:ରେ ଷ୍ଟାନ୍‌ହୋପ ମନ୍ତ୍ରିମଣ୍ଡଳର ଶୋଚନୀୟ ପତନ ହେଲା । ଏହାଫଳରେ ଇଂଲଣ୍ଡ ଏକ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଲା । ରାଜା ପ୍ରଥମ ଜର୍ଜ ଏହାର ସମାଧାନ ପାଇଁ ୱାଲପୋଲଙ୍କୁ ଆହ୍ୱାନ କଲେ । ରାଜ ଆମନ୍ତ୍ରଣ ରକ୍ଷାକରି ୱାଲପୋଲ ୧୭୨୧ ଖ୍ରୀ:ରେ ଏକ ନୂତନ ମନ୍ତ୍ରିମଣ୍ଡଳ ଗଠନ କଲେ । ଏହା ଦୀର୍ଘ ୨୧ ବର୍ଷ ପର୍ଯ୍ୟନ୍ତ ସ୍ଥାୟୀହୋଇ ରହିଲା ।

 

ୱାଲପୋଲ ଜଣେ ବିଚକ୍ଷଣ ରାଜନୀତିଜ୍ଞ ଥିଲେ । ତାଙ୍କର ସ୍ୱଭାବ ଅତି ଧୀର ଥିଲା ଏବଂ ସେ ସର୍ବଦା ପ୍ରଫୁଲ୍ଲ ଥିଲେ । ଜୀବନର ଦୁଃଖ ଦୁଶ୍ଚିନ୍ତାକୁ ସେ ସହଜରେ ଭୁଲିଯାଇପାରୁଥିଲେ-। ସେ ନିଜେ କହୁଥିଲେ, ‘‘ଦେହରୁ ମୋର ପୋଷାକ ଓହ୍ଲାଇଲା ସମୟରେ ମନର ମୋର ଦୁଶ୍ଚିନ୍ତା ସବୁକୁ ମଧ୍ୟ ମୁଁ ଫିଙ୍ଗି ଦେଇଯାଏ’’ । ସେ କ୍ରୀଡ଼ା କସରତ ତଥା ଶିକାର କରିବାକୁ ଭଲ ପାଉଥିଲେ-। ତାଙ୍କର ବ୍ୟବସାୟ ବୁଦ୍ଧି ତୀବ୍ର ଥିଲା ! ପଦପଦବୀ ତଥା ଉତ୍‌କୋଚ ପ୍ରଦାନ କରି ଯେକୌଣସି ବ୍ୟକ୍ତିଙ୍କୁ ଆୟତ୍ତ କରାଯାଇପାରିବ ବୋଲି ତାଙ୍କର ବିଶ୍ୱାସ ଥିଲା । ସେ କହୁଥିଲେ ଯେ ପ୍ରତ୍ୟେକ ବ୍ୟକ୍ତିର ଗୋଟିଏ ମୂଲ୍ୟ ଅଛି ଏବଂ ସେହି ମୂଲ୍ୟ ଦେଇ ତାଙ୍କୁ କିଣାଯାଇପାରିବ । ତାଙ୍କର ଅପୂର୍ବ ସଂଗଠନ ଶକ୍ତି ଥିଲା ଏବଂ ସେ ପ୍ରଗାଢ଼ ପରିଶ୍ରମ କରିପାରୁଥିଲେ । ଇଂଲଣ୍ଡର ପ୍ରଗତି ଓ ସମୃଦ୍ଧିପାଇଁ ତାଙ୍କର ଆନ୍ତରିକତା ଥିଲା । ଶାନ୍ତିଶୃଙ୍ଖଳା ସ୍ଥାପିତ ହେଲେ ଓ ବାଣିଜ୍ୟ ବ୍ୟବସାୟ ବୃଦ୍ଧି ହେଲେ ଦେଶ ସମୃଦ୍ଧିଶାଳୀ ହୋଇ ପାରିବ ବୋଲି ସେ ବିଶ୍ୱାସ କରୁଥିଲେ । ସେ ଥିଲେ ନିରାଟ ବାସ୍ତବବାଦୀ । ରଙ୍ଗୀନ କଳ୍ପନା ତାଙ୍କୁ ଅଭିଭୂତ କରୁ ନଥିଲା । ଧର୍ମ ବିଷୟରେ ସେ ବିଶେଷ ଚିନ୍ତା କରୁ ନଥିଲେ । ଜନମତ ଉପରେ ସେ ବିଶେଷ ଗୁରୁତ୍ୱ ଦେଉଥିଲେ । ଲୋକଙ୍କୁ ଯେକୌଣସିମତେ ଶାନ୍ତିରେ ରଖିବା ତାଙ୍କର ଲକ୍ଷ୍ୟ ଥିଲା । ‘‘ଶୋଇଲା କୁକୁର ଶୋଇ ରହୁ’’ ଏହା ଥିଲା ତାଙ୍କର ନୀତିବାକ୍ୟ । ୱାଲପୋଲଙ୍କ ନୀତି ଦେଶକୁ ସମୃଦ୍ଧି କରିବାରେ ସହାୟକ ଥିଲା ମାତ୍ର ତାହା ସେହି ଜାତିକୁ ମହତ୍ତର କରି ଗଢ଼ିବାରେ ଯଥେଷ୍ଟ ନଥିଲା । ଦେଶର ଆନ୍ତର୍ଜାତିକ ପ୍ରତିଷ୍ଠାପାଇଁ ୱାଲପୋଲଙ୍କର ବିଶେଷ ଅବଦାନ ନଥିଲା । ଏହି କାରଣରୁ ତାଙ୍କୁ ରାଜନୀତି କ୍ଷେତ୍ରରେ ଉଇଲିୟମ୍‍ ପିଟ୍‍ଙ୍କ ସହିତ ସମକକ୍ଷ ଆସନ ଦିଆଯାଇ ନଥାଏ ।

 

ପ୍ରଧାନମନ୍ତ୍ରୀ ୱାଲପୋଲ :–୧୭୪୨ ଖ୍ରୀ:ରେ ୱାଲପୋଲ କାର୍ଯ୍ୟରୁ ଅନ୍ତର ହେଲାପରେ ତାଙ୍କୁ ଅଭିଯୁକ୍ତ କରାଯାଇଥିଲା ଯେ ସେ ନିଜକୁ ପ୍ରଧାନମନ୍ତ୍ରୀ ବୋଲି ମନେ କରୁଥିଲେ । ୱାଲପୋଲ ନିଜେ ଏହା ଅସ୍ୱୀକାର କରିଥିଲେ ସତ; ମାତ୍ର ସେ ଯେ କାର୍ଯ୍ୟତଃ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଥିଲେ ଏଥିରେ ସନ୍ଦେହର ଅବକାଶ ନାହିଁ । ବସ୍ତୁତଃ ଏହି ମହୀୟାନ୍‌ ପଦବୀ ଇଂଲଣ୍ଡରେ ତାଙ୍କଠାରୁ ଆରମ୍ଭ ହୋଇଥିଲା । ଗୌରବମୟ ବିପ୍ଳବ ପରେ ତୃତୀୟ ଉଇଲିୟମ୍ ନିଜ ନୀତିକୁ ସମର୍ଥନ କରୁଥିବା ଦଳର ବ୍ୟକ୍ତିମାନଙ୍କୁ ନେଇ ମନ୍ତ୍ରିମଣ୍ଡଳ ଗଠନ କରିଥିଲେ । ମାତ୍ର ସେ ନିଜେ ଥିଲେ ନିଜର ପ୍ରଧାନମନ୍ତ୍ରୀ । ମହାରାଣୀ ଆନିଙ୍କ ସମୟରେ ମାର୍ଲବୋରୋ ମନ୍ତ୍ରୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲେ ସତ; କିନ୍ତୁ କେବଳ ଯୁଦ୍ଧ ପରିଚାଳନା ଦାୟିତ୍ୱ ତାଙ୍କ ହାତରେ ଥିଲା ଏବଂ ପାର୍ଲିଆମେଣ୍ଟ୍‍ର ସଂଗଠନ ତଥା ଆଭ୍ୟନ୍ତରୀଣ ଶାସନରେ ତାଙ୍କର ବିଶେଷ ଭୂମିକା ନଥିଲା । ବସ୍ତୁତଃ ହାନୋଭର ରାଜାଙ୍କ ସମୟରେ ୱାଲପୋଲ ଯେଉଁ ଭୂମିକା ଗ୍ରହଣ କଲେ ତାହା ଉଇଲିୟମ୍‍ କିମ୍ବା ଆନିଙ୍କ ସମୟରେ ସମ୍ଭବପର ହୋଇ ନଥାନ୍ତା । ଏଥିପାଇଁ ପରିସ୍ଥିତିହିଁ ମୁଖ୍ୟତଃ ଦାୟୀ ଥିଲା । ଏହା ପୂର୍ବରୁ ଇଂଲଣ୍ଡର ରାଜାମାନେ ମନ୍ତ୍ରିମଣ୍ଡଳର ବୈଠକରେ ପୌରୋହିତ୍ୟ କରୁଥିଲେ ଏବଂ ଦେଶର ରାଜନୀତି ଓ ଶାସନକୁ ନିୟନ୍ତ୍ରିତ କରୁଥିଲେ-। ମାତ୍ର ପ୍ରଥମ ଜର୍ଜ ଇଂଲଣ୍ଡର ରାଜନୀତିରେ ଆଗ୍ରହୀ ନଥିଲେ । ତେଣୁ ସେ ମନ୍ତ୍ରିମଣ୍ଡଳର ଅନୁପସ୍ଥିତ ରହି ନିଜର ବିଶ୍ୱସ୍ତ ମନ୍ତ୍ରୀ ୱାଲପୋଲଙ୍କୁ ତହିଁରେ ପୌରୋହିତ୍ୟ କରିବା ଦାୟିତ୍ୱ ଅର୍ପଣ କଲେ । ଫଳରେ ୱାଲପୋଲ ମନ୍ତ୍ରିମଣ୍ଡଳର ନେତାରୂପେ ପରିଗଣିତ ହେଲେ । ଏହି ସୁଯୋଗରେ ସେ ମନ୍ତ୍ରିମଣ୍ଡଳକୁ ସଂଗଠିତ କଲେ । କେବଳ ହୁଇଗ୍‌ ଦଳର ସଦସ୍ୟଙ୍କୁ ମନ୍ତ୍ରୀ ରୂପରେ ନିଯୁକ୍ତ କରାଗଲା । କୌଣସି ମନ୍ତ୍ରୀ ୱାଲପୋଲଙ୍କ ନୀତି ସହ ଏକମତ ନହେଲେ ତାଙ୍କୁ କାର୍ଯ୍ୟରୁ ଅନ୍ତର କରାଗଲା । ୧୭୨୪ ଖ୍ରୀ:ରେ କାର୍ଟେରେଟଙ୍କୁ ମନ୍ତ୍ରିମଣ୍ଡଳରୁ ଅବ୍ୟାହତି ଦେଇ ଆୟାରଲାଣ୍ଡ୍‍ର ଶାସକରୂପେ ନିଯୁକ୍ତ କରାଗଲା । ୧୭୨୫ ଖ୍ରୀ:ରେ ମନ୍ତ୍ରୀ ପୁଲଟେନୀ ୱାଲପୋଲଙ୍କ ସହ ଏକମତ ହୋଇ ନପାରି ବିରୁଦ୍ଧ ଦଳରେ ଯୋଗ ଦେଲେ । ୧୭୩୦ ଖ୍ରୀ:ରେ ଟାଉନସେଣ୍ଡ ମଧ୍ୟ ମନ୍ତ୍ରିମଣ୍ଡଳରୁ ବିଦାୟ ନେଲେ । ଏହି କାରଣରୁ ମନ୍ତ୍ରିମଣ୍ଡଳର ସଂହତି ଓ ସାହଚର୍ଯ୍ୟ ବୃଦ୍ଧି ପାଇଲା ଏବଂ ତାହା ସୁସଂଗଠିତ ଓ ସୁଦୃଢ଼ ହେଲା ।

 

ୱାଲପୋଲ ମନ୍ତ୍ରିମଣ୍ଡଳର ନେତୃତ୍ୱରେ ଥିବା ପର୍ଯ୍ୟନ୍ତ ପାର୍ଲିଆମେଣ୍ଟ୍‍ର କମନ୍‍ସ ସଭାର ସଦସ୍ୟ ହୋଇ ରହିଥିଲେ । ଏହି ସମୟରେ ଲର୍ଡ଼ ସଭାର ସଦସ୍ୟ ହେବାପାଇଁ ସବୁ ଆକର୍ଷଣ ଓ ମୋହକୁ ସେ ପରିତ୍ୟାଗ କଲେ । ଏହାଫଳରେ ପ୍ରଧାନମନ୍ତ୍ରୀ କମନ୍‍ସ ସଭାର ନେତୃତ୍ୱ ନେବାର ସୁସ୍ଥ ପରମ୍ପରା ସେ ସୃଷ୍ଟି କଲେ । ୧୭୪୨ ଖ୍ରୀ:ରେ କମନ୍‌ସ ସଭାର ଏକ ସାଧାରଣ ପ୍ରଶ୍ନ ଉପରେ ପରାଜିତ ହୋଇ ସେ କ୍ଷମତାରୁ ଅପସରି ଗଲେ । ଏହାଦ୍ୱାରା ମନ୍ତ୍ରିମଣ୍ଡଳ ଉପରେ କମନ୍‍ସ ସଭାର କର୍ତ୍ତୃତ୍ୱ ସ୍ୱୀକୃତ ହେଲା ।

 

ରାଜା ଜର୍ଜ ଲଣ୍ଡନର ଡାଉନିଙ୍ଗ ଷ୍ଟ୍ରିଟରେ ଏକ ବିରାଟ ପ୍ରାସାଦ ୱାଲପୋଲଙ୍କୁ ଉପହାରସ୍ୱରୂପ ଦେଇଥିଲେ । ୱାଲପୋଲ ତାହା ସରକାରୀ ଉପହାରରୂପେ ଗ୍ରହଣ କରି ମନ୍ତ୍ରିତ୍ୱରୁ ବିଦାୟ ନେବା ସମୟରେ ତାଙ୍କ ଉତ୍ତରାଧିକାରୀଙ୍କ ସକାଶେ ଉକ୍ତ ବାସଭବନ ଛାଡ଼ି ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ତାହା ଇଂଲଣ୍ଡ ପ୍ରଧାନମନ୍ତ୍ରୀଙ୍କର ବାସଭବନରୂପେ ବ୍ୟବହୃତ ହୋଇ ଆସୁଅଛି ।

 

ଦଳପତି ୱାଲପୋଲ :– ହୁଇଗ୍‌ ଦଳ ପ୍ରତି ୱାଲପୋଲଙ୍କ ପ୍ରଗାଢ଼ ଅନୁରକ୍ତି ଥିଲା ଏବଂ ସେହି ଦଳର ସଂଗଠନ କାର୍ଯ୍ୟରେ ସେ ଆତ୍ମନିୟୋଗ କରିଥିଲେ । ଦଳକୁ ସୁଶୃଙ୍ଖଳିତ କରିବାପାଇଁ ତାଙ୍କର ପ୍ରଗାଢ଼ ଉଦ୍ୟମ ଯୋଗୁଁ ଅନେକ ତାଙ୍କୁ ଡ୍ରିଲ ସରଜେଣ୍ଟ ବା ‘ଶୃଙ୍ଖଳା ବିଧାୟକ’ ବୋଲି ଅଭିହିତ କରିଥାନ୍ତି । ଏହା ପୂର୍ବରୁ ଲର୍ଡ଼ ସଭାରେ ହୁଇଗ୍ ଦଳ ସଂଖ୍ୟାଗରିଷ୍ଠ ଥିଲେ । ୱାଲପୋଲ କମନ୍‍ସ ସଭାରେ ବିପୁଳ ସଂଖ୍ୟାଗରିଷ୍ଠତା ଲାଭ କଲେ । ସେଥିପାଇଁ ସେ ପାର୍ଲିଆମେଣ୍ଟ୍‍ର ସଦସ୍ୟମାନଙ୍କୁ ପଦପଦବୀ ତଥା ଉତ୍‌କୋଚ ଅର୍ପଣ କଲେ । ପୃଷ୍ଠପୋଷକତା କରିବାରେ ରାଜାଙ୍କର ବିଶେଷ କ୍ଷମତାକୁ ୱାଲପୋଲ ନିଜ ହାତରେ ରଖି ନିଜ ଦଳର ଲୋକଙ୍କ ଉନ୍ନତିପାଇଁ ତାହା ବ୍ୟବହାର କଲେ । ରଟନ୍‌ ବୋରୋ ଓ ପକେଟ୍‌ ବୋରୋମାନଙ୍କୁ ଆୟତ୍ତ କରାଗଲା ଏବଂ ସାଧାରଣ ନିର୍ବାଚନ ମଣ୍ଡଳୀମାନଙ୍କରେ ମଧ୍ୟ ଭୋଟଦାତାମାନଙ୍କୁ ପ୍ରଭାବିତ ଓ ପ୍ରଲୋଭିତ କରାଗଲା । ଦଳକୁ ଶକ୍ତିଶାଳୀ କରିବା ସକାଶେ ୱାଲପୋଲ ଯେକୌଣସି ଦୁର୍ନୀତିର ଆଶ୍ରୟ ନେବାପାଇଁ କୁଣ୍ଠାବୋଧ କରୁ ନଥିଲେ ।

 

ଅର୍ଥ ବିଶାରଦ ୱାଲପୋଲ :–ୱାଲପୋଲ ୧୭୧୪ ଖ୍ରୀ:ରୁ ୧୭୧୭ ଖ୍ରୀ: ପର୍ଯ୍ୟନ୍ତ ଇଂଲଣ୍ଡର ଅର୍ଥ–ମନ୍ତ୍ରୀରୂପେ ଖ୍ୟାତ ଅର୍ଜନ କରିଥିଲେ । ୧୭୨୧ ଖ୍ରୀ:ରେ ଦକ୍ଷିଣ ସାଗର ଜଳ ବୁଦ୍‌ ବୁଦ୍ ନଷ୍ଟ ହୋଇଯିବାଫଳରେ ଇଂଲଣ୍ଡ ଯେଉଁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଲା ତାହାର ସମାଧାନ ପାଇଁ ୱାଲପୋଲହିଁ ଏକମାତ୍ର ବ୍ୟକ୍ତି ବୋଲି ରାଜା ମନେ କଲେ । ୱାଲପୋଲ ଉକ୍ତ ସମସ୍ୟାର ସଫଳ ସମାଧାନ କରି ରାଜାଙ୍କର ପ୍ରିୟପାତ୍ର ହେଲେ । ବସ୍ତୁତଃ ଦେଶର ଅର୍ଥନୀତିକ ପ୍ରଗତିପାଇଁ ପ୍ରଧାନମନ୍ତ୍ରୀରୂପେ ତାଙ୍କର ଅବଦାନ ମହନୀୟ ଥିଲା । ବାଣିଜ୍ୟ ବ୍ୟବସାୟର ପରିବୃଦ୍ଧି ପାଇଁ ସେ ଆନ୍ତରିକ ଉଦ୍ୟମ କଲେ । ସୁତରାଂ ଧନୀ ଓ ବ୍ୟବସାୟୀ ଗୋଷ୍ଠୀ ତାଙ୍କୁ ବିପୁଳ ସମର୍ଥନ ଜଣାଇଲେ । ଜାତୀୟ ଋଣର ପରିମାଣ କମାଇ ଦେବାପାଇଁ ସେ ସୁଧର ହାର କମାଇ ଦେଲେ ଏବଂ ତାହାର ପରିଶୋଧ ପାଇଁ ଏକ ସ୍ଥାୟୀ ପାଣ୍ଠି ସ୍ଥାପନ କଲେ । ତାଙ୍କ ସମୟରେ ଅନେକ ଅନାବଶ୍ୟକ କର ପ୍ରତ୍ୟାହୃତ ହେଲା ଏବଂ ବହିର୍ବାଣିଜ୍ୟକୁ ଉତ୍ସାହିତ କରାଗଲା । ମାଦକଦ୍ରବ୍ୟର ଚୋରା ଆମଦାନୀକୁ ବନ୍ଦ କରିବାପାଇଁ ୱାଲପୋଲ ୧୭୩୩ ଖ୍ରୀ:ରେ ଏକ ଅବକାରୀ ଚିଠା–ଆଇନ ଉପସ୍ଥାପିତ କଲେ । ଏହି ସମୟରେ ମଦ, ଭାଙ୍ଗ ପ୍ରଭୃତି ଉପରେ ଯେଉଁ ଆମଦାନୀ ଶୁଳ୍କ ବସିଥିଲା, ତାହା ନିୟମିତରୂପେ ଆଦାୟ ହୋଇ ପାରୁ ନଥିଲା ବୋଲି ଦେଶର ବହୁ ଆର୍ଥିକ କ୍ଷତି ହେଉଥିଲା । ତେଣୁ ୱାଲପୋଲ ମାଦକଦ୍ରବ୍ୟ ଉପରେ ଆମଦାନୀ ଶୁଳ୍କକୁ ଉଠାଇ ଦେଇ ସେଗୁଡ଼ିକର ବିକ୍ରୟ ସମୟରେ ଅବକାରୀ ଶୁଳ୍କ ଧାର୍ଯ୍ୟପାଇଁ ପ୍ରସ୍ତାବ ଦେଲେ । ଦେଶର ହିତପାଇଁ ସେ ଏହି ପଦକ୍ଷେପ ନେଇଥିଲେ । ମାତ୍ର ଏହାଦ୍ୱାରା କେତେକ ନ୍ୟସ୍ତସ୍ୱାର୍ଥ ଲୋକଙ୍କର ଅନିଷ୍ଟ ହେଲା । ତେଣୁ ଅବକାରୀ ବିଲ୍‌ର ବିରୁଦ୍ଧରେ ସେମାନେ ଜନସାଧାରଣଙ୍କୁ ସଂଗଠିତ କଲେ । ଏଥିପାଇଁ ବହୁ ସଭାସମିତି ହେଲା । ଏହି ବିଲ୍‍କୁ ପ୍ରତ୍ୟାହାର କରିନେବା ପାଇଁ ଲୋକେ ଦାବି କଲେ । ପାର୍ଲିଆମେଣ୍ଟ୍‍ର କେତେକ ହୁଇଗ୍ ସଦସ୍ୟ ମଧ୍ୟ ଏହି ବିଲ୍‌ର ବିରୁଦ୍ଧରେ ଥିଲେ । ଯେକୌଣସି ଉପାୟରେ ଦେଶରେ ଶାନ୍ତିଶୃଙ୍ଖଳା ସ୍ଥାପନ କରିବା ୱାଲପୋଲଙ୍କ ଉଦ୍ଦେଶ୍ୟ ଥିଲା । ସେଥିପାଇଁ ଯଦ୍ୟପି ସେ ଅବକାରୀ ଆଇନର ଉପାଦେୟତା ଉପଲବ୍ଧି କରିଥିଲେ, ତଥାପି ଅପ୍ରୀତିକର ପରିସ୍ଥିତିର ଆଶଙ୍କାରେ ତାହା ପ୍ରତ୍ୟାହାର କରିନେଲେ ।

 

ୱାଲପୋଲଙ୍କ ଶାସନ କାଳରେ ଇଂଲଣ୍ଡରେ ବହୁବିଧ ଶିଳ୍ପର ବିକାଶ ହେଲା, ବ୍ୟବସାୟ ବାଣିଜ୍ୟର ଯଥେଷ୍ଟ ଉନ୍ନତି ଏବଂ ଦେଶ ସମୃଦ୍ଧିଶାଳୀ ହେଲା । ୧୭୨୦ ଖ୍ରୀ:ରୁ ୧୭୪୦ ଖ୍ରୀ: ମଧ୍ୟରେ ଇଂଲଣ୍ଡର ରତ୍ପାନୀ ପ୍ରାୟ ଏକତୃତୀୟାଂଶ ବୃଦ୍ଧି ପାଇଥିଲା ବୋଲି ଜଣାଯାଏ । ଏହା ୱାଲପୋଲଙ୍କ ଉଦାର ନୀତି ଫଳରେହିଁ ସମ୍ଭବ ହୋଇ ପାରିଥିଲା ।

 

ଔପନିବେଶିକ ନୀତି : ଉପନିବେଶମାନଙ୍କ ଆଭ୍ୟନ୍ତରୀଣ ଶାସନରେ ବିଶେଷ ହସ୍ତକ୍ଷେପ କରିବାପାଇଁ ୱାଲପୋଲ ଚାହିଁ ନଥିଲେ । ଯେକୌଣସି ଉପାୟରେ ସର୍ବତ୍ର ଶାନ୍ତି ସ୍ଥାପନ ତାଙ୍କର କାମ୍ୟଥିଲା । ଏହି ସମୟରେ ମନ୍ତ୍ରୀ ନ୍ୟୁକେସଲ ଉପନିବେଶମାନଙ୍କ ଦାୟିତ୍ୱରେ ଥିଲେ । ମାତ୍ର ସେ ମଧ୍ୟ ୱାଲପୋଲଙ୍କ ନୀତି ଅନୁସରଣ କରି ଏ ବିଷୟରେ କିଛି ଚିନ୍ତା କରୁ ନଥିଲେ । ଦେଶର ସମସ୍ୟାମାନଙ୍କର ସମାଧାନ ପାଇଁ ସର୍ବଦା ବ୍ୟସ୍ତ ରହିବାକୁ ପଡ଼ୁଥିବାରୁ ଉପନିବେଶମାନଙ୍କ ସକାଶେ ଚିନ୍ତା କରିବାକୁ ମନ୍ତ୍ରିମଣ୍ଡଳର ସମୟ ନଥିଲା ବୋଲି ୱାଲପୋଲ ଯୁକ୍ତି କରୁଥିଲେ । ଏହି ସମୟରେ ଆମେରିକାର ଉପନିବେଶମାନଙ୍କରେ ଗଭର୍ଣ୍ଣର ଓ ବିଚାରପତିମାନଙ୍କ ଦରମା ସମ୍ପର୍କରେ ମତଭେଦ ଦେଖା ଦେଇଥିଲା । ଉପନିବେଶମାନଙ୍କ ବିଧାନ ସଭାଗୁଡ଼ିକ ଏକକାଳୀନ କେବଳ ବର୍ଷକପାଇଁ ଏମାନଙ୍କ ଦରମା ମଞ୍ଜୁର କରିବାପାଇଁ ଜିଦ୍‌ ଧରିଲେ । ୱାଲପୋଲ ଏହି ସମସ୍ୟାର ସମ୍ମୁଖୀନ ହେବାପାଇଁ ଚାହିଁଲେ ନାହିଁ । ତେଣୁ ସେ ଗଭର୍ଣ୍ଣରମାନଙ୍କୁ ବିଧାନସଭାର ନିଷ୍ପତ୍ତିକୁ ମାନିନେବା ପାଇଁ ନିର୍ଦ୍ଦେଶ ଦେଲେ । ଆମେରିକାରେ ନୌଚାଳନ ଆଇନ ବିରୁଦ୍ଧରେ ପ୍ରବଳ ଜନମତ ଦେଖି ସେ ଉକ୍ତ ଆଇନକୁ ମଧ୍ୟ କାର୍ଯ୍ୟକାରୀ କରିବା ସକାଶେ କୌଣସି ପଦକ୍ଷେପ ନେଲେ ନାହିଁ । ୧୭୩୦ ଖ୍ରୀ:ରେ ଜର୍ଜିଆ ଇଉରୋପରୁ ସିଧାସଳଖ ଶସ୍ୟ ଆମଦାନୀ କରିପାରିଲା ।

 

ମାତ୍ର ୱାଲପୋଲ ଶାସନର ଶେଷାର୍ଦ୍ଧରେ ଇଂଲଣ୍ଡର ଅର୍ଥନୀତିକୁ ଦୃଢ଼ କରିବାପାଇଁ ଉପନିବେଶମାନଙ୍କ ଉପରେ କେତେକ କଟକଣା ଜାରିକଲେ । ୧୭୩୩ ଖ୍ରୀ: ଗୁଡ଼ ଆଇନ ବା ମୋଲାସେସ ଏକ୍ଟ ଗୃହୀତ ହେଲା । ଏହାଫଳରେ ଔପନିବେଶକମାନେ ବ୍ରିଟିଶ–ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜରୁ ଗୁଡ଼କ୍ରୟ କରିବାକୁ ବାଧ୍ୟ ହେଲେ । ଉପନିବେଶମାନଙ୍କ ତମ୍ବା ଶିଳ୍ପକୁ ଧ୍ୱଂସ କରି ଦିଆଗଲା ଏବଂ ସେଠାକାର ସବୁ ତମ୍ବାପଥର ତରଳାଇବା ପାଇଁ ଇଂଲଣ୍ଡକୁ ଅଣାଗଲା । ଏହାଛଡ଼ା ଟୋପି ତିଆରି କରିବାରେ ବ୍ୟବହୃତ ହେଉଥିବା ପଶୁଲୋମ ଉପନିବେଶମାନଙ୍କରୁ ଇଂଲଣ୍ଡକୁ ରତ୍ପାନୀ ହେଲା । ଫଳରେ ଉପନିବେଶମାନଙ୍କର ଟୋପି ଶିଳ୍ପ ବାଧାପ୍ରାପ୍ତ ହେଲା । ଇଂଲଣ୍ଡର ସମୃଦ୍ଧିପାଇଁ ୱାଲପୋଲ ଏହି ସବୁ କଟକଣା ଜାରି କରିଥିଲେ । ଏତଦ୍ଦ୍ୱାରା ଲୋକଙ୍କ ମଧ୍ୟରେ ଯେପରି ଅସନ୍ତୋଷ ବୃଦ୍ଧି ନ ପାଏ ସେଥିପାଇଁ ସେ ସଜାଗ ଥିଲେ ।

 

ଧର୍ମନୀତି : ଧର୍ମ କ୍ଷେତ୍ରରେ ୱାଲପୋଲ ଉଦାର ଓ ନରମପନ୍ଥୀ ଥିଲେ । ସବୁ ମତବାଦର ଲୋକଙ୍କୁ ସନ୍ତୁଷ୍ଟ କରିବା ତାଙ୍କର ନୀତି ଥିଲା । ପ୍ରୋଟେଷ୍ଟାଣ୍ଟ୍‍ ଦଳର ପ୍ରତିବାଦ ଆଶଙ୍କା କରି ସେ ପରୀକ୍ଷା ଆଇନ ଓ ସଂଘ ଆଇନକୁ ପ୍ରତ୍ୟାହାର କଲେ ନାହିଁ । ମାତ୍ର ୧୭୨୭ ଖ୍ରୀ:ରୁ ପ୍ରତିବର୍ଷ ସେ ଏକ କ୍ଷତିପୂରଣ ଆଇନ ଗୃହୀତ କରାଇ ନେଉଥିଲେ, ଯାହାଫଳରେ ଭିନ୍ନ ମତବାଦୀମାନଙ୍କର ପରୀକ୍ଷା ଆଇନ ତଥା ସଂଘ ଆଇନର ଅମାନ୍ୟ ଅପରାଧକୁ କ୍ଷମା ଦିଆଯାଇପାରୁଥିଲା । ୱାଲପୋଲ ଜଣେ ବାସ୍ତବବାଦୀ ଥିଲେ । ଧର୍ମାନ୍ଧତା ବା ଧର୍ମବିଦ୍ୱେଷ ତାଙ୍କର ନଥିଲା ।

 

ବୈଦେଶିକ ନୀତି : ବୈଦେଶିକ ବ୍ୟାପାରରେ ୱାଲପୋଲ ଶାନ୍ତି ଓ ନିରପେକ୍ଷ ନୀତିର ସପକ୍ଷରେ ଥିଲେ । ଇଉରୋପୀୟ ରାଜନୀତିରେ ଇଂଲଣ୍ଡକୁ ଜଡ଼ିତ କରାଇବା ପାଇଁ ସେ କେବେ ଚାହୁଁ ନଥିଲେ । ମାତ୍ର ଏହା ଇଂଲଣ୍ଡର ଜାତୀୟ ନୀତି ନଥିଲା । ଏହି ଦେଶ ଇଉରୋପରେ ଭାରସାମ୍ୟ ରକ୍ଷା କରିବାପାଇଁ ଯୁଗେଯୁଗେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଥିଲା ପରିଶେଷରେ ୱାଲପୋଲ ମଧ୍ୟ ଜନମତର ଚାପରେ ଇଉରୋପୀୟ ରାଜନୀତିରେ ଯୋଗ ଦେଲେ-। ଏଥିରେ ତାଙ୍କର ଆନ୍ତରିକତା ନଥିଲା ଏବଂ ଶେଷରେ ଏହାହିଁ ତାଙ୍କ ପତନର ମୁଖ୍ୟ କାରଣ ହେଲା ।

 

୧୭୨୫ ଖ୍ରୀ:ରେ ସ୍ପେନ୍‍ ଓ ଅଷ୍ଟ୍ରିଆ ମଧ୍ୟରେ ଏକ ଚୁକ୍ତି ସମ୍ପାଦିତ ହୋଇଥିଲା । ଏହାଦ୍ୱାରା ଅଷ୍ଟ୍ରିଆର ଓଷ୍ଟେଣ୍ଡ କମ୍ପାନୀ ସ୍ପେନ୍‍ଠାରୁ କେତେକ ବାଣିଜ୍ୟ ସୁବିଧା ଲାଭ କଲା ଏବଂ ଅଷ୍ଟ୍ରିଆ ସ୍ପେନ୍‍କୁ ଜିବ୍ରାଲଟର ଓ ମିନୋର୍କା ଫେରି ପାଇବା ଉଦ୍ୟମରେ ସାହାଯ୍ୟ କରିବ ବୋଲି ପ୍ରତିଶ୍ରୁତି ଦେଲା । ଉକ୍ତ ରାଜ୍ୟଦ୍ୱୟ ୧୭୧୩ ଖ୍ରୀ:ରେ ୟୁଟ୍ରେକ୍‌ଟ ଚୁକ୍ତି ଅନୁସାରେ ଇଂଲଣ୍ଡର ଅଧୀନ ଥିଲା । ଏତଦ୍ଦ୍ୱାରା ଓଷ୍ଟେଣ୍ଡ କମ୍ପାନୀ ଇଂଲଣ୍ଡର ସାମୂହିକ ବାଣିଜ୍ୟରେ ପ୍ରତିକୂଳ ହେବ ବୋଲି ଆଶଙ୍କା କରାଗଲା । ତେଣୁ ଅଷ୍ଟ୍ରିଆ ଓ ସ୍ପେନ୍‍ର ମେଣ୍ଟ ବିରୁଦ୍ଧରେ ଇଂଲଣ୍ଡ, ଫ୍ରାନ୍‌ସ, ହାନୋଭର ଓ ପ୍ରୁସିଆ ସହ ଏକ ମେଣ୍ଟ ଗଢ଼ିଲା । ୧୭୨୭ ଖ୍ରୀ:ରେ ଇଂଲଣ୍ଡ ଓ ସ୍ପେନ୍‍ ମଧ୍ୟରେ ଆଶଙ୍କା ଘନୀଭୂତ ହେଲା । ମାତ୍ର ଶେଷ ମୁହୂର୍ତ୍ତରେ କୌଣସିମତେ ଯୁଦ୍ଧକୁ ଏଡ଼େଇ ଦିଆଯାଇପାରିଲା । ଅଷ୍ଟ୍ରିଆର ସମ୍ରାଟ ଷଷ୍ଠ ଚାର୍ଲସ୍‍ ନିଜ କନ୍ୟା ମେରିଆ ଥେରେସାଙ୍କୁ ଅଷ୍ଟ୍ରିଆର ସିଂହାସନ ପାଇଁ ମନୋନୀତ କରିଥିଲେ ଏବଂ ଏଥିପାଇଁ ସେ ଇଂଲଣ୍ଡର ସମର୍ଥନ ଚାହୁଁଥିଲେ । ତେଣୁ ସ୍ପେନ୍‍ର ଜିବ୍ରାଲଟର ଆକ୍ରମଣରେ ସେ ସାହାଯ୍ୟ କଲେ ନାହିଁ । ଫଳରେ ସ୍ପେନ୍‍ ୧୭୨୯ ଖ୍ରୀ:ରେ ଇଂଲଣ୍ଡ ସହ ସୋଭାଇଲ ଚୁକ୍ତି ସଂପାଦନ କରିବାକୁ ବାଧ୍ୟ ହେଲା । ଏହାଦ୍ୱାରା ଅଷ୍ଟ୍ରିଆ ଓଷ୍ଟେଣ୍ଡ କମ୍ପାନୀକୁ ଦେଇଥିବା ସ୍ୱୀକୃତିକୁ ପ୍ରତ୍ୟାହାର କରିନେଲା । ଅନ୍ୟ ପକ୍ଷରେ ଇଂଲଣ୍ଡ ସ୍ପେନ୍‍ ରାଜକୁମାର ଡନ୍‌ କାରଲୋଙ୍କର ଇଟାଲୀର ପାରମା ରାଜ୍ୟ ଉପରେ ଦାବିକୁ ମାନି ନେଲା । ଏହାପରେ ୧୭୩୧ ଖ୍ରୀ:ରେ ଇଂଲଣ୍ଡ ଓ ଅଷ୍ଟ୍ରିଆ ମଧ୍ୟରେ ଭିଏନା ଚୁକ୍ତି ସ୍ୱାକ୍ଷରିତା ହେଲା । ଫଳରେ ଇଂଲଣ୍ଡ ଅଷ୍ଟ୍ରିଆ ସିଂହାସନ ପାଇଁ ମେରିଆ ଥେରେସାଙ୍କର ଉତ୍ତରାଧିକାରିତ୍ୱକୁ ସମର୍ଥନ କଲା ଏବଂ ଅଷ୍ଟ୍ରିଆ ଓଷ୍ଟେଣ୍ଡ କମ୍ପାନୀକୁ ବନ୍ଦ କରିଦେବ ବୋଲି ପ୍ରତିଶ୍ରୁତି ଦେଲା ।

 

ଏହି ସମୟରେ ପୋଲାଣ୍ଡର ଉତ୍ତରାଧିକାରିତ୍ୱ ପାଇଁ ଆଉ ଏକ ସମର ଇଉରୋପରେ ସଂଘଟିତ ହେଲା । ଏହା ୧୭୩୩ ଖ୍ରୀ:ରୁ ୧୭୩୫ ଖ୍ରୀ: ପର୍ଯ୍ୟନ୍ତ ଲାଗିରହିଥିଲା । ଏକ ଚୁକ୍ତି ଅନୁସାରେ ଇଂଲଣ୍ଡ ଏହି ଯୁଦ୍ଧରେ ପୋଲାଣ୍ଡକୁ ସାହାଯ୍ୟ ଦେବାର କଥା ଥିଲା । ମାତ୍ର ୱାଲପୋଲ ଚତୁରତାର ସହ ତାଙ୍କ ଦେଶକୁ ଏହି ଯୁଦ୍ଧରେ ପୂରାଇ ଦେଲେ ନାହିଁ । ୧୭୩୪ ଖ୍ରୀ:ରେ ୱାଲପୋଲ ଇଂଲଣ୍ଡର ରାଣୀ କରୋଲାଇନଙ୍କ ସମ୍ମୁଖରେ ଗର୍ବ କରି କହିଥିଲେ; ‘‘ମହାରାଣୀ ! ଚଳିତ ବର୍ଷ ଇଉରୋପରେ ପଚାଶ ହଜାର ବ୍ୟକ୍ତି ନିହତ ହୋଇ ଅଛନ୍ତି । ମାତ୍ର ତନ୍ମଧ୍ୟରେ ଜଣେ ମଧ୍ୟ ଇଂରେଜ ନାହାନ୍ତି ।’’*

ମାତ୍ର ଶେଷରେ ୱାଲପୋଲ ସ୍ପେନ୍‍ ସହିତ ଯୁଦ୍ଧ ଘୋଷଣା କରିବାକୁ ମଧ୍ୟ ହେଲେ । ୟୁଟ୍ରେକ୍‌ଟ୍‌ ସନ୍ଧିର ଏସିଏଣ୍ଟୋ ଚୁକ୍ତି ଅନୁସାରେ ଇଂଲଣ୍ଡ ସ୍ପେନୀୟ ଆମେରିକାରେ ପୋର୍ଟ ବେଲ୍ଲୋକୁ ପ୍ରତିବର୍ଷ ଏକ ବାଣିଜ୍ୟ ତରୀ ପଠାଇବାର ଅଧିକାର ପାଇଥିଲା । ଏହି ଅଧିକାରର ସୁଯୋଗ ନେଇ ଇଂଲଣ୍ଡର ବଣିକ ଦଳ ସ୍ପେନୀୟ ଆମେରିକା ସହିତ ଚୋରା ବାଣିଜ୍ୟ କାରବାର କରୁଥିଲେ । ଏହା ବନ୍ଦ କରିବାପାଇଁ ସ୍ପେନ୍ ଦୃଢ଼ ପରିକର ହେଲା । ଏଥିପାଇଁ ସମୁଦ୍ରରେ ବ୍ରିଟିଶ ଜାହାଜଗୁଡ଼ିକୁ ତଦାରଖ କରାଗଲା ଏବଂ ଚୋରା କାରବାରରେ ଲିପ୍ତ ଥିବା ଇଂରେଜ ବଣିକ ଓ ନାବିକମାନଙ୍କ ଉପରେ ଅମାନୁଷିକ ଅତ୍ୟାଚାର କରାଗଲା । ଏପରିକି ସେମାନେ ଜେନ୍‌କିନସ୍‌ ନାମକ ଜଣେ ଇଂରେଜ ସେନାଧ୍ୟକ୍ଷଙ୍କର ଗୋଟିଏ କାନ କାଟି ପକାଇଥିଲେ । ଏହି ଘଟଣା ଇଂଲଣ୍ଡରେ ଚାଞ୍ଚଲ୍ୟ ଖେଳାଇ ଦେଲା । ଏହାର ପ୍ରତିଶୋଧ ନେବାପାଇଁ ଇଂରେଜମାନେ ଉତ୍ୟକ୍ତ ହୋଇ ଉଠିଲେ । କ୍ୟାପ୍‍ଟେନ୍‌ ଜେନକିନସ୍‌ଙ୍କ କାନକୁ ଗୋଟିଏ ବୋତଲରେ ରଖି ପାର୍ଲିଆମେଣ୍ଟ୍‍ର ସଭାଗୃହରେ ଉପସ୍ଥାପିତ କରାଗଲା । ବିରୋଧୀଦଳ ୱାଲପୋଲଙ୍କ ଶାନ୍ତି ନୀତିର କଟୁ ସମାଲୋଚନା କରି ସ୍ପେନ୍‍ ବିରୁଦ୍ଧରେ ତୁରନ୍ତ ଏକ ଯୁଦ୍ଧ ଆୟୋଜନ ପାଇଁ ଦାବି କଲେ । ବାଧ୍ୟ ହୋଇ ୱାଲପୋଲ ୧୭୩୯ ଖ୍ରୀ: ଅକ୍‌ଟୋବର ୧୯ ତାରିଖ ଦିନ ସ୍ପେନ୍‍ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ । ସମଗ୍ର ଇଂଲଣ୍ଡ ଏହି ନିଷ୍ପତ୍ତିକୁ ଅଭିନନ୍ଦନ କଲା । ମାତ୍ର ୱାଲପୋଲ ନିଜେ ଏଥିରେ ସୁଖୀ ନଥିଲେ । ଏତଦ୍ଦ୍ୱାରା ଇଂଲଣ୍ଡର କୌଣସି ଲାଭ ହୋଇ ପାରିବ ନାହିଁ ବୋଲି ସେ ଉପଲବ୍ଧି କରିଥିଲେ । କ୍ୟାପ୍‍ଟେନ୍‌ ଜେନ୍‌କିନସ୍‌ଙ୍କ କଟା କାନ ଏହି ଯୁଦ୍ଧର ତାତ୍କାଳିକ କାରଣ ହୋଇଥିବାରୁ ଏହା ଇତିହାସରେ ‘ଜେନ୍‌କିନ୍‌ସ୍‌ କର୍ଣ୍ଣ ସମର’ ନାମରେ ଅଭିହିତ ହୋଇଥାଏ ।

*‘‘Madam; there are fifty thousand men slain in Europe and not one Englishmen.’’

ଇତିମଧ୍ୟରେ ୱାଲପୋଲଙ୍କ ଶକ୍ତି ଓ ଲୋକପ୍ରିୟତା କ୍ରମଶଃ ହ୍ରାସ ପାଉଥିଲା । ରାଜା ପ୍ରଥମ ଜର୍ଜଙ୍କ ମୃତ୍ୟୁ ପରେ ରାଜା ଦ୍ୱିତୀୟ ଜର୍ଜଙ୍କର ସେ ସେତେ ପ୍ରିୟ ପାତ୍ର ନଥିଲେ । ମାତ୍ର ୱାଲପୋଲଙ୍କ ଉପରେ ରାଣୀ କେରୋଲାଇନଙ୍କ ପ୍ରଗାଢ଼ ଆସ୍ଥା ଥିଲା । ତେଣୁ ରାଣୀ ୱାଲପୋଲଙ୍କ ସପକ୍ଷରେ ରାଜାଙ୍କୁ ପ୍ରଭାବିତ କରିଥିଲେ । ୧୭୩୭ ଖ୍ରୀ:ରେ କେରୋଲାଇନଙ୍କ ମୃତ୍ୟୁରେ ୱାଲପୋଲ ତାଙ୍କ ନୀତିର ସର୍ବଶ୍ରେଷ୍ଠ ସମର୍ଥକଙ୍କୁ ହରାଇଲେ । ଅନ୍ୟ ପକ୍ଷରେ ବିରୋଧୀଦଳ ଏହି ସମୟରେ ଅଧିକ ସଂଗଠିତ ହୋଇ ଉଠୁଥିଲେ । ବୋଲିଙ୍ଗବ୍ରୋକ ବିଦେଶରୁ ପ୍ରତ୍ୟାବର୍ତ୍ତନ କଲା ପରେ ‘କ୍ରାଫଟସ୍‌ମେନ’ ନାମକ ସାପ୍ତାହିକ ପତ୍ରିକାରେ ୱାଲପୋଲଙ୍କ ନୀତିର ସମାଲୋଚନା ନିରବଚ୍ଛିନ୍ନ ଭାବରେ କରିବାକୁ ଲାଗିଲେ । ପୁଲଟେନୀ, ଟାଉନସେଣ୍ଟ ପ୍ରମୁଖ ହୁଇଗ୍ ନେତା ୱାଲପୋଲଙ୍କ ସହ ମତଭେଦ ହେବାରୁ ବିରୋଧୀଦଳରେ ଯୋଗ ଦେଲେ । ଏହି ସମୟରେ ଇଂଲଣ୍ଡର ରାଜନୀତିରେ ଏକ ତରୁଣ ଗୋଷ୍ଠୀର ଅଭ୍ୟୁଦୟ ହେଲା । ଉଇଲିୟମ୍‍ ପିଟ୍‌ ନାମକ ଜଣେ ଉଦୀୟମାନ ଯୁବକ ଏହି ଦଳର ନେତୃତ୍ୱ ନେଲେ । ପିଟ୍‌ ୱାଲପୋଲଙ୍କ ଦୁର୍ନୀତି ଓ ଅପାରଗତା ବିରୁଦ୍ଧରେ କଟୁ ସମାଲୋଚନା କଲେ । ବିରୋଧୀଦଳର ଚାପରେ ୱାଲପୋଲ ସ୍ପେନ୍‍ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ । ମାତ୍ର ଯୁଦ୍ଧ ପରିଚାଳନାରେ ସେ ଦକ୍ଷତା ଦେଖାଇପାରିଲେ ନାହିଁ । ଫଳରେ ୧୭୪୨ ଖ୍ରୀ:ରେ କମନ୍‍ସ ସଭାରେ ସେ ହାରିଯାଇ ମନ୍ତ୍ରିମଣ୍ଡଳରୁ ବିଦାୟ ନେଲେ ଏବଂ ଲର୍ଡ଼ ସଭାର ଜଣେ ସଦସ୍ୟରୂପେ ରହିଲେ । ଏହାର ତିନିବର୍ଷ ପରେ ୧୭୪୫ ଖ୍ରୀ:ରେ ତାଙ୍କର ମୃତ୍ୟୁ ହେଲା ।

ୱାଲପୋଲ ଦୀର୍ଘ ୨୧ ବର୍ଷ କାଳ ଶାସନ କ୍ଷମତାରେ ରହି ଇଂଲଣ୍ଡରେ ଶାନ୍ତି ଓ ଶୃଙ୍ଖଳାରକ୍ଷା ପାଇଁ ଆତ୍ମନିୟୋଗ କଲେ । ଏହି ସମୟରେ ଯଦ୍ୟପି ଆନ୍ତର୍ଜାତିକ କ୍ଷେତ୍ରରେ ଇଂଲଣ୍ଡ ସୁଖ୍ୟାତି ଅର୍ଜନ କରି ପାରି ନଥିଲା ଏବଂ ଯୁଦ୍ଧ ପରିଚାଳନାରେ ୱାଲପୋଲ ଯଦ୍ୟପି ବିଶେଷ ସଫଳତା ଲାଭ କରି ପାରି ନଥିଲେ ତଥାପି ଇଂଲଣ୍ଡର ଶାନ୍ତି କାଳୀନ ଇତିହାସରେ ତାଙ୍କର ଅବଦାନ ଗୌରବମୟ ଥିଲା ଏଥିରେ ସନ୍ଦେହ ନାହିଁ । ଇଂଲଣ୍ଡର ପ୍ରଥମ ପ୍ରଧାନମନ୍ତ୍ରୀରୂପେ, ହୁଇଗ୍‌ ଦଳର ଜଣେ ଶ୍ରେଷ୍ଠ ସଂଗଠନରୂପେ ତଥା ଜଣେ ବାସ୍ତବବାଦୀ ଅର୍ଥ ବିଶାରଦରୂପେ ୱାଲପୋଲ ସେ ଦେଶର ଇତିହାସରେ ଚିରସ୍ମରଣୀୟ ହୋଇ ରହିବେ । ଜଣେ ପ୍ରବୀଣ ରାଜନୀତିଜ୍ଞ ଭାବରେ ତାଙ୍କର ସଂଗଠନ ଶକ୍ତି ଓ ସହନଶୀଳତା ଆଦର୍ଶ ସ୍ଥାନୀୟ ଥିଲା । ସେ ବହୁତ କଟୁ ସମାଲୋଚନାର ସମ୍ମୁଖୀନ ହୋଇ ମଧ୍ୟ କେବେହେଲେ ଅସ୍ଥିରତା ପ୍ରଦର୍ଶନ କରି ନଥିଲେ ବା ପ୍ରତିଶୋଧ ନେବାପାଇଁ ଉଦ୍ୟମ କରି ନଥିଲେ । ବାକ୍‌ ସ୍ୱାଧୀନତା ତଥା ଜନମତକୁ ସେ ସର୍ବଦା ସମ୍ମାନ ଦେଉଥିଲେ । ଶେଷରେ ଜନମତ ତାଙ୍କର ବିରୁଦ୍ଧରେ ଯାଉଥିବା ଦେଖି ସେ ୧୭୪୨ ଖ୍ରୀ:ରେ ଶାସନରୁ ବିଦାୟ ନେଲେ । ଚର୍ଚ୍ଚିଲଙ୍କ ମତରେ ୱାଲପୋଲ ଯଦି ସ୍ପେନ୍‍ ବିରୁଦ୍ଧରେ ଯୁଦ୍ଧ ଘୋଷଣା ପୂର୍ବରୁ କ୍ଷମତାରୁ ବିଦାୟ ନେଇପାରିଥାନ୍ତେ ତେବେ ସେ ଇଂଲଣ୍ଡର ଜଣେ ଶ୍ରେଷ୍ଠ ରାଜନୀତିଜ୍ଞରୂପେ ପରିଗଣିତ ହୋଇଥାନ୍ତେ ।

Image

 

ପଞ୍ଚଦଶ ଅଧ୍ୟାୟ

ଦ୍ୱିତୀୟ ଜର୍ଜ (ଖ୍ରୀ: ୧୭୨୭–ଖ୍ରୀ: ୧୭୬୦)

 

ପ୍ରଥମ ଜର୍ଜଙ୍କର ମୃତ୍ୟୁ ପରେ ତାଙ୍କ ପୁତ୍ର ଦ୍ୱିତୀୟ ଜର୍ଜ ୧୭୨୭ ଖ୍ରୀ:ରେ ସିଂହାସନ ଆରୋହଣ କଲେ । ପିତାଙ୍କ ଅନୁରୂପ ସେ ମଧ୍ୟ ଇଂରାଜୀ ଭାଷାରେ ଅନଭିଜ୍ଞ ଥିଲେ । ହାନୋଭର ପ୍ରତି ତାଙ୍କର ବିଶେଷ ଅନୁରକ୍ତି ଥିଲା ଏବଂ ଇଂଲଣ୍ଡକୁ ସେ ବିଦେଶ ବୋଲି ମନେ କରୁଥିଲେ । ସେ ଚରିତ୍ରବାନ୍ ଓ ନ୍ୟାୟୀଥିଲେ, ମାତ୍ର କେବେହେଲେ ଉଦାର ନଥିଲେ । ସେ ମିତବ୍ୟୟୀ ଓ ଲୋଭୀ ତଥା କଠୋର ଓ ସମୟାନୁବର୍ତ୍ତୀ ଥିଲେ । ସେ ଥିଲେ ସାହସୀ ଯୋଦ୍ଧା ମାତ୍ର ଭୟାଳୁ ରାଜନୀତିଜ୍ଞ । ତାଙ୍କର ରାଣୀ କେରୋଲାଇନ ଜଣେ ବୁଦ୍ଧିମତୀ ରମଣୀ ଥିଲେ । ଶାସନ କ୍ଷେତ୍ରରେ ରାଜାରାଣୀଙ୍କଦ୍ୱାରା ବିଶେଷଭାବେ ପ୍ରଭାବିତ ହେଉଥିଲେ । ରାଣୀଙ୍କ ପ୍ରତି ପ୍ରଗାଢ଼ ଅନୁରକ୍ତିରେ ଦ୍ୱିତୀୟ ଜର୍ଜ ପିତାଙ୍କର ଠିକ୍‌ ବିପରୀତ ଥିଲେ । କେରୋଲାଇନଙ୍କ ପ୍ରଭାବଫଳରେହିଁ ୱାଲପୋଲ ଦ୍ୱିତୀୟ ଜର୍ଜଙ୍କର ଆସ୍ଥା ଲାଭ କରି କ୍ଷମତାରେ ରହିପାରିଥିଲେ ।

 

ଦ୍ୱିତୀୟ ଜର୍ଜଙ୍କ ମନ୍ତ୍ରିମଣ୍ଡଳ :–ଦ୍ୱିତୀୟ ଜର୍ଜଙ୍କ ସିଂହାସନ ଆରୋହଣ ସମୟରେ ୱାଲପୋଲଙ୍କ ମନ୍ତ୍ରିମଣ୍ଡଳ କ୍ଷମତାସୀନ ଥିଲା । ୱାଲପୋଲ ୧୭୪୨ ଖ୍ରୀ:ରୁ ମନ୍ତ୍ରିମଣ୍ଡଳରୁ ବିଦାୟ ନେଲେ । ମାତ୍ର ଏହି ସମୟରେ ମଧ୍ୟ ହୁଇଗ୍‍ ଦଳ ସଂଖ୍ୟାଗରିଷ୍ଠ ଥିଲେ ଏବଂ ଉକ୍ତ ଦଳର ଅନ୍ୟତମ ନେତା କାର୍ଟେରେଟ ୧୭୪୪ ଖ୍ରୀ: ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପଦରେ ରହିଲେ । କାର୍ଟେରେଟ ଇଂଲଣ୍ଡର ବୈଦେଶିକ ନୀତି ଉପରେ ବିଶେଷ ଗୁରୁତ୍ୱ ଦେଇ ଆଭ୍ୟନ୍ତରୀଣ ଶାସନକୁ ଅବହେଳା କଲେ । ତାଙ୍କ ସମୟରେ ଇଉରୋପରେ ଅଷ୍ଟ୍ରୀୟ ଉତ୍ତରାଧିକାରୀ ସମର ସଙ୍ଘଟିତ ହୋଇଥିଲା ଏବଂ ଇଂଲଣ୍ଡ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲା । କାର୍ଟେରେଟ ୧୭୪୪ ଖ୍ରୀ:ରେ କ୍ଷମତାରୁ ବିଦାୟ ନେଲେ ଏବଂ ପେଲହାମ ମନ୍ତ୍ରିମଣ୍ଡଳର ନେତୃତ୍ୱ ନେଲେ । ପେଲହାମ ୱାଲପୋଲଙ୍କ ଜଣେ ସମର୍ଥକ ଥିଲେ ଏବଂ ତାଙ୍କ ନୀତିକୁ ସେ ଅନୁସରଣ କରିଗଲେ । ସେ ସବୁ ପ୍ରକାର ମତବାଦର ଲୋକଙ୍କୁ ତାଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଲେ । ଏପରିକି କେତେଜଣ ଟୋରୀ ମନ୍ତ୍ରୀ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହେଲେ । ଏହି ସମୟରେ ଜୁଲିୟସ ସିଜରଙ୍କଦ୍ୱାରା ପ୍ରବର୍ତ୍ତିତ ଜୁଲିଏନ କେଲେଣ୍ଡର ଇଂଲଣ୍ଡରେ ପ୍ରଚଳିତ ଥିଲା । ପେଲହାମଙ୍କ ସମୟରେ ଏହାକୁ ପ୍ରତ୍ୟାହାର କରି ନିଆଗଲା ଏବଂ ନୂତନ ଗ୍ରେଗୋରିଏନ କେଲେଣ୍ଡର ପ୍ରବର୍ତ୍ତିତ ହେଲା । ପୋପ୍‌ ତ୍ରୟୋଦଶ ଗ୍ରେଗୋରୀ ୧୫୮୨ ଖ୍ରୀ:ରେ ଏହାର ପ୍ରବର୍ତ୍ତନ କରିଥିଲେ । ଉଭୟ କେଲେଣ୍ଡର ମଧ୍ୟରେ ୧୧ ଦିନର ପ୍ରଭେଦ ଥିଲା । ଏହାଫଳରେ ଇଂଲଣ୍ଡରେ ୧୭୫୨ ଖ୍ରୀ: ସେପ୍‍ଟେମ୍ବର ୨ ତାରିଖ ପରେ ସେପ୍‍ଟେମ୍ବର ୧୪ ତାରିଖ ପଡ଼ିଥିଲା । ଜୁଲିଏନ କେଲେଣ୍ଡର ଅନୁସାରେ ମାର୍ଚ୍ଚ ୨୫ ତାରିଖରୁ ନୂତନ ବର୍ଷ ଆରମ୍ଭ ହେଉଥିଲା । ବର୍ତ୍ତମାନ ତାହା ଜାନୁୟାରୀ ୧ ତାରିଖରୁ ଆରମ୍ଭ ହେଲା । ପୁରାତନ କେଲେଣ୍ଡରର ସଷ୍ଟମ, ଅଷ୍ଟମ, ନବମ ଓ ଦଶମ ମାସ ଅର୍ଥାତ୍‌ ସେପ୍‍ଟେମ୍ବର, ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସର ନାମ ନୂତନ କେଲେଣ୍ଡରରେ ଅପରିବର୍ତ୍ତିତ ହୋଇ ରହିଲା ।

 

ପେଲହାମ ଜାତୀୟ ଋଣର ସୁଧହାର ବାର୍ଷିକ ଶତକଡ଼ା ୩କୁ କମାଇ ଦେଲେ । ୧୭୫୪ ଖ୍ରୀ:ରେ ପେଲହାମଙ୍କ ମୃତ୍ୟୁ ହେଲା ଏବଂ ତାଙ୍କ ଭ୍ରାତା ଡ୍ୟୁକ୍‌ ଅଫ୍‌ ନ୍ୟୁକେସଲ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ହେଲେ । ନ୍ୟୁକେସଲ ୧୭୨୫ ଖ୍ରୀ:ରୁ ୱାଲପୋଲଙ୍କ ମନ୍ତ୍ରିମଣ୍ଡଳରେ କାର୍ଯ୍ୟ କରି ଆସୁଥିଲେ । ତାଙ୍କର ଦୀର୍ଘ ରାଜନୈତିକ ଅଭିଜ୍ଞତା ଥିଲା । ତା’ ଛଡ଼ା ସେ ଇଂଲଣ୍ଡର ଜଣେ ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ଥିଲେ । ହୁଇଗ୍‌ ଦଳର ସଂଗଠନ ପାଇଁ ସେ ବିପୁଳ ଅର୍ଥ ବ୍ୟୟ କରୁଥିଲେ । ଦଳରେ ତାଙ୍କର ବିଶେଷ ପ୍ରଭାବ ଥିଲା । ମାତ୍ର ସେ ଦୁର୍ବଳମନା ଥିଲେ ଏବଂ ହଠାତ୍‌ କୌଣସି ନିଷ୍ପତ୍ତି ନେଇ ପାରୁ ନଥିଲେ । ପିଟ୍‌ଙ୍କର ବ୍ୟକ୍ତିତ୍ୱ ଓ ସମାଲୋଚନାକୁ ସେ ବିଶେଷ ଭୟ କରୁଥିଲେ । ପିଟ୍ ଦିନୁଦିନ ଲୋକପ୍ରିୟ ହୋଇ ଉଠୁଥିଲେ । ତାଙ୍କର ପ୍ରତିଭା ବିକଶିତ ହେଉଥିଲା ଏବଂ ସୁନାମ ବୃଦ୍ଧି ପାଉଥିଲା । ୧୭୫୬ ଖ୍ରୀ:ରେ ସପ୍ତବର୍ଷ ବ୍ୟାପୀ ଯୁଦ୍ଧ ସଂଘଟିତ ହେଲା । ନ୍ୟୁକେସଲ ଯୁଦ୍ଧ ପରିଚାଳନାରେ ଅସମର୍ଥ ହୋଇ ପିଟ୍‍ଙ୍କ ସହ ମିଳିତ ମନ୍ତ୍ରିମଣ୍ଡଳ ଗଢ଼ିବାକୁ ବାଧ୍ୟ ହେଲେ । ପିଟ୍ ୧୭୫୭ ଖ୍ରୀ:ରୁ ୧୭୬୧ ଖ୍ରୀ: ପର୍ଯ୍ୟନ୍ତ ଇଂଲଣ୍ଡର ସର୍ବେସର୍ବା ଥିଲେ ।

 

ଅଷ୍ଟ୍ରିୟ ଉତ୍ତରାଧିକାରୀ ସମର :–ଦ୍ୱିତୀୟ ଜର୍ଜଙ୍କ ସମୟରେ ଇଂଲଣ୍ଡ ତିନିଗୋଟି ଇଉରୋପୀୟ ଯୁଦ୍ଧରେ ଅଂଶଗ୍ରହଣ କରିଥିଲା । ତନ୍ମଧ୍ୟରୁ ପ୍ରଥମଟି ୧୭୩୯ ଖ୍ରୀ:ରେ ସ୍ପେନ୍‍ ବିରୁଦ୍ଧରେ ସଂଘଟିତ ହୋଇଥିଲା । ଏହା ଜେନକିନସ୍‌ କର୍ଣ୍ଣ ସମର ନାମରେ ଅଭିହିତ । ଉକ୍ତ ଯୁଦ୍ଧ ବିଷୟ ଆଗରୁ ବର୍ଣ୍ଣିତ ହୋଇ ସାରିଅଛି । ୧୭୪୦ ଖ୍ରୀ:ରୁ ୧୭୪୮ ଖ୍ରୀ: ମଧ୍ୟରେ ସଂଘଟିତ ଦ୍ୱିତୀୟ ଯୁଦ୍ଧକୁ ଅଷ୍ଟ୍ରିୟ ଉତ୍ତରାଧିକାରୀ ସମର ନାମରେ ଅଭିହିତ କରାଯାଏ । ଅଷ୍ଟ୍ରିଆର ସମ୍ରାଟ ଷଷ୍ଠ ଚାର୍ଲସ୍‍ଙ୍କର ଉତ୍ତରାଧିକାରୀ ହେବାପାଇଁ କୌଣସି ପୁତ୍ର ନଥିଲେ । ସେଥିପାଇଁ ସେ ତାଙ୍କର କନ୍ୟା ମେରିଆ ଥେରେସାଙ୍କୁ ତାଙ୍କ ପରେ ସିଂହାସନ ଅର୍ପଣ କରିବାପାଇଁ ଉଦ୍ୟମ କଲେ । ସେ ଏକ ଦଲିଲ୍‍ ପ୍ରସ୍ତୁତ କଲେ ଯାହା ‘ପ୍ରେଗମେଟିକ ସେଙ୍କସନ୍‌’ ନାମରେ ଅଭିହିତ ଏବଂ ଏହାକୁ ସେ ଇଉରୋପର ମୁଖ୍ୟ ଶକ୍ତିମାନଙ୍କଦ୍ୱାରା ଅନୁମୋଦିତ କରାଇନେଲେ । ଏଥିପାଇଁ ଇଂଲଣ୍ଡର ସମର୍ଥନ ପାଇବା ସକାଶେ ସେ ଇଷ୍ଟ ଇଣ୍ଡିଆ କମ୍ପାନୀର ପ୍ରତିଦ୍ୱନ୍ଦ୍ୱୀ ଓଷ୍ଟେଣ୍ଡ କମ୍ପାନୀକୁ ବନ୍ଦ କରିଦେଲେ । ୧୭୪୦ ଖ୍ରୀ: ଅକ୍‌ଟୋବର ମାସରେ ଷଷ୍ଠ ଚାର୍ଲସ୍‍ ପ୍ରାଣତ୍ୟାଗ କଲେ । ଏହାପରେ ବେଭେରିଆର ଯୁବରାଜ ପ୍ରେଗ୍‌ମେଟିକ ସେଙ୍କସନ୍‍ଙ୍କୁ ଅବମାନନା କରି ଅଷ୍ଟ୍ରିଆ ସିଂହାସନ ଉପରେ ତାଙ୍କର ଦାବି ଉପସ୍ଥାପନ କଲେ । ଫ୍ରାନ୍‍ସର ରାଜା ପଞ୍ଚଦଶ ଲୁଇ ବେଭେରିଆଙ୍କୁ ସମର୍ଥନ କଲେ । ପ୍ରୁସିଆ ସମ୍ରାଟ ଫେଡ଼େରିକ ଏହି ସୁଯୋଗରେ ଅଷ୍ଟ୍ରିଆ ସମ୍ରାଜ୍ୟର ସାଇଲେସିଆ ଅଞ୍ଚଳ ଅଧିକାର କରିନେଲେ ଏବଂ ପ୍ରୁସିଆର ଏହି ବିଜୟକୁ ସ୍ୱୀକୃତି ନଦେବା ପର୍ଯ୍ୟନ୍ତ ସେ ପ୍ରେଗ୍‌ମେଟିକ ସେଙ୍କସନ୍‍କୁ ସମର୍ଥନ କରିବେ ନାହିଁ ବୋଲି ଘୋଷଣା କଲେ । ଫ୍ରେଡ଼େରିକଙ୍କର ସାଇଲେସିଆ ଅଧିକାରଫଳରେ ହାନୋଭର ପାଇଁ ବିପଦ ଘନୀଭୂତ ହେଲା । ରାଜା ଦ୍ୱିତୀୟ ଜର୍ଜ ଏହାର ପ୍ରତିକାର ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବାକୁ ଇଚ୍ଛା କଲେ । ଇଂଲଣ୍ଡ ମେରିଆ ଥେରେସାଙ୍କୁ ସମର୍ଥନ କରିବାପାଇଁ ଆଗରୁ ପ୍ରତିଶ୍ରୁତି ଦେଇସାରିଥିଲା । ଏହା ବ୍ୟତୀତ ଇଉରୋପୀୟ ଶକ୍ତିର ଭାରସାମ୍ୟ ରକ୍ଷା ଇଂଲଣ୍ଡର ନୀତି ଥିଲା । ଏହିସବୁ କାରଣରୁ ପ୍ରଧାନମନ୍ତ୍ରୀ କାର୍ଟେରେଟ ଅଷ୍ଟ୍ରିୟ ଉତ୍ତରାଧିକାରୀ ସମରରେ ଯୋଗଦେବା ପାଇଁ ତାଙ୍କର ନୀତି ଘୋଷଣା କଲେ-। ଏହି ଯୁଦ୍ଧରେ ଫ୍ରାନ୍‌ସ, ପ୍ରୁସିଆ, ବାଭେରିଆ ପ୍ରଭୃତି ଗୋଟିଏ ଦଳରେ ଥିଲେ ଏବଂ ଅଷ୍ଟ୍ରିଆ, ଇଂଲଣ୍ଡ, ହଲାଣ୍ଡ ପ୍ରଭୃତି ଅନ୍ୟ ଦଳରେ ଥିଲେ । ଦ୍ୱିତୀୟ ଜର୍ଜ ନିଜେ ଇଂରେଜ ସେନାବାହିନୀର ନେତୃତ୍ୱ ନେଲେ । ସେ ଡେଟିନଜେନ୍‌ଠାରେ ଫରାସୀ ସେନାବାହିନୀକୁ ପରାସ୍ତ କରି ସେମାନଙ୍କୁ ଜର୍ମାନୀରୁ ତଡ଼ିଦେଲେ । ମାତ୍ର ୧୭୪୫ ଖ୍ରୀ:ରେ ଇଂଲଣ୍ଡ କେତେକ ବିପର୍ଯ୍ୟୟର ସମ୍ମୁଖୀନ ହେଲା । ଇଂରେଜମାନେ ଫଣ୍ଟନୟଠାରେ ଫରାସୀମାନଙ୍କଦ୍ୱାରା ପରାସ୍ତ ହେଲେ-। ଫ୍ରାନ୍‌ସ ଏହାପରେ ଇଂଲଣ୍ଡ ଆକ୍ରମଣ କରିବ ବୋଲି ଆଶଙ୍କା କରାଗଲା । ଫଳରେ କାର୍ଟେରେଟ ମନ୍ତ୍ରିମଣ୍ଡଳର ପତନ ହେଲା । ଏହି ସମୟରେ ଜେକୋବାଇଟ୍‌ମାନଙ୍କର ଏକ ଗୁରୁତର ବିଦ୍ରୋହ ଇଂଲଣ୍ଡରେ ଦେଖାଦେଲା । ଏହି ସବୁ ବିପଦର ସମ୍ମୁଖୀନ ହେବାପାଇଁ ଇଂରେଜ ସେନାବାହିନୀକୁ ଇଉରୋପରୁ ପ୍ରତ୍ୟାହାର କରି ଦିଆଗଲା । ୧୭୪୮ ଖ୍ରୀ: ଅକ୍‌ଟୋବର ମାସରେ ଅଷ୍ଟ୍ରିୟ ଉତ୍ତରାଧିକାରୀ ସମରର ଅବସାନ ହୋଇ ଏ–ଲା–ସାପେଲ ଚୁକ୍ତି ସ୍ୱାକ୍ଷରିତ ହେଲା-। ଏହାଫଳରେ ମେରିଆଥେରେସାଙ୍କୁ ଅଷ୍ଟ୍ରିଆର ରାଣୀରୂପେ ସ୍ୱୀକାର କରାଗଲା । ପ୍ରୁସିଆର ରାଜା ଫ୍ରେଡ଼େରିକ ସାଇଲେସିଆ ଲାଭ କଲେ । ଫ୍ରାନ୍‌ସ ଓ ଇଂଲଣ୍ଡ ନିଜ ନିଜର ବିଜିତ ରାଜ୍ୟ ଫେରାଇ ଦେଲେ । ଇଂଲଣ୍ଡ ଫ୍ରାନ୍‌ସଠାରୁ ଲୁଇବର୍ଗ ବଦଳରେ ମାନ୍ଦ୍ରାଜ ଲାଭକଲା ।

 

ଜେକୋବାଇଟ୍ ବିଦ୍ରୋହ (ଖ୍ରୀ: ୧୭୪୫) ଇଂଲଣ୍ଡର ରାଜସିଂହାସନରେ ଷ୍ଟୁଆର୍ଟ ରାଜବଂଶର ପୁନଃ ପ୍ରତିଷ୍ଠାପାଇଁ ୧୭୪୫ ଖ୍ରୀ:ରେ ଆଉ ଏକ ବିଦ୍ରୋହ ସଂଘଟିତ ହୋଇଥିଲା । ଏହାଥିଲା ଦ୍ୱିତୀୟ ଜେକୋବାଇଟ୍ ବିଦ୍ରୋହ । ଏହି ସମୟରେ ଇଂଲଣ୍ଡ ଇଉରୋପରେ ଅଷ୍ଟ୍ରିୟ ଉତ୍ତରାଧିକାରୀ ସମରରେ ବ୍ୟାପୃତ ଥିଲା । ଇଂଲଣ୍ଡପାଇଁ ଏକ ଘରୋଇ ସମସ୍ୟା ସୃଷ୍ଟିକରି ଇଉରୋପୀୟ ରାଜନୀତିରୁ ତାକୁ ବହିଷ୍କାର କରିବାପାଇଁ ଫ୍ରାନ୍‌ସ ଉଦ୍ୟମ କରୁଥିଲା । ସେଥିପାଇଁ ସେ ଏହି ବିଦ୍ରୋହକୁ ଉତ୍ସାହିତ କଲା । ଦ୍ୱିତୀୟ ଜେମ୍‍ସ୍‌ଙ୍କ ପୁତ୍ର ଚାର୍ଲସ୍‍ ଏଡ଼୍‍ୱାର୍ଡ଼ ବିଦ୍ରୋହମାନଙ୍କୁ ନେତୃତ୍ୱ ପ୍ରଦାନ କରିବାପାଇଁ ଫ୍ରାନ୍‌ସରୁ ଯାଇ ସ୍କଟ୍‍ଲାଣ୍ଡ୍‍ରେ ପହଞ୍ଚିଲେ । ସେ ସ୍କଟ୍‍ଲାଣ୍ଡ୍‍ର ନେତାମାନଙ୍କ ବିପୁଳ ସମର୍ଥନ ଲାଭ କରି ଶକ୍ତିଶାଳୀ ହୋଇ ଉଠିଲେ ଏବଂ ସେଠାରୁ ଏଡ଼ିନବରା ଯାତ୍ରା କରି ପ୍ରେଷ୍ଟୋନ୍‌ପାନ୍‌ସଠାରେ ଏକ ଇଂରେଜ ସେନାବାହିନୀକୁ ପରାସ୍ତ କଲେ । ଏହି ବିଜୟରେ ପ୍ରେରଣା ଲାଭକରି ଚାର୍ଲସ୍‍ ଦୃଢ଼ତାର ସହ ଡାରବୀ ପର୍ଯ୍ୟନ୍ତ ଅଗ୍ରସର ହେଲେ । ମାତ୍ର ସେ ଇଂଲଣ୍ଡରେ ଜନ ସମର୍ଥନ ଲାଭ କରି ପାରିଲେ ନାହିଁ ଏବଂ ତାଙ୍କର ସ୍କଟ୍‍ ବାହିନୀ ମଧ୍ୟ ଅଧିକ ଅଗ୍ରସର ହେବାପାଇଁ ସାହସ କଲେ ନାହିଁ । ତେଣୁ ସେ ବାଧ୍ୟହୋଇ ସ୍କଟ୍‍ଲାଣ୍ଡ୍‍କୁ ଫେରି ଆସିଲେ । ଏହାପରେ ମଧ୍ୟ ଚାର୍ଲସ୍‍ ଫଲକିର୍କଠାରେ ଆଉ ଏକ ବିଜୟ ଲାଭ କଲେ । ମାତ୍ର ଶେଷରେ ୧୭୪୬ ଖ୍ରୀ: ଏପ୍ରିଲ ମାସରେ ସେ କୁଲୋଡ଼େନ ଯୁଦ୍ଧକ୍ଷେତ୍ରରେ ଡ୍ୟୁକ୍‌ ଅଫ୍‌ କମ୍ବରଲେଣ୍ଡଙ୍କଦ୍ୱାରା ଶୋଚନୀୟ ଭାବରେ ପରାସ୍ତ ହେଲେ । ଏହାପରେ ଚାର୍ଲସ୍‍ ସ୍କଟ୍‍ଲାଣ୍ଡ୍‍ର ବଣଜଙ୍ଗଲରେ କିଛିକାଳ ଆଶ୍ରୟନେଇ ଶେଷରେ ଫ୍ରାନ୍‌ସକୁ ଫେରିଗଲେ । ସ୍କଟ୍‍ଲାଣ୍ଡ୍‍ରେ ବିଦ୍ରୋହ ଦମନପାଇଁ ପାଶବିକ ହତ୍ୟାକାଣ୍ଡ ଯୋଗୁଁ କମ୍ବରଲେଣ୍ଡ ଇତିହାସରେ ନୃଶଂସ ନରହନ୍ତାମାନଙ୍କ ମଧ୍ୟରେ ଗଣ୍ୟ ହୋଇଥାନ୍ତି । ଏହି ବିଦ୍ରୋହ ଥିଲା ଷ୍ଟୁଆର୍ଟ ରାଜବଂଶର ପୁନଃ ପ୍ରତିଷ୍ଠାପାଇଁ ଉଦ୍ୟମର ଶେଷ ପ୍ରଚେଷ୍ଟା ।

 

ସପ୍ତବର୍ଷ ବ୍ୟାପୀ ଯୁଦ୍ଧ (୧୭୫୬–୧୭୬୩) ସପ୍ତବର୍ଷ ବ୍ୟାପୀ ଯୁଦ୍ଧ ଦ୍ୱିତୀୟ ଜର୍ଜଙ୍କ ରାଜତ୍ୱର ଅନ୍ୟତମ ଘଟଣା । ଏହା ମୁଖ୍ୟତଃ ଦୁଇଟି କାରଣରୁ ସଂଘଟିତ ହୋଇଥିଲା । ପ୍ରଥମତଃ ଇଉରୋପରେ ଅଷ୍ଟ୍ରିଆ ଓ ପ୍ରୁସିଆ ମଧ୍ୟରେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଏବଂ ଦ୍ୱିତୀୟତଃ ଇଂଲଣ୍ଡ ଓ ଫ୍ରାନ୍‌ସ ମଧ୍ୟରେ ଭାରତ ତଥା ଆମେରିକାରେ ବାଣିଜ୍ୟ ପ୍ରତିଯୋଗିତା ଏହାର ମୂଳକାରଣ ଥିଲା ।

 

୧୭୪୮ ଖ୍ରୀ:ରେ ଏ–ଲା–ସାପେଲ ଚୁକ୍ତିଫଳରେ ଅଷ୍ଟ୍ରିଆର ଏକ ସମୃଦ୍ଧିଶାଳୀ ଅଞ୍ଚଳ ‘ସାଇଲେସିଆ’ ପ୍ରୁସିଆର ଅନ୍ତର୍ଭୁକ୍ତ ହୋଇ ରହିଥିଲା । ଅଷ୍ଟ୍ରିଆର ରାଣୀ ମେରିଆ ଥେରେସା ସାଇଲେସିଆ ହରାଇ ମର୍ମନ୍ତୁଦ ବ୍ୟଥା ଅନୁଭବ କରିଥିଲେ । କଥିତ ଅଛି ଯେ ସେ ଏହି ସମୟରେ ସାଇଲେସିଆର କୌଣସି ଅଧିବାସୀଙ୍କୁ ଦେଖିଲେ କାନ୍ଦି ପକାଉଥିଲେ । ତେଣୁ ଏହି ଅଞ୍ଚଳକୁ ଫେରି ପାଇବାପାଇଁ ଯେ ଆପ୍ରାଣ ଉଦ୍ୟମ ଚଳାଇଲେ । ଏହି ସମୟରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ନ୍ୟୁକେସଲ ରାଜା ଦ୍ୱିତୀୟ ଜର୍ଜଙ୍କର ମାତୃଭୂମି ହାନୋଭରକୁ ଇଉରୋପୀୟ ଶକ୍ତିମାନଙ୍କର କବଳରୁ ରକ୍ଷା କରିବାପାଇଁ ଅଷ୍ଟ୍ରିଆ ସହ ମନ୍ତ୍ରଣା କଲେ । ମେରିଆ ଥେରେସା ଏହାର ପ୍ରତିବଦଳରେ ପ୍ରୁସିଆ ବିରୁଦ୍ଧରେ ଯୁଦ୍ଧ କରିବାପାଇଁ ଇଂଲଣ୍ଡର ସାହାଯ୍ୟ ଓ ସମର୍ଥନ ଚାହିଁଲେ । ମାତ୍ର ନ୍ୟୁକେସଲ ଯୁଦ୍ଧର ପକ୍ଷପାତି ନଥିବାରୁ ଏହା ସମ୍ଭବ ହେଲା ନାହିଁ । ପରିଶେଷରେ ହାନୋଭର ସୁରକ୍ଷାପାଇଁ ନ୍ୟୁକେମଲ ପ୍ରୁସିଆ ସହ ମନ୍ତ୍ରଣା କଲେ । ପ୍ରୁସିଆ ସମ୍ରାଟ ଫ୍ରେଡ଼େରିକ ଇଂଲଣ୍ଡର ବନ୍ଧୁତାକୁ ସ୍ୱାଗତ ଜଣାଇଲେ । ଫଳରେ ୧୭୫୬ ଖ୍ରୀ: ଜାନୁୟାରୀ ମାସରେ ଉଭୟଙ୍କ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହେଲା । ଇଂଲଣ୍ଡ ଓ ପ୍ରୁସିଆର ମୈତ୍ରୀ ଫ୍ରାନ୍‍ସ ତଥା ଅଷ୍ଟ୍ରିଆପାଇଁ ବିପଦର କାରଣ ଥିଲା । ତେଣୁ ସେମାନେ ସେମାନଙ୍କର ପୂର୍ବ ଶତ୍ରୁତା ପରିତ୍ୟାଗ କରି ୧୭୫୬ ଖ୍ରୀ: ମେ ମାସରେ ପ୍ରୁସିଆ ବିରୁଦ୍ଧରେ ମେଣ୍ଟ ଗଠନ କଲେ । ରୁଷିଆ ମଧ୍ୟ ସେମାନଙ୍କର ଏହି ମେଣ୍ଟରେ ଯୋଗ ଦେଲା । କ୍ରମେ ଏହି ଦୁଇଦଳ ମଧ୍ୟରେ ଶତ୍ରୁତା ବଢ଼ିବାକୁ ଲାଗିଲା । ପ୍ରୁସିଆ ସାଇଲେସିଆକୁ ରଖିବାପାଇଁ ଏବଂ ଅଷ୍ଟ୍ରିଆ ଫେରି ପାଇବାପାଇଁ ବଦ୍ଧପରିକର ଥିଲେ । ଏହି କାରଣରୁ ଉଭୟଙ୍କ ମଧ୍ୟରେ ଯୁଦ୍ଧ ଅନିବାର୍ଯ୍ୟ ହେଲା ।

 

ଇଂଲଣ୍ଡ ଓ ଫ୍ରାନ୍‌ସ ମଧ୍ୟରେ ବାଣିଜ୍ୟ ପ୍ରତିଯୋଗିତା ଯୁଦ୍ଧର ଆଉ ଏକ କାରଣ ଥିଲା । ଆମେରିକା ଓ ଭାରତରେ ସେମାନଙ୍କର ଏହି ପ୍ରତିଯୋଗିତା ତୀବ୍ର ହୋଇଥିଲା । ଆମେରିକାରେ ଆଟଲାଣ୍ଟିକ ମହାସାଗରର ଉପକୂଳରେ ଇଂଲଣ୍ଡର ତେରଗୋଟି ଉପନିବେଶ ଥିଲା ଏବଂ ତା’ର ଉତ୍ତର ପଶ୍ଚିମରେ କାନାଡ଼ା ଓ ଲୁସିଆନା ଫ୍ରାନ୍‌ସର ଅଧୀନ ଥିଲା । ଉଭୟ ଦେଶର ଉପନିବେଶମାନଙ୍କ ମଧ୍ୟରେ ସଂଘର୍ଷ ସର୍ବଦା ଲାଗି ରହିଥିଲା ଏବଂ ଫଳରେ ଉଭୟ ଦେଶର ସରକାରଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇ ପଡ଼ିଲା । ଭାରତରେ ମଧ୍ୟ ଇଂରେଜ ଓ ଫରାସୀ ଇଷ୍ଟ ଇଣ୍ଡିଆ କମ୍ପାନୀ ମଧ୍ୟରେ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା ଚାଲିଥିଲା ଏବଂ ସପ୍ତବର୍ଷ ବ୍ୟାପୀ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଉଭୟଙ୍କ ମଧ୍ୟରେ ଦୁଇଗୋଟି କର୍ଣ୍ଣାଟ ସମର ସଂଘଟିତ ହୋଇଥିଲା । ଭାରତକୁ ଏକ ଉପନିବେଶରେ ପରିଣତ କରିବାପାଇଁ ଉଭୟେ ପ୍ରବଳ ଉଦ୍ୟମ ଚଳାଇଥିଲେ । ଫଳରେ ଉଭୟ ଦେଶ ମଧ୍ୟରେ ସଂଘର୍ଷ ଅନିବାର୍ଯ୍ୟ ଥିଲା ।

 

ଉପରୋକ୍ତ କାରଣରୁ ଶେଷରେ ୧୭୫୬ ଖ୍ରୀ:ରେ ଉଭୟ ଦଳ ମଧ୍ୟରେ ଯୁଦ୍ଧ ଆରମ୍ଭ ହେଲା । ଏହା ୧୭୬୩ ଖ୍ରୀ: ପର୍ଯ୍ୟନ୍ତ ସାତବର୍ଷକାଳ କ୍ରମାଗତ ଲାଗି ରହିଥିଲା ବୋଲି ଏହାକୁ ସପ୍ତବର୍ଷ ବ୍ୟାପୀ ଯୁଦ୍ଧ ନାମରେ ଅଭିହିତ କରାଯାଏ ।

 

ସପ୍ତବର୍ଷ ବ୍ୟାପୀ ଯୁଦ୍ଧର ପ୍ରାରମ୍ଭରେ ଇଂଲଣ୍ଡ କେତେକ ଶୋଚନୀୟ ବିପର୍ଯ୍ୟୟର ସମ୍ମୁଖୀନ ହେଲା । ପ୍ରଧାନମନ୍ତ୍ରୀ ନ୍ୟୁକେସଲ ଯୁଦ୍ଧ ପରିଚାଳନାରେ ସମ୍ପୂର୍ଣ୍ଣ ଅସମର୍ଥ ଥିଲେ । ସରକାରଙ୍କର ଅପାରଗତା ସେନାପତିମାନଙ୍କୁ ନିରୁତ୍ସାହିତ କଲା । ଫଳରେ ସେମାନେ ପରାଜୟ ପରେ ପରାଜୟ ବରଣ କଲେ । ଫରାସୀ ସେନାବାହିନୀ ଇଂରେଜ ସେନାପତି ବାଇଙ୍ଗଙ୍କୁ ଶୋଚନୀୟଭାବେ ପରାସ୍ତ କରି ମିନୋର୍କା ଅଧିକାର କଲେ । ବାଇଙ୍ଗଙ୍କର ବିଫଳତାରେ ଇଂଲଣ୍ଡର ଜନତା ଏତେ ଉତ୍ୟକ୍ତ ହୋଇ ପଡ଼ିଥିଲେ ଯେ ସେ ସ୍ୱଦେଶରେ ପଦାର୍ପଣ କରିବା ପୂର୍ବରୁ ପୋର୍ଟସ ମାଉଥ ବନ୍ଦରରେ ତାଙ୍କୁ ନିଜ ଜାହାଜରେ ଗୁଳିକରି ମାରି ଦିଆଗଲା । ଦ୍ୱିତୀୟତଃ ଜର୍ଜଙ୍କର ପୁତ୍ର କମ୍ବରଲେଣ୍ଡ ଫରାସୀମାନଙ୍କଦ୍ୱାରା ହଷ୍ଟେନ୍‌ବେକ୍‌ରେ ପରାସ୍ତ ହେଲେ । ଏହାଫଳରେ ହାନୋଭର ଫରାସୀମାନଙ୍କର ଅଧୀନକୁ ଚାଲିଗଲା । ଆମେରିକାରେ ମଧ୍ୟ ଇଂରେଜମାନେ ପରାସ୍ତ ହୋଇ ଅସ୍‌ଉଏଗୋ ହରାଇଲେ । ଇଂଲଣ୍ଡର ଭବିଷ୍ୟତ ଅନ୍ଧକାରମୟ ଜଣାଗଲା । ଦେଶର ଏହି ଦୁର୍ଦ୍ଦିନରେ ନ୍ୟୁକେସଲ ପିଟ୍‍ଙ୍କୁ ମନ୍ତ୍ରିମଣ୍ଡଳରେ ଯୋଗ ଦେବାପାଇଁ ନିମନ୍ତ୍ରଣ କଲେ ।

 

୧୭୫୭ ଖ୍ରୀ:ର ମଧ୍ୟଭାଗରେ ପିଟ୍‍ ନ୍ୟୁକେସଲଙ୍କ ସହିତ ମିଳିତ ମନ୍ତ୍ରିମଣ୍ଡଳ ଗଠନ କରି ଯୁଦ୍ଧ ପରିଚାଳନା ଦାୟିତ୍ୱ ନିଜ ହାତରେ ରଖିଲେ । ପିଟ୍‍ଙ୍କର ଅପୂର୍ବ ଯୁଦ୍ଧ କୌଶଳ ପରିସ୍ଥିତିକୁ ସମ୍ପୂର୍ଣ୍ଣରୂପେ ବଦଳାଇ ଦେଲା । ଏହାପରେ ଇଂରେଜ ସେନା ବିଜୟ ପରେ ବିଜୟ ଲାଭ କଲେ । ୧୭୫୯ ଖ୍ରୀ:ରେ ଇଂରେଜ ସେନାପତି ଉଲଫ୍‌ ଉତ୍ତର ଆମେରିକାର କ୍ୟୁବେକ ଅଧିକାର କଲେ । ୧୭୬୦ ଖ୍ରୀ:ରେ ମଣ୍ଟ୍ରିଅଲ ଅଧିକାର ପରେ ସମଗ୍ର କାନାଡ଼ା ଇଂରେଜମାନଙ୍କର ଅଧୀନ ହେଲା । ଭାରତରେ ଫରାସୀମାନେ ପଲାସୀ ଯୁଦ୍ଧ ଓ ଉଆଣ୍ଡେ ଉଆସ ଯୁଦ୍ଧରେ ପରାସ୍ତ ହୋଇ ଏ ଦେଶରେ ଉପନିବେଶ ସ୍ଥାପନର ସମସ୍ତ ଆଶା ପରିତ୍ୟାଗ କଲେ । ଇଉରୋପରେ ପ୍ରୁସିଆ ସମ୍ରାଟ ଫ୍ରେଡ଼େରିକ ରୋସବେକଠାରେ ଫରାସୀମାନଙ୍କୁ ଏବଂ ଲିଉଥେନଠାରେ ଅଷ୍ଟ୍ରିଆର ସେନାବାହିନୀକୁ ପରାସ୍ତ କଲେ । ୧୭୫୯ ଖ୍ରୀ: ଅଗଷ୍ଟ ୧ ତାରିଖରେ ପ୍ରୁସିଆ ଓ ଇଂଲଣ୍ଡର ମିଳିତ ସେନା ମିଣ୍ଡେନଠାରେ ଏକ ଗୌରବମୟ ବିଜୟ ଲାଭ କରି ହାନୋଭର ରାଜ୍ୟର ପୁନରୁଦ୍ଧାର କଲେ । ୧୭୬୦ ଖ୍ରୀ:ରେ ତୃତୀୟ ଜର୍ଜ ଇଂଲଣ୍ଡର ରାଜା ହେଲେ । ଦେଶରେ ବ୍ୟକ୍ତିଗତ ଶାସନର ପ୍ରତିଷ୍ଠା ତାଙ୍କର ଲକ୍ଷ୍ୟ ଥିଲା । ତେଣୁ ସେ ପିଟ୍‍ଙ୍କ ପ୍ରଭାବ ଓ ପ୍ରତିଷ୍ଠାରେ ସୁଖୀ ନଥିଲେ । ସ୍ପେନ୍‍ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବାପାଇଁ ପିଟ୍‍ଙ୍କର ଏକ ପ୍ରସ୍ତାବକୁ ରାଜା ଗ୍ରହଣ କଲେ ନାହିଁ । ଫଳରେ ପିଟ୍‍ ୧୭୬୧ ଖ୍ରୀ:ରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ । ୧୭୬୨ ଖ୍ରୀ:ରେ ସ୍ପେନ୍‍ ଇଂଲଣ୍ଡ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲା । ସୁତରାଂ ଇଂଲଣ୍ଡକୁ ସ୍ପେନ୍‍ ସହ ଯୁଦ୍ଧ କରିବାକୁ ପଡ଼ିଲା । ପିଟ୍‍ଙ୍କର ଆଶା ଓ ଆଶଙ୍କା ସତ୍ୟ ପ୍ରମାଣିତ ହେଲା ।

 

୧୭୬୩ ଖ୍ରୀ:ରେ ସପ୍ତବର୍ଷ ବ୍ୟାପୀ ଯୁଦ୍ଧରେ ଅବସାନ ହୋଇ ଦୁଇଗୋଟି ସ୍ୱତନ୍ତ୍ର ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହେଲା । ତନ୍ମଧ୍ୟରୁ ଗୋଟିଏ ଇଂଲଣ୍ଡ ଓ ଫ୍ରାନ୍‌ସ ମଧ୍ୟରେ ପ୍ୟାରିସ ଚୁକ୍ତି ଏବଂ ଅନ୍ୟଟି ଅଷ୍ଟ୍ରିଆ ଓ ପ୍ରୁସିଆ ମଧ୍ୟରେ ହ୍ୟୁବେର୍ଟସବରୀ ଚୁକ୍ତି ଥିଲା । ପ୍ୟାରିସ ଚୁକ୍ତି ଅନୁସାରେ ଇଂଲଣ୍ଡ ଆମେରିକାରେ ଫ୍ରାନ୍‌ସଠାରୁ କାନାଡ଼ା ଓ କେପ୍‌ବ୍ରିଟନ ଏବଂ ସ୍ପେନ୍‍ଠାରୁ ହାୱାନା (କ୍ୟୁବା) ବଦଳରେ ଫ୍ଳୋରିଡ଼ା ଅଞ୍ଚଳ ଲାଭ କଲା । ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜରେ ଡୋମିନିକା, ଟୋବାଗୋ ଓ ଗ୍ରେନେଡ଼ା; ଭୂମଧ୍ୟସାଗରରେ ମିନୋର୍କା ଓ ଆଫ୍ରିକାରେ ସେନେଗାଲ ଇଂଲଣ୍ଡର ଅଧୀନ ଥିଲା । ଅନ୍ୟ ପକ୍ଷରେ ଫ୍ରାନ୍‌ସ ଗୋରୀ, ପଣ୍ଡିଚେରୀ, ମାର୍ଟିନିକ ଓ ଗୁଆଡ଼େଲ୍ୟୁପ ଫେରି ପାଇଲା ଏବଂ ନ୍ୟୁଫାଉଣ୍ଡଲେଣ୍ଡରେ ମାଛ ଧରିବାର ଅଧିକାର ଲାଭ କଲା । ଏହା ଇଂଲଣ୍ଡ ପକ୍ଷରେ ଏକ ଗୌରବମୟ ଚୁକ୍ତି ଥିଲା । ଅବଶ୍ୟ ପିଟ୍‍ କ୍ଷମତାରେ ଥିଲେ ଇଂଲଣ୍ଡ ଆହୁରି ଅଧିକ ସୁଯୋଗ ଲାଭ କରିଥାନ୍ତା । ତଥାପି ଏହି ଚୁକ୍ତିଫଳରେ ଇଂଲଣ୍ଡର ଶକ୍ତି ଓ ପ୍ରତିଷ୍ଠା ଯଥେଷ୍ଟ ବୃଦ୍ଧି ପାଇଲା । ଇଂଲଣ୍ଡ ନୌବାହିନୀ ସର୍ବଶ୍ରେଷ୍ଠ ବୋଲି ବିବେଚିତ ହେଲା । ପୃଥିବୀରେ ଇଂରେଜ ସାମ୍ରାଜ୍ୟର ଅଭ୍ୟୁଦୟ ହେଲା ।

Image

 

ଷୋଡ଼ଶ ଅଧ୍ୟାୟ

ଉଇଲିୟମ୍‍ ପିଟ୍‍

 

ଇଂଲଣ୍ଡକୁ ପୃଥିବୀର ଏକ ଶ୍ରେଷ୍ଠ ଶକ୍ତିଶାଳୀ ଦେଶରେ ପରିଣତ କରିବାପାଇଁ ଯେଉଁ କେତେକ ମହାମନୀଷୀଙ୍କର ଅବଦାନ ଅଛି, ସେମାନଙ୍କ ମଧ୍ୟରେ ଉଇଲିୟମ୍‍ ପିଟ୍‍ ଅନ୍ୟତମ । ସପ୍ତବର୍ଷ ବ୍ୟାପୀ ଯୁଦ୍ଧର ପ୍ରାରମ୍ଭରେ ଇଂଲଣ୍ଡ ପରାଜୟ ପରେ ପରାଜୟ ବରଣ କରୁଥିବା ସମୟରେ ପିଟ୍‍ ଶାସନଭାର ବହନ କରି ସେ ଦେଶକୁ ଅବଶ୍ୟମ୍ଭାବୀ ପରାଭବରୁ ରକ୍ଷା କରିବା ସଙ୍ଗେ ସଙ୍ଗେ ବିଜୟ ପଥରେ ଅଗ୍ରସର କରାଇଲେ । ଯୁଦ୍ଧମନ୍ତ୍ରୀ ରୂପରେ ପିଟ୍‍ ଇଂଲଣ୍ଡ ଇତିହାସରେ ଅଦ୍ୱିତୀୟ ଥିଲେ । ତାଙ୍କପରେ ତାଙ୍କ ତରୁଣ ପୁତ୍ର ମଧ୍ୟ ପ୍ରଧାନମନ୍ତ୍ରୀ ରୂପରେ ଇଂଲଣ୍ଡକୁ ଆଉ ଏକ ବୃହତ୍ତର ସଙ୍କଟରୁ ରକ୍ଷାକରି ପିତାଙ୍କ ତୁଲ୍ୟ ସ୍ମରଣୀୟ ହୋଇ ଅଛନ୍ତି । ପିତା ଓ ପୁତ୍ର ଇତିହାସରେ ଯଥାକ୍ରମେ ଜ୍ୟେଷ୍ଠ ପିଟ୍‍ ଓ ତରୁଣ ପିଟ୍‍ ନାମରେ ସୁବିଦିତ ।

 

ଜ୍ୟେଷ୍ଠ ପିଟ୍‍ ୧୭୦୮ ଖ୍ରୀ:ରେ ଇଂଲଣ୍ଡର ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ପ୍ରଥମେ ଇଟନ୍‌ ବିଦ୍ୟାଳୟ ଓ ପରେ ଅକ୍‌ସଫୋର୍ଡ଼ ବିଶ୍ୱବିଦ୍ୟାଳୟରେ ଶିକ୍ଷାଲାଭ କରି ୨୭ ବର୍ଷ ବୟସରେ ୧୭୩୫ ଖ୍ରୀ:ରେ ପାର୍ଲିଆମେଣ୍ଟ୍‍ରେ ପ୍ରବେଶ କଲେ । ତାଙ୍କର ଅସାଧାରଣ ବାଗ୍ମିତା ଯୋଗୁଁ ସେ ଆରମ୍ଭରୁ ଶକ୍ତିଶାଳୀ ହୋଇ ଉଠିଲେ । ପାର୍ଲିଆମେଣ୍ଟ୍‍ର କସନ୍‍ସ ସଭାରେ ସେ ଏକ ତରୁଣ ଗୋଷ୍ଠୀର ନେତୃତ୍ୱ ନେଇ ୱାଲପୋଲଙ୍କ ଶାସନର ଦୁର୍ନୀତି ତଥା ଦୁର୍ବଳ ନୀତିର ତୀବ୍ର ସମାଲୋଚନା କଲେ । ୧୭୪୬ ଖ୍ରୀ:ରେ ପିଟ୍‍ ପେଲହାମଙ୍କ ମନ୍ତ୍ରିମଣ୍ଡଳରେ ସେ ମାଷ୍ଟରରୂପେ ନିଯୁକ୍ତି ହେଲେ । ଏହି ପଦବୀରେ ପ୍ରଚୁର ଉତ୍କୋଚ ଓ ଉପହାର ଗ୍ରହଣ କରିବାପାଇଁ ସୁଯୋଗ ଓ ସୁବିଧା ଥିଲେ ମଧ୍ୟ ପିଟ୍‍ ତାହା ପ୍ରତ୍ୟାଖ୍ୟାନ କରି ଆପଣାର ସାଧୁତା ଓ ସଚ୍ଚରିତ୍ରର ପ୍ରମାଣ ଦେଲେ । ଏହାଫଳରେ ତାଙ୍କ ଲୋକପ୍ରିୟତା ବଢ଼ିଗଲା ।

 

୧୭୫୬ ଖ୍ରୀ:ରେ ସପ୍ତବର୍ଷ ବ୍ୟାପୀ ଯୁଦ୍ଧର ଆରମ୍ଭ ହେଲା । ଏହି ସମୟରେ ନ୍ୟୁକେସଲର ଡ୍ୟୁକ ପ୍ରଧାନମନ୍ତ୍ରୀ ଥିଲେ । ଯୁଦ୍ଧ ପରିଚାଳନାରେ ସେ ସମ୍ପୂର୍ଣ୍ଣ ଅସମର୍ଥ ଥିଲେ । ଫଳରେ ଇଂଲଣ୍ଡ ପରାଜୟ ପରେ ପରାଜୟ ବରଣ କଲା । ଇଂରେଜ ସେନାପତି ବାଇଙ୍ଗ ଫରାସୀମାନଙ୍କଦ୍ୱାରା ପରାସ୍ତ ହୋଇ ମିନୋର୍କା ପରିତ୍ୟାଗ କଲେ । ଦ୍ୱିତୀୟ ଜର୍ଜଙ୍କ ପୁତ୍ର କମ୍ବରଲେଣ୍ଡ ହାନୋଭର ରକ୍ଷା କରିବାରେ ବିଫଳ ହେଲେ । ଆମେରିକାରେ ଅସଉଏଗୋ ଇଂଲଣ୍ଡ ହାତକୁ ଚାଲିଗଲା । ଲର୍ଡ଼ ଚେଷ୍ଟରଫିଲ ଏ ସମ୍ପର୍କରେ କହିଥିଲେ, ‘‘ଆମ୍ଭେମାନେ ଘରେ ଓ ବାହାରେ ନିରାଶ୍ରୟ ହୋଇ ପଡ଼ିଅଛୁଁ । ଫରାସୀମାନେ ଆମେରିକାରେ ଯାହା ଇଚ୍ଛା ତାହା କରିପାରୁଅଛନ୍ତି । ଆମ୍ଭେମାନେ ଏକ ଜାତି ରୂପରେ ରହିପାରୁ ନାହୁଁ ।’’ ବସ୍ତୁତଃ ଇଂଲଣ୍ଡର ଦୁର୍ଦ୍ଦଶା ଏହି ସମୟରେ ଚରମ ସୀମାରେ ପହଞ୍ଚିଲା । ପ୍ରଧାନମନ୍ତ୍ରୀ ନ୍ୟୁକେସଲ ପିଟ୍‍ଙ୍କ ବ୍ୟକ୍ତିତ୍ୱକୁ ଭୟ କରି ତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନଦେବା ସକାଶେ ଏପର୍ଯ୍ୟନ୍ତ ଏଡ଼ାଇ ଦେଇ ଆସୁଥିଲେ । ମାତ୍ର ଅବଶେଷରେ ସଙ୍କଟର ସମ୍ମୁଖୀନ ହେବାରେ ଅସମର୍ଥ ହୋଇ ବାଧ୍ୟହୋଇ ସେ ପିଟ୍‍ଙ୍କୁ ମନ୍ତ୍ରିମଣ୍ଡଳରେ ଯୋଗ ଦେବାପାଇଁ ନିମନ୍ତ୍ରଣ କଲେ । ୧୭୫୭ ଖ୍ରୀ:ରେ ନ୍ୟୁକେସଲ ଓ ପିଟ୍‍ଙ୍କର ମିଳିତ ମନ୍ତ୍ରିମଣ୍ଡଳ ଗଠିତ ହେଲା । ସେହି ଦିନରୁ ୧୭୬୧ ଖ୍ରୀ: ପର୍ଯ୍ୟନ୍ତ ପିଟ୍‍ ଇଂଲଣ୍ଡରେ ସର୍ବଶକ୍ତିମାନ ହୋଇ ରହିଲେ । ସେ ଯୁଦ୍ଧ ପରିଚାଳନାର ଦାୟିତ୍ୱ ନିଜ ହାତରେ ରଖିଲେ । ତାଙ୍କର ବଳିଷ୍ଠ ନେତୃତ୍ୱ ଓ ଦକ୍ଷତା ପରିସ୍ଥିତିକୁ ସମ୍ପୂର୍ଣ୍ଣରୂପେ ବଦଳାଇ ଦେଲା । ପିଟ୍‍ଙ୍କର ନୂତନ ନିଯୁକ୍ତିକୁ ସ୍ୱାଗତ ଜଣାଇ ପ୍ରୁସିଆର ସମ୍ରାଟ ଫ୍ରେଡ଼େରିକ ଯଥାର୍ଥରେ କହିଥିଲେ, ‘‘ଇଂଲଣ୍ଡ ଏତେ ଦିନଯାଏ ପ୍ରସବବେଦନାରେ ଅସୁସ୍ଥ ଥିଲା, ଶେଷରେ ସେ ଏକ ଯୋଗ୍ୟ ସନ୍ତାନର ଜନନୀ ହେଲା ।’’

 

ପିଟ୍‍ ଶାସନ କ୍ଷମତା ଗ୍ରହଣ କଲାପରେ ସେନାବାହିନୀକୁ ସୁଦୃଢ଼ କରିବାପାଇଁ ଲାଗିପଡ଼ିଲେ । କମ୍ବରଲେଣ୍ଡଙ୍କ ଭଳି ଅପାରଗ ସେନାପତିମାନଙ୍କୁ କାର୍ଯ୍ୟରୁ ଅନ୍ତର କରି ସେମାନଙ୍କ ସ୍ଥାନରେ ଉଲଫ୍, ଆମହର୍ଷ୍ଟ, କନଉଏ, ରୋଡ଼ନୀ ପ୍ରଭୃତି ଶକ୍ତିଶାଳୀ ଯୁବକମାନଙ୍କୁ ନିଯୁକ୍ତ କରାଗଲା । ଉପଯୁକ୍ତ ଲୋକଙ୍କୁ ବାଛିବାପାଇଁ ପିଟ୍‍ଙ୍କର ଅସାଧାରଣ ଶକ୍ତି ଥିଲା । ସେ ସେମାନଙ୍କୁ ଦେଶପ୍ରେମରେ ଉଦ୍‌ବୁଦ୍ଧ କରାଇ ଯୁଦ୍ଧକ୍ଷେତ୍ରକୁ ପ୍ରେରଣ କଲେ । ଫରାସୀ ଆକ୍ରମଣରେ ଆଶଙ୍କାରେ ଯେଉଁ ଜର୍ମାନ୍‌ ସୈନ୍ୟଙ୍କୁ ଇଂଲଣ୍ଡରେ ମୁତୟନ କରାଯାଇଥିଲା, ସେମାନଙ୍କୁ ବିଦାୟ ଦେଇ ସେମାନଙ୍କ ସ୍ଥାନରେ ଦେଶୀୟ ସୈନ୍ୟମାନଙ୍କୁ ଗ୍ରହଣ କରାଗଲା । ସ୍କଟ୍‍ଲାଣ୍ଡ୍‍ର ବଳିଷ୍ଠ ଯୁଦ୍ଧପ୍ରିୟ ପାହାଡ଼ିଆ ଲୋକଙ୍କୁ ନେଇ ପିଟ୍‍ ଏକ ଶକ୍ତିଶାଳୀ ସେନା ଗଠନ କଲେ ।

 

ପିଟ୍‍ ମାତ୍ର ଚାରିଦିନ ମଧ୍ୟରେ ଇଂରେଜ ନୌବାହିନୀର ପୁନର୍ଗଠନ କରିପାରିଲେ । ଏହାପରେ ବ୍ରିଟିଶ ଜାହାଜଗୁଡ଼ିକ ଫରାସୀ ଜାହାଜମାନଙ୍କୁ ଆକ୍ରମଣ କରି ବ୍ୟତିବ୍ୟସ୍ତ କଲେ । ସମୁଦ୍ରରେ ଇଂରେଜମାନଙ୍କ ଆଧିପତ୍ୟ ପ୍ରତିଷ୍ଠିତ ହେଲା । ଫଳରେ ଫ୍ରାନ୍‌ସ, ଭାରତ ବା ଆମେରିକାକୁ ବିଶେଷ ସାହାଯ୍ୟ ବା ସୈନ୍ୟ ପଠାଇପାରିଲା ନାହିଁ । ପିଟ୍‍ଙ୍କର ନିର୍ଦ୍ଦେଶରେ ଇଂରେଜ ଜାହାଜଗୁଡ଼ିକ ଫରାସୀ ବନ୍ଦରମାନଙ୍କୁ ମଧ୍ୟ ଅବରୋଧ କଲେ ।

 

ସପ୍ତବର୍ଷ ବ୍ୟାପୀ ଯୁଦ୍ଧରେ ଇଂଲଣ୍ଡର ମିତ୍ରପକ୍ଷ ଥିଲା ପ୍ରୁସିଆ । ପିଟ୍‍ ପ୍ରୁସିଆ ସାମ୍ରଟ ଫ୍ରେଡ଼େରିକଙ୍କୁ ଫ୍ରାନ୍‌ସ ବିରୁଦ୍ଧରେ ଯୁଦ୍ଧ କରିବାପାଇଁ ବିପୁଳ ସାହାଯ୍ୟ ପ୍ରଦାନ କଲେ । ଏହାଛଡ଼ା କେତେକ ବ୍ରିଟିଶ ଓ ହାନୋଭରୀୟ ସୈନ୍ୟଙ୍କୁ ନେଇ ଫାଡ଼ିନେଣ୍ଡ ଅଫ୍‌ ବ୍ରନସ୍‌ଉଇକଙ୍କ ନେତୃତ୍ୱରେ ଏକ ସେନାବାହିନୀକୁ ସେ ଫ୍ରାନ୍‌ସ ବିରୁଦ୍ଧରେ ନିୟୋଜିତ କଲେ । ଫଳରେ ଫ୍ରାନ୍‌ସ ଇଉରୋପୀୟ ଯୁଦ୍ଧରେ ବ୍ୟାପୃତ ରହି ଆମେରିକା ବା ଭାରତରେ ଚାଲୁଥିବା ସଂଘର୍ଷ ପ୍ରତି ବିଶେଷ ଧ୍ୟାନ ଦେଇପାରିଲା ନାହିଁ । ଫ୍ରାନ୍‌ସର ତିରିଶହଜାର ସୈନ୍ୟ ମାତୃଭୂମିର ପ୍ରତିରକ୍ଷା ପାଇଁ ନିୟୋଜିତ ରହିଲେ । ପିଟ୍‍ କହୁଥିଲେ ଯେ ଜର୍ମାନୀର ଏଲବ୍‌ ନଦୀକୂଳରେ ସେ ଆମେରିକାର କାନାଡ଼ା ରାଜ୍ୟ ଜୟ କରିପାରିବେ । ତାଙ୍କର ଏହି ଉକ୍ତିର ଯଥାର୍ଥତା ଶୀଘ୍ର ପ୍ରମାଣିତ ହେଲା । ଇଂଲଣ୍ଡରୁ ଅର୍ଥଲାଭ କରି ନଥିଲେ ପ୍ରୁସିଆ ସମ୍ରାଟ ଫ୍ରେଡ଼େରିକ ଫ୍ରାନ୍‌ସ ବିରୁଦ୍ଧରେ ପ୍ରବଳ ସଂଗ୍ରାମ ଚଳାଇ ପାରି ନଥାନ୍ତେ । ପିଟ୍‍ଙ୍କର ଏହି ନୀତିଫଳରେ ଫ୍ରାନ୍‌ସ ଜର୍ମାନୀରେ ତଥା ଆମେରିକା ଓ ଭାରତରେ ବିପର୍ଯ୍ୟୟର ସମ୍ମୁଖୀନ ହେଲା । ଇଂରେଜ ସେନାପତି ଉଲଫ୍‌ ଆମେରିକାର କ୍ୟୁବେକ୍‌ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ଲାଭ କଲେ । ମାତ୍ର ସେଥିପାଇଁ ତାଙ୍କୁ ନିଜର ଜୀବନ ବଳି ଦେବାକୁ ପଡ଼ିଥିଲା । ଏହାପରେ ମଣ୍ଟ୍ରିଏଲଠାରେ ଫରାସୀମାନେ ଶୋଚନୀୟ ଭାବରେ ପରାସ୍ତ ହେଲେ । ଏହି ଦୁଇଟି ବିଜୟଫଳରେ ସମଗ୍ର କାନାଡ଼ା ଇଂରେଜମାନଙ୍କର ଅଧୀନ ହେଲା । ଭାରତୀୟ ଭୂଖଣ୍ଡରେ ପଲାସୀ ଓ ଓ୍ୱାଣ୍ଡିଓ୍ୱାସଠାରେ ମଧ୍ୟ ଫରାସୀମାନେ ପରାସ୍ତ ହେଲେ । ଜର୍ମାନୀରେ ଇଂଲଣ୍ଡ ଓ ପ୍ରୁସିଆର ମିଳିତ ସେନା ମିଣ୍ଡେନଠାରେ ଗୌରବମୟ ବିଜୟଲାଭ କରି ହାନୋଭର ପୁନର୍ଦଖଲ କଲେ । ପିଟ୍‍ଙ୍କର ନେତୃତ୍ୱରେ ଇଂଲଣ୍ଡ ବିଜୟ ପଥରେ ଦ୍ରୁତଗତିରେ ଅଗ୍ରସର ହେଲା ।

 

୧୭୬୦ ଖ୍ରୀ:ରେ ତୃତୀୟ ଜର୍ଜ ଇଂଲଣ୍ଡର ରାଜା ହେଲେ । ସେ ବଡ଼ ସ୍ୱେଚ୍ଛାଚାରୀ ତଥା କ୍ଷମତାଲୋଭୀ ଥିଲେ । ହୁଇଗ୍‍ ଦଳର ପ୍ରତିଷ୍ଠା ଏବଂ ବିଶେଷତଃ ପିଟ୍‍ଙ୍କର ପ୍ରଭାବରେ ସେ ସୁଖୀ ନଥିଲେ । ବ୍ୟକ୍ତିଗତ ଶାସନର ପ୍ରତିଷ୍ଠା ତାଙ୍କର ଲକ୍ଷ୍ୟ ଥିଲା । ଏହି ସମୟରେ ଫ୍ରାନ୍‌ସ ଭଳି ସ୍ପେନ୍‍ରେ ମଧ୍ୟ ବୋରବନ ରାଜବଂଶ ପ୍ରତିଷ୍ଠିତ ଥିଲେ । ଉଭୟ ଦେଶର ରାଜବଂଶ ସମ୍ପର୍କ ଯୋଗୁଁ ସ୍ପେନ୍‍ ଫ୍ରାନ୍‌ସର ସପକ୍ଷରେ ଯୁଦ୍ଧରେ ଯୋଗ ଦେବ ବୋଲି ପିଟ୍‍ ନିଶ୍ଚିତଭାବେ ଜାଣିଥିଲେ । ସ୍ପେନ୍‍ ଯୁଦ୍ଧ ଘୋଷଣା କରିବା ପୂର୍ବରୁ ଇଂଲଣ୍ଡ ସେ ଦେଶକୁ ଆକ୍ରମଣ କରିବାପାଇଁ ପିଟ୍‍ଙ୍କର ପ୍ରସ୍ତାବ ରାଜା କିମ୍ବା ପାର୍ଲିଆମେଣ୍ଟ୍‍ ଗ୍ରହଣ କଲେ ନାହିଁ । ଏହାଫଳରେ ପିଟ୍‍ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ-। ଏହାପରେ ସ୍ପେନ୍‍ ସତକୁସତ ଯୁଦ୍ଧରେ ଯୋଗ ଦେଲା ।

 

୧୭୬୩ ଖ୍ରୀ:ରେ ସପ୍ତବର୍ଷ ବ୍ୟାପୀ ଯୁଦ୍ଧର ଅବସାନ ହୋଇ ପ୍ୟାରିସ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହେଲା । ଇଂଲଣ୍ଡପାଇଁ ଏହା ଏକ ଗୌରବମୟ ଚୁକ୍ତି ଥିଲା । ସତ ମାତ୍ର ଏହି ସମୟରେ ପିଟ୍‍ କ୍ଷମତାରେ ଥିଲେ ଆହୁରି ଅଧିକ ସୁବିଧା ଇଂଲଣ୍ଡ ଲାଭ କରିଥାନ୍ତା । ଏହି ଯୁଦ୍ଧରେ ବିଜୟପାଇଁ ପିଟ୍‍ହିଁ ମୁଖ୍ୟତଃ ଦାୟୀ ଥିଲେ ।

 

୧୭୬୬ ଖ୍ରୀ:ରେ ପିଟ୍‍ ଦ୍ୱିତୀୟଥର ପାଇଁ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ହେଲେ ଏବଂ ସେହି ପଦରେ ସେ ୧୭୬୮ ଖ୍ରୀ: ପର୍ଯ୍ୟନ୍ତ ରହିଲେ । ମାତ୍ର ଏହି ସମୟରେ ତାଙ୍କର ସ୍ୱାସ୍ଥ୍ୟ ଆଦୌ ଭଲ ରହୁ ନଥିବାରୁ ସେ ବିଶେଷ କିଛି କାମ କରି ପାରୁ ନଥିଲେ । ଏହି କାରଣରୁ ସେ ୧୭୬୮ ଖ୍ରୀ:ରେ ମନ୍ତ୍ରୀ ପଦବୀରୁ ଇସ୍ତଫା ଦେଲେ । ଏହାପରେ ସେ ଲର୍ଡ଼ ସଭାର ଆଜୀବନ ସଦସ୍ୟରୂପେ ଲର୍ଡ଼ ଚାଥାମ ନାମରେ ବିଖ୍ୟାତ ହେଲେ ।

 

ମନ୍ତ୍ରିମଣ୍ଡଳରୁ ଅବସର ନେଲା ପରେ ପିଟ୍‍ ସରକାରର ଗଠନମୂଳକ ସମାଲୋଚନାରେ ବ୍ୟାପୃତ ରହିଲେ । ବିଶେଷତଃ ସେ ଇଂରେଜ ସରକାରଙ୍କ ଆମେରିକୀୟ ନୀତିର ବିରୋଧ କଲେ । ଆମେରିକାର ଔପନିବେଶିକ ବିଧାନସଭାକୁ କରଧାର୍ଯ୍ୟ ଅଧିକାର ଦେବାପାଇଁ ଏକ ବିଲ୍ ୧୭୭୫ ଖ୍ରୀ:ରେ ପିଟ୍‍ ପାର୍ଲିଆମେଣ୍ଟ୍‍ରେ ଉପସ୍ଥାପିତ କଲେ । ଏହା ଗୃହୀତ ହୋଇପାରିଥିଲେ ଇଂଲଣ୍ଡ ଓ ଆମେରିକା ମଧ୍ୟରେ ସମ୍ପର୍କର ଉନ୍ନତି ହୋଇପାରିଥାନ୍ତା ଏବଂ ଇଂଲଣ୍ଡକୁ ହୁଏତ ଉପନିବେଶମାନଙ୍କୁ ହରାଇବାକୁ ପଡ଼ି ନଥାନ୍ତା । ପିଟ୍‍ଙ୍କ ଏହି ବିଲ୍ ନାକଚ ହେବାପରେ ଇଂଲଣ୍ଡ ଓ ଆମେରିକା ମଧ୍ୟରେ ଯୁଦ୍ଧ ଅନିବାର୍ଯ୍ୟ ହେଲା । ଆମେରିକୀୟ ଯୁଦ୍ଧ ଚାଲିଥିବା ସମୟରେ ୧୭୮୮ ଖ୍ରୀ: ମେ ମାସ ୧୧ ତାରିଖ ଦିନ ପିଟ୍‍ ପ୍ରାଣତ୍ୟାଗ କଲେ ।

 

ଇଂଲଣ୍ଡର ଯୁଦ୍ଧ ମନ୍ତ୍ରୀମାନଙ୍କ ମଧ୍ୟରେ ପିଟ୍‍ ସର୍ବଶ୍ରେଷ୍ଠ ଥିଲେ । ତାଙ୍କର ଦେଶ ପ୍ରାଣତା ଅତୁଳନୀୟ ଥିଲା । ଇଂଲଣ୍ଡକୁ ସେ ବହୁତ ଭଲ ପାଉଥିଲେ ଏବଂ ସେହି ଦେଶ ଓ ଜାତିକୁ ମହତ୍ତର କରିବାପାଇଁ ସେ ଆତ୍ମନିୟୋଗ କରିଥିଲେ । ତାଙ୍କର ବାଗ୍ମିତା ଅସାଧାରଣ ଥିଲା । ସପ୍ତବର୍ଷ ବ୍ୟାପୀ ଯୁଦ୍ଧର ପ୍ରାରମ୍ଭରେ ଦେଶରେ ଯେତେବେଳେ ଭୟ ଓ ହତାଶର ବାୟୁମଣ୍ଡଳ ଥିଲା ସେହି ସମୟରେ ପିଟ୍‌ ଓଜସ୍ୱିନୀ ବକ୍ତୃତାରେ ଲୋକମାନଙ୍କୁ ଉଦ୍‌ବୁଦ୍ଧ କରାଇ ସେମାନଙ୍କ ମଧ୍ୟରେ ଏକ ନୂତନ ଜାଗରଣ ଆଣିପାରିଲେ । ବିଭିନ୍ନ ଦାୟିତ୍ୱ ଯୋଗ୍ୟତମ ବ୍ୟକ୍ତିଙ୍କୁ ବାଛିବାପାଇଁ ତାଙ୍କର ଅସାଧାରଣ ଶକ୍ତି ଥିଲା । ସେ ସେମାନଙ୍କୁ ଦେଶପ୍ରେମରେ ଅନୁପ୍ରାଣିତ କରାଇ ସେମାନଙ୍କର କର୍ମସ୍ଥଳୀକୁ ପ୍ରେରଣ କରୁଥିଲେ । ପିଟ୍‍ଙ୍କ ସହ ସାକ୍ଷାତ ପରେ ଯେକୌଣସି ବ୍ୟକ୍ତିର ସାହସ ଓ କର୍ମ ପ୍ରବଣତା ଯଥେଷ୍ଟ ବୃଦ୍ଧି ପାଉଥିଲା । ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱ ତଥା ନୈତିକ ଚରିତ୍ର ବଳରେ ସେ ସମସ୍ତଙ୍କୁ ସହଜରେ ପ୍ରଭାବିତ କରିପାରୁଥିଲେ । ପିଟ୍‍ ଦୁର୍ନୀତିର ବହୁ ଊର୍ଦ୍ଧ୍ୱରେ ଥିଲେ । ଦେଶରେ ଏକ ନିର୍ମଳ ଶାସନ ପ୍ରତିଷ୍ଠା ତାଙ୍କର ଲକ୍ଷ୍ୟ ଥିଲା । ଏହି କ୍ଷେତ୍ରରେ ସେ ୱାଲପୋଲଙ୍କର ଠିକ୍‌ ବିପରିତ ଥିଲେ । ୱାଲପୋଲ ଶାନ୍ତି କାଳୀନ ମନ୍ତ୍ରୀ ଏବଂ ପିଟ୍‍ ଯୁଦ୍ଧମନ୍ତ୍ରୀରୂପେ ପ୍ରଖ୍ୟାତ ହୋଇଛନ୍ତି । ଯୁଦ୍ଧ ପରିଚାଳନାରେ ୱାଲପୋଲ ବିଫଳ ହୋଇଥିଲେ, ମାତ୍ର ପିଟ୍‍ ଅପୂର୍ବ ସଫଳତା ଲାଭକରି ନିଜର ସାମରିକ ପ୍ରତିଭାର ପରିଚୟ ଦେଲେ । ପିଟ୍‍ଙ୍କର ଅସୀମ ଆତ୍ମବିଶ୍ୱାସ ଥିଲା । ସେ କହୁଥିଲେ, ମୁଁ ଜାଣେ ଯେ ମୁଁ କେବଳ ଏ ଦେଶକୁ ରକ୍ଷା କରି ପାରିବି; ମୋ ଛଡ଼ା କେହି ପାରିବେ ନାହିଁ ।

 

ପିଟ୍‍ଙ୍କର ଆତ୍ମାଭିମାନ ତାଙ୍କର ଏକ ଦୋଷ ଥିଲା । ସେ କାହାରିକୁ ଭୟ କିମ୍ବା ଭ୍ରୂକ୍ଷେପ କରୁ ନଥିଲେ । ସେ ଯାହା ଚାହୁଁଥିଲେ ତାହା କରୁଥିଲେ । ମନ୍ତ୍ରିମଣ୍ଡଳର ସହକର୍ମୀମାନଙ୍କ ସହ ମନ୍ତ୍ରଣା ନ କରି ସେ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରି ଯାଉଥିଲେ । ଯୁଦ୍ଧ ବିଭାଗ ସହିତ ପରାମର୍ଶ ନ କରି ସେ ଯୁଦ୍ଧାଭିଯାନର ଯୋଜନା ପ୍ରସ୍ତୁତ କରୁଥିଲେ; ନୌବିଭାଗର ଅଜ୍ଞାତରେ ଯୁଦ୍ଧଜାହାଜଗୁଡ଼ିକୁ ବିଭିନ୍ନ ଅଞ୍ଚଳକୁ ପଠାଉଥିଲେ, ଅର୍ଥ ବିଭାଗର ଆପତ୍ତି ସତ୍ତ୍ୱେ ବିଭିନ୍ନ ଯୋଜନାରେ ପ୍ରଚୁର ଅର୍ଥ ବ୍ୟୟ କରୁଥିଲେ । ବସ୍ତୁତଃ ପିଟ୍‍ ଏହି ସମୟରେ ଏକଛତ୍ରବାଦୀ ହୋଇ ପଡ଼ିଥିଲେ । ଦଳ ବା ସହକର୍ମୀମାନଙ୍କ ପ୍ରତି ତାଙ୍କର ବ୍ୟବହାର ଆଦୌ ଗଣତାନ୍ତ୍ରିକ ନଥିଲା । ରାଜାଙ୍କୁ ମଧ୍ୟ ସେ ଭ୍ରୂକ୍ଷେପ କରୁ ନଥିଲେ । ନିଜର ସମ୍ମାନ ଓ ପ୍ରତିଷ୍ଠାପାଇଁ ସେ ସର୍ବଦା ସଜାଗ ଥିଲେ । ଏଥିପାଇଁ ତାଙ୍କୁ କେତେକ ସମାଲୋଚକ ରଙ୍ଗମଞ୍ଚର ଅଭିନେତା ସହ ତୁଳନା କରନ୍ତି । ଏହା ସତ୍ତ୍ୱେ କେହି ପିଟ୍‍ଙ୍କର ବିରୋଧ ବା ପ୍ରତିବାଦ କରିବାକୁ ସାହସ କରୁ ନଥିଲେ । ତାଙ୍କର ସାଧୁତା, ଦେଶ ପ୍ରାଣତା ତଥା ବଳିଷ୍ଠ ବ୍ୟକ୍ତିତ୍ୱ ଯୋଗୁଁ ଲୋକେ ତାଙ୍କୁ ଭୟ ଓ ଭକ୍ତି କରୁଥିଲେ । ଇଂଲଣ୍ଡର ତତ୍କାଳୀନ ଘଡ଼ିସନ୍ଧି ସମୟରେ ଜଣେ ବଳିଷ୍ଠ ଓ ସୁଦକ୍ଷ ନେତାଙ୍କର ନିତାନ୍ତ ଆବଶ୍ୟକ ଥିଲା । ଇଂଲଣ୍ଡର ସୌଭାଗ୍ୟ ଯେ ସେ ଏହି ସମୟରେ ପିଟ୍‍ଙ୍କ ଭଳି ଜଣେ ଯୁଗଜନ୍ମା ପୁରୁଷଙ୍କୁ ପାଇପାରିଥିଲା ।

Image

 

ସପ୍ତଦଶ ଅଧ୍ୟାୟ

ତୃତୀୟ ଜର୍ଜ (ଖ୍ରୀ: ୧୭୬୦–୧୮୨୦)

 

୧୭୬୦ ଖ୍ରୀ: ଅକ୍ଟୋବର ମାସରେ ଦ୍ୱିତୀୟ ଜର୍ଜଙ୍କ ମୃତ୍ୟୁପରେ ତାଙ୍କର ପୌତ୍ର ତୃତୀୟ ଜର୍ଜ ନାମ ଧାରଣକରି ଇଂଲଣ୍ଡ ସିଂହାସନ ଆରୋହଣ କଲେ । ତୃତୀୟ ଜର୍ଜ ୧୭୩୮ ଖ୍ରୀ:ରେ ଲଣ୍ଡନ ନଗରୀରେ ଜନ୍ମଗ୍ରହଣ କରିଥିଲେ । ୧୭୫୧ ଖ୍ରୀ:ରେ ତାଙ୍କର ପିତା ଅର୍ଥାତ୍‌ ଦ୍ୱିତୀୟ ଜର୍ଜଙ୍କର ପୁତ୍ର ଫ୍ରେଡ଼େରିକ ପ୍ରାଣତ୍ୟାଗ କରିଥିବାରୁ ସେ ଇଂଲଣ୍ଡର ଯୁବରାଜରୂପେ ମନୋନୀତ ହୋଇଥିଲେ । ୧୭୬୦ ଖ୍ରୀ:ରୁ ୧୮୨୦ ଖ୍ରୀ: ପର୍ଯ୍ୟନ୍ତ ତୃତୀୟ ଜର୍ଜଙ୍କର ଦୀର୍ଘ ୬୦ ବର୍ଷ ରାଜତ୍ୱ କାଳ ଇଂଲଣ୍ଡ ଇତିହାସରେ ଦୀର୍ଘତମ ଅଟେ । ଏହା ସମୟ ମଧ୍ୟରେ ଇଂଲଣ୍ଡରେ ବହୁ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଯାଇଥିଲା, ବହୁ ଐତିହାସିକ ଯୁଦ୍ଧ ସଂଘଟିତ ହୋଇଥିଲା । ସେହି ଦେଶ ବହୁ ଉତ୍‌ଥାନ–ପତନ–ମଧ୍ୟ ଦେଇ ଗତି କରି ଏବଂ ବହୁ ବାଧାବିଘ୍ନର ସମ୍ମୁଖୀନ ହୋଇ ପରିଶେଷରେ ଅଧିକ ଶକ୍ତିଶାଳୀ ତଥା ସମୃଦ୍ଧିଶାଳୀ ରାଷ୍ଟ୍ରରେ ପରିଣତ ହେଲା । ତେଣୁ ତୃତୀୟ ଜର୍ଜଙ୍କ ରାଜତ୍ୱ ଐତିହାସିକ ଦୃଷ୍ଟିକୋଣରୁ ଅତି ଗୁରୁତ୍ୱପୂର୍ଣ୍ଣ ଯୁଗ ଅଟେ ।

 

ତୃତୀୟ ଜର୍ଜଙ୍କ ଚାରିତ୍ରିକ ବୈଶିଷ୍ଟ୍ୟ:–ହାନୋଭର ବଂଶର ପ୍ରଥମ ଦୁଇଜଣ ରାଜାଙ୍କର ଇଂଲଣ୍ଡ ଦେଶପ୍ରତି ମମତା ନଥିଲା । ଇଂରାଜୀ ଭାଷାରେ ସେମାନଙ୍କର ଜ୍ଞାନ ନଥିଲା ଏବଂ ଇଂଲଣ୍ଡର ରାଜନୀତି ପ୍ରତି ସେମାନେ ଆକୃଷ୍ଟ ନଥିଲେ । ମାତ୍ର ତୃତୀୟ ଜର୍ଜଙ୍କର ମାତୃଭୂମି ଥିଲେ ଇଂଲଣ୍ଡ । ସେ ଇଂଲଣ୍ଡରେ ଜନ୍ମଗ୍ରହଣ କରି ସେ ଦେଶରେ ଶିକ୍ଷା ଲାଭ କରିଥିଲେ । ତାଙ୍କପାଇଁ ହାନୋଭର ଥିଲା ଏକ ବିଦେଶୀ ରାଷ୍ଟ୍ର । ସେ ଜୀବନରେ କେବେ ହାନୋଭର ପରିଦର୍ଶନରେ ଯାଇ ନଥିଲେ କିମ୍ବା ଜର୍ମାନ ଭାଷା ଶିକ୍ଷା କରି ନଥିଲେ । ଅଭିଷେକ ଉତ୍ସବରେ ଅବସରରେ ପାର୍ଲିଆମେଣ୍ଟ୍‍କୁ ତାଙ୍କର ପ୍ରଥମ ବାର୍ତ୍ତା ପଠାଇ ସେ କହିଥିଲେ, ‘ଇଂଲଣ୍ଡର ନାମରେ ମୁଁ ଗୌରବ ଅନୁଭବ କରେଁ ।’’

 

ତୃତୀୟ ଜର୍ଜଙ୍କ ବ୍ୟକ୍ତିଗତ ଶାସନ ପ୍ରତିଷ୍ଠା :–ତୃତୀୟ ଜର୍ଜଙ୍କ ସିଂହାସନ ଆରୋହଣ ସମୟରେ ଦେଶର ଶାସନ–ତୋରୀ ମନ୍ତ୍ରିମଣ୍ଡଳ ହାତରେ ଥିଲା । ରାଜା ନାମକୁ ମାତ୍ର ଶାସନର ମୁଖ୍ୟ ଥିଲେ । ତୃତୀୟ ଜର୍ଜ ଉଚ୍ଚାଭିଳାଶୀ ତଥା କ୍ଷମତାଲୋଭୀ ଥିଲେ । ତାଙ୍କର ଜର୍ମାନୀ ଜନନୀ ଅଗଷ୍ଟ ତଥା ଗୃହଶିକ୍ଷକ ବ୍ୟୁଟ ବାଲ୍ୟକାଳରୁ ତାଙ୍କୁ ଏ ଦିଗରେ ପ୍ରଭାବିତ କରିଥିଲେ । ସେଥିପାଇଁ ତାଙ୍କୁ ସାଧାରଣ ଲୋକଙ୍କ ସାଙ୍ଗରେ ମିଶିବାକୁ ଦିଆଯାଉ ନଥିଲା । ଅଗଷ୍ଟାଙ୍କର ଏକାନ୍ତ ଇଚ୍ଛାଥିଲା ଯେ ତାଙ୍କ ପୁତ୍ର କାର୍ଯ୍ୟତଃ ରାଜା ହୁଅନ୍ତୁ । ତେଣୁ ସେ ତାଙ୍କ ଅନେକ ସମୟରେ ଉପଦେଶ ଦେଇ କହୁଥିଲେ, ‘‘ଜର୍ଜ ! ତୁମେ ପ୍ରକୃତ ରାଜା ହୁଅ ।’’ ବ୍ୟୁଟ ସ୍କଟ୍‍ଲାଣ୍ଡ୍‍ର ଜଣେ ଟୋରୀ ନେତା ଥିଲେ । ତତ୍କାଳୀନ ହୁଇଗ୍‍ ମନ୍ତ୍ରିମଣ୍ତଳର ରାଜନୈତିକ କ୍ଷମତାକୁ ରାଜା ନିଜ ହାତକୁ ନିଅନ୍ତୁ ବୋଲି ସେ ଚାହୁଁଥିଲେ । ସେଥିପାଇଁ ସେ ଜର୍ଜଙ୍କୁ ପ୍ରଭାବିତ କରିଥିଲେ ।

 

ଟୋରୀ ନେତା ବୋଲିଙ୍ଗବ୍ରୋକଙ୍କ ରଚିତ ‘‘ଦେଶପ୍ରାଣ ରାଜା’’ ବା ‘ପେଟ୍ରିଅଟ କିଙ୍ଗ’ ନାମକ ପୁସ୍ତକ ତୃତୀୟ ଜର୍ଜଙ୍କଦ୍ୱାରା ବିଶେଷ ଅଦୃତ ହୋଇଥିଲା । ତଦ୍ଦ୍ୱାରା ସେ ପ୍ରଭାବିତ ହୋଇଥିଲେ । ଉକ୍ତ ପୁସ୍ତକରେ ବୋଲିଙ୍ଗବ୍ରୋକ୍‌ ହୁଇଗ୍‍ ଗୋଷ୍ଠୀତନ୍ତ୍ରର ତୀବ୍ର ସମାଲୋଚନା କରି ଆଶା ପ୍ରକାଶ କରିଥିଲେ ଯେ ଏପରି ଏକ ସମୟ ଆସିବ ଯେତେବେଳେ ଜଣେ ଦେଶପ୍ରାଣ ରାଜା ଇଂଲଣ୍ତକୁ ଶାସନ କରିବେ; ସେ ଦଳୀୟ ରାଜନୀତିର ଊର୍ଦ୍ଧ୍ୱରେ ରହିବେ; ମନ୍ତ୍ରିମଣ୍ତଳର ନିଯୁକ୍ତି ତାଙ୍କ ହାତରେ ରହିବ ଏବଂ ସେଥିପାଇଁ ସେ କୌଣସି ଦଳ ଉପରେ ନିର୍ଭର ନ କରି ଆପଣାର ବିଶ୍ୱସ୍ତ ଲୋକଙ୍କୁ ମନୋନୀତ କରିବେ । ଉକ୍ତ ରାଜା ଲୋକଙ୍କର ପ୍ରତ୍ୟେକ୍ଷ ସଂସର୍ଗରେ ଆସି ସେମାନଙ୍କର ନେତୃତ୍ୱ ଗ୍ରହଣ କରିବେ । ବୋଲିଙ୍ଗବ୍ରୋକଙ୍କ ଏହି ଭବିଷ୍ୟତ ବାଣୀ ଜର୍ଜଙ୍କୁ ପ୍ରଭାବିତ କଲା ଏବଂ ସେ ଜଣେ ଦେଶପ୍ରାଣ ରାଜା ହେବାପାଇଁ ସ୍ଥିର ନିଶ୍ଚୟ ହେଲେ । ଆଇନ ଦୃଷ୍ଟିରୁ ଏହି ସମୟରେ ମନ୍ତ୍ରିମଣ୍ତଳର ଅସ୍ତିତ୍ୱ ନଥିଲା ବୋଲି ବ୍ଳେକ ଷ୍ଟୋନ ତାଙ୍କର କମେଣ୍ଟରିଜ ପୁସ୍ତକରେ ପ୍ରତିପାଦିତ କଲେ ଏବଂ ତାହା ତୃତୀୟ ଜର୍ଜଙ୍କର ରାଜନୈତିକ ସଂକଳ୍ପକୁ ଦୃଢ଼ କଲା ।

 

ତୃତୀୟ ଜର୍ଜ ହୁଇଗ୍‍ ଗୋଷ୍ଠୀତନ୍ତ୍ରର କ୍ଷମତାକୁ ବିନାଶ କରି ବ୍ୟକ୍ତିଗତ ଶାସନର ପ୍ରତିଷ୍ଠାପାଇଁ ଦୃଢ଼ପରିକର ଥିଲେ । ଅବଶ୍ୟ ଏକଛତ୍ର ଶାସନ ତାଙ୍କର ଲକ୍ଷ୍ୟ ନଥିଲା । ୧୬୮୯ ଖ୍ରୀ:ର ‘ଅଧିକାର ଆଇନ’ରେ ତଥା ୧୭୦୧ ଖ୍ରୀ:ର ବନ୍ଦୋବସ୍ତ ଆଇନରେ ରାଜାଙ୍କର କ୍ଷମତାକୁ ସୀମିତ କରିବାପାଇଁ ସ୍ଥିରୀକୃତ ହୋଇଥିବା ନିୟମକୁ ସେ ସ୍ୱୀକାର କରିଥିଲେ । ଇଂଲଣ୍ତର ପରମ୍ପରାକୁ ସମ୍ମାନ ଦେବାପାଇଁ ସେ ପ୍ରସ୍ତୁତ ଥିଲେ । ଏପରିକି ମନ୍ତ୍ରିମଣ୍ତଳ ବୈଠକରେ ମଧ୍ୟ ସେ ଯୋଗଦାନ କଲେ ନାହିଁ । ମାତ୍ର ପ୍ରଥମ ଜର୍ଜ ତଥା ଦ୍ୱିତୀୟ ଜର୍ଜଙ୍କର ଇଂରେଜୀ ଭାଷାରେ ଅନଭିଜ୍ଞତା, ଶାସନରେ ଅପାରଗତା ଓ ନିଶ୍ଚେଷ୍ଟତାର ସୁଯୋଗ ନେଇ ହୁଇଗ୍‍ ଦଳ ଯେଉଁସବୁ ରାଜକୀୟ ଅଧିକାର ଉପଭୋଗ କରୁଥିଲେ ତୃତୀୟ ଜର୍ଜ ତାହାର ପୁନରୁଦ୍ଧାର ପାଇଁ ଉଦ୍ୟମ କଲେ । ଶାସନର ନେତୃତ୍ୱ ନେଇ ପାରିବେ ବୋଲି ତାଙ୍କର ଗଭୀର ଆତ୍ମବିଶ୍ୱାସ ଥିଲା । ସେ ମନେ କଲେ ଯେ ଯଦି ହୁଇଗ୍‍ ନେତାଗଣ ପାରିତୋଷିକ ଓ ରାଜକୀୟ ପୃଷ୍ଠପୋଷକତା ଅର୍ପଣ କରି ପାର୍ଲିଆମେଣ୍ଟ୍‍କୁ ଆୟତ୍ତ କରିପାରିଛନ୍ତି, ସେ ସେହି ଅଧିକାର ହାତକୁ ନେଇ ଲୋକ ପ୍ରତିନିଧି ଗୃହର ନେତୃତ୍ୱ ନେଇ ପାରିବେ । ଏଥିପାଇଁ ହୁଇଗ୍‍ ଦଳ ଯେଉଁ ଦୁର୍ନୀତି ଓ ଅସତ୍‌ ପନ୍ଥାର ଆଶ୍ରୟ ନେଇଥିଲେ, ସେହି ପନ୍ଥା ଅବଲମ୍ୱନ ପାଇଁ ତୃତୀୟ ଜର୍ଜ ପ୍ରସ୍ତୁତ ଥିଲେ । ଏ ସମ୍ପର୍କରେ ସେ ଦୁଇଧାର ବିଶିଷ୍ଟ ଅସ୍ତ୍ର ପ୍ରୟୋଗ କଲେ । ପ୍ରଥମତଃ ସେ ହୁଇଗ୍‍ ଦଳ ମଧ୍ୟରେ ବିଭେଦ ସୃଷ୍ଟିକରି ସେମାନଙ୍କୁ ଦୁର୍ବଳ କରିଦେଲେ ଏବଂ ଦ୍ୱିତୀୟତଃ ସେ ପାର୍ଲିଆମେଣ୍ଟ୍‍ରେ ଏକ ବିଶ୍ୱସ୍ତ ଅନୁଚର ଦଳ ଗଠନ କଲେ । ଯେଉଁମାନେ ‘ରାଜାଙ୍କର ବନ୍ଧୁ’ ନାମରେ ଅଭିହିତ ହେଲେ । ଉକ୍ତ ଆଜ୍ଞାବହ ଦଳକୁ କ୍ଷମତାସୀନ କରି ବ୍ୟକ୍ତିଗତ ଶାସନର ପ୍ରତିଷ୍ଠା ତୃତୀୟ ଜର୍ଜଙ୍କର ଲକ୍ଷ୍ୟ ଥିଲା ।

 

ତୃତୀୟ ଜର୍ଜଙ୍କର ସିଂହାସନ ଆରୋହଣ ସମୟରେ ସପ୍ତବର୍ଷବ୍ୟାପୀ ଯୁଦ୍ଧ ଚାଲିଥିଲା ଏବଂ ଇଂଲଣ୍ତ ପିଟ୍‍ଙ୍କ ନେତୃତ୍ୱରେ ବିଜୟ ପଥରେ ଅଗ୍ରସର ହେଉଥିଲା । ପିଟ୍‍ ସେହି ସମୟରେ ଲୋକପ୍ରିୟ ତଥା ଶକ୍ତିଶାଳୀ ଥିଲେ । ତେଣୁ ଯଦ୍ୟପି ତୃତୀୟ ଜର୍ଜ ପିଟ୍‍ଙ୍କର ପ୍ରଭାବରେ ସୁଖୀ ନଥିଲେ, ତଥାପି ସେ ତାଙ୍କୁ କ୍ଷମତାରୁ ହଠାତ୍ ବହିଷ୍କାର କରି ପାରିଲେ ନାହିଁ । ୧୭୬୧ ଖ୍ରୀ:ରେ ପିଟ୍‍ ସ୍ପେନ୍‍ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବାପାଇଁ ପ୍ରସ୍ତାବ ଦେଲେ । ତୃତୀୟ ଜର୍ଜ ତାହାହିଁ ଚାହୁଁଥିଲେ । ଏହାର ମାତ୍ର ଛଅମାସ ପରେ ନ୍ୟୁକେସଲ ମଧ୍ୟ ମନ୍ତ୍ରିମଣ୍ତଳରୁ ବିଦାୟ ନେଲେ । ରାଜା ଏହି ସୁଯୋଗରେ ନିଜର ଗୃହଶିକ୍ଷକ ବ୍ୟୁଟଙ୍କୁ ମନ୍ତ୍ରିମଣ୍ତଳର ନେତୃତ୍ୱ ନେବାପାଇଁ ଆହ୍ୱାନ କଲେ । ବ୍ୟୁଟ ୧୭୬୩ ଖ୍ରୀ:ରେ ପ୍ରଧାନମନ୍ତ୍ରୀ ହେଲେ ଏବଂ ସେହି ବର୍ଷ ଯୁଦ୍ଧର ଅବସାନ ହୋଇ ପ୍ୟାରିସ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହେଲା । ରାଜା ଜାଣିଥିଲେ ଯେ ଯୁଦ୍ଧ ଚାଲିଥିବା ପର୍ଯ୍ୟନ୍ତ ହୁଇଗ୍‍ ଦଳକୁ କ୍ଷମତାଚ୍ୟୁତ କରିବା ସହଜ ନୁହେଁ । ତେଣୁ ସେ ସପ୍ତବର୍ଷ ବ୍ୟାପୀ ଯୁଦ୍ଧର ତୁରନ୍ତ ଅବସାନ କରାଇଲେ । ଫଳରେ ବିଜୟୀ ଇଂଲଣ୍ତ ଯେତିକି ସୁବିଧା ପାଇବାପାଇଁ ଆଶା କରିଥିଲା, ଏକ ତରବରିଆ ସନ୍ଧି ଚୁକ୍ତିଫଳରେ ସେତିକି ପାଇ ପାରିଲା ନାହିଁ । ଲୋକ ଏଥିପାଇଁ ବ୍ୟୁଟଙ୍କୁ ଦାୟୀ କଲେ । ଇତିମଧ୍ୟରେ ବ୍ୟୁଟ ଶାସନରେ ଅପାରଗତା ଯୋଗୁଁ ଅପ୍ରିୟ ହୋଇ ପଡ଼ିଥିଲେ । ତାଙ୍କର ଦୁର୍ନୀତି ଓ ଅସତ୍‌ପନ୍ଥା ସକାଶେ ଲୋକେ ତାଙ୍କୁ ନିନ୍ଦା କରୁଥିଲେ । ରାଜମାତା ଅଗଷ୍ଟାଙ୍କ ସହିତ ବ୍ୟୁଟଙ୍କର ଅବୈଧ ସମ୍ପର୍କ ଥିବା କଥା ସନ୍ଦେହ କରାଯାଉଥିଲା । ଏହି ସବୁ କାରଣରୁ ଲୋକେ ତାଙ୍କୁ ଆଦୌ ଚାହୁଁ ନଥିଲେ । ଜନମତର ଚାପରେ ବ୍ୟୁଟ ମନ୍ତ୍ରିମଣ୍ତଳରୁ ଅବ୍ୟାହତି ନେଲେ ।

 

ଏହାପରେ ତୃତୀୟ ଜର୍ଜ ଉପଲବ୍ଧି କଲେ ଯେ ହୁଇଗ୍‍ମାନଙ୍କୁ କ୍ଷମତାରୁ ହଠାତ୍‌ ଅପସାରଣ କରିବା ଉଚିତ ନୁହେଁ । ତେଣୁ ସେ ଜଣେ ହୁଇଗ୍‍ ନେତାଙ୍କୁ ପ୍ରଧାନମନ୍ତ୍ରୀରୂପେ ନିଯୁକ୍ତ କରି ଆପଣାର ଅନୁଚର ବା ବନ୍ଧୁ ଦଳରୁ କେତେକଙ୍କୁ ମନ୍ତ୍ରିମଣ୍ତଳରେ ଗ୍ରହଣ କରାଇବା ପାଇଁ ତାଙ୍କୁ ରାଜି କରାଇଲେ । ଏତଦ୍ୱାରା ରାଜା ତାଙ୍କର ପ୍ରିୟ ଲୋକମାନଙ୍କୁ ଶାସନ କ୍ଷେତ୍ରରେ ତାଲିମ ଦେଲେ । ମନ୍ତ୍ରିମଣ୍ତଳର ନେତୃତ୍ୱରେ ଦ୍ରୁତ ପରିବର୍ତ୍ତନ କରି ସେ ହୁଇଗ୍‍ ଦଳ ମଧ୍ୟରେ ବିଭେଦ ସୃଷ୍ଟିକଲେ । ବ୍ୟୁଟଙ୍କ ପରେ ଜର୍ଜ ଗ୍ରେନିଭିଲ (୧୭୬୩–୧୭୬୫), ଲର୍ଡ଼ ରକିଙ୍ଗହାମ (୧୭୬୫–୧୭୬୬), ପୂର୍ବଜ ପିଟ୍‍ ବା ଲର୍ଡ଼ ଚାଥାମ (୧୭୬୬–୧୭୬୮), ଓ ଡ୍ୟୁକ୍‌ ଅଫ୍‌ ଗ୍ରାଫଟନ୍‌ (୧୭୬୮–୧୭୭୦) ଯଥାକ୍ରମେ ଇଂଲଣ୍ତର ପ୍ରଧାନମନ୍ତ୍ରୀ ହେଲେ । ଏମାନେ ପୂର୍ବ ପରମ୍ପରା ଅନୁସାରେ ପାରିତୋଷିକ ଓ ପୃଷ୍ଠପୋଷକତାଦ୍ୱାରା ପାର୍ଲିଆମେଣ୍ଟ୍‍କୁ ଆୟତ୍ତ କରିବା ସକାଶେ ଉଦ୍ୟମ କଲେ । ମାତ୍ର ସେ ଦିଗରେ ସଫଳ ହେବା ପୂର୍ବରୁ ରାଜା ସେମାନଙ୍କୁ କ୍ଷମତାରୁ ଅନ୍ତର କରି ଦେଉଥିଲେ । ତେଣୁ ପାର୍ଲିଆମେଣ୍ଟ୍‍ ସଦସ୍ୟଙ୍କର କ୍ରମେ ଧାରଣା ହେଲା ଯେ ନେତାଙ୍କ ଉପରେ ନିର୍ଭର କରିବା ଅପେକ୍ଷା ରାଜାଙ୍କ ଉପରେ ନିର୍ଭର କରିବା ଅଧିକ ଫଳପ୍ରଦ ଅଟେ । ଫଳରେ ରାଜା ପାର୍ଲିଆମେଣ୍ଟ୍‍ରେ ଅଧିକରୁ ଅଧିକତର ସମର୍ଥନ ଲାଭକରି ଶକ୍ତିଶାଳୀ ହୋଇ ଉଠିଲେ । ଇତିମଧ୍ୟରେ ପୂର୍ବଜ ପିଟ୍‍ ଦୁର୍ବଳ ସ୍ୱାସ୍ଥ୍ୟ ଯୋଗୁଁ ରାଜନୀତିରୁ ଅବସର ନେଲେ । ପିଟ୍‍ ଥିଲେ ହୁଇଗ୍‍ ଦଳର ସର୍ବଶ୍ରେଷ୍ଠ ଶକ୍ତିଶାଳୀ ନେତା । ତାଙ୍କର ଏତାଦୃଶ ନିଷ୍ପତ୍ତି ରାଜା ତୃତୀୟ ଜର୍ଜଙ୍କର ବ୍ୟକ୍ତିଗତ ଶାସନ ପ୍ରତିଷ୍ଠାର ଅନୁକୂଳ ହେଲା ।

 

ଗ୍ରାଫଟନଙ୍କ ପରେ ୧୭୭୦ ଖ୍ରୀ:ରେ ଲର୍ଡ଼ ନର୍ଥ ଇଂଲଣ୍ତରେ ପ୍ରଧାନମନ୍ତ୍ରୀ ହେଲେ । ସେ ରାଜାଙ୍କ ‘ବନ୍ଧୁଦଳ’ର ନେତା ଥିଲେ ଏବଂ ଉକ୍ତ ଦଳର ସଦସ୍ୟଙ୍କୁ ନେଇ ମନ୍ତ୍ରିମଣ୍ତଳ ଗଠନ କଲେ । ତେଣୁ ଏହି ମନ୍ତ୍ରିମଣ୍ତଳ ରାଜାଙ୍କର ସମ୍ପୂର୍ଣ୍ଣ ଅନୁଗତ ହୋଇ ରହିଲା । ଏହି ସମୟରେ ରାଜା ଯାହା ଇଚ୍ଛା ତାହା କରିପାରିଲେ । ହୁଇଗ୍‍ ଦଳ ଅନୁରୂପ ସେ ପ୍ରିୟାପ୍ରୀତିତୋଷଣ ନୀତି ଅବଲମ୍ୱନ କରି ପାର୍ଲିଆମେଣ୍ଟ୍‍ରେ ନିଜର ସ୍ଥିତିକୁ ସୁଦୃଢ଼ କରିନେଲେ ।

 

ଲର୍ଡ଼ ନର୍ଥଙ୍କ ମନ୍ତ୍ରିମଣ୍ତଳ ୧୭୮୨ ଖ୍ରୀ: ପର୍ଯ୍ୟନ୍ତ ବାରବର୍ଷ କାଳ ସ୍ଥାୟୀ ହୋଇଥିଲା । ରାଜାଙ୍କର ବ୍ୟକ୍ତିଗତ ଶାସନ ଦୀର୍ଘକାଳ ଯାଏଁ ବିନା ବାଧାବିଘ୍ନରେ ଚାଲିଲା । ମାତ୍ର ପରେ ଇଉଲକସ ବର୍କ ଚାଥାମ, ଶେଲବର୍ଣ୍ଣ ପ୍ରଭୃତି ରାଜନୈତିକ ନେତା ସେମାନଙ୍କର ଲେଖନୀ ତଥା ଓଜସ୍ୱିନୀ ବକ୍ତୃତାରେ ରାଜାଙ୍କର ଏକଛତ୍ରବାଦର ବିରୋଧ କଲେ । ଏହି ସମୟରେ ଆମେରିକାର ଔପନିବେଶିକ ସମସ୍ୟା ରାଜାଙ୍କର ବ୍ୟକ୍ତିଗତ ଶାସନରେ ଦାରୁଣ ଆଘାତ ଦେଲା । ଏହି ସମସ୍ୟା ଜାତ ହୋଇ ନଥିଲେ ତୃତୀୟ ଜର୍ଜ ସମ୍ଭବତଃ ଆହୁରି ଅଧିକ କାଳ ଶକ୍ତିଶାଳୀ ହୋଇ ରହିଥାନ୍ତେ । ସେ ଯାହା ହେଉ, ଇଂଲଣ୍ତର ଅଧୀନରେ ଥିବା ତେରଗୋଟିଯାକ ଉପନିବେଶ ସ୍ୱାୟତ୍ତ ଶାସନ ଦାବି କରି ଏହି ସମୟରେ ବିଦ୍ରୋହ କଲେ । ଔପନିବେଶିକମାନଙ୍କର କେତେକ ଦାବି ସରକାର ମାନି ନେଇ ପାରିଥିଲେ ସମସ୍ୟାର ସମାଧାନ ହୋଇପାରିଥାନ୍ତା । ତତ୍କାଳୀନ ଇଂଲଣ୍ତର ଅନେକ ପ୍ରବୀଣ ରାଜନୀତିଜ୍ଞଙ୍କର ମଧ୍ୟ ଏହା ମତ ଥିଲା । ମାତ୍ର ତୃତୀୟ ଜର୍ଜ କାହାରି କଥା ଶୁଣିଲେ ନାହିଁ ଏବଂ ଆପଣା ମତରେ ଅଟଳ ରହିଲେ । ଫଳରେ ଇଂଲଣ୍ତ ଓ ଆମେରିକା ମଧ୍ୟରେ ଯୁଦ୍ଧ ଅନିବାର୍ଯ୍ୟ ହେଲା । ଏହି ଯୁଦ୍ଧରେ ତୃତୀୟ ଜର୍ଜ ଇଂଲଣ୍ତବାସୀଙ୍କର ପୂର୍ଣ୍ଣ ସମର୍ଥନ ପାଇପାରିଲେ ନାହିଁ । ଫ୍ରାନ୍‌ସ, ସ୍ପେନ୍‍ ପ୍ରଭୃତି ଇଂଲଣ୍ତର ଶତ୍ରୁ ରାଜ୍ୟ ଏହି ସୁଯୋଗରେ ଆମେରିକା ସପକ୍ଷରେ ଯୋଗ ଦେଲେ । ସୁତରାଂ ଇଂଲଣ୍ତକୁ ଆମେରିକା ତଥା ଇଉରୋପର ବିଭିନ୍ନ ରାଜ୍ୟ ସହ ଯୁଦ୍ଧ କରିବାକୁ ପଡ଼ିଲା । ଇଂଲଣ୍ତର କୌଣସି ସେନାପତି ଆମେରିକାର ସୁପ୍ରସିଦ୍ଧ ସେନାଧ୍ୟକ୍ଷ ଜର୍ଜ ଓ୍ୱାଶିଂଟନଙ୍କର ସମକକ୍ଷ ନଥିଲେ । ଓ୍ୱାଶିଂଟନଙ୍କ ନେତୃତ୍ୱରେ ଔପନିବେଶିକମାନେ ବିଜୟ ଲାଭ କଲେ । ଇଂରେଜ ସେନାପତି କର୍ଣ୍ଣ ଓ୍ୱାଲିସ ୟର୍କଟାଉନଠାରେ ଶୋଚନୀୟଭାବେ ପରାସ୍ତ ହୋଇ ଆତ୍ମସମର୍ପଣ କଲେ । ୧୭୮୨ ଖ୍ରୀ:ର ପ୍ରାରମ୍ଭରେ ଏହି ସମ୍ୱାଦ ଇଂଲଣ୍ତରେ ପହଞ୍ଚି ଚାଞ୍ଚଲ୍ୟ ସୃଷ୍ଟିକଲା । ରାଜା ତୃତୀୟ ଜର୍ଜ ଏବଂ ତାଙ୍କ ମନ୍ତ୍ରୀ ଲର୍ଡ଼ ନର୍ଥଙ୍କୁ ଏହି ବିପର୍ଯ୍ୟୟ ପାଇଁ ଦାୟୀ କରାଗଲା । ଡନିଙ୍ଗ ନାମକ ଜଣେ ସଦସ୍ୟ ପାର୍ଲିଆମେଣ୍ଟ୍‍ରେ ଏକ ପ୍ରସ୍ତାବ ଆଗତ କଲେ ଯେ, ‘‘ରାଜାଙ୍କର କ୍ଷମତା ବୃଦ୍ଧି ପାଇଅଛି, ବୃଦ୍ଧି ପାଉଅଛି ଏବଂ ତାହା ହ୍ରାସ ପାଇବା ଆବଶ୍ୟକ ଅଟେ ।’’ ଉକ୍ତ ପ୍ରସ୍ତାବ ବହୁ ଅଧିକ ଭୋଟରେ କମନ୍‌ସ–ସଭାରେ ଗୃହୀତ ହେଲା ଏବଂ ପ୍ରଧାନମନ୍ତ୍ରୀ ଲର୍ଡ଼ ନର୍ଥ ବାଧ୍ୟହୋଇ ୧୭୮୨ ଖ୍ରୀ: ମାର୍ଚ୍ଚ ୨୦ ତାରିଖରେ ମନ୍ତ୍ରୀପଦରୁ ଇସ୍ତଫା ଦେଲେ ।

 

ଲର୍ଡ଼ ନର୍ଥଙ୍କ ପରେ ହୁଇଗ୍‍ ନେତା ରକିଙ୍ଗହାମ ଦ୍ୱିତୀୟ ଥରପାଇଁ ପ୍ରଧାନମନ୍ତ୍ରୀରୂପେ ନିଯୁକ୍ତ ହେଲେ । ମାତ୍ର ଅଳ୍ପକାଳ ପରେ ତାଙ୍କର ମୃତ୍ୟୁ ହେଲା ଏବଂ ଶେଲବର୍ଣ୍ଣ ନୂତନ ମନ୍ତ୍ରିମଣ୍ତଳ ଗଠନ କଲେ । ସେ ମଧ୍ୟ ଅଳ୍ପକାଳ ପରେ କ୍ଷମତାରୁ ବିଦାୟ ନେଲେ । ତଦନନ୍ତର ଜେମ୍‍ସ୍‌ ଫକ୍‌ସ ଏବଂ ଲର୍ଡ଼ ନର୍ଥଙ୍କର ମିଳିତ ମନ୍ତ୍ରିମଣ୍ତଳ ୧୭୮୩ ଖ୍ରୀ:ରେ ଗଠିତ ହେଲା । ତୃତୀୟ ଜର୍ଜ ଫକ୍‌ସଙ୍କୁ ଆଦୌ ଭଲ ପାଉ ନଥିଲେ । ତେଣୁ ସେ ତାଙ୍କୁ କ୍ଷମତାରୁ ବହିଷ୍କାର କରିବାପାଇଁ ଉଦ୍ୟମ କଲେ । ଏହି ସମୟରେ ଫକ୍‌ସଙ୍କର ଭାରତ ଆଇନ କମନ୍‌ସ ସଭାରେ ଅନୁମୋଦିତ ହେଲା । ମାତ୍ର ରାଜା ତୃତୀୟ ଜର୍ଜଙ୍କର ହସ୍ତକ୍ଷେପଫଳରେ ଲର୍ଡ଼ସଭା ତାହା ପ୍ରତ୍ୟାଖ୍ୟାନ କଲା । ସୁତରାଂ ଫକ୍‌ସ ମନ୍ତ୍ରିମଣ୍ତଳରୁ ଅବ୍ୟାହତି ନେଲେ । ଏହାପରେ ପୂର୍ବଜ ପିଟ୍‍ଙ୍କର ଦ୍ୱିତୀୟ ପୁତ୍ର ତରୁଣ ପିଟ୍‍ ପ୍ରଧାନମନ୍ତ୍ରୀରୂପେ ନିଯୁକ୍ତ ହେଲେ । ସେହି ସମୟରେ ତାଙ୍କର ବୟସ ୨୫ରୁ ମଧ୍ୟ କମ୍ ଥିଲା । ତେଣୁ ସମସ୍ତେ ମନେ କରୁଥିଲେ ଯେ ଅନଭିଜ୍ଞ ପିଟ୍‍ଙ୍କର ମନ୍ତ୍ରିମଣ୍ତଳ ବେଶୀଦିନ ପର୍ଯ୍ୟନ୍ତ ତିଷ୍ଠି ପାରିବ ନାହିଁ । ମାତ୍ର ପିଟ୍‍ ଦୀର୍ଘ ୨୨ ବର୍ଷ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଦକ୍ଷତାର ସହ ତୁଲାଇ ଇଂଲଣ୍ତ ଇତିହାସରେ ଗୌରବମୟ ସ୍ଥାନ ଅଧିକାର କଲେ ।

 

ତରୁଣ ପିଟ୍‍ ତୃତୀୟ ଜର୍ଜଙ୍କଦ୍ୱାରା ମନୋନୀତ ହୋଇଥିଲେ ଏବଂ ସେ ରାଜାଙ୍କ ପ୍ରିୟପାତ୍ର ଥିଲେ । ଜନନେତା ପୂର୍ବଜ ପିଟ୍‍ଙ୍କର ପୁତ୍ରରୂପେ ସେ ଜନସାଧାରଣଙ୍କ ମଧ୍ୟ ପ୍ରିୟଥିଲେ । ତାଙ୍କ ଅସାଧାରଣ ପ୍ରତିଭା ବଳରେ ସେ ଅଳ୍ପ ବୟସରେ ଶକ୍ତିଶାଳୀ ହୋଇ ଉଠିଲେ । ତାଙ୍କ ବଳିଷ୍ଠ ନେତୃତ୍ୱରେ ମନ୍ତ୍ରିମଣ୍ତଳ ସୁଦୃଢ଼ ତଥା ସଂଗଠିତ ହେଲା । ଫଳରେ ତୃତୀୟ ଜର୍ଜଙ୍କର ବ୍ୟକ୍ତିଗତ ଶାସନର ଅବସାନ ହେଲା ଏବଂ ଇଂଲଣ୍ତରେ ଗଣତନ୍ତ୍ର ସୁରକ୍ଷିତ ହେଲା ।

 

ତୃତୀୟ ଜର୍ଜଙ୍କର ବ୍ୟକ୍ତିଗତ ଶାସନର କେତେକ ଫଳାଫଳ ଇଂଲଣ୍ତକୁ ଭୋଗ କରିବାକୁ ପଡ଼ିଲା । ରାଜାଙ୍କ ଅନମନୀୟ ମନୋବୃତ୍ତି ଯୋଗୁଁ ଇଂଲଣ୍ତ ଆମେରିକା ଉପନିବେଶଗୁଡ଼ିକୁ ହରାଇଲା । ଏହା ସେ ଦେଶର ବିଶାଳ ସାମ୍ରାଜ୍ୟ ସ୍ଥାପନର ପରିକଳ୍ପନାରେ ଦାରୁଣ ଆଘାତ ଦେଲା ।

 

ତୃତୀୟ ଜର୍ଜଙ୍କ ପୂର୍ବରୁ ହୁଇଗ୍‍ ଦଳ ବହୁଦିନ ଯାଏଁ କ୍ଷମତାରେ ରହି ଦୁର୍ନୀତିଗ୍ରସ୍ତ ହୋଇ ପଡ଼ିଥିଲେ । ଗଣତନ୍ତ୍ରର ନାମରେ ଦୁର୍ନୀତିପରାୟଣ ଗୋଷ୍ଠୀତନ୍ତ୍ରର ଶାସନ ଚାଲିଥିଲା । ତୃତୀୟ ଜର୍ଜ ଏହି ଦଳକୁ କ୍ଷମତାରୁ ବହିଷ୍କାର କରି ପ୍ରକୃତ ଗଣତନ୍ତ୍ର ଶାସନର ପଥ ପରିଷ୍କାର କରିଦେଲେ ।

 

ତୃତୀୟ ଜର୍ଜଙ୍କ ସମୟରେ ହୁଇଗ୍‍ ଦଳ ଦୁର୍ବଳ ହୋଇ କ୍ଷମତାରୁ ବିତାଡ଼ିତ ହେଲେ । ସେମାନେ ବର୍ତ୍ତମାନ ଉପଲବ୍ଧି କଲେ ଯେ ଦୁର୍ନୀତି ତଥା ଅସତ୍‌ ଉପାୟରେ କ୍ଷମତା ଲାଭ କରିବା ପ୍ରକୃଷ୍ଟ ପନ୍ଥା ନୁହେଁ । ତେଣୁ ସେମାନେ ସେମାନଙ୍କ ନୀତିକୁ ପରିମାର୍ଜିତ କରି ଦଳର ପୁନର୍ଗଠନ କଲେ । ଟୋରୀ ଦଳ ମଧ୍ୟ ସଂଗଠନ କାର୍ଯ୍ୟରେ ଲାଗି ପଡ଼ିଲେ । ଫଳରେ ଇଂଲଣ୍ତରେ ଦଳୀୟ ରାଜନୀତି ନୂତନ ତଥା ନିର୍ମଳ ରୂପ ଗ୍ରହଣ କଲା । ତୃତୀୟ ଜର୍ଜଙ୍କ ଏକଛତ୍ର ଶାସନର ସମ୍ମୁଖୀନ ହୋଇ ନଥିଲେ ଦଳୀୟ ଦୁର୍ନୀତି ଆହୁରି ବଢ଼ିଯାଇଥାନ୍ତା ବୋଲି ମନେହୁଏ ।

 

ସୁତରାଂ ତୃତୀୟ ଜର୍ଜଙ୍କର ବ୍ୟକ୍ତିଗତ ଶାସନ ଇଂଲଣ୍ତପାଇଁ ଏକ ମିଶ୍ରିତ ଫଳ ପ୍ରଦାନ କଲା ବୋଲି କୁହାଯାଇଥାଏ ।

 

ଜନ୍‌ ଉଇଲକ୍‌ସ–ତୃତୀୟ ଜର୍ଜଙ୍କ ବ୍ୟକ୍ତିଗତ ଶାସନ ପ୍ରତିଷ୍ଠା ସମୟରେ ଉଇଲକ୍‌ସ ନାମକ ଜଣେ ଦୁର୍ଦ୍ଦାନ୍ତ ଦୁର୍ବିନୀତି ବ୍ୟକ୍ତି ସରକାରଙ୍କ ପାଇଁ ଏକ ଗଣତାନ୍ତ୍ରିକ ସମସ୍ୟା ସୃଷ୍ଟି କରିଥିଲେ । ଓ୍ୱିଲକ୍‌ସ ବୁଦ୍ଧିମାନ, ସାହିତ୍ୟ ତଥା ସୁବିଧାବାଦୀ ଓ ଉଚ୍ଛୃଙ୍ଖଳ ଯୁବକ ଥିଲେ । ସେ ପାର୍ଲିଆମେଣ୍ଟ୍‍ର ଜଣେ ସଦସ୍ୟ ଥାଇ ‘ନର୍ଥ ବ୍ରିଟନ’ ନାମକ ଏକ ପତ୍ରିକାର ସମ୍ପାଦନା କରୁଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ବ୍ୟୁଟଙ୍କର ଶାସନ ଅପାରଗତା ତଥା ପ୍ୟାରିସ ଶାନ୍ତି ଚୁକ୍ତିର ବିରୁଦ୍ଧରେ ଜନମତର ସୁବିଧା ନେଇ ଓ୍ୱିଲ୍‌କ୍‌ସ ତାଙ୍କ ପତ୍ରିକାର ୪୫ତମ ସଂଖ୍ୟାରେ ସରକାରଙ୍କର ତୀବ୍ର ସମାଲୋଚନା କଲେ । ଏହାପରେ ବ୍ୟୁଟ ମନ୍ତ୍ରିମଣ୍ତଳର ପତନ ହେଲା । ମାତ୍ର ରାଜା ତୃତୀୟ ଜର୍ଜ ନୂତନ ପ୍ରଧାନମନ୍ତ୍ରୀ ଗ୍ରେନ୍‌ଭିଲଙ୍କୁ ଓ୍ୱିଲ୍‌କ୍‌ସଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ । ଗ୍ରେନ୍‌ଭିଲ (ନର୍ଥ ବ୍ରିଟନ୍‌) ପତ୍ରିକାରେ ସରକାରଙ୍କ ବିରୋଧୀ ଲେଖା ସହିତ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଏକ ସାଧାରଣ ୱାରଣ୍ଟ୍‍ ଜାରି କରି ଓ୍ୱିଲ୍‌କ୍‌ସଙ୍କ ସମେତ ପ୍ରାୟ ଚାଳିଶ ଜଣ ଲୋକଙ୍କୁ ଗିରଫ୍‍ କଲେ । ଓ୍ୱିଲ୍‌କ୍‌ସ ସାଧାରଣ ୱାରଣ୍ଟ୍‍ର ପ୍ରତିବାଦ କଲେ ଏବଂ ନିଜେ ଜଣେ ପାର୍ଲିଆମେଣ୍ଟ୍‍ ସଦସ୍ୟ ହୋଇଥିବାରୁ ତାଙ୍କୁ ଏହିପରିଭାବେ ଗିରଫ୍‍ କରିବା ଅନ୍ୟାୟ ହୋଇଛି ବୋଲି ବିଚାରାଳୟରେ ଆବେଦନ କଲେ । ମୁଖ୍ୟ ବିଚାରପତି ପ୍ରାଟ ଓ୍ୱିଲ୍‌କ୍‌ସଙ୍କ ସପକ୍ଷରେ ନିଷ୍ପତ୍ତି ଦେଲେ । ଫଳରେ ଓ୍ୱିଲ୍‌କ୍‌ସ କାରାଗାରରୁ ମୁକ୍ତ ହୋଇ ପ୍ରଚୁର କ୍ଷତିପୂରଣ ପାଇଲେ ।

 

ବିଚାରାଳୟରେ ହାରିଯିବା ପରେ ପ୍ରଧାନମନ୍ତ୍ରୀ ଗ୍ରେନ୍‌ଭିଲ୍‌ ପାର୍ଲିଆମେଣ୍ଟ୍‍ ଗୃହରେ ଓ୍ୱିଲ୍‌କ୍‌ସଙ୍କ ତୀବ୍ର ସମାଲୋଚନା କଲେ । ଓ୍ୱିଲ୍‌କ୍‌ସଙ୍କ ଲିଖିତ ସ୍ତ୍ରୀମାନଙ୍କ ଉପରେ ଏକ ଅପ୍ରକାଶିତ ପ୍ରବନ୍ଧ ଏହି ସମୟରେ ଗ୍ରେନ୍‍ଭିଲଙ୍କ ମୁଖ୍ୟ ଶରବ୍ୟ ଥିଲା । ଜନ୍‌ ଓ୍ୱିଲ୍‌କ୍‌ସ ଏହି ରାଜନୈତିକ ଦ୍ୱନ୍ଦ୍ୱରେ ଆପଣାର ସ୍ଥିତି ବିପଜ୍ଜନକ ମନେ କରି ଇଂଲଣ୍ତ ପରିତ୍ୟାଗ କଲେ । ତାଙ୍କର ଅନୁପସ୍ଥିତିରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ନିନ୍ଦା କରାଗଲା ଏବଂ ପାର୍ଲିଆମେଣ୍ଟ୍‍ର ସଦସ୍ୟ ପଦରୁ ବହିଷ୍କାର କରାଗଲା ।

 

ଅବସ୍ଥା କ୍ରମେ ଉନ୍ନତ ହେଉଥିବା ଆଶା କରି ଓ୍ୱିଲ୍‌କ୍‌ସ ୧୭୬୮ ଖ୍ରୀ:ରେ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କଲେ । ଏଥର ସେ ମିଡ଼ିଲ୍ ସେକ୍‍ସ ନିର୍ବାଚନ ମଣ୍ତଳୀରେ ପ୍ରତିଯୋଗିତା କରି ଜୟଯୁକ୍ତ ହେଲେ । ମାତ୍ର ତାଙ୍କ ପ୍ରତି ସରକାରଙ୍କ ଆକ୍ରୋଶ ମନୋଭାବ ଅତୁଟ ରହିଲା । ତାଙ୍କର ଅନୁପସ୍ଥିତିରେ ଯେଉଁ ଦଣ୍ତାଦେଶ ଜାରି ହୋଇଥିଲା, ତାହାରି ବଳରେ ସେ ପୁଣି ଗିରଫ୍‍ ହେଲେ ଏହାଦ୍ୱାରା ଦେଶରେ ଅସ୍ଥିରତା ଦେଖାଦେଲା । ଏହି ସମୟରେ ଓ୍ୱିଲ୍‌କ୍‌ସ ସ୍ୱରାଷ୍ଟ୍ର ମନ୍ତ୍ରୀ ଲର୍ଡ଼ ଓ୍ୱେମାଉଥଙ୍କ ବିରୁଦ୍ଧରେ ଏକ ପ୍ରବନ୍ଧ ପ୍ରକାଶ କଲେ, ଯାହାଫଳରେ ତାଙ୍କୁ ପାର୍ଲିଆମେଣ୍ଟ୍‍ର ସଦସ୍ୟ ପଦରୁ ବହିଷ୍କାର କରାଗଲା । ମାତ୍ର ମିଡ଼ିଲ୍‍ସେକ୍‌ସ ନିର୍ବାଚନ ମଣ୍ତଳୀରେ ପୁଣି ଥରେ ଯେତେବେଳେ ନିର୍ବାଚନ କରାଗଲା, ଓ୍ୱିଲ୍‌କ୍‌ସ ପ୍ରାର୍ଥୀ ହୋଇ ପୁଣି ଜୟଯୁକ୍ତ ହେଲେ । ଏଥର ମଧ୍ୟ ତାଙ୍କୁ ପାର୍ଲିଆମେଣ୍ଟ୍‍ରୁ ବହିଷ୍କାର ଆଦେଶ ଦିଆଗଲା । ସେ ଏହିପରି ଭାବରେ ଚାରି ଥର ନିର୍ବାଚିତ ହୋଇ ଚାରିଥରଯାକ ବହିଷ୍କୃତ ହେଲେ । ଚତୁର୍ଥ ଥର ସେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ସରକାରୀ ପ୍ରାର୍ଥୀ କର୍ଣ୍ଣେଲ ଲୁଟେରେଲଙ୍କୁ ବହୁସଂଖ୍ୟକୁ ଅଧିକ ଭୋଟରେ ପରାସ୍ତ କରିଥିଲେ ମଧ୍ୟ ପାର୍ଲିଆମେଣ୍ଟ୍‍ର ନିଷ୍ପତ୍ତି ବଳରେ ଲୁଟେରେହଙ୍କୁ ବିଜୟୀ ବୋଲି ଘୋଷଣା କରାଗଲା । ଏହି ଅଭୂତପୂର୍ବ ନିଷ୍ପତ୍ତିରେ ଲୋକେ ଉତ୍ୟକ୍ତ ହେଲେ ଏବଂ ଓ୍ୱିଲ୍‌କ୍‌ସଙ୍କ ଜନପ୍ରିୟତା ବୃଦ୍ଧି ହେଲା । ଲଣ୍ତନ ନଗରୀର ଅଧିବାସୀମାନେ ତାଙ୍କୁ ଆଲଡ଼ର୍‌ମେନ୍‌, ଶେରିଫ ଏବଂ ଶେଷରେ ଲର୍ଡ଼ ମେୟରରୂପେ ନିର୍ବାଚନ କଲେ । ଓ୍ୱିଲ୍‌କ୍‌ସ କାରାଗୃହରୁ ମୁକ୍ତ ହେଲାମାତ୍ରେ ତାଙ୍କୁ ଏକ ବିରାଟ ପଟୁଆରରେ ଅଭିନନ୍ଦିତ କରାଗଲା । ପରିଶେଷରେ ୧୭୭୪ ଖ୍ରୀ:ରେ ପାର୍ଲିଆମେଣ୍ଟ୍‍ର ସଦସ୍ୟରୂପେ ସେ ସ୍ୱୀକୃତ ହେଲେ ।

 

ତୃତୀୟ ଜର୍ଜଙ୍କର ମନମୁଖୀ ଶାସନ ଓ ଅନମନୀୟ ମନୋବୃତ୍ତିର ସୁଯୋଗ ନେଇ ଜନ୍‌ ଓ୍ୱିଲ୍‌କ୍‌ସଙ୍କ ଭଳି ଜଣେ କୁଖ୍ୟାତ ଯୁବକ ଜନପ୍ରିୟ ନେତାରେ ପରିଗଣିତ ହୋଇ ପାରିଲେ । ତେବେ ସରକାରଙ୍କ ସହିତ ତାଙ୍କର କଳହ ଯୋଗୁଁ କେତେକ ଗଣତାନ୍ତ୍ରିକ ସୁଫଳ ଦେଖାଦେଲା । ସାଧାରଣ ୱାରଣ୍ଟ୍ ନିୟମ ବିରୁଦ୍ଧ ଏବଂ ତଦ୍ଦ୍ୱାରା ପାର୍ଲିଆମେଣ୍ଟ୍‍ର ସଦସ୍ୟଙ୍କୁ ଗିରଫ୍‍ କରାଯାଇପାରିବ ନାହିଁ ବୋଲି ସ୍ୱୀକୃତ ହେଲା । ନିର୍ବାଚନ ମଣ୍ତଳୀରେ ଭୋଟଦାତାମାନଙ୍କର ନିଷ୍ପତ୍ତିକୁ ଅଗ୍ରାହ୍ୟ କହି ଦେବାର କ୍ଷମତା ପାର୍ଲିଆମେଣ୍ଟ୍‍ର ରହିଲା ନାହିଁ । ସରକାରଙ୍କ ନୀତି ଓ କାର୍ଯ୍ୟାବଳୀର ଆଲୋଚନା ପାଇଁ ସମ୍ୱାଦପତ୍ରମାନଙ୍କର ପୂର୍ଣ୍ଣ ଅଧିକାର ରହିଲା । ଏହାଦ୍ୱାରା ପାର୍ଲିଆମେଣ୍ଟ୍‍ର ସଂସ୍କାରପାଇଁ ଆନ୍ଦୋଳନର ସୂତ୍ରପାତ ହେଲା । ଏ ଦିଗରେ କାର୍ଯ୍ୟାନୁଷ୍ଠାନ ପାଇଁ ୱିଲ୍‍କ୍‍ସ ଓ ଅନ୍ୟମାନେ ଏକ ସଂଘ ଗଠନ କଲେ । ମିଡ଼ିଲ୍ ସେକ୍‍ସ ନିର୍ବାଚନରେ ଓ୍ୱିଲ୍‌କ୍‌ସଙ୍କ ବିଜୟ ଜନତାର ବିଜୟରୂପେ ଗୃହୀତ ହେଲା । ତୃତୀୟ ଜର୍ଜଙ୍କର ବ୍ୟକ୍ତିଗତ ଶାସନରେ ଏହା ଏକ ଦାରୁଣ ଆଘାତ ଦେଲା । ଏହିସବୁ ଫଳାଫଳରୁ ମିଡ଼ିଲ୍‍ସେକ୍‌ସ ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ ଥିଲା ।

 

ଜୁନିଅସ୍‌ଙ୍କ ପତ୍ରାବଳି–ତୃତୀୟ ଜର୍ଜଙ୍କ ବ୍ୟକ୍ତିଗତ ଶାସନ ଆଉ ଏକ ଆଘାତ ପାଇଲା ଜୁନିଅସ୍‍ଙ୍କ ପତ୍ରାବଳିରେ । ଏହିସବୁ ରାଜନୈତିକ ଖୋଳାପତ୍ର ‘ପବ୍ଲିକ୍ ଏଡ଼ଭର୍ଟାଇଜର’ ନାମକ ଏକ ପତ୍ରିକାରେ ୧୭୬୮ ଖ୍ରୀ: ନଭେମ୍ୱର ମାସରୁ ୧୭୭୨ ଖ୍ରୀ: ଜାନୁୟାରୀ ମାସ ପର୍ଯ୍ୟନ୍ତ ସାମୟିକ ଭାବରେ ପ୍ରକାଶିତ ହେଉଥିଲା । ଏହିସବୁ ଲେଖା ଜୁନିଅସ୍‍ଙ୍କ ନାମରେ ପ୍ରକାଶ ପାଉଥିଲା । ମାତ୍ର ଉକ୍ତ ଜୁନିଅସ୍‍ଙ୍କ ପରିଚୟ ସେତେବେଳେ ଜଣାପଡ଼ି ନଥିଲା । ଅବଶ୍ୟ ବହୁ ପରେ ତାହା ଫିଲିପ୍‌ ଫ୍ରାନ୍‌ସିସ ହୋଇଥାଇପାରନ୍ତି ବୋଲି ଅନୁମିତ ହେଲା ।

 

ଜୁନିଅସ୍‍ଙ୍କ ପତ୍ରାବଳିରେ ସରକାରଙ୍କ ତୀବ୍ର ସମାଲୋଚନା କରାଗଲା । ବିଶେଷତଃ ଏଥିରେ ମିଡ଼ିଲ୍ ସେକ୍‌ସ ନିର୍ବାଚନରେ ଓ୍ୱିଲ୍‌କ୍‌ସଙ୍କ ପକ୍ଷକୁ ଦୃଢ଼ ସମର୍ଥନ କରାଗଲା । ତୃତୀୟ ଜର୍ଜଙ୍କ ସମ୍ପର୍କରେ ତିକ୍ତ ଲେଖା ଏଥିରେ ପ୍ରକାଶିତ ହୋଇଥିବାରୁ ପତ୍ରିକାର ପ୍ରକାଶକ ହେନରୀ ଉଡ଼ଫଲ୍‌ଙ୍କୁ ଅଭିଯୁକ୍ତ କରାଗଲା । ମାତ୍ର ବିଚାରାଳୟ ଉଡ଼ଫଲଙ୍କ ସପକ୍ଷରେ ନିଷ୍ପତ୍ତି ଦେଲେ । ଏହାଦ୍ୱାରା ରାଜାଙ୍କୁ ମଧ୍ୟ ସମାଲୋଚନା କରିବାର ଅଧିକାର ସମ୍ୱାଦପତ୍ରମାନଙ୍କର ରହିଛି ବୋଲି ସ୍ୱୀକୃତି ହେଲା ।

 

ଓ୍ୱିଲ୍‌କ୍‌ସଙ୍କ ବିଜୟ ତଥା ଜୁନିଅସ୍‍ଙ୍କ ପତ୍ରାବଳିରୁ ପ୍ରେରଣା ପାଇ ବର୍କ, ଫକ୍‌ସ, ଡଡ଼ସ୍‌ଏଲ ପ୍ରଭୃତି ନେତା ତୃତୀୟ ଜର୍ଜଙ୍କର ବ୍ୟକ୍ତିଗତ ଶାସନ ବିରୁଦ୍ଧରେ ପାର୍ଲିଆମେଣ୍ଟ୍‍ରେ ସଂଗଠିତ ହେଲେ । ରାଜାଙ୍କର ମନମୁଖୀ ଶାସନର ଅବସାନ ପାଇଁ ସେମାନଙ୍କର ଉଦ୍ୟମକୁ ସାହାଯ୍ୟ କଲା ଆମେରିକାରେ ଇଂରେଜ ଔପନିବେଶିକମାନଙ୍କର ସ୍ୱାଧୀନତା ସଂଗ୍ରାମ । ଏ ବିଷୟରେ ସମ୍ୟକ୍‌ ଆଲୋଚନା ପରବର୍ତ୍ତୀ ଅଧ୍ୟାୟରେ କରାହେବ ।

Image

 

Unknown

ଅଷ୍ଟାଦଶ ଅଧ୍ୟାୟ

ଆମେରିକାର ସ୍ୱାଧୀନତା ସଂଗ୍ରାମ

 

୧୬୨୦ ଖ୍ରୀ:ରେ ଦଳେ ଇଂରେଜ ଲୋକ ପ୍ରଥମ ଜେମ୍‌ସ୍‍ଙ୍କର ଉତ୍ପୀଡ଼ନରୁ ଆପଣାକୁ ରକ୍ଷା କରିବାପାଇଁ ମେଫ୍ଳାଉଆର ନାମକ ଜାହାଜରେ ଇଂଲଣ୍ତ ପରିତ୍ୟାଗ କରି ଆମେରିକାରେ ବସତି ସ୍ଥାପନ କଲେ । ଏମାନେ ‘ଯାତ୍ରୀଜନକ’ ନାମରେ ଅଭିହିତ । ପରେ ବହୁସଂଖ୍ୟକ ଡିସେଣ୍ଟରସ୍‌ ବା ଭିନ୍ନମତାବଲମ୍ୱୀ ଇଂରେଜ ଲୋକ ସରକାରଙ୍କର ପରୀକ୍ଷା ଆଇନ; ସଂଘ ଆଇନ ପ୍ରଭୃତିରେ ବିରକ୍ତ ହୋଇ ଯାତ୍ରୀଜନକମାନଙ୍କର ପଥ ଅନୁସରଣ କଲେ । ଏମାନଙ୍କ ସଂଖ୍ୟା କ୍ରମଶ ବୃଦ୍ଧି ପାଇ ଆମେରିକାରେ ତେରଗୋଟି ଉପନିବେଶ ସ୍ଥାପିତ ହେଲା । ପରେ ଇଂରେଜ ସରକାର ଦ୍ୱୀପାନ୍ତର ଦଣ୍ତ ପାଉଥିବା ଅପରାଧୀମାନଙ୍କ ପାଇଁ ଏହି ଉପନିବେଶଗୁଡ଼ିକୁ ବ୍ୟବହାର କଲେ ଏବଂ ବହୁସଂଖ୍ୟକ ଅପରାଧୀ ଆମେରିକାକୁ ପ୍ରେରଣ କଲେ । କୌଣସି ସଚ୍ଚରିତ୍ର ବ୍ୟକ୍ତି ଇଂଲଣ୍ତ ପରିତ୍ୟାଗ କରି ଉପନିବେଶକୁ ନଯାନ୍ତୁ ବୋଲି ସରକାର ଚାହୁଁଥିଲେ ଏବଂ ତଦନୁସାରେ ସପ୍ତଦଶ ଶତକରେ କେତେକ ସତର୍କତା ଅବଲମ୍ୱନ କରାଯାଇଥିଲା । ତେଣୁ ଆମେରିକୀୟ ଉପନିବେଶରେ ମୁଖ୍ୟତଃ ଦୁଇ ପ୍ରକାର ଲୋକ ବସବାସ କଲେ । ଦଳେ ସରକାରଙ୍କର ଉତ୍ପୀଡ଼ନ ଓ ଅତ୍ୟାଚାରରୁ ରକ୍ଷା ପାଇବାପାଇଁ ପଳାୟନ କରିଥିଲେ ଏବଂ ଅନ୍ୟ ଦଳ ସରକାରଙ୍କଦ୍ୱାରା ଦଣ୍ତିତ ଓ ବିତାଡ଼ିତ ହୋଇଥିଲେ । ସୁତରାଂ ଇଂରେଜ ସରକାରଙ୍କ ପ୍ରତି ସେମାନଙ୍କର ଶ୍ରଦ୍ଧା ନଥିଲା । ଏହାଛଡ଼ା କେତେକ ବିଦେଶୀୟ ମଧ୍ୟ ଏହି ଉପନିବେଶମାନଙ୍କରେ ବସବାସ କରିଥିଲେ-। ଏମାନଙ୍କ ମଧ୍ୟରେ ଅଧିକାଂଶ ଥିଲେ ଡଚ୍ । ଇଂରେଜ ସରକାରଙ୍କ ପ୍ରତି ଏମାନଙ୍କର ଆନୁଗତ୍ୟ ମଧ୍ୟ ସନ୍ଦେହଜନକ ଥିଲା । ଉପନିବେଶଗୁଡ଼ିକ କ୍ରମଶଃ ଉନ୍ନତି କରୁଥିଲେ ଏବଂ ଇଂଲଣ୍ତ ସେମାନଙ୍କୁ ଆୟତ୍ତ କରିବାପାଇଁ ଅଧିକରୁ ଅଧିକତର ନିୟନ୍ତ୍ରଣ ଜାରି କରୁଥିଲା । ଏହି ନିୟନ୍ତ୍ରଣର ମୂଳରେ ଇଂଲଣ୍ତର ସ୍ୱାର୍ଥ ସୁସ୍ପଷ୍ଟ ଥିଲା । ସ୍ୱାଧୀନତା–ପ୍ରେମୀ ଔପନିବେଶିକମାନେ ଏହାର ପ୍ରତିବାଦ କରୁଥିଲେ । ଅନେକ ସମୟରେ ଉଭୟଙ୍କର ସ୍ୱାର୍ଥର ସଂଘର୍ଷ ହେଉଥିଲା-। ପରିଶେଷରେ ସେମାନଙ୍କ ମଧ୍ୟରେ ଏକ ବଡ଼ ଧରଣର ସଂଘର୍ଷ ସଂଘଟିତ ହେଲା ଯାହା ଇତିହାସରେ ଆମେରିକାର ସ୍ୱାଧୀନତା ସଂଗ୍ରାମ ନାମରେ ଅଭିହିତ । ଏହି ସଂଗ୍ରାମପାଇଁ ନିମ୍ନ କେତୋଟି କାରଣ ମୁଖ୍ୟତଃ ଦାୟୀ ଥିଲା ।

 

ପ୍ରଶାସନିକ ତ୍ରୁଟି–ଆମେରିକାର ତେରଗୋଟିଯାକ ଇଂରେଜ ଉପନିବେଶ ପରସ୍ପରଠାରୁ ସ୍ୱତନ୍ତ୍ର ଓ ସ୍ୱାଧୀନ ଥିଲେ । ପ୍ରତ୍ୟେକ ଉପନିବେଶରେ ଗୋଟିଏ ବିଧାନସଭା ଏବଂ ଜଣେ ପ୍ରଶାସକ ବା ଗଭର୍ଣ୍ଣର ଥିଲେ । ବିଧାନସଭା ଆଇନ ପ୍ରଣୟନ କରୁଥିଲେ । ମାତ୍ର ଉକ୍ତ ଆଇନକୁ କାର୍ଯ୍ୟକାରୀ କରିବାର ଦାୟିତ୍ୱ ପ୍ରଶାସକଙ୍କର ଥିଲା ଏବଂ ସେ ତାହା ନିଜ ଇଚ୍ଛା ଅନୁସାରେ ପାଳନ କରୁଥିଲେ । ବିଧାନସଭା ଲୋକଙ୍କଦ୍ୱାରା ନିର୍ବାଚନ ହେଉଥିଲା । ତେଣୁ ଲୋକଙ୍କୁ ସନ୍ତୁଷ୍ଟ କରିବାପାଇଁ ଉକ୍ତ ସଂସ୍ଥା ଉଦ୍ୟମ କରୁଥିଲା । ପ୍ରଶାସକ ଇଂରେଜ ସରକାରଙ୍କଦ୍ୱାରା ନିଯୁକ୍ତି ହେଉଥିଲେ ଏବଂ ସେ ଉକ୍ତ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରୁଥିଲେ । ବିଧାନସଭାମାନଙ୍କ ହାତରେ ଆର୍ଥିକ କ୍ଷମତା ଥିଲା ଏବଂ ସେମାନେ ପ୍ରଶାସକଙ୍କର ଦରମାକୁ କମ୍‌ ବେଶୀ କରିପାରୁଥିଲେ । ଫଳରେ ଶାସନ ସଂସ୍ଥାର ଉଭୟ ଶାଖା ମଧ୍ୟରେ ସମ୍ପର୍କ ଅନେକ ସମୟରେ ତିକ୍ତ ହୋଇ ପଡ଼ୁଥିଲା ଏବଂ ତାହା ଯେକୌଣସି ସମୟରେ ଏକ ସଂଘର୍ଷର କାରଣ ହୋଇ ପାରିବ ବୋଲି ଆଶଙ୍କା କରାଯାଉଥିଲା ।

 

ବାଣିଜ୍ୟ ବ୍ୟବସାୟର ନିୟନ୍ତ୍ରଣ–ଇଂଲଣ୍ତ ଆପଣାର ସ୍ୱାର୍ଥସାଧନପାଇଁ ଉପନିବେଶମାନଙ୍କର ବାଣିଜ୍ୟ ବ୍ୟବସାୟକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କଲା । ସେଥିପାଇଁ କେତେକ ବିଶେଷ ଆଇନ ଇଂଲଣ୍ତ ପାର୍ଲିଆମେଣ୍ଟ୍‍ରେ ଗୃହୀତ ହେଲା । ତନ୍ମଧ୍ୟରୁ ପ୍ରଥମଟି ଥିଲା ନୌ–ଚାଳନ ଆଇନ । ଏହି ଆଇନ ଅନୁସାରେ ଉପନିବେଶମାନଙ୍କର ସାମୁଦ୍ରିକ ବାଣିଜ୍ୟପାଇଁ କେବଳ ବ୍ରିଟିଶ ବାଣିଜ୍ୟ ପୋତ ବ୍ୟବହୃତ ହେଲା । ଉପନିବେଶଗୁଡ଼ିକ ଯେଉଁ ସବୁ ଦ୍ରବ୍ୟ ଅନ୍ୟ ଦେଶକୁ ରତ୍ପାନୀ କରୁଥିଲେ ସେ ସବୁ ପ୍ରଥମେ ଇଂଲଣ୍ତରେ ପହଞ୍ଚୁଥିଲା ଏବଂ ସେଠାରେ ସେହି ଦ୍ରବ୍ୟମାନଙ୍କ ଉପରେ ବିଶେଷ କର ଧାର୍ଯ୍ୟ ହେଉଥିଲା । ଆମେରିକାର ବାଣିଜ୍ୟ ବ୍ୟବସାୟ ଉପରେ ଅନ୍ୟ ଏକ ନିୟନ୍ତ୍ରଣ ଥିଲା ନିଷେଧ ଆଇନ । ଇସ୍ପାତ, ପଶମ ଶିଳ୍ପ ପ୍ରଭୃତି ଯେଉଁ ସବୁର ଉତ୍ପାଦନ ବୃଦ୍ଧିରେ ଇଂଲଣ୍ତର ଶିଳ୍ପ ଓ କାରଖାନା କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଥିଲା, ସେହି ସବୁକୁ ଏହି ଆଇନ ବଳରେ ନିୟନ୍ତ୍ରିତ କରାଗଲା । ଗୁଡ଼ ଆଇନଫଳରେ ଉପନିବେଶଗୁଡ଼ିକ କେବଳ ବ୍ରିଟିଶ ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜରୁ ଗୁଡ଼ କ୍ରୟ କରିବାକୁ ବାଧ୍ୟ ହେଲେ; ଯଦ୍ୟପି ତାହା ଫରାସୀ ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜରେ ସୁଲଭ ମୂଲ୍ୟରେ ପ୍ରଚୁର ପରିମାଣରେ ମିଳୁଥିଲା । ବାଣିଜ୍ୟ କ୍ଷେତ୍ରରେ ଇଂଲଣ୍ତର ନିଷ୍ପେଷଣ ନୀତିର ବିରୁଦ୍ଧରେ ଔପନିବେଶିକମାନେ ପ୍ରତିବାଦ କରୁଥିଲେ । ଏହି ସବୁକୁ କାର୍ଯ୍ୟକାରୀ କରିବାପାଇଁ ଇଂରେଜ ସରକାରଙ୍କର ମଧ୍ୟ ଦୃଢ଼ତା ନଥିଲା । ଇଂଲଣ୍ତର ହୁଇଗ୍‍ ମନ୍ତ୍ରିମଣ୍ତଳର ଔପନିବେଶିକ ନୀତି ଦୁର୍ବଳ ତଥା ଉଦାର ଥିଲା । କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବାପାଇଁ ସେମାନେ ପ୍ରସ୍ତୁତ ନଥିଲେ । କିନ୍ତୁ ରାଜା ତୃତୀୟ ଜର୍ଜ ନିୟନ୍ତ୍ରଣ ଆଇନ ସବୁକୁ କାର୍ଯ୍ୟକାରୀ କରି ଉପନିବେଶମାନଙ୍କରେ ଚୋରା ବାଣିଜ୍ୟକୁ ବନ୍ଦ କରିବାପାଇଁ ଦୃଢ଼ପରିକର ହେଲେ । ଏହାଫଳରେ ଔପନିବେଶିକମାନେ ଉତ୍ୟକ୍ତ ହେଲେ ଏବଂ ଏକ ସଂଘର୍ଷର ସୂତ୍ରପାତ ହେଲା ।

 

ସପ୍ତବର୍ଷ ବ୍ୟାପୀ ଯୁଦ୍ଧର ପ୍ରଭାବ :—ଇଂଲଣ୍ତର ଉପନିବେଶମାନଙ୍କର ଉତ୍ତର ଦିଗରେ ଅବସ୍ଥିତ କାନାଡ଼ା ଏହି ସମୟରେ ଫରାସୀମାନଙ୍କର ଉପନିବେଶ ଥିଲା । ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ ପରମ ଶତ୍ରୁତା ଥିବାରୁ ଉଭୟେ ଉଭୟଙ୍କର ଉପନିବେଶମାନଙ୍କୁ ଅଧିକାର କରିନେବା ପାଇଁ ଉଦ୍ୟମ କରୁଥିଲେ । ତେଣୁ ଇଂରେଜ ଔପନିବେଶିକମାନଙ୍କର ଆଶଙ୍କା ଥିଲା ଯେ ସେମାନେ ଇଂଲଣ୍ତ ବିରୁଦ୍ଧରେ ବିଦ୍ରୋହ କଲେ, ତାହା ଫରାସୀମାନଙ୍କ ପାଇଁ ଏକ ସୁଯୋଗ ହେବ ଏବଂ ଫଳରେ ସେମାନେ ଫରାସୀମାନଙ୍କ ଅଧୀନ ହୋଇଯିବେ । ବ୍ରିଟିଶ ଶାସନ ଅପେକ୍ଷା ଫରାସୀ ଶାସନକୁ ସେମାନେ ଆହୁରି ଘୃଣା କରୁଥିଲେ । ୧୭୫୬ ଖ୍ରୀ:ରେ ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ ଏକ ତୁମୂଳ ଯୁଦ୍ଧ ସଂଘଟିତ ହେଲା ଏବଂ ତାହା ୧୭୬୩ ଖ୍ରୀ: ପର୍ଯ୍ୟନ୍ତ ସାତବର୍ଷ ବ୍ୟାପୀ ରହିଥିଲା । ଏହା ଇତିହାସରେ ‘ସପ୍ତବର୍ଷ ବ୍ୟାପୀ ଯୁଦ୍ଧ’ ନାମରେ ଅଭିହିତ । ଏହି ଯୁଦ୍ଧରେ ଫ୍ରାନ୍‌ସ ଶୋଚନୀୟ ଭାବରେ ପରାସ୍ତ ହେଲା । ଏହାପରେ ଫରାସୀ ଉପନିବେଶ କାନାଡ଼ା ଇଂରେଜମାନଙ୍କ ଅଧୀନକୁ ଚାଲିଗଲା । ଫଳରେ ଔପନିବେଶିକମାନଙ୍କର ଫରାସୀମାନଙ୍କ ପ୍ରତି ଭୟ ଦୂରୀଭୂତ ହେଲା ଏବଂ ସେମାନେ ଇଂରେଜ ସରକାରଙ୍କର ଅତ୍ୟାଚାର ବିରୁଦ୍ଧରେ ପ୍ରତିବାଦ କରିବାପାଇଁ ସାହସ ପାଇଲେ । ଏହା ବ୍ୟତୀତ ସପ୍ତବର୍ଷ ବ୍ୟାପୀ ଯୁଦ୍ଧରେ ଅଂଶଗ୍ରହଣ କରି ସେମାନେ ସାମରିକ ଅଭିଜ୍ଞତା ଅର୍ଜନ କଲେ ଏବଂ ତାହା ସେମାନଙ୍କର ସାହସକୁ ଆହୁରି ବଢ଼ାଇ ଦେଲା ।

 

ଇଂରେଜ ସରକାରଙ୍କର କରଧାର୍ଯ୍ୟ ନୀତି ଓ ବିପ୍ଳବର ସୂତ୍ରପାତ–୧୭୬୩ ଖ୍ରୀ:ରେ ଜର୍ଜ ଗ୍ରେନଭିଲ ଇଂଲଣ୍ତର ନୂତନ ପ୍ରଧାନମନ୍ତ୍ରୀ ରୂପରେ ନିଯୁକ୍ତ ହେଲେ । ଆମେରିକାର ଉପନିବେଶମାନଙ୍କ ପ୍ରତି ତାଙ୍କର ମନୋଭାବ କଠୋର ଥିଲା ଏବଂ ସେଠାକାର ଶାସନ ସଂସ୍ଥାକୁ ଦୃଢ଼ କରିବାପାଇଁ ସେ ବଦ୍ଧପରିକର ଥିଲେ । ସପ୍ତବର୍ଷ ବ୍ୟାପୀ ଯୁଦ୍ଧରେ ଇଂଲଣ୍ତ ଅଜସ୍ର ଅର୍ଥ ବ୍ୟୟ କରିଥିଲା । ଯୁଦ୍ଧ ଶେଷରେ ସେ ଦେଶ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଲା । ଫରାସୀ ଆକ୍ରମଣରୁ ଆମେରିକୀୟ ଉପନିବେଶମାନଙ୍କୁ ରକ୍ଷା କରିବା ଦିଗରେ ବ୍ୟୟ ମଧ୍ୟ ଏହାର ଅନ୍ତର୍ଗତ ଥିବାରୁ ଔପନିବେଶିକମାନେ ଯୁଦ୍ଧ ଖର୍ଚ୍ଚର କେତେକାଂଶ ବହନ କରିବା ଉଚିତ ବୋଲି ମନେ କରାଗଲା । ଏହାଛଡ଼ା ଲୋହିତ ଭାରତୀୟମାନଙ୍କର ଉପଦ୍ରବ ଦମନ କରିବାପାଇଁ ଆମେରିକାରେ ଏକ ସ୍ଥାୟୀ ବ୍ରିଟିଶ ସେନାବାହିନୀ ଆବଶ୍ୟକ ହେଉଥିଲା । ଆମେରିକାର ଆଦିମ ଅଧିବାସୀ ଏହି ଲୋହିତ ଭାରତୀୟ ଏବଂ ଇଂରେଜମାନଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ଥିଲା । ୧୭୬୩ ଓ ୧୭୬୪ ଖ୍ରୀ:ରେ ଏମାନେ ଔପନିବେଶିକମାନଙ୍କର ବିରୁଦ୍ଧରେ ଦୁଇଥର ବିଦ୍ରୋହ କରିଥିଲେ ଏବଂ ସେମାନଙ୍କର ପୁଣି ଏକ ବିଦ୍ରୋହର ଆଶଙ୍କା କରାଯାଉଥିଲା । ସେଥିପାଇଁ ଆମେରିକାରେ ଏକ ସ୍ଥାୟୀ ସେନାବାହିନୀ ରଖିବାପାଇଁ ଏବଂ ତାହାର ବ୍ୟୟର କେତେକାଂଶ ଔପନିବେଶିକମାନଙ୍କଠାରୁ ଆଦାୟ କରିବାପାଇଁ ବ୍ରିଟିଶ ସରକାର ସ୍ଥିର କଲେ । ଏହିସବୁ କାରଣରୁ ପ୍ରଧାନମନ୍ତ୍ରୀ ଗ୍ରେନଭିଲ ୧୭୬୫ ଖ୍ରୀ:ରେ ପାର୍ଲିଆମେଣ୍ଟ୍‍ରେ ଷ୍ଟାମ୍ପ୍ ଆଇନ ନାମକ ଏକ ଆଇନ ଗୃହୀତ କରାଇ ନେଲେ । ଏହାଫଳରେ ଔପନିବେଶିକମାନଙ୍କୁ ଦଲିଲ୍‍ ପତ୍ର ଆଦିରେ ଅଧିକ ମୂଲ୍ୟର ଷ୍ଟାମ୍ପ୍ ବ୍ୟବହାର କରିବାକୁ ପଡ଼ିଲା । ଔପନିବେଶିକମାନେ ଦାବି କଲେ ଯେ ଆଭ୍ୟନ୍ତରୀଣ କର ଆଦାୟପାଇଁ କେବଳ ବିଧାନସଭାର ଅଧିକାର ଅଛି ଏବଂ ଏଥିରେ ବ୍ରିଟିଶ ପାର୍ଲିଆମେଣ୍ଟ୍‍ର ଅନଧିକାର ହସ୍ତକ୍ଷେପକୁ ସେମାନେ ମାନିନେବେ ନାହିଁ । ତୀବ୍ର ଆନ୍ଦୋଳନଫଳରେ ୧୭୬୬ ଖ୍ରୀ:ରେ ନୂତନ ପ୍ରଧାନମନ୍ତ୍ରୀ ରକିଙ୍ଗ୍‍ହାମ୍‌ ଷ୍ଟାମ୍ପ୍ ଆଇନକୁ ପ୍ରତ୍ୟାହାର କରି ନେଲେ । ମାତ୍ର ଏହା ସହିତ ଘୋଷଣା ଆଇନ ନାମକ ଆଉ ଏକ ଆଇନ ପାର୍ଲିଆମେଣ୍ଟ୍‍ରେ ପ୍ରଣୀତ ହୋଇ ଉପନିବେଶମାନଙ୍କ ଉପରେ ଇଂରେଜ ସରକାରଙ୍କର ଆଭ୍ୟନ୍ତରୀଣ କରଧାର୍ଯ୍ୟ ଅଧିକାର ଘୋଷିତ ହେଲା । ଘୋଷଣା ଆଇନକୁ କାର୍ଯ୍ୟକାରୀ କରିବାପାଇଁ ଟାଉନସେଣ୍ତ ୧୭୬୬ ଖ୍ରୀ:ରେ ଚା’, କାଚ ଓ କାଗଜ ଉପରେ ନୂତନ କରଧାର୍ଯ୍ୟ କଲେ । ପୁଣି ଏହାର ପ୍ରତିବାଦ ହେଲା, ଆନ୍ଦୋଳନ ହେଲା ଏବଂ ଲୋକଙ୍କର ଦାବି ହେଲା ଯେ, ‘‘ଯେଉଁ ପାର୍ଲିଆମେଣ୍ଟ୍‍ରେ ଆମ୍ଭର ପ୍ରତିନିଧି ନାହାନ୍ତି, ତାହା ଆମ୍ଭ ଉପରେ କର ବସାଇ ପାରିବ ନାହିଁ ।

 

ଲର୍ଡ଼ ନର୍ଥ ୧୭୭୦ ଖ୍ରୀ:ରେ ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତ ହେଲାପରେ କାଚ ଓ କାଗଜ ଉପରୁ ନୂତନ କରକୁ ପ୍ରତ୍ୟାହାର କରିନେଲେ । ମାତ୍ର ଚା’ ଉପରେ ପୂର୍ବ ନିର୍ଦ୍ଧାରିତ କର ବଳବତ୍ତର ରହିଲା । ଇଷ୍ଟ ଇଣ୍ତିଆ କମ୍ପାନୀ ଆମେରିକା ସହିତ ଚା’ ବ୍ୟବସାୟ ପାଇଁ ଏକଚାଟିଆ ଅଧିକାର ପାଇଲେ । ୧୭୭୩ ଖ୍ରୀ:ରେ କମ୍ପାନୀର କେତେକ ଜାହାଜ ଚା’ ବୋଝେଇ ମାସାଚୁସେଟସ୍‌ ପ୍ରଦେଶର ବୋଷ୍ଟନ ବନ୍ଦରରେ ପହଞ୍ଚି ଥିଲା । ଏହି ସମୟରେ ଏକ ଅନ୍ଧକାର ରାତ୍ରିରେ ଦଳେ ବିଦ୍ରୋହୀ ଔପନିବେଶିକ ଲୋହିତ ଭାରତୀୟ ବେଶରେ ଜାହାଜ ମଧ୍ୟକୁ ପ୍ରବେଶ କରି ୩୪୦ ଗୋଟି ଚା’ ବାକ୍‌ସ ସମୁଦ୍ର ଜଳରେ ନିକ୍ଷେପ କରିଥିଲେ । ଇଂରେଜ ସରକାର ଏହାର ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବଦ୍ଧପରିକର ହେଲେ । ଏଥିପାଇଁ କେତେକ ଅସହ୍ୟ ଆଇନ ଗୃହୀତ ହେଲା । ସହସ୍ରାଧିକ କର୍ମଚାରୀ ସେମାନଙ୍କର ଚାକିରି ହରାଇଲେ । ଅନେକେ ଗିରଫ୍‍ ହୋଇ କାରାଗାର ବରଣ କଲେ । ଅବସ୍ଥାକୁ ଆୟତ୍ତ କରିବାପାଇଁ ଦଳେ ଇଂରେଜ ସୈନ୍ୟ ଆମେରିକାରେ ପହଞ୍ଚିଲେ । ସରକାରଙ୍କର କଠୋରତାର ପ୍ରତିବାଦ କରିବା ସକାଶେ ବାରଗୋଟି ଉପନିବେଶର ପ୍ରତିନିଧିଗଣ ୧୭୭୪ ଖ୍ରୀ:ରେ ଫିଲାଡ଼େଲଫିଆରେ ସମ୍ମିଳିତ ହେଲେ । କେବଳ ଜର୍ଜିଆ ପ୍ରଦେଶ ଏଥିରେ ଅଂଶଗ୍ରହଣ କରି ନଥିଲା । ଫିଲାଡ଼େଲଫିଆ କଂଗ୍ରେସର ସଦସ୍ୟଗଣ ସରକାରଙ୍କର ଦମନ ନୀତି ବିରୁଦ୍ଧରେ ପ୍ରତିବାଦ କରି ଇଂଲଣ୍ତର ରାଜା ତୃତୀୟ ଜର୍ଜଙ୍କୁ ଏକ ଆବେଦନପତ୍ର ପ୍ରଦାନ କଲେ । ଏହି ସମୟରେ ପରିସ୍ଥିତି ଜଟିଳତର ହୋଇ ପଡ଼ୁଥିଲା । ତେଣୁ ଔପନିବେଶିକମାନଙ୍କର ଆବେଦନ ବିଚାରକୁ ନେଇଥିଲେ ରାଜା ରାଜନୈତିକ ବୁଦ୍ଧିମତ୍ତାର ପରିଚୟ ଦେଇପାରିଥାନ୍ତେ । ମାତ୍ର ତୃତୀୟ ଜର୍ଜ ଆବେଦନପତ୍ର ପାଠ କରିବାକୁ ମଧ୍ୟ ପ୍ରସ୍ତୁତ ନଥିଲେ । ଇତିମଧ୍ୟରେ ଆମେରିକାରେ ବ୍ରିଟିଶ ସୈନ୍ୟ ସଂଖ୍ୟା ବୃଦ୍ଧି ପାଉଥିଲା । ଉତ୍ୟକ୍ତ ଔପନିବେଶିକମାନେ ମଧ୍ୟ ଏକତାବଦ୍ଧ ହେଉଥିଲେ । ଉଭୟ ଦଳ ମଧ୍ୟରେ ସଂଘର୍ଷ ଅନିବାର୍ଯ୍ୟ ହୋଇ ଉଠୁଥିଲା ।

 

୧୭୭୫ ଖ୍ରୀ:ରେ ଆଡ଼ାମସ୍‌ ଓ ହାନକକ୍‌ ନାମକ ଦୁଇଜଣ ଆମେରିକୀୟ ନେତାଙ୍କୁ ଗିରଫ୍‍ କରିବାପାଇଁ ଇଂରେଜ ସରକାର ଦଳେ ସିପାହୀ ସୈନ୍ୟଙ୍କୁ ଲେକ୍‌ସିଙ୍ଗଟନ ସହରକୁ ପଠାଇଥିଲେ । ନେତାଦ୍ୱୟ ଆଗରୁ ଏ ସମ୍ୱାଦ ପାଇ ସେଠାରୁ ପଳାୟନ କରିଥିଲେ । ସହରରେ ସେମାନଙ୍କର ଅନୁସନ୍ଧାନ କଲା ସମୟରେ ଇଂରେଜ ସୈନ୍ୟ ଓ କେତେକ ସହରବାସୀଙ୍କ ମଧ୍ୟରେ ସଂଘର୍ଷ ହେଲା । ଅତି ଅଳ୍ପ ସମୟ ମଧ୍ୟରେ ଏହା ଆମେରିକାର ଅନ୍ୟାନ୍ୟ ଅଞ୍ଚଳକୁ ବ୍ୟାପୀ ଏକ ବିରାଟ ଯୁଦ୍ଧର ସୂତ୍ରପାତ ହେଲା । ଏହା ହେଲା ଆମେରିକାର ସ୍ୱାଧୀନତା ସଂଗ୍ରାମର ପ୍ରାରମ୍ଭ ।

 

ଲେକ୍‌ସିଙ୍ଗଟନ୍‌ ଘଟଣା ପରେ ୧୭୭୬ ଖ୍ରୀ: ଜୁଲାଇ ୪ ତାରିଖ ଦିନ ତେରଗୋଟିଯାକର ଉପନିବେଶର ପ୍ରତିନିଧି ଅବସ୍ଥାର ପର୍ଯ୍ୟାଲୋଚନା କରିବାପାଇଁ ଫିଲାଡ଼େଲଫିଆ ନଗରୀରେ ପୁଣିଥରେ ସମ୍ମିଳିତ ହେଲେ । ସେହିଦିନ ସେମାନେ ଆମେରିକାର ସ୍ୱାଧୀନତା ଘୋଷଣା କରି ବିଦେଶୀ ଇଂରେଜ ଶକ୍ତି ବିରୁଦ୍ଧରେ ଯୁଦ୍ଧ କରିବାପାଇଁ ନିଷ୍ପତ୍ତି ଗ୍ରହଣ କଲେ । ଜର୍ଜ ଓ୍ୱାଶିଙ୍ଗଟନ ନାମକ ଜଣେ ପ୍ରତିଭାଶାଳୀ ବ୍ୟକ୍ତି ସେମାନଙ୍କର ନେତୃତ୍ୱ ନେଲେ । ତାଙ୍କର ବଳିଷ୍ଠ ନେତୃତ୍ୱ ଆମେରିକାବାସୀକୁ ଅପୂର୍ବ ପ୍ରେରଣା ଦେଲା ଏବଂ ପରିଶେଷରେ ସେମାନେ ବିଜୟ ଲାଭ କଲେ । ସେଥିପାଇଁ ସେହିଦିନଠାରୁ ଜୁଲାଇ ଚାରି ତାରିଖ ଆମେରିକାର ସ୍ୱାଧୀନତା ଦିବସରୂପେ ପାଳିତ ହୋଇ ଆସୁଅଛି ।

 

ଆମେରିକା ସଂଗ୍ରାମରେ ଇଂରେଜମାନଙ୍କୁ କେତେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା । ଇଂରେଜ ସରକାର ପ୍ରାୟ ତିନି ହଜାର ମାଇଲ ଦୂରରୁ ଯୁଦ୍ଧର ପରିଚାଳନା କରୁଥିଲେ । ବ୍ରିଟିଶ ସୈନ୍ୟମାନେ ବିଦେଶୀ ଭୂମିରେ ଯୁଦ୍ଧ କରୁଥିଲେ ଏବଂ ସେ ଦେଶର ନଦନଦୀ ଓ ବଣ ପାହାଡ଼ ସହିତ ସେମାନଙ୍କର ସମ୍ୟକ୍‌ ପରିଚୟ ନଥିଲା । ଅପରପକ୍ଷେ ଆମେରିକୀୟମାନେ ନିଜ ଦେଶର ସମସ୍ତ ପ୍ରାକୃତିକ ପ୍ରତିବନ୍ଧକ ସହ ପରିଚିତ ଥିଲେ । ସେମାନେ ମାତୃଭୂମିର ମୁକ୍ତିପାଇଁ ଯୁଦ୍ଧ କରୁଥିଲେ ଏବଂ ଏହା ସେମାନଙ୍କ ସକାଶେ ଏକ ଅପୂର୍ବ ପ୍ରେରଣା ଯୋଗାଇ ଥିଲା । ଇଂଲଣ୍ତର ଲକ୍ଷ୍ୟଥିଲା ଅନ୍ୟ ଏକ ଜାତିକୁ ଚିରଦିନ ପାଇଁ ଅଧୀନ କରି ରଖିବା । ସେଥିପାଇଁ ଚାଥାମ, ବର୍କ, ଫକସ୍‌ ପ୍ରଭୃତି ତତ୍କାଳୀନ ଇଂଲଣ୍ତର ବିଶିଷ୍ଟ ରାଜନୈତିକ ନେତା ସେମାନଙ୍କ ସରକାରଙ୍କର ଆମେରିକୀୟ ନୀତିର ତୀବ୍ର ସମାଲୋଚନା କଲେ । ଏହି ସମୟରେ ଆମେରିକା ଜର୍ଜ ଓ୍ୱାଶିଙ୍ଗଟନଙ୍କ ଭଳି ଜଣେ ପ୍ରତିଭାଶାଳୀ ବ୍ୟକ୍ତିଙ୍କୁ ସେନାନାୟକରୂପେ ଲାଭକଲା । ଯୁଦ୍ଧ କୌଶଳରେ ଇଂଲଣ୍ତର କୌଣସି ସେନାପତି ଓ୍ୱାଶିଙ୍ଗଟନଙ୍କର ସମକକ୍ଷ ନଥିଲେ । ଏତଦ୍‌ବ୍ୟତୀତ ୟୁରୋପର ବହୁରାଜ୍ୟ ଇଂଲଣ୍ତର ଉପନିବେଶବାଦ ବିରୁଦ୍ଧରେ ଆମେରିକାକୁ ସମର୍ଥନ ଜଣାଇଲେ-। ଫ୍ରାନ୍‌ସ ସପ୍ତବର୍ଷବ୍ୟାପୀ ଯୁଦ୍ଧରେ ପରାଭବର ପ୍ରତିଶୋଧ ନେବାପାଇଁ ସୁଯୋଗ ପାଇଲା-। ୧୭୭୮ ଖ୍ରୀ:ରେ ଫ୍ରାନ୍‌ସ ଆମେରିକା ସପକ୍ଷରେ ଯୋଗଦେଲା ଏବଂ ବହୁସଂଖ୍ୟକ ଫରାସୀ ସ୍ୱେଚ୍ଛାସେବକ ଯୁଦ୍ଧପାଇଁ ଆମେରିକାକୁ ପ୍ରେରିତ ହେଲେ । ୧୭୭୯ ଖ୍ରୀ:ରେ ସ୍ପେନ୍‌ ମଧ୍ୟ ଇଂଲଣ୍ତ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲା । ରୁଷିଆ, ସୁଇଡ଼େନ୍‌, ଡେନ୍‌ମାର୍କ ପ୍ରଭୃତି ବହୁ ଦେଶ ଆମେରିକାକୁ ସମର୍ଥନ କଲେ । ଫଳରେ ଇଂଲଣ୍ତକୁ କେବଳ ଆମେରିକା ସହ ନୁହେଁ, ପ୍ରାୟ ସମଗ୍ର ଉଇରୋପ ସହ ଯୁଦ୍ଧରେ ଜଡ଼ିତ ହେବାକୁ ପଡ଼ିଲା । ଏହି ସୁଯୋଗରେ ଆମେରିକୀୟମାନେ ଜର୍ଜ ଓ୍ୱାଶିଙ୍ଗ୍‍ଟନ୍‌ଙ୍କ ନେତୃତ୍ୱରେ ବିଜୟ ପରେ ବିଜୟଲାଭ କଲେ-। ୧୭୮୧ ଖ୍ରୀ: ଡିସେମ୍ୱର ମାସରେ ଇଂରେଜ ସେନାପତି ଲର୍ଡ଼ କର୍ଣ୍ଣୱାଲିସ ୟର୍କଟାଉନଠାରେ ଶୋଚନୀୟ ଭାବରେ ପରାସ୍ତ ହୋଇ ଆତ୍ମସମର୍ପଣ କଲେ । ଏହାଫଳରେ ଉପନିବେଶମାନଙ୍କରେ ବ୍ରିଟିଶ କର୍ତ୍ତୃପକ୍ଷ ଅବସାନ ହେଲା । ଏହି ସମ୍ୱାଦ ଇଂଲଣ୍ତରେ ଚାଞ୍ଚଲ୍ୟ ସୃଷ୍ଟି କଲା ଏବଂ ଲର୍ଡ଼ ନର୍ଥଙ୍କର ମନ୍ତ୍ରିମଣ୍ତଳର ପତନ ହେଲା । ଏହାପରେ ମଧ୍ୟ ଜିବ୍ରାଲଟର, ମିନୋର୍କା ଓ ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜରେ ଯୁଦ୍ଧ ଅବ୍ୟାହତ ରହିଲା । ଅବଶେଷରେ ୧୭୮୩ ଖ୍ରୀ: ସେପ୍‌ଟେମ୍ୱର ୩ ତାରିଖ ଦିନ ପ୍ୟାରିସଠାରେ ଏକ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇ ଆମେରିକାର ସ୍ୱାଧୀନତା ସଂଗ୍ରାମର ଅବସାନ ହେଲା ।

 

ଫଳାଫଳ:–ପ୍ୟାରିସ ଶାନ୍ତିଚୁକ୍ତିଫଳରେ ଆମେରିକାର ତେରଗୋଟିଯାକ ଇଂରେଜ ଉପନିବେଶରେ ବ୍ରିଟିଶ ରାଜତ୍ୱର ଅବସାନ ହେଲା ଏବଂ ସେମାନେ ଏକ ସ୍ୱାଧୀନ ରାଷ୍ଟ୍ରରେ ପରିଣତ ହେଲେ । ୧୭୮୭ ଖ୍ରୀ:ରେ ସେ ଦେଶର ଏକ ସମ୍ବିଧାନ ପ୍ରଣୀତ ହେଲା । ଜର୍ଜ ଓ୍ୱାଶିଙ୍ଗ୍‍ଟନ୍‌ ଏହାର ପ୍ରଥମ ସଭାପତି ହେଲେ । ଏହା ପୃଥିବୀର ସର୍ବପ୍ରଥମ ଲିଖିତ ଗଣତାନ୍ତ୍ରିକ ସମ୍ୱିଧାନ ଥିଲା । ପରିବର୍ତ୍ତୀ କାଳରେ ଅନ୍ୟାନ୍ୟ ଦେଶ ସେମାନଙ୍କର ସମ୍ୱିଧାନ ପ୍ରସ୍ତୁତ କଲା ସମୟରେ ଏହାଦ୍ୱାରା ବିଶେଷ ପ୍ରଭାବିତ ହୋଇଥିଲେ । ସ୍ୱାଧୀନତା ଲାଭର ଅଳ୍ପକାଳ ପରେ ଆମେରିକା ପୃଥିବୀର ଏକ ଶକ୍ତିଶାଳୀ ରାଷ୍ଟ୍ରରୂପେ ମୁଣ୍ତ ଟେକିଲା ।

 

ଆମେରିକାର ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରି ଫ୍ରାନ୍‌ସ ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜରେ ସେଣ୍ଟଲୁସିଆ ଓ ଟୋବାଗୋ ଦ୍ୱୀପ ଏବଂ ପଶ୍ଚିମ ଆଫ୍ରିକାରେ ସେନେଗାଲ ରାଜ୍ୟ ଲାଭ କଲା । ସ୍ପେନ୍‌ ମିନୋର୍କା ଓ ଫ୍ଳୋରିଡ଼ା ଫେରିପାଇଲେ ।

 

ସ୍ୱାଧୀନତା ସଂଗ୍ରାମରେ ଆମେରିକୀୟମାନଙ୍କର ବିଜୟ ଲଣ୍ତନର ଔପନିବେଶିକ ନୀତି ଉପରେ ଦାରୁଣ ଆଘାତ ଦେଲା । ଇଂରେଜମାନେ ଉପଲବ୍ଧି କଲେ ଯେ, କଠୋର ମନୋବୃତ୍ତି ନେଇ ଏକ ବିଦେଶ ରାଷ୍ଟ୍ରକୁ ଆୟତ୍ତ କରାଯାଇ ନପାରେ । ତେଣୁ ଏହାପରେ ସେମାନେ ଉପନିବେଶମାନଙ୍କ ପ୍ରତି ଅପେକ୍ଷାକୃତ ଉଦାର ନୀତି ଅବଲମ୍ୱନ କଲେ । ଫଳରେ ଅଷ୍ଟାଦଶ ଶତକରେ ଏକ ନୂତନ ଉପନିବେଶବାଦର ଅଭ୍ୟୁଦୟ ହେଲା । ଏହାଦ୍ୱାରା ଇଂଲଣ୍ତ ଏକ ବୃହତ୍ତର ସାମ୍ରାଜ୍ୟ ଗଠନ କରିବାରେ ସମର୍ଥ ହେଲା ଏବଂ ସେହି ସାମ୍ରାଜ୍ୟ ବେଶୀକାଳ ସ୍ଥାୟୀ ହୋଇପାରିଲା ।

 

ଆମେରିକାର ସ୍ୱାଧୀନତା ସଂଗ୍ରାମପାଇଁ ତୃତୀୟ ଜର୍ଜଙ୍କର ବ୍ୟକ୍ତିଗତ ଶାସନକୁ ଦାୟୀ କରାଗଲା । ଆମେରିକାରେ ଇଂରେଜ ସେନାବାହିନୀର ବିପର୍ଯ୍ୟୟ ପରେ ଚନିଙ୍ଗ ପାର୍ଲିଆମେଣ୍ଟ୍‍ରେ ପ୍ରସ୍ତାବ ଆଣିଲେ ଯେ ‘‘ରାଜାଙ୍କର କ୍ଷମତା ଯଥେଷ୍ଟ ବୃଦ୍ଧି ପାଇଅଛି, ବୃଦ୍ଧି ପାଉଅଛି ଏବଂ ତାହା ହ୍ରାସ ହେବା ଉଚିତ ।’’ ଏହି ପ୍ରସ୍ତାବ ବହୁ ଭୋଟରେ ଗୃହୀତ ହେଲା ଏବଂ ଫଳରେ ପ୍ରଧାନମନ୍ତ୍ରୀ ଲର୍ଡ଼ ନାର୍ଥଙ୍କର ମନ୍ତ୍ରିମଣ୍ତଳ ଭାଙ୍ଗିଗଲା । ଏହାର କିଛି କାଳ ପରେ ତରୁଣ ପିଟ୍‍ ଏକ ଲୋକପ୍ରିୟ ମନ୍ତ୍ରିମଣ୍ତଳ ଗଠନ କଲେ । ଏହାଦ୍ୱାରା ଇଂଲଣ୍ତରେ ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା ହେଲା । ଆମେରିକାର ସ୍ୱାଧୀନତା ସଂଗ୍ରାମ ସଂଘଟିତ ହୋଇ ନଥିଲେ, ତୃତୀୟ ଜର୍ଜଙ୍କର ବ୍ୟକ୍ତିଗତ ଶାସନ ଆହୁରି କିଛି କାଳ ନିର୍ବିଘ୍ନରେ ଚାଲି ପାରିଥାନ୍ତା ।

 

ଆମେରିକାର ସ୍ୱାଧୀନତା ସଂଗ୍ରାମର ସୁଯୋଗ ନେଇ ଆୟାରଲାଣ୍ତ୍‍ବାସୀ ସ୍ୱାୟତ୍ତ ଶାସନ ଦାବି ଆନ୍ଦୋଳନ କଲେ ଏବଂ ୧୭୮୨ ଖ୍ରୀ:ରେ ସେମାନେ ଆଇନ ପ୍ରଣୟନ ସକାଶେ ସ୍ୱାଧୀନତା ଲାଭ କଲେ ।

 

ଆମେରିକାର ସ୍ୱାଧୀନତା ସଂଗ୍ରାମଫଳରେ ପ୍ରାୟ କୋଡ଼ିଏ ହଜାର ଇଂରେଜ ଔପନିବେଶିକ ଇଂଲଣ୍ତ ପ୍ରତି ଆନୁଗତ୍ୟ ସ୍ୱୀକାର କରି କାନାଡ଼ାରେ ଆଶ୍ରୟ ଗ୍ରହଣ କଲେ । ଏହାପରେ କାନାଡ଼ାରେ ଫରାସୀ ଓ ଇଂରେଜମାନଙ୍କର ସ୍ୱାର୍ଥର ସଂଘର୍ଷ ହେଲା । ଫଳରେ ପ୍ରଧାନମନ୍ତ୍ରୀ ପିଟ୍‍ କାନାଡ଼ା ଆଇନ ପ୍ରଣୟନ କରି ପ୍ରଶାସନିକ ସୁବିଧା ସକାଶେ ସେ ଦେଶକୁ ଦୁଇ ଭାଗରେ ବିଭକ୍ତ କଲେ ।

 

ଫରାସୀ ରାଷ୍ଟ୍ରବିପ୍ଳବରେ ଆମେରିକାର ସ୍ୱାଧୀନତା ସଂଗ୍ରାମର ଏକ ବିଶିଷ୍ଟ ଅବଦାନ ଥିଲା । ଏହି ସମୟରେ ଫ୍ରାନ୍‌ସର ଆର୍ଥିକ ସଙ୍କଟ ଦେଖା ଦେଇଥିଲା । ଆମେରିକୀୟମାନଙ୍କୁ ସାହାଯ୍ୟ କରିବାଦ୍ୱାରା ଆର୍ଥିକ ଅବସ୍ଥା ଆହୁରି ଜଟିଳ ହେଲା । ଗରିବ ଜନସାଧାରଣଙ୍କ ଉପରେ ସେ ଦେଶର ରାଜା ଓ ସମ୍ଭ୍ରାନ୍ତ ଶ୍ରେଣୀର ଅତ୍ୟାଚାର ଅକଥନୀୟ ଥିଲା । ଫ୍ରାନ୍‌ସରୁ ବହୁ ସ୍ୱେଚ୍ଛାସେବକ ଯୁଦ୍ଧପାଇଁ ଆମେରିକା ଯାଇଥିଲେ । ଯୁଦ୍ଧ ପରେ ସେମାନେ ସାମରିକ ଅଭିଜ୍ଞତା ତଥା ସ୍ୱାଧୀନତାର ପ୍ରେରଣା ଘେନି ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କଲେ । ଅନ୍ୟ ଦେଶର ସ୍ୱାଧୀନତା ପାଇଁ ସେମାନେ ଏତେଦିନଯାଏ ଲଢ଼ିବାର ଅଭିଜ୍ଞତା ନେଇ ନିଜ ଦେଶର ମୁକ୍ତି ସକାଶେ ସେମାନେ ବର୍ତ୍ତମାନ ପ୍ରସ୍ତୁତ ହେଲେ । ଫଳରେ ଫରାସୀ ରାଷ୍ଟ୍ରବିପ୍ଳବ ଅବଶ୍ୟମ୍ଭାବୀ ହୋଇପଡ଼ିଲା-

 

ଏହିସବୁ ଆଲୋଚନାକୁ ଆମେରିକାର ସ୍ୱାଧୀନତା ସଂଗ୍ରାମର ପ୍ରଭାବ ସୁଦୂରପ୍ରସାରୀ ଥିଲା ବୋଲି ଉପଲବ୍ଧି ହୁଏ ।

Image

 

ଊନବିଂଶ ଅଧ୍ୟ୍ୟାୟ

ତରୁଣ ପିଟ୍‍ (ଖ୍ରୀ : ୧୭୫୯–୧୮୦୬)

 

ତରୁଣ ପିଟ୍‍ ସପ୍ତବର୍ଷ ବ୍ୟାପୀ ଯୁଦ୍ଧର ନାୟକ ପୂର୍ବକ ଉଇଲିୟମ୍‍ ପିଟ୍‍ଙ୍କର ଦ୍ୱିତୀୟ ପୁତ୍ର ଥିଲେ । ୧୭୫୯ ଖ୍ରୀ:ରେ ଯେଉଁ ସମୟରେ ଇଂଲଣ୍ତ ପୂର୍ବଜ ପିଟ୍‍ଙ୍କର ନେତୃତ୍ୱରେ ବିଜୟ ପରେ ବିଜୟ ହାସଲ କରୁଥିଲା । ସେହି ଗୌରବମୟ ସମ୍ୱତ୍ସରରେ ତରୁଣ ପିଟ୍‍ ଜନ୍ମ ଲାଭ କରିଥିଲେ । ବାଲ୍ୟକାଳରେ ପିଟ୍‍ଙ୍କର ସ୍ୱାସ୍ଥ୍ୟ ଦୁର୍ବଳ ଥିଲା । ତେଣୁ ପିତା ତାଙ୍କୁ ବିଦ୍ୟାଳୟକୁ ନ ପଠାଇ ଗୃହଶିକ୍ଷକ ନିଯୁକ୍ତ କଲେ । ଅତି ଅଳ୍ପ ବୟସରୁ ପିଟ୍‍ଙ୍କର ପ୍ରତିଭା ବିକଶିତ ହୋଇଥିଲା-। ବାରବର୍ଷ ବୟସରେ ସେ କବିତା ରଚନାକରି ପାରୁଥିଲେ ଏବଂ ତାଙ୍କୁ ଯେତେବେଳେ ମାତ୍ର ତେରବର୍ଷ ହୋଇଥିଲା, ସେ ରାଜନୈତିକ ବିଷୟ ବସ୍ତୁ ଉପରେ ଏକ ନାଟକ ପ୍ରସ୍ତୁତ କରିଥିଲେ-। କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ପ୍ରବେଶ କଲା ସମୟରେ ତାଙ୍କୁ ପନ୍ଦରବର୍ଷ ପୂର୍ଣ୍ଣ ହୋଇ ନଥିଲା-। ଉକ୍ତ ବିଶ୍ୱବିଦ୍ୟାଳୟରେ ସାତବର୍ଷ ଅଧ୍ୟୟନ କରି ୧୭୮୦ ଖ୍ରୀ:ରେ ସେ ଓକିଲାତି ଆରମ୍ଭ କଲେ-। ସେହି ବର୍ଷ ସେ ଏକ ନିୟନ୍ତ୍ରିତ ନିର୍ବାଚନ ମଣ୍ତଳୀ ବା ପକେଟ ବୋରୋରୁ ପାର୍ଲିଆମେଣ୍ଟ୍‍କୁ ନିର୍ବାଚିତ ହେଲେ । ପାର୍ଲିଆମେଣ୍ଟ୍‍ରେ ତାଙ୍କର ପ୍ରତିପତ୍ତି ପ୍ରତିଷ୍ଠିତ ହେବାକୁ ଆଦୌ ସମୟ ଲାଗିଲା ନାହିଁ । ସେ କମନ୍‌ସ ସଭାଗୃହରେ ପ୍ରଥମ ବକ୍ତୃତାରେହିଁ ନିଜ ପ୍ରତିଭାର ପରିଚୟ ଦେଇପାରିଥିଲେ । ୧୭୮୨ ଖ୍ରୀ:ରେ ଶେଲବର୍ଣ୍ଣ ମନ୍ତ୍ରିମଣ୍ତଳରେ ସେ ଅର୍ଥମନ୍ତ୍ରୀରୂପେ ନିଯୁକ୍ତ ହେଲେ । ଫକ୍‌ସଙ୍କର ମନ୍ତ୍ରିମଣ୍ତଳ ଭାଙ୍ଗିଯିବା ପରେ ୧୭୮୩ ଖ୍ରୀ:ରେ ତୃତୀୟ ଜର୍ଜ ତାଙ୍କୁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାପାଇଁ ଆହ୍ୱାନ କଲେ ଏବଂ ତଦନୁସାରେ ଡିସେମ୍ୱର ୧୯ ତାରିଖ ଦିନ ସେ ନୂତନ ମନ୍ତ୍ରିମଣ୍ତଳ ଗଠନ କଲେ । ସେହି ସମୟରେ ପିଟ୍‍ଙ୍କର ବୟସ ଥିଲା ମାତ୍ର ଚବିଶବର୍ଷ । ଏତେ ଅଳ୍ପ ବୟସରେ ସେ ଏତେ ବିରାଟ ଦାୟିତ୍ୱ ଗ୍ରହଣ କରିଥିବା ଦେଖି ସମଗ୍ର ଦେଶ ସ୍ତମ୍ଭିତ ହେଲେ । ବିଦ୍ୟାଳୟର ଜଣେ ଛାତ୍ର ହାତରେ ଦେଶକୁ ସମର୍ପଣ କରାଯାଇଛି ବୋଲି ସମାଲୋଚନା ହେଲା । * ଖ୍ରୀଷ୍ଟମାସ ଛୁଟି ପରେ ନୂତନ ବର୍ଷରେ ଏକ ନୂଆ ପ୍ରଧାନମନ୍ତ୍ରୀଙ୍କର ନେତୃତ୍ୱରେ ଆଉ ଏକ ମନ୍ତ୍ରିମଣ୍ତଳ ଗଠିତ ହେବ ବୋଲି ଅନେକ ଆଶା କଲେ । ମାତ୍ର ତରୁଣ ପିଟ୍‍ଙ୍କର ଦୃଢ଼ତା ଓ ଦକ୍ଷତା ଯୋଗୁଁ ସେମାନଙ୍କର ଆଶା ଅଚିରେ ଧୂଳିସାତ୍ ହେଲା । ପିଟ୍‍ଙ୍କର ମନ୍ତ୍ରିମଣ୍ତଳ ବହୁ ବାଧାବିଘ୍ନ ସତ୍ତ୍ୱେ ୧୮୦୧ ଖ୍ରୀ: ପର୍ଯ୍ୟନ୍ତ ଦୃଢ଼ ହୋଇ ରହିଲା । ୧୮୦୧ ଖ୍ରୀ:ରେ ପିଟ୍‍ ଏବଂ ତୃତୀୟ ଜର୍ଜଙ୍କ ମଧ୍ୟରେ ଆୟାରଲାଣ୍ତ୍‍ର କାଥଲିକ୍‍ ସଂପ୍ରଦାୟର ମୁକ୍ତି ବିଷୟରେ ମତାନ୍ତର ହେଲା । ଫଳରେ ପିଟ୍‍ ମନ୍ତ୍ରିମଣ୍ତଳ ତ୍ୟାଗ କଲେ । ଏହାପରେ ଏଡ଼ିଙ୍ଗଟନ ପ୍ରଧାନମନ୍ତ୍ରୀ ରୂପରେ ନିଯୁକ୍ତ ହେଲେ । ଏହି ସମୟରେ ଫରାସୀବୀର ନେପୋଲିଅନଙ୍କର ସାମରିକ କାର୍ଯ୍ୟକଳାପ ଯୋଗୁଁ ଇଂଲଣ୍ତପାଇଁ ସଙ୍କଟ ଘନୀଭୂତ ହୋଇ ଉଠୁଥିଲା । ପରିସ୍ଥିତିର ସମ୍ମୁଖୀନ ହେବାପାଇଁ ଏଡ଼ିଙ୍ଗଟନ ସମର୍ଥ ହେଲେ ନାହିଁ । ପିଟ୍‍ଙ୍କର ମହୀୟାନ୍ ବ୍ୟକ୍ତିତ୍ୱ ଏଡ଼ିଙ୍ଗଟନଙ୍କର ନଥିଲା । ଏହି ସମୟରେ ଏକ ଧ୍ୱନି ଥିଲା–

 

ପିଟ୍‍ଙ୍କ ପାଇଁ ଏଡ଼ିଙ୍ଗଜନ

ଯାହା ଲଣ୍ତନପାଇଁ ପେଡ଼ିଙ୍ଗଟନ୍‌ ।

 

*A Shight to Make Surrounding nations stare A Kingdom trusted te a School boy’s care.

 

ପେଡ଼ିଙ୍ଗଟନ ଇଂଲଣ୍ତର ଏକ କ୍ଷୁଦ୍ର ଗ୍ରାମ ଥିଲା । ପିଟ୍‍ ପୁଣିଥରେ ମନ୍ତ୍ରିମଣ୍ତଳର ନେତୃତ୍ୱ ନିଅନ୍ତୁ ବୋଲି ଦାବି ହେଲା । ଫଳରେ ସେ ମାତୃଭୂମିର ସେବା କରିବାପାଇଁ ୧୮୦୪ ଖ୍ରୀ:ରେ ପୁଣି ଥରେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କଲେ । ୧୮୦୫ ଖ୍ରୀ:ରେ ପିଟ୍‍ ଟ୍ରାଫଲ ଗାର ନୌଯୁଦ୍ଧରେ ଫରାସୀମାନଙ୍କର ବିରୁଦ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ କଲେ । ମାତ୍ର ଏହାର ଅଳ୍ପକାଳ ପରେ ୧୮୦୫ ଖ୍ରୀ:ର ଡିସେମ୍ୱର ମାସରେ ମିତ୍ର ରାଷ୍ଟ୍ର ଅଷ୍ଟ୍ରିଆ ଓ ରୁଷିଆର ମିଳିତ ସେନା ନେପୋଲିଅନଙ୍କଦ୍ୱାରା ଅଷ୍ଟରଲିଜ ଯୁଦ୍ଧରେ ଶୋଚନୀୟ ଭାବରେ ପରାସ୍ତ ହେଲେ । ଅଷ୍ଟ୍ରିଆର ଏହି ବିପର୍ଯ୍ୟୟରେ ପିଟ୍‍ ବିଚଳିତ ହୋଇ ପଡ଼ିଲେ । ତାଙ୍କର ରୁଗ୍‌ଣ ସ୍ୱାସ୍ଥ୍ୟ ଏହି ଆଘାତ ସହ୍ୟ କରିପାରିଲା ନାହିଁ । ଫଳରେ ୧୮୦୬ ଖ୍ରୀ: ଜାନୁଆରୀ ମାସରେ ସେ ଭଗ୍ନହୃଦୟରେ ପ୍ରାଣତ୍ୟାଗ କଲେ ।

 

ଆଭ୍ୟନ୍ତରୀଣ ଶାସନ–ଦେଶରେ ଦୃଢ଼ ଗଣତନ୍ତ୍ର ଶାସନର ପ୍ରତିଷ୍ଠାପାଇଁ ପିଟ୍‍ ଉଦ୍ୟମ କଲେ ଏବଂ ସେଥିପାଇଁ ସେ ପାର୍ଲିଆମେଣ୍ଟ୍‍ର ସମର୍ଥନ ଚାହିଁଲେ । ମାତ୍ର ବହୁ ସଦସ୍ୟ ତାଙ୍କୁ ଅନଭିଜ୍ଞ ବୋଲି ଉପେକ୍ଷା କଲେ । ପିଟ୍‍ ପାର୍ଲିଆମେଣ୍ଟ୍‍କୁ ଭାଙ୍ଗିଦେଇ ୧୭୮୪ ଖ୍ରୀ: ଏପ୍ରିଲ ମାସରେ ସାଧାରଣ ନିର୍ବାଚନର ଆୟୋଜନ କଲେ । ଏଥର ସେ ବିପୁଳ ବିଜୟ ଲାଭ କଲେ ଏବଂ ତାଙ୍କ ଦଳ ପାର୍ଲିଆମେଣ୍ଟ୍‍ରେ ସଂଖ୍ୟାଗରିଷ୍ଠ ହେଲା । ଦେଶ ତାଙ୍କର ନେତୃତ୍ୱକୁ ସ୍ୱୀକାର କଲା । ପାର୍ଲିଆମେଣ୍ଟ୍‍ରେ ତାଙ୍କର ପ୍ରତିଷ୍ଠା ଦୃଢ଼ ହେଲା । ଏହାଛଡ଼ା ପିଟ୍‍ ରାଜା ତୃତୀୟ ଜର୍ଜଙ୍କର ଅତୀବ ବିଶ୍ୱସ୍ତ ଥିଲେ । ରାଜା ସ୍ୱଇଚ୍ଛାରେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରେ ମନୋନୀତ କରିଥିଲେ । ପିଟ୍‍ଙ୍କୁ କ୍ଷମତାରୁ ଅନ୍ତର କଲେ ରାଜାଙ୍କୁ ହୁଇଗ୍ ଦଳ ଉପରେ ନିର୍ଭର କରିବାକୁ ପଡ଼ୁଥିଲା । ରାଜା ତାହା ଆଦୌ ଚାହୁଁ ନଥିଲେ । ତେଣୁ ସେ ପିଟ୍‍ଙ୍କର ଶକ୍ତିବୃଦ୍ଧିର ଅନ୍ତରାୟ ହୋଇ ପାରିଲେ ନାହିଁ । ଏହାଛଡ଼ା, ଏହି ସମୟରେ ରାଜାଙ୍କର ସ୍ୱାସ୍ଥ୍ୟର ଅବନତି ହୋଇଥିଲା ଏବଂ ସେ ଶାସନ କାର୍ଯ୍ୟରେ ପୂର୍ବଭଳି ସକ୍ରିୟ ଅଂଶଗ୍ରହଣ କରି ପାରିଲେ ନାହିଁ ଫଳରେ ତରୁଣ ପିଟ୍‍ ରାଜା ତଥା ଜନତାର ବିପୁଳ ସମର୍ଥନ ଲାଭ କରି ଶକ୍ତିଶାଳୀ ହେଲେ । ତାଙ୍କର ବଳିଷ୍ଠ ନେତୃତ୍ୱରେ ମନ୍ତ୍ରିମଣ୍ତଳର ଗଣତାନ୍ତ୍ରିକ ଶାସନ ପ୍ରତିଷ୍ଠିତ ହେଲା ଏବଂ ତୃତୀୟ ଜର୍ଜଙ୍କର ବ୍ୟକ୍ତିଗତ ଶାସନର ଅବସାନ ହେଲା-

 

ଅର୍ଥନୈତିକ ସଂସ୍କାର–ୱାଲପୋଲଙ୍କ ଭଳି ତରୁଣ ପିଟ୍‍ ମୁଖ୍ୟତଃ ଜଣେ ଶାନ୍ତିକାମୀ ପ୍ରଧାନମନ୍ତ୍ରୀ ତଥା ବାସ୍ତବବାଦୀ ଅର୍ଥବିତ୍‌ ଥିଲେ । ‘‘ଶାନ୍ତି, ସଂସ୍କାର ଓ ବ୍ୟୟ ସଙ୍କୋଚ’’ ତାଙ୍କର ପ୍ରଧାନ ନୀତି ଥିଲା ।

 

ପିଟ୍‍ କ୍ଷମତା ଗ୍ରହଣ କଲା ସମୟରେ ଦେଶର ଆର୍ଥିକ ଅବସ୍ଥା ଶୋଚନୀୟ ଥିଲା । ଆମେରିକୀୟ ଯୁଦ୍ଧରେ ଇଂଲଣ୍ତ ଅଜସ୍ର ଅର୍ଥ ବ୍ୟୟ କରିଥିଲା । ଲର୍ଡ଼ ନର୍ଥଙ୍କର କୁଶାସନ ଯୋଗୁଁ ଅର୍ଥ ବିଭାଗ ବିପର୍ଯ୍ୟସ୍ତ ହୋଇ ପଡ଼ିଥିଲା । ଜାତୀୟ ୠଣ ବହୁ ପରିମାଣରେ ବଢ଼ିଯାଇଥିଲା । ଯେତିକି ରାଜସ୍ୱ ଆଦାୟ ହେବା କଥା ତାହା ହୋଇ ପାରୁ ନଥିଲା । ଫଳରେ ଦେଶ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲା । ପ୍ରଧାନମନ୍ତ୍ରୀ ପିଟ୍ ଏହି ସଙ୍କଟର ଆଶୁ ସମାଧାନପାଇଁ ଦୃଢ଼ପରିକର ହେଲେ । ସେ ଆଡ଼ାମ ସ୍ମିଥଙ୍କର ‘‘ଉଏଲ୍‌ଥ ଅଫ୍‌ ନେସନସ୍‌’’ ପୁସ୍ତକର ଅନୁସରଣରେ ଦେଶର ଅର୍ଥନୈତିକ ସଂସ୍କାରପାଇଁ ଉଦ୍ୟମ କଲେ । ଆଡ଼ାମସ୍ମିଥ ପିଟ୍‍ଙ୍କର ଜଣେ ବ୍ୟକ୍ତିଗତ ବନ୍ଧୁଥିଲେ ଏବଂ ତାଙ୍କର ‘‘ଉଏଲଥ୍‌ ଅଫ୍‌ ନେସନସ୍‌’’ ଗ୍ରନ୍ଥ ୧୭୭୮ ଖ୍ରୀ:ରେ ପ୍ରକାଶିତ ହୋଇଥିଲା ।

 

ଇଂଲଣ୍ତର ଆର୍ଥିକ ସଙ୍କଟର ସମାଧାନ ପାଇଁ ପିଟ୍‍ ୧୭୮୪ ଓ ୧୭୮୫ ଖ୍ରୀ:ରେ ଏକ ସମୟୋଚିତ ବଜେଟ ପ୍ରସ୍ତୁତ କଲେ । ସେ କରଧାର୍ଯ୍ୟ ନୀତିର ସଂସ୍କାର କରି ବହୁ ଅନାବଶ୍ୟକ କର ପ୍ରତ୍ୟାହାର କରିନେଲେ ଏବଂ କେତେକ କରର ପରିମାଣ ମଧ୍ୟ କମାଇ ଦେଲେ । ବିଶେଷତଃ ରତ୍ପାନୀ ଓ ଆମଦାନୀ ଦ୍ରବ୍ୟ ଉପରେ ଶୁଳ୍କ ବହୁ ପରିମାଣରେ କମାଇ ଦିଆଗଲା । ଏହାଦ୍ୱାରା ଦେଶରେ ଚୋରା ବାଣିଜ୍ୟ କାରବାରର ଲୋପ ହେଲା ଏବଂ ବାଣିଜ୍ୟ ବ୍ୟବସାୟ ବୃଦ୍ଧି ପାଇଲା । ସଂଶୋଧିତ କର ସବୁର ଆଦାୟପାଇଁ ଦୃଢ଼ ପଦକ୍ଷେପ ନିଆଗଲା । ସଂଗୃହୀତ ଅର୍ଥ ପ୍ରଥମେ ଏକ ସାଧାରଣ ସଞ୍ଚିତ ପାଣ୍ଠିରେ ଜମା କରାଯାଇ ତହିଁରୁ ବିଭିନ୍ନ ବିଭାଗରେ ଖର୍ଚ୍ଚ ମଞ୍ଜୁର କରାଗଲା । ଏହାଦ୍ୱାରା ଦେଶର ଆୟବ୍ୟୟର ହିସାବ ସହଜ ହେଲା ।

 

ଜାତୀୟ ୠଣର ପରିଶୋଧ ପାଇଁ ପିଟ୍‍ ୧୭୮୬ ଖ୍ରୀ:ରେ ଏକ ସ୍ଥାୟୀ ପାଣ୍ଠିର ପ୍ରତିଷ୍ଠା କରି ତହିଁରେ ପ୍ରତିବର୍ଷ ଏକ ନିୟୁତ ପାଉଣ୍ତ ଅର୍ଥ ଜମାକଲେ । ୧୭୮୩ ଖ୍ରୀ:ରେ ଇଂଲଣ୍ତର ଜାତୀୟ ୠଣ ୨୫୦ ନିୟୁତ ପାଉଣ୍ତରେ ପହଞ୍ଚିଥିଲା । ସ୍ଥାୟୀ ପାଣ୍ଠି ସାହାଯ୍ୟରେ ପିଟ୍‍ ଏହି ୠଣକୁ ୨୮ ବର୍ଷରେ ପରିଶୋଧ କରିଦେବା ପାଇଁ ଆଶା କରିଥିଲେ । ମାତ୍ର ଫ୍ରାନ୍‌ସ ସହିତ ତୁମୂଳ ଯୁଦ୍ଧରେ ଦୀର୍ଘକାଳ ବ୍ୟାପୃତ ରହିବାଫଳରେ ଇଂଲଣ୍ତର ଏହି ଆଶା ଚରିତାର୍ଥ ହୋଇ ପାରିଲା ନାହିଁ-

 

ପିଟ୍‍ ଶାସନ କ୍ଷେତ୍ରରେ ବ୍ୟୟ ସଙ୍କୋଚ ଓ କାର୍ଯ୍ୟ ଦକ୍ଷତା ଉପରେ ବିଶେଷ ଗୁରୁତ୍ୱ ଦେଲେ । ସେଥିପାଇଁ ସେ କେତେକ ଅନାବଶ୍ୟକ ଚାକିରି ଓ ପଦବୀ ଉଠାଇ ଦେଲେ । ବିଭିନ୍ନ ବିଭାଗରେ ସରକାରଙ୍କର ଆୟବ୍ୟୟର ସମୀକ୍ଷଣ ପାଇଁ ପାଞ୍ଚଜଣ କମିଶନରଙ୍କୁ ନେଇ ଏକ ବୋର୍ଡ଼ ଗଠିତ ହେଲା । ଏତଦ୍ଦ୍ୱାରା ସରକାରୀ ଅର୍ଥର ଅପବ୍ୟୟ ବହୁ ପରିମାଣରେ କମିଗଲା ଏବଂ ଶାସନ କଳ ନିର୍ମଳ ଓ ଅଧିକ କାର୍ଯ୍ୟକ୍ଷମ ହେଲା ।

 

ପିଟ୍‍ ଦେଶର ସମୃଦ୍ଧିପାଇଁ ଅବାଧ ବାଣିଜ୍ୟ ଉପରେ ବିଶ୍ୱାସ କରୁଥିଲେ । ଏ ଦିଗରେ ସେ ପ୍ରଥମେ ଆୟାରଲାଣ୍ତ୍ ଓ ଫ୍ରାନ୍‌ସ ସହିତ ବାଣିଜ୍ୟ ଚୁକ୍ତି କରିବାପାଇଁ ଉଦ୍ୟମ କଲେ । ଆୟାରଲାଣ୍ତ୍ ସହ ତାଙ୍କର ଉଦ୍ୟମ ନିଜ ଦଳର ସଦସ୍ୟମାନଙ୍କ ପ୍ରତିରୋଧ ଯୋଗୁଁ ସଫଳ ହୋଇପାରିଲା ନାହିଁ । ମାତ୍ର ୧୭୮୬ ଖ୍ରୀ:ରେ ଫ୍ରାନ୍‌ସ ସହ ଏକ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କଲେ । ଏହାଫଳରେ ଉଭୟ ଦେଶ ମଧ୍ୟରେ ରତ୍ପାନୀ ଓ ଆମଦାନୀ ଶୁଳ୍କ ବହୁପରିମାଣରେ ହ୍ରାସ ପାଇ ବାଣିଜ୍ୟ ବିକାଶର ପଥ ସୁଗମ ହେଲା । ମାତ୍ର ଏହାପରେ ଫରାସୀ ରାଷ୍ଟ୍ରବିପ୍ଳବ ସଂଘଟିତ ହେଲା ଏବଂ ଇଂଲଣ୍ତ ଓ ଫ୍ରାନ୍‌ସ ମଧ୍ୟରେ ପୁଣି ଯୁଦ୍ଧ ଆରମ୍ଭ ହେଲା । ତେଣୁ ୧୭୮୬ ଖ୍ରୀ:ର ବାଣିଜ୍ୟ ଚୁକ୍ତି ବିଶେଷ ଫଳପ୍ରଦ ହୋଇ ପାରିଲା ନାହିଁ ।

 

ପିଟ୍‍ଙ୍କର ଭାରତ ଆଇନ–(୧୭୮୪ ଖ୍ରୀ:) ଏହି ସମୟରେ ଇଷ୍ଟ ଇଣ୍ତିଆ କମ୍ପାନୀ ଭାରତରେ ଅଧିକରୁ ଅଧିକତର ଶକ୍ତିଶାଳୀ ହୋଇ ଉଠୁଥିଲା । ଏହି ଦେଶପାଇଁ ଲର୍ଡ଼ ନର୍ଥଙ୍କର ୧୭୭୩ ଖ୍ରୀ:ର ନିୟନ୍ତ୍ରଣ ଆଇନ ବିଫଳ ହେବାପରେ ଭାରତୀୟ ସମସ୍ୟାର ନୂତନ ସମାଧାନ ଅତ୍ୟାବଶ୍ୟକ ହୋଇଥିଲା । ସୁତରାଂ ପିଟ୍‍ ୧୭୮୪ ଖ୍ରୀ:ରେ ତାଙ୍କର ଭାରତ ଆଇନ ପ୍ରଣୟନ କଲେ । ଏହାଫଳରେ ଭାରତର ଗଭର୍ଣ୍ଣର–ଜେନେରାଲ୍‍ଙ୍କର କ୍ଷମତା ବୃଦ୍ଧିହେଲା ଏବଂ ଇଷ୍ଟ ଇଣ୍ତିଆ କମ୍ପାନୀକୁ ନିୟନ୍ତ୍ରଣ କରିବାପାଇଁ ଇଂଲଣ୍ତରେ ଏକ ନିୟନ୍ତ୍ରଣ ବୋର୍ଡ଼ ଗଠିତ ହେଲା ।

 

ଗଭର୍ଣ୍ଣର–ଜେନେରାଲ୍‍ ଓ ନିୟନ୍ତ୍ରଣ ବୋର୍ଡ଼ ରାଜାଙ୍କଦ୍ୱାରା ନିଯୁକ୍ତ ହୋଇଥିବାରୁ ଭାରତ ବ୍ୟାପାର ଇଂରେଜ ସରକାରଙ୍କର ନିୟନ୍ତ୍ରଣାଧୀନରେ ରହିଲା ।

 

କାନାଡ଼ା ଆଇନ (୧୭୯୧ ଖ୍ରୀ:)–ଉପନିବେଶମାନଙ୍କ ପ୍ରତି ପିଟ୍‍ଙ୍କର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା କାନାଡ଼ା ଆଇନ । ଆମେରିକାର ସ୍ୱାଧୀନତା ସଂଗ୍ରାମ ସମୟରେ କାନାଡ଼ାର ଫରାସୀଲୋକଙ୍କୁ ବିଶେଷତଃ ରୋମାନ୍ କାଥଲିକ୍‍ ସଂପ୍ରଦାୟଙ୍କୁ ସନ୍ତୁଷ୍ଟ କରିବାପାଇଁ ଲର୍ଡ଼ ନର୍ଥ ୧୭୭୪ ଖ୍ରୀ:ରେ କ୍ୟୁବେକ ଆଇନ ପ୍ରଣୟନ କରିଥିଲେ । ସ୍ୱାଧୀନତା ସଂଗ୍ରାମଫଳରେ ପ୍ରାୟ କୋଡ଼ିଏ ହଜାର ଇଂରେଜ ଔପନିବେଶିକ ଇଂଲଣ୍ତ ପ୍ରତି ଆନୁଗତ୍ୟ ସ୍ୱୀକାର କରି କାନାଡ଼ାରେ ଆଶ୍ରୟ ଗ୍ରହଣ କଲେ । ଏହାପରେ, ସେ ଦେଶରେ ଫରାସୀ ଓ ଇଂରେଜମାନଙ୍କର ସ୍ୱାର୍ଥର ସଂଘର୍ଷ ହେଲା । ଉଭୟ ଶ୍ରେଣୀର ଲୋକଙ୍କୁ ସନ୍ତୁଷ୍ଟ କରିବା ସକାଶେ ପିଟ୍‍ ୧୭୯୧ ଖ୍ରୀ:ରେ କାନାଡ଼ା ଆଇନ ପ୍ରଣୟନ କଲେ । ଏହାଫଳରେ କାନାଡ଼ା ଦୁଇଟି ପ୍ରଦେଶରେ ବିଭକ୍ତ ହୋଇ ପୂର୍ବାଞ୍ଚଳ ନିମ୍ନ କାନାଡ଼ା ବା କ୍ୟୁବେକ ନାମରେ ଏବଂ ପଶ୍ଚିମାଞ୍ଚଳ ଉଚ୍ଚ କାନାଡ଼ା ବା ଓଣ୍ଟାରିଓ ନାମରେ ଅଭିହିତ ହେଲା । ପ୍ରତ୍ୟେକ ପ୍ରଦେଶ ଜଣେ ପ୍ରଶାସକଙ୍କର ଅଧୀନରେ କେତେକାଂଶରେ ସ୍ୱାୟତ୍ତ ଶାସନ ଉପଭୋଗ କଲା ।

 

ଅଷ୍ଟ୍ରେଲିଆ–ପିଟ୍‍ଙ୍କ ସମୟରେ ଅଷ୍ଟ୍ରେଲିଆରେ ପ୍ରଥମେ ଇଂରେଜ ବସତି ସ୍ଥାପିତ ହେଲା । କ୍ୟାପ୍‌ଟେନ୍ କ୍ୟୁକଙ୍କର ଅଷ୍ଟ୍ରେଲିଆ ଆବିଷ୍କାର ପରେ ୧୭୮୬ ଖ୍ରୀ:ରେ ଇଂରେଜ ଅପରାଧୀମାନଙ୍କୁ ସେଠାକୁ ପ୍ରେରଣ କରିବାପାଇଁ ସ୍ଥିରହେଲା । ଏହା ପୂର୍ବରୁ ଆମେରିକୀୟ ଉପନିବେଶଗୁଡ଼ିକ ଏହି ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିଲା । ପିଟ୍‍ଙ୍କର ମନ୍ତ୍ରିମଣ୍ତଳର ସ୍ୱରାଷ୍ଟ୍ର ମନ୍ତ୍ରୀ ଲର୍ଡ଼ ସିଡ଼ନୀ ପ୍ରଥମେ ଦଳେ ଅପରାଧୀଙ୍କୁ ଅଷ୍ଟ୍ରେଲିଆକୁ ପଠାଇଲେ ଏବଂ ସେମାନେ ସେହି ମହାଦେଶର ଯେଉଁ ଅଞ୍ଚଳରେ ବସତି ସ୍ଥାପନ କଲେ, ତାହା ମନ୍ତ୍ରୀଙ୍କର ନାମାନୁସାରେ ସିଡ଼ନୀ ହୋଇ ରହିଲା ।

 

ପାର୍ଲିଆମେଣ୍ଟ୍‍ର ସଂସ୍କାର–ପିଟ୍‍ ପାର୍ଲିଆମେଣ୍ଟ୍‍ର ନିର୍ବାଚନ ମଣ୍ତଳୀରେ କେତେକ ସଂସ୍କାର କରିବାପାଇଁ ଉଦ୍ୟମ କଲେ । ସେଥିପାଇଁ ସେ ୧୭୮୫ ଖ୍ରୀ:ରେ ଏକ ବିଲ୍ ଉପସ୍ଥାପିତ କଲେ ଯାହାଫଳରେ ୩୬ ଗୋଟି ଧ୍ୱଂସମୁଖୀ ନିର୍ବାଚନ ମଣ୍ତଳୀ ବା ରଟନ୍‌ ଚୋରୋ ପାର୍ଲିଆମେଣ୍ଟ୍‍କୁ ପ୍ରତିନିଧି ପଠାଇବାର ଅଧିକାର ହରାଇଥାନ୍ତେ ଏବଂ ସେହି ଅଞ୍ଚଳରୁ ନିର୍ବାଚିତ ହେଉଥିବା ୭୧ ଜଣ ସଦସ୍ୟ ଅନ୍ୟାନ୍ୟ ଜନବହୁଳ ଅଞ୍ଚଳରୁ ନିର୍ବାଚିତ ହୋଇଥାନ୍ତେ । ମାତ୍ର ଏହି ବିଲ୍ ପାର୍ଲିଆମେଣ୍ଟ୍‍ରେ ଗୃହୀତ ହେଲାନାହିଁ । ଏହାପରେ ଫରାସୀ ରାଷ୍ଟ୍ରବିପ୍ଳବର କୁ–ପରିଣାମ ଇଂଲଣ୍ତରେ ଆଶଙ୍କା କରାଗଲା । ତେଣୁ ପିଟ୍‍ ସବୁ ପ୍ରକାର ସଂସ୍ଥାର ମୂଳକ କାର୍ଯ୍ୟକ୍ରମ ସ୍ଥଗିତ ରଖିଲେ । ତାଙ୍କ ପକ୍ଷରେ ଯୁକ୍ତି ହେଲା ଯେ ବାହାରେ ପ୍ରବଳ ବର୍ଷା ହେଉଥିବା ସମୟରେ ଗୃହ ମରାମତିର ପ୍ରଶ୍ନ ଉଠିପାରେ ନାହିଁ ।

 

*One Cannot repair one’s house in a hurricane

 

କେବଳ ସଂସ୍କାର କାର୍ଯ୍ୟକ୍ରମକୁ ବନ୍ଦ କରିଦେଇ ପିଟ୍‍ ସନ୍ତୁଷ୍ଟ ହେଲେ ନାହିଁ । ବିପ୍ଳବର ସାମାନ୍ୟ ସଙ୍କେତ ଦେଖାଦେଲାମାତ୍ରେ ସେ ତାହା ଦୃଢ଼ହସ୍ତରେ ଦମନ କଲେ । ଏହି ସମୟରେ ଇଂଲଣ୍ତର ବହୁ ସ୍ଥାନରେ ‘କରେସପଣ୍ତିଙ୍କ ସୋସାଇଟି’ ନାମକ ସଂଘ ସ୍ଥାପିତ ହୋଇଥିଲା । ଲଣ୍ତନ ସୋସାଇଟି ତନ୍ମଧ୍ୟରୁ ବୃହତ୍ତମ ଥିଲା । ଏହାର ସଦସ୍ୟ ସଂଖ୍ୟା ତିନି ସହସ୍ର ଥିଲା ଏବଂ ଏହାର ନେତୃତ୍ୱ ନେଇଥିଲେ ସୁଲେଖକ ଟମାସ୍‍ ହାର୍ଡ଼ି । ଏହି ସଂଘଗୁଡ଼ିକ ସମୟ ସମୟରେ ସଭା ଓ ଶୋଭାଯାତ୍ରା ଆୟୋଜନ କରି ପାର୍ଲିଆମେଣ୍ଟ୍‍ର ସଂସ୍କାରପାଇଁ ଦାବି କରୁଥିଲେ । ଏମାନେ ଏବଂ ଅନ୍ୟାନ୍ୟ ସଂଘ ଫରାସୀ ବିପ୍ଳବକୁ ସ୍ୱାଗତକଲେ । ପିଟ୍‍ ଏହି ସଂଘ ସବୁକୁ ବେଆଇନ ଘୋଷଣାକରି ସେଗୁଡ଼ିକର ସହସ୍ୟ ଓ ନେତାମାନଙ୍କୁ ଦମନ କଲେ । ପାର୍ଲିଆମେଣ୍ଟ୍‍କୁ ଅଧିକ ସଂଖ୍ୟକ ସଦସ୍ୟ ପଠାଇବା ପାଇଁ ଦାବି କରୁଥିବା ସ୍କଟ୍‍ଲାଣ୍ତ୍‍ର ନେତାମାନଙ୍କ ମଧ୍ୟରୁ ଅନେକେ ନିର୍ବାସନ ଦଣ୍ତ ବା ମୃତ୍ୟୁଦଣ୍ତ ପାଇଲେ । ୧୭୯୪ ଖ୍ରୀ:ରେ ହବିଅସ୍‌ କରପସ୍‌ ଆଇନକୁ ସ୍ଥଗିତ ରଖାଯାଇ ବିନା ବିଚାରରେ ଲୋକଙ୍କୁ କାରାଦଣ୍ତ ଦିଆଗଲା । ରାଜନୈତିକ ସଭା ଓ ଶୋଭାଯାତ୍ରା ଆଇନ ବିରୁଦ୍ଧ ବୋଲି ଘୋଷିତ ହେଲା । ବିଦେଶୀ ଲୋକଙ୍କୁ ସନ୍ଦେହମାତ୍ରକେ ଇଂଲଣ୍ତରୁ ବହିଷ୍କୃତ କରାଗଲା । ରାଜା ବା ସରକାରଙ୍କର କୌଣସି ପ୍ରକାର ସମାଲୋଚନା ନିଷେଧ ହେଲା । କଳକାରଖାନାର ଶ୍ରମିକମାନଙ୍କର ସଂଘ ସବୁକୁ ଭାଙ୍ଗିଦିଆଗଲା । ଏହି ସମୟରେ ଇଂଲଣ୍ତରେ ବିପ୍ଳବର ବାତାବରଣ ନଥିଲା । ତେଣୁ ପିଟ୍‍ଙ୍କର ଦମନ ନୀତି ଅନାବଶ୍ୟକ ଥିଲା ବୋଲି କୁହାଯାଏ-। ଏହାଦ୍ୱାରା ଇଂରେଜମାନେ ସେମାନଙ୍କର ମୌଳିକ ଅଧିକାର ହରାଇଲେ ।

 

ପିଟ୍‍ଙ୍କର ଆୟାରଲାଣ୍ତ୍‍ ନୀତି–ଇଂଲଣ୍ତ ସହିତ ଆୟାରଲାଣ୍ତ୍‍ର ସମ୍ମିଶ୍ରଣ ପିଟ୍‍ଙ୍କର ଅନ୍ୟ ଏକ ପ୍ରଶାସନିକ ପଦକ୍ଷେପ ଥିଲା । ଟିଉଡ଼ର୍ ଶାସନର ଆରମ୍ଭରୁ ଆୟାରଲାଣ୍ତ୍ ଇଂଲଣ୍ତର ଅଧୀନ ହୋଇ ରହିଥିଲା । ସେହି ଦେଶର ଅଧିବାସୀମାନେ ମୁଖ୍ୟତଃ କାଥଲିକ୍ ସଂପ୍ରଦାୟର ଥିଲେ । ଏମାନେ ୧୬୮୯ ଖ୍ରୀ: ପରେ ରାଜନୈତିକ ଜୀବନରେ କୌଣସି ଅଂଶଗ୍ରହଣ କରି ପାରିଲେ ନାହିଁ-। ଭୋଟ ଦେବାର କ୍ଷମତା ବା ଆଇରିସ୍‌ ପାର୍ଲିଆମେଣ୍ଟ୍‍ର ସଦସ୍ୟ ହେବାର ଯୋଗ୍ୟତାରୁ ସେମାନଙ୍କୁ ବଞ୍ଚିତ କରାଗଲା । କୌଣସି ସରକାରୀ ଚାକିରି ମଧ୍ୟ ସେମାନଙ୍କୁ ଦିଆଗଲା ନାହିଁ-। ପ୍ରୋଟେଷ୍ଟାଣ୍ଟ୍ ଗିର୍ଜାର ପରିଚାଳନା ପାଇଁ ସେମାନଙ୍କୁ ଧର୍ମ କର ଦେବାକୁ ପଡ଼ୁଥିଲା । ଆୟାରଲାଣ୍ତ୍ ପାର୍ଲିଆମେଣ୍ଟ୍‍ରେ ପ୍ରଣୀତ ଆଇନ ବ୍ରିଟିଶ ସରକାରଙ୍କଦ୍ୱାରା ଅନୁମୋଦିତ ନହେଲେ କାର୍ଯ୍ୟକାରୀ ହୋଇପାରୁ ନଥିଲା । ବ୍ରିଟିଶ ପାର୍ଲିଆମେଣ୍ଟ୍‍ ଆୟାରଲାଣ୍ତ୍ ପାଇଁ ଆଇନ ପ୍ରଣୟନ କରିପାରୁଥିଲେ-। ଆୟାରଲାଣ୍ତ୍‍ର ଶାସନସଂସ୍ଥା ଇଂଲଣ୍ତର ମନ୍ତ୍ରିମଣ୍ତଳର ନିୟନ୍ତ୍ରଣରେ ଥିଲା । ଆୟାରଲାଣ୍ତ୍‍ର ଚାଷ ଜମିର ପ୍ରାୟ ତ୍ରୟ ଚତୁର୍ଥାଂଶ ଇଂରେଜ ଜମିଦାରଙ୍କ ଅଧୀନରେ ଥିଲା ଏବଂ ସେ ଦେଶର ଚାଷୀକୁଳ ଦରିଦ୍ର ଓ ନିଷ୍ପେଷିତ ଥିଲେ । ଆମେରିକାର ସ୍ୱାଧୀନତା ସଂଗ୍ରାମ ସମୟରେ ଆୟାରଲାଣ୍ତ୍‍ ହେନେରୀ ଗ୍ରେଟନଙ୍କ ନେତୃତ୍ୱରେ ଆନ୍ଦୋଳନ କରି ଆଇନ ପ୍ରଣୟନ ଅଧିକାର ଲାଭ କଲା । ମାତ୍ର ଏହାଦ୍ୱାରା ସମସ୍ୟାର ସମାଧନ ହେଲାନାହିଁ । ୧୭୯୮ ଖ୍ରୀ:ରେ ଆୟାରଲାଣ୍ତ୍‍ରେ ବିପ୍ଳବର ବହ୍ନି ପ୍ରଜ୍ଜ୍ୱଳିତ ହେଲା । ଧର୍ମଯାଜକମାନେ ମଧ୍ୟ ଏଥିରେ ସକ୍ରିୟ ଅଂଶଗ୍ରହଣ କରି ଆସି ଧାରଣ କଲେ । ବିପ୍ଳବୀମାନେ ଫ୍ରାନ୍‌ସର ସାହାଯ୍ୟ ସମର୍ଥନ ଆଶା କରିଥିଲେ । ମାତ୍ର ତାହା ଠିକ୍ ସମୟରେ ପହଞ୍ଚି ପାରିଲା ନାହିଁ । ଇଂରେଜ ସରକାର ନିର୍ମମ ଭାବରେ ବିପ୍ଳବ ଦମନ କଲେ । ଏହାପରେ ପିଟ୍‍ ଉପଲବ୍ଧି କଲେ ଯେ ବଳ ପ୍ରୟୋଗଦ୍ୱାରା ଆୟାରଲାଣ୍ତ୍‍ ସମସ୍ୟାର ସ୍ଥାୟୀ ସମାଧାନ ହୋଇ ନ ପାରେ । ତେଣୁ ସେ ଉଭୟ ଦେଶର ସମ୍ମିଶ୍ରଣ ପାଇଁ ଏକ ଆଇନ ପ୍ରଣୟନ କଲେ । ୧୭୯୯ ଖ୍ରୀ: ଜାନୁଆରୀ ମାସରେ ଏହି ଆଇନ ପ୍ରଥମେ ପାର୍ଲିଆମେଣ୍ଟ୍‍ରେ ଉପସ୍ଥାପିତ କରାଗଲା । ମାତ୍ର ସେଠାରେ ତାହା ସମର୍ଥନ ଲାଭ କଲାନାହିଁ । ଏହାର ବର୍ଷକ ପରେ ୧୮୦୦ ଖ୍ରୀ:ର ଫେବୃୟାରୀ ମାସରେ ଏହା ପୁଣି ଥରେ ଉପସ୍ଥାପିତ କରାଗଲା । ଏବଂ ତାହା କୌଣସିମତେ ଗୃହୀତ କରାଇ ନେବାପାଇଁ ସବୁ ପ୍ରକାର ଉଦ୍ୟମ କରାଗଲା । ସେଥିପାଇଁ ବହୁ ସଦସ୍ୟଙ୍କୁ ଉତ୍କୋଚ ମଧ୍ୟ ପ୍ରଦାନ କରାଗଲା । କାଥଲିକ୍ ସଂପ୍ରଦାୟର ସମର୍ଥନ ଲାଭ କରିବାପାଇଁ ପିଟ୍‍ ସମ୍ମିଶ୍ରଣ ପରେ ସେମାନଙ୍କୁ ସବୁ ପ୍ରକାର ବନ୍ଧନରୁ ମୁକ୍ତ କରିବାପାଇଁ ପ୍ରତିଶ୍ରୁତି ଦେଲେ । ପିଟ୍‍ଙ୍କର ଉଦ୍ୟମ ସଫଳ ହେଲା ଏବଂ ୧୮୦୦ ଖ୍ରୀ:ରେ ସମ୍ମିଶ୍ରଣ ଆଇନ ଗୃହୀତ ହେଲା ।

 

ସମ୍ମିଶ୍ରଣ ଆଇନଫଳରେ ଆୟାରଲାଣ୍ତ୍‍ ଓ ଇଂଲଣ୍ତ ମିଶିଗଲେ ଏବଂ ସେ ଦେଶ ଯୁକ୍ତରାଷ୍ଟ୍ର ନାମରେ ଅଭିହିତ ହେଲା । ଆୟାରଲାଣ୍ତ୍‍ର ପାର୍ଲିଆମେଣ୍ଟ୍‍କୁ ଭାଙ୍ଗିଦେଇ ଇଂଲଣ୍ତ ପାର୍ଲିଆମେଣ୍ଟ୍‍ର କଳେବର ବୃଦ୍ଧି କରାଗଲା । ଆୟାରଲାଣ୍ତ୍ କମନ୍‌ସ ସଭାକୁ ୧୦୦ ଜଣ ସଦସ୍ୟ ଓ ଲର୍ଡ଼ ସଭାକୁ ୩୨ ଜଣ ସଦସ୍ୟ ପଠାଇ ପାରିଲା । ଉଭୟ ଦେଶର ଗିର୍ଜାର ସମ୍ମିଶ୍ରଣ ହେଲା । ଆଇରିସମାନେ ଇଂରେଜମାନଙ୍କ ସହ ସମାନ ଅଧିକାର ଓ ସୁବିଧା ଲାଭ କଲେ । ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଉପରେ ସବୁ ପ୍ରକାର କଟକଣା ଉଠାଇ ଦିଆଗଲା । ସମ୍ମିଶ୍ରଣ ପୂର୍ବରୁ ଆୟାରଲାଣ୍ତ୍‍ରେ ପ୍ରଚଳିତ ଥିବା ଆଇନ ସବୁ ସେଠାରେ ବଳବତ୍ତର ରହିଲା ।

 

କିନ୍ତୁ ଇଂଲଣ୍ତ ସହ ଆୟାରଲାଣ୍ତ୍‍ର ମିଶ୍ରଣ ଫଳପ୍ରଦ ହୋଇପାରିଲା ନାହିଁ । ଆୟାରଲାଣ୍ତ୍‍ରେ ଏହା ଲୋକପ୍ରିୟ ହୋଇ ନଥିଲା । ବଳପ୍ରୟୋଗ, ଉତ୍କୋଚ ପ୍ରଦାନ ପ୍ରଭୃତି ଅସତ୍‌ ପନ୍ଥା ଅବଲମ୍ୱନ କରାଯାଇ ନଥିଲେ, ତାହା ଆୟାରଲାଣ୍ତ୍ ପାର୍ଲିଆମେଣ୍ଟ୍‍ରେ ଗୃହୀତ ହୋଇପାରି ନଥାନ୍ତା । ଆଇରିସ୍‌ କାଥଲିକ୍‍ ସଂପ୍ରଦାୟଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପିଟ୍‍ ରକ୍ଷାକରି ପାରିଲେ ନାହିଁ । ଏଥିରେ ତୃତୀୟ ଜର୍ଜ ତାଙ୍କର ଅନ୍ତରାୟ ହେଲେ । ରାଜା କାଥଲିକ୍‍ ସଂପ୍ରଦାୟଙ୍କୁ କୌଣସି ସୁବିଧା ପ୍ରଦାନ ନ କରିବାପାଇଁ ଅଭିଷେକ ସମୟରେ ଶପଥ ନେଇଥିଲେ । ସେ ତାଙ୍କର ପ୍ରତିଜ୍ଞାରେ ଅଟଳ ରହିଲେ । ଏହି ପ୍ରଶ୍ନ ଉପରେ ରାଜାଙ୍କ ସହ ମତଭେଦ ହେବାରୁ ପିଟ୍‍ ୧୮୦୧ ଖ୍ରୀ:ରେ ମନ୍ତ୍ରୀ ପଦରୁ ଇସ୍ତପାଦେଲେ । ପୁଣି ଯେତେବେଳେ ୧୮୦୪ ଖ୍ରୀ:ରେ ଦ୍ୱିତୀୟ ଥରପାଇଁ ମନ୍ତ୍ରିମଣ୍ତଳର ନେତୃତ୍ୱ ନେଲେ, କାଥଲିକ୍‍ ସଂପ୍ରଦାୟର ମୁକ୍ତିପାଇଁ କୌଣସି ପଦକ୍ଷେପ ନିଆଗଲା ନାହିଁ । ଫଳରେ କାଥଲିକ୍‍ମାନେ ପୂର୍ବପରି ନିଷ୍ପେଷିତ ହୋଇ ରହିଲେ । ସମ୍ମିଶ୍ରଣ ଆଇନରେ ଇଂଲଣ୍ତ ଓ ଆୟାରଲାଣ୍ତ୍‍ର ପାର୍ଲିଆମେଣ୍ଟ୍‍ ଦ୍ୱୟର ସମ୍ମିଶ୍ରଣ ହେଲା । ଉଭୟ ଦେଶବାସୀଙ୍କର ମିଳନ ହୋଇପାରିଲା ନାହିଁ ଏଥିପାଇଁ ପିଟ୍‍ ଅନେକାଂଶରେ ଦାୟୀଥିଲେ । ଅବଶ୍ୟ ପିଟ୍‍ ଏହି ପ୍ରଶ୍ନ ଉପରେ ଇସ୍ତଫା ଦେଇଥିଲେ । ମାତ୍ର ଏଥିରେ ସମସ୍ୟାର ସମାଧାନ ହେଲା ନାହିଁ । ଏ ଦିଗରେ ରାଜାଙ୍କୁ କୌଣସିମତେ ରାଜି କରାଇବା ପିଟ୍‍ଙ୍କର କର୍ତ୍ତବ୍ୟ ଥିଲା । ଏଥିରେ ସେ ବିଫଳ ହେଲେ, ଫଳରେ ସମ୍ମିଶ୍ରଣ ଆଇନ ମଧ୍ୟ ବିଫଳହେଲା । ଏହାପରେ ମଧ୍ୟ ଇଂରେଜମାନେ ଆଇରିସ୍‍ମାନଙ୍କୁ ଅବଜ୍ଞା ଚକ୍ଷୁରେ ଦେଖିଲେ । ସ୍ୱାୟତ୍ତ ଶାସନପାଇଁ ଆଇରିସ୍‍ମାନଙ୍କର ଉଦ୍ୟମ ଅବ୍ୟାହତ ରହିଲା-। ବହୁ ଆନ୍ଦୋଳନ ପରେ ୧୯୨୬ ଖ୍ରୀ:ରେ ଆୟାରଲାଣ୍ତ୍‍ ଇଂଲଣ୍ତଠାରୁ ବିଚ୍ଛିନ୍ନ ହୋଇ ସ୍ୱାଧୀନତା ଘୋଷଣା କଲା ।

 

ବୈଦେଶିକ ନୀତି:–ପିଟ୍‍ ମନ୍ତ୍ରିମଣ୍ତଳର ନେତୃତ୍ୱ ଗ୍ରହଣ କଲା ସମୟରେ ଇଂଲଣ୍ତ ଉଇରୋପରେ ବନ୍ଧୁଶୂନ୍ୟ ହୋଇ ପଡ଼ିଥିଲା । ସପ୍ତବର୍ଷ ବ୍ୟାପୀ ଯୁଦ୍ଧ ସମୟରୁ ଫ୍ରାନ୍‌ସ, ଅଷ୍ଟ୍ରିଆ ଓ ସ୍ପେନ୍‍ ଇଂଲଣ୍ତର ଶତ୍ରୁ ହୋଇଥିଲେ । ସେହି ସମୟରେ ଯଦ୍ୟପି ପ୍ରୁସିଆ ଇଂଲଣ୍ତର ମିତ୍ରରାଷ୍ଟ୍ର ଥିଲା-। ତୃତୀୟ ଜର୍ଜ ପ୍ରୁସିଆ ସମ୍ରାଟ ଫ୍ରେଡ଼େରିକଙ୍କର ଅଜ୍ଞାତରେ ପ୍ୟାରିସ ଚୁକ୍ତି ସ୍ୱାକ୍ଷରିତ କରି ତାଙ୍କୁ ଅପମାନିତ କଲେ । ଫଳରେ ପ୍ରୁସିଆ ସହ ମଧ୍ୟ ଇଂଲଣ୍ତର ବନ୍ଧୁତା ଛିନ୍ନ ହେଲା । ଆମେରିକାର ସ୍ୱାଧୀନତା ସଂଗ୍ରାମଫଳରେ ଅବସ୍ଥା ଆହୁରି ଶୋଚନୀୟ ହେଲା ଇଂଲଣ୍ତର ବୈଦେଶିକ ନୀତି ବିଫଳ ହୋଇଛି ବୋଲି ପ୍ରମାଣିତ ହେଲା ଏହି ସଙ୍କଟ କାଳରେ ପିଟ୍‍ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରି ବୈଦେଶିକ ନୀତିର ସଂସ୍କାରପାଇଁ ଉଦ୍ୟମ କଲେ । ତାଙ୍କର ସୌଭାଗ୍ୟକୁ ଏହି ସମୟରେ ଇଉରୋପରେ କେତେକ ରାଜନୈତିକ ପରିବର୍ତ୍ତନ ଦେଖାଦେଲା ।

 

୧୮୮୬ ଖ୍ରୀ:ରେ ଫ୍ରେଡ଼େରିକଙ୍କର ମୃତ୍ୟୁ ହେଲା ଏବଂ ତାଙ୍କର ଉତ୍ତରାଧିକାରୀ ଫ୍ରେଡ଼େରିକ ଦ୍ୱିତୀୟ ଉଇଲିୟମ୍‍ ଇଂଲଣ୍ତ ସହ ସୁସମ୍ପର୍କ ସ୍ଥାପନପାଇଁ ଇଚ୍ଛା କଲେ । ଏହି ସମୟରେ ହଲାଣ୍ତରେ ଏକ ବିପ୍ଳବ ଦେଖାଦେଲା । ସେ ଦେଶରେ ସାଧାରଣତନ୍ତ୍ର ଓ ଅରେଞ୍ଜ ନାମକ ଦୁଇଟି ରାଜନୈତିକ ଦଳ ଥିଲେ । ସାଧାରଣତନ୍ତ୍ର ଦଳର ରାଜା ପଞ୍ଚମ ଉଇଲିୟମ୍‍ଙ୍କୁ ବିତାଡ଼ିତ କରିବାପାଇଁ ଉଦ୍ୟମ ଚଳାଇଥିଲେ ଏବଂ ‘ଅରେଞ୍ଜ ଦଳ’ ରାଜାଙ୍କୁ ସମର୍ଥନ କରୁଥିଲେ । ସାଧାରଣତନ୍ତ୍ର ଦଳ ଫ୍ରାନ୍‌ସଠାରୁ ସାହାଯ୍ୟ ଲାଭ କରି ରାଜାଙ୍କର ବିରୁଦ୍ଧରେ ବିଦ୍ରୋହର ସୂତ୍ରପାତ କଲେ । ହଲାଣ୍ତର ରାଣୀ ସେମାନଙ୍କଦ୍ୱାରା ଅପମାନିତ ହେଲେ । ପଞ୍ଚମ ଉଇଲିୟମ୍‍ଙ୍କର ଏହି ରାଣୀ ପ୍ରୁସିଆ ରାଜା ଦ୍ୱିତୀୟ ଉଇଲିୟମ୍‍ଙ୍କର ଭଉଣୀ ଥିଲେ । ପ୍ରୁସିଆ ରାଜା ଭଉଣୀର ଅପମାନରେ କ୍ରୋଧାନ୍ୱିତ ହୋଇ ଇଂଲଣ୍ଡର ସହାୟତାରେ ହଲାଣ୍ଡର ବିଦ୍ରୋହ ଦମନ କଲେ ଏବଂ ପଞ୍ଚମ ଉଇଲିୟମ୍‍ଙ୍କୁ ପୁଣି ସିଂହାସନରେ ଅଧିଷ୍ଠିତ କରାଇଲେ । ଏହାଦ୍ୱାରା ହଲାଣ୍ଡରେ ଫରାସୀ ପ୍ରଭାବର ଅବସାନ ହେଲା ଏବଂ ଇଂଲଣ୍ଡ, ପ୍ରୁସିଆ ଓ ହଲାଣ୍ଡ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠିତ ହେଲା । ସେମାନେ ୧୭୯୧ ଖ୍ରୀ:ରେ ଏକ ତ୍ରିଶକ୍ତି ମେଣ୍ଟ ଗଠନ କଲେ । ଇଉରୋପୀୟ ରାଜନୀତିରେ ଇଂଲଣ୍ଡର ପ୍ରତିପତ୍ତି ଫେରି ଆସିଲା ।

 

୧୭୮୯ ଖ୍ରୀ:ରେ ଫରାସୀ ରାଷ୍ଟ୍ରବିପ୍ଳବ ସଂଗଠିତ ହୋଇ ତାହା କ୍ରମେ ଭୟଙ୍କର ରୂପ ଧାରଣ କଲା । ବିପ୍ଳବୀମାନେ ସ୍ୱଦେଶରେ ଅପୂର୍ବ ସଫଳତା ଲାଭ କରି ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କରେ ବିପ୍ଳବ ପ୍ରସାରପାଇଁ ଉଦ୍ୟମ କଲେ । ରାଜତନ୍ତ୍ର କବଳରୁ ମୁକ୍ତିଲାଭ କରିବାପାଇଁ ସେମାନେ ବିଭିନ୍ନ ଜାତିଙ୍କୁ ପ୍ରେରଣା ଦେଲେ । ୧୭୯୨ ଖ୍ରୀ:ରେ ଫ୍ରାନ୍‌ସ, ଅଷ୍ଟ୍ରିଆ ଓ ପ୍ରୁସିଆ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲା । ଏପର୍ଯ୍ୟନ୍ତ ପିଟ୍‍ ଶାନ୍ତିରକ୍ଷା ପାଇଁ ଉଦ୍ୟମ କରି ଆସୁଥିଲେ । ମାତ୍ର ଫ୍ରାନ୍‌ସ ସହ ଯୁଦ୍ଧ କ୍ରମେ ଅନିବାର୍ଯ୍ୟ ହୋଇପଡ଼ିଲା । ୧୭୯୩ ଖ୍ରୀ:ରେ ଫ୍ରାନ୍‌ସ ଇଂଲଣ୍ଡ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲାରୁ ପିଟ୍‍ ବାଧ୍ୟ ହୋଇ ଇଉରୋପୀୟ ଯୁଦ୍ଧରେ ଯୋଗ ଦେଲେ ।

 

ଫ୍ରାନ୍‌ସ ବିରୁଦ୍ଧରେ ଇଉରୋପୀୟ ଶକ୍ତିମାନଙ୍କର ସମ୍ମିଳିତ ମେଣ୍ଟ ଗଠନ ପିଟ୍‍ଙ୍କର ଯୁଦ୍ଧନୀତିର ବୈଶିଷ୍ଟ୍ୟ ଥିଲା । ଏଥିପାଇଁ ସେ ଅଜସ୍ର ଅର୍ଥ ବ୍ୟୟ କଲେ । ପିଟ୍‍ ତିନିଥର ଇଉରୋପୀୟ ମେଣ୍ଟ ଗଠନ କରିଥିଲେ । ପ୍ରଥମ ମେଣ୍ଟ ୧୭୯୩ରୁ ୧୭୯୭ ଖ୍ରୀ: ପର୍ଯ୍ୟନ୍ତ, ଦ୍ୱିତୀୟ ମେଣ୍ଟ ୧୭୯୮ରୁ ୧୮୦୧ ଖ୍ରୀ: ପର୍ଯ୍ୟନ୍ତ ଏବଂ ତୃତୀୟ ମେଣ୍ଟ ୧୮୦୫ ଖ୍ରୀ:ରେ ଗଠିତ ହୋଇ ସେହି ବର୍ଷ ଡିସେମ୍ବର ମାସ ପର୍ଯ୍ୟନ୍ତ ସ୍ଥାୟୀ ହୋଇଥିଲା । କିନ୍ତୁ ସାମରିକ ମେଣ୍ଟ ସାହାଯ୍ୟରେ ଫ୍ରାନ୍‌ସକୁ ପରାସ୍ତ କରିବାପାଇଁ ପିଟ୍‍ଙ୍କର ଉଦ୍ୟମ ପଣ୍ଡ ହେଲା । ମେଣ୍ଟର ଅଂଶୀଦାରମାନଙ୍କ ମଧ୍ୟରେ ଭଲ ବୁଝାମଣା ନଥିଲା । ସେମାନେ ନିଜ ନିଜ ସ୍ୱାର୍ଥରେ ବ୍ୟସ୍ତ ରହିବାଫଳରେ ଆନ୍ତରିକତା ସହ ଯୁଦ୍ଧ କରୁ ନଥିଲେ । ଅନ୍ୟ ପକ୍ଷରେ ଫରାସୀ ସୈନ୍ୟମାନଙ୍କ ମଧ୍ୟରେ ଅପୂର୍ବ ଜାଗରଣ ଦେଖା ଦେଇଥିଲା । ନେପୋଲିଅନଙ୍କର ବଳିଷ୍ଠ ନେତୃତ୍ୱ ସେମାନଙ୍କ ପାଇଁ ପ୍ରେରଣାର ଉତ୍ସଥିଲା । ଏହାସତ୍ତ୍ୱେ ପିଟ୍‍ ଅସୀମ ଧୈର୍ଯ୍ୟ ଓ ସାହସ ନେଇ ଫ୍ରାନ୍‌ସ ବିରୁଦ୍ଧରେ ଯୁଦ୍ଧ ଚଳାଇଥିଲେ । ୧୮୦୫ ଖ୍ରୀ:ରେ ଇଂରେଜ ସେନାପତି ନେଲସନ୍‌ ଟ୍ରାଫଲଗାର ନୌ–ଯୁଦ୍ଧରେ ଫରାସୀ ନୌ–ବାହିନୀକୁ ପରାସ୍ତ କଲେ । ଏହି ଅବସରରେ ପିଟ୍‍ କହିଥିଲେ, ‘‘ଇଂଲଣ୍ଡ ନିଜ ଉଦ୍ୟମରେ ଆପଣାକୁ ରକ୍ଷା କରିପାରିଅଛି ଏବଂ ତା’ରି ଆଦର୍ଶ ଇଉରୋପକୁ ରକ୍ଷା କରି ପାରିବ ବୋଲି ମୋର ବିଶ୍ୱାସ । ମାତ୍ର ଏହାର ଅଳ୍ପକାଳ ପରେ ୧୮୦୫ ଖ୍ରୀ:ର ଡିସେମ୍ବର ମାସରେ ଅଷ୍ଟିରଲିଜ ଯୁଦ୍ଧରେ ଫରାସୀ ବୀର ନେପୋଲିଅନ ଅଷ୍ଟ୍ରିଆ ଓ ରୁଷିଆର ମିଳିତ ସେନାବାହିନୀକୁ ଶୋଚନୀୟ ଭାବରେ ପରାସ୍ତ କଲେ । ଏହି ସମ୍ବାଦରେ ପିଟ୍‍ ଭାଙ୍ଗିପଡ଼ିଲେ ଏବଂ ଏହି ଆଘାତ ତାଙ୍କର ମୃତ୍ୟୁର କାରଣ ହେଲା । ୧୮୦୬ ଖ୍ରୀ: ଜାନୁୟାରୀ ମାସରେ ମାତୃଭୂମିର ସଙ୍କଟମୟ କାଳରେ ପିଟ୍‍ ଭଗ୍ନହୃଦୟରେ ପ୍ରାଣତ୍ୟାଗ କଲେ ।

 

ଇଂଲଣ୍ଡ ଇତିହାସରେ ତରୁଣ ପିଟ୍‍ଙ୍କୁ ଏକ ବିଶିଷ୍ଟ ସ୍ଥାନ ଦିଆଯାଇଥାଏ । ସେ ଶାସନର ନେତୃତ୍ୱ ନେଲା ସମୟରେ ଇଂଲଣ୍ଡର ଆର୍ଥିକ ଅବସ୍ଥା ଶୋଚନୀୟ ଥିଲା ଏବଂ ସେ ଦେଶର ବୈଦେଶିକ ନୀତି ବିଫଳ ହୋଇଥିଲା । ପିଟ୍‍ ଇଂଲଣ୍ଡର ଆଭ୍ୟନ୍ତରୀଣ ଶାସନ ତଥା ବୈଦେଶିକ ନୀତିକୁ ଦୃଢ଼ କରିବାପାଇଁ ପରିଶ୍ରମ କଲେ । ସେଥିପାଇଁ ସେ ନିଜର ସୁଖସ୍ୱାଚ୍ଛନ୍ଦ୍ୟକୁ ଜଳାଞ୍ଜଳି ଦେଲେ । ତାଙ୍କର ସ୍ୱାସ୍ଥ୍ୟ ମୂଳରୁ ଦୁର୍ବଳ ଥିଲା । ଅତ୍ୟଧିକ ପରିଶ୍ରମ ଯୋଗୁଁ ସେ ବିଶେଷ ଦୁର୍ବଳ ହୋଇ ପଡ଼ିଥିଲେ । ତାଙ୍କର ଚରିତ୍ର ଉଚ୍ଚକୋଟୀର ଥିଲା ଓ ହୃଦୟ ନିର୍ମଳ ଥିଲା । ମାତୃଭୂମିର ଐକାନ୍ତିକ ସେବାପାଇଁ ସେ ଆଜୀବନ ଅବିବାହିତ ରହିଥିଲେ । ପିତାଙ୍କ ତୁଲ୍ୟ ସେ ଅନ୍ୟାୟ ଓ ଦୁର୍ନୀତିର ବହୁ ଊର୍ଦ୍ଧ୍ୱରେ ଥିଲେ । ଦେଶର ନିର୍ମଳ ଶାସନ ପ୍ରତିଷ୍ଠାପାଇଁ ତାଙ୍କ ଚରିତ୍ର ଓ ଆଦର୍ଶର ପ୍ରଭାବ ସହାୟକ ଥିଲା । ବ୍ୟକ୍ତିଗତ ଯଶପାଇଁ ତାଙ୍କର ଲାଳସା ନଥିଲା । ସେ ବହୁ ଲାଭଜନକ ପଦପଦବୀ ବିତରଣ କରିଥିଲେ ଏବଂ ଲର୍ଡ଼ ସଭାରେ ବହୁସଂଖ୍ୟକ ପିଅରସ ବା ସଦସ୍ୟଙ୍କୁ ମନୋନୀତ କରିଥିଲେ । ମାତ୍ର ନିଜପାଇଁ ସେ କେବେ କିଛି କରି ନଥିଲେ । ଋଣଗ୍ରସ୍ତ ହୋଇ ପଡ଼ିଥିଲେ ମଧ୍ୟ ସହଜ ପନ୍ଥାରେ ଅର୍ଥ ଉପାର୍ଜନକୁ ସେ ଘୃଣା କରୁଥିଲେ । ଲର୍ଡ଼ ସଭାର ସଦସ୍ୟ ହେବାପାଇଁ ସେ ଚାହିଁ ନଥିଲେ ଏବଂ ସେ ମନେ କରିଥିଲେ ଯେ ଏହା ତାଙ୍କ ପିତାଙ୍କର ରାଜନୈତିକ ଜୀବନରେ ଏକମାତ୍ର କଳଙ୍କ ଥିଲା ।

 

ପିଟ୍‍ଙ୍କର ଶାସନ କାଳକୁ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ । ଫରାସୀ ରାଷ୍ଟ୍ରବିପ୍ଳବ ପୂର୍ବରୁ ଅର୍ଥାତ୍‌ ଶାସନର ଆଦ୍ୟ ଭାଗରେ ସେ ‘‘ଶାନ୍ତି, ସଂସ୍କାର ଓ ବ୍ୟୟ ସଂକୋଚ’’ ନୀତି ଅବଲମ୍ବନ କରିଥିଲେ । ଏହି ସମୟରେ ଶାନ୍ତିକାଳୀନ ପ୍ରଧାନମନ୍ତ୍ରୀ ରୂପରେ ସେ ଅପୂର୍ବ ସଫଳତା ଲାଭ କରିଥିଲେ । ଦେଶର ଅର୍ଥନୀତିକୁ ଦୃଢ଼ କରି ଏବଂ ଆଭ୍ୟନ୍ତରୀଣ ଶାସନକୁ ସୁ–ଶୃଙ୍ଖଳିତ କରି ସେ ଆପଣାର ପ୍ରଶାସନିକ ଦକ୍ଷତାର ପରିଚୟ ଦେଇଥିଲେ । ଏହି ସମୟରେ ସଂସଦୀୟ ସଂସ୍କାରପାଇଁ ତାଙ୍କର ଉଦ୍ୟମ ମଧ୍ୟ ପ୍ରଶଂସନୀୟ ଥିଲା । ତାଙ୍କ ଭାରତ ଆଇନ ଓ କାନାଡ଼ା ଆଇନ ଇଂଲଣ୍ଡର ଔପନିବେଶିକ ନୀତିକୁ ଦୃଢ଼ କଲା । ପିଟ୍‍ ଟୋରୀ ଦଳ ମଧ୍ୟରେ କେତେକ ସଂସ୍କାର ଆଣି ସେମାନଙ୍କର ଆଭିମୁଖ୍ୟ ବଦଳାଇ ଦେଲେ । ସେ ବହୁସଂଖ୍ୟକ ଟୋରୀ ସଦସ୍ୟଙ୍କୁ ଲର୍ଡ଼ ସଭାର ସଦସ୍ୟରୂପେ ମନୋନୀତ କଲେ । ଏହାଦ୍ୱାରା ସେ ରକ୍ଷଣଶୀଳ ଦଳ ବା କଞ୍ଜରଭେଟିଭ ପାର୍ଟି ପ୍ରତିଷ୍ଠା କଲେ ।

 

ଶାସନର ଦ୍ୱିତୀୟାର୍ଦ୍ଧରେ ଫରାସୀ ରାଷ୍ଟ୍ରବିପ୍ଳବପରେ ପିଟ୍‍ଙ୍କୁ ଫ୍ରାନ୍‌ସ ସହିତ ଯୁଦ୍ଧରେ ବ୍ୟାପୃତ ରହିବାକୁ ପଡ଼ିଥିଲା । ଯୁଦ୍ଧ ମନ୍ତ୍ରୀ ରୂପରେ ସେ ପିତାଙ୍କ ଭଳି ସଫଳତା ଲାଭ କରି ପାରି ନଥିଲେ । ୟୁରୋପର ବିଭିନ୍ନ ରାଷ୍ଟ୍ରଙ୍କୁ ଫ୍ରାନ୍‌ସ ବିରୁଦ୍ଧରେ ମିଳିତ କରି ସାମରିକ ମେଣ୍ଟ ଗଠନ କରିବା ପିଟ୍‍ଙ୍କର ଯୁଦ୍ଧନୀତି ଥିଲା ଏଥିପାଇଁ ସେ ଅଜସ୍ର ଅର୍ଥବ୍ୟୟ କଲେ । ମାତ୍ର ଏହା ସଫଳ ହେଲା ନାହିଁ । ଫରାସୀମାନେ ପିଟ୍‍ଙ୍କଦ୍ୱାରା ଗଠିତ ତିନୋଟି ୟୁରୋପୀୟ ମେଣ୍ଟକୁ ଧ୍ୱସ୍ତବିଧ୍ୱସ୍ତ କରି ଦେଇଥିଲେ । ଯୁଦ୍ଧ ପରିଚାଳନାରେ ତରୁଣ ପିଟ୍‌ ପିତାଙ୍କର ଦକ୍ଷତା ଦେଖାଇ ପାରି ନଥିଲେ । ଦକ୍ଷ ସେନାପତିଙ୍କର ନିଯୁକ୍ତିରେ ମଧ୍ୟ ସେ କେତେକ ଭୁଲ କରିଥିଲେ । ତୃତୀୟ ଜର୍ଜଙ୍କର ପୁତ୍ର ଡ୍ୟୁକ୍ ଅଫ୍ ୟର୍କଙ୍କ ନେତୃତ୍ୱରେ ସେ ଏକ ସେନାବାହିନୀ ନେଦରଲାଣ୍ଡକୁ ପଠାଇଲେ । ଡ୍ୟୁକ ଅଫ୍‌ ୟର୍କ ଯୁଦ୍ଧ ପରିଚାଳନାରେ ସମ୍ପୂର୍ଣ୍ଣ ଅପାରଗ ଥିଲେ । ତେବେ ବିଫଳତା ପାଇଁ ପିଟ୍‍କୁ ସମ୍ପୂର୍ଣ୍ଣ ଦୋଷୀ କରାଯାଇ ନପାରେ । ଟ୍ରାଫଲଗାର ଯୁଦ୍ଧର ବିଜୟୀ ବୀର ନେଲସନଙ୍କ ଭଳି ଦକ୍ଷ ସେନାପତିଙ୍କୁ ମଧ୍ୟ ସେ ବାଛି ପାରିଥିଲେ । ଅବଶ୍ୟ କେତେକ ସ୍ଥଳରେ ସେ ରାଜାଙ୍କ ନିଷ୍ପତ୍ତିକୁ ଅଗ୍ରାହ୍ୟ କରି ପାରୁ ନଥିଲେ । ଡ୍ୟୁକ ଅଫ ୟର୍କଙ୍କ ନିଯୁକ୍ତି ଏହାର ଏକ ଉଦାହରଣ । ୟୁରୋପର ମିଳିତ ମେଣ୍ଟର ବିପର୍ଯ୍ୟୟ ପାଇଁ ମଧ୍ୟ ସେ ସମ୍ପୂର୍ଣ୍ଣ ଦାୟୀ ନଥିଲେ । ପିଟ୍‍ଙ୍କର ଦୁର୍ଭାଗ୍ୟ ଯେ ତାଙ୍କୁ ନେପୋଲିଅନଙ୍କ ଭଳି ଜଣେ ସାମରିକ ପ୍ରତିଭାଶାଳୀ ବୀରଙ୍କର ସମ୍ମୁଖୀନ ହେବାକୁ ପଡ଼ିଥିଲା । କେନିଙ୍ଗ ଏହି ସମୟରେ କହିଥିଲେ, ‘‘ପିଟ୍‍ ଏହି ଜାତିକୁ ରକ୍ଷାକରି ପାରିବେ କି ନା ମୁଁ ଜାଣେନା; ତେବେ ଏ ଦିଗରେ ସେ ହିଁ ଏକମାତ୍ର ବ୍ୟକ୍ତି ।’’

 

ନେପୋଲିଅନଙ୍କ ସହ ଯୁଦ୍ଧରେ ପିଟ୍‍ ସଫଳତାର ସହ ବହୁ ଝଡ଼ଝଞ୍ଜା ଅତିକ୍ରମ କରି ଇଂଲଣ୍ଡର ବିଜୟ ଆଶାକୁ ଅକ୍ଷୁଣ୍ଣ ରଖିଥିଲେ । ତାଙ୍କର ଅସୀମ ସାହସ ଓ ଧୈର୍ଯ୍ୟ ମୃତ୍ୟୁ ପରେ ମଧ୍ୟ ଇଂରେଜ ଜାତିକୁ ପ୍ରେରଣା ଯୋଗାଇ ବିଜୟ ପଥରେ ଆଗେଇ ନେଇଥିଲା ।

 

* ‘‘Whether pit will save us, I do not know, but surely he is the only man that can.”

Image

 

ବିଂଶ ଅଧ୍ୟାୟ

ଫରାସୀ ରାଷ୍ଟ୍ରବିପ୍ଳବ ଏବଂ ଇଂଲଣ୍ଡରେ ତାହାର ପ୍ରଭାବ

 

ତରୁଣ ପିଟ୍‍ ଇଂଲଣ୍ଡରେ ଦୃଢ଼ ଶାସନ ପ୍ରତିଷ୍ଠା କରିବାପାଇଁ ଉଦ୍ୟମ କରୁଥିବା ସମୟରେ ଫ୍ରାନ୍‌ସ ଦେଶରେ ଏକ ବିପ୍ଳବ ସଂଘଟିତ ହୋଇ ଇଂଲଣ୍ଡ ସମେତ ସମଗ୍ର ଇଉରୋପର ରାଜନୀତିକୁ କିଛିକାଳ ପାଇଁ ଦୋହଲାଇ ଦେଲା । ୧୭୮୯ ଖ୍ରୀ:ର ଏହି ଫରାସୀ ରାଷ୍ଟ୍ରବିପ୍ଳବ କି ଧରଣର ଥିଲା ଏବଂ ଇଂଲଣ୍ଡ ଉପରେ ତାହାର କି ପ୍ରଭାବ ଥିଲା ଏ ବିଷୟରେ ଏକ ସଂକ୍ଷିପ୍ତ ଆଲୋଚନା ଏଠାରେ ଆବଶ୍ୟକ ।

 

ଫରାସୀ ରାଷ୍ଟ୍ରବିପ୍ଳବ–ଅଷ୍ଟାଦଶ ଶତକରେ ଫ୍ରାନ୍‌ସରେ ଅତ୍ୟାଚାରୀ, ଅପାରଗ ତଥା ଦୁର୍ନୀତିଗ୍ରସ୍ତ ରାଜତନ୍ତ୍ର ଶାସନ ଚାଲିଥିଲା । ରାଜା ନିଜକୁ ଈଶ୍ୱରଙ୍କର ପ୍ରତିନିଧି ବୋଲି ମନେକରୁଥିଲେ । ସେ ରାଜଧାନୀ ପ୍ୟାରିସର ବାହାରେ ଭାର୍ସାଇ ନାମକ ଏକ ବିରାଟ ପ୍ରାସାଦରେ ସହସ୍ରାଧିକ ଅନୁଚରଙ୍କଦ୍ୱାରା ପରିବେଷ୍ଟିତ ହୋଇ ରହୁଥିଲେ । ଦେଶର ଜନସାଧାରଣ ଅନାହାରରେ ଜୀବନଯାପନ କରୁଥିବାବେଳେ ଭର୍ସାଇ ପ୍ରାସାଦ ପ୍ରତ୍ୟହ ଉତ୍ସବ ମୁଖରିତ ହୋଇ ଉଠୁଥିଲା । ଏହି ସମୟରେ ଫ୍ରାନ୍‌ସର ଲୋକେ ତିନି ଶ୍ରେଣୀରେ ବିଭକ୍ତ ଥିଲେ । ଧର୍ମଯାଜକ ସଂପ୍ରଦାୟ ପ୍ରଥମ ଶ୍ରେଣୀର ଏବଂ ସମ୍ଭ୍ରାନ୍ତ ବଂଶୀୟ ଦ୍ୱିତୀୟ ଶ୍ରେଣୀର ଅନ୍ତର୍ଗତ ଥିଲେ । ଏମାନଙ୍କର ସଂଖ୍ୟା ଜନସଂଖ୍ୟାର ଶତକଡ଼ା ଚାରିରୁ କମ୍ ଥିଲେହେଁ ଦେଶର କ୍ଷମତା ଓ ସମ୍ପତ୍ତି ଏମାନଙ୍କ ହାତରେହିଁ ଠୁଳଥିଲା । ଏମାନେ ସମସ୍ତ ପ୍ରକାର ମୁଖ୍ୟକରରୁ ମୁକ୍ତଥିଲେ ଏବଂ କେବଳ କ୍ଷମତା ଉପଭୋଗ କରି କର୍ତ୍ତବ୍ୟକୁ ଉପେକ୍ଷା କରୁଥିଲେ । ଶତକଡ଼ା ଛୟାନବେ ଭାଗ ଜନସାଧାରଣ ତୃତୀୟ ଶ୍ରେଣୀର ଥିଲେ । ସେମାନେ ରାଜା, ଧର୍ମଯାଜକ ଓ ସମ୍ଭ୍ରାନ୍ତ ଶ୍ରେଣୀଦ୍ୱାରା ଦଳିତ ଓ ନିଷ୍ପେଷିତ ହୋଇ ରହିଥିଲେ । ନାନାପ୍ରକାର କର ଦେଇ ସେମାନେ ସର୍ବସ୍ୱାନ୍ତ ହୋଇ ପଡ଼ୁଥିଲେ । ଫଳରେ ହାଡ଼ଭଙ୍ଗା ପରିଶ୍ରମ ସତ୍ତ୍ୱେ ଉଦର ପୋଷଣ ସେମାନଙ୍କ ପାଇଁ କଷ୍ଟକର ଥିଲା । ଏହି ସମୟରେ କେତେକ ଦାର୍ଶନିକ ସେମାନଙ୍କର ବଳିଷ୍ଠ ଲେଖା ମାଧ୍ୟମରେ ଫ୍ରାନ୍‌ସର ଦଳିତ ଜନତାକୁ ସମ୍ଭ୍ରାନ୍ତ ଓ ଧର୍ମଯାଜକମାନଙ୍କର ଅତ୍ୟାଚାର ବିରୁଦ୍ଧରେ ପ୍ରତିବାଦ କରିବାପାଇଁ ପ୍ରେରଣା ଦେଲେ । ଭଲଟାୟାର ଏବଂ ରୁଷୋ ଏହି ଚିନ୍ତାଶୀଳ ଲେଖକମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ । ଭଲଟାୟାର ଧର୍ମଯାଜକ ତଥା ସମ୍ଭ୍ରାନ୍ତ ଶ୍ରେଣୀର ଦୋଷ ଓ ଦୁର୍ନୀତିର କଟୁ ସମାଲୋଚନା କଲେ । ରୁଷୋ ସବୁପ୍ରକାର ରାଜନୈତିକ ବନ୍ଧନକୁ ଛିନ୍ନ କରିଦେବା ପାଇଁ ଜନତାକୁ ଆହ୍ୱାନ ଦେଲେ । ୧୭୭୮ ଖ୍ରୀ:ରେ ରୁଷୋ ଓ ଭଲଟାୟାରଙ୍କର ମୃତ୍ୟୁ ହେଲା ଏବଂ ସେହି ବର୍ଷ ଫରାସୀ ସରକାର ଆମେରିକାର ସ୍ୱାଧୀନତା ସଂଗ୍ରାମକୁ ସକ୍ରିୟ ସମର୍ଥନ ଜଣାଇବା ସକାଶେ ଜନସାଧାରଣଙ୍କୁ ଆବେଦନ କଲେ । ବହୁସଂଖ୍ୟକ ଫରାସୀ ସ୍ୱେଚ୍ଛାସେବକ ଆମେରିକୀୟ ଯୁଦ୍ଧରେ ଅଂଶଗ୍ରହଣ କରି ଯୁଦ୍ଧପରେ ସାମରିକ ଅଭିଜ୍ଞତା ତଥା ସ୍ୱାଧୀନତାର ପ୍ରେରଣା ନେଇ ସ୍ୱଦେଶକୁ ଫେରି ଆସିଲେ । ଏହି ସମୟରେ ଫ୍ରାନ୍‌ସ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଲା । ରାଜା ତଥା ସମ୍ଭ୍ରାନ୍ତ ଶ୍ରେଣୀର ଭୋଗବିଳାସ ଏବଂ ଆମେରିକୀୟ ସଂଗ୍ରାମରେ ଅଂଶଗ୍ରହଣ ଏଥିପାଇଁ ମୁଖ୍ୟତଃ ଦାୟୀଥିଲା ।

 

ରାଜା ଷୋଡ଼ଶ ଲୁଇ ଟୁରଗୋ, ନେକର ପ୍ରଭୃତି ଅର୍ଥନୀତିଜ୍ଞଙ୍କର ସାହାଯ୍ୟରେ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କଲେ । ଚତୁର୍ଦ୍ଦଶ ଲୁଇ ବା ପଞ୍ଚଦଶ ଲୁଇଙ୍କ ଭଳି ଷୋଡ଼ଶ ଲୁଇ ସେତେ ଅତ୍ୟାଚାରୀ ନଥିଲେ ସତ; ମାତ୍ର ସେ ଥିଲେ ଦୁର୍ବଳମନା । ଅନିନ୍ଦ୍ୟ ସୁନ୍ଦରୀ ରାଣୀ ମେରୀ ଆଣ୍ଟୋଇନେଟ ରାଜାଙ୍କୁ ବଶୀଭୂତ କରି ଶାସନରେ ହସ୍ତକ୍ଷେପ କରୁଥିଲେ । ଏହି କାରଣରୁ ଟୁରଗୋ ଓ ନେକରଙ୍କର ଉଦ୍ୟମ ବିଫଳ ହେଲା ଏବଂ ସେମାନେ କ୍ଷମତାରୁ ବହିଷ୍କୃତ ହେଲେ । ଏହାପରେ ଅର୍ଥନୈତିକ ସମସ୍ୟାର ସମାଧାନ ପାଇଁ ଫରାସୀ ପାର୍ଲିଆମେଣ୍ଟ୍ ବା ଷ୍ଟେଟସ୍‌ ଜେନେରାଲ୍‌ ବସାଇବା ସକାଶେ ଦାବିକୁ ରାଜା ମାନିନେଲେ ।

 

ଦୀର୍ଘ ୧୭୫ ବର୍ଷ ପରେ ୧୭୮୯ ଖ୍ରୀ:ରେ ଷ୍ଟେଟସ୍‌ ଜେନେରାଲ୍‍ ବିପ୍ଳବର ସ୍ପଷ୍ଟ ସଙ୍କେତ ନେଇ ଭାର୍ସାଇ ପ୍ରାସାଦରେ କାର୍ଯ୍ୟ ଆରମ୍ଭ କଲା । ଏଥିରେ ଫ୍ରାନ୍‌ସର ତିନୋଟିଯାକ ଶ୍ରେଣୀ ପ୍ରତିନିଧିତ୍ୱ କରୁଥିଲେ । ସେମାନେ ଶ୍ରେଣୀଗତ ଭାବରେ ପୃଥକ ବସି ଆଲୋଚନା ଓ ଭୋଟ ଗ୍ରହଣ କରିବା ନିୟମ ଥିଲା । ମାତ୍ର ତୃତୀୟ ଶ୍ରେଣୀର ପ୍ରତିନିଧିମାନେ ଏହାର ପ୍ରତିବାଦକଲେ । ପରିଶେଷରେ ରାଜା ଷୋଡ଼ଶ ଲୁଇ ସେମାନଙ୍କର ଦାବିକୁ ମାନିନେଲେ । ଫଳରେ ଷ୍ଟେଟସ୍ ଜେନେରାଲ୍‍ ଜାତୀୟ ସଭାରେ ପରିଣତ ହେଲା । ରାଜା ଜାତୀୟ ସଭାର କାର୍ଯ୍ୟକ୍ରମକୁ ବ୍ୟର୍ଥ କରିଦେବା ପାଇଁ ଗୋପନ ଉଦ୍ୟମ କରୁଥିବା ଜାଣି ପ୍ୟାରିସର ଜନତା ଉତ୍ୟକ୍ତ ହେଲେ । ସେମାନେ ୧୭୮୯ ଖ୍ରୀ: ଜୁଲାଇ ୧୪ ତାରିଖରେ ବାପ୍ତାଇ ଦୁର୍ଗ ଆକ୍ରମଣ କରି ଐତିହାସିକ ଫରାସୀ ରାଷ୍ଟ୍ରବିପ୍ଳବର ସୂତ୍ରପାତ କଲେ ।

 

ବାପ୍ତାଇ କାରାଗୃହର ପତନ ୟୁରୋପର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ବୋଲି ବିବେଚିତ ହୁଏ । ଏହାପରେ ଅକ୍ଟୋବର ମାସରେ ଏକ ବିରାଟ ମହିଳାଦଳ ରାଜାରାଣୀଙ୍କୁ ଶୋଭାଯାତ୍ରାରେ ଭାର୍ସାଇରୁ ଘେନିଆଣି ପ୍ୟାରିସ୍‌ଠାରେ ଅବସ୍ଥାନ କରିବାପାଇଁ ବାଧ୍ୟକଲେ । ରାଜା ଜନତାର ହାତରେ ନିଃସହାୟ ହୋଇ ରହିଲେ । ଜାତୀୟ ସଭାମଧ୍ୟ କେତେକ ଆଇନ ପ୍ରଣନ କରି ସମ୍ଭ୍ରାନ୍ତ ଓ ଧର୍ମଯାଜକ ଶ୍ରେଣୀର ପ୍ରତିପତ୍ତି ଓ ପ୍ରଭାବକୁ ସମୂଳେ ନଷ୍ଟ କରିଦେଲା । ୧୭୯୧ ଖ୍ରୀ: ଜୁନ୍‍ ମାସରେ ରାଜା ଫ୍ରାନ୍‌ସ ଛାଡ଼ି ଚାଲିଯିବା ପାଇଁ ଗୋପନ ଉଦ୍ୟମ କଲେ । ମାତ୍ର ସେ ପଥମଧ୍ୟରେ ଧରାପଡ଼ି ଅପମାନିତ ଅବସ୍ଥାରେ ପ୍ୟାରିସକୁ ଅଣାହେଲେ ।

 

୧୭୯୨ ଖ୍ରୀ: ଏପ୍ରିଲ ମାସରେ ଫ୍ରାନ୍‍ସ, ଅଷ୍ଟ୍ରିଆ ଓ ପ୍ରୁସିଆ ମଧ୍ୟରେ ଯୁଦ୍ଧ ଘୋଷଣା କରିବାପାଇଁ ବାଧ୍ୟ ହେଲା । ଫରାସୀ ସେନାବାହିନୀ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହେଲେ । ଏହାଫଳରେ ବିପ୍ଳବୀ ସରକାର କେତେକ ଦୃଢ଼ ପଦକ୍ଷେପ ନେଲେ । ସମ୍ବିଧାନକୁ ସ୍ଥଗିତ ରଖାଯାଇ ଫ୍ରାନସରେ ଏକ ସାଧାରଣତନ୍ତ୍ର ସରକାର ପ୍ରତିଷ୍ଠିତ ହେଲା ଏବଂ ୧୭୯୩ ଖ୍ରୀ: ଜାନୁୟାରୀ ମାସରେ ରାଜାଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଗଲା । ଏହାପରେ ୧୭୯୪ ଖ୍ରୀ: ପର୍ଯ୍ୟନ୍ତ ଫ୍ରାନ୍‍ସରେ ଆତଙ୍କରାଜ ପ୍ରତିଷ୍ଠିତ ହୋଇ ଆଭ୍ୟନ୍ତରୀଣ ବିପଦ ଓ ବିଶୃଙ୍ଖଳାକୁ ଦୃଢ଼ହସ୍ତରେ ଦମନ କରାଗଲା । ତଦନନ୍ତର ଏକ ନୂତନ ସମ୍ବିଧାନ ପ୍ରଣୀତ ହୋଇ ଏକ ନିର୍ଦ୍ଦେଶକ ମଣ୍ଡଳୀ ହାତରେ ଶାସନ କ୍ଷମତା ଅର୍ପଣ କରାଗଲା । ନିର୍ଦ୍ଦେଶକ ମଣ୍ଡଳୀର ଶାସନ ୧୭୯୫ ଖ୍ରୀ:ରୁ ୧୭୯୯ ଖ୍ରୀ: ପର୍ଯ୍ୟନ୍ତ ସ୍ଥାୟୀ ହୋଇଥିଲା । ଏହାପରେ ଏହି ସରକାରଙ୍କର ଦୁର୍ନୀତି ଓ ଦୁର୍ବଳତାର ସୁଯୋଗ ନେଇ ନେପୋଲିଅନ ପ୍ରଥମ କନସଲ ରୂପରେ କ୍ଷମତାସୀନ ହେଲେ । ତାଙ୍କର ଶକ୍ତି କ୍ରମେ ପରିବର୍ଦ୍ଧିତ ହେଲା । ୧୮୦୪ ଖ୍ରୀ: ଡିସେମ୍ବର ମାସରେ ସେ ଫ୍ରାନ୍‌ସର ସମ୍ରାଟ ରୂପରେ ପ୍ରତିଷ୍ଠିତ ହେଲେ । ନେପୋଲିଅନଙ୍କର ଫରାସୀ ସାମ୍ରାଜ୍ୟ ୧୮୧୪ ଖ୍ରୀ: ପର୍ଯ୍ୟନ୍ତ ଶକ୍ତିଶାଳୀ ହୋଇ ରହିଲା । ଏହି ସମୟରେ ଫରାସୀ ବୀରଙ୍କର ପ୍ରଭାବରେ ଇଉରୋପର ରାଜନୀତି ବିପର୍ଯ୍ୟସ୍ତ ହୋଇ ପଡ଼ିଲା । ୧୮୧୪ ଖ୍ରୀ:ରେ ୟୁରୋପର ମିଳିତ ରାଷ୍ଟ୍ର ଇଂଲଣ୍ଡ ନେତୃତ୍ୱରେ ନେପୋଲିଅନଙ୍କୁ ପରାସ୍ତ କରି ଏଲବା ଦ୍ୱୀପରେ ବନ୍ଦୀ କଲେ । ମାତ୍ର ନେପୋଲିଅନ ଆଶାତୀତ ଭାବରେ ସେଠାରୁ ଖସି ଆସି ପୁଣି ଫ୍ରାନ୍‌ସର ଶାସନ କର୍ତ୍ତୃତ୍ୱ ହସ୍ତଗତ କଲେ । ମାତ୍ର ତାଙ୍କର ଆଧିପତ୍ୟ କେବଳ ଶହେଦିନ ପର୍ଯ୍ୟନ୍ତ ସ୍ଥାୟୀ ହୋଇଥିଲା । ଏହାପରେ ୧୮୧୫ ଖ୍ରୀ:ରେ ଇଉରୋପର ମିଳିତ ରାଷ୍ଟ୍ର ଓ ଇଂଲଣ୍ଡ ପୁଣି ତାଙ୍କୁ ୱାଟରଲ ଯୁଦ୍ଧକ୍ଷେତ୍ରରେ ପରାସ୍ତ କରି ସେଣ୍ଟ ହେଲେନା ଦ୍ୱୀପରେ ବନ୍ଦୀ କଲେ । ସେଠାରେ ନେପୋଲିଅନ ଭଗ୍ନହୃଦୟରେ ପ୍ରାଣତ୍ୟାଗ କଲେ । ନେପୋଲିଅନଙ୍କର ପତନ ସହ ଫ୍ରାନ୍‌ସର ଗୌରବମୟ ବୈପ୍ଳବିକ ଅଧ୍ୟାୟର ଅବସାନ ହେଲା ।

 

ଇଂଲଣ୍ଡ ଉପରେ ଫରାସୀ ବିପ୍ଳବର ପ୍ରଭାବ–ଫରାସୀ ରାଷ୍ଟ୍ରବିପ୍ଳବର ପ୍ରଭାବ ଇଉରୋପର ସବୁ ଦେଶରେ ଅନୁଭୂତ ହୋଇଥିଲା । ଏହାର ନୀତି ‘ମୁକ୍ତି ସାମ୍ୟ ଓ ମୈତ୍ରୀ’’ ସବୁ ଦେଶର ଜନସାଧାରଣଙ୍କଦ୍ୱାରା ଅଭିନନ୍ଦିତ ହେଲା । ମାତ୍ର ତାହା ରାଜାମାନଙ୍କୁ ଶଙ୍କିତ କଲା । ବିପ୍ଳବର ଆରମ୍ଭରେ ଇଂଲଣ୍ଡର ସବୁ ଶ୍ରେଣୀର ଲୋକେ ଏହାକୁ ସ୍ୱାଗତ କଲେ । ଏହା ପ୍ରଧାନମନ୍ତ୍ରୀ ପିଟ୍‍ଙ୍କର ମଧ୍ୟ ସହାନୁଭୂତି ଲାଭ କରିଥିଲା । ୱାର୍ଡ଼ସୱାର୍ଥ, କଲେରିଜ, ସାଉଦେ ପ୍ରଭୃତି ଇଂରେଜ କବି ବିପ୍ଳବରୁ ନୂତନ ପ୍ରେରଣା ଲାଭ କଲେ । ଏହାଦ୍ୱାରା ସମୃଦ୍ଧି ଓ ସ୍ୱାଧୀନତାର ନୂତନ ଯୁଗ ଆରମ୍ଭ ହେଲା ବୋଲି ସେମାନେ ଉପଲବ୍ଧି କଲେ । ଅନେକ ରାଜନୈତିକ ନେତା ଏହାଦ୍ୱାରା ପ୍ରଭାବିତ ହୋଇ ସ୍ୱଦେଶରେ କେତେଗୁଡ଼ିଏ ସଂଘ ସ୍ଥାପନ କଲେ । ବିପ୍ଳବୀମାନଙ୍କ ସହ ସେମାନଙ୍କ ବାର୍ତ୍ତା ବିନିମୟ ମଧ୍ୟ ଚାଲିଲା । ହୁଇଗ୍‍ ଦଳ ଫରାସୀ ରାଷ୍ଟ୍ରବିପ୍ଳବକୁ ଇଂଲଣ୍ଡର ଗୌରବମୟ ବିପ୍ଳବ ସହିତ ତୁଳନା କଲେ । ହୁଇଗ୍‍ ନେତା ଫକ୍‌ସ ବାପ୍ତାଇର ପତନରେ ବିହ୍ୱଳିତ ହୋଇ କହିଥିଲେ, ‘‘ଏହି ଘଟଣା କେଡ଼େ ବିରାଟ ଓ କେଡ଼େ ମହୀୟାନ୍ ଅଟେ ।’’

 

ଫ୍ରାନ୍‌ସର ଦଳିତ ଜନସାଧାରଣଙ୍କ ଦୁଃଖଦୁର୍ଦ୍ଦଶା ଏହାଦ୍ୱାରା ଦୂର ହେବ ବୋଲି ଇଂଲଣ୍ଡର ଲୋକେ ଆଶା କରିଥିଲେ । ମାତ୍ର ଫରାସୀ ବିପ୍ଳବ କ୍ରମେ ଭୟଙ୍କର ଓ ହିଂସାତ୍ମକ ରୂପ ଧାରଣ କରିବାରୁ ସେମାନଙ୍କର ଧାରଣା ବଦଳିଗଲା ଏବଂ ଅନେକେ ଏହାର କଟୁ ସମାଲୋଚନା କଲେ ।

 

ହୁଇଗ୍‍ ଦଳର ଅନ୍ୟତମ ନେତା ବର୍କ ୧୭୯୦ ଖ୍ରୀ: ନଭେମ୍ବର ମାସରେ ତାଙ୍କର ‘‘ଫରାସୀ ରାଷ୍ଟ୍ରବିପ୍ଳବ ଉପରେ ଅନୁଚିନ୍ତା’’ ପୁସ୍ତକ ପ୍ରକାଶ କଲେ । ଏଥିରେ ସେ ବିପ୍ଳବୀମାନଙ୍କର ଆଦର୍ଶ ଓ କାର୍ଯ୍ୟାବଳୀକୁ ନିନ୍ଦା କରି ଏହାଦ୍ୱାରା ଅରାଜକତା ସୃଷ୍ଟି ହେବ ବୋଲି ଭବିଷ୍ୟତ ବାଣୀ ଶୁଣାଇଲେ । ବିପ୍ଳବର କୁ–ପରିଣାମ ପାଇଁ ସାବଧାନ ରହିବା ସକାଶେ ସେ ଦେଶବାସୀଙ୍କୁ ସତର୍କ କରାଇଲେ । ଇଂଲଣ୍ଡର କେତେକ ପ୍ରଗତିବାଦୀ ଲେଖକ ବର୍କଙ୍କର ପ୍ରତିବାଦ କଲେ । ଟମାସ୍‍ ପାଇନ ‘‘ମାନବର ଅଧିକାର’’ ପୁସ୍ତକରେ ବର୍କଙ୍କର ସମାଲୋଚନା କଲେ । ଏହା ସତ୍ତ୍ୱେ ବର୍କଙ୍କର ଲେଖ ଇଂଲଣ୍ଡକୁ ଗଭୀରଭାବେ ପ୍ରଭାବିତ କଲା । ଫରାସୀ ବିପ୍ଳବର କୌଣସି ପ୍ରଭାବ ଯେପରି ଇଂଲଣ୍ଡରେ ଅନୁଭୂତ ନହୁଏ, ସେଥିପାଇଁ ତରୁଣ ପିଟ୍‍ଙ୍କର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ।

 

ଫରାସୀମାନେ ଫ୍ରାନ୍‌ସ ବାହାରେ ବିଭିନ୍ନ ଦେଶରେ ବିପ୍ଳବର ପ୍ରସାରପାଇଁ ଉଦ୍ୟମ କଲେ । ବ୍ରିଟେନର ଡଣ୍ଡୀ ସେଫିଲଡ଼୍‌ ପ୍ରଭୃତି କେତେକ ସ୍ଥାନରେ ସେମାନଙ୍କର ସମର୍ଥନରେ ବିପ୍ଳବର ସଙ୍କେତ ଦେଖା ଦେଲା । ମାତ୍ର ପିଟ୍‍ ସେ ସବୁକୁ ଦୃଢ଼ହସ୍ତରେ ଦମନ କଲେ । ସ୍କଟ୍‍ଲାଣ୍ଡ୍‍ର ଲର୍ଡ଼ ବ୍ରାକ୍‌ସ ଫିଲ୍‌ଡ଼ଙ୍କର ଦମନଲୀଳା ନୃଶଂସ ଥିଲା । ଟମାସ୍‍ ମୁର ନାମକ ଜଣେ ତରୁଣ ଆଇନଜୀବୀ ଏକ ସଂସ୍କାର ସଂଘ ସ୍ଥାପନ କରିଥିବାରୁ ଏବଂ ଫ୍ରାନ୍‌ସ ପରିଦର୍ଶନରେ ଯାଇଥିବାରୁ ଚଉଦବର୍ଷ ପାଇଁ ଦ୍ୱୀପାନ୍ତର ଦଣ୍ଡ ପାଇଲେ । ଟମାସ୍‍ ପାମର ସରକାରଙ୍କ ସମାଲୋଚନା କରି ସାତବର୍ଷ ଦ୍ୱୀପାନ୍ତର ଦଣ୍ଡ ପାଇଲେ । ପାର୍ଲିଆମେଣ୍ଟ୍‍ର ସଂସ୍କାରପାଇଁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଆନ୍ଦୋଳନ ଚଳାଇବା ସକାଶେ ୫୦ଟି ସଂଘର ପ୍ରତିନିଧିମାନେ ଏଡ଼ିନବରା ସହରରେ ମିଳିତ ହୋଇଥିଲେ । ସରକାର ଏହି ସମ୍ମିଳନୀକୁ ଭାଙ୍ଗିଦେଲେ ଏବଂ ଏହାର ନେତାମାନଙ୍କୁ ଚଉଦବର୍ଷ ପାଇଁ ଦ୍ୱୀପାନ୍ତର ଦଣ୍ଡ ଦେଲେ । ଏହାଛଡ଼ା ପିଟ୍‍ କରେସ୍‌ ପଣ୍ଡିଙ୍ଗ ସୋସାଇଟି ପ୍ରମୁଖ ବିଭିନ୍ନ ସଂଘକୁ ବେଆଇନ ଘୋଷଣା କଲେ ଏବଂ ସେମାନଙ୍କର ନେତା ଟମାସ୍‍ ହାର୍ଡ଼ି ହର୍ଣ୍ଣଟୁକ୍‌ ଓ ଜନ୍ ଥେଲୱାଲଙ୍କୁ ଗିରଫ୍‍ କଲେ । ମାତ୍ର ବିଚାରାଳୟରେ ସେମାନେ ସମସ୍ତେ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହେଲେ । ଇଂଲଣ୍ଡର ବିଚାରପତିମାନେ ସ୍କଟ୍‍ଲାଣ୍ଡ୍‍ର ବିଚାରପତିମାନଙ୍କଠାରୁ ନିଜକୁ ଅଧିକ ସାହସୀ ବୋଲି ଦେଖାଇପାରିଥିଲେ ।

 

ଏହାପରେ ପ୍ରଧାନମନ୍ତ୍ରୀ ପିଟ୍‍ ବିପ୍ଳବାତ୍ମକ କାର୍ଯ୍ୟକଳାପର ଦମନପାଇଁ ପାର୍ଲିଆମେଣ୍ଟ୍‍ରେ କେତେକ ଆଇନ ପ୍ରଣୟନ କଲେ । ହବିଅସ କରପସ୍‌ ଆଇନକୁ ସ୍ଥଗିତ ରଖାଗଲା । ରାଜନୈତିକ ସଭା ଓ ଶୋଭାଯାତ୍ରା ବେଆଇନ କରାଗଲା । ବିଦେଶୀଲୋକଙ୍କୁ ସନ୍ଦେହମାତ୍ରକେ ଇଂଲଣ୍ଡରୁ ବହିଷ୍କୃତ କରାଗଲା । ରାଜା ଓ ସରକାରଙ୍କର ବିରୁଦ୍ଧରେ ସବୁ ପ୍ରକାର ସମାଲୋଚନା ନିଷେଧ ହେଲା । କଳକାରଖାନାର ଶ୍ରମିକମାନଙ୍କର ସଂଘସବୁ ଆଇନ ବିରୁଦ୍ଧ ହେଲା । ଏହାଫଳରେ ଲୋକେ ସେମାନଙ୍କର ମୌଳିକ ଅଧିକାର ହରାଇ ବସିଲେ । ଦେଶର ସଂସ୍କାରମୂଳକ କାର୍ଯ୍ୟକ୍ରମ ସ୍ଥଗିତ ରଖାଗଲା । ଇତିମଧ୍ୟରେ ଫ୍ରାନ୍‌ସ ଅଷ୍ଟ୍ରିଆ, ପ୍ରୁସିଆ, ହଲାଣ୍ଡ, ଇଂଲଣ୍ଡ ପ୍ରଭୃତି ଦେଶ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲା । ଏହି ଯୁଦ୍ଧଫଳରେ ଇଂଲଣ୍ଡପାଇଁ ସଙ୍କଟ ଆହୁରି ଘନୀଭୂତ ହେଲା ।

Image

 

ଇଂଲଣ୍ଡ ଓ ଫ୍ରାନ୍‌ସ ମଧ୍ୟରେ ସଂଘର୍ଷ

ପ୍ରଥମ ସାମରିକ ମେଣ୍ଟ

 

୧୭୯୩ ଖ୍ରୀ:ରେ ଇଂଲଣ୍ଡ ଫ୍ରାନ୍‌ସର ବିପ୍ଳବୀ ସରକାରଙ୍କ ବିରୁଦ୍ଧରେ ଯୁଦ୍ଧରେ ଯୋଗଦାନ କଲା । ଏହା ପୂର୍ବରୁ ଅଷ୍ଟ୍ରିଆ ଓ ପ୍ରୁସିଆ ଫ୍ରାନ୍‌ସ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ ଏବଂ ଏହାପରେ ହଲାଣ୍ଡ, ସ୍ପେନ୍‍ ଓ ସାର୍ଡ଼ିନିଆ ମଧ୍ୟ ସେମାନଙ୍କ ସହ ମିଶିଲେ । ଫଳରେ ଫ୍ରାନ୍‌ସ ବିରୁଦ୍ଧରେ ଏକ ମେଣ୍ଟ ଗଠିତ ହେଲା ଯାହା ଇତିହାସରେ ପ୍ରଥମ ସାମରିକ ମେଣ୍ଟ ନାମରେ ଅଭିହିତ ହୋଇଥାଏ ।

 

ଇଉରୋପୀୟ ମେଣ୍ଟର ଖର୍ଚ୍ଚପାଇଁ ଇଂଲଣ୍ଡକୁ ଅଜସ୍ର ଅର୍ଥ ବ୍ୟୟ କରିବାକୁ ପଡ଼ିଲା । ଏହି ସମୟରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଥିଲେ ତରୁଣ ପିଟ୍‍ । ଇଂଲଣ୍ଡର ପ୍ରଧାନମନ୍ତ୍ରୀମାନଙ୍କ ମଧ୍ୟରେ ପିଟ୍‍ଙ୍କୁ ଏକ ବିଶିଷ୍ଟ ସ୍ଥାନ ଦିଆଯାଇଥାଏ । ମାତ୍ର ସେ ମୁଖ୍ୟତଃ ଶାନ୍ତିକାଳୀନ ମନ୍ତ୍ରୀ ରୂପରେ ବିଖ୍ୟାତ । ଯୁଦ୍ଧ ପରିଚାଳନାରେ ସେ ପିତା ପୂର୍ବଜ ପିଟ୍‍ଙ୍କର ଦକ୍ଷତା ପ୍ରଦର୍ଶନ କରିପାରି ନଥିଲେ । ଏହା ସତ୍ତ୍ୱେ ସେହି ସମୟରେ ଇଂଲଣ୍ଡକୁ ରକ୍ଷା କରିବାପାଇଁ ପିଟ୍‍ ଏକମାତ୍ର ବ୍ୟକ୍ତି ଥିଲେ ବୋଲି କେନିଙ୍ଗଙ୍କ ଭାଷାରେ କୁହାଯାଇପାରେ । ୧୭୯୩ ଖ୍ରୀ:ରେ ଫ୍ରାନ୍‌ସର ଜାତୀୟସଭା ଦୃଢ଼ ଭାବରେ ଘୋଷଣା କଲା ଯେ ପିଟ୍‍, ମାନବ ଜାତିର ପରମ ଶତ୍ରୁ ଅଟନ୍ତି । ପ୍ରକାରାନ୍ତରେ ଏହା ପିଟ୍‍ଙ୍କପାଇଁ ଏକ ଅଭିନନ୍ଦନ ଥିଲା ।

 

୧୭୯୩ ଖ୍ରୀ: ଗ୍ରୀଷ୍ମ ଋତୁରେ ଇଉରୋପୀୟ ମେଣ୍ଟ ଫ୍ରାନ୍‌ସ ଉପରେ ଆକ୍ରମଣ ଆରମ୍ଭ କଲେ । ଆଠଗୋଟି ବୈଦେଶିକ ସେନାବାହିନୀ ଏକ ସମୟରେ ଫ୍ରାନ୍‌ସ ଦେଶରେ ପ୍ରବେଶ କଲେ । ବାହ୍ୟ ବିପଦ ସାଙ୍ଗକୁ ଫ୍ରାନ୍‌ସ କେତେକ ଆଭ୍ୟନ୍ତରୀଣ ବିଶୃଙ୍ଖଳାର ମଧ୍ୟ ସମ୍ମୁଖୀନ ହେଲା । ଲିୟୋ ତୌଲୋ ଏବଂ ବ୍ରିଟାନୀରେ ରାଜତନ୍ତ୍ରବାଦୀମାନେ ବିଦ୍ରୋହ କଲେ । ତେଣୁ ପିଟ୍‍ ଆଶା କରିଥିଲେ ଯେ, ଫ୍ରାନ୍‌ସ ଅଧିକାର କରିବାପାଇଁ ଇଉରୋପୀୟ ମେଣ୍ଟକୁ ବେଶୀଦିନ ଲାଗିବ ନାହିଁ । ସେଥିପାଇଁ ସେ ଋଣ ସାହାଯ୍ୟରେ ଯୁଦ୍ଧ ଖର୍ଚ୍ଚ ତୁଲାଇବା ପାଇଁ ଉଦ୍ୟମ କଲେ ଏବଂ ଦେଶରେ ନୂତନ କର ବସାଇବା ପାଇଁ ଚାହିଁଲେ ନାହିଁ । ମାତ୍ର ପିଟ୍‍ଙ୍କର ଆଶା ସମ୍ପୂର୍ଣ୍ଣ ବ୍ୟର୍ଥ ହେଲା-। ଫ୍ରାନ୍‌ସର ବିପ୍ଳବୀ ସେନାବାହିନୀ ମାତୃଭୂମିର ରକ୍ଷାପାଇଁ ଅପୂର୍ବ ଉନ୍ମାଦନାରେ ଯୁଦ୍ଧରେ ଯୋଗ ଦେଲେ । ସାମରିକ ପ୍ରତିଭାଶାଳୀ କାର୍ଣ୍ଣଙ୍କର ବଳିଷ୍ଠ ନେତୃତ୍ୱ ସେମାନଙ୍କୁ ପ୍ରେରଣା ଯୋଗାଇଲା-। ଯୁଦ୍ଧରେ ଯେଉଁ ସେନାପତି ବିଫଳ ହୋଇ ଫେରି ଆସିଲେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଗଲା । ଫଳରେ ବିଜୟପାଇଁ ସମସ୍ତେ ପ୍ରାଣମୂର୍ଚ୍ଛା ଉଦ୍ୟମ କଲେ । ଅପରପକ୍ଷେ, ଇଉରୋପର ମିଳିତ ଶକ୍ତିମାନଙ୍କ ମଧ୍ୟରେ ଭଲ ବୁଝାମଣା ନଥିଲା । ସେମାନେ ନିଜ ନିଜର ସ୍ୱାର୍ଥସାଧନପାଇଁ ବ୍ୟସ୍ତ ଥିଲେ ଏବଂ ପରସ୍ପରକୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ । ତେଣୁ ପ୍ୟାରିସ ଅଭିମୁଖେ ସେମାନଙ୍କ ମିଳିତ ଯୁଦ୍ଧାଭିଯାନ ସମ୍ଭବ ହୋଇପାରିଲା ନାହିଁ । ତା’ ପରିବର୍ତ୍ତେ ସେମାନେ ପ୍ରତ୍ୟେକ ଫ୍ରାନ୍‌ସର ସୀମାନ୍ତରେ କେତେକ ଦୁର୍ଗ ଅବରୋଧ କରି ଭବିଷ୍ୟତରେ ସେଗୁଡ଼ିକ ଯେପରି ସେମାନଙ୍କର ଅଧୀନରେ ରହିପାରିବ, ସେଥିପାଇଁ ଉଦ୍ୟମ କଲେ । ଏହି ସମୟରେ ରୁଷିଆ ଓ ପ୍ରୁସିଆ ପୋଲାଣ୍ଡର ବିଭାଜନରେ ବ୍ୟସ୍ତ ଥିଲେ ଏବଂ ଅଷ୍ଟ୍ରିଆକୁ ବିପଦରେ ସାହାଯ୍ୟ କରିବାପାଇଁ ସେମାନଙ୍କର ଆନ୍ତରିକତା ନଥିଲା ।

 

ଉପରୋକ୍ତ କାରଣରୁ ବିପ୍ଳବୀ ସେନା ଇଉରୋପର ମିଳିତ ଶକ୍ତିଙ୍କୁ ଫରାସୀ ଭୂମିରୁ ବିତାଡ଼ିତ କରିବାରେ ସମର୍ଥ ହେଲେ । ବିଜୟ ଉନ୍ମାଦନାରେ ସେମାନେ ଅଗ୍ରସର ହୋଇ ବେଲଜିୟମ ଓ ହଲାଣ୍ଡ ଅଧିକାର କଲେ । ତେଣୁ ୧୭୯୫ ଖ୍ରୀ:ରେ ବେସଲ ସନ୍ଧିଫଳରେ ପ୍ରୁସିଆ ଓ ସ୍ପେନ୍‍ ମେଣ୍ଟରୁ ଓହରି ଗଲେ । ୧୭୯୬ ଖ୍ରୀ:ରେ ନେପୋଲିଅନ ଇଟାଲୀ ଅଭିମୁଖେ ପ୍ରେରିତ ହେଲେ । ସେ ସାର୍ଡ଼ିନିଆକୁ ପରାସ୍ତ କରି ସେ ଦେଶର ରାଜାଙ୍କୁ ଇଉରୋପୀୟ ମେଣ୍ଟ ପରିତ୍ୟାଗ କରିବାକୁ ବାଧ୍ୟ କଲେ । ଏହାପରେ ସେ ଅଷ୍ଟ୍ରିଆକୁ ପରାସ୍ତ କରି ଭିଏନା ଅଭିମୁଖରେ ଅଗ୍ରସର ହେଲେ । ଅଷ୍ଟ୍ରିଆ ଅପମାନଜନକ କେମ୍ପୋ ଫରମିଓ ଚୁକ୍ତି ସ୍ୱାକ୍ଷର କଲା । ଏହି ଚୁକ୍ତିଫଳରେ ପ୍ରଥମ ଇଉରୋପୀୟ ମେଣ୍ଟର ଶୋଚନୀୟ ପତନ ହେଲା ।

 

ପ୍ରଥମ ଇଉରୋପୀୟ ମେଣ୍ଟରେ ଇଂଲଣ୍ଡର ଭୂମିକା ଦୁର୍ବଳ ଥିଲା । ଛୋଟ ଛୋଟ ଇଂରେଜ ସେନାବାହିନୀ ଅଯୋଗ୍ୟ ସେନାପତିମାନଙ୍କର ନେତୃତ୍ୱରେ ତୌଲୋଁ ବ୍ରିଟାନୀ, ଡନକିର୍କ ପ୍ରଭୃତି ସ୍ଥାନକୁ ପ୍ରେରିତ ହୋଇଥିଲେ ଏବଂ ସେଠାରେ ସେମାନେ କୌଣସି ପ୍ରକାର ସଫଳତା ଲାଭ କରିପାରି ନଥିଲେ । ଡନକିର୍କ ସେନାବାହିନୀର ସେନାପତି ଡ୍ୟୁକ ଅଫ୍‌ ୟର୍କ ସମ୍ପୂର୍ଣ୍ଣ ଅଯୋଗ୍ୟ ଥିଲେ । ଏହାଛଡ଼ା, ସୈନ୍ୟମାନଙ୍କୁ ପ୍ରଚୁର ଅସ୍ତ୍ରଶସ୍ତ୍ର ଓ ଖାଦ୍ୟପେୟ ଯୋଗାଇ ଦିଆଯାଇପାରୁ ନଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପୁଥିଲା ଏବଂ ଅନେକ ସମୟରେ ସେମାନେ ବିଦ୍ରୋହ କରୁଥିଲେ । ଏହାସତ୍ତ୍ୱେ ୧୭୯୭ ଖ୍ରୀ:ରେ ଇଂରେଜ ନୌ ସେନାଧ୍ୟକ୍ଷ ଜାରଭିସ୍‌ ସେଣ୍ଟ ଭିନସେଣ୍ଟ ଅନ୍ତରୀପରେ ସ୍ପେନ୍‍ ବିରୁଦ୍ଧରେ ଏବଂ ନୌ ସେନାପତି ଡନକାନ୍‌ କେମ୍ପଡ଼ାଉନଠାରେ ହଲାଣ୍ଡ ବିରୁଦ୍ଧରେ ସାମୁଦ୍ରିକ ବିଜୟ ଲାଭ କରି ଇଂଲଣ୍ଡର ମର୍ଯ୍ୟାଦା ରକ୍ଷାକଲେ । ସେଣ୍ଟ ଭିନସେଣ୍ଟ ଯୁଦ୍ଧରେ ନେଲସନଙ୍କ ଦକ୍ଷତା ପ୍ରଥମ ଥରପାଇଁ ପ୍ରମାଣିତ ହୋଇଥିଲା ।

 

ଦ୍ୱିତୀୟ ସାମରିକ ମେଣ୍ଟ (୧୭୯୮–୧୮୦୧ ଖ୍ରୀ:) :– ପ୍ରଥମ ସାମରିକ ମେଣ୍ଟ ଭାଙ୍ଗିଯିବା ପରେ ଇଂଲଣ୍ଡର ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିଲା । ସେହି ଦେଶ ପ୍ରତି ମୁହୂର୍ତ୍ତରେ ଫରାସୀ ଆକ୍ରମଣର ଆଶଙ୍କାରେ ସଜାଗ ରହିଲା । ଫ୍ରାନ୍‌ସ ମଧ୍ୟ ସିଧାସଳଖ ଇଂଲଣ୍ଡ ଆକ୍ରମଣ କରିବାପାଇଁ ସାହସ କଲାନାହିଁ । ତେଣୁ ନେପୋଲିଅନ ମିଶର ଅଧିକାର କରି ସେଠାରୁ ଇଂଲଣ୍ଡର ଉପନିବେଶ ଭାରତ ଆକ୍ରମଣ କରିବାପାଇଁ ଯୋଜନା କଲେ । ତଦନୁସାରେ ସେ ମିଶର ଯାତ୍ରା କରି ପିରାମିଡ଼୍ ଯୁଦ୍ଧରେ ମାମେଲକମାନକୁ ପରାସ୍ତ କଲେ ଓ କାଲରୋ ଅଧିକାର କରିନେଲେ । ମାତ୍ର ଇତ୍ୟବସରରେ ଇଂରେଜ ନୌ ସେନାପତି ନେଲସନ୍‌ ନୀଳ ନଦୀର ମୁହାଣ ନିକଟରେ ଅବସ୍ଥିତ ଥିବା ଫରାସୀ ଜାହାଜଗୁଡ଼ିକୁ ଆକ୍ରମଣ କରି ଧ୍ୱଂସ କରିଦେଲେ । ୧୭୯୮ ଖ୍ରୀ: ଅଗଷ୍ଟ ୧ ତାରିଖ ଦିନ ନେଲସନଙ୍କ ଏହି ବିଜୟ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହାଫଳରେ ନେପୋଲିଅନଙ୍କ ଭାରତ ଆକ୍ରମଣ ଯୋଜନା ବିଫଳ ହେଲା ଏବଂ ସେ ମିଶର ଦେଶରେ ଆବଦ୍ଧ ହୋଇ ରହିଲେ । ଭୂମଧ୍ୟସାଗରରେ ଇଂରେଜମାନଙ୍କ କର୍ତ୍ତୃତ୍ୱ ପ୍ରତିଷ୍ଠିତ ହେଲା । ଇଉରୋପୀୟ ରାଷ୍ଟ୍ରଗୁଡ଼ିକ ପୁଣି ଥରେ ମିଳିତ ହେବାପାଇଁ ପ୍ରେରଣା ପାଇଲେ । ପ୍ରଥମେ ରୁଷିଆ ଏଥିରେ ଆଗଭର ହେଲା ଏବଂ ପରେ ପରେ ଅଷ୍ଟ୍ରିଆ, ତୁର୍କୀ ଓ ନେପଲ୍‌ସ ଯୋଗଦାନ କରି ଦ୍ୱିତୀୟ ସାମରିକ ମେଣ୍ଟ ଗଠନ କଲେ-। ପ୍ରୁସିଆ ଏଥିରେ ଯୋଗଦେଇ ନଥିଲା ।

 

ଫ୍ରାନ୍‌ସରେ ଏହି ସମୟରେ ନିର୍ଦ୍ଦେଶକ ମଣ୍ଡଳୀଙ୍କର ଶାସନ ଚାଲୁଥିଲା । ଉକ୍ତ ସରକାର ଇଉରୋପର ମିଳିତ ଶକ୍ତିର ସମ୍ମୁଖୀନ ହୋଇପାରିଲେ ନାହିଁ ଏବଂ ଆରମ୍ଭରେ କେତେକ ପରାଜୟ ସ୍ୱୀକାର କଲେ । ଇଂରେଜ ସେନାବାହିନୀ ମିନୋର୍କା ଅଧିକାର କଲେ ଏବଂ ମାଲଟା ଓ ବ୍ରେଷ୍ଟ ଅବରୋଧ କଲେ । ମିଳିତ ସେନା ଜର୍ମାନୀ ଓ ଇଟାଲୀର ମଧ୍ୟ ସଫଳତା ଲାଭ କଲେ ।

 

ଏହି ସମୟରେ ନେପୋଲିଅନ ମିଶର ଦେଶରେ ଅସହାୟ ହୋଇ ରହିଥିଲେ । ମାତ୍ର ତାଙ୍କର ଧୈର୍ଯ୍ୟ ଓ ସାହସ ଅତୁଟ ଥିଲା । ଏହି ଅବସ୍ଥାରେ ମଧ୍ୟ ସେ ଉତ୍ତର ଦିଗରେ ସିରିଆ ମଧ୍ୟ ଦେଇ ଅଗ୍ରସର ହୋଇ ଏକର ଦୁର୍ଗ ଉପରେ ଆକ୍ରମଣ କଲେ । ମାତ୍ର ସେନାପତି ସିଡ଼ନୀସ୍ମିଥ୍‌ ସାହସର ସହ ଯୁଦ୍ଧ କରି ନେପୋଲିଅନଙ୍କ ଆକ୍ରମଣକୁ ପ୍ରତିହିତ କଲେ । ବାଧ୍ୟହୋଇ ନେପୋଲିଅନ୍‌ ମିଶରକୁ ଫେରି ଆସିଥିଲେ । ଏହି ସମୟରେ ଫ୍ରାନ୍‌ସର ନିର୍ଦ୍ଦେଶକମଣ୍ଡଳୀଙ୍କ ସରକାର ଇଉରୋପୀୟ ଦେଶମାନଙ୍କର ସାମରିକ ମେଣ୍ଟଦ୍ୱାରା ପରାଜୟ ବରଣ କରୁଥିବା ସମ୍ବାଦ ତାଙ୍କୁ ବିଚଳିତ କଲା । ସେ ଏହାର ପ୍ରତିଶୋଧ ନେବାପାଇଁ ଅସ୍ଥିର ହୋଇ ଉଠିଲେ । ଶେଷରେ ସେ ତାଙ୍କୁ ଜଗି ରହିଥିବା ବ୍ରିଟିଶ ନୌବାହିନୀର ଅଜ୍ଞାତରେ ଏକ ଛୋଟ ଜାହାଜରେ ଫ୍ରାନ୍‌ସକୁ ଚାଲିଆସିଲେ । ଏହାପରେ ସେ ନିର୍ଦ୍ଦେଶକମଣ୍ଡଳୀଙ୍କ ଅପାରଗ ସରକାରଙ୍କୁ ଭାଙ୍ଗିଦେଇ ନିଜ ନେତୃତ୍ୱରେ ଏକ ନୂତନ ସରକାର ଗଠନ କଲେ । ଏଥିରେ ସେ ପ୍ରଥମ କନସଲ ନାମରେ ଅଭିହିତ ହେଲେ ।

 

ଇତିମଧ୍ୟରେ ରୁଷିଆ ଓ ଅଷ୍ଟ୍ରିଆ ମଧ୍ୟରେ ମନାନ୍ତର ହେଲା ଏବଂ ଇଂଲଣ୍ଡ ଅଷ୍ଟ୍ରିଆକୁ ସମର୍ଥନ କରିବାରୁ ରୁଷିଆର ଜାର ପଲ୍‌ ସାମରିକ ମେଣ୍ଟ ପରିତ୍ୟାଗ କଲେ । ନେପୋଲିଅନ୍‌ ଫ୍ରାନ୍‌ସରେ ଶୃଙ୍ଖଳା ସ୍ଥାପନ କରିସାରି ଅଷ୍ଟ୍ରିଆ ରାଜ୍ୟକୁ ଦୁଇ ଦିଗରେ ଆକ୍ରମଣ କଲେ । ମୋରୋଙ୍କ ନେତୃତ୍ୱରେ ଏକ ଫରାସୀ ସେନା ୧୮୦୦ ଖ୍ରୀ:ରେ ହୋହେନଲିଣ୍ଡନ ଯୁଦ୍ଧରେ ଅଷ୍ଟ୍ରିଆ ବିରୁଦ୍ଧରେ ବିଜୟ ଲାଭ କଲେ । ନେପୋଲିଅନ୍‌ ଆଉ ଏକ ସେନାବାହିନୀର ନେତୃତ୍ୱ ନେଇ ମାରେଙ୍ଗୋ ଯୁଦ୍ଧରେ ଅଷ୍ଟ୍ରିଆ ସେନାକୁ ଶୋଚନୀୟଭାବେ ପରାସ୍ତ କଲେ । ଏହାପରେ ୧୮୦୧ ଖ୍ରୀ:ରେ ଅଷ୍ଟ୍ରିଆ ଲ୍ୟନ୍‌ଭିଲ ସନ୍ଧି ଚୁକ୍ତି ସ୍ୱାକ୍ଷର କରିବାକୁ ବାଧ୍ୟ ହେଲା । ଏହା କେମ୍ପୋ ଫୋରମିଓ ଚୁକ୍ତିର ଅନୁରୂପ ଥିଲା । ଏହାଫଳରେ ଦ୍ୱିତୀୟ ସାମରିକ ମେଣ୍ଟ ଧ୍ୱଂସପ୍ରାପ୍ତ ହେଲା । ଇଂଲଣ୍ଡ ପୁଣି ଏକାକୀ ଫରାସୀ ଆକ୍ରମଣର ସମ୍ମୁଖୀନ ହେଲା । ଇଉରୋପର ଅନ୍ୟ କେତେକ ରାଜ୍ୟ ମଧ୍ୟ ଇଂଲଣ୍ଡ ସହ ଶତ୍ରୁତା ଆଚରଣ କଲେ । ଏହି ସଙ୍କଟମୟ କାଳରେ ପିଟ୍‍ ମନ୍ତ୍ରିମଣ୍ଡଳରୁ ବିଦାୟ ନେଲେ ଏବଂ ଏଡ଼ିଙ୍ଗଟନ୍‌ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କଲେ । ଏହି ସମୟରେ ଉଭୟ ଇଂଲଣ୍ଡ ଓ ଫ୍ରାନ୍‌ସ ଅବିଶ୍ରାନ୍ତ ଯୁଦ୍ଧଫଳରେ କ୍ଳାନ୍ତ ହୋଇ ପଡ଼ିଥିଲେ । କିଛିକାଳ ପାଇଁ ଶାନ୍ତି ସେମାନଙ୍କର କାମ୍ୟ ଥିଲା । ତେଣୁ ୧୮୦୨ ଖ୍ରୀ:ରେ ସେମାନଙ୍କ ମଧ୍ୟରେ ଏମିନସ୍‌ ଶାନ୍ତିଚୁକ୍ତି ସ୍ୱାକ୍ଷରିତ ହେଲା । ଏହାଦ୍ୱାରା ଇଂଲଣ୍ଡ, ସିଂହଳ ଓ ତ୍ରିନିଦାଦ ବ୍ୟତୀତ ଅନ୍ୟ ସବୁ ବିଜିତ ଅଞ୍ଚଳ ଫେରାଇ ଦେଲା । ବେଲିଜିୟମ ଓ ରାଇନ ଅଞ୍ଚଳ ଫ୍ରାନ୍‌ସ ଅଧୀନରେ ରହିଲା ।

 

ଦ୍ୱିତୀୟ ସାମରିକ ମେଣ୍ଟରେ ମଧ୍ୟ ପିଟ୍‍ଙ୍କର ଭୂମିକା ମହନୀୟ ନଥିଲା । ଏହି ସମୟରେ ତାଙ୍କର ପ୍ରଧାନ ସେନାପତି ଡୁଣ୍ଡାସ ଅପାରଗ ଓ ଅନଭିଜ୍ଞ ଥିଲେ । ଫଳରେ ଇଂଲଣ୍ଡର ଯୁଦ୍ଧନୀତି ବିଫଳ ହୋଇଥିଲା । ଏହାସତ୍ତ୍ୱେ କେତେକ ସାମରିକ କର୍ମଚାରୀ ଏହି ସମୟରେ ସେମାନଙ୍କର ସାହସ ଓ ଦକ୍ଷତାର ପରିଚୟ ଦେଇଥିଲେ । ସେନାପତି ସାର୍‌ ହାଇଡ଼ ପାର୍କର ୧୮୦୧ ଖ୍ରୀ:ରେ କୋପେନ ହାଗେନ୍‌ଠାରେ ଡେନିସ ନୌବାହିନୀକୁ ଆକ୍ରମଣ କରିବାପାଇଁ ନେଲସନଙ୍କୁ ନିର୍ଦ୍ଦେଶ ଦେଲେ । ସାର୍‌ ପାର୍କର ଦୂରରେ ରହି ଯୁଦ୍ଧର ଗତିବିଧି ନିରୀକ୍ଷଣ କରୁଥିଲେ-। ତିନି ଘଣ୍ଟା ଯୁଦ୍ଧ ପରେ ସେନାପତି ପାର୍କର ଡେନିସମାନଙ୍କର ଆସନ୍ନ ବିଜୟ ଉପଲବ୍ଧି କରି ନେଲସନଙ୍କୁ ଫେରି ଆସିବାପାଇଁ ସଙ୍କେତ ଦେଲେ । ନେଲସନ ତାଙ୍କ କର୍ମଚାରୀମାନଙ୍କୁ କହିଲେ, ‘‘ତୁମେ ଜାଣ, ମୋର ଗୋଟିଏ ଚକ୍ଷୁ ନାହିଁ । ତେଣୁ ସମୟ ସମୟରେ କିଛି ଦେଖି ନ ପାରିବାର ଅଧିକାର ମୋର ଅଛି ।’’ ଏହାପରେ ସେ ତାଙ୍କର ନିଷ୍ପ୍ରଭ ଚକ୍ଷୁକୁ ଦୂରବୀକ୍ଷଣ ଯନ୍ତ୍ର ନିକଟରେ ଥୋଇ କହିଲେ, ‘‘କାହିଁ ମୁଁ ତ କୌଣସି ସଙ୍କେତ ଦେଖିପାରୁନାହିଁ ।’’ ନେଲସନ୍‌ ଶେଷ ମୁହୂର୍ତ୍ତରେ ପ୍ରାଣମୂର୍ଚ୍ଛା ଉଦ୍ୟମ କରି ଡେନିସ ନୌବାହିନୀକୁ ଧ୍ୱଂସ କଲେ । ବସ୍ତୁତଃ ଏହି ସମୟରେ ଇଂରେଜମାନଙ୍କ ସାହସିକତା ଓ ଦେଶପ୍ରାଣତାର ଅଭାବ ନଥିଲା । ଅଭାବ ଥିଲା ବଳିଷ୍ଠ ନେତୃତ୍ୱର-

 

ନେପୋଲିଅନୀୟ ସମର (ଖ୍ରୀ: ୧୮୦୩–୧୮୧୫)–ଇଂଲଣ୍ଡ ଓ ଫ୍ରାନ୍‌ସ ମଧ୍ୟରେ ଏମିନ୍‌ସ ଶାନ୍ତିଚୁକ୍ତି ବେଶୀକାଳ ସ୍ଥାୟୀ ହୋଇ ପାରିଲା ନାହିଁ । ନେପୋଲିଅନ ନିଜ କ୍ଷମତାର ପରିପ୍ରସାର ପାଇଁ ସର୍ବଦା ବ୍ୟଗ୍ର ଥିଲେ । ଜର୍ମାନୀର ସେ ହସ୍ତକ୍ଷେପ କରି ଫ୍ରାନ୍‌ସର ସୁବିଧା ଅନୁସାରେ ରାଜ୍ୟର ସୀମା ନିର୍ଦ୍ଧାରଣ କଲେ । ସୁଇଜରଲେଣ୍ଡକୁ ତିରିଶ ହଜାର ସୈନ୍ୟ ପଠାଇ ସେ ଦେଶରେ ସେ ଏକ ନୂତନ ସମ୍ବିଧାନ କାର୍ଯ୍ୟକାରୀ କଲେ । ଏହାଛଡ଼ା ସେ ହଲାଣ୍ଡକୁ ଫ୍ରାନ୍‌ସରେ ମିଶାଇ ଦେଲେ, ଯାହାଫଳରେ ଉତ୍ତର ସାଗରରେ ବ୍ରିଟିଶ ସାର୍ବଭୌମତ୍ୱ ବିପନ୍ନ ହେଲା । ଏହାପରେ ସେ ମିଶର ଅଧିକାର କରିବାପାଇଁ ଏବଂ ସେଠାରୁ ଭାରତ ଆକ୍ରମଣ କରିବା ସକାଶେ ଯୋଜନା କଲେ । ଏହି ଉଦ୍ଦେଶ୍ୟରେ ସେ ଏକ ବିଶାଳ ନୌବାହିନୀ ଗଢ଼ୁଥିଲେ । ନେପୋଲିଅନଙ୍କ କାର୍ଯ୍ୟକଳାପକୁ ଇଂଲଣ୍ଡ ତୀବ୍ର ସମାଲୋଚନା କଲା ଏବଂ ଏମିନସ୍‌ ଶାନ୍ତିଚୁକ୍ତିର ବିରୁଦ୍ଧାଚରଣ କରି ମାଲଟାକୁ ନିଜ ଅଧୀନରେ ରଖିଲା । ତେଣୁ ୧୮୦୩ ଖ୍ରୀ: ମେ’ ମାସରେ ଉଭୟ ଦେଶ ମଧ୍ୟରେ ସଂଘର୍ଷ ପୁଣି ଆରମ୍ଭ ହେଲା । ଏହି ସମୟରେ ନେପୋଲିଅନ ଫ୍ରାନ୍‍ସର ଏକଛତ୍ର ଶାସକ ଥିଲେ ଏବଂ ତାଙ୍କର ପ୍ରଭାବ ଓ ପରାକ୍ରମ ସର୍ବବ୍ୟାପୀ ଥିଲା । ତେଣୁ ୧୮୦୩ ଖ୍ରୀ: ପରେ ଫ୍ରାନ୍‌ସ ବିରୁଦ୍ଧରେ ସଂଘର୍ଷକୁ ନେପୋଲିଅନୀୟ ସମର ନାମରେ ଅଭିହିତ କରାଯାଇଥାଏ ।

 

ତୃତୀୟ ସାମରିକ ମେଣ୍ଟ–ଏହି ସମୟରେ ନେପୋଲିଅନ ଇଂଲଣ୍ଡ ଆକ୍ରମଣ ପାଇଁ ସମସ୍ତ ଶକ୍ତି ବିନିଯୋଗ କଲେ । ସେଥିପାଇଁ ସେ ଏକଲକ୍ଷ ସୈନ୍ୟ ବିଶିଷ୍ଟ ଏକ ଶକ୍ତିଶାଳୀ ବାହିନୀ ଗଠନ କଲେ । ତାଙ୍କର ଉର୍ବର ମସ୍ତିଷ୍କ ଆକ୍ରମଣ ପାଇଁ ଯୋଜନା ପରେ ଯୋଜନା ପ୍ରସ୍ତୁତ କଲା । ମାତ୍ର ଇଂରେଜମାନେ ଇଂଲିଶ୍‍ ଅନ୍ତରୀପରେ ସର୍ବଦା ସଜାଗ ରହି ନେପୋଲିଅନଙ୍କର ସମସ୍ତ ଯୋଜନା ବ୍ୟର୍ଥ କଲେ । ଦେଶର ଏହି ସଙ୍କଟ କାଳରେ ତରୁଣ ପିଟ୍‍ଙ୍ଗର ବଳିଷ୍ଠ ନେତୃତ୍ୱପାଇଁ ଦାବି ହେଲା । ପିଟ୍‍ ୧୮୦୪ ଖ୍ରୀ:ରେ ଦ୍ୱିତୀୟ ଥରପାଇଁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କଲେ । ଏହାପରେ ସେ ଫ୍ରାନ୍‌ସ ବିରୁଦ୍ଧରେ ଇଉରୋପୀୟ ରାଷ୍ଟ୍ରମାନଙ୍କୁ ପୁଣି ଥରେ ମିଳିତ କରିବାପାଇଁ ଉଦ୍ୟମ କଲେ । ଫଳରେ ୧୮୦୫ ଖ୍ରୀ:ରେ ରୁଷିଆ, ଅଷ୍ଟ୍ରିଆ, ଇଂଲଣ୍ଡ ଏବଂ ସୁଇଡ଼େନ ମିଳିତ ହୋଇ ତୃତୀୟ ସାମରିକ ମେଣ୍ଟ ଗଠନ କଲେ । ଇଂଲଣ୍ଡର ଅଧୀନରେ ଥିବା ହାନୋଭର ରାଜ୍ୟ ପାଇବା ଆଶାରେ ପ୍ରଲୋଭିତ ହୋଇ ପ୍ରୁସିଆ ଏଥର ମଧ୍ୟ ସାମରିକ ମେଣ୍ଟରେ ଯୋଗ ଦେଲା ନାହିଁ ।

 

୧୮୦୫ ଖ୍ରୀ: ଅକ୍‌ଟୋବର ମାସ ୨୧ ତାରିଖ ଦିନ ଫ୍ରାନ୍‌ସ ଓ ଇଂଲଣ୍ଡର ନୌ–ସେନା ମଧ୍ୟରେ ଟ୍ରାଫଲଗାରଠାରେ ଏକ ଭୟଙ୍କର ଯୁଦ୍ଧ ସଂଘଟିତ ହେଲା । ପରାକ୍ରମୀ ନେଲସନ ଇଂରେଜ ନୌ–ବାହିନୀ ଅଧ୍ୟକ୍ଷ ଥିଲେ । ଫରାସୀ ନୌ–ସେନାର ନେତୃତ୍ୱ ନେଇଥିଲେ ଭିଲେନ୍ୟୁଭ । ବହୁ ସମୟ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ତୁମୂଳ ଯୁଦ୍ଧ ହେଲାପରେ ଇଂରେଜ ନୌ–ବାହିନୀ ବିଜୟ ଲାଭ କଲେ । ମାତ୍ର ବିଜୟ ମୁହୂର୍ତ୍ତରେ ନେଲସନ ଶତ୍ରୁର ଗୁଳିରେ ଆଘାତ ପାଇ ଶେଷ ନିଃଶ୍ୱାସ ତ୍ୟାଗ କଲେ । ଇଂଲଣ୍ଡର ଏହି ବିଜୟ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହାଫଳରେ ଫରାସୀ ନୌ–ବାହିନୀ ଧ୍ୱଂସ ପ୍ରାପ୍ତ ହେଲା ଏବଂ ଇଂଲଣ୍ଡ ଉପରେ ଫ୍ରାନ୍‌ସର ଆକ୍ରମଣ ଆଶଙ୍କା ଦୂରୀଭୂତ ହେଲା ।

 

ନେପୋଲିଅନ ଜଳଯୁଦ୍ଧରେ ପରାଜିତ ହେଲେ ମଧ୍ୟ ସ୍ଥଳ ଯୁଦ୍ଧରେ ଅଜେୟ ଓ ଅପ୍ରତିଦ୍ୱନ୍ଦ୍ୱୀ ଥିଲେ । ଟ୍ରାଫଲଗାର ଯୁଦ୍ଧରେ ମଧ୍ୟ ଛଅ ସପ୍ତାହ ପରେ ୧୮୦୫ ଖ୍ରୀ: ଡିସେମ୍ବର ୨ ତାରିଖ ଦିନ ଅଷ୍ଟରଲିଜଠାରେ ସେ ଅଷ୍ଟ୍ରିଆ ଓ ରୁଷିଆର ମିଳିତ ସେନାକୁ ଶୋଚନୀୟଭାବେ ପରାସ୍ତ କଲେ । ଏହାଫଳରେ ଅଷ୍ଟ୍ରିଆ ପ୍ରେସବର୍ଗ ଶାନ୍ତିଚୁକ୍ତି ସ୍ୱାକ୍ଷରିତ କରିବାକୁ ବାଧ୍ୟ ହେଲା ଏବଂ ତୃତୀୟ ସାମରିକ ମେଣ୍ଟ ଭାଙ୍ଗିଗଲା । ଇଂଲଣ୍ଡର ପ୍ରଧାନମନ୍ତ୍ରୀ ତରୁଣ ପିଟ୍‍ ଏହି ସମ୍ବାଦ ପାଇବା ସମୟରେ ଇଉରୋପର ଏକ ମାନଚିତ୍ର ଅନୁଧ୍ୟାନ କରୁଥିଲେ । ଏତଦ୍ଦ୍ୱାରା ସେ ବିଚଳିତ ହୋଇ କହିଲେ ‘‘ଇଉରୋପର ଏହି ମାନଚିତ୍ରକୁ ଘୋଡ଼ାଇ ଦେଇ ରଖିଦିଅ, ଏହା ଆସନ୍ତା ଦଶବର୍ଷ ପାଇଁ ଦରକାର ପଡ଼ିବ ନାହିଁ ।’’ ତାଙ୍କର ଏହି ଭବିଷ୍ୟତ ବାଣୀ ପ୍ରାୟ ସତ୍ୟରେ ପରିଣତ ହୋଇଥିଲା । ଅଷ୍ଟରଲିଜ ଆଘାତ ପିଟ୍‍ ସହ୍ୟ କରି ପାରିଲେ ନାହିଁ । ଏହି ଘଟଣାର ଛଅ ସପ୍ତାହ ମଧ୍ୟରେ ସେ ଭଗ୍ନହୃଦୟରେ ପ୍ରାଣତ୍ୟାଗ କଲେ ।

 

ଏହାପରେ ନେପୋଲିଅନ ୧୮୦୬ ଖ୍ରୀ:ରେ ୟେନା ଓ ଅଉରଷ୍ଟାଡ଼୍‌ଠାରେ ପ୍ରୁସିଆକୁ ଶୋଚନୀୟଭାବେ ପରାସ୍ତ କରି ରୁଷିଆ ବିରୁଦ୍ଧରେ ଯାତ୍ରା କଲେ । ୧୮୦୭ ଖ୍ରୀ: ଜୁନ୍‌ ମାସରେ ଫ୍ରିଡ଼ଲେଣ୍ଡ ଯୁଦ୍ଧକ୍ଷେତ୍ରରେ ରୁଷିଆର ଜାର ଆଲେକ୍‍ଜାଣ୍ଡାର ପରାସ୍ତ ହୋଇ ତିଲସିତ୍‌ ସନ୍ଧିପତ୍ରରେ ସ୍ୱାକ୍ଷର କଲେ । ଏହିସବୁ ବିଜୟଫଳରେ ନେପୋଲିଅନଙ୍କର ଆଧିପତ୍ୟ ଇଉରୋପରେ ପ୍ରତିଷ୍ଠିତ ହେଲା । କେବଳ ଇଂଲଣ୍ଡ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ହୋଇ ରହିଲା ।

 

ଇଂଲଣ୍ଡର ଯୁଦ୍ଧକାଳୀନ ମନ୍ତ୍ରିମଣ୍ଡଳ–ପିଟ୍‍ଙ୍କର ମୃତ୍ୟୁରେ ଇଂଲଣ୍ଡ ଏକ ଯୋଗ୍ୟ ପ୍ରଧାନମନ୍ତ୍ରୀଙ୍କୁ ହରାଇଲା । ଦେଶର ସେହି ସଙ୍କଟ କାଳରେ କୌଣସି ଦଳ ବା ବ୍ୟକ୍ତିବିଶେଷ ନେତୃତ୍ୱର ଦକ୍ଷତା ଦେଖାଇ ପାରିଲେ ନାହିଁ । ତେଣୁ ସମସ୍ତ ଦଳର ପ୍ରତିଭାଶାଳୀ ନେତାଗଣ ମିଳିତ ହୋଇ ବୟୋବୃଦ୍ଧ ଗ୍ରେନଭିଲଙ୍କ ନେତୃତ୍ୱରେ ମନ୍ତ୍ରିମଣ୍ଡଳ ଗଠନ କଲେ । ମାତ୍ର ୧୮୦୭ ଖ୍ରୀ:ରେ ଏହି ମନ୍ତ୍ରିମଣ୍ଡଳ ଭାଙ୍ଗିଗଲା । ଏହାପରେ ପୋର୍ଟଲେଣ୍ଡ ୧୮୦୭ ଖ୍ରୀ:ରୁ ୧୮୦୯ ଖ୍ରୀ: ପର୍ଯ୍ୟନ୍ତ, ପ୍ୟାରିସରେ ୧୮୦୯ ଖ୍ରୀ:ରୁ ୧୮୧୨ ଖ୍ରୀ: ପର୍ଯ୍ୟନ୍ତ ଏବଂ ଲିଭରପୁଲ ୧୮୧୨ ଖ୍ରୀ:ରୁ ୧୮୨୭ ଖ୍ରୀ: ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ରହିଲେ । ଏହି ସମୟର ମନ୍ତ୍ରିମଣ୍ଡଳରେ ଲର୍ଡ଼ କେସଲରି ଓ ଜର୍ଜ କ୍ୟାନିଙ୍ଗ୍‍ଙ୍କର ଯୋଗ୍ୟତା ଉଲ୍ଲେଖଯୋଗ୍ୟ ଥିଲା । କେସଲରି ୧୮୧୨ ଖ୍ରୀ:ରୁ ବୈଦେଶିକ ବ୍ୟାପାର ଦାୟିତ୍ୱରେ ଥିଲେ ।

 

ନେପୋଲିୟନଙ୍କର ‘ମହାଦେଶୀୟ ବ୍ୟବସ୍ଥା’–ନେପାଲିୟନଙ୍କର ଇଂଲଣ୍ଡ ଆକ୍ରମଣର ଆଶା ଟ୍ରାଫଲଗାର ବିପର୍ଯ୍ୟୟ ପରେ ମଉଳିଗଲା । ତେଣୁ ସେ ଦେଶକୁ ଆୟତ୍ତ କରିବାପାଇଁ ଏକ ନୂତନ ଯୋଜନା ପ୍ରସ୍ତୁତ କଲେ । ସେ ଉପଲବ୍ଧି କରିଥିଲେ ଯେ ଇଂଲଣ୍ଡ ଏକ ବ୍ୟବସାୟୀ ଦେଶ ଅଟେ ଏବଂ ସେ ଦେଶର ଲୋକେ ଖାଦ୍ୟପେୟ ତଥା ଶିଳ୍ପର ବିକାଶପାଇଁ ମୁଖ୍ୟତଃ ବହିର୍ବାଣିଜ୍ୟ ଉପରେ ନିର୍ଭର କରନ୍ତି । ତେଣୁ ନେପୋଲିଅନ ଇଂଲଣ୍ଡର ବହିର୍ବାଣିଜ୍ୟକୁ ଧ୍ୱଂସକରି ସେହି ଦେଶକୁ ଆୟତ୍ତ କରିବା ସକାଶେ ଉଦ୍ୟମ କଲେ । ୧୮୦୬ ଖ୍ରୀ: ନଭେମ୍ବର ମାସରେ ବର୍ଲିନଠାରେ ଏବଂ ୧୮୦୭ ଖ୍ରୀ:ରେ ମିଲାନଠାରେ ନେପୋଲିଅନ ଘୋଷଣା କଲେ ଯେ ଇଉରୋପର କୌଣସି ପୋତାଶ୍ରୟରେ ଇଂଲଣ୍ଡର ବାଣିଜ୍ୟ ଜାହାଜ ଆଶ୍ରୟ ଗ୍ରହଣ କରିପାରିବ ନାହିଁ ଏବଂ ଇଉରୋପର କୌଣସି ଦେଶ ଇଂଲଣ୍ଡ ସହିତ ବାଣିଜ୍ୟ ସମ୍ପର୍କ ରଖିପାରିବେ ନାହିଁ । ନେପୋଲିଅନଙ୍କର ଏହି ବର୍ଲିନ ଓ ମିଲାନ ଘୋଷଣାକୁ ମହାଦେଶୀୟ ବ୍ୟବସ୍ଥା ନାମରେ ଅଭିହିତ କରାଯାଏ । ୧୮୦୭ ଖ୍ରୀ:ର ତିଲସିତ ସନ୍ଧି ପରେ ନେପୋଲିଅନଙ୍କର ପ୍ରଭୁତ୍ୱ ସମଗ୍ର ଇଉରୋପରେ ପ୍ରତିଷ୍ଠିତ ହୋଇଥିଲା । ତେଣୁ ଏହି ନୂତନ ଯୋଜନାକୁ କାର୍ଯ୍ୟକାରୀ କରିବା ନିମିତ୍ତ କୌଣସି ବିଶେଷ ଅସୁବିଧା ସେ ଆଶଙ୍କା କରି ନଥିଲେ ।

 

ନେପୋଲିଅନଙ୍କ ମହାଦେଶୀୟ ନୀତିର ମୁକାବିଲା କରିବାପାଇଁ ଇଂଲଣ୍ଡ ‘ଅର୍ଡ଼ରସ–ଇନ୍‌–କାଉନ୍‌ସିଲ୍’ ନାମରେ ଏକ ବିଜ୍ଞପ୍ତି ପ୍ରକାଶ କଲା । ଏଥିରେ ଘୋଷିତ ହେଲା ଯେ ଫ୍ରାନ୍‌ସ କିମ୍ବା ତା’ର ମିତ୍ରରାଷ୍ଟ୍ର ସହ ବାଣିଜ୍ୟ ଉଦ୍ଦେଶ୍ୟରେ ଯାତ୍ରା କରୁଥିବା ଯେକୌଣସି ଦେଶର ଜାହାଜକୁ ବଳପୂର୍ବକ ଅଧିକାର କରାଯାଇପାରିବ ।

 

ନେପୋଲିଅନଙ୍କର ମହାଦେଶୀୟ ବ୍ୟବସ୍ଥାଫଳରେ ଇଂଲଣ୍ଡ ଏକ ନୂତନ ସଙ୍କଟର ସମ୍ମୁଖୀନ ହେଲା । ବହିର୍ବାଣିଜ୍ୟ ବନ୍ଦ ହୋଇଯିବାଦ୍ୱାରା ସେ ଦେଶରେ ଗୁରୁତର ଖାଦ୍ୟାଭାବ ପରିଲକ୍ଷିତ ହେଲା । କଞ୍ଚାମାଲର ଆମଦାନୀ ବନ୍ଦ ହୋଇ କଳକାରଖାନାଗୁଡ଼ିକ ଅଚଳ ହୋଇ ପଡ଼ିଲା । ବହୁସଂଖ୍ୟକ କର୍ମଚାରୀ କର୍ମଚ୍ୟୁତ ହେଲେ । ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇ ବିଶୃଙ୍ଖଳା ଓ ବିଦ୍ରୋହ ଦେଖାଦେଲା । ଏହି ପରିସ୍ଥିତି ବେଶୀକାଳ ସ୍ଥାୟୀ ହୋଇଥିଲେ ଇଂଲଣ୍ଡର ପତନ ହୋଇଥାନ୍ତା ।

 

ମାତ୍ର ମହାଦେଶୀୟ ବ୍ୟବସ୍ଥା ନେପୋଲିନଙ୍କ ପାଇଁ ଆହୁରି ବେଶୀ ମାରାତ୍ମକ ବୋଲି ପ୍ରମାଣିତ ହେଲା । ଏହି ସମୟରେ ସମୁଦ୍ରରେ ଇଂରେଜମାନଙ୍କର ପୂର୍ଣ୍ଣ ଆଧିପତ୍ୟ ପ୍ରତିଷ୍ଠିତ ହୋଇଥିଲା । ଅର୍ଡ଼ରସ–ଇନ୍‌–କାଉନ୍‌ସିଲ୍ ବଳରେ ସେମାନେ ଇଉରୋପର ବହିର୍ବାଣିଜ୍ୟକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ସକ୍ଷମ ହେଲେ । ଇଉରୋପୀୟ ବଜାରରେ ଚିନି, କଫି ପ୍ରଭୃତି ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥର ମୂଲ୍ୟ ବହୁଗୁଣରେ ବଢ଼ିଗଲା । ହଲାଣ୍ଡ, ସୁଇଜରଲେଣ୍ଡ ପ୍ରଭୃତି ଶିଳ୍ପପ୍ରଧାନ ଦେଶଗୁଡ଼ିକର ଅବସ୍ଥା ଶୋଚନୀୟ ହୋଇପଡ଼ିଲା । ସମସ୍ତେ ଏଥିପାଇଁ ନେପୋଲିୟନଙ୍କୁ ଦାୟୀ କଲେ । ତେଣୁ ନେପୋଲିଅନଙ୍କ ଉଗ୍ର ଆଧିପତ୍ୟ କବଳରୁ ମୁକ୍ତ ହେବାପାଇଁ ସେମାନେ ଉଦ୍ୟମ କଲେ । ଚୋରା ବାଣିଜ୍ୟ ବହୁ ପରିମାଣରେ ଚାଲିଲା । କେତେକ ଦେଶ ମହାଦେଶୀୟ ନୀତିକୁ ପ୍ରତ୍ୟାଖ୍ୟାନ କଲେ ଏବଂ ଫଳରେ ନେପୋଲିଅନଙ୍କୁ ସେମାନଙ୍କ ସହ କ୍ରମାଗତ ଯୁଦ୍ଧ କରିବାକୁ ପଡ଼ିଲା । ବସ୍ତୁତଃ ମହାଦେଶୀୟ ନୀତି ନେପୋଲିଅନଙ୍କର ଏକ ବିରାଟ ରାଜନୈତିକ ଭୁଲ ଥିଲା ।

 

ପର୍ତ୍ତୁଗାଲ ଓ ସ୍ପେନ୍‍ ସହ ଯୁଦ୍ଧ–ପର୍ତ୍ତୁଗାଲ ନେପୋଲିଅନଙ୍କର ମହାଦେଶୀୟ ନୀତି ଗ୍ରହଣ କଲାନାହିଁ । ତେଣୁ ସେ ଉକ୍ତ ଦେଶକୁ ଆୟତ୍ତ କରିବାପାଇଁ ୧୮୦୮ ଖ୍ରୀ:ରେ ଏକ ବିରାଟ ସେନାବାହିନୀ ଘେନି ଅଗ୍ରସର ହେଲେ । ଫରାସୀସେନା ସ୍ପେନ୍‍ ମଧ୍ୟ ଦେଇ ଯାତ୍ରାକଲେ । ଏହି ସମୟରେ ସ୍ପେନ୍‍ରେ ବୋରବନ ବଂଶର ରାଜା ଚତୁର୍ଥ ଚାର୍ଲସ୍‍ ରାଜତ୍ୱ କରୁଥିଲେ । ଉକ୍ତ ରାଜବଂଶରେ ଏକ ଗୃହବିବାଦର ସୁଯୋଗ ନେଇ ନେପୋଲିଅନ ରାଜା ଚାର୍ଲସ୍‍ ଓ ଯୁବରାଜ ଫାର୍ଡ଼ିନେଣ୍ଡଙ୍କୁ ସିଂହାସନରୁ ବହିଷ୍କୃତ କଲେ ଏବଂ ନିଜ ଭ୍ରାତା ଜୋସେଫ ବୋନାପାର୍ଟଙ୍କୁ ସ୍ପେନ୍‍ର ରାଜା କରାଇଲେ । ଇତିମଧ୍ୟରେ ଏକ ଶକ୍ତିଶାଳୀ ଇଂରେଜ ସେନା ସାର୍ ଆର୍‌ଥର ୱେଲସଲୀଙ୍କ ନେତୃତ୍ୱରେ ସ୍ପେନ୍‍ ଓ ପର୍ତ୍ତୁଗାଲକୁ ସାହାଯ୍ୟ କରିବାପାଇଁ ପ୍ରେରିତ ହୋଇଥିଲେ । ୱେଲସଲୀ ଭିମିଏରୋଠାରେ ଫରାସୀ ସେନାବାହିନୀକୁ ପରାସ୍ତ କଲେ । ଫରାସୀମାନେ ସିନ୍ତ୍ରାଚୁକ୍ତି ଅନୁଯାୟୀ ପର୍ତ୍ତୁଗାଲ ପରିତ୍ୟାଗ କଲେ । ଇଂରେଜ ସେନାପତି ସାର୍ ଜନ୍ ମୁର ସ୍ପେନ୍‍ ଭିତରେ ପ୍ରବେଶ କଲେ । ଏହାପରେ ନେପୋଲିଅନ ନିଜେ ଏକ ସେନାବାହିନୀ ସହ ଅଗ୍ରସର ହୋଇ ମାଡ଼ିଡ଼ ଅଧିକାର କଲେ । ଜନ୍‌ ମୁର କୋରୁନାଠାରେ ପରାସ୍ତ ଓ ନିହତ ହେଲେ । ୧୮୦୯ ଖ୍ରୀ:ରେ ୱେଲସ୍‌ଲୀ ପୁଣି ଇଉରୋପକୁ ପ୍ରେରିତ ହୋଇ ସ୍ପେନ୍‍ର ତାଲାଭେରାଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ କଲେ । ମାତ୍ର ଫରାସୀ ସେନାପତି ମାସେନାଙ୍କଦ୍ୱାରା ପରାସ୍ତ ହୋଇ ସେ ଲିସବନ ଫେରି ଆସିବାକୁ ବାଧ୍ୟ ହେଲେ । ଲିସବନଠାରେ ୱେଲସ୍‌ଲୀ ଏକି ଅଭେଦ୍ୟ ବ୍ୟୁହ ରଚନା କଲେ ଯାହା ସେମାନେ ଭେଦ କରିବାପାଇଁ ଅକ୍ଷମ ହେଲେ । ସେଠାରୁ ସେ ସମୁଦ୍ରପଥରେ ସ୍ୱଦେଶରୁ ପ୍ରଚୁର ସାହାଯ୍ୟ ଲାଭ କରି ଫରାସୀ ସେନାବାହିନୀକୁ ପର୍ତ୍ତୁଗାଲରେ ବିବ୍ରତ କଲେ । ସ୍ପେନ୍‍ରେ ମଧ୍ୟ ନେପୋଲିଅନଙ୍କ ସେନାବାହିନୀ ଗରିଲାଯୁଦ୍ଧରେ ବ୍ୟତିବ୍ୟସ୍ତ ହୋଇ ପଡ଼ିଲେ । ଅନ୍ୟତ୍ର ନେପୋଲିଅନ ରାଜା ଓ ରାଜବଂଶ ସହ ଯୁଦ୍ଧ କରୁଥିଲେ । ମାତ୍ର ସ୍ପେନ୍‍ରେ ତାଙ୍କୁ ଏକ ଜାତି ବିରୁଦ୍ଧରେ ଯୁଦ୍ଧ କରିବାକୁ ପଡ଼ିଲା । ସ୍ପେନ୍‍ ଯୁଦ୍ଧହିଁ ତାଙ୍କ ପତନର ଏକ ଶ୍ରେଷ୍ଠ କାରଣ ଥିଲା ବୋଲି ନେପୋଲିଅନ ପରେ ସ୍ୱୀକାର କରିଥିଲେ ।

 

ରୁଷିଆ ଅଭିଯାନ (୧୮୧୨ ଖ୍ରୀ:)–ନେପୋଲିଅନଙ୍କର ମହାଦେଶୀୟ ନୀତି ଯୋଗୁଁ ରୁଷିଆର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିଲା । ଫରାସୀମାନଙ୍କର ଔଦ୍ଧତ୍ୟ ଜାରଙ୍କପାଇଁ ଅସହ୍ୟ ଥିଲା । ତେଣୁ ସେ ନେପୋଲିଅନଙ୍କର ପ୍ରଭାବରୁ ନିଜକୁ ମୁକ୍ତ କରିବାପାଇଁ ସୁଯୋଗ ଖୋଜୁଥିଲେ । ଫରାସୀ ସେନା ସ୍ପେନ୍‍ ଓ ପର୍ତ୍ତୁଗାଲରେ ବ୍ୟତିବ୍ୟସ୍ତ ହେଉଥିବା ଉପଲବ୍ଧି ଜରି ଆଲେକ୍‍ଜାଣ୍ଡର ମହାଦେଶୀୟ ନୀତିକୁ ପ୍ରତ୍ୟାଖ୍ୟାନ କଲେ । ଏହି ସମ୍ବାଦରେ କ୍ରୁଦ୍ଧ ହୋଇ ନେପୋଲିଅନ ଛଅ ଲକ୍ଷ ସୈନ୍ୟ ବିଶିଷ୍ଟ ଏକ ବିଶାଳ ସେନା ଘେନି ମସ୍କୋ ଅଭିମୁଖେ ଯାତ୍ରା କଲେ । ବୋରୋଦିନୋଠାରେ ଫ୍ରାନ୍‌ସ ଓ ରୁଷିଆ ସେନାବାହିନୀ ମଧ୍ୟରେ ଏକ ଭୟାବହ ଯୁଦ୍ଧ ସଂଘଟିତ ହେଲା । ଅବଶେଷରେ ନେପୋଲିଅନ ବିଜୟୀ ହେଲେ । ମାତ୍ର ଏଥିରେ ପ୍ରାୟ ତିରିଶ ହଜାର ଫରାସୀ ସୈନ୍ୟ ନିହତ ହେଲେ । ନେପୋଲିଅନ ସଗର୍ବରେ ରୁଷିଆର ରାଜଧାନୀ ମସ୍କୋରେ ପ୍ରବେଶ କଲେ । ମାତ୍ର ସେତେବେଳକୁ ମସ୍କୋ ନଗରୀ ଜନଶୂନ୍ୟ ହୋଇ ପଡ଼ିଥିଲା । ରୁଷିଆର ଲୋକେ ନଗରୀ ପରିତ୍ୟାଗ କରିବା ପୂର୍ବରୁ ବ୍ୟବହାର୍ଯ୍ୟ ଜିନିଷ ସବୁ ନଷ୍ଟ କରିଯାଇଥିଲେ ।

 

ମସ୍କୋ ନଗରୀରେ ଅଳ୍ପ କାଳ ରହି ନେପୋଲିଅନ ସେଠାରୁ ପ୍ରତ୍ୟାବର୍ତ୍ତନ କଲେ । ମାତ୍ର ଇତିମଧ୍ୟରେ ଶୀତଋତୁ ମାଡ଼ି ଆସିଥିଲା । ଫରାସୀ ସୈନ୍ୟ ରୁଷିଆର ପ୍ରଚଣ୍ଡ ଶୀତପାଇଁ ପ୍ରସ୍ତୁତ ନଥିଲେ । ଶୀତର ପ୍ରକୋପ ସହ ଗରିଲାମାନଙ୍କର ଆକ୍ରମଣ ସେମାନଙ୍କୁ ବ୍ୟତିବ୍ୟସ୍ତ କଲା-। ହଜାର ହଜାର ସୈନ୍ୟ ଅନାହାରରେ, ରୋଗରେ, ଶୀତରେ ଓ ଶତ୍ରୁର ଆକ୍ରମଣରେ ପ୍ରାଣ ହରାଇଲେ । ନେପୋଲିଅନ ପ୍ରାୟ ୫୦,୦୦୦ ସୈନ୍ୟ ନେଇ ରୁଷିଆର ସୀମାରେଖା ପାର ହେଲେ । ରୁଷ ଅଭିଯାନର ଶୋଚନୀୟ ପରିଣତି ନେପୋଲିଅନଙ୍କର ଆସନ୍ନ ପତନର କାରଣ ହେଲା ।

 

ଚତୁର୍ଥ ସାମରିକ ମେଣ୍ଟ–ଇତିମଧ୍ୟରେ ଇଂଲଣ୍ଡର ପ୍ରଶାସନିକ କ୍ଷେତ୍ରରେ କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇଥିଲା । ୧୮୧୨ ଖ୍ରୀ:ରେ ଲିଭରପୁଲ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କଲେ ଏବଂ ତାଙ୍କ ମନ୍ତ୍ରିମଣ୍ଡଳରେ ଲର୍ଡ଼ କେସଲରି ବୈଦେଶିକ ମନ୍ତ୍ରୀରୂପେ ନିଯୁକ୍ତ ହେଲେ । କେସଲରି ଜଣେ ଦକ୍ଷ ବୈଦେଶିକ ମନ୍ତ୍ରୀରୂପେ ଇଂଲଣ୍ଡର ଇତିହାସର ଏକ ବିଶିଷ୍ଟ ସ୍ଥାନ ଅଧିକାର କରନ୍ତି । ସେ ଦାୟିତ୍ୱ ଗ୍ରହଣ କଲାପରେ ନେପୋଲିଅନଙ୍କର ବିରୁଦ୍ଧରେ ଇଂଲଣ୍ଡର ସଂଗ୍ରାମକୁ ଅଧିକ ତେଜୀୟାନ କରିବାପାଇଁ ଉଦ୍ୟମ କଲେ । ରୁଷିଆ ଅଭିଯାନରେ ନେପୋଲିଅନଙ୍କର ବିପର୍ଯ୍ୟୟ ତାଙ୍କୁ ପ୍ରେରଣା ଯୋଗାଇଲା । ଯେ ତରୁଣ ପିଟ୍‍ଙ୍କର ନୀତି ଅନୁସରଣ କରି ଇଉରୋପୀୟ ରାଷ୍ଟ୍ରମାନଙ୍କୁ ସମ୍ମିଳିତ କଲେ । ତାଙ୍କ ଉଦ୍ୟମରେ ରୁଷିଆ, ପ୍ରୁସିଆ, ଅଷ୍ଟ୍ରିଆ, ସୁଇଡ଼େନ ଇଂଲଣ୍ଡ ପ୍ରଭୃତିଙ୍କୁ ନେଇ ଚତୁର୍ଥ ଇଉରୋପୀୟ ମେଣ୍ଟ ଗଠିତ ହେଲା ।

 

ଆର୍ଥର ୱେଲସଲୀ ନେପୋଲିଅନଙ୍କ ବିରୁଦ୍ଧରେ ସାମରିକ ଦକ୍ଷତା ପ୍ରଦର୍ଶନ କରି ଇତିମଧ୍ୟରେ ଲର୍ଡ଼ ସଭାର ସଦସ୍ୟରୂପେ ମନୋନୀତ ହୋଇଥିଲେ ଏବଂ ଲର୍ଡ଼ ୱେଲିଙ୍ଗଟନ୍‌ ନାମରେ ପ୍ରଖ୍ୟାତ ହୋଇଥିଲେ । ପରେ ୧୮୧୪ ଖ୍ରୀ:ରେ ତାଙ୍କୁ ଡ୍ୟୁକ ପଦବୀରେ ଭୂଷିତ କରାଗଲା । ନେପୋଲିଅନଙ୍କର ରୁଷିଆ ଅଭିଯାନ କାଳରେ ୱେଲିଙ୍ଗଟନ ସ୍ପେନ୍‍ରେ ଅବସ୍ଥିତ ଥିବା ଫରାସୀ ସେନାବାହିନୀ ଉପରେ ପ୍ରଚଣ୍ଡ ଆକ୍ରମଣ ଚଳାଇଲେ । ଏହି ସମୟରେ ତାଙ୍କର ସାହସ ଓ ଧୈର୍ଯ୍ୟ ପ୍ରଶଂସନୀୟ ଥିଲା । ଅବଶେଷରେ ସେ ଭିଟୋରିଆଠାରେ ଫରାସୀ ସେନାବାହିନୀକୁ ଶୋଚନୀୟ ଭାବରେ ପରାସ୍ତ କଲେ । ନେପୋଲିଅନଙ୍କ ଭ୍ରାତା ଜୋସେଫ ବୋନାପାର୍ଟ ଆତ୍ମରକ୍ଷା ପାଇଁ ପଳାୟନ କଲେ ।

 

ଏହି ସମୟରେ ମିଳିତ ୟୁରୋପୀୟ ରାଷ୍ଟ୍ର ଜର୍ମାନୀରେ ଫରାସୀ ସେନାବାହିନୀକୁ ଆକ୍ରମଣ କଲେ । ନେପୋଲିଅନ ଲାଇପଜଗ୍‌ଠାରେ ସେମାନଙ୍କର ସମ୍ମୁଖୀନ ହେଲେ । ସେଠାରେ ୧୮୧୩ ଖ୍ରୀ:ରେ ଉଭୟ ପକ୍ଷ ମଧ୍ୟରେ ଯେଉଁ ତୁମୂଳ ଯୁଦ୍ଧ ହେଲା ତାହା ମୁକ୍ତିର ସଂଗ୍ରାମ ବା ମିଳିତ ଜାତିର ସମର ନାମରେ ଅଭିହିତ ହୋଇଥାଏ । ଅଜେୟ ବୀର ନେପୋଲିଅନ ଅବଶେଷରେ ଲାଇପଜଗ୍‌ଠାରେ ପରାଜିତ ହୋଇ ଅଳ୍ପ ସଂଖ୍ୟକ ସୈନ୍ୟ ସହ ଫ୍ରାନ୍‍ସକୁ ପ୍ରତ୍ୟାବର୍ତ୍ତନ କଲେ । ମିଳିତ ସେନା ତାଙ୍କର ଅନୁଧାବନ କରି ଫ୍ରାନ୍‍ସ ଆକ୍ରମଣ କଲେ । ଏକ ଦିଗରେ ୱେଲିଙ୍ଗଟନଙ୍କର ଇଂରେଜ ସେନାବାହିନୀ ଏବଂ ଅନ୍ୟ ଦିଗରେ ୟୁରୋପର ମିଳିତ ସେନାଦ୍ୱାରା ଫ୍ରାନ୍‍ସ ଆକ୍ରାନ୍ତ ହେଲା । ୧୮୧୪ ଖ୍ରୀ: ମାର୍ଚ୍ଚ ମାସ ୩୦ ତାରିଖରେ ପ୍ୟାରିସର ପତନ ହେଲା । ନେପୋଲିଅନ୍‌ ଅନନ୍ୟ ଉପାୟ ହୋଇ ଆତ୍ମସମର୍ପଣ କଲେ । ତାଙ୍କୁ ଏଲବା ନାମକ ଏକ ଛୋଟ ଦ୍ୱୀପରେ ଆବଦ୍ଧ କରି ରଖାଗଲା । ୧୯ ମାଇଲ ଦୀର୍ଘ ଓ ୬ ମାଇଲ ପ୍ରସ୍ଥ ବିଶିଷ୍ଟ କ୍ଷୁଦ୍ର ଏଲବା ଦ୍ୱୀପର ସେ ଅଧୀଶ୍ୱର ହୋଇ ରହିଲେ । ଏକ ଇଂରେଜ ନୌବାହିନୀ ତାଙ୍କୁ ଜଗି ରହିଲା ।

 

ନେପୋଲିଅନଙ୍କର ପତନ ପରେ ଫ୍ରାନ୍‍ସରେ ବୋରବନ ରାଜବଂଶର ପୁନଃ ପ୍ରତିଷ୍ଠା ହେଲା ଏବଂ ଷୋଡ଼ଶ ଲୁଇଙ୍କର ଭ୍ରାତା ଅଷ୍ଟାଦଶ ଲୁଇ ନାମରେ ସେ ଦେଶର ରାଜା ହେଲେ । ନେପୋଲିଅନୀୟ ଯୁଦ୍ଧରେ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ୟୁରୋପର ପୁନର୍ଗଠନ ସକାଶେ ବିଜୟୀ ମିଳିତ ରାଷ୍ଟ୍ରମାନଙ୍କର ପ୍ରତିନିଧିମାନ ଅଷ୍ଟ୍ରିଆର ରାଜଧାନୀ ଭିଏନାଠାରେ ସମ୍ମିଳିତ ହେଲେ । ଏଥିରେ ଇଂଲଣ୍ଡର ପ୍ରତିନିଧିତ୍ୱ କରିଥିଲେ ଲର୍ଡ଼ କେସଲରି ।

 

ଭିଏନା ସମ୍ମିଳନୀରେ ବିଜୟୀ ରାଷ୍ଟ୍ରଗୁଡ଼ିକ ନିଜ ନିଜ ସ୍ୱାର୍ଥ ହାସଲପାଇଁ ଉଦ୍ୟମ କରୁଥିବା ସମୟରେ ନେପୋଲିଅନ ଏଲବା ଦ୍ୱୀପରୁ ଖସି ଆସି ଫ୍ରାନ୍‍ସରେ ପଦାର୍ପଣ କଲେ । ତାଙ୍କର ଅପ୍ରତ୍ୟାଶିତ ପ୍ରତ୍ୟାବର୍ତ୍ତନ ଫ୍ରାନ୍‍ସର ଜନସାଧାରଣଙ୍କୁ ବିହ୍ୱଳିତ କଲା । ସେମାନେ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଲେ । ତାଙ୍କୁ ବନ୍ଦୀ କରିବାପାଇଁ ପ୍ରେରିତ ହୋଇଥିବା ସେନାବାହିନୀ ତାଙ୍କ ସହିତ ଯୋଗଦାନ କଲେ । ଅଷ୍ଟାଦଶ ଲୁଇ ଫ୍ରାନ୍‍ସରୁ ପଳାୟନ କରି ଆତ୍ମରକ୍ଷା କଲେ । ଏହି ସମ୍ବାଦ ଭିଏନା ସମ୍ମିଳନୀକୁ ବିସ୍ମିତ କଲା । ନେପୋଲିଅନ ଫ୍ରାନ୍‍ସରେ ଏକ ଉଦାର ଶାସନ ପ୍ରତିଷ୍ଠାକରି ଅନ୍ୟ ଦେଶମାନଙ୍କ ସହ ଶାନ୍ତି ସ୍ଥାପନ କରିବାପାଇଁ ପ୍ରତିଶ୍ରୁତି ଦେଲେ । ମାତ୍ର ନେପୋଲିଅନଙ୍କ କଥାରେ ୟୁରୋପୀୟ ଶକ୍ତିମାନଙ୍କର ବିଶ୍ୱାସ ନଥିଲା । ଭିଏନା ସମ୍ମିଳନୀ ତାଙ୍କୁ ମାନବ ଜାତିର ଶତ୍ରୁ ବୋଲି ଘୋଷଣା କରି ତାଙ୍କର ବିରୁଦ୍ଧରେ ପୁଣିଥରେ ମିଳିତ ସାମରିକ ଅନୁଷ୍ଠାନ କରିବାପାଇଁ ସଂକଳ୍ପବଦ୍ଧ ହେଲା । ଫଳରେ ନେପୋଲିଅନ ଏଲବାରୁ ପ୍ରତ୍ୟାବର୍ତ୍ତନର ମାତ୍ର ଶହେ ଦିନ ପରେ ୟୁରୋପୀୟ ମିଳିତ ଶକ୍ତିର ସମ୍ମୁଖୀନ ହେଲେ । ୧୮୧୫ ଖ୍ରୀ: ଜୁନ୍‍ ୧୮ ତାରିଖ ଦିନ ଉଆଟରଲୁଠାରେ ଉଭୟଙ୍କ ମଧ୍ୟରେ ତୁମୂଳ ଯୁଦ୍ଧ ସଂଘଟିତ ହେଲା । ମିଳିତ ସେନାର ନେତୃତ୍ୱ ନେଇଥିଲେ ଇଂରେଜ ସେନାପତି ତ୍ୟୁକ ଅଫ୍‌ ୱେଲିଙ୍ଗଟନ । ଏହି ଯୁଦ୍ଧରେ ନେପୋଲିଅନ ପରାଜିତ ହୋଇଥିଲେ ମଧ୍ୟ ତାଙ୍କର ସାମରିକ ପ୍ରତିଭାର ପରିଚୟ ଦେଇପାରିଥିଲେ । ଅନ୍ୟ ପକ୍ଷରେ ଏହା ନିଃସନ୍ଦେହରେ କୁହାଯାଇପାରେ ଯେ ମିଳିତ ସେନାର ବିଜୟପାଇଁ ସେନାପତି ୱେଲିଙ୍ଗଟନଙ୍କର ଅସାଧାରଣ ବୀରତ୍ୱ ଓ ଅକ୍ଳାନ୍ତ ପରିଶ୍ରମହିଁ ଦାୟୀ ଥିଲା-। ପରାଜିତ ହୋଇ ନେପୋଲିଅନ ପଳାୟନ କରିବାପାଇଁ ଉଦ୍ୟମ କରି ଧରା ପଡ଼ିଲେ-। ତାଙ୍କୁ ଏଥର ଦକ୍ଷିଣ ଆଟଲାଣ୍ଟିକ ମହାସାଗରର ସେଣ୍ଟ ହେଲେନା ଦ୍ୱୀପରେ ବନ୍ଦୀ କରି ରଖାଗଲା-। ସେହି ଅସ୍ୱାସ୍ଥ୍ୟକର ଦ୍ୱୀପରେ ନେପୋଲିଅନ ଛଅବର୍ଷ କାଳ ଅତିବାହିତ କରି ୧୮୨୧ ଖ୍ରୀ: ମେ ମାସ ୫ ତାରିଖ ଦିନ ବାବନବର୍ଷ ବୟସରେ ପ୍ରାଣତ୍ୟାଗ କଲେ ।

Image

 

ଏକବିଂଶ ଅଧ୍ୟାୟ

ଶିଳ୍ପ ବିପ୍ଳବ

 

ଅଷ୍ଟାଦଶ ଶତକର ମଧ୍ୟଭାଗରୁ ଆରମ୍ଭ କରି ପ୍ରାୟ ଏକଶତ ବର୍ଷ ପର୍ଯ୍ୟନ୍ତ ଇଂଲଣ୍ଡର ଶିଳ୍ପ କ୍ଷେତ୍ରରେ ଅଭୂତପୂର୍ବ ପ୍ରଗତି ଦେଖା ଦେଇଥିଲା । ଏହି ସମୟ ମଧ୍ୟରେ ଇଂଲଣ୍ଡର ଶିଳ୍ପୀକୁଳ କେତେକ ବିଶିଷ୍ଟ ଯନ୍ତ୍ର ଆବିଷ୍କାର କଲେ । ସେମାନଙ୍କର ଉଦ୍ୟମରେ ସେ ଦେଶରେ ଅନେକ କଳକାରଖାନା ସ୍ଥାପିତ ହେଲା । ଫଳରେ ଶିଳ୍ପ ଉତ୍ପାଦନ ବହୁ ପରିମାଣରେ ପରିବର୍ଦ୍ଧିତ ହେଲା ଏବଂ ଇଂଲଣ୍ଡର ଅର୍ଥନୈତିକ, ସାମାଜିକ ତଥା ରାଜନୈତିକ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଦେଖା ଦେଲା । ତେଣୁ ଏହି ପରିବର୍ତ୍ତନ ଇତିହାସରେ ‘ଶିଳ୍ପ ବିପ୍ଳବ’ ନାମରେ ଅଭିହିତ ହୋଇଥାଏ-

 

‘ଶିଳ୍ପ ବିପ୍ଳବ’ କାରଣ–ଶିଳ୍ପ ବିପ୍ଳବ ଅଷ୍ଟାଦଶ ଶତାବ୍ଦୀରେ ଇଂଲଣ୍ଡରେ ଆରମ୍ଭ ହୋଇ କ୍ରମେ ତାହା ଅନ୍ୟାନ୍ୟ ଦେଶକୁ ପରିବ୍ୟାପ୍ତ ହେଲା । ଇଂଲଣ୍ଡରେ ଉକ୍ତ ବିପ୍ଳବର ଅଭ୍ୟୁଦୟ ପାଇଁ କେତେକ ଅନୁକୂଳ ପରିସ୍ଥିତି ରହିଥିଲା । ସେହି ଦେଶରେ କୋଇଲା ଓ ଲୁହାଖଣିଗୁଡ଼ିକ ପରସ୍ପରର ନିକଟରେ ଅବସ୍ଥିତ ଥିବାରୁ ତାହା ଶିଳ୍ପର ବିକାଶପାଇଁ ସହାୟକ ଥିଲା । ଏହି ସମୟରେ ଇଂଲଣ୍ଡର କୃଷି କ୍ଷେତ୍ରରେ ମଧ୍ୟ ଏକ ବୈପ୍ଳବିକ ପରିବର୍ତ୍ତନ ସଂଘଠିତ ହୋଇଥିଲା । ଏହି କୃଷି ବିପ୍ଳବ ବା ସବୁଜ ବିପ୍ଳବଫଳରେ ବହୁସଂଖ୍ୟକ କୃଷକ କର୍ମହୀନ ହୋଇ ପଡ଼ିଲେ । ନୂତନ କର୍ମପାଇଁ ସେମାନେ ବିକାଶୋନ୍ମୁଖୀ ଶିଳ୍ପକ୍ଷେତ୍ରରେ ପ୍ରବେଶକଲେ । ସେମାନଙ୍କୁ ନେଇ ଅନେକ କଳକାରଖାନା ଗଢ଼ି ଉଠିଲା । ଇଂଲଣ୍ଡ ଥିଲ ଏକ ସମୃଦ୍ଧିଶାଳୀ ଦେଶ । ଶିଳ୍ପର ବିକାଶପାଇଁ ସେ ତା’ର ସମ୍ବଳ ବିନିଯୋଗ କରିପାରିଲା । ଇଂଲଣ୍ଡର ରାଜନୈତିକ ସ୍ଥିରତା ମଧ୍ୟ ଏ କ୍ଷେତ୍ରରେ ସହାୟକ ହେଲା । ଇଂଲଣ୍ଡର ଅଧୀନରେ ଅନେକ ଉପନିବେଶ ଥିଲା । ଶିଳ୍ପ ଉତ୍ପାଦନ ପାଇଁ ସେଗୁଡ଼ିକରୁ ସେ କଞ୍ଚାମାଲ ପାଇପାରିଲା ଏବଂ ଉତ୍ପାଦନ ପରେ ସେମାନଙ୍କୁ ତାହା ବିକ୍ରୟ କଲା । ଇଂଲଣ୍ଡର ଅଧୀନରେ ଏକ ଶକ୍ତିଶାଳୀ ନୌବାହିନୀ ଥିବାରୁ ସେ ଯେକୌଣସି ଦେଶକୁ ସହଜରେ ତା’ର ଶିଳ୍ପଜାତ ଦ୍ରବ୍ୟ ପହଞ୍ଚାଇ ପାରିଲା । ଏହିସବୁ କାରଣରୁ ଇଂଲଣ୍ଡରେ ଶିଳ୍ପର ଦ୍ରୁତ ବିକାଶ ସମ୍ଭବ ହୋଇ ପାରିଲା ।

 

ଇଂଲଣ୍ଡର ଗଣତନ୍ତ୍ର ଶାସନ ମଧ୍ୟ ଶିଳ୍ପ ବିପ୍ଳବକୁ ପରୋକ୍ଷ ଭାବରେ ସାହାଯ୍ୟ କଲା । ଲୋକଙ୍କର ଚିନ୍ତାଧାରା ତଥା କାର୍ଯ୍ୟାବଳୀରେ ସରକାର ଅଯଥା ହସ୍ତକ୍ଷେପ କରୁ ନଥିଲେ । ଲୋକେ ସ୍ୱାଧୀନ ଭାବରେ ବୈଜ୍ଞାନିକ ପରୀକ୍ଷାମାନ କରୁଥିଲେ । ଗବେଷଣା ଓ ଆବିଷ୍କାର ପାଇଁ ଏହା ଅନୁକୂଳ ବାତାବରଣ ଯୋଗାଇଲା । ଫଳରେ ଅଳ୍ପକାଳ ମଧ୍ୟରେ ଅନେକ ଯନ୍ତ୍ରପାତି ଆବିଷ୍କୃତ ହୋଇ ଶିଳ୍ପ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ସୃଷ୍ଟିହେଲା ।

 

ବୈଜ୍ଞାନିକ ଆବିଷ୍କାର–ଅଷ୍ଟାଦଶ ଶତକର ପ୍ରାୟ ମଧ୍ୟଭାଗ ପର୍ଯ୍ୟନ୍ତ ଇଂଲଣ୍ଡର କୌଣସି ଶିଳ୍ପ ଉତ୍ପାଦନ ଯନ୍ତ୍ର ସାହାଯ୍ୟରେ କରାଯାଉ ନଥିଲା । ମାତ୍ର ସେହି ଶତକର ଶେଷାର୍ଦ୍ଧରେ କେତେକ ଯନ୍ତ୍ର ନିର୍ମିତ ହେଲା, ଯାହାଫଳରେ ବିଶେଷତଃ ବୟନ ଶିଳ୍ପର ବୈପ୍ଳବିକ ପ୍ରଗତି ହେଲା-। ୧୭୬୫ ଖ୍ରୀ:ରେ ଲାଙ୍କାସାୟାରର ଜଣେ ଅଧିବାସୀ ଜେମ୍‍ସ୍ ହାର୍‌ଗ୍ରୀଭସ ‘ସ୍ପିନିଙ୍ଗ ଜେନି’ ନାମକ ଏକ ସୂତାକଟା ଯନ୍ତ୍ର ପ୍ରସ୍ତୁତ କଲେ । ଏଥିରେ ଷୋହଳଗୋଟି ତାକୁଡ଼ି ଖଞ୍ଜା ହୋଇଥିବାରୁ ଜଣେ ବ୍ୟକ୍ତି ଷୋହଳ ଜଣ ସୂତାକଟାଳିଙ୍କର କାମ କରିପାରୁଥିଲା । ଏହି ଯନ୍ତ୍ର ପ୍ରସ୍ତୁତିରେ ହାରଗ୍ରୀଭ୍‌ସ ନିଜର ସ୍ତ୍ରୀ ଜେନିଙ୍ଗଠାରୁ ସାହାଯ୍ୟ ଓ ପ୍ରେରଣା ଲାଭ କରିଥିଲେ । ତେଣୁ ସେ ଏହାର ନାମ ରଖିଲେ ସ୍ପିନିଙ୍ଗ ଜେନି । ଅଳ୍ପକାଳ ମଧ୍ୟରେ ହାର୍‌ଗ୍ରୀଭ୍‌ସଙ୍କର ସ୍ପିନିଙ୍ଗ୍‌ ଜେନି ଅପେକ୍ଷା କେତେକ ଉନ୍ନତ ଧରଣର ସୂତାକଟା ଯନ୍ତ୍ର ତିଆରି ହେଲା । ଯାହାଫଳରେ ଜଣେ ଶିଶୁ ମଧ୍ୟ ଚକ ଘୂରାଇ ଏକ ସମୟରେ କୋଡ଼ିଏରୁ ଅଧିକ ଖିଅ ସୂତାକାଟି ପାରିଲା ।

 

୧୭୬୯ ଖ୍ରୀ:ରେ ଆର୍କରାଇଟ୍‌ ନାମକ ବୋଲଟନ୍‌ର ଜଣେ ନାପିତ ଆଉ ଏକ ନୂତନ ଧରଣର ସୂତାକଟା ଯନ୍ତ୍ରର ତିଆରି କଲେ । ଏହା ଜଳଶକ୍ତିଦ୍ୱାରା ଚାଳିତ ହେଉଥିଲା ବୋଲି ଏହାର ନାମ ୱାଟର୍ ଫ୍ରେମ୍‌ ରଖାଗଲା । ଏହା ସାହାଯ୍ୟରେ ବୟନ ଯନ୍ତ୍ରପାଇଁ ଶକ୍ତ ସୂତା ସହଜରେ ପ୍ରସ୍ତୁତ ହେଲା । ମାତ୍ର ୱାଟର୍ ଫ୍ରେମ୍ ଯେକୌଣସି ସ୍ଥାନରେ ସ୍ଥାପିତ ହୋଇ ପାରିଲା ନାହିଁ । ସେଥିପାଇଁ ଅନେକ କାରଖାନା ନିର୍ମିତ ହେଲା । ଫଳରେ ଶିଳ୍ପର ବିକାଶ ହେଲା ।

 

ୱାଟର୍ ଫ୍ରେମ୍‌ରେ ପ୍ରସ୍ତୁତ ସୂତା ଶକ୍ତ ହେଲେ ମଧ୍ୟ ସୂକ୍ଷ୍ମ ନଥିଲା । ୧୭୭୯ ଖ୍ରୀ:ରେ ସାମୁଏଲ କ୍ରମ୍ପଟନ ନାମରେ ଜଣେ ଇଂରେଜ ଶିଳ୍ପୀ ଏକ ସୂତାକଟା ଯନ୍ତ୍ରର ଆବିଷ୍କାର କଲେ, ଯହିଁରେ ଉଭୟ ସ୍ପିନିଙ୍ଗ ଜେନି ଓ ୱାଟର୍ ଫ୍ରେମ୍‍ର ସୁବିଧା ମିଳିବା ସଙ୍ଗେ ସଙ୍ଗେ ଉଭୟ ଯନ୍ତ୍ରରେ ଦେଖା ଦେଇଥିବା ଅସୁବିଧା ଦୂରୀଭୂତ ହେଲା । କ୍ରମ୍ପଟନଙ୍କର ଏହି ନୂତନ ଯନ୍ତ୍ରର ନାମ ଥିଲା ସ୍ପିନିଙ୍ଗ ମ୍ୟୁଲ୍‌ । ଏହାଫଳରେ ସୂତାକଟାଳିମାନେ ପ୍ରଚୁର ପରିମାଣରେ ସୂତା ପ୍ରସ୍ତୁତ କଲେ । ମାତ୍ର ବୁଣାଳିମାନେ ସେ ସବୁର ସଦୁପଯୋଗ କରି ପାରିଲେ ନାହିଁ । ଏହି ଅସୁବିଧା ଦୂର କରିବାପାଇଁ ୧୭୮୫ ଖ୍ରୀ:ରେ ଏଡ଼ନଞ୍ଜ କାର୍ଟରାଇଟ ଏକ ସ୍ୱୟଂଚାଳିତ ବୟନ ଯନ୍ତ୍ର ନିର୍ମାଣ କଲେ । ଏହା ‘ପାଉଥାର ଲୁମ’ ନାମରେ କଥିତ ହେଲା । ଏହାଦ୍ୱାରା ଯନ୍ତ୍ର ସାହାଯ୍ୟରେ ଉତ୍ପାଦିତ ହେଉଥିବା ସୂତା ସବୁକୁ ସହଜରେ ବସ୍ତ୍ରରେ ପରିଣତ କରାଗଲା ।

 

ଉପରୋକ୍ତ ଯନ୍ତ୍ରଗୁଡ଼ିକ ହସ୍ତ ବା ଜଳଶକ୍ତିଦ୍ୱାରା ଚାଳିତ ହେଉଥିଲା । ଶିଳ୍ପ କ୍ଷେତ୍ରରେ ବାଷ୍ପଶକ୍ତି ନିୟୋଜିତ କରିବାପାଇଁ ମନୁଷ୍ୟ ଏପର୍ଯ୍ୟନ୍ତ ସମର୍ଥ ହୋଇ ନଥିଲା । ସର୍ବପ୍ରଥମେ ନିଉକୋମେନ ଏକ ବାଷ୍ପଚାଳିତ ଯନ୍ତ୍ର ତିଆରି କଲେ । ମାତ୍ର ତାହା କେବଳ କୋଇଲା ଖଣିରୁ ଜଳ ନିଷ୍କାସନ ପାଇଁ ବ୍ୟବହୃତ ହେଲା । ତାଙ୍କ ପରେ ଏଡ଼ିନବରାର ଜେମ୍‍ସ୍‌ ୱାଟ ଏକ ଉନ୍ନତ ଧରଣର ବାଷ୍ପ ଯନ୍ତ୍ର ନିର୍ମାଣ କଲେ । ଏହାଦ୍ୱାରା କଳକାରଖାନାଗୁଡ଼ିକ ଚାଳିତ ହେଲା । ବୈଜ୍ଞାନିକମାନେ ଉପଲବ୍ଧି କଲେ ଯେ ଜଳଶକ୍ତି ଅପେକ୍ଷା ବାଷ୍ପଶକ୍ତି ଅଧିକ ଶସ୍ତା ସୁବିଧାଜନକ ଓ ସହଜଲବ୍‌ଧ ଅଟେ । କ୍ରମେ ବାଷ୍ପ ଶକ୍ତିକୁ ପରିବହନ କାର୍ଯ୍ୟରେ ନିୟୋଜିତ କରିବାପାଇଁ ଉଦ୍ୟମ କରାଗଲା । ଏପର୍ଯ୍ୟନ୍ତ ଘୋଡ଼ାଗାଡ଼ିହିଁ ପରିବହନ କ୍ଷେତ୍ରରେ ଏକମାତ୍ର ଦ୍ରୁତଯାନ ବୋଲି ବିବେଚିତ ହେଉଥିଲା-। ୧୮୦୪ ଖ୍ରୀ: ଟ୍ରେଲୋଥିକ ନାମକ କର୍ଣ୍ଣଉଆଲର ଜଣେ ଶ୍ରମିକ–ଶିଳ୍ପୀ ଖଣିମାନଙ୍କରୁ କୋଇଲାଗୁଡ଼ିକୁ ସ୍ଥାନାନ୍ତରିତ କରିବାପାଇଁ ଏକ ବାଷ୍ପୀୟଯାନ ନିର୍ମାଣ କଲେ । ଏହା ଅଶ୍ୱଚାଳିତ ଯାନଠାରୁ ଅଧିକ କ୍ଷମ ଓ ସୁବିଧାଜନକ ବୋଲି ପ୍ରମାଣିତ ହେଲା । ଏହାପରେ ବାଷ୍ପୀୟ ଯାନର ନିର୍ମାଣ କୌଶଳରେ ଦ୍ରୁତ ଉନ୍ନତି ସାଧିତ ହେଲା ଏବଂ ଫଳରେ ଶିଳ୍ପ କ୍ଷେତ୍ରରେ ନବଯୁଗର ଆରମ୍ଭ ହେଲା । ଏହି ଯୁଗର ପ୍ରବର୍ତ୍ତକ ଥିଲେ ଜର୍ଜ ଷ୍ଟିଫେନ୍‌ସନ୍‌ ।

 

ଷ୍ଟିଫେନ୍‌ସନ୍‌ ଏକ ଦରିଦ୍ର ପରିବାରରେ ଜନ୍ମଗ୍ରହଣ କରି ଉଚ୍ଚ ଶିକ୍ଷାରୁ ବଞ୍ଚିତ ଥିଲେ । ଅଳ୍ପ ବୟସରେ ସେ ନ୍ୟୁକେସଲର କୋଇଲା ଖଣିରେ ଶ୍ରମିକରୂପେ ନିଯୁକ୍ତ ହେଲେ । ମାତ୍ର ତାଙ୍କର ମୌଳିକ ଚିନ୍ତାଶକ୍ତି ଅସାଧାରଣ ଥିଲା । କଳକାରଖାନାର ଯନ୍ତ୍ରଗୁଡ଼ିକୁ ସେ ଯତ୍ନ ସହକାରେ ନିରୀକ୍ଷଣ କରୁଥିଲେ ଏବଂ ସେସବୁର ଉନ୍ନତିପାଇଁ ଚିନ୍ତା କରୁଥିଲେ । ଟ୍ରେଭେଥିକଙ୍କର ବାଷ୍ପୀୟ ଯାନ ତାଙ୍କୁ ଆକୃଷ୍ଟ କଲା ଏବଂ ସେ ଦିଗରେ ଆଗେଇ ଯିବାପାଇଁ ସେ ବଦ୍ଧପରିକର ହେଲେ । ୧୮୧୪ ଖ୍ରୀ:ରେ ଷ୍ଟିଫେନ୍‌ସନ୍ ଏକ ଉନ୍ମତ୍ତ ବାଷ୍ପୀୟ ଯାନ ନିର୍ମାଣ କରିବାରେ କ୍ଷମ ହେଲେ । ମାତ୍ର ତାଙ୍କର ସର୍ବଶ୍ରେଷ୍ଠ ଅବଦାନ ପୃଥିବୀରେ ସର୍ବପ୍ରଥମ ରେଲଗାଡ଼ି ୧୮୨୯ ଖ୍ରୀ:ରେ ଇଂଲଣ୍ଡର ଲିଭରପୁଲ ମାଞ୍ଚେଷ୍ଟର ମଧ୍ୟରେ ଯାତାୟାତ କଲା । ରେଳଗାଡ଼ିର ଆବିଷ୍କାରଫଳରେ ପରିବହନ ଓ ଯାତାୟତ ଅତ୍ୟନ୍ତ ସୁବିଧାଜନକ ହେଲା । ଶିଳ୍ପ କ୍ଷେତ୍ରରେ ଏହାର ବିଶେଷ ପ୍ରଭାବ ପଡ଼ିଲା । ୧୮୫୦ ଖ୍ରୀ: ମଧ୍ୟରେ ଛଅ ହଜାର ମାଇଲରୁ ଊର୍ଦ୍ଧ୍ୱ ରେଳରାସ୍ତା ତିଆରି ହୋଇ ଉତ୍ତର ଇଂଲଣ୍ଡର ସମସ୍ତ ଶିଳ୍ପ–କେନ୍ଦ୍ର ପରସ୍ପର ସହିତ ସଂଯୁକ୍ତ ହେଲା । ମାତ୍ର ଦେଶର ସବୁ ଅଞ୍ଚଳକୁ ରେଳପଥଦ୍ୱାରା ସଂଯୁକ୍ତ କରିବା ସମ୍ଭବପର ହେଲା ନାହିଁ । ତେଣୁ ପରିବହନର ସୁବିଧାପାଇଁ ସାଧାରଣ ରାସ୍ତାର ଉନ୍ନତି ଉପରେ ଗୁରୁତ୍ୱ ଦିଆଗଲା । ୧୮୧୧ ଖ୍ରୀ:ରେ ଜନ୍ ମାକାଡ଼ମ୍‌ ରାସ୍ତା ନିର୍ମାଣର ଏକ ଉନ୍ନତ ପ୍ରଣାଳୀ ଆବିଷ୍କାର କଲେ । ତାହାର ଅବଲମ୍ବନରେ ଅନେକ ଦୀର୍ଘ ରାସ୍ତା ତିଆରି ହେଲା । ଏତଦ୍ଦ୍ୱାରା ଶିଳ୍ପଜାତ ଦ୍ରବ୍ୟ ସହଜରେ ସ୍ଥାନାନ୍ତରିତ ହୋଇ ପାରିଲା ।

 

କଳକାରଖାନା ସ୍ଥାପନ, ଯନ୍ତ୍ରପାତି ନିର୍ମାଣ ତଥା ରେଳରାସ୍ତା ଓ ରେଳଗାଡ଼ି ପାଇଁ କୋଇଲା ଓ ଲୁହା ବିଶେଷ ପରିମାଣରେ ଆବଶ୍ୟକ ହେଲା । ତେଣୁ ଏହି ସବୁର ଯଥେଷ୍ଟ ପରିମାଣରେ ଉତ୍ପାଦନ ଓ ବିଶୋଧନ ପାଇଁ ବିପୁଳ ଉଦ୍ୟମ ହେଲା । ଆବ୍ରାହାମ୍‌ ଡାରବୀ ହେନେରୀ କର୍ଟ, ହଣ୍ଟସ୍‌ମେନ, ସ୍କିଟନ୍‌ ପ୍ରଭୃତିଙ୍କର ବୈଜ୍ଞାନିକ ଆବିଷ୍କାର ଏ ଦିଗରେ ସହାୟକ ହେଲା ।

 

ଉପରୋକ୍ତ ଆବିଷ୍କାରଗୁଡ଼ିକ ଫଳରେ ଅତି ଅଳ୍ପ କାଳ ମଧ୍ୟରେ ଇଂଲଣ୍ଡ ଏକ ଶିଳ୍ପ–ପ୍ରଧାନ ଦେଶରେ ପରିଣତ ହେଲା ।

 

ଶିଳ୍ପ ବିପ୍ଳବର ପରିଣାମ–ଇଂଲଣ୍ଡର ଅର୍ଥନୀତି, ସମାଜ ତଥା ରାଜନୀତି ଉପରେ ଶିଳ୍ପ ବିପ୍ଳବର ପ୍ରଭାବ ସୁଦୂରପ୍ରସାରୀ ଥିଲା । ଏହାଫଳରେ ସେହି ଦେଶର ଅଗଣିତ କଳକାରଖାନା ଗଢ଼ି ଉଠିଲା ଏବଂ କାର୍ପାସ ପଶମ ବସ୍ତ୍ର ତଥା ଲୌହ ଓ ଇସ୍ପାତ ଦ୍ରବ୍ୟ ବହୁ ପରିମାଣରେ ପ୍ରସ୍ତୁତ ହେଲା । ପୃଥିବୀର ବିଭିନ୍ନ ଦେଶରେ ଏହି ସବୁ ଜିନିଷ ବିଶେଷ ଆଦୃତ ହେଲା । ଏହାଦ୍ୱାରା ଇଂଲଣ୍ଡର ରପ୍ତାନୀ ବାଣିଜ୍ୟ ବହୁ ପରିମାଣରେ ବଢ଼ିଗଲା ଏବଂ ସେହି ଦେଶ ପୃଥିବୀର ଏକ ସର୍ବଶ୍ରେଷ୍ଠ ଧନୀ ଦେଶରୂପେ ପରିଗଣିତ ହେଲା ।

 

ଇଂଲଣ୍ଡର ଯେଉଁ ସ୍ଥାନମାନଙ୍କରେ କଳକାରଖାନାଗୁଡ଼ିକ ସ୍ଥାପିତ ହେଲା, ସେସବୁ ସ୍ଥାନ କ୍ରମେ ଶିଳ୍ପ ନଗରୀରେ ପରିଣତ ହେଲା । ନୂତନ ତଥା ଅଧିକ ଲାଭଜନକ କାର୍ଯ୍ୟରେ ନିଯୁକ୍ତି ପାଇ ବହୁ ଲୋକ ନିଜର ଜନ୍ମଭୂମି ତଥା ଘରଦ୍ୱାର ପରିତ୍ୟାଗ କଲେ ଏବଂ ନୂତନ ସହରରେ ବସବାସ କଲେ । ଶିଳ୍ପନଗରୀ ମଧ୍ୟରେ ମାଞ୍ଚେଷ୍ଟର, ଲାଙ୍କାସାୟାର, ସେଫିଲଡ଼ ପ୍ରଭୃତି ଅନ୍ୟତମ ଥିଲା । ଏହାଦ୍ୱାରା ଦକ୍ଷିଣ ଓ ପୂର୍ବ ଇଂଲଣ୍ଡର ଅନେକ ପୁରାତନ ସହର ଜନଶୂନ୍ୟ ହୋଇପଡ଼ିଲା ଏବଂ ତା’ ପରିବର୍ତ୍ତେ ଉତ୍ତର ଓ ପଶ୍ଚିମ ଇଂଲଣ୍ଡରେ ନୂତନ ଜନାକୀର୍ଣ୍ଣ ସହର ଗଢ଼ି ଉଠିଲା । ଏହାଫଳରେ ପାର୍ଲିଆମେଣ୍ଟ୍‍ ପାଇଁ ନିର୍ବାଚନ ମଣ୍ଡଳୀର ପରିବର୍ତ୍ତନ ଅତ୍ୟାବଶ୍ୟକ ହେଲା ।

 

ଶିଳ୍ପ ବିପ୍ଳବଫଳରେ ଇଂଲଣ୍ଡର ସାମାଜିକ ଅବସ୍ଥା ସମ୍ପୂର୍ଣ୍ଣ ବଦଳି ଗଲା । ଏହାଦ୍ୱାରା କଳକାରଖାନାର ମାଲିକମାନଙ୍କ ହାତରେ ଦେଶର ଅଧିକାଂଶ ସମ୍ପତ୍ତି କେନ୍ଦ୍ରୀଭୂତ ହୋଇ ରହିଲା । ସେମାନଙ୍କର ସ୍ୱାର୍ଥପର ତଥା ଶୋଷଣ ନୀତିଫଳରେ ଶ୍ରମିକ ସଂପ୍ରଦାୟ ଅବସ୍ଥା ଶୋଚନୀୟ ହେଲା । ଶ୍ରମିକମାନେ ଅଳ୍ପ ବେତନରେ କାରଖାନାର ବିପଦସଙ୍କୁଳ କାର୍ଯ୍ୟରେ ଦିନରାତି ନିଯୁକ୍ତ ରହିଲେ । ସେମାନଙ୍କର ନୈତିକତା ସ୍ୱାସ୍ଥ୍ୟ ବା ନିରାପତ୍ତା ପାଇଁ କୌଣସି ବ୍ୟବସ୍ଥା ନଥିଲା । ଶିଶୁ ତଥା ମହିଳାମାନେ ଅଳ୍ପ ବେତନରେ ସନ୍ତୁଷ୍ଟ ଥିଲେ ବୋଲି ସେମାନଙ୍କୁ ବହୁ ସଂଖ୍ୟାରେ ନିଯୁକ୍ତି ଦିଆଯାଉଥିଲା । ଶ୍ରମିକମାନେ ଦିନରାତି କଳକାରଖାନାରେ କାର୍ଯ୍ୟବ୍ୟସ୍ତ ରହି ସନ୍ତାନସନ୍ତତିଙ୍କର ଯତ୍ନ ନେଇପାରିଲେ ନାହିଁ । ସେମାନଙ୍କର ବାସଗୃହ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଥିବାରୁ ବାସପୋଯୋଗୀ ନଥିଲା । ଅନେକ ସମୟରେ ଏକାଧିକ ପରିବାର ଗୋଟିଏ ଗୃହରେ ବାସ କରୁଥିଲେ । ଅଭାବ ଓ ଅନାଟନଫଳରେ ସେମାନଙ୍କର ନୈତିକ ଜୀବନ ମଧ୍ୟ ଉଚ୍ଛୃଙ୍ଖଳ ହୋଇ ପଡ଼ୁଥିଲା । ବାଳକମାନେ ଦୀର୍ଘ ସମୟ ଧରି କାରଖାନାର କଠିନ କାର୍ଯ୍ୟରେ ନିଯୁକ୍ତ ରହୁଥିବାର କରୁଣ ଚିତ୍ର ସମସାମୟିକ ସାହିତ୍ୟରେ ପ୍ରତିଫଳିତ ହୋଇଅଛି । ଅନ୍ୟ ପକ୍ଷରେ କଳ ମାଲିକମାନେ ଭୋଗବିଳାସରେ ଆଡ଼ମ୍ବର ପୂର୍ଣ୍ଣ ଜୀବନଯାପନ କଲେ ।

 

ସୁତରାଂ ଶିଳ୍ପ ବିପ୍ଳବଫଳରେ ସମାଜରେ ପୁଞ୍ଜିପତି ଓ ଶ୍ରମିକ ଶ୍ରେଣୀର ଅଭ୍ୟୁଦୟ ହେଲା । ଏହି ଦୁଇ ଶ୍ରେଣୀ ମଧ୍ୟରେ ଆଦୌ ସୁସମ୍ପର୍କ ନଥିଲା । କ୍ରମେ ଶ୍ରମିକମାନଙ୍କର ଅନେକ ସଂଘ ଓ ସଂଗଠନ ସ୍ଥାପିତ ହେଲା ଏବଂ ସେମାନେ ଅଧିକ ସୁବିଧା ଓ ସୁଯୋଗ ସକାଶେ ଦାବିକଲେ । କେତେକ ରାଜନୈତିକ ନେତା ସେମାନଙ୍କୁ ନେତୃତ୍ୱ ପ୍ରଦାନ କଲେ । ଫଳରେ ଶ୍ରମିକମାନଙ୍କର ସପକ୍ଷରେ ପାର୍ଲିଆମେଣ୍ଟ୍‍ରେ ଅନେକ ଆଇନ ଗୃହୀତ ହେଲା । ସେମାନଙ୍କର ମଜୁରୀ ହାର ବଢ଼ିଲା, କାର୍ଯ୍ୟନିର୍ଘଣ୍ଟ କମିଲା, ନିରାପତ୍ତାର ବ୍ୟବସ୍ଥା ହେଲା ଓ କଳକାରଖାନାରେ ନିଯୁକ୍ତିପାଇଁ ବୟସସୀମା ଧାର୍ଯ୍ୟ ହେଲା । ଇଂଲଣ୍ଡରେ ସାବାଳକ ଭୋଟ ଗ୍ରହଣ ପ୍ରଥା ପ୍ରଚଳିତ ହେବାପରେ ସେମାନେ ଭୋଟ ଦେଇ ପାରିଲେ, ପାର୍ଲିଆମେଣ୍ଟ୍‍ର ସଦସ୍ୟ ହୋଇ ପାରିଲେ ଏବଂ ଦେଶ ଶାସନରେ ଅଂଶଗ୍ରହଣ କଲେ । ଶିଳ୍ପ ବିପ୍ଳବର ଅବଦାନଫଳରେ ଏହି ଶ୍ରମିକଶ୍ରେଣୀ ଆଜି ପୃଥିବୀର ଇତିହାସରେ ଏକ ବିଶିଷ୍ଟ ଭୂମିକା ଗ୍ରହଣ କରିଛନ୍ତି ।

Image

 

Unknown

ଦ୍ୱାବିଂଶ ଅଧ୍ୟାୟ

‘ୱାଟାରଲୁ ଯୁଦ୍ଧ ପରବର୍ତ୍ତୀ ଇଂଲଣ୍ଡର ରାଜନୈତିକ ଓ ସାମାଜିକ ଅବସ୍ଥା’

 

ଫ୍ରାନ୍‌ସ ସହିତ ଦୀର୍ଘକାଳ ବ୍ୟାପୀ ଯୁଦ୍ଧରେ ବିଜୟ ହାସଲ କରିବାଦ୍ୱାରା ଇଂଲଣ୍ଡର ରାଜନୈତିକ ସମ୍ମାନ ଓ ପ୍ରତିପତ୍ତି ଶୀର୍ଷତମ ସ୍ଥାନରେ ପହଞ୍ଚି ପାରିଥିଲା । କାରଣ ନେପୋଲିୟନକୁ ସର୍ବଶେଷରେ ପରାସ୍ତ କରି ଇଉରୋପୀୟ ରାଜନୀତିରେ ଶାନ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାରେ ଇଂଲଣ୍ଡର ଅବଦାନ ଥିଲା ଅପରିସୀମ । ତେବେ ନେପୋଲିଓ ଦ୍ୱୀପାନ୍ତରିତ ହେବାପରେ ମଧ୍ୟ ଇଂଲଣ୍ଡର ରାଜନୀତିକ ଦାୟିତ୍ୱ ଊଣାହୋଇ ନଥିଲା । ମହାଦେଶରେ ଶାନ୍ତିରକ୍ଷା ପାଇଁ ଯେଉଁ ଶାନ୍ତିସମ୍ମିଳନୀ ଭିଏନା ନଗରୀରେ ଅନୁଷ୍ଠିତ ହେଲା ତହିଁରେ ମଧ୍ୟ ଇଂରେଜ କୂଟନୀତିଜ୍ଞମାନେ ନେତୃତ୍ୱ ଗ୍ରହଣ କରିଥିଲେ । ଉକ୍ତ ସମ୍ମିଳନୀଦ୍ୱାରା ଗୃହୀତ ହୋଇଥିବା ଆଞ୍ଚଳିକ ବ୍ୟବସ୍ଥାଦ୍ୱାରା ଇଂଲଣ୍ଡ ଅବଶ୍ୟ ବିଶେଷ ଲାଭବାନ୍‌ ହୋଇ ନଥିଲା । କେବଳ ଭୂମଧ୍ୟସାଗରରେ ମାଲଟା ଦ୍ୱୀପ, ଆୟୋନିୟାନ୍‌ ଦ୍ୱୀପପୁଞ୍ଜ ଉପରେ ପ୍ରଶାସନିକ କର୍ତ୍ତୃତ୍ୱ, ଉତ୍ତର ସାଗରରେ ହେଲିଗୋଲ୍ୟାଣ୍ଡ ଇତ୍ୟାଦି ତାହାର ହସ୍ତଗତ ହୋଇଥିଲା । କିନ୍ତୁ ଘୃଣ୍ୟ ଦାସ ବ୍ୟବସାୟକୁ ନିଷିଦ୍ଧ କରି ଓ ମହାଦେଶରେ ଯୁଦ୍ଧର ଅବସାନ ଘଟାଇ ଇଂରେଜମାନେ ମାନବସଭ୍ୟତାର ଅଶେଷ ଉପକାର ସାଧନ କରିଥିଲେ ।

 

ତା’ଛଡ଼ା ୱାଟରଲୁ–ବିଜୟ ଇଂଲଣ୍ଡର ସାମ୍ରାଜ୍ୟ ବିସ୍ତାରପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିଥିଲା । ଫରାସୀମାନଙ୍କ ପ୍ରତିଯୋଗୀତାରୁ ନିଷ୍କୃତିପାଇଁ ଇଂରେଜମାନେ ଭାରତ, ସିଂହଳ, ମରିସସ୍‌ ଦକ୍ଷିଣଆଫ୍ରିକା ଓ ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜଗୁଡ଼ିକରେ ନିଜ ଆସ୍ଥାନ ସୁଦୃଢ଼ କରିଥିଲେ-। ତେଣୁ ଦୀର୍ଘକାଳ ଯୁଦ୍ଧରେ ସହ୍ୟ କରିଥିବା କ୍ଷୟକ୍ଷତି ପାଇଁ ରାଜନୀତିକ ସମ୍ମାନ ସହିତ ବିସ୍ତୃତ ସାମ୍ରାଜ୍ୟର ଅଧିକାରୀ ହେବାରୁ ଇଂରେଜମାନେ ଯଥେଷ୍ଟ ଆତ୍ମସନ୍ତୋଷ ଲାଭ କରିଥିଲେ-

 

ତା’ଛଡ଼ା ଆନ୍ତର୍ଜାତିକ କ୍ଷେତ୍ରରେ ଇଂଲଣ୍ଡର ନେତୃତ୍ୱ ସ୍ୱୀକୃତ ହୋଇଥିଲା । କାରଣ ନେପୋଲିଓଁଙ୍କୁ ପରାସ୍ତ କରିବାର ପ୍ରଧାନ ଦାୟିତ୍ୱ ଗ୍ରହଣ କରିଥିଲା ଇଂଲଣ୍ଡ । ସ୍ପେନୀୟ ଉପଦ୍ୱୀପରେ ତଥା ନୌଯୁଦ୍ଧରେ ନେପୋଲିଓଁଙ୍କୁ ହଟହଟା କରି ଚୂଡ଼ାନ୍ତଭାବେ ପରାସ୍ତ କରିବାର ଗୌରବ ଇଂରେଜମାନେହିଁ ଅର୍ଜନ କରିଥିଲେ । ଏହା ଅବଶ୍ୟ ସମ୍ଭବ ହୋଇଥିଲା ସେମାନଙ୍କର ଶିଳ୍ପ ବିପ୍ଳବ ଓ ବ୍ୟାବସାୟିକ ସମୃଦ୍ଧିପାଇଁ । ତେବେ ଦେଶର ଅଖଣ୍ଡ ଜାତୀୟ ଐକ୍ୟ ମଧ୍ୟ ସେଥିପାଇଁ ଅନେକାଂଶରେ ଦାୟୀ । ଇଉରୋପୀୟ ଦେଶମାନଙ୍କ ମଧ୍ୟରେ ଇଂଲଣ୍ଡର ସମକକ୍ଷ ଶକ୍ତି କେହି ନଥିଲେ । ଜର୍ମାନୀ ଓ ଇଟାଲୀର ରାଜନୈତିକ ପ୍ରତିଷ୍ଠା ସେପର୍ଯ୍ୟନ୍ତ ହୋଇ ନଥିଲା । ରୁଷିଆ ଅଷ୍ଟ୍ରିୟା ଏବଂ ଫ୍ରାନ୍‌ସ ପ୍ରଭୃତି କୃଷି ପ୍ରଧାନ ଦେଶ ହିସାବରେ ଶିଳ୍ପ ବିପ୍ଳବଠାରୁ ଦୂରରେ ରହିଥିଲେ । ସେଥିପାଇଁ ଇଉରୋପ ଏବଂ ଭୂମଧ୍ୟସାଗର ଅଞ୍ଚଳରେ ଇଂଲଣ୍ଡ ଅଖଣ୍ଡ କର୍ତ୍ତୃତ୍ୱ ବିସ୍ତାର କରିବା ସଙ୍ଗେ ସଙ୍ଗେ ଲଣ୍ଡନ ନଗରୀ ଆନ୍ତର୍ଜାତିକ ଅର୍ଥନୀତିର କେନ୍ଦ୍ରସ୍ଥଳୀଭାବେ ଗଢ଼ି ଉଠିଥିଲା ।

 

ଇଂଲଣ୍ଡର ତତ୍କାଳିନ ଶାସନ ବ୍ୟବସ୍ଥା କିନ୍ତୁ ବିଶେଷ ରୁଚିକର ନଥିଲା । ରାଜା ତୃତୀୟ ଜର୍ଜ ସେତେବେଳକୁ ଜରାଗ୍ରସ୍ତ ସ୍ଥବିର । ପ୍ରଶାସନିକ କ୍ଷମତାକୁ କେନ୍ଦ୍ରୀଭୂତ କରି ଇଂଲଣ୍ଡକୁ ଦୃଢ଼ହସ୍ତରେ ଶାସନ କରିବାର ଦୁର୍ବାର ବାସନା ତାଙ୍କର ଫଳବତୀ ହୋଇ ନଥିଲା । ହ୍ୱିରାମାନଙ୍କ କ୍ଷମତା ନଷ୍ଟ ହେଲାପରେ ମଧ୍ୟବିତ୍ତ ଶ୍ରେଣୀର ରାଜନୀତିଜ୍ଞମାନେ ଇଂଲଣ୍ଡର ନେତୃତ୍ୱ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ଉଲ୍ଲେଖଯୋଗ୍ୟ ବ୍ୟକ୍ତିଥିଲେ ଏଡ଼ମଣ୍ଡ ବାର୍କ ଏବଂ ଜନ୍‌ ଉଇଲକ୍‌ସ । ଜୀବନର ଅନ୍ତିମକାଳରେ ତୃତୀୟ ଜର୍ଜ ଦୃଷ୍ଟି ଓ ଶ୍ରବଣ ଶକ୍ତିବିହୀନ ହୋଇଥିବାରୁ ଶାସନକାର୍ଯ୍ୟ ପରିଚାଳନା ସକାଶେ ନିଜପୁତ୍ର ଚତୁର୍ଥ ଜର୍ଜଙ୍କୁ ତତ୍ତ୍ୱାବଧାରକଭାବେ ନିଯୁକ୍ତି ଦେଇଥିଲେ । କିନ୍ତୁ ତତ୍ତ୍ୱାବଧାରକ ଚତୁର୍ଥ ଜର୍ଜ ଦୁଶ୍ଚରିତ୍ର ଓ ସ୍ୱେଚ୍ଛାଚାରୀ ଥିବାରୁ ଜନପ୍ରିୟ ହୋଇପାରି ନଥିଲେ । ସେଥିପାଇଁ ଖ୍ରୀ: ୧୮୧୫ରେ ଇଂଲଣ୍ଡର ରାଜତନ୍ତ୍ର ପ୍ରତି ଜନସାଧାରଣଙ୍କର ଅନୁରକ୍ତି ଓ ଶ୍ରଦ୍ଧା ପ୍ରାୟ ନଥିଲା ।

 

ରାଜତାନ୍ତ୍ରିକ କ୍ଷମତା ହ୍ରାସ ପାଇବାଦ୍ୱାରା ଗଣତାନ୍ତ୍ରିକ ଅଭ୍ୟୁଦୟ ଇଂଲଣ୍ଡରେ ସମ୍ଭବ ହୋଇଥିଲା । ପାର୍ଲିଆମେଣ୍ଟ୍ ଏବଂ ପ୍ରଧାନମନ୍ତ୍ରୀମାନେ ଉକ୍ତ ଶାସନକ୍ଷମତା ହସ୍ତଗତ କରିଥିଲେ । ପ୍ରଥମ ଓ ଦ୍ୱିତୀୟ ଜର୍ଜଙ୍କ ଶାସନ କାଳରେ (ଖ୍ରୀ: ୧୭୧୪ରୁ ଖ୍ରୀ: ୧୭୬୦) କାବିନେଟ୍‌ ଏବଂ ପ୍ରଧାନମନ୍ତ୍ରୀ ପଦ ସାମ୍ବିଧାନିକ ମର୍ଯ୍ୟାଦା ଲାଭକରି ଅନୁଷ୍ଠାନରୂପେ ଗଢ଼ିଉଠିଲା ଭଳି ତୃତୀୟ ଜର୍ଜଙ୍କ ପରବର୍ତ୍ତୀ କାଳରେ ସୀମିତ–ରାଜତନ୍ତ୍ର ପ୍ରତିଷ୍ଠାର ସୁଯୋଗ ଇଂରେଜମାନେ ପାଇଥିଲେ । ଏହି ପରିବର୍ତ୍ତନରେ ସମ୍ଭ୍ରାନ୍ତ ଶ୍ରେଣୀର ଶିକ୍ଷିତ ଲୋକମାନେ ସହାୟକ ହୋଇଥିଲେହେଁ ପ୍ରକୃତ ରାଜନୈତିକ କ୍ଷମତା ମଧ୍ୟବିତ୍ତ ଶ୍ରେଣୀର ହସ୍ତଗତ ହୋଇଥିଲା । ଦେଶରେ ପ୍ରଚଳିତ ନିର୍ବାଚନ ପ୍ରଣାଳୀ ସମୟୋପଯୋଗୀ ନଥିବାରୁ ଏବଂ ସମୃଦ୍ଧ ବ୍ୟବସାୟୀ ଓ ନବ ପ୍ରସୂତ ଶ୍ରମିକ ଗୋଷ୍ଠୀ ଭୋଟ କ୍ଷମତା ପାଇ ନଥିବାରୁ ନିର୍ବାଚନ କ୍ଷେତ୍ରରେ କେତେକ ମୌଳିକ ସଂସ୍କାର ଆବଶ୍ୟକ ଥିଲା-। ନେତାମାନେ ନିର୍ବାଚନ ସମୟରେ ନାନାପ୍ରକାର ଦୁର୍ନୀତି ଆଚରଣ କରୁଥିଲେ । ପ୍ରଭାବ ଓ ପ୍ରତିପତ୍ତିକୁ ଅପ୍ରତିହତ ରଖିବାପାଇଁ ପ୍ରଧାନମନ୍ତ୍ରୀମାନେ ଲର୍ଡ଼ସଭାର ସଭ୍ୟସଂଖ୍ୟା ବୃଦ୍ଧିକରି ନିଜ ନିଜର ସମର୍ଥକମାନଙ୍କୁ ସେଥିପାଇଁ ମନୋନୀତ କରୁଥିଲେ ।

 

ସାମାଜିକ ଅବସ୍ଥା–ଖ୍ରୀ: ୧୮୧୫ରେ ଇଂଲଣ୍ଡର ସାମାଜିକ ଅବସ୍ଥା ଦୃଢ଼ ପରିବର୍ତ୍ତନ ମଧ୍ୟରେ ଗତି କରୁଥିଲା । ସେତେବେଳେ ତାହାର ଲୋକସଂଖ୍ୟା ଥିଲା ପ୍ରାୟ ଏକକୋଟୀ ତିରିଶ ଲକ୍ଷ ଏବଂ ଏହି ଜନଶକ୍ତି ବର୍ଦ୍ଧିଷ୍ଣୁ ଥିଲା । ଆଧୁନିକ ଚିକିତ୍ସା ପ୍ରଣାଳୀର ପ୍ରବର୍ତ୍ତନ ଏବଂ ଉନ୍ନତ ଧରଣର ଜୀବନଯାପନ ତଥା ସ୍ୱାସ୍ଥ୍ୟକର ପରିବେଶର ସଂପ୍ରସାରଣ ଜନଶକ୍ତି ବୃଦ୍ଧିର ପ୍ରଧାନ କାରଣ ହୋଇଥିଲା । ଇଂରେଜମାନେ ଉଭୟ କୃଷି ଓ ଶିଳ୍ପ ଉପରେ ନିର୍ଭରଶୀଳ ଥିଲେ । କିନ୍ତୁ ୱାଟାରଲୁ ଯୁଦ୍ଧର ଅଳ୍ପ କେତେବର୍ଷ ମଧ୍ୟରେ କୃଷି କାର୍ଯ୍ୟ ପରିତ୍ୟାଗ କରି ସେମାନେ ଶିଳ୍ପାଞ୍ଚଳ ବା ସହରାଭିମୁଖୀ ହେବା ପରିଲକ୍ଷିତ ହୋଇଥିଲା । ବିଶେଷତଃ ଇଂଲଣ୍ଡର ଉତ୍ତର ପୂର୍ବାଞ୍ଚଳରେ ଜନସମାଗମ ଅଧିକ କେନ୍ଦ୍ରୀଭୂତ ହେଲା । ବର୍ମିଙ୍ଗ୍‍ହାମ୍‌, ସେଫିଲ୍‌ଡ଼ ଲିଭରପୁଲ, ଲୀଡ଼୍‍ସ୍‌, ମାଞ୍ଚେଷ୍ଟର, ଲଣ୍ଡନ ପ୍ରଭୃତି ସହରର ଜନସଂଖ୍ୟା ଅତ୍ୟଧିକ ହେଲା । ଏପରି ଲୋକମାନଙ୍କର ସଂସ୍କୃତି କିନ୍ତୁ ଗ୍ରାମ୍ୟଜୀବନଦ୍ୱାରା ପ୍ରଭାବିତ ହୋଇଥିବାରୁ, ସେମାନଙ୍କର ଦୃଷ୍ଟିକୋଣ ଓ ଜୀବନଯାପନ ପ୍ରଣାଳୀ ଅତି ସରଳ ଓ ନିରାଡ଼ମ୍ବର ଥିଲା କିନ୍ତୁ ସହର ଉପକଣ୍ଠରେ ଓ ବସ୍ତିମାନଙ୍କରେ ଲାଳିତପାଳିତ ହୋଇ କୁଶିକ୍ଷା, ମଦ୍ୟପାନ, ଅବହେଳା ଓ ଦାରିଦ୍ର୍ୟ ମଧ୍ୟରେ ଗଢ଼ିଉଠିବାରୁ ସମାଜରେ ସେମାନେ କ୍ରମଶଃ ନାନାପ୍ରକାର ନୂତନ ସମସ୍ୟାମାନ ସୃଷ୍ଟି କରିଥିଲେ ।

 

ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଇଂଲଣ୍ଡରେ ଶିଳ୍ପ ବିପ୍ଳବର ସାମାଜିକ ପ୍ରଭାବ ପରିଲଖିତ ହୋଇଥିଲା । ବାଷ୍ପୀୟ–ପୋତ ସାହାଯ୍ୟରେ ସୁଦୂର ଆମେରିକା ଆଦି ମହାଦେଶଗୁଡ଼ିକରୁ ସୁଲଭ ମୂଲ୍ୟରେ କଞ୍ଚାମାଲ ଆମଦାନୀ କରି ଲାଙ୍କାସାୟାରର ବସ୍ତ୍ର ଶିଳ୍ପ ଗଢ଼ି ଉଠିଲା । କାରଖାନା ଓ ମିଲ୍‍ମାନଙ୍କରେ ସହସ୍ରାଧିକ ସଂଖ୍ୟାରେ ଶ୍ରମିକ ନିଯୁକ୍ତ ହେଲେ । ହସ୍ତଚାଳିତ ତନ୍ତ ବଦଳରେ ଯନ୍ତ୍ର ଚାଳିତ ତନ୍ତ ବ୍ୟବହୃତ ହେଲା । ଲୌହ, କୋଇଲା ଏବଂ ଯାନ୍ତ୍ରିକ ଶିଳ୍ପରେ ମଧ୍ୟ ବିରାଟ ପରିବର୍ତ୍ତନ ପ୍ରଘଟିତ ହେଲା । ତା’ ସହିତ ଗମନାଗମନ ପାଇଁ ରାସ୍ତା, ପୋଲ, ରେଳପଥ ମଧ୍ୟ ପ୍ରସାରିତ ହେଲା କିନ୍ତୁ ଏସବୁ ସତ୍ତ୍ୱେ, ଇଂଲଣ୍ଡର ଯୁଦ୍ଧୋତ୍ତର–ଅର୍ଥନୀତି ଅତ୍ୟନ୍ତ ଦୁର୍ବଳ ହୋଇ ପଡ଼ିଥିଲା । ଯୁଦ୍ଧଜନିତ ଆର୍ଥିକ କ୍ଷତି, ଶିଳ୍ପ କାରଖାନାର ବିଶୃଙ୍ଖଳା ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ପ୍ରତିକୂଳ ବାତାବରଣ ସୃଷ୍ଟି କରିଥିଲେ । ଯୁଦ୍ଧର ଅବ୍ୟବହିତ ପୂର୍ବରୁ କୃଷି ପ୍ରଣାଳୀରେ ନାନାପ୍ରକାର ବୈପ୍ଳବିକ ପରିବର୍ତ୍ତନ ଦୃଷ୍ଟ ହୋଇଥିଲା ସତ୍ୟ, କିନ୍ତୁ ଅନୁସୃତ ମୁକ୍ତ–କୃଷିକ୍ଷେତ୍ର ପରିବର୍ତ୍ତେ ବର୍ତ୍ତମାନ ଆବେଷ୍ଟିତ–କୃଷି ପ୍ରଣାଳୀ କୃଷକମାନେ ଅନୁସରଣ କଲେ । ଉନ୍ନତ ଧରଣର ବିହନ, ଗୋ–ପ୍ରଜନନ ଓ ବୈଜ୍ଞାନିକ କୃଷି ପ୍ରଣାଳୀ କୃଷକମାନଙ୍କୁ ଯୋଗାଇ ଦିଆଗଲା । ଫଳରେ କୃଷି ଉତ୍ପାଦନ ବୃଦ୍ଧି ପାଇବାରୁ ଇଂଲଣ୍ଡର ବର୍ଦ୍ଧିତ ଜନଶକ୍ତିକୁ ଖାଦ୍ୟ ଯୋଗାଣ ସମ୍ଭବ ହେବା ସଙ୍ଗେ ସଙ୍ଗେ ଇଉରୋପୀୟ ଦେଶଗୁଡ଼ିକୁ ବଳକା ଖାଦ୍ୟ ଶସ୍ୟ ରତ୍ପାନୀ କରାଗଲା । କିନ୍ତୁ ଏହି ରପ୍ତାନୀ ବାଣିଜ୍ୟ ଯୁଦ୍ଧ ସମୟରେ ନୌଅବରୋଧ ଓ ଅନ୍ୟାନ୍ୟ ପ୍ରତିବନ୍ଧକ ପାଇଁ ବିଶେଷ ବାଧାପ୍ରାପ୍ତ ହୋଇଥିଲା ।

 

କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ଟାଉନସେଣ୍ଡ, କୋକ୍‌, ଏଲମାନ୍‌, ବେକୱେଲ ଆଦି ବୈଜ୍ଞାନିକମାନଙ୍କ ଅବଦାନ ପ୍ରଧାନତଃ ଦାୟୀ । ସେହିପରି ଶିଳ୍ପ କ୍ଷେତ୍ରରେ କେ, ହାର୍‍ଗ୍ରୀଭ୍‌ସ୍, ଆର୍କରାଇଟ୍‌, କ୍ରମ୍ପଟନ୍‌, କାର୍ଟରାଇଟ୍ ଏବଂ ୱାଟ୍‌ ବୈପ୍ଳବିକ ପରିବର୍ତ୍ତନର ସ୍ରଷ୍ଟା । ସେମାନଙ୍କର ପ୍ରଚେଷ୍ଟା ଯୋଗୁଁ ଇଂଲଣ୍ଡକୁ ପ୍ରକୃତରେ ‘‘ଇଉରୋପର କାରଖାନା’’ ବୋଲି ଅଭିହିତ କରାଯାଇପାରିଲା ।

 

ସେହିପରି ଗମନାଗମନ ଓ ବାଣିଜ୍ୟପାଇଁ ଜଳପଥ, ସ୍ଥଳପଥ, ଓ ରେଳପଥର ବିସ୍ତୃତୀକରଣର ଆବଶ୍ୟକତା ଉପଲବ୍ଧି ହେବାରୁ ସେ ଦିଗରେ ବିହିତ ବ୍ୟବସ୍ଥା କରାଯାଇଥିଲା ।

 

ସାଧାରଣତଃ ଦେଖିବାକୁ ଗଲେ ଫ୍ରାନ୍‍ସ ସହିତ ଯୁଦ୍ଧ ଚାଲିଥିବା କାଳରେ ଇଂଲଣ୍ଡର ଜନସାଧାରଣ ସୁଖୀ ଥିଲେ ଏବଂ ଦୈନନ୍ଦିନ ଜୀବନରେ କୌଣସି ଆଞ୍ଚ ଆସି ନଥିଲା । ସୁନ୍ଦର ବେଶଭୂଷାରେ ସଜ୍ଜିତ ନରନାରୀ ସହରମାନଙ୍କରେ ବିଭିନ୍ନ କ୍ରୀଡ଼ା ଉତ୍ସବରେ ଏକତ୍ର ସମବେତ ହେଉଥିଲେ କିନ୍ତୁ ଶିଳ୍ପ ଓ ସାମାଜିକ ସମୃଦ୍ଧି ସତ୍ତ୍ୱେ ଖ୍ରୀ: ୧୮୧୫ ପରେ ପରେ ଅର୍ଥନୈତିକ ଚାପର କଷାଘାତ ଇଂରେଜ ଜାତିର ଆନନ୍ଦୋଚ୍ଛ୍ୱାସକୁ ପାଣ୍ଡୁର କରି ପକାଇଲା ।

Image

 

ତ୍ରୟୋବିଂଶ ଅଧ୍ୟାୟ

ଚତୁର୍ଥ ଜର୍ଜ (ଖ୍ରୀ: ୧୮୨୦–୧୮୩୦) ଓ ସମୃଦ୍ଧିବିହୀନ ଶାନ୍ତି

 

ତତ୍ତ୍ୱାବଧାରକ ଚତୁର୍ଥ ଜର୍ଜ–ଖ୍ରୀ: ୧୮୧୦ରୁ ରାଜା ତୃତୀୟ ଜର୍ଜଙ୍କର ସ୍ଥବିରତା ପାଇଁ ଯୁବରାଜ ଚତୁର୍ଥ ଜର୍ଜ ଶାସନ କାର୍ଯ୍ୟ ପରିଚାଳନା ଦାୟିତ୍ୱ ଗ୍ରହଣ କରିଥିଲେ । ପ୍ରଶାସକର ଗୁରୁଦାୟିତ୍ୱ ତୁଲାଇବାର ପାରଙ୍ଗମତା ଥିଲେହେଁ ଚାରିତ୍ରିକ ଉଚ୍ଛୃଙ୍ଖଳତା ଓ ଭ୍ରଷ୍ଟାଚାର ପାଇଁ ପ୍ରଜା ସମାଜରେ ଆଦୃତ ହେବାର ସୌଭାଗ୍ୟ ତାଙ୍କର ନଥିଲା । ନିଜର ପିତା ମାତା ଓ ସ୍ତ୍ରୀଙ୍କ ପ୍ରତି କୁ–ବ୍ୟବହାର କରିଥିବାରୁ ଦେଶବାସୀଙ୍କଠାରୁ ସେ ଅଣୁମାତ୍ର ଶ୍ରଦ୍ଧା ବା ଭକ୍ତି ପାଉ ନଥିଲେ । ଏପରି ଦୁଶ୍ଚରିତ୍ର ଶାସକକୁ ନେଇ ମନ୍ତ୍ରୀମାନେ ମଧ୍ୟ ଅନେକ ସମୟରେ ବଡ଼ ହଟହଟାରେ ପଡ଼ୁଥିଲେ । ଖ୍ରୀ: ୧୮୨୧ରେ ଆୟାରଲାଣ୍ଡ୍ ଓ ଖ୍ରୀ: ୧୮୨୨ରେ ସ୍କଟ୍‍ଲାଣ୍ଡ୍ ଯାତ୍ରା କାଳରେ ସେ ସମୟୋପଯୋଗୀ ବ୍ୟବହାର ତଥା ବିଚକ୍ଷଣ ରାଜନୀତିକ ସୌଜନ୍ୟତା ପ୍ରଦର୍ଶନ କରିଥିଲେହେଁ ତାଙ୍କ ସମୟରେ ରାଜତନ୍ତ୍ରର ସାମ୍ବିଧାନିକ ମର୍ଯ୍ୟାଦା ଓ ପ୍ରଶାସନୀୟ କ୍ଷମତା ହ୍ରାସ ପାଇଥିଲା ।

 

ଲର୍ଡ଼ ଲିଭରପୁଲ–ଚତୁର୍ଥ ଜର୍ଜଙ୍କର ପ୍ରଧାନମନ୍ତ୍ରୀ ଲର୍ଡ଼ ଲିଭରପୁଲ ଟୋରୀ ଦଳର ନେତା ହିସାବରେ ଖ୍ରୀ: ୧୮୧୨ରୁ ମନ୍ତ୍ରୀ ପରିଷଦ ଗଠନ କରିଥିଲେ । ସେ ଖ୍ରୀ: ୧୭୭୦ରେ ଜନ୍ମଲାଭ କରିଥିଲେ ଓ ମାତ୍ର କୋଡ଼ିଏବର୍ଷ ବୟସରେ ପାର୍ଲିଆମେଣ୍ଟ୍‍ର ସଭ୍ୟ ହୋଇ ଉଇଲିୟମ୍‌ ପିଟ୍‌ (କନିଷ୍ଠ)ଙ୍କ ପାଖରେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ସେ ବିଭିନ୍ନ ସମୟରେ ବୈଦେଶିକ ମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଓ ଔପନିବେଶିକ ତଥା ଯୁଦ୍ଧମନ୍ତ୍ରୀରୂପେ ଦାୟିତ୍ୱ ତୁଲାଇଥିବାରୁ ପ୍ରଶାସନିକ ଜ୍ଞାନ ଏବଂ ଅନୁଭୂତି ତାଙ୍କର ଯଥେଷ୍ଟ ଥିଲା । ଦୀର୍ଘ ପନ୍ଦରବର୍ଷ କାଳ କ୍ଷମତାରେ ରହି ସେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ । ତାଙ୍କର ସୁଶାସନ, ମିତବ୍ୟୟିତା, ନିଷ୍କପଟ ସ୍ୱଭାବ ସାଧୁତା ଓ ଦୂରଦୃଷ୍ଟି ପାଇଁ ଚତୁର୍ଥ ଜର୍ଜଙ୍କର ଦୁର୍ଗୁଣରୁ ଶାସନକଳକୁ ମୁକ୍ତ ରଖାଯାଇପାରିଥିଲା ।

 

ଲର୍ଡ଼ କେସ୍‌ଲ୍‌ରୀ–ଲର୍ଡ଼ କେସ୍‌ଲ୍‌ରୀ ଥିଲେ ଲର୍ଡ଼ ଲିଭରପୁଲଙ୍କର ବୈଦେଶିକ ବ୍ୟାପାର ବିଭାଗ ମନ୍ତ୍ରୀ । ଚାରିତ୍ରିକ ଶୃଙ୍ଖଳା ଓ ଜ୍ଞାନ ତାଙ୍କର ଯଥେଷ୍ଟ ଥିଲେହେଁ ବ୍ୟକ୍ତିତ୍ୱର ପରାକାଷ୍ଠା ବିଶେଷ ନଥିଲା । ସେ ଅତି ସ୍ଥିର ଓ ଗମ୍ଭୀର ପ୍ରକୃତିର ରାଜନୀତିଜ୍ଞ ଥିଲେ । ଏବଂ ବାଙ୍‌ମୀ ହିସାବରେ ତାଙ୍କର ଦକ୍ଷତା ନଥିଲା । ତଥାପି ପ୍ରତିଭାବାନ କୂଟନୀତିଜ୍ଞ ଭାବରେ ସେ ଇଂଲଣ୍ଡର ରାଷ୍ଟ୍ରନୀତିକୁ ପ୍ରାୟ ପଚିଶବର୍ଷ କାଳ ପରିଚାଳିତ କରିଥିଲେ । ଆୟାରଲାଣ୍ଡ୍‍ର ମୁଖ୍ୟ ସଚିବରୂପେ ସେ ମିଶ୍ରଣ ଆଇନର ପୁରୋଧା ଥିଲେ । ଖ୍ରୀ: ୧୮୦୫ରେ ପିଟ୍‌ଙ୍କ ମନ୍ତ୍ରିମଣ୍ଡଳରେ ଔପନିବେଶିକ ଓ ଯୁଦ୍ଧ ବିଭାଗର ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲା କିନ୍ତୁ ବୈଦେଶିକ ମନ୍ତ୍ରଣାଳୟରେ ସେ ଯେଉଁ ଦଶବର୍ଷ ଅତିବାହିତ କରିଥିଲେ, ତାହାହିଁ ଥିଲା ତାଙ୍କ ଜୀବନର ଶ୍ରେଷ୍ଠ ମୁହୂର୍ତ୍ତ । ଉକ୍ତ ସମୟରେ ନେପୋଲିଓଁଙ୍କ ବିରୁଦ୍ଧରେ ସମ୍ମିଳିତ–ରାଷ୍ଟ୍ର–ଶକ୍ତି ନିୟୋଗ କରିବା ସଙ୍ଗେ ସଙ୍ଗେ ୱାଟାରଲ୍‌ ପାଇଁ ସାମରିକ ଆୟୋଜନ ଏବଂ ଭିଏନା ସମ୍ମିଳନୀର ସେ କର୍ଣ୍ଣଧାର ଥିଲେ । ସେତେବେଳେ ସେ ଇଉରୋପର ଶାନ୍ତିଦୂତ କହିଲେ ଅତ୍ୟୁକ୍ତି ହେବନାହିଁ ।

 

ପ୍ରଧାନମନ୍ତ୍ରୀ ଲିଭରପୁଲଙ୍କ ମନ୍ତ୍ରିତ୍ୱ କାଳରେ ଇଂଲଣ୍ଡରେ ନାନାପ୍ରକାର ସମସ୍ୟା ଉଦ୍ଭବ ହୋଇଥିଲା । ଯୁଦ୍ଧଜନିତ ଅର୍ଥନୈତିକ ଚାପକୁ ଲାଘବ କରିବା ବା ଯୁଦ୍ଧୋତ୍ତର ଅର୍ଥନୈତିକ ବିଶୃଙ୍ଖଳାକୁ ଦୂର କରିବା ସହଜ ସାପେକ୍ଷ ନଥିଲା । ତା’ସହ ଯୁଦ୍ଧଫେରନ୍ତା ସୈନ୍ୟମାନଙ୍କ ପାଇଁ କର୍ମସଂସ୍ଥାନ, ବ୍ୟବସାୟ ବାଣିଜ୍ୟର ସୁରକ୍ଷା, ଜାତୀୟ–ଋଣ ପରିଶୋଧ ବ୍ୟବସ୍ଥା ଆଦି ନାନା କଠିନ ସମସ୍ୟାର ସମ୍ମୁଖୀନ ସେ ହୋଇଥିଲେ । ସାମାଜିକ ପରିପ୍ରେକ୍ଷୀରେ ମଧ୍ୟ ନାନାପ୍ରକାର ସମସ୍ୟା ସେତେବେଳେ ମସ୍ତକୋତ୍ତୋଳନ କରୁଥିଲା । ଯୁଦ୍ଧ ଦୀର୍ଘକାଳ ସ୍ଥାୟୀ ହେଲେ ତା’ର ଆନୁସଙ୍ଗିକ ଓ ପାରିପାର୍ଶ୍ୱିକ ପ୍ରଭାବ ଅନେକ କ୍ଷେତ୍ରରେ ପ୍ରତିଫଳିତ ହୁଏ । ଶିଳ୍ପ ବିପ୍ଳବ ଯୋଗୁଁ ଊନବିଂଶ ଶତାବ୍ଦୀର ପ୍ରଥମ ପାଦରେ ଏକ ନୂତନ ଇଂଲଣ୍ଡର ଅଭ୍ୟୁଦୟ ବିପ୍ଳବ ଯୋଗୁଁ ଊନବିଂଶ ଶତାବ୍ଦୀର ପ୍ରଥମ ପାଦରେ ଏକ ନୂତନ ଇଂଲଣ୍ଡର ଅଭ୍ୟୁଦୟ ଘଟିଥିଲା । ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଏହି ନୂତନତ୍ୱର ମୂଲ୍ୟ ନିର୍ଣ୍ଣୟ କରି ନ ପାରି ନେତୃସ୍ଥାନୀୟ ବ୍ୟକ୍ତିମାନେ କିଂକର୍ତ୍ତବ୍ୟବିମୂଢ଼ ହୋଇପଡ଼ିଲେ ।

 

ଇଂଲଣ୍ଡର ଜନସଂଖ୍ୟା ହଠାତ୍‌ ଏକ କୋଟି ତିରିଶ ଲକ୍ଷରୁ ଏକ କୋଟି ନବେ ଲକ୍ଷକୁ ବୃଦ୍ଧି ପାଇବାଫଳରେ ସରକାରଙ୍କ ପାଇଁ ପ୍ରଥମ ସମସ୍ୟା ସୃଷ୍ଟି ହେଲା । ଯୁଦ୍ଧ ବନ୍ଦ ହେବାଦ୍ୱାରା ଯୁଦ୍ଧକାଳୀନ ଚାହିଦା ବନ୍ଦ ହୋଇଯିବାରୁ ଶିଳ୍ପ ଉତ୍ପାଦନ ଓ କର୍ମସଂସ୍ଥାନ କ୍ଷେତ୍ରରେ ଦ୍ୱିତୀୟ ସମସ୍ୟା ସୃଷ୍ଟି ହୋଇଥିଲା । ଚାହିଦା ହ୍ରାସ ହେବାରୁ ଉତ୍ପାଦନ ପରିମାଣ ମଧ୍ୟ ହ୍ରାସ କରିବାକୁ ପଡ଼ିଲା ଏବଂ ସେଥିପାଇଁ ନିଯୁକ୍ତ ହୋଇଥିବା ଶ୍ରମିକ ବହୁସଂଖ୍ୟାରେ କାର୍ଯ୍ୟଚ୍ୟୁତ ହେଲେ । ତା’ଛଡ଼ା ଯୁଦ୍ଧ ସମୟରେ ଇଂଲଣ୍ଡର କଳକାରଖାନାଗୁଡ଼ିକରେ ଉତ୍ପାଦନ ଅବ୍ୟାହତ ରହିଥିବାରୁ ସାରା ପୃଥିବୀର ଚାହିଦା ମେଣ୍ଟାଇବାର ଇଂରେଜ ଶିଳ୍ପପତି ଓ ବ୍ୟବସାୟୀମାନେ ଅତି ତତ୍ପର ଥିଲେ । ସେଥିପାଇଁ ବହିର୍ବାଣିଜ୍ୟ ଅତିମାତ୍ରାରେ ବୃଦ୍ଧି ପାଇଥିଲା । ଖ୍ରୀ: ୧୮୧୫ରେ ରପ୍ତାନୀ ଦ୍ରବ୍ୟର ସର୍ବମୋଟ ମୂଲ୍ୟ ଥିଲା ୫,୮୬,୨୪୫୫୦ ପାଉଣ୍ଡ । ଉକ୍ତ ମୂଲ୍ୟ ଓ ପରିମାଣର ସାମଗ୍ରୀ ପରିବହନ ମଧ୍ୟ ଇଂରେଜମାନଙ୍କର ଏକଚାଟିଆ ଅଧିକାର ଥିଲା । ଯୁଦ୍ଧ ବନ୍ଦ ପରେ ଉତ୍ପାଦନ ଓ ରପ୍ତାନୀ ବାଣିଜ୍ୟ ହ୍ରାସ ପାଇବାଦ୍ୱାରା ବ୍ୟବସାୟୀମାନେ ଏବଂ ପରିବହନ ସଂସ୍ଥାଗୁଡ଼ିକ ଘୋର କ୍ଷତିଗ୍ରସ୍ତ ହେଲେ ।

 

ଅନ୍ୟ ଦିଗରେ ସରକାର ମଧ୍ୟ ରାଜସ୍ୱଲବ୍‌ଧ ଅର୍ଥରେ ନିଜ ବ୍ୟୟ–ଭାର ତୁଲାଇ ନ ପାରି ମହାଅସୁବିଧାର ସମ୍ମୁଖୀନ ହୋଇଥିଲେ । ସେଥିପାଇଁ ଅବଶ୍ୟ ଯୁଦ୍ଧ ନିମନ୍ତେ ଆବଶ୍ୟକ ହୋଇଥିବା ବିପୁଳ ଅର୍ଥବ୍ୟୟ ଦାୟୀ । ସେହି ଖର୍ଚ୍ଚ ତୁଲାଇବା ପାଇଁ ସରକାରଙ୍କୁ ଜାତୀୟ–ଋଣ–ଉଠାଣ ଯୋଜନାଦ୍ୱାରା ଅର୍ଥ ସଂଗ୍ରହ କରିବାକୁ ପଡ଼ିଥିଲା । ତା’ଛଡ଼ା ଯୁଦ୍ଧ ଶେଷବେଳକୁ କୃଷି କ୍ଷେତ୍ରରେ ପ୍ରାକୃତିକ ବିପର୍ଯ୍ୟୟ, ଯୁକ୍ତରାଷ୍ଟ୍ର ଆମେରିକା ସହିତ ଖ୍ରୀ: ୧୮୧୨–୧୪ରେ ହୋଇଥିବା ସଂଗ୍ରାମ ଏବଂ ମହାଦେଶୀୟ ବିଶୃଙ୍ଖଳାର ଆନୁସଙ୍ଗିକ ପରିଣତିରୂପେ ଇଂଲଣ୍ଡର ଅର୍ଥନୀତି କ୍ରମଶଃ ଦୁର୍ବଳ ହେବାର ସମସ୍ତେ ଉପଲବ୍ଧି କଲେ । ଦେଶ ମଧ୍ୟରେ ଜିନିଷପତ୍ରର ଦରବୃଦ୍ଧି ସର୍ବସାଧାରଣଙ୍କୁ ଅସ୍ତବ୍ୟସ୍ତ କଲା । ଦରଦାମ୍‍କୁ ରୋକିବା ଦିଗରେ, ବା ଖାଉଟି ଦ୍ରବ୍ୟର ମୂଲ୍ୟ ନିପରୂଣ ଦିଗରେ ସରକାର କୌଣସି ବିଧିବଦ୍ଧ ବ୍ୟବସ୍ଥା ଗ୍ରହଣ କରିପାରିଲେ ନାହିଁ । ସରକାରଙ୍କର ଅକ୍ଷମତା ପାଇଁ ପରିସ୍ଥିତିର ଜଟିଳତା ଓ ନୂତନ ହୋଇ ପ୍ରଚଳିତ ହୋଇଥିବା ନୋଟ୍‍ମୁଦ୍ରା ଦାୟୀ । ଅନିୟନ୍ତ୍ରିତଭାବେ ନୋଟ୍‍ମୁଦ୍ରା ଛାପିବା ଯୋଗୁଁ ମୁଦ୍ରାସ୍ଫୀତି ଘଟିବା ସ୍ୱାଭାବିକ ଥିଲା ଏବଂ ଏହି ମୁଦ୍ରାସ୍ଫୀତି ଶିଳ୍ପପତି, ଖୁଚୁରା ବ୍ୟବସାୟୀ ତଥା ଖାଉଟିମାନଙ୍କ ପାଇଁ ଘୋର ଦୁର୍ଦ୍ଦିନ ସୃଷ୍ଟି କଲା ।

 

ଶିଳ୍ପକ୍ଷେତ୍ରରେ ବିଶୃଙ୍ଖଳା ଘଟି ଛଟେଇ ହୋଇଥିବା ଶ୍ରମିକ, ଓ ଯୁଦ୍ଧଫେରନ୍ତା ସୈନିକଙ୍କ ପାଇଁ ଉପଯୁକ୍ତ କର୍ମସଂସ୍ଥାନ, ମୁଦ୍ରାସ୍ଫୀତି ପାଇଁ ଆର୍ଥିକ ଓ ବ୍ୟାବସାୟିକ ଅସୁବିଧା, ଜାତୀୟ–ଋଣ–ପରିଶୋଧର ଗୁରୁଦାୟିତ୍ୱ, କୃଷିକ୍ଷେତ୍ରରେ ବିପର୍ଯ୍ୟୟ ଆଦି ଏକାଧିକ ସମସ୍ୟା ଲିଭରପୁଲଙ୍କ ମନ୍ତ୍ରିମଣ୍ଡଳ ପାଇଁ ପୁଞ୍ଜୀଭୂତ ହୋଇଥିଲା ଖ୍ରୀ: ୧୮୧୫ର ଅବ୍ୟବହିତ ପରେ ଏସବୁର ସମାଧାନ ଦିଗରେ ଲିଭରପୁଲ ବନ୍‍ସିଟାର୍ଟଙ୍କୁ ଅର୍ଥବିଭାଗର ଦାୟିତ୍ୱ ଦେଇ ମସ୍ତବଡ଼ ଭୁଲ କରିଥିଲେ । ବନ୍‌ସିଟାର୍ଟ ତତ୍କାଳୀନ ପରିସ୍ଥିତିର ମୁକାବିଲା କରିବାପାଇଁ ଅପାରଗ ଥିଲେ ଏବଂ ଖ୍ରୀ: ୧୮୧୬ରେ ତାଙ୍କଦ୍ୱାରା ପ୍ରସ୍ତାବିତ ବଜେଟ ବିପକ୍ଷ ଦଳର ତୀବ୍ର ଆକ୍ରମଣ ଯୋଗୁଁ ପାର୍ଲିଆମେଣ୍ଟ୍‍ରେ ଗୃହୀତ ହୋଇ ନଥିଲା ।

 

ଏପରି ଅବସ୍ଥାରେ ଖ୍ରୀ: ୧୮୧୬ ମେ’ ମାସ ୨ ତାରିଖ ଦିନ ରାଜସିଂହାସନର ଭାବୀ ଉତ୍ତରାଧିକାରୀ, ତୃତୀୟ ଜର୍ଜଙ୍କର ନାତୁଣୀ, ରାଜକୁମାରୀ ଚାର୍ଲୋଟିଙ୍କର ଶୁଭପରିଣୟ ଉତ୍ସବ ଅନୁଷ୍ଠିତ ହୋଇଥିଲା । ରାଜକୁମାରୀ ଅତି ଜନପ୍ରିୟା ଥିବାରୁ ତାଙ୍କ ବିବାହ ଉତ୍ସବରେ ଜନସାଧାରଣ ଅତି ଆନନ୍ଦିତ ହୋଇଥିଲେ । କିନ୍ତୁ ଉକ୍ତ ଆନୋନ୍ଦଚ୍ଛ୍ୱାସ ଦୀର୍ଘ ସମୟ ସ୍ଥାୟୀ ହୋଇ ପାରିଲା ନାହିଁ । କୃଷିକ୍ଷେତ୍ରରେ ଘୋର ବିପର୍ଯ୍ୟୟ ଏବଂ ମୁଦ୍ରାସ୍ଫୀତିଜନିତ ମୂଲ୍ୟବୃଦ୍ଧିରେ ଦେଶବାସୀ ଅସହାୟ ବୋଧକଲେ । ଚାଷୀମାନେ ଅଧିକ କ୍ଷତିଗ୍ରସ୍ତ ହେବା ଆଶଙ୍କାରେ କୃଷିକାର୍ଯ୍ୟ ପରିତ୍ୟାଗ କଲେ । ଜମି ମାଲିକ ଓ ଚାଷୀ ଉଭୟେ ସର୍ବସ୍ୱାନ୍ତ ହେବା ସଙ୍ଗେ ସଙ୍ଗେ ବ୍ୟାଙ୍କ୍‍ମାନଙ୍କ ଉପରେ ମଧ୍ୟ ବଜ୍ରପାତ ହେଲା । ଇଉରୋପୀୟ ବଜାରରେ ଇଂଲଣ୍ଡର ଜିନିଷ ପ୍ରତି ଚାହିଦା କମିଯିବାରୁ ଶିଳ୍ପ କାରଖାନା ବନ୍ଦ ହେବା ଓ ବ୍ୟବସାୟ ବାଣିଜ୍ୟ ବିପନ୍ନ ହେବା ସ୍ୱାଭାବିକ ଥିଲା । ଯୁଦ୍ଧ ସାମଗ୍ରୀର ଆବଶ୍ୟକତା ଆଦୌ ନଥିବାରୁ ଇସ୍ପାତ କାରଖାନା ଓ କୋଇଲା ଖଣିର ଶ୍ରମିକମାନେ ବିଶେଷ ସଂଖ୍ୟାରେ କାର୍ଯ୍ୟଚ୍ୟୁତ ହେଲେ । ସମାଜରେ ବେକାର ଶ୍ରମିକ, ବେକାର ସୈନ୍ୟ ଓ ଦୁସ୍ଥ କୃଷକଙ୍କ ସଂଖ୍ୟା ବୃଦ୍ଧି ପାଇଲା । ଲୋକମାନଙ୍କୁ ଖାଇବାପାଇଁ ସାଧାରଣ ରୋଟି ଖଣ୍ଡିଏ ମିଳିବା ଦୁଷ୍କର ହେଲା । ଭୋକିଲା ପଟୁଆର ଦେଶସାରା କ୍ରୋଧବଶ ହୋଇ ଭଙ୍ଗାରୁଜା ଓ ହିଂସାତ୍ମକ କାର୍ଯ୍ୟ ଆରମ୍ଭ କଲେ । କର୍ମ ଓ ଅନ୍ନ ଅଭାବରେ ସେମାନେ କଳକାରଖାନା ଧ୍ୱଂସ କରିବାରେ ବିମୁଖ ହେଲେନାହିଁ । ଅପରାଧ ଓ ଅପରାଧୀଙ୍କ ସଂଖ୍ୟା କ୍ରମଶଃ ବଢ଼ିବାକୁ ଲାଗିଲା । କୃଷିକ୍ଷେତ୍ର, ଖଳା, ରୋଟି ଦୋକାନ, ମାଂସ ଦୋକାନ, ରତ୍ପାନୀପାଇଁ ଗଚ୍ଛିତ ଥିବା ଆଳୁ ପ୍ରଭୃତିକୁ କ୍ଷୁଧିତ ଜନତା ଲୁଟ କରିନେଲେ । ସମସ୍ତେ କର୍ମସଂସ୍ଥାନ, ବର୍ଦ୍ଧିତ ହାରରେ ବେତନ, ଏବଂ ସୁଲଭ ମୂଲ୍ୟରେ ଖାଦ୍ୟସାମଗ୍ରୀ ଯୋଗାଣପାଇଁ ସରକାରଙ୍କ ନିକଟରେ ଦାବି ଜଣାଇଲେ ।

 

ଏହି ଆନ୍ଦୋଳନର ମାତ୍ରା କ୍ରମଶଃ ବୃଦ୍ଧି ପାଇ ଅର୍ଥନୀତି କ୍ଷେତ୍ରରୁ ରାଜନୀତି କ୍ଷେତ୍ରକୁ ସଂକ୍ରମିତ କଲା । ଆର୍ଥିକ ଅଭାବ ଦୂର କରିବାପାଇଁ ଲୋକମାନେ ରାଜନୈତିକ ଅଧିକାର, ବିଶେଷତଃ ସାବାଳକ ଭୋଟ ପ୍ରଥା ଏବଂ ସାର୍ବଜନୀନ ଭୋଟ ଅଧିକାର ଦାବି ଆଗତ କଲେ । ନାନାପ୍ରକାର ପ୍ରଚାରପତ୍ର ଓ ସଭାସମିତି ଜରିଆରେ ସେଥିପାଇଁ ଜନମତ ସୃଷ୍ଟି କରାଗଲା । ବିଭିନ୍ନ ମତବାଦକୁ ନେଇ ଏକାଧିକ ରାଜନୈତିକ ସଂଗଠନ ପ୍ରତିଷ୍ଠିତ ହେଲା । ଲଣ୍ଡନରେ ଉଗ୍ର ରାଜନୀତିକ ମତବାଦ ମହାବିଶୃଙ୍ଖଳା ସୃଷ୍ଟିକଲା । ସେଠାକାର ଜନତା ଚତୁର୍ଥଜର୍ଜଙ୍କ ନିକଟରେ ଏକ ଆବେଦନପତ୍ର ଦାଖଲ କରି ସରକାରଙ୍କୁ ବ୍ୟୟସଙ୍କୋଚ ପାଇଁ ଓ ପାର୍ଲିଆମେଣ୍ଟ୍‍ରେ ସର୍ବସାଧାରଣଙ୍କର ସ୍ୱାର୍ଥରକ୍ଷା ହେବାଭଳି ଉପଯୁକ୍ତ ପ୍ରତିନିଧିତ୍ୱ ସକାଶେ ସୁଯୋଗ ଦେବାକୁ ନିବେଦନ ଜଣାଇଲେ । ଚତୁର୍ଥ ଜର୍ଜ କିନ୍ତୁ ଉକ୍ତ ଆବେଦନର କୌଣସି ବିଚାର କରି ନଥିଲେ । ଫଳରେ ଆନ୍ଦୋଳନ ଅଧିକ ପ୍ରସାରିତ ହୋଇ ପ୍ରବଳ ହେଲା । ସରକାର ଅବଶ୍ୟ ଆନ୍ଦୋଳନକୁ ଦବାଇ ଦେବାପାଇଁ କଠୋର ବ୍ୟବସ୍ଥା ଗ୍ରହଣ କଲେ–କିନ୍ତୁ ତଦ୍ଦ୍ୱାରା କୃତକାର୍ଯ୍ୟ ହୋଇପାରିଲେ ନାହିଁ ।

 

ଖ୍ରୀ: ୧୮୧୭ରେ ରାଜକୁମାରୀ ଚାର୍ଲୋଟି ଦେଶବାସୀଙ୍କୁ ଶୋକ ସାଗରରେ ଭସାଇ ଇହଧାମ ତ୍ୟାଗ କରିଥିଲେ । ତାଙ୍କ ମୃତ୍ୟୁଫଳରେ ରାଜସିଂହାସନର ଉତ୍ତରାଧିକାରୀ ନିର୍ଣ୍ଣୟ କରିବାପାଇଁ ଏକ ସମସ୍ୟା ଉପୁଜି ଥିଲା । ତୃତୀୟ ଜର୍ଜଙ୍କର ତ୍ରୟୋଦଶ ପୁତ୍ର କନ୍ୟା ଥିଲେହେଁ ସେମାନଙ୍କର ସନ୍ତାନସନ୍ତତି ସମସ୍ତେ ଅବୈଧ ଥିଲେ । ତେଣୁ ସିଂହାସନ ପାଇଁ ରାଜପରିବାରରେ ନାନା ତିକ୍ତ ଏବଂ କଳୁଷିତ ବାତାବରଣ ସୃଷ୍ଟି ହେବା ଆଉ ଏକ ଦୁର୍ଭାଗ୍ୟଜନକ ସମସ୍ୟା ଥିଲା ।

 

ତେବେ ଖ୍ରୀ: ୧୮୧୭ରେ ପ୍ରଚୁର ପରିମାଣରେ ଶସ୍ୟ ଉତ୍ପାଦନ ହୋଇ ପାରିଥିବାରୁ ଖ୍ରୀ: ୧୮୧୮ଠାରୁ ଲୋକମାନଙ୍କ ଅବସ୍ଥାରେ କ୍ରମୋନ୍ନତି ଦେଖାଦେଲା । ଦେଶବାସୀଙ୍କ ନୈତିକ ଅଧୋଗତିକୁ ରୋକିବାପାଇଁ ଖ୍ରୀ: ୧୮୧୮ରେ ପାର୍ଲିଆମେଣ୍ଟ୍ ପ୍ରାୟ ୧୦ ଲକ୍ଷ ପାଉଣ୍ଡ ମୁଦ୍ରା ବ୍ୟୟରେ କେତେଗୁଡ଼ିଏ ଗିର୍ଜା ନିର୍ମାଣ କରାଇଲେ । ସେହି ବର୍ଷ ସାଧାରଣ ନିର୍ବାଚନରେ ଇଂଲଣ୍ଡର ଜନସାଧାରଣ ବହୁ ସଂଖ୍ୟାରେ ସକ୍ରିୟ ଅଂଶଗ୍ରହଣ କରିବା ଗଣତନ୍ତ୍ର–ଇତିହାସରେ ଏକ ଉଲ୍ଲେଖଯୋଗ୍ୟ ଘଟଣା । ଉକ୍ତ ନିର୍ବାଚନରେ ଟୋରୀ ଦଳ ପୁନଶ୍ଚ ସଂଖ୍ୟାଗରିଷ୍ଠତା ଲାଭ କରି ବିଜୟ ହାସଲ କରିଥିଲା ଏବଂ ନୂତନ ‘ଟୋରୀ’ ମନ୍ତ୍ରିମଣ୍ଡଳ ଶପଥ ନେବାବେଳକୁ ଦେଶର ସାମାଜିକ ବିଶୃଙ୍ଖଳା ଅନେକାଂଶରେ ଦୂରୀଭୂତ ହୋଇଥିଲା ।

 

ରବାର୍ଟ ପୀଲ–ଅର୍ଥନୈତିକ ଅବସ୍ଥାକୁ ସୁଧାରିବା ପାଇଁ ନବ ଗଠିତ ମନ୍ତ୍ରିମଣ୍ଡଳରେ ରବାର୍ଟପୀଲ ନାମକ ଜଣେ ବିଚକ୍ଷଣ ରାଜନୀତିଜ୍ଞଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା ସେ ଲାଙ୍କାସାୟାରର ଏକ ସମୃଦ୍ଧିଶାଳୀ ପରିବାରରେ ଖ୍ରୀ: ୧୭୮୮ରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ଏକୋଇଶବର୍ଷ ବୟସରେ ସେ ପାର୍ଲିଆମେଣ୍ଟ୍‍ ସଦସ୍ୟ ହୋଇ ରାଜନୀତିକ ଜୀବନ ଆରମ୍ଭ କରିଥିଲେ । ‘ଟୋରୀ’ ଦଳଭୁକ୍ତ ହୋଇଥିବାରୁ ତାଙ୍କୁ ପ୍ରଥମେ ସାମରିକ ବିଭାଗର ଉପମନ୍ତ୍ରୀ ପଦରେ ନିଯୁକ୍ତି ମିଳିଥିଲା । ପରେ ଦକ୍ଷତାପାଇଁ ସେ ଆୟାରଲାଣ୍ଡ୍‍ର ମୁଖ୍ୟ ସଚିବରୂପେ ଦୀର୍ଘ ୬ ବର୍ଷ କାର୍ଯ୍ୟ ନିର୍ବାହ କରିଥିଲେ । ଖ୍ରୀ: ୧୮୧୯ରେ ଏକ ଗୁପ୍ତ ଆର୍ଥନୀତିକ କମିଟିର ସଭାପତି ଭାବରେ ତତ୍କାଳୀନ ମୁଦ୍ରାସ୍ଫୀତି ଓ ଆନୁସଙ୍ଗିକ ସମସ୍ୟାର ସମାଧାନ ପାଇଁ ପରାମର୍ଶଦାତାର ଦାୟିତ୍ୱ ସେ ଗ୍ରହଣ କରିଥିଲେ । ବ୍ୟାଙ୍କ୍‍ମାନଙ୍କରେ ଦେଖା ଦେଇଥିବା ସମସ୍ୟାକୁ ଦୂର କରିବାପାଇଁ ତାଙ୍କ କମିଟି ମୁଦ୍ରା ପ୍ରଚଳନ ସମ୍ପର୍କରେ କେତେକ ପରାମର୍ଶ ଦେଇଥିଲେ । ଉକ୍ତ ପରାମର୍ଶ ଅନୁସାରେ ସଂସ୍କାର ପ୍ରଚଳନଦ୍ୱାରା ସାମୟିକ ଅସୁବିଧା ହେଲା ସତ୍ୟ; କିନ୍ତୁ ଇଂଲଣ୍ଡର ବ୍ୟବସାୟ ବାଣିଜ୍ୟ ସୁଚାରୁରୂପେ ଚାଲିପାରିଲା ।

 

ପିଟରଲୁ ଘଟଣା–ଏହି ନୂତନ ପାର୍ଲିଆମେଣ୍ଟ୍‍ରେ ଗଣତାନ୍ତ୍ରିକ ସଂସ୍କାରପାଇଁ କେତେକ ରାଜନୀତିଜ୍ଞ ଆନ୍ଦୋଳନ ଆରମ୍ଭ କରିଥିଲେ । ସେମାନଙ୍କ ମଧ୍ୟରେ ପ୍ରଥମ ଥିଲେ ବାର୍ଡ଼େଟ୍‌ । ତାଙ୍କ ପ୍ରସ୍ତାବ ପାର୍ଲିଆମେଣ୍ଟ୍‍ରେ ଗୃହୀତ ନହେଲେ ମଧ୍ୟ ସାରା ଦେଶରେ ରାଜନୈତିକ ସଂସ୍କାର ସପକ୍ଷରେ ଜନମତ ସୃଷ୍ଟିକରି ପାରିଥିଲା । ଖ୍ରୀ: ୧୮୧୮ ଅଗଷ୍ଟ ମାସ ୧୬ ତାରିଖରେ ମାଞ୍ଚେଷ୍ଟର ସହରର କେନ୍ଦ୍ରସ୍ଥଳୀ ସେଣ୍ଟ ପିଟର ପଡ଼ିଆରେ ଏକ ବିରାଟ ଜନସଭା ଆୟୋଜିତ ହୋଇଥିଲା । ଦେଶର ଚତୁର୍ଦ୍ଦିଗରୁ ସହସ୍ରାଧିକ ସଂଖ୍ୟାରେ ଲୋକେ ଉକ୍ତ ସଭାରେ ଯୋଗ ଦେବାକୁ ଆସିବା ସମୟରେ ‘ସାର୍ବଜନୀନ ସାବାଳକ ଭୋଟ ପ୍ରଥା; ‘ବେଲଟ୍‌ଦ୍ୱାରା ଭୋଟ ଦେବା’, ‘ପାର୍ଲିଆମେଣ୍ଟ୍‍ର ବାର୍ଷିକ ଅଧିବେଶନ’ ଆଦି ଧ୍ୱନିମାନ ଦେଇଥିଲେ କିନ୍ତୁ ସଭାକାର୍ଯ୍ୟ ଆରମ୍ଭ ହେବାମାତ୍ରେ ସରକାରଙ୍କ ପକ୍ଷରୁ ଅମାନୁଷିକ ଦମନଲୀଳା ଚାଲି ୧୧ ଜଣ ନିହତ ଓ ପ୍ରାୟ ୪ ଶହ ଜଣ କ୍ଷତବିକ୍ଷତ ହୋଇଥିଲେ । ଏହି ଦୁର୍ଭାଗ୍ୟଜନକ ଘଟଣାରୁ ସେହି ଦିନଠାରୁ ‘ପିଟରଲ୍‌ର’ର ହତ୍ୟାକାଣ୍ଡ ବୋଲି ଅଭିହିତ କରାଯାଏ । ଚତୁର୍ଥ ଜର୍ଜ କିନ୍ତୁ ନିର୍ମମ ହତ୍ୟାକାଣ୍ଡର ସମ୍ବାଦପାଇଁ ତିଳେମାତ୍ର ଦୁଃଖିତ ନହୋଇ ବରଂ ଆନନ୍ଦ ପ୍ରକାଶ କରିଥିଲେ । ପ୍ରଶାସକଙ୍କର ଏତାଦୃଶ ଅମାନୁଷିକତାକୁ ଇଂଲଣ୍ଡର ଗଣତାନ୍ତ୍ରିକ ଜନମତ ବିଶେଷ ନିନ୍ଦାବାଦ କରିଥିଲେ ।

 

ରାଜା ଚତୁର୍ଥ ଜର୍ଜ ଓ କେଟୋ–ରାଜପଥ–ଚକ୍ରାନ୍ତ–ଖ୍ରୀ: ୧୮୨୦ରେ ଜରାଗ୍ରସ୍ତ, ସ୍ଥବିର ତୃତୀୟ ଜର୍ଜ ପ୍ରାଣତ୍ୟାଗ କଲାରୁ ଇଂଲଣ୍ଡ ଇତିହାସରେ ଏକ ଦୀର୍ଘତମ ରାଜତ୍ୱର ଅବସାନ ଘଟିଲା-। ତାଙ୍କପରେ ଚତୁର୍ଥ ଜର୍ଜ ସିଂହାସନ ଆରୋହଣ କଲେ । ନୂତନ ଶାସକଙ୍କ ଅଭିଷେକ ଉତ୍ସବରେ ଇଂଲଣ୍ଡ ଆନନ୍ଦ ମୁଖରିତ ହୋଇ ନଥିଲା । ଲିଭରପୁଲଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ସଭ୍ୟଙ୍କୁ ଏକତ୍ର ହତ୍ୟାକରିବାର ଏକ ବିଧିବଦ୍ଧ ଷଡ଼ଯନ୍ତ୍ର ଖ୍ରୀ: ୧୮୨୦ ଫେବୃୟାରୀ ୨୩ ତାରିଖରେ ଜଣାପଡ଼ିବାରୁ ଚତୁର୍ଦ୍ଦିଗରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ଚତୁର୍ଥ ଜର୍ଜଙ୍କ ଅଭିଷେକ ଉତ୍ସବ କଥା ସମସ୍ତେ ଭୁଲିଗଲେ । ଟୋରୀ ଦଳର ଅସମର୍ଥତା ଏବଂ ଗଣସ୍ୱାର୍ଥ ବିରୋଧୀ କାର୍ଯ୍ୟକଳାପରୁ ଦେଶକୁ ରକ୍ଷା କରିବାପାଇଁ ଏହି ଚକ୍ରାନ୍ତ ଆର୍ଥାର ଥିସଲ୍‌ଉଡ଼୍ ଏବଂ ତାଙ୍କର କେତେକ ସହକର୍ମୀ ଆରମ୍ଭ କରିଥିଲେ । ଏହା କେଟୋ–ରାଜପଥ–ଚକ୍ରାନ୍ତ ନାମରେ ପରିଚିତ ଷଡ଼ଯନ୍ତ୍ରକାରୀମାନେ ପୁଲିସ୍‌ କର୍ତ୍ତୃକ ବନ୍ଦୀ ହୋଇ ବିଚାରାଳୟରେ ଦେଶଦ୍ରୋହୀଭାବେ ଅଭିଯୁକ୍ତ ହୋଇଥିଲେ ଏବଂ ଉପଯୁକ୍ତ ଶାସ୍ତି ମଧ୍ୟ ପାଇଥିଲେ । ସେହି ବର୍ଷ ରାଣୀ କେରୋଲାଇନଙ୍କ ପ୍ରତି ଦୁର୍ବ୍ୟବହାର ଯୋଗୁଁ ଚତୁର୍ଥ ଜର୍ଜଙ୍କ ପାରିବାରିକ ଜୀବନରେ ମହାଅନର୍ଥ ସୃଷ୍ଟି ହୋଇ ଉଭୟଙ୍କର ଦାମ୍ପତ୍ୟ ଜୀବନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ।

 

ସଂସ୍କାର–ଇଂଲଣ୍ଡରେ ସାମ୍ବିଧାନିକ ସଂସ୍କାର ପ୍ରବର୍ତ୍ତନ କରି ଗଣତାନ୍ତ୍ରିକ ଆନ୍ଦୋଳନର ଆଭିମୁଖ୍ୟକୁ ସ୍ୱୀକାର କରିବା କଥା ଅନେକ ଦୂରଦୃଷ୍ଟିସମ୍ପନ୍ନ ରାଜନୀତିଜ୍ଞ ଉଚିତ ମନେ କରୁଥିଲେହେଁ ଫ୍ରାନ୍‌ସ ସହିତ ଯୁଦ୍ଧରେ ବ୍ୟାପୃତ ଥାଇ ଏବଂ ପରବର୍ତ୍ତୀ ସମୟର ଦୁର୍ବିପାକରେ ବ୍ୟସ୍ତ ରହି ସେ ଦିଗରେ ପଦକ୍ଷେପ ନେଇ ପାରି ନଥିଲେ । ଗଣତାନ୍ତ୍ରିକ ସଂସ୍କାରପାଇଁ ଉଇଲିୟମ୍‌ ପିଟ୍‌ (କନିଷ୍ଠ) ଏବଂ ଉଇଣ୍ଡହାମ୍‌ ପ୍ରଭୃତି ନେତୃସ୍ଥାନୀୟ ବ୍ୟକ୍ତିମାନେ ଶାନ୍ତ ବାତାବରଣ ଫେରିବାର ପ୍ରତୀକ୍ଷାରେ ଥିଲେ । ତେଣୁ ଲର୍ଡ଼ ଲିଭରପୁଲଙ୍କର ମନ୍ତ୍ରିମଣ୍ଡଳରେ ମଧ୍ୟ ଅର୍ଥନୈତିକ–ବିତ୍ପାତ–ଜନିତ ବିଶୃଙ୍ଖଳା ଯୋଗୁଁ ସଂସ୍କାର ପ୍ରବର୍ତ୍ତନ ପାଇଁ ଅନୁକୂଳ ବ୍ୟବସ୍ଥା ହୋଇପାରି ନଥିଲା । ଖ୍ରୀ: ୧୮୨୦ରେ ଲର୍ଡ଼ ଜନ୍‌ ରାସେଲ୍‌ଙ୍କ ନିର୍ବାଚନ ପରେ ଅର୍ଥନୀତିକ, ବିଚାର ବିଭାଗୀୟ ସଂସ୍କାର ସହ ନିର୍ବାଚନ ପଦ୍ଧତିରେ ସଂସ୍କାର ଆଣିବା ଅତ୍ୟାବଶ୍ୟକ ବୋଲି ସମସ୍ତେ ଅନୁଭବ କଲେ । ସ୍ୱରାଷ୍ଟ୍ରମନ୍ତ୍ରୀ ସାର୍‌ ରବାର୍ଟପୀଲଙ୍କ ପ୍ରଚେଷ୍ଟାଫଳରେ ବିଚାର ବିଭାଗରେ, ବିଶେଷତଃ ଫୌଜଦାରି ଦଣ୍ଡବିଧି ଆଇନରେ ଆମୂଳଚୂଳ ପରିବର୍ତ୍ତନ କରାଯାଇଥିଲା । ଛୋଟ ଛୋଟ ଅପରାଧ ପାଇଁ ମୃତ୍ୟୁଦଣ୍ଡ ଦେବା ଅତି କଠୋର ଏବଂ ଅନ୍ୟାୟ ବୋଲି ଉପଲବ୍ଧି କରି ତାହା ବନ୍ଦ ହେଲା । ଧର୍ମଯାଜକମାନେ ଅପରାଧ କଲେ ମଧ୍ୟ ଦଣ୍ଡନୀୟ ହେଉ ନଥିଲେ । ତାହା ସମସାମୟିକ ନୈତିକତାର ବିରୁଦ୍ଧାଚରଣ କରୁଥିବାରୁ ଧର୍ମଯାଜକମାନେ ମଧ୍ୟ ଅପରାଧ ବୋଲି ବିଚାରାଳୟରେ ସାବ୍ୟସ୍ତ ହେଲେ ନିୟମ ଅନୁସାରେ ଦଣ୍ଡନୀୟ ହେବା ବ୍ୟବସ୍ଥା ପ୍ରଚଳିତ ହେଲା । ବିବାହ ସମ୍ପର୍କୀୟ ଆଇନରେ ଥିବା କେତେକ ତ୍ରୁଟି ଦୂର କରାଗଲା । ସମାଜରୁ ଅପରାଧ ନିବାରଣ ପାଇଁ ପୁଲିସ–ବାହିନୀ ନିଯୁକ୍ତ ହେଲେ । କାଥଲିକ୍‍–ମୁକ୍ତି–ଆଇନ ପ୍ରଣୟନ କରିବାଦ୍ୱାରା ସେ ସମାଜର ଅଶେଷ ଉପକାର ସାଧନ କରିଥିଲେ । କାରଣ ତଦ୍ଦ୍ୱାରା କାଥଲିକ୍‍ମାନେ ସରକାରୀ କ୍ଷେତ୍ରରେ ନିଯୁକ୍ତି ଓ ଶିକ୍ଷାୟତନରେ ଶିକ୍ଷାଲାଭ ପାଇଁ ସମାନ ଅଧିକାର ଓ ସୁଯୋଗ ପାଇପାରିଲେ ।

 

କ୍ୟାନିଙ୍ଗ–ଖ୍ରୀ: ୧୮୨୭ ଫେବୃୟାରୀ ମାସରେ ପ୍ରଧାନମନ୍ତ୍ରୀ ଲିଭରପୁଲ ରୋଗାକ୍ରାନ୍ତ ହେବାରୁ ରାଜନୀତିରୁ ବିଦାୟ ନେଇଥିଲେ । ତେଣୁ ତାଙ୍କଦ୍ୱାରା ଗଠିତ ମନ୍ତ୍ରିମଣ୍ଡଳର ପତନ ଅନିବାର୍ଯ୍ୟ ହେଲା । ତାଙ୍କ ପରେ କ୍ୟାନିଙ୍ଗ ନୂତନ ମନ୍ତ୍ରିମଣ୍ଡଳ ଗଠନ କରିଥିଲେ । ଟୋରୀ ଦଳର ଶ୍ରେଷ୍ଠ ରାଜନୀତିଜ୍ଞ ହେଲେହିଁ କ୍ୟାନିଙ୍ଗ ବିଶେଷ ପ୍ରଭାବଶାଳୀ ନଥିଲେ । ତେଣୁ ପୀଲ୍, ଏଲ୍‌ଡ଼ନ୍‌, ଏବଂ ମେଲ୍‌ଭିଲ୍‌ ପ୍ରଭୃତି ଅନ୍ୟାନ୍ୟ ବିଖ୍ୟାତ ଟୋରୀ ନେତାମାନେ ତାଙ୍କ ମନ୍ତ୍ରିମଣ୍ଡଳରେ ଯୋଗ ଦେଲେ ନାହିଁ । କେତେକ ହ୍ୱିଗ୍‌ ନେତାଙ୍କୁ ମନ୍ତ୍ରିତ୍ୱ ଦେଇ କ୍ୟାନିଙ୍ଗ ଶାସନ ଦାୟିତ୍ୱ ଗ୍ରହଣ କଲେ ସତ୍ୟ; କିନ୍ତୁ ପରିସ୍ଥିତିର ଚାପ ଓ ନିଜ ଦଳର ଅସହଯୋଗ ତଥା କଟୁ ସମାଲୋଚନାରେ ହତୋତ୍ସାହ ହୋଇ ଅଗଷ୍ଟ ମାସରେ (ଖ୍ରୀ: ୧୮୨୭) ପ୍ରାଣତ୍ୟାଗ କଲେ ।

 

ଚତୁର୍ଥ ଜର୍ଜଙ୍କର ଜୀବିତ କାଳ ପର୍ଯ୍ୟନ୍ତ ଟୋରୀମାନେ କ୍ଷମତାରେ ରହିଥିଲେ । ଖ୍ରୀ: ୧୮୩୦ ଜୁନ୍‍ ମାସ ୨୬ ତାରିଖରେ ଚତୁର୍ଥ ଜର୍ଜଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ମୃତ୍ୟୁରେ ଦେଶବାସୀ ଆଦୌ ଶୋକାକୁଳ ହୋଇ ନଥିଲେ । କନିଷ୍ଠ ଭ୍ରାତା ଉଇଲିୟମ୍‌ ତାଙ୍କର ଉତ୍ତରାଧିକାରୀ ଥିଲେ ଏବଂ ସେ ଅପେକ୍ଷାକୃତଭାବେ ଦୟାଳୁ ଓ ସ୍ପଷ୍ଟବାଦୀ ଥିବାରୁ ଦେଶବାସୀ କିଞ୍ଚିତ୍‌ ଆଶ୍ୱସ୍ତ ବୋଧ କରିଥିଲେ କିନ୍ତୁ ସେ ବର୍ଷ ସାଧାରଣ ନିର୍ବାଚନରେ ଟୋରୀ ଦଳ ଅନେକ ଜାଗାରେ ପରାଜିତ ହୋଇ ଗୁଡ଼ିଏ ଆସନ ହରାଇଲେ । ଟୋରୀ ଦଳର ଏହି ବିପର୍ଯ୍ୟୟଫଳରେ ବିରୋଧୀଦଳ କ୍ରମଶଃ ଶକ୍ତିଶାଳୀ ହେଲା ଏବଂ ନଭେମ୍ବର ମାସରେ ଟୋରୀ ମନ୍ତ୍ରିମଣ୍ଡଳ କ୍ଷମତାରୁ ଅପସରି ଗଲେ । ଚତୁର୍ଥ ଉଇଲିୟମ୍‌ ହ୍ୱିଗ୍‌ ଦଳ ପ୍ରତି ଅନୁରାଗୀ ଥିବାରୁ ଲର୍ଡ଼ ଗ୍ରେ’ଙ୍କୁ ମନ୍ତ୍ରୀ ପରିଷଦ ଗଠନ କରିବାପାଇଁ ଆହ୍ୱାନ କଲେ । ଏହି ରାଜନୈତିକ ପରିବର୍ତ୍ତନଦ୍ୱାରା ଉଦାରପନ୍ଥୀ ରାଜନୀତିଜ୍ଞମାନେ ଖୁବ୍‌ ଆନନ୍ଦିତ ହୋଇଥିଲେ ।

Image

 

ଚତୁର୍ବିଂଶ ଅଧ୍ୟାୟ

ଚତୁର୍ଥ ଉଇଲିୟମ୍‌ (ଖ୍ରୀ: ୧୮୩୦–ଖ୍ରୀ: ୧୮୩୭) ଓ ସଂସ୍କାର ଯୁଗ

 

ଲର୍ଡ଼ ଗ୍ରେ’–ଚତୁର୍ଥ ଉଇଲିୟମ୍‍ଙ୍କ ରାଜତ୍ୱ କାଳରେ ସାମ୍ବିଧାନିକ ସଂସ୍କାର ପ୍ରବର୍ତ୍ତନହିଁ ଥିଲା ଉଲ୍ଲେଖଯୋଗ୍ୟ ଘଟଣା । ସେ ଦିଗରେ ପ୍ରଧାନମନ୍ତ୍ରୀ ଲର୍ଡ଼ଗ୍ରେଙ୍କର ଅବଦାନ ଯଥେଷ୍ଟ । ଲର୍ଡ଼ ଗ୍ରେ’ ଖ୍ରୀ: ୧୭୬୪ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଥିଲେ ଜଣେ ପ୍ରସିଦ୍ଧ ଯୋଦ୍ଧା । ଖ୍ରୀ: ୧୭୮୬ରେ ଲର୍ଡ଼ ଗ୍ରେ’ ପାର୍ଲିଆମେଣ୍ଟ୍‍ର ସଭ୍ୟରୂପେ ନିର୍ବାଚିତ ହୋଇଥିଲେ । ସେହିଦିନଠାରୁ ସଂସଦୀୟ ନିର୍ବାଚନ ପ୍ରଣାଳୀରେ ପରିବର୍ତ୍ତନ ଆଣିବା ପ୍ରସଙ୍ଗରେ ସାମ୍ବିଧାନିକ ସଂସ୍କାରପାଇଁ ସେ ଦୃଢ଼ ସ୍ୱରରେ ଦାବି ଜଣାଇଥିଲେ ଓ ଦୀର୍ଘ ୪୦ ବର୍ଷ ଧରି ସଂସ୍କାର–ଆନ୍ଦୋଳନର ନେତୃତ୍ୱ ଗ୍ରହଣ କରିଥିଲେ । ତେଣୁ ସଂସ୍କାର–ସମର୍ଥନକାରୀ ଜନମତର ପ୍ରତୀକରୂପେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରେ ବରଣ କରି ଚତୁର୍ଥ ଉଇଲିୟମ୍‌ ସମସାମୟିକ ଦାବିକୁ ସ୍ୱୀକୃତି ଜଣାଇଥିଲେ ।

 

ଲର୍ଡ଼ଗ୍ରେଙ୍କ ମନ୍ତ୍ରିମଣ୍ଡଳରେ ପ୍ରତିଭାବାନ ରାଜନୀତିଜ୍ଞ ଥିଲେ ଚାର୍ଲସ୍‍ ଗ୍ରେଣ୍ଟ, ସାର୍‌ ଜେମ୍‌ସ୍‌ ଗ୍ରାହାମ୍‌ ଲର୍ଡ଼ ପାମାରଷ୍ଟୋନ୍‌, ମେଲ୍‌ବୋର୍ଣ୍ଣ, ହାସ୍କିସନ୍‌ ଏବଂ ହେନେରୀ ବ୍ରୋଘାମ୍‌ । ସେମାନଙ୍କ ପ୍ରତିଭା ଓ ଦକ୍ଷତା ଯୋଗୁଁ ମନ୍ତ୍ରିମଣ୍ଡଳର ଲକ୍ଷ୍ୟ ହାସଲ ଦିଗରେ ଯେକୌଣସି ସମସ୍ୟାକୁ ଗ୍ରେ’ ସମାଧାନ କରିପାରୁଥିଲେ । ସମାଜରୁ ବିଶୃଙ୍ଖଳା ଦୂର କରିବାପାଇଁ ଗ୍ରେ’ ପ୍ରଥମେ ଅପରାଧ, ଗୁଣ୍ଡା ଶ୍ରେଣୀର ଅସାମାଜିକ ଲୋକଙ୍କୁ ଅକ୍ତିଆରରେ ରଖିଥିଲେ । ସାମାଜିକ ବିଶୃଙ୍ଖଳା ଦୂରହେବା ପରେ ଗଣତାନ୍ତ୍ରିକ ସଂସ୍କାର ଦିଗରେ ସେ ମନୋନିବେଶ କରିଥିଲେ । ସେ କ୍ଷେତ୍ରରେ ଫ୍ରାନ୍‌ସର ଜୁଲାଇ ବିପ୍ଳବ ତାଙ୍କ ଉପରେ ଯଥେଷ୍ଟ ପ୍ରଭାବ ପକାଇଥିଲା । ଇଂଲଣ୍ଡର ନିର୍ବାଚନ ପ୍ରଣାଳୀ ପ୍ରତିକ୍ରିୟାମୂଳକ ଓ ସଂକୀର୍ଣ୍ଣ ମନୋଭାବାପନ୍ନ ଥିଲା । ତଦ୍ଦ୍ୱାରା ମୁଷ୍ଟିମେୟ ଲୋକେ ରାଜନୈତିକ ଅଧିକାର ଉପଭୋଗ କରୁଥିଲେ । ଅନ୍ୟାନ୍ୟ ତ୍ରୁଟି ବିଚ୍ୟୁତି ମଧ୍ୟ ଯଥେଷ୍ଟ ଥିଲା । ଟିଉଡ଼ର୍‍ ଏବଂ ଷ୍ଟୁଆର୍ଟଯୁଗର ସହର ଶ୍ରୀହୀନ ହୋଇ ନୂଆ ନୂଆ ସହର ବ୍ୟବସାୟିକ ଭିତ୍ତିରେ ଗଢ଼ି ଉଠୁଥିଲା । ଏହିପରି ପରିବର୍ତ୍ତିତ ପରିସ୍ଥିତିରେ ଜନସଂଖ୍ୟା ଅନୁସାରେ ନିର୍ବାଚନ ମଣ୍ଡଳୀ ସ୍ଥିର କରିବା ଆବଶ୍ୟକ ଥିଲେହେଁ କେହି ସେ ଦିଗରେ ପଦକ୍ଷେପ ନେଇ ନଥିଲେ । ଜନସଂଖ୍ୟା ଭିତ୍ତିରେ ନିର୍ବାଚନ ମଣ୍ଡଳୀ ନିର୍ଣ୍ଣୟ କରିବା ଓ ପ୍ରାପ୍ତ ବୟସ୍କ ନାଗରୀକମାନଙ୍କୁ ଭୋଟ ଅଧିକାର ଦେବା ଜରୁରୀ ଥିଲା । ଏହାଛଡ଼ା ନିର୍ବାଚନ ସମୟରେ ଅଧିକ ଭୋଟପାଇଁ ଦୁର୍ନୀତିର ଆଶ୍ରୟ ନେଇ ପ୍ରାୟ ବିଭବଶାଳୀ ଲୋକେ ବିଜୟ ହାସଲ କରୁଥିଲେ । ଫଳରେ ରାଜନୈତିକ ଓ ସାମାଜିକ ଜୀବନ ଅତି ଆବିଳ ଥିଲା ।

 

ପ୍ରଥମ ସଂସ୍କାର ଆଇନ (ଖ୍ରୀ: ୧୮୩୨) ଏହିସବୁ ଅବ୍ୟବସ୍ଥା ଓ ନୀତିହୀନ ଜୀବନଯାପନକୁ ସୁଧାରି, ବ୍ୟକ୍ତିଗତ ସ୍ୱାଧୀନତା ତଥା ସ୍ୱାଧୀନ ରାଜନୈତିକ ଚିନ୍ତାଧାରାକୁ ରୂପଦେବା ପାଇଁ ସଂସ୍କାର ଆନ୍ଦୋଳନ ତେଜି ଉଠିଲା । ଖ୍ରୀ: ୧୮୩୦ରେ । ତେଣୁ ଲର୍ଡ଼ଗ୍ରେ’ ଏକ କମିଟି ନିଯୁକ୍ତ କରି ଇଂଲଣ୍ଡ ଏବଂ ୱେଲ୍‌ସ୍‌ ଅଞ୍ଚଳରେ ପ୍ରତିନିଧିତ୍ୱ ବ୍ୟବସ୍ଥାର ସଂସ୍କାରପାଇଁ ପରାମର୍ଶ ଲୋଡ଼ିଲେ । ସେହି କମିଟିର ଚିଠା ଅନୁଯାୟୀ କମନ୍‌ସ ସଭାରେ ଲର୍ଡ଼ ଜନ୍‌ ରାସେଲ୍‌ ସଂସ୍କାର ପ୍ରସ୍ତାବ ଆଗତ କରିଥିଲେ । ସେଥିରେ ଦୁଇ ହଜାର ବା କମ୍‌ ଲୋକସଂଖ୍ୟା ବିଶିଷ୍ଟ ୧୧୯ଟି ନିର୍ବାଚନ ମଣ୍ଡଳୀକୁ ଲୋପ କରିବାର ପ୍ରସ୍ତାବଥିଲା । ପ୍ରାୟ ୧୬୮ଟି ଆସନପାଇଁ ସଂସ୍କାର ପରାମର୍ଶ ଦେବା ସଙ୍ଗେ ସଙ୍ଗେ ବର୍ମିଙ୍ଗହାମ୍‌, ମାଞ୍ଚେଷ୍ଟର ପ୍ରଭୃତି ନୂତନ ସହରଗୁଡ଼ିକ ଦୁଇଜଣ ଲେଖାଏଁ ସଭ୍ୟ, ଅନ୍ୟାନ୍ୟ ୨୧ଟି ପାଇଁ ଜଣେ ଲେଖାଏଁ ସଭ୍ୟ, ଲଣ୍ଡନପାଇଁ ଆଠଜଣ, ଆୟାରଲାଣ୍ଡ୍‍କୁ ୩, ସ୍କଟ୍‍ଲାଣ୍ଡ୍‍କୁ ୫, ଏବଂ ୱେଲ୍‌ସକୁ ଜଣେ ସଭ୍ୟ ନିର୍ବାଚିତ କରିବାର ପ୍ରସ୍ତାବ ଦିଆଗଲା । ସେହିପରି ଭୋଟ ଦେବା ଅଧିକାର ନିୟମ କୋହଳ କରାଗଲା କିନ୍ତୁ କମନ୍‍ସ ସଭାରେ ବିରୋଧୀଦଳ ସଂସ୍କାର ବିଲ୍‍କୁ ଗୃହୀତ କରାଇ ଦେଲେ ନାହିଁ । ଫଳରେ ସାନି ନିର୍ବାଚନ ହେଲା ଏବଂ ପୁଣି ହ୍ୱିଗ୍‌ଦଳ କ୍ଷମତାକୁ ଆସି ସଂସ୍କାର ବିଲ୍‍କୁ କମନ୍‍ସ ସଭାଦ୍ୱାରା ଗୃହୀତ କରାଇନେଲେ କିନ୍ତୁ ଲର୍ଡ଼ସ ସଭାଦ୍ୱାରା ତାହା ପ୍ରତ୍ୟାଖ୍ୟାନ ହେବାରୁ ଦେଶସାରା ପ୍ରବଳ ଉତ୍ତେଜନା ସୃଷ୍ଟିହେଲା । ସଂସ୍କାର ସମର୍ଥକମାନେ ସଭା ସମିତି, ଭାଷଣ, ପ୍ରଚାରପତ୍ର, ଦାବିପତ୍ର ଓ ଶୋଭାଯାତ୍ରା ଜରିଆରେ ପ୍ରତିକ୍ରିୟାଶୀଳ ଗୋଷ୍ଠୀ ଉପରେ ଭୀଷଣ ଆକ୍ରମଣ ଚଳାଇଲେ । ଲର୍ଡ଼ସଭାରେ ପ୍ରଗତିଶୀଳ ରାଜନୀତିଜ୍ଞଙ୍କୁ ଅଧିକ ସଂଖ୍ୟାରେ ସ୍ଥାନଦେଇ ସଂସ୍କାର ବିଲ୍‌ ପାସ୍ କରିବା ଦିଗରେ ରାଜା ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଜନମତ ସୃଷ୍ଟିହେଲା । ଚତୁର୍ଥ ଉଇଲିୟମ୍‌ ସେଥିପାଇଁ ରାଜି ମଧ୍ୟ ଥିଲେ । କିନ୍ତୁ ତୃତୀୟ ଥର ସଂସ୍କାର ବିଲ୍‌ କମନ୍‌ସ ଭାବରେ ଗୃହୀତ ହେବାପରେ ଲର୍ଡ଼ସ ସଭା ଆଉ ବିରୋଧ କଲାନାହିଁ ଏବଂ ରାଜାଙ୍କ ଅନୁମୋଦନ ପାଇଁ ଖ୍ରୀ: ୧୮୩୨ରେ ପ୍ରଥମ ସଂସ୍କାର ଆଇନ ହିସାବରେ ତାହା କାର୍ଯ୍ୟକାରୀ ହୋଇଥିଲା ।

 

ପ୍ରଥମ ସଂସ୍କାର ଆଇନ ଇଂଲଣ୍ଡର ସାମ୍ବିଧାନିକ ଇତିହାସରେ ଏକ ଅପୂର୍ବ କୃତୀ । ଏହାଦ୍ୱାରା ଦୁଇ ହଜାରରୁ କମ୍‌ ଲୋକସଂଖ୍ୟା ଥିବା ୫୬ଟି ନିର୍ବାଚନ ମଣ୍ଡଳୀ ଲୋପ ପାଇଥିଲା । ଦୁଇ ହଜାରରୁ ଚାରି ହଜାର ମଧ୍ୟବର୍ତ୍ତୀ ଲୋକସଂଖ୍ୟା ଥିବା ୩୦ଟି ନିର୍ବାଚନ ମଣ୍ଡଳୀରୁ ଜଣେ ଲେଖାଏଁ ପ୍ରତିନିଧି ନିର୍ବାଚିତ ହେବାର ନିର୍ଦ୍ଦିଷ୍ଟ ହେଲା । ସର୍ବମୋଟ ୧୪୩ଟି ଆସନ ଲୋପ ପାଇଲା । ସେଗୁଡ଼ିକ କିନ୍ତୁ ଇଂଲଣ୍ଡ, ସ୍କଟ୍‍ଲାଣ୍ଡ୍‍ ଏବଂ ଆୟାରଲାଣ୍ଡ୍ ମଧ୍ୟରେ ବାଣ୍ଟି ଦିଆଗଲା । ଏହି ସବୁ ପରିବର୍ତ୍ତନଫଳରେ ଭୋଟର ତାଲିକାରେ ଚାରି ଲକ୍ଷ ପଞ୍ଚାବନ ହଜାର ନୂଆ ଭୋଟରଙ୍କ ନାମ ସଂଯୋଗ ହେଲା ଏବଂ ସର୍ବମୋଟ ଭୋଟର ସଂଖ୍ୟା ପୂର୍ବାପେକ୍ଷା ତିନିଗୁଣ ବୃଦ୍ଧି ପାଇଲା ।

 

ଉପରୋକ୍ତ ବିବରଣୀରୁ ଖ୍ରୀ: ୧୮୩୨ର ସଂସ୍କାର ଆଇନର ରାଜନୀତିକ, ସାମ୍ବିଧାନିକ ଓ ଗଣତାନ୍ତ୍ରିକ ତାତ୍ପର୍ଯ୍ୟ ଅନୁମାନ କରାଯାଇପାରେ । ଏହି ଆଇନକୁ ବଳବତ୍ତର କରିପାରିଥିବାରୁ ଲର୍ଡ଼ ଗ୍ରେ, ଲର୍ଡ଼ ରାସେଲ୍‌ ଏବଂ ଚତୁର୍ଥ ଉଇଲିୟମ୍‌ ଇଂରେଜ ଜାତିର ନମସ୍ୟ ହୋଇ ରହିଲେ ।

Image

 

ପଞ୍ଚବିଂଶ ଅଧ୍ୟାୟ

ସାମ୍ରାଜ୍ଞୀ ଭିକ୍‌ଟୋରିଆ (ଖ୍ରୀ: ୧୮୩୭–ଖ୍ରୀ: ୧୯୦୧)

 

ଚତୁର୍ଥ ଉଇଲିୟମ୍‌ ନିଃସନ୍ତାନ ହୋଇଥିବାରୁ ତାଙ୍କ ଅନ୍ତେ ଭ୍ରାତୃଷ୍ପୁତ୍ରୀ ଭିକ୍‍ଟୋରିଆ * ଖ୍ରୀ: ୧୮୩୭ରେ ସିଂହାସନ ଆରୋହଣ କରିଥିଲେ । ସେ ଖ୍ରୀ: ୧୮୧୯ ମେ’ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ମାତାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱ ଏବଂ କର୍ତ୍ତବ୍ୟପରାୟଣତାଦ୍ୱାରା ସେ ବାଲ୍ୟଜୀବନରେ ପ୍ରଭାବିତ ହୋଇଥିଲେ । ତା’ଛଡ଼ା ଶୃଙ୍ଖଳା, ନିଃସ୍ୱାର୍ଥପରତା, ଆଜ୍ଞାନୁବର୍ତ୍ତିତା ପ୍ରଭୃତି ସଦ୍‌ଗୁଣ ମଧ୍ୟ ସେ ଜନନୀଙ୍କଠାରୁ ଶିକ୍ଷାଲାଭ କରିଥିଲେ । କିନ୍ତୁ ସମସାମୟିକ ରାଜନୈତିକ ଓ ଆବଶ୍ୟକୀୟ ପ୍ରଶାସନିକ ଶିକ୍ଷାପାଇଁ ସେ ମାତୁଳ ଲିଓପୋଲ୍‌ଡ଼ଙ୍କଠାରେ ଋଣୀ ଥିଲେ । ଖ୍ରୀ: ୧୮୩୭ରେ ଅଭିଷେକ ଉତ୍ସବ ସମୟକୁ ତାଙ୍କୁ ମାତ୍ର ୧୮ ବର୍ଷ ବୟସ । ସେତେବେଳେ କାନାଡ଼ା ଏବଂ ଆୟାରଲାଣ୍ଡ୍‍ରେ ପରିସ୍ଥିତି ବଡ଼ ଜଟିଳ ଥାଏ । ଇଂଲଣ୍ଡରେ ଚାର୍ଚିଷ୍ଟି ଆନ୍ଦୋଳନ ଆଉ ଏକ ସମସ୍ୟା ସୃଷ୍ଟି କରିଥାଏ । ରାଜତନ୍ତ୍ର ସରକାର ଏବଂ ଶାସକଙ୍କ ପ୍ରତି ଜନସାଧାରଣଙ୍କର ବିଶ୍ୱାସ, ଶ୍ରଦ୍ଧା ଏବଂ ଅନୁରକ୍ତି ପ୍ରାୟ ନଥିଲା । ଏପରି ସନ୍ଧିକ୍ଷଣରେ ଭିକ୍‍ଟୋରିଆ ଶାସନରେ ଅନଭିଜ୍ଞତା ସତ୍ତ୍ୱେ ପ୍ରଥମେ ପ୍ରଜାମାନଙ୍କର ଆସ୍ଥାଭାଜନ ହେବାକୁ ପ୍ରଚେଷ୍ଟା କରି ଅପୂର୍ବ ଦୂରଦୃଷ୍ଟିର ପରିଚୟ ଦେଇଥିଲେ । ସେ ଦିଗରେ ପ୍ରଧାନମନ୍ତ୍ରୀ ଲର୍ଡ଼ ମେଲ୍‌ବୋର୍ଣ୍ଣ ତାଙ୍କୁ ବିଶେଷ ସହାୟକ ହୋଇଥିଲେ । ଲର୍ଡ଼ ମେଲ୍‌ବୋର୍ଣ୍ଣ ଅତି ପ୍ରତିଭାଶାଳୀ ରାଜନୀତିଜ୍ଞ ନଥିଲେହେଁ ରାଣୀଙ୍କୁ ଉଚିତ ପଥରେ ପରିଚାଳିତ କରି ରାଜତନ୍ତ୍ରର ମର୍ଯ୍ୟାଦା ତଥା ଇଂଲଣ୍ଡର ଗଣତନ୍ତ୍ରକୁ ସୁରକ୍ଷିତ କରିପାରିଥିଲେ ।

 

ଖ୍ରୀ: ୧୮୪୦ରେ ସେକ୍‌ସ କୋବାର୍ଗର ପ୍ରିନ୍‌ସ ଆଲବାର୍ଟଙ୍କ ସହ ଭିକ୍‍ଟୋରିଆଙ୍କର ଶୁଭ ବିବାହ ଅନୁଷ୍ଠିତ ହୋଇଥିଲା ଏବଂ ଦୀର୍ଘ ୨୦ ବର୍ଷ କାଳ ସେମାନେ ସୁଖରେ ବୈବାହିକ ଜୀବନ ଉପଭୋଗ କରିଥିଲେ । ଭିକ୍‌ଟୋରିଆଙ୍କର ଶାସନକାଳ ଦୀର୍ଘ ୬୫ ବର୍ଷ ସ୍ଥାୟୀ ହୋଇଥିଲା । ସେହି ସମୟରେ ଦେଶର କର୍ଣ୍ଣଧାରରୂପେ ରାଷ୍ଟ୍ରନୀତିକୁ ସ୍ୱଦେଶରେ ଓ ବିଦେଶରେ ପରିଚାଳିତକରି ପ୍ରଧାନମନ୍ତ୍ରୀରୂପେ ଦାୟିତ୍ୱ ନିର୍ବାହ କରିଥିବା ବିଶିଷ୍ଟ ନେତାମାନେ ଥିଲେ ଲର୍ଡ଼ ମେଲ୍‍ବୋର୍ଣ୍ଣ; ସାର୍‌ ରବାର୍ଟ ପୀଲ, ଲର୍ଡ଼ ପାମାରଷ୍ଟୋନ, ଗ୍ଲାଡ଼୍‍ଷ୍ଟୋନ ଏବଂ ଡିସ୍‌ରାଏଲି ।

 

* ଏଡ଼ୱାର୍ଡ଼, ଡିଉକ୍‌ ଅଫ୍‌ କ୍ୟାଣ୍ଟଙ୍କ କନ୍ୟା ।

 

(୧) ଲର୍ଡ଼ ମେଲ୍‍ବୋର୍ଣ୍ଣ (ମନ୍ତ୍ରିତ୍ୱକାଳ–ଖ୍ରୀ: ୧୮୩୭–ଖ୍ରୀ: ୧୮୪୧)–ପ୍ରଧାନମନ୍ତ୍ରୀ ଲର୍ଡ଼ ମେଲ୍‍ବୋର୍ଣ୍ଣଙ୍କ ଉପରେ ଭିକ୍‌ଟୋରିଆଙ୍କର ପ୍ରଗାଢ଼ ଆସ୍ଥା ଥିଲା । ତାଙ୍କପରି ବିଜ୍ଞ ଏବଂ ଉଦାର ପ୍ରଧାନମନ୍ତ୍ରୀ ପାଇଥିବାରୁ ସେ ନିଜକୁ ଗୌରବାନ୍ୱିତା ମନେ କରୁଥିଲେ । ପାର୍ଲିଆମେଣ୍ଟ୍‍ରେ ଜାଠଦଳ (ଟୋରୀ ଦଳର ପରବର୍ତ୍ତୀ ନାମକରଣ) ସଂଖ୍ୟାଗରିଷ୍ଠତା ହାସଲ କରିଥିଲେହେଁ ହ୍ୱିଗ୍‍ପନ୍ଥୀ ମେଲ୍‍ବୋର୍ଣ୍ଣଙ୍କ ପ୍ରଧାନମନ୍ତ୍ରୀତ୍ୱକୁ ସେ ଅପରିବର୍ତ୍ତିତ ରଖିଥିଲେ ।

 

ମେଲ୍‍ବୋର୍ଣ୍ଣଙ୍କ ସମୟରେ କାନାଡ଼ାରେ ଏକ ସାମ୍ବିଧାନିକ ସଙ୍କଟ ଉପୁଜି ନାନା ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ଏପରିକି ଦକ୍ଷିଣ କାନାଡ଼ାରେ ଲୁଇ ପାପିନୁ ନାମରେ ଜଣେ ଫରାସୀ ଯୁବକ ସ୍ୱାଧୀନତା ଆନ୍ଦୋଳନ ଆରମ୍ଭ କରିଥିଲେ । ତାଙ୍କୁ ଅନୁସରଣ କରି କାନାଡ଼ାର ଉତ୍ତର ଭାଗରେ ଉଇଲିୟମ୍‌ ମାକେଞ୍ଜି ନାମକ ଆଉଜଣେ ନେତା ଆନ୍ଦୋଳନର ସୂତ୍ରପାତ କରିଥିଲେ । ଏସବୁ ଆନ୍ଦୋଳନର କାରଣ ଅନୁସନ୍ଧାନ କରି ସମସ୍ୟା ସମାଧାନର ପନ୍ଥା ନିର୍ଣ୍ଣୟ କରିବାପାଇଁ ଲର୍ଡ଼ ଡାରହାମ୍‌କୁ ହାଇକମିଶନ୍‍ଭାବେ ନିଯୁକ୍ତ କରାଯାଇଥିଲା । ଲର୍ଡ଼ ଡାରହାମ୍‌ ଔପନିବେଶିକ ସ୍ୱାଧୀନତା ଦିଗରେ ପ୍ରଥମ ପଥପ୍ରଦର୍ଶକ ହୋଇଥିଲେହେଁ କେତେକ ପ୍ରଶାସନିକ ଅଦୂରଦୃଷ୍ଟିତା ପାଇଁ ସର୍ବତ୍ର ସମାଲୋଚିତ ହୋଇଥିଲେ । ଖ୍ରୀ: ୧୮୪୦ରେ ମିଶ୍ରଣ ଆଇନ ପାସ୍ ହେବାଫଳରେ କାନାଡ଼ାରେ ନୂତନ ସାମ୍ବିଧାନିକ ବ୍ୟବସ୍ଥା ଯୋଗୁଁ ଅବସ୍ଥା ଥଣ୍ଡା ପଡ଼ିଲା ।

 

ଚାର୍ଚିଷ୍ଟି ଆନ୍ଦୋଳନ–ଖ୍ରୀ: ୧୮୩୮ ମେ’ ମାସ ୮ ତାରିଖରେ ଲଣ୍ଡନର ଶ୍ରମିକ ସଙ୍ଘ ନାମକ ଏକ ଦାବିପତ୍ରରେ ବାର୍ଷିକ ପାର୍ଲିଆମେଣ୍ଟ୍, ସାବାଳକ ଭୋଟ ପ୍ରଥା, ବେଲଟ୍‌ଦ୍ୱାରା ଭୋଟ, ପାର୍ଲିଆମେଣ୍ଟ୍ ସଭ୍ୟମାନଙ୍କ ପାଇଁ ସମ୍ପତ୍ତି–ମାଲିକାନା–ଯୋଗ୍ୟତାକୁ ରଦ୍ଦ କରିବା, ସଭ୍ୟମାନଙ୍କୁ ପାରିଶ୍ରମିକ ଦେବା ଏବଂ ନିର୍ବାଚନ ମଣ୍ଡଳୀର ନିର୍ଣ୍ଣୟରେ କେତେକ ସମତା ରକ୍ଷା କରିବା ଆଦି ଦାବି ଉପସ୍ଥାପିତ କଲେ । ଏହାଦ୍ୱାରା ଯେଉଁ ଶ୍ରମିକ ଆନ୍ଦୋଳନ ଆରମ୍ଭ ହେଲା ତାକୁ ‘ଚାର୍ଚିଷ୍ଟି ଆନ୍ଦୋଳନ’ କୁହାଯାଏ । ଶ୍ରମିକମାନଙ୍କର ରାଜନୈତିକ, ଆର୍ଥିକ ଓ ସାମାଜିକ ଦୁରବସ୍ଥାଜନିତ କ୍ଳେଶ ଏହି ଆନ୍ଦୋଳନର ମୂଳକାରଣ ଥିଲା । ଶିଳ୍ପ ବିପ୍ଳବ ପରେ ପରେ ସମାଜରେ ଦେଖାଦେଇଥିବା ଅର୍ଥନୈତିକ ବୈଷମ୍ୟ ତଥା ଧନୀ ଓ ଦରିଦ୍ର ମଧ୍ୟରେ ଶ୍ରେଣୀ ବିଭାଗକୁ ନାପସନ୍ଦ କରି ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା । ଦେଶର ଭୌତିକ ସମୃଦ୍ଧିପାଇଁ ଅକ୍ଳାନ୍ତ ପରିଶ୍ରମ କରୁଥିଲେହେଁ ଉକ୍ତ ସମୃଦ୍ଧି ଉପଭୋଗ କରିବାର ସୁଯୋଗ ଶ୍ରମିକକୁ ମିଳୁଥିବାରୁ ଏତାଦୃଶ ଆନ୍ଦୋଳନ ସୃଷ୍ଟି ହେବା ସ୍ୱାଭାବିକ ଥିଲା । କିନ୍ତୁ ଦାବିପତ୍ରରେ ରାଜନୈତିକ ଉଦ୍ଦେଶ୍ୟ ପ୍ରଚ୍ଛନ୍ନ ଥିବା ଦେଖି ମନେହୁଏ ଯେ, ଚାର୍ଟିଷ୍ଟି ଆନ୍ଦୋଳନର କାରଣ ଯାହା ହେଉନା କାହିଁକି, ଉଦ୍ଦେଶ୍ୟ ଥିଲା ରାଜନୈତିକ । ଖ୍ରୀ: ୧୮୩୨ର ସଂସ୍କାର ଆଇନରେ ଶ୍ରମିକ ଗୋଷ୍ଠୀ ଉଚିତ ପ୍ରାପ୍ୟ ନପାଇବାଫଳରେ ହତୋତ୍ସାହ ହୋଇଥିଲେ । ସେ ଦୃଷ୍ଟିରୁ ନିଜର ଦୁରବସ୍ଥାକୁ ଦୂର କରିବାପାଇଁ ରାଜନୈତିକ କ୍ଷମତା ଆହରଣ କରିବା ସେମାନଙ୍କର ଲକ୍ଷ୍ୟ ଥିଲା । କିନ୍ତୁ ନେତାମାନଙ୍କର ଅଦୂରଦୃଷ୍ଟିତା ଯୋଗୁଁ ଚାର୍ଚିଷ୍ଟି ଆନ୍ଦୋଳନ ସଫଳ ହୋଇପାରି ନଥିଲା ।

 

ଖ୍ରୀ: ୧୮୩୯ରେ ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜରେ ଥିବା ବ୍ରିଟିଶ ଉପନିବେଶ ‘ଜାମାଇକା’ରେ ଦାସତ୍ୱ ପ୍ରଥା ଲୋପ କରିବାପାଇଁ ପଦକ୍ଷେପ ନେବାରୁ ମେଲ୍‍ବୋର୍ଣ୍ଣଙ୍କ ସରକାର ଆଉ ଏକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ । ସେଠାକାର କୃଷକ ସଂପ୍ରଦାୟ ଦାସତ୍ୱ ପ୍ରଥା ସପକ୍ଷରେ ଥିବାରୁ ସରକାରୀ ନୀତିର ତୀବ୍ର ବିରୋଧ କରିଥିଲେ । ଏହି ପ୍ରସଙ୍ଗ ଉପରେ ମେଲ୍‍ବୋର୍ଣ୍ଣଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା । କିନ୍ତୁ ରାଣୀ ବିଶେଷ ଅନୁରୋଧରେ ସେ ପୁଣି ମନ୍ତ୍ରିମଣ୍ଡଳ ଗଢ଼ିଥିଲେ । କିନ୍ତୁ ହ୍ୱିଗ୍‌ ଦଳ ଆଉ ଅଧିକ ଦିନ କ୍ଷମତାରେ ରହିବା ସମ୍ଭବପର ନଥିଲା । କ୍ରମଶଃ ଟୋରୀ ଦଳର ପ୍ରଭାବ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ କମନ୍‌ସ ସଭାରେ ଟୋରୀ ନେତା ରବାର୍ଟ ପୀଲ୍‌ ମଧ୍ୟ ଅଧିକ ପ୍ରଭାବଶାଳୀ ହୋଇଥିଲେ । ଲର୍ଡ଼ ମେଲ୍‌ବୋର୍ଣ୍ଣଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣି ଗୋଟିଏ ମାତ୍ର ଅଧିକ ଭୋଟରେ କମନ୍‌ସ ସଭା ତାହା ପାସ୍ କଲା ଉତ୍ତାରୁ ପୁଣି ଆଉଥରେ ସାଧାରଣ ନିର୍ବାଚନ ହୋଇଥିଲା । କିନ୍ତୁ ନିର୍ବାଚନରେ ଲର୍ଡ଼ ମେଲ୍‍ବୋର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି ନପାରିବାରୁ ଖ୍ରୀ: ୧୮୪୧ରେ ହ୍ୱିଗ୍‌ ମନ୍ତ୍ରିମଣ୍ଡଳ କ୍ଷମତାରୁ ଅପସରି ଗଲେ ।

 

(୨) ସାର୍‌ ରବାର୍ଟ ପୀଲ୍‌ (ମନ୍ତ୍ରିତ୍ୱ ଖ୍ରୀ: ୧୮୪୧–୧୮୪୬) ସାର୍‌ ରବାର୍ଟ ପୀଲ୍‌ ଖ୍ରୀ: ୧୮୪୧ରେ ଏକ ସୁଦୃଢ଼ ଟୋରୀ ମନ୍ତ୍ରିମଣ୍ଡଳ ଗଢ଼ିଥିଲେ । ଉକ୍ତ ମନ୍ତ୍ରିମଣ୍ଡଳରେ ଡିଉକ୍‌ ଅଫ୍‌ ଉଏଲିଙ୍ଗ୍‍ଟନ୍‌, ଲର୍ଡ଼ ଆବେଦିନ୍‌, ଲର୍ଡ଼ ଷ୍ଟାନ୍‌ଲି ଏବଂ ଗ୍ଲାଡ଼ଷ୍ଟୋନଙ୍କ ପରି ଅଭିଜ୍ଞ ରାଜନୀତିଜ୍ଞମାନଙ୍କୁ ଗ୍ରହଣ କରାଯାଇଥିଲା । ଗାମ୍ଭୀର୍ଯ୍ୟ, ବାକ୍‌ପଟୁତା, ଅଧ୍ୟବସାୟ, ରାଜନୈତିକ ଅଭିଜ୍ଞତା ଆଦି ଥିଲା, ରବାର୍ଟ ପୀଲଙ୍କ ଭୂଷଣ । ଏହିସବୁ ଗୁଣର ସମନ୍ୱୟ ହୋଇଥିବାରୁ ତାଙ୍କ ମନ୍ତ୍ରିମଣ୍ଡଳର କାର୍ଯ୍ୟଦକ୍ଷତାରେ ତ୍ରୁଟି ନଥିଲା । ବିଭିନ୍ନ ବିଭାଗୀୟ ମନ୍ତ୍ରୀମାନଙ୍କର କାର୍ଯ୍ୟକଳାପକୁ ମଧ୍ୟ ସେ ଅତି ଦକ୍ଷତାର ସହ ତତ୍ତ୍ୱାବଧାନ କରୁଥିଲେ । ତେଣୁ ମନ୍ତ୍ରିମଣ୍ଡଳର ସଂହତି ଖୁବ୍‌ ଉଚ୍ଚକୋଟିର ଥିଲା ।

 

ସେତେବେଳେ ଇଂଲଣ୍ଡର ଏକ ଘଡ଼ିସନ୍ଧି ମୁହୂର୍ତ୍ତ । ବିଶେଷତଃ ବୈଦେଶିକ ବ୍ୟାପାର ବିଭାଗରେ ଉଚ୍ଚ ଧରଣର କୂଟନୈତିକ ବିଚକ୍ଷଣତା ଆବଶ୍ୟକ ଥିଲା । କାରଣ ଇଂଲଣ୍ଡ ଓ ଚୀନ ମଧ୍ୟରେ ଏକ ସଂଗ୍ରାମ ଚାଲିଥିଲା । ଆଫଗାନିସ୍ଥାନ ସହିତ ମଧ୍ୟ ଯୁଦ୍ଧ ପ୍ରାୟ ଆରମ୍ଭ ହେବା ଉପରେ । ଫ୍ରାନ୍‌ସ ସହିତ କୂଟନୀତିକ ସମ୍ପର୍କ ଭଲ ନଥିଲା । ପୁଣି ଯୁକ୍ତରାଷ୍ଟ୍ର ଆମେରିକା ସହ ଏକ ସାମାବିବାଦର ସମାଧାନ ହୋଇପାରୁ ନଥିଲା । ଆଭ୍ୟନ୍ତରୀଣ କ୍ଷେତ୍ରରେ ବାଣିଜ୍ୟ ବ୍ୟବସାୟରେ ଘୋର ବିଭ୍ରାଟ ଉପୁଜି ଥାଏ । ଦାରିଦ୍ର୍ୟର କଷାଘାତରେ ଜନସାଧାରଣ ଦୁର୍ଦ୍ଦଶାଗ୍ରସ୍ତ ହୋଇଥାନ୍ତି । ଦଙ୍ଗାହଙ୍ଗାମା, ଗୁପ୍ତ ଷଡ଼ଯନ୍ତ୍ର, ଦେଶବିରୋଧୀ କ୍ରିୟାକଳାପରେ ସମାଜ ଉତ୍ପୀଡ଼ିତ ହେଉଥାଏ । ଜାତୀୟ ଆୟର କୌଣସି ସ୍ଥିରତା ନଥିଲା ।

 

ତେଣୁ ପୀଲଙ୍କୁ ଗଭୀର ଆତ୍ମବିଶ୍ୱାସ ଓ ଦୃଢ଼ତାର ସହ ପ୍ରଶାସନର ଦାୟିତ୍ୱ ବହନ କରିବାକୁ ପଡ଼ିଥିଲା । ସେ ପ୍ରଥମେ ପ୍ରତି ପାଉଣ୍ଡ ଉପରେ ସାତ ପେନ୍‌ସର ଏକ ଆୟକର ବସାଇଥିଲେ । ଏହାଦ୍ୱାରା ରାଜସ୍ୱ ବୃଦ୍ଧି ପାଇଥିଲା । ଆମଦାନୀ ବାଣିଜ୍ୟକୁ ଉତ୍ସାହିତ କରି ଆମଦାନୀ ହେଉଥିବା କଞ୍ଚାମାଲ ଓ ଖାଦ୍ୟଶସ୍ୟର ମୂଲ୍ୟ ହ୍ରାସ କରିବା ଉଦ୍ଦେଶ୍ୟରେ ସେ ପ୍ରାୟ ହଜାର କିସମର ଶୁଳ୍କ ଲାଘବ କରିଥିଲେ ଓ ପ୍ରାୟ ଛ’ ଶହ ଶୁଳ୍କ ଉଠାଇ ଦେଇଥିଲେ । ଫଳରେ ବିଭିନ୍ନ ଆବଶ୍ୟକୀୟ ସାମଗ୍ରୀ ସୁଲଭ ମୂଲ୍ୟରେ ଆମଦାନୀ ହେବାରୁ ଜୀବନଧାରଣ ସହଜସାଧ୍ୟ ହୋଇଥିଲା । ଏହା ବ୍ୟତୀତ ଖ୍ରୀ: ୧୮୪୪ରେ Bank charta ଆଇନଦ୍ୱାରା ବ୍ୟାଙ୍କ୍‌ ବ୍ୟବସ୍ଥାକୁ ସୁଗଠିତ କରିଥିଲେ ।

 

ରବାର୍ଟପୀଲଙ୍କ ସମୟରେ ଆୟାରଲାଣ୍ଡ୍ ସମସ୍ୟାର ସମାଧାନ ନିହାତି ଜରୁରୀ ଥିଲା । ଇଂଲଣ୍ଡ ସହ ମିଶ୍ରଣର ବିରୋଧ କରି ଦାନିଏଲ ଓ କୋନେଲ ଖ୍ରୀ: ୧୮୪୨–୪୩ରେ ଏକ ବିପ୍ଳବର ସୂତ୍ରପାତ କରିଥିଲେ । ଆୟାରଲାଣ୍ଡ୍‍ ସମସ୍ୟାର କାରଣ ଅନୁସନ୍ଧାନ ପାଇଁ ପୀଲ ‘ଡିଭନ୍‌ କମିଶନ୍‌’ ନିଯୁକ୍ତ କରିଥିଲେ । ‘ଡିଭନ କମିଶନ୍‌’ଙ୍କ ରିପୋର୍ଟ ଅନୁଯାୟୀ କେତେକ ସଂସ୍ଥାର ପ୍ରବର୍ତ୍ତନ କରିବାକୁ ସେ ଆଗ୍ରହୀ ଥିଲେହେଁ ଲର୍ଡ଼ସଭାର ବିରୋଧ ଯୋଗୁଁ ସଫଳ ହୋଇ ନଥିଲେ ।

 

ଖ୍ରୀ: ୧୮୩୯ରେ ଇଂଲଣ୍ଡରେ ପ୍ରଚଳିତ ଶସ୍ୟ–ଆଇନ–ସମୂହକୁ ରଦ୍ଦ କରିବାପାଇଁ ଶସ୍ୟ–ଆଇନ–ବିରୋଧ–ସଂଘ ପ୍ରତିଷ୍ଠିତ ହୋଇଥିଲା । ରିଚାର୍ଡ୍‍଼ କବ୍‌ଡ଼େନ ଏବଂ ଜନ୍‌ ବ୍ରାଇଟ୍‌ ଉକ୍ତ ସଂଘର ନେତୃତ୍ୱ ଗ୍ରହଣ କରିଥିଲେ । କାରଣ ତଦ୍ଦ୍ୱାରା ରପ୍ତାନୀ ବାଣିଜ୍ୟ ବାଧାପ୍ରାପ୍ତ ହେଉଥିଲା ଓ କାରଖାନା ମାଲିକ ତଥା ଶିଳ୍ପପତିମାନେ କ୍ଷତିଗ୍ରସ୍ତ ହେଉଥିଲେ । ଖ୍ରୀ: ୧୮୪୫–୪୬ରେ ଆୟାରଲାଣ୍ଡ୍‍ରେ ଆଳୁଚାଷ ନଷ୍ଟ ହୋଇଯିବାରୁ ଭୀଷଣ ଦୁର୍ଭିକ୍ଷ ଆରମ୍ଭ ହେଲା । ଲୋକମାନେ ଖାଦ୍ୟ ବିନା ହାହାକାର କଲେ । ଏପରି ସଙ୍କଟରେ ଖାଦ୍ୟଶସ୍ୟ ଆମଦାନୀରେ କଟକଣା ଜାରି ରଖିବା ନିହାତି ଅନୁଚିତ ମନେ କରି ପୀଲ ଶସ୍ୟ ଆଇନଗୁଡ଼ିକ ଉଠାଇ ଦେଇଥିଲେ ।

 

ପୀଲଙ୍କ ଟୋରୀ ଦଳକୁ ଏହି ସମୟଠାରୁ ଜାଠଦଳ ବୋଲି ନାମିତ କରାଯାଇଥିଲା ।

 

ଖ୍ରୀ: ୧୮୪୦ରେ ଖଣିଗୁଡ଼ିକରେ କାମ କରୁଥିବା ଶ୍ରମିକମାନଙ୍କର ଅବସ୍ଥା ତଦାରଖ କରିବାପାଇଁ ଏକ କମିଶନ୍ ନିଯୁକ୍ତ ହୋଇଥିଲା । ଏହି କମିଶନ୍‍ର ରିପୋର୍ଟ ଅନୁସାରେ ଖ୍ରୀ: ୧୮୪୨ରେ ‘ଖଣି–ଆଇନ’ ପାସ୍ ହୋଇଥିଲା । ତଦ୍ଦ୍ୱାରା ଅପ୍ରାପ୍ତ ବୟସ୍କ ବାଳକ–ବାଳିକାଙ୍କୁ ଖଣିରେ ଶ୍ରମିକରୂପେ ନିଯୁକ୍ତ କରିବା ନିଷିଦ୍ଧ ହେଲା । ଖ୍ରୀ: ୧୮୪୪ରେ ‘କାରଖାନା–ଆଇନ’ ପାସ୍ ହେବାଦ୍ୱାରା କାରଖାନାରେ ୯ ବର୍ଷରୁ କମ୍‌ ବୟସ୍କ ବାଳକ ବାଳିକାଙ୍କୁ କାମ ଦେବା ଅପରାଧରୂପେ ବିବେଚିତ ହେଲା । ଖଣି ଓ କାରଖାନାରେ ଦୁର୍ଘଟଣା ବିରୁଦ୍ଧରେ ବିହିତ ବ୍ୟବସ୍ଥା କରିବାପାଇଁ ନିର୍ଦ୍ଦେଶ ମଧ୍ୟ ଜାରି ହେଲା । ଖ୍ରୀ: ୧୮୪୬ରେ ‘ଓରେଗନ୍‌ ଚୁକ୍ତି’ ଫଳରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାନାଡ଼ା ମଧ୍ୟରେ ଥିବା ସୀମାବିବାଦର ନିଷ୍ପତ୍ତି କରାଯାଇଥିଲା ।

 

ସାର୍ ରବାର୍ଟ ପୀଲ ଅତି ବାସ୍ତବବାଦୀ ଏବଂ ସାଧୁ ପ୍ରକୃତିର ରାଜନୀତିଜ୍ଞ ଥିଲେ । ଜାଠଦଳର ନେତା ହେଲେହେଁ ତାଙ୍କ ମନ ଉଦାରତା ଗୁଣରେ ପରିପୂର୍ଣ୍ଣ ଥିଲା ଏବଂ ସେ ଯଥାର୍ଥରେ ‘ପ୍ରଗତିଶୀଳ–ଜାଠ ବୋଲି ବିବେଚିତ ହେଉଥିଲେ ।

 

(୩) ସାର୍‌ ଜନ୍‌ ରାସେଲ (ମନ୍ତ୍ରିତ୍ୱ ଖ୍ରୀ: ୧୮୪୬–୧୮୫୨)–ଖ୍ରୀ: ୧୭୯୨ରେ ଲର୍ଡ଼ ଜନ୍‌ ରାସେଲ୍‌ ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପାର୍ଲିଆମେଣ୍ଟ୍‍ର ସଭ୍ୟ ଭାବରେ ଖ୍ରୀ: ୧୮୧୩ଠାରୁ ତାଙ୍କର ରାଜନୈତିକ ଜୀବନର ଆରମ୍ଭ ହୋଇଥିଲା । ହ୍ୱିଗ୍‌ଦଳର ଅନ୍ୟତମ ନେତା ଭାବରେ ଖ୍ରୀ: ୧୮୩୨ର ସଂସ୍କାର ଆଇନ ପ୍ରଣୟନରେ ତାଙ୍କର ଅବଦାନ ଯଥେଷ୍ଟ ଥିଲା । ସେ ଅବାଧ ବାଣିଜ୍ୟର ସମର୍ଥକ ଓ ଶସ୍ୟ ଆଇନର ବିରୋଧୀ ଥିଲେ । ପ୍ରଗତିଶୀଳ ରାଜନୈତିକ ଦୃଷ୍ଟିକୋଣ ପାଇଁ ତାଙ୍କୁ ଇଂଲଣ୍ଡରେ ‘ସଂସ୍କାରକ ରାସେଲ୍‌’ ନାମରେ ଅଭିହିତ କରାଯାଉଥିଲା । ସେ ଗଣତନ୍ତ୍ରର ପୃଷ୍ଠପୋଷକ ଥିଲେ । ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଏବଂ ବିଶ୍ୱବିଦ୍ୟାଳୟମାନଙ୍କରୁ ଧର୍ମାଧିପତିଙ୍କର ହସ୍ତକ୍ଷେପ ଲୋପପାଇଁ ସେ ବିହିତ କାର୍ଯ୍ୟାନୁଷ୍ଠାନ କରିଥିଲେ ।

 

ବୈଦେଶିକ ବ୍ୟାପାର ସଂକ୍ରାନ୍ତୀୟ ନୀତି ନିର୍ଦ୍ଧାରଣରେ ସେ ଇଟାଲୀର ରାଜନୈତିକ ଏକୀକରଣକୁ ସମର୍ଥନ କରୁଥିଲେ । ସେଥିପାଇଁ ଇତାଲୀୟମାନେ ଗାରିବାଲ୍‌ଡ଼ିଙ୍କ ନେତୃତ୍ୱରେ ସିସିଲି ଓ ନେପ୍ଲସ୍‌ ଅଧିକାର କରିବା କାଳରେ ରାସେଲ୍‌ ନିରପେକ୍ଷ ରହିଥିଲେ । ସେହିପରି ଉଦାରହୃଦୟ ନେଇ ଇଂରେଜ ଉପନିବେଶଗୁଡ଼ିକୁ ସ୍ୱାଧିକାର ଦେବାର ସେ ପକ୍ଷପାତୀ ଥିଲେ । ଖ୍ରୀ: ୧୮୫୦ରେ ଔପନିବେଶିକ ଆଇନଫଳରେ ଭିକ୍‍ଟୋରିଆ, ଟାସ୍‌ମାନିଆ ଏବଂ ଦକ୍ଷିଣ ଅଷ୍ଟ୍ରେଲିଆକୁ ସ୍ୱାୟତ୍ତ ଶାସନ ମିଳିପାରିଥିଲା ।

 

ଆୟାରଲାଣ୍ଡ୍‍ରେ ଶାନ୍ତିପ୍ରତିଷ୍ଠା ପାଇଁ ରାସେଲ୍‌ ଆଇରିଶ୍ ନେତା ଓ’ କୋନେଲଙ୍କ ସହ ଚୁକ୍ତିବଦ୍ଧ ହୋଇଥିଲେ । ଆୟାରଲାଣ୍ଡ୍‍ର ମ୍ୟୁନିସପାଲଟି ଏବଂ ଦରିଦ୍ର ଆଇନ ସମ୍ପର୍କରେ କେତେକ ସଂସ୍କାର ପରିବର୍ତ୍ତନ ହୋଇଥିଲା । ସେଠାକାର ଦୁର୍ଭିକ୍ଷ ପ୍ରପୀଡ଼ିତ ଜନତାକୁ ଆର୍ଥିକ ସାହାଯ୍ୟ ଦେବାପାଇଁ ସେ ଅଜସ୍ର ଅର୍ଥବ୍ୟୟ କରି କେତେକ ରାସ୍ତାଘାଟ ନିର୍ମାଣ କରିଥିଲେ । ଶସ୍ୟ ଉପରୁ କେତେକ ଶୁଳ୍କ ଉଠାଇ ଦେଇ ଏବଂ ନୌଚାଳନ ଆଇନକୁ ରଦ୍ଦ କରି ସେ ଆୟାରଲାଣ୍ଡଙ୍କୁ ଅନେକ ଦିଗରୁ ସାହାଯ୍ୟ କରିପାରିଥିଲେ ।

 

ଲର୍ଡ଼ ଜନ୍‌ ରାସେଲ୍‌ ଥିଲେ ଜଣେ ଜନହିତକାରୀ, ଗଣତନ୍ତ୍ରବାଦୀ ରାଜନୀତିଜ୍ଞ । ତାଙ୍କ ପରେ ଲର୍ଡ଼ ଆବେଦିନ ଅଳ୍ପ ସମୟପାଇଁ ମିଳିତ ମନ୍ତ୍ରିମଣ୍ଡଳ ଗଠନ କରିଥିଲେ ।

 

(୪) ଲର୍ଡ଼ ପାମାରଷ୍ଟୋନ୍‌ (ମନ୍ତ୍ରିତ୍ୱ ଖ୍ରୀ: ୧୮୫୫–୧୮୬୫)–ଲର୍ଡ଼ କ୍ୟାନିଙ୍ଗଙ୍କ ପରି ଲର୍ଡ଼ ପାମାରଷ୍ଟୋନ୍‌ ଥିଲେ ଜଣେ ବିଚକ୍ଷଣ କୂଟନୀତିଜ୍ଞ । ଖ୍ରୀ: ୧୮୦୭ରୁ ସେ ପାର୍ଲିଆମେଣ୍ଟ୍‍ର ସଦସ୍ୟ ହୋଇଥିଲେ । ସେହି ଦିନଠାରୁ ଖ୍ରୀ: ୧୮୬୫ରେ ମୃତ୍ୟୁ ପର୍ଯ୍ୟନ୍ତ ସେ କମନ୍‌ସ ସଭାର ସଭ୍ୟରୂପେ ରହିଥିଲେ । ଏହି ଦୀର୍ଘକାଳ ମଧ୍ୟରେ ସେ ପ୍ରାୟ ଦଶଜଣ ପ୍ରଧାନମନ୍ତ୍ରୀଙ୍କ ସହ କାର୍ଯ୍ୟ କରିଥିଲେ । ସେ ଟୋରୀ ଦଳଭୁକ୍ତ ଥିଲେହେଁ ତାଙ୍କର ରାଜନୀତିକ ଦୃଷ୍ଟିକୋଣ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ବୈଦେଶିକ ବ୍ୟାପାର ସମ୍ପର୍କରେ ଅସାଧାରଣ ବ୍ୟୁତ୍ପତ୍ତି ଥିବାରୁ ସେହି ଦିଗରେ ସେ ସଦାସର୍ବଦା ମନୋନିବେଶ କରିଥିଲେ । ବ୍ରିଟିଶ ସାମ୍ରାଜ୍ୟର ପରିସର ବୃଦ୍ଧି କରିବା ତାଙ୍କର ଇଚ୍ଛା ନଥିଲା । ତଦ୍ଦ୍ୱାରା ଅଯଥା ନିରାପତ୍ତା ଓ ପ୍ରଶାସନିକ ଦାୟିତ୍ୱ ଗୁରୁତର ହେଉଥିଲା । ବରଂ ସେ ପର୍ଯ୍ୟନ୍ତ ଗଠିତ ହୋଇଥିବା ବ୍ରିଟିଶ ସାମ୍ରାଜ୍ୟ ଓ ବାଣିଜ୍ୟର ନିରାପତ୍ତା ଦିଗରେ ସେ ଉଦ୍ୟମ କରିଥିଲେ । ତା’ ସହିତ ଇଂଲଣ୍ଡକୁ ଆନ୍ତର୍ଜାତିକ କ୍ଷେତ୍ରରେ ଗରୀୟସୀ କରି ତୋଳିବାରେ ତାଙ୍କର ଆଗ୍ରହ ପ୍ରବଳ ଥିଲା ।

 

ଲର୍ଡ଼ ପାମାରଷ୍ଟୋନ୍‌ ଗଣତାନ୍ତ୍ରିକ ସଂସ୍କାର ପରିବର୍ତ୍ତନର ସମର୍ଥକ ନଥିଲେ । ସେଥିପାଇଁ ସେ କ୍ଷମତାରେ ଥିବା ପର୍ଯ୍ୟନ୍ତ ଇଂଲଣ୍ଡର ଆଭ୍ୟନ୍ତରୀଣ ନୀତି କ୍ଷେତ୍ରରେ କୌଣସି ପ୍ରକାର ପ୍ରଗତିଶୀଳ ବ୍ୟବସ୍ଥା ହୋଇପାରି ନଥିଲା । ଦୀର୍ଘ ଦଶବର୍ଷ କାଳ ସେ ଏକପ୍ରକାର ଗଣତାନ୍ତ୍ରିକ ଏକଛତ୍ରବାଦ ପ୍ରତିଷ୍ଠା କରିଥିଲେ । ଏ ସମୟରେ ବୈଦେଶିକ ବ୍ୟାପାର ବିଭାଗରେ ଇଂଲଣ୍ଡ ନୀତି ଓ ସଫଳତା ବିଶେଷ ଉଲ୍ଲେଖଯୋଗ୍ୟ ।

 

ପାମାରଷ୍ଟୋନ୍‍ଙ୍କ ବୈବେଶିକ ନୀତି ଆକ୍ରମଣାତ୍ମକ ଥିଲା । ଧୈର୍ଯହୀନ ଓ ଅସହିଷ୍ଣୁ ପ୍ରକୃତିର ବ୍ୟକ୍ତି ଥିବାରୁ ସହନଶୀଳତାର ଅଭାବ ତାଙ୍କଠାରେ ପରିଲକ୍ଷିତ ହୋଇଥିଲା । ଇଂରେଜ ଜାତିର ମାନସମ୍ମାନ ରକ୍ଷାପାଇଁ ସେ ଯେକୌଣସି ଦେଶ ସହିତ ଯୁଦ୍ଧ କରିବାକୁ ପରାଙ୍‍ମୁଖ ହେଉ ନଥିଲେ । ବେଲଜିୟମ୍‌ର ସ୍ୱାଧୀନତା ସଂଗ୍ରାମ ଓ ଇତାଲୀୟମାନଙ୍କର ରାଜନୈତିକ ଏକୀକରଣ ପ୍ରତି ତାଙ୍କର ସମର୍ଥନ ଓ ସହାନୁଭୂତି ଥିଲା । କ୍ରିମିଆ ଯୁଦ୍ଧର ସୁପରିଚାଳନା ଓ ପରିସମାପ୍ତି ଦିଗରେ ସେ ବିଶେଷ ପଦକ୍ଷେପ ନେଇଥିଲେ । କୃଷ୍ଣସାଗର ଅଞ୍ଚଳରେ ରୁଷିଆର ରାଜନୈତିକ ପ୍ରଭାବ ହ୍ରାସ କରିବାରେ ମଧ୍ୟ ସେ ସଫଳ ହୋଇଥିଲେ ।

 

ସ୍ପେନ୍‌–ସ୍ପେନ୍‍ ରାଜ୍ୟର ସିଂହାସନ ପାଇଁ ଖ୍ରୀ ୧୮୩୩ ପରେ ଏକ ମହାଆନ୍ତର୍ଜାତିକ ସମସ୍ୟା ସୃଷ୍ଟି ହୋଇଥିଲା । ସେଠାକାର ପ୍ରଗତିବାଦୀ ଦଳକୁ ପାମାରଷ୍ଟୋନ୍‌ ରାଣୀ ଇସାବେଲାଙ୍କ ସ୍ୱାର୍ଥରକ୍ଷା ଉଦ୍ଦେଶ୍ୟରେ ଇଂଲଣ୍ଡର ସମର୍ଥନ ଜଣାଇଥିଲେ । ସେଥିପାଇଁ ସେ ଇଂଲଣ୍ଡ, ଫ୍ରାନ୍‌ସ, ପର୍ତ୍ତୁଗାଲ ଓ ସ୍ପେନ୍‍ ସରକାରଙ୍କୁ ନେଇ ଚତୁଃଶକ୍ତିମେଣ୍ଟ ମଧ୍ୟ ପ୍ରସ୍ତୁତ କରିଥିଲେ ।

 

ମଧ୍ୟପ୍ରାଚ୍ୟ–ମଧ୍ୟପ୍ରାଚ୍ୟରେ ତୁରସ୍କ ସାମ୍ରାଜ୍ୟ ଉପରେ ରୁଷିଆର ରାଜନୈତିକ ପ୍ରଭାବ ବୃଦ୍ଧି ପାମାରଷ୍ଟୋନ୍ ସହ୍ୟ କରି ନଥିଲେ । ସେଥିପାଇଁ ତୁର୍କୀର ସୁଲତାନଙ୍କୁ ଶକ୍ତିଶାଳୀ କରିବା ତାଙ୍କର ଉଦ୍ଦେଶ୍ୟ ଥିଲା ଏବଂ ସେ ଦିଗରେ ପ୍ରଶାସନିକ ସଂସ୍କାର ପ୍ରବର୍ତ୍ତନ ପାଇଁ ସେ ଅନୁକୂଳ ମତ ପୋଷଣ କରିଥିଲେ । ଖ୍ରୀ: ୧୮୩୯ରେ ସିରିଆ ଏବଂ ଏସିଆ ମାଇନର୍ ଅଞ୍ଚଳ ଦଖଲ ନେଇ ଇଜିପ୍‌ଟର ଶାସକ ମେହମତ ଅଲିଙ୍କ ସହ ତୁର୍କୀ ସୁଲତାନଙ୍କର ସଂଗ୍ରାମ ହୋଇଥିଲା । ସେଠାରେ ଶାନ୍ତି ସ୍ଥାପନପାଇଁ ପାମାରଷ୍ଟୋନ୍ ଫ୍ରାନ୍‌ସ ଏବଂ ରୁଷିଆର ସହଯୋଗ ଗ୍ରହଣ କରିଥିଲେ ।

 

ଅଫିମ ଯୁଦ୍ଧ–ଖ୍ରୀ: ୨୮୩୯ରେ ଅଫିମ ବ୍ୟବସାୟକୁ କେନ୍ଦ୍ର କରି ଇଂଲଣ୍ଡ ଓ ଚୀନ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଇଂରେଜ ବ୍ୟବସାୟୀଙ୍କୁ ଅତ୍ୟାଚାରିତ କରିବାଦ୍ୱାରା ଦୁଇ ଦେଶ ମଧ୍ୟରେ ଏକ ଛୋଟ ଧରଣର ଯୁଦ୍ଧ ଘଟିଥିଲା । ଏହି ଯୁଦ୍ଧକୁ ‘ଅଫିମ ଯୁଦ୍ଧ’ କୁହାଯାଏ । ଚୀନ ସହିତ ବାଣିଜ୍ୟ କରିବାପାଇଁ ଇଂରେଜ ବେପାରୀମାନେ କେତେଗୁଡ଼ିଏ ବନ୍ଦର ଦରକାର କରୁଥିଲେ । ଅଫିମ ଯୁଦ୍ଧଫଳରେ ଖ୍ରୀ: ୧୮୪୨ରେ ଦୁଇଦେଶ ମଧ୍ୟରେ ଯେଉଁ ‘‘ନାନକିଂ ଚୁକ୍ତି’ ହେଲା ତଦ୍ଦ୍ୱାରା ଇଂରେଜମାନେ ହଙ୍ଗକଙ୍ଗ ସହରକୁ ବ୍ୟବସାୟ କେନ୍ଦ୍ରରୂପେ ଏବଂ ଆଉ ପାଞ୍ଚୋଟି ବନ୍ଦର ଆମଦାନୀ ରପ୍ତାନୀପାଇଁ ବ୍ୟବହାର କରିବାର ଅଧିକାର ପାଇଥିଲେ । ଖ୍ରୀ: ୧୮୫୬ରେ ଉପରୋକ୍ତ ଚୁକ୍ତିର ଖିଲାପ କରିବା ହେତୁ ଚୀନ ସହିତ ପୁଣିଥରେ ଯୁଦ୍ଧ ହୋଇଥିଲା ଏବଂ ଡିଏନ୍‌ସିନ୍‌ ଚୁକ୍ତିଫଳରେ ତାହା ବନ୍ଦ ହୋଇଥିଲା ।

 

କ୍ରିମିଆ ଯୁଦ୍ଧ–ପାମାରଷ୍ଟୋନ୍‌ଙ୍କ ସମୟରେ ମଧ୍ୟ ପ୍ରାଚୀରେ ଖ୍ରୀ: ୧୮୫୩ରୁ ଚାଲିଥିବା କ୍ରିମିଆ ଯୁଦ୍ଧର ଅବସାନ ଘଟିଥିଲା । କୃଷ୍ଣସାଗର, ବଲକାନ୍‌ ଓ ତୁରସ୍କ ଉପରେ ରୁଷିଆର ରାଜନୈତିକ ପ୍ରତିପତ୍ତି–ଅଭିବୃଦ୍ଧି–ଜନିତ ଉଦ୍‌ବେଗ ଏହି ଯୁଦ୍ଧର ପ୍ରଧାନ କାରଣ ଥିଲା । ଏଥିରେ ଫ୍ରାନ୍‌ସ, ଇଂଲଣ୍ଡ ଏବଂ ସାର୍ଡ଼ିନିଆ (ଇଟାଲୀ) ତୁର୍କୀ ପକ୍ଷଭୂତ ହୋଇ ରୁଷିଆ ବିପକ୍ଷରେ ସଂଗ୍ରାମ ଚଳାଇଥିଲେ ଏବଂ ଉକ୍ତ ସଂଗ୍ରାମ କୃଷ୍ଣସାଗର ଉତ୍ତର ଉପକୂଳରେ ଥିବା କ୍ରିମିଆ ନାମକ ସ୍ଥାନରେ ହୋଇଥିବାରୁ ‘କ୍ରିମିଆ ଯୁଦ୍ଧ’ ନାମରେ ପରିଚିତ । ଯୁଦ୍ଧରେ ରୁଷିଆ ପରାସ୍ତ ହେବାରୁ ପ୍ୟାରିସ ସହରରେ ସମ୍ରାଟ ତୃତୀୟ ନେପୋଲିୟନ୍‌ଙ୍କଦ୍ୱାରା ଏକ ଶାନ୍ତି ସମ୍ମିଳନୀ ଆହୂତ ହୋଇଥିଲା । ପାମାରଷ୍ଟୋନ୍‌ ସେଠାରେ ଇଂଲଣ୍ଡର ପ୍ରତିନିଧିତ୍ୱ କରିଥିଲେ ପ୍ୟାରିସ ଶାନ୍ତିଚୁକ୍ତି ଅନୁସାରେ ତୁର୍କୀ ଉପରୁ ରୁଷିଆର ପ୍ରଭାବ ଲୋପ ପାଇଲା । କୃଷ୍ଣସାଗର ବକ୍ଷରେ ରୁଷିଆର ଯୁଦ୍ଧଜାହାଜ ରହିବା ନିଷିଦ୍ଧ ହେଲା । ଡାନ୍ୟୁବ ନଦୀ ଉପକୂଳରୁ ମଧ୍ୟ ରୁଷିଆ ଅପସରି ଗଲା । କୃଷ୍ଣସାଗର ଅଞ୍ଚଳର ନିରପେକ୍ଷତା ଘୋଷିତ ହେବାଦ୍ୱାରା ଇଂଲଣ୍ଡ ଏବଂ ଫ୍ରାନ୍‌ସ କୂଟନୈତିକ କ୍ଷେତ୍ରରେ ବିଜୟ ହାସଲ କରିଥିଲେ ।

 

କ୍ରିମିଆ ଯୁଦ୍ଧର ଅର୍ଥନୈତିକ ପ୍ରଭାବ–କ୍ରିମିଆ ଯୁଦ୍ଧରେ ଇଂଲଣ୍ଡ ନିଜକୁ ଅତି ନିବିଡ଼ଭାବେ ସଂଶ୍ଳିଷ୍ଟ କରିଥିବାରୁ ଦେଶର ଅର୍ଥନୀତି ଉପରେ ଯୁଦ୍ଧର ପ୍ରଭାବ ପଡ଼ିବା ସ୍ୱାଭାବିକ ଥିଲା । ସାରା ଦେଶରେ ଯୁଦ୍ଧ ସପକ୍ଷରେ ଅପୂର୍ବ ଆଗ୍ରହ ପ୍ରକାଶ ପାଇଥିଲା । ଲୋକମାନେ ଯୁଦ୍ଧ ବ୍ୟତୀତ ଅନ୍ୟ କୌଣସି ବିଷୟ ଚିନ୍ତା ମଧ୍ୟ କରୁ ନଥିଲେ । ଯୁଦ୍ଧରେ ବିଜୟ ହାସଲପାଇଁ ଯେକୌଣସି ତ୍ୟାଗ ସ୍ୱୀକାର କରିବାକୁ ସେମାନେ ପ୍ରସ୍ତୁତ ଥିଲେ । ଯୁଦ୍ଧ ଦିଗରେ ଆନୁମାନିକ ୮୧ ଲକ୍ଷ ପାଉଣ୍ଡ ମୁଦ୍ରା ଖର୍ଚ୍ଚ ହେବ ବୋଲି ଅଟକଳ ହୋଇଥିଲା । ସେଥିପାଇଁ ଆୟକର ବୃଦ୍ଧି ଏବଂ ଚିନି, ସ୍ପିରିଟ୍‌ ଓ ଅନ୍ୟ କେତେକ ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ ଶୁଳ୍କ ବସାଇବାର ପ୍ରସ୍ତାବ ଅର୍ଥମନ୍ତ୍ରୀ ଗ୍ଲାଡ଼ଷ୍ଟୋନ୍‌ ଦେଇଥିଲେ । ଋଣ ସଂଗ୍ରହ କରି ଯୁଦ୍ଧବ୍ୟୟ ତୁଲାଇବାରେ ସେ ଇଚ୍ଛୁକ ନଥିଲେ । କିନ୍ତୁ ତାଙ୍କ ପରେ ସାର୍‌ ଜର୍ଜ କର୍ଣ୍ଣୱାଲ୍‌ ଲୁଇ ଖ୍ରୀ: ୧୮୫୫ରେ ଅର୍ଥ ବିଭାଗର ଦାୟିତ୍ୱ ନେଇ ୧୬ ଲକ୍ଷ ପାଉଣ୍ଡ ମୁଦ୍ରା ଋଣ ଆକାରରେ ସଂଗ୍ରହ କରିଥିଲେ । ସେତିକି ନିଅଣ୍ଟ ହେବାରୁ ଆବଶ୍ୟକୀୟ ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି କରି, ପରୋକ୍ଷ କର ବସାଇ, ଏବଂ ଆୟକର ହାର ବୃଦ୍ଧି କରି ୫୩ ଲକ୍ଷ ପାଉଣ୍ଡ ଅର୍ଥ ସଂଗ୍ରହ କରିଥିଲେ । ତାହା ମଧ୍ୟ ନିଅଣ୍ଟ ହେବାରୁ ଆଉ ୫୦ ଲକ୍ଷ ପାଉଣ୍ଡ ଋଣ ଉଠାଇବାର ଯୋଜନା ହେଲା । ଯୁଦ୍ଧପାଇଁ ସର୍ବମୋଟ ଖର୍ଚ୍ଚ ପ୍ରାୟ ୭ କୋଟି ୭୫ ଲକ୍ଷ ୮୮ ହଜାର ୭୧୧ ପାଉଣ୍ଡ ହେବ ବୋଲି ଲୁଇଙ୍କ ଅଟକଳ ଥିଲା । ଏତେ ପରିମାଣ ଅର୍ଥ ସଂଗ୍ରହ କରିବା କଷ୍ଟସାଧ୍ୟ ବୋଲି ସେ ହୃଦୟଙ୍ଗମ କରିଥିଲେ । ଋଣ କରି ଭବିଷ୍ୟତ ବଂଶଧରଙ୍କ ଉପରେ ସେ ବୋଝ ଲଦିବା ଅପରାଧ ବୋଲି ଭାବୁଥିଲେହେଁ ତାଙ୍କ ପକ୍ଷେ ଅନ୍ୟ ଉପାୟ ନଥିଲା-। କ୍ରିମିଆ ଯୁଦ୍ଧ, ତେଣୁ ଇଂରେଜମାନଙ୍କୁ ଋଣ ଭାରରେ ଏବଂ କର ଦାଉରେ ଅଭାବଗ୍ରସ୍ତ କରି ପକାଇଲା ।

 

ଖ୍ରୀ: ୧୮୫୭ ଫେବୃୟାରୀ ମାସରେ ‘ଚୀନ ନୀତି’ ଉପରେ ପାମାରଷ୍ଟୋନ୍‌ ପାର୍ଲିଆମେଣ୍ଟ୍ ସଦସ୍ୟମାନଙ୍କଦ୍ୱାରା ଭୀଷଣ ସମାଲୋଚିତ ହୋଇଥିଲେ । ଲର୍ଡ଼ ଡାର୍ବି ଏବଂ ଲର୍ଡ଼ ଲିନ୍‌ହାର୍ସଟ୍‌ ଏହି ସମାଲୋଚନାର ନେତୃତ୍ୱ ନେଇଥିଲେ । ପାମାରଷ୍ଟୋନ୍‌ ଉକ୍ତ ଦଳୀୟ ରାଜନୈତିକ ଦ୍ୱନ୍ଦ୍ୱ ଓ ବଳ କଷାକଷିରେ ଜୟଲାଭ କଲାପରେ ତାଙ୍କ ପ୍ରତି ଦେଶବାସୀଙ୍କ ସମର୍ଥନ ଅଛି କି ନାହିଁ ପରୀକ୍ଷା କରିବାପାଇଁ ସାଧାରଣ ନିର୍ବାଚନ ଲଢ଼ିଥିଲେ । ନିର୍ବାଚନରେ ବିପକ୍ଷଦଳକୁ ବହୁ ଅଧିକ ଭୋଟରେ ପରାଜିତ କରି ବିଜୟ ଲାଭଦ୍ୱାରା ପାମାରଷ୍ଟୋନ୍‌ଙ୍କ ଉପରେ ଦେଶର ଅଗାଧ ବିଶ୍ୱାସ ଓ ଅନୁରକ୍ତି ଥିବା ପ୍ରମାଣିତ ହେଲା । କ୍ରିମିଆ ଯୁଦ୍ଧ ସମୟରେ ସେ ଦେଶର ନୀତିକୁ ଓ ଶାସନକୁ ସୁଦୃଢ଼ ରଖିଥିବାରୁ, ଶାନ୍ତି ପ୍ରତିଷ୍ଠାଦ୍ୱାରା ଇଂଲଣ୍ଡର ରାଜନୈତିକ ସମ୍ମାନକୁ ବୃଦ୍ଧି କରିପାରିଥିବାରୁ, ନିର୍ବାଚନରେ ପୂର୍ଣ୍ଣ ସମର୍ଥନ ଜଣାଇ ଜାତି ତାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କଲା । ତାଙ୍କର ବୈଦେଶିକ ନୀତି ଆକ୍ରମଣାତ୍ମକ ଓ ବ୍ୟୟସାପେକ୍ଷ ହେଲେହେଁ ଦେଶର ଗୌରବ ବୃଦ୍ଧିରେ ସହାୟକ ହୋଇଥିଲା ।

 

ପାମାରଷ୍ଟୋନ୍‍ଙ୍କୁ ବିପୁଳ ଭୋଟରେ ଜୟୀ କରାଇ ସୁଦୃଢ଼ ସରକାର ସ୍ଥାପନ କରିବାର ଆବଶ୍ୟକତା ମଧ୍ୟ ଥିଲା । କ୍ରିମିଆ ଯୁଦ୍ଧରେ ବିଜୟ ଲାଭ ପରେ ଇଂରେଜମାନଙ୍କ ବିରୁଦ୍ଧରେ ଭାରତରେ ଆରମ୍ଭ ହୋଇଥିବା ସିପାହୀ ବିଦ୍ରୋହର ମୁକାବିଲା କରିବାପାଇଁ ପାମାରଷ୍ଟୋନ୍‍ଙ୍କ ପରି ଟାଣୁଆ ପ୍ରଧାନମନ୍ତ୍ରୀ ନିହାତି ଜରୁରୀ ଥିଲେ ।

 

ସିପାହୀ ବିଦ୍ରୋହ–ଭାରତବର୍ଷରେ ବ୍ରିଟିଶ ସମ୍ରାଜ୍ୟର ପ୍ରତିଷ୍ଠା ଖ୍ରୀ: ୧୭୫୭ରୁ ଆରମ୍ଭ ହୋଇଥିଲେହେଁ ପୂର୍ଣ୍ଣ ପ୍ରତିଷ୍ଠାପାଇଁ ଦୀର୍ଘକାଳ ସମୟ ଲାଗିଥିଲା । ଲର୍ଡ଼ ଡେଲହାଉସିଙ୍କ ଶାସନକାଳ ସମୟରେ (ଖ୍ରୀ ୧୮୪୮–ଖ୍ରୀ: ୧୮୫୬) ଏହି ସାମ୍ରାଜ୍ୟ ବିସ୍ତାରର ବେଗ ଅତି କ୍ଷୀପ୍ର ହୋଇ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିଲା । ଡେଲହାଉସିଙ୍କ ଆଠବର୍ଷ ଶାସନ କାଳରେ ଆଧୁନିକ ଭାରତ ଜନ୍ମଲାଭ କରିବା ସଙ୍ଗେ ସଙ୍ଗେ ପ୍ରାଚୀନ କୃଷି ପ୍ରଧାନ ଓ କୁସଂସ୍କାରଗ୍ରସ୍ତ ଭାରତ କ୍ରମଶଃ ଆଧୁନିକ ସଭ୍ୟତାର ଆଲୋକରେ ଉଦ୍ଭାସିତ ହୋଇଥିଲା । ଏପରି ଏକ ମହାନ୍ ଦାୟିତ୍ୱ ସମ୍ପନ୍ନ କରିବାରେ ଡେଲହାଉସି ସିଦ୍ଧହସ୍ତ ଥିଲେ । ସେ ଥିଲେ ପୀଲଙ୍କ ଶିଷ୍ୟ । ପୀଲଙ୍କ ମନ୍ତ୍ରିମଣ୍ଡଳରେ ବାଣିଜ୍ୟ ବୋର୍ଡ଼ର ସଭାପତିରୂପେ ସେ ନିଯୁକ୍ତ ହୋଇଥିଲେ । ସେହି ବ୍ୟପଦେଶରେ ସେ କେତେକ ରାଜସ୍ୱ ସଂସ୍କାର ପ୍ରବର୍ତ୍ତନ କରି ଲର୍ଡ଼ସଭାରେ ଅଭିନନ୍ଦିତ ହୋଇଥିଲେ । ଭବିଷ୍ୟତରେ ଭାରତବର୍ଷ ପରି ସୁବିଶାଳ ଦେଶରେ ରାଜନୈତିକ ଓ ଅର୍ଥନୈତିକ ସଂସ୍କାର ପ୍ରଣୟନ କରି ଆଧୁନିକ ଶାସନର ଏକ ଆଦର୍ଶ ବାତାବରଣ ସୃଷ୍ଟି କରିବା ତାଙ୍କର ଅଭିପ୍ରାୟ ଥିଲା । ଖ୍ରୀ: ୧୮୪୮ରେ ଗଭର୍ଣ୍ଣର ଜେନେରାଲ୍‌ ପଦରେ ନିଯୁକ୍ତି ପାଇ ଉକ୍ତ ଅଭିପ୍ରାୟ ଚରିତାର୍ଥ କରିବାପାଇଁ ଡେଲହାଉସି ଭାରତକୁ ଆସିଥିଲେ ।

 

ଭାରତରେ ରହଣିକାଳ ମଧ୍ୟରେ ଡେଲହାଉସି ତିନି ପ୍ରକାର କୃତିତ୍ୱ ହାସଲ କରିଥିଲେ-। ତା’ ହେଲା–ରାଜ୍ୟ ବିସ୍ତାର; ଆଞ୍ଚଳିକ ସଂହତି ଓ ପ୍ରଶାସନିକ ସ୍ଥିତି ପ୍ରତିଷ୍ଠା ଏବଂ କୃଷି ପ୍ରଧାନ ଭାରତବର୍ଷରେ ଶିଳ୍ପ ବିପ୍ଳବର ଭିତ୍ତିପ୍ରସ୍ତର ସ୍ଥାପନ କରିବା । ଖ୍ରୀ: ୧୮୪୮–୪୯ରେ ତାଙ୍କଦ୍ୱାରା ପଞ୍ଜାବ ଅଧିକୃତ ହୋଇଥିଲା । ହିମାଳୟର ପାଦଦେଶରେ ଥିବା ସିକିମ ରାଜ୍ୟ ଏବଂ ବର୍ମାର ପେଗୁ ଅଞ୍ଚଳ ମଧ୍ୟବ୍ରିଟିଶ ସାମ୍ରାଜ୍ୟଭୁକ୍ତ ହୋଇଥିଲା । ତା’ଛଡ଼ା ସ୍ୱତ୍ୱ–ଲୋପନୀତିଦ୍ୱାରା ଭାରତର ଏକାଧିକ କରଦରାଜ୍ୟ ସେ ଇଂରେଜ ଶାସନାଧିନ କରିପାରିଥିଲେ । ଅଯୋଧ୍ୟାକୁ ହସ୍ତଗତ କରିବା ତାଙ୍କ ରାଜ୍ୟବିସ୍ତାରର ଶେଷ ପର୍ଯ୍ୟାୟଭୁକ୍ତ ଥିଲା । ଏହିସବୁ ରାଜ୍ୟ ଅଧିକାର କରିବାଦ୍ୱାରା ଇଂରେଜ ସରକାରଙ୍କ ରାଜନୈତିକ ଓ ପ୍ରତିରକ୍ଷା ଦାୟିତ୍ୱ ବହୁପରିମାଣରେ ହଠାତ୍‌ ବୃଦ୍ଧି ପାଇଥିବାରୁ ପରିଣତି ବିଷମ ହୋଇଥିଲା ।

 

ଡେଲହାଉସି କିନ୍ତୁ ଅପୂର୍ବ ଶକ୍ତି ଓ ପ୍ରତିଭାର ଅଧିକାରୀ ଥିଲେ । ଭାରତର ମାନଚିତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ସଙ୍ଗେ ସଙ୍ଗେ କେତେକ ପ୍ରଶାସନିକ ବ୍ୟବସ୍ଥା ଗ୍ରହଣ କରିବା ନିହାତି ଜରୁରୀ ଥିଲା । ବଙ୍ଗ ପ୍ରଦେଶର ଶାସନ ଦାୟିତ୍ୱ ଜଣେ ଲେଫ୍‌ଟନାଣ୍ଟ ଗଭର୍ଣ୍ଣରଙ୍କୁ ଅର୍ପଣ କରାଗଲା । ପ୍ରତିରକ୍ଷା ଦାୟିତ୍ୱ ବ୍ୟବସ୍ଥାକୁ ଉତ୍ତମରୂପେ ତୁଲାଇବା ପାଇଁ ରାଜଧାନୀ କଲିକତାରୁ ସିମ୍‌ଲାକୁ ଉଠାଇ ନିଆଗଲା । ଶାସନ କ୍ଷେତ୍ରରେ ତତ୍ତ୍ୱାବଧାନ କରିବାପାଇଁ ଓ ଯାତାୟତର ସୁବିଧା ସକାଶେ ସେ ଟେଲିଗ୍ରାଫ୍‌ ଲାଇନ୍‌ ଓ ରେଳପଥ ପ୍ରତିଷ୍ଠା କରିଥିଲେ । ଆଧୁନିକ ଡାକ ପରିବହନର ବ୍ୟବସ୍ଥା ମଧ୍ୟ ତାଙ୍କଦ୍ୱାରା ପ୍ରଚଳିତ ହୋଇଥିଲା । ପାଶ୍ଚାତ୍ୟ ଶିକ୍ଷାର ପ୍ରବର୍ତ୍ତନ ପାଇଁ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ପ୍ରଚଳନ କରି ଡେଲହାଉସି ଭାରତୀୟମାନଙ୍କର ଜାତୀୟଭାବ ବିକାଶ ଦିଗରେ ପ୍ରଥମ ଏବଂ ଉପଯୁକ୍ତ ପଦକ୍ଷେପ ନେଇଥିଲେହେଁ ଅନାଗତ ଭବିଷ୍ୟତର ଝଡ଼ଝଞ୍ଜା ସମ୍ପର୍କରେ ସଚେତନ ଥିଲେ । ସେ ଦିଗରେ ସମସ୍ତଙ୍କୁ ଚେତାବନୀ ଶୁଣାଇ ସେ ଖ୍ରୀ: ୧୮୫୬ରେ ଲର୍ଡ଼ କ୍ୟାନିଙ୍ଗଙ୍କୁ ଦାୟିତ୍ୱ ହସ୍ତାନ୍ତର କରି ଭାରତରୁ ବିଦାୟ ନେଇଥିଲେ । କ୍ରିମିଆ ଯୁଦ୍ଧ ସମୟରେ ଭାରତବର୍ଷରୁ ଇଂରେଜ ସୈନ୍ୟମାନଙ୍କୁ ଅପସାରଣ କରିବା ନୀତିର ସେ ବିରୋଧ କରିଥିଲେ । ତଦ୍ଦ୍ୱାରା ଇଂରେଜ ସରକାରଙ୍କ ପ୍ରତି ରହିଥିବା ଭୟ ଦୂର ହୋଇଯିବ ଓ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀର ନେତାମାନେ ଉତ୍ସାହିତ ହୋଇ ବିପଜ୍ଜନକ ଅବସ୍ଥା ସୃଷ୍ଟି କରିବେ ବୋଲି ସେ ଆଶଙ୍କା କରିଥିଲେ । ତାଙ୍କର ଏତାଦୃଶ ଆଶଙ୍କା ଅମୂଳକ ନଥିଲା ।

 

ଖ୍ରୀ: ୧୮୫୬ ଫେବୃୟାରୀ ମାସରେ ଲର୍ଡ଼ କ୍ୟାନିଙ୍ଗ ଗଭର୍ଣ୍ଣର ଜେନେରାଲ୍‍ ଦାୟିତ୍ୱ ଗ୍ରହଣ କରିବା ସଙ୍ଗେ ସଙ୍ଗେ ନାନା ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଅଯୋଧ୍ୟାର ଶାସନ ବ୍ୟବସ୍ଥା, ସୈନ୍ୟ ବିଭାଗର ପୁନର୍ଗଠନ ଓ ହେରାଟ୍‌ରେ ପାରସ୍ୟ ଆକ୍ରମଣ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆଦି ସମସ୍ୟା ସମାଧାନରେ ଅଗ୍ରସର ନହେଉଣୁ ହଠାତ୍ ବଙ୍ଗଳାରେ ଭାରତୀୟ ସିପାହୀମାନଙ୍କ ବିଦ୍ରୋହ ସମ୍ବାଦ ପାଇ ସ୍ତମ୍ଭୀଭୂତ ହୋଇଥିଲେ । ଏହି ସାମରିକ ବିଦ୍ରୋହର ରାଜନୈତିକ ଉଦ୍ଦେଶ୍ୟ ପ୍ରଚ୍ଛନ୍ନ ଥିଲେହେଁ ସାମାଜିକ ଓ ଅର୍ଥନୈତିକ କାରଣପାଇଁ ତାହା ସୃଷ୍ଟି ହୋଇଥିଲା । ଭାରତରେ ସିପାହୀମାନେ ପୂର୍ବେ ଅନେକ ଥର ବିଭିନ୍ନ କାରଣରୁ ବିଦ୍ରୋହ କରିଥିବାରୁ ଖ୍ରୀ: ୧୮୫୭ରେ ବିଦ୍ରୋହରେ ନୂତନତ୍ୱ ବା ଆଶ୍ଚର୍ଯ୍ୟ ହେବାର କିଛି ନଥିଲା । କିନ୍ତୁ ସେତେବେଳେ ଗୋରା ସୈନ୍ୟ ଅପେକ୍ଷା ଭାରତୀୟ ସୈନ୍ୟଙ୍କ ସଂଖ୍ୟା ପ୍ରାୟ ସାତ ଆଠଗୁଣ ଅଧିକ ଥିବାରୁ କ୍ୟାନିଙ୍ଗ ବିଚଳିତ ହେବା ସ୍ୱାଭାବିକ ।

 

ସିପାହୀ ବିଦ୍ରୋହପାଇଁ ଲର୍ଡ଼ ଡେଲହାଉସିଙ୍କ ଦାୟିତ୍ୱ ଯାହା ହେଉନା କାହିଁକି ସିପାହୀମାନଙ୍କର ଚାକିରି ଅବସ୍ଥା ସେତେବେଳେ ଅତି ଅନିଶ୍ଚିତ ଥିବାରୁ, ବିଶେଷକରି ପାରସ୍ୟ, ବର୍ମା ପ୍ରଭୃତି ସୁଦୂର ଦେଶରେ ଯୁଦ୍ଧ କରିବା ଏବଂ ଇଉରୋପୀୟ ଶୃଙ୍ଖଳା ଜ୍ଞାନରେ ସେମାନଙ୍କୁ ଅଭ୍ୟସ୍ତ କରାଇବାଦ୍ୱାରା ଭାରତୀୟ ସିପାହୀମାନେ କ୍ଷୁବ୍ଧ ହୋଇଥିଲେ । ତହିଁରେ ପୁଣି ଏନ୍‌ଫିଲ୍‌ଡ଼ ରାଇଫଲର ପ୍ରଚଳନ କଟା ଘା’ରେ ଚୂନଛିଟିକା ଭଳି କାମ କଲା । ବ୍ରିଟିଶ ସାମ୍ରାଜ୍ୟବାଦ ଓ ଖ୍ରୀଷ୍ଟିଆନ ପାଦ୍ରୀମାନଙ୍କ ବିରୁଦ୍ଧରେ ନାନାପ୍ରକାର ଅଭିଯୋଗ ଭାରତୀୟ ମନକୁ ବିଷାକ୍ତ କରିଥିଲା-। ଉକ୍ତ ମାନସିକ ଅବସ୍ଥାକୁ ଅନୁଧ୍ୟାନ କରି ନାନାସାହେବଙ୍କ ପରି ନେତାମାନେ ବିପ୍ଳବପାଇଁ ଆହ୍ୱାନ ଦେବାରୁ ସିପାହୀବିଦ୍ରୋହ ଆରମ୍ଭ ହୋଇଥିଲା । ବଙ୍ଗଳାର ବରହମପୁର ଏକ ବାରାକପୁରରେ ସିପାହୀମାନେ ପ୍ରଥମେ ଗଣ୍ଡଗୋଳ ସୃଷ୍ଟି କରିଥିଲେ । ଅତି ଅଳ୍ପ ସମୟ ମଧ୍ୟରେ ବିପ୍ଳବର ଧ୍ୱନି ଉତ୍ତର ଭାରତର ସର୍ବତ୍ର ପରିବ୍ୟାପ୍ତ ହୋଇଥିଲା । ଦିଲ୍ଲୀ, କାନପୁର, ଲକ୍ଷ୍ନୌ ଆଦି ସ୍ଥାନରେ ବିଦ୍ରୋହର ତୀବ୍ର ଜ୍ୱାଳା ଇଂରେଜମାନେ ଅନୁଭବ କଲେ । ଇଂରେଜ ସେନାପତି ହେଭଲକ୍‌ ଏବଂ ଆଉଟରାମ୍‌ ଆପ୍ରାଣ ଚେଷ୍ଟା କରି ବିଦ୍ରୋହୀମାନଙ୍କ ବିରୁଦ୍ଧରେ ସଂଗ୍ରାମ ଚଳାଇଥିଲେ । କିନ୍ତୁ କେବଳ ସାର୍‌ କୋଲିନ୍‌ କ୍ୟାମ୍ପବାଲ୍‌ ସେନାଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କଲା ପରେ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହେଲା । ଏହି ବିଦ୍ରୋହ ଦମନରେ ଗୁର୍ଖା ସୈନ୍ୟମାନେ ଇଂରେଜମାନଙ୍କୁ ବିଶେଷ ସାହାଯ୍ୟ କରିଥିଲେ । ଲକ୍ଷ୍ନୌ ସହରକୁ ବିଦ୍ରୋହୀମାନଙ୍କ କବଳରୁ ମୁକ୍ତ କଲାପରେ ବିଦ୍ରୋହ ପ୍ରଶମିତ ହୋଇଥିଲା ଏବଂ ଭାରତରେ ବ୍ରିଟିଶ ସାମ୍ରାଜ୍ୟର ସଂରକ୍ଷଣ ସମ୍ଭବ ହୋଇଥିଲା ।

 

ସିପାହୀ ବିଦ୍ରୋହପାଇଁ ଭାରତର ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଜରୁରୀ ବୋଲି ବ୍ରିଟିଶ ସରକାରଙ୍କର ହୃଦ୍‍ବୋଧ ହେଲା । ଖ୍ରୀ: ୧୭୮୪ରେ ପ୍ରଣୀତ ପିଟ୍‌ଙ୍କ ଭାରତ ଆଇନ ଏବେ ଆଉ ଫଳପ୍ରଦ ହେଲା ନାହିଁ । ଇଷ୍ଟ ଇଣ୍ଡିଆ କମ୍ପାନୀ ହାତରୁ ଶାସନ କ୍ଷମତା ଓ ଦାୟିତ୍ୱ କାଢ଼ିନେବା ଉଚିତ ବୋଲି ସରକାର ସ୍ଥିର କଲେ । ସେ ଦୃଷ୍ଟିରୁ ଖ୍ରୀ: ୧୮୫୮ ଅଗଷ୍ଟ ମାସ ୨ ତାରିଖରେ ‘ଭାରତ ଆଇନ’ ନାମରେ ଏକ ନୂତନ ଆଇନ ପ୍ରଣୟନ ହେଲା । ଯାହାଫଳରେ ଭାରତର ଶାସନ କ୍ଷମତା ଓ ଦାୟିତ୍ୱ ସାମ୍ରାଜ୍ଞୀ ଭିକ୍‍ଟୋରିଆ ନିଜେ ବହନ କଲେ । ଭାରତର ଶାସନପାଇଁ ଜଣେ ସ୍ୱତନ୍ତ୍ର ମନ୍ତ୍ରୀ ନିଯୁକ୍ତ ହେଲେ । ତାଙ୍କୁ ପରାମର୍ଶ ଓ ସାହାଯ୍ୟ ଦେବାପାଇଁ ପନ୍ଦର ଜଣିଆ ସଭ୍ୟ ବିଶିଷ୍ଟ ଏକ ପରିଷଦ ଗଠିତ ହେଲା । ଏହି କ୍ଷମତା ହସ୍ତାନ୍ତର ସମ୍ପର୍କରେ ସରକାରୀ ଘୋଷଣା ନଭେମ୍ବର ପହିଲାରେ ପ୍ରକାଶିତ ହେଲା । ଉକ୍ତ ଘୋଷଣାପତ୍ର ଦୟା, କ୍ଷମା, ପ୍ରଜାବତ୍ସଳତା ଓ ସେବା ମନୋଭାବଦ୍ୱାରା ପରିପୂର୍ଣ୍ଣ ଥିବାରୁ ଭିକ୍‍ଟୋରିଆଙ୍କର ଅପୂର୍ବ ରାଜନୈତିକ ଦୂରଦୃଷ୍ଟିର ନିଦର୍ଶନ ଥିଲା । ଭାରତୀୟମାନଙ୍କର ଧର୍ମ ଜୀବନରେ ସରକାରୀ ହସ୍ତକ୍ଷେପ ହେବନାହିଁ ବୋଲି ରାଣୀ ପ୍ରତିଶ୍ରୁତି ଦେଲେ । ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସମାନ ଅଧିକାର ଏବଂ ନ୍ୟାୟ ଦେବା ବିଷୟ ମଧ୍ୟ ତହିଁରେ ଉଲ୍ଲେଖ ଥିଲା ।

 

ଖ୍ରୀ: ୧୮୫୮ର ଭାରତ ଆଇନଦ୍ୱାରା ଭାରତରେ ଏକ ନବଯୁଗରେ ଆରମ୍ଭ ହେଲା । ଭାରତ ଓ ଇଂଲଣ୍ଡ ମଧ୍ୟରେ ସୁସମ୍ପର୍କକୁ ସୁଦୃଢ଼ କରିବାପାଇଁ ପ୍ରିନ୍‌ସ ଅଫ୍‌ ୱେଲ୍‌ସ ଭାରତ ପରିଦର୍ଶନରେ ଆସିଲେ । ପରିସ୍ଥିତି ସହିତ ଖାପ ଖୁଆଇ ଭିକ୍‍ଟୋରିଆ ଭାରତର ସାମ୍ରାଜ୍ଞୀ ପଦବୀ ଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ପାମାରଷ୍ଟୋନ୍‍ଙ୍କ ପକ୍ଷେ ଏହା ଏକ ଅପୂର୍ବ କୃତିତ୍ୱ ଥିଲା-। କିନ୍ତୁ ଭାରତ ଆଇନ ପାସ୍ ହେବାର ଅଳ୍ପ କେତେ ସପ୍ତାହ ମଧ୍ୟରେ ତାଙ୍କର ପ୍ରଥମ ମନ୍ତ୍ରିମଣ୍ଡଳର ପତନ ଘଟିଥିଲା

 

ପ୍ରଥମ ମନ୍ତ୍ରିମଣ୍ଡଳର ପତନ ଓ ଦ୍ୱିତୀୟ ମନ୍ତ୍ରିମଣ୍ଡଳ ଗଠନ–ଫେଲିସ୍‌ ଓରସିନି ନାମକ ଇଟାଲୀୟ ସ୍ୱଦେଶରୁ ନିର୍ବାସିତ ହୋଇ ଇଂଲଣ୍ଡରେ ବସବାସ କରୁଥିଲେ । ଇଟାଲୀୟମାନଙ୍କ ସ୍ୱାଧୀନତା ଓ ରାଜନୈତିକ ଏକତ୍ରୀକରଣ ଦିଗରେ ସେ ଅନବରତ ଚିନ୍ତା କରୁଥିଲେ ଓ ସଭା ସମିତିରେ ଭାଷଣ ଦେଇ ଜନମତ ସୃଷ୍ଟି କରୁଥିଲେ । ତାଙ୍କର ଧାରଣା ଥିଲା ଯେ, ଫ୍ରାନ୍‌ସ ସମ୍ରାଟ ତୃତୀୟ ନେପୋଲିଅନଙ୍କ ପାଇଁ ଇଂରେଜ ସରକାର ଇଟାଲୀୟମାନଙ୍କର ଜାତୀୟ–ଐକ୍ୟ–ଆନ୍ଦୋଳନରେ ପ୍ରତ୍ୟକ୍ଷ ସହାୟତା କରିପାରୁନାହାନ୍ତି । ସେହି ଭ୍ରାନ୍ତ ଧାରଣା ମନରେ ପୋଷଣ କରି ସେ ଖ୍ରୀ: ୧୮୫୯ ଜାନୁୟାରୀ ୧୪ ତାରିଖରେ ନେପୋଲିଅନ୍‌ଙ୍କୁ ହତ୍ୟା କରିବାର ଅପଚେଷ୍ଟା କରି ବିଫଳ ହୋଇଥିଲେ । କିନ୍ତୁ ଓରସିନିଙ୍କ ଅପଚେଷ୍ଟା ଯୋଗୁଁ ଫ୍ରାନ୍‌ସ ଏବଂ ଇଂଲଣ୍ଡ ମଧ୍ୟରେ ଭୁଲ ବୁଝାମଣା ସୃଷ୍ଟି ହେଲା । ଫରାସୀ ସମ୍ବାଦପତ୍ରରେ ଇଂରେଜ ସରକାରକୁ ନିନ୍ଦା କରି ଲେଖାମାନ ପ୍ରକାଶିତ ହେଲା । ସେ ପରିସ୍ଥିତିର ମୁକାବିଲା କରିବାପାଇଁ ପାମାରଷ୍ଟୋନ୍‌ ଫେବୃୟାରୀ ୮ ତାରିଖରେ ହତ୍ୟାପାଇଁ ଷଡ଼ଯନ୍ତ୍ର ବିଲ୍‌ ଆଗତ କରିଥିଲେ । ହତ୍ୟା କରିବା ଉଦ୍ଦେଶ୍ୟ ନେଇ ଷଡ଼ଯନ୍ତ୍ର କଲେ ଅଭିଯୁକ୍ତ ଚକ୍ରାନ୍ତକାରୀମାନଙ୍କ ପାଇଁ ଇଂଲଣ୍ଡ ଓ ଆୟାରଲାଣ୍ଡ୍‍ରେ ଭିନ୍ନ ପ୍ରକାର ଶାସ୍ତି ଦିଆଯାଉଥିଲା ସେ ସମ୍ପର୍କୀୟ ପ୍ରଚଳିତ ଆଇନରେ ଐକ୍ୟ ଆଣିବାପାଇଁ ପାମାରଷ୍ଟୋନ୍‌ ଉପରୋକ୍ତ ବିଲ୍‌ ଆଗତ କରିଥିଲେ । ଫ୍ରାନ୍‌ସ ସରକାରଙ୍କଦ୍ୱାରା ପ୍ରଭାବିତ ହୋଇ ପାମାରଷ୍ଟୋନ୍ ‘‘ହତ୍ୟାପାଇଁ ଷଡ଼ଯନ୍ତ୍ର’’ ବିଲ୍‌ ପ୍ରସ୍ତାବ କରିଥିବାର ମିଥ୍ୟା ରଟନା ବିରୋଧୀଦଳ ପ୍ରଚାର କରିବାଦ୍ୱାରା ବିଲ୍‌ଟି ପାର୍ଲିଆମେଣ୍ଟ୍‍ରେ ଗୃହୀତ ହୋଇ ପାରିଲା ନାହିଁ ଏବଂ ପାମାରଷ୍ଟୋନ୍‌ଙ୍କ ସରକାର ପରାସ୍ତ ହେଲେ । ପାରମ୍ପରିକ ଅନୁସାରେ ପାମାରଷ୍ଟୋନ୍‌ ତତ୍‌କ୍ଷଣାତ୍‍ ଇସ୍ତଫା ପତ୍ର ଦାଖଲ କଲେ ସିନା କିନ୍ତୁ ତାଙ୍କ ପରେ ଦୃଢ଼ ମନ୍ତ୍ରିମଣ୍ଡଳ ଗଠନ କରିବାରେ କେହି ସମର୍ଥ ହେଲେ ନାହିଁ । ତେଣୁ ରାଣୀ ପୁନଶ୍ଚ ପାମାରଷ୍ଟୋନ୍‍ଙ୍କୁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଅର୍ପଣ କରିଥିଲେ (ଖ୍ର: ୧୮୫୯) । ଏହି ଦ୍ୱିତୀୟ ମନ୍ତ୍ରିମଣ୍ଡଳ ଖ୍ରୀ: ୧୮୬୫ ପର୍ଯ୍ୟନ୍ତ ସ୍ଥାୟୀ ହୋଇ ରହିଥିଲା ।

 

ପାମାରଷ୍ଟୋନ୍‌ଙ୍କ ଦ୍ୱିତୀୟ ମନ୍ତ୍ରିମଣ୍ଡଳରେ ବିଶେଷତଃ ବୈଦେଶିକ ବ୍ୟାପାର ସଂକ୍ରାନ୍ତରେ ଇଟାଲୀୟ ଐକ୍ୟ ପ୍ରତିଷ୍ଠା ଚୀନରେ ଦ୍ୱିତୀୟଥର ପାଇଁ ଯୁଦ୍ଧ, ଯୁକ୍ତରାଷ୍ଟ୍ର ଆମେରିକାର ଗୃହଯୁଦ୍ଧ ଏବଂ ଜର୍ମାନୀର ରାଜନୈତିକ ଏକୀକରଣ ଦିଗରେ ପ୍ରୁସିଆର ପ୍ରଥମ ସାମରିକ ଅଭିଯାନ ଆଦି ନାନା ଉଲ୍ଲେଖଯୋଗ୍ୟ ଘଟଣା ଘଟିଥିଲା ।

 

ଇଟାଲୀୟ ଐକ୍ୟ ସଂଗ୍ରାମର ସାଫଲ୍ୟପାଇଁ ପାମାରଷ୍ଟୋନ୍‌ଙ୍କ ସହାନୁଭୂତି ଓ ଶୁଭେଚ୍ଛା ଥିଲା । ତାଙ୍କୁ ସେ ଦିଗରେ ଲର୍ଡ଼ ଜନ୍‌ ରାସେଲ୍‌ ଏବଂ ଗ୍ଲାଡ଼ଷ୍ଟୋନ୍‌ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ । ଇଟାଲୀୟ ଅଞ୍ଚଳ ଉପରେ ଅଷ୍ଟ୍ରିୟାର କୌଣସି ରାଜନୈତିକ ପ୍ରତିପତ୍ତିକୁ ସେମାନେ ସ୍ୱୀକାର କରୁ ନଥିଲେ । ଜାତୀୟ–ଐକ୍ୟ–ପ୍ରତିଷ୍ଠା ଦିଗରେ ଇଟାଲୀୟ ବ୍ୟାପାରରେ ଅନ୍ୟ କାହାରି ଅଯଥା ହସ୍ତକ୍ଷେପ ଅନାବଶ୍ୟକ ବୋଲି ସେମାନେ ମତ ପ୍ରକାଶ କରିଥିଲେ । ତେଣୁ ଗାରିବାଲ୍ଡ଼ିଙ୍କର ସିସିଲି ଓ ନେପ୍ଲସ୍‌ ଅଭିଯାନ କାଳରେ ଇଂରେଜ ସରକାର ତାଙ୍କର ମୌନ ସମ୍ମତି ଜ୍ଞାପନ କରିଥିଲେ । ସ୍ୱାଧୀନ–ଇଟାଲୀ–ରାଷ୍ଟ୍ର ପ୍ରତିଷ୍ଠା ଦିଗରେ ତେଣୁ ପାମାରଷ୍ଟୋନ୍‌ଙ୍କ ଅବଦାନ ଯଥେଷ୍ଟ ଥିଲା ।

 

ଚୀନାଯୁଦ୍ଧ–ଖ୍ରୀ: ୧୮୫୮ରେ ‘ଡିଏନ୍‌ସିନ୍‌ ଚୁକ୍ତି’କୁ କାର୍ଯ୍ୟକାରୀ କରିବାକୁ ଚୀନ ଅନିଛୁକ ହେବାରୁ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ପାମାରଷ୍ଟୋନ୍ ଏକ ବିରାଟ ସାମରିକ ବାହିନୀ ଚୀନ ଅଭିମୁଖରେ ପ୍ରେରଣ କରିଥିଲେ । ପ୍ରବଳ ଯୁଦ୍ଧ ପରେ ଚୀନାମାନେ ଖ୍ରୀ: ୧୮୬୦ ଅକ୍‍ଟୋବର ୨୪ ତାରିଖରେ ପେକିଙ୍ଗଠାରେ ଡିଏନ୍‌ସିନ୍‌ ଚୁକ୍ତିକୁ କାର୍ଯ୍ୟକାରୀ କରିବାପାଇଁ ରାଜି ହୋଇଥିଲେ । ଫଳରେ ଡିଏନ୍‌ସିନ୍‌ ବନ୍ଦର ଇଂରେଜ ବ୍ୟବସାୟୀମାନଙ୍କ ଉଦ୍ଦେଶ୍ୟରେ ଉନ୍ମୁକ୍ତ ହୋଇଥିଲା । ସେହିପରି ପରିସ୍ଥିତି ଜାପାନରେ ମଧ୍ୟ ଉପୁଜିଥିଲା । ଖ୍ରୀ: ୧୮୬୨ରେ ଇଂରେଜ ପ୍ରତିନିଧି ରିଚାର୍ଡ଼ସନ୍‌ଙ୍କୁ ହତ୍ୟା କରିବା ଯୋଗୁଁ ପାମାରଷ୍ଟୋନ୍‌ ଜାପାନ ବିରୁଦ୍ଧରେ ସାମରିକ ଅଭିଯାନ ଚଳାଇ କ୍ଷତିପୂରଣ ସହ ବ୍ୟାବସାୟିକ ଅଧିକାର ଲାଭ କରିଥିଲେ ।

 

କବ୍‌ଡ଼େନ୍‌ ଚୁକ୍ତି–ଖ୍ରୀ: ୧୮୬୦ରେ ଫ୍ରାନ୍‌ସ ସହିତ ଇଂଲଣ୍ଡର ଯେଉଁ ପ୍ରସିଦ୍ଧ ବାଣିଜ୍ୟ ଚୁକ୍ତି ସଂପାଦିତ ହୋଇଥିଲା ତାହା ‘କବ୍‌ଡ଼େନ୍ ଚୁକ୍ତି’ ନାମରେ ଅଭିହିତ । ଏହି ରାଜିନାମାଫଳରେ ସମ୍ରାଟ ନେପୋଲିଅନ୍‌ ଇଂଲଣ୍ଡରୁ ଆମଦାନୀ ହେଉଥିବା ଲୁହା, ଇସ୍ପାତ, କୋଇଲା, ଯନ୍ତ୍ରପାତି ଉପରୁ ଆମଦାନୀ ଶୁଳ୍କ କମାଇ ଦେଇଥିଲେ । ସେହିପରି ଫ୍ରାନ୍‌ସରୁ ଆସିଥିବା ମଦ ଓ ବ୍ରାଣ୍ଡି ଉପରୁ ଇଂଲଣ୍ଡ ସରକାର ଶୁଳ୍କ କମାଇ ଦେଇଥିଲେ । ଏହି ଚୁକ୍ତି ଦୁଇଦେଶ ମଧ୍ୟରେ ସୌହାର୍ଦ୍ଦ୍ୟମୂଳକ ବାତାବରଣ ସୃଷ୍ଟି କରିପାରିଥିଲା ।

 

ଯୁକ୍ତରାଷ୍ଟ୍ର ଆମେରିକାର ଗୃହଯୁଦ୍ଧ–ଖ୍ରୀ: ୧୮୬୦ରେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରେସିଡ଼େଣ୍ଟ୍‍ରୂପେ ଆବ୍ରାହାମ୍‌ଲିଙ୍କନ୍‌ ନିର୍ବାଚିତ ହୋଇଥିଲେ । ସେ କ୍ରୀତଦାସ ପ୍ରଥା ବିରୁଦ୍ଧରେ ସର୍ବଦା ମତପୋଷଣ କରୁଥିଲେ । ଆମେରିକାରେ ଥିବା ନିଗ୍ରୋମାନେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ଯେପରି ଅବହେଳିତ ଓ ନିଷ୍ପେଷିତ ହେଉଥିଲେ ତାହା ଅବର୍ଣ୍ଣନୀୟ । ଉକ୍ତ ପ୍ରସଙ୍ଗ ନେଇ ସେ ଦେଶରେ ତୁମୂଳ ବାଦାନୁବାଦ ଚାଲିଥିଲା ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ତାହା ପ୍ରତିଫଳିତ ହେଲା । ଦକ୍ଷିଣ ଭାଗରେ ଥିବା ରାଜ୍ୟଗୁଡ଼ିକରେ ନିଗ୍ରୋଦାସଙ୍କ ବିନା କୃଷିକାର୍ଯ୍ୟ ସଂପନ୍ନ ହୋଇ ପାରିବ ନାହିଁ ବୋଲି ଉପଲବ୍ଧି କରି ସେଠାକାର ଶ୍ୱେତକାୟ ଜମି ମାଲିକମାନେ ଦାସତ୍ୱ ପ୍ରଥାର ପ୍ରଧାନ ପୃଷ୍ଠପୋଷକ ଥିଲେ ଏବଂ ଦାସତ୍ୱ ପ୍ରଥା ଲୋପପାଇଁ ରାଜି ନଥିଲେ । କାରଣ ନିଗ୍ରୋମାନେ ଥିଲେ ସେମାନଙ୍କର ଅର୍ଥନୈତିକ ସମୃଦ୍ଧିର ମେରୁଦଣ୍ଡ । ରାଷ୍ଟ୍ରପତି ଲିଙ୍କନ୍‌ କିନ୍ତୁ ଦାସତ୍ୱ ପ୍ରଥାର ଅମାନୁଷିକତା ଓ ବର୍ବରତା କଥା ପର୍ଯ୍ୟାଲୋଚନା କରି ତା’ବିରୁଦ୍ଧରେ ଆଇନ ପ୍ରଣୟନ ପାଇଁ ସଂକଳ୍ପ କରିଥିଲେ । ତେଣୁ ଆବ୍ରାହାମ୍‍ଲିଙ୍କନ୍‌ଙ୍କ ଶାସନ କାଳରେ ଦାସତ୍ୱ ପ୍ରଥା ଲୋପଦ୍ୱାରା ଅର୍ଥନୀତିକ ସୌଧ ଧ୍ୱଂସ ପାଇବ ବୋଲି ଆଶଙ୍କା କରି ଦକ୍ଷିଣ ଭାଗରେ ରାଜ୍ୟଗୁଡ଼ିକ ଯୁକ୍ତରାଷ୍ଟ୍ର–ସଂଘରୁ ଓହରିଯିବା ସିଦ୍ଧାନ୍ତ ଗ୍ରହଣ କଲେ । ତଦ୍ଦ୍ୱାରା ଯୁକ୍ତରାଷ୍ଟ୍ରର ସଂହତି ବିପନ୍ନ ହୋଇଥିଲା କିନ୍ତୁ ସେହି ଆତ୍ମଘାତୀ ନୀତିରୁ ଆମେରିକୀୟମାନଙ୍କୁ ରକ୍ଷା କରିବା ଉଦ୍ଦେଶ୍ୟରେ ଲିଙ୍କନ୍‌ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବାକୁ ବଦ୍ଧପରିକର ହେଲେ । ଫଳରେ ଏକ ପକ୍ଷରେ ଯୁକ୍ତରାଷ୍ଟ୍ର ଆମେରିକାର କେନ୍ଦ୍ର ସରକାର ଏବଂ ଅପରପକ୍ଷରେ ଦକ୍ଷିଣ ଭାଗସ୍ଥିତ ଜର୍ଜିଆ, ଫ୍ଲୋରିଡ଼ା, ଆଲବାମା ମିସିସିପି, ଲସିଆନା, ଟେକ୍‌ସାସ୍‌ ଏବଂ ଦକ୍ଷିଣ କେରୋଲିନା ପ୍ରଭୃତି ରାଜ୍ୟଗୁଡ଼ିକ ମିଳିତଭାବେ ପରସ୍ପର ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କରିଥିଲେ । ଏହି ଯୁଦ୍ଧକୁ ଆମେରିକାର ଗୃହଯୁଦ୍ଧ କୁହାଯାଏ ।

 

ଆମେରିକାର ଗୃହଯୁଦ୍ଧରେ ପାମାରଷ୍ଟୋନ୍–ସରକାର ସମ୍ପୂର୍ଣ୍ଣ ନିରପେକ୍ଷ ନୀତି ଅବଲମ୍ବନ କରିଥିଲେ । ଦକ୍ଷିଣ ରାଜ୍ୟଗୁଡ଼ିକରୁ ଇଂଲଣ୍ଡର ବସ୍ତ୍ରଶିଳ୍ପ ପାଇଁ ତୁଳା ଆମଦାନୀ ହେଉଥିବାରୁ ଅନେକ ନେତୃସ୍ଥାନୀୟ ଇଂରେଜ ସେମାନଙ୍କ ପ୍ରତି (ଦକ୍ଷିଣରାଜ୍ୟ ସମୂହ ପ୍ରତି) ସହାନୁଭୂତି ଜ୍ଞାପନ କରୁଥିଲେହେଁ ସରକାରୀ ନୀତି ଦୃଢ଼ ନିରପେକ୍ଷତା ଉପରେ ଆଧାରିତ ଥିଲା ।

 

ଏହି ଗୃହଯୁଦ୍ଧ ସମୟରେ ଦକ୍ଷିଣରାଜ୍ୟ ସ୍ୱାର୍ଥ ପକ୍ଷରେ ଇଉରୋପୀୟ ଜନମତକୁ ପ୍ରଭାବିତ କରିବାପାଇଁ ମେସନ୍‌ ଏବଂ ସ୍ଲାଇଡ଼େଲ୍‌ ନାମକ ଦୁଇଜଣ ରାଜନୀତିଜ୍ଞ ଇଉରୋପକୁ ଗୁପ୍ତରେ ଟ୍ରେଣ୍ଟ’ ନାମକ ବ୍ରିଟିଶ ଜାହାଜରେ ଯାଉଥିବା ସମୟରେ କେନ୍ଦ୍ର ସରକାରଙ୍କ ଯୁଦ୍ଧଜାହାଜଦ୍ୱାରା ବନ୍ଦୀ ହୋଇଥିଲେ । ବଳପ୍ରଦର୍ଶନ କରି ବ୍ରିଟିଶ ଜାହାଜରୁ ସେମାନଙ୍କୁ ବନ୍ଦୀକରି ଯୁକ୍ତରାଷ୍ଟ୍ରକୁ ନେଇଯିବାଦ୍ୱାରା ବ୍ରିଟିଶ ସରକାର ଅତ୍ୟନ୍ତ କ୍ଷୁବ୍ଧ ହୋଇ ପ୍ରତିବାଦ କରିଥିଲେ । ଏହି ସମସ୍ୟା ନେଇ ଯୁକ୍ତରାଷ୍ଟ୍ର ଆମେରିକା ଓ ଇଂଲଣ୍ଡ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଆଶଙ୍କା ଥିଲା କିନ୍ତୁ ପ୍ରିନସ ଆଲବାର୍ଟ (ଭିକ୍‌ଟୋରିଆଙ୍କ ସ୍ୱାମୀ)ଙ୍କ ପରିପକ୍ୱ କୂଟନୈତିକ ପରାମର୍ଶଫଳରେ ତାହା ଦୂରୀଭୂତ ହୋଇଥିଲା ।

 

ଖ୍ରୀ: ୧୮୬୧ ଡିସେମ୍ବର ୧୪ ତାରିଖଦିନ ରୁଗ୍‌ଣ ଆଲବାର୍ଟ ପ୍ରାଣତ୍ୟାଗ କରିଥିଲେ । ତାଙ୍କ ପ୍ରୟାଣରେ ରାଣୀ ଏବଂ ସମଗ୍ର ଇଂରେଜ ଜାତି ଶୋକରେ ଅଭିଭୂତ ହୋଇଥିଲେ । ଭିକ୍‍ଟୋରିଆଙ୍କ ପାଇଁ ଆଲବାର୍ଟ ଥିଲେ ଅସୀମ ଧୈର୍ଯ୍ୟ ଓ ବିଜ୍ଞତାର ଆଧାର । ଇଂରେଜ ଜାତିର କଲ୍ୟାଣ ଏବଂ ବ୍ରିଟିଶ ସାମ୍ରାଜ୍ୟର ସୁଶାସନ ଦିଗରେ ଆଲବାର୍ଟଙ୍କ ତ୍ୟାଗ ତଥା ନିଷ୍ଠାପରତା ଅତି ଉଚ୍ଚକୋଟିର ଥିଲା ।

 

ଡେନ୍‍ମାର୍କ ଓ ବିସମାର୍କ–ଖ୍ରୀ: ୧୮୬୪ରେ ଜର୍ମାନୀର ରାଜନୈତିକ ଏକୀକରଣ ଦିଗରେ ବିସମାର୍କ ପ୍ରଥମ ପଦକ୍ଷେପସ୍ୱରୂପ ଡେନ୍‍ମାର୍କର ସ୍ଲେସୱିଗ୍‌ ଏବଂ ହୋଲଷ୍ଟିନ୍‌ ଅଞ୍ଚଳ ଉପରେ ଅଷ୍ଟ୍ରିଆ ସହ ମିଳିତ ସାମରିକ ଅଭିଯାନ ଚଳାଇବାଦ୍ୱାରା ଆଉ ଏକ ସଙ୍କଟ ଉପୁଜିଥିଲା । ବୈଦେଶିକ ମନ୍ତ୍ରୀ ରାସେଲ୍‌ ଶାନ୍ତି ପ୍ରତିଷ୍ଠାପାଇଁ ବିବାଦୀୟ ଦେଶ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଚାହୁଁଥିଲେ । ନଚେତ୍ ଫ୍ରାନ୍‌ସ ସହ ମିଳିତ ହୋଇ ଡେନ୍‌ମାର୍କକୁ ସାହାଯ୍ୟ ଦେବା ତାଙ୍କର ଅଭିପ୍ରାୟ ଥିଲା । ପାମାରଷ୍ଟୋନ୍‌ ଫ୍ରାନ୍‌ସର ସହଯୋଗରେ ଏପରି କୌଣସି କାର୍ଯ୍ୟାନୁଷ୍ଠାନ ପାଇଁ ଏକମତ ନଥିଲେ । ଜର୍ମାନମାନଙ୍କର ଅଭିପ୍ରାୟ ଜାଣିଥିବାରୁ ରାଣୀ ମଧ୍ୟ ଇଂଲଣ୍ଡକୁ କୌଣସି ଯୁଦ୍ଧରେ ସମ୍ପୃକ୍ତ କରିବାର ପକ୍ଷପାତୀ ନଥିଲେ । ତେଣୁ ଇଂଲଣ୍ଡ ନିରପେକ୍ଷ ନୀତି ଅବଲମ୍ବନ କରିଥିଲା । ପାମାରଷ୍ଟୋନ୍‌, ରାସେଲ ଏବଂ ଇଂଲଣ୍ଡର ଜନମତ ଡେନ୍‍ମାର୍କ ପ୍ରତି ସହାନୁଭୂତିଶୀଳ ଥିଲେହେଁ ରାଣୀଙ୍କର ଅବିରତ ପ୍ରଚେଷ୍ଟା ଯୋଗୁଁ ଇଂଲଣ୍ଡ ଯୁଦ୍ଧଠାରୁ ନିଜରୁ ଦୂରେଇ ରଖିପାରିଲା ।

 

ଖ୍ରୀ: ୧୮୬୫ ଜୁଲାଇ ମାସରେ ପାର୍ଲିଆମେଣ୍ଟ୍‍କୁ ଭାଙ୍ଗିଦିଆଗଲା ଏବଂ ସାଧାରଣ ନିର୍ବାଚନରେ ପୁଣି ପାମାରଷ୍ଟୋନ୍‍ଙ୍କ ଦଳ ଜୟଯୁକ୍ତ ହେଲେ । କିନ୍ତୁ ସେ ଆଉ ଅଧିକକାଳ କ୍ଷମତାରେ ରହିପାରିଲେ ନାହିଁ । ତାଙ୍କର ସ୍ୱାସ୍ଥ୍ୟ କ୍ରମଶଃ ଭାଙ୍ଗିପଡ଼ିଲା । ଅତି ଅଳ୍ପଦିନରେ ରୋଗାକ୍ରାନ୍ତ ହୋଇ ୮୧ ବର୍ଷ ବୟସରେ ସେ ପ୍ରାଣତ୍ୟାଗ କଲେ । ତାଙ୍କ ମୃତ୍ୟୁଫଳରେ ଏକ ଦୀର୍ଘ ଘଟଣା ବହୁଳ ରାଜନୈତିକ ଯୁଗର ଅବସାନ ଘଟିଲା । ହ୍ୱିଗ୍‌ଦଳର ପ୍ରଭାବ ଲୋପପାଇବା ସଙ୍ଗେ ସଙ୍ଗେ ଇଂଲଣ୍ଡର ରାଜନୀତିରୁ ଜଣେ ବଳିଷ୍ଠ, ସୁଦକ୍ଷ, ଆଶାବାଦୀ, ଦେଶଭକ୍ତ କୂଟନୀତିଜ୍ଞ ଚିରଦିନ ପାଇଁ ତିରୋଧାନ ବିଦାୟ ନେଲେ ।

 

(୫) ଦ୍ୱିତୀୟ ସଂସ୍କାର ଆଇନ (୧୮୬୭ ଖ୍ରୀ:) ଲର୍ଡ଼ ପାମାରଷ୍ଟୋନ୍‌ ପ୍ରଧାନମନ୍ତ୍ରୀ ଥିବା କାଳରେ ଇଂଲଣ୍ଡରେ ସ୍ଥାୟୀ ଏବଂ ସୁଦୃଢ଼ ସରକାର ଗଢ଼ା ହୋଇଥିଲେହେଁ ସାମ୍ବିଧାନିକ ସଂସ୍କାର ବା ନୂତନ ଆଇନ ପ୍ରଣୟନ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନଥିଲା । ତେଣୁ ପାମାରଷ୍ଟୋନ୍‍ଙ୍କ ମୃତ୍ୟୁ ପରବର୍ତ୍ତୀ କୋଡ଼ିଏବର୍ଷ ମଧ୍ୟରେ ପରିବର୍ତ୍ତନର ଗତି ଅତି ଦ୍ରୁତ ହୋଇଥିଲା-। ବିଶେଷତଃ ଗଣତାନ୍ତ୍ରିକ ସଂସ୍କାର ଦିଗରେ ଇଂଲଣ୍ଡର ନେତୃତ୍ୱ ଅତି ତାତ୍ପର୍ଯ୍ୟପୂର୍ଣ୍ଣ ଥିଲା-

 

ଖ୍ରୀ: ୧୮୬୫ ପରେ ମନ୍ତ୍ରିମଣ୍ଡଳ ଗଢ଼ିବାପାଇଁ ଭିକ୍‍ଟୋରିଆ ଲର୍ଡ଼ ଜନ୍‌ ରାସେଲଙ୍କୁ ଆମନ୍ତ୍ରଣ କରିଥିଲେ । ଲର୍ଡ଼ ରାସେଲଙ୍କ ଏହି ଦ୍ୱିତୀୟ ମନ୍ତ୍ରିମଣ୍ଡଳ ରାଜନୈତିକ ସଂସ୍କାର ଦିଗରେ ମନୋନିବେଶ କରିଥିଲେ । ଗତ କେତେବର୍ଷ ଧରି ଶିଳ୍ପାଞ୍ଚଳଗୁଡ଼ିକରେ ଯେଉଁ ସହର ଜନସମାଗମର କେନ୍ଦ୍ରସ୍ଥଳୀରୂପେ ଗଢ଼ି ଉଠିଥିଲା ସେଠାକାର ଅଧିବାସୀମାନେ କୌଣସି ରାଜନୈତିକ ଅଧିକାର ଉପଭୋଗ କରିବାକୁ ସୁଯୋଗ ପାଇ ନଥିଲେ । ଇଂଲଣ୍ଡର ସର୍ବମୋଟ ସାବାଳକ ପୁରୁଷ ୫୩ ଲକ୍ଷ ହୋଇଥିଲେହେଁ ମାତ୍ର ନ’ଲକ୍ଷ ଭୋଟ ଅଧିକାର ପାଇଥିଲେ । ସେମାନଙ୍କର ସଂଖ୍ୟାବୃଦ୍ଧି କରିବାପାଇଁ, ଅର୍ଥାତ୍‌ ଅଧିକ ଲୋକଙ୍କୁ ଭୋଟକ୍ଷମତା ପ୍ରଦାନ କରିବାପାଇଁ ଖ୍ରୀ: ୧୮୬୬ ମାର୍ଚ୍ଚ ମାସ ୧୨ ତାରିଖ ଦିନ ଗ୍ଲାଡ଼ଷ୍ଟୋନଙ୍କଦ୍ୱାରା ‘ଦ୍ୱିତୀୟ ସଂସ୍କାର ବିଲ୍’ ଆଗତ ହୋଇଥିଲା । ତହିଁରେ ପ୍ରଥମ ସଂସ୍କାର ବିଲ୍‍ର ଅନୁରୂପ ପ୍ରସ୍ତାବ ରହିଥିଲେହେଁ ଭୋଟରମାନଙ୍କ ଯୋଗ୍ୟତା କୋହଳ କରିଦିଆଗଲା । ‘ବୋରା’ ସହରଗୁଡ଼ିକରେ ନିଜର ବାସଗୃହ ଥିବା ଲୋକେ ଏବଂ ଭଡ଼ାଘରେ ରହୁଥିବା ବ୍ୟକ୍ତି ବାର୍ଷିକ ୧୦ ଲକ୍ଷ ନୂଆ ଭୋଟର ତାଲିକାଭୁକ୍ତ ହୋଇଥିଲେ । ଏହି ସଂସ୍କାର ଆଇନ କିନ୍ତୁ କୃଷିକାର୍ଯ୍ୟରେ ନିଯୁକ୍ତ ଶ୍ରମିକମାନଙ୍କୁ ଭୋଟ ଅଧିକାର ଦେଇପାରି ନଥିଲା । ତେବେ ମୋଟ ଭୋଟର ସଂଖ୍ୟା ପରିବର୍ଦ୍ଧିତ ହେବାରୁ ପାର୍ଲିଆମେଣ୍ଟ୍‍ ସାରା ଦେଶର ପ୍ରତିନିଧିତ୍ୱ ଦିଗରେ ସୀମିତ ସାଫଲ୍ୟ ହାସଲ କରିପାରିଲା । ଗଣତନ୍ତ୍ରର ବିକାଶ ମାର୍ଗରେ ଇଂଲଣ୍ଡର ଅଗ୍ରଗତି ଆଉ ଟିକିଏ ଦ୍ରୁତ ହୋଇଥିଲା । ନିର୍ବାଚନ ମଣ୍ଡଳୀରେ ଭୋଟରମାନେ ଦେଶ ଶାସନରେ ନିଜକୁ ଅଂଶୀଦାରରୂପେ ଉପଲବ୍ଧି କଲେ । ସାଧାରଣ ଭୋଟର, ରାଜନୈତିକ ଦଳ, ପ୍ରତିନିଧି ଓ ମନ୍ତ୍ରିମଣ୍ଡଳ ମଧ୍ୟରେ ଏକ ନିର୍ଭର ଯୋଗସୂତ୍ର ସ୍ଥାପିତ ହୋଇପାରିଲା ।

 

ଦ୍ୱିତୀୟ ସଂସ୍କାର ଆଇନ ପ୍ରଣୟନରେ ଜାଠଦଳର ନେତା ଡିସ୍‌ରାଏଲି ଅଶେଷ ସହାୟକ ହୋଇଥିଲେ । ଖ୍ରୀ: ୧୮୬୮ରେ ଲର୍ଡ଼ସଭାର ସଦସ୍ୟମାନେ ‘ଅନୁପସ୍ଥିତ ଭୋଟ’ ଦେବା ପ୍ରଥା ସର୍ବସମ୍ମତିକ୍ରମେ ପରିହାର କରି ଗଣତାନ୍ତ୍ରିକ ବିବର୍ତ୍ତନକୁ ତ୍ୱରାନ୍ୱିତ କରିଥିଲେ । ସେହି ବର୍ଷଠାରୁ ନିର୍ବାଚନ ସଂକ୍ରାନ୍ତୀୟ ମକଦ୍ଦମାର ବିଚାର କମନ୍‌ସ ସଭାରେ ନହୋଇ ବିଚାରକମଣ୍ଡଳୀଦ୍ୱାରା ହେବାର ସ୍ଥିରୀକୃତ ହେଲା । ପୁଣି ଖ୍ରୀ: ୧୮୭୨ରୁ ଜ୍ଞାତସାରରେ ଭୋଟଦେବା ପରିବର୍ତ୍ତେ ବେଲ୍‌ଟଦ୍ୱାରା ଗୁପ୍ତରେ ଭୋଟଦେବା ବ୍ୟବସ୍ଥା ଗୃହୀତ ହେଲା ।

 

(୬) ଗ୍ଲାଡ଼ଷ୍ଟୋନ୍‌ (ମନ୍ତ୍ରିତ୍ୱ ଖ୍ରୀ: ୧୮୬୮ ଖ୍ରୀ: ୧୮୭୪, ଖ୍ରୀ: ୧୮୮୦–୮୫; ଖ୍ରୀ: ୧୮୮୬ ଓ ଖ୍ରୀ: ୧୮୯୨–୯୪) :–ଉଇଲିୟମ୍‍ ଗ୍ଲାଡ଼ଷ୍ଟୋନ୍‌ ଖ୍ରୀ: ୧୮୦୯ରେ ଲିଭରପୁଲଠାରେ ଜନ୍ମଗ୍ରହଣ କରିଥିଲେ । ଇଟନ୍‌ ଏବଂ ଅକ୍‌ସଫୋର୍ଡ଼ରେ ତାଙ୍କର ବିଦ୍ୟାଶିକ୍ଷା ହୋଇଥିଲା । ସାମାଜିକ ପ୍ରତିପତ୍ତି, ସମ୍ପତ୍ତି, ସ୍ୱାସ୍ଥ୍ୟ ଇତ୍ୟାଦି କୌଣସିଥିରେ ତାଙ୍କର ଅଭାବ ନଥିଲା । ରାଜନୈତିକ ବିଚକ୍ଷଣତା ଓ ଦୂରଦୃଷ୍ଟିରେ ତାଙ୍କର ଅଶେଷ ଖ୍ୟାତି ଥିଲା । ଖ୍ରୀ: ୧୮୩୨ରୁ ସେ ରବାର୍ଟ ପୀଲଙ୍କୁ ଗୁରୁଭାବରେ ଗ୍ରହଣ କରି ଖ୍ରୀ: ୧୮୪୬ ପର୍ଯ୍ୟନ୍ତ ଟୋରୀ ଦଳର ସମର୍ଥକ ଥିଲେ-। ତା’ପରେ କ୍ରମଶଃ ଉଦାରନୈତିକ ଦଳ ପ୍ରତି ସେ ଆକୃଷ୍ଟ ହୋଇଥିଲେ । ସେତେବେଳେ ବେଞ୍ଜାମିନ ଡିସ୍‌ରାଏଲି ଜାଠଦଳର ନେତା ଥା’ନ୍ତି ।

 

ଗ୍ଲାଡ଼ଷ୍ଟୋନ୍ ଚାରିଥର ଇଂଲଣ୍ଡର ପ୍ରଧାନମନ୍ତ୍ରୀତ୍ୱ ଗ୍ରହଣ କରିଥିଲେ । ତାଙ୍କର ପ୍ରଥମ ମନ୍ତ୍ରିମଣ୍ଡଳ ଖ୍ରୀ: ୧୮୬୮ରୁ ଖ୍ରୀ: ୧୮୭୪, ଦ୍ୱିତୀୟ ଖ୍ରୀ: ୧୮୮୦ରୁ ଖ୍ରୀ: ୧୮୮୫, ତୃତୀୟ ଖ୍ରୀ: ୧୮୮୬ ଫେବୃୟାରୀ ମାସରୁ ଅଗଷ୍ଟ ଏବଂ ଚତୁର୍ଥ ଖ୍ରୀ: ୧୮୯୨ରୁ ଖ୍ରୀ: ୧୮୯୪ ପର୍ଯ୍ୟନ୍ତ ଶାସନ ଦାୟିତ୍ୱ ତୁଲାଇଥିଲେ । ଏହି ଶାସନକାଳ ସମୟରେ ସେ ବୈଦେଶିକ ବ୍ୟାପାର ଅପେକ୍ଷା ଆଭ୍ୟନ୍ତରୀଣ ବ୍ୟାପାରରେ ଅଧିକ ସଫଳତା ଏବଂ କୃତିତ୍ୱ ହାସଲ କରିଥିଲେ । ବିଶେଷତଃ ଅର୍ଥନୀତିକ ବିଶେଷଜ୍ଞ ହିସାବରେ ସେ ଅପୂର୍ବ ବିଚକ୍ଷଣତା ପ୍ରଦର୍ଶନ କରିଥିଲେ । ଅର୍ଥମନ୍ତ୍ରୀ ଥିବା ସମୟରେ ସେ ‘ଅବାଧ ବାଣିଜ୍ୟ’ର ସମର୍ଥକ ଥିଲେ । କାଗଜ ସମେତ ଅନେକ ସାମଗ୍ରୀ ଉପରୁ ବାଣିଜ୍ୟ ଶୁଳ୍କ ପ୍ରତ୍ୟାହାର କରିବା ତାଙ୍କର ପ୍ରଥମ କୃତିତ୍ୱ ଥିଲା । ତାଙ୍କ ମତରେ କାଗଜ ଉପରେ ଶୁଳ୍କ ବସାଇବା ଅର୍ଥ ଜ୍ଞାନ ଉପରେ ଶୁଳ୍କ ବସାଇବା । ତାଙ୍କରି ପ୍ରଚେଷ୍ଟାରେ ‘ଅର୍ଥବିଭାଗ ଯାଞ୍ଚ ଆଇନ’ ପ୍ରଣୀତ ହେବାରୁ ପାର୍ଲିଆମେଣ୍ଟ୍‍କୁ ଅର୍ଥବିଭାଗ ଉପରେ ପୂର୍ଣ୍ଣ କର୍ତ୍ତୃତ୍ୱ ମିଳିଥିଲା । ପୋଷ୍ଟ୍ ଅଫିସ୍‍ଗୁଡ଼ିକରେ ସ୍ୱଳ୍ପସଞ୍ଚୟ ଯୋଜନାକୁ ସେ କାର୍ଯ୍ୟକାରୀ କରିଥିଲେ । ସେ ସମୟରେ ବଜେଟ ପ୍ରସ୍ତୁତ କରିବାରେ ତାଙ୍କର ସମକକ୍ଷ ବିଶେଷଜ୍ଞ ଇଂଲଣ୍ଡରେ କେହି ନଥିଲେ ।

 

ସାମାଜିକ ଓ ପ୍ରଶାସନିକ ସଂସ୍କାର–ଶିକ୍ଷା ସମ୍ପର୍କରେ ଗ୍ଲାଡ଼ଷ୍ଟୋନ୍‍ଙ୍କ ମନ୍ତ୍ରିମଣ୍ଡଳ ଅନେକ ନୂତନ ଯୋଜନାକୁ ରୂପରେଖ ଦେଇଥିଲେ । ତାଙ୍କ ସହକର୍ମୀମାନେ ବିଶେଷତଃ ଫଷ୍ଟାର ଏ ଦିଗରେ ବିଶେଷ ସାହାଯ୍ୟ କରିଥିଲେ । ଖ୍ରୀ: ୧୮୭୦ରେ ଶିକ୍ଷା ଆଇନ ପ୍ରଣୟନ କରି ସରକାର ତତ୍କାଳୀନ ଶିକ୍ଷା ପଦ୍ଧତିକୁ ପୁନର୍ଗଠିତ କଲେ । ସେହିବର୍ଷଠାରୁ ସରକାରୀ ଉଦ୍ୟୋଗରେ ଶିକ୍ଷାୟତନମାନ ପ୍ରତିଷ୍ଠିତ ହେଲା ଏବଂ ନିମ୍ନ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ସରକାରୀ ଅର୍ଥ ସାହାଯ୍ୟ ନେଇ ଓ ବିଦ୍ୟାଳୟଗୁଡ଼ିକ ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥାର ଆର୍ଥିକ ସାହାଯ୍ୟ ନେଇ ପରିଚାଳିତ ହେଲେ-। ଛାତ୍ରମାନଙ୍କ ପାଇଁ ପାଠ୍ୟବିଷୟ ନିର୍ଣ୍ଣୟ, ଶିକ୍ଷକମାନଙ୍କ ପାଇଁ ପ୍ରଶିକ୍ଷଣର ବ୍ୟବସ୍ଥା, ଶିକ୍ଷାନୁଷ୍ଠାନ ପାଇଁ ଗୃହଯୋଗାଣ ଏବଂ ଶିକ୍ଷା ବ୍ୟବସ୍ଥାର ଉପଯୁକ୍ତ ତଦାରଖ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି ଏହି ସମୟରୁ ଆରମ୍ଭ ହେଲା ।

 

ସେହିପରି ସାମରିକ ବିଭାଗରେ ମଧ୍ୟ ଗ୍ଲାଡ଼ଷ୍ଟୋନ୍ କେତେକ ସଂସ୍କାର ପ୍ରବର୍ତ୍ତନ କରିଥିଲେ । କ୍ରିମିଆ ଯୁଦ୍ଧ ଏବଂ ଭାରତର ସିପାହୀବିଦ୍ରୋହ ସମୟରେ ଇଂରେଜ ସାମରିକ ବ୍ୟବସ୍ଥାରେ କେତେକ ଗୁରୁତର ତ୍ରୁଟି ଥିବାର ଲକ୍ଷିତ ହୋଇଥିଲା । ଅଧିକନ୍ତୁ ଇଉରୋପୀୟ ରାଜନୀତିରେ ପ୍ରୁସିଆ ନୂତନ ସାମରିକ ବ୍ୟବସ୍ଥା ଓ ସମର କୌଶଳ ପ୍ରୟୋଗ କରି ପ୍ରାଧାନ୍ୟ ବିସ୍ତାର କରିବା ଯୋଗୁଁ ଅନ୍ୟାନ୍ୟ ଇଉରୋପୀୟ ରାଷ୍ଟ୍ରମାନଙ୍କରେ ସାମରିକ ବ୍ୟବସ୍ଥାକୁ ଆଧୁନିକ ଢାଞ୍ଚାରେ ଗଢ଼ିବା ନିହାତି ଜରୁରୀ ବୋଧ ହେଲା । ପ୍ରତିରକ୍ଷା ବିଭାଗ କାର୍ଯ୍ୟାଳୟ ସହିତ ପ୍ରଧାନ ସେନାଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସଂଯୋଗ କରି ଗ୍ଲାଡ଼ଷ୍ଟୋନ୍ ସେ ଦିଗରେ ପ୍ରଥମ ପଦକ୍ଷେପ ନେଇଥିଲେ । ତଦ୍ଦ୍ୱାରା ପ୍ରତିରକ୍ଷା ବିଭାଗ ଓ ସେନାବାହିନୀ ମଧ୍ୟରେ ଅଧିକ ଯୋଗାଯୋଗ ଓ ସମନ୍ୱୟ ସମ୍ଭବ ହେଲା । ଅଫିସର ନିଯୁକ୍ତିରେ ମଧ୍ୟ ନୂତନ ପଦ୍ଧତି ଅନୁସୃତ ହେଲା । ଜରୁରୀକାଳୀନ ପରିସ୍ଥିତିରେ ଅଧିକ ସଂଖ୍ୟକ ସୈନ୍ୟ ମୁତୟନ କରିବା ଉଦ୍ଦେଶ୍ୟରେ ଗଚ୍ଛିତ ସୈନ୍ୟ ରଖିବା ବ୍ୟବସ୍ଥା ପ୍ରଚଳିତ ହେଲା । ସୈନ୍ୟମାନେ ଅଳ୍ପ କେତେ ବର୍ଷ ନିଜ ସେନାବାହିନୀ ସହିତ କାର୍ଯ୍ୟକରି ଗଚ୍ଛିତ ସୈନ୍ୟରୂପେ ଅବସର ଗ୍ରହଣ କରିପାରିଲେ । ତଦ୍ଦ୍ୱାରା ଅଳ୍ପ ବୟସ୍କ, ଉତ୍ସାହୀ, ଶକ୍ତିମାନ ଯୁବକମାନଙ୍କୁ ସୈନ୍ୟ ବିଭାଗରେ ଭର୍ତ୍ତି କରାଯାଇପାରିଲା ଏବଂ ସାମରିକ ବିଭାଗର ଦକ୍ଷତା ବୃଦ୍ଧି ପାଇଲା ।

 

ଖ୍ରୀ: ୧୮୭୩ରେ ଲର୍ଡ଼ ସେଲ୍‌ବୋର୍ଣ୍ଣଙ୍କ ପ୍ରଚେଷ୍ଟାଫଳରେ ‘ବିଚାର ବ୍ୟବସ୍ଥା ଆଇନ’ ପ୍ରଣୀତ ହେଲା । ତଦ୍ଦ୍ୱାରା ଇଂଲଣ୍ଡର ବିଚାର ପଦ୍ଧତିରେ ଥିବା ଅବ୍ୟବସ୍ଥା ଦୂରୀଭୂତ ହେଲା । ନ୍ୟାୟ ପାଇବାପାଇଁ ଲୋକେ ଅଯଥା ସମୟ ଓ ଅର୍ଥ ଅପବ୍ୟୟ କରୁଥିଲେ । ଏସବୁ ତ୍ରୁଟିକୁ ଦୂର କରିବାପାଇଁ ଖ୍ରୀ: ୧୮୭୩, ଖ୍ରୀ: ୧୮୭୫ ଓ ଖ୍ରୀ: ୧୮୯୪ରେ କେତେକ ଆଇନ କାର୍ଯ୍ୟକାରୀ ହୋଇଥିଲା ।

 

ଖ୍ରୀ: ୧୮୭୦ରେ ଦାୟିତ୍ୱ ସମ୍ପନ୍ନ ଉଚ୍ଚ ସରକାରୀ କାର୍ଯ୍ୟରେ ନିଯୁକ୍ତିପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷାର ବ୍ୟବସ୍ଥା ଆରମ୍ଭ ହେଲା । ତତ୍‌ ପରବର୍ଷ ଶ୍ରମିକମାନଙ୍କ ଅବସ୍ଥାକୁ ସୁଧାରିବା ଉଦ୍ଦେଶ୍ୟରେ ‘ଟେଡ଼୍‌ ୟୁନିୟନ୍‍ ଆଇନ’ ପାସ୍ ହୋଇଥିଲା । ଖ୍ରୀ: ୧୮୭୨ରେ ବେଲ୍‍ଟଦ୍ୱାରା ଗୁପ୍ତ ଭୋଟ ପ୍ରଥା ପ୍ରଚଳିତ ହେଲା । ସର୍ବୋପରି ଉଲ୍ଲେଖଯୋଗ୍ୟ ବିଷୟ ଥିଲା ଖ୍ରୀ: ୧୮୮୪ର ତୃତୀୟ ‘ସଂସ୍କାର ଆଇନ’ ଏହି ସଂସ୍କାର ଆଇନଫଳରେ ଇଂଲଣ୍ଡର ପ୍ରତ୍ୟେକ ସ୍ଥାୟୀ ବାସିନ୍ଦା ଭୋଟ ଅଧିକାର ଲାଭ କଲେ । ଜନସଂଖ୍ୟା ଭିତରେ ନିର୍ବାଚନ ମଣ୍ଡଳୀର ପୁନର୍ଗଠନ ଦିଗରେ ମଧ୍ୟ ବିହିତ କାର୍ଯ୍ୟାନୁଷ୍ଠାନ କରାଗଲା । ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରୁ ଜଣେ ଲେଖାଏଁ ପ୍ରତିନିଧି ନିର୍ବାଚିତ ହେବାର ନିୟମ ଲାଗୁହେଲା ।

 

ଆୟାରଲାଣ୍ଡ୍‍–ଆୟାରଲାଣ୍ଡ୍ ସମସ୍ୟାର ଗୁରୁତ୍ୱ ଉପଲବ୍ଧି କରି ସମାଧାନର ପନ୍ଥା ନିର୍ଣ୍ଣୟରେ ଗ୍ଲାଡ଼ଷ୍ଟୋନ୍‌ ଥିଲେ ପ୍ରଥମ ଇଂରେଜ ରାଜନୀତିଜ୍ଞ । ଆୟାରଲାଣ୍ଡ୍‍ବାସୀଙ୍କର ଅର୍ଥନୀତିକ ଓ ଧର୍ମ ସମ୍ପର୍କୀୟ ଦୁଃଖ ତଥା ଅଭିଯୋଗକୁ ଦୂର କରିବାର ସେ ସତତ ତତ୍ପର ଥିଲେ । ଧର୍ମୋପାସନାରେ ସ୍ୱାଧୀନତା ଏବଂ ରାଜନୈତିକ କ୍ଷେତ୍ରରେ ସ୍ୱାୟତ୍ତ ଶାସନ ଅଧିକାର ପ୍ରଦାନ କରିବାକୁ ସେ ଇଚ୍ଛୁକ ଥିଲେ । ଖ୍ରୀ: ୧୮୬୯ରେ ଆଇନ ପ୍ରଣୟନ କରି ସେ ଆୟାରଲାଣ୍ଡ୍‍ର ଧର୍ମ ଓ ଶାସନକୁ ପୃଥକ କରିଥିଲେ । ଧର୍ମ କ୍ଷେତ୍ରରେ ଓ ଧର୍ମଯାଜକ ନିଯୁକ୍ତିରେ ସରକାରୀ ହସ୍ତକ୍ଷେପ ବନ୍ଦ ହେଲା । ଆୟାରଲାଣ୍ଡ୍‍ର ସଂଖ୍ୟାଗରିଷ୍ଠ ଅଧିବାସୀ କାଥଲିକ୍‍ ସଂପ୍ରଦାୟର ହୋଇଥିବାରୁ ସେମାନଙ୍କୁ ସନ୍ତୁଷ୍ଟ କରିବାପାଇଁ ଗ୍ଲାଡ଼ଷ୍ଟୋନ୍ ଏପରି ନୀତି ଅବଲମ୍ବନ କରିଥିଲେ ।

 

ସେହିପରି ଆୟାରଲାଣ୍ଡ୍‍ରେ ଜମିଜମା ସମ୍ପର୍କୀୟ ଆଇନ ବ୍ୟବସ୍ଥାରେ ଅନ୍ୟାୟ ଏବଂ ତ୍ରୁଟି ଲକ୍ଷ୍ୟ କରି ଗ୍ଲାଡ଼ଷ୍ଟୋନ୍‌ ଖ୍ରୀ: ୧୮୭୦ରେ ଯେଉଁ ଭୂ–ଆଇନ କାର୍ଯ୍ୟକାରୀ କଲେ ତଦ୍ଦ୍ୱାରା ଜମିମାଲିକଙ୍କ ଅନ୍ୟାୟ ବିରୁଦ୍ଧରେ ରୟତମାନଙ୍କର ସ୍ୱାର୍ଥ ଅନେକ ପରିମାଣରେ ସଂରକ୍ଷିତ ହୋଇପାରିଲା । ଚାଷ କରୁଥିବା ଜମି ଉପରେ ରୟତମାନେ କୌଣସି ଅଧିକାର ପାଉ ନଥିଲେ । ଯେକୌଣସି ସମୟରେ ସେମାନଙ୍କୁ ଜମିରୁ ଉଚ୍ଛେଦ କରାଯାଉଥିଲା ଏବଂ ଅତି ଅନ୍ୟାୟ ଭାବରେ ଅତ୍ୟଧିକ ଖଜଣା ଆଦାୟ କରାଯାଉଥିଲା । ଆର୍ଲ ଅଫ୍‌ ବେସ୍‌ବୋରୋଙ୍କ ପରାମର୍ଶାନୁଯାୟୀ ଜମି ଉପରେ ରୟତର ଅଧିକାର, ନିରାପତ୍ତା, ବାର୍ଷିକ ଦେୟର ଉଚିତ ପରିମାଣ ନିର୍ଣ୍ଣୟ ଆଦି ଦିଗରେ କାର୍ଯ୍ୟାନୁଷ୍ଠାନ ହେଲା । ବାର୍ଷିକ ଦେୟ ପରିମାଣ ନିର୍ଣ୍ଣୟ ହେବାର ପନ୍ଦରବର୍ଷ ପର୍ଯ୍ୟନ୍ତ ତାହା ଅପରିବର୍ତ୍ତିତ ରହିବ ବୋଲି ମଧ୍ୟ ସ୍ଥିର ହେଲା । ଏହାପରେ ଜମିରୁ ଉଚ୍ଛେଦ କଲା ସମୟରେ ଜମିମାଲିକମାନେ ରୟତକୁ ଉଚିତ କ୍ଷତିପୂରଣ ଦେବାକୁ ବାଧ୍ୟ ହେଲେ ।

 

ଏସବୁ ପ୍ରଜାହିତକର ବ୍ୟବସ୍ଥା ସତ୍ତ୍ୱେ ଆୟାରଲାଣ୍ଡ୍‍ବାସୀ ଇଂରେଜ ସରକାରଙ୍କ ସହିତ ସହଯୋଗ ପ୍ରତିଷ୍ଠା କରି ନଥିଲେ । ଗ୍ଲାଡ଼ଷ୍ଟୋନ୍‌ ତାହା ଲକ୍ଷ୍ୟ କରି ଦୁଃଖ ଅନୁଭବ କରିଥିଲେ । ଆୟାରଲାଣ୍ଡ୍‍ର ସମସ୍ୟା କ୍ରମଶଃ ଜଟିଳ ହେଉଥିବାରୁ ଭବିଷ୍ୟତରେ ତାହା କେଉଁ ରୂପ ନେବ ସେ ବେଶ୍‌ ଚିନ୍ତା କରିପାରୁଥିଲେ । ସେଥିଯୋଗୁଁ ସେଠାରେ ସ୍ୱରାଜ ଶାସନ ପ୍ରବର୍ତ୍ତନ କରିବା ଉଚିତ ବୋଲି ତାଙ୍କର ପ୍ରସ୍ତାବ ଥିଲା । ଉକ୍ତ ପ୍ରସ୍ତାବରେ ଆୟାରଲାଣ୍ଡ୍ ପାଇଁ ଏକ ବ୍ୟବସ୍ଥାପକ ସଭା, ମନ୍ତ୍ରିମଣ୍ଡଳ, ଭାଇସରାୟ ନିଯୁକ୍ତି ଓ ସ୍ୱାଧୀନ ବିଚାରାଳୟ ପ୍ରତିଷ୍ଠା ବିଷୟ ଉଲ୍ଲେଖ ଥିଲା । କେବଳ ପ୍ରତିରକ୍ଷା, ବୈଦେଶିକ ବ୍ୟାପାର, ବ୍ୟବସାୟ ବାଣିଜ୍ୟ, ଔପନିବେଶିକ ବ୍ୟାପାର ଓ ସାମରିକ ବାହିନୀ ବ୍ୟତୀତ ଅନ୍ୟାନ୍ୟ ବିଭାଗ ସମ୍ପର୍କରେ ଆଇନ ପ୍ରଣୟନ କରିବାର ଅବାଧ ସ୍ୱାଧୀନତା ଉକ୍ତ ବ୍ୟବସ୍ଥାପକ ସଭାକୁ ଦିଆଗଲା । କିନ୍ତୁ ଏହି ପ୍ରସ୍ତାବକୁ ପାର୍ଲିଆମେଣ୍ଟ୍‍ରେ ଅନେକ ସଭ୍ୟ ସମର୍ଥନ କଲେ ନାହିଁ–ତେଣୁ ଗ୍ଲାଡ଼ଷ୍ଟୋନ୍ ମନ୍ତ୍ରିମଣ୍ଡଳ ଇସ୍ତଫା ପ୍ରଦାନ କରିଥିଲେ ।

 

ପୁଣି ଖ୍ରୀ: ୧୮୯୩ରେ ଗ୍ଲାଡ଼ଷ୍ଟୋନ୍‍ ଚତୁର୍ଥ ଥରପାଇଁ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରି ଆୟାରଲାଣ୍ଡ୍ ପାଇଁ ସ୍ୱରାଜ–ଶାସନ ବିଲ୍‌ ପାର୍ଲିଆମେଣ୍ଟ୍‍ରେ ଆଗତ କରିଥିଲେ । ତାହା କମନ୍‌ସ ସଭାରେ ପାସ୍ ହେଲାପରେ ଲର୍ଡ଼ସଭାଦ୍ୱାରା ପ୍ରତ୍ୟାଖ୍ୟାନ କରାହେବାରୁ ଗ୍ଲାଡ଼ଷ୍ଟୋନ୍ ଇସ୍ତଫା ଦେଇଥିଲେ । ତାଙ୍କର ଆୟାରଲାଣ୍ଡ୍ ନୀତି ଦୂରଦୃଷ୍ଟିସମ୍ପନ୍ନ, ଉଦାର ଏବଂ ବାସ୍ତବ ଥିଲେହେଁ ଇଂରେଜମାନଙ୍କ ସ୍ୱାର୍ଥାନ୍ୱେଷୀ ସାମ୍ରାଜ୍ୟବାଦୀ ମନୋବୃତ୍ତି ପାଇଁ କାର୍ଯ୍ୟକାରୀ ହୋଇ ପାରି ନଥିଲା-

 

ବୈଦେଶିକ ନୀତି–ଗ୍ଲାଡ଼ଷ୍ଟୋନ୍ ସାମ୍ରାଜ୍ୟବାଦୀ ମନୋବୃତ୍ତିର ରାଜନୀତିଜ୍ଞ ନଥିଲେ । ତେଣୁ ବୈଦେଶିକ ବ୍ୟାପାର ସଂକ୍ରାନ୍ତରେ ବିଶେଷ ଉଲ୍ଲେଖଯୋଗ୍ୟ କୃତିତ୍ୱ ସେ ହାସଲ କରି ନଥିଲେ । ସେ ଥିଲେ ଶାନ୍ତିର ପୂଜାରୀ । ତେଣୁ ଖ୍ରୀ: ୧୮୭୦–୭୧ରେ ଫ୍ରାନ୍‌ସ ଓ ପ୍ରୁସିଆ ମଧ୍ୟରେ ଚାଲିଥିବା ଯୁଦ୍ଧରେ ସେ ଇଂଲଣ୍ଡକୁ ସମ୍ପୃକ୍ତ କରି ନଥିଲେ । ବେଲଜିୟମର ନିରାପତ୍ତା ରକ୍ଷା ଦିଗରେ ସେ ଅଧିକ ସଜାଗ ଥିଲେ । ମଧ୍ୟପ୍ରାଚ୍ୟ, ବିଶେଷତଃ କୃଷ୍ଣସାଗର ଅଞ୍ଚଳରେ ରୁଷିଆର ରାଜନୈତିକ ଅଭିସନ୍ଧି ସମ୍ପର୍କରେ ସେ ସମ୍ପୂର୍ଣ୍ଣ ଉଦାସୀନ ନୀତି ଅବଲମ୍ବନ କରିଥିଲେ । ସେହିପରି ‘ଆଲାବାମା’ ଜାହାଜ ନେଇ ଯୁକ୍ତରାଷ୍ଟ୍ର ଆମେରିକା ସହିତ ମନାନ୍ତର ହେବାରୁ ଗ୍ଲାଡ଼ଷ୍ଟୋନ୍‌ ଶାନ୍ତିରକ୍ଷା ପାଇଁ ଆନ୍ତର୍ଜାତିକ ନ୍ୟାୟକୁ ଗ୍ରହଣ କରିଥିଲେ । ଫଳରେ ଇଂରେଜ ସରକାର ଯୁକ୍ତରାଷ୍ଟ୍ର ସରକାରଙ୍କୁ ୩୦ ଲକ୍ଷ ପାଉଣ୍ଡ କ୍ଷତିପୂରଣ ଦେବାକୁ ବାଧ୍ୟ ହୋଇଥିଲେ ସତ, କିନ୍ତୁ ଯୁଦ୍ଧର ସମ୍ଭାବନାକୁ ତଦ୍ଦ୍ୱାରା ଏଡ଼ି ଦିଆଯାଇଥିଲା ।

 

କୌଣସି ଜାତି ବା ଅଞ୍ଚଳକୁ ବଳାତ୍କାରରେ ଅଧିକାର କରିବା ଗ୍ଲାଡ଼ଷ୍ଟୋନ୍‍ଙ୍କ ନୀତି ବିରୁଦ୍ଧ ଥିଲା । ସେଥିପାଇଁ ଟ୍ରାନ୍‌ସଭାଲ୍‌ର ବୁଅରମାନେ ସ୍ୱାଧୀନତା ଦାବି କରିବାରୁ ଖ୍ରୀ: ୧୮୮୧ରେ ଇଂରେଜ ସରକାର ସେମାନଙ୍କର ଦାବିକୁ ଗ୍ରହଣ କରିଥିଲେ ।

 

ଇଂଲଣ୍ତର ଊନବିଂଶ ଶତାବ୍ଦୀ ଇତିହାସରେ ଶ୍ରେଷ୍ଠ ରାଜନୀତିଜ୍ଞମାନଙ୍କ ମଧ୍ୟରେ ଗ୍ଳାଡ଼ଷ୍ଟୋନ୍ ଥିଲେ ଅନ୍ୟତମ । ରାଜନୀତିରେ ସାଧୁତା, ଉଦାରତା ଓ କର୍ତ୍ତବ୍ୟପରାୟଣତାକୁ ସେ ସର୍ବୋଚ୍ଚ ଆଦର୍ଶରୂପେ ଗ୍ରହଣ କରିଥିଲେ । ଭିକ୍‍ଟୋରିଆଙ୍କ ସହ ତାଙ୍କର ସମ୍ପର୍କ ମଧୁର ନଥିଲେହେଁ ଦେଶବାସୀଙ୍କୁ ସେ ଅତ୍ୟନ୍ତ ଶ୍ରଦ୍ଧା ଓ ବିଶ୍ୱାସ କରୁଥିଲେ । କାର୍ଯ୍ୟଦକ୍ଷତା ଏବଂ ଆତ୍ମବିଶ୍ୱାସ ତାଙ୍କର ଅପରିସୀମ ଥିଲା । ରାଜନୀତିରେ ଉଦାରତା ପ୍ରଦର୍ଶନ ଓ ଉଦାର ନୀତିକୁ କାର୍ଯ୍ୟକାରୀ କରିବା ଦିଗରେ ସେ ଥିଲେ ପ୍ରଥମ । ସମାନୁପାତିକ ପ୍ରତିନିଧିତ୍ୱ ମହିଳାମାନଙ୍କୁ ଭୋଟ ଅଧିକାର, ସାବାଳକ ଭୋଟ ପ୍ରଥାର ସଂପ୍ରସାରଣ, ପାର୍ଲିଆମେଣ୍ଟ୍ ସଭ୍ୟମାନଙ୍କୁ ବେତନ ଦେବା ପରିକଳ୍ପନାରୁ ତାଙ୍କ ମନ୍ତ୍ରିମଣ୍ତଳର ପ୍ରଗତିଶୀଳତା ଅନୁମାନ କରାଯାଇପାରେ ।

 

(୭) ଡିସ୍‌ରାଏଲି (ମନ୍ତ୍ରିତ୍ୱ ଖ୍ରୀ: ୧୮୬୭ ଏବଂ ଖ୍ରୀ: ୧୮୭୪)–ଗ୍ଲାଡ଼ଷ୍ଟୋନ୍‍ଙ୍କ ସମସାମୟିକ ରାଜନୀତିଜ୍ଞମାନଙ୍କ ମଧ୍ୟରେ ଆଉଜଣେ ସମକକ୍ଷ ପ୍ରତିଭାବାନ ବ୍ୟକ୍ତି ଥିଲେ ଡିସ୍‍ରାଏଲି । ଡିସ୍‌ରାଏଲି ଖ୍ରୀ: ୧୮୦୪ରେ ଏକ ଇଟାଲୀୟ ପୁଉ ପରିବାରରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟକାଳରୁ ସାହିତ୍ୟ ଏବଂ ଇତିହାସ ଅଧ୍ୟୟନ ପ୍ରତି ତାଙ୍କର ଗଭୀର ଅନୁରାଗ ଥିଲା-। ଆଇନ ବ୍ୟବସାୟ ପରିତ୍ୟାଗ କରି ସେ ରାଜନୀତିକୁ ନିଜର ଜୀବିକାରୂପେ ଗ୍ରହଣ କରିଥିଲେ-। ସେ ତେତିଶବର୍ଷ ବୟସରେ ପାର୍ଲିଆମେଣ୍ଟ୍‍କୁ ନିର୍ବାଚିତ ହୋଇଥିଲେ । ସଦସ୍ୟ ଭାବରେ ଖ୍ୟାତି ଅର୍ଜନ କରିବାପାଇଁ ତାଙ୍କୁ ପ୍ରଥମେ ବହୁ କଷ୍ଟ ସ୍ୱୀକାର କରିବାକୁ ପଡ଼ିଥିଲା । କିନ୍ତୁ ସାର୍‌ ରବାର୍ଟପୀଲଙ୍କଦ୍ୱାରା ଉତ୍ସାହିତ ହୋଇ ଗଭୀର ଆତ୍ମବିଶ୍ୱାସ ବଳରେ ସେ ନିଜ ରାଜନୈତିକ ସ୍ଥିତିକୁ ସୁଦୃଢ଼ କରିପାରିଥିଲେ । ‘ଅବାଧ ବାଣିଜ୍ୟ’ ଏବଂ ‘ଶସ୍ୟ ଆଇନ’ ପ୍ରତ୍ୟାହାର କରିବା ପ୍ରସଙ୍ଗରେ ସେ ରବର୍ଟ ପୀଲଙ୍କ ବିରୋଧ କରିଥିଲେ । ତଦ୍ଦ୍ୱାରା ‘ଜାଠଦଳ’ ଦୁଇ ଭାଗରେ ବିଭକ୍ତ ହୋଇଯାଇଥିଲା । କିନ୍ତୁ ପୀଲଙ୍କ ପରେ ଡିସ୍‍ରାଏଲି ଜାଠଦଳକୁ ସଂଗଠିତ ଓ ଜନପ୍ରିୟ କରି ନିଜ ରାଜନୈତିକ ବିଚକ୍ଷଣତାର ପରିଚୟ ଦେଇଥିଲେ ।

 

ଲର୍ଡ଼ ଡାର୍ବିଙ୍କ ମନ୍ତ୍ରିମଣ୍ତଳରେ ତିନିଥର ଅର୍ଥମନ୍ତ୍ରଣାଳୟର ଦାୟିତ୍ୱ ତୁଲାଇ ଡିସ୍‍ରାଏଲି ପ୍ରତ୍ୟକ୍ଷ ପ୍ରଶାସନିକ ଜ୍ଞାନ ଆହରଣରେ ସମର୍ଥ ହୋଇଥିଲେ । ଖ୍ରୀ: ୧୮୪୮ରୁ ଜାଠଦଳର ନେତୃତ୍ୱ ତାଙ୍କ ଉପରେ ନ୍ୟସ୍ତ ହୋଇଥିଲା ଏବଂ ଦୁଇଥର (ଖ୍ରୀ: ୧୮୬୭ ଓ ଖ୍ରୀ: ୧୮୭୪) ପ୍ରଧାନମନ୍ତ୍ରୀ ଭାବରେ ସେ କାର୍ଯ୍ୟନିର୍ବାହ କରିଥିଲେ । ପ୍ରଧାନମନ୍ତ୍ରୀ ଥିବା କାଳରେ ଡିସ୍‍ରାଏଲି ସକ୍ରିୟ ଏବଂ ବଳିଷ୍ଠ ବୈଦେଶିକନୀତି ଅନୁସରଣ କରି ବ୍ରିଟିଶ ମର୍ଯ୍ୟାଦାକୁ ଅଧିକ ଉନ୍ନତ କରିପାରିଥିଲେ । ତତ୍‌ସଙ୍ଗେ ସାମ୍ରାଜ୍ୟବାଦୀ ନୀତିରେ ମଧ୍ୟ ସେ ଅପୂର୍ବ ଦୂରଦୃଷ୍ଟିର ପରିଚୟ ଦେଇପାରିଥିଲେ । ଆଭ୍ୟନ୍ତରୀଣ କ୍ଷେତ୍ରରେ ସେ ଥିଲେ ସାମାଜିକ ସଂସ୍କାରର ପୃଷ୍ଠପୋଷକ ।

 

ଆଭ୍ୟନ୍ତରୀଣ ନୀତି–ଡିସ୍‍ରାଏଲିଙ୍କ ସମୟରେ ଶିକ୍ଷା ଓ ଧର୍ମ କ୍ଷେତ୍ରରେ କେତେକ ଗୁରୁତ୍ୱପୂର୍ଣ୍ଣ ଆଇନ ପ୍ରଣୀତ ହୋଇଥିଲା । ଶ୍ରମିକମାନଙ୍କର ହିତସାଧନ ପାଇଁ ଖ୍ରୀ: ୧୮୭୫ରେ ‘ସମ୍ମିଳିତ ଆଇନ’ ଏବଂ ଜନସ୍ୱାସ୍ଥ୍ୟର ଉନ୍ନତିପାଇଁ ‘ଜନସ୍ୱାସ୍ଥ୍ୟ ଆଇନ’ ପାସ୍ ହୋଇଥିଲା । ବାଣିଜ୍ୟ ପୋତଗୁଡ଼ିକରେ ନାବିକମାନଙ୍କର ସୁରକ୍ଷା ଉଦ୍ଦେଶ୍ୟରେ ‘ବାଣିଜ୍ୟ ପୋତ ଆଇନ’ ଖ୍ରୀ: ୧୮୭୬ରେ ଡିସ୍‍ରାଏଲି କାର୍ଯ୍ୟକାରୀ କରିଥିଲେ । ସହର କାରଖାନା ସଂଲଗ୍ନରେ ଥିବା ଅସ୍ୱାସ୍ଥ୍ୟକର ବସ୍ତିଗୁଡ଼ିକୁ ଧ୍ୱଂସ କରିବାପାଇଁ ‘ବାସଗୃହ ଆଇନ ପ୍ରଣୀତ ହୋଇଥିଲା । ଗୃହପାଳିତ ପଶୁମାନଙ୍କୁ ସଂକ୍ରାମକ ରୋଗରୁ ରକ୍ଷା କରିବା ଉଦ୍ଦେଶ୍ୟରେ ‘ସଂକ୍ରାମକ ରୋଗ (ପଶୁ) ଆଇନ’ ପାସ୍ ହୋଇଥିଲା । ଏହି ଆଇନ ଅନୁସାରେ ବିଦେଶରୁ ଆମଦାନୀ ହେଉଥିବା ପଶୁମାନଙ୍କୁ ଅତି ଶୀଘ୍ର ନିହତ କରିବାର ନିର୍ଦ୍ଦେଶ ଜାରି ହୋଇଥିଲା । ଯେଉଁ ଦେଶରେ ସଂକ୍ରାମକ ରୋଗର ପ୍ରାଦୁର୍ଭାବ ନଥିବ ସେପରି ଦେଶରୁ ଆମଦାନୀ ହୋଇଥିବା ପଶୁପାଳନପାଇଁ ଇଂଲଣ୍ତରେ ରଖାଯାଇପାରେ ବୋଲି ଆଦେଶ ସରକାର ଦେଇଥିଲେ ।

 

ଅକ୍‌ସଫୋର୍ଡ଼ ଏବଂ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ କେତେକ ସମସ୍ୟାର ଅନୁସନ୍ଧାନ ପାଇଁ ଏକ କମିଶନ ନିଯୁକ୍ତି ହୋଇଥିଲା । ଏହି କମିଶନଙ୍କ ପରାମର୍ଶ କ୍ରମେ ଖ୍ରୀ: ୧୮୭୮ରେ ଆଇନ ପାସ୍ କରି ଅକ୍‌ସଫୋର୍ଡ଼ ଏବଂ କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ କାହାକୁ ଆଜୀବନ ଫେଲୋସିପ୍‌ ଦେବା ନିଷିଦ୍ଧ ହେଲା । ଗବେଷଣା, ଗବେଷଣାଗାର ଓ ଶିକ୍ଷାର ଅଭିବୃଦ୍ଧି ତଥା ଉନ୍ନତିପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଅର୍ଥ ସଂଗ୍ରହ କରିବାର ଅଧିକାର ପାଇଲେ ।

 

ଶ୍ରମିକମାନଙ୍କର ଉନ୍ନତି ବିଧାନ କଳ୍ପେ ଡିସ୍‍ରାଏଲି ପଦକ୍ଷେପ ଗ୍ରହଣ କରିଥିଲେ । ଯେକୌଣସି ନ୍ୟାଯ୍ୟ ଦାବିପାଇଁ ଶାନ୍ତିପୂର୍ଣ୍ଣ ଉପାୟରେ ଧର୍ମଘଟ ବା ଆନ୍ଦୋଳନ କଲେ ଶ୍ରମିକମାନେ ଅପରାଧୀରୂପେ ବିବେଚିତ ହେବେ ନାହିଁ ବୋଲି ସ୍ଥିର ହେଲା । ତା’ଫଳରେ ଶ୍ରମିକ ସଂଘ ବା ୟୁନିୟନ୍‍ ପ୍ରତିଷ୍ଠିତ ହୋଇ ପାରିଲା । ଖ୍ରୀ: ୧୮୭୮ରେ ପାସ୍ ହୋଇଥିବା ‘ଫ୍ୟାକ୍ଟରୀ ଆଇନ’ଦ୍ୱାରା ଦେଶରେ ପ୍ରଚଳିତ ଶ୍ରମିକ ଆଇନଗୁଡ଼ିକ ସଂକଳନ କରାଗଲା । ଦଶବର୍ଷରୁ ନ୍ୟୁନ ବାଳକମାନଙ୍କୁ କାରଖାନାରେ ନିଯୁକ୍ତ ଦେବା ନିଷିଦ୍ଧ ହେବା ସଙ୍ଗେ ସଙ୍ଗେ ମହିଳାମାନେ ସପ୍ତାହରେ ୫୬ ଘଣ୍ଟାରୁ ଅଧିକ ସମୟ କାର୍ଯ୍ୟ ନ କରିବା ନିର୍ଦ୍ଦିଷ୍ଟ ହେଲା ।

 

ସାମ୍ରାଜ୍ୟବାଦ ଓ ବୈଦେଶିକ ନୀତି–ବ୍ରିଟିଶ ସାମ୍ରାଜ୍ୟବାଦ ନୀତିର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ଡିସ୍‌ରାଏଲି । ସାମ୍ରାଜ୍ୟ ବିସ୍ତାର ଓ ସାମ୍ରାଜ୍ୟ ପ୍ରତିଷ୍ଠାକୁ ସେ ସରକାରଙ୍କ ମୁଖ୍ୟନୀତିରୂପେ ଗ୍ରହଣ କରିଥିଲେ । ବ୍ରିଟିଶ ରାଜନୈତିକ ପ୍ରତିପତ୍ତି ଓ ଅର୍ଥନୈତିକ ସ୍ୱାର୍ଥର ସୁରକ୍ଷାପାଇଁ ସେ ସୁଏଜ କେନାଲ ୧୭୬,୬୦୨ଟି ଅଂଶ ଇଜିପ୍‌ଟର ଶାସକ ଖେଦିବ୍‌ ଇସ୍‌ମାଇଲଙ୍କଠାରୁ କ୍ରୟ କରିଥିଲେ-। ଏହାଦ୍ୱାରା ସୁଏଜ କେନାଲ କମ୍ପାନୀର ଶତକଡ଼ା ୪୦ ଭାଗ ଅଂଶ ବ୍ରିଟିଶ ସରକାରଙ୍କ ହସ୍ତଗତ ହୋଇଥିଲା ।

 

ଭାରତବର୍ଷରେ କରଦ ଏବଂ ସାମନ୍ତ ରାଜାମାନଙ୍କୁ ବ୍ରିଟିଶ ସାମ୍ରାଜ୍ୟର ଆନୁଗତ୍ୟ ସ୍ୱୀକାର କରାଇ ଉତ୍ତମ ସମ୍ପର୍କ ପ୍ରତିଷ୍ଠା ଦିଗରେ ମଧ୍ୟ ଡିସ୍‌ରାଏଲି କେତେକ ପଦକ୍ଷେପ ନେଇଥିଲେ ।

 

ବୈଦେଶିକ ବ୍ୟାପାର ସଂକ୍ରାନ୍ତରେ ଇଂରେଜମାନେ ସରକାରୀ ନୀତି ବଳିଷ୍ଠ ହେବା ଉଚିତ ବୋଲି ମନେ କରୁଥିଲେ । ଗ୍ଲାଡ଼ଷ୍ଟୋନ୍‍ଙ୍କ ସମୟରେ ଉକ୍ତ ବିଭାଗ ଅବହେଳିତ ହୋଇଥିଲା-। ଦେଶବାସୀଙ୍କ ଅଭିପ୍ରାୟକୁ ହୃଦୟଙ୍ଗମକରି ଡିସ୍‌ରାଏଲି ଖ୍ରୀ: ୧୮୭୭ରେ ତାହା ପୂରଣ କରିବାପାଇଁ ଏକ ଅପୂର୍ବ ସୁଯୋଗ ପାଇଥିଲେ । ଉକ୍ତବର୍ଷ ରୁଷିଆ ଏବଂ ତୁର୍କୀ ମଧ୍ୟରେ ନିଜସ୍ୱାର୍ଥ ଘେନି ଯୁଦ୍ଧ ଆରମ୍ଭ ହୋଇଥିଲା । ସେ ଯୁଦ୍ଧରେ ରୁଷିଆ ବିଜୟୀ ହେବାଦ୍ୱାରା ମଧ୍ୟପ୍ରାଚ୍ୟ ଓ ନିକଟପ୍ରାଚ୍ୟ ଅଞ୍ଚଳରେ ତାହାର ପ୍ରତିପତ୍ତି ବୃଦ୍ଧି ପାଇବ ବୋଲି ଡିସ୍‍ରାଏଲି ଆଶଙ୍କା କରିଥିଲେ-। ତେଣୁ ଖ୍ରୀ: ୧୮୭୮ର ବର୍ଲିନିଙ୍କ କଂଗ୍ରେସରେ ବଲକାନ ଅଞ୍ଚଳରେ ରୁଷିଆର ଶକ୍ତିକୁ ହ୍ରାସ କରିବାପାଇଁ ସେ ଏବଂ ବିସ୍‌ମାର୍କ ଏକତ୍ରିତଭାବେ ନିତି ନିର୍ଦ୍ଦିଷ୍ଟ କରି ସଫଳ ହୋଇଥିଲେ ଏବଂ ଇଂଲଣ୍ତ ସାଇପ୍ରାସ ଦ୍ୱୀପ ଲାଭ କରିଥିଲେ ।

 

ଦକ୍ଷିଣ ଆଫ୍ରିକାରେ ଡିସ୍‍ରାଏଲି ବ୍ରିଟିଶ ସରକାରଙ୍କ ତତ୍ତ୍ୱାବଧାନରେ ଏକ ସଂଯୁକ୍ତରାଷ୍ଟ୍ର ଗଠନ କରିବାକୁ ଚାହୁଁଥିଲେ । ସେ ଦିଗରେ ପ୍ରତ୍ୟେକ ଜ୍ଞାନ ଅର୍ଜନ କରିବାପାଇଁ ସାର୍ ରବାର୍ଟ ବାର୍ଟେଲ ଫ୍ରେୟାରଙ୍କୁ ପ୍ରେରଣ କରିବା ସଙ୍ଗେ ସଙ୍ଗେ ଟ୍ରାନ୍‌ସଭାଲକୁ ଅଧିକାରଭୁକ୍ତ କରାଯାଇଥିଲା-

 

ଡିସ୍‌ରାଏଲିଙ୍କ ସାମ୍ରାଜ୍ୟବାଦୀ–ବୈଦେଶିକ ନୀତିଦ୍ୱାରା ଇଂଲଣ୍ତ ଆନ୍ତର୍ଜାତିକ ମର୍ଯ୍ୟାଦା ବୃଦ୍ଧି ପାଇଥିଲା । ରୁଷିଆର ସଂପ୍ରସାରଣ ନୀତି ବଲକାନ ଅଞ୍ଚଳରେ ସୀମିତ ହେବା ସହିତ ଭାରତବର୍ଷରେ ବ୍ରିଟିଶ ସାମ୍ରାଜ୍ୟ ସୁରକ୍ଷିତ ହୋଇ ପାରିଲା । ସାମ୍ରାଜ୍ୟବାଦୀ ଡିସ୍‍ରାଏଲି ତେଣୁ ଇଂଲଣ୍ତ ଇତିହାସର କୃତୀ ରାଜନୀତିଜ୍ଞମାନଙ୍କ ମଧ୍ୟରେ ଅନ୍ୟତମ ବୋଲି ଆଜିସୁଦ୍ଧା ପରିଗଣିତ ।

 

ପରବର୍ତ୍ତୀ ରାଜନୈତିକ ଅବସ୍ଥା–ଆୟାରଲାଣ୍ତ୍ ପାଇଁ ସ୍ୱରାଜ ଆନ୍ଦୋଳନ ଇଂଲଣ୍ତର ରାଜନୈତିକ ଜୀବନ ଉପରେ ଅଶେଷ ପ୍ରଭାବ ପକାଇଥିଲା । ସ୍ୱରାଜ୍ୟ–ଶାସନ–ଆଇନ ସକାଶେ କେବଳ ଗ୍ଲାଡ଼ଷ୍ଟୋନ୍‌ ଯେ କ୍ଷମତାରୁ ଅପସରିଯିବାକୁ ବାଧ୍ୟ ହେଲେ ତା’ନୁହେଁ, ଉଦାର ନୈତିକଦଳରେ ବିଭେଦ ସୃଷ୍ଟିହୋଇ ଉକ୍ତ ଦଳର ସଂହତି ସମ୍ପୂର୍ଣ୍ଣ ନଷ୍ଟହୋଇ ଯାଇଥିଲା । ଖ୍ରୀ: ୧୮୯୪ରେ ଗ୍ଲାଡ଼ଷ୍ଟୋନ୍ ଇସ୍ତଫା ଦେବା ପରେ ଲର୍ଡ଼ ରୋଜବାରୀ ମନ୍ତ୍ରିମଣ୍ତଳ ଗଢ଼ିଥିଲେ ସତ କିନ୍ତୁ ବେଶିଦିନ କ୍ଷମତାରେ ରହିପାରି ନଥିଲେ । ରେଜବାରୀଙ୍କ ପରେ ଉଦାରନୈତିକ ଦଳର ନେତୃତ୍ୱ ସାର୍ ହେନେରୀ କେମ୍ପବେଲ୍‌ ବେନାରମେନ୍‌ ବହନ କରିଥିଲେ । ତାଙ୍କ ସମୟରେ ଖ୍ରୀ: ୧୮୯୯ରେ ଦକ୍ଷିଣ ଆଫ୍ରିକାରେ ‘ବୁଅର–ଯୁଦ୍ଧ’ ଆରମ୍ଭ ହୋଇଥିଲା ।

 

ଯେଉଁମାନେ ଆୟାରଲାଣ୍ତ୍‍ର ସ୍ୱରାଜ ଆନ୍ଦୋଳନକୁ ବିରୋଧ କରୁଥିଲେ ସେମାନଙ୍କୁ ‘ମିଳିତ–ଗୋଷ୍ଠୀ’ ବୋଲି ଅଭିହିତ କରାଯାଉଥିଲା । ସେଥିରେ ଥିବା ଜାଠ, ହ୍ୱିଗ୍‌ ଏବଂ ଉଗ୍ରପନ୍ଥୀ ରାଜନୀତିଜ୍ଞମାନଙ୍କୁ ଯଥାକ୍ରମେ ଲର୍ଡ଼ ସେଲିସବାରୀ । ଲର୍ଡ଼ ହାଟିଙ୍ଗିଟନ୍‌ ଏବଂ ୟୋସେଫ ଚେମ୍ବାରଲେନ୍ ନେତୃତ୍ୱ ପ୍ରଦାନ କରିଥିଲେ । ଲର୍ଡ଼ ସେଲିସବାରୀ ମନ୍ତ୍ରିମଣ୍ତଳ ଗଢ଼ିବାର ସୁଯୋଗ ପାଇଥିଲେ ।

 

ଖ୍ରୀ: ୧୯୦୧ ଜାନୁୟାରୀ ୨୨ ତାରିଖରେ ଭିକ୍‌ଟୋରିଆଙ୍କର ଦୀର୍ଘ ରାଜତ୍ୱର ଅବସାନ ଘଟିଲା । ଆୟାରଲାଣ୍ତ୍‍ରେ ଶାନ୍ତି ଶୃଙ୍ଖଳା ରକ୍ଷାକରି ଲୋକମାନଙ୍କର ପ୍ରିୟଭାଜନ ହେବାପାଇଁ ଅକ୍ଳାନ୍ତ ଚେଷ୍ଟା ସତ୍ତ୍ୱେ ବିଫଳ ହେବାରୁ ଭିକ୍‌ଟୋରିଆ ଦୁଃଖିତା ଥିଲେ । ତା’ ଉପରେ ପୁଣି ଆଫ୍ରିକାର ବୁଅର ଯୁଦ୍ଧରେ ଇଂରେଜମାନଙ୍କର ବିପର୍ଯ୍ୟୟ ତାଙ୍କ ମନରେ ଗଭୀର କ୍ଷତି ସୃଷ୍ଟିକରିଥିଲା । ସେହି ଗ୍ଳାନି ଓ ବ୍ୟଥାରେ ସେ ଚିରନିଦ୍ରା ଗଲେ । ତାଙ୍କ ମୃତ୍ୟୁରେ ଏକ ସମୃଦ୍ଧିଶାଳୀ, ଘଟଣା ବହୁଳ ମହାଯୁଗର ଅବସାନ ଘଟିଲା । ସାହିତ୍ୟ, ବିଜ୍ଞାନ, ଶିଳ୍ପ, ସଂସ୍କୃତି ଇତ୍ୟାଦି କ୍ଷେତ୍ରରେ ଯେଉଁ କୃତିତ୍ୱ ଇଂରେଜମାନେ ହାସଲ କରିଥିଲେ ତା’ର ପଟାନ୍ତର ଇତିହାସରେ ବିରଳ ।

 

(୮) ଭିକ୍‌ଟୋରିଆଯୁଗ–ସାମ୍ରାଜ୍ଞୀ ଭିକ୍‍ଟୋରିଆଙ୍କ ଦୀର୍ଘକାଳ ରାଜତ୍ୱ ବ୍ରିଟିଶ ଇତିହାସର ଏକ ମହନୀୟ ଯୁଗ । ଦେଶର ସର୍ବାଙ୍ଗୀନ ଉନ୍ନତି ସହ ଦେଶର ଗୌରବ ପ୍ରତିଷ୍ଠା ଦିଗରେ ତାଙ୍କ ରାଜତ୍ୱ–କାଳର କୃତୀ ବର୍ଣ୍ଣନାପାଇଁ ଐତିହାସିକର ଭାଷା ନାହିଁ । ବ୍ରିଟିଶ ଦ୍ୱୀପପୁଞ୍ଜ ଓ ରାଜ୍ୟଗୋଷ୍ଠୀର ଅର୍ଥନୈତିକ ପରିବର୍ତ୍ତନ ଏତେ ଦୃଢ଼ ଏବଂ ସର୍ବବ୍ୟାପୀ ଥିଲା ଯେ ୱାଟାରଲୁ–ଯୁଦ୍ଧ–ପରବର୍ତ୍ତୀ–ଦୁରବସ୍ଥା–ଜନିତ ବିପ୍ଳବ ଓ ବିଶୃଙ୍ଖଳା ସମ୍ପୂର୍ଣ୍ଣ ଦୂରୀଭୂତ ହୋଇଥିଲା । ଖ୍ରୀ: ୧୮୫୧ରେ ହାଇଡ଼ପାର୍କ୍‍ରେ ଏକ ବିରାଟ ପ୍ରଦର୍ଶନୀ ଆୟୋଜନ କରି ଦେଶର ସର୍ବାଙ୍ଗୀନ ବିକାଶ, ସମୃଦ୍ଧି ଓ ଆତ୍ମପ୍ରତ୍ୟୟର ନିଦର୍ଶନ ଇଂରେଜମାନେ ଦେଇଥିଲେ । ଭିକ୍‍ଟୋରିଆ ଯୁଗକୁ ଜାତୀୟ–ପୁନର୍ଗଠନ–ଯୁଗ–ବୋଲି କୁହାଯାଏ । କାରଣ ସାମାଜିକ ଓ ରାଜନୈତିକ ଜୀବନରେ ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଦେଖାଦେଇଥିବା ଅନିଶ୍ଚିତତା ଏବଂ ଗ୍ଳାନିକର ପରିସ୍ଥିତିକୁ ବ୍ରିଟିଶମାନେ ଭିକ୍‍ଟୋରିଆ ଯୁଗରେ ଦୂରକରି ପାରିଥିଲେ–ସାଂଗଠନିକ ବିପ୍ଳବଦ୍ୱାରା । ରାଜତନ୍ତ୍ର ସରକାର ପ୍ରତି ଚତୁର୍ଥ ଜର୍ଜ ଓ ଚତୁର୍ଥ ଉଇଲିୟମ୍‍ଙ୍କ ସମୟରେ ଯେଉଁ ବୀତସ୍ପୃହ ମନୋଭାବ ଦେଶବାସୀ ପ୍ରକାଶ କରିଥିଲେ ତାହା ଭିକ୍‌ଟୋରିଆଙ୍କ ବ୍ୟକ୍ତିତ୍ୱର ଉଦାରତା, ଚରିତ୍ରର ଆଦର୍ଶବାଦଫଳରେ ପରିବର୍ତ୍ତିତ ହୋଇପାରିଥିଲା । ରାଣୀଙ୍କର ସରଳ ଓ ପବିତ୍ର ପାରିବାରିକ ଜୀବନ ସାରା ଦେଶରେ ଏକ ନୂତନ ଆଦର୍ଶ ସ୍ଥାପନ କରିଥିଲା । ଦେଶର ସମ୍ବିଧାନ ପ୍ରତି ଭିକ୍‌ଟୋରିଆ ସଦାସର୍ବଦା ସମ୍ମାନ ପ୍ରଦର୍ଶନ ସହିତ ସଂସଦୀୟ–ଗଣତନ୍ତ୍ରର ବିକାଶରେ ସହାୟକ ହୋଇଥିବାରୁ ଦଳମତ ନିର୍ବିଶେଷରେ ରାଜନିତୀଜ୍ଞମାନଙ୍କର ପ୍ରିୟଭାଜନ ହୋଇ ପାରିଲେ । ତା’ଛଡ଼ା ସ୍ୱାମୀ ଆଲବାର୍ଟଙ୍କର ବିଜ୍ଞ ପରାମର୍ଶ ମଧ୍ୟ ଭିକ୍‌ଟୋରିଆଙ୍କ ସମୟରେ ରାଜତନ୍ତ୍ର ସରକାରଙ୍କୁ ଅତି ଗରୀୟସୀ ତୋଳିଥିଲା ।

 

ଜାତୀୟ ଜୀବନର ପୁନର୍ଗଠନରେ ପାର୍ଲିଆମେଣ୍ଟକୁ ଅଧିକ ଦାୟିତ୍ୱ ମିଳିବାରୁ ଗଣତନ୍ତ୍ର ସରକାର ପ୍ରକୃତ ପ୍ରତିଷ୍ଠିତ ହୋଇଥିଲା ଭିକ୍‌ଟୋରିଆ ଯୁଗରେ । ଖ୍ରୀ: ୧୮୩୨, ଖ୍ରୀ: ୧୮୬୭ ଓ ଖ୍ରୀ: ୧୮୮୪ର ସଂସ୍କାର ଆଇନ ପ୍ରବର୍ତ୍ତନଫଳରେ ନିମ୍ନ ମଧ୍ୟ–ବିତ୍ତ, ଶ୍ରମିକ ଓ କୃଷକ ଶ୍ରେଣୀକୁ ରାଜନୈତିକ ଅଧିକାର ମିଳିବାଫଳରେ ଗଣତାନ୍ତ୍ରିକ ଜୀବନ ବିକାଶ ଲାଭ କଲା । ବ୍ୟକ୍ତିଗତ ମତାମତ ପ୍ରକାଶ କରିବାରେ ଧର୍ମୋପାସନା କ୍ଷେତ୍ରରେ, ଅଧିକ ସ୍ୱାଧୀନତା ପାଇ ପ୍ରକୃତ ଜାତୀୟ ଜୀବନ ବିକାଶ ହେଲା । ସାରା ଦେଶରେ ଦୁଗ୍ଧ ଓ ମଧୁର ସମୃଦ୍ଧି ଧାରା ପ୍ରବାହିତ ହେବାର ଜୀବନ ଯାତ୍ରା ଅଧିକ ସୁଖକର ଓ ମଧୁମୟ ହେଲା । ସମସ୍ତଙ୍କ ପାଇଁ କର୍ମସଂସ୍ଥାନ, ବର୍ଦ୍ଧିତ ହାତରେ ବେତନ ମିଳିବାରୁ ଜୀବନଧାରଣର ମାନ ବୃଦ୍ଧି ପାଇଲା । ଧନୀ ଦରିଦ୍ର, ଜାତିବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାଜରେ ସମାନ ଅଧିକାର ପାଇଲେ । ସାମନ୍ତ ଶ୍ରେଣୀ କ୍ରମଶଃ ବିଲୁପ୍ତ ହେଲା । ତା’ବଦଳରେ ଅବଶ୍ୟ ଶିଳ୍ପପତି, ପୁଞ୍ଜିପତି, ଆଦି ନୂତନ ସାମାଜିକ ଗୋଷ୍ଠୀର ଆବିର୍ଭାବ ହେଲା–କିନ୍ତୁ ସାମନ୍ତ ଶ୍ରେଣୀର ବିଲୋପଫଳରେ ନୂତନ ସମାଜ ପ୍ରତିଷ୍ଠା ଲାଭ କଲାରୁ ସମସ୍ତେ ଆନନ୍ଦିତ ହେଲେ ।

 

ବ୍ରିଟିଶ ଜାତି ସଦାସର୍ବଦା ବ୍ୟବସାୟ, ଧର୍ମ, ରାଜନୀତି ଓ କ୍ରୀଡ଼ା ବିନୋଦନରେ ଆଗ୍ରହୀ । ଭିକ୍‍ଟୋରିଆ ଯୁଗରେ ବ୍ୟାବସାୟିକ ସ୍ୱାର୍ଥ ରକ୍ଷା ଓ ବ୍ୟାପ୍ତି ଦିଗରେ ସରକାର ପୃଷ୍ଠପୋଷକତା କରିଥିଲେ । ଏଲିଜାବେଥ୍‍ଙ୍କ ଯୁଗ ପରି ବର୍ତ୍ତମାନ ନାଇଜେର କମ୍ପାନୀ, ଇଷ୍ଟ ଆଫ୍ରିକା କମ୍ପାନୀ ଏବଂ ସାଉଥ ଆଫ୍ରିକା କମ୍ପାନୀ ପ୍ରତିଷ୍ଠିତ ହୋଇଥିଲା । ଆଫ୍ରିକା ମହାଦେଶରେ ବ୍ରିଟିଶ ଉପନିବେଶ ସଂପ୍ରସାରଣରେ ଏହି ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ପଥପ୍ରଦର୍ଶକର କାମ କରିଥିଲେ । ଇଂରେଜ ବ୍ୟବସାୟୀମାନେ ଅଧ୍ୟବସାୟ ସାଧୁତା ଓ ଉତ୍ତମ ବ୍ୟବହାରଦ୍ୱାରା ପୃଥିବୀର ସର୍ବତ୍ର ଆଦୃତ ହୋଇଥିଲେ ଏବଂ ବ୍ରିଟିଶ ସାମଗ୍ରୀର ଆଦର ସର୍ବତ୍ର ବୃଦ୍ଧି ପାଇଥିଲା ।

 

ସେହିପରି ଜାତିର ନୈତିକ ଆଦର୍ଶ ଅଭିବୃଦ୍ଧି ପାଇଁ ଭିକ୍‌ଟୋରିଆ ଯୁଗରେ ଧର୍ମ ସମ୍ପର୍କୀୟ କ୍ରିୟାକଳାପ ଯଥେଷ୍ଟ ହୋଇଥିବାର ଦେଖାଯାଏ । ଧର୍ମକ୍ଷେତ୍ରରେ ସ୍ୱାଧୀନତା ସେବା ମନୋଭାବ, ଉଚ୍ଚାଦର୍ଶ, ଭିକ୍‌ଟୋରିଆ ଯୁଗର ବୈଶିଷ୍ଟ୍ୟ । ଖ୍ରୀଷ୍ଟଧର୍ମର ପ୍ରସାରପାଇଁ ମିସନାରୀମାନେ ନୂତନ ଆବିଷ୍କୃତ ଅଞ୍ଚଳରେ ନାନା ଅଭାବ ଅସୁବିଧା ସତ୍ତ୍ୱେ ନିଜ ଜୀବନକୁ ତୁଚ୍ଛକରି ଆଦିମ ଅସଭ୍ୟ ଓ ଅସଂସ୍କୃତ ଅଧିବାସୀଙ୍କ ସେବାକାର୍ଯ୍ୟରେ ନିୟୋଜିତ ହେବା କମ୍‌ ଗୌରବ ଏବଂ ତ୍ୟାଗର ନିଦର୍ଶନ ନଥିଲା । ସମୃଦ୍ଧିଶାଳୀ ବଦାନ୍ୟ ଇଂରେଜମାନେ ଅନୁନ୍ନତ ସ୍ଥାନରେ ମାନବିକ କଲ୍ୟାଣପାଇଁ ଅକାତରରେ ଅର୍ଥଦାନ କରି ଦାତବ୍ୟ ଚିକିତ୍ସାଳୟ, ଅନାଥାଶ୍ରମ, ଔଷଧାଳୟ ଓ ବିଦ୍ୟାଳୟ ଆଦି ପ୍ରତିଷ୍ଠା କରିଥିଲେ । ଏସବୁ କରିବାଦ୍ୱାରା ପରୋପକାରୀ ଏବଂ ମାନବିକ କଲ୍ୟାଣ ସାମାଜିକ ଆଦର୍ଶରୂପେ ବ୍ରିଟିଶ ଜାତିର ଲକ୍ଷ୍ୟ ହୋଇଥିଲା ।

 

ଯେକୌଣସି ଜାତି ବିଜ୍ଞାନମୁଖୀ ଶିଳ୍ପ ପ୍ରସାରଦ୍ୱାରା ଅର୍ଥନୈତିକ ବିକାଶରେ ଆତ୍ମନିୟୋଗ କଲେ ଅନ୍ୟାନ୍ୟ ସାଂସ୍କୃତିକ ସାଫଲ୍ୟ ଲାଭ କରିବା କଷ୍ଟସାଧ୍ୟ ହେଲେହେଁ ବ୍ୟବସାୟୀ ଇଂରେଜମାନେ ସେଦିଗରେ ଥିଲେ ଏକ ବ୍ୟତିକ୍ରମ । ସାହିତ୍ୟ କ୍ଷେତ୍ରରେ ସେମାନେ ଯେଉଁ କୃତିତ୍ୱ ହାସଲ କରିଥିଲେ ତାହା ଅତୀବ ବିସ୍ମୟକର । କେବଳ ପରିମାଣାତ୍ମାକ ସୃଷ୍ଟି ନୁହେଁ, ଗୁଣାତ୍ମକ ସାହିତ୍ୟ ସୃଷ୍ଟିରେ ସେମାନେ ବିଶ୍ୱର ଅଗ୍ରଣୀ ହୋଇପାରିଥିଲେ । ଭିକ୍‍ଟୋରିଆ ଯୁଗର ସାହିତ୍ୟ, ରୁଚି, ପ୍ରକୃତି ଓ ଆଭିମୁଖ୍ୟ କ୍ଷେତ୍ରରେ ସମ୍ପୂର୍ଣ୍ଣ ଅଭିନବ ଥିଲା । ଭିକ୍‌ଟୋରିଆ ସିଂହାସନ ପ୍ରାପ୍ତିବେଳକୁ ଶେଲୀ, ବାଇରନ, କିଟ୍‍ସ, ୱାର୍ଡ଼ସୱାର୍ଥ, କୋଲରିଜ୍ ପ୍ରଭୃତି ଇଂରେଜ ସାହିତ୍ୟରେ ରୋମାଣ୍ଟିକ୍ ଯୁଗ ସୃଷ୍ଟି କରି ସାରିଥିଲେ । କିନ୍ତୁ ନୂତନ ଯୁଗର ନୂତନ ସନ୍ଦେଶ ଓ ସ୍ୱାଦ ନେଇ ଆବିର୍ଭାବ ହେଲେ କବି ଟେନିସନ, ଔପନ୍ୟାସିକ ଡିକେନ୍‌ସ ମେକାରେ, ମେକଲେ, ରାସକିନ୍, ଡିସ୍‍ରାଏଲି ଏବଂ ଙ୍କିଗ୍‌ସଲେ ଆଦି ଯୁଗଜନ୍ମାମାନେ । ସେମାନଙ୍କର ସାହିତ୍ୟକୃତି ଯଥାର୍ଥରେ ଅନବଦ୍ୟ ଥିଲା । ସାହିତ୍ୟ ମାଧ୍ୟମରେ ମାନବଜୀବନର ନୈତିକ ଆଦର୍ଶ, ସମସାମୟିକ ରାଜନୈତିକ ଓ ସାମାଜିକ ସମସ୍ୟାକୁ ପ୍ରତିଫଳିତ କରି ନିଜ କୃତିକୁ ସମୟୋପଯୋଗୀ, ଓ ସର୍ବଜନାଦୃତ କରିବା ସଙ୍ଗେ ସଙ୍ଗେ ବାସ୍ତବମୁଖୀ ଓ ସାର୍ବଜନୀନ କରିପାରିଥିଲେ । ଅନ୍ୟାୟ, ଅତ୍ୟାଚାର, ଅବହେଳା ଆଦି ସାମାଜିକ ଅପରାଧ ବିରୁଦ୍ଧରେ ଅଭିଯାନ ଚଳାଇ ଭିକ୍‌ଟୋରିଆ ଯୁଗର ସାହିତ୍ୟ ମାନବିକତା ଗୁଣରେ ସ୍ପନ୍ଦିତ ହେଉଥିଲା । ଏପରିକି ତଦ୍ଦ୍ୱାରା ରାଜନୈତିକ ମତବାଦ ଓ ରାଷ୍ଟ୍ରନୀତିରେ ପ୍ରଭାବିତ କରିବା ମଧ୍ୟ ସମ୍ଭବ ହେଉଥିଲା । ମେକଲେ, ଡିକେନ୍‌ସ, ରାସ୍‌କିନ୍‌ ପ୍ରଭୃତି ଲେଖକ ‘ଉଦାର ନୈତିକ ଦଳ’ର ସମର୍ଥକ ଥିଲେ ।

 

ଉପରୋକ୍ତ ସାହିତ୍ୟିକମାନଙ୍କର ସମବେତ ପ୍ରତିଷ୍ଠା ଇଂରାଜୀ ସାହିତ୍ୟକୁ ଚନ୍ଦ୍ରୋମୟ, ମଧୁମୟ ଓ ଚିରନ୍ତନ କରି ଗଢ଼ିବା ସଙ୍ଗେ ସଙ୍ଗେ ଭିକ୍‌ଟୋରିଆ ଯୁଗର ଗୌରବ ବୃଦ୍ଧିରେ ଅଶେଷ ସହାୟକ ହୋଇଥିଲା । ଇଂଲଣ୍ତର ଜାତୀୟ ଜୀବନ ତଦ୍ଦ୍ୱାରା ସୁନ୍ଦର ବିକଶିତ ହେବା ସହିତ ସମଗ୍ର ବିଶ୍ୱସାହିତ୍ୟ ଓ ବିଶ୍ୱସଂସ୍କୃତିରେ ନେତୃତ୍ୱ ଗ୍ରହଣରେ ବ୍ରିଟିଶ ଜାତି ସମର୍ଥ ହୋଇଥିଲା ।

Image

 

Unknown

ଷଡ଼ବିଂଶ ଅଧ୍ୟାୟ

ସାମ୍ରାଜ୍ୟବାଦ ଏବଂ ବ୍ରିଟିଶ ରାଜ୍ୟଗୋଷ୍ଠୀ

 

ଊନବିଂଶ ଶତାବ୍ଦୀର ଶେଷ ପର୍ଯ୍ୟାୟରେ ବିଶ୍ୱରାଜନୀତିରେ କେତେକ ନୂତନ ଆଭିମୁଖ୍ୟ ପରିଦୃଷ୍ଟ ହୋଇଥିଲା । ଜାତୀୟତା ଭିତ୍ତିରେ ସ୍ୱାଧୀନ ଓ ଶକ୍ତିଶାଳୀ ରାଷ୍ଟ୍ର ଗଠନ ଉକ୍ତ ଆଭିମୁଖ୍ୟର ମୂଳକାରଣ ଥିଲା । ବେଲଜିୟମ୍‌, ଇତାଲୀ, ଜର୍ମାନୀ ଆଦି ଦେଶରେ ଜାତୀୟ ଐକ୍ୟ ପ୍ରତିଷ୍ଠା ଓ ପ୍ରତିନିଧିମୂଳକ ଶାସନ ବ୍ୟବସ୍ଥା ପ୍ରଣୟନ ହେବା ସଙ୍ଗେ ସଙ୍ଗେ ଅର୍ଥନୈତିକ ପୁନର୍ଗଠନ ପାଇଁ ବିପ୍ଳବକୁ ତ୍ୱରାନ୍ୱିତ କରାଯାଇଥିଲା । ସେଥିପାଇଁ ଅଣଇଉରୋପୀୟ ରାଜ୍ୟଗୁଡ଼ିକର ସମ୍ପଦକୁ ବିନିଯୋଗ କରିବା ନିହାତି ଆବଶ୍ୟକ ହେଲା । ଯୁକ୍ତରାଷ୍ଟ୍ର ଆମେରିକାରେ ମଧ୍ୟ ଶିଳ୍ପ କାରଖାନାର ଦ୍ରୁତ ପ୍ରସାରଦ୍ୱାରା ବିଶ୍ୱଦରବାରରେ ନବପ୍ରତିଷ୍ଠିତ ରାଷ୍ଟ୍ର ସମୂହ ନୂତନ ପ୍ରେରଣା ଓ ଅଭିଳାଷ ନେଇ ସାମ୍ରାଜ୍ୟ ବିସ୍ତାର ପ୍ରତିଯୋଗିତା ଆରମ୍ଭ କଲେ । ଏହାଫଳରେ ବ୍ୟବସାୟିକ ଓ ରାଜନୈତିକ ସାମ୍ରାଜ୍ୟବାଦ ଜନ୍ମଲାଭ କଲା । ତେଣୁ ବାଣିଜ୍ୟ ତଥା ଉପନିବେଶ ପ୍ରତିଷ୍ଠା କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରୁଥିବା ଇଂଲଣ୍ତ ଅନ୍ୟାନ୍ୟ ଦେଶମାନଙ୍କର ତୀବ୍ର ପ୍ରତିଯୋଗିତାର ସମ୍ମୁଖୀନ ହୋଇଥିଲା । କେବଳ ଇଂଲଣ୍ତ କାହିଁକି, ଇଂଲଣ୍ତ ସହ ସମ୍ପୃକ୍ତ ଓ ଇଂଲଣ୍ତ ଶାସନାଧିନ ଅଞ୍ଚଳଗୁଡ଼ିକ ମଧ୍ୟ ସେହି ପ୍ରତିଯୋଗିତାର ପ୍ରଭାବ ଅନୁଭବ କରିଥିଲେ ।

 

ଇଂଲଣ୍ତରେ ସମାହିତ ହୋଇଥିବା ଶିଳ୍ପ ବିପ୍ଳବ ଏବଂ ଉତ୍ପାଦନ କ୍ଷେତ୍ରରେ ବିଜ୍ଞାନର ବହୁଳ ପ୍ରୟୋଗଫଳରେ ଯେଉଁ ଅର୍ଥନୈତିକ ଏବଂ ବ୍ୟବସାୟିକ ବିପ୍ଳବ ସୃଷ୍ଟି ହୋଇଥିଲା ତାହା ନବପ୍ରତିଷ୍ଠିତ ଇଉରୋପୀୟ ରାଷ୍ଟ୍ରମାନେ ଅନୁସରଣ କରିବାକୁ ଚାହିଁଲେ । ବିଦ୍ୟୁତ୍‌ ଶକ୍ତିର ବିନିଯୋଗଦ୍ୱାରା ଯାନ୍ତ୍ରିକ ଉପାଦାନ ଅଧିକ କ୍ଷମତାଶାଳୀ ହେବାରୁ ଶିଳ୍ପୋନ୍ନତି ତ୍ୱରାନ୍ୱିତ ହୋଇଥିଲା । ଏହି ବୈପ୍ଳବିକ ସମୃଦ୍ଧି ପ୍ରତି ଆକୃଷ୍ଟ ହୋଇ ଅନୁକରଣ ଦିଗରେ ପ୍ରଥମେ ସୁଯୋଗ ନେଲେ ଜର୍ମାନୀ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଡାଇନେମୋ, ଟେଲିଗ୍ରାଫ୍‌, ତୈଳସମ୍ପଦର ବିନିଯୋଗରେ ଶିଳ୍ପ ସମୃଦ୍ଧ ଦେଶଭାବେ ଜର୍ମାନୀ ଓ ଯୁକ୍ତରାଷ୍ଟ୍ର ଆମେରିକା ଅତି ଅଳ୍ପ ଦିନ ମଧ୍ୟରେ ଇଂଲଣ୍ତର ସମକକ୍ଷ ହୋଇପାରିଲେ । ସେ ଦେଶରେ ରେଳ ଓ ରାଜପଥ କ୍ଷୀପ୍ର ସଂପ୍ରସାରଣ ମଧ୍ୟ ଶିଳ୍ପପ୍ରସାରର ଆଉ ଏକ ଆନୁସଙ୍ଗିକ କୃତିତ୍ୱ । ତେବେ ଇଂଲଣ୍ତର ଅର୍ଥନୀତି ଏବଂ ରାଜନୀତି ଉପରେ ସର୍ବାଧିକ ପ୍ରଭାବପାତ କଲା ଜର୍ମାନୀର ଅଭିବୃଦ୍ଧି । ଖଣିଜ ସମ୍ପଦରେ ଇଂଲଣ୍ତ ଅପେକ୍ଷା ଅଧିକ ସମ୍ପଦଶାଳୀ ହୋଇଥିବାରୁ, ଜର୍ମାନମାନେ ପ୍ରତିଭା ଅଧ୍ୟବସାୟ ଓ ମନର ଦୃଢ଼ତାକୁ ଜାତୀୟ ପ୍ରଗତି କ୍ଷେତ୍ରରେ ରୂପାୟିତ କରି ଇଂରେଜମାନଙ୍କୁ ବଳିଗଲେ । ବାଣିଜ୍ୟର ପ୍ରସାରପାଇଁ ଜାହାଜ ନିର୍ମାଣ ଅତ୍ୟାବଶ୍ୟକ ହେବାରୁ ସେ ଦିଗରେ ମଧ୍ୟ ଜର୍ମାନମାନଙ୍କର ଅଗ୍ରଗତି ଅତି ଆଶ୍ଚର୍ଯ୍ୟ ଧରଣର ଥିଲା ।

 

ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ଯେଉଁ ପ୍ରତିଯୋଗିତାମୂଳକ ଉଦ୍ୟୋଗ ଆରମ୍ଭ ହେଲା ତା’ଫଳରେ ଇଉରୋପୀୟମାନେ ସମୃଦ୍ଧିଶାଳୀ ହେଲେ ସତ୍ୟ, କିନ୍ତୁ ସେମାନଙ୍କର ସମୃଦ୍ଧି ନିର୍ଭର କରୁଥିଲା ସୁଲଭ ମୂଲ୍ୟରେ କଞ୍ଚାମାଲର ଆମଦାନୀ ଏବଂ ଉତ୍ପାଦିତ ସାମଗ୍ରୀ ପାଇଁ ବିସ୍ତୃତ ବଜାର ଉପରେ । ସେ ଦୃଷ୍ଟିରୁ ପ୍ରତିଯୋଗୀ ରାଷ୍ଟ୍ରମାନେ ପରସ୍ପର ପ୍ରତି ଈର୍ଷାପରାୟଣଥିବାରୁ ପ୍ରତ୍ୟେକ ଚାହୁଁଥିଲେ ଅନ୍ୟଠାରୁ କମ୍ ଖରିଦ କରି ଅଧିକ ବିକ୍ରି କରିବାକୁ । ସେ ଦିଗରେ ସାଫଲ୍ୟପାଇଁ ରାଷ୍ଟ୍ରଗୁଡ଼ିକ ସ୍ୱାଧୀନ ବ୍ୟବସାୟ ବା ମୁକ୍ତ ବାଣିଜ୍ୟ ପରିବର୍ତ୍ତେ ନିୟନ୍ତ୍ରିତ–ବାଣିଜ୍ୟ–ନୀତି ଅବଲମ୍ବନ କରିବାକୁ ବାଧ୍ୟ ହେଲେ । ନିଜ ନିଜର ଶିଳ୍ପପ୍ରତିଷ୍ଠାନର ନିରାପତ୍ତା ଓ ସୁରକ୍ଷାପାଇଁ ନିୟନ୍ତ୍ରିତ–ବାଣିଜ୍ୟ–ନୀତି ଜରୁରୀ ଥିଲା । ସେଥିଯୋଗୁଁ ଆମଦାନୀ ଜିନିଷ ଉପରେ କଟକଣା ପ୍ରୟୋଗ କରିବା ସଙ୍ଗେ ସଙ୍ଗେ ଉଚ୍ଚହାରରେ ଶୃଳ୍କ ବସାଇବାକୁ ପଡ଼ିଥିଲା ।

 

ତେଣୁ ଶିଳ୍ପ ବିପ୍ଳବ ସହିତ ବ୍ୟବସାୟିକ ଅସୂୟା ଏବଂ ବିଦ୍ୱେଷ ଇଉରୋପୀୟମାନଙ୍କ ମନରେ ସଂକୀର୍ଣ୍ଣତା ସ ଅଶାନ୍ତିର ବୀଜ ବୁଣି ଦେଲା । ଆନ୍ତର୍ଜାତିକ–ବାଣିଜ୍ୟ–କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାରପାଇଁ ଜର୍ମାନୀ ପରି କେତେକ ରାଷ୍ଟ୍ର ସାମରିକ ଶକ୍ତିର ତାତ୍ପର୍ଯ୍ୟ ଉପଲବ୍ଧି କଲେ । ସାମରିକ ପ୍ରସ୍ତୁତି ଏବଂ ଯୁଦ୍ଧ ସହିତ ଶିଳ୍ପ ପ୍ରଗତି ଓତପ୍ରୋତଭାବେ ଜଡ଼ିତ ବୋଲି ସେମାନଙ୍କର ଧାରଣା ହେଲା । ତେଣୁ ରାସାୟନିକ ଏବଂ ଲୌହ ନିର୍ମିତ ପଦାର୍ଥ ଉତ୍ପାଦନରେ ଇଉରୋପରେ ଅଗ୍ରଣୀ ହୋଇଥିବାରୁ ଜର୍ମାନମାନେ ସାମରିକ କ୍ଷେତ୍ରରେ ପ୍ରଥମ ସ୍ଥାନ ଅଧିକାର କରିବାକୁ ଆଗ୍ରହୀ ହେଲେ ଓ ଚେଷ୍ଟିତ ହେଲେ । ଯୁଦ୍ଧ କରି କଳକାରଖାନା, ଖଣିଜ ସମ୍ପଦ, ପୋତାଶ୍ରୟ ଆଦି ଦଖଲ କରିପାରିଲେ ନିଜର ରାଜନୈତିକ ତଥା ଅର୍ଥନୈତିକ ବିଭବ ବୃଦ୍ଧି ପାଇବ ବୋଲି ସେମାନଙ୍କ ମନରେ ଗଭୀର ବିଶ୍ୱାସ ଜନ୍ମିଲା ।

 

ତେଣୁ ଶିଳ୍ପ ବିପ୍ଳବ, ବ୍ୟବସାୟିକ ସ୍ୱାର୍ଥ ଓ ସାମରିକ ପ୍ରସ୍ତୁତି ଐତିହାସିକ ବିବର୍ତ୍ତନରେ ଧାରାବାହିକଭାବେ ଜନ୍ମଲାଭ କଲେ । ଏହା ସହିତ ସଂଯୁକ୍ତ ହେଲା ଉପନିବେଶ ପ୍ରତିଷ୍ଠା ଦିଗରେ ପ୍ରବଳ ଅନୁରାଗ । ଇଉରୋପୀୟ ରାଷ୍ଟ୍ରଗୁଡ଼ିକ ନିଜ ନିଜର ଶିଳ୍ପ ପ୍ରତିଷ୍ଠାନ ପାଇଁ ସାରା ବିଶ୍ୱରେ କଞ୍ଚାମାଲ ଖୋଜି ବୁଲିଲେ । ଏହି ଅନ୍ୱେଷଣ ସେମାନଙ୍କୁ ଉପନିବେଶ ପ୍ରତିଷ୍ଠାନ ପାଇଁ ଉତ୍ସାହିତ କଲା । ଉପନିବେଶ ପ୍ରତିଷ୍ଠା କରିବାଦ୍ୱାରା ଉତ୍ପାଦିତ ସାମଗ୍ରୀ ବିକ୍ରିପାଇଁ ପ୍ରଶସ୍ତ ବଜାର ମିଳିବାର ଆଶା ଓ ପ୍ରେରଣାରେ ସେମାନେ ପୃଥିବୀର ସର୍ବତ୍ର ଖୋଜି ବୁଲିଲେ ଅନାବିଷ୍କୃତ ଅଞ୍ଚଳ ।

 

ଉପନିବେଶ ପ୍ରତିଷ୍ଠାପାଇଁ ମଧ୍ୟ ଇଉରୋପୀୟ ଦେଶ ମଧ୍ୟରେ ତୀବ୍ର ପ୍ରତିଯୋଗିତା ଆରମ୍ଭ ହେଲା । ଏହି ପ୍ରତିଯୋଗିତା ସମୟ ସମୟରେ ଭୟଙ୍କର ଯୁଦ୍ଧରେ ପରିଣତ ହେଲା । ଆମେରିକା, ଆଫ୍ରିକା ଏବଂ ପ୍ରାଚ୍ୟ ଦେଶମାନଙ୍କରେ ଯୁଦ୍ଧରତ ଇଉରୋପୀୟମାନେ ଆତ୍ମବଳି ଦେଇ ମାତୃଭୂମିର ସ୍ୱାର୍ଥରକ୍ଷା ପାଇଁ ଯେଉଁ ଉପନିବେଶମାନ ଗଢ଼ି ଦେଇଗଲେ, ତା’ଫଳରେ ଊନବିଂଶ ଶତାବ୍ଦୀର ଶେଷ ଭାଗରେ ସୁବିସ୍ତୃତ ଇଂରେଜ, ଫରାସୀ, ଡଚ୍, ପର୍ତ୍ତୁଗୀଜ୍‍ ଓ ସ୍ପେନୀୟ ସାମ୍ରାଜ୍ୟ ପ୍ରତିଷ୍ଠିତ ହୋଇପାରିଲା । ଏମାନଙ୍କ ମଧ୍ୟରେ ବ୍ରିଟିଶ ସାମ୍ରାଜ୍ୟ ସର୍ବବୃହତ୍ ଥିଲା–କାରଣ ବିଶ୍ୱର ପ୍ରତ୍ୟେକ ମହାଦେଶରେ ଓ ପ୍ରତ୍ୟେକ ସାଗର ମହାସାଗର ସହ ସଂଲଗ୍ନ କରି ଇଂରେଜମାନେ ଉପନିବେଶ ପ୍ରତିଷ୍ଠା କରିଥିଲେ । ତେଣୁ ବିଶ୍ୱଶକ୍ତି ଭାବରେ ‘ଗ୍ରେଟ୍‌ ବ୍ରିଟେନର ସ୍ଥାନଥିଲା ଅପ୍ରତିଦ୍ୱନ୍ଦ୍ୱୀ । ସେହି ପ୍ରାଧାନ୍ୟକୁ ଅକ୍ଷୁଣ୍ଣ ରଖିବା ଉଦ୍ଦେଶ୍ୟରେ ବ୍ରିଟେନ ଊନବିଂଶ ଶତାବ୍ଦୀର ଶେଷ ଭାଗରେ ‘ବିଚ୍ଛିନ୍ନ ନୀତି’ ପରିହାର କରିବାକୁ ବାଧ୍ୟ ହୋଇଥିଲା । ତା’ ହୋଇ ନଥିଲେ ଅନ୍ୟାନ୍ୟ ଇଉରୋପୀୟ ଶକ୍ତିମାନେ ତା’ର ସାମ୍ରାଜ୍ୟକୁ ବିପନ୍ନ କରିଥାନ୍ତେ । ଦରିଆପାରି ସାମ୍ରାଜ୍ୟ ପ୍ରତିଷ୍ଠା ଦିଗରେ ଫ୍ରାନ୍‌ସ, ପର୍ତ୍ତୁଗାଲ ଜର୍ମାନୀ ଆଦିର ଉତ୍ସୁକତା ଉପଲବ୍ଧି କରି ଗ୍ରେଟ ବ୍ରିଟେନ ମଧ୍ୟ କ୍ଷୀପ୍ର ଗତିରେ ନିଜ ସାମ୍ରାଜ୍ୟର ପରିସର ବୃଦ୍ଧି କରିଥିଲା । ସାମ୍ରାଜ୍ୟ ବିସ୍ତାର ଦିଗରେ ଏତାଦୃଶ ବ୍ୟଗ୍ରତା ସର୍ବାଧିକ ହେଲା ଆଫ୍ରିକା ମହାଦେଶରେ ।

 

ଆଫ୍ରିକା ବିଭାଜନ–ଆଫ୍ରିକା ମହାଦେଶର ବ୍ୟାପ୍ତି ଏବଂ ଅବସ୍ଥିତି ଇଉରୋପଠାରୁ ସମ୍ପୂର୍ଣ୍ଣ ଭିନ୍ନ । ତାହା ବିଷୁବରେଖା ଓ କ୍ରାନ୍ତି ଅଞ୍ଚଳରେ ଥିବାରୁ ଗ୍ରୀଷ୍ମପ୍ରଧାନ ଦେଶ ଅଟେ । ସେଠାକାର ଅଧିବାସୀମାନେ ଅନୁନ୍ନତ, ଅଶିକ୍ଷିତ ଓ ଆଦିମ ପ୍ରକୃତିର ଥିଲେ । ଦୁର୍ଭେଦ୍ୟ ଅରଣ୍ୟ ଓ ଗମନାଗମନର ଅସୁବିଧା ସତ୍ତ୍ୱେ ଇଉରୋପୀୟ ଆବିଷ୍କାରକମାନେ ବହୁ ଆୟାସ ସ୍ୱୀକାର କରି କ୍ରମଶଃ ଆଫ୍ରିକାର ଅନ୍ତଃପ୍ରଦେଶକୁ ପ୍ରବେଶ କରିଥିଲେ । ଇଉରୋପ ସହିତ ସମ୍ପର୍କ ସ୍ଥାପନ ପରେ ଆଫ୍ରିକାର ଉତ୍ତର ଅଞ୍ଚଳରେ ବିଶେଷତଃ ଭୂମଧ୍ୟସାଗରର ଦକ୍ଷିଣ ଉପକୂଳରେ ଇଉରୋପୀୟମାନେ ଅନାୟାସରେ ଉପନିବେଶ ସ୍ଥାପନ କରିଥିଲେ । ଏ ଦିଗରେ ଫରାସୀମାନେ ଥିଲେ ଅଗ୍ରଣୀ ଏବଂ ଆଲଜେରିଆ, ଟ୍ୟୁନିସ୍‌ ଆଦି ଅଧିକାର କରି ସେମାନେ ଉତ୍ତର ଆଫ୍ରିକାକୁ ନିୟନ୍ତ୍ରଣାଧିନରେ ରଖିଥିଲେ । ଟ୍ୟୁନିସ୍‌ ପ୍ରଶ୍ନ ନେଇ ଫ୍ରାନ୍‌ସର ଇଟାଲୀ ସହ, ଇଜିପ୍‌ଟ ନେଇ ଇଂଲଣ୍ତ ସହ ଏବଂ ମରକୋ ନେଇ ଜର୍ମାନୀ ସହ ଯେଉଁ ପ୍ରକାର ମନାନ୍ତର ସୃଷ୍ଟି ହୋଇଥିଲା ତା’ଫଳରେ ଉତ୍ତର ଆଫ୍ରିକା ଯେ ଇଉରୋପୀୟ ରାଜନୀତିକୁ ପ୍ରଭାବିତ କରୁଥିଲା ଏଥିରେ ସନ୍ଦେହ ନାହିଁ । ‘ଟ୍ୟୁନିସ୍‌’ ପ୍ରଶ୍ନ ନେଇ ଇତାଲୀ ଓ ଫ୍ରାନ୍‌ସର ମନାନ୍ତରଫଳରେ ଇଟାଲୀ ଜର୍ମାନୀ ଓ ଅଷ୍ଟ୍ରିୟା ସହ ‘ତ୍ରିଶକ୍ତିମେଣ୍ଟ’ରେ ଯୋଗ ଦେଇଥିଲେ । ସେହିପରି ‘ମରକ୍‌କୋ’ ପ୍ରଶ୍ନ ନେଇ ଜର୍ମାନୀ ଓ ଫ୍ରାନ୍‌ସ ମଧ୍ୟରେ ଯୁଦ୍ଧ ଲାଗିଯିବାର ବିଶେଷ ସମ୍ଭାବନା ଥିଲା ।

 

କିନ୍ତୁ ସାହାରା ମରୁଭୂମିର ଦକ୍ଷିଣ ଉତ୍ତମାଶାନ୍ତରୀପ ପର୍ଯ୍ୟନ୍ତ ଥିବା ବିଶାଳ ଭୂଭାଗ ଅଧିକାର ଦିଗରେ ଇଉରୋପୀୟ ଶକ୍ତିମାନେ କମ୍‌ ଆଗ୍ରହ ପ୍ରକାଶ କରି ନଥିଲେ । ଏହି ପ୍ରତିଯୋଗିତା ଅଧିକ ଭୟଙ୍କର ଥିଲା । ତେବେ ସେ ଦିଗରେ କୌଣସି ଆପୋସ ରାଜିନାମା କରିବା ଉଦ୍ଦେଶ୍ୟରେ ଖ୍ରୀ: ୧୮୭୬ରେ ବେଲ୍‌ଜିୟମର ରାଜା ଲିଓପୋଲଡ଼ ବୃସେଲସଠାରେ ଏକ ବେସରକାରୀ ଆଲୋଚନା ଆରମ୍ଭ କରିଥିଲେ । ପରସ୍ପର ମଧ୍ୟରେ କଳିଗୋଳ ଓ ଅଶାନ୍ତି ସୃଷ୍ଟି ନକରି ବୁଝାମଣାଦ୍ୱାରା ଆଫ୍ରିକାର ଉକ୍ତ ଅଞ୍ଚଳରେ ଇଉରୋପୀୟମାନେ ଉପନିବେଶ ପ୍ରତିଷ୍ଠା କରନ୍ତୁ ବୋଲି ତାଙ୍କ ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ତାଙ୍କୁ ସଭାପତି କରି ଏକ ଆନ୍ତର୍ଜାତିକ–ଆଫ୍ରିକୀୟ ସଂଘ ପ୍ରତିଷ୍ଠା କରାଗଲା । ଏହି ସଂଘର ଶାଖା ଇଉରୋପୀୟ କ୍ଷୁଦ୍ର ବୃହତ୍ ରାଷ୍ଟ୍ରମାନଙ୍କରେ ସ୍ଥାପିତ ହେଲା ସତ୍ୟ, କିନ୍ତୁ ସେମାନେ ଆନ୍ତର୍ଜାତିକ ବୁଝାମଣା ଓ ସାମୂହିକ ସ୍ୱାର୍ଥ ପରିବର୍ତ୍ତେ ନିଜ ନିଜ ଜାତୀୟ ସ୍ୱାର୍ଥଦ୍ୱାରା ପରିଚାଳିତ ହେଲେ । ଫଳରେ ଦେଶୀୟ ସରକାରଙ୍କ ପୃଷ୍ଠପୋଷକତାରେ ସେମାନେ ନିଜ ଦେଶପାଇଁ ଅଞ୍ଚଳ ଆବିଷ୍କାରରେ ବ୍ୟାପୃତ ହେଲେ । ତଦ୍ଦ୍ୱାରା ଫରାସୀ ଓ ବେଲଜିୟମ୍ ସରକାରଙ୍କ ମଧ୍ୟରେ କଳହର ସୂତ୍ରପାତ ହେଲା ଏବଂ ଆଫ୍ରିକା ମହାଦେଶ ଆନ୍ତଃରାଷ୍ଟ୍ରୀୟ ପ୍ରତିଯୋଗିତାର ଏକ କ୍ରୀଡ଼ାଭୂମିରେ ପରିଣତ ହେଲା । ପର୍ତ୍ତୁଗୀଜ୍‍ମାନେ ଆଫ୍ରିକାର ପୂର୍ବରୁ ପଶ୍ଚିମ ଉପକୂଳ ପର୍ଯ୍ୟନ୍ତ କର୍ତ୍ତୃତ୍ୱ ବିସ୍ତାରପାଇଁ ନିଜର ଦାବି ଉପସ୍ଥାପିତ କଲେ । ଅନ୍ୟ ଦିଗରେ ସୁଦାନ ଅଞ୍ଚଳ ଅଧିକାର ପାଇଁ ଫରାସୀ ସରକାର ସ୍ଥାନୀୟ ଅଧିବାସୀଙ୍କ ସହ କଥାବାର୍ତ୍ତା ଚଳାଇଲେ । ଏହାଦ୍ୱାରା ଇଂରେଜ ବ୍ୟବସାୟୀମାନଙ୍କର ସ୍ୱାର୍ଥ ବିପନ୍ନ ହେବାର ଆଶଙ୍କା ଥିଲା । କାରଣ ନାଇଜେରିଆ ଅଞ୍ଚଳରେ ଥିବା ତୈଳସମ୍ପଦର ବିନିଯୋଗ ପାଇଁ ସେମାନେ ଆଗ୍ରହୀ ଥିବାରୁ ଫରାସୀମାନଙ୍କର ଅନୁପ୍ରବେଶକୁ ସହ୍ୟ କରନ୍ତେ କିପରି ? ତେଣୁ ସେମାନେ ଖ୍ର: ୧୮୮୪ରେ ଫରାସୀ ବ୍ୟବସାୟୀମାନଙ୍କୁ ଅର୍ଥଦ୍ୱାରା ଅନ୍ୟତ୍ର ଚାଲିଯିବାକୁ ପ୍ରବର୍ତ୍ତାଇଥିଲେ ।

 

ଏହି ପ୍ରତିଯୋଗିତାରେ ଇଟାଲୀୟ ସରକାର ମଧ୍ୟ ସ୍ଥିର ହୋଇ ରହି ନଥିଲେ । ଖ୍ରୀ: ୧୮୮୨ରେ ଲୋହିତ ସାଗର ଉପକୂଳରେ ଇତାଲୀୟମାନେ ଆସ୍ଥାନ ଜମାଇ ଥିଲେ ଓ ସେମାନଙ୍କର ଉପନିବେଶ କ୍ରମଶଃ ‘ଏରିଟ୍ରିଆ’ ନାମରେ ଅଭିହିତ ହୋଇଥିଲା ।

 

ଜର୍ମାନୀର ରାଜ୍ୟପ୍ରମୁଖ ବିସ୍‍ମାର୍କ ଉପନିବେଶ ଦିଗରେ ବୀତସ୍ପୃହ ଥିବାରୁ ସେ କ୍ଷମତାରେ ଥିବା ପର୍ଯ୍ୟନ୍ତ ଜର୍ମାନମାନେ ସେ ଦିଗରେ କିଛି କୃତିତ୍ୱ ହାସଲ କରିପାରି ନଥିଲେ । କିନ୍ତୁ ଜର୍ମାନୀରେ ଏକ ଔପନିବେଶିକ–ଗୋଷ୍ଠୀ ଗଢ଼ି ଉଠିଥିଲା । ଉକ୍ତ ଗୋଷ୍ଠୀର ପ୍ରଭାବଫଳରେ ଲ୍ୟୁଡ଼ାରିସ ଓ ଡ଼ଃ ନାସ୍‌ଟିଗାଲ ଯଥାକ୍ରମେ ଦକ୍ଷିଣ–ପଶ୍ଚିମ–ଆଫ୍ରିକା ଓ ଟୋଗୋଲାଣ୍ତ୍ ଅଞ୍ଚଳରେ ଜର୍ମାନ ଉପନିବେଶ ସ୍ଥାପନ କରିବାର ଉଦ୍ୟମ କରିଥିଲେ । ଜର୍ମାନମାନଙ୍କ କବଳରୁ ନିଜ ସ୍ୱାର୍ଥକୁ ରକ୍ଷା କରିବାପାଇଁ ଇଂରେଜମାନେ ନାଇଜେରିଆ ଉପକୂଳକୁ ‘ସଂରକ୍ଷିତ ଅଞ୍ଚଳ’ ବୋଲି ଘୋଷଣା କରିଥିଲେ ।

 

ଏହିପରିଭାବେ ଦେଖାଯାଏ ଯେ ଅତି ଅଳ୍ପଦିନ ମଧ୍ୟରେ ଆଫ୍ରିକା ମହାଦେଶର ଦକ୍ଷିଣାଞ୍ଚଳ ଅଧିକାର ପାଇଁ ଇଉରୋପୀୟ ଦେଶଗୁଡ଼ିକ ମଧ୍ୟରେ ଏକ ଅସ୍ୱାସ୍ଥ୍ୟକର ସମ୍ପର୍କ ବଢ଼ି ଉଠିଲା । ସ୍ଥାନୀୟ ଅଧିବାସୀମାନଙ୍କୁ ଅତ୍ୟାଚାରିତ ଓ ଅବହେଳିତ କରି ସାମ୍ରାଜ୍ୟବାଦୀ ରାଷ୍ଟ୍ରମାନେ ନିଜ ସ୍ୱାର୍ଥସାଧନରେ ବ୍ୟାପୃତ ହେଲେ । ଖ୍ରୀ: ୧୮୮୪ରେ ବର୍ଲିନଠାରେ ଏକ ସମ୍ମିଳନୀ ବସି କଙ୍ଗୋ ଉପତ୍ୟକାରେ ଚାଲିଥିବା ବାଣିଜ୍ୟ ସମ୍ପର୍କରେ କେତେକ ନୀତି ନିର୍ଦ୍ଧାରିତ ହେଲା । ବଡ଼ବଡ଼ ମହାନଦୀମାନଙ୍କରେ ଅବାଧ ନୌଚାଳନ ଏବଂ ଉପନିବେଶ ମଧ୍ୟରେ ସୀମା ନିର୍ଣ୍ଣୟ ଦିଗରେ ମଧ୍ୟ କେତେକ ସିଦ୍ଧାନ୍ତ ଗୃହୀତ ହେଲା । ଆଫ୍ରିକାକୁ ନିଜ ମଧ୍ୟରେ ବଣ୍ଟନ କରି ଅଧିକୃତ ଅଞ୍ଚଳକୁ ପରସ୍ପରଦ୍ୱାରା ସ୍ୱୀକୃତ କରାଇନେବା ପାଇଁ ସମ୍ମିଳନୀରେ ପ୍ରତିନିଧିମାନେ ରାଜି ହେଲେ । ତେଣୁ ଅତି ଅଳ୍ପ ସମୟ ମଧ୍ୟରେ ଅଧିକ ଅଞ୍ଚଳରେ କର୍ତ୍ତୃତ୍ୱ ପ୍ରତିଷ୍ଠାପାଇଁ ଇଉରୋପୀୟ ଦେଶମାନଙ୍କ ମଧ୍ୟରେ ଯେଉଁ ତୀବ୍ର ପ୍ରତିଯୋଗିତା ଦେଖାଦେଲା ତା’ର ପଟାନ୍ତର ଇତିହାସରେ ବିରଳ ।

 

ଖ୍ରୀ: ୧୮୮୪ର ବର୍ଲିନ ସମ୍ମିଳନୀ ପରେ କୋଡ଼ିଏବର୍ଷ ମଧ୍ୟରେ ଆବିସିନିଆ, ତ୍ରିପୋଲି, ମରକ୍‌କୋ ଏବଂ ଲାଇବେରିଆ ବ୍ୟତୀତ ଆଫ୍ରିକାର ବାକି ଅଞ୍ଚଳ ସାମ୍ରାଜ୍ୟବାଦୀ ଶକ୍ତିମାନେ ବାଣ୍ଟିନେଲେ । ସେହି ସମୟରେ ‘ଜାଞ୍ଜିବାର’କୁ ଜର୍ମାନୀ ନିଜର ‘ସଂରକ୍ଷକ ଅଞ୍ଚଳ’ ବୋଲି ଘୋଷଣା କରିଥିଲା । କେନିଆ ଅଞ୍ଚଳରେ ଇଂରେଜ ବ୍ୟବସାୟୀମାନେ ଆଧିପତ୍ୟ ବିସ୍ତାର କରିଥିଲେ । ଏହା ଅବଶ୍ୟ ଇଂଲଣ୍ତ ଓ ଜର୍ମାନୀର ପରସ୍ପର ସହିତ ରାଜିନାମାଦ୍ୱାରା ସମ୍ଭବ ହୋଇଥିଲା । ତେଣୁ ଅଳ୍ପକାଳ ମଧ୍ୟରେ ଦକ୍ଷିଣ–ପଶ୍ଚିମ–ଆଫ୍ରିକା, ଟୋଗୋଲାଣ୍ତ୍, କାମେରୁନ୍ ଏବଂ ପୂର୍ବ ଆଫ୍ରିକା ଅଞ୍ଚଳରେ ଜର୍ମାନ ଔପନିବେଶିକ ସାମ୍ରାଜ୍ୟ ଗଢ଼ି ଉଠିଲା । ଏଥିପାଇଁ ଅବଶ୍ୟ ପ୍ରଧାନମନ୍ତ୍ରୀ ଗ୍ଲାଡ଼ଷ୍ଟୋନ୍‍ଙ୍କ ନୀତି ମୁଖ୍ୟତଃ ଦାୟୀ । କାରଣ ସେ ବ୍ରିଟିଶ ସାମ୍ରାଜ୍ୟର ଆଉ ପରିସର ବୃଦ୍ଧି ଚାହୁଁ ନଥିଲେ–ଯେହେତୁ ତାଙ୍କ ମତରେ ତଦ୍ଦ୍ୱାରା ସରକାରଙ୍କ ଦାୟିତ୍ୱ ଦିନୁଦିନ ବେଶୀ ହେଉଥିଲା । କିନ୍ତୁ ଖ୍ର: ୧୮୮୬ରେ ଲର୍ଡ଼ ସାଲିସବାରୀ ପ୍ରଧାନମନ୍ତ୍ରୀ ହେବା ପରଠାରୁ ସରକାରୀ ନୀତି ପରିବର୍ତ୍ତିତ ହେଲା । ଲର୍ଡ଼ ସାଲିସବାରୀଙ୍କ ପ୍ରଚେଷ୍ଟାଫଳରେ ବ୍ରିଟିଶ ସାମ୍ରାଜ୍ୟରକ୍ଷୀ ସଂପ୍ରସାରଣ ସମ୍ଭବ ହୋଇଥିଲା । ଏହି ସଂପ୍ରସାରଣ ପାଇଁ ତାଙ୍କଦ୍ୱାରା ପ୍ରତିଷ୍ଠିତ ରୟେଲ୍‌ ନାଇଜେର କମ୍ପାନୀ ଇଷ୍ଟ ଆଫ୍ରିକା କମ୍ପାନୀ ଏବଂ ସାଉଥ ଆଫ୍ରିକା କମ୍ପାନୀ ମୁଖ୍ୟତଃ ଦାୟୀ । ଉପରୋକ୍ତ କମ୍ପାନୀର କର୍ମଚାରୀମାନେ ସ୍ଥାନୀୟ ଅଧିବାସୀ ଓ ମୁଖିଆମାନଙ୍କ ସହ ମିଳିତ ହୋଇ ବ୍ରିଟିଶ ଉପନିବେଶର ଆଞ୍ଚଳିକ ପରିସରକୁ ବୃଦ୍ଧି କରିପାରିଥିଲେ ।

 

ବର୍ଲିନ ସମ୍ମିଳନୀର ସିଦ୍ଧାନ୍ତ ଅନୁସାରେ ପରସ୍ପରର ଆଞ୍ଚଳିକ କର୍ତ୍ତୃତ୍ୱକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ଖ୍ରୀ: ୧୮୯୦ରେ ଜର୍ମାନୀ ସହ ଗ୍ରେଟ ବ୍ରିଟେନର ରାଜିନାମା ହୋଇଥିଲା । ତଦ୍ଦ୍ୱାରା ଇଂରେଜମାନେ ଉଗାଣ୍ତା ଏବଂ ଜାଞ୍ଜିବାର ଓ ଜର୍ମାନମାନେ ହେଲିଗୋଲାଣ୍ତ୍ ପାଇଥିଲେ । ଆଫ୍ରିକାରେ ଜର୍ମାନୀ ସାମ୍ରାଜ୍ୟର ବିସ୍ମୃତି ଥିଲା ପ୍ରାୟ ଦଶଲକ୍ଷ ବର୍ଗମାଇଲ । ଖ୍ରୀ: ୧୮୯୪ରେ ଜର୍ମାନୀ ଓ ଫ୍ରାନ୍‌ସର ରାଜିନାମା ହେବାଫଳରେ ଜର୍ମାନ ଉପନିବେଶଗୁଡ଼ିକ ଫ୍ରାନ୍‌ସଦ୍ୱାରା ସ୍ୱୀକୃତ ହୋଇଥିଲା ।

 

କିନ୍ତୁ ଫ୍ରାନ୍‍ସ ଏବଂ ଇଂଲଣ୍ତ ମଧ୍ୟରେ ରାଜିନାମା ହେବା କଷ୍ଟକର ଥିଲା । ମାଡ଼ାଗାସ୍କାର ଦ୍ୱୀପ ଉପରେ ପରସ୍ପରର ସ୍ୱାର୍ଥ ନେଇ ବିଦ୍ୱେଷ ଆରମ୍ଭ ହୋଇଥିଲା । ସେହିପରି ଉତ୍ତର–ପଶ୍ଚିମ–ଆଫ୍ରିକାର ଗିନି ଉପକୂଳରେ ଉଭୟେ ଭୀଷଣ ବିବାଦରେ ଲିପ୍ତ ଥିଲେ । ଯା’ହେଉ ଖ୍ରୀ: ୧୮୯୦ରେ ଏକ ରାଜିନାମାଦ୍ୱାରା ଉପରୋକ୍ତ ଦୁଇ ବିବାଦର ସମାଧାନ ହୋଇପାରିଥିଲା । ତଥାପି ନାଇଜେରିଆର ଉତ୍ତର ସୀମାରେଖା ନେଇ ଦୁଇଦେଶ ମଧ୍ୟରେ ତିକ୍ତତା ଲାଗି ରହିଥିଲା । ପୁଣି ନୀଳନଦୀର ଉପର ଅଞ୍ଚଳ ଉପରେ ଆଧିପତ୍ୟ ପାଇଁ ଯେଉଁ ‘ଫେସୋଦା’ ସଙ୍କଟ ଉପୁଜିଥିଲା ତଦ୍ଦ୍ୱାରା ଫ୍ରାନ୍‌ସ ଏବଂ ଇଂଲଣ୍ତ ମଧ୍ୟରେ ସୌହାର୍ଦ୍ଦ୍ୟର ଆଶା ମରିଚିକା ତୁଲ୍ୟ ଜଣାପଡ଼ୁଥିଲଶ । କିନ୍ତୁ ଫ୍ରାନ୍‍ସର ସହଯୋଗମୂଳକ ମନୋବୃତ୍ତି ପାଇଁ ତାହା ସମ୍ଭବ ହେଲା ଏବଂ ଆଫ୍ରିକାରେ ପ୍ରାୟ ୪୦ ଲକ୍ଷ ବର୍ଗମାଇଲ ଅଞ୍ଚଳ ପାଇ ଫ୍ରାନ୍‌ସ ଗଢ଼ିଦେଲା ଏକ ସୁବିଶାଳ ସାମ୍ରାଜ୍ୟ ।

 

ପର୍ତ୍ତୁଗୀଜ୍‍ ସରକାରଙ୍କର ଆଫ୍ରିକା ଉପରେ ପୂର୍ବ ଉପକୂଳରୁ ପଶ୍ଚିମ ଉପକୂଳ ପର୍ଯ୍ୟନ୍ତ ଉଦ୍ଭଟ ଦାବିକୁ ବ୍ରିଟେନ ଗ୍ରହଣ କରି ନଥିଲା । ବ୍ରିଟିଶ ସାଉଥ୍ ଆଫ୍ରିକା କମ୍ପାନୀର ସାର୍‌ ସେସିଲ ରୋଡ଼୍‍ସ୍‌ଙ୍କ ପ୍ରଚେଷ୍ଟାଦ୍ୱାରା ରୋଡ଼େସିଆ ଅଞ୍ଚଳ ଇଂରେଜମାନେ ଅଧିକାର କରିଥିଲେ ଓ ନ୍ୟାସାଲ୍ୟାଣ୍ତ ଅଞ୍ଚଳରେ ମଧ୍ୟ ସେମାନେ ଆଧିପତ୍ୟ ବିସ୍ତାର କରିଥିଲେ । ଖ୍ରୀ: ୧୮୯୦ ଓ ଖ୍ରୀ: ୧୮୯୧ରେ ପର୍ତ୍ତୁଗାଲ ସହ ରାଜିନାମା ହେବାଦ୍ୱାରା ପୂର୍ବ ଓ ପଶ୍ଚିମ ଉପକୂଳରେ ପର୍ତ୍ତୁଗୀଜ୍‍ ଅଞ୍ଚଳରେ ସୀମା ନିର୍ଣ୍ଣିତ ହୋଇଥିଲା । ତଦ୍ଦ୍ୱାରା ପର୍ତ୍ତୁଗାଲ ଆଫ୍ରିକାରେ ପ୍ରାୟ ସାଢ଼େ ସାତ ଲକ୍ଷ ବର୍ଗମାଇଲ ଅଞ୍ଚଳ ଲାଭ କରିଥିଲା ।

 

ବିଭାଜନର ପରିଣତି–ଆଫ୍ରିକା ମହାଦେଶକୁ ଉପରୋକ୍ତଭାବେ ନିଜମଧ୍ୟରେ ଭାଗଭାଗ କରି ଇଉରୋପୀୟ ଶକ୍ତିମାନେ ଅତି ଅଳ୍ପ ସମୟ ମଧ୍ୟରେ ଉପଯୁକ୍ତ ପ୍ରଶାସନିକ ବ୍ୟବସ୍ଥା ପ୍ରଚଳନ କରିଥିଲେ । ଆଫ୍ରିକାର ସ୍ଥାନୀୟ ଆଦିମ ଅଧିବାସୀମାନଙ୍କୁ ଶିକ୍ଷା ଓ ସଂସ୍କୃତିର ଆଲୋକରେ ସଭ୍ୟ ତଥା ଉନ୍ନତ କରି ଗଢ଼ିବାର ଉଦ୍ୟମ ସେମାନେ କରିଥିଲେ ।

 

ଆଦିମ ଜାତି ଉପଜାତି ମଧ୍ୟରେ ବିବାଦ କ୍ରମଶଃ ଲୋପ ପାଇଥିଲା । ନିଗ୍ରୋମାନଙ୍କୁ ନେଇ ଚାଲିଥିବା ଦାସ ବ୍ୟବସାୟ ମଧ୍ୟ ଆସ୍ତେ ଆସ୍ତେ ବନ୍ଦ ହୋଇଗଲା । ଗମନାଗମନର ସୁବିଧାପାଇଁ ରାସ୍ତାଘାଟ, ରେଳପଥ, ପୋଲ ନିର୍ମିତ ହେବା ସଙ୍ଗେ ସଙ୍ଗେ ବାଷ୍ପୀୟ ପୋତର ବ୍ୟବହାର ଆଫ୍ରିକୀୟ ଜୀବନରେ ବୈପ୍ଳବିକ ପରିବର୍ତ୍ତନ ସୃଷ୍ଟିକଲା । ବ୍ୟବସାୟୀ ମିସନାରୀମାନେ ଅତି ନିବିଡ଼ ଓ ଦୁର୍ଭେଦ୍ୟ ସ୍ଥାନରେ କର୍ମରତ ହେଲେ । ଆଧୁନିକ ଚିକିତ୍ସା ବିଜ୍ଞାନର ପ୍ରୟୋଗଦ୍ୱାରା ମାନବ ଜାତିର ସେବା ଶୁଶ୍ରୂଷାପାଇଁ ସେମାନଙ୍କୁ ନୂତନ କ୍ଷେତ୍ର ମିଳିଲା । ଇଉରୋପୀୟ ଢାଞ୍ଚାରେ ବିଦ୍ୟାଳୟ, ଗିର୍ଜା, ଚିକିତ୍ସାଳୟ, ସହର ବଜାର ସ୍ଥାପିତ ହେବାଫଳରେ ଆଫ୍ରିକାବାସୀ ଅଶେଷ ଉପକୃତ ହେଲେ ସତ, କିନ୍ତୁ ସେମାନଙ୍କ ଉପରେ ୟୁରୋପୀୟ ପ୍ରାଧାନ୍ୟର କୁପ୍ରଭାବ ମଧ୍ୟ ପରିଲକ୍ଷିତ ହେଲା । ପ୍ରଶାସନିକ ପ୍ରଭୁତ୍ୱ ଜରିଆରେ ଅଶିକ୍ଷିତ ଆଫ୍ରିକୀୟମାନଙ୍କୁ ଅମାନୁଷିକଭାବେ ଶୋଷଣ କରାଗଲା । ବିଶେଷକରି ଯେଉଁ ଇଉରୋପୀୟ ଦେଶଗୁଡ଼ିକ ପୂର୍ବରୁ କଳାଲୋକଙ୍କୁ ଶାସନ କରିବାର ଅଭିଜ୍ଞତା ଅର୍ଜନ କରି ନଥିଲେ, ସେହିପରି ଦେଶଦ୍ୱାରା ଅକଥନୀୟ ଅତ୍ୟାଚାର ଉପନିବେଶମାନଙ୍କରେ ଆରମ୍ଭ ହେଲା । ଏ ଦିଗରେ ବେଲଜିୟମ ଏବଂ ଜର୍ମାନୀ ଥିଲେ ପ୍ରଧାନ ଅପରାଧ ରାଷ୍ଟ୍ର ।

 

ଫରାସୀ ଓ ଇଂରେଜମାନଙ୍କର ଔପନିବେଶିକ ଶାସନ ଅତି ଉନ୍ନତ ଧରଣର ଥିଲା । ତେଣୁ ସେମାନେ ସ୍ଥାନୀୟ ଅଧିବାସୀମାନଙ୍କର ସହଯୋଗ ଲାଭ କରିପାରିଥିଲେ । ବ୍ୟବସାୟିକ ସ୍ୱାର୍ଥ ଲାଭପାଇଁ ଶୋଷଣ ମାତ୍ରା ପ୍ରଚ୍ଛନ୍ନ ଥିଲେହେଁ ତାହା ଅତ୍ୟାଚାର ଉପରେ ଆଧାରିତ ନଥିଲା । ସ୍ଥାନୀୟ ଅଧିବାସୀମାନଙ୍କର ସାମାଜିକ ବ୍ୟବସ୍ଥା, ପ୍ରଚଳିତ କୁସଂସ୍କାର ପ୍ରତି ଇଂରେଜମାନେ ତାଚ୍ଛଲ୍ୟ ପ୍ରକାଶ କରୁ ନଥିଲେ । ତେଣୁ ସରକାରୀ ହସ୍ତକ୍ଷେପ ନଥିବାରୁ ଇଂରେଜ ଉପନିବେଶଗୁଡ଼ିକରେ ଶାସକ ଶାସିତ ମଧ୍ୟରେ ସଦ୍ଭାବ ରକ୍ଷା ହୋଇଥିଲା ।

 

ଉପନିବେଶ ପ୍ରତିଷ୍ଠା ଓ ସାମ୍ରାଜ୍ୟ ବୃଦ୍ଧି ଦିଗରେ ଇଂରେଜ ସରକାର ଉଦାସୀନ ମନୋଭାବ ପରିହାର କରି ଲାଭବାନ ହୋଇଥିଲେ । ସାମ୍ରାଜ୍ୟ ବିସ୍ତାର ସହ ପ୍ରତିରକ୍ଷା ଓ ପ୍ରଶାସନ ଦାୟିତ୍ୱ ବୃଦ୍ଧି ପାଇଲା ସତ, କିନ୍ତୁ ଏକ ବିଶାଳ ଭୂଖଣ୍ଡର ଅସୀମ ସମ୍ପଦ ମାନବ ସମାଜର ସେବାରେ ନିୟୋଜିତ କରିବାର ସୁଯୋଗ ସେମାନେ ପାଇଲେ । ଆଫ୍ରିକାରେ ସେମାନେ ସର୍ବମୋଟ ୩୫ ଲକ୍ଷ ବର୍ଗ ମାଇଲ ଅଞ୍ଚଳ ଅଧିକାର କରିଥିଲେ । ଏହା ଫରାସୀ ଅଧିକୃତ ଅଞ୍ଚଳ ଅପେକ୍ଷା ବିସ୍ତୃତିରେ କମ୍ ହେଲେହେଁ ପ୍ରାକୃତିକ ସମ୍ବଳ ଦୃଷ୍ଟିରୁ ଅଧିକ ସମ୍ପଦଶାଳୀ ଥିଲା । ନାଇଜେରିଆ, ନ୍ୟାସାଲ୍ୟାଣ୍ତ, କେନିଆ, ଉଗାଣ୍ତା ଏବଂ ସୋମାଲିଲ୍ୟାଣ୍ତର ଉପକୂଳ ପ୍ରକୃତରେ ଆଫ୍ରିକାର ସମୃଦ୍ଧିଶାଳୀ ଅଞ୍ଚଳ । ଏହା ବ୍ୟତୀତ ମିଶର ଉପରେ ମଧ୍ୟ ବ୍ରିଟିଶ କର୍ତ୍ତୃତ୍ୱ ବଜାୟ ରହିଲା ।

 

ରାଜ୍ୟଗୋଷ୍ଠୀ–ବ୍ରିଟିଶ ସାମ୍ରାଜ୍ୟ ଆଫ୍ରିକା ମହାଦେଶରେ କେବଳ ସୀମିତ ନଥିଲା । ପ୍ରାଚ୍ୟ ଭୂଖଣ୍ତରେ ଭାରତବର୍ଷ, ବର୍ମା, ସିଂହଳ; ମାଳୟ ଉପଦ୍ୱୀପ, ବୋର୍ଣ୍ଣିଓ ଉପକୂଳ, ନିଉଗିନି ଆଦି ଓ ଶତାଧିକ କ୍ଷୁଦ୍ର ବୃହତ୍ ଦ୍ୱୀପ ନେଇ ଇଂରେଜମାନେ ଅତି ସମୃଦ୍ଧ ବ୍ୟବସାୟ ଚଳାଇଥିଲେ-। ଏଥିରେ ଅବଶ୍ୟ ସେମାନଙ୍କୁ ସାହାଯ୍ୟ କରିଥିଲା ରାଜନୈତିକ ପ୍ରାଧାନ୍ୟ ଓ ନୌଶକ୍ତି-। ଶାସନାଧିନ ଅଞ୍ଚଳଗୁଡ଼ିକରେ କୃଷ୍ଣକାୟ ଲୋକେ ବସବାସ କରୁଥିଲେ ଏବଂ ସେମାନେ ସମସ୍ତେ ଅନୁନ୍ନତ, ଅଶିକ୍ଷିତ ଥିଲେ କିନ୍ତୁ କାନାଡ଼ା, ଅଷ୍ଟ୍ରେଲିଆ ଓ ନିଉଜିଲାଣ୍ତ୍ ପ୍ରଭୃତି ସାମ୍ରାଜ୍ୟଭୁକ୍ତ ଦେଶରେ ଶ୍ୱେତକାୟ ଲୋକେ ବସବାସ କରୁଥିଲେ । ତେଣୁ ବ୍ରିଟିଶ ସାମ୍ରାଜ୍ୟ ଇଂରେଜ, ଶ୍ୱେତକାୟ ଓ କୃଷ୍ଣକାୟ ଲୋକଙ୍କୁ ନେଇ ପରିଗଠିତ ହୋଇଥିଲା । ଏହି ସୁବିସ୍ତୃତ ଅଞ୍ଚଳର ଶାସନ ଦାୟିତ୍ୱ ଗ୍ରେଟ ବ୍ରିଟେନ ସରକାରଙ୍କ ଉପରେ ନ୍ୟସ୍ତ ଥିଲେହେଁ ଶାସିତ ଅଞ୍ଚଳର ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଉନ୍ନତି ଉପରେ ଭିତ୍ତିକରି ପ୍ରତିନିଧିମୂଳକ ଶାସନ ବ୍ୟବସ୍ଥା ପ୍ରବର୍ତ୍ତନରେ ଯଥାବିଧି ପଦକ୍ଷେପ ଗୃହୀତ ହେଉଥିଲା ଏବଂ ତାହା ରାଜ୍ୟଗୋଷ୍ଠୀ ଗଠନରେ ସହାୟକ ହୋଇଥିଲା ।

 

ଅଷ୍ଟାଦଶ ଶତାବ୍ଦୀରେ ଘଟିଥିବା ଆମେରିକା ସ୍ୱାଧୀନତା ସଂଗ୍ରାମ ବ୍ରିଟିଶ ଜାତି ପ୍ରତି ଏକ ମହାଶିକ୍ଷା ଥିଲା । ସାମ୍ରାଜ୍ୟ ପ୍ରତିଷ୍ଠା ଓ ସାମ୍ରାଜ୍ୟ ଶାସନ ଦିଗରେ ସେମାନେ ଯେଉଁ ମହାଶିକ୍ଷା ଲାଭକଲେ ତାକୁ କେନ୍ଦ୍ରକରି ଭବିଷ୍ୟତରେ ଉପନିବେଶ ସହିତ ସୁସମ୍ପର୍କ ରକ୍ଷା ଦିଗରେ ସଦା ଚେଷ୍ଟିତ ହେଲେ । ବିଶେଷତଃ ଶ୍ୱେତାଙ୍ଗମାନେ ବାସ କରୁଥିବା ଉପନିବେଶରେ ଏହି ଅନୁଭୂତି ଓ ଅଭିଜ୍ଞତା କାର୍ଯ୍ୟକାରୀ ହୋଇଥିଲା । ଗ୍ରେଟ ବ୍ରିଟେନକୁ ମାତୃଦେଶ ହିସାବରେ ଗ୍ରହଣ କରି ଉପନିବେଶଗୁଡ଼ିକ ସ୍ୱାୟତ୍ତ ଶାସନ ପ୍ରତିଷ୍ଠା କରନ୍ତି ଏବଂ ନିଜକୁ ମାତୃଭୂମିର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ମନେ କରନ୍ତି–ଏପରି ଏକ ସୁସମ୍ପର୍କର ମନସ୍ତାତ୍ତ୍ୱିକ ପ୍ରସ୍ତୁତି ମଧ୍ୟ ସହଜ ନଥିଲା । ଏହା ଅସମ୍ଭବ ବୋଲି ଅନେକ ମନ୍ତବ୍ୟ ଦେଇଥିଲେହେଁ ଇଂରେଜ ସରକାର ପ୍ରଥମେ କାନାଡ଼ାରେ ଉକ୍ତ ସୁସମ୍ପର୍କ ସ୍ଥାପନ ଦିଗରେ ଅପୂର୍ବ ସଫଳତା ଅର୍ଜନ କରିଥିଲେ ।

 

କାନାଡ଼ା–ଖ୍ରୀ: ୧୭୯୧ରେ ବ୍ରିଟିଶ ପାର୍ଲିଆମେଣ୍ଟ୍ ଆଇନ ପାସ୍ କରି କାନାଡ଼ାରେ ଦୁଇଟି ପ୍ରଦେଶ ଗଠନ କରି ପ୍ରତ୍ୟେକ ପ୍ରଦେଶପାଇଁ ଜଣେ ଲେଖାଏଁ ଗଭର୍ଣ୍ଣର ନିଯୁକ୍ତ କରିଥିଲେ-। ପ୍ରତ୍ୟେକ ପ୍ରଦେଶରେ ଗଭର୍ଣ୍ଣର ମନୋନୀତ ସଭ୍ୟଙ୍କୁ ନେଇ ବିଧାନ ପରିଷଦ ଓ ଲୋକ ପ୍ରତିନିଧିଙ୍କୁ ନେଇ ବିଧାନସଭା ଗଠିତ ହୋଇଥିଲା କିନ୍ତୁ ଏପରି ସାମ୍ବିଧାନିକ ବ୍ୟବସ୍ଥା ପ୍ରତି କାନାଡ଼ାବାସୀ କ୍ରମେ ବିମୁଖ ହେବାରୁ ଓ ସେଠାରେ ବ୍ରିଟିଶ ଓ ଫରାସୀ ଅଧିବାସୀମାନଙ୍କ ମଧ୍ୟରେ ବିଦ୍ୱେଷ ବୃଦ୍ଧି ପାଇବାରୁ ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଲୋଡ଼ା ହେଲା-। କାନାଡ଼ାର ରାଜନୈତିକ ସଙ୍କଟକୁ ସୁଧାରିବା ପାଇଁ ଲର୍ଡ଼ ଡାରହାମ୍‌ଙ୍କୁ କମିଶନରୂପେ ବ୍ରିଟିଶ ସରକାର ନିଯୁକ୍ତ କଲେ । ଲର୍ଡ଼ ଡାରହାମ୍‌ଙ୍କ ରିପୋର୍ଟ ଅନୁସାରେ କାନାଡ଼ାରେ ପୂର୍ଣ୍ଣ ସ୍ୱାୟତ୍ତ ଶାସନ ପ୍ରଚଳନ କରିବା ଓ ଦୁଇ ପ୍ରଦେଶକୁ ଏକତ୍ର ସଂଯୋଗ କରିବା ଦିଗରେ ସରକାର ପଦକ୍ଷେପ ଗ୍ରହଣ କଲେ । ଲର୍ଡ଼ ଏଲ୍‌ଗିନ୍‌ ଗଭର୍ଣ୍ଣର ଥିବା ସମୟରେ ଗଣତାନ୍ତ୍ରିକ ପଦ୍ଧତିରେ ଦାୟିତ୍ୱପୂର୍ଣ୍ଣ ମନ୍ତ୍ରିମଣ୍ଡଳ ଉପରେ ଶାସନ ଦାୟିତ୍ୱ ଛାଡ଼ି ଦେବାରୁ କାନାଡ଼ାରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପରିପୂର୍ଣ୍ଣତା ଲାଭକଲା । ଖ୍ରୀ: ୧୮୬୭ରେ କାନାଡ଼ା–ଅଧିରାଜ୍ୟ ହେବାରୁ ବ୍ରିଟିଶ ସାମ୍ରାଜ୍ୟରେ ଏକ ନୂତନ ରାଜନୈତିକ ସମ୍ପର୍କର ପ୍ରାରମ୍ଭ ହେଲା ।

 

ନିଉଫାଉଣ୍ତଲ୍ୟାଣ୍ତ–ଖ୍ରୀ: ୧୪୯୭ରେ ସପ୍ତମ ହେନେରୀଙ୍କ ରାଜତ୍ୱ କାଳର ଜନ କ୍ୟାବଟ୍‌ ନିଉଫାଉଣ୍ତଲ୍ୟାଣ୍ତ ଆବିଷ୍କାର କରିଥିଲେ । ତାହା ଇଂଲଣ୍ତର ପ୍ରାଚୀନତମ ଉପନିବେଶ ଥିଲା । ଖ୍ରୀ: ୧୮୫୫ଠାରୁ ସେଠାରେ ସ୍ୱାୟତ୍ତ ଶାସନ ପ୍ରଚଳିତ ହୋଇଥିଲା ।

 

ଅଷ୍ଟ୍ରେଲିଆ–ଖ୍ରୀ: ୧୭୭୦ରେ ଇଂରେଜ ନାବିକ କପ୍ତାନ କୁକ୍ ନିଉଜିଲାଣ୍ତ୍ ଆବିଷ୍କାର କରି ଅଷ୍ଟ୍ରେଲିଆ ମହାଦେଶର ସୁଦୀର୍ଘ ପୂର୍ବୋପକୂଳରେ ପ୍ରାୟ ଦୁଇ ହଜାର ମାଇଲ ନୌଚାଳନ କରି ଇଉରୋପୀୟ ଉପନିବେଶ ସ୍ଥାପନପାଇଁ ଉପଯୋଗୀ ବୋଲି ନିର୍ଣ୍ଣୟ କରିଥିଲେ । ଖ୍ରୀ: ୧୭୭୮ରେ ନିଉସାଉଥ୍‌ୱେଲସଠାରେ ପ୍ରଥମ ଇଂରେଜ ଉପନିବେଶ ପ୍ରତିଷ୍ଠା ହୋଇଥିଲା । ଏହା ପ୍ରଥମେ ଅପରାଧୀମାନଙ୍କ ନିର୍ବାସନ ସ୍ଥାନରୂପେ ବ୍ୟବହୃତ ହୋଇଥିଲା ସତ, କିନ୍ତୁ କାଳକ୍ରମେ ସବୁଶ୍ରେଣୀର ଲୋକ ଇଂଲଣ୍ତରୁ ଅଷ୍ଟ୍ରେଲିଆକୁ ଆସିଥିଲେ । ସ୍ୱର୍ଣ୍ଣଖଣିର ସନ୍ଧାନ ଓ ଅଚିରେ ସମ୍ପଦଶାଳୀ ହେବାର ପ୍ରଲୋଭନ ଜନସମାଗମକୁ କ୍ଷୀପ୍ରତର କଲା ଏବଂ ଜନବସତି ଦ୍ରୁତଗତିରେ ବିସ୍ତୃତ ହେଲା । ଫଳରେ ଟାସ୍‌ମାନିଆ, ଭିକ୍‍ଟୋରିଆ, କୁଇନସଲ୍ୟାଣ୍ତ ଆଦି ଉପନିବେଶ ଗଢ଼ିଉଠିଲା । ଖ୍ରୀ: ୧୮୫୫ରେ ପ୍ରତ୍ୟେକ ଉପନିବେଶକୁ ସ୍ୱାୟତ୍ତ ଶାସନ ଅଧିକାର ମିଳିଥିଲା କିନ୍ତୁ ବର୍ତ୍ତମାନର ଅଷ୍ଟ୍ରେଲିଆ ଗଠନପାଇଁ ଖ୍ରୀ: ୧୯୦୦ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆବାସୀ ଅପେକ୍ଷା କରିଥିଲେ ।

ନିଉଜିଲାଣ୍ତ୍–ଖ୍ରୀ: ୧୮୪୦ରେ ନିଉଜିଲାଣ୍ତ୍ ଗ୍ରେଟ ବ୍ରିଟେନଦ୍ୱାରା ଅଧିକୃତ ହୋଇଥିଲା-। ଅନେକ ଦିନ ଧରି ସ୍ଥାନୀୟ ଅଧିବାସୀଙ୍କ ସହ ଯୁଦ୍ଧ ବିଗ୍ରହ ଲାଗି ରହିଥିଲା-। କିନ୍ତୁ ବ୍ରିଟିଶ ଉପନିବେଶ ଭାବରେ ଏହାର ସମୃଦ୍ଧି ଅତି ଅଳ୍ପ ଦିନରେ ସମ୍ଭବ ହୋଇଥିଲା ଏବଂ ଅଷ୍ଟ୍ରେଲିଆ ସହ ନିଉଜିଲାଣ୍ତ୍ ମଧ୍ୟ ଖ୍ରୀ: ୧୮୫୫ରେ ସ୍ୱାୟତ୍ତ ଶାସନର ସୁଯୋଗ ହାସଲ କରିଥିଲା-

ଦକ୍ଷିଣ ଆଫ୍ରିକା–ଖ୍ରୀ: ୧୪୮୬ରେ ପର୍ତ୍ତୁଗୀଜ୍‍ ନାବିକମାନଙ୍କଦ୍ୱାରା ଉତ୍ତମାଶାନ୍ତରୀପ ଆବିଷ୍କୃତ ହୋଇଥିଲା । ଭାରତ ଓ ସୁଦୂର ପ୍ରାଚ୍ୟକୁ ଯିବା ସମୟରେ ଇଉରୋପୀୟ ନାବିକ ଓ ବ୍ୟବସାୟୀମାନେ ସେଠାରେ କିଛିକ୍ଷଣ ଅବସ୍ଥାନ କରୁଥିଲେ । ଖ୍ରୀ: ୧୬୫୨ରେ ଡଚ୍ ବ୍ୟବସାୟୀମାନେ ସେ ଅଞ୍ଚଳରେ ପ୍ରଥମେ ବସତି ସ୍ଥାପନ କରିଥିଲେ । ପରେ ପରେ ଫରାସୀମାନେ ଅବଶ୍ୟ ପହଞ୍ଚିଲେ । ଖ୍ରୀ: ୧୮୧୪ରେ ଇଂରେଜମାନେ ଅନ୍ତରୀପ ଅଞ୍ଚଳକୁ ଅଧିକାର କରି ଆସ୍ଥାନ ମାଡ଼ି ବସିଲେ । ସେଠାରେ ଥିବା ଡଚ୍‌ମାନେ କାଳକ୍ରମେ ବୁଅର ନାମରେ ଅଭିହିତ ହୋଇଥିଲେ । ଇଂରେଜ ଓ ବୁଅରମାନଙ୍କ ବ୍ୟତୀତ ସ୍ଥାନୀୟ ଅଧିବାସୀମାନେ କୃଷ୍ଣକାୟ ଆଦିମ ଥିଲେ । ସେମାନେ ଥିଲେ ‘ହେଟେନଟଟ୍‌’ ଓ ‘ବାଣ୍ଟୁ’ ଉପଜାତିର ଲୋକ ଏବଂ ସଂଖ୍ୟାରେ ଇଉରୋପୀୟମାନଙ୍କଠାରୁ ବହୁଗୁଣରେ ଅଧିକ ।

ବୁଅରମାନେ ସ୍ଥାନୀୟ ଅଧିବାସୀଙ୍କୁ ଘୃଣା ଚକ୍ଷୁରେ ଦେଖୁଥିଲେ ଓ କୃଷିକାର୍ଯ୍ୟ ପାଇଁ ଦାସରୂପେ ନିୟୋଜିତ କରୁଥିଲେ । ଖ୍ରୀ: ୧୮୩୩ରେ ଦାସତ୍ୱ ପ୍ରଥା ଲୋପ ପାଇବାଫଳରେ ବୁଅରମାନେ ଅସନ୍ତୁଷ୍ଟ ହୋଇ ଅନେକ ସଂଖ୍ୟାରେ ଅନ୍ତରୀପ ଅଞ୍ଚଳ ପରିତ୍ୟାଗ କରି ଉତ୍ତର ଦିଗରେ ବସବାସ କରିଥିଲେ । ଏହି ନବ ଅଧ୍ୟୁଷିତ ଅଞ୍ଚଳକୁ ଅଧିକାରଭୁକ୍ତ କରିବାରେ ଅନିଚ୍ଛୁକ ଥିଲେହେଁ ସ୍ୱର୍ଣ୍ଣ ଓ ହୀରକ ଖଣିର ଆବିଷ୍କାର ହେତୁ ଦଖଲ କରିଥିଲେ । ସେଥିପାଇଁ ଟ୍ରାନ୍‌ସଭାଲ, ଅରେଞ୍ଜ ଫ୍ରିଷ୍ଟେଟ୍ ନାଟାଲ୍, କିମ୍ବର୍ଲି ପ୍ରଭୃତି ଅଞ୍ଚଳ ବ୍ରିଟିଶ ଶାସନାଧିନ ହୋଇପାରିଲା । ଖଣିଜ ସମ୍ପଦର ବିକାଶ ଓ ବିନିଯୋଗ ଉଦ୍ଦେଶ୍ୟରେ ସହସ୍ରାଧିକ ବ୍ରିଟିଶ ନାଗରିକ ଏସବୁ ସ୍ଥାନକୁ ଆସି ସ୍ଥାୟୀ ଭାବରେ ବସବାସ କରିଥିଲେ । ଖ୍ରୀ: ୧୮୧୫ରୁ ଖ୍ରୀ:୧୮୭୦ରେ ସେମାନଙ୍କର ଉଦ୍ୟୋଗ ଯୋଗୁଁ ଅନ୍ତରୀପ ଉପନିବେଶ ସମୃଦ୍ଧିଶାଳୀ ହୋଇ ଉଠିବାରୁ ସ୍ୱାୟତ୍ତ ଶାସନପାଇଁ ଦାବି ଉପସ୍ଥାପିତ ହେଲା । ଫଳରେ ଖ୍ରୀ: ୧୮୭୨ରେ ସେଠାରେ ସ୍ୱାୟତ୍ତ ଶାସନ ପ୍ରଚଳିତ ହେଲା ।

କାଳକ୍ରମେ ଟ୍ରାନ୍‌ସଭାଲ ଇଂରେଜ କର୍ତ୍ତୃକ ଅଧିକୃତ ହେଲା ଖ୍ରୀ: ୧୮୭୭ରେ ଏବଂ ଅନେକ ଘାତ ପ୍ରତିଘାତ ପରେ ଖ୍ରୀ: ୧୯୦୮ରେ ଦକ୍ଷିଣ ଆଫ୍ରିକାର ଇଂରେଜ ଉପନିବେଶଗୁଡ଼ିକ ଏକତ୍ରିତ ହେବାକୁ ସିଦ୍ଧାନ୍ତ ଗ୍ରହଣ କଲେ । ଟ୍ରାନ୍‌ସଭାଲ, ଅରେଞ୍ଜ ଫ୍ରିଷ୍ଟେଟ୍, କେପ୍ ପ୍ରଦେଶ ଏବଂ ନାଟାଲକୁ ନେଇ ‘ସଂଯୁକ୍ତ ଦକ୍ଷିଣ ଆଫ୍ରିକା’ ନାମରେ ଏକ ନୂତନ ଅଧିରାଜ୍ୟ ଗଠିତ ହେଲା । ଏହାର ପ୍ରଥମ ଗଭର୍ଣ୍ଣର ଓ ପ୍ରଧାନମନ୍ତ୍ରୀ ଥିଲେ ଯଥାକ୍ରମେ ଜେନେରାଲ୍‍ ବୋଥା ଏବଂ ଲର୍ଡ଼ ଗ୍ଲାଡ଼ଷ୍ଟୋନ୍ ।

କାନାଡ଼ା, ନିଉଫାଉଣ୍ଡଲାଣ୍ଡ୍, ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ୍ ଓ ସଂଯୁକ୍ତ ଦକ୍ଷିଣ ଆଫ୍ରିକାକୁ ନେଇ ବ୍ରିଟିଶ ରାଜ୍ୟଗୋଷ୍ଠୀ ଗଠିତ ହେଲା । ପ୍ରତ୍ୟେକ ଅଧିରାଜ୍ୟ ପାଇଁ ଜଣେ ଲେଖାଏଁ ଗଭର୍ଣ୍ଣର ଜେନେରାଲ୍‍ ବା ଶାସନ ମୁଖ୍ୟ ବ୍ରିଟିଶ ସରକାରଙ୍କଦ୍ୱାରା ନିଯୁକ୍ତ ହେଉଥିଲେ । ସେମାନେ ଅଧିରାଜ୍ୟ ଓ ମାତୃଭୂମି ଗ୍ରେଟ ବ୍ରିଟେନ ସହ ସମ୍ପର୍କ ବା ଯୋଗସୂତ୍ର ପ୍ରତିଷ୍ଠାର ମାଧ୍ୟମ । ଏହି ସୁସମ୍ପର୍କର ଅଭିବୃଦ୍ଧି ପାଇଁ ସମୟ ସମୟରେ ଲଣ୍ତନଠାରେ ସମ୍ମିଳନୀ ଆହୂତ ହେଉଥିଲା । ଅଧିରାଜ୍ୟର ପ୍ରଧାନମନ୍ତ୍ରୀମାନେ ଉକ୍ତ ସମ୍ମିଳନୀରେ ଯୋଗ ଦେଉଥିଲେ । ପରସ୍ପର ଅର୍ଥନୈତିକ ଓ ସାମାଜିକ ସହଯୋଗହିଁ ସମ୍ମିଳନୀ ଆହ୍ୱାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

ବ୍ରିଟିଶ ସାମ୍ରାଜ୍ୟ ଏବଂ ରାଜ୍ୟଗୋଷ୍ଠୀର ପରିସର ଅତି ବିଶାଳ ଥିଳା । ତହିଁରେ ସମଗ୍ର ବିଶ୍ୱର ଏକପଞ୍ଚମାଂଶ ଭୂଭାଗ ଏବଂ ଏକପଞ୍ଚମାଂଶ ଜନସଂଖ୍ୟା ଅନ୍ତର୍ଭୁକ୍ତ ଥିଲା । ଏହି ସୁବିଶାଳ ସାମ୍ରାଜ୍ୟର ଅଧୀଶ୍ୱର ଇଂରେଜ ଜାତି ପୃଥିବୀ ଇତିହାସରେ ମହାଦାୟିତ୍ୱ ତୁଲାଇବାର ହକ୍‌ଦାର ଥିଲେ ବୋଲି ସ୍ୱୀକାର କରାଯାଇପାରେ । ଅନୁନ୍ନତ, ଅଶିକ୍ଷିତ କୃଷ୍ଣକାୟ ଜନଶକ୍ତିକୁ ସଭ୍ୟ ଓ ସଂସ୍କୃତ କରି ଗଢ଼ିବାହିଁ ଥିଲା ସେ ମହାଦାୟିତ୍ୱ ।

ପରିଶେଷରେ ଏତିକି କହିଲେ ଯଥେଷ୍ଠ ହେବ ଯେ, ଊନବିଂଶ ଶତାବ୍ଦୀର ଶେଷ ଭାଗରେ ସମଗ୍ର ବିଶ୍ୱ ଇଉରୋପ ମହାଦେଶଦ୍ୱାରା ରାଜନୈତିକ, ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ପରିଚାଳିତ ହେଉଥିଲା । ଇଉରୋପୀୟ ଧର୍ମ, ଶିକ୍ଷା ଓ ସାମାଜିକ ପରମ୍ପରାରେ ଅନ୍ୟ ସମସ୍ତେ ନିଜକୁ ଅନୁପ୍ରାଣିତ କରୁଥିଲେ । ବୃହତ୍‌ଶକ୍ତି ଭାବରେ ଗ୍ରେଟ ବ୍ରିଟେନ, ଫ୍ରାନ୍‌ସ, ରୁଷିଆ, ଜର୍ମାନୀ ଓ ଯୁକ୍ତରାଷ୍ଟ୍ର ଆମେରିକା ଥିଲେ ପୃଥିବୀରେ ଅଗ୍ରଗଣ୍ୟ ଏବଂ ସେମାନଙ୍କ ମଧ୍ୟରେ ଥିବା ପାରସ୍ପରିକ ସମ୍ପର୍କଦ୍ୱାରା ବିଶ୍ୱ ରାଜନୀତି ପ୍ରଭାବିତ ହେଉଥିଲା । ଏହି ପାରସ୍ପରିକ ସମ୍ପର୍କରେ କ୍ରମେ ଦେଖା ଦେଇଥିବା ଜଟିଳତା କିପରି ଆନ୍ତର୍ଜାତିକ ପରିସ୍ଥିତିରେ ବିଶ୍ୱଯୁଦ୍ଧରେ ଅବତାରଣା କଲା ତାହା ପରବର୍ତ୍ତୀ ଅଧ୍ୟାୟରେ ଆଲୋଚିତ ହେବ ।

Image

 

ସପ୍ତବିଂଶ ଅଧ୍ୟ୍ୟାୟ

ପରିବର୍ତ୍ତିତ ବୈଦେଶିକ ନୀତି ଓ ପ୍ରଥମ ବିଶ୍ୱଯୁଦ୍ଧ

 

ବିଚ୍ଛିନ୍ନ ନୀତି–ୱାଟାରଲୁ ବିଜୟ ପରେ ଇଂଲଣ୍ତ ଇଉରୋପୀୟ ରାଜନୀତିରେ ବିଶେଷ ସଂଶ୍ଳିଷ୍ଟ ହେବାକୁ ଚାହିଁ ନଥିଲା । ଭିଏନା କଂଗ୍ରେସ ଏବଂ ‘ପବିତ୍ର ସଂଘ’ରେ ଯୋଗ ଦେଇଥିଲେ ମଧ୍ୟ ସେଥିରେ ଇଂରେଜ କୂଟନୀତିଜ୍ଞମାନେ ଆନ୍ତରିକତା ପ୍ରଦର୍ଶନ କରି ନଥିଲେ । ସେଥିପାଇଁ ବୈଦେଶିକ ମନ୍ତ୍ରୀ ଲର୍ଡ଼ କେସ୍‌ଲରୀଙ୍କ ପରେ ବୈଦେଶିକ ନୀତିରେ ନୂତନ ଆଭିମୁଖ୍ୟ ପରିଲକ୍ଷିତ ହେଲା । ବିଶେଷକରି କ୍ରିମିଆ ଯୁଦ୍ଧର ଅବସାନ ପରେ (ଖ୍ରୀ: ୧୮୫୬) ଗ୍ଲାଡ଼ଷ୍ଟୋନ୍ ଏବଂ ଡିସ୍‌ରାଏଲି ଉଭୟେ ଇଉରୋପୀୟ ଘଟଣା ପ୍ରବାହରୁ ନିଜ ଦେଶକୁ ଦୂରେଇ ରଖିଥିଲେ । କେବଳ ଖ୍ରୀ: ୧୮୭୮ରେ ବର୍ଲିନ କଂଗ୍ରେସରେ ନୈତିକ ଚାପ ପକାଇ ଡିସ୍‍ରାଏଲି ରୁଷିଆର ସାମ୍ରାଜ୍ୟବାଦୀ ସଂପ୍ରସାରଣକୁ ବଲକାନ୍‌ ଅଞ୍ଚଳରେ ବିରୋଧ କରି ପୁରଷ୍କାରସ୍ୱରୂପ ସାଇପ୍ରସ୍ ନେଇ ଲଣ୍ତନକୁ ଫେରିଥିଲେ । ଖ୍ରୀ: ୧୮୧୫ ଖ୍ରୀ: ୧୮୫୩ ଏବଂ ୧୮୫୬ର ଊନବିଂଶ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ଇଉରୋପୀୟ ରାଜନୀତିରୁ ନିଜକୁ ଦୂରେଇ ରଖିଥିବାଦ୍ୱାରା ଇଂରେଜ ସରକାର ଆଭ୍ୟନ୍ତରୀଣ ନୀତିକୁ ପ୍ରଶାସନିକ ଅର୍ଥନୀତି ଓ ସାମାଜିକ ସଂଗଠନ ତଥା ସାମ୍ବିଧାନିକ ପରିବର୍ତ୍ତନ ଦିଗରେ ପରିଚାଳିତ କରି ଅର୍ଥନୀତି ଓ ସମାଜରେ ଦେଖା ଦେଇଥିବା ଘୋର ବିପର୍ଯ୍ୟୟକୁ ଦୂରୀଭୂତ କରିବା ସଙ୍ଗେ ସଙ୍ଗେ ଗଣତାନ୍ତ୍ରିକ ବିକାଶର ଗତିକୁ ତ୍ୱରାନ୍ୱିତ କରି ପାରିଥିଲେ । ତା’ଛଡ଼ା ଦରିଆପାରି ଅଞ୍ଚଳରେ ବାଣିଜ୍ୟର ପ୍ରସାର ଏବଂ ଉପନିବେଶ ବିସ୍ତାରପାଇଁ ମଧ୍ୟ ଯଥେଷ୍ଟ ଶକ୍ତି ବିନିଯୋଗ କରିଥିଲେ । ଫଳରେ ଇଂଲଣ୍ତ ବିଶ୍ୱର ସର୍ବଶ୍ରେଷ୍ଠ ଶକ୍ତି ହିସାବରେ ପ୍ରତିଷ୍ଠା ପାଇଥିଲା ! ତେଣୁ ଊନବିଂଶ ଶତାବ୍ଦୀର ଅନୁସୃତ ‘ବିଚ୍ଛିନ୍ନ ନୀତି’ ଇଂଲଣ୍ତର ସ୍ୱାର୍ଥାନୁକୂଳ ଥିଲା ବୋଲି କୂଟନୀତିଜ୍ଞମାନେ ମତ ପ୍ରକାଶ କରିଥିଲେ । ଆଧୁନିକ ଜର୍ମାନୀ ସ୍ଥାପିତ ହେବାପରେ ବିସ୍‍ମାର୍କ ଇଂଲଣ୍ତର ସୌହାର୍ଦ୍ଦ୍ୟ କାମନା କରିଥିଲେହେଁ ଇଂଲଣ୍ତ ସେଥିରେ ପ୍ରଲୁବ୍‌ଧ ହୋଇ ନଥିଲା-। ତେଣୁ ଫ୍ରାନ୍‌ସର ପ୍ରତିଶୋଧମୂଳକ ଯୁଦ୍ଧ ଅଭିଯାନରୁ ଜର୍ମାନୀକୁ ସୁରକ୍ଷିତ କରିବାପାଇଁ ବିସ୍‌ମାର୍କ ବାଧ୍ୟ ହୋଇ ଅଷ୍ଟ୍ରିୟା ଏବଂ ଇତାଲୀକୁ ନେଇ ‘ତ୍ରିଶକ୍ତି ମେଣ୍ଟ’ ନାମକ ସାମରିକ ବ୍ୟୁହ ନିର୍ମାଣ କରିଥିଲେ । ତଥାପି ଇଂଲଣ୍ତ ସେଥିରେ କୌଣସି ଆପତ୍ତି କରି ନଥିଲା ।

 

ବିସ୍‍ମାର୍କ କ୍ଷମତାରେ ଥିବା ପର୍ଯ୍ୟନ୍ତ (ଖ୍ରୀ: ୧୮୯୦) ଇଉରୋପୀୟ ରାଜନୀତିରେ ଏକପ୍ରକାର ସ୍ଥିତାବସ୍ଥା ବଜାୟ ରହିଥିଲା । କିନ୍ତୁ ସେ ଖ୍ରୀ: ୧୮୯୦ କ୍ଷମତାଚ୍ୟୁତ ହେବାପରେ କାଇଜାର ଦ୍ୱିତୀୟ ଉଇଲିୟମ୍‌ ଜର୍ମାନୀର ବୈଦେଶିକ ନୀତିକୁ ଆକ୍ରମଣାତ୍ମକ କରି ଅନର୍ଥ ସୃଷ୍ଟି କଲାରୁ ଇଂଲଣ୍ତ ଆତଙ୍କିତ ହୋଇଥିଲା । ଦ୍ୱିତୀୟ ଉଇଲିୟମ୍‍ଙ୍କ ‘ବିଶ୍ୱନୀତି’ ମହାପରାକ୍ରମଶାଳୀ ନୌବାହିନୀ ଗଠନ, ସାମରିକ ପ୍ରସ୍ତୁତି, ସାମ୍ରାଜ୍ୟ ବିସ୍ତାର ଦିଗରେ ପ୍ରବଳ ଆଗ୍ରହ ପ୍ରକାଶ କରିବାଦ୍ୱାରା ଇଉରୋପୀୟ ରାଜନୀତିରେ ମହାସଙ୍କଟମୟ ମୁହୂର୍ତ୍ତର ଅୟମାରମ୍ଭ ହୋଇଗଲା । ଫଳରେ ଇଂରେଜ ବୈଦେଶିକ ନୀତିରେ ପରିବର୍ତ୍ତନର ସୂତ୍ରପାତ ହେଲା ।

 

ସାର୍ ୟୋସେଫ, ଚେମ୍ବରଲ୍ୟାନ୍ ପ୍ରଭୃତି କୂଟନୀତିଜ୍ଞମାନେ ଜର୍ମାନୀର ପ୍ରଭାବ ଓ ପ୍ରତିପତ୍ତିକୁ ଅନୁଧ୍ୟାନ କରି ତା’ ସହିତ ସୌହାର୍ଦ୍ଦ୍ୟ ସ୍ଥାପନପାଇଁ ଇଚ୍ଛୁକ ଥିଲେ । ମହାରାଣୀ ଭିକ୍‍ଟୋରିଆଙ୍କ ଅନ୍ତେଷ୍ଟିକ୍ରିୟାରେ ଯୋଗ ଦେବାପାଇଁ ଆସି କାଇଜାର ଦ୍ୱିତୀୟ ଉଇଲିୟମ୍‍ ଅନେକ ଦିନ ଇଂଲଣ୍ତରେ ଅବସ୍ଥାନ କରିଥିଲେ । ସେହି ରହଣକାଳରେ ଇଂଲଣ୍ତ ରାଜବଂଶ ସହିତ ଥିବା ତାଙ୍କର ରକ୍ତ ସମ୍ପର୍କ ଓ ଇଂଲଣ୍ତରେ ପ୍ରାପ୍ତ ହୋଇଥିବା ସାମରିକ ଶିକ୍ଷା ବିଷୟ ନେଇ ସେ ଗର୍ବିତ ବୋଲି ପ୍ରକାଶ୍ୟରେ ଆଲୋଚନା କରିଥିଲେ । ତାହା ବ୍ରିଟିଶ ରାଜନୀତିଜ୍ଞମାନଙ୍କୁ ଅନେକାଂଶରେ ପ୍ରଭାବିତ କରିଥିଲା । କିନ୍ତୁ ଜର୍ମାନୀ ସହିତ ଚୁକ୍ତିବଦ୍ଧ ହେବାପାଇଁ ସେମାନଙ୍କର ସକଳ ପ୍ରଚେଷ୍ଟା ବିଫଳ ହୋଇଥିଲା କାଇଜାରଙ୍କ ଉଦାସୀନ ମନୋଭାବ ପାଇଁ । ଫଳରେ ସେମାନେ ବାଧ୍ୟ ହୋଇ ଫ୍ରାନ୍‌ସ ପଟେ ଆକୃଷ୍ଟ ହୋଇଥିଲେ । ଏହି ସମୟରେ ଆଫ୍ରିକାର ‘ଫେସୋଦା’ ନାମକ ସ୍ଥାନରେ ଫ୍ରାନ୍‌ସ ଓ ଇଂଲଣ୍ତ ମଧ୍ୟରେ ଔପନିବେଶିକ ସ୍ୱାର୍ଥନେଇ ଯେଉଁ କଳହର ସୂତ୍ରପାତ ହୋଇଥିଲା ତାହାର ଆପୋସ ସମାଧାନ ହୋଇଯିବା ହେତୁ ଦୁଇ ଦେଶର ନେତୃବୃନ୍ଦ ପରସ୍ପର ପ୍ରତି ବନ୍ଧୁ ଭାବରେ ଆକୃଷ୍ଟ ହୋଇଥିଲେ । ଏହି ପରିସ୍ଥିତିର ସୁଯୋଗ ନେଲେ ଫରାସୀ ବୈଦେଶିକ ମନ୍ତ୍ରୀ ଡେଲକାସି । ସେତେବେଳକୁ ଜର୍ମାନୀର ସମର ସଜ୍ଜା ଓ ସାମରିକ ମେଣ୍ଟଦ୍ୱାରା ଭୟଭୀତ ହୋଇ ଫ୍ରାନ୍‌ସ ରୁଷିଆ ସହ ବନ୍ଧୁତ୍ୱ ପ୍ରତିଷ୍ଠା କରିଥାଏ । ତେବେ ଅନୁନ୍ନତ କୃଷିପ୍ରଧାନ ରୁଷିଆର ସାମରିକ ଶକ୍ତି ଜର୍ମାନୀ ବିରୁଦ୍ଧରେ ବିଶେଷ ସହାୟକ ହେବନାହିଁ ବୋଲି ଉପଲବ୍ଧି କରି ଫ୍ରାନ୍‌ସର ନେତୃବର୍ଗ ଇଂଲଣ୍ତକୁ ନିଜ ପକ୍ଷଭୁକ୍ତ କରିବାପାଇଁ ବ୍ୟାକୁଳ ହେଉଥିଲେ । ଏହି ବ୍ୟାକୁଳତାର ପରିଣତି ହେଲା ଫରାସୀ ରାଷ୍ଟ୍ରପତି ଲୋବେଟଙ୍କ ଇଂଲଣ୍ତ ପରିଭ୍ରମଣ ଏବଂ ଇଂଲଣ୍ତର ଶାସକ ସପ୍ତମ ଏଡ଼ୱାର୍ଡ଼ଙ୍କ ଫ୍ରାନ୍‌ସ ପରିଭ୍ରମଣ । ଦୁଇ ରାଷ୍ଟ୍ରମୁଖ୍ୟଙ୍କ ଶୁଭେଚ୍ଛାସୂଚକ ପରିଭ୍ରମଣଦ୍ୱାରା ଫ୍ରାନ୍‌ସ ଏବଂ ଇଂଲଣ୍ତ ମଧ୍ୟରେ ବନ୍ଧୁତ୍ୱ ସ୍ଥାପନର ପଥ ଉନ୍ମୁକ୍ତ ହୋଇଥିଲା ଏବଂ ଖ୍ରୀ: ୧୯୦୪ରେ ଫ୍ରାନ୍‌ସ ଓ ଇଂଲଣ୍ତ ସୌହାର୍ଦ୍ଦ୍ୟ ସଂଘ ପ୍ରତିଷ୍ଠା କରି ସାମରିକ ସହଯୋଗ ଓ ସାହାଯ୍ୟ ସମ୍ପର୍କରେ ଚୁକ୍ତିବଦ୍ଧ ହେଲେ । ସେହିଦିନଠାରୁ ଇଂଲଣ୍ତର ‘ବିଚ୍ଛିନ୍ନ ନୀତି’ ଲୋପ ପାଇଲା-

 

ଖ୍ରୀ: ୧୯୦୪–୦୫ରେ ରୁଷିଆ ଜାପାନ କର୍ତ୍ତୃକ ପରାସ୍ତ ହେବାପରେ ଫ୍ରାନ୍‌ସ ରୁଷିଆର ସାମରିକ ଶକ୍ତି ଉପରେ ବିଶେଷ ନିର୍ଭରଶୀଳ ହେଲାନାହିଁ । ବରଂ ଇଂଲଣ୍ତ ପ୍ରତି ଅଧିକ ବନ୍ଧୁଭାବାପନ୍ନ ହୋଇଥିଲା । ସେହିପରି ଇଉରୋପ ଉପକୂଳରେ ଇଂରେଜ ନୌ–ପ୍ରାଧାନ୍ୟକୁ ବିପନ୍ନ କରିବା ଉଦ୍ଦେଶ୍ୟରେ ଉତ୍ତରସାଗର ବକ୍ଷରେ ଜର୍ମାନୀ ନିଜର ଶକ୍ତିଶାଳୀ ନୌବାହିନୀକୁ କେନ୍ଦ୍ରୀଭୂତ କରିବାଦ୍ୱାରା ଇଂରେଜମାନେ ବିଚଳିତ ହୋଇ ଫ୍ରାନ୍‌ସ ସହ ଅଧିକ ନିବିଡ଼ ହେଲେ । ଖ୍ରୀ: ୧୯୦୬ରେ ‘ମରକ୍‌କୋ ସମସ୍ୟା’ ନେଇ ‘ଆଲଜେରିଅସ’ଠାରେ ଯେଉଁ ରାଜନୈତିକ ସମ୍ମିଳନୀ ବସିଲା ସେଥିରେ ଜର୍ମାନୀର ଦୁରଭିସନ୍ଧିକୁ ପରାହତ କରିବାପାଇଁ ଇଂଲଣ୍ତ ଫ୍ରାନ୍‌ସ ସହ ଏକତ୍ରିତ ହୋଇଥିଲା । ଖ୍ରୀ: ୧୯୧୨ରେ ହାଲ୍‌ଡ଼େନ ଗାର୍ଲିନରେ ପ୍ରକାଶ୍ୟ ଭାବରେ ଜଣାଇ ଦେଇଥିଲେ ଯେ, ‘‘ଇଂଲଣ୍ତ କଦାପି ଫ୍ରାନ୍‌ସ ପ୍ରତି ବିଶ୍ୱାସଘାତକତା କରି ନପାରେ ।’’

 

ବୈଦେଶିକ ବ୍ୟାପାର ମନ୍ତ୍ରୀ ସାର୍‌ ଏଡ଼ୱାର୍ଡ଼ ଗ୍ରେ’ ରୁଷିଆ ସହିତ ନିବିଡ଼ ବନ୍ଧୁତ୍ୱର ପକ୍ଷପାତୀ ଥିଲେ । ରୁଷିଆ ଓ ଫ୍ରାନ୍‌ସ ମଧ୍ୟରେ ବନ୍ଧୁତ୍ୱଥିଲା । ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ମଧ୍ୟ ପୂର୍ଣ୍ଣ ସହଯୋଗ ଚାଲିଥିଲା । ତେଣୁ କାଳେ ରୁଷିଆ ଓ ଇଂଲଣ୍ତ ଯେକୌଣସି କାରଣରୁ ବିପଦର ବ୍ୟାପୃତ ହେଲେ ଫ୍ରାନ୍‌ସର ବନ୍ଧୁତ୍ୱ ବଡ଼ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବ ଏହା ଚିନ୍ତାକରି ଲର୍ଡ଼ ଗ୍ରେ’ ଖ୍ରୀ: ୧୯୦୭ରେ ରୁଷିଆ ସହ ସୌହାର୍ଦ୍ଦ୍ୟ ସ୍ଥାପନ କରିଥିଲେ । ଆଫଗାନିସ୍ଥାନ, ତିବ୍ବତ୍ ଏବଂ ପାରସ୍ୟ ନେଇ ଦୁଇଦେଶ ମଧ୍ୟରେ ଥିବା କଳହର ଆପୋସ ସମାଧାନ ହୋଇଗଲା । ତିବ୍ବତ ଉପରେ ଚୀନର ପ୍ରଭୁତ୍ୱକୁ ସ୍ୱୀକାର କରି ଉଭୟେ ସେଠାରେ ହସ୍ତକ୍ଷେପ ନକରିବାକୁ ପ୍ରତିଜ୍ଞାବଦ୍ଧ ହେଲେ । ଆଫଗାନିସ୍ଥାନ ସହିତ ରୁଷିଆ ଇଂଲଣ୍ତ ଜରିଆରେ ସମ୍ପର୍କ ସ୍ଥାପନ କରିବାକୁ ରାଜି ହେବାରୁ ଇଂଲଣ୍ତ ସ୍ୱଇଚ୍ଛାରେ ଉତ୍ତର ପାରସ୍ୟକୁ ରୁଷିଆର ପ୍ରଭାବ ସ୍ଥଳୀ ବୋଲି ସ୍ୱୀକାର କଲା । ଏହି ସବୁ ରାଜନୈତିକ ତଥା କୂଟନୈତିକ ବୁଝାମଣାର ପରିଣତିସ୍ୱରୂପ ଖ୍ରୀ: ୧୯୦୭ରେ ଇଂଲଣ୍ତ ଫ୍ରାନ୍‍ସ ଏବଂ ରୁଷିଆ ମଧ୍ୟରେ ‘ତ୍ରିଶକ୍ତି ସଂଘ’ ନାମକ ସାମରିକ ମେଣ୍ଟ ପ୍ରତିଷ୍ଠିତ ହେଲା । ଏହି ସାମରିକ ମେଣ୍ଟ ପ୍ରତିରକ୍ଷାମୂଳକ ଥିଲା ଏବଂ ଏହା ମାଧ୍ୟମରେ ଗ୍ରେ’ ଇଉରୋପରେ ଶାନ୍ତି ସ୍ଥାପନ କରିବାର ରଙ୍ଗିନ ସ୍ୱପ୍ନ ଦେଖୁଥିଲେ ।

 

ଜର୍ମାନୀ ବିରୁଦ୍ଧରେ ଗ୍ରେ’ଙ୍କର କୌଣସି ଅଭିସନ୍ଧି ନଥିଲା । ସେ ଯୁଦ୍ଧର ସମର୍ଥକ ନଥିଲେ । ଇଉରୋପୀୟ ରାଜନୀତିରେ ଭାରସାମ୍ୟ ରକ୍ଷାକରିବା ସଙ୍ଗେ ସଙ୍ଗେ ଇଂରେଜ ସାମ୍ରାଜ୍ୟର ସୁରକ୍ଷାହିଁ ତାଙ୍କ ବୈଦେଶିକ ନୀତିର ପ୍ରଧାନ ଉଦ୍ଦେଶ୍ୟ ଥିଲା । ଫ୍ରାନ୍‍ସ ଏବଂ ଜର୍ମାନୀ ମଧ୍ୟରେ ଗଢ଼ିଉଠୁଥିବା ବିଭେଦ, ଘୃଣା ଓ ଶତ୍ରୁଭାବକୁ ଯେତେଦୂର ସମ୍ଭବ ଦୂର କରିବାପାଇଁ ସେ ସଦା ସଚେଷ୍ଟ ଥିଲେ କିନ୍ତୁ ଏହି ବନ୍ଧୁଭାବ ଦ୍ୱିତୀୟ ଉଇଲିୟମ୍‍ଙ୍କ ଅଦୂରଦୃଷ୍ଟିତା ଯୋଗୁଁ ଫଳବତୀ ହୋଇ ପାରି ନଥିଲା । ଇଂଲଣ୍ତ ଏବଂ ଜର୍ମାନୀର ନୌଶକ୍ତି ସମ୍ପର୍କରେ ବୃଦ୍ଧି ପାଉଥିବା ଭୁଲ ବୁଝାମଣା ଓ ଅବିଶ୍ୱାସକୁ ଦୂରକରିବା ଦିଗରେ ସେ ଇଂରେଜ ଆତ୍ମସମ୍ମାନକୁ ଦଳି ନଦେଇ ଯାହାକିଛି ଉଚିତ ମନେକରି କାର୍ଯ୍ୟକାରୀ କରିବାକୁ ଚାହୁଁଥିଲେ ତାହା କାଇଜାରଙ୍କଦ୍ୱାରା ପ୍ରତ୍ୟାଖ୍ୟାନ ହେଉଥିଲା । ଫ୍ରାନ୍‌ସ ସହିତ ଜର୍ମାନୀର ଯୁଦ୍ଧ ହେଲେ ଇଂଲଣ୍ତ ନିରପେକ୍ଷ ରହିବ ବୋଲି ଘୋଷଣା କରୁ–ଏହାହିଁ ଥିଲା କାଇଜାରଙ୍କ ଦାବି । ତାହା କରିବା ଇଂରେଜ ସରକାରଙ୍କ ପକ୍ଷେ ତତ୍କାଳୀନ ପରିସ୍ଥିତିରେ ଆଦୌ ସମ୍ଭବପର ନଥିଲା । ଜର୍ମାନୀ ସହ ବନ୍ଧୁତାପାଇଁ ଫ୍ରାନ୍‍ସକୁ ପରିତ୍ୟାଗ କରିବା ଇଂରେଜମାନେ ଚାହୁଁ ନଥିଲେ ।

 

ବଲକାନ ଯୁଦ୍ଧ–ଲର୍ଡ଼ ଗ୍ରେ’ ଇଉରୋପୀୟ ରାଜନୀତିରେ ବଲକାନ ଅଞ୍ଚଳର ଗୁରୁତ୍ୱ କଥା ଉପଲବ୍ଧି କରିଥିଲେ । ସେଥିପାଇଁ ଖ୍ରୀ: ୧୯୧୨–୧୩ରେ ବଲକାନ ଯୁଦ୍ଧ ଆରମ୍ଭ ହେବାରୁ କାଳେ ତାହା ସମଗ୍ର ଇଉରୋପକୁ ସଂକ୍ରାମିତ କରିବ ସେହି ଆଶଙ୍କାରେ ସେ ଲଣ୍ତନଠାରେ ଏକ ସମ୍ମିଳନୀ ଆହ୍ୱାନ କରିଥିଲେ । ଉକ୍ତ ସମ୍ମିଳନୀରେ ବଲକାନ ଯୁଦ୍ଧକୁ ସୀମିତ କରିବା ସପକ୍ଷରେ ସମସ୍ତେ ଏକମତ ହେବାରୁ ଇଉରୋପ କ୍ଷଣକାଳ ପାଇଁ ବିରାଟ ସଙ୍କଟରୁ ଉଦ୍ଧାର ପାଇଲା ।

 

ତେଣୁ ଗ୍ରେ’ଙ୍କ ବୈଦେଶିକ ନୀତି ଆନ୍ତର୍ଜାତିକ ରାଜନୀତିରେ ଇଂଲଣ୍ତର ସ୍ଥିତିକୁ ଦୃଢ଼ କରିପାରିଥିଲା । ‘ବିଚ୍ଛିନ୍ନ ନୀତି’ ପରିହାର କରି ସାଥୀ ରାଷ୍ଟ୍ରମାନଙ୍କ ସହଯୋଗରେ ଇଂଲଣ୍ତର ଶକ୍ତି ଅଧିକ ବଳିଷ୍ଠ ହେଲା । ଅବଶ୍ୟ ଶାନ୍ତିକୁ ବିପନ୍ନ କରିବା ଦିଗରେ ଗ୍ରେ’ କୌଣସି ପଦକ୍ଷେପ ନେଇ ନଥିଲେ । ତେବେ ଇଉରୋପୀୟ ଶାନ୍ତିକୁ ଅବ୍ୟାହତ ରଖିବା ତାଙ୍କ ସାମର୍ଥ୍ୟର ବାହାରେ ଥିଲା ବୋଲି ପରବର୍ତ୍ତୀ ଘଟଣାରୁ ସୂଚିତ ହୁଏ ।

 

ଜର୍ମାନୀ ସହ ସମ୍ପର୍କ–ଊନବିଂଶ ଶତାବ୍ଦୀର ଶେଷ କେତେବର୍ଷ ଜର୍ମାନୀ ସହ ଇଂଲଣ୍ତର ସମ୍ପର୍କ ଭଲ ଥିଲା । ଫ୍ରାନ୍‌ସ ଓ ପ୍ରୁସିଆର ଯୁଦ୍ଧକାଳରେ (ଖ୍ରୀ: ୧୮୭୦–୭୧) ତୃତୀୟ ନେପୋଲିଓଁଙ୍କୁ ଇଂରେଜମାନେ ଶାନ୍ତିର ଧୂମକେତୁ ବୋଲି ଅଭିହିତ କରୁଥିଲେ । ବିସ୍‍ମାର୍କ କ୍ଷମତାରେ ଥିବା ପର୍ଯ୍ୟନ୍ତ ଇଂଲଣ୍ତ ସହିତ ସୁସମ୍ପର୍କ ରଖିଥିଲେ । ସେଥିପାଇଁ ତାଙ୍କ ସମୟରେ ଜର୍ମାନୀ ନୌବାହିନୀର ସାଂଗଠନିକ ପରିବର୍ତ୍ତନ କରାଯାଇ ନଥିଲା । ଜର୍ମାନୀର ନୌଶକ୍ତି ବୃଦ୍ଧିଦ୍ୱାରା ଇଂଲଣ୍ତର ସ୍ଥିତି ବିପନ୍ନ ହେବା ସଙ୍ଗେ ସଙ୍ଗେ ସେଠାରେ ଅଯଥା ଆତଙ୍କ ସୃଷ୍ଟି ହେବ ବୋଲି ସେ ସଠିକରୂପେ ଅନୁମାନ କରିଥିଲେ । ଇଂଲଣ୍ତ ସହିତ ସୌହାର୍ଦ୍ଦ୍ୟ ସ୍ଥାପନପାଇଁ ନିଜ ପୁତ୍ର ହାରବାର୍ଟଙ୍କୁ ଲଣ୍ତନରେ ଜର୍ମାନ ରାଷ୍ଟ୍ରଦୂତରୂପେ ନିଯୁକ୍ତ କରିବା ଓ ମହାରାଣୀ ଭିକ୍‌ଟୋରିଆଙ୍କ କନ୍ୟା ସହ କାଇଜାର ପ୍ରଥମ ଉଇଲିୟମ୍‍ଙ୍କ ଜ୍ୟେଷ୍ଠ ପୁତ୍ର (ଓ ଜର୍ମାନୀର ଭାବୀ କାଇଜାର) ଫ୍ରେଡ଼େରିକଙ୍କର ଶୁଭପରିଣୟ ସମ୍ପାଦନ ବିସ୍‍ମାର୍କଙ୍କ ଅପୂର୍ବ ପ୍ରତିଭାର ପରିଚୟ ଦିଏ । କିନ୍ତୁ ଏହାର ରାଜନୈତିକ ସୁଫଳ ବେଶିଦିନ ସ୍ଥାୟୀ ହେଲାନାହିଁ ।

 

ଜର୍ମାନୀ ଓ ଇଂଲଣ୍ତ ମଧ୍ୟରେ ତିକ୍ତ ସମ୍ପର୍କ ଖ୍ରୀ: ୧୮୯୪ଠାରୁ ଆରମ୍ଭ ହୋଇଥିଲା ଆଫ୍ରିକା ବିଭାଜନ ପ୍ରଶ୍ନ ନେଇ । କାଇଜାର ଦ୍ୱିତୀୟ ଉଇଲିୟମ୍‍ ଉଦ୍ଧତ ଓ ଭାବପ୍ରବଣ ହୋଇଥିବାରୁ ସମ୍ରାଟ ସପ୍ତମ ଏଡ଼ୱାର୍ଡ଼ଙ୍କୁ ‘ବୃଦ୍ଧ ମୟୂର’ ବୋଲି ଆକ୍ଷେପୋକ୍ତି କରିବାଦ୍ୱାରା ଇଂରେଜମାନେ ଅତ୍ୟନ୍ତ କ୍ଷୁବ୍ଧ ହୋଇଥିଲେ । ଦ୍ୱିତୀୟରେ ଟ୍ରାନ୍‌ସଭାଲର ରାଷ୍ଟ୍ରପତି କୃଗାର ନିଜ ସାର୍ବଭୌମତ୍ୱର ସୁରକ୍ଷାପାଇଁ ଜର୍ମାନୀର ସାହାଯ୍ୟ ଭିକ୍ଷାକରି ସଫଳ ହୋଇଥିଲେ । ଖ୍ରୀ: ୧୮୯୪ରେ ଦୁଇଟି ଜର୍ମାନୀ ଯୁଦ୍ଧଜାହାଜ ଡେଲାଗୋଆ ଉପସାଗରରେ ପହଞ୍ଚିଥିଲା ବ୍ରିଟିଶ କର୍ତ୍ତୃତ୍ୱକୁ ଉପେକ୍ଷା କରି । ତଦ୍ଦ୍ୱାରା ଇଂଲଣ୍ତରେ ଜର୍ମାନବିରୋଧ ଜନମତ ପ୍ରବଳ ହୋଇଥିଲା । ତୃତୀୟରେ ଦକ୍ଷିଣ ଆଫ୍ରିକା ସମସ୍ୟା ନେଇ ଇଂଲଣ୍ତ ଏବଂ ଜର୍ମାନୀ ପରସ୍ପରର ବିପକ୍ଷରେ ଥିଲେ ଟ୍ରାନ୍‌ସଭାଲ ଅଞ୍ଚଳରେ ଜେମ୍‌ସନ୍‌ ନାମକ ଜଣେ ଇଂରେଜଙ୍କ ସାମରିକ ଅଭିଯାନକୁ କେନ୍ଦ୍ର କରି ଦୁଇ ଦେଶ ମଧରେ ଥିବା ସମ୍ପର୍କ ଅଧିକ ତିକ୍ତ ହୋଇ ପଡ଼ିଥିଲା ।

 

ଖ୍ରୀ: ୧୯୦୦ରେ ଜର୍ମାନୀରେ ଏକ ନୌଆଇନ ପ୍ରଣିତ ହୋଇଥିଲା । ତଦ୍ଦ୍ୱାରା ନୌଶକ୍ତି ବୃଦ୍ଧି ଦିଗରେ ଜର୍ମାନ ସରକାର ମନୋନିବେଶ କରିଥିଲେ । ଏହି ନୌଶକ୍ତି ଅଭିବୃଦ୍ଧି ଇଂଲଣ୍ତ ସହିତ ପ୍ରତିଯୋଗିତାମୂଳକ ମନୋବୃତ୍ତି ଉପରେ ପ୍ରତିଷ୍ଠିତ ଥିବାରୁ ଇଂଲଣ୍ତରେ ନାନା ସମାଲୋଚନା, ପର୍ଯ୍ୟାଲୋଚନା ପ୍ରକାଶିତ ହୋଇଥିଲା । ତା’ ସହିତ କାଇଜାର ଜର୍ମାନ ଜାତିପାଇଁ ଉପନିବେଶ ଓ ସାମ୍ରାଜ୍ୟ ସ୍ଥାପନ ଦିଗରେ ରାଷ୍ଟ୍ରନୀତି ଘୋଷଣା କରିବାଦ୍ୱାରା ପରିସ୍ଥିତି ଅଧିକ ଜଟିଳ ହୋଇପଡ଼ିଲା । ସେ ସେତେବେଳେ ‘ବର୍ଲିନବାଗ୍‌ଦାଦ୍‌–ରେଳପଥ’ ନିର୍ମାଣକୁ ତ୍ୱରାନ୍ୱିତ କରିବାକୁ ଚାହୁଁଥିଲେ । ଉକ୍ତ ରେଳପଥଦ୍ୱାରା ନିକଟ ଓ ମଧ୍ୟପ୍ରାଚ୍ୟରେ ଜର୍ମାନ ସାମ୍ରାଜ୍ୟବାଦୀ ସ୍ୱାର୍ଥରକ୍ଷା ସମ୍ଭବ ହେବ ବୋଲି କାଇଜାର ଯୋଜନା କରୁଥିବାବେଳେ, ତଦ୍ଦ୍ୱାରା କାଳେ ଭାରତ ଏବଂ ସୁଦୂର ପ୍ରାଚ୍ୟରେ ଥିବା ବ୍ରିଟିଶ ସାମ୍ରାଜ୍ୟ ବିପନ୍ନ ହେବ ଏହି ଆଶଙ୍କା ଇଂଲଣ୍ତକୁ ଚିନ୍ତାଗ୍ରସ୍ତ କଲା । ସେତେବେଳକୁ ଦଳେ ଜର୍ମାନ ସାମରିକ ବିଶେଷଜ୍ଞ ତୁର୍କ–ସେନାବାହିନୀର ପୁନର୍ଗଠନରେ ସାହାଯ୍ୟ କରୁଥାନ୍ତି । ସେପରି ପରିସ୍ଥିତିରେ ଜର୍ମାନ ଜାତିର ‘ଯୁଦ୍ଧଂଦେହ’ ମନୋଭାବ, ବିଶେଷକରି କାଇଜାରଙ୍କ ରଣହୁଙ୍କାର ଶୁଣି ଇଂରେଜମାନେ ସ୍ତମ୍ଭୀଭୂତ ହୋଇ ପଡ଼ିଥିଲେ । ଭୟ ଦେଖାଇ ସ୍ୱାର୍ଥସାଧନ କରିବା ଜର୍ମାନ ବୈଦେଶିକ ନୀତିର ମୂଳମନ୍ତ୍ର ଥିଲା । ଇଂରେଜ କୂଟନୀତିଜ୍ଞମାନେ ଉପଲବ୍ଧି କଲେ ଯେ, ମଧ୍ୟଇଉରୋପରେ ରାଜନୈତିକ ପ୍ରଭାବ ବିସ୍ତାର କରି ଜର୍ମାନୀ ସମଗ୍ର ଇଉରୋପକୁ କବଳିତ କରିବ । ତତ୍ପରେ ଇଂଲଣ୍ତର ନୌଶକ୍ତିକୁ ଧ୍ୱଂସ କରି ସାରା ବିଶ୍ୱରେ ସାମ୍ରାଜ୍ୟ ସ୍ଥାପନ କରିବ । ସେଥିପାଇଁ କୂଟନୈତିକ କ୍ଷେତ୍ରରେ ଜର୍ମାନୀ ଓ ଇଂଲଣ୍ତ ମଧ୍ୟରେ ସଦ୍ଭାବ ପ୍ରତିଷ୍ଠାର ସମ୍ଭାବନା ସମ୍ପୂର୍ଣ୍ଣ ଲୋପ ପାଇଗଲା ଏବଂ ସାମରିକ ପ୍ରସ୍ତୁତି ଦିଗରେ ଉଭୟେ ଦ୍ରୁତ ବ୍ୟବସ୍ଥା କରିବାରେ ଲାଗିପଡ଼ିଲେ ।

 

ଇଉରୋପୀୟ ପରିସ୍ଥିତିକୁ ପ୍ରକୃତରେ ଜଟିଳ କରିଥିଲେ ବଲକାନ ସମସ୍ୟା । ସେଠାରେ ଜର୍ମାନୀ, ଅଷ୍ଟ୍ରିଆ ଓ ରୁଷିଆର ସ୍ୱାର୍ଥ ଅତି ପ୍ରଚ୍ଛନ୍ନ ଥିବାରୁ ବିଦ୍ୱେଷ ଉପୁଜିବା ସ୍ୱାଭାବିକ ଥିଲା । ଅଷ୍ଟ୍ରିଆ–ହଙ୍ଗେରୀର ଦ୍ୱୈତ ସାମ୍ରାଜ୍ୟ ନାନାବିଧ ଜାତି, ଉପଜାତିକୁ ନେଇ ଗଠିତ ହୋଇଥିଲା । ଜର୍ମାନମାନେ ଅଷ୍ଟ୍ରିଆରେ, ମେଗିୟାରମାନେ ହଙ୍ଗେରୀରେ, ସ୍ଳାଭଗୋଷ୍ଠୀର ଚେକ୍‌ମାନେ ବୋହେମିଆରେ, ପୋଲମାନେ ଗେଲିସିଆରେ ସର୍ବ ଏବଂ କ୍ରୋଟ୍‌ମାନେ ଦକ୍ଷିଣ ଭାଗରେ ଅବସ୍ଥାନ କରୁଥିଲେ । ଦ୍ୱୈତସାମ୍ରାଜ୍ୟର ଦକ୍ଷିଣାଂଶରେ ଥିବା ସ୍ଳାଭମାନେ ନିଜ ରାଜନୈତିକ ଅବସ୍ଥାରେ ସନ୍ତୁଷ୍ଟ ନଥିଲେ । ସେହିପରି ଅଷ୍ଟ୍ରିଆ ସରକାର ନିଜର କର୍ତ୍ତୃତ୍ୱ ଅକ୍ଷୁଣ୍ଣ ରଖିବାପାଇଁ ସ୍ଳାଭମାନଙ୍କ ଉପରେ ଦମନଲୀଳା ଓ ଅତ୍ୟାଚାର ଚଳାଇଥିଲେ । ଅତ୍ୟାଚାରିତ ଓ ଅବହେଳିତ ସ୍ଳାଭମାନେ ତେଣୁ ଅଷ୍ଟ୍ରିଆ କବଳରୁ ମୁକ୍ତ ହୋଇ ସର୍ବିୟା ସହ ମିଳିତ ହେବାକୁ ଚାହୁଁଥିଲେ । ତଦ୍ଦ୍ୱାରା ସ୍ଳାଭମାନେ ଏକତ୍ରିତ ହୋଇ ଏକ ବୃହତ୍ତର ସ୍ୱାଧୀନ ସ୍ଳାଭରାଜ୍ୟ ଗଠନ କରିପାରିଥାନ୍ତେ । ସେ ଦିଗରେ ସର୍ବିୟାର ରାଜଧାନୀ ବେଲ୍‌ଗ୍ରେଡ଼୍‌ ସହରରେ ନାନାପ୍ରକାର ରାଜନୈତିକ ଆନ୍ଦୋଳନ ଓ ଷଡ଼ଯନ୍ତ୍ର ରୂପରେଖ ନେଉଥାଏ । ଉଗ୍ରପନ୍ଥୀ ସ୍ଳାଭ ଯୁବକମାନେ ପ୍ରଚାର ଓ ଷଡ଼ଯନ୍ତ୍ରଦ୍ୱାରା ରାଜନୈତିକ ଲକ୍ଷ୍ୟ ସାଧନରେ ଦୃଢ଼ପ୍ରତିଜ୍ଞ ଥିଲେ । ସେଥିପାଇଁ ସର୍ବିୟା ସହ ଅଷ୍ଟ୍ରିୟାର ସମ୍ପର୍କ ଅତି ବିଷାକ୍ତ ହୋଇଥାଏ । କାରଣ ବୃହତ୍ତର ସ୍ଳାଭଦେଶ ଗଠନଫଳରେ ଅଷ୍ଟ୍ରିଆର ସଂହତି ଧ୍ୱଂସପ୍ରାପ୍ତ ହୋଇଥାନ୍ତା ।

 

କିନ୍ତୁ ସର୍ବିୟାକୁ ସ୍ଳାଭଦେଶ ଗଠନ ଦିଗରେ ପ୍ରେରଣା ଓ ସହାନୁଭୂତି ଯୋଗାଉଥାଏ ରୁଷିଆ । କାରଣ ଅଷ୍ଟ୍ରିୟାର ଧ୍ୱଂସସାଧନ ରୁଷ–ବଲକାନ–ନୀତିର ମୂଳମନ୍ତ୍ର ଥିଲା । ଏହି ପରିସ୍ଥିତିରେ ବଲକାନ୍ ଅଞ୍ଚଳରେ ଜର୍ମାନୀର ଅନୁପ୍ରବେଶ ଏବଂ ତୁର୍କୀ ସହ ସୁସମ୍ପର୍କ ପ୍ରତିଷ୍ଠା ଅବସ୍ଥାକୁ ଆହୁରି ଜଟିଳ କରି ପକାଇଲା । ତଦ୍ଦ୍ୱାରା ରୁଷିଆ ଭୀଷଣ ଉତ୍ତେଜିତ ହୋଇ ପ୍ରକାଶ୍ୟରେ ଜର୍ମାନୀ ଓ ଅଷ୍ଟ୍ରିଆ ବିରୋଧ ନୀତି ଅବଲମ୍ବନ କଲା । ଜର୍ମାନୀ ସହ ଏକତ୍ରିତ ହେଲେ ତୁର୍କୀ ଶକ୍ତିଶାଳୀ ହୋଇ କୃଷ୍ଣସାଗର ଏବଂ ବସ୍‌ଫରସ ପ୍ରଣାଳୀ ଅଞ୍ଚଳରେ ରୁଷ ନୌଭେଳାର ଗମନାଗମନରେ ବାଧା ସୃଷ୍ଟି କରିବାର ସମ୍ଭାବନା ଚିନ୍ତାକରି ରୁଷିଆର କ୍ରୋଧ ଦ୍ୱିଗୁଣିତ ହେଲା ।

 

ବିଂଶ ଶତାବ୍ଦୀର ପ୍ରଥମ ଦଶକରେ ତେଣୁ ଇଉରୋପୀୟ ରାଜନୀତି ଆନ୍ତଃରାଷ୍ଟ୍ରୀୟ ବିବାଦପାଇଁ ବେଶ୍ ସରଗରମ ହୋଇ ପଡ଼ିଥିଲା । ପ୍ରଥମତଃ ଆଲ୍‌ସାସ୍ ଏବଂ ଲୋରାଇଁ ପ୍ରଶ୍ନ ନେଇ ଜର୍ମାନୀ ଓ ଫ୍ରାନ୍‌ସ ପରସ୍ପରର ଶତ୍ରୁଥିଲେ । ‘ମରକ୍‍କୋ ପ୍ରଶ୍ନ’ ଏହି ଶତ୍ରୁତାକୁ ଅଧିକ ପ୍ରଜ୍ଜ୍ୱଳିତ କଲା । ଦ୍ୱିତୀୟତଃ ନୌଶକ୍ତି ବୃଦ୍ଧି ଯୋଗୁଁ ଇଂଲଣ୍ତ ଏବଂ ଜର୍ମାନୀର ସମ୍ପର୍କ କ୍ରମଶଃ ଖରାପ ଆଡ଼କୁ ଗତି କରୁଥାଏ । ଜର୍ମାନୀର ସମ୍ରାଜ୍ୟବାଦୀ–ତୃଷା ଏବଂ ବର୍ଲିନବାଗ୍‍ଦାଦ୍–ରେଳପଥର ଗୁପ୍ତ ଅଭିପ୍ରାୟ ଚିନ୍ତାକରି ଇଂଲଣ୍ତ ଅସ୍ଥିରବୋଧ କରୁଥିଲା । ତୃତୀୟରେ ବଲକାନ୍ ସମସ୍ୟା ନେଇ ଏକପଟେ ରୁଷିଆ ଓ ସର୍ବିଆ ଏବଂ ଅନ୍ୟପଟେ ଅଷ୍ଟ୍ରିୟା ଓ ଜର୍ମାନୀ ଛକାପଞ୍ଝା ଖେଳ ଖେଳୁଥାନ୍ତି । ପ୍ରତ୍ୟେକ ସମସ୍ୟାର ଗୁରୁତ୍ୱ ଏତେ ବେଶୀ ଥିଲା ଯେ, ଯେକୌଣସି ମୁହୂର୍ତ୍ତରେ ଯୁଦ୍ଧ ଆରମ୍ଭ ହେବା ବିଚିତ୍ର ନଥିଲା । ଖ୍ରୀ: ୧୯୦୬ ଏବଂ ଖ୍ରୀ: ୧୯୧୧ରେ ମରକ୍‌କୋ ସମସ୍ୟା ନେଇ ଫ୍ରାନ୍‌ସ ଓ ଜର୍ମାନୀ ଯୁଦ୍ଧରେ ବ୍ୟାପୃତ ହେବାର ବିଶେଷ ସମ୍ଭାବନା ଥିଲା ଏବଂ ଖ୍ରୀ: ୧୯୦୮ରେ ବୋଷ୍ଣିଭୁଆ ଓ ହାର୍ଜିଗୋଭିନାକୁ ଅଷ୍ଟ୍ରିୟା ନିଜ ସାମ୍ରାଜ୍ୟଭୁକ୍ତ କରିବାଦ୍ୱାରା ସେହିପରି ଆଉ ଏକ ମହାସଙ୍କଟର ଉଦ୍ଭବ ହେଲା ଯାହାକୁ କେନ୍ଦ୍ରକରି ଅଷ୍ଟ୍ରିୟା ଓ ସର୍ବିୟା ପରସ୍ପର ସହିତ ଯୁଦ୍ଧ କରିଥାନ୍ତେ । ତା’ଉପରେ ଖ୍ରୀ: ୧୯୧୧–୧୨ରେ ହୋଇଥିବା ବଲକାନ୍ ଯୁଦ୍ଧର ପରିଣତ ଯେ କ’ଣ ହୋଇଥାନ୍ତା ତାହା ମଧ୍ୟ ଚିନ୍ତାର ବିଷୟ ।

 

ଯା’ହେଉ ଅଦୃଷ୍ଟର ଆଶୀର୍ବାଦ ଯୋଗୁଁ ମହାଯୁଦ୍ଧର କାଳଭେରୀ ସେ ପର୍ଯ୍ୟନ୍ତ କେହି ଶୁଣି ନଥିଲେ । କିନ୍ତୁ ସେହି କାଳମୁହୂର୍ତ୍ତ ଅତି ସନ୍ନିକଟବର୍ତ୍ତୀ ବୋଲି ସଭିଏଁ ଉପଲବ୍ଧି କରୁଥିଲେ ।

 

ଅଷ୍ଟ୍ରିୟା–ହଙ୍ଗେରୀର ଯୁବରାଜ ଫ୍ରାନ୍‌ସିସ୍‌ ଫର୍ଡ଼ିନଣ୍ଟ ଖ୍ରୀ: ୧୯୧୪ ଜୁନ୍‌ ମାସରେ ବୋଷ୍ଣିଅର ରାଜଧାନୀ ସେରାଜେର୍ଭୋ ପରିଦର୍ଶନରେ ଯିବା ବହୁପୂର୍ବରୁ ସ୍ଥିରୀକୃତ ହୋଇଥିଲା । ଖ୍ରୀ: ୧୯୦୮ରେ ବୋଷ୍ଣିଆକୁ ଅଷ୍ଟ୍ରିଆ–ଭୁକ୍ତ କରିବାଦ୍ୱାରା ରୁଷିଆ ଓ ସର୍ବିୟା ଅସନ୍ତୁଷ୍ଟ ହୋଇଥାନ୍ତି-। ବୋଷ୍ଣିଆରେ ଅନେକ ‘ସାର୍ବ’ ଯୁବକ ବୃହତ୍ତର ସ୍ଳାଭରାଜ୍ୟ ଗଠନର ସମର୍ଥକରୂପେ ରାଜନୀତିକ ଦୀକ୍ଷା ଗ୍ରହଣ କରି ନାନାପ୍ରକାର ଭଙ୍ଗାରୁଜା କାମରେ ଆତ୍ମନିୟୋଗ କରିଥାନ୍ତି । ବେଲଗ୍ରେଡ଼୍‌ରେ ‘କାଳହସ୍ତ’ ନାମରେ ଏକ ଆତଙ୍କବାଦୀଦ୍ୱାରା ଦଳ ଗଠିତ ହୋଇଥାଏ ସାର୍ବ ଜାତିର ଅଭିଷ୍ଟସିଦ୍ଧି ପାଇଁ । ସେହି ‘କାଳହସ୍ତ’ଦ୍ୱାରା ଅନୁପ୍ରେରିତ ହୋଇ ତିନିଜଣ ସାର୍ବ ଯୁବକ ଯୁବରାଜ ଫର୍ଡ଼ିନଣ୍ଟଙ୍କୁ ହତ୍ୟା କରିବାର ଏକ ଚକ୍ରାନ୍ତ କରିଥିଲେ ଏବଂ ପରିଦର୍ଶନରେ ଯିବାକାଳରେ ଜୁନ୍‌ ୨୮ ତାରିଖ ରବିବାର ଦିନ ଗେବ୍ରିଲୋ ପ୍ରିନ୍‌ସିପ୍ ନାମକ ଯୁବକ ପିସ୍ତଲ ସାହାଯ୍ୟରେ ଯୁବରାଜ ଓ ତାଙ୍କର ପତ୍ନୀଙ୍କୁ ହତ୍ୟା କରିଥିଲେ ।

 

‘Black Hand’ର ଓଡ଼ିଆ ରୂପାନ୍ତର

 

ଏହି ନିର୍ମମ ହତ୍ୟାକାଣ୍ଡର ସମଗ୍ର ଇଉରୋପ ମର୍ମାହତ ହୋଇପଡ଼ିଲା–କାରଣ ତା’ର ପରିଣତି ଥିଲା ଅତି ବିଷମ । ସର୍ବିୟା ସରକାରଙ୍କର କେତେଜଣ ଉଚ୍ଚପଦସ୍ଥ ରାଜକର୍ମଚାରୀ ଓ ସାମରିକ ବିଭାଗ ଅଫିସର ଉପରୋକ୍ତ ହତ୍ୟା ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିବାରୁ, ଷଡ଼ଯନ୍ତ୍ର ଏବଂ ତା’ର କୁପରିଣତି ପାଇଁ ସର୍ବିୟା ଉପରେ ଅଷ୍ଟ୍ରିୟା ସରକାର ଦୋଷାରୋପ କଲେ । ତେଣୁ ସେ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅଷ୍ଟ୍ରିୟାର ବୈଦେଶିକ ମନ୍ତ୍ରୀ କାଉଣ୍ଟ୍ ବାର୍ସଟୋଲ୍‌ଡ଼ ପ୍ରତିଜ୍ଞାବଦ୍ଧ ହେଲେ-। ସର୍ବିୟାର ରାଜନୈତିକ ଅସ୍ତିତ୍ୱ ଲୋପ କରିପାରିଲେ ବଲକାନ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ସଙ୍ଗେ ଅଷ୍ଟ୍ରିୟା ସାମ୍ରାଜ୍ୟ ପ୍ରତି ଦେଖା ଦେଇଥିବା ବିପଦର ଚିରାବସାନ ହେବ ବୋଲି ହୃଦୟଙ୍ଗମ କରି ସେ ଜର୍ମାନୀର ପରାମର୍ଶ ଲୋଡ଼ିଥିଲେ । ସେ ଦିଗରେ ଯେକୌଣସି ପଦକ୍ଷେପ ନେଲେ ଅଷ୍ଟ୍ରିୟା ଜର୍ମାନୀର ପରାମର୍ଶ ଲୋଡ଼ିଥିଲେ । ସେ ଦିଗରେ ଯେକୌଣସି ପଦକ୍ଷେପ ନେଲେ ଅଷ୍ଟ୍ରିୟା ଜର୍ମାନୀର ପୂର୍ଣ୍ଣ ସମର୍ଥନ ପାଇବ ବୋଲି ବର୍ଲିନରୁ ପ୍ରତିଶ୍ରୁତି ମିଳିଗଲା । ଜର୍ମାନୀର କୂଟନୀତିଜ୍ଞମାନେ ଅତି ଅଳ୍ପ ସମୟ ମଧ୍ୟରେ ରୁଷିଆ ସର୍ବିୟାପାଇଁ ଯୁଦ୍ଧ ପ୍ରସ୍ତୁତି କରିପାରିବ ନାହିଁ ଭାବିଥିଲେ ଏବଂ ଯୁଦ୍ଧ ହେଲେ ଇଂଲଣ୍ତ ନିରପେକ୍ଷ ରହିବ ବୋଲି ଆଶା କରିଥିଲେ-। ସେମାନଙ୍କର ଏତାଦୃଶ ଭାବନା ଏବଂ ଆଶା ଭ୍ରମାତ୍ମକ ଥିଲା ।

 

ଜର୍ମାନୀର ପ୍ରତିଶ୍ରୁତି ପାଇ ଅଷ୍ଟ୍ରିଆ ସର୍ବିୟାକୁ ଏକ ଚରମ ପତ୍ର ଦେଇ ଉଲ୍ଲିଖିତ ଦାବିଗୁଡ଼ିକୁ ଗ୍ରହଣ କରିବାପାଇଁ ମାତ୍ର ୪୮ ଘଣ୍ଟା ସମୟ ଦେଇଥିଲା ଏବଂ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସନ୍ତୋଷଜନକ ଉତ୍ତର ନଦେଲେ ଯୁଦ୍ଧ ଅବଶ୍ୟମ୍ଭାବୀ ହେବ ବୋଲି ପରିଷ୍କାର ଜଣାଇଦେଲା । ତଦ୍ଦ୍ୱାରା ସେହି ଅନାଗତ, ଅନାକାଂକ୍ଷିତ ସଙ୍ଗୀନ ମୁହୂର୍ତ୍ତର ଉପସ୍ଥିତି ସମସ୍ତେ ଉପଲବ୍ଧି କଲେ । ସର୍ବିୟାର ଉତ୍ତର ସନ୍ତୋଷଜନକ ନହେବାରୁ ତା’ ସହିତ ଅଷ୍ଟ୍ରିୟାର କୂଟନୈତିକ ସମ୍ପର୍କ ଛିନ୍ନ ହେଲା ଏବଂ ଅଷ୍ଟ୍ରିୟା ସରକାର ସୈନ୍ୟଚାଳନାର ନିର୍ଦ୍ଦେଶ ଜାରି କଲେ । ନିଜର ରାଜନୈତିକ ମର୍ଯ୍ୟାଦା ଏବଂ ସହଯୋଗୀ ରାଷ୍ଟ୍ର ସର୍ବିୟାକୁ ଧ୍ୱଂସରୁ ରକ୍ଷା କରିବାପାଇଁ ରୁଷିଆ ସର୍ବିୟା ପକ୍ଷରେ ଓ ଅଷ୍ଟ୍ରିଆ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲା । ତାହା କରି ନଥିଲେ ବଲକାନ୍‌ ଅଞ୍ଚଳରେ ଅଷ୍ଟ୍ରିୟାର ପୂର୍ଣ୍ଣ ଆଧିପତ୍ୟ ପ୍ରତିଷ୍ଠିତ ହୋଇଥାନ୍ତା । ସେହିପରି ବନ୍ଧୁରାଷ୍ଟ୍ର ଅଷ୍ଟ୍ରିୟାକୁ ସାହାଯ୍ୟ କରିବାପାଇଁ ଜର୍ମାନୀ ପୂର୍ବରୁ ଚୁକ୍ତିବଦ୍ଧ ହୋଇଥିବାରୁ କାଇଜାର ଅଷ୍ଟ୍ରିୟା ସପକ୍ଷରେ ଯୁଦ୍ଧରେ ଯୋଗଦାନ କଲେ । ଫଳରେ ରୁଷିଆ ପକ୍ଷଭୁକ୍ତ ହୋଇ ଫ୍ରାନ୍‌ସ ମଧ୍ୟ ଯୁଦ୍ଧରେ ଯୋଗଦେଲେ ।

 

ଗ୍ରେଟବ୍ରିଟେନ ପାଇଁ ବର୍ତ୍ତମାନ ମହାସମସ୍ୟା ଉପୁଜିଲା । ଇଉରୋପୀୟ ଯୁଦ୍ଧରେ ‘ନିରପେକ୍ଷ ନୀତି’ ଅବଲମ୍ବନ କରିବା ସେତେବେଳେ ଆଉ ସମ୍ଭବ ବା ସ୍ପୃହଣୀୟ ନଥିଲା । ମନ୍ତ୍ରୀପରିଷଦରେ କେତେକ ଯୁଦ୍ଧରେ ଯୋଗ ଦେବା ସପକ୍ଷରେ ଏବଂ ଆଉ କେତେକ ବିପକ୍ଷରେ ମତପ୍ରକାଶ କରିଥିଲେ । ପାର୍ଲିଆମେଣ୍ଟ୍ ଏବଂ ଦେଶସାରା ଜନମତ ସେହିପରି ଦୁଇ ଭାଗରେ ବିଭକ୍ତ ହୋଇଗଲା । ତେଣୁ ଲର୍ଡ଼ ଗ୍ରେ’ ପ୍ରଥମେ ମଧ୍ୟସ୍ଥତାଦ୍ୱାରା ବିଦ୍ୱେଷର ସମାଧାନ ଉଦ୍ଦେଶ୍ୟରେ ଜର୍ମାନୀ, ଫ୍ରାନ୍‌ସ, ଇତାଲୀ ଓ ଗ୍ରେଟବ୍ରିଟେନକୁ ନେଇ ଆନ୍ତଃରାଷ୍ଟ୍ର ସମ୍ମିଳନୀ ଡାକିବା ସ୍ଥିର କଲେ । ଅଷ୍ଟ୍ରିଆ ଓ ରୁଷିଆ ମଧ୍ୟରେ ପ୍ରତ୍ୟକ୍ଷ କଥାବାର୍ତ୍ତାର ପ୍ରସ୍ତାବ ମଧ୍ୟ ସେ ଦେଇଥିଲେ । କିନ୍ତୁ ଏ ପ୍ରକାର ସକଳ ପ୍ରଚେଷ୍ଟା ବ୍ୟର୍ଥ ହୋଇଥିଲା । ଏହା ବ୍ୟର୍ଥ ହେବାର ପ୍ରଧାନ କାରଣ ଥିଲା ଅଷ୍ଟ୍ରିୟା ଓ ଜର୍ମାନୀର ସାମରିକ ଯୋଜନା । ଶୀଘ୍ର ସୈନ୍ୟଚାଳନାଦ୍ୱାରା ଶତ୍ରୁପକ୍ଷକୁ କବଳିତ କରିବା ଉକ୍ତ ଯୋଜନାର ପର୍ଯ୍ୟାୟଭୁକ୍ତ ଥିଲା । ତେଣୁ ସମାଧାନ ଦିଗରେ କଥାବାର୍ତ୍ତା ବା ଆଲୋଚନାକୁ ଆତ୍ମଘାତୀ କାଳକ୍ଷେପଣ ନୀତି ବୋଲି ସେମାନେ ଗ୍ରହଣ କଲେ ନାହିଁ । ତେଣୁ ରୁଷିଆର ସୈନ୍ୟଚାଳନା ଆଦେଶ ଜାରି ହେବାମାତ୍ରେ ସେନାପତିମାନେ କାଳବିଳମ୍ବ ନକରି ଅନୁରୂପ ବ୍ୟବସ୍ଥା କଲେ । ତେଣୁ ହଠାତ୍‌ ଏକ ବିରାଟ ଧରଣର ସମରସଜ୍ଜା ଇଉରୋପୀୟମାନେ ଦେଖିବାକୁ ପାଇଲେ–ଚକିତ ହେଲେ–ଭୀତତ୍ରସ୍ତ ହେଲେ । କିନ୍ତୁ ଶାନ୍ତିର ସୂର୍ଯ୍ୟ ଅସ୍ତମିତ । ଚତୁର୍ଦ୍ଦିଗରେ ହତାଶା ଏବଂ ଧ୍ୱଂସର କାଳଦୂତ ରାଜନୈତିକ–ତମସାଚ୍ଛନ୍ନ–ଇଉରୋପରେ ସୁଯୋଗ ନେବାକୁ ପ୍ରସ୍ତୁତ ହୋଇ ରହିଲେ ।

 

ଜର୍ମାନୀ ଫ୍ରାନ୍‌ସ ବିରୁଦ୍ଧରେ ମଧ୍ୟ ଯୁଦ୍ଧ ଘୋଷଣା କରିଥିଲେ ଏବଂ ନିଜର ସାମରିକ ଯୋଜନାର ସାଫଲ୍ୟପାଇଁ ଫ୍ରାନ୍‌ସ–ଅଭିଯାନ ଉଦ୍ଦେଶ୍ୟରେ ନିରପେକ୍ଷ ବେଲଜିୟମ୍ ରାଜ୍ୟକୁ ସୈନ୍ୟଚାଳନା ପାଇଁ ଅନୁମତି ମାଗିଲା । କିନ୍ତୁ ଅନୁମତି ପ୍ରତ୍ୟାଖ୍ୟାତ ହେବାରୁ ଜର୍ମାନ ସୈନ୍ୟମାନେ ବଳାତ୍କାରରେ ବେଲଜିୟମ ମଧ୍ୟରେ ପ୍ରବେଶ କଲେ । ଏହା କରିବାଦ୍ୱାରା ଖ୍ରୀ: ୧୮୩୯ରେ ଇଉରୋପୀୟ ରାଷ୍ଟ୍ରମାନଙ୍କଦ୍ୱାରା ସ୍ୱୀକୃତ ହୋଇଥିବା ‘ନିରପେକ୍ଷ ସ୍ଥିତି’ ବିପନ୍ନ ହେଲା ଏବଂ ଆନ୍ତର୍ଜାତିକ ଚୁକ୍ତିର ଖିଲାପ କରିଥିବା ଅପରାଧରେ ଗ୍ରେଟବ୍ରିଟେନ ବାଧ୍ୟ ହୋଇ ଜର୍ମାନୀ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲା । ଇଉରୋପର ପଶ୍ଚିମ ଉପକୂଳ ତଥା ଇଂଲିଶ୍ ପ୍ରଣାଳୀର ସୁରକ୍ଷା ଇଂଲଣ୍ତର ପ୍ରତିରକ୍ଷା ନୀତିର ମୂଳଭିତ୍ତି । ତେଣୁ ତାହା ବିପନ୍ନ ହେବାଦ୍ୱାରା ଇଂଲଣ୍ତର ସୁରକ୍ଷା ଇଂଲଣ୍ତର ପ୍ରତିରକ୍ଷା ନୀତିର ମୂଳଭିତ୍ତି । ତେଣୁ ତାହା ବିପନ୍ନ ହେବାଦ୍ୱାରା ଇଂଲଣ୍ତର ପ୍ରତିରକ୍ଷା ବ୍ୟବସ୍ଥା ବିପନ୍ନ ହେଲା ବୋଲି ସରକାର ସ୍ୱୀକାର କଲେ । ତେଣୁ ବେଲଜିୟମ୍‌ ସରକାରଙ୍କ ଅନୁରୋଧକୁ ରକ୍ଷା କରି ଅଗଷ୍ଟ ୪ ତାରିଖ ଦିନ ବ୍ରିଟିଶ ସରକାର ଯୁଦ୍ଧରେ ଯୋଗଦେଲେ । ସେତେବେଳକୁ ଇତାଲୀ ବ୍ୟତୀତ ଅନ୍ୟ ସବୁ ଇଉରୋପୀୟ ମହାଶକ୍ତି ଯୁଦ୍ଧରେ ଯୋଗ ଦେଇ ସାରିଥିଲେ । ଇତାଲୀ ପ୍ରଥମେ ନିରପେକ୍ଷ ରହିଥିଲା । କିନ୍ତୁ ଖ୍ରୀ: ୧୯୧୫ ମେ’ ମାସରେ ମଧ୍ୟ ଫ୍ରାନ୍‌ସ ଓ ଗ୍ରେଟବ୍ରିଟେନ ସହ ଜର୍ମାନ–ଅଷ୍ଟ୍ରିୟା ବିରୁଦ୍ଧରେ ଲଢ଼ିବାକୁ ଆଗଭର ହୋଇଥିଲା । ‘ତ୍ରିଶକ୍ତି ମେଣ୍ଟ’ର ସ୍ୱାକ୍ଷରକାରୀ ହିସାବରେ ତେଣୁ ଇତାଲୀ ଚୁକ୍ତିର ଖିଲାପ କଲା ସତ, କିନ୍ତୁ ସ୍ୱାଧୀନ ନୀତି ଅବଲମ୍ବନ କରି ଜର୍ମାନ–ଅଷ୍ଟ୍ରିୟା ବିରୁଦ୍ଧରେ ଯୁଦ୍ଧ କରିବାଦ୍ୱାରା ପ୍ରଶଂସାର୍ହ ହୋଇଥିଲା ।

 

ଏହି ଯୁଦ୍ଧ କ୍ରମଶଃ ଇଉରୋପରେ ସୀମିତ ନରହି ବିଶ୍ୱବ୍ୟାପୀ ହୋଇଥିଲା । ଖ୍ରୀ: ୧୯୧୪ ଅଗଷ୍ଟ ମାସରେ ଜାପାନ ଏବଂ ଖ୍ରୀ: ୧୯୧୭ରେ ଯୁକ୍ତରାଷ୍ଟ୍ର ଆମେରିକା ମିତ୍ରପକ୍ଷ ସହ ଯୁଦ୍ଧରେ ଯୋଗ ଦେଇଥିଲେ । ଫ୍ରାନ୍‌ସ ଜର୍ମାନୀ ଓ ରୁଷିଆର ମିଳିତ ଶକ୍ତିକୁ ‘ମିତ୍ରପକ୍ଷ’ ବା ‘ମିତ୍ରଶକ୍ତି’ ଏବଂ ଜର୍ମାନୀ ଅଷ୍ଟ୍ରିଆର ମିଳିତ ଶକ୍ତିକୁ ‘କେନ୍ଦ୍ରଶକ୍ତି’ ବୋଲି ଯୁଦ୍ଧ କାଳରେ ଅଭିହିତ କରାଯାଇଥିଲା ।

 

ଖ୍ରୀ: ୧୯୧୪ରେ ଯୁଦ୍ଧକୁ ବନ୍ଦ କରିବା ଅସମ୍ଭବ ଥିଲା । କାରଣ ସେତେବେଳକୁ ଉଗ୍ର ଜାତୀୟ ମନୋଭାବର ଭାବାବେଶରେ ଅନ୍ଧ ଏବଂ ଉତ୍ସାହିତ ହୋଇ ସର୍ବିୟା, ଜର୍ମାନୀ ଓ ଫ୍ରାନ୍‌ସବାସୀ ଯୁଦ୍ଧପାଇଁ ଅସ୍ଥିର ହୋଇ ପଡ଼ୁଥିଲେ । ପ୍ରତ୍ୟେକ ଇଉରୋପୀୟ ରାଷ୍ଟ୍ରରେ ସାମରିକ ବ୍ୟବସ୍ଥା ଅତି କ୍ଷୀପ୍ରଗତିରେ ଚାଲିଥାଏ । ପ୍ରତ୍ୟେକ ଦେଶ ଆପଣାର ରାଜନୈତିକ ଅର୍ଥନୈତିକ ଓ ଔପନିବେଶିକ ସ୍ୱାର୍ଥସାଧନ ପାଇଁ ଯୁଦ୍ଧକୁ ଏକମାତ୍ର ମୀମାଂସକରୂପେ ଗ୍ରହଣ କରି ନେଇଥାନ୍ତି । ତେଣୁ ଲର୍ଡ଼ ଗ୍ରେ’ ବା ଯେକୌଣସି ରାଷ୍ଟ୍ର ସଂଘର ଶତ ପ୍ରଚେଷ୍ଟା ମଧ୍ୟ ଖ୍ରୀ: ୧୯୧୪ରେ ଯୁଦ୍ଧକୁ ରୋକିବାରେ ସମର୍ଥ ହୋଇ ନଥାନ୍ତା ।

 

ଯୁଦ୍ଧପାଇଁ ବ୍ରିଟିଶ ସରକାରଙ୍କ ପ୍ରସ୍ତୁତି–ଇଉରୋପୀୟ ରାଜନୀତିରେ ଅବସ୍ଥା ବେଳୁବେଳ ଅସମ୍ଭାଳ ହେବା ଲକ୍ଷ୍ୟ କରି ଶାନ୍ତିରକ୍ଷା ଉଦ୍ଦେଶ୍ୟରେ ବୈଦେଶିକମନ୍ତ୍ରୀ ଲର୍ଡ଼ ଗ୍ରେ’ ଘନୀଭୂତ ହେଉଥିବା ସଙ୍କଟର ଉଦ୍ଧାର ପାଇବା ଉଦ୍ଦେଶ୍ୟରେ ମିଳାମିଶାର ଉଦ୍ୟମକୁ ଅବ୍ୟାହତ ରଖିବା ସଙ୍ଗେ ସଙ୍ଗେ ନିଜ ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାପାଇଁ ଫ୍ରାନ୍‌ସ ଓ ରୁଷିଆ ସହ ଚୁକ୍ତିବଦ୍ଧ ହୋଇଥିଲେ । ସେହି କୂଟନୈତିକ ପ୍ରସ୍ତୁତିପାଇଁ ସେ ଫ୍ରାନ୍‌ସ ଓ ରୁଷିଆ ସହ ଇଂଲଣ୍ତର ମନାନ୍ତରର କାରଣ ସବୁ ଦୂର କରିଥିଲେ । ଖ୍ରୀ: ୧୯୧୨ ପର୍ଯ୍ୟନ୍ତ ବ୍ରିଟିଶ ସରକାର କୌଣସି ସାମରିକ ଚୁକ୍ତିରେ ସ୍ୱାକ୍ଷର କରିଥିଲେ । କାରଣ ତଦ୍ଦ୍ୱାରା ନିରପେକ୍ଷ ନୀତି ଅବଲମ୍ବନରେ ବାଧା ସୃଷ୍ଟି ହୋଇଥାନ୍ତା ଓ ରାଜନୈତିକ ଭାରସାମ୍ୟ ପ୍ରତିଷ୍ଠା ଦିଗରେ ଅନବରତ ଉଦ୍ୟମ ଚଳାଇବା ପାଇଁ କୌଣସି ଇଉରୋପୀୟ ଶକ୍ତି ରହି ନଥାନ୍ତେ । ଜର୍ମାନ ସରକାରଙ୍କୁ କୌଣସି ପ୍ରକାର ଭୀତିପ୍ରଦର୍ଶନ ନକରି ଶାନ୍ତି ପ୍ରତିଷ୍ଠାରେ ସହଯୋଗ କରିବାକୁ ପ୍ରବର୍ତ୍ତାଇବା ପାଇଁ ବ୍ରିଟିଶ ସରକାର ଲର୍ଡ଼ ହାଲଡ଼େନ୍‌ଙ୍କୁ ବର୍ଲିନ ପଠାଇଥିଲେ । କାଇଜାରଙ୍କୁ ବ୍ରିଟିଶ ନିରପେକ୍ଷନୀତି ସମ୍ପର୍କରେ ନିର୍ଭର ପ୍ରତିଶ୍ରୁତି ଦେବାପାଇଁ ମନ୍ତ୍ରିମଣ୍ତଳ ତରଫରୁ ଲର୍ଡ଼ ହାଲଡ଼େନ୍‌ଙ୍କୁ ନିର୍ଦ୍ଦେଶ ମିଳିଥିଲା । ଉପନିବେଶ ପ୍ରଶ୍ନ ନେଇ ଜର୍ମାନୀର ଆପତ୍ତି ଅଭିଯୋଗକୁ ବିଚାର କରିବାପାଇଁ ସେ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ସହ କଥାବାର୍ତ୍ତା ଆରମ୍ଭ କରିବା ଦିଗରେ ପ୍ରସ୍ତାବ ମଧ୍ୟ ଦେଇଥିଲେ । ଏହି କଥାବାର୍ତ୍ତାଦ୍ୱାରା ଜର୍ମାନୀର ସମସ୍ତ ଔପନିବେଶିକ ଦାବିକୁ ପୂରଣ କରିବା ଦିଗରେ ଶକ୍ତିମାନେ ଏକମତ ହୋଇଥିଲେହେଁ ସମୟ ଅଭାବରୁ କୌଣସି ରାଜିନାମା ସ୍ୱାକ୍ଷରିତ ହୋଇପାରି ନଥିଲା ।

 

ଗ୍ରେଟବ୍ରିଟେନ ତେଣୁ ଶାନ୍ତି ପ୍ରତିଷ୍ଠା ଦିଗରେ ଯଥେଷ୍ଠ ଚେଷ୍ଟା କରିଥିଲା । ତା’ ସଙ୍ଗେ ସଙ୍ଗେ ଜରୁରୀ ପରିସ୍ଥିତିର ସମ୍ମୁଖୀନ ହେବାପାଇଁ ନୌ–ଶକ୍ତିକୁ ଜାଗତିୟାର ରଖାଯାଉଥିଲା । ଫରାସୀ ସାମରିକ ବିଶେଷଜ୍ଞଙ୍କ ସହ ଗୁପ୍ତ ପରାମର୍ଶଦ୍ୱାରା ମିଳିତ ପ୍ରତିରକ୍ଷା ବ୍ୟବସ୍ଥାର ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଥିଲା । ଲର୍ଡ଼ ହାଲଡ଼େନ୍‌ ବହୁଶ୍ରମ ସ୍ୱୀକାର କରି ସେନାବାହିନୀକୁ ସୁଗଠିତ କରିଥିଲେ । ସାମରିକ ପରିବହନ ବ୍ୟବସ୍ଥା ଓ ବେସାମରିକ ପ୍ରତିରକ୍ଷା ବ୍ୟବସ୍ଥା ଦିଗରେ ମଧ୍ୟ ସେ ହେଳା କରି ନଥିଲେ । ସ୍ୱେଚ୍ଛାସେବକ ବାହିନୀ ଓ ଆଞ୍ଚଳିକ ବାହିନୀ ଗଠନ, ସାମରିକ ପ୍ରଶିକ୍ଷଣ ବ୍ୟବସ୍ଥା ଓ ସ୍କୁଲ୍ କଲେଜରେ ସାମରିକ ବାହିନୀରେ ଯୋଗ ଦେବାର ଯଥାର୍ଥତା ସମ୍ପର୍କରେ ପ୍ରଚାର ପ୍ରଭୃତି କୌଣସି ଦିଗରେ ସେ ହେଳା କରି ନଥିଲେ । ଏହି ପ୍ରସ୍ତୁତି କିନ୍ତୁ ଅତି ସାବଧାନତା ସହକାରେ ସମ୍ପନ୍ନ ହୋଇଥିଲା । ନଚେତ୍‌ ଜର୍ମାନମାନଙ୍କ ମନରେ ଅଯଥା ସନ୍ଦେହ ଓ ଅବିଶ୍ୱାସ ବୃଦ୍ଧି ପାଇଥାନ୍ତା । ଯେକୌଣସି ପରିସ୍ଥିତି ପାଇଁ ବ୍ରିଟିଶ ସେନାପତିମାନେ ମଧ୍ୟ ସଦାସତର୍କ ରହିଥିଲେ । ଏହିପରି ସରକାରୀ ବ୍ୟବସ୍ଥା ଗୃହୀତ ହୋଇଥିବା ଯୋଗୁଁ ଯୁଦ୍ଧାବସ୍ଥାକୁ ବ୍ରିଟିଶ ସରକାର ଦୃଢ଼ତାର ସହ ସମ୍ଭାଳି ପାରିଲେ ।

 

ବିଶ୍ୱଯୁଦ୍ଧ

 

ଖ୍ରୀ: ୧୯୧୪ରୁ ଖ୍ରୀ: ୧୯୧୮ ପର୍ଯ୍ୟନ୍ତ ଯେଉଁ ବିଶ୍ୱଯୁଦ୍ଧ ପୃଥିବୀର ବିଭିନ୍ନ ସ୍ଥଳଭାଗ ଓ ଜଳରାଶି ଉପରେ ପ୍ରଳୟ ସୃଷ୍ଟିକଲା ତାହାର ଭୟାବହତା ଅବର୍ଣ୍ଣନୀୟ । ପୃଥିବୀ ଇତିହାସରେ ଏପରି ଧ୍ୱଂସଲୀଳା ଆଗରୁ କେବେହେଁ ପ୍ରଘଟିତ ହୋଇ ନଥିଲା । ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ଅନେକବାର ଯୁଦ୍ଧ ଘଟିଥିବା କଥା ଆମେ ଜାଣୁ । କିନ୍ତୁ ଲକ୍ଷ ଲକ୍ଷ ସୈନ୍ୟ ନେଇ, ହଜାର ହଜାର ମାଇଲ ବ୍ୟାପୀ ରଣାଙ୍ଗନରେ ମାସମାସ, ବର୍ଷବର୍ଷ ଧରି ଜୀବନକୁ ତୁଚ୍ଛ କରି ସଂଗ୍ରାମରତ କୌଶଳ ଅବଲମ୍ବନ କରି ପ୍ରାୟ ପାଞ୍ଚକୋଟି ଲୋକ ଯେଉଁ ଯୁଦ୍ଧ କଲେ ତାହା କଳ୍ପନାତୀତ ଥିଲା । ହାତବୋମା, ତରଳ ଅଗ୍ନି, ଗ୍ୟାସ, ବିଷାକ୍ତ ବାଷ୍ପ, ଟ୍ୟାଙ୍କ୍‌, ଟର୍ପଡ଼ୋ, ବୁଡ଼ାଜାହାଜ, ବ୍ୟୋମଯାନ ଓ ଟ୍ରେଞ୍ଚଯୁଦ୍ଧ କଥା କେହି କେବେ ଶୁଣି ନଥିଲେ ବା କଳ୍ପନା ମଧ୍ୟ କରି ନଥିଲେ । ଏହି ଯୁଦ୍ଧ ପୁଣି ଯୁଦ୍ଧକ୍ଷେତ୍ରରେ ସୀମିତ ନରହି ସର୍ବବ୍ୟାପୀ ହେଲା । ସାମରିକ ବେସାମରିକ ବ୍ୟକ୍ତି, ଆବାଳବୃଦ୍ଧବନିତା ସମସ୍ତେ ତା’ର କରାଳ କବଳରେ ପଡ଼ି ହାହାକାର କଲେ ।

 

ଅଗଷ୍ଟ ୪ ତାରିଖରେ ଯୁଦ୍ଧ ବ୍ୟାପକଭାବେ ଆରମ୍ଭ ହେବାମାତ୍ରେ ଜର୍ମାନୀକୁ ପୂର୍ବ ଓ ପଶ୍ଚିମ ରଣକ୍ଷେତ୍ରରେ ଯୁଦ୍ଧ କରିବାକୁ ପଡ଼ିଥିଲା । ପୂର୍ବରେ ରୁଷିଆ ଓ ପଶ୍ଚିମରେ ଫ୍ରାନ୍‌ସ ଏବଂ ଇଂଲଣ୍ତକୁ ଏକକାଳୀନ ଯୁଦ୍ଧରେ ସମ୍ମୁଖୀନ ହେବା ଅତି ଆୟାସକର ଥିଲା । କିନ୍ତୁ ଏଥିପାଇଁ ଜର୍ମାନ ସେନାପତିମାନେ ପୂର୍ବରୁ ପ୍ରସ୍ତୁତ ଥିଲେ । କାରଣ ସେପରି ପରିସ୍ଥିତିରେ ଯୁଦ୍ଧ କରି ଅତି ଅଳ୍ପକାଳ ମଧ୍ୟରେ ଫ୍ରାନ୍‍ସକୁ ସମ୍ପୂର୍ଣ୍ଣ ପରାଜିତ ଓ ଧ୍ୱଂସ କରିବା ଏବଂ ପୂର୍ବ ରଣାଙ୍ଗନରେ ରୁଷିଆର ମୁକାବିଲା କରିବା ଉଦ୍ଦେଶ୍ୟରେ ଜର୍ମାନୀ ସରକାର ‘ସ୍କିଫେନ୍‌ ଯୋଜନା’ ପ୍ରସ୍ତୁତି କରିଥିଲେ । ଉକ୍ତ ଯୋଜନାନୁସାରେ ଫ୍ରାନ୍‍ସକୁ ଶୀଘ୍ର କବଳିତ କରିବାପାଇଁ ବେଲଜିୟମ ମଧ୍ୟରେ ସୈନ୍ୟଚାଳନ କରିବା ଅପରିହାର୍ଯ୍ୟ ଥିଲା । ତେବେ ଏହି ଯୋଜନାର ମୂଳଭିତ୍ତି ଏକ ଭ୍ରାନ୍ତ ଧାରଣା ଉପରେ ପ୍ରତିଷ୍ଠିତ ଥିଲା । ରୁଷିଆର ଅନୁନ୍ନତ ଅବସ୍ଥାକୁ କେନ୍ଦ୍ରକରି ଜର୍ମାନୀମାନେ ଭାବିଥିଲେ ଯେ, ଅଷ୍ଟ୍ରିୟା ଓ ଜର୍ମାନୀ ବିରୁଦ୍ଧରେ ସୈନ୍ୟଚାଳନ ପାଇଁ ରୁଷିଆକୁ ବେଶ୍ ସମୟ ଦରକାର । ସେ ଦୃଷ୍ଟିରୁ ସମସ୍ତ ସାମରିକ ଶକ୍ତିକୁ ପଶ୍ଚିମ ରଣକ୍ଷେତ୍ରରେ କେନ୍ଦ୍ରୀଭୂତ କଲେ ଫ୍ରାନ୍‌ସର ପତନ ଅନିବାର୍ଯ୍ୟ ହେବ ବୋଲି ସେମାନଙ୍କର ବିଶ୍ୱାସ ଥିଲା ।

 

ସେହି ବିଶ୍ୱାସ ନେଇ ଜର୍ମାନୀମାନେ ବେଲଜିୟମ୍‌ର ‘ଲିଜ୍’ ଓ ‘ନମୁର’ ସହର ବିରୁଦ୍ଧରେ ପ୍ରବଳ ଅଭିଯାନ ଆରମ୍ଭ କରିଥିଲେ । ଜର୍ମାନ ଆକ୍ରମଣର ବେଗ ଏବଂ ଶକ୍ତିର ସମ୍ମୁଖୀନ ହେବା ଫରାସୀ ଓ ବ୍ରିଟିଶ ସୈନ୍ୟଙ୍କ ପକ୍ଷେ ଆଦୌ ସମ୍ଭବ ନଥିବାରୁ ସେମାନେ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲେ । ଜର୍ମାନମାନେ ‘ମାର୍ଣ୍ଣେ’ ନଦୀ ଅତିକ୍ରମ କରି ମିତ୍ରବାହିନୀକୁ ଘଉଡ଼ାଇ ଦେଇଥିଲେ । ଏହି ସମୟରେ କିନ୍ତୁ ଜର୍ମାନୀର ପ୍ରଥମ ସେନାବାହିନୀ ପ୍ରବଳ ଫରାସୀ ଆକ୍ରମଣର ସମ୍ମୁଖୀନ ହୋଇଥିଲେ । ପ୍ରଥମ ଓ ଦ୍ୱିତୀୟ ଜର୍ମାନୀ ବାହିନୀ ମଧ୍ୟରେ ଥିବା ଶୂନ୍ୟସ୍ଥାନ ଦେଇ ମିତ୍ରପକ୍ଷ ସୈନ୍ୟ କିଛିଦୂର ଅଗ୍ରସର ମଧ୍ୟ ହୋଇପାରିଥିଲେ । ତାହାଫଳରେ ଜର୍ମାନୀମାନେ ମାର୍ଣ୍ଣେ ନଦୀ ତୀରରୁ ପଛଘୁଞ୍ଚା ଦେଇ ଆଇନ ନଦୀକୂଳରେ ଆସ୍ଥାନ ଜମାଇ ବସିଲେ । ଦୁଇପକ୍ଷ ଆକ୍ରମଣାତ୍ମକ ଅଭିଯାନର ବେଗକୁ ଶିଥିଳ କରି ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାଦ୍ୱାରା ରଣକ୍ଷେତ୍ର ରେମ୍‌ସ୍‌ଠାରୁ ୟେପ୍ରେସ୍ ପର୍ଯ୍ୟନ୍ତ ବିସ୍ତୃତ ହୋଇଥିଲା ଏବଂ କେହି ଶତ୍ରୁପକ୍ଷକୁ ଭେଦକରି ଆଗକୁ ଅଗ୍ରସର ହୋଇପାରି ନଥିଲେ । ଏହି ରଣକ୍ଷେତ୍ରରେ ବ୍ରିଟିଶ ସୈନ୍ୟବାହିନୀ ବେଲଜିୟମ୍ ଅଞ୍ଚଳରେ ଓ ଫରାସୀ ବାହିନୀର ଫ୍ରାନ୍‌ସ ଅଞ୍ଚଳର ମୁତୟନ ଥିଲେ । ଶୀତଋତୁ ଆସିଯିବାରୁ ଗଭୀର ଖାତମାନ ଖୋଲି ଉଭୟ ପକ୍ଷ ପ୍ରତିରକ୍ଷାମୂଳକ ଯୁଦ୍ଧରେ ବ୍ୟାପୃତ ହୋଇଥିଲେ । ସେତେବେଳକୁ ଅବଶ୍ୟ ଫ୍ରାନ୍‌ସ ଓ ବେଲଜିୟମ୍‌ର ଅଧିକାଂଶ ଅଞ୍ଚଳ ଜର୍ମାନୀ କବଳରେ ପଡ଼ି ସାରିଥିଲା । କିନ୍ତୁ ସ୍କିଫେନ୍ ଯୋଜନାନୁସାରେ ଫ୍ରାନ୍‌ସକୁ ସମୂଳେ ଧ୍ୱଂସ କରିବାରେ ସେମାନେ ସଫଳ ହୋଇ ନଥିଲେ ।

 

ପୂର୍ବପଟେ ରୁଷିଆ ଜର୍ମାନୀର ଅଞ୍ଚଳରେ ଆକ୍ରମଣ ଆରମ୍ଭ କରିଥିଲା । କିନ୍ତୁ ‘ତେନେନବାର୍ଗ’ ରଣକ୍ଷେତ୍ରରେ ପରାସ୍ତ ହୋଇ ଜର୍ମାନ ଅଞ୍ଚଳରୁ ବହିଷ୍କୃତ ହୋଇଥିଲା । ଖ୍ରୀ: ୧୯୧୫ରେ ପୂର୍ବ ରଣକ୍ଷେତ୍ରରେ ଭୟାବହ ସଂଗ୍ରାମ ଚାଲିଥିଲା । ରୁଷ ସୈନ୍ୟ ଗେଲିସିଆ ଓ ହଙ୍ଗେରୀ ଅଞ୍ଚଳ ଆକ୍ରମଣ କରିଥିଲେ । ହଙ୍ଗେରୀ ଅଞ୍ଚଳରେ ରୁଷ ଅଭିଯାନ ସଫଳ ହେଲେ ଅଷ୍ଟ୍ରିଆର ନୈତିକବଳ ଭାଙ୍ଗିପଡ଼ିବା ଆଶଙ୍କା କରି ଜର୍ମାନୀ ସେଠାରେ ନିଜର ସାମରିକ ଶକ୍ତି ପ୍ରୟୋଗ କରିବାକୁ ବାଧ୍ୟ ହୋଇଥିଲା । ରୁଷ ସୈନ୍ୟଙ୍କୁ ଗେଲିସିଅରୁ ବିତାଡ଼ିତ କରି ଜର୍ମାନମାନେ ପୋଲାଣ୍ତ, ଲିଥୁଆନିଆ, ପ୍ରଭୃତି ଅଧିକାର କରିବା ସଙ୍ଗେ ସଙ୍ଗେ ହଜାର ହଜାର ରୁଷ ସୈନ୍ୟଙ୍କୁ ନିହତ କରିଥିଲେ । ରୁଷିଆର ବିସ୍ତୃତ ଅଞ୍ଚଳ ସେମାନଙ୍କର ହସ୍ତଗତ ହୋଇଥିଲା । ଏହି ବିଜୟଫଳରେ ଅଷ୍ଟ୍ରିଆ ଏକ ନିଶ୍ଚିତ ବିପର୍ଯ୍ୟୟରୁ ରକ୍ଷା ପାଇଗଲା । ସେତେବେଳକୁ ଇଟାଲୀୟମାନେ ମିତ୍ରପକ୍ଷ ସହ ଯୁଦ୍ଧରେ ଯୋଗ ଦେଇ ଅଷ୍ଟ୍ରିଆର ଦକ୍ଷିଣ ପଟେ ଆକ୍ରମଣ ଆରମ୍ଭ କରିଥାନ୍ତି ।

 

ସ୍ଥଳଭାଗରେ କୌଣସି ବିଜୟ ହାସଲ କରି ନପାରି ବ୍ରିଟିଶ ସରକାର ନିକଟ ପ୍ରାଚ୍ୟରେ ନୌଶକ୍ତି ପ୍ରୟୋଗଦ୍ୱାରା ତୁର୍କୀ ଉପରେ କର୍ତ୍ତୃତ୍ୱ ପ୍ରତିଷ୍ଠା କରିବାକୁ ଚାହୁଁଥିଲେ । ସେଥିପାଇଁ ଡାର୍ଡ଼ାନେଲ୍‌ସ ଅଭିଯାନ ଆରମ୍ଭ ହୋଇଥିଲା । ତୁର୍କୀ ଡାର୍ଡ଼ାନେଲସ ଅଧିକାର କରିବାଫଳରେ ଇଂଲଣ୍ତ ଓ ରୁଷିଆ ମଧ୍ୟରେ ଯୋଗସୂତ୍ର ସ୍ଥାପିତ ହୋଇ ପାରି ନଥିଲା । ଏହି ନୌଅଭିଯାନରେ ଇଂରେଜମାନେ ପ୍ରଥମେ ସଫଳ ହୋଇ ନଥିଲ । ଦ୍ୱିତୀୟ ଅଭିଯାନରେ ମଧ୍ୟ ଅନେକ ଇଂରେଜ ସୈନ୍ୟ ଅଯଥାରେ ମୃତହତ ହୋଇଥିଲେ । ତେଣୁ ବ୍ରିଟିଶ ସରକାର ବାଧ୍ୟ ହୋଇ କୃଷ୍ଣସାଗରର ଗାଲିପୋଲି ଅଞ୍ଚଳରୁ ନିଜ ନୌବାହିନୀକୁ ଅପସାରିତ କରିଥିଲେ ।

 

ଖ୍ରୀ: ୧୯୧୫ରେ କେନ୍ଦ୍ର ଶକ୍ତିଦ୍ୱାରା ସର୍ବିୟା ଅଧିକୃତ ହୋଇଥିଲା । ବୁଲଗେରିଆ ଜର୍ମାନୀ ଓ ଅଷ୍ଟ୍ରିଆ ସହ ଯୁଦ୍ଧରେ ଯୋଗ ଦେବାରୁ ଏହା ସମ୍ଭବ ହୋଇପାରିଲା । ତେଣୁ ଖ୍ରୀ: ୧୯୧୫ ମିତ୍ରପକ୍ଷ ପାଇଁ ଏକ ହତାଶାପୂର୍ଣ୍ଣ ସମୟ । ସର୍ବିୟାର ପତନଫଳରେ ଜର୍ମାନୀଠାରୁ ତୁର୍କୀ ପର୍ଯ୍ୟନ୍ତ ସହଯୋଗର ପଥ ଉନ୍ମୁକ୍ତ ହୋଇପାରିଥିଲା । ପଶ୍ଚିମ ରଣକ୍ଷେତ୍ରରେ ବେଲଜିୟମ୍‌ ଉପକୂଳରୁ ଆଲପ୍‌ସ ପର୍ବତ ପାଦଦେଶ ପର୍ଯ୍ୟନ୍ତ ଏକପ୍ରକାର ଅତି ଭୟଙ୍କର ହୃଦୟବିଦାରକ କ୍ଷୟଯୁଦ୍ଧ ଅବ୍ୟାହିତ ରହିଲା । ଅତି ସନ୍ନିକଟରେ ଶତ୍ରୁକୁ ଆପ୍ରାଣ ଚେଷ୍ଟା କରି ପରାହତ କରିବାର ଅଦମ୍ୟ ଚେଷ୍ଟା ଚଳାଇ ସୈନ୍ୟ ଶକ୍ତି କ୍ଷୟ ଛଡ଼ା ଅନ୍ୟ କୌଣସି ସଫଳତା ବିବାଦୀୟ ରାଷ୍ଟ୍ରମାନେ ହାସଲ କରିପାରି ନଥିଲେ ।

 

ଖ୍ରୀ: ୧୯୧୬ରେ କ୍ଷୟ ଯୁଦ୍ଧ ଆହୁରି ଭୀଷଣ ଆକାର ଧାରଣ କରିଥିଲା । ଟ୍ରେଞ୍ଚର ପୂତିଗନ୍ଧମୟ ଆବର୍ଜନା ମଧ୍ୟରେ, ଶୀତଋତୁର ପ୍ରବଳ ତୁଷାରପାତ, ମାନସିକ ଚାପ ଓ ପ୍ରକ୍ରିୟାକୁ ସହ୍ୟ କରିନପାରି ସୈନ୍ୟମାନେ ପୁଣି ଆକ୍ରମଣାତ୍ମକ ଯୁଦ୍ଧ ଆରମ୍ଭକଲେ । ଏହା ଫ୍ରାନ୍‌ସର ‘ଭାଦୁଁ’ ଦୁର୍ଗ ନେଇ ସଂଗଠିତ ହୋଇଥିଲା । ଭାଦୁଁ ଦୁର୍ଗ ଫରାସୀ ଜାତିର ସୌର୍ଯ୍ୟ, ବୀର୍ଯ୍ୟର ପ୍ରତୀକ ଥିବାରୁ ଜାତୀୟ ଗୌରବ ରକ୍ଷାପାଇଁ ଫରାସୀମାନେ ଦୀର୍ଘ ପାଞ୍ଚମାସ ପ୍ରାଣମୂର୍ଚ୍ଛା ଜର୍ମାନମାନଙ୍କ ସହ ଲଢ଼ିଥିଲେ । ଭାଦୁଁ ଯୁଦ୍ଧ ଅମୀମାଂସିତ ରହିଲା ସତ କିନ୍ତୁ ଲକ୍ଷ ଲକ୍ଷ ଫରାସୀ ଓ ଜର୍ମାନ ସୈନ୍ୟ ସେଠାରେ ବଳି ପଡ଼ିଥିଲେ । ସେହିପରି ‘ସୋମ’ ରଣକ୍ଷେତ୍ର ଥିଲା ଆଉ ଏକ ପୈଶାଚିକ, ବୀଭତ୍ସ ଯୁଦ୍ଧର ରଙ୍ଗମଞ୍ଚ । ଫ୍ରାନ୍‌ସ ଓ ଜର୍ମାନୀର ଶକ୍ତି ଉପରେ ଏହି ଦୁଇ ଯୁଦ୍ଧର କ୍ଷୟକ୍ଷତି ଅଶେଷ ପ୍ରଭାବ ପକାଇଥିଲା ଓ ବିଶ୍ୱଯୁଦ୍ଧର ମୀମାଂସା ଦିଗରେ ସହାୟକ ହୋଇଥିଲା ।

 

ଜର୍ମାନୀର ଶକ୍ତିକ୍ଷୟ ଓ ଅଷ୍ଟ୍ରିଆର ସଙ୍କଟମୟ ଅବସ୍ଥାକୁ ଲକ୍ଷ୍ୟକରି ମିତ୍ର ପକ୍ଷ ଖ୍ରୀ: ୧୯୧୬ ଶେଷଭାଗରେ ପୁଣି ଆକ୍ରମଣାତ୍ମକ ଯୁଦ୍ଧର ଆଶ୍ରୟ ନେଇଥିଲେ । ଇତାଲୀୟମାନେ ମଧ୍ୟ ‘ତ୍ରି ଏସ୍ତି’ ପଟେ ଅଷ୍ଟ୍ରିୟା ଉପରେ ଆକ୍ରମଣ ଆରମ୍ଭ କରିଥିଲେ କିନ୍ତୁ ଜର୍ମାନ ସେନାପତି ହିଣ୍ତେନବାର୍ଗ ଓ ଲ୍ୟୁଡ଼େନଡ଼ର୍ଫ ଉକ୍ତବର୍ଷ ରୁମାନିଆ ଅଧିକାର କରି ଜର୍ମାନୀର ସାମରିକ ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିଥିଲେ । ରୁଷ ସେନାପତି ବ୍ରୁସିଲୋଫ୍‌ଙ୍କ ଅଭିଯାନ ମଧ୍ୟ ବ୍ୟର୍ଥ ହୋଇଥିଲା-

 

ଏହି ପରିସ୍ଥିତିରେ ଯୁଦ୍ଧକୁ ସମାପ୍ତ କରିବାପାଇଁ ଗ୍ରେଟବ୍ରିଟେନ ଉପରେ ଅଧିକ ଦାୟିତ୍ୱ ପଡ଼ିଥିଲା । ସେଥିସକାଶେ ଆବଶ୍ୟକତା ସୈନ୍ୟ ସଂଖ୍ୟା ବୃଦ୍ଧି । ଯୁଦ୍ଧ ମନ୍ତ୍ରୀ କିଚନରଙ୍କ ପରାମର୍ଶ ଅନୁଯାୟୀ ଲକ୍ଷଲକ୍ଷ ଯୁବକ ସ୍ୱେଚ୍ଛାରେ ସୈନ୍ୟ ବିଭାଗରେ ଯୋଗ ଦେଇଥିଲେ । ଅପୂର୍ବ ଉତ୍ସାହ ଓ ପ୍ରେରଣା ନେଇ ସେମାନେ ଯୁଦ୍ଧକ୍ଷେତ୍ରରେ ଯୋଗ ଦେବାରୁ ରଣାଙ୍ଗନ ଅଧିକ ସକ୍ରିୟ ହୋଇ ଉଠିଲା । ତଥାପି ଇଂଲଣ୍ତର ସୈନ୍ୟ ସଂଖ୍ୟା ଯଥେଷ୍ଟ ନଥିବାରୁ ରାଜ୍ୟଗୋଷ୍ଠୀଭୁକ୍ତ ଦେଶଗୁଡ଼ିକ ଉପରେ ମାତୃଦେଶକୁ ସାହାଯ୍ୟ କରିବା ଦାୟିତ୍ୱ ପଡ଼ିଲା । କାନାଡ଼ା, ଅଷ୍ଟ୍ରେଲିଆ, ନିଉଜିଲାଣ୍ତ୍, ଭାରତବର୍ଷ ଆଦିରୁ ସହସ୍ରାଦିକ ସଂଖ୍ୟାରେ ସୈନ୍ୟ ଇଉରୋପ ଅଭିମୁଖରେ ଚାଲିଲେ । ଜନମତକୁ ଠିକ୍ ପଥରେ ପରିଚାଳିତ କରିବାଦ୍ୱାରା ଅର୍ଥ ସାହାଯ୍ୟ ମଧ୍ୟ ଅତ୍ୟଧିକ ପରିମାଣରେ ରାଜ୍ୟଗୋଷ୍ଠୀ ଦେଶମାନଙ୍କରୁ ସଂଗୃହୀତ ହୋଇପାରିଲା । ମେସୋପଟାମିଆ ଏବଂ ପାଲେଷ୍ଟାଇନ ଅଞ୍ଚଳରେ ଭାରତୀୟ ସୈନ୍ୟମାନେ ଅପୂର୍ବ ବୀରତ୍ୱ ସହକାରେ କେନ୍ଦ୍ର ଶକ୍ତି ବିରୁଦ୍ଧରେ ଲଢ଼ିଥିଲେ-। ବ୍ରିଟିଶ ରାଜ୍ୟଗୋଷ୍ଠୀର ସମ୍ବଳ ବିନା ଖ୍ରୀ: ୧୯୧୬ ପରଠାରୁ ମିତ୍ରଶକ୍ତି ପକ୍ଷରେ ଯୁଦ୍ଧ କରିବା ଅସମ୍ଭବ ହୋଇଥାନ୍ତା । ଅସ୍ତ୍ରଶସ୍ତ୍ରର ଅଭାବ ଦୂର କରିବାପାଇଁ ଇଂରେଜ ଜନସାଧାରଣ, ଆବାଳବୃଦ୍ଧବନିତା, ଅପୂର୍ବ ଉତ୍ସାହ ସହ ସରକାରଙ୍କ ସଙ୍ଗେ ସହଯୋଗ କଲେ-। ପୁରୁଷମାନେ ଯୁଦ୍ଧକ୍ଷେତ୍ରକୁ ଯିବାଦ୍ୱାରା ଶିଳ୍ପ କାରଖାନାରେ ଶ୍ରମିକର ଅଭାବ ମହିଳାମାନେ ପୂରଣ କଲେ-

 

ଖ୍ରୀ: ୧୯୧୫ରେ ଯୁଦ୍ଧ ପରିସ୍ଥିତିଜନିତ ଜାତୀୟ ସଙ୍କଟର ମୁକାବିଲା କରିବାପାଇଁ ଏସକ୍ୱିଥ୍‌ଙ୍କ ନେତୃତ୍ୱରେ ଏକ ମିଳିତ ମନ୍ତ୍ରିମଣ୍ଡଳ ଗଠିତ ହୋଇଥିଲା । ଖ୍ରୀ: ୧୯୧୬ରେ ଲଏଡ଼ ଜର୍ଜ ମିଳିତ ମନ୍ତ୍ରିମଣ୍ତଳର ନେତୃତ୍ୱ ଗ୍ରହଣ କରିଥିଲେ । ଯୁଦ୍ଧ ପରିଚାଳନା କରିବାପାଇଁ ସେ ଏକ ଯୁଦ୍ଧ ପରିଷଦ ଗଢ଼ିଥିଲେ । ଜରୁରୀକାଳୀନ ପରିସ୍ଥିତି ହେତୁ ବାଧ୍ୟତାମୂଳକଭାବେ ସକ୍ଷମ ବ୍ୟକ୍ତିମାନଙ୍କୁ ସୈନ୍ୟ ବିଭାଗରେ ଭର୍ତ୍ତି କରାଗଲା । ଶିଳ୍ପ କାରଖାନା, ରେଳପଥ, ଖଣିଜ, ପରିବହନ ଆଦି ସବୁ ଦିଗରେ ସରକାରୀ ନିୟନ୍ତ୍ରଣ ଜାରୀ ହେଲା । କ୍ଷଣକାଳ ପାଇଁ ଇଂରେଜମାନେ ବ୍ୟକ୍ତିଗତ ସ୍ୱାର୍ଥ ଓ ସ୍ୱାଧୀନତାକୁ ଭୁଲି ମାତୃଭୂମିର ଗୌରବ ରକ୍ଷାରେ ଲାଗିପଡ଼ିଲେ । ଖାଦ୍ୟପେୟ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ଜାରୀ ହୋଇଥିବା କଟକଣାକୁ ସେମାନେ ସ୍ୱଗତି କଲେ ।

 

ପ୍ରଥମ ବିଶ୍ୱଯୁଦ୍ଧରେ ବ୍ରିଟିଶ ନୌଶକ୍ତି ଜର୍ମାନୀ ବିରୁଦ୍ଧରେ ନୌଅବରୋଧ ପାଇଁ ନିୟୋଜିତ ହୋଇଥିଲା । ଜର୍ମାନ ନୌବାହିନୀକୁ ଜଗିବା କାମରେ ତାହା ନିଯୁକ୍ତି ହେଲା । ଗ୍ରେଟବ୍ରିଟେନ ଉପକୂଳର ସୁରକ୍ଷା ଦାୟିତ୍ୱ ମଧ୍ୟ ନ୍ୟସ୍ତ ଥିଲା ନୌବାହିନୀ ଉପରେ । ମିତ୍ରପକ୍ଷକୁ ଆବଶ୍ୟକୀୟ ସୈନ୍ୟ, ଯୁଦ୍ଧ ସାମଗ୍ରୀର ପରିବହନ ଦାୟିତ୍ୱ ତୁଲାଇବାରେ ବ୍ରିଟିଶ ନୌବାହିନୀ ଅତି ପ୍ରଶଂସନୀୟ କାର୍ଯ୍ୟ କରିଥିଲା । ତା’ଛଡ଼ା ମହାସମୁଦ୍ର ବକ୍ଷରେ ଜର୍ମାନ ଜାହାଜଗୁଡ଼ିକ ଖାନ୍‍ତଲାସ୍ କରି ଜିନିଷପତ୍ର ଜବତ କରିବା କାମ ଅତି ଦକ୍ଷତାର ସହ ନୌବାହିନୀ ଅଫିସରମାନେ କରିଥିଲେ-। ତଦ୍ଦ୍ୱାରା ଜର୍ମାନୀର ବହିର୍ବାଣିଜ୍ୟ ବାଧାପ୍ରାପ୍ତ ହେବାରୁ ତା’ର ଅର୍ଥନୀତି କ୍ରମଶଃ ଦୁର୍ବଳ ହୋଇଥିଲା । ଏପରିକି ଲୋକମାନଙ୍କ ପାଇଁ ଖାଦ୍ୟ ସରଞ୍ଜମ ଓ ଶିଳ୍ପପାଇଁ କଞ୍ଚାମାଲ ସଂଗ୍ରହ ଅସମ୍ଭବ ହେଲା । ଅନ୍ୟ ପକ୍ଷରେ କିନ୍ତୁ ମିତ୍ରପକ୍ଷ ଦେଶଗୁଡ଼ିକର ବହିର୍ବାଣିଜ୍ୟ ବ୍ରିଟିଶ ନୌଶକ୍ତିଦ୍ୱାରା ସୁରକ୍ଷିତ ହୋଇ ଅବ୍ୟାହତ ରହିଥିଲା ।

 

ଦେଶର ଅର୍ଥନୀତି ଓ ସାମରିକ ପ୍ରସ୍ତୁତି ପ୍ରଭାବିତ କରୁଥିବାରୁ ବ୍ରିଟିଶ ନୌବାହିନୀ ମଧ୍ୟରେ ଯୁଦ୍ଧ ହେବା ସ୍ୱାଭାବିକ ଥିଲା । ଏହି ଶକ୍ତି ପରୀକ୍ଷାପାଇଁ ଇଂରେଜ ନୌସେନାପତି ଜେଲିକୋ ଏବଂ ଜର୍ମାନ ନୌସେନାଧ୍ୟକ୍ଷ ସ୍କିୟର ଉତ୍ତର ସାଗରର ଜୁଟଲ୍ୟାଣ୍ତ ନାମକ ସ୍ଥାନରେ ଭେଟାଭେଟି ହୋଇଥିଲେ । କିନ୍ତୁ ଏହି ଯୁଦ୍ଧର ମୀମାଂସା ହେବା ପୂର୍ବରୁ ଜେଲିକୋ ବ୍ରିଟିଶ ନୌଭେଳାକୁ ଅନ୍ୟତ୍ର ନେଇଯାଇଥିଲେ । କୁହୁଡ଼ିଆ ପାଗରେ ଦୃଷ୍ଟିହୀନତା ଯୋଗୁଁ ଶତ୍ରୁପକ୍ଷର ଗତିବିଧି ନିର୍ଣ୍ଣୟ କରିବା ଉଭୟଙ୍କ ପାଇଁ କଠିନ ହୋଇଥିଲା । ତା’ଛଡ଼ା ଜର୍ମାନୀମାନେ ବୁଡ଼ାଜାହାଜ ଓ ଟର୍ପେଡ଼ୋଦ୍ୱାରା ଆକ୍ରମଣର ଆଶଙ୍କା ଥିବାରୁ ଜେଲିକୋ ଜାଣିଶୁଣି ଇଂରେଜ ନୌବାହିନୀକୁ ବିପଦମୁହଁକୁ ପେଲି ଦେବାକୁ ପ୍ରସ୍ତୁତ ନଥିଲେ । ତେଣୁ ପୃଥିବୀର ଦୁଇ ସର୍ବବୃହତ୍ ନୌଶକ୍ତି ମଧ୍ୟରେ ପ୍ରକୃତ ଶକ୍ତି ପରୀକ୍ଷାର ପ୍ରଥମ ଓ ଶେଷ ସୁଯୋଗ ଅମୀମାଂସିତ ରହିଲା ।

 

ତେବେ ଗ୍ରେଟବ୍ରିଟେନର ମହାସମୁଦ୍ର ଉପରେ ପ୍ରାଧାନ୍ୟ ବଜାୟ ରହିଥିଲା ଏବଂ ଜର୍ମାନମାନେ ତାହା ଧ୍ୱଂସ କରିବାରେ ସକ୍ଷମ ହୋଇ ନଥିଲେ । ବରଂ ବ୍ରିଟିଶ ନୌଅବରୋଧଦ୍ୱାରା ଭୀଷଣ ଅସୁବିଧାର ସମ୍ମୁଖୀନ ହୋଇ ହତାଶ ହୃଦୟରେ ଅନିୟନ୍ତ୍ରିତ–ବୁଡ଼ାଜାହାଜ ଯୁଦ୍ଧର ଆଶ୍ରୟ ନେଇଥିଲେ । ପ୍ରଥମେ ବୁଡ଼ାଜାହାଜରେ ଟର୍ପେଡ଼ୋ ଖଞ୍ଜି ଶତ୍ରୁପକ୍ଷର ବାଣିଜ୍ୟ ଓ ଯାତ୍ରୀବାହୀ ପୋତଗୁଡ଼ିକ ସେମାନେ ଧ୍ୱଂସ କରିଥିଲେ । ଏହା ଅତି ନୀଚ ଓ ନ୍ୟୁନମନ୍ୟତାର ପରିଚୟ ଥିଲା । ପରେପରେ ଉକ୍ତ ପଦ୍ଧତି ଅବଲମ୍ବନ କରି ସେମାନେ ଶତ୍ରୁପକ୍ଷରେ ନୌଭେଳା ଉପରେ ସ୍ଥାନେ ସ୍ଥାନେ ଆକ୍ରମଣ କରିଥିଲେ । ବେସାମରିକ ଜାହାଜ ଉପରେ ବୁଡ଼ାଜାହାଜର ଏତାଦୃଶ ଆକ୍ରମଣଦ୍ୱାରା ବହୁ ନିରୀହ ଧନଜୀବନ ନଷ୍ଟ ହେବାରୁ ଯୁଦ୍ଧରତ ଏବଂ ନିରପେକ୍ଷ ରାଷ୍ଟ୍ରମାନଙ୍କରେ ଜର୍ମାନୀ ବିରୁଦ୍ଧରେ ପ୍ରବଳ ଜନମତ ପ୍ରକାଶ ପାଇଲା । ଆନ୍ତର୍ଜାତିକ ଚୁକ୍ତି ଓ ପରମ୍ପରାକୁ ଅମାନ୍ୟ କରିବାଦ୍ୱାରା ସମସ୍ତେ ଜର୍ମାନୀ ଉପରେ କ୍ଷୁବ୍ଧ ହୋଇ ପ୍ରତିବାଦ ଜଣାଇଥିଲେ । ସେହି ଅବିମୃଶ୍ୟତାର ପରିଣାମସ୍ୱରୂପ ଲୁସିଟାନିଆ ନାମକ ଯାତ୍ରୀବାହୀ ପୋତ ଆୟାରଲାଣ୍ତ୍ ଉପକୂଳରେ ଜଳମଗ୍ନ ହେବାରୁ ୨୦୦ ଜଣ ଆମେରିକୀୟ ସହ ମୋଟ ୧୨୦୦ ଯାତ୍ରୀ ପ୍ରାଣ ହରାଇଥିଲେ । ଏହି ମର୍ମନ୍ତୁଦ ସମ୍ବାଦ ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କୁ ତଥା ଅନ୍ୟାନ୍ୟ ନିରପେକ୍ଷ ଦେଶମାନଙ୍କୁ ଜର୍ମାନୀ ବିରୁଦ୍ଧରେ ଉତ୍ତେଜିତ କରିଥିଲା । ଯୁକ୍ତରାଷ୍ଟ୍ର ସରକାରଙ୍କ ଦୃଢ଼ ପ୍ରତିବାଦଫଳରେ ଜର୍ମାନ ସରକାର ଭୁଲ ସ୍ୱୀକାର କଲେ ସତ, କିନ୍ତୁ ଖ୍ରୀ: ୧୯୧୭ରେ ଅନିୟନ୍ତ୍ରିତ ବୁଡ଼ାଜାହାଜ ଯୁଦ୍ଧକୁ ଜାରି ରଖିବା ଘୋଷଣା ପ୍ରକାଶ କଲେ । ଇଉରୋପ ଉପକୂଳରେ ଯେକୌଣସି ଜାହାଜକୁ ବିନାସତର୍କ ବାଣୀରେ ଟର୍ପେଡ଼ୋ ମାରି ବୁଡ଼ାଇ ଦିଆଯିବ ବୋଲି ବର୍ଲିନରୁ ଘୋଷିତ ହେଲା । ପ୍ରକୃତରେ ମଧ୍ୟ ସେହିବର୍ଷ ଶତକଡ଼ା ୨୫ଟି ଜାହାଜ ଜର୍ମାନମାନେ ସମୁଦ୍ର ବକ୍ଷରେ ଧ୍ୱଂସ କରିଥିଲେ । ଫଳରେ ବିଶ୍ୱଯୁଦ୍ଧର ଗତି ପରିବର୍ତ୍ତିତ ହୋଇଗଲା । କାରଣ ଅନିୟନ୍ତ୍ରିତ ବୁଡ଼ାଜାହାଜ ଯୁଦ୍ଧରେ ବ୍ୟତିବ୍ୟସ୍ତ ଓ କ୍ଷତିଗ୍ରସ୍ତ ହୋଇ ଖ୍ରୀ: ୧୯୧୭ ଅଗଷ୍ଟ ମାସରେ ଯୁକ୍ତରାଷ୍ଟ୍ର ଆମେରିକା ମିତ୍ରପକ୍ଷ ସହ ବିଶ୍ୱଯୁଦ୍ଧରେ ଯୋଗ ଦେଲା । ତଦ୍ଦ୍ୱାରା ମିତ୍ରପକ୍ଷ ପାଇଁ ବିଜୟ ଆଶା ଓ ସଫଳତାର ନବୀନ ପ୍ରଭାତ ଉନ୍ମୋଚିତ ହେଲା ।

 

ବ୍ରିଟେନ ଓ ଫ୍ରାନ୍‌ସର ଧୈର୍ଯ୍ୟ ଏବଂ ଶକ୍ତି ଶେଷ ପର୍ଯ୍ୟାୟରେ ପହଞ୍ଚିବା ସମୟରେ ସମ୍ପଦଶାଳୀ ଓ ଶକ୍ତିଶାଳୀ ଯୁକ୍ତରାଷ୍ଟ୍ର ଆବିର୍ଭାବ ଅଶେଷ ଆନନ୍ଦ ସଂଚାର କରିଥିଲା ମିତ୍ରପକ୍ଷ ଶିବିରରେ । ବ୍ରିଟିଶ ଓ ଆମେରିକୀୟ ଏକତ୍ରିତ ହୋଇ ବିଜୟ ହାସଲର ନୂତନ ଯୋଜନା ପ୍ରସ୍ତୁତ କଲେ । ଦୁହିଁଙ୍କର ସମ୍ମିଳିତ ଶକ୍ତି ଓ ଫରାସୀମାନଙ୍କର ସହଯୋଗରେ ଅତିଶୀଘ୍ର ବିଜୟର ପ୍ରଥମ ଅଙ୍କ ଉଦ୍‌ଘାଟିତ ହେଲା ।

 

ବୁଡ଼ାଜାହାଜ ବିରୁଦ୍ଧରେ ପ୍ରତିକାର କରିବାପାଇଁ ଲଣ୍ତନଠାରେ ଏକ ନିୟନ୍ତ୍ରଣ ପ୍ରକୋଷ୍ଠ ପ୍ରତିଷ୍ଠା କରି ପ୍ରତ୍ୟେକ ପଣ୍ୟବାହୀ ଓ ଯାତ୍ରୀବାହୀ ଜାହାଜର ନିରାପଦ ଯାତ୍ରା ସକାଶେ ପ୍ରହରୀ ଜାହାଜର ବ୍ୟବସ୍ଥା ହେଲା । ଲଣ୍ତନଠାରୁ ପୃଥିବୀର ବିଭିନ୍ନ ଅଞ୍ଚଳରେ ଥିବା ପ୍ରାୟ ୧୦,୦୦୦ ଜାହାଜ ଓ ଚାଳକଙ୍କୁ ବେତାର ମାଧ୍ୟମରେ ନୌଚାଳନା ପଥର ନିର୍ଦ୍ଦେଶ ଦିଆଗଲା । ‘ରହସ୍ୟ ଜାହାଜ’ ମାଧ୍ୟମରେ ଜର୍ମାନୀ ବୁଡ଼ାଜାହାଜର ସ୍ଥିତି ଓ ଗତିବିଧି ସମ୍ପର୍କରେ ଖବର ସଂଗ୍ରହ ହେଲା । ଉପକୂଳ ଅଞ୍ଚଳରେ ‘ହାଇଡ଼୍ରୋଫୋନ୍‌’ ଖଞ୍ଜା ମଟରଲଞ୍ଚ୍‍ଦ୍ୱାରା ବୁଡ଼ାଜାହାଜଗୁଡ଼ିକର ପଶ୍ଚାଦନୁସରଣ କରାଗଲା । ନରୱେଠାରୁ ସେଟ୍‌ଲ୍ୟାଣ୍ତ ପର୍ଯ୍ୟନ୍ତ ୧୩୦ ମାଇଲ ଅଞ୍ଚଳ ଲମ୍ବ ଭାବରେ ମାଇନ୍‌ସଦ୍ୱାରା ଖଞ୍ଜା ହୋଇ ରହିଲା ଜର୍ମାନ ବୁଡ଼ାଜାହାଜକୁ ଧ୍ୱଂସ କରିବାପାଇଁ । ‘ଜିବ୍ରୁଗେ’ ଏବଂ ‘ଓସ୍ତେନ୍ଦ୍‌’ ପୋତାଶ୍ରୟ ଉପରେ ଆକ୍ରମଣ କରି କେତେକ ବୁଡ଼ାଜାହାଜର ଧ୍ୱଂସ ସାଧନହେଲା । ଏତଦ୍ଦ୍ୱାରା ଜର୍ମାନୀକୁ ଠିକଣା ଜବାବ୍ ମିତ୍ରପକ୍ଷ ଦେଇପାରିଲେ ଏବଂ କ୍ରମଶଃ ଯୁଦ୍ଧର ବେଗ ଶିଥିଳ ହୋଇ ଆସିଲା ।

 

ଇଉରୋପୀୟ ରାଷ୍ଟ୍ରମାନଙ୍କରେ ଯୁଦ୍ଧର ପରିଣାମ ଓ କ୍ରମଶଃ ଅନୁଭୂତ ହୋଇଥିଲା ଖ୍ରୀ: ୧୯୧୭ରେ । ପ୍ରଥମତଃ ରୁଷିଆରେ ଲୋକେ ଯୁଦ୍ଧର ଭୟାବହତା ଅଙ୍ଗେ ନିଭେଇଲେ । ରୁଷିଆ ଅନ୍ୟଦେଶ (ଇଉରୋପର) ତୁଳନାରେ ଅପେକ୍ଷାକୃତ ଅନୁନ୍ନତ ଥିବାରୁ ସେଠାରେ ରାଇଫଲ, ତୋପ, ଗୁଳାବାରୁଦ, ବ୍ୟୋମଯାନ ଓ ଖାଦ୍ୟଶସ୍ୟର ପ୍ରଭୂତ ଅଭାବ ଥିଲା । ରୁଷ ସୈନ୍ୟମାନଙ୍କର ବୀରତ୍ୱ ଓ ତ୍ୟାଗଫଳରେ ପଶ୍ଚିମ ରଣାଙ୍ଗନରେ ‘ମାର୍ଣ୍ଣେ’ ଏବଂ ‘ଭାଦୁଁ’ଠାରେ ମିତ୍ରପକ୍ଷ ପରାଜୟର ଗ୍ଳାନିରୁ ରକ୍ଷା ପାଇଲେ ସତ, କିନ୍ତୁ ସାମରିକ ସରଞ୍ଜାମ ଅଭାବରେ ରୁଷ ସୈନ୍ୟମାନେ ପୋକମାଛି ପରି ଶତ୍ରୁ ଗୁଳିରେ ପ୍ରାଣ ହରାଇଲେ । କ୍ରମଶଃ ହତାଶା ଏବଂ ଅସନ୍ତୋଷ ବ୍ୟାପିଲା । ପରିସ୍ଥିତି ସୁଧାରିବାରେ ରୁଷର ଦୁର୍ବଳ ସରକାର ଅପାରଗ ହେଲେ । କ୍ଷୁଧିତ ଓ ନିଷ୍ପେଷିତ ଜନତାର ଆର୍ତ୍ତନାଦରେ ଆକାଶ ପବନ ପ୍ରକମ୍ପିତ ହେଲା । ରୁଷ ସୈନ୍ୟମାନେ ରଣାଙ୍ଗନ ପରିତ୍ୟାଗ କରି ସ୍ୱଗୃହକୁ ପଳାୟନ କଲେ । ଦେଶରେ କଟତରାଜ, ହତ୍ୟା, ବିଭୀଷିକା ଆରମ୍ଭ ହେଲା । ମାର୍କସବାଦୀ କମ୍ୟୁନିଷ୍ଟମାନେ ବିପ୍ଳବର ଆହ୍ୱାନ ଦେଲେ ଶ୍ରମିକ ଓ କୃଷକମାନଙ୍କୁ । ସେମାନଙ୍କର ସଂଖ୍ୟା ଦୃଢ଼ ଭାବରେ ବୃଦ୍ଧି ପାଇଲା । ଉଗ୍ରପନ୍ଥୀ ଚରମପନ୍ଥୀମାନେ କ୍ଷମତା ଅଧିକାର କଲେ । ଜାରତନ୍ତ୍ରୀ ଶାସନ କବର ପାଇଲା । ଯୁଦ୍ଧ କରିବାପାଇଁ ନୂତନ ସରକାର ଅକ୍ଷମ ଥିଲେ–ଆଗ୍ରହୀ ମଧ୍ୟ ନଥିଲେ । ତେଣୁ ବ୍ରେଷ୍ଟଲିଟୋଷ୍କଠାରେ ରୁଷିଆ ଜର୍ମାନୀ ସହ ଯୁଦ୍ଧବିରତି ସନ୍ଧି ସ୍ୱାକ୍ଷର କରି ଯୁଦ୍ଧରୁ ଅପସରି ଗଲା । ପୂର୍ବ ରଣାଙ୍ଗନରେ ଅବସ୍ଥା ଥଣ୍ତା ପଡ଼ିଲା ।

 

କିନ୍ତୁ ପଶ୍ଚିମ ଦିଗରେ ଖୁବ୍ ଜୋର୍‍ସୋର୍‍ରେ ଯୁଦ୍ଧ ଚାଲିଥାଏ । ମିତ୍ରପକ୍ଷ ଆମେରିକାର ସାହାଯ୍ୟ ପାଇ ଅଧିକ ଉଦ୍ଦୀପନାରେ ଆକ୍ରମଣାତ୍ମକ ସଂଗ୍ରାମ ଚଳାଇଥାନ୍ତି । କ୍ରମଶଃ ମିତ୍ରପକ୍ଷକୁ ପ୍ରତିରୋଧ କରିବା କଷ୍ଟକର ହେବାରୁ ଜର୍ମାନୀ ସୈନ୍ୟ ‘ସୋମ’ ଅଞ୍ଚଳରୁ ପଛକୁ ହଟିଯାଇ ନୂତନ ସ୍ଥାନର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିଥାନ୍ତି । ଏହି ନୂତନ ପ୍ରତିରକ୍ଷା ଅଞ୍ଚଳକୁ ‘ହିଣ୍ତେନବାର୍ଗ ରେଖା’ ନାମରେ ଅଭିହିତ କରାଯାଇଥିଲା । କିନ୍ତୁ କାନାଡ଼ା ଓ ଗ୍ରେଟବ୍ରିଟେନର ସେନାବାହିନୀର ଅଗ୍ରଗତିକୁ ରୋକିବା ସେମାନଙ୍କ ପକ୍ଷେ ସମ୍ଭବ ନଥିଲା ଏବଂ ‘ଭିମିରିଜ୍’ ଓ ‘ମେସିନ୍‍ସ ରିଜ୍’ ନାମକ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମିତ୍ରପକ୍ଷ ଦଖଲ କରିନେଲେ । ସେହି ବିଜୟରେ ଅଧିକ ଉତ୍ସାହିତ ହୋଇ କ୍ଷୟକ୍ଷତି ପରିମାଣ ଓ ମୃତାହତ ସଂଖ୍ୟାରେ ବିଚଳିତ ନ ହୋଇ ମିତ୍ରପକ୍ଷ ‘ପାସେଣ୍ତେଲ୍‌’ ଅଞ୍ଚଳ ଅଧିକାରଭୁକ୍ତ କଲେ ।

 

ଦକ୍ଷିଣପୂର୍ବ ରଣକ୍ଷେତ୍ରରେ ଇଟାଲୀୟମାନେ ‘କେପୋରେଟ୍ଟୋ’ ଅଞ୍ଚଳରେ ଜର୍ମାନ ଅଗ୍ରଗତିକୁ ପ୍ରତିହତ କରି ନପାରି ପଛଘୁଞ୍ଚା ଦେଇଥିଲେ । କିନ୍ତୁ ଫରାସୀ ଓ ବ୍ରିଟିଶ ସୈନ୍ୟ ତାଙ୍କୁ ସାହାଯ୍ୟ ଦେବାକୁ ପିଏଭ୍‌ ନଦୀକୂଳରେ ମହଜୁଦ୍ ଥିବାରୁ ଜର୍ମାନମାନେ ଅଧିକ ଅଗ୍ରଗତି କରିପାରିଲେ ନାହିଁ । ଫଳରେ ଇତାଲୀ ନିଶ୍ଚିତ ପରାଜୟରୁ ରକ୍ଷା ପାଇଗଲା ।

 

ଖ୍ରୀ: ୧୯୧୭ ମାର୍ଚ୍ଚ ମାସରେ ବାଗ୍‌ଦାଦ୍ ବ୍ରିଟିଶମାନଙ୍କଦ୍ୱାରା ଅଧିକୃତ ହେବାଦ୍ୱାରା ସେ ଅଞ୍ଚଳରେ ଶତ୍ରୁପକ୍ଷ (ତୁରସ୍କ) ଅନେକ ଦୂରକୁ ହଟି ଯାଇଥିଲେ । ସେହିବର୍ଷ ଜେରୁଜେଲମ ମଧ୍ୟ ମିତ୍ରପକ୍ଷ ଅକ୍ତିୟାରକୁ ଆସିଲା ।

 

ଖ୍ରୀ: ୧୯୧୮ରେ ଅଷ୍ଟ୍ରିୟାର ଶୋଚନୀୟ ଅବସ୍ଥା ଯୋଗୁଁ ଜର୍ମାନୀ ପ୍ରାୟ ଯୁଦ୍ଧରେ ଏକାକୀ ହୋଇଗଲା । ବିସ୍ତୃତ ରଣକ୍ଷେତ୍ରରେ ସୀମିତ ଶକ୍ତି ନେଇ ମିତ୍ରପକ୍ଷର ବିପୁଳ ସମ୍ମିଳିତ ସାମର୍ଥ୍ୟ ବିରୁଦ୍ଧରେ ଯୁଦ୍ଧକୁ ସଫଳତାର ସହ ଜାରୀ ରଖିବା କ୍ରମେ ଅସମ୍ଭବ ହୋଇଥିଲା । ପ୍ରତି ମାସରେ ଯୁକ୍ତରାଷ୍ଟ୍ର ଆମେରିକାରୁ ପ୍ରାୟ ୩ ଲକ୍ଷ ସୈନ୍ୟ ୟୁରୋପୀୟ ରଣାଙ୍ଗନକୁ ଆସିବାଦ୍ୱାରା ମିତ୍ରପକ୍ଷ ଉତ୍ସାହିତ ହୋଇ ଯୁଦ୍ଧ ପରିସମାପ୍ତି ପାଇଁ ଲଗି ପଡ଼ିଲେ । ବୁଡ଼ାଜାହାଜ ଯୁଦ୍ଧର ପରିଣତି ଉପରେ ୟୁରୋପୀୟ ଯୁଦ୍ଧର ଫଳାଫଳ ଆଉ ନିର୍ଭର କଲାନାହିଁ । ତେବେ ନିର୍ବାଣୋନ୍ମୁଖୀ ପ୍ରଦୀପର ଶେଷ ଅଗ୍ନିଶିଖା ପରି ଜର୍ମାନମାନେ ସବୁ ଶକ୍ତି ଠୁଳ କରି ଆଉଥରେ ଆକ୍ରମଣ ଆରମ୍ଭ କଲେ । ତାହା ଏତେ ଭୟାନକ ନିର୍ମମ ଥିଲା ଯେ, ମିତ୍ରପକ୍ଷର ସକଳ ପ୍ରତିରକ୍ଷା ବ୍ୟବସ୍ଥା ତୁଚ୍ଛ ହେଲା । ଏମିନ୍‍ସ ଓ ୟେପ୍ରେସ ଅଞ୍ଚଳରେ ଜର୍ମାନମାନେ ବିକ୍ରମର ସହ ଧସେଇ ମାଡ଼ିଗଲେ । ଏହି ଆକ୍ରମଣରେ କେବଳ ଇଂରେଜ ବାହିନୀର ଚାରିଲକ୍ଷ ସୈନ୍ୟ ନିହତ ହୋଇଥିଲେ । ସେହି ବର୍ଷ ମେ’ଠାରୁ ଜୁନ୍‌ମାସ ପର୍ଯ୍ୟନ୍ତ ଫରାସୀମାନଙ୍କ ଉପରେ ଆକ୍ରମଣର ଅଗ୍ନି ବୃଷ୍ଟି ହେଲା । ରେମ୍‌ସ୍‌ ଏବଂ ମାର୍ଣ୍ଣେ ଅଞ୍ଚଳରେ ଫରାସୀ ପ୍ରତିରକ୍ଷାବ୍ୟୁହ ଭେଦ କରି ଜର୍ମାନମାନେ ପ୍ୟାରିସ ସହରର ପ୍ରାୟ ୯୦ ମାଇଲ ସନ୍ନିକଟବର୍ତ୍ତୀ ହୋଇଗଲେ । କିନ୍ତୁ ଆଉ ଅଧିକ ଅଗ୍ରସର ହୋଇପାରିଲେ ନାହିଁ । ମୁଖ୍ୟ ସେନାଧ୍ୟକ୍ଷ ମାର୍ସାଲ୍‌ ଫୋସ୍‌ଙ୍କ ଅଧିନାୟକତ୍ୱରେ ମିତ୍ରପକ୍ଷ ଆକ୍ରମଣ ଆରମ୍ଭ କଲେ । ନିରବଚ୍ଛିନ୍ନ ଭାବରେ ଯୁଦ୍ଧର ଅବଶିଷ୍ଟ ପାଞ୍ଚ ମାସ କାଳ ସେମାନେ ଅଦମ୍ୟ ସାହସ ଓ ଦୃଢ଼ତା ସହ ଜର୍ମାନବାହିନୀ ଉପରେ ଆକ୍ରମଣ ଚଳାଇଲେ । ଜର୍ମାନୀ ସେତେବେଳକୁ ବଳହୀନ ଓ ସମ୍ବଳହୀନ ହୋଇ ପଡ଼ିଥିଲା । ସଂଖ୍ୟାରେ ଓ ସାମର୍ଥ୍ୟରେ ମିତ୍ରପକ୍ଷ ତାକୁ ବହୁ ପରିମାଣରେ ବଳିଗଲେ । ମିତ୍ରପକ୍ଷର ତୁହାକୁତୁହା ଓ କେନ୍ଦ୍ରୀଭୂତ ଆକ୍ରମଣରେ ସେ ମ୍ରିୟମାଣ ହୋଇପଡ଼ିଲା । ଅପର୍ଯ୍ୟାପ୍ତ ତୋପ, ଟ୍ୟାଙ୍କ, ଗୋଳାବାରୁଦ ଓ ସୈନ୍ୟ ପ୍ରୟୋଗ କରି ଜର୍ମାନମାନଙ୍କୁ ଧ୍ୱସ୍ତବିଓ୍ୱସ୍ତ କରି ଦିଆଗଲା । ଫରାସୀ, ବେଲଜିୟମ, ବ୍ରିଟିଶ ଓ ଆମେରିକୀୟ ସମସ୍ତେ ମନର ପ୍ରତିଶୋଧ ମେଣ୍ଟାଇବା ପାଇଁ ଜର୍ମାନମାନଙ୍କୁ ଛାରଖାର କରି ପକାଇଲେ । ଶତଚେଷ୍ଟା ସତ୍ତ୍ୱେ ଆଉ ଯୁଦ୍ଧକୁ ଜାରି ରଖିବା ଅସମ୍ଭବ ହେବାରୁ ଜର୍ମାନ ସେନାଧ୍ୟକ୍ଷ ଲ୍ୟୁଡ଼େନଡ଼ର୍ଫ ଯୁଦ୍ଧବିରତି ପାଇଁ ଆଗ୍ରହୀ ହେଲେ ।

 

ଖ୍ରୀ: ୧୯୧୮ ସେପ୍‌ଟେମ୍ବର ମାସବେଳକୁ ଜର୍ମାନୀର ବନ୍ଧୁ ବୁଲଗେରୀୟା ପରାସ୍ତ ହୋଇ ଯୁଦ୍ଧବିରତି ପାଇଁ ନିବେଦନ କରିଥିଲା । କେବଳ ମାତ୍ର ଦଶ ପନ୍ଦର ଦିନର ଯୁଦ୍ଧରେ ବିଧ୍ୱଂସ ହୋଇ ସେ ମିତ୍ରପକ୍ଷ ନିକଟରେ ଆତ୍ମସମର୍ପଣ କରିଥିଲା । ବୁଲଗେରିୟା ଅଧିକୃତ ହେବାଫଳରେ ଜର୍ମାନୀ ଓ ତୁର୍କୀର ଯୋଗସୂତ୍ର ଛିନ୍ନ ହୋଇଗଲା । ସେନାପତି ଆଲେନ୍‌ବି ପାଲେଷ୍ଟାଇନ ଅଞ୍ଚଳରେ ପ୍ରବଳ ଆକ୍ରମଣ ଚଳାଇ ତୁର୍କୀ ସୈନ୍ୟମାନଙ୍କୁ ଛାରଖାର କରି ପକାଇଲେ । ଅକ୍‌ଟୋବର ମାସ ଶେଷବେଳକୁ ତୁର୍କୀ ମଧ୍ୟ ଯୁଦ୍ଧବିରତି ପାଇଁ ଆବେଦନ କରି ଯୁଦ୍ଧରୁ ନିବୃତ୍ତ ହେଲା । ଫଳରେ ଅଷ୍ଟ୍ରିୟା ଏକାକୀ ରହିବାରୁ ତା’ ଉପରେ ବଜ୍ରପାତ ହେଲା । ଇତାଲୀର ଉତ୍ତର ପୂର୍ବ ଅଞ୍ଚଳରେ ମିତ୍ରପକ୍ଷ ସୈନ୍ୟମାନେ ସୀମାନ୍ତରେ ମୁହୁର୍ମୁହୁଃ ଆକ୍ରମଣଦ୍ୱାରା ଅଷ୍ଟ୍ରିୟା ସୈନ୍ୟଙ୍କୁ ବ୍ୟତିବ୍ୟସ୍ତ କରିଥିଲେ ଏବଂ ଆଭ୍ୟନ୍ତରୀଣ ବିପ୍ଳବ ଆରମ୍ଭ ହେବାରୁ ଅଷ୍ଟ୍ରିୟା ସମ୍ପୂର୍ଣ୍ଣ ହୀନବଳ ହୋଇପଡ଼ିଲା ।

 

ତେଣୁ ଜର୍ମାନୀକୁ ପରାଜିତ କରି ଯୁଦ୍ଧ ସମାପ୍ତି ଦିଗରେ ପଦକ୍ଷେପ ନେବା ମିତ୍ରପକ୍ଷଙ୍କୁ ଅସୁବିଧା ହେଲା ନାହିଁ । ଜର୍ମାନୀ ସମ୍ପୂର୍ଣ୍ଣ ଏକାକୀ ଏବଂ ମୁମୂର୍ଷୁପ୍ରାୟ ଥିବାରୁ ଲ୍ୟୁଡ଼େନଡ଼ର୍ଫ ସେନାଧ୍ୟକ୍ଷ ଦାୟିତ୍ୱରୁ ଇସ୍ତଫା ଦେଇଥିଲେ । କାଇଜାର ୨ୟ ଉଇଲିୟମ୍ ବର୍ଲିନରୁ ପଳାୟନ କରି ହଲାଣ୍ଡରେ ଆଶ୍ରୟ ନେଲେ । ବର୍ଲିନରେ ରାଜତନ୍ତ୍ର ସରକାର ଲୋପ ପାଇଲା ଏବଂ ନୂତନ ସାଧାରଣତନ୍ତ୍ର ସରକାର ମିତ୍ରପକ୍ଷ ସହିତ ଯୁଦ୍ଧବିରତି ରାଜିନାମାରେ ସ୍ୱାକ୍ଷର କରିବାରୁ ଖ୍ରୀ: ୧୮୧୯ ନଭେମ୍ବର ୧୧ ତାରିଖରେ ପଶ୍ଚିମ ରଣକ୍ଷେତ୍ରରେ ମଧ୍ୟ ଯୁଦ୍ଧ ବନ୍ଦ ହେଲା ।

 

ଯୁଦ୍ଧ ଶେଷ ହେଲା ସତ, କିନ୍ତୁ ଯୁଦ୍ଧର ଲାଭ କ୍ଷତି ହିସାବ କରି ଶତ୍ରୁପକ୍ଷରୁ କ୍ଷତିପୂରଣ ଆଦାୟ କରିବାପାଇଁ ଏବଂ ଭବିଷ୍ୟତରେ ଯୁଦ୍ଧର ପୁନରାବୃତ୍ତି ନହେବାପାଇଁ ଏକ ଆନ୍ତର୍ଜାତିକ ଶାନ୍ତି ସମ୍ମିଳନୀ ପ୍ୟାରିସ ନଗରୀରେ ସମବେତ ହୋଇଥିଲା ।

 

ବିଶ୍ୱଯୁଦ୍ଧରେ ବ୍ରିଟିଶ ସରକାରଙ୍କ ଭୂମିକା–ଖ୍ରୀ: ୧୭୮୯ ଫରାସୀ ବିପ୍ଳବ ପରେ ଫ୍ରାନ୍‌ସ ସହିତ ଦୀର୍ଘକାଳ ସଂଗ୍ରାମକୁ ଜାରି ରଖିବାରେ ଇଂଲଣ୍ତ ଯେଉଁ ଭୂମିକା ଗ୍ରହଣ କରିଥିଲା, ପ୍ରଥମ ବିଶ୍ୱଯୁଦ୍ଧରେ ଜର୍ମାନ ଓ କେନ୍ଦ୍ର ଶକ୍ତି ସହ ଯୁଦ୍ଧ କରିବାରେ ତା’ଠାରୁ ବଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ତୁଳନା କଲେ ପ୍ରଥମ ବିଶ୍ୱଯୁଦ୍ଧର ପରିସର, ସ୍ଥାନ, କାଳ ଓ ସୈନ୍ୟସଂଖ୍ୟା ଆଦି କ୍ଷେତ୍ରରେ ବହୁଗୁଣ ଅଧିକ ଥିଲା । ଯୁଦ୍ଧ ଆରମ୍ଭ ହେବାମାତ୍ରେ ବ୍ରିଟିଶ ନୌ–ବାହିନୀ ମହାସମୁଦ୍ର ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲା । ସେଥିପାଇଁ ଫ୍ରାନ୍‌ସ ଇତାଲୀ ଓ ଯୁକ୍ତରାଷ୍ଟ୍ରର ସହଯୋଗ ମିଳିଥିଲେହେଁ କୃତିତ୍ୱ ମୁଖ୍ୟତଃ ଥିଲା ବ୍ରିଟିଶମାନଙ୍କର । ଏହି ପ୍ରାଧାନ୍ୟକୁ ଧ୍ୱଂସ କରିବାପାଇଁ ଜର୍ମାନୀ ଯେଉଁ ବୁଡ଼ାଜାହାଜ ଯୁଦ୍ଧର ଆଶ୍ରୟ ନେଇଥିଲା, ତାହା ସଫଳ ହୋଇଥିଲେ ମିତ୍ରପକ୍ଷ ହୁଏତ ପରାଜିତ ହୋଇଥାନ୍ତେ । ଅତି ସୁଦକ୍ଷ ନୌ–ଅବରୋଧଦ୍ୱାରା ଜର୍ମାନୀକୁ ଗ୍ରେଟବ୍ରିଟେନ ପଙ୍ଗୁପ୍ରାୟ କରିପକାଇଥିଲା । ମିତ୍ରପକ୍ଷକୁ ଖାଦ୍ୟ, ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଇବାରେ ବ୍ରିଟିଶ ନୌ–ବାହିନୀ ଓ ବାଣିଜ୍ୟ ପୋତ କମ୍ ସାହାଯ୍ୟ କରି ନଥିଲେ । ବ୍ରିଟିଶ ନୌ–ଅବରୋଧ ପାଇଁ ଜର୍ମାନୀର ଆମଦାନୀ ବାଣିଜ୍ୟ ପ୍ରାୟ ଧ୍ୱଂସ ହୋଇଯାଇଥିଲା ଏବଂ ଖାଦ୍ୟଦ୍ରବ୍ୟ, କଞ୍ଚାମାଲର ଅଭାବ ଯୋଗୁଁ ସୈନ୍ୟଙ୍କ ସାମରିକ ଓ ବେସାମରିକ ଚାହିଦା ପୂରଣରେ ଜର୍ମାନ ଶିଳ୍ପ କାରଖାନାଗୁଡ଼ିକ ଅସହାୟ ଓ ଅକ୍ଷମ ହୋଇଥିଲେ-

 

ଇଂଲଣ୍ତର କଳକାରଖାନା, ଉପନିବେଶ ଓ ରାଜ୍ୟଗୋଷ୍ଠୀଭୁକ୍ତ ଦେଶଗୁଡ଼ିକର କଞ୍ଚାମାଲ, ଆର୍ଥିକ ସମ୍ବଳ, ଜନଶକ୍ତି, ନୈତିକ ସମର୍ଥନ ଆଦି ସବୁକିଛି ବିନିଯୋଗ କରି ଇଂରେଜ ସରକାର ଯୁଦ୍ଧ ଲଢ଼ିଥିଲେ । କାରଣ ୟୁରୋପ, ମଧ୍ୟପ୍ରାଚ୍ୟ, ନିକଟପ୍ରାଚ୍ୟ, ଭାରତ, ସୁଦୂର ପ୍ରାଚ୍ୟ, ଆଫ୍ରିକା ଆଦି କଞ୍ଚାମାଲରେ ବ୍ୟାପକଭାବେ ରଣସଜ୍ଜା ପାଇଁ ଅସୀମ ସମ୍ବଳର ଆବଶ୍ୟକତା ଥିଲା-। ରାଜ୍ୟଗୋଷ୍ଠୀ ଦେଶଗୁଡ଼ିକ ସାହାଯ୍ୟ ଦେବାରୁ ବ୍ରିଟିଶ ସରକାର ଫ୍ରାନ୍‌ସ, ଗାଲିପୋଲି, ମେସୋପଟାମିଆଁ, ଇତାଲୀ ଇଜିପ୍‌ଟ, ମାସିଡ଼ୋନିଆ ପାଲେଷ୍ଟାଇନ୍, ଭାରତ, ଚୀନ ଆଦି ସ୍ଥାନରେ ସୈନ୍ୟ ମୁତୟନ କରି ଶତ୍ରୁର ମୁକାବିଲା କରିପାରିଲେ । ପରିସ୍ଥିତିର ଗୁରୁତ୍ୱ ଯୋଗୁଁ ଏପରିକି କାନାଡ଼ା ଅଷ୍ଟ୍ରେଲିଆ ଓ ନିଉଜିଲାଣ୍ତ୍‍ର ମଧ୍ୟ ସହଯୋଗ ଦରକାର ପଡ଼ିଲା ଏବଂ ସମସ୍ତେ ଅକୁଣ୍ଠିତ ଭାବରେ ତାହା ପ୍ରଦାନ କରିଥିଲେ ।

 

ପ୍ରଥମ ମହାଯୁଦ୍ଧ ସାମରିକ ଇତିହାସରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲା । ଯୁଦ୍ଧ ସୀମିତ ଓ ଅଳ୍ପ ଦିନ ସ୍ଥାୟୀ ହେବା ପରିବର୍ତ୍ତେ ବ୍ୟାପକ ଓ ଦୀର୍ଘକାଳ ସ୍ଥାୟୀ ହେବା ଯୋଗୁଁ ସାମରିକ ପ୍ରଚେଷ୍ଟା ସହ ବେସାମରିକ ସହଯୋଗ ମଧ୍ୟ ଜରୁରୀ ହେଲା ବିଜୟ ହାସଲପାଇଁ । ସେଥିପାଇଁ ସୈନ୍ୟମାନେ ଯୁଦ୍ଧ କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ଖାଦ୍ୟ, ପୋଷାକ ପରିଚ୍ଛେଦ, ଅସ୍ତ୍ରଶସ୍ତ୍ର, ଯାନବାହାନ, ଯୋଗାଇ ଦେବାପାଇଁ ସାମଗ୍ରୀ ଉତ୍ପାଦନ, ବଣ୍ଟନ ଓ ପରିବହନ କ୍ଷେତ୍ରରେ ଦେଶବାସୀ ଅକୁଣ୍ଠିତ ଚିତ୍ତରେ ଆତ୍ମନିୟୋଗ କଲେ । ଏଥିରେ ଅପୂର୍ବ ଉତ୍ସାହ ପ୍ରେରଣା ଯୋଗାଇ ଥିଲେ ଲଏଡ଼ ଜର୍ଜ । ଇଂରେଜମାନଙ୍କର ନୈତିକ ବଳ ଓ ମାନସିକ ଦୃଢ଼ତା ଯୁଦ୍ଧ ବିଜୟର ପ୍ରଧାନ କାରଣ ।

 

ବିଶ୍ୱଯୁଦ୍ଧରେ ମିତ୍ରପକ୍ଷରେ ବିଜୟପାଇଁ ସବୁଠାରୁ ଅଧିକ ସହାୟକ ହୋଇଥିଲା ସେନାଧ୍ୟକ୍ଷ ସାର୍‌ ଡଗ୍‌ଲାସ୍ ହେଗଙ୍କର ସମର କୌଶଳ ଓ ସାମରିକ ନେତୃତ୍ୱ । ପ୍ରଧାନମନ୍ତ୍ରୀ ଲଏଡ଼ଜର୍ଜଙ୍କର କୂଟନୈତିକ ଉଦ୍ୟୋଗ ମଧ୍ୟ ମିତ୍ରପକ୍ଷର ବିଜୟପାଇଁ ଅନେକାଂଶରେ ଦାୟୀ । ସାର୍ ଡଗ୍‌ଲାସ ହେଗ୍ ଏବଂ ଲଏଡ଼ଜର୍ଜ ନଥିଲେ ଫ୍ରାନ୍‌ସର ସ୍ଥିତିକୁ ରକ୍ଷା କରିବା ଓ ଯୁକ୍ତରାଷ୍ଟ୍ର ଆମେରିକାକୁ ମିତ୍ରପକ୍ଷ ସହ ଯୁଦ୍ଧରେ ଜଡ଼ିତ କରିବା ସମ୍ଭବ ହୋଇ ନଥାନ୍ତା । କେବଳ ସେତିକି ନୁହେଁ, ଯୁଦ୍ଧର ଅବସାନ ପାଇଁ ଯେଉଁ କୂଟନୈତିକ ଉଦ୍ୟମ ନିହାତି ପ୍ରୟୋଜନୀୟ ତାହା କେବଳ ପ୍ରଧାନମନ୍ତ୍ରୀ ଲଏଡ଼ଜର୍ଜ ପରିଚାଳିତ କରିବାକୁ କ୍ଷମ ଥିଲେ । ତେଣୁ ଇଉରୋପରେ ଗ୍ରେଟବ୍ରିଟେନର ନେତୃତ୍ୱ ଯୁଦ୍ଧ ସମୟରେ ଏବଂ ଯୁଦ୍ଧପରେ ମଧ୍ୟ ଅପରିହାର୍ଯ୍ୟ ଥିଲା ।

Image

 

ଅଷ୍ଟବିଂଶ ଅଧ୍ୟାୟ

‘ପ୍ୟାରିସ–ଶାନ୍ତି–ସମ୍ମିଳନୀ ଓ ଗ୍ରେଟ ବ୍ରିଟେନ ଉପରେ ବିଶ୍ୱଯୁଦ୍ଧର ପ୍ରଭାବ’

 

ଯୁଦ୍ଧ ଚାଲିଥିବା ସମୟରେ ଇଂଲଣ୍ତ, ଯୁକ୍ତରାଷ୍ଟ୍ର ଓ ଫ୍ରାନ୍‌ସ ଆଦିର ଜନନାୟକମାନେ ‘ଗଣତନ୍ତ୍ରର ସୁରକ୍ଷାପାଇଁ’, ‘ଶାନ୍ତିର ସୁରକ୍ଷାପାଇଁ’, ‘ଯୁଦ୍ଧର ଅବସାନ ପାଇଁ’ ଯୁଦ୍ଧ କରିବା ଜରୁରୀ ବୋଲି ନିଜ ଦେଶବାସୀଙ୍କୁ ପ୍ରବୋଧନା ଦେଉଥିଲେ । ଏ ଦିଗରେ ରାଷ୍ଟ୍ରପତି ଉଇଲସନ୍ ଏବଂ ପ୍ରଧାନମନ୍ତ୍ରୀ ଲଏଡ଼ଜର୍ଜ ଅବଶ୍ୟ ଅଗ୍ରଣୀ ଥିଲେ । ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବାପାଇଁ ଏବଂ ପ୍ରକୃତରେ ଯୁଦ୍ଧର ଚିରାବସାନ ପାଇଁ ଖ୍ରୀ: ୧୯୧୯ରେ ପ୍ୟାରିସ ସହରଠାରେ ଏକ ଆନ୍ତର୍ଜାତିକ ଶାନ୍ତି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ବିଗତ ଚାରି ପାଞ୍ଚବର୍ଷର ଘୃଣା, ହତ୍ୟା, ବିଭୀଷିକା ପରେ ଶାନ୍ତିର ନିଃଶ୍ୱାସ ମାରିବାପାଇଁ ମାନବ ଜାତି ଉତ୍ସୁକ ଥିଲା । ତେଣୁ ଶାନ୍ତି ନାମରେ ସବୁକିଛି ତ୍ୟାଗ କରିବାପାଇଁ ପ୍ରସ୍ତୁତ ଥିବାରୁ ମାନବ ଜାତିର ଇତିହାସରେ ପ୍ୟାରିସ ଶାନ୍ତି ସମ୍ମିଳନୀ ଏକ ବିରାଟ ସ୍ମୃତିସ୍ଥମ୍ଭରୂପେ ପରିଗଣିତ । ସେହି ସ୍ତମ୍ଭର ନିର୍ମାତା ଥିଲେ ରାଷ୍ଟ୍ରପତି ଉଇଲସନ । ତାଙ୍କରିଦ୍ୱାରା ପ୍ରସ୍ତାବିତ ‘ଚତୁର୍ଦ୍ଦଶ ଦଫା ସର୍ତ୍ତାବଳୀ’ ଉପରେ ଆଧାରିତ ହୋଇ ଭବିଷ୍ୟତର ନୂତନ ପୃଥିବୀ, ନୂତନ ଆନ୍ତଃରାଷ୍ଟ୍ରୀୟ ସହଯୋଗ ଓ ରାଜନୈତିକ ଆଦର୍ଶ ଗଠିତ ହୋଇଥିଲା । ତାଙ୍କୁ ସାହାଯ୍ୟ କରିବାପାଇଁ କ୍ଷୁଦ୍ର ବୃହତ୍ ବହୁ ରାଷ୍ଟ୍ରର ପ୍ରତିନିଧିଙ୍କୁ ନେଇ ପ୍ୟାରିସ ଶାନ୍ତି ସମ୍ମିଳନୀ ବସିଥିଲା ।

 

ବିଶ୍ୱଯୁଦ୍ଧଫଳରେ ବିଭିନ୍ନ ମହାଦେଶଭୁକ୍ତ ଦେଶଗୁଡ଼ିକ ଓ ଅଧିବାସୀମାନେ କିପରି ପରସ୍ପର ସହିତ ସଂଶ୍ଳିଷ୍ଟ ଓ ପରସ୍ପରଦ୍ୱାରା ପ୍ରଭାବିତ, ଏହି ପ୍ରମାଣିତ ହେଲା । ମାନବସଭ୍ୟତା ଧ୍ୱଂସପଥରୁ କିପରି ଭାଗ୍ୟବଶତଃ ରକ୍ଷା ପାଇଗଲା ଏହି ଚିନ୍ତା ମଧ୍ୟ ଅନେକଙ୍କ ମନକୁ ଆଲୋଡ଼ିତ କଲା । ତେଣୁ ପ୍ୟାରିସ ସହରରେ ସମବେତ ରାଷ୍ଟ୍ର ପ୍ରତିନିଧିମାନେ ସମଗ୍ର ବିଶ୍ୱ ଓ ମାନବ ସମାଜର ସ୍ୱାର୍ଥ ଏକ ଓ ଅଭିନ୍ନ ଏବଂ ଶାନ୍ତିର ସୁରକ୍ଷାରେ ସଭ୍ୟତାର ସୁରକ୍ଷା, ଏହି ସିଦ୍ଧାନ୍ତ ଗ୍ରହଣ କରି ଭବିଷ୍ୟତରେ ଆନ୍ତଃରାଷ୍ଟ୍ରୀୟ ସୌହାର୍ଦ୍ଦ୍ୟ ଏବଂ ସହଯୋଗ ଉପରେ ଭିତ୍ତିକରି ରାଷ୍ଟ୍ରସଂଘ ଭଳି କେତେଗୁଡ଼ିଏ ଅନୁଷ୍ଠାନ ଗଢ଼ିଦେଲେ । କେବଳ ସେତିକି ନୁହେଁ, ଯେଉଁ ଅର୍ଥନୈତିକ ଓ ସାମାଜିକ ଅନ୍ୟାୟପାଇଁ ରୁଷିଆ, ତୁର୍କୀ, ଅଷ୍ଟ୍ରିୟା ଏବଂ ଜର୍ମାନୀରେ ରାଜତନ୍ତ୍ର ସରକାରକୁ ଭାଙ୍ଗିଦେଇ ସାଧାରଣତନ୍ତ୍ର ସରକାର ଜାତୀୟତା ଭିତ୍ତିରେ ପ୍ରତିଷ୍ଠିତ ହେଲା ସେହି ଜାତୀୟ ମନୋଭାବକୁ ଉତ୍ସାହିତ ଓ ବଳିଷ୍ଠ କରିବାପାଇଁ ଗଣତାନ୍ତ୍ରିକ ସ୍ୱାଧିକାରକୁ ମଧ୍ୟ ସେମାନେ ଭବିଷ୍ୟତର ରାଜନୈତିକ ଆଦର୍ଶରୂପେ ଗ୍ରହଣ କଲେ । ତଦ୍ଦ୍ୱାରା ବଲକାନ ଅଞ୍ଚଳ, ମଧ୍ୟପ୍ରାଚ୍ୟ ଆଦିରେ ନୂତନ ରାଷ୍ଟ୍ର ସମୂହର ଆବିର୍ଭାବ ହେଲା ।

 

କିନ୍ତୁ ପ୍ୟାରିସ ଶାନ୍ତି ସମ୍ମିଳନୀର ଶ୍ରେଷ୍ଠ କୃତିତ୍ୱ ଥିଲା । ଇଉରୋପୀୟ ମାନଚିତ୍ରରେ ପରିବର୍ତ୍ତନ ପ୍ରବର୍ତ୍ତନ । ଏହି ପରିବର୍ତ୍ତନ ପାଇଁ ଜର୍ମାନୀ ଭାର୍ସାଇ ସନ୍ଧି, ଅଷ୍ଟ୍ରିୟା ସହିତ ସେଣ୍ଟ ଜର୍ମାନ ସନ୍ଧି, ହଙ୍ଗେରୀ ସହିତ ତ୍ରିୟାନନ୍ ସନ୍ଧି, ବୁଲଗେରିଆ ସହିତ ନିଉଲି ଏବଂ ତୁର୍କୀ ସହ ସେଭ୍ରେସ୍ ସନ୍ଧି ସ୍ୱାକ୍ଷରିତ ହୋଇଥିଲା । ଏହି ସନ୍ଧିଗୁଡ଼ିକର ଚିଠା ପ୍ରସ୍ତୁତିରେ କେବଳ ମିତ୍ରପକ୍ଷର ବୃହତ୍ ଶକ୍ତିମାନେ ଅଂଶଗ୍ରହଣ କରିଥିଲେ । ସେମାନେ ଥିଲେ ଆମେରିକା, ବ୍ରିଟେନ, ଫ୍ରାନ୍‌ସ, ଇତାଲୀ ଓ ଜାପାନ । ଏହି ଦେଶଗୁଡ଼ିକରୁ ଦୁଇଜଣ ଲେଖାଏଁ ପ୍ରତିନିଧି ନେଇ ଗୋଟିଏ ‘‘ଦଶଜଣିଆ ପରିଷଦ’’ ଗଠିତ ହୋଇଥିଲା ଏବଂ ତଦ୍ଦ୍ୱାରା ପ୍ୟାରିସ ସମ୍ମିଳନୀର ସବୁକିଛି ବ୍ୟବସ୍ଥା ଗୃହୀତ ହୋଇଥିଲା । ତେବେ ‘ଦଶଜଣିଆ ପରିଷଦ’କୁ ପରିଚାଳିତ କରୁଥିଲେ ଆମେରିକାର ରାଷ୍ଟ୍ରପତି ଉଇଲସମ, ଗ୍ରେଟବ୍ରିଟେନର ପ୍ରଧାନମନ୍ତ୍ରୀ ଲଏଡ଼ ଜର୍ଜ, ଫ୍ରାନ୍‌ସର ପ୍ରଧାନମନ୍ତ୍ରୀ କ୍ଳିମାନ୍‌ସୁ ଏବଂ ଇତାଲୀର ପ୍ରଧାନମନ୍ତ୍ରୀ ଓର୍ଲାଣ୍ତୋ ।

 

ପ୍ୟାରିସ ସମ୍ମିଳନୀର ସିଦ୍ଧାନ୍ତ ଅନୁସାରେ ଅଷ୍ଟ୍ରିୟା ଓ ହଙ୍ଗେରୀକୁ ପୃଥକ୍‌ କରି ଦୁଇଟି ସ୍ୱାଧୀନ ସାର୍ବଭୌମ ରାଷ୍ଟ୍ର ଗଠନ କରାଗଲା । ରୁମାନିଆକୁ ବେସାରାବିଆ ଓ ଟ୍ରାନ୍‌ସିଲଭାନିଆ ଦିଆଗଲା । ଇତାଲୀ ପାଇଲା କ୍ରେନ୍ତିନୋ, ଇସ୍ତ୍ରିଆ ଓ ତ୍ରିଏସ୍ତି । ସ୍ଳାଭ ଅଧିବାସୀଙ୍କୁ ଘେନି ‘ଯୁଗୋସ୍ଳାଭିଆ’ ପ୍ରତିଷ୍ଠିତ ହେଲା । ପୋଲାଣ୍ତ ପୁନର୍ଗଠିତ ହେଲା । ‘ଚେକୋସ୍ଳୋଭାକିଆ’ ନାମକ ଏକ ନୂତନ ରାଷ୍ଟ୍ର ଗଠିତ ହେଲା । ଜର୍ମାନୀଠାରୁ ଆଲସାସ୍ ଏବଂ ଲୋଗାଇଁ କାଢ଼ିନେଇ ଫ୍ରାନ୍‌ସକୁ ଫେରସ୍ତ ଦିଆଗଲା । ବଲଟିକ ଅଞ୍ଚଳରେ ଫିନ୍‌ଲାଣ୍ତ, ଇସ୍ତୋନିଆ, ଲାଟ୍‌ଭିଆ ଏବଂ ଲିଥୁଆନିଆ ନାମକ ସାଧାରଣତନ୍ତ୍ର ଶାସିତ ରାଷ୍ଟ୍ର ଗଠିତ ହେଲା । ଏହାଛଡ଼ା ଜର୍ମାନୀ ଏବଂ ତୁର୍କୀର ଉପନିବେଶ ଓ ସାମ୍ରାଜ୍ୟକୁ ମିତ୍ରପକ୍ଷ ମଧ୍ୟରେ ବଣ୍ଟନ କରାଗଲା । ଆଫ୍ରିକାରେ ଜର୍ମାନ ଉପନିବେଶଗୁଡ଼ିକ ଫ୍ରାନ୍‌ସ, ବେଲଜିୟମ, ପର୍ତ୍ତୁଗାଲ, ସଂଯୁକ୍ତ ଦକ୍ଷିଣ ଆଫ୍ରିକା ଏବଂ ଗ୍ରେଟବ୍ରିଟେନ ମଧ୍ୟରେ ବାଣ୍ଟି ଦିଆଗଲା । ସୁଦୂର ପ୍ରାଚ୍ୟରେ ଥିବା ଜର୍ମାନ ଉପନିବେଶକୁ ଜାପାନ, ଅଷ୍ଟ୍ରେଲିଆ ଓ ନିଉଜିଲାଣ୍ତ୍ ମଧ୍ୟରେ ବିଭକ୍ତ କରାଗଲା । ତୁରସ୍କ ସାମ୍ରାଜ୍ୟରୁ ସିରିଆ ଫ୍ରାନ୍‌ସକୁ ଏବଂ ପାଲେଷ୍ଟାଇନ ଓ ମେସୋପଟୋମିଆ ଅଞ୍ଚଳ ଶାସନ ଗ୍ରେଟ ବ୍ରିଟେନକୁ ତତ୍ତ୍ୱାବଧାରକ ଦାୟିତ୍ୱ ଦିଆଯାଇଥିଲା ।

 

ତା’ଛଡ଼ା ଇଉରୋପରେ ଯୁଦ୍ଧର ପ୍ରଧାନ କାରଣ ହୋଇଥିବାରୁ ଜର୍ମାନୀ ଉପରେ ଶାସ୍ତିବିଧାନସ୍ୱରୂପ ସମ୍ପୂର୍ଣ୍ଣ ନିରସ୍ତ୍ରୀକରଣ ପାଇଁ ପ୍ୟାରିସ ସମ୍ମିଳନୀ ଆଦେଶ ଦେଲେ । ଜର୍ମାନୀର ନୌବାହିନୀ, ତୋପ, ବ୍ୟୋମଯାନ, ଟ୍ୟାଙ୍କ ଓ ଅନ୍ୟାନ୍ୟ ମାରଣାସ୍ତ୍ର ମିତ୍ରଶକ୍ତି ନିଜ ଅଧିକାରଭୁକ୍ତ କଲେ । ଜର୍ମାନୀର ସେନାବାହିନୀ ଏକଲକ୍ଷକୁ ସୀମିତ କରିଦିଆଗଲା । ଏହା ବ୍ୟତୀତ ଯୁଦ୍ଧ କ୍ଷତିପୂରଣ ବାବଦରେ ତା’ଠାରୁ ଚବିଶ ଶହ କୋଟି ପାଉଣ୍ତ ମୁଦ୍ରା ଆଦାୟ ହେବାର ଅଟକଳ ହେଲା । ଜର୍ମାନୀର କୋଇଲାଖଣିଗୁଡ଼ିକ ଉପରେ ଫ୍ରାନ୍‌ସକୁ ଅଧିକାର ଦିଆହେଲା । ଏହିପରିଭାବେ ଯୁଦ୍ଧ ଅପରାଧୀରୂପେ ଜର୍ମାନୀ ଉପରେ ପ୍ୟାରିସ ସମ୍ମିଳନୀ ଯଥେଷ୍ଟ ଶାସ୍ତିବିଧାନ କରିଥିଲା ।

 

ଆନ୍ତର୍ଜାତିକ ବିବାଦର ଆପୋସ ସମାଧାନ ପାଇଁ ଏକ ରାଷ୍ଟ୍ରସଂଘର ପରିକଳ୍ପନା ଏବଂ ପ୍ରତିଷ୍ଠା ପ୍ୟାରିସ ଶାନ୍ତି ସମ୍ମିଳନୀର ଅମର କୃତିଥିଲା । ଶାନ୍ତିପ୍ରେମୀ ସ୍ୱାଧୀନ ରାଷ୍ଟ୍ରମାନଙ୍କର ପ୍ରତିନିଧିଙ୍କୁ ନେଇ ଏକ ‘ବ୍ୟବସ୍ଥାପକ ସଭା’ ଏବଂ ପଞ୍ଚବୃହତ ଶକ୍ତି ତଥା ଆଉ ନଅଜଣ ସଭ୍ୟଙ୍କୁ ନେଇ ‘ପରିଷଦ’ ଏବଂ ଦୈନନ୍ଦିନ କାର୍ଯ୍ୟନିର୍ବାହ ପାଇଁ ଏକ ସଚିବାଳୟ ପ୍ରଭୃତିର ବ୍ୟବସ୍ଥା କରି ମାନବ ସଭ୍ୟତାକୁ ଯୁଦ୍ଧର ଦାରୁଣ ବିପର୍ଯ୍ୟୟରୁ ରକ୍ଷା କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରସଂଘ ନାମକ ଆନ୍ତର୍ଜାତିକ ଅନୁଷ୍ଠାନ ପ୍ରତିଷ୍ଠିତ ହେଲା । ଜେନେଭା ନଗରୀରେ ଏହି ଅନୁଷ୍ଠାନର ପ୍ରଧାନ କାର୍ଯ୍ୟାଳୟ ସ୍ଥାପିତ ହୋଇଥିଲା । ଏହି ରାଷ୍ଟ୍ରସଂଘ ସହିତ ସହଯୋଗ କରିବାପାଇଁ ‘ଆନ୍ତର୍ଜାତିକ ବିଚାରାଳୟ’କୁ ଶାନ୍ତିପ୍ରତିଷ୍ଠା ଉଦ୍ୟମର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ଗ୍ରହଣ କରାଯାଇଥିଲା ।

 

ଖ୍ରୀ: ୧୯୧୯ ତେଣୁ ବିଶ୍ୱ ଇତିହାସରେ ଏକ ନବଯୁଗର ଦ୍ୟୋତକ । ଯୁଦ୍ଧୋତ୍ତର ପୃଥିବୀର ଅର୍ଥନୀତିକ ଓ ସାମାଜିକ ସତ୍ତ୍ୱେ ଭବିଷ୍ୟତରେ ମାନବ ସମାଜ ଯେପରି ଯୁଦ୍ଧର ବିଷମୟ ପରିଣତି ଭୋଗ ନକରୁ ଏହି ଆଶା ଏବଂ ସ୍ୱପ୍ନ ନେଇ ରାଷ୍ଟ୍ରସଂଘର ପ୍ରତିଷ୍ଠା ହୋଇଥିଲା ।

 

ଗ୍ରେଟ ବ୍ରିଟେନ ଉପରେ ଯୁଦ୍ଧର ପ୍ରଭାବ’ :–ବିଶ୍ୱଯୁଦ୍ଧ ଇଂରେଜମାନଙ୍କର ଜୀବନଯାତ୍ରା, ବ୍ୟବସାୟ ଉତ୍ପାଦନ ଓ ବଣ୍ଟନ ଏବଂ ସାମାଜିକ ଅନୁଷ୍ଠାନ ଉପରେ ଅଶେଷ ପ୍ରଭାବ ପକାଇଥିଲା । ପ୍ରଥମତଃ ଯୁଦ୍ଧଯୋଗୁଁ ପ୍ରାୟ ୧୦ ଲକ୍ଷ ଇଂରେଜ ଅଧିବାସୀ ପ୍ରାଣ ହରାଇଲେ । ଏମାନେ ଥିଲେ ସମାଜର ଅତି ଶକ୍ତିମାନ ଓ ଉତ୍ସାହୀ ଯୁବକ ସଂପ୍ରଦାୟ । ଲକ୍ଷ ଲକ୍ଷ ଲୋକ କ୍ଷତବିକ୍ଷତ ହୋଇ ଶାରୀରିକ ଓ ମାନସିକ ପଙ୍ଗୁଗ୍ରସ୍ତ ହୋଇ ସମାଜରେ ପରାଙ୍ଗପୁଷ୍ଟ ଜୀବ ଭାବରେ ବୋଝହୋଇ ରହିଲେ । ଧନକ୍ଷୟର ପରିମାଣତ ଅକଳନୀୟ । ଯୁଦ୍ଧ ପରିଚାଳନାରେ ନେତୃତ୍ୱ ନେଇଥିବାରୁ ଯୁଦ୍ଧର ଆର୍ଥିକ ବୋଝ ସାଧାରଣତଃ ଗ୍ରେଟବ୍ରିଟେନ ଉପରେହିଁ ପଡ଼ିଥିଲା । ଦିନୁଦିନ ଲୋକମାନଙ୍କ ଉପରେ କରଭାର ବୃଦ୍ଧି ପାଉଥିଲା । ଖର୍ଚ୍ଚ ତୁଳାଇବା ପାଇଁ କର ଆଦାୟ ଛଡ଼ା, ଋଣ ସଂଗ୍ରହ ମଧ୍ୟ ଅପରିହାର୍ଯ୍ୟ ଥିଲା । ଯୁଦ୍ଧ ଶେଷବେଳକୁ ସରକାରୀ ଋଣର ପରିମାଣ ଥିଲା ସାତଶହ କୋଟି ପାଉଣ୍ତ । ଯୁଦ୍ଧ ଚାଲିଥିବା କାଳରେ ଏହି ଋଣର ଗୁରୁଭାର ପ୍ରତି ଇଂରେଜମାନେ, ସଚେତନ ନଥିଲେ । ବିପୁଳ ଭାବରେ ମୁଦ୍ରା ପ୍ରଚଳନ କରି ଯୁଦ୍ଧଖର୍ଚ୍ଚ ତୁଲାଇବାରେ ସରକାର ସାମୟିକ ସାଫଲ୍ୟ ଲାଭ କରିଥିଲେ ମାତ୍ର । ଯୁଦ୍ଧପରେ ଦେଶରେ ମୁଦ୍ରାସ୍ଫୀତି ଘଟିବାରୁ ଜିନିଷପତ୍ରର ମୂଲ୍ୟବୃଦ୍ଧି, ସାମଗ୍ରୀର ଦୁଷ୍ପ୍ରାପ୍ୟତା ଆଦି ଅର୍ଥନୈତିକ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କଲା ।

 

ଯୁଦ୍ଧପାଇଁ କରଭାର ବୃଦ୍ଧିରେ ଧନୀକ ଶ୍ରେଣୀ ବେଶୀ ଆକ୍ରାନ୍ତ ହେଲେ । ସେଥିରେ ସର୍ବସ୍ୱାନ୍ତ ହୋଇ କେତେକ ଜମିମାଲିକ ନିଜ କୃଷିକ୍ଷେତ୍ରକୁ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ । ଛୋଟ ଛୋଟ ଚାଷୀମାନେ ଏହି କୃଷିକ୍ଷେତ୍ରଗୁଡ଼ିକୁ ସୁଲଭ ମୂଲ୍ୟରେ କ୍ରୟକଲେ ସତ, ନିଜେ ସମ୍ବଳହୀନ ଥିବାରୁ ଉପଯୁକ୍ତ ଭାବରେ ଉପଯୋଗ କରିପାରିଲେ ନାହିଁ । ଫଳରେ କୃଷିର ଅବନତି ଘଟିଲା ଏବଂ ଦାରିଦ୍ର୍ୟ ବୃଦ୍ଧି ପାଇଲା ।

 

ଯୁଦ୍ଧ ସମୟରେ ଇସ୍ପାତଶିଳ୍ପ, ଅସ୍ତ୍ରଶସ୍ତ୍ର କାରଖାନା, ଜାହାଜ ନିର୍ମାଣ, ଧାତବ ଓ ରାସାୟନିକ ଶିଳ୍ପ, ଯାନ୍ତ୍ରିକ ଉଦ୍ୟୋଗର ଆବଶ୍ୟକତା ଯଥେଷ୍ଟ ଥିବାରୁ ସେ କ୍ଷେତ୍ରରେ ଅସଂଖ୍ୟ ଶ୍ରମିକ ନିଯୁକ୍ତି ପାଇଥିଲେ । ଏପରିକି ଯୁଦ୍ଧକ୍ଷେତ୍ରରେ ମଧ୍ୟ ଆବଶ୍ୟକତା ଅନୁଯାୟୀ ଲକ୍ଷ ଲକ୍ଷ ଲୋକ ନିଯୁକ୍ତି ହୋଇଥିଲେ । ପରିବହନ ବ୍ୟବସ୍ଥାରେ ମଧ୍ୟ ବହୁସଂଖ୍ୟାରେ ଇଂରେଜମାନେ ନିଯୁକ୍ତ ହୋଇଥିଲେ । କିନ୍ତୁ ଯୁଦ୍ଧର ଅବସାନ ଉପରୋକ୍ତ ଶିଳ୍ପକାରଖାନାରେ ନିୟୋଜିତ ଶ୍ରମିକଙ୍କୁ କାର୍ଯ୍ୟଚ୍ୟୁତ କଲା । ବହୁସଂଖ୍ୟାରେ ଛଟେଇ ହୋଇଥିବା ଶ୍ରମିକ ଏବଂ ବେକାର ସୈନ୍ୟ ସମାଜରେ ନାନା ବିଶୃଙ୍ଖଳା ସୃଷ୍ଟିକଲେ । କେତେକ ଶିଳ୍ପ କାରଖାନା ବନ୍ଦ ହୋଇଯିବାରୁ ଏବଂ ରପ୍ତାନୀ ବାଣିଜ୍ୟ ବ୍ୟାହତ ହେବାରୁ ଇଂଲଣ୍ତର ଅର୍ଥନୀତି ବିପନ୍ନ ହେଲା । ଯୁଦ୍ଧପୂର୍ବେ ଉପଭୋଗ କରିଥିବା ବ୍ୟବସାୟିକ ସମୃଦ୍ଧି କଥା ଚିନ୍ତାକରି ବ୍ୟବସାୟୀ ଗୋଷ୍ଠୀ ହତୋତ୍ସାହ ହେଲେ ସିନା, କିନ୍ତୁ ଅନ୍ୟ ଉପାୟ ନଥିଲା ।

 

ଯୁଦ୍ଧ ସମୟରେ ଶ୍ରମିକ ଗୋଷ୍ଠୀଙ୍କର ଜୀବନଧାରଣର ମାନ ପଡ଼ିପ୍ରଥା ସତ୍ତ୍ୱେ ଅପେକ୍ଷାକୃତ ଉନ୍ନତ ଥିଲା । ସୈନ୍ୟମାନେ ବେଶୀ ବେତନ ନ ପାଇଥିଲେ ମଧ୍ୟ ସେମାନଙ୍କର ପରିବାରବର୍ଗଙ୍କୁ ପ୍ରଚୁର ଆର୍ଥିକ ସାହାଯ୍ୟ ଦିଆଯାଉଥିଲା । ପୁରୁଷମାନଙ୍କ ପରିବର୍ତ୍ତେ ମହିଳାମାନେ ଶିଳ୍ପ କାରଖାନାର ନିଯୁକ୍ତ ହୋଇ ସ୍ୱାଧୀନ ଜୀବିକାର୍ଜନର ସୁଯୋଗ ପାଇପାରିଲେ । ସେମାନେ କ୍ରମଶଃ ଆତ୍ମନିର୍ଭରଶୀଳ ହୋଇ ଦେଶର ରାଜନୈତିକ ଜୀବନରେ ଅଂଶଗ୍ରହଣ ପାଇଁ ଆନ୍ଦୋଳନ ଆରମ୍ଭ କଲେ । ଫଳରେ ମହିଳାମାନଙ୍କ ପାଇଁ ଭୋଟ ଅଧିକାର ଓ ନାରୀ ସ୍ୱାଧୀନତା ଆନ୍ଦୋଳନ ସମାଜରେ ଏକ ନୂତନ ଆଭିମୁଖ୍ୟ ସୃଷ୍ଟିକଲା । ସେହିପରି ଶ୍ରମିକମାନେ ଉତ୍ତମ ବାସଗୃହ, ଜନସ୍ୱାସ୍ଥ୍ୟ ବ୍ୟବସ୍ଥା, ପେନ୍‍ସନ୍, ଜୀବନବୀମା ଆଦି ନାନାପ୍ରକାର ସାମାଜିକ ନିରାପତ୍ତା ଦାବିକଲେ । ମହିଳା ଏବଂ ଶ୍ରମିକମାନଙ୍କ ଦାବି ପୂରଣ ଦିଗରେ ସରକାର ନାନାବିଧ ଆଇନ ପ୍ରଣୟନ କରିଥିଲେ । ମହିଳାମାନଙ୍କୁ ଭୋଟ ଅଧିକାର ଏବଂ ଶ୍ରମିକମାନଙ୍କୁ ଉଚିତ ଅର୍ଥନୈତିକ ମର୍ଯ୍ୟାଦା ମିଳିବାରୁ ଇଂଲଣ୍ତରେ ଗଣତାନ୍ତ୍ରିକ ବିକାଶ ଓ ସମାଜବାଦୀ ସମାଜ ପ୍ରତିଷ୍ଠା ସମ୍ଭବ ହୋଇଥିଲା ।

 

ଯୁଦ୍ଧ ଶେଷରେ ଗ୍ରେଟବ୍ରିଟେନରେ ଏକ ନୂତନ ରାଜନୈତିକ ଦଳର ଅଭ୍ୟୁଦୟ ଘଟିଥିଲା ଶ୍ରମିକ ଗୋଷ୍ଠୀର ସ୍ୱାର୍ଥରକ୍ଷା ପାଇଁ । ଉକ୍ତ ଦଳକୁ ‘ଶ୍ରମିକ ଦଳ’ ନାମରେ ଅଭିହିତ କରାଯାଇଥିଲା । ନୂତନ ସମାଜବାଦୀ ରାଷ୍ଟ୍ର ଗଠନ କରି, ଉତ୍ପାଦନ, ବଣ୍ଟନ ଆଦି କ୍ଷେତ୍ରରେ ଜାତୀୟକରଣ ନୀତି ଅନୁସରଣ କରିବା ଓ ସାମ୍ୟବାଦ ପ୍ରତିଷ୍ଠା କରିବା ଏହି ଦଳର ମୂଳ ଉଦ୍ଦେଶ୍ୟ ହେଲା । ଦେଶର ସାମ୍ବିଧାନିକ ପରିବର୍ତ୍ତନ ଜରିଆରେ ଶ୍ରମିକଗୋଷ୍ଠୀକୁ ନୂତନ ଜୀବନ, ନୂତନ ସମାଜ ଓ ନୂତନ ଅର୍ଥନୀତିକ ସ୍ୱାଧୀନତା ଦେବାକୁ ‘ଶ୍ରମିକ ଦଳ’ ଦୃଢ଼ସଂକଳ୍ପ ହେଲେ । ସେମାନଙ୍କର ସମର୍ଥକଙ୍କ ସଂଖ୍ୟା ଅତି ଦ୍ରୁତଗତିରେ ବୃଦ୍ଧି ପାଇଲା ଏବଂ ଯୁଦ୍ଧୋତ୍ତର ଦୁରବସ୍ଥାକୁ ଆୟତ୍ତାଧୀନ କରି ଜୀବନକୁ ସୁଖମୟ କରିବା ଦିଗରେ ଗ୍ରେଟ ବ୍ରିଟେନର ନେତୃତ୍ୱ ସେମାନେ ଗ୍ରହଣ କରିଥିଲେ ।

Image